ସର୍ବତତ୍ତ୍ୱଭିତ୍ତିକ ଶ୍ରୀମଦ୍ଭଗବଦ୍ଗୀତା – ଦ୍ୱିତୀୟ ଅଧ୍ୟାୟ (ସାଂଖ୍ୟ ଯୋଗ)
ସର୍ବତତ୍ତ୍ୱଭିତ୍ତିକ ଶ୍ରୀମଦ୍ଭଗବଦ୍ଗୀତା – ଦ୍ୱିତୀୟ ଅଧ୍ୟାୟ (ସାଂଖ୍ୟ ଯୋଗ)
ନକୁଳ ଚ଼ରଣ ମଲିକ୍,
ଅବସରପ୍ରାପ୍ତ ଆସୋସିଏଟ୍ ପ୍ରଫେସର, ପଦାର୍ଥ ବିଜ୍ଞାନ,
ମଡେଲ୍ ଡିଗ୍ରୀ କଲେଜ, ନବରଙ୍ଗପୁର , ଓଡ଼ିଶା ।
ସଞ୍ଜୟ ଉବାଚ
ଏ ଅଧ୍ୟାୟର ପ୍ରଥମ ଶ୍ଳୋକରେ ଧନୁ ତ୍ୟାଗକରି ଶୋକମଗ୍ନ ଅବସ୍ଥାରେ ବସିଥିବା ଶରଣାଗତ ଅର୍ଜୁନଙ୍କ ବିଷାଦ ବର୍ଣ୍ଣନା କରି ସଞ୍ଜୟ କହିଛନ୍ତି ଯେ –
ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍ ।
ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ ॥ ୧॥
ସେପରି କରୁଣାବିଷ୍ଟ ଏବଂ ଅଶ୍ରୁପୂର୍ଣ୍ଣ ବ୍ୟାକୁଳନେତ୍ର ଅର୍ଜୁନଙ୍କୁ ଭଗବାନ୍ ମଧୁସୂଦନ ଏହି କଥା କହିଲେ –
ଶ୍ରୀଭଗବାନୁବାଚ
କୁତସ୍ତ୍ୱା କଶ୍ମଳମିଦଂ ବିଷମେ ସମୁପସ୍ଥିତମ୍ ।
ଅନାର୍ଯଜୁଷ୍ଟମସ୍ୱର୍ଗ୍ୟମକୀର୍ତ୍ତିକରମର୍ଜୁନ ॥୨॥
କ୍ଳୈବ୍ୟଂ ମା ସ୍ମ ଗମଃ ପାର୍ଥ ନୈତତ୍ତ୍ୱଯ୍ୟୁପପଦ୍ୟତେ ।
କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୟକ୍ତ୍ୱୋତ୍ତିଷ୍ଠ ପରନ୍ତପ ॥୩॥
ଏହି ଶ୍ଳୋକ ଦ୍ୱୟରେ ଅର୍ଜୁନଙ୍କ ମୋହ ଓ କାପୁରୁଷତାପୂର୍ଣ୍ଣ ବିଷାଦକୁ ନିନ୍ଦା କରି ଶ୍ରୀକୃଷ୍ଣ ତାଙ୍କୁ ଯୁଦ୍ଧ କରିବାକୁ ଉତ୍ସାହିତ କରି କହିଛନ୍ତି – ହେ ଅର୍ଜୁନ ! ତୁମେ ଏ ଅସମୟରେ କେମିତି ମୋହଗ୍ରସ୍ତତାର ଶୀକାର ହେଲ ? ଶ୍ରେଷ୍ଠ ପୁରୁଷମାନେ ମୋହଗ୍ରସ୍ତ ହେଲେ ତାହା କୀର୍ତ୍ତିପ୍ରଦାୟକ କିମ୍ବା ସ୍ୱର୍ଗପ୍ରଦାୟକ ହୁଏନି, କାରଣ ଏହା ନିଜସ୍ୱ କର୍ମ କ୍ଷେତ୍ରରେ ନପୁଂସକତା ପ୍ରାପ୍ତ କରାଇଥାଏ । ତେଣୁ ହୃଦୟରେ ଜାଗି ଉଠିଥିବା ତୁଚ୍ଛ ଦୁର୍ବଳତାକୁ ତ୍ୟାଗ କରି ଯୁଦ୍ଧ କରିବାକୁ ଆଗଭର ହୁଅ ।
ଏତାଦୄଶ ଅବସ୍ଥାକୁ ବିଜ୍ଞାନ ଭାଷାରେ କଣିକା ଜଗତ(Particle World) ର ଦୄଷ୍ଟାନ୍ତ ଦିଆଯାଇପାରେ । ଏଠାରେ ହିଗ୍ସ ବୋସନ୍(Higgs Boson)/ଈଶ୍ୱର କଣିକା(God Particle) ର କ୍ଷେତ୍ରକୁ ମୋହଗ୍ରସ୍ତତାର କ୍ଷେତ୍ର ଓ ଅର୍ଜୁନଙ୍କୁ ଫୋଟନ୍( Photon) ସହ ତୁଳନା କରିବାର ଯଥାର୍ଥତା ବୋଧ ହେଉଛି । ହିଗ୍ସ ବୋସନ୍ କ୍ଷେତ୍ର ସହ ଯେଉଁ କଣିକା ଯେତେ ମାତ୍ରାରେ ପାରସ୍ପରିକ କ୍ରିୟାରେ ସଂଯୁକ୍ତ ହୁଏ ସେହି ମାତ୍ରାରେ କଣିକାଟିର ବସ୍ତୁତ୍ୱ ବୄଦ୍ଧି ପାଏ । ଏହାହିଁ ପ୍ରାଥମିକ ସ୍ତରରେ ସୃଷ୍ଟି ହୋଇଥିବା ବସ୍ତୁତ୍ୱହୀନ କଣିକା ବସ୍ତୁତ୍ୱ ପ୍ରାପ୍ତ ହେବାର କାରଣ ଅଟେ । ବସ୍ତୁତ୍ୱ ବୄଦ୍ଧିକୁ ଏଠାରେ ମୋହଗ୍ରସ୍ତତାର ବୄଦ୍ଧି ସହ ତୁଳନା କରାଯାଇଛି । କିନ୍ତୁ ଆଲୋକ ବିକିରଣର ଫୋଟନ୍ କଣିକା ବୋସନ୍ କ୍ଷେତ୍ର ସହ ଆଦୌ ପାରସ୍ପରିକ କ୍ରିୟା ସମ୍ପାଦନ କରି ନଥାଏ । ତେଣୁ ଏହାର ବସ୍ତୁତ୍ୱ ନଥାଏ ଓ ଆଲୋକର ଉପାଦାନ ଅର୍ଥାତ୍ ଶକ୍ତି ପୁଡିଆ (Energy Packet)) ରୂପେ ଓ ଉପଯୁକ୍ତ ପରିସ୍ଥିତିରେ ବସ୍ତୁତ୍ୱ ଥିବା କଣିକା ପରି କାର୍ଯ୍ୟ କରି ନିଜର କର୍ତ୍ତବ୍ୟକର୍ମ କରିଚାଲିଥାଏ, ତାହାହେଲା ଆଲୋକର ବେଗରେ ଅହରହ ଗତି କରିବା । ସେହି ଧାରାରେ ଅର୍ଜୁନ ଫୋଟନ୍ ସଦୄଶ ମୋହଗ୍ରସ୍ତତାର ବଳୟ ସହ ପାରସ୍ପରିକ ସମ୍ପର୍କ ଚ୍ଛିନ୍ନ କରି ନିଜର କର୍ତ୍ତବ୍ୟକର୍ମ ଅର୍ଥାତ୍ ଯୁଦ୍ଧ କରିବା ନିମିତ୍ତ ଆଗୁସାର ହେବ ଓ ବିଷାଦଗ୍ରସ୍ତତାରୁ ମୁକ୍ତହେବ । ଏହାହିଁ ବିଜ୍ଞାନର ପରିଭାଷାରେ ଈଶ୍ୱରୀୟ ଚେତନା ।
ଅର୍ଜୁନ ଉବାଚ
କଥଂ ଭୀଷ୍ମମହଂ ସଂଖ୍ୟେ ଦ୍ରୋଣଂ ଚ ମଧୁସୂଦନ ।
ଇଷୁଭିଃ ପ୍ରତିଯୋତ୍ସ୍ୟାମି ପୂଜାର୍ହାବରିସୂଦନ ॥୪॥
ଗୁରୂନହତ୍ୱା ହି ମହାନୁଭାବାନ୍ — ଶ୍ରେୟୋ ଭୋକ୍ତୁଂ ଭୈକ୍ଷ୍ୟମପୀହ ଲୋକେ ।
ହତ୍ୱାର୍ଥକାମାଂସ୍ତୁ ଗୁରୂନିହୈବ — ଭୁଞ୍ଜୀୟ ଭୋଗାନ୍ ରୁଧିରପ୍ରଦିଗ୍ଧାନ ॥୫॥
ବିଷାଦଗ୍ରସ୍ତ ଅର୍ଜୁନ କହିଲେ ଯେ, ମହାନୁଭବ ଗୁରୁଜନ ତଥା ପୂଜନୀୟ ପିତାମହ ଓ ଦ୍ରୋଣାଚାର୍ଯ୍ୟଙ୍କ ବିରୁଦ୍ଧରେ ମୁଁ କିପରି ବାଣ ମାରିବି ? ସେମାନଙ୍କୁ ବଧ କରି ସେମାନଙ୍କ ରକ୍ତସିକ୍ତ ଅର୍ଥ ଓ କାମରୂପୀ ଭୋଗସାମଗ୍ରୀ ଭୋଗକରିବା ଅପେକ୍ଷା ଭିକ୍ଷାବୃତ୍ତି କରିବା କଲ୍ୟାଣକର ହେବ ବୋଲି ସେ ଅନୁଭବ କରୁଛି ।
ନ ଚୈତଦ୍ବିଦ୍ମଃ କତରନ୍ନୋ ଗରୀୟୋ — ଯଦ୍ବା ଜୟେମ ଯଦି ବା ନୋ ଜୟେୟୁଃ ।
ଯାନେବ ହତ୍ୱା ନ ଜିଜୀବିଷାମ- — ସ୍ତେବସ୍ଥିତାଃ ପ୍ରମୁଖେ ଧାର୍ତ୍ତରାଷ୍ଟ୍ରାଃ ॥୬॥
