ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଷଷ୍ଠବିଂଶତମ ସ୍ତବକ)

ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଷଷ୍ଠବିଂଶତମ ସ୍ତବକ)

ସୁଖତଃ କ୍ରିୟତେ ରାମାଭୋଗଃ – ପଶ୍ଚାଦ୍ଧନ୍ତ ଶରୀରେ ରୋଗଃ
ୟଦ୍ୟପି ଲୋକେ ମରଣଂ ଶରଣଂ – ତଦପି ନ ମୁଞ୍ଚନ୍ତି ପାପାଚରଣମ୍ ।

ଏ ଶ୍ଳୋକ ମାନବ ଜୀବନରେ ଘଟୁଥିବା ଅନ୍ୟ ଏକ ନିଚ୍ଛକ ସତ୍ୟକୁ ବ୍ୟାଖ୍ୟା କରେ । ଇନ୍ଦ୍ରିୟର ବହୁରୂପୀ ଲାଳସାର ବଶବର୍ତ୍ତୀ ହୋଇ ମାନବ ଉନ୍ମାଦ ହୁଏ ଓ ତାହାକୁ କାର୍ଯ୍ୟରେ ପରିଣତ କରି ସୁଖ ପାଏ । ସେହି ପଥ ହିଁ ତା’କୁ ସହଜ ଓ ସରଳର ଆଭାସ ଦିଏ । ଏହି ଅବାସ୍ତବ ଓ ଅପ୍ରାକୃତିକ ମାର୍ଗ ମାନବକୁ ଜରା – ବ୍ୟାଧିଗ୍ରସ୍ତତାରେ ଜଡିତ କରିଚାଲେ । ଯଦିଓ ସେ ଜାଣି ପାରୁଥାଏ ଯେ, ଏହାଦ୍ୱାରା ସେ ମୃତ୍ୟୁର ଦ୍ୱାର ଦେଶରେ ଉପନୀତ, ତଥାପି ସେ ପାପ – ପଙ୍କିଳମୟ ପଥ ପରିତ୍ୟାଗ ପରିବର୍ତ୍ତେ ତାହାକୁ ଜାବୋଡି ଧରିଥାଏ । ଏତାଦୃଶ ଚିତ୍ରପଟ୍ଟ ସମ୍ପୂର୍ଣ୍ଣ ରୂପେ ମରିଚିକା ପଛରେ ପାଗଳ ପ୍ରାୟ ଧାଇଁବାକୁ ବୁଝାଇଥାଏ । ତେବେ ଏହାକୁ ବିଜ୍ଞାନମୁଖୀ କରାଇବା ସଙ୍ଗେ ସଙ୍ଗେ ରୋଗଗ୍ରସ୍ତତାରେ ପ୍ରକାଶ ପାଉଥିବା କିଛି ଆଚରଣକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇପାରେ ।

ଯାହା ଦେଖାଯାଏ, ମାନବ ଅବାସ୍ତବତା ଓ ଅପ୍ରାକୃତିକତାର ପ୍ରଭାବରେ ବେଶି ଆକୃଷ୍ଟ ହୁଏ । ଏଥିରୁ ପ୍ରକାଶିତ ଲୋଲୁପତା ବା ଅପୂର୍ବ ସୁଖର ଅନୁଭବତାର ଅଗ୍ନି ଧାସରେ ପତଙ୍ଗ ପ୍ରାୟ ଝାସ ଦେବାକୁ ଧାଇଁ ଚାଲେ ମୂଢ ମାନବ । ଏହାର ଫଳାଫଳ ଜାଣିଲେ ବି ସମୟ ନାହିଁ ନିଜକୁ ସମ୍ଭାଳିବାକୁ । ମହାଭାରତରେ ଗାନ୍ଧାରର ରାଜା ଶକୁନିକୁ ଆକର୍ଷଣୀୟ ନୀଳପଦ୍ମ ସହ ତୁଳନା କରା ଯାଇଛି, ଯାହାଠାରୁ ଲୋଭନୀୟ ମଦିରା ପାନ କରି କୌରବ ମାନେ ମତୁଆଲା ହେଲେ । କିନ୍ତୁ ଆକର୍ଷଣୀୟ ନୀଳପଦ୍ମ ମୂଳ ଯେ ବିଷଧର ସର୍ପର ଆଶ୍ରୟ ସ୍ଥଳ, ଅର୍ଥାତ୍‍ ବିନାଶ ହେବାର ଜାଣି ଜାଣି ନୀଳପଦ୍ମର ପ୍ରଭାବରେ ଦୁର୍ଯ୍ୟୋଧନ ଦୃଢୋକ୍ତି ପ୍ରକାଶ କରିଥିଲା -“ବିନା ଯୁଦ୍ଧେ ଦେବିନାହିଁ ସୂଚ୍ୟଗ୍ରେ ମେଦିନୀ” । ଏହିପରି ଯୁଗଯୁଗ ଧରି ଅନେକ ଅନେକ ଉଦାହରଣମାନ ରହିଛି । ତେବେ ଦେଖିବା ଏହାର ବିଜ୍ଞାନ ଭିତ୍ତିକ ପର୍ଯ୍ୟାଲୋଚନା ।

