ଚକ୍ରବ୍ୟୁହ

ଚକ୍ରବ୍ୟୁହ

 

 ଚକ୍ରବ୍ୟୁହ 

ନକୁଳ ଚରଣ ମଲିକ୍‍,
ଅବସରପ୍ରାପ୍ତ ଅଧ୍ୟାପକ,
ପଦାର୍ଥବିଜ୍ଞାନ ବିଭାଗ,
ଅପର୍ତ୍ତିବିନ୍ଧା ନିୟୁକଲୋନି, ଭଦ୍ରକ ।

ମାନବ ଜୀବନଧାରା ଏକ ଏକ ଚକ୍ରବ୍ୟୁହ ସଦୃଶ ।  ପ୍ରାକୃତିକ ଚକ୍ରବ୍ୟୁହ ଅଥବା ମାନବାକୃତ ଚକ୍ରବ୍ୟୁହରେ ପତିତ ହେବା, ତହିଁରୁ ନିଷ୍କାସିତ ହେବା ନିମିତ୍ତ ଚେଷ୍ଟା କରିବା କିମ୍ବା ଓଲଟା ବ୍ୟୁହ ରଚନା କରିବା, ଚକ୍ରବ୍ୟୁହକୁ ଭେଦ କରିବା ଆଦିର ଲାଳସାରେ ମାନବ ନିଜ ଜୀବନ ନାଟକରେ ନାୟକ ସାଜେ । ତେଣୁ  ଜୀବନଧାରା ଧାବମାନ ହୁଏ ବ୍ୟୁହାଦିର ମିଶାଣ, ଫେଡାଣ, ଗୁଣନ ଓ ହରଣକୁ ନେଇ , ଯାହାର ଫଳାଫଳହିଁ ବ୍ୟୁହରେ ପତିତ ହେବା କିମ୍ବା ନିଷ୍କାସିତ ହେବାକୁ ବୁଝାଇଥାଏ । ତେବେ ମାନବ ହେଉ କିମ୍ବା ଜୀବ ଜଗତ ହେଉ, ଏମାନେ ପ୍ରକୃତିକୃତ ଚକ୍ରବ୍ୟୁହରେ ଅହରହ ଘୂର୍ଣ୍ଣାୟମାନ ରହି କର୍ମ ସମ୍ପାଦନ କରନ୍ତି । ତେବେ ସତ୍‍ କର୍ମରେ ନିୟୋଜିତ ରହିବା ଅଥବା ଏଥିରୁ ବିମୁଖ ହେବାର ସର୍ବଶେଷ ଫଳାଫଳ ପ୍ରକୃତିର ବିଚାରାଳୟରେ ସ୍ଥିରୀକୃତ ହୋଇଥାଏ । ଫଳତଃ ଜୀବ ଜନ୍ମ – ମରଣ ରୂପୀ ଚକ୍ରାକାର ପ୍ରକ୍ରିୟାରୁ ବାଦ୍‍ ପଡି ପରମାତ୍ମାଙ୍କ ସହ ଲୀନ ହୁଏ, ନଚେତ ପୁନଃ ପୁନଃ ପ୍ରକ୍ରିୟା ମଧ୍ୟରେ ପୁନର୍ଜନ୍ମ ଓ ପୁନର୍ମୃତ୍ୟୁର ଶୀକାର ହୁଏ । ଜନ୍ମରେ ଜୀବନର ସତ୍ତା ପରିପ୍ରକାଶ ହୁଏ ଓ ମୃତ୍ୟୁରେ ଏହା ଉଭାନ୍‍ ହୋଇଯାଏ । ତେବେ ପ୍ରଶ୍ନ ଉଠେ ଯେ, ଜୀବନର ସତ୍ତା କେଉଁଠୁ ଆସେ ଓ ଏ ସତ୍ତା କେଉଁଠିକି ଯାଏ ? ଏହାକୁ କ’ଣ ପରୀକ୍ଷାଗାରରେ ପର୍ଯ୍ୟବେକ୍ଷଣ କରାଯିବାର ଦକ୍ଷତା ଆଜିର ଅତ୍ୟାଧୁନିକ ମାନବକୁ ଜଣା ଅଛି ? ତେବେ ଜୀବନର ସତ୍ତାକୁ କ’ଣ କୁହାଯାଇ ପାରେ ? ଏକ ବସ୍ତୁତ୍ୱଧାରୀ ସୂକ୍ଷ୍ମ କଣିକା ନା ବସ୍ତୁତ୍ୱହୀନ ଶକ୍ତି ପୁଡିଆ ? ଯେପରି ବିଜ୍ଞାନ ପ୍ରମାଣ କରିଛି ଫୋଟନ୍‍ ଏକ ବସ୍ତୁତ୍ୱହୀନ ଶକ୍ତି ପୁଡିଆ ଓ ଏହା ଆଲୋକର ବେଗରେ ଧାବମାନ । ପୁଣି ତରଙ୍ଗ ପ୍ରକୃତି ପରିବର୍ତ୍ତେ ସ୍ଥଳ ବିଶେଷରେ ଏହା ବସ୍ତୁତ୍ୱଧାରୀ କଣିକା ପରି ମଧ୍ୟ କାର୍ଯ୍ୟ କରିଥାଏ । ତେବେ ଏଯାବତ୍‍ ମାନବ ତା’ର ପରୀକ୍ଷାଗାରରେ ଜୀବନ ସତ୍ତାକୁ ପରୀକ୍ଷଣ କରିବାର ଜ୍ଞାନ କୌଶଳ ହାସଲ କରିପାରି ନାହିଁ ।

ଶାସ୍ତ୍ର କହେ ଜୀବାତ୍ମା ହେଉଛି ପରମାତ୍ମାଙ୍କ ଅଃଶ ବିଶେଷ । ଜନ୍ମ – ମୃତ୍ୟୁ ରୂପୀ ଚକ୍ରାକାର ପ୍ରକ୍ରିୟାରେ ଜୀବାତ୍ମାର କର୍ମାନୁଯାୟୀ ଯୋନି ପ୍ରାପ୍ତ ହୁଏ । ଜୀବ ପରମ ଗତି ପ୍ରାପ୍ତ ହୋଇ ପରମେଶ୍ୱରଙ୍କ ଠାରେ ଲୀନ ହେବା ହିଁ ଜନ୍ମ – ମୃତ୍ୟୁ ଚକ୍ରରୁ ନିସ୍ତାର ଲାଭ କରିବାକୁ ବୁଝାଇଥାଏ । ତେବେ ଏତାଦୃଶ ପ୍ରକ୍ରିୟାମାନ ପ୍ରାକୃତିକ ରୂପେ ଅନ୍ୟ କ୍ଷେତ୍ରରେ ମଧ୍ୟ ଘଟୁଅଛି । ତାହା ହେଲା – ଜଳଚକ୍ର, ଯବକ୍ଷାରଜାନ ଚକ୍ର, ଦିବା – ରାତ୍ର ଚକ୍ର,  ଚନ୍ଦ୍ରକଳା ଓ ପୂର୍ଣ୍ଣିମା – ଅମାବାସ୍ୟା ଚକ୍ର, ଋତୁଚକ୍ର …… ଇତ୍ୟାଦି ବହୁବିଧ ପ୍ରାକୃତିକ ପ୍ରକ୍ରିୟାମାନ ବ୍ରହ୍ମାଣ୍ଡରେ ଭରି ରହିଛି । ପୁଣି ବିଜ୍ଞାନ ବଖାଣେ ଯେ, ଏ ବିଶ୍ୱର ଜନ୍ମ ହୋଇଛି ବିଗ୍‍ବ୍ୟାଙ୍ଗ୍‍ ବିସ୍ଫୋରଣରୁ ଓ ଏହାର ଦିନେ ମୃତ୍ୟୁ ହେବ । ଅର୍ଥାତ୍‍ ବିଶ୍ୱର ସୃଷ୍ଟି ଓ ବିଲୟ ମଧ୍ୟ ଚକ୍ରାକାର ପ୍ରକ୍ରିୟାରେ ଚାଲୁଥିବାର ଅନୁମାନ କରାଯାଉଛି । ସୁକ୍ଷ୍ମ ଜଗତର ପାରମାଣବିକ କ୍ଷେତ୍ରରୁ ଆରମ୍ଭ କରି ସ୍ଥୂଳ ଜଗତର ଅନନ୍ତ ନାକ୍ଷତ୍ରିକ କ୍ଷେତ୍ରରେ ଚକ୍ରାକାର ପ୍ରକ୍ରିୟା ବିଦ୍ୟମାନ । ଇଲେକ୍‍ଟ୍ରନ୍‍ ହେଉ କିମ୍ବା ଗ୍ରହ କି ଉପଗ୍ରହ ହେଉ, ସର୍ବେ ନିଜ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରବିନ୍ଦୁ ଚତୁଃପାର୍ଶ୍ୱରେ ଏବଂ ନିଜ ଅକ୍ଷ ଚତୁଃପାର୍ଶ୍ୱରେ ନିୟମାବଦ୍ଧ ଭାବେ ଘୂର୍ଣ୍ଣନ ରତ  ।  ସର୍ବେ ନିଜ କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ ସାରି ସ୍ୱ ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି । କର୍ମରେ କର୍ମ ଯୋଡି ହେବା ଦ୍ୱାରା ମାନବ ଇଲେକ୍‍ଟ୍ରନ୍‍ ବା ଗ୍ରହାଦିଙ୍କ ପରି ସର୍ବଦା ସମୟାନୁବର୍ତ୍ତୀତାର ଧାରା ବଜାୟ ରଖିପାରେନି । ସନ୍ଧ୍ୟା ସମୟରେ ବିହଙ୍ଗ ମାନେ ନିଡକୁ ଫେରିବାର ଦୃଶ୍ୟ ଆମୋଦଦାୟକ । ମଞ୍ଜିରୁ ଗଛ, ଗଛରୁ ଫୁଲ, ଫୁଲରୁ ଫଳ ଓ ଫଳରୁ ମଞ୍ଜି । ଏ ସବୁ ଏକ ଏକ ଚକ୍ରାକାର ପ୍ରକ୍ରିୟା । ପ୍ରାକୃତିକ ଚକ୍ରବ୍ୟୁହ ବାଦ୍‍ ମାନବ ତା’ର ଜୀବନ ଯାତ୍ରା ପଥରେ ମଧ୍ୟ ମାନବାକୃତ ଚକ୍ରବ୍ୟୁହର ସମ୍ମୁଖୀନ ହେବାକୁ ପଡିଥାଏ । ବ୍ୟକ୍ତି ସେହି ମାତ୍ରାରେ ଶକ୍ତିଶାଳୀ ଥାଇ ଏହାକୁ ଭେଦ କରି ତହିଁରୁ ନିର୍ଗତ ହୋଇପାରେ କିମ୍ବା ଭେଦ କରିବାର ସାମର୍ଥ୍ୟ ନଥିଲେ ବ୍ୟୁହ ମଧ୍ୟରେ ପଡି ନିର୍ଯ୍ୟାତନା ପାଇଥାଏ ଓ ଏପରିକି ଶତ୍ରୁଙ୍କ ଦ୍ୱାରା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ମୃତ୍ୟୁ ମୁଖରେ ପଡିଥାଏ । ମାନବୀୟ ବିଚାରାଳୟରୁ ରାୟ ପ୍ରକାଶ ନିମିତ୍ତ ଦୀର୍ଘ ଦିନ ବିତିଯାଏ । ତେବେ କସ୍ମିନ୍‍ କାଳେ ଏହି ରାୟର ରୂପରେଖ ପ୍ରାକୃତିକ ବିଚାରାଳୟର ରାୟ ସହ ସମାନତା ବଜାୟ ରଖିପାରିବ ନାହିଁ । କାରଣ ପ୍ରାକୃତିକ ହାକୀମଙ୍କ ସମ୍ମୁଖରେ ଆଇନିଜିବୀ, ସାକ୍ଷୀ – ପ୍ରମାଣ ଓ ଆଇନିର ଗଳା ବାଟ ଆବଶ୍ୟକତା ନଥାଏ । ପ୍ରକୃତି ନିଜ ସୃଷ୍ଟିର କେବେ ଭକ୍ଷକ ସାଜେନି । କିନ୍ତୁ ପ୍ରାକୃତିକ ନିୟମଧାରାର ବିରୁଦ୍ଧାଚରଣରେ ସେ କ୍ରୁର ହୋଇଉଠେ । ସେଠାରେ ନଥାଏ ବାଛବିଚାର, ପାତର ଅନ୍ତର ଆଦି । ସମଗ୍ର ବିଶ୍ୱ ପରିବେଷ୍ଟନୀ ହିଁ ପ୍ରାକୃତିକ ବିଚାରାଳୟ ସଦୃଶ ଅଟେ । ପୁରାତନ ଯୁଗରୁ ଅଦ୍ୟାବଧି ଯୁଗୋପଯୋଗୀ ଢାଞ୍ଚାରେ ମାନବସମାଜ ମଙ୍ଗଳ ପାଇଁ ମାନବ ସୃଷ୍ଟି କରେ ନିୟମଧାରା । ତେବେ ଏଠାରେ ଦ୍ୱାପର ଯୁଗରେ ଘଟିଥିବା କୁରୁକ୍ଷେତ୍ର ଯୁଦ୍ଧ ଭୂମିର ଏକ ଅନ୍ୟାୟ ଯୁଦ୍ଧର ହୃଦୟ ବିଦାରକ ଓ ଚିରସ୍ମରଣୀୟ ଘଟଣାର ଉପସ୍ଥାପନ କରାଯାଇଛି, ଯାହା ମାନବ ରଚିତ ଚକ୍ରାକାର ବ୍ୟୁହ ରଚନାର କାରଣରୁ ଘଟିଥିଲା । ଯେଉଁ ଘଟଣାରୁ ଧର୍ମର ଆଧାର ମାନଙ୍କୁ ନେଇ ସୃଷ୍ଟିରେ ଧର୍ମର ଗ୍ଳାନିକୁ ପ୍ରତିହତ କରିବା ନିମନ୍ତେ ପ୍ରକୃତି ତା’ର ନ୍ୟାୟଦଣ୍ଡ ଦ୍ୱାରା ଭୟଙ୍କର ଭାବେ କ୍ରୁର ହୋଇ ଉଠିଥିଲେ ।

ଏହା ଥିଲା ମହାଭାରତ ଯୁଦ୍ଧର ତ୍ରୟୋଦଶ ଦିବସରେ ଗୁରୁ ଦ୍ରୋଣଙ୍କ ଦ୍ୱାରା ରଚିତ ଚକ୍ରବ୍ୟୁହ । ଏଠାରେ ଯୁଦ୍ଧ ଭୂମିରେ ରଚିତ ଚକ୍ରବ୍ୟୁହର ଏକ କାଳ୍ପନିକ ଚିତ୍ରପଟ୍ଟକୁ ବାସ୍ତବରୂପୀ କରାଇବା ନିମିତ୍ତ ପ୍ରୟାସ ମାତ୍ର କରାଯାଇଛି । ଦୁର୍ଯ୍ୟୋଧନଙ୍କ ଇଛାନୁସାରେ ତାଙ୍କ ପକ୍ଷରେ ଯୋଗ ଦେଇଥିବା ରାଜା ସୁଷର୍ମା  ଯୁଦ୍ଧ କୌଶଳ ଦ୍ୱାରା ଅର୍ଜୁନଙ୍କୁ ବହୁତ ଦୂରକୁ ନେଇଯିବା ଓ ଏହାପରେ ଯୁଧିଷ୍ଠିରଙ୍କୁ ସହଜରେ ବନ୍ଦୀ କରି ପାଣ୍ଡବଙ୍କ ଉପରେ ବିଜୟ ଲାଭ କରିବା । କାରଣ ଚକ୍ରବ୍ୟୁହ ଭେଦନ କରିବା ଓ ତହିଁରୁ ନିଷ୍କାସନ ହେବାର କୌଶଳ ପାଣ୍ଡବଙ୍କ ପକ୍ଷରେ କେବଳ ଅର୍ଜୁନ ଓ ତାଙ୍କ ସାରଥି ଶ୍ରୀକୃଷ୍ଣଙ୍କୁ ଜଣା ଥିଲା । ତେଣୁ ବ୍ୟୁହ ରଚନାରେ ସଫଳତା ପାଇବାକୁ ହେଲେ ପ୍ରଥମେ ଅର୍ଜୁନର ଅନୁପସ୍ଥିତି ପାଇଁ ଦ୍ୱାଦଶ ଦିବସର ରାତିରେ କୌରବ ପକ୍ଷର ପ୍ରଧାନ ସେନାପତି ଦ୍ରୋଣଙ୍କ ଦ୍ୱାରା ପ୍ରସ୍ତାବିତ ରଣନୀତି  ପ୍ରୟୋଗ କରାଯାଇଥିଲା ।

ଚକ୍ରବ୍ୟୁହର ଗଠନ ପ୍ରଣାଳୀ ଏକ ବିଚିତ୍ର ଓ ଅତି ଶୃଙ୍ଖଳୀୟ ରଣନୀତି କହିଲେ ଅତ୍ୟୁକ୍ତି ହେବନାହିଁ । ଏହା ବିଜ୍ଞାନ ଓ ଗଣିତର ଏକ ପ୍ରୟୋଗଶାଳା କୁହାଯାଇପାରେ । ଏହା ଏକ ସପ୍ତବୃତ୍ତ ସ୍ତରୀୟ ସୈନ୍ୟ ସଜ୍ଜା – ବାହ୍ୟ ବୃତ୍ତ ବା ପ୍ରଥମ ବୃତ୍ତର ବ୍ୟାସାର୍ଦ୍ଧରୁ ଆଭ୍ୟନ୍ତରୀଣ ସପ୍ତମ ବୃତ୍ତର ବ୍ୟାସାର୍ଦ୍ଧ ଯାଏ ଏକ ଗାଣିତିକ ପଦ୍ଧତିରେ ନିଶ୍ଚିତ ରୂପେ କମି କମି ଯାଇଥାଏ । ତେଣୁ ଏହା ଏପରି ହୋଇଥିବ ଯେ ବୃତ୍ତର ପରିଧିର ଲମ୍ବ ପୁର୍ଣ୍ଣ ସଂଖ୍ୟା ହୋଇଥିବ ନିଶ୍ଚୟ ଓ ନିମ୍ନ ଗାଣିତିକ ଧାରାକୁ ଚିନ୍ତା କରାଯାଇପାରେ ।
ବୃତ୍ତର ପରିଧିର ସୂତ୍ର :- s= 2πr,  π=ବୃତ୍ତର ପରିଧି/ବୃତ୍ତର ବ୍ୟାସ⇒ ସପ୍ତ ବୃତ୍ତର ବ୍ୟାସାର୍ଦ୍ଧ ଗୁଡିକ 7 ଦ୍ୱାରା ବିଭାଜିତ ହେଉଥିବ । ଯେହେତୁ ସପ୍ତମ ବୃତ୍ତର ବ୍ୟାସାର୍ଦ୍ଧ କ୍ଷୁଦ୍ରତ୍ତମ ଓ ପ୍ରଥମର ବୃହତ୍ତମ ଅଟେ ତେଣୁ,  r1 > r2  > r3  > r4  >r5  >r6  >r7 

ଏଠାରେ r1 ରୁ r7  ଯାଏ କ୍ରମାନ୍ୱୟରେ ପ୍ରଥମରୁ ସପ୍ତମ ବୃତ୍ତର ବ୍ୟାସାର୍ଦ୍ଧର ଦୈର୍ଘ୍ୟକୁ ବୁଝାଏ । ତେଣୁ ବ୍ୟାସାର୍ଦ୍ଧ ଗୁଡିକ ନିମ୍ନ ଧାରାରେ ରହିବା ଯୁକ୍ତିଯୁକ୍ତ ମନେହୁଏ ।

r7 = 7x, r6 = 14x, r= 21x, r4 = 28x, r3 = 35x, r2 = 42x, r1 = 49x 

ଏହାକୁ ଏକ ସାଧାରଣ ସୁତ୍ରରେ ଏହିପରି ଲେଖାଯାଇ ପାରିବ, ଯଥା :- r = nx, n’ର ମୂଲ୍ୟ କ୍ରମାନ୍ୱୟରେ ପ୍ରଥମରୁ ସପ୍ତମ ବୃତ୍ତ ଯାଏ 49, 42, 35, 28, 21, 14, 7 ଅଟେ ।

x =ପ୍ରାକୃତିକ ସଂଖ୍ୟା (Natural Number) = 1, 2, 3, 4, …………..

ମନେକରାଯାଉ x= 1 କିଲୋମିଟର,

ଟେବୁଲ – 1

ବୃତ୍ତର କ୍ରମିକ ସଂଖ୍ୟା  ‘x’ ର ମୂଲ୍ୟ କିଲୋମିଟରରେ ବ୍ୟାସାର୍ଦ୍ଧର ଦୈର୍ଘ୍ୟ କି.ମି. ରେ ପରିଧିର ଦୈର୍ଘ୍ୟ କି.ମି. ରେ
  1   1   49   308
  2   1   42   264
  3   1   35   220
  4   1   28   176
  5   1   21   132
  6   1   14   88
  7   1   7   44

    ଏଠାରେ ସପ୍ତବୃତ୍ତ ପରିଧିର ଦୈର୍ଘ୍ୟ = ∑sn = 1232 କିଲୋମିଟର, (n= 1,2,……..7)

ଏହାର ଆଉ ଏକ ଟେବୁଲ ମିଟରରେ ପ୍ରକାଶ କରାଯାଇଛି – ଏଠାରେ r = nx, n’ର ମୂଲ୍ୟ କ୍ରମାନ୍ୱୟରେ ପ୍ରଥମରୁ ସପ୍ତମ ବୃତ୍ତ ଯାଏ 49, 42, 35, 28, 21, 14, 7 ମିଟର ଅଟେ x = 30 ନିଆଯାଇଛି ।

ଟେବୁଲ – 2

ବୃତ୍ତର କ୍ରମିକ ସଂଖ୍ୟା ‘x’   n’ର ମୂଲ୍ୟ ମିଟରରେ ବ୍ୟାସାର୍ଦ୍ଧର ଦୈର୍ଘ୍ୟ ମିଟର/କି.ମି.ରେ ପରିଧିର ଦୈର୍ଘ୍ୟ ମିଟର/କି.ମି.ରେ
  1   30 , 49  1470/1.47  9240/9.24
  2   30 , 42   1260/1.26  7920/7.92
  3   30 , 35   1050/1.05  6600/6.6
  4   30 , 28   840/.84  5280/5.28
  5   30 , 21   630/.63  3960/3.96
  6   30 , 14   420/.42  2640/2.64
  7   30 , 7   210/.21  1320/1.32

ତେବେ ଏ ଟେବୁଲ୍‍ ଦ୍ୱୟରୁ ଜଣାଯାଏ, କୁରୁକ୍ଷେତ୍ରର ଆୟତନ, ଯେଉଁ ଦିବସରେ ଦ୍ରୋଣାଚାର୍ଯ୍ୟ ଚକ୍ରବ୍ୟୁହର ରଚନା କରିଥିଲେ ସେ ସମୟରେ କୌରବ ପକ୍ଷରେ ତିଷ୍ଠି ରହିଥିବା ସୈନ୍ୟ ସଂଖ୍ୟା …….ଆଦିକୁ ଗଣନାକୁ ନେଇ ବ୍ୟୁହର କେନ୍ଦ୍ରବିନ୍ଦୁ, ବୃତ୍ତର ବ୍ୟାସାର୍ଦ୍ଧ, ପ୍ରତି ବୃତ୍ତରେ ସୈନ୍ୟ ସଂଖ୍ୟା, ରଥୀ, ଅଧିରଥୀ, ମହାରଥୀ, ଅଶ୍ୱାରୋହୀ, ଗଜାରୋହୀଙ୍କ ସଂଖ୍ୟା ନିର୍ଦ୍ଧାରଣ କରିଥିବେ ।

ସେ ସମୟରେ ଏକ ଅକ୍ଷୌହିଣୀ ସେନା ଏକ ଅଷ୍ଟସ୍ତରୀୟ ସମାବେଶକୁ ବୁଝାଉଥିଲା । ଏହା ନିମ୍ନ ସ୍ତରରୁ ଉଚ୍ଚସ୍ତର ଯାଏ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାର ଅନୁପାତ ଯାହାକୁ ନିମ୍ନ ଟେବୁଲରେ ଦର୍ଶାଯାଇଛି –

ଟେବୁଲ – 3

ସ୍ତରର କ୍ରମିକତା   ସ୍ତରର ନାମ ସ୍ତର ମୂଖ୍ୟଙ୍କ ନାମ     ରଥୀଙ୍କ  ସଂଖ୍ୟା ଗଜାରୋହୀଙ୍କ ସଂଖ୍ୟା ଅଶ୍ୱାରୋହୀଙ୍କ ସଂଖ୍ୟା   ସୈନ୍ୟଙ୍କ ସଂଖ୍ୟା
    ପ୍ରଥମ ସେନାମୁଗମ୍‍ ସେନାମୂଖ୍  3  3  9  15
    ଦ୍ୱିତୀୟ କୁଲ୍‍ମା ନାୟକ  9  9  27  45
    ତୃତୀୟ  ଗଣ ଗଣ ନାୟକ  27  27  81  135
    ଚତୁର୍ଥ ବାହିନୀ ବାହିନୀପତି  81  81  243  405
    ପଞ୍ଚମ ବିରୁଦାନୀ ବିରୁଦାନୀପତି  243  243  729  1215
    ଷଷ୍ଠ ସେନା ସେନାପତି  729  729  2187  3645
    ସପ୍ତମ ଅନିହିନୀ ଅନିହିନୀପତି  2187  2187  6561  10935
  ଅଷ୍ଟମ ଅକ୍ଷୌହିଣୀ ମହାସେନାପତି  21870  21870 65610 109350

ଅକ୍ଷୌହିଣୀ ସେନା ଗୁଡିକର ମୂଖ୍ୟଙ୍କୁ ପ୍ରଧାନ ସେନାପତି(Commander in chief) କୁହାଯାଏ । ସେଦିନ ସପ୍ତମ ବୃତ୍ତରେ ଦ୍ରୋଣ ଯେଉଁ ସପ୍ତରଥୀଙ୍କୁ ସ୍ଥାପନ କରିଥିଲେ, ସେମାନେ ହେଲେ :- ଦ୍ରୋଣ, କର୍ଣ୍ଣ, କୃପାଚାର୍ଯ୍ୟ, ଦୁର୍ଯ୍ୟୋଧନ, ଅଶ୍ୱତ୍‍ଥମା, ସଲ୍‍ଭା(ଦୁଃଶାସନ ପୁତ୍ର) ଦୁଃଶାସନ | କିନ୍ତୁ ସିନ୍ଧୁ ଦେଶ ରାଜା ଓ କୌରବଙ୍କ ଭିଣୋଇ ତଥା ଦୁଃଶୀଳାଙ୍କ ପତି ଜୟଦ୍ରଥଙ୍କୁ ପ୍ରଥମ ବୃତ୍ତର ମୂଖ୍ୟ ସ୍ଥାନରେ ଅବସ୍ଥାପିତ କରାଯାଇଥିଲା । ସେ ସ୍ଥାନ ପାଣ୍ଡବ ପକ୍ଷକୁ ସାମ୍‍ନା କରୁଥିଲା ଅର୍ଥାତ୍‍ ଯେଉଁ ଯୋଦ୍ଧା ବ୍ୟୁହ ଭେଦନ କରିବାକୁ ଆଗେଇବ ସେ ପ୍ରଥମେ ଜୟଦ୍ରଥର ସମ୍ମୁଖୀନ ହେବ । ଏହାହିଁ ଥିଲା ବ୍ୟବସ୍ଥା ଓ ଗୁରୁଦ୍ରୋଣଙ୍କୁ ଜ୍ଞାତ, ଯେ ଦିନକ ପାଇଁ ମହାଦେବଙ୍କ ବରରେ ବଳୀୟାନ ଜୟଦ୍ରଥ ଚାରି ପାଣ୍ଡବଙ୍କ ମମ୍ମୁଖରେ ଅପରାଜେୟ ରହିବ । ତେଣୁ ଅର୍ଜୁନ ବିନା ସେଦିନ ପାଣ୍ଡବ ବାହିନୀକୁ ସହଜରେ ପରାସ୍ତ କରି ଯୁଧିଷ୍ଠିରଙ୍କୁ ବନ୍ଦୀ କରିବା  ଥିଲା ଚକ୍ରବ୍ୟୁହ ରଚନାର ମୂଳ ଉଦ୍ଦେଶ୍ୟ ।

ସପ୍ତବୃତ୍ତୀୟ ସୈନ୍ୟସଜ୍ଜା –

ଟେବୁଲ – 4 (ଟେବୁଲ – 1 ରୁ, ସପ୍ତବୃତ୍ତର ମୋଟ ଦୈର୍ଘ୍ୟ = 1232 କି. ମି. ଓ ପ୍ରତି ବୃତ୍ତରେ ସୈନ୍ୟ ସାନ୍ଦ୍ରତାର ସାମ୍ୟତାରୁ ସୈନ୍ୟ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି । )

  ବୃତ୍ତର କ୍ରମିକତା ରଥୀଙ୍କ  ସଂଖ୍ୟା ଗଜାରୋହୀଙ୍କ ସଂଖ୍ୟା ଅଶ୍ୱାରୋହୀଙ୍କ ସଂଖ୍ୟା ସୈନ୍ୟଙ୍କ ସଂଖ୍ୟା
  ପ୍ରଥମ 5468   5468  16402  27337
  ଦ୍ୱିତୀୟ 4686   4686   14059   23432
  ତୃତୀୟ   3905   3905   11716    19527
  ଚତୁର୍ଥ   3124 3124   9373    15621
  ପଞ୍ଚମ   2343   2343   7030    11716
  ଷଷ୍ଠ   1562  1562   4687    7811
  ସପ୍ତମ   782   782   2343    3906

ପୁନଃ ପ୍ରଥମ ବୃତ୍ତରୁ ସପ୍ତମ ବୃତ୍ତଯାଏ ରଥୀ, ଗଜାରୋହୀ, ଅଶ୍ୱାରୋହୀ ଓ ସୈନ୍ୟ ସଜାଇ ହୋଇ ରହିବାର ସାନ୍ଦ୍ରତା(density)କୁ ଟେବୁଲ – 2 ଓ ଟେବୁଲ – 3 ର ତୁଳନା ସହ ଟେବୁଲ – 5 ଦର୍ଶାଯାଇଛି । ତେବେ ପ୍ରଥମ(ବାହ୍ୟ) ବୃତ୍ତରୁ ସପ୍ତମ ବୃତ୍ତ ଯାଏ ରଥୀ, ଗଜାରୋହୀ, ଅଶ୍ୱାରୋହୀ ଓ ସୈନ୍ୟଙ୍କ ସଂଖ୍ୟା ନିର୍ଦ୍ଧାରଣ ନିମିତ୍ତ ଗୁରୁ ଦ୍ରୋଣ ନିଶ୍ଚିତ ରୂପେ ଗାଣିତିକ ସୂତ୍ର ପ୍ରୟୋଗ କରିଥିବେ । ଚକ୍ରବ୍ୟୁହର ସୈନ୍ୟସଜ୍ଜାର ପଦ୍ଧତିରୁ ଯାହା ଜଣାଯାଏ, ତାହା ପ୍ରଥମ ବୃତ୍ତରୁ ସପ୍ତମ ବୃତ୍ତ ଯାଏ ଚତୁଃବର୍ଗୀୟ ଯୋଦ୍ଧାଙ୍କ ସାନ୍ଦ୍ରତା ( ସଂଖ୍ୟା/ଦୈର୍ଘ୍ୟ) କ୍ରମାନ୍ୱୟରେ ବୃଦ୍ଧି ଘଟିଥାଏ । ତାହାର ଏକ ଆକଳନ ନିମ୍ନ ମତେ କରାଯାଇଛି ।
ଯେହେତୁ ଅଷ୍ଟସ୍ତରୀୟ ପ୍ରଣାଳୀରେ ଚତୁଃବର୍ଗୀୟ ଯୋଦ୍ଧାଙ୍କ ସଂଖ୍ୟା 3 ଦ୍ୱାରା ବିଭାଜିତ ଓ ଶୂନ ଅବଶେଷ ସୂଚାଉଛି, ସେହି ଭାବେ ପ୍ରତି ବୃତ୍ତରେ ଏମାନଙ୍କ ସଂଖ୍ୟା ମଧ୍ୟ 3 ଦ୍ୱାରା ସମ୍ପୂର୍ଣ୍ଣ ବିଭାଜିତ ହେବା ଯୁକ୍ତିଯୁକ୍ତ ଅଟେ । ଏହା ଏକ ଧାରାରେ ନିଶ୍ଚିତ ଭାବେ ହୋଇଥିବ । ତେଣୁ ପ୍ରଥମେ ସୈନ୍ୟ ସାନ୍ଦ୍ରତାକୁ ନେଇ ସପ୍ତ ବୃତ୍ତରେ ସୈନ୍ୟ ସଂଖ୍ୟାର ଏକ ଆକଳନ କରାଯାଇଛି । ଟେବୁଲ -2 ରୁ ସପ୍ତ ବୃତ୍ତର ମୋଟ ଦୈର୍ଘ୍ୟ ନିଆଯାଇଛି । ଟେବୁଲ – 3 ରୁ ଏକ ଅକ୍ଷୌହିଣୀ ସୈନ୍ୟ ସଂଖ୍ୟାକୁ ମୋଟ ଦୈର୍ଘ୍ୟ ଦ୍ୱାରା ବିଭାଜନ କରି ମିଟର ପ୍ରତି ସୈନ୍ୟ ସଂଖ୍ୟା ବା ସୈନ୍ୟ ସାନ୍ଦ୍ରତା ନିରୂପଣ କରାଯାଇଛି । ଯଦି ପ୍ରଥମରୁ ସପ୍ତମ ବୃତ୍ତର ପରିଧିର ଦୈର୍ଘ୍ୟଗୁଡିକୁ s1, s2 …….. s7 ନିଆଯାଏ ଓ ଏଗୁଡିକର ଯୋଗଫଳ ∑sn ହୁଏ, ତେବେ ସପ୍ତବୃତ୍ତ ପରିଧିର ଦୈର୍ଘ୍ୟ =∑sn, (n= 1,2,……..7) = 36960 ମିଟର । 

ଏକ ଅକ୍ଷୌହିଣୀ ସୈନ୍ୟ (ଟେବୁଲ 3ରୁ) =109350
ହାରାହାରି ସୈନ୍ୟ ସାନ୍ଦ୍ରତା =109350/36960 ସଂଖ୍ୟା/ ମିଟର = 2.9586 ସଂଖ୍ୟା/ ମିଟର

ଏହି ହାରାହାରି ସାନ୍ଦ୍ରତାକୁ ଚତୁର୍ଥ ବୃତ୍ତର ନିଆଯାଉ ଓ ତୃତୀୟରୁ ପ୍ରଥମ ଏବଂ ପଞ୍ଚମରୁ ସପ୍ତମ ବୃତ୍ତ ଯାଏ ଯଥାକ୍ରମେ ଏକ ନିର୍ଦ୍ଧାରିତ ମାତ୍ରାରେ କମାଯାଉ ଓ ବଢାଯାଉ, ଯେପରି ହାରାହାରି ସାନ୍ଦ୍ରତାର ମାତ୍ରା ସମାନ ହେବ । ତାହାର ଏକ ଉଦାହରଣ ନିମ୍ନରେ ଦର୍ଶାଗଲା –
ପ୍ରଥମ ବୃତ୍ତ ବା ପରିଧି(s1) ପାଇଁ – 2.9286

ଦ୍ୱିତୀୟ ବୃତ୍ତ ବା ପରିଧି(s2) ପାଇଁ – 2.9386

 ତୃତୀୟ ବୃତ୍ତ ବା ପରିଧି(s3) ପାଇଁ – 2.9486

ଚତୁର୍ଥ ବୃତ୍ତ ବା ପରିଧି(s4) ପାଇଁ – 2.9586

ପଞ୍ଚମ ବୃତ୍ତ ବା ପରିଧି(s5) ପାଇଁ – 2.9686

ଷଷ୍ଠ ବୃତ୍ତ ବା ପରିଧି(s6) ପାଇଁ – 2.9786

ସପ୍ତମ ବୃତ୍ତ ବା ପରିଧି(s7) ପାଇଁ – 2.9886

⇒ହାରାହାରି ସୈନ୍ୟ ସାନ୍ଦ୍ରତାର ମାତ୍ରା ଠିକ୍‍ ରହୁଛି  = 2.9586 ସଂଖ୍ୟା/ ମିଟର

ସେହିପରି ରଥୀ, ଗଜାରୋହୀ ଓ ଅଶ୍ୱାରୋହୀ ସାନ୍ଦ୍ରତା ଆଦିକୁ ନିମ୍ନ ଟେବୁଲରେ ଦର୍ଶାଯାଇଛି ।

ଟେବୁଲ -5 ସଂଖ୍ୟା ପ୍ରତି ମିଟରରେ (ସାନ୍ଦ୍ରତା)

ବୃତ୍ତର କ୍ରମିକତା   ରଥୀଙ୍କ ସାନ୍ଦ୍ରତା     ଗଜାରୋହୀଙ୍କ  ସାନ୍ଦ୍ରତା   ଅଶ୍ୱାରୋହୀଙ୍କ   ସାନ୍ଦ୍ରତା     ସୈନ୍ୟଙ୍କ  ସାନ୍ଦ୍ରତା
    ପ୍ରଥମ 0.5617 0.5617 1.7452 2.9286
    ଦ୍ୱିତୀୟ 0.5717 0.5717 1.7552 2.9386
    ତୃତୀୟ 0.5817 0.5817 1.7652 2.9486
    ଚତୁର୍ଥ 0.5917 0.5917 1.7752 2.9586
    ପଞ୍ଚମ 0.6017 0.6017 1.7852 2.9686
    ଷଷ୍ଠ 0.6117 0.6117 1.7952 2.9786
    ସପ୍ତମ 0.6217 0.6217 1.8052 2.9886

ଉକ୍ତ ଟେବୁଲ୍‍ରୁ ସପ୍ତବୃତ୍ତ ପାଇଁ ରଥୀ, ଗଜାରୋହୀ, ଅଶ୍ୱାରୋହୀ ଓ ସୈନ୍ୟ ସଂଖ୍ୟା  ନିର୍ଣ୍ଣୟ କରିବା ନିମିତ୍ତ ସେହି ବୃତ୍ତର ଚତୁଃ ବିଭାଗ ଯୋଦ୍ଧା ସାନ୍ଦ୍ରତା ସହ ପରିଧିର ଦୈର୍ଘ୍ୟ ଗୁଣନ କଲେ ଯୋଦ୍ଧା ସଂଖ୍ୟା ମିଳିବ । ସବୁ ବୃତ୍ତର ଭିନ୍ନଭିନ୍ନ ସଂଖ୍ୟା ମିଶାଇଲେ ତାହା ଏକ ଅକ୍ଷୌହିଣୀ ସେନା ସହ ସମାନ ହେବାକଥା । ଯଦି ନହୁଏ ତେବେ ସଂଖ୍ୟାରେ କିଛି ବଦଳାଇବାକୁ ପଡିବ ।

ଟେବୁଲ -6(relating Table -5)

ବୃତ୍ତର କ୍ରମିକତା ବ୍ୟାସାର୍ଦ୍ଧ ମି. ପରିଧି ମି. ରଥୀ  ସଂଖ୍ୟା ଗଜାରୋହୀ ସଂଖ୍ୟା ଅଶ୍ୱାରୋହୀ ସଂଖ୍ୟା ସୈନ୍ୟ ସଂଖ୍ୟା
ପ୍ରଥମ  1470  9240 5243 5243  16179 27189
ଦ୍ୱିତୀୟ  1260  7920 4580 4580  13956  23394
ତୃତୀୟ  1050  6600 3892 3892  11703  19885
ଚତୁର୍ଥ  840  5280 3177 3177  9423  15745
ପଞ୍ଚମ  630  3960 2436 2436  7123  11079
ଷଷ୍ଠ  420  2640 1668 1668  4793  7988
ସପ୍ତମ  210  1320 874 874  2433  4070
ମୋଟ ପରିମାଣ 5890 36960 21870 21870 65610 109350

ଏ ଟେବୁଲ ଦର୍ଶାଏ, ଦୁଇ, ତିନି, ଚାରି ……….ଅକ୍ଷୌହିଣୀ ସେନା ପାଇଁ ପ୍ରତ୍ୟେକ ସଂଖ୍ୟାକୁ ଯଥାକ୍ରମେ ସେହି ଅନୁପାତରେ ଗୁଣନ କରିବାକୁ ପଡିବ ।

Table -7 (ପ୍ରତି ବୃତ୍ତରେ ରଥି – ରଥି, ଗଜାରୋହୀ – ଗଜାରୋହୀ, ଅଶ୍ୱାରୋହୀ – ଅଶ୍ୱାରୋହୀ, ସୈନ୍ୟ – ସୈନ୍ୟଙ୍କ ମଧ୍ୟରେ ସମାନ ସମାନ ଦୂରତା ବଜାୟ ରଖାଯାଛି) ।

ଏଠାରେ ପ୍ରତି ବୃତ୍ତରେ ରଥି, ଗଜାରୋହୀ ଓ ଅଶ୍ୱାରୋହୀଙ୍କ ସଂଖ୍ୟା 7 ସହ ବିଭାଜିତ ଓ ସୈନ୍ୟଙ୍କ ସଂଖ୍ୟା 21 ସହ ବିଭାଜିତ ।

ବୃତ୍ତର ବ୍ୟାସାର୍ଦ୍ଧ ମି.ରେ ବୃତ୍ତରପରିଧି 

ମି.ରେ

ରଥୀ  ସଂଖ୍ୟା ରଥି – ରଥି ଦୂରତା ମି.ରେ ଗଜାରୋହୀ ସଂଖ୍ୟା ଗଜାରୋହୀ -ଗଜାରୋହୀ ଦୂରତା ମି.ରେ  ଅଶ୍ୱାରୋହୀ ସଂଖ୍ୟା ଅଶ୍ୱାରୋହୀ -ଅଶ୍ୱାରୋହୀ ଦୂରତା ମି.ରେ ସୈନ୍ୟସଂଖ୍ୟା ସୈନ୍ୟ – ସୈନ୍ୟ ଦୂରତା ମି.ରେ
4518.5(ପ୍ରଥମ) 28402 5418 5.2 5418 5.2 16254 1.7 27111 1
3888.5(ଦ୍ୱିତୀୟ) 24442 4669 5.2 4669 5.2 14007 1.7 23331 1
3255(ତୃତୀୟ) 20460 3906 5.2 3906 5.2 11718 1.7 19530 1
2611(ଚତୁର୍ଥ) 16412 3136 5.2 3136 5.2 9408 1.7 15666 1
1967(ପଞ୍ଚମ) 12364 2359 5.2 2359 5.2 7077 1.7 11802 1
1319.5(ଷଷ୍ଠ) 8294 1582 5.2 1582 5.2 4746 1.7 7917 1
665(ସପ୍ତମ) 4180 798 5.2 798 5.2 2394 1.7 3990 1

⇒ଏଠାରେ ରଥି ସଂଖ୍ୟା, ଗଜାରୋହୀ ସଂଖ୍ୟା ଓ ଅଶ୍ୱାରୋହୀଙ୍କ ସଂଖ୍ୟା = 21868, ଗଜାରୋହୀ ସଂଖ୍ୟା = 21868, ଅଶ୍ୱାରୋହୀଙ୍କ ସଂଖ୍ୟା =  65604. ସୈନ୍ୟଙ୍କ ସଂଖ୍ୟା = 109347,  ପ୍ରଥମ ବୃତ୍ତର ବ୍ୟାସାର୍ଦ୍ଧ =4518.5 ମି. =4କି.ମି. 518.5 ମି.

ଏକ ଅକ୍ଷୌହିଣୀ ସେନାରୁ ବଳକା – 2 ରଥି, 2 ଗଜାରୋହୀ, 6 ଅଶ୍ୱାରୋହୀ ଓ 3 ସୈନ୍ୟଙ୍କୁ ବ୍ୟୁହର କେନ୍ଦ୍ରରେ ସଂରକ୍ଷିତ ରଖାଯାଇ ଥାଇପାରେ । ଏହା ଏକ ଅକ୍ଷୌହିଣୀ ସେନାର ଏକ ଆନୁମାନିକ ବୃତ୍ତୀୟ ସେନା ସ୍ଥାପନର ରଣ କୌଶଳ ପ୍ରକ୍ରିୟା ।

Table -8, ଏଠାରେ ପ୍ରଥମ ବୃତ୍ତରୁ ସପ୍ତମ ବୃତ୍ତ ଯାଏ ବ୍ୟାସାର୍ଦ୍ଧ ଗୁଡିକୁ ବଦଳାଇ କ୍ରମାନ୍ୱୟରେ ରଥି – ରଥି, ଗଜାରୋହୀ -ଗଜାରୋହୀ , ଅଶ୍ୱାରୋହୀ – ଅଶ୍ୱାରୋହୀ ଓ ସୈନ୍ୟ- ସୈନ୍ୟଙ୍କ ମଧ୍ୟରେ ଦୂରତା କମାଇ ଦିଆଯାଇଛି ।

ଏଠାରେ ମଧ୍ୟ ପ୍ରତି ବୃତ୍ତରେ ରଥି, ଗଜାରୋହୀ ଓ ଅଶ୍ୱାରୋହୀଙ୍କ ସଂଖ୍ୟା 7 ସହ ବିଭାଜିତ ଓ ସୈନ୍ୟଙ୍କ ସଂଖ୍ୟା 21 ସହ ବିଭାଜିତ ।

ବୃତ୍ତର ବ୍ୟାସାର୍ଦ୍ଧ ମି.ରେ ପରିଧି ମି.ରେ ରଥୀ  ସଂଖ୍ୟା ରଥି – ରଥି ଦୂରତା ମି.ରେ ଗଜାରୋହୀ ସଂଖ୍ୟା ଗଜାରୋହୀ -ଗଜାରୋହୀ ଦୂରତା ମି.ରେ  ଅଶ୍ୱାରୋହୀ ସଂଖ୍ୟା ଅଶ୍ୱାରୋହୀ -ଅଶ୍ୱାରୋହୀ ଦୂରତା ମି.ରେ ସୈନ୍ୟସଂଖ୍ୟା ସୈନ୍ୟ – ସୈନ୍ୟ ଦୂରତା ମି.ରେ
(ପ୍ରଥମ)4557 28644 5418 5.287 5418 5.287 16254  1.762 27111 1.0565
(ଦ୍ୱିତୀୟ)3920 24640 4669 5.277 4669 5.277 14007 1.759 23331 1.0561
(ତୃତୀୟ)3276 20592 3906 5.271 3906 5.271 11718 1.757 19530 1.0543
(ଚତୁର୍ଥ) 2625 16500 3136 5.261 3136 5.261 9408 1.753 15666 1.0532
(ପଞ୍ଚମ) 1974 12408 2359 5.259 2359 5.259 7077 1.753 11802 1.0513
(ଷଷ୍ଠ) 1323 8316 1582 5.256 1582 5.256 4746 1.752 7917 1.0503
(ସପ୍ତମ) 665 4180 798 5.238 798 5.238 2394 1.746 3990 1.0476

ଏଠାରେ ମୋଟ ରଥି ସଂଖ୍ୟା = 21868, ମୋଟ ଗଜାରୋହୀ ସଂଖ୍ୟା = 21868, ମୋଟ ଅଶ୍ୱାରୋହୀଙ୍କ ସଂଖ୍ୟା =  65604 ଓ ମୋଟ  ସୈନ୍ୟଙ୍କ ସଂଖ୍ୟା = 109347, ପ୍ରଥମ ବୃତ୍ତର ବ୍ୟାସାର୍ଦ୍ଧ =4557ମି.=4କି.ମି. 557 ମି.

ଏଠାରେ ମଧ୍ୟ ଏକ ଅକ୍ଷୌହିଣୀ ସେନାରୁ ବଳକା – 2 ରଥି, 2 ଗଜାରୋହୀ, 6 ଅଶ୍ୱାରୋହୀ ଓ 3 ସୈନ୍ୟଙ୍କୁ ବ୍ୟୁହର କେନ୍ଦ୍ରରେ ସଂରକ୍ଷିତ ରଖାଯାଇ ଥାଇପାରେ । ଏହା ଏକ ଅକ୍ଷୌହିଣୀ ସେନାର ଏକ ଆନୁମାନିକ ବୃତ୍ତୀୟ ସେନା ସ୍ଥାପନର ରଣ କୌଶଳ ପ୍ରକ୍ରିୟା ।

Table -9 ଏଠାରେ ପ୍ରଥମ ବୃତ୍ତରୁ ସପ୍ତମ ବୃତ୍ତ ଯାଏ ବ୍ୟାସାର୍ଦ୍ଧ ଗୁଡିକୁ ବଦଳାଇ କ୍ରମାନ୍ୱୟରେ ରଥି – ରଥି, ଗଜାରୋହୀ -ଗଜାରୋହୀ , ଅଶ୍ୱାରୋହୀ – ଅଶ୍ୱାରୋହୀ ଓ ସୈନ୍ୟ- ସୈନ୍ୟଙ୍କ ମଧ୍ୟରେ ଦୂରତା କମାଇ ଦିଆଯାଇଛି ।

ଏଠାରେ ମଧ୍ୟ ପ୍ରତି ବୃତ୍ତରେ ରଥି, ଗଜାରୋହୀ ଓ ଅଶ୍ୱାରୋହୀଙ୍କ ସଂଖ୍ୟା 7 ସହ ବିଭାଜିତ ଓ ସୈନ୍ୟଙ୍କ ସଂଖ୍ୟା 21 ସହ ବିଭାଜିତ ।

ବୃତ୍ତର ବ୍ୟାସାର୍ଦ୍ଧ ମି.ରେ ପରିଧି ମି.ରେ ରଥୀ  ସଂଖ୍ୟା ରଥି – ରଥି ଦୂରତା ମି.ରେ ଗଜାରୋହୀ ସଂଖ୍ୟା ଗଜାରୋହୀ -ଗଜାରୋହୀ ଦୂରତା ମି.ରେ  ଅଶ୍ୱାରୋହୀ ସଂଖ୍ୟା ଅଶ୍ୱାରୋହୀ -ଅଶ୍ୱାରୋହୀ ଦୂରତା ମି.ରେ ସୈନ୍ୟସଂଖ୍ୟା ସୈନ୍ୟ – ସୈନ୍ୟ ଦୂରତା ମି.ରେ
(ପ୍ରଥମ)6034 37928 5418 7 5418 7 16254 2.3 27111 1.39
(ଦ୍ୱିତୀୟ)4977 31284 4669 6.7 4669 6.7 14007 2.2 23331 1.34
(ତୃତୀୟ)3976 24992 3906 6.4 3906 6.4 11718 2.1 19530 1.28
(ଚତୁର୍ଥ) 3045 19140 3136 6.1 3136 6.1 9408 2.0 15666 1.22
(ପଞ୍ଚମ) 2177 13684 2359 5.8 2359 5.8 7077 1.9 11802 1.16
(ଷଷ୍ଠ)1386 8712 1582 5.5 1582 5.5 4746 1.8 7917 1.1
(ସପ୍ତମ) 651 4092 798 5.1 798 5.1 2394 1.7 3990 1.0

ଏଠାରେ ମୋଟ ରଥି ସଂଖ୍ୟା, ମୋଟ ଗଜାରୋହୀ ସଂଖ୍ୟା, ମୋଟ ଅଶ୍ୱାରୋହୀଙ୍କ ସଂଖ୍ୟା ଓ ମୋଟ  ସୈନ୍ୟଙ୍କ ସଂଖ୍ୟା ଟେବୁଲ-8 ସହ ସମାନ ଅଟେ । ପ୍ରଥମ ବୃତ୍ତର ବ୍ୟାସାର୍ଦ୍ଧ =6034ମି.=6 କି.ମି. 34 ମି.

ଏଠାରେ ମଧ୍ୟ ଏକ ଅକ୍ଷୌହିଣୀ ସେନାରୁ ବଳକା  ରଥି,  ଗଜାରୋହୀ,  ଅଶ୍ୱାରୋହୀ ଓ  ସୈନ୍ୟଙ୍କ ସଂଖ୍ୟା ଟେବୁଲ-8 ସହ ସମାନ ଅଟେ ଯାହାକୁ ବ୍ୟୁହର କେନ୍ଦ୍ରରେ ସଂରକ୍ଷିତ ରଖାଯାଇ ଥିବାର କଳ୍ପନା କରାଯାଇଛି । ଏହା ଏକ ଅକ୍ଷୌହିଣୀ ସେନାର ଏକ ଆନୁମାନିକ ବୃତ୍ତୀୟ ସେନା ସ୍ଥାପନର ରଣ କୌଶଳ ପ୍ରକ୍ରିୟା । ଦୁଇ, ତିନି, ଚାରି ……… ଅକ୍ଷୌହିଣୀ ସେନା ପାଇଁ ଉପରୋକ୍ତ ଟେବୁଲ ଗୁଡିକର ସବୁ ପରିମାଣକୁ ସେହି ମାତ୍ରାରେ ଗୁଣିବାକୁ ପଡିବ । ତେବେ ଏହା ଗାଣିତିକ ପ୍ରକ୍ରିୟାରେ ଏକ ଏକ ସୈନ୍ୟ ସଜାଇବାର ଧାରା । ଏହା ସଠିକ୍‍ ନହେଲେ ବି ଏକ ଆନୁମାନିକ ଅନୁପାତ । ଗୁରୁ ଦ୍ରୋଣ କେଉଁ ଗାଣିତିକ ପ୍ରଣାଳୀରେ ଏହା ପ୍ରସ୍ତୁତ କରିଥିଲେ ତାହା ଅଜଣା । କିନ୍ତୁ ଏହାର ସମ୍ଭାବ୍ୟ ଚିତ୍ରପଟ୍ଟମାନ ପ୍ରସ୍ତୁତ କରାଯାଇପାରେ । 

ଚକ୍ରବ୍ୟୁହର କେନ୍ଦ୍ରବିନ୍ଦୁ, ସତେକି ଏହା ପାରମାଣବିକ ନାଭିକ(Atomic Nucleus) ସଦୃଶ । ଏହାର ଚତୁଃପାର୍ଶ୍ୱରେ ସପ୍ତମରୁ ପ୍ରଥମ ବୃତ୍ତ ବା ସପ୍ତ କକ୍ଷରେ ଘୂର୍ଣ୍ଣନରତ ସୈନ୍ୟ, ଅଶ୍ୱାରୋହୀ, ଗଜାରୋହୀ ଓ ରଥୀଗଣ । ଯେହେତୁ ଘୂର୍ଣ୍ଣନ ପଥ ବୃତ୍ତାକର, ତେଣୁ ଏହା ନେଲ୍‍ ବୋର୍‍(Neil Bohr)ଙ୍କ କ୍ୱାଣ୍ଟମ୍‍ ତତ୍ତ୍ୱକୁ ଆପଣେଇବାର ସମ୍ଭାବନା ସୃଷ୍ଟିକରେ । ଇଲେକ୍‍ଟ୍ରନ ସଂଖ୍ୟା ପ୍ରଥମ ବା ପାରମାଣବିକ ନାଭିକର ସବୁଠୁ ନିକଟତମ କକ୍ଷରୁ ଉଚ୍ଚ କକ୍ଷ ଯଥା – K, L, M, N……. ଆଦି ପାଇଁ 2,8, 18 ……. ନିଶ୍ଚିତ ରୂପେ ରଥୀ,ଗଜାରୋହୀ, ଅଶ୍ୱାରୋହୀ ଓ ସୈନ୍ୟଙ୍କ ସଂଖ୍ୟା ସହ ସମାନୁପାତିକ ରୂପେ ଚିନ୍ତା କରାଯାଇ ପାରେ । ପୁନଃ ପ୍ରତି କକ୍ଷ ତା’ର ସୂକ୍ଷ୍ମ କକ୍ଷଗୁଡିକର ସମଷ୍ଟି ଅଟେ ଯଥା – s, p, d, f, ……… । ଏଗୁଡିକ ଯଥାକ୍ରମେ 2, 6, 10, 14 ……. ଆଦି ଇଲେକ୍‍ଟ୍ରନକୁ ନେଇ ଗଠିତ । ଏଠାରେ ଇଲେକ୍‍ଟ୍ରନର ଦୁଇ ପ୍ରକାର ଗତି ରହିଛି, ତାହା ପରିକ୍ରମଣ(Orbiting) ଓ ଆବର୍ତ୍ତନ(Spinning) ଗତି, କିନ୍ତୁ ଦ୍ରୋଣଙ୍କ ଚକ୍ରବ୍ୟୁହରେ ଇଲେକ୍‍ଟ୍ରନ ରୂପୀ ସୈନ୍ୟ ବାହିନୀର କେବଳ ପରିକ୍ରମଣ ଗତିଯୁକ୍ତ ଅଟେ । ନେଲ୍‍ ବୋର୍‍ଙ୍କ ପାରମାଣବିକ କ୍ୱାଣ୍ଟମ୍‍ ତତ୍ତ୍ୱ ପ୍ରକାଶ କରେ :-

(1)- କକ୍ଷ ଗୁଡିକ ଏକ ଏକ ନିର୍ଦ୍ଧାରିତ ଦୂରତା ବଜାୟ ରଖେ(Orbits are Quantised),

(2)- ଇଲେକ୍‍ଟ୍ରନ ଗୁଡିକର ନିର୍ଦ୍ଧାରିତ କକ୍ଷରେ ନିର୍ଦ୍ଦିଷ୍ଟ ଶକ୍ତି ବହନ କରେ(Energy of Electrons are Quantised),

(3)- ଇଲେକ୍‍ଟ୍ରନ ଗୁଡିକର କୌଣିକ ସଂବେଗ ମଧ୍ୟ ଭିନ ଭିନ୍ନ କକ୍ଷରେ ଭିନ୍ନ ଅଟେ(Angular Momentum of Electrons are Quantised) ଓ ଏହା nh/2π ଅଟେ । ଏଠାରେ n = କକ୍ଷର କ୍ରମିକ ସଂଖ୍ୟା ଓ h= ପ୍ଲାଙ୍କ୍‍ଙ୍କ ଧ୍ରୁବାଙ୍କ(Planck’s Constant) ଅଟେ । ଏହା ମଧ୍ୟ ସେନାର ଶକ୍ତି ଅନୁଯାୟୀ ବୃତ୍ତୀୟ ଧାରାରେ ସମାବେଶତା ସହ ତୁଳନାତ୍ମକ ବିଶେଷତାକୁ ସୂଚାଇଥାଏ । ନାଭିକର ନିକଟତମ ଇଲେକ୍‍ଟ୍ରନ ସର୍ବାଧିକ ବନ୍ଧନ ଶକ୍ତି(Binding Energy)ଯୁକ୍ତ ଓ କ୍ରମେ କ୍ରମେ ଉଚ୍ଚ କକ୍ଷ ନିମିତ୍ତ ଏହା କମି କମି ଯାଏ । ସେହି ଧାରାରେ ଚକ୍ରବ୍ୟୁହର କେନ୍ଦ୍ରବିନ୍ଦୁରୁ ନିକଟତମ କକ୍ଷ ବା ସପ୍ତମ ବୃତ୍ତରେ ସ୍ଥାନ ପାଇଥିବା ରଥୀ, ଗଜାରୋହୀ, ଅଶ୍ୱାରୋହୀ ଓ ସୈନ୍ୟ ସବୁଠାରୁ ଶକ୍ତିଶାଳୀ ଓ ଏହା କମି କମି ଯାଇଥାଏ ପ୍ରଥମ ବୃତ୍ତ ବା ବାହ୍ୟ କକ୍ଷ ଯାଏ । ଇଲେକ୍‍ଟ୍ରନ ନିମ୍ନ କକ୍ଷରୁ ଉଚ୍ଚ କକ୍ଷକୁ ବାହ୍ୟ ଶକ୍ତି ପ୍ରଭାବରେ ଲମ୍ଫ ପ୍ରଦାନ କ୍ଷଣସ୍ଥାୟୀ ଓ ପାଇଥିବା ଶକ୍ତିକୁ ପରିତ୍ୟାଗ ପୂର୍ବକ ବା ବିକିରିତ କରି ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାଏ । ସେହିପରି ଅନ୍ତଃ ବୃତ୍ତରୁ ବାହ୍ୟ ବୃତ୍ତକୁ କୌଣସି ପାରସ୍ପରିକତାମୁଖୀରେ ଚତୁଃସ୍ତରୀୟ ସେନାରୁ ଯେ କେହିର ବିସ୍ଥାପନ ମଧ୍ୟ ସୀମିତ ସମୟ ପାଇଁ ହୋଇଥାଏ, ନଚେତ୍‍ ସାମ୍ୟତା ବଜାୟ ରଖିବାରେ ବିଘ୍ନ ଘଟିପାରେ ।

ସେହିପରି ନାଭିକୀୟ ବିଜ୍ଞାନ(Nuclear Physics)ର ଖୋଳପା ପ୍ରାକରଣ (Shell Model) ଅନୁଯାୟୀ ନାଭିକ ମଧ୍ୟରେ ପ୍ରୋଟନ୍‍ ଓ ନିଉଟ୍ରନ୍‍ ନାଭିକର କେନ୍ଦ୍ରବିନ୍ଦୁ ଚତୁଃପାର୍ଶ୍ୱରେ ଇଲେକ୍‍ଟ୍ରନ ସଦୃଶ କାର୍ଯ୍ୟକ୍ଷମ ଓ କ୍ୱାଣ୍ଟମ୍‍ ନିୟମ ଯୁକ୍ତ ଅଟେ । ଯାଦୁସଂଖ୍ୟା (Magic Number) ଥିବା ନାଭିକ( N or Z = 2,8, 20, 28, 50, 82,  0r N = 126) ସହ ମଧ୍ୟ ସେନାର ଚତୁଃବର୍ଗୀୟତା ସଂଖ୍ୟା ସହ ସମାନୁପାତିକ ହୋଇପାରେ । N ଏବଂ Z ଯଥାକ୍ରମେ ପାରମାଣବିକ ନାଭିକର ନିଉଟ୍ରନ୍‍ ଓ ପ୍ରୋଟନ୍‍ ସଂଖ୍ୟାକୁ ବୁଝାଏ । ଏହି ସଂଖ୍ୟାଧାରୀ ନାଭିକ ଗୁଡିକ ପିରିୟଡିକ୍‍ ଟେବୁଲର ଏକ ଏକ ମୌଳିକ ଓ ଏହା ପଡୋଶୀ ନାଭିକ(ଆଗ ଓ ପଛ)ଠାରୁ ଅଧିକ ଦୃଢ । ଏହା ସପ୍ତ ସ୍ତରୀୟ ସଂଖ୍ୟା ଓ ପ୍ରତି ସଂଖ୍ୟା ଏକ ଏକ ଶକ୍ତି ସ୍ତରକୁ ବୁଝାଇ ଥାଏ । ଏଠାରେ 126 ରୁ 2 ଯାଏ ନିଉଟ୍ରନ୍‍ ବା ପ୍ରୋଟନର ବନ୍ଧନ ଶକ୍ତିର ମାତ୍ରା ବୃଦ୍ଧି ପାଇଥାଏ । ସେହି ପ୍ରଣାଳୀରେ ଚକ୍ରବ୍ୟୁହରେ ମଧ୍ୟ ବାହ୍ୟକକ୍ଷରୁ ଅନ୍ତଃକକ୍ଷ ଯାଏ ଅଳ୍ପ ସାମର୍ଥ୍ୟବାନ୍‍ ଯୋଦ୍ଧାଙ୍କଠାରୁ ଆରମ୍ଭ କରି ଅତି ଶକ୍ତିଶାଳୀ ଯୋଦ୍ଧାଙ୍କୁ ସପ୍ତମ ବୃତ୍ତରେ ସ୍ଥାପନ କରାଯାଇଥାଏ । 


ସୌରଜଗତ ଓ ମହାକାଶ ବିଜ୍ଞାନ ମଧ୍ୟ ଚକ୍ରବ୍ୟୁହ ଗଠନ ସହ ସାମଞ୍ଜସ୍ୟ ଥିବାର ଅନୁଭୂତ ହୁଏ । ସୌରଜଗତର କେନ୍ଦ୍ରବିନ୍ଦୁ ସୂର୍ଯ୍ୟ ଓ ଏହା ଚାରି ପାର୍ଶ୍ୱରେ ଗ୍ରହାଦିଗଣ ଘୂର୍ଣ୍ଣନରତ । ଏହା ଏକ ସନ୍ତୁଳିତ ପରିବେଷ୍ଟନୀ ଓ ଏକ ପ୍ରାକୃତିକ ଚକ୍ରବ୍ୟୁହ କୁହାଯାଇପରେ । ଏଠରେ ସୂର୍ଯ୍ୟ ହିଁ ପ୍ରଧାନ ସେନାପତି । ଏହାର ଆକର୍ଷଣ ବଳରେ ସର୍ବେ ବାନ୍ଧି ହୋଇ ରହିଥାନ୍ତି, ଯେପରି ଗୁରୁ ଦ୍ରୋଣଙ୍କ ଆଦେଶରେ କୌରବ ସେନା ପରିଚାଳିତ । ତେବେ କୌଣସି ଏକ ପରିସ୍ଥିତିରେ ବାହ୍ୟ ମଣ୍ଡଳରୁ ସ୍ୱର୍ଗୀୟ ପିଣ୍ଡ ଆକର୍ଷିତ ହୋଇ ସୌରଜଗତକୁ ପ୍ରବେଶ କରେ, ତାହା ଆଉ ଫେରେନି ବରଂ କେଉଁ ଗ୍ରହ ସହ ଧକ୍‍କା ହୋଇ ଧ୍ୱଂସପ୍ରାପ୍ତ ହୁଏ । ଯଦି ଏକ ବଳବାନ୍‍(ସୂର୍ଯ୍ୟଙ୍କ ବସ୍ତୁତ୍ୱଠୁ ଅଧିକ) ବା କୃଷ୍ଣଗର୍ତ୍ତ ଆମ ସୌରଜଗତର ନିକଟବର୍ତ୍ତୀ ହେବାର କଳ୍ପନା କରାଯାଏ, ତେବେ ଏହା ସମଗ୍ର ସୌରଜଗତକୁ କବଳିତ କରି ଧ୍ୱସ୍ତ ବିଧ୍ୱସ୍ତ କରିଦେବ । ସେହିଧାରାରେ ଗୁରୁଦ୍ରୋଣଙ୍କ ଚକ୍ରବ୍ୟୁହକୁ ଯଦି ଜଣେ କୃଷ୍ଣଗର୍ତ୍ତ ରୂପୀ ସର୍ବଶକ୍ତିମାନ ଯୋଦ୍ଧା ପ୍ରବେଶକରେ ତେବେ ସେ ନିଶ୍ଚିତଭାବେ ଚକ୍ରବ୍ୟୁହକୁ ବିଦୀର୍ଣ୍ଣ କରିଦେବ । ଯଦି ଯୋଦ୍ଧା ଜଣକ ଅତି ମହାରଥୀ ଓ ସମଗ୍ର କୌରବ ସେନାର ଶକ୍ତି ତା’ପାଇଁ ସମକକ୍ଷରେ ତଳକୁ ରହେ କିନ୍ତୁ ରହିଥାଏ କିଛି ଦୁର୍ବଳତା, ତାହା ଯୋଦ୍ଧାଟି ପାଇଁ ବିଜୟର ଟୀକା ପରିବର୍ତ୍ତେ ଆଣିଦେବ ମୃତ୍ୟୁର କ୍ରୂରତା । ଅର୍ଥାତ୍‍ ତା’ର ପରିଣାମ ଉଲ୍‍କା ପିଣ୍ଡ ପରି ଗତି ପ୍ରାପ୍ତ ହେବା ସୁନିଶ୍ଚିତ । ଏହା ଘଟିଥିଲା ମହାବୀର ଅଭିମନ୍ୟୁ କ୍ଷେତ୍ରରେ, ଯିଏ କେବଳ ଚକ୍ରବ୍ୟୁହ ଭେଦନର କୌଶଳ ଜାଣିଥିଲା, କିନ୍ତୁ ଜ୍ଞାତ ନଥିଲା ବ୍ୟୁହ ମଧ୍ୟରୁ ନିର୍ଗତ ହେବାର କୌଶଳ । ଏହା ଏପରି ଏକ ଭୟଙ୍କର ଓ ଦୃଢ ଶୃଙ୍ଖଳିତ ସମର ସଜ୍ଜା, ଯାହା ଦେବ – ଦାନବଙ୍କୁ ମଧ୍ୟ ଭୟଭୀତ କରିଥାଏ । କାରଣ ହେଲା ଯୋଦ୍ଧା ପ୍ରଥମେ ବାହ୍ୟ ବଳୟରେ ଫାଙ୍କ ସୃଷ୍ଟି କରି ଦ୍ୱିତୀୟ ବଳୟର ସମ୍ମୁଖୀନ ହୁଏ । ଯେହେତୁ ସବୁ ବଳୟରେ ସେନା ଘୂର୍ଣ୍ଣନରତ, ତେଣୁ ପ୍ରଥମ ବଳୟରେ ସୃଷ୍ଟି ହୋଇଥିବା ଫାଙ୍କ ତତ୍‍କ୍ଷଣାତ୍‍ ଉଭାନ୍‍ ହୋଇଥାଏ । ତେଣୁ ଏଠାରେ ସେ ପ୍ରଥମ ଓ ଦ୍ୱିତୀୟ ବଳୟ ପଟୁ ଆକ୍ରମଣରୁ ନିଜକୁ ରକ୍ଷା କରିବା ସହ ଦ୍ୱିତୀୟ ବଳୟରେ ଫାଙ୍କ ସୃଷ୍ଟି କରି ତୃତୀୟର ସମ୍ମୁଖୀନ ହେବାକୁ ଆଗେଇବ । ଏହା ଏପରି ସଜ୍ଜିତ ଯେ, ପ୍ରଥମ ବଳୟରୁ ଦ୍ୱିତୀୟ, ତୃତୀୟ ……. ଆଦିରେ ଅନ୍ଦର ମହଲକୁ ଯିବା ନିଶାରେ କ୍ରମାନ୍ୱୟରେ ଅଧିକରୁ ଅଧିକ ଶକ୍ତିଶାଳୀ ଯୋଦ୍ଧା ଓ ସୈନ୍ୟ ନିବିଡତାକୁ ସାମ୍‍ନା କରି କରି ଯିବାକୁ ପଡେ । ଫଳରେ ତା’ର ଶକ୍ତି କ୍ଷୟ ହେବା ସହ ସେ ଦୁର୍ବଳ ହୋଇ ହୋଇ ଚାଲେ । ଯଦି ସେ ଶେଷ ବଳୟକୁ ବିଦାରି, ଅର୍ଥାତ୍‍ ସେଠାରେ ଠୁଳ ହୋଇଥିବା କୌରବ ସେନାର ସବୁଠୁ ଶକ୍ତିଶାଳୀ ଯୋଦ୍ଧାଙ୍କ ମଧ୍ୟରୁ ଅତି କମ୍‌ରେ ଜଣକୁ ହରାଇ ବ୍ୟୁହର କେନ୍ଦ୍ରବିନ୍ଦୁକୁ ଛୁଇଁଲା, ତାହା ବ୍ୟୁହ ଜୟ କରିବା କୁହାଯିବ ନାହିଁ । କାରଣ ସେ ପୁନଃ ଦେଖିବ ଶେଷ ବା ସପ୍ତମ ବୃତ୍ତର ସବୁ ମହାରଥୀ ମାନେ ତାକୁ କବଳିତ କରି ରଖିଛନ୍ତି । ଅର୍ଥାତ୍‍ ଯୁଦ୍ଧରେ ସେମାନଙ୍କୁ ପରାସ୍ତ କରି ବଳୟ ପରେ ବଳୟ ଭାଙ୍ଗି ଓ ନିଜର ପଶ୍ଚାତ୍‍ ଓ ସମ୍ମୁଖକୁ ରକ୍ଷା କରିବା ସହିତ ନିଜେ ବ୍ୟୁହରୁ ବାହାରିବାକୁ ହେବ । କିନ୍ତୁ ଯାହା ଜଣାଯାଏ ଜଣେ ଏହି ଜାତୀୟ ଯୋଦ୍ଧା ବ୍ୟୁହରୁ ବାହାରିବାର କୌଶଳ ଜାଣିଥିଲେ ବି ସେ କେନ୍ଦ୍ରବିନ୍ଦୁରୁ ବାହାରକୁ ବାହାରିବା ଅତି ଅସମ୍ଭବ ମନେହୁଏ । କାରଣ କକ୍ଷ ଭେଦନରେ ଶାରିରିକ ଶକ୍ତି କ୍ଷୟ ହୋଇଚାଲେ ଏବଂ ପଶ୍ଚାତ୍‍ମୁଖୀରେ ସେହି ମାତ୍ରାର ଶକ୍ତି ପ୍ରୟୋଗ କରି ବ୍ୟୁହରୁ ନିଷ୍କାସିତ ହେବାକୁ ପଡିବ । ଏହି ବିଶ୍ୱାସ ଓ ମନୋବଳ ଯୋଦ୍ଧାଠାରେ ରହିଥିବା ଆବଶ୍ୟକ । ମହାବୀର ଅଭିମନ୍ୟୁ ଏହା ଜାଣିଥିଲେ କ’ଣ ଏତାଦୃଶ ମହା ସମାବେଶରେ ଅନ୍ୟାୟ ଯୁଦ୍ଧର ଶୀକାର ହୋଇ ସହଜରେ ବାହାରି ପାରିଥାନ୍ତା !! ବୀର ଅଭିମନ୍ୟୁ ପାଇଁ ଏବେବି ଆଶାର ବାରବାଟି ଦୁର୍ଗ ଅଦ୍ୟାବଧି ସଭିଙ୍କ ମନରେ ଏଭେରେଷ୍ଟ ଶୃଙ୍ଗ ସଦୃଶ ସୁଦୃଢ ରହିଅଛି, ଯେ ସେ ନିଶ୍ଚୟ ବ୍ୟୁହରୁ ନିଜକୁ ମୁକୁଳାଇ ପାରିଥାନ୍ତା । ଏହାହିଁ ମହାନ୍‍ ଭାରତୀୟତା । ଚକ୍ରବ୍ୟୁହ ଏକ ବୃହତ୍‍ ଅକ୍ଟୋପସ୍‍ ସଦୃଶ ଅଟେ ଓ ତାହାର କବ୍‍ଜାରେ ଯେ କେହି ଆସିଲେ ବି ତା’ର ନିସ୍ତାର ନାହିଁ ।

 ବ୍ୟୁହର ବାହ୍ୟ ବୃତ୍ତରେ ଯେତେଜଣ ରଥୀଙ୍କୁ ସ୍ଥାପନ କରାଯାଇଥିଲା, ସେମାନଙ୍କ ମଧ୍ୟରେ ଚତୁରତାର ସହ ଜୟଦ୍ରଥଙ୍କୁ ସ୍ଥାନ ଦିଆଯାଇଥିଲା । ଦ୍ୱିତୀୟରୁ ସପ୍ତମ ବୃତ୍ତଯାଏ ଘୂର୍ଣ୍ଣନ ପ୍ରକ୍ରିୟା ଶତ୍ରୁର ସମ୍ମୁଖୀନରେ ନିଶ୍ଚୟ ଚାଲୁ ରହୁଥିବ, କିନ୍ତୁ ବାହ୍ୟ ବା ସମ୍ମୁଖ ବୃତ୍ତରେ ଘୂର୍ଣ୍ଣନ ପ୍ରକ୍ରିୟା ଅହରହ ଚାଲୁ ରହୁଥିବାର ଅନୁମେୟ ହୁଏ । କାରଣ ଯେ କୌଣସି ସମୟରେ ଶତ୍ରୁ ପ୍ରଥମେ ବାହ୍ୟ ବୃତ୍ତରୁ ହିଁ ଆକ୍ରମଣ କରିବ । ପରନ୍ତୁ ରଥୀମାନେ ନିଜ ନିଜ ସ୍ଥାନରେ ସ୍ଥିର ରହିବାର ସମ୍ଭାବନା ରହୁଛି । ଚାରିପାଣ୍ଡବ ପ୍ରଥମେ ଯେଉଁ ପରିସର ମଧ୍ୟରେ ଆକ୍ରମଣ କରିବେ, ଠିକ୍‍ ସେହି ଇଲାକାରେ ଜୟଦ୍ରଥ ରହିଥିଲେ । ଚାରିପାଣ୍ଡବଙ୍କ ସହ ମହାରଥୀ ଅଭିମନ୍ୟୂ ଗୋଟିଏ ଝଟ୍‍କାରେ ସାମ୍‍ନା ଜୟଦ୍ରଥକୁ ହରାଇ ଓ ପ୍ରଥମ ବୃତ୍ତକୁ ଭେଦି ବ୍ୟୁହକୁ ପ୍ରବେଶ କଲେ । ତତ୍‍କ୍ଷଣାତ୍‍ ଜୟଦ୍ରଥ ନିଜକୁ ଘୂର୍ଣ୍ଣନ ପ୍ରକ୍ରିୟାରେ ସାମିଲ କରି ଓ ପାଣ୍ଡବଙ୍କ ସହ ତାଳଦେଇ ଯୁଦ୍ଧ କରିବାକୁ ଲାଗିଲେ । ବାରମ୍ବାର ଚାରିପାଣ୍ଡବ ପରାସ୍ତ ହେଲେ ଓ ବ୍ୟୁହ ମଧ୍ୟକୁ ପାଣ୍ଡବ ବାହିନୀ ମଧ୍ୟରୁ କେହି ବି ପ୍ରବେଶ କରିପାରିଲେ ନାହିଁ । ତେଣୁ ସପ୍ତମବୃତ୍ତ ମଧ୍ୟରେ ବା ବ୍ୟୁହର କେନ୍ଦ୍ରବିନ୍ଦୁରେ ସପ୍ତରଥୀଙ୍କ କବ୍‍ଜାରେ ପଡିଥିବା ଯୋଦ୍ଧା ଅଭିମନ୍ୟୁ ମନର ବ୍ୟାକୁଳତାକୁ ଏଠାରେ ଏକା କାବ୍ୟିକ ଉପଢୌକନରେ ପ୍ରକାଶ କରାଗଲା ।         

ସିଂହନାଦ ସହ ଧସାଇ ପଶିଲି ଭାଙ୍ଗି ଭାଙ୍ଗି ଚକ୍ର ପରେ ଚକ୍ର
ସପ୍ତମ ଚକ୍ରରେ ସମ୍ମୁଖେ ଦେଖିଲି ବଡ ବଡ ଶକ୍ତିଶାଳୀ ନକ୍ର ।

ଶେଷ ଶକ୍ତି ମୋର ଅବ୍ୟର୍ଥ ପ୍ରହାର ସପ୍ତ ରଥୀ ପାଇଁ ହେଲା କାଳ 
ସାତ ସାତ ଥର ପରାସ୍ତ କରିଲି ତଥାପି ମିଳୁନାହିଁ ନିସ୍ତାର ।
ପୃଷ୍ଠ ଓ ସମ୍ମୁଖୁ କରିଲେ ସମର ସପ୍ତ ରଥୀ ଏକ ସଙ୍ଗେ ମିଳି
କୁରୁଶ୍ରେଷ୍ଠ ପିତାମହ ଭୀଷ୍ମଙ୍କର ନ୍ୟାୟ ଯୁଦ୍ଧ ନୀତି ପଡେ ବଳି ।
ସାରଥୀକୁ ହତ କଲେ ଭଗ୍ନ ରଥ ଭୂମିରେ ଲୋଟିଲି ମୁଁ ନିରସ୍ତ୍ର 
ରଥ ଚକ ଧରି ଆରମ୍ଭିଲି ଯୁଦ୍ଧ ଅନ୍ୟାୟ ବିରୁଦ୍ଧେ(ମୁଁ) ବୀରପୁତ୍ର ।
ନାହିଁ ମୋର ସାଥେ ରଥ, ଗଜ, ସୈନ୍ୟ, ଅସ୍ତ୍ର, ଶସ୍ତ୍ର ଆଉ ପରିଜନ
ତାତ ଧର୍ମରାଜ, ବୃକୋଦର, ନକୁଳ ଓ ସହଦେବ ହେଲେ ଚ୍ଛିନ୍ନ ।
ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ପିତାଶ୍ରୀ ମୋ ବହୁଦୂରେ ଆଜି ବହୁଦୂରେ
ନିରସ୍ତ୍ର ପୁତ୍ର ଯେ ସମର କରୁଛି ପଛଘୂଞ୍ଚା ନାହିଁ ରଣ ତୀରେ ।
ଭଗ୍ନ କଲେ ମୋର ଶେଷ ଆୟୁଧକୁ ଶରୀରେ ଭେଦୁଛି ତୀକ୍ଷ୍‍ଣ ଶର 
ସପ୍ତ ପଥରୁ ଘନ ଘନ ମାଡି ଆସୁଅଛି ଅସ୍ତ୍ର ଭୟଙ୍କର ।
ସିଂହନାଦ କରି ଗର୍ଜନ କରଇ ବାଳୁତ ସେ ଅଭିମନ୍ୟୁ ବୀର
ନିଷ୍ଠୁର, ନିର୍ଦ୍ଦୟ, କ୍ରୂର ଓ କରାଳ ହସରେ କମ୍ପାନ୍ତି ତିନିପୁର ।

ବେଳକୁ ବେଳ ଯେ କ୍ଷୟ ହୁଏ ମୋର ବାହୁବଳ ଆଉ ମନୋବଳ
ଶେଷ ଚକ୍ର ଭେଦି କେନ୍ଦ୍ରବିନ୍ଦୁରେ ଅନୁଭବ କରେ ମୁଁ ଦୁର୍ବଳ ।                                             
ଏ ଚକ୍ରବ୍ୟୁହରୁ ନିସ୍ତାର ହେବାର କୌଶଳ ତ ମୋତେ ଜଣା ନାହିଁ 
ଘେରି ଗଲେଣି ତ ଅଜେୟ ଅମର ବୀରଗଣ ଏଠି ରକ୍ଷା ନାହିଁ ।
ମସ୍ତକେ ବାଜିଲା ଗଦାର ପ୍ରହାର ଘୂରିଗଲା କି ବିଶ୍ୱ ବ୍ରହ୍ମାଣ୍ଡ
ଭୂମିରେ ଲୋଟିଲା ଶରୀର ମୋହର ଜବା କୁସୁମ କି ମାରତଣ୍ଡ । 
ରକ୍ତ ପିପାସୁ ମନରେ କି ଥାଏ ଦୟା ଅଥବା କି ନ୍ୟାୟ ଭାବ
ଏକ ପରେ ଆନ ଖଡ୍‍ଗ ପ୍ରହାରନ୍ତି କଲବଲ କରି ଘୋର ରବ ।
ବକ୍ଷରେ ତାହାର ନିମିଷକ ମଧ୍ୟେ ଆଉ ଏକ ଖଡ୍‍ଗ ଗଲା ଗଳି
ଘୋର ଗର୍ଜନରେ ଡାକିଲି ପିତାଶ୍ରୀ – ମାତାଶ୍ରୀ ହେ ଦେଖ ନେତ୍ର ଭରି ।
ବୀର ପୁତ୍ର ତବ ହୋଇନି କିଙ୍କର ଜୀବନକୁ ମୋର ଦେଲେ ବଳି
ଅନ୍ୟାୟ ଯୁଦ୍ଧରେ ପୁତ୍ର ତବ ହତ ପଛଘୁଞ୍ଚା ନାହିଁ ମୁଁ ହାବେଳୀ ।
ଦୁଇ ହସ୍ତ ମୋର ଯୋଡି ପାରୁ ନାହିଁ ଚକ୍ଷୁରେ କରୁଛି ନମୋଃ ନମଃ
ଯୁଗ ଯୁଗ ପାଇଁ ରହିଲା ଏ କୀର୍ତ୍ତି (ମୋ) ପିତା ମାତାଙ୍କ ବୀର ସନ୍ତାନ ।                                  ଆହେ ପ୍ରାଣପ୍ରିୟା ଉତ୍ତରା ! ତୁମର ସ୍ୱାମୀ ପାଏ ଦେଖ ବୀରଗତି
ବିଦାୟ ବେଳାରେ କହି ଆସିଥିଲି ବୀର ମାତା ତୁମେ ଗର୍ଭବତୀ ।
ପ୍ରାଣବାୟୁ ତା’ର ଛାଡିଲା ଶରୀର ପଞ୍ଚମହାଭୂତର ସମଷ୍ଟି
ଆର୍ଯ୍ୟାବର୍ତ୍ତରେ ସ୍ପନ୍ଦନ ଜାଗଇ ସଭିଙ୍କ ମନରେ ଲାଗେ ଭୀତି ।

ଚକ୍ରବ୍ୟୁହରେ ପ୍ରବେଶ କରିବାର ରଣକୌଶଳ –
ମହାଭାରତରେ ଦ୍ରୋଣଙ୍କ ରଚିତ ଚକ୍ରବ୍ୟୁହ ସୂଚାଏ ଏକ ଅଭିନବ ଢାଞ୍ଚାର ସୁଦୃଢ ସୈନ୍ୟ ସଜ୍ଜା । ଏହା ଏକ ସପ୍ତବୃତ୍ତୀୟ ସମାବେଶ । ପ୍ରଥମରୁ ସପ୍ତମ ବୃତ୍ତ ଯାଏ ଯଥାକ୍ରମେ ବାହ୍ୟରୁ ଅନ୍ତଃ ବୃତ୍ତକୁ ବୁଝାଇଥାଏ । ପ୍ରତି ବୃତ୍ତର ବ୍ୟାସାର୍ଦ୍ଧ ଓ ପରିଧିର ଦୈର୍ଘ୍ୟ ଏକ ସୁଚିନ୍ତିତ ଗାଣିତିକ ରୂପାୟନ । ସେହିପରି ପ୍ରତି ବୃତ୍ତରେ ରଥୀ, ଗଜାରୋହୀ, ଅଶ୍ୱାରୋହୀ ଓ ସୈନ୍ୟଙ୍କ ସଂଖ୍ୟା ମଧ୍ୟ ସମାନୁପାତିକ ଢାଞ୍ଚାରେ ସ୍ଥିର କରାଯାଇଥାଏ । ପ୍ରଥମ ବୃତ୍ତର ପରିଧି ଦୀର୍ଘତମ ଓ ସପ୍ତମ ବୃତ୍ତର କ୍ଷୁଦ୍ରତମ । ସୈନ୍ୟ ସଜ୍ଜାର ପ୍ରଣାଳୀ ଏପରି କରାଯାଇଥାଏ ଯେ, ଚତୁଃ ସ୍ତରୀୟ ଯୋଦ୍ଧା ସାନ୍ଦ୍ରତା ସପ୍ତମ ପରିଧି ଯାଏ କ୍ରମାନ୍ୱୟରେ ବୃଦ୍ଧି ପାଇଥାଏ । ପ୍ରତି ବୃତ୍ତରେ ନିଶ୍ଚିତ ରୂପେ ଚାରି ସ୍ତରୀୟ ଧାରା(ସୈନ୍ୟ-ଅଶ୍ୱାରୋହୀ-ଗଜାରୋହୀ-ରଥୀ) ସଂଯୁକ୍ତ ହୋଇଥାଏ । ସମ୍ମୁଖରେ ସୈନ୍ୟଠୁ ଆରମ୍ଭ କରି ପଶ୍ଚାତ୍‍କୁ ଅଶ୍ୱାରୋହୀ, ଗଜାରୋହୀ ଓ ରଥୀଙ୍କ ବୃତ୍ତ ରହିଥାଏ । ତେବେ ପ୍ରତି ବୃତ୍ତରେ ସୈନ୍ୟ-ସୈନ୍ୟ ଦୂରତା>ଅଶ୍ୱାରୋହୀ-ଅଶ୍ୱାରୋହୀ ଦୂରତା>ଗଜାରୋହୀ – ଗଜାରୋହୀ > ରଥୀ – ରଥୀଙ୍କ ଦୂରତା । ସେହିପରି ବୃତ୍ତ ସମୁହରେ ଏହି ଦୂରତା ଭିନ୍ନଭିନ୍ନ ଅଟେ । ପୁଣି ସବୁ ବୃତ୍ତରେ ସୈନ୍ୟମାନେ ଘୂର୍ଣ୍ଣନମୁଖୀ । ଯଦି ଏକ ସୈନ୍ୟକୁ ବଧ କରାଯାଏ, ଘୂର୍ଣ୍ଣନ ପ୍ରକ୍ରିୟା ଯୋଗୁ ସେ ସ୍ଥାନ ତତ୍‍କ୍ଷଣାତ ପୂରଣ ହୋଇଯାଏ । ତେଣୁ ଜଣେ ପ୍ରତିପକ୍ଷ ଯୋଦ୍ଧା ପ୍ରଥମ ବୃତ୍ତରେ ଜଣେ ପରେ ଜଣେ ସୈନ୍ୟ ବଧ କରି ଚାଲିଥିବ ଓ ଏପରିକି ପ୍ରଥମ ବଳୟ ଭେଦ କରିବା ତା’ପାଇଁ ଅସମ୍ଭବ ହୋଇପଡିବ । ତେଣୁ ବଳୟ ପରେ ବଳୟ ଭେଦ କରିବାର ଉପାୟ ରହିଛି । ବଳୟରେ କିଛି କିଛି ସ୍ଥାନ ରହିଥାଏ, ଯାହା ପ୍ରତିରକ୍ଷା ଦୃଷ୍ଟିକୋଣରୁ ଦୁର୍ବଳ ଅଟେ । ଉଦାହରଣ ସ୍ୱରୂପ ଘୁର୍ଣ୍ଣନ ସୈନ୍ୟ ଘେର ପଛରେ କେଉଁଠି କେଉଁଠି କିଛି ସ୍ଥାନ ଥାଏ, ଯେଉଁଠିକି ଅଶ୍ୱାରୋହୀ, ଗଜାରୋହୀ ଓ ରଥୀଙ୍କ ବୃତ୍ତରେ କେହି ନଥାନ୍ତି । ଏହାହିଁ ପ୍ରକୃତ ସ୍ଥାନ ଯାହାକୁ ପ୍ରତିପକ୍ଷ ଯୋଦ୍ଧା ବଳୟ ଚତୁଃ ପାର୍ଶ୍ୱରେ ଘୂରି ଘୂରି ଅନୁସନ୍ଧାନ କରିବାକୁ ପଡିଥାଏ ଓ ଏହା ଯୋଦ୍ଧାର ଚିନ୍ତନ ଶକ୍ତି ଉପରେ ନିର୍ଭର କରେ । ସେ ସ୍ଥାନ ମିଳିଗଲେ କାଳ ବିଳମ୍ବ ନକରି ଓ ସମ୍ମୁଖ ସୈନ୍ୟକୁ ନମାରି ଏକ ସମୟରେ ତା’ର ବାମ ଏବଂ ଦକ୍ଷିଣ ପାର୍ଶ୍ୱର ଏକ – ଏକ କିମ୍ବା ଦୁଇ – ଦୁଇ ସୈନ୍ୟଙ୍କୁ ନିପାତ କରିବା ଜରୁରୀ ଅଟେ । ଫଳରେ ସମ୍ମୁଖ ସୈନ୍ୟଟି ତା’ର ଉଭୟ ପାର୍ଶ୍ୱର ଫାଙ୍କା ସ୍ଥାନ ଦେଖି ଭ୍ରମିତ ହୁଏ ଓ କେଉଁ ଦିଗକୁ ଦୌଡିବ ଭାବି ଭାବି ଶେଷକୁ ଏକ ଦିଗକୁ ଯିବ । ସେହି ଅଳ୍ପ ସମୟ ମଧ୍ୟରେ ସୈନ୍ୟଟି ନିଜ ସ୍ଥାନରୁ ବିଚ୍ୟୁତ ହେବାକ୍ଷଣି ଯୋଦ୍ଧା ପାଇଁ ଆଣିଦେବ ଅପୂର୍ବ ମୁହୂର୍ତ୍ତ । ତେଣୁ ଅନ୍ୟ ସୈନ୍ୟ ସେ ସ୍ଥାନ ଦଖଲ କରିବା ପୂର୍ବରୁ ସମ୍ମୁଖ ପଥରେ ଯୋଦ୍ଧାଟି ନିମିଷକେ ପ୍ରଥମ ବଳୟ ଭେଦ କରିବ । ଯେହେତୁ ତା’ ସମ୍ମୁଖ ବର୍ତ୍ତମାନ ଅଶ୍ୱାରୋହୀ, ଗଜାରୋହୀ ଓ ରଥୀ ଶୁନ୍ୟ, ତେଣୁ ସହଜରେ ସେ ଦ୍ୱିତୀୟ ବଳୟର ସୈନ୍ୟଙ୍କୁ ଯାଇ ସାମ୍‍ନା କରିବ । ଏହା ଅଳ୍ପ ଶକ୍ତି ବ୍ୟୟରେ ଦ୍ୱିତୀୟ ବଳୟକୁ ସମ୍ମୁଖୀନ ହେବା ପାଇଁ ମାର୍ଗ ଅଟେ । ବର୍ତ୍ତମାନ ଦ୍ୱିତୀୟ ବଳୟରେ ଯୋଦ୍ଧାଟି ଘୂରି ବୁଲିବ ପୁନଃ ଦୁର୍ବଳ ସ୍ଥାନ ଅନ୍ୱେଷଣରେ । ପରନ୍ତୁ ଏ କ୍ଷେତ୍ରରେ ସମ୍ମୁଖ ଦ୍ୱିତୀୟ ଓ ପଶ୍ଚାତ୍‍ ପ୍ରଥମ ବଳୟର ଆକ୍ରମଣକୁ ପ୍ରତିହତ କରି କରି ଅତିଶୀଘ୍ର ଦୁର୍ବଳ ସ୍ଥାନ ନିକଟରେ ପହଞ୍ଚିବା ଦରକାର । ସେଠାରେ ସେ ସେହି ଏକା ରଣ କୌଶଳ ପ୍ରୟୋଗ କରି ତୃତୀୟ ବଳୟ ସମ୍ମୁଖକୁ ଯିବ ଓ ପ୍ରକ୍ରିୟା ଚାଲୁ ରହିବ ସପ୍ତମ ବଳୟ ଯାଏ । ଯଦି ଯୋଦ୍ଧାଟି ଉପରୋକ୍ତ ଦୁର୍ବଳ ସ୍ଥାନ ସନ୍ଧାନରେ ଅସଫଳ ହୁଏ, ତେବେ ସେ ଏପରି ସ୍ଥାନ ସ୍ଥିର କରିବ, ଯାହାକି ପୂର୍ବାପେକ୍ଷା ଅଧିକ ଶକ୍ତି ପ୍ରୟୋଗରେ ବଳୟ ଭେଦ କରିବ । ସେ ସ୍ଥାନ ଗୁଡିକ ଏହିପରି ହୋଇଥିବ – ସାମ୍‍ନା ସୈନ୍ୟ ପଛରେ କେବଳ ଅଶ୍ୱାରୋହୀ ଥିବ/ କେବଳ ଗଜାରୋହୀ ଥିବ/ କେବଳ ରଥୀ ଥିବ ।
ଏହା ନହେଲେ ଆହୁରି କଷ୍ଟକର ହେବ କେବଳ ଅଶ୍ୱାରୋହୀ ଓ ଗଜାରୋହୀ ଥିବେ/କେବଳ ଅଶ୍ୱାରୋହୀ ଓ ରଥୀ ଥିବେ/ କେବଳ ଗଜାରୋହୀ ଓ ରଥୀ ଥିବେ । ଏହା ନହେଲେ ଆହୁରି କଷ୍ଟକର ହେବ ସୈନ୍ୟ ପଛରେ ଅଶ୍ୱାରୋହୀ, ଗଜାରୋହୀ ଓ ରଥୀ ଥିଲେ । କିନ୍ତୁ ଏ ସବୁ ନିର୍ଭର କରେ ଯୋଦ୍ଧାର ଉପସ୍ଥିତ ବୁଦ୍ଧି ଓ ଜ୍ଞାନ ଉପରେ । ବଳୟ ଭେଦ ନିମିତ୍ତ ଭାବିବାକୁ ପଡିବ ଯେ ସାମ୍‍ନା ରଥୀ ତା’ଠୁ ଶକ୍ତିଶାଳୀ କି ଦୁର୍ବଳ । ଯଦି ଦୁର୍ବଳ ତେଣୁ ଯୁଦ୍ଧ କରାଯିବ, ନଚେତ୍‍ ନିଜକୁ ଘୂର୍ଣ୍ଣନ ପ୍ରକ୍ରିୟାରେ ଯୁକ୍ତ କରି ଅନ୍ୟ ରଥୀ ସହ ଯୁଦ୍ଧ ସ୍ଥିର କରିବାକୁ ପଡିବ ଯାହାକୁ ପରାସ୍ତ କରାଯାଇ ପାରିବ । ଏହି କୌଶଳର ପ୍ରୟୋଗ ଧାରାରେ ଯୋଦ୍ଧା ବଳୟ ପରେ ବଳୟ ଭେଦ କରି ପାରିବ । ଯଦି ବଳୟ ମଧ୍ୟରେ ତା’ଠୁ ସବୁ ରଥୀ ଶକ୍ତିଶାଳୀ, ତେବେ ମୃତ୍ୟୁ ସୁନିଶ୍ଚିତ । ତେଣୁ ଏହି କ୍ଷେତ୍ରରେ ବ୍ୟୁହରୁ ବାହାରିବାର ରଣନୀତି ପ୍ରୟୋଗ କରିବାକୁ ପଡିବ ।
ଚକ୍ରବ୍ୟୁହରୁ ବାହାରିବାର ଉପାୟ –
୧. ଯୋଦ୍ଧା ସର୍ବଦା ପ୍ରବେଶ କରିବାର ଶକ୍ତି କ୍ଷୟକୁ ସୀମିତ କରି ଯେତେଦୂର ସମ୍ଭବ ଫେରିବା ରଣ ନିମିତ୍ତ ମନୋବଳ ଦୃଢ ସହ ନିଜେ ଦୁର୍ବଳ ହୋଇଯାଇ ନଥିବ । ଏହା କୁହାଯାଇପାରିବନି ଯେ ଯୁଦ୍ଧରେ ମୃତ୍ୟୁ ହେବନି ବୋଲି । କିନ୍ତୁ ମନୋବଳ ଦୃଢତାରେ ଅଭିମନ୍ୟୁ ପରି କାହାର ଶରଣ ଭିକ୍ଷା ନକରି ମୃତ୍ୟୁ ଶ୍ରେୟସ୍କରତାକୁ ଆଦରି ନେବା ଯଥାର୍ଥ ଅଟେ ।
୨. ଯଦି ଯୋଦ୍ଧା କେଉଁ ଏକ ବଳୟ ମଧ୍ୟରେ ଅନୁଭବ କରେ ଯେ, ସେ ଆଗ ବଳୟକୁ ଭେଦ କରିବାକୁ ଅସମର୍ଥ ଓ ପଶ୍ଚାତ୍‍ ରଣ କୌଶଳରେ ବ୍ୟୁହରୁ ନିର୍ଗତ ହୋଇପାରିବ ତେଣୁ ସେ ଉଭୟ ପଟ ଆକ୍ରମଣକୁ ପ୍ରତିହତ ପୂର୍ବକ ଦୁର୍ବଳ ସ୍ଥାନ ଦେଖି କ୍ରମେ କ୍ରମେ ବାହାରକୁ ଆସି ପାରିବ । ଯଦି ପଶ୍ଚାତ୍‍ ରଣ କୌଶଳରେ ସେ ବାହାରି ନପାରିବାର ଅନୁଭବ କରେ କିମ୍ବା ସେ ସପ୍ତମ ଘେରରେ ଥିଲେ ଏହା ଯୋଦ୍ଧାର ମୃତ୍ୟୁ ଅବଶ୍ୟମ୍ଭାବୀତା ଦିଗକୁ ବାଟ କଢାଇ ଥାଏ । ସେହିପରି ମଧ୍ୟ ଦ୍ୱିତୀୟ ବଳୟରୁ ପଶ୍ଚାତ୍‍ ରଣନୀତି ପ୍ରୟୋଗ କରି ବ୍ୟୁହରୁ ବାହାରିବାର ଚେଷ୍ଟାରେ ମୃତ୍ୟୁ ନହେବ ବୋଲି ଦୃଢ ସ୍ୱରରେ କୁହାଯାଇ ପାରିବ ନାହିଁ ।

ରଣକ୍ଷେତ୍ରରେ ମୃତ୍ୟୁର ବିଭିଷୀକା । ଜୟ ଓ ପରାଜୟ କାହାର ନା କାହାର ପକ୍ଷ ନିଏ । ଯୋଦ୍ଧାର ଧର୍ମ ହେଲା ଯୁଦ୍ଧ କରିବା । ତେବେ କୌଶଳହୀନ ଯୁଦ୍ଧକରି ପରାଜୟ ବରଣ କରିବା ଶୋଭନୀୟ ନୁହେଁ । ଚକ୍ରବ୍ୟୁହକୁ ପ୍ରବେଶ କରିବାର କୌଶଳ ଅବଲମ୍ବନ କରି ପ୍ରତିପକ୍ଷର ଅନେକ ଯୋଦ୍ଧା ବଳୟ ଭେଦ କରି ବ୍ୟୁହ ମଧ୍ୟରେ ତାଣ୍ଡବ ସୃଷ୍ଟି କରି ପାରିବେ । ବ୍ୟୁହର ସାମ୍ୟତା ଭଗ୍ନ କରି ଧ୍ୱସ୍ତ ବିଧ୍ୱସ୍ତ କରି ପାରିବେ । କିନ୍ତୁ ଯୁଦ୍ଧର ନିୟମକୁ ଉଲଂଘନ କଲେ ଯୋଦ୍ଧାର ବିଜୟ ଟୀକାକୁ ସମାଜ ଯୁଗଯୁଗ ଧରି ପଦାଘାତ କରିଥାଏ । ଶେଷରେ ଚକ୍ରବ୍ୟୁହରେ ପ୍ରବେଶ ଓ ପ୍ରସ୍ଥାନକୁ ଏକ ଭାଷାରେ ପ୍ରକାଶ କରାଯାଇପାରେ, ଯଥା – “ଯେଉଁ ବାଟେ ବାଟେ ଆସିଥିଲ ବନ୍ଧୁ ସେଇ ବାଟେ ବାଟେ ଯାଆ”। କିନ୍ତୁ ବୀର ପାର୍ଥ ବ୍ୟୁହକୁ ପ୍ରବେଶ କରିବାର ନିୟମ ସୁଭଦ୍ରାଙ୍କୁ ବୁଝାଇ ସାରିବା ପରେ ଆରମ୍ଭ କଲେ ଫେରିବା ପ୍ରକ୍ରିୟାର ରଣନୀତି । ତେବେ ସୁଭଦ୍ରା ଦ୍ୱିତୀୟ ଅଧ୍ୟାୟ ଶୁଣିବାରୁ ବଞ୍ଚିତ ହେଲେ ନିଦ୍ରାମଗ୍ନରୁ, ଯାହା ଗର୍ଭସ୍ତ ସନ୍ତାନ ଅଭିମନ୍ୟୁ ପାଇଁ କାଳ ହେଲା । ଯଦି ଅର୍ଜୁନ ପ୍ରଥମରୁ ଉପରୋକ୍ତ ପରିଭାଷାକୁ କହି ବ୍ୟୁହକୁ ପ୍ରବେଶ ଓ ପ୍ରସ୍ଥାନର ବର୍ଣ୍ଣନା କରିଥାନ୍ତେ, ତାହାର ପରିଣାମ ଅନ୍ୟ କିଛି ହୋଇଥାଆନ୍ତା । ପୁନଃ ଯଦି ଅଭିମନ୍ୟୁ ପରି ଚାରି ପାଣ୍ଡବ ଓ ଅନ୍ୟ ବୀରମାନେ ବଳୟ ମଧ୍ୟକୁ ପ୍ରବେଶ କରିଥାଆନ୍ତେ, ତେବେ ମହାଭାରତ ଯୁଦ୍ଧର ରୂପରେଖ ଭିନ୍ନ ମୋଡ ନେଇ ଥାଆନ୍ତା । ଏହା ହୋଇ ପାରିଲାନି ଶିବଙ୍କ ଠାରୁ ବରପ୍ରାପ୍ତ ଜୟଦ୍ରଥଙ୍କ ଯୋଗୁ । କେବଳ ଗୋଟିଏ ଦିନ ସେ ଚାରି ପାଣ୍ଡବଙ୍କ ପାଇଁ ଅଜେୟ ଥିଲେ । ସେହିଦିନ ହିଁ ଚକ୍ରବ୍ୟୁହ ରଚନା ଓ ସେହିଦିନ ଅର୍ଜୁନ ଯୁଦ୍ଧ କ୍ଷେତ୍ରରୁ ଅନେକ ଦୂରରେ । ଏହା ହିଁ କାରଣ ସେଦିନ କୌରବ ସେନାଙ୍କ ଚକ୍ରବ୍ୟୁହ ଧ୍ୱସ୍ତ – ବିଧ୍ୱସ୍ତ ହେବାରୁ ବର୍ତ୍ତିଗଲା ।
ଚକ୍ରବ୍ୟୁହ ତରଫରୁ ଆକ୍ରମଣ
ଚକ୍ରବ୍ୟୁହ ଯେକୌଣସି ଦିଗକୁ ତା’ର ସାମ୍ୟତ ବଜାୟ ରଖି ବିସ୍ଥାପିତ ହେବାର ମଧ୍ୟ ଦକ୍ଷତା ରଖିଥାଏ । ଏଠାରେ କେବଳ ଗୋଟିଏ ଦିଗକୁ ପ୍ରତ୍ୟେକ ସ୍ୱ ସ୍ଥାନରୁ ଏକ ଏକ ସରଳ ରେଖାରେ ଓ ସମଗତିରେ ସମାନ ଦୂରତା ଅତିକ୍ରମ କରିବାକୁ ହୁଏ । ଏହି ସମୟରେ ସୈନ୍ୟଙ୍କ ଘୂର୍ଣ୍ଣନ ପ୍ରକ୍ରିୟା ବନ୍ଦ୍ ରହେ ଓ ସର୍ବେ କେବଳ ସରଳରୈଖିକ ଗତିଯୁକ୍ତ ହୁଅନ୍ତି । ଶତ୍ରୁକୁ ଘେରବନ୍ଦୀ କରି ନିହତ କରିବାର ଏହା ଅନ୍ୟ ଏକ କୌଶଳ ଅଟେ । ଏହି ଗତିରେ ବାହ୍ୟ ବଳୟର ସୈନ୍ୟମାନେ ଶତ୍ରୁର ନିକଟତର ହେଲେ, ଶତ୍ରୁ ସାମ୍‍ନାରେ ବଳୟରେ ଦ୍ୱାର ଉନ୍ମୁକ୍ତ କରି ଆଗକୁ ମାଡି ଚାଲନ୍ତି । ଯେଉଁ ବଳୟରେ ଶତ୍ରୁକୁ ପତିତ କରିବାର ନିର୍ଦ୍ଦେଶ ଥାଏ, ସେହି ବଳୟ ହୋଇଗଲେ ସଳରୈଖିକ ଗତିରୁ ତତ୍‍କ୍ଷଣାତ୍‍ ଘୂର୍ଣ୍ଣନ ଗତିମୁଖୀ ହୁଅନ୍ତି । ଅର୍ଥାତ୍‍ ଚକ୍ରବ୍ୟୁହ ନିଜ ଇଛାରେ ଶତ୍ରୁକୁ ଘେର ମଧ୍ୟକୁ ଆଣିପାରିବାର ଦକ୍ଷତା ରଖିଥାଏ ।

ଚକ୍ରବ୍ୟୁହ ଓ ଗାଣିତିକ ପଦାର୍ଥ ବିଜ୍ଞାନ
ବର୍ତ୍ତମାନ ଜଣେ ଯୋଦ୍ଧା ଚକ୍ରବ୍ୟୂହକୁ ପ୍ରବେଶ କରିବାର ନିୟମକୁ ମଧ୍ୟ ଗାଣିତିକ ପଦାର୍ଥ ବିଜ୍ଞାନ(Mathematical Physics)ର କିଛି ତତ୍ତ୍ୱାବଳୀକୁ ଏହା ସହ ସଂଯୁକ୍ତ କରାଯାଇପାରେ । ତାହାହେଲା :- କାଳ୍ପନିକ ଜଟିଳ ପୃଷ୍ଠତଳ(imaginary Complex plain), ଏକ ପ୍ରବାହୀ ବାହ୍ୟରେଖା ଦ୍ୱାରା ଆବଦ୍ଧ କ୍ଷେତ୍ର(closed area by a running contour), ଆଡକାଟ(cross- cut), କଚିଙ୍କ ଉପପାଦ୍ୟ(Cauchy’s theorem), ଏକକ ବିନ୍ଦୁ(Singular point), ଅନୁଗତୀୟ ସର୍ତ୍ତ(Analytic condition) ଆଦି । ଗାଣିତିକ ବିଜ୍ଞାନୀ କଚି(Cauchy)ଙ୍କ ଉପପାଦ୍ୟର ବର୍ଦ୍ଧିଷ୍ଣୁ ବହୁକ୍ଷେତ୍ରୀୟ(Extension to Multiply Region) ନିୟମ ପ୍ରକାଶ କରେ, ଯଦି ଏକ କ୍ଷେତ୍ର ମଧ୍ୟରେ କିଛି କିଛି ସ୍ଥାନ ବା କିଛି କିଛି ବିନ୍ଦୁ କ୍ଷେତ୍ରର ଅକ୍ଷୀୟ ପରିବର୍ତ୍ତନଶୀଳ ସଂଖ୍ୟା(Axial Variable) ସହ ଅନୁଗତ ବା ବିଶ୍ଳେଷଣାତ୍ମକ ନୁହେଁ(Not Analytic), ଅର୍ଥାତ୍‍ ସବୁ ବିନ୍ଦୁ ଏକ ଜାତୀୟ ଶୃଙ୍ଖଳାକୁ ମାନୁଥୁବା ବେଳେ କିଛି ବିନ୍ଦୁ ମାନୁ ନାହିଁ, ତେଣୁ କଚିଙ୍କ ନିୟମ ସେହି ଆବଦ୍ଧ କ୍ଷେତ୍ରରେ ପ୍ରୟୋଗ କରାଯାଇ ପାରିବ ନାହିଁ । ଏହା ହୋଇପାରିବ ଯଦି ସେ ବିନ୍ଦୁ ଗୁଡିକୁ କ୍ଷେତ୍ର ବାହାରକୁ ଅଣାଯାଇ ପାରିବ । ତେଣୁ ଏଥି ନିମିତ୍ତ ଯେଉଁ ଧାରା ଗ୍ରହଣ କରାଯାଏ ତାହାକୁ ଆଡକାଟ(Cross-cut) ପ୍ରକ୍ରିୟା କୁହାଯାଏ । ଏହି ପ୍ରକ୍ରିୟାନୁସାରେ କ୍ଷେତ୍ରର ପରିଧିରେ ଏକ କ୍ଷୁଦ୍ର ଗର୍ତ୍ତ ବା ପଥ ସୃଷ୍ଟି କରାଯାଏ । ଏହି ପଥର ଓସାର ଅତି କ୍ଷୁଦ୍ର ଓ ଏହା ପରିଧିର ଦୁଇ ସ୍ଥାନକୁ କାଟିଥାଏ । ମନେକର ସେ ବିନ୍ଦୁ ଦ୍ୱୟ ‘A’ ଓ ‘B’ ଅଟନ୍ତି । ବର୍ତ୍ତମାନ ‘A’ ବିନ୍ଦୁରୁ ଏକ ସରଳରେଖା ଯାଇ କ୍ଷେତ୍ର ମଧ୍ୟରେ ବୋଲ ମାନୁ ନଥିବା ବିନ୍ଦୁକୁ ଘେରାଇ ପୁଣି ବିପରୀତ ଦିଗରେ ଓ ପୂର୍ବ ସରଳ ରେଖାକୁ ସମାନ୍ତରାଳ ରହି ‘B’ ବିନ୍ଦୁକୁ ଛୁଇଁବ । ଏହାଦ୍ୱାରା ବୋଲ ମାନୁ ନଥିବା ବିନ୍ଦୁ ବା କ୍ଷେତ୍ରଟି ବର୍ତ୍ତମାନ ବାହ୍ୟମୁଖୀ ହେଲା ଓ ଯାହା ରହିଲା ତାହା ଏକ ଆବଦ୍ଧ କ୍ଷେତ୍ର ମଧ୍ୟ ହେଲା । ତେଣୁ ଏହି କ୍ଷେତ୍ରରେ କଚିଙ୍କ ନିୟମ ବିନା ଦ୍ୱିଧାରେ ପ୍ରୟୋଗ କରାଯାଇ ପାରିବ । କାରଣ ନୂଆ ଆବଦ୍ଧ କ୍ଷେତ୍ରରେ ସବୁ ବିନ୍ଦୁ ଗୁଡିକ ଏବେ ବୋଲକରା ଅଟନ୍ତି । ସେହିପରି ମୂଳ ଆବଦ୍ଧ କ୍ଷେତ୍ରରେ ଯଦି ଏକରୁ ଅଧିକ କ୍ଷୁଦ୍ର କ୍ଷେତ୍ର ବା ବିନ୍ଦୁ ଶୃଙ୍ଖଳା ପ୍ରକ୍ରିୟାଭୁକ୍ତ ନୁହନ୍ତି, ତେବେ ସେହିପରି ଆଡକାଟ ପଦ୍ଧତିରେ ସେଗୁଡିକୁ ବହିର୍ମୁଖୀ କରାଯାଇ ପାରିବ ଓ ନୂଆ ଆବଦ୍ଧ କ୍ଷେତ୍ର କଚିଙ୍କ ନିୟମାଯୁକ୍ତ ହେବ । ବର୍ତ୍ତମାନ ମୂଳ ଆବଦ୍ଧ କ୍ଷେତ୍ର, ଯେଉଁଠି ଅବୋଲକରା ବିନ୍ଦୁ ନଥିବ ଅଥବା ଉପରୋକ୍ତ ନୂଆ ଆବଦ୍ଧ କ୍ଷେତ୍ରକୁ ଦ୍ରୋଣାଚାର୍ଯ୍ୟଙ୍କ ବୋଲ ମାନୁଥିବା କ୍ଷେତ୍ର ବା ଚକ୍ରବ୍ୟୁହ ଦ୍ୱାରା ଦଖଲ କ୍ଷେତ୍ର କୁହାଯାଇ ପାରିବ । ଏଠାରେ ଆଡକାଟ ପଦ୍ଧତି ହିଁ ଚକ୍ରବ୍ୟୁହକୁ ପ୍ରବେଶ ଓ ପ୍ରସ୍ଥାନ କରିବାର କୌଶଳ ସହ ସମାନୁପାତିକ । କଚିଙ୍କ ତତ୍ତ୍ୱାନୁସାରେ ଆବଦ୍ଧ କ୍ଷେତ୍ରର ପ୍ରତି ବିନ୍ଦୁ ବିଶ୍ଳେଷଣାତ୍ମକ(Analytic) ଅଟନ୍ତି । ଅର୍ଥାତ୍‍ ସର୍ବେ ଏକ ଶୃଙ୍ଖଳିତ ନିୟମରେ ଯୁକ୍ତ । ଆଡକାଟ ଦ୍ୱାରା ବିଶ୍ଳେଷଣ କରାଯାଇ ପାରୁ ନଥିବା ବିନ୍ଦୁ ଗୁଡିକୁ ବହିର୍ମୁଖୀ କରାଯାଇଥାଏ । ସେହିପରି ଦ୍ରୋଣଙ୍କ ଚକ୍ରବ୍ୟୁହ ଏକ ଆବଦ୍ଧ କ୍ଷେତ୍ର, ଯେଉଁଥିରେ ଥିବା ସମସ୍ତ ସୈନ୍ୟ, ଅଶ୍ୱାରୋହୀ, ଗଜାରୋହୀ ଓ ରଥୀମାନେ ଶୃଙ୍ଖଳିତ ଓ ଚକ୍ରବ୍ୟୁହର ନିୟମ ଧାରାରେ ପରିଚାଳିତ । ଏହା ମଧ୍ୟରେ ନିୟମ ଯୁକ୍ତ ହେଉ ନଥିବା କୌଣସି ଯୋଦ୍ଧାଙ୍କର ସ୍ଥାନ ନଥାଏ । କିନ୍ତୁ ଶତ୍ରୁ ଏ ନିୟମରୁ ବର୍ହିଭୁତ ଓ ସେ ବ୍ୟୁହ ଭଗ୍ନ କରିବା ପାଇଁ ଯୁଦ୍ଧ କରିବ । ତେଣୁ କଚିଙ୍କ ଫର୍‍ମୁଲା ଶତ୍ରୁକୁ ଗ୍ରହଣ କରିବାକୁ ପଡିବ । ପ୍ରଥମେ ଆଡକାଟ ଅର୍ଥାତ୍‍ ସମ୍ମୁଖ ସୈନ୍ୟକୁ ବଧ ନକରି ତାର ଦୁଇ ପାର୍ଶ୍ୱର ଏକ ଏକ ବା ଦୁଇ ଦୁଇ ସୈନ୍ୟଙ୍କୁ ଏକ କ୍ଷଣରେ ବଧ କରିବାକୁ ପଡିବ । ଏହା ଦୁଇ ବିନ୍ଦୁ ‘A’ ଓ ‘B’କୁ ବୁଝାଇବ । ସମ୍ମୁଖ ସୈନ୍ୟ ବ୍ୟତିବ୍ୟସ୍ତ ହୋଇ ନିଶ୍ଚିତ ରୂପେ ବାମ କିମ୍ବା ଡାହାଣକୁ ଧାଇଁବ ଓ ସେହି କ୍ଷଣରେ ଶତ୍ରୁ ସମ୍ମୁଖ ପଥରେ ବ୍ୟୁହ ମଧ୍ୟକୁ ପ୍ରବେଶ କରିବ । ବଳୟ ମଧ୍ୟରେ ସେ ହେବ ଦ୍ରୋଣଙ୍କ ନିୟମ ବର୍ହିଭୂତ ବ୍ୟକ୍ତି ବା ଏକଘରିକିଆ ବିନ୍ଦୁ(Isolated Point) । ଏହି ଆଡକାଟ ପଦ୍ଧତି ଅନୁସରଣ କରି ଶତ୍ରୁ ଅନ୍ୟ ବଳୟ ଭେଦ କରି ପାରିବ । ସେହିପରି ଅନ୍ୟ ଯୋଦ୍ଧା ମାନେ ବିଭିନ୍ନ ଦୁର୍ବଳ ସ୍ଥାନରେ ଆଡକାଟ କରି ବ୍ୟୁହକୁ ପଶିବେ । ବ୍ୟୁହରୁ ନିସ୍ତାର ନିମିତ୍ତ ସେଇ ଏକା ପଦ୍ଧତିକୁ ଅନୁସରଣ କରାଯିବା ବିଧେୟ ।

 

ତେବେ ମନରେ ପ୍ରଶ୍ନ ଉଠେ ଯେ ଗୁରୁ ଦ୍ରୋଣ ସପ୍ତ ବୃତ୍ତୀୟ ସୈନ୍ୟ ସଜ୍ଜା ରଚନା କରିବା ପଛରେ ନିଶ୍ଚିତ ରୂପେ କିଛି କାରଣ ଥାଇପାରେ । ଏହା ନିଜସ୍ୱ ଅନୁମାନ ଓ କିଛି ସମ୍ଭାବନାକୁ ନେଇ ଚିନ୍ତା କରାଯାଇଛି । କଥା ଅଛି – ନର ମାୟା ନାରାୟଣଙ୍କୁ ଅଗୋଚର । ତେଣୁ ଦ୍ୱାପର ଯୁଗରେ ଗୁରୁ ଦ୍ରୋଣଙ୍କ ସପ୍ତ ବୃତ୍ତୀୟ ଚିନ୍ତାଧାରାରେ କ’ଣ ନ୍ୟସ୍ତ ଥିଲା ତାହା କିଏ କହି ପାରିବ ? ଯେହେତୁ ଚିନ୍ତା କରିବାର ପରିସର ସଭିଙ୍କ ପାଇଁ ଭିନ୍ନ, ତେଣୁ ନିଜ ଚିନ୍ତା ବଳୟରେ ଜାଗୁଥିବା କିଛି ଭାବନାରାଜିକୁ ଲୋକ ଲୋଚନରେ ବାର୍ତ୍ତା ରୂପେ ପରିବେଷଣ କରିବାର ସଦ୍ଦିଛାକୁ ଏଠାରେ ପରିପ୍ରକାଶ କରାଯାଇଛି ।

ପ୍ରଥମେ ଗାଣିତିକ ସମ୍ଭାବନା – ବୃତ୍ତର ପରିଧିର ଦୈର୍ଘ୍ୟରେ π’ର ସ୍ଥାନ, π=ବୃତ୍ତର ପରିଧି/ବୃତ୍ତର ବ୍ୟାସ = 22/7 । ସେ ସମୟରେ ହୋଇଥାଇ ପାରେ ଗୁରୁ ଦ୍ରୋଣଙ୍କୁ ସମ୍ବନ୍ଧୀୟ ଜ୍ଞାନ ଜଣା ଥିଲା କିମ୍ବା ନଥିଲା । ଯଦି ଜଣା ଥିବ ତେବେ ବ୍ୟାସାର୍ଦ୍ଧ ଗୁଡିକ 7 ଦ୍ୱାରା ବିଭାଜିତ ହେଉଥିବ ଓ  ପରିଧି ପୂର୍ଣ୍ଣ ସଂଖ୍ୟା ହେବ । ସେହିପରି ଯଦି ପରିଧି ଗୁଡିକ 7 ଦ୍ୱାରା ବିଭାଜିତ ହେଉଥିବ, ତେବେ ବ୍ୟାସାର୍ଦ୍ଧ ମଧ୍ୟ ପୂର୍ଣ୍ଣ ସଂଖ୍ୟା ହେବ । ଏହା ଉପରୋକ୍ତ ଟେବୁଲ୍‍ ଗୁଡିକରେ ଦର୍ଶା ଯାଇଛି । କିନ୍ତୁ ଯଦି ଗୁରୁ ଦ୍ରୋଣଙ୍କୁ π ସମ୍ବନ୍ଧୀୟ ଜ୍ଞାନ ଜଣା ନଥିବ ତେବେ ସୈନ୍ୟ ସଜ୍ଜା କେବଳ ପରିଧିର ଦୈର୍ଘ୍ୟକୁ ନେଇ ସେମାନଙ୍କ ମଧ୍ୟରେ ଦୂରତା ସ୍ଥିର କରିବାର ଅନୁମାନ ହୁଏ । ଯେପରି ଏକ ଦଉଡିର ଦୁଇ ମୁଣ୍ଡକୁ ଯୋଡି ସମତଳ ଭୂମିରେ ବୃତ୍ତାକାର କରାଯାଇ ପାରିବ ସେହିପରି କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ବ୍ୟୁହର କେନ୍ଦ୍ର ବିନ୍ଦୁ ସ୍ଥିର କରାଯାଇ ଥିବ ଓ ସବୁଠୁ କ୍ଷୁଦ୍ର ବା ସପ୍ତମବୃତ୍ତର ପରିଧିର ଦୈର୍ଘ୍ୟ ସ୍ଥିର କରାଯାଇ ଥିବ । ତେବେ ଏହା ସୈନ୍ୟ ସଂଖ୍ୟା ଆକଳନ ଓ ସାତଟି ବୃତ୍ତକୁ ଦୃଷ୍ଟିରେ ରଖି କରାଯାଇ ଥିବ । ଏହାପରେ ଷଷ୍ଠ, ପଞ୍ଚମ, ଚତୁର୍ଥ, ତୃତୀୟ, ଦ୍ୱିତୀୟ ଓ ପ୍ରଥମ ବା ବାହ୍ୟ ବୃତ୍ତ ପାଇଁ ମଧ୍ୟ ସ୍ଥିର କରାଯାଇଥିବ । ସବୁ ବୃତ୍ତର ସମଷ୍ଠିରେ ସୈନ୍ୟ ସଂଖ୍ୟାକୁ ଭାଗ କଲେ ସୈନ୍ୟ – ସୈନ୍ୟଙ୍କ ମଧ୍ୟରେ ଦୂରତା ନିରୂପଣ ହେବ ଓ ଏହା ସବୁ ବୃତ୍ତ ପାଇଁ ସମାନ ରହିବ । ଦୂରତା କମ୍‍ କିମ୍ବା ଅଧିକ କରିବାକୁ ବୃତ୍ତର ଦୈର୍ଘ୍ୟରେ ବଦଳାଇବାକୁ ପଡିବ । ପୁଣି ବାହ୍ୟରୁ ଭିତର ବୃତ୍ତ ଯାଏ ସୈନ୍ୟ ମାନଙ୍କ ମଧ୍ୟରେ ଦୂରତା କମି କମିଯାଇଥିବ । ସେହିପରି ଅଶ୍ୱ, ଗଜ ଓ ରଥୀ ମାନଙ୍କ ମଧ୍ୟରେ ହୋଇଥିବ । ଏହା ମହାଜ୍ଞାନୀ ଗୁରୁ ଦ୍ରୋଣଙ୍କ ପାଇଁ କିଛି କଷ୍ଟକର ବ୍ୟାପାର ହୋଇ ନଥିବ ଓ ଯୁଦ୍ଧର ପୂର୍ବ ରାତିରେ ସେ ସ୍ଥିର କରିଥିବେ । ପରନ୍ତୁ ସାତ ବୃତ୍ତୀୟ ସୈନ୍ୟସଜ୍ଜାକୁ ସେ କ’ଣ ପାଇଁ ଗ୍ରହଣ କରିଥିଲେ ତାହା ଚିନ୍ତା କରିବାର କଥା । ହୋଇପାରେ ସେତେ ବେଳକୁ କୌରବ ପକ୍ଷରେ ଆପାତତଃ ସାତ ଅକ୍ଷୌହିଣୀ ସେନା ଜୀବିତ ଥାଇ ପାରନ୍ତି କିମ୍ବା ଅନ୍ୟ କିଛି ହୋଇପାରେ । ତେବେ ସାତଟି ବୃତ୍ତ ପାଇଁ ସେ ବୃତ୍ତଗୁଡିକ ମଧ୍ୟରେ ଏକ ସମାନୁପାତିକ ଗୁଣନ ଧାରା ରଖିଥାଇ ପାରନ୍ତି । ଏହାର ଆନୁମାନିକ ଚିତ୍ରପଟ୍ଟ ନିମ୍ନରେ ଦର୍ଶାଯାଇଛି ।

                         ମନେକର,  s7       =        ns0        = ସପ୍ତମ ବା ସବୁଠୁ ଭିତର ବୃତ୍ତର ଦୈର୍ଘ୍ୟ 

                                       s6       =        n6×s0       = ଷଷ୍ଠ ବୃତ୍ତର ଦୈର୍ଘ୍ୟ

                                        s5         =        n5×s0     = ପଞ୍ଚମ ବୃତ୍ତର ଦୈର୍ଘ୍ୟ

                                                  s4        =        n4×s0       = ଚତୁର୍ଥ ବୃତ୍ତର ଦୈର୍ଘ୍ୟ

                                          s3         =        n3×s0      = ତୃତୀୟ ବୃତ୍ତର ଦୈର୍ଘ୍ୟ

                                          s2         =        n2×s0       = ଦ୍ୱିତୀୟ ବୃତ୍ତର ଦୈର୍ଘ୍ୟ

                                           s1         =        n1×s0        = ପ୍ରଥମ ବା ବାହ୍ୟ ବୃତ୍ତର ଦୈର୍ଘ୍ୟ

ଏଠାରେ,  n7 < n6  < n5  < n4  < n3  < n2  < n1 , ଅତି କମ୍‌ରୁ n1 = 7, n2 = 6, n3 = 5, n4 = 4, n5 = 3, n6 = 2, n7 = 1  ନିଆଯାଏ ତେବେ,

 ସପ୍ତ ବୃତ୍ତର ପରିଧି  s1, s2 …….. s7  ସମୁହର ଯୋଗଫଳ = ∑sn  = s1  + s2  + s3  + s4  +  s5  +  s6  +  s7

                                        =(n1 +n2 + n3 + n4 + n5 + n6 + n7) s0 

                                         =(7+6+5+4+3+2+1) s0

                                          = 28s0 

 s0 =  ଗୁରୁ ଦ୍ରୋଣଙ୍କ ଦ୍ୱାରା କୌଣସି ଏକ ନିର୍ଦ୍ଧାରିତ ଦୈର୍ଘ୍ୟ ହୋଇଥିବ ।  

ତଥାପି କିଛି ପ୍ରାକୃତିକ ଓ ବୈଦିକ ଅନୁଚିନ୍ତାକୁ ନେଇ ଗୁରୁ ଦ୍ରୋଣଙ୍କ ସପ୍ତ ବୃତ୍ତିୟ ସୈନ୍ୟ ସଜ୍ଜାର ପରିକଳ୍ପନା କରାଯାଇ ପାରେ ଯଥା – ମହାକାଶର ସପ୍ତର୍ଷିମଣ୍ଡଳ ବା ସପ୍ତଋଷି :- କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ବଶିଷ୍ଠ ଓ ମରୀଚି । ଏହା ଭାରତୀୟ ସଭ୍ୟତାରେ ମୁନିୠଷିଙ୍କ ପ୍ରଭାବକୁ ଦର୍ଶାଇଥାଏ । ସପ୍ତ ଦ୍ୱୀପାଶ୍ଚ ମେଦିନୀ(ଜମ୍ବୁ, ପ୍ଳକ୍ଷ, ଶାଳ୍ମଳୀ, କ୍ରୁଶ, କ୍ରୋଞ୍ଚ, ଶାକ ଓ ପୁଷ୍କର) । ସପ୍ତ ସିନ୍ଧୁ :-  ଉତ୍ତର ପ୍ରଶାନ୍ତ ମହାସାଗର, ଦକ୍ଷିଣ ପ୍ରଶାନ୍ତ ମହାସାଗର, ଉତ୍ତର ଆଟଲାଣ୍ଟିକ୍‍ ମହାସାଗର, ଦକ୍ଷିଣ ଆଟଲାଣ୍ଟିକ୍‍ ମହାସାଗର, ଭାରତ ମହାସାଗର, ଦକ୍ଷିଣ ମହସାଗର ଓ ଆର୍କଟିକ୍‍ ମହାସାଗର । ଏହା ବର୍ତ୍ତମାନର ଭୌଗୋଳିକ ଦୃଷ୍ଟିକୋଣରୁ ପୃଥିବୀର ସମୁଦାୟ ଜଳରାଶିକୁ ବିଭକ୍ତିକରଣ ପୂର୍ବକ ନାମକରଣ କରାଯାଇଛି । ପୁରାଣରେ ମଧ୍ୟ ସପ୍ତ ସିନ୍ଧୁର ବର୍ଣ୍ଣନା କରାଯାଇଛି ଯଥା:- କ୍ଷୀର ସାଗର, ନିର ସାଗର, ଘୃତ ସାଗର, ଲବଣ ସାଗର, ଦଧି ସାଗର, ଇକ୍ଷୁ ବା ମଧୁ ସାଗର ଓ ସୁରା ସାଗର । ଶ୍ରୀବିଷ୍ଣୁ କ୍ଷୀର ସାଗରରେ ଅନନ୍ତ ଶୟନରେ ନିମଗ୍ନ ଥିବାର କୁହାଯାଏ । ତ୍ରେତୟାରେ କିସ୍କିନ୍ଧ୍ୟାର ରାଜା ବାଳୀ ସପ୍ତସିନ୍ଧୁରେ ସ୍ନାନ ଓ ପିତୄତର୍ପଣ କରୁଥିଲେ । ସପ୍ତ ପାତାଳ :-  ଅତଳ, ବିତଳ, ସୁତଳ ବା ନିତଳ, ତଳାତଳ, ମହାତଳ, ରସାତଳ ଓ ପାତାଳ ଦୃଶ୍ୟମାନ ସପ୍ତ ପ୍ରକାଶ(ବାଇଗଣୀ, ଘନନୀଳ, ନୀଳ, ସବୁଜ, ହଳଦିଆ, ନାରଙ୍ଗୀଲାଲ୍‍ )  ଓ ଏହା ଆକାଶରେ ଇନ୍ଦ୍ରଧନୁର ସପ୍ତ ରଙ୍ଗକୁ ମଧ୍ୟ ବୁଝାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ନବ ଗ୍ରହଙ୍କ ମଧ୍ୟରୁ ଦୃଶ୍ୟମାନ ସାତ ଗ୍ରହ : – ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହଷ୍ପତି, ଶୁକ୍ର ଓ ଶନି । ରାହୁ ଓ କେତୁଙ୍କୁ ଅଦୃଶ୍ୟମାନ ଛାୟାଗ୍ରହ କୁହାଯାଏ । ପ୍ରଥମରୁ ପାଣ୍ଡବଙ୍କ 7 ଅକ୍ଷୌହିଣୀ ସେନା ଥିଲେ ଓ ସମ୍ଭବତଃ କୌରବ ପକ୍ଷରେ ସେ ସମୟରେ  ସାତ ଅକ୍ଷୌହିଣୀ ସେନା ଜୀବିତ ଥାଇ ପାରନ୍ତି ଶରୀରର ସପ୍ତଚକ୍ର:- ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ବିଶୁଦ୍ଧ, ଅନାହତ, ଆଜ୍ଞା ଓ ସହସ୍ରାର। ଏହି ଚକ୍ର ଗୁଡିକ ସାତ ରଙ୍ଗ ସହ ସନ୍ନିହିତ, ଅର୍ଥାତ୍‍ ମାନବ ଶରୀର ସପ୍ତ ରଙ୍ଗର ସମାହାରକୁ ବୁଝାଏ । ବୈଦିକ ମତରେ ସୂର୍ଯ୍ୟ ଦେବଙ୍କ ରଥକୁ ସପ୍ତଅଶ୍ୱ ଚଳାନ୍ତି । ବୈଦିକ ଖଣ୍ଡର ଛନ୍ଦାନୁସାରେ ସପ୍ତଅଶ୍ୱଙ୍କ ନାମ, ଯଥା:- ଗାୟତ୍ରୀ, ବୃହଥୀ, ଉଷ୍ଣିକ, ଜଗଥୀ, ତ୍ରିଷ୍ତୁଭ, ଅନୁଷ୍ଟୁଭ ଓ ପଂକିତ ଅଟେ ସପ୍ତଋଷି ସୂର୍ଯ୍ୟ ଦେବଙ୍କ ଯାତ୍ରାରେ ମାର୍ଗଦର୍ଶକ ଅଟନ୍ତି । ଏହି ସପ୍ତ ଅଶ୍ୱ  ଇନ୍ଦ୍ରଧନୁର ସପ୍ତ ବର୍ଣ୍ଣ ଓ ଯୋଗ ପ୍ରକ୍ରିୟାର ସାତ ଚକ୍ରର ପ୍ରତିନିଧିତ୍ୱ କରନ୍ତି । ଆମର ପରିବେଷ୍ଟନୀ ଓ ଜୀବନ ଧାରାରେ ସପ୍ତସ୍ୱରର ରସ ପ୍ରବାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସ୍ୱର ଓ ସଙ୍ଗୀତର ଅଭାବରେ ଜୀବନ ପୂର୍ଣ୍ଣ ବିକଶିତ ହୁଏନି । ଏହି ସପ୍ତସ୍ୱର ଗୁଡିକ ହେଲା :- ସା – ରେ – ଗା – ମା – ପା – ଧା – ନି । ପ୍ରାଚୀନ କାଳରେ ମୁନିୠଷିମାନେ ପ୍ରକୃତି ସହ ଜଡିତ ପଶୁପକ୍ଷୀଙ୍କ ଶବ୍ଦରୁ ଏହି ସାତସ୍ୱର ନିର୍ଣ୍ଣୟ କରିଛନ୍ତି । ଏହା ଆରୋହ ଓ ଅବରୋହ ଯୁକ୍ତ । ପୂର୍ଣ୍ଣ ଶବ୍ଦରେ ଏହି ସାତସ୍ୱର ଗୁଡିକ ହେଉଛି :- ଷଡଜ, ରିଷଭ, ଗାନ୍ଧାର, ମଧ୍ୟମ, ପଞ୍ଚମ, ଧୈବତ ଓ ନିଷାଦ । ମୟୁରର ସ୍ୱରରୁ ଷଡଜ, ଷଣ୍ଢର ସ୍ୱରରୁ ରିଷଭ, ଛେଳିର ସ୍ୱରରୁ ଗାନ୍ଧାର, ବଗର ସ୍ୱରରୁ ମଧ୍ୟମ, କୋଇଲିର କୁହୁତାନରୁ ପଞ୍ଚମ, ଘୋଡାର ଶବ୍ଦରୁ ଧୈବତ ଓ ହାତୀର ସ୍ୱରରୁ ନିଷାଦ ସୃଷ୍ଟି ହୋଇଛି । ସମୟର ପ୍ରବାହକୁ ସପ୍ତାହ ବା ସାତବାରରେ ବିଭକ୍ତ କରାଯାଇଛି ଓ ଏହାର ଘୂର୍ଣ୍ଣନ ପ୍ରକ୍ରିୟା ସମୟକୁ ବୁଝାଯାଏ । ଏହି ସାତବାର ନାମ ଜ୍ୟୋତିଷ ଶାସ୍ତ୍ରାନୁସାରେ ସାତ ଗ୍ରହଙ୍କ ନାମକୁ ବୁଝାଏ, ଯଥା :- ରବି, ଚନ୍ଦ୍ର(ସୋମ), ମଙ୍ଗଳ, ବୁଧ, ଗୁରୁ(ବୃହଷ୍ପତି), ଶୁକ୍ର ଓ ଶନି । ବିଜ୍ଞାନର ପର୍ଯ୍ୟବେକ୍ଷଣରେ ମଧ୍ୟ ସେହି ଏକଇ ନାମକରଣ, କିନ୍ତୁ ଚନ୍ଦ୍ର ଏକ ଉପଗ୍ରହ ହୋଇଥିବା ବେଳେ ଅନ୍ୟ ସବୁ ଗୁଡିକ ଗ୍ରହ ଅଟନ୍ତି । ପୁନଃ ପ୍ରତ୍ୟେକଙ୍କର ମୂଳ ସୂତ୍ର ପରିବାର ଅଟେ ଓ ଏହା ବିବାହ ବନ୍ଧନରୁ ସୃଷ୍ଟି ହୋଇଥାଏ । ସନାତନ ଧର୍ମରେ ବିବାହର ପବିତ୍ର ବନ୍ଧନରେ ସାତଦୀପ ପ୍ରୟୋଜନ ହୁଏ । ବେଦୀ ଚତୁଃ ପାର୍ଶ୍ୱରେ ବର-କନ୍ୟା ସାତଘେରାର ବିଧି ପାଳନ କରିବା ପରେ ବିବାହ ସମ୍ପୂର୍ଣ୍ଣ ହୁଏ । ପ୍ରତ୍ୟହ ଶଯ୍ୟା ତ୍ୟାଗ ବେଳେ ପ୍ରାତଃ ସ୍ମରଣର ବିଧି ରହିଛି । ସପ୍ତନଦୀ, ସପ୍ତପର୍ବତ, ସପ୍ତଋଷି, ସପ୍ତତୀର୍ଥ ………. ଆଦିଙ୍କୁ ସ୍ମରଣ କରି ଦିନଟି ସୁଖରେ ବିତିବା ପାଇଁ ମନାସିବାର ବିଧି ରହିଛି । ଏହି ଭାବଧାରାରେ ସମ୍ଭବତଃ ବୋଧହୁଏ ଗୁରୁ ଦ୍ରୋଣ ସପ୍ତ ବୃତ୍ତିୟ ସୈନ୍ୟ ସଜ୍ଜା ପାଇଁ ଚିନ୍ତା କରି ଥାଇ ପାରନ୍ତି  କିମ୍ବା ଅନ୍ୟ କିଛି ଚିନ୍ତା କରି ବ୍ୟୁହ ରଚନା କରିଥିବେ । 

ଶେଷରେ ଏହା ନିଶ୍ଚିତ ରୂପେ କୁହାଯାଇପାରେ ଯେ, ପର୍ଶୁରାମ ଶିଷ୍ୟ ଦ୍ରୋଣ ତା’ଙ୍କ ଗୁରୁଙ୍କଠାରୁ ଚକ୍ରବ୍ୟୁହ ସମ୍ଭନ୍ଧୀୟ ଜ୍ଞାନ ପାଇଥିବେ । କାଳଜୟୀ ପର୍ଶୁରାମ ମଧ୍ୟ ଦେବଦେବ ମହାଦେବଙ୍କଠାରୁ ଶିକ୍ଷା ଲାଭ କରିଥିଲେ । ସେ ଯାହା ହେଉନା କାହିଁକି, ଏ ଜ୍ଞାନ ଯେଉଁଠୁ ଓ ଯେବେ ଉଦ୍ଭବ ହେଲା, ତାହା ସୃଷ୍ଟିର ସୂକ୍ଷ୍ମ ଓ ସ୍ଥୂଳ ତତ୍ତ୍ୱାବଳୀର ପୃଷ୍ଟପୋଷକତାରୁ ଆସିଥିବ । ସମୟର ତାଳେ ତାଳେ ଏ ବିଦ୍ୟା ଗୁରୁମାନଙ୍କଠାରୁ ଅସାଧାରଣ ଜ୍ଞାନୀ ଶିଷ୍ୟମାନେ ଶିକ୍ଷାଲାଭ କରି ଗୁରୁଙ୍କ କଠିନ ପରୀକ୍ଷାରେ ସଫଳ ହୋଇଥିଲେ । ସେମାନେ ହେଲେ ମହାଯୋଦ୍ଧା, ମହାଧନୁର୍ଦ୍ଧାରୀ ଓ ଅପରାଜୟୀ । କାରଣ ସେମାନେ ସୈନ୍ୟ ସଜ୍ଜା ପାଇଁ ସବୁଠୁ କଠିନତମ ବ୍ୟୁହ ପରିକଳ୍ପନା ଚକ୍ରବ୍ୟୁହର ରଚନା କରିବା ଓ ବ୍ୟୁହ ଭେଦ କରିବାରେ ପାରଙ୍ଗମ ଥିଲେ । ତେବେ ଏଥିରୁ ନିର୍ଯ୍ୟାସ ଗଠନମୂଳକ ତତ୍ତ୍ୱକୁ ଆଧାର କରି ନିଜ ନିଜ କର୍ମ କ୍ଷେତ୍ରରେ  ପ୍ରୟୋଗ କରିବା ହେଉଛି ମାନବୀୟ ଧର୍ମ । ଏଥି ନିମିତ୍ତ ବ୍ୟକ୍ତିର ଜ୍ଞାନ ଓ ବୁଦ୍ଧି ସୂକ୍ଷ୍ମ ସ୍ତରରୁ ସ୍ଥୂଳ ସ୍ତର ଯାଏ ସମତା ବଜାୟ ରଖିବାର ଦକ୍ଷତା ଦରକାର କରେ । କାରଣ ସୂକ୍ଷ୍ମ ଚିନ୍ତନର ପରିପ୍ରକାଶ ହିଁ ସ୍ଥୂଳ ରୂପୀ ଅଟେ । 

ଓଡିଶା ଭୌତିକ ବିଜ୍ଞାନ ପରିଷଦ, ଭୁବନେଶ୍ୱର ତରଫରୁ ଓଡିଶା ଫିଜିକାଲ୍‍ ସୋସାଇଟିର ୩୯ତମ ବାର୍ଷିକ ସମ୍ମେଳନ ଓ ରାଷ୍ଟ୍ରିୟ ଆଲୋଚନା ଚକ୍ରରେ ଲୋକପ୍ରିୟ ବିଜ୍ଞାନ ଲେଖା ପତ୍ରିକା “ଦିଗ୍‍ବଳୟ”ରେ ଫେବୃଆରୀ ୨୦୨୩ରେ ପ୍ରକାଶିତ ହୋଇଅଛି ।

*********************************************************************

 


Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help