ଆମର ଯୁଦ୍ଧ କରିବା ଓ ନ କରିବା ମଧ୍ୟରୁ କେଉଁଟି ଶ୍ରେଷ୍ଠ ତାହା ଆମେ ଜାଣି ନାହୁଁ । ଯୁଦ୍ଧର ପରିଣାମ ଆମକୁ ଅଜଣା ହେଲେବି ସମ୍ମୁଖରେ ଦଣ୍ଡାୟମାନ ଆତ୍ମୀୟ କୌରବ ମାନଙ୍କୁ ମାରି ନିଜର ବଞ୍ଚିବାର ଲାଳସା ତାଙ୍କ ମନରେ ଆଦୌ ଉଙ୍କି ମାରୁନାହିଁ ।
କାର୍ପଣ୍ୟଦୋଷପହତସ୍ୱଭାବଃ ……… ପୃଚ୍ଛାମି ତ୍ୱାଂ ଧର୍ମସଂମୂଢଚେତାଃ ।
ଯତ୍ ଶ୍ରେୟଃ ସ୍ୟାନିଶ୍ଚିତଂ ବ୍ରୁହି ତନ୍ମେ ……… ଶିଷ୍ୟସ୍ତେହଂଶାଧି ମାଂ ତ୍ୱାଂ ପ୍ରପନ୍ନମ୍ ॥୭॥
ନ ହି ପ୍ରପଶ୍ୟାମି ମମାପନୁଦ୍ୟାଦ୍ ………. ଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍ ।
ଅବାପ୍ୟ ଭୂମାବସପତ୍ନମୃଦ୍ଧଂ ………… ରାଜ୍ୟଂ ସୁରାଣାମପି ଚାଧିପତ୍ୟମ୍ ॥୮॥
ତେଣୁ ଏତାଦୃଶ କାପୁରୁଷତାରୂପକ ଦୋଷହେତୁ ନଷ୍ଟସ୍ୱଭାବଯୁକ୍ତ ତଥା ଧର୍ମ ବିଷୟରେ ମୋହିତଚିତ୍ତ ହୋଇଥିବା ମୁଁ(ଅର୍ଜୁନ) ଆପଣଙ୍କୁ ପଚାରୁଛି, ମୋ ପକ୍ଷରେ କ’ଣ କରିବା ନିଶ୍ଚିତ କଳ୍ୟାଣକର, ତାହା ମୋତେ କହନ୍ତୁ, କାରଣ ମୁଁ ଆପଣଙ୍କ ଶିଷ୍ୟ । ମୋପରି ଶରଣାଗତକୁ ଆପଣ ଉପଦେଶ ଦିଅନ୍ତୁ କହି ବ୍ୟାକୁଳତା ପ୍ରକାଶ କଲେ । ଏପରିକି ଇହଲୋକରେ ନିଷ୍କଣ୍ଟକ, ଧନଧାନ୍ୟସମ୍ପନ୍ନ ରାଜ୍ୟ ଏବଂ ଦେବତାମାନଙ୍କର ଆଧିପତ୍ୟ ପାଇଗଲେ ମଧ୍ୟ ମୁଁ ମୋର ଇନ୍ଦ୍ରିୟମାନଙ୍କୁ ନିସ୍ତେଜ କରିଦେଇଥିବା ଶୋକାଭିଭୂତ ପ୍ରତିକ୍ରିୟାକୁ ଦୂର କରିପାରିବା ପରି କୌଣସି ଉପାୟ ଦେଖିପାରୁନାହିଁ ।
ସଞ୍ଜୟ ଉବାଚ
ଏବମୁକ୍ତ୍ୱା ହୃଷୀକେଶଂ ଗୁଡ଼ାକେଶଃ ପରଂତପ ।
ନ ଯୋତ୍ସ୍ୟ ଇତି ଗୋବିନ୍ଦମୁକ୍ତ୍ୱା ତୂଷ୍ଣୀ ବଭୂବ ହ ॥୯॥
ତମୁବାଚ ହୃଷୀକେଶଃ ପ୍ରହସନ୍ନିବ ଭାରତ ।
ସେନୟୋରୁଭୟୋର୍ମଧ୍ୟେବିଷୀଦନ୍ତମିଦଂ ବଚଃ ॥୧୦॥
ସଞ୍ଜୟ କହିଲେ – ହେ ରାଜନ୍ ! ନିଦ୍ରାଜୟୀ ଅର୍ଜୁନ ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣଙ୍କୁ ଏପରି କହିଲେ ଏବଂ ଶ୍ରୀ ଗୋବିନ୍ଦ ଭଗବାନଙ୍କୁ ‘ଯୁଦ୍ଧ କରିବି ନାହିଁ’ ବୋଲି ସ୍ପଷ୍ଟଭାବରେ କହିଦେଇ ଚୁପ୍ ହୋଇଗଲେ । ଏହା ହିଁ ଅର୍ଜୁନଙ୍କର ଏକ ଦୋଦୁଲ୍ୟମାନ ଓ ସଙ୍କଟାପନ୍ନ ମାନସିକ ଅବସ୍ଥା ଯାହା ତାଙ୍କ ଶରୀରକୁ ଶୀଥିଳ କରିଥିଲା । ନିଷ୍କାମ ଚିତ୍ତରେ ସେ ଅଭିଭୂତ ହୋଇ ଯୁଦ୍ଧ କରିବାରୁ ବିମୁଖ ହୋଇ ଉଠିଥିଲେ ।
ପ୍ରାପ୍ତ ବାରୁଣାବନ୍ତକୁ ପଶାଖେଳରେ ହରାଇ ଓ ସର୍ତ୍ତାନୁଯାୟୀ ଦ୍ୱାଦଶ ବର୍ଷ ବନବାସ ସହ ଏକବର୍ଷ ଅଜ୍ଞାତବାସ ସମ୍ପୂର୍ଣ୍ଣ କରିବାପରେ ବି ନିଜ ଧର୍ମସିଦ୍ଧ ଅଧିକାରରୁ ବଞ୍ଚିତ ହେବା ଓ ଶେଷରେ ଶ୍ରୀକୄଷ୍ଣଙ୍କ ପ୍ରସ୍ତାବିତ ପାଞ୍ଚଖଣ୍ଡ ଗ୍ରାମ ମଧ୍ୟ ଦୁର୍ଯ୍ୟୋଧନର ଯୁଦ୍ଧଂ ଦେହି ଡାକରାରେ ନିରସ୍ତ୍ର ପଛରେ ଧୃତରାଷ୍ଟ୍ରଙ୍କ ସମର୍ଥନରୁ ଉତ୍ପନ୍ନ ସମ୍ମୁଖ ଧର୍ମଯୁଦ୍ଧ କରିବାର ବଳରେ ସେ ଆଜି କୁରୁକ୍ଷେତ୍ରରେ ଉପସ୍ଥିତ । କିନ୍ତୁ ପର ମୂହୁର୍ତ୍ତରେ ମୋହଗ୍ରସ୍ତତା ରୂପୀ ବଳର ପ୍ରଭାବରେ ଅର୍ଜୁନ ଏକ ତ୍ରିଶଙ୍କୁ ଅବସ୍ଥାରେ ଉପନୀତ । ତେଣୁ ଧର୍ମ ପ୍ରତିଷ୍ଠା ନିମିତ୍ତ କୄଷ୍ଣାବତାରଙ୍କ ମୁଖ ନିଷ୍କୄତ ପରିଭାଷାର ପ୍ରବାହ ହିଁ ମହାଜାଗତିକ ବଳ ରୂପେ ପ୍ରବାହିତ ହୋଇଛି ଅର୍ଜୁନଙ୍କ ମୋହଭଙ୍ଗ ପାଇଁ ।
ଅର୍ଜୁନର ଏତାଦୄଶ ଅବସ୍ଥା ଓ ବିଜ୍ଞାନର ସୂକ୍ଷ୍ମତତ୍ତ୍ୱ ଅର୍ଥାତ୍ ମୌଳିକ ପଦାର୍ଥ(Elements)ଗୁଡିକର ନାଭିକୀୟ ସଂରଚନା(Nuclear Construction)ରେ ଯୁକ୍ତ ଦୁଇପ୍ରକାର ବଳ ଏଠାରେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଉଠେ । ପାରମାଣବିକ ନାଭିକ(Atomic Nucleus)ର ନିୟୁକ୍ଲିୟନ(Nucleon – proton or neutron) ଗୁଡିକ ଏକ ଆକର୍ଷିତ ସମଷ୍ଟିଗତ ବନ୍ଧନବଳ(Binding Energy) ଦ୍ୱାରା ଦୄଢ(rigid) ପରିବେଷ୍ଟନୀ ସୃଷ୍ଟି କରିଥାଏ । ଏହି ବଳ ପ୍ରୋଟନ୍ – ନିଉଟ୍ରନ୍, ନିଉଟ୍ରନ୍ – ନିଉଟ୍ରନ୍ ଓ ପ୍ରୋଟନ୍ – ପ୍ରୋଟନ୍ ମଧ୍ୟରେ ସୃଷ୍ଟି ହୋଇଥାଏ । ଏହାକୁ ସବଳ ପାରମାଣବିକ ନାଭିକିୟ ବଳ(Strong Nuclear Force) କୁହାଯାଏ । ଏହା ବୈଦ୍ୟୁତିକ ଚାର୍ଜ ବଳ ଅଧିନସ୍ତ ନୁହେଁ(Charge Independence) । କିନ୍ତୁ ଦ୍ୱିତୀୟ ବଳ ରୂପେ ପ୍ରୋଟନ୍ – ପ୍ରୋଟନ୍ ମଧ୍ୟରେ ବୈଦ୍ୟୁତିକ କୁଲମ୍ବ ବିକର୍ଷିତ ବଳ(Coulomb Repulsive Force) ନାଭିକ ମଧ୍ୟରେ ତିଷ୍ଠି ରହିବା ସ୍ୱାଭାବିକ । ଉଭୟ ବଳ ପରସ୍ପର ବିରୋଧୀ । ପାରମାଣବିକ ନାଭିକର ଦୄଢ ଆକର୍ଷଣ ବନ୍ଧନବଳ ଓ ଏହାର