ଏଠାରେ ପଦାର୍ଥ ବିଜ୍ଞାନାଗାରରେ ଦୁଇଟି ସରଳ ପର୍ଯ୍ୟବେକ୍ଷଣକୁ ବିଚାର କରାଯାଉ । ପ୍ରଥଟି ହେଲା ଅବତଳ ଦର୍ପଣ(Concave Mirror) ଓ ଦ୍ୱିତୀୟଟି ହେଉଛି ଉତ୍ତଳ ଯବକାଚ(Convex Lens) । ପ୍ରଥମେ ଅବତଳ ଦର୍ପଣ ସମ୍ମୁଖରେ ଯଦି ଏକ ବସ୍ତୁ(Object)କୁ ଭିନ୍ନଭିନ୍ନ ଦୂରତାରେ ରଖାଯାଏ, ଏହାର ପ୍ରତିବିମ୍ବ ସୃଷ୍ଟିରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଏଥିରେ ଦୁଇ ପ୍ରକାରର ପ୍ରତିବିମ୍ବ, ତଥା ଓଲଟା(Inverted) ଓ ସିଧା(Errect) ପ୍ରତିବିମ୍ବ ଦେଖାଯାଏ । ଓଲଟା ପ୍ରତିବିମ୍ବ ବାସ୍ତବ(Real) ଓ ସିଧା ପ୍ରତିବିମ୍ବ ଅବାସ୍ତବ(Virtual)) ଅଟେ । ଯଦି ଏକ ବସ୍ତୁ, ଦର୍ପଣ ବକ୍ରତାର କେନ୍ଦ୍ରବିନ୍ଦୁ(Centre of Curvature) ବା ଦୁଇଗୁଣ ରଶ୍ମିକେନ୍ଦ୍ରିୟ ଦୂରତା(Focal Length)ରୁ ଅନନ୍ତ ଦୂରତାରେ ରହେ ତେବେ ଏହାର ପ୍ରତିବିମ୍ବ ଦର୍ପଣର ରଶ୍ମିକେନ୍ଦ୍ର(Focus)ରେ ସୃଷ୍ଟି ହୁଏ । ଏହା ଓଲଟା, ବାସ୍ତବ ଓ ବସ୍ତୁର ଆକାରଠାରୁ ଅତି କ୍ଷୁଦ୍ରତମ(diminished) ଅଟେ । ଧିରେଧିରେ ବସ୍ତୁ, ଦର୍ପଣର ନିକଟବର୍ତ୍ତୀ ହେଲେ ଏହାର ପ୍ରତିବିମ୍ବ ସୃଷ୍ଟିର ସ୍ଥାନ ରଶ୍ମିକେନ୍ଦ୍ରବିନ୍ଦୁରୁ ବା ଦର୍ପଣଠାରୁ ଦୂରେଇବାକୁ ଲାଗେ ଓ ଆକାରରେ ବୃଦ୍ଧି ଘଟିଲେ ବି ବସ୍ତୁର ଆକାରରୁ କମ୍‍ ରହେ, ଅର୍ଥାତ୍‍ ବସ୍ତୁ ଓ ପ୍ରତିବିମ୍ବ ପରସ୍ପର ଆଡକୁ ପାଖେଇ ଆସନ୍ତି । ଯେତେବେଳେ ବସ୍ତୁ ଦର୍ପଣ ବକ୍ରତାର କେନ୍ଦ୍ରବିନ୍ଦୁକୁ ଛୁଏଁ, ସେତେବେଳେ ସେଇ ଗୋଟିଏ ବିନ୍ଦୁରେ ସମାନ ଆକାରର ପ୍ରତିବିମ୍ବ ସୃଷ୍ଟି ହୁଏ । ଏହିଠାରୁ ବସ୍ତୁ ପୁନଃ ରଶ୍ମିକେନ୍ଦ୍ର ବା ଦର୍ପଣର ନିକଟବର୍ତ୍ତୀରେ ପ୍ରତିବିମ୍ବ, ଦର୍ପଣ ବକ୍ରତାର କେନ୍ଦ୍ରବିନ୍ଦୁରୁ ବା ଦର୍ପଣଠାରୁ ଦୂରେଇବାକୁ ଲାଗେ ଓ ଏହାର ଆକାର ବସ୍ତୁଠାରୁ ଅଧିକ ହୋଇଚାଲେ । ଏଠାରୁ ବସ୍ତୁ ଓ ପ୍ରତିବିମ୍ବ ପରସ୍ପରଠାରୁ ଦୂରେଇ ଯାଆନ୍ତି । ଯେତେବେଳେ ବସ୍ତୁ ରଶ୍ମିକେନ୍ଦ୍ରକୁ ଛୁଏଁ, ସେତେବେଳେ ପ୍ରତିବିମ୍ବ ଅନନ୍ତ ଦୂରତାରେ ଅନନ୍ତ କାୟା ବିଶିଷ୍ଟ ହେବାର ଆଭାସ ଦିଏ । ତେବେ ଏ ପର୍ଯ୍ୟନ୍ତ ପ୍ରତିବିମ୍ବର ପ୍ରକୃତି ଓଲଟା ଓ ବାସ୍ତବ ଅଟେ ।

ବର୍ତ୍ତମାନ ବସ୍ତୁ, ରଶ୍ମିକେନ୍ଦ୍ରରୁ ଦର୍ପଣର ନିକଟବର୍ତ୍ତୀ ହେଲେ ପ୍ରତିବିମ୍ବ କ୍ଷେତ୍ରରେ ସମ୍ପୂର୍ଣ୍ଣ ଓଲଟା ଘଟଣା ଘଟେ । ଅର୍ଥାତ୍‍ ପ୍ରତିବିମ୍ବଟି ଦର୍ପଣର ସମ୍ମୁଖ ଭାଗରେ ସୃଷ୍ଟି ନହୋଇ ପଶ୍ଚାତ୍‍ ଭାଗରେ ସୃଷ୍ଟି ହୁଏ ଓ ଏହା ସିଧା, ଅବାସ୍ତବ ଓ ବସ୍ତୁର ଆକାରଠାରୁ ଅଧିକ ଅଟେ । ଏହା ଲାଳସାଯୁକ୍ତ ଓ ଆକର୍ଷଣୀୟ ମନେହୁଏ । ବାସ୍ତବ ପ୍ରତିବିମ୍ବ ପରି ଏହାକୁ ପରଦାରେ ଧରିବା ଅସମ୍ଭବ ଓ “କେଉଁ ଦୁନିଆଁରୁ ଆସିଲ ବନ୍ଧୁ ?”ର ଭାବ ଜାଗ୍ରତ କରାଇଥାଏ । ଉତ୍ତଳ ଯବକାଚ କ୍ଷେତ୍ରରେ ସମାନ ପ୍ରକ୍ରିୟା ଘଟିଥାଏ, କିନ୍ତୁ ଓଲଟା ରୂପରେ । ବସ୍ତୁର ବାସ୍ତବ ପ୍ରତିବିମ୍ବ ଯବକାଚର ପଶ୍ଚାତ୍‍ଭାଗରେ ଓ ଅବାସ୍ତବ ପ୍ରତିବିମ୍ବ ସମ୍ମୁଖ ଭାଗରେ ସୃଷ୍ଟି ହୁଏ । ଏହାର କାରଣ ହେଲା ଦର୍ପଣରେ ବସ୍ତୁରୁ ଆପତିତ ଆଲୋକର ପ୍ରତିଫଳନ(Reflection) ଓ ଯବକାଚରେ ପ୍ରତିସରଣ(Refraction) ଘଟିଥାଏ । ଏଥିରୁ ଯତ୍‍କିଞ୍ଚିତ୍‍ ସାମାଜିକ ନିକର୍ଷ ନିଗାଡିବା ନିମନ୍ତେ ନିମ୍ନରେ ପ୍ରୟାସ ଜାରୀ ହୁଏ ।

(1)ବସ୍ତୁର ସ୍ଥାନ ଅନନ୍ତ ଦୂରତାରୁ ଓ ବସ୍ତୁର ପ୍ରକୃତ ପ୍ରତିବିମ୍ବ ପରସ୍ପର ଆଡକୁ ଆଗେଇ ଆସନ୍ତି, ଯେପର୍ଯ୍ୟନ୍ତ ପ୍ରତିବିମ୍ବର ଆକାର ବସ୍ତୁ ସହ ସମାନ ନ ହୋଇଛି, ଅର୍ଥାତ୍‍ ଯେଉଁଠାରେ(ଦର୍ପଣ ବକ୍ରତାର କେନ୍ଦ୍ରବିନ୍ଦୁ) ସେମାନେ ମିଳିତ ହୁଅନ୍ତି । (2)ଏହାପରେ ବସ୍ତୁ ରଶ୍ମିକେନ୍ଦ୍ର ଆଡକୁ ଆଗେଇଲେ ପ୍ରକୃତ ପ୍ରତିବିମ୍ବର ଆକାର ବସ୍ତୁଠାରୁ ବଢି ଚାଲେ ଓ ଏହା ଦର୍ପଣ ବକ୍ରତାର କେନ୍ଦ୍ରବିନ୍ଦୁରୁଠାରୁ ବା ଦର୍ପଣଠାରୁ ଦୂରେଇଯାଏ ଅର୍ଥାତ୍‍ ବସ୍ତୁ ଓ ପ୍ରତିବିମ୍ବ ପରସ୍ପରଠାରୁ ଦୂରେଇ ଯାଆନ୍ତିଏହା ବଳବତ୍ତର ରହେ ଯେପର୍ଯ୍ୟନ୍ତ ବସ୍ତୁ ରଶ୍ମିକେନ୍ଦ୍ରକୁ ନ ଛୁଇଁଛି ,ଯେଉଁଠି ପ୍ରତିବିମ୍ବର ଆକାର ଅସୀମ ହୁଏ । (3) ବସ୍ତୁ ରଶ୍ମିକେନ୍ଦ୍ରରୁ ଦର୍ପଣ ଆଡକୁ ଆଗେଇଲେ ପ୍ରତିବିମ୍ବ ସିଧା, ଅବାସ୍ତବ ଓ ବସ୍ତୁର ଆକାରଠାରୁ ବଡ ହୁଏ ଓ ଦର୍ପଣର ପଶ୍ଚାତ୍‍ ଭାଗରେ ସୃଷ୍ଟି ହୁଏ।

ତେବେ ଏ ତିନୋଟି ପର୍ଯ୍ୟାୟକୁ ମାନବୀୟ ତ୍ରିଗୁଣ- ସତ୍ତ୍ୱ, ରଜ ଓ ତମ ସହ ତୁଳନା କରାଯାଇ ପାରେ । ପ୍ରଥମ ପର୍ଯ୍ୟାୟରେ ମାନବ ନିଜର ବାସ୍ତବିକତା, ଜନ୍ମର ଉଦ୍ଦେଶ୍ୟ, ମାର୍ଗ, କର୍ମ ଆଦିରେ ତ୍ରୁଟି ଯଦି ଜାଣେ, ସେ ତାହାର ସଂଶୋଧନ ନିମିତ୍ତ ଓଲଟା ଦିଗକୁ ଆଦରିବାରେ ଈଶ୍ୱରବ୍ରତୀ ହୁଏ । ଏହା ସାତ୍ତ୍ୱିକତାର ପରିପ୍ରକାଶକୁ ବୁଝାଏ । ଏହା ବୃଦ୍ଧି ପାଇ ଚାଲେ ଯେପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ସାତ୍ତ୍ୱିକଧାରୀ ନ ହୋଇଛି । ତାହା ହେଉଛି ନିଜ ଓ ନିଜ ପ୍ରତିବିମ୍ବର ଆକାର ସମାନ ହେବା । ଏହି ପର୍ଯ୍ୟାୟ ଭୋଗ, ଲାଳସା ଓ ଆସକ୍ତି ବିହୀନ ଅଟେ । ଦ୍ୱିତୀୟ ପର୍ଯ୍ୟାୟକୁ ରଜ ଗୁଣଯୁକ୍ତ କୁହାଯାଇପାରେ । କଥାରେ ଅଛି “ସାତ କଥାରେ ସତୀ ଭୂଲେ” ଓ ମୁନିନାଂ ମତି ଭ୍ରମ” ସଦୃଶ ପରିବେଷ୍ଟନୀ ସାତ୍ତ୍ୱିକ ବ୍ୟକ୍ତି ଲାଳସାଯୁକ୍ତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ତେଣୁ ସେ ପାର୍ଥିବ ଭୋଗ ବିଳାସକୁ ଆଦରି ନିଏ, ଯାହା ନିଜ ଆୟତ୍ତାଧୀନ ହୋଇଥାଏ । ଏହା ନିଜ ଆକରଠାରୁ ପ୍ରତିବିମ୍ବର ଆକାର ବଡ ହେବାର ସୂଚନା ଦିଏ । ପରନ୍ତୁ ଏହାର ବାସ୍ତବତା ଅନୁଭୂତ ହୋଇଥାଏ । ଯେହେତୁ କାମନା, ବାସନା ଅନ୍ତଃହୀନ ଅଟେ, ତେଣୁ ଆସକ୍ତିର ବହୁରୂପୀ ମାୟାରେ ବ୍ୟକ୍ତି ବାନ୍ଧି ହୋଇଯାଏ ଓ ପ୍ରତିବିମ୍ବର ଆକାର ବଢିବଢି ଯାଏ । ଏକ ସମୟ ଆସେ ଆସକ୍ତିର ତାଡନାରେ ସେ ଧରାକୁ ସରା ମଣେ, ଅର୍ଥାତ୍‍ “ଲାଉ ଚୋର୍‌ କଖାରୁ ଚୋର୍‌ ଆସ୍ତେ ଆସ୍ତେ ବଡା ଚୋର୍‍” । ଯେମିତି ଆମର ଶାସ୍ତ୍ର ପୁରାଣ ବର୍ଣ୍ଣନା କରେ, ଯୁଗେ ଯୁଗେ ତ୍ରିପୁର ବିଜୟୀ ହେବାର ଲାଳସାରେ ଅଶେଷ ଶକ୍ତିଧାରୀ ମାନଙ୍କର ପତନ ଘଟିଛି, ସେହି ଭାବରେ ବ୍ୟକ୍ତିର ପତନର ସମୟ ଆରମ୍ଭ ହୁଏ, ଯେତେବେଳେ ଆସକ୍ତିର ଅଦମ୍ୟତାରେ ସେ ଭୟଙ୍କର ଭାବେ ଜର୍ଜରିତ ହୁଏ । ଏହାକୁ ବସ୍ତୁ ରଶ୍ମିକେନ୍ଦ୍ରକୁ ଛୁଇଁବା ସହ ସମାନ ବୋଲି କୁହାଯାଇପାରେ, ଯେଉଁଠାରେ ପ୍ରତିବିମ୍ବ ଅସୀମତାକୁ ଛୁଏଁ । ସେହିପରି ତୃତୀୟ ପର୍ଯ୍ୟାୟ ହେଉଛି ତମ ଗୁଣଯୁକ୍ତ । ଏହିଠାରୁ ବ୍ୟକ୍ତି ଭୟଙ୍କର ତାମସିକତାର ଶୀକାର ହୋଇ ଉଠେ । ସବୁ ପ୍ରକାର ଅବାସ୍ତବତା, ଅପ୍ରାକୃତିକତାକୁ ଆପଣାଏ । ଆଶାର ବାରବାଟି ଦୁର୍ଗ ଏଭେରେଷ୍ଟ ଶୃଙ୍ଗ ସଦୃଶ ବୃଦ୍ଧି ପାଏ । ତାମସିକ ମନ କ୍ରୋଧରେ ଜର୍ଜରିତ, ଅନ୍ୟାୟର ଗନ୍ତାଘର, ନିଜର ତାମସିକ ଉତ୍‍ଥାନ ନିମିତ୍ତ ଯେକୌଣସି ପନ୍ଥା ଆଦରିବାରେ ତିଳେମାତ୍ର କୁଣ୍ଠାବୋଧ ନାହିଁ, ମନ ଯେତେ ବିଧ୍ୱଂସକାରୀ କାମ ଚାହିଁଲା ତାହାକୁ ଯତ୍‍ପରନାସ୍ତି କାର୍ଯ୍ୟରେ ପରିଣତ କରିବା …. ଇତ୍ୟାଦି ଇତ୍ୟାଦି । ଉଦାହରଣ ସ୍ୱରୂପ ମହାଭାରତରେ ପାଞ୍ଚାଳୀର କେଶ ଆକର୍ଷଣ କରି ରାଜ ସଭାରେ ଉଲଗ୍ନ କରିବାର ଦୁର୍ଯ୍ୟୋଧନର ତାମସିକ ପ୍ରୟାସ । ତେବେ ଏହି ଜାତୀୟ ପରିସ୍ଥିତିକୁ ନିଜ ପ୍ରତିବିମ୍ବ ନିଜଠାରୁ ବଡ, ସିଧା ଓ ଅବାସ୍ତବର ଧାରଣା ଦିଏ । ନିଜର କାମନା ଚରିତାର୍ଥ କରିବାର ଅପଚେଷ୍ଟା ହିଁ ଅବାସ୍ତବ ପ୍ରତିବିମ୍ବ, ଯାହାକୁ ଦେଖିହୁଏ କିନ୍ତୁ ଛୁଇଁ ହୁଏନି । ପ୍ରତିବିମ୍ବ ପରଦାର ପଛରେ ରହି ଅବାସ୍ତବରେ ବାସ୍ତବର ଆଭାସ ଦର୍ପଣ ସମ୍ମୁଖରେ ଦେଇଥାଏ । ଏହାକୁ ମଧ୍ୟ ପ୍ରଚ୍ଛଦପଟ୍ଟ ଖଳନାୟକର ଷଡଯନ୍ତ୍ର ସହ ତୁଳନୀୟ । ସମୟର ପ୍ରବାହରେ ଏ ବ୍ୟୁହର ନାୟକ ସାଜିଥିବା ଉନ୍ମାଦ ମାନବ ଓ ନିଜେ ଷଡଯନ୍ତ୍ରକାରୀ ବଳି ପଡନ୍ତି । ଯେପରି ଗୁରୁ ଦ୍ରୋଣଙ୍କ ରଚିତ ଚକ୍ରବ୍ୟୁହରେ ଉନ୍ମାଦ ହୋଇ ଘୋର ଅନ୍ୟାୟ କରିଥିବା ସପ୍ତରଥୀ ସମୟର ପ୍ରବାହରେ ଟଳି ପଡିଥିଲେ । ଦର୍ପଣର ପରିଭାଷା ହେଲା ଏହା ସଭିଙ୍କ କ୍ରିୟା, କର୍ମ, ବାସ୍ତବତା, ଅବାସ୍ତବତା, ନ୍ୟାୟ, ଅନ୍ୟାୟ ଆଦିର ସଠିକ୍‍ ଚିତ୍ରପଟ୍ଟକୁ ପ୍ରତିଫଳିତ କରି ବିଶ୍ୱ ବ୍ରହ୍ମାଣ୍ଡକୁ ଅବଗତ କରାଇଥାଏ । ଏହାଦ୍ୱାରା ନିଜ, ପର, ଶତ୍ରୁ, ମିତ୍ର ଆଦି ବାଛ ବିଚାର ନଥାଏ । ଏହା ନିର୍ବିକାର ଓ ନିରହଂକାରର ପ୍ରତୀକ । ତୃତୀୟ ପର୍ଯ୍ୟାୟରେ ପ୍ରତିବିମ୍ବ ଦୃଶ୍ୟମାନ ହୁଏ ଦର୍ପଣର ପଶ୍ଚାତ୍‍ଭାଗରେ, ଯାହା ଆଗାମୀ ଘଟଣାର ସତର୍କ ଘଣ୍ଟି ରୂପେ ସୂଚନା ଦିଏ । ଏହାହିଁ ଅବାସ୍ତବ । ଏହାର ମାୟାରେ ପ୍ରଲୋଭିତର କାରଣରୁ ନିଶ୍ଚିତ ମୃତ୍ୟୁକୁ ଅଣଦେଖା ପୂର୍ବକ ମାନବ ଧାଇଁଚାଲେ ତା’ ନିକଟକୁ । ତେଣୁ ତୃତୀୟ ପର୍ଯ୍ୟାୟକୁ ମରିଚିକାର ଚରାଭୂଇଁ କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ହୃଦୟର ଚେତନା ଯେତେ ଜଗାଇଲେ ବି ଆସକ୍ତି ଓ ଲାଳସାର ବଶବର୍ତ୍ତୀ ମାନବ ନିଜର ଘୋର ପତନକୁ ଜାଣି ଜାଣି ବେଖାତିରି କରି ମୃତ୍ୟୁ ମୁଖକୁ ଆଗେଇ ଯାଏ ।

 

ସେହିପରି ଆଲୋକର ପ୍ରତିଫଳନ ଓ ପ୍ରତିସରଣର ମିଶ୍ରିତ ଅନ୍ୟ ଏକ ଉଦାହରଣକୁ ଏଠାରେ ଆଲୋଚନାର ପରିସରକୁ ଅଣାଯାଇଛି । ତାହାହେଲା ଗ୍ରୀଷ୍ମ ଦିନରେ ମରୂଭୂମି ହେଉ ବା ଉତ୍ତପ୍ତାଞ୍ଚଳରେ ହେଉ ଓ ଶୀତ ଦିନରେ ସମୁନ୍ଦ୍ରରେ ହେଉ, ଏକ ଅବାସ୍ତବତାର ଚିତ୍ରପଟ୍ଟ ପ୍ରକାଶିତ ହୁଏ, ଯାହାକୁ କୁହାଯାଏ ମରିଚିକା(Mirage) । ଏହା ଆଲୋକର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ପ୍ରତିଫଳନ(Total Internal Reflection) କାରଣରୁ ଘଟିଥାଏ । ଗ୍ରୀଷ୍ମ କାଳରେ ସୃଷ୍ଟି ମରିଚିକାକୁ ନିମ୍ନତର(Inferior) ଓ ଶୀତ ଋତୁରେ ଏହାକୁ ଉଚ୍ଚତର(Superior) ମରିଚିକା କୁହାଯାଏ । ନିମ୍ନତର ଓ ଉଚ୍ଚତର କହିବାର କାରଣ ଏ ଦୁଇ ପ୍ରକାର ମରିଚିକା ଯଥାକ୍ରମେ ବାସ୍ତବ ବସ୍ତୁର ନିମ୍ନ ଓ ଉର୍ଦ୍ଧ୍ୱ ଦିଗରେ ସୃଷ୍ଟି ହୋଇଥାଏ । ଗ୍ରୀଷ୍ମ କାଳରେ ଉତ୍ତପ୍ତ ବାଲୁକା ସଂଲଗ୍ନ ବାୟୁ ସ୍ତର ସେହି ମାତ୍ରାରେ ଉତ୍ତପ୍ତ ହୁଏ । ତେବେ କ୍ରମେ କ୍ରମେ ଉର୍ଦ୍ଧ୍ୱକୁ ବାୟୁ ସ୍ତରର ତାପମାତ୍ରା କମି କମି ଯାଏ । ଯେହେତୁ ବାୟୁ ଗରମ ହେଲେ ଅଣୁଗୁଡିକ ଉପରକୁ ଉଠନ୍ତି, ତେଣୁ କ୍ରମାନ୍ୱୟରେ ବାୟୁର ଉପର ସ୍ତର ଗାଢ ମାଧ୍ୟମ(Denser Medium) ଏବଂ ନିଚ୍ଚ ସ୍ତର ପତଳା ମାଧ୍ୟମ(Rarer Medium)ଅଟେ । ଫଳରେ ମରୂଭୂମି/ଉତ୍ତପ୍ତାଞ୍ଚଳ/ଉତ୍ତପ୍ତ ସଡକ ଆଦିରେ କୌଣସି ଏକ ଉଚ୍ଚ ବସ୍ତୁରୁ ନିମ୍ନଗାମୀ ଆଲୋକ ରଶ୍ମିର ଗତିପଥ ସିଧା ହୁଏ ନାହିଁ । କାରଣ ବାୟୁ ମାଧ୍ୟମର ଘନତ୍ୱ ନିମ୍ନ ଦିଗରେ କମି କମି ଯାଇଥାଏ । ତେଣୁ ଯେହେତୁ ବାୟୁର ଯେ କୌଣସି ପରସ୍ତର ନିମ୍ନ ସ୍ତର ପତଳା, ତେଣୁ ନିମ୍ନଗାମୀ ଆଲୋକର ପ୍ରତି ଦୁଇ ମାଧ୍ୟମର ସୀମା(Interface)ରେ ପ୍ରତିସରଣ ଯୋଗୁ ଅଭିଲମ୍ବ(Normal)ଠାରୁ ଦୂରେଇ ଯାଇ ସିଧା ପଥରେ ଗତି କରେ, ସେତେବେଳ ସେହି ମାଧ୍ୟମଠାରୁ ଆହୁରି ଅଧିକ ପତଳା ମାଧ୍ୟମର ସୀମା ନ ପହଞ୍ଚିଛି । ଏଠାରେ ମଧ୍ୟ ପ୍ରତିସରଣରୁ ଆଲୋକ ରଶ୍ମି ଅଭିଲମ୍ବଠାରୁ ଦୂରେଇ ଯାଏ । ତେଣୁ ପ୍ରତିସରଣର କାରଣରୁ ଆଲୋକ ରଶ୍ମିଟିର ଗତିପଥ ବକ୍ର ହୁଏ । ଏହି ପ୍ରକ୍ରିୟାର ବାରମ୍ବାରତା ଘଟିଚାଲେ । ଏପରି ଏକ ସମୟ ଆସେ,  ଯେତେବେଳେ କୌଣସି ବାୟୁ ମଣ୍ଡଳର ନିମ୍ନ ଭାଗରେ ସ୍ତର ଦ୍ୱୟର ସୀମାରେ ଆଲୋକର ଆପତିତ କୋଣ(Angle of Incident) ତା’ର ସଙ୍କଟମୟ କୋଣ(Critical Angle)ଠାରୁ ଅଧିକ ହୁଏ । ଫଳରେ ଏହିଠାରେ ଆଲୋକ ରଶ୍ମିଟିର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ପ୍ରତିଫଳନ ଘଟି ଆଲୋକ ଉର୍ଦ୍ଧ୍ୱମୁଖୀ ହୁଏ ଓ ପତଳା ମାଧ୍ୟମରୁ ମୋଟା ମାଧ୍ୟମକୁ ସ୍ତର ସ୍ତର ସୀମାରେ ଆଲୋକ ପ୍ରତିସରିତ ହୁଏ ଏବା ଅଭିଲମ୍ବ ଆଡକୁ ବଙ୍କାଉ ଥାଏ । ଏହି ରଶ୍ମି ପଥିକ ଆଦିଙ୍କ ଚକ୍ଷୁରେ ଆପତିତ ହୁଏ ଓ ସେ ବସ୍ତୁର ପ୍ରତିଛବିକୁ ପ୍ରକୃତ ବସ୍ତୁର ନିମ୍ନ ଦେଶରେ ଦେଖେ । ଜଳାଶୟରେ ଏହା ଛାଇର ଆଭାସ ସୃଷ୍ଟି କରେ । ତେଣୁ ମରୁଭୂମି/ଉତ୍ତପ୍ତ ଇଲାକା/ଉତ୍ତପ୍ତ ସଡକରେ ତୃଷାର୍ତ୍ତ ପଥିକ ଦୂରରେ ଜଳାଶୟର ଭ୍ରମରେ ଧାଏଁ । ଉତ୍ତପ୍ତ ପିଚୁ ସଡକରେ ଜଳ ସ୍ରୋତର ଭ୍ରମ ମଧ୍ୟ ସୃଷ୍ଟି କରେ । ବେଳେ ବେଳେ ଆକାଶର ଛାଇ ମଧ୍ୟ ପୃଥିବୀ ପୃଷ୍ଠରେ ସୃଷ୍ଟି ହୋଇ ଜଳାଶୟର ଆଭାସ ଦିଏ । ଏତାଦୃଶ ମରିଚିକା ପଛରେ ଧାଇଁ ଧାଇଁ ଆଶାୟୀ ବିଫଳ ହୁଏ । ଯଦି ମରିଚିକା ସୃଷ୍ଟି ସ୍ଥାନରୁ ଉତ୍ତପ୍ତତା ଆଧାରରେ ସ୍ତରର ସମାନ୍ତରାଳତା ରହିଥାଏ, ତେବେ ପଥିକର ଆଗୁସାରରେ ଏହା ଘୂଞ୍ଚି ଘୂଞ୍ଚି ଯାଉଥିବ ନଚେତ୍‍ ଏହାର ଉଭାନ୍‍ ଘଟିବ । ମରିଚିକାର ଲୋଲୁପତାରେ ଆକର୍ଷିତ ହୋଇ ତୃଷାର୍ତ୍ତ ବ୍ୟକ୍ତି ଧାଇଁ ଧାଇଁ ମୃତ୍ୟୁର କରାଳ ଗ୍ରାସର ଖୁବ୍‍ ନିକଟବର୍ତ୍ତୀ ହୋଇଯାଏ । କ୍ଷଣ କ୍ଷଣକେ ବିଫଳତାର ଶୀକାରରୁ ବ୍ୟକ୍ତି ମୃତ୍ୟୁ ମୁଖକୁ ଯାଉଥିବାର ଅବଗତ ହେଉଥିଲେ ବି ତୃଷା ମେଣ୍ଟାଇବାର ଆସକ୍ତିରେ ମରିଚିକା ବା ମୃଗତୃଷ୍ଣା ପଛରେ ଧାଇଁବା ସାର ହୁଏ । କବି ଯଥାର୍ଥରେ କହିଛନ୍ତି –
କଳା ଭ୍ରମରକୁ ଜିଣି ନୀଳିମାରେ ଦିଶେ ମୃଗତୃଷ୍ଣା ଜଳ
ଧାଆଁନ୍ତେ ପଥିକ ଅଦୃଶ୍ୟ ହୁଅଇ ପଥିକ ଆଶା ବିଫଳ ।

ଶେଷରେ ମାନବ କେତେକ ରୋଗ ଆଦିର ଶୀକାର ବା ଉତ୍ତେଜକ ପଦାର୍ଥ ଗ୍ରହଣରୁ ଉତ୍ପନ୍ନ ପ୍ରବଳ ଆସକ୍ତି ଯୋଗୁ ଯେଉଁ ଆଚରଣ ଦେଖାଇଥାଏ, ତାହା ମଧ୍ୟ ଏଠାରେ ଆଲୋଚନା କରିବାର ଯୁକ୍ତିଯୁକ୍ତ ମନେହୁଏ । ବ୍ୟକ୍ତି ବିଭିନ୍ନ ପ୍ରକାର ଚର୍ମରୋଗରେ ପୀଡିତ ହୋଇଥାଏ ଯଥା – ଯାଦୁ, କାଛୁ, କୁଣ୍ଢିଆ, ଚମଦଳା, ମଚଳା …. ଇତ୍ୟାଦି । ଏତାଦୃଶ କଣ୍ଡୁକାରୀ ରୋଗର କଣ୍ଡୁ ପ୍ରବଳତାରେ ବ୍ୟକ୍ତି ବାଡବତ୍ତା ନମାନି ସେ ସ୍ଥାନକୁ ନଖରେ କ୍ଷୀପ୍ରବେଗରେ କୁଣ୍ଢାଇ ଚାଲେ ଓ ଅନ୍ତରରେ ଅପାର ଆନନ୍ଦ ପାଇଚାଲିଥାଏ ଯେ ପର୍ଯ୍ୟନ୍ତ ସେ ଜାଗାରୁ କଣ୍ଡୁ ମରିନାହିଁ । ସେ ଜାଣିପାରୁଥାଏ ଯେ, ଏହାପରେ ସେ ସ୍ଥାନ ରକ୍ତାକ୍ତ ହୋଇ ରୋଗର ବ୍ୟାପକତା ବୃଦ୍ଧି ପାଇବ । କିନ୍ତୁ କଣ୍ଡୁ ମାରିବାର ଅଦମ୍ୟ ଲାଳସା ମନରେ ଜାଗିଛି, ହେଉ ପଛେ କ୍ଷତି, ନିଜର ଅସମ୍ଭାଳତାକୁ ରୋକି ହେବ ନାହିଁ । ସେହିପରି ବ୍ୟକ୍ତି, ମଦ୍ୟ ଓ ସେହିଜାତୀୟ ଉତ୍ତେଜକ ପଦାର୍ଥ ସେବନର ବାରମ୍ବାରତାରେ ଉତ୍ତେଜିତ ହେବାର ଆନନ୍ଦ ଉପଭୋଗ କରେ । ସେ ଜାଣୁଥାଏ ଏହାଦ୍ୱାରା ତା’ର ଶେଷ ଅବସ୍ଥା ପହଞ୍ଚି ଗଲାଣି । ଆଉ ଗତି ମୁକ୍ତି ନାହିଁ । ପାରିବାରିକ ପରିସ୍ଥିତି ନଷ୍ଟଭ୍ରଷ୍ଟ ହେଲାଣି । ତଥାପି କାହାକୁ ଓ ନିଜର ଶରୀରକୁ ଭ୍ରୂକ୍ଷେପ ନକରି ସେ ନିଜସ୍ୱ ଆନନ୍ଦ ପ୍ରାପ୍ତିରେ ଏକବାର୍‍ ମସଗୁଲ୍‍ ହୋଇଚାଲେ ।

ତେଣୁ ଏ ଶ୍ଳୋକର ନିଗୁଢ ତତ୍ତ୍ୱ ପ୍ରକାଶ କରେ ଯେ, ମରିଚିକା ରୂପୀ ଆସକ୍ତି ଗୁଡିକ ହେଉଛି ଧ୍ୱଂସର କାରଣ ଓ ଏହାଠାରୁ ନିଜକୁ ଦୂରେଇ ରଖିବାହିଁ ମାନବୀୟତାର ପରିଚୟ । ଶ୍ରୀ ଶଙ୍କରଙ୍କ ମହାନ ଶ୍ଳୋକର ବିଜ୍ଞାନ ଭିତ୍ତିକ ସାମାଜିକ ବିଶ୍ଳେଷଣ ପୂର୍ବକ ସାମାଜିକ ସନ୍ତୁଳନତା ବଜାୟ ରହିବା ଓ ମାନବ ସମାଜ ମଙ୍ଗଳ ନିମିତ୍ତ ଏହା ଏକ କ୍ଷୁଦ୍ରାତି କ୍ଷୁଦ୍ର ପ୍ରୟାସ ମାତ୍ର ।

………………………………………………………………………………………………………………………………………….

 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help