ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଅଷ୍ଟବିଂଶତମ ସ୍ତବକ)

ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଅଷ୍ଟବିଂଶତମ ସ୍ତବକ)

ପ୍ରାଣାୟାମଂ ପ୍ରତ୍ୟାହାରଂ – ନିତ୍ୟାନିତ୍ୟ ବିବେକ ବିଚାରମ୍
ଜାପ୍ୟ ସମେତ ସମାଧି ବିଧାନଂ – କୁର୍ବବଧାନଂ ମହଦ ବଧାନମ୍

ଏ ଶ୍ଳୋକ ମାଧ୍ୟମରେ ଜଗଦ୍‍ଗୁରୁ ଶରୀର ତତ୍ତ୍ୱରେ ମନ ନିବେଶ କରି ପ୍ରାଣାୟାମ ଉପରେ ଗୁରୁତ୍ୱ ଦେଇଛନ୍ତି, ଯାହାକି ପରମ ମାନସିକ ଶାନ୍ତି ପ୍ରଦାନର ଅତୁଳନୀୟ ମାର୍ଗ ଅଟେ । ପ୍ରାଣବାୟୁକୁ ନିୟନ୍ତ୍ରଣ କଲେ ମନ ବାହ୍ୟ ପ୍ରଭାବରୁ ମୁକ୍ତ ହୁଏ । ଫଳରେ ବ୍ୟକ୍ତି ପ୍ରକୃତ ଓ କ୍ଷଣସ୍ଥାୟୀ ଅବାସ୍ତବତା ମଧ୍ୟରେ ଥିବା ପାର୍ଥକ୍ୟକୁ ହୃଦୟଙ୍ଗମ କରିପାରେ । ସର୍ବ ଶକ୍ତିମାନ ସତ୍ତାକୁ ବାରମ୍ବାର ଧ୍ୟାନକରିବା, ଈଶ୍ୱରୀୟ ପରିପ୍ରକାଶ ଓ ଈଶ୍ୱରଙ୍କ ପବିତ୍ର ନାମକୁ ଅନ୍ତରର ଗଭୀର ପ୍ରଦେଶରୁ ଉଦ୍‍ଜୀବିତ ପୂର୍ବକ ଭକ୍ତିରସରେ ନିଜକୁ ପ୍ଳାବିତ କରି ଅତି ଯତ୍ନର ସହ ଉଚ୍ଚାରଣ କଲେ ବିକ୍ଷୁବ୍‍ଧ ମନରେ ନିଶ୍ଚଳତା(State of Tranquility) ଜାଗ୍ରତ ହୁଏ ।

ଏହି ପ୍ରକ୍ରିୟାକୁ ସେ ପାଞ୍ଚ ପ୍ରକାର କ୍ରମିକ ପଥ ଦ୍ୱାରା ଅଭ୍ୟାସଗତ ହେବାକୁ ପ୍ରେରଣା ଦେଇଛନ୍ତି, ଯଥା – (1) ପ୍ରାଣାୟାମ – ଶରୀରକୁ ଜୀବନ୍ତ କରି ରଖୁଥିବା ଅତି ଗୁରୁତ୍ୱପୂର୍ଣ୍ଣ ପ୍ରାଣଶକ୍ତିକୁ ନିୟନ୍ତ୍ରଣ କରିବା । (2) ପ୍ରତ୍ୟାହାର – ମନକୁ ଇନ୍ଦ୍ରିୟାଶକ୍ତ ପାର୍ଥିବ ବସ୍ତୁଠାରୁ ବିଚ୍ଛିନ୍ନ କରିବା । (3) ବାସ୍ତବ ଓ ଅବାସ୍ତବ ମଧ୍ୟରେ ଥିବା ଭେଦଭାବକୁ ଅନୁଭବ କରିବା । (4) ଶ୍ରଦ୍ଧାର ସହ ଈଶ୍ୱରଙ୍କ ନାମ ବାରମ୍ବାର ଜପ କରିବା ଓ ଦିବ୍ୟମନ୍ତ୍ରପାଠରେ ନିଜକୁ ନିୟୋଜିତ କରିବା, ଯାହା ନିଜ ଗୁରୁଙ୍କ ଆଦେଶର ପବିତ୍ର ସୂତ୍ର କୁହାଯାଏ । (5) ତପସ୍ୟା ବା ଗଭୀର ଧ୍ୟାନ ଓ ସମାଧିସ୍ଥ ହେବା । ମନ ପ୍ରାଣାୟାମ ଓ ପ୍ରତ୍ୟାହାର ଦ୍ୱାରା ସ୍ୱଚ୍ଛ ଓ ପବିତ୍ର ହେଲେ ତାହା ତପସ୍ୟା ବା ଗଭୀର ଧ୍ୟାନ ପାଇଁ ଉପଯୁକ୍ତ ମନେହୁଏ । ତେଣୁ ସାଧକ ନିଜ ଗୁରୁ ପ୍ରଦତ୍ତ ମନ୍ତ୍ରକୁ ନିରବଚ୍ଛିନ୍ନ ଜପ କରି ସମାଧିସ୍ଥ ହୁଏ । ଏହାକୁ ଅତି ଚେତନାଶୀଳ ଅବସ୍ଥା(Superconscious State) କୁହାଯାଏ । ଏହା ଯୋଗ ପଦ୍ଧତିର ଭିନ୍ନଭିନ୍ନ ମାର୍ଗର ଏକ ମାତ୍ର ଶେଷ ଅବସ୍ଥା ଅଟେ ।

ଦେବଭୂମି ଭାରତ ବର୍ଷ ହେଉଛି ଯୋଗର ମୂଳାଧାର ଉତ୍ସ । ଯୋଗ ସାଧନର ବହୁବିଧ ରୂପ ଶାସ୍ତ୍ର, ପୁରାଣ ଆଦିରେ ବର୍ଣ୍ଣନା କରାଯାଇଛି ଓ ଧିରେଧିରେ ଏହାର ପ୍ରାଞ୍ଜଳୀକରଣ ମଧ୍ୟ ହୋଇଛି । ଭାରତ ଭୂମିରେ ଋଷି, ମୁନି, ଯୋଗୀ ଆଦିଙ୍କର ଆବିର୍ଭାବ, ସାଧନା, ସାମାଜିକୀକରଣରେ ମାନବ ସମାଜ ପାଇଁ ଅଶେଷ ମଙ୍ଗଳ ସାଧନ ହୋଇପାରିଛି, ଯାହାର ତୁଳନା ନାହିଁ । ଏବେ ସମଗ୍ର ବିଶ୍ୱରେ ଏହାର ପ୍ରଭାବ ଓ ତହିଁରୁ ସୁଫଳ ମିଳିବାର କାରଣରୁ ଏହି ଦିଗକୁ ଲୋକେ ଆକର୍ଷିତ ହେଉଛନ୍ତି ।

ତେବେ ପ୍ରାଣାୟାମ ହେଉଛି ଯୋଗ ସାଧନର ପ୍ରାଥମିକ ଚରଣ ଓ ଏହା ଅଭ୍ୟାସଗତ କରିବା ପାଇଁ ମଧ୍ୟ କିଛି ନିୟମ ରହିଛି । ବିଭିନ୍ନ ପଦ୍ଧତିରେ ପ୍ରାଣାୟାମ ଅଭ୍ୟାସ ନିମିତ୍ତ ଦର୍ଶାଯାଇଛି ଓ କରାଯାଉଛି । ଏହା ସହ ପ୍ରତ୍ୟାହାର ସଂଯୁକ୍ତ ରହେ । ନିଃଶ୍ୱାସ ଓ ପ୍ରଃଶ୍ୱାସ ଅର୍ଥାତ୍‍ ଅନ୍ତର୍ମୂଖୀ ଓ ବହିର୍ମୂଖି ବାୟୁ ଚାଳନା ନିର୍ଦ୍ଦିଷ୍ଟ ନିୟମ ଓ ଭାବନା ସହ ଜଡିତ ହେବାକୁ ଏହା ଦର୍ଶାଏ । ଏହା ଅମ୍ଳଜାନ ଗ୍ରହଣ ଓ ଅଙ୍ଗାରକାମ୍ଳ ତ୍ୟାଗ ପ୍ରକ୍ରିୟା । ତେଣୁ ପ୍ରାଣାୟାମ ଓ ପ୍ରତ୍ୟାହାର ଯଥାକ୍ରମେ ଏହି ବାର୍ତ୍ତା ଦିଏ ଯେ, ସୃଷ୍ଟି ମଙ୍ଗଳକାରୀ ମାର୍ଗରେ ନିଜକୁ ସାମିଲ କରିବା ଓ ସୃଷ୍ଟି ବିନାଶକାରୀ ମାର୍ଗକୁ ପରିତ୍ୟାଗ କରିବା । ପରନ୍ତୁ ଏବେ ପୃଥିବୀରେ ଅଙ୍ଗାରକାମ୍ଳର ମାତ୍ରା ବୃଦ୍ଧିପାଇ ଚାଲୁଛି ଓ ଜୀବଜଗତକୁ କେତେବେଳେ କେଉଁ ରୂପରେ ଅଶେଷ କ୍ଷତି ପହଞ୍ଚାଉଛି ତା’ର ଆକଳନ ଓ ତହିଁରୁ ବର୍ତ୍ତିବାର ପ୍ରୟୋଗ ବିଦ୍ୟା ସମୁନ୍ଦ୍ରକୁ ଶଙ୍ଖେ ପାଣି ସଦୃଶ ହେଉଛି । ଯଦି ମାନବ ଶରୀରକୁ ବିଶ୍ୱର ପରିକଳ୍ପନା କରାଯାଏ ଓ ତହିଁରେ ଅମ୍ଳଜାନର ମାତ୍ରା କମିଯିବା ସଙ୍ଗେସଙ୍ଗେ ଅଙ୍ଗାରକାମ୍ଳ ବୃଦ୍ଧି ପାଇ ଚାଲିବ, ତାହା ଶରୀର ପାଇଁ ଯଥାଶୀଘ୍ର ବିନାଶର କାରଣ ହେବ ।

ପ୍ରାଣାୟାମ ଓ ପ୍ରତ୍ୟାହାରର ନିୟମିତତାରେ ମନ ଇନ୍ଦ୍ରିୟ ଲାଳସାରୁ ଦୂରେଇ ଯାଏ । ଚିରନ୍ତନ ସତ୍ୟକୁ ଅନୁଭବ କରି ମିଛ – ମାୟା ଯୁକ୍ତତାକୁ ପରିତ୍ୟାଗ କରେ । ମନର ସ୍ୱଚ୍ଛତା ଓ ପବିତ୍ରତା ବୃଦ୍ଧି ପାଇବାର ପଥ ପରିଷ୍କାର ହୁଏ ଓ ସେ ପବିତ୍ର ମନ୍ତ୍ର ଜପରେ ନିଜକୁ ନିୟୋଜିତ କରେ । ଏହା ବାଟ କଢାଇ ନିଏ ଗଭୀର ଧ୍ୟାନ ଓ ସମାଧିସ୍ଥ ସ୍ତରକୁ । ଏଥିପାଇଁ ସଦ୍‍ଗୁରୁଙ୍କ ଶିକ୍ଷା,ଦୀକ୍ଷା ଓ ବାଣୀ ଗ୍ରହଣ କରିବା ଏକାନ୍ତ ଆବଶ୍ୟକ ଅଟେ । ଜ୍ଞାନଘର ଭଜନରେ ଯଥାର୍ଥରେ କୁହାଯାଇଛି –
ଗୁରୁ ଆଜ୍ଞା ଖଟହୋ ଚାଟ …………….. ଯେବେ ପଢିବୁ ତୁ ଅପଢା ପାଠ ।

ଯୋଗତତ୍ତ୍ୱ କହେ ମାନବ ଶରୀର ଛ’ଟି ମୂଖ୍ୟ ଚକ୍ରର ସମାହାର ଯଥା – ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ, ଓ ଆଜ୍ଞା । ଆଉ ଏକ ଚକ୍ର, ଯାହାକୁ ଶୂନ୍ୟ ଚକ୍ର କୁହାଯାଏ ଓ ବ୍ରହ୍ମ ରନ୍ଧ୍ରର ଠିକ୍‍ ଉପରେ ଉପବିଷ୍ଟ ରହିଛି ତାହା ହେଉଛି ସହସ୍ରାର ଚକ୍ର । ଯୋଗ ସାଧନ ଦ୍ୱାରା ଧିରେଧିରେ ଶରୀରର ଅଧୋମୁଖ ଚକ୍ର ଉନ୍ମୁକ୍ତ ହୁଅନ୍ତି ଅର୍ଥାତ୍‍ ବିଦ୍ୟୁତ୍‍ଯୁକ୍ତ, ବିକିରଣଯୁକ୍ତ ଇତ୍ୟାଦି ହୋଇଉଠନ୍ତି । ବିଦ୍ୟୁତ୍‍ – ଚୁମ୍ବକୀୟ ତରଙ୍ଗ ବା ଶୁଭ୍ରାଲୋକର ସପ୍ତ ବର୍ଣ୍ଣାଳୀ(ଲାଲ୍‍ରୁ ବାଇଗଣି) ସଦୃଶ ମୂଳାଧାର ଚକ୍ରରୁ ସପ୍ତମ ଚକ୍ର ସହସ୍ରାର ସମଭାବେ ଜଡିତ । ଶରୀର ବିଜ୍ଞାନ(Physiology),ଭୌତିକ ବିଜ୍ଞାନ(Meta Physics), କ୍ୱାଣ୍ଟମ୍‍ ତତ୍ତ୍ୱ(Quantum Theory) ……. ଇତ୍ୟାଦି ସହ ଯୋଗ ତତ୍ତ୍ୱ ମଧ୍ୟ ଖାପ ଖାଇବାର ପ୍ରତୀୟମାନ ହୁଏ । ବସ୍ତୁ ଓ ଉର୍ଜ୍ଜା ପରସ୍ପର ସହ ଜଡିତ । ଏହା ସୂକ୍ଷ୍ମ ସ୍ତରରୁ ସ୍ଥୂଳ ସ୍ଥର ଯାଏ ଏହା ପରିବ୍ୟାପ୍ତ । ଏହା ଉଭୟ ବିଜ୍ଞାନ ଓ ଯୋଗର ମିଳିତ ପରିଭାଷା ଅଟେ । ତେଣୁ ଯୋଗତତ୍ତ୍ୱ ହିଁ ଯୋଗ ବିଜ୍ଞାନ । ଅଭ୍ୟାସ ବଳେ ସର୍ବ ସିଦ୍ଧି । ଅଭ୍ୟାସରୁ ଅନୁଭବତା ଓ ଅନୁଭବତାରୁ ପ୍ରମାଣ ସିଦ୍ଧତା । ସମଗ୍ର ବିଶ୍ୱ ହେଉଛି ଏକ ସର୍ବଶ୍ରେଷ୍ଠ ପ୍ରାକୃତିକ ପରୀକ୍ଷାଗାର ଓ ପ୍ରୟୋଗଶାଳା । ତେଣୁ ପରୀକ୍ଷାର ସମ୍ମୁଖୀନ ହେବା, ସଫଳତା ହାସଲ କରିବା ଓ ତାହାର ଯୁକ୍ତାତ୍ମକ ପ୍ରୟୋଗ କରିବା ଇତ୍ୟାଦି ହେଉଛି ପ୍ରାଣାୟାମ, ପ୍ରତ୍ୟାହାର……….. ଆଦି ପରି ଏକ ଏକ ମାନବ ଜୀବନର ସକରାତ୍ମକ ଉତ୍‍ଥାନର ପାବଚ୍ଛ, ଯାହା ଗୃହି, ବ୍ରହ୍ମଚାରୀ, ଆଦି ସବୁ ସ୍ତରର ମାନବ ନିୟମିତ ଅଭ୍ୟାସ କରିବା ଅପରିହାର୍ଯ୍ୟ ଅଟେ । ଅର୍ଥାତ୍‍ ସୃଷ୍ଟିର ସକରାତ୍ମକ ପ୍ରତିବିମ୍ବ ଶ୍ରୀ ଶଙ୍କର ଭବ ସାଗର ପାରିହେବା ପାଇଁ ଯୋଗମାର୍ଗୀ ହେବାକୁ କହିଛନ୍ତି । 

——————————————————————————————————————————

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help