ଗୋଲାକାର ରୂପରେଖରୁ ପ୍ରତିବିମ୍ବିତ ହୁଏ ସ୍ଥୂଳ ଜଗତ ଅର୍ଥାତ୍ ବିଶ୍ୱର ସନ୍ତୁଳିତ ବିନ୍ୟାସ(Symmetric Nature), ଯାହା ପ୍ରକୄତିର ଗାଠନିକ ସ୍ୱରୂପ ଅଟେ । ପ୍ରକୄତିର ସବୁକିଛି ବର୍ତ୍ତୁଳାକାର ଓ ଏହା ସର୍ବନିମ୍ନ ଶକ୍ତିସ୍ତରର ପରିମାପକ ଅଟେ । ବର୍ତ୍ତୁଳାକାର ସ୍ୱରୂପ ହିଁ ସର୍ବନିମ୍ନ ପୃଷ୍ଠତଳ ଅଞ୍ଚଳକୁ ଦଖଲ କରିବାକୁ ବୁଝାଏ । ଏହା ଦୀର୍ଘସ୍ଥାୟୀ ଓ ଏହା ହିଁ ପ୍ରାକୄତିକ ପରିଭାଷା ବା ‘ସର୍ବେ ଭବନ୍ତୁ ସୁଖୀନ …… ‘ ର ବାର୍ତ୍ତା । ଅର୍ଜୁନଙ୍କ ମନରେ ଜାତ ହୋଇଥିବା ମୋହଗ୍ରସ୍ତତା ଯୁକ୍ତ ଭାବପ୍ରବଣତାରେ ଭରି ରହିଛି ଅତିମାନବୀୟତା । ଏଥିପାଇଁ ସେ ନିଜର ଅଧିକାର ପ୍ରାପ୍ତକୁ ତୁଚ୍ଛ ମଣିଛନ୍ତି । ନଚେତ୍ ମହାବିନାଶ ଅବଶ୍ୟମ୍ଭାବୀ । ମାତ୍ର ପାଞ୍ଚଖଣ୍ଡ ଗ୍ରାମ ପାଞ୍ଚଭାଇଙ୍କୁ ମୁଣ୍ଡ ଗୁଞ୍ଜିବାକୁ ନଦେଲେ ନାହିଁ, କିନ୍ତୁ ଜ୍ୟେଷ୍ଠ ତାତଙ୍କ ପୁତ୍ର, ଗୁରୁ, ପିତାମହ ଓ ଯୁଦ୍ଧରେ ଭାଗନେଇଥିବା ସମସ୍ତ ବନ୍ଧୁ – ବାନ୍ଧବ ଆଦିଙ୍କୁ ବଧକରି ରାଜ୍ୟପ୍ରାପ୍ତ ଏପରିକି ପୄଥିବୀପତି ହେଲେ ବି ଆନନ୍ଦ ପରିବର୍ତ୍ତେ ଘୋର ଅବସାଦରେ ହିଁ ଜୀବନ ଅତିବାହିତ କରିବା ସାର ହେବ । କୌରବ ଭାଇମାନେ ବରଂ ରାଜ୍ୟ ଶାସନ କରନ୍ତୁ, ଆମେ ପାଞ୍ଚଭାଇ ପୁନଃ ଜଙ୍ଗଲରେ ବାସକରି ଭିକ୍ଷାବୄତ୍ତି କରିବା ଆମପାଇଁ ଶାନ୍ତିଦାୟକ ହେବ । ଏହା ଥିଲା ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଅର୍ଜୁନଙ୍କ ନିଷ୍କପଟ ବାର୍ତ୍ତା । ଅର୍ଥାତ୍ “ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ “। ପରନ୍ତୁ ଅର୍ଜୁନ ମୋହଗ୍ରସ୍ତତାର ଶୀକାର ହୋଇ ଜାଣିପାରୁ ନଥିଲେ ଯେ ଏହା ଯୁଗ ଯୁଗ ପାଇଁ ପ୍ରକୄତିର ସାମ୍ୟତାକୁ ନଷ୍ଟ କରି କରି ଚାଲିବ । ଫଳରେ ସମଗ୍ର ସୄଷ୍ଟି ଧ୍ୱଂସ ହେବ । ବିଜ୍ଞାନ ଭାଷାରେ ଦୄଢ ନାଭିକୀୟ ଆକର୍ଷଣ ବଳ ହେଉଛି ଭଲ ପାଇବାର ନିଦର୍ଶନ । ଏହା ହିଁ ପାରମାଣବିକ ନାଭିକର କଣିକା ଗୁଡିକୁ ବିନା ବାଛ ବିଚାରରେ ସ୍ନେହ ଓ ଶ୍ରଦ୍ଧାର ରଜ୍ଜୁରେ ବାନ୍ଧି ରଖିଥାଏ । ଏହା ପାଣ୍ଡବମାନଙ୍କ ଆଦର୍ଶବୋଧତା । କିନ୍ତୁ କୁଲମ୍ବ ବିକର୍ଷଣୀୟ ବଳ ହେଉଛି କୌରବମାନଙ୍କ ଗୁଣ ସ୍ୱରୂପ । ବାଛ ବିଚାର ପରି ହିଁ ପ୍ରୋଟନ କଣିକା ଗୁଡିକ (କୌରବଗଣ) ବିକର୍ଷଣୀୟ ବୈଦ୍ୟୁତିକ ବଳ ସଦୄଶ ପାଣ୍ଡବମାନଙ୍କ ଭଲ ପାଇବାକୁ ଧ୍ୱଂସ କରି ସେମାନଙ୍କ ଯନ୍ତ୍ରଣାର କାରଣ ସାଜିଛନ୍ତି । “ବୈକୁଣ୍ଠ ସମାନ ଆହା ଅଟେ ସେହି ଘର – ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର” ରୂପୀ ସୄଷ୍ଟିରେ ସାମ୍ୟତା ରଖୁଥିବା ପରମାଣବିକ ନାଭିକକୁ ଭାଙ୍ଗିବାରେ କୌରବ ରୂପୀ ପ୍ରୋଟନ୍ ଗୁଡିକର ସାମୁହିକ ବିକର୍ଷଣ ବଳ ଅହରହ ଚେଷ୍ଟା ରତ । ଯେପରି ପରିବାରରେ ସର୍ବେ ସୁସ୍ଥ ଚିନ୍ତାଧାରାରେ ସକାରାତ୍ମକ ହୋଇ ପରସ୍ପର ସ୍ନେହ ଓ ଶ୍ରଦ୍ଧାର ବଳୟରେ ପରିବାରକୁ ଦୄଢ ଓ ଆଦର୍ଶ କରି ଗଢି ତୋଳନ୍ତି ଓ ଏ ସସାଗରାକୁ ଏକ ପରିବାର ରୂପେ ମଣନ୍ତି । କିନ୍ତୁ ଯଦି ପରିବାରରେ କୌଣସି ଜଣେ ନକାରାତ୍ମକ ରହିଲା, ତେବେ ପରିବାରଟି ଧିରେ ଧିରେ ଭାଙ୍ଗିଯାଏ । ଏଠାରେ କୌରବଗଣ ପାରମାଣବିକ ନାଭିକ ରୂପୀ ଯୌଥ ପରିବାରରେ ନିଜସ୍ୱ ଚକ୍ରାନ୍ତ ଅର୍ଥାତ୍ ବୈଦ୍ୟୁତିକ ବିକର୍ଷଣ ବଳ ସଦୄଶ ଧ୍ୱଂସକାରୀ ଓ ପାଣ୍ଡବଗଣ ନାଭିକରେ ମହାକର୍ଷଣୀୟ ବଳ ସଦୄଶ ଗଠନକାରୀ ଆଟନ୍ତି । ଏକ ସମୟ ଆସେ ଯେତେବେଳେ ସାମୁହିକ ବିକର୍ଷଣ ବଳ ଅଧିକ ହୁଏ ସାମୁହିକ ଆକର୍ଷଣ ବଳଠାରୁ, ଅର୍ଥାତ୍ ନାଭିକଟି ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଏ ଓ ଏହାକୁ ନିଉକ୍ଲିୟର୍ ଫିସନ୍(Nuclear Fission) କୁହାଯାଏ । ଏହି ଆଣବିକ ପ୍ରକ୍ରିୟାରୁ ଉତ୍ପନ୍ନ ମହା ବିନାଶକାରୀ ଶକ୍ତି ଜୀବଜଗତକୁ ଧ୍ୱଂସ ଓ ପଙ୍ଗୁ କରିଦିଏ । ସେହିପରି ଆଣବିକ ବିସ୍ଫୋରଣ ଶକ୍ତି ସ୍ୱରୂପ କୌରବଙ୍କ ଇର୍ଷାର କ୍ରୋଧାଗ୍ନି ସୄଷ୍ଟି କରିଛି କୁରୁ ରଣାଙ୍ଗନରେ ବିନାଶକାରୀ ପରିସ୍ଥିତି । ଏହାକୁ ଏଡାଇବା ନିମିତ୍ତ ବିଶ୍ୱର ସର୍ବ ପ୍ରାଣୀଙ୍କ ଭୂତ, ଭବିଷ୍ୟ ଓ ବର୍ତ୍ତମାନର ନିୟନ୍ତ୍ରକ, ବିଶ୍ୱରେ ସାମ୍ୟତା ଓ ସ୍ଥିରତା ବଜାୟ ରଖିବାଲୁ ଯାଇ ପାଣ୍ଡବ ମାନଙ୍କ ପକ୍ଷରୁ ଶାନ୍ତିଦୂତ ରୂପେ ହସ୍ତିନା ପୁରକୁ ଯାଇଥିଲେ ଭଗବାନ କୄଷ୍ଣ । ଶାନ୍ତିଦୂତଙ୍କ ପ୍ରସ୍ତାବ ବିଫଳ ହେବାରୁ ସେ ସମୟରେ ଧରାବକ୍ଷ ଅର୍ଥାତ୍ କୁରୁକ୍ଷେତ୍ରରେ ମାନବ ସମାଜ ଏକ ମହାବିନାଶର ଶୀକାର ହେଲା, ଯାହାକୁ ବିଶ୍ୱଯୁଦ୍ଧ କହିଲେ ଅତ୍ୟୁକ୍ତି ହେବନାହିଁ ।
ତେଣୁ ସଞ୍ଜୟ କହିଲେ- ହେ ଭରତବଂଶୀ ଧୃତରାଷ୍ଟ୍ର ! ଶୋକଗ୍ରସ୍ତ ଅର୍ଜୁନର ଉଦ୍ଗତ ଭାବନାରାଜିକୁ ପ୍ରତିହତ କରିବା ନିମନ୍ତେ ଶ୍ରୀକୃଷ୍ଣ ସ୍ମିତହାସ୍ୟ ବଦନରେ ନିମ୍ନମତେ ଅର୍ଜୁନକୁ କହିଲେ :-
ଶ୍ରୀଭଗବାନୁବାଚ
ଅଶୋଚ୍ୟାନନ୍ୱଶୋଚସ୍ତ୍ୱଂ ପ୍ରଜ୍ଞାବାଦାଂଶ୍ଚ ଭାଷସେ ।
ଗତାସୂନଗତାସୂଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ ॥୧୧॥
ହେ ଅର୍ଜୁନ ! କୌଣସି ସଦ୍ଜ୍ଞାନୀ ବ୍ୟକ୍ତି ମୃତ, ମୃତ୍ୟୁ ଅବଶ୍ୟମ୍ଭାବୀ କିମ୍ବା ଜୀବିତଥିବା ସମ୍ପର୍କୀୟ ଅଥବା ଅନ୍ୟ କାହା ପାଇଁ ମଧ୍ୟ ଶୋକଗ୍ରସ୍ତ ହୁଅନ୍ତି ନାହିଁ । କିନ୍ତୁ ତୁମେ ସେମାନଙ୍କ ପାଇଁ ଶୋକ କରୁଛ ଓ ପଣ୍ଡିତଙ୍କ ପରି କଥା କହୁଛ ।
ନ ତ୍ୱେବାହଂ ଜାତୁ ନାସଂ ନ ତ୍ୱଂ ନେମେ ଜନାଧିପାଃ ।
ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରମ୍ ॥୧୨॥
ଅର୍ଥାତ୍ ଅତୀତରେ କୃଷ୍ଣାର୍ଜୁନ ଥିଲେ, ଏବେ ଅଛନ୍ତି ଓ ଭବିଷ୍ୟତରେ ରହିବେ ଏବଂ ଏ ନିୟମ ସଭିଙ୍କ ପାଇଁ ସମାନ । ଏହାର କାରଣ ହେଲା ମୃତ୍ୟୁ ଚକ୍ରାକାର ପ୍ରକ୍ରିୟାରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହ ତାଳ ଦେଇ ଧାବମାନ ହୁଏ ।
ଦେହିନୋସ୍ମିନ୍ଯଥା ଦେହେ କୌମାରଂ ଯୌବନଂ ଜରା ।
ତଥା ଦେହାନ୍ତରପ୍ରାପ୍ତିର୍ଧୀରସ୍ତତ୍ର ନ ମୁହ୍ୟତି ॥୧୩॥
କାରଣ ଜୀବାତ୍ମା ଯୁକ୍ତ ପାର୍ଥିବ ଶରୀର ବାଲ୍ୟ, ଯୌବନ ଓ ବୃଦ୍ଧାବସ୍ଥା ଦେଇ ଗତି କରି ଜନ୍ମ ପରେ ଜନ୍ମ ଭିନ୍ନଭିନ୍ନ ଶରୀର ପ୍ରାପ୍ତ ହୋଇଥାଏ । ଏହି ଜ୍ଞାନଯୁକ୍ତ ବ୍ୟକ୍ତି ମୋହଗ୍ରସ୍ତତାର ଶୀକାର ହୁଏନି ।
ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣସୁଖଦୁଃଖଦାଃ ।
ଆଗମାପାୟିନୋନିତ୍ୟାସ୍ତାଂସ୍ତିତିକ୍ଷସ୍ୱ ଭାରତ ॥୧୪॥
ତେଣୁ ହେ କୁନ୍ତୀ ପୁତ୍ର ! ସମସ୍ତ ପ୍ରକାର ଅନୁଭବତା, ଯଥା :- ଶୀତ – ତାପ, ସୁଖ – ଦୁଃଖ ଦେଉଥିବା ଇନ୍ଦ୍ରିୟ ଓ ବିଷୟମାନଙ୍କର ସଂଯୋଗର ଉତ୍ପତ୍ତି ବିନାଶଶୀଳ ଓ ଅନିତ୍ୟ, ତେଣୁ ତୁମେ ସେସବୁକୁ ସହିଯାଅ । ସଜୀବ ଠାରେ ଏହା ଜାଗ୍ରତ ହୋଇ ମୋହଗ୍ରସ୍ତତାର କାରଣ ସୃଷ୍ଟି କରେ । ଯେହେତୁ ଜୀବ ଠାରେ ଏହା ଉତ୍ପନ୍ନ ହୁଏ, ସେହିପରି ଏହା ମଧ୍ୟ ବିନାଶଶୀଳ ଅଟେ । ଏଗୁଡିକୁ ସହି ଯିବାକୁ ବା ମନରୁ ବିନାଶ କରିବାକୁ ସେ ଅର୍ଜୁନକୁ ଦିବ୍ୟ ପରାମର୍ଶ ଦେଲେ ।
ଯଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷଂ ପୁରୁଷର୍ଷଭ ।
ସମଦୁଃଖସୁଖଂ ଧୀରଂ ସୋମୃତତ୍ୱାୟ କଳ୍ପତେ ॥୧୫॥
ମୋକ୍ଷପ୍ରାପ୍ତ ପାଇଁ ଯୋଗ୍ୟ ବ୍ୟକ୍ତିହିଁ ଧୀରପୁରୁଷ, ଯାହା ନିକଟରେ ସୁଖ – ଦୁଃଖର ଭେଦଭାବ ନଥାଏ ଅର୍ଥାତ୍ ଇନ୍ଦ୍ରିୟ ଓ ବିଷୟମାନଙ୍କର ସଂଯୋଗରେ ସେ ବ୍ୟାକୁଳତା ପ୍ରକାଶ କରେ ନାହିଁ ।
ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ ।
ଉଭୟୋରପି ଦୃଷ୍ଟୋନ୍ତସ୍ତ୍ୱନୟୋସ୍ତତ୍ତ୍ୱଦର୍ଶିଭିଃ ॥୧୬॥
ତତ୍ତ୍ୱଜ୍ଞାନୀମାନେ ଦୁଇଟି ତତ୍ତ୍ୱ ଅସତ୍ ଓ ସତ୍ରେ ସବୁକୁ ବିଚାର କରନ୍ତି, ଯଥା :-
(1) କିଛି ସମୟ ପାଇଁ ପ୍ରକଟ ବସ୍ତୁ ବା ଅସତ୍ ବସ୍ତୁ ଅସ୍ତିତ୍ୱ ବିହୀନ ହୁଏ ଅର୍ଥାତ୍ ଅସତ୍ ବସ୍ତୁର ଅସ୍ତିତ୍ୱ ନାହିଁ । ଏହାହିଁ ଜୀବ ପ୍ରାପ୍ତ ହୋଇଥିବା ବିନାଶଶୀଳ ପଞ୍ଚଭୂତ ଶରୀର ଅଟେ ।
ବିଚଳିତ ଅର୍ଜୁନର ମୋହଭଙ୍ଗ ନିମିତ୍ତ ଶ୍ରୀକୃଷ୍ଣ କହିଲେ – ହେ ଅର୍ଜୁନ ! ତୁମେ ସ୍ଥୂଳ ବନ୍ଧନ ଓ ସ୍ଥୂଳ ଚେତନାରୁ ବିମୁକ୍ତ ହୋଇ ସୂକ୍ଷ୍ମ ଦିବ୍ୟ ଚେତନାରେ ଜଡିତ ହୁଅ । ପ୍ରାପ୍ତ କର୍ମ କ୍ଷେତ୍ରରୁ ବିଚ୍ୟୁତ ନହେବାକୁ ସେ ଅର୍ଜୁନକୁ ଦିବ୍ୟ ପରାମର୍ଶ ଦେଇ ମୋହଭଙ୍ଗର ଅୟାରମ୍ଭ କରିଛନ୍ତି । ପରାମର୍ଶର ମାଧ୍ୟମ ଯଥା : – ଜୀବାତ୍ମା, ପରମାତ୍ମା, ମୋହମାୟାଯୁକ୍ତ କର୍ମ ବନ୍ଧନରୁ ମୁକ୍ତ ଓ କର୍ତ୍ତବ୍ୟକର୍ମରେ ଯୁକ୍ତ ହେବା ଆଦିକୁ ନେଇ ସାଂଖ୍ୟ ଯୋଗ ଅଧ୍ୟାୟକୁ ବୁଝାଏ ।
ଉଦାହରଣ ସ୍ୱରୂପ ଯେପରି ଆକାଶରେ ଇନ୍ଦ୍ରଧନୁ(Rain Bow) ସୃଷ୍ଟି ଏକ ଝଲକ ଅଟେ । ଆବିର୍ଭାବ ହୁଏ ଓ କିଛି ସମୟ ବ୍ୟବଧାନରେ ଏହା ଅନ୍ତର୍ଦ୍ଧାନ ହୁଏ । ପଞ୍ଚଭୂତ ଅର୍ଥାତ୍ ବାୟୁ, ଜଳ, ଆକାଶ, ପୃଥିବୀ ଓ ଅଗ୍ନିର ପରିବେଷ୍ଟନୀ ଅଥବା ବାୟୁମଣ୍ଡଳରେ ଏହାର ଚିତ୍ରପଟ୍ଟ ପ୍ରକଟ ହୁଏ ଏବଂ ଆକାଶ ପରି ଏହା ଅସ୍ପର୍ଶ ଓ ଅସ୍ତିତ୍ୱ ବିହୀନ ଅଟେ । ସୂର୍ଯ୍ୟଙ୍କ ଆଲୋକ ରଶ୍ମି(ଅଗ୍ନି ବା ଉର୍ଜ୍ଜା) ବର୍ଷା ପ୍ରଭାବରୁ ବାୟୁମଣ୍ଡଳରେ ଭାସମାନ ଥିବା ଜଳୀୟକଣାରେ ଏକ ନିର୍ଦ୍ଦିଷ୍ଟ ଦିଗରେ ଆପତିତ ଓ ପ୍ରତିସରିତ(Refracted) ହୋଇ ଦୃଶ୍ୟମାନ ବର୍ଣ୍ଣାଳୀର ସପ୍ତ ବର୍ଣ୍ଣର ଧନୁ ସଦୃଶ ଏକ ବୃତ୍ତାକାର ପ୍ରକଟ ଆକାଶରେ ସୂର୍ଯ୍ୟଙ୍କ ବିପରୀତ ଦିଗରେ ଶୋଭା ପାଏ । ଯେହେତୁ ପୃଥିବୀର ମାଧ୍ୟାକର୍ଷଣ ବଳରେ ଧାରିତ ବାୟୁମଣ୍ଡଳରେ ଏହା ଦୃଶ୍ୟ ହୁଏ, ତେଣୁ ପୃଥିବୀ ତତ୍ତ୍ୱ ସଂଯୁକ ଅଟେ । ଏହାକୁ ପ୍ରାଥମିକ(Primary) ଇନ୍ଦ୍ରଧନୁ ଓ କିଛିକ୍ଷଣ ଅନ୍ତରରେ ଆଉ ଏକ ଝାପ୍ସା ସମ ଆକୃତି ବିଶିଷ୍ଟ ଧନୁର ପ୍ରକଟ ହୁଏ, ଯାହାକୁ ଦ୍ୱିତୀୟକଃ(Secondary)) ଇନ୍ଦ୍ରଧନୁ କୁହାଯାଏ । ଏଥିରେ ବର୍ଣ୍ଣର ଧାରା ପ୍ରାଥମିକ ଧନୁର ବିପରୀତ ଅଟେ । ଅର୍ଥାତ୍ -ବାଘନୀସହନାଲା(VIBGYOR) ରୁ ନାଲାହସନୀଘବା(ROYGBIV) ଅଟେ । ଉଭୟ କିଛିସମୟ ପାଇଁ ପ୍ରକଟିତ ହୋଇ ପୁନଃ ଅନ୍ତର୍ଦ୍ଧାନ ହୁଅନ୍ତି । ତେବେ ପ୍ରାଥମିକ ଓ ଦ୍ୱିତୀୟକ ଇନ୍ଦ୍ରଧନୁ ଦେଖିବାକୁ ଏକା ଭଳି, କିନ୍ତୁ ବର୍ଣ୍ଣ ଧାରାରେ ଓଲଟା । ଏଠାରେ ଦ୍ୱିତୀୟକଃ ଇନ୍ଦ୍ରଧନୁକୁ ଯଦି ପ୍ରତିଇନ୍ଦ୍ରଧନୁ (Anti Rain Bow)ରୂପେ ଚିନ୍ତା କରାଯାଏ ତାହା ସୂକ୍ଷ୍ମ କଣିକା ଜଗତରେ ମଧ୍ୟ ପ୍ରତିଫଳିତ ହୁଏ । ଅର୍ଥାତ୍ କଣିକା(Particle)ର ପ୍ରତିକଣିକା(Anti Particle), ଯଥା – ଇଲେକ୍ଟ୍ରନ୍ର ପଜିଟ୍ରନ୍(positron), ପ୍ରୋଟନ୍ର ପ୍ରତିପ୍ରୋଟନ୍ ….. ଇତ୍ୟାଦି । ଏଗୁଡିକ ବସ୍ତୁତ୍ୱରେ ସମାନ, କିନ୍ତୁ ବୈଦ୍ୟୁତିକ ଚାର୍ଜ କିମ୍ବା ଅନ୍ୟ କିଛି ମାପକରେ ଓଲଟା ହୋଇଥାନ୍ତି । ସେହି ଭାବରେ ପ୍ରତ୍ୟେକ ସୄଷ୍ଟିର ଅତି କମ୍ରେ ଏକ ପ୍ରତିସୄଷ୍ଟି(Anti creation)ର ସମ୍ଭାବନା ମନରେ ଜାଗ୍ରତ ହେବା ସ୍ୱାଭାବିକ । ତେଣୁ ନିଜ ଭଳି ଦେଖାଯାଉଥିବା ଅନ୍ୟ କିଏ ଜଣେ ବା ପ୍ରତିମାନବ ଏ ଦୁନିଆଁରେ ଥାଇପାରେ । ଦୁହିଙ୍କ ମଧ୍ୟରେ ସବୁ ସମାନ ଥାଇ କୌଣସି ଏକ କ୍ଷେତ୍ରରେ ଲୁକ୍କାୟିତ ବା ଦୄଶ୍ୟମାନ ଗୁଣ-ଧର୍ମରେ ବିପରୀତ ହୋଇଥାଇ ପାରନ୍ତି । ଏହା ଏକ ସମ୍ଭାବନାର ଚିତ୍ରଣ ମାତ୍ର । ଉଭୟ ଇନ୍ଦ୍ରଧନୁ ଏହା ଦର୍ଶାନ୍ତି ଯେ ଏ ମର ଜଗତରେ ପ୍ରକଟ ଜୀବ ବିନାଶଶୀଳ ଅଟେ । ପରନ୍ତୁ ଦୃଶ୍ୟମାନ ପଞ୍ଚଭୂତ ଶରୀର ତିଷ୍ଠି ରହିବାର ସମୟ ବ୍ୟବଧାନରେ ସମାନତା ନଥାଏ । ଏଠାରେ ସୂର୍ଯ୍ୟ କିରଣ ବା ଅଗ୍ନି ତତ୍ତ୍ୱର ଅଭାବରୁ ଇନ୍ଦ୍ରଧନୁ ଅନ୍ତର୍ଦ୍ଧାନ ହୁଏ । କାରଣ ପଞ୍ଚଭୂତ ମଧ୍ୟରୁ କୌଣସି ଏକ ଭୂତର ଅପସାରଣ ଘଟିଲେ ଏହାହିଁ ହୁଏ । ଏହା ଦର୍ଶକ ମନରେ ସୃଷ୍ଟି ଓ ସୃଷ୍ଟି ବିନାଶଶୀଳ ବୋଲି ଦର୍ଶାଇ ଉଭେଇ ଯାଏ । ଏହା ସମାଜକୁ ମୋହଗ୍ରସ୍ତତାରୁ ଯେତେ ଦୂର ସମ୍ଭବ ନିଜକୁ ଦୂରେଇ ରଖିବାକୁ ନିରବ ବାର୍ତ୍ତା ଦିଏ । ମୁଁ, ମୋ’ର ଆଦି ଅନିତ୍ୟ ଓ ନିଶ୍ଚିତ ମୃତ୍ୟୁକୁ ଜାଣି ତାହାକୁ ଏଡାଇ ନିଜର ଓ ପରିବାର ବର୍ଗଙ୍କ ପାଇଁ ଅନ୍ୟାୟ ପଥରେ କଳେ ବଳେ କୌଶଳେ ପ୍ରତିଷ୍ଠିତ ହେବାର ଦୁର୍ବାର ଲାଳସାରେ ସମାଜକୁ ଅସ୍ତବ୍ୟସ୍ତ ନକରିବାକୁ ଏ ଇନ୍ଦ୍ରଧନୁ ଏକ ଜାଗ୍ରତ ପ୍ରହରୀ ସଦୃଶ ଆକାଶରେ ଉଙ୍କି ମାରେ । ଇନ୍ଦ୍ରଧନୁ ସତେକି ମର ଜଗତକୁ ଚେତାଇ ଦେଉଛି :- ହେ ମର୍ତ୍ତ୍ୟବାସୀ ! ମୁଁ କିଛି ସମୟ ପାଇଁ ପ୍ରକଟ ବସ୍ତୁ ବା ଅନିତ୍ୟ ହୋଇଥିବାରୁ ଅସ୍ତିତ୍ୱ ବିହୀନ ହେଉଛି । ମୁଁ ପଞ୍ଚଭୂତର ପ୍ରକ୍ରିୟାକରଣରୁ ଆବିର୍ଭାବ ଓ କୌଣସି ରିପୁ କବଳରେ ନରହି ସଭିଙ୍କ ମନକୁ ଦିବ୍ୟାନନ୍ଦରେ ଆନନ୍ଦିତ କରି ପୁନଃ ମୃତ୍ୟୁ ବରଣ କରୁଛି, ସେହି ଭାବଧାରାରେ ନିଜ ନିଜ ଜୀବନ କାଳରେ ନିୟୋଜିତ ହେବାହିଁ ବିଶ୍ୱ ମଙ୍ଗଳ କାରକ ଅଟେ । ଏହା ପ୍ରତ୍ୟେକ ଜୀବକୁ ଉଚ୍ଚ ସୋପାନକୁ ଉନ୍ନୀତ କରାଇବ ଅଥବା ଜନ୍ମ – ମୃତ୍ୟୁ ଚକ୍ରରୁ ନିସ୍ତାର କରାଇ ପରମାତ୍ମାଙ୍କ ସହ ମିଳିତ କରାଇବ । ଅନ୍ୟାୟକୁ ପ୍ରତିରୋଧ ନକରିବା ବା ଅନ୍ୟାୟ ନିକଟରେ ନତମସ୍ତକ ହେବା ଅତିମୋହଗ୍ରସ୍ତତାକୁ ବୁଝାଏ । ନିଜର ନ୍ୟାୟଯୁକ୍ତ ହକ୍ର ପ୍ରାପ୍ୟ ନିମନ୍ତେ ଏଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ”ବିନା ଯୁଦ୍ଧେ ଦେବିନାହିଁ ସୂଚ୍ୟଗ୍ରେ ମେଦିନୀ”ର ଉଚିତ୍ ଜବାବ୍ ଦେବାରେ ମୋହମାୟାକୁ ମନରୁ ତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଅତିମୋହଗ୍ରସ୍ତତାର ଶୀକାର ହୋଇଛନ୍ତି ରାଜା ଧୃତରାଷ୍ଟ୍ର । ଯେହେତୁ ରାଜାଙ୍କ ଅତିମୋହଗ୍ରସ୍ତତା ମହାବିନାଶର କାରଣ ହୋଇଛି, ତେଣୁ ଶ୍ରୀମଦ୍ଭଗବଦ୍ଗୀତାର ପ୍ରଥମ ଅଧ୍ୟାୟରେ ପ୍ରଥମ ଶ୍ଳୋକରେ ସେ କହିଲେ ହେ ସଞ୍ଜୟ ! କୁରୁକ୍ଷେତ୍ରରେ ଯୋଦ୍ଧା ମାନେ ଉପସ୍ଥିତ ଅଛନ୍ତି । ମୋ ପୁତ୍ର ଓ ପାଣ୍ଡୁପୁତ୍ର ମାନେ କ’ଣ କରୁଛନ୍ତି ? ଅର୍ଥାତ୍,
ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ ।
ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ ॥
ପୁନଶ୍ଚ ଦ୍ୱିତୀୟକ ଇନ୍ଦ୍ରଧନୁ ଦର୍ଶାଏ ଯେ ଏ ବିଶ୍ୱରେ ପ୍ରତ୍ୟେକ ସୄଷ୍ଟିର ଏକ ପ୍ରତିସୄଷ୍ଟି ଥିବାର ସମ୍ଭାବନା ରହୁଛି ।
(2) ସତ୍ ବସ୍ତୁର ଅଭାବ ନାହିଁ ।
ଅବିନାଶି ତୁ ତଦ୍ବିଦ୍ଧି ଯେନ ସର୍ବମିଦଂ ତତମ୍ ।
ବିନାଶମବ୍ୟୟସ୍ୟାସ୍ୟ ନ କଶ୍ଚିତ୍ କର୍ତ୍ତୁମର୍ହତି ॥୧୭॥
ସତ୍ ବସ୍ତୁ ସର୍ବତ୍ର ପରିବ୍ୟାପ୍ତ ଓ ଅବିନାଶୀ, ସେହି ଅବିନାଶୀଙ୍କୁ ବିନାଶ କରିବାକୁ କେହି ହେଲେ ସମର୍ଥ ନୁହେଁ ।
ଅନ୍ତବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ସରୀରିଣଃ ।
ଅନାଶିନୋପ୍ରମେୟସ୍ୟ ତସ୍ମାଦ୍ଯୁଧ୍ୟସ୍ୱ ଭାରତ ॥୧୮॥
ନାଶରହିତ, ଅପ୍ରମେୟ ଓ ନିତ୍ୟ ସ୍ୱରୂପ ଜୀବାତ୍ମାର ଏହି ଶରୀରଗୁଡିକ ନାଶବାନ୍ ଅଟେ । ତେଣୁ ହେ ଭରତବଂଶୀ ଅର୍ଜୁନ ! ତୁମେ ଯୁଦ୍ଧ କର ।
ଯ ଏନଂ ବେତ୍ତି ହନ୍ତାରଂ ଯଶ୍ଚୈନଂ ମନ୍ୟତେ ହତମ୍ ।
ଉଭୌ ତୌ ନ ବିଜାନୀତୋ ନାୟଂ ହନ୍ତି ନ ହନ୍ୟତେ ॥୧୯॥
ଅଜ୍ଞ ବ୍ୟକ୍ତିମାନେ ‘ଆତ୍ମ ହତ୍ୟା କରେ କିମ୍ବା ନିହତ ହୁଏ’ ବୋଲି ବୁଝନ୍ତି । ପରନ୍ତୁ ଆତ୍ମା କାହାକୁ ହତ୍ୟା କରେନି କି ନିହତ ହୁଏନି ।
ନ ଜାୟତେ ମ୍ରିୟତେ ବା କଦାଚିନ୍- — ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ ।
ଅଜୋ ନିତ୍ୟଃ ଶାଶ୍ୱତୋୟଂ ପୁରାଣୋ — ନ ହନ୍ୟତେ ହନ୍ୟମାନେ ଶରୀରେ ॥୨୦॥
ଏହି ଆତ୍ମା କୌଣସି କାଳରେ ଜନ୍ମ ହୁଏନି କି ମରେନି । ଏହା ପରମାତ୍ମାର ଅଂଶ ବିଶେଷ । ତେଣୁ ଆତ୍ମା ହେଉଛି ଅଜନ୍ମା, ନିତ୍ୟ, ସନାତନ, ପୁରାତନ, ନାଶରହିତ ଓ ଅବ୍ୟୟ । ଶରୀରକୁ ବଧ କଲେ ମଧ୍ୟ ଏହା ନିହତ ହୁଏ ନାହିଁ ।
ବେଦାବିନାଶିନଂ ନିତ୍ୟଂ ଯ ଏନମଜମବ୍ୟୟମ୍ ।
କଥଂ ସ ପୁରୁଷଃ ପାର୍ଥ କଂ ଘାତୟତି ହନ୍ତି କମ୍ ॥୨୧॥
ତେଣୁ ହେ ପୃଥାପୁତ୍ର ଅର୍ଜୁନ ! ଯେଉଁ ବ୍ୟକ୍ତିକୁ ଏହା ଜ୍ଞାତ, ସେ କାହାକୁ କିପରି ବଧ କରିବେ ବା କରାଇବେ ? ଏହା ଏହିପରି :-
ବାସାଂସି ଜୀର୍ଣ୍ଣାନୀ ଯଥା ବିହାୟ ……… ନବାନି ଗୃହ୍ଣାତି ନରୋପରାଣି ।
ତଥା ଶରୀରାଣି ବିହାୟ ଜୀର୍ଣ୍ଣା ……….. ନ୍ୟନ୍ୟାନି ସଂଯାତିନବାନି ଦେହୀ ॥ ୨୨ ॥
ଅର୍ଥାତ୍ ମନୁଷ୍ୟ ଯେପରି ବ୍ୟବହାର ପାଇଁ ଅନୁପଯୁକ୍ତ ପୁରୁଣା ଓ ଛିଣ୍ଡା ବସ୍ତ୍ର ତ୍ୟାଗ କରି ନୂଆ ବସ୍ତ୍ର ବ୍ୟବହାର କରେ, ଜୀବାତ୍ମା ସେହିପରି ପୁରାତନ ଶରୀର ବା ଜୀବାତ୍ମା ଧାରଣ କରିବାରେ ଅସମର୍ଥ ଶରୀରକୁ ତ୍ୟାଗ କରି ନୂତନ ଶରୀର ପ୍ରାପ୍ତ ହୋଇଥାଏ । ସେହିପରି :-
ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ ।
ନ ଚୈନଂ କ୍ଳେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ ॥ ୨୩॥
ଅର୍ଥାତ୍ କୌଣସି ଅସ୍ତ୍ର ଏହି ଆତ୍ମାକୁ କାଟି ପାରେ ନାହିଁ, ଅଗ୍ନି ଦାହ କରି ପାରେ ନାହିଁ, ଜଳ ଭିଜାଇ ପାରେ ନାହିଁ ଓ ବାୟୁ ଏହାକୁ ଶୁଖାଇ ପାରେ ନାହିଁ ।
ଅଚ୍ଛେଦ୍ୟୋୟମଦାହ୍ୟୋୟମକ୍ଳେଦ୍ୟୋଶୋଷ୍ୟ ଏବ ଚ ।
ନିତ୍ୟଃ ସର୍ବଗତଃ ସ୍ଥାଣୁରଚଳୋୟଂ ସନାତନଃ ॥୨୪॥
କାରଣ ଏହି ଆତ୍ମା ଅଚ୍ଛେଦ୍ୟ, ଅଦାହ୍ୟ, ଅକ୍ଳେଦ୍ୟ, ଅଶୋଷ୍ୟ ଅର୍ଥାତ୍ ନିତ୍ୟ, ସର୍ବଗତ, ସ୍ଥିର, ଅଚଳ ଓ ସନାତନ ଅଟେ ।
ଅବ୍ୟକ୍ତୋୟମଚିନ୍ତ୍ୟୋୟମବିକାର୍ଯୋୟମୁଚ୍ୟତେ ।
ତସ୍ମାଦେବଂ ବିଦିତ୍ୱୈନଂ ନାନୁଶୋଚିତୁମର୍ହସି ॥୨୫॥
ଏହି ଆତ୍ମା ଅବ୍ୟକ୍ତ, ଅଚିନ୍ତ୍ୟ ଓ ଏହାକୁ ବିକାରରହିତ କୁହାଯାଏ । ଏହା ଏପରି ବୋଲି ଜାଣି ତୁମେ ଶୋକ କରିବା ଅନୁଚିତ ।
ଅଥ ଚୈନଂ ନିତ୍ୟଜାତଂ ନିତ୍ୟଂ ବା ମନ୍ୟସେ ମୃତମ୍ ।
ତଥାପି ତ୍ୱଂ ମହାବାହୋ ନୈବଂ ଶୋଚିତୁମର୍ହସି ॥୨୬॥
ଏହା ତଥାପି ହେ ଅର୍ଜୁନ ! ଯଦି ତୁମେ ଆତ୍ମାର ନିତ୍ୟ ଜନ୍ମ ଓ ନିତ୍ୟ ମୃତ୍ୟୁକୁ ସ୍ୱୀକାର କରୁଥାଅ, ତେବେବି ତୁମେ ମୋହିତ ହେବା ଉଚିତ ନୁହେଁ ।
ଜାତସ୍ୟ ହି ଧ୍ରୁବୋ ମୃତ୍ୟୁର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ ।
ତସ୍ମଦପରିହାର୍ଯେର୍ଥେ ନ ତ୍ୱଂ ଶୋଚିତୁମର୍ହସି ॥୨୭॥
କାରଣ ଜନ୍ମ ପରେ ମୃତ୍ୟୁ ଓ ମୃତ୍ୟୁ ପରେ ଜନ୍ମ ସୁନିଶ୍ଚିତ । ତେଣୁ ଯାହା ଅନିବାର୍ଯ୍ୟ, ସେହି ବିଷୟରେ ତୁମେ ଶୋକ କରିବା ଅନୁଚିତ ।
ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତମଧ୍ୟାନି ଭାରତ ।
ଅବ୍ୟକ୍ତ ନିଧନାନ୍ୟେବ ତତ୍ର କା ପରିଦେବନା ॥୨୮॥
ପ୍ରାଣୀ ଜନ୍ମ ହେବା ପୂର୍ବରୁ ଅପ୍ରକଟ ଓ ମୃତ୍ୟୁ ପରେ ମଧ୍ୟ ଅପ୍ରକଟ ହୋଇଯାଆନ୍ତି । କେବଳ ସେ ଜନ୍ମ ପରେ ଓ ମୃତ୍ୟୁ ପୂର୍ବରୁ ଅର୍ଥାତ୍ ଏହି ମଧ୍ୟବର୍ତ୍ତୀ କାଳରେ ହିଁ ପ୍ରକଟ ହୁଅନ୍ତି । ତେଣୁ ଏ ସ୍ଥିତିରେ ଶୋକଗ୍ରସ୍ତ ହେବା ଉଚିତ ନୁହେଁ ।
ଆଶ୍ଚର୍ଯ୍ୟବତ୍ ପଶ୍ୟତି କଶ୍ଚିଦେନ- — ମାଶ୍ଚର୍ଯ୍ୟବଦ୍ବଦତି ତଥୈବ ଚାନ୍ୟଃ ।
ଆଶ୍ଚର୍ଯ୍ୟବଚ୍ଚୈନମନ୍ୟଃ ଶୃଣୋତି — ଶ୍ରୁତ୍ୱାପ୍ୟେନଂ ବେଦ ନ ଚୈବ କଶ୍ଚିତ୍ ॥୨୯॥
ଆତ୍ମାର ଅପ୍ରକଟତା ସମ୍ବନ୍ଧରେ ମହାପୁରୁଷମାନେ ବିଭିନ୍ନ ପ୍ରତିକ୍ରିୟା ଦର୍ଶାଇ ଥାଆନ୍ତି, ଯଥା :- କିଏ ଏ ସମ୍ବନ୍ଧରେ ଆଶ୍ଚର୍ଯ୍ୟ ହୁଏ, କିଏ ଆତ୍ମା ତତ୍ତ୍ୱକୁ ଆଶ୍ଚର୍ଯ୍ୟ ଭାବେ ବର୍ଣ୍ଣନା କରେ, କିଏ ଆଶ୍ଚର୍ଯ୍ୟ ହୋଇ ଶୁଣନ୍ତି ଓ କିଏ ଶୁଣି ଶୁଣି ମଧ୍ୟ ବୁଝିପାରନ୍ତି ନାହିଁ ।
ଦେହୀ ନିତ୍ୟମବଧ୍ୟୋୟଂ ଦେହେ ସର୍ବସ୍ୟ ଭାରତ ।
ତସ୍ମାତ୍ ସର୍ବାଣି ଭୂତାନି ନ ତ୍ୱଂ ଶୋଚିତୁମର୍ହସି ॥୩୦॥
ହେ ଅର୍ଜୁନ ! ଏହି ଆତ୍ମା ଶରୀରରେ ସର୍ବଦା ଅବଧ୍ୟ । ତେଣୁ ସକଳ ପ୍ରାଣୀଙ୍କ ପାଇଁ ଅର୍ଥାତ୍ କୌଣସି ବି ପ୍ରାଣୀ ପାଇଁ ଶୋକ କରିବା ଅନୁଚିତ । ତେବେ ଏହା ଦର୍ଶାଏ ଯେ ଆତ୍ମା ରୂପରେ ଈଶ୍ୱରଙ୍କ ସୂକ୍ଷ୍ମ ସତ୍ତା ଜୀବ ମଧ୍ୟରେ ଅବସ୍ଥିତ । ଅର୍ଥାତ୍ ଈଶ୍ୱରଙ୍କ ସୂକ୍ଷ୍ମ ଅଂଶ ଆସି ଜନନୀ ଜଠରରେ ଥିବା ଭ୍ରୂଣ ମଧ୍ୟରେ ପ୍ରବେଶ କରେ ଓ ତାହା ଜୀବ ରୂପେ ଜନ୍ମ ଲାଭ କରେ । ଜୀବ ଧରାରେ ନିଜ କ୍ରିୟା – କର୍ମ କରିଚାଲେ ନିଜର ମୃତ୍ୟୁ ଯାଏ । ଶରୀରରୁ ବିଚ୍ୟୁତ ଅଶରୀରୀ ଜୀବାତ୍ମା ଜୀବର ପ୍ରାରବ୍ଧ ସହ ଯୁକ୍ତ ହୋଇ ସମୟ ଚକ୍ରରେ ପୁନର୍ଜନ୍ମ ଲାଭ କରେ । ଏହା କେଉଁ ଯୋନିରେ ଜନ୍ମ ଲାଭ କରିବ ତାହା ପ୍ରାରବ୍ଧରେ ନିହିତ ଥିବା ଯୁକ୍ତାତ୍ମକ ଓ ବିଯୁକ୍ତାତ୍ମକ କର୍ମର ଫଳ ସ୍ୱରୂପ ଅଟେ । ତେଣୁ ଜୀବାତ୍ମାର ଜନ୍ମ ଓ ମୄତ୍ୟୁ ପ୍ରକ୍ରିୟା ଚକ୍ରାକାର ଗତିରେ ଚାଲେ ସେତେବେଳ ଯାଏ, ଯେତେବେଳେ ଏହା ପ୍ରାରବ୍ଧ ମୁକ୍ତ ହୁଏ । ଏହି ସମୟରେ ଜୀବାତ୍ମାକୁ ଈଶ୍ୱରଙ୍କ ଠାରୁ ଆସିଥିବା ଦିବ୍ୟ ସୂକ୍ଷ୍ମ ଅଂଶ କୁହାଯାଏ ଓ ଏହା ପରମାତ୍ମାଙ୍କ ସହ ପୁନଃ ଯୁକ୍ତ ହୋଇ ନିର୍ବାଣ ପ୍ରାପ୍ତ ହୁଏ । ତେଣୁ ଆତ୍ମା ଅବିନାଶୀ ଅଟେ ।
ଈଶ୍ୱରଙ୍କ ଠାରୁ ଆସୁଥିବା ସୂକ୍ଷ୍ମ ସତ୍ତାମାନ ବା ଆତ୍ମା ସବୁ ଅଭିନ୍ନ ଓ ଏହା ଆତ୍ମାର ଉଦ୍ଭବକୁ ବୁଝାଏ । ପରନ୍ତୁ ଗର୍ଭରେ ଏହା ଭ୍ରୂଣ ମଧ୍ୟରେ ସ୍ଥାପିତ ହୋଇଗଲେ ତାହା ଜୀବାତ୍ମା ଓ ଜୀବର ପ୍ରାରବ୍ଧକୁ ବହନ କରେ ଓ ତଦନୁସାରେ ନିଜର କ୍ରିୟା-କର୍ମକୁ ନେଇ ସ୍ୱତନ୍ତ୍ର ହୁଏ । ତେଣୁ ଅଭିନ୍ନ ଆତ୍ମା ଜୀବ ମାନଙ୍କ ମଧ୍ୟେ ଭିନ୍ନ ଅଟେ । ପୁନଃ ପ୍ରାରବ୍ଧ ମୁକ୍ତ ହେଲେ ଜୀବାତ୍ମାର ନିର୍ବାଣ ପ୍ରାପ୍ତି ହୁଏ ଓ ତାହା ସବୁ ଅଭିନ୍ନ ସୂକ୍ଷ୍ମ ଈଶ୍ୱରୀୟ ସତ୍ତା । ଏହାହିଁ ଆତ୍ମାର ଈଶ୍ୱରଙ୍କ ଠାରେ ବିଲୟକୁ ବୁଝାଏ । ପୁଣି ଜୀବର ଶରୀରରେ ଆତ୍ମାର ଅବସ୍ଥାନ କେଉଁଠି ? ତାହା ବୁଝିବାକୁ ହେଲେ ରଥ ଓ ଘୋଡ଼ାର ସମ୍ବନ୍ଧ ଏଠାରେ ଆଲୋଚ୍ୟ ଅଟେ । ଘୋଡ଼ା- ରଥ ସମ୍ପର୍କ ଓ ଆତ୍ମା-ଶରୀର ସମ୍ପର୍କ ମଧ୍ୟରେ ସମାନତା ଅନୁମେୟ ହୁଏ । ରଥାରୋହୀଙ୍କର ଆବଶ୍ୟକତାକୁ ପୂରଣ କରିବା ନିମିତ୍ତ ଘୋଡ଼ା ରଥକୁ ପରିଚାଳନା କରେ । ତେଣୁ ଘୋଡ଼ା ରଥ ସହ ସଂଯୁକ୍ତ । ପରନ୍ତୁ ଘୋଡ଼ା ରଥାରୋହୀଙ୍କ ସହ ସଂପୄକ୍ତ ନୁହେଁ । ସେହିପରି ଘୋଡ଼ାରୂପୀ ଆତ୍ମା ରଥରୂପୀ ପ୍ରାରବ୍ଧ ଯୁକ୍ତ ଶରୀରର ଆବଶ୍ୟକତାକୁ ଦୃଷ୍ଟିରେ ରଖି କ୍ରିୟାଶୀଳ ହୋଇଥାଏ । ଏଥିରୁ ବୁଝାପଡେ ଆତ୍ମା ଶରୀର ସହ ସଂଯୁକ୍ତ ଓ ତାହା ଶରୀର ସହ ସଂପୄକ୍ତ ନୁହେଁ । ଶରୀର ଅବସ୍ଥା ତ୍ରୟ ତଥା ଜାଗ୍ରତ, ସୁସୁପ୍ତି ଓ ସ୍ୱପ୍ନାବସ୍ଥାର ସମାହାର ଅଟେ ଯାହାର ସାକ୍ଷୀ ଆତ୍ମା ଅଟେ । କିନ୍ତୁ ଆତ୍ମା ସେଥି ସହ ସଂପୄକ୍ତ ନୁହେଁ । ଆତ୍ମା ଶୁଦ୍ଧ ଚେତନାମୟ, ନିତ୍ୟ, ଅଖଣ୍ଡ, ଏକ ରସ, ଅବ୍ୟୟ, ବୋଧ ସ୍ୱରୂପ, ନିର୍ବିକାର ଓ ନିର୍ଲେପ ଅଟେ । ସବୁ ଭୋକ୍ତା, ଭୋଗ୍ୟ ଓ ଭୋଗ ଆଦିରୁ ଆତ୍ମା ଭିନ୍ନ ଅଟେ । ଆତ୍ମା ସଦା କଲ୍ୟାଣ ସ୍ୱରୂପ ଓ ଏହାର ବାହ୍ୟାଭ୍ୟନ୍ତର ଚେତନାମୟ ଅଟେ । ଏଥିରେ କୌଣସି ନ୍ୟୂନାଧିକ ହୋଇ ନଥାଏ , ତେଣୁ ଏହା ଅଖଣ୍ଡ । ଯାହାକୁ ମନ ଦ୍ୱାରା ବୁଝିହୁଏ ନାହିଁ, କିନ୍ତୁ ମନ ଯାହା ଦ୍ୱାରା ସବୁକିଛି ଜାଣିବାକୁ ସମର୍ଥ ହୁଏ , ତାହା ଆତ୍ମା ଅଟେ । ଏହା ଆତ୍ମାର ସଚ୍ଚିଦାନନ୍ଦ ସ୍ୱରୂପ ଅଟେ । ପୁନଃ ଶାସ୍ତ୍ରୀୟ ସିଦ୍ଧାନ୍ତ କହେ ଆତ୍ମା ସୂକ୍ଷ୍ମରୁ ସୂକ୍ଷ୍ମତର ଓ ପରମାଣୁ ଠାରୁ ମଧ୍ୟ ଅଧିକ ସୂକ୍ଷ୍ମତର । ଆତ୍ମାର ଅସ୍ତିତ୍ୱ ଅନ୍ୟ ତତ୍ତ୍ୱ ଉପରେ ଆଶ୍ରିତ ନୁହେଁ । ଯେହେତୁ ଏହା ଈଶ୍ୱରଙ୍କର ଏକ ସୂକ୍ଷ୍ମ ଅଂଶ, ତେଣୁ ଏହା ମହାନଠାରୁ ମଧ୍ୟ ମହାନତର ଓ ହିରଣ୍ମୟ ରୂପୀ । ଏହା ଏକ ମାତ୍ର ଚେତନ ସତ୍ତା, ଯାହା ପ୍ରକୄତି, ଶରୀର, ମନ, ବୁଦ୍ଧି ଆଦି ଜଡ଼ ସବୁକୁ ଚେତନାମୟ କରେ । ତେଣୁ ଆତ୍ମା ସତ୍ ସ୍ୱରୂପ ଅଟେ ।
ଏଠାରେ ଆତ୍ମାର ଏକ ସାମ୍ଭାବ୍ୟ ବିଜ୍ଞାନ ଭିତ୍ତିକ ଚିନ୍ତନକୁ ନିମ୍ନରେ ପ୍ରକାଶ କରାଗଲା ।
ମହାନ୍ ପଦାର୍ଥବିତ୍ତ୍ ଆଇନ୍ଷ୍ଟାଇନ୍ଙ୍କ ଏହି ଯୁଗଜୟୀ ଗାଣିତିକ ସମୀକରଣ, E=mc² ହେଉଛି ବସ୍ତୁତ୍ୱର ସମାନୁପାତିକ ଶକ୍ତି । ‘m’ ପରିମାଣ ବସ୍ତୁତ୍ୱ ଥିବା କଣିକାର ସମତୁଲ୍ୟ ଶକ୍ତି ‘E’ ହୁଏ , ଯେତେବେଳେ କଣିକାଟି ଆଲୋକର ବେଗ ‘c’ ରେ ଧାବିତ ହୁଏ । ଯଦି ଏହି ଗାଣିତିକ ସମୀକରଣର ବିପରିତ ଦିଗକୁ ଚିନ୍ତା କରାଯାଏ ତେବେ ଏହା ଶକ୍ତିର ସମାନୁପାତିକ ବସ୍ତୁତ୍ୱକୁ ବୁଝାଇବ ଓ ଏହା m= E/c² ହେବ । ଏହା ବସ୍ତୁ ଓ ଶକ୍ତି ମଧ୍ୟରେ ପାରସ୍ପରିକ ରୂପାନ୍ତରଣ ଭାବନାକୁ ସୂଚାଏ । ବସ୍ତୁର ସମାନୁପାତିକ ଶକ୍ତିକୁ ଅପ୍ରକଟ ଓ ଶକ୍ତିର ସମାନୁପାତିକ ବସ୍ତୁକୁ ପ୍ରକଟ ରୂପେ ଚିନ୍ତା କଲେ ଏହା ଯଥାକ୍ରମେ ଜନ୍ମ ପୂର୍ବ ବା ମୃତ୍ୟୁ ପର ଓ ମୃତ୍ୟୁ ପୂର୍ବ ବା ଜନ୍ମ ପରର ସହ ଏକ ତୁଳନାତ୍ମକ ଭାବ ଜନ୍ମାଏ । ମୂଳ ପ୍ରକୃତି ତରଙ୍ଗ(ଶକ୍ତି) ଥାଇ ଆଲୋକ ତରଙ୍ଗର ଶକ୍ତି ପୁଡିଆ ଫୋଟନ୍ କଣିକା ବା ବସ୍ତୁର ପ୍ରକୃତିକୁ ଦର୍ଶାଉଛି, ସେହିପରି ମୂଳ ପ୍ରକୃତି କଣିକା ବା ବସ୍ତୁ ଥାଇ ଏହା ତରଙ୍ଗ(ଶକ୍ତି) ପ୍ରକୃତିକୁ ଦର୍ଶାଇ ପାରିବ । ତେଣୁ ଏହା ଆଇନ୍ଷ୍ଟାଇନ୍, ମାକ୍ସ୍ ପ୍ଲାଙ୍କ ଓ ଡି ବ୍ରୋଗ୍ଲାଏଙ୍କ ତତ୍ତ୍ୱ ମଧ୍ୟରେ ଥିବା ସନ୍ତୁଳନତାକୁ ବୁଝାଏ ,ଯଥା:- E=mc², E = hν ଓ λ= h/p=h/mv । ଏଠାରେ ‘h’ କୁ ପ୍ଲାଙ୍କଙ୍କ ଧ୍ରୁବାଙ୍କ(Planck’s constant), ‘ν’ କୁ ଶକ୍ତି ପୁଡିଆ ଫୋଟନ୍ର ଆବୃତ୍ତି ବା ବାରମ୍ବାରତା (frequency), ‘λ’ କୁ ବସ୍ତୁ ବା କଣିକା ତରଙ୍ଗ ଦୈର୍ଘ୍ୟ, ‘p’ କୁ କଣିକାର ସଂବେଗ(momentum) ଓ ‘v’ କୁ ବସ୍ତୁତ୍ୱ ଧାରୀ କଣିକାର ପରିବେଗ (velocity) ଅଟେ । ବସ୍ତୁର ସମାନୁପାତିକ ଶକ୍ତିର ଆକଳନ ଅପ୍ରକଟ ବା ବସ୍ତୁର ଉଭାନ୍ ଓ ଶକ୍ତିର ସମାନୁପାତିକ ବସ୍ତୁର ଆକଳନ ପ୍ରକଟ ଭାବ ଜନ୍ମାଏ । ସେହି ଧାରାରେ ଶରୀରରୁ ଶକ୍ତି ରୂପୀ ଚେତନାଯୁକ୍ତ ଜୀବାତ୍ମାର ଉଭାନ୍ରେ ଶରୀର ପଞ୍ଚଭୂତରେ ବିଲୀନ ହୋଇ ଅପ୍ରକଟ ହୁଏ ଓ ପଞ୍ଚଭୂତର ସମାହାରରୁ ପ୍ରାପ୍ତ ଶରୀରରେ ଜୀବାତ୍ମାର ସଞ୍ଚାର ଘଟିଲେ ଏହା ଜୀବନ୍ତ ବା ପ୍ରକଟିତ ହୁଏ । ପଞ୍ଚଭୂତରୁ ଉପାଦାନ ଆସି ଶରୀର ଗଠନ ଓ ପଞ୍ଚଭୂତକୁ ଉପାଦାନ ଗମନ କରିବାକୁ ଶରୀରର ବିଲୟ ବୁଝାଯାଏ । ଶରୀର ଗଠନରେ ଆତ୍ମାର ସଞ୍ଚାରଣ ଓ ଶରୀର ବିଲୟରେ ଆତ୍ମାର ଅପସାରଣ ଘଟେ । ତେଣୁ ଆତ୍ମା ହିଁ ଜୀବନ ଶକ୍ତି ଓ ଏହାର ବିନାଶ ନାହିଁ ଓ ଏହା ମହାକାଳ ବା ସମୟର ପରିସରରେ ପରିଚାଳିତ । ଏ ଶକ୍ତିର ସ୍ୱରୂପ ଜାଣିବା ପାଇଁ ବିଜ୍ଞାନର କୌଶଳ ନିରୁତ୍ତର । ତେବେ ଏ ଜୀବନ ଶକ୍ତି କେଉଁଠୁ ଆସୁଛି ଓ କେଉଁଠିକୁ ଯାଉଛି ତାହା ଅଜଣା । ହୋଇପାରେ ସମଗ୍ର ଜୀବଜଗତର ଭିନ୍ନ ଭିନ୍ନ ପ୍ରାଣୀର ଜୀବନ ଶକ୍ତି କେଉଁ ଏକ ଅଜଣା ମହାଜାଗତିକ ଉତ୍ସରୁ ଆସି ଘଟ ମାନଙ୍କରେ ପ୍ରାଣର ସଞ୍ଚାର କରୁଅଛି ଓ ପୁନଃ ସେହି ଉତ୍ସକୁ ପ୍ରତ୍ୟାବର୍ତ୍ତନରେ ଘଟର ବିଘଟନ ହେଉଅଛି । ନଚେତ୍ ଏ ଅନନ୍ତ ନାକ୍ଷତ୍ରିକ ବିଶ୍ୱ ବ୍ରହ୍ମାଣ୍ଡ ବା ସୁବ୍ୟବସ୍ଥିତ ବିଶ୍ୱ ବ୍ରହ୍ମାଣ୍ଡରେ ଅହରହ ଜୀବନ ଶକ୍ତି ପିଣ୍ଡୁଳା ସୃଷ୍ଟି ହୋଇ ଭିନ୍ନ ଭିନ୍ନ ପଞ୍ଚଭୂତ ସମାହାରରେ ଯୁକ୍ତ ହେଉଛି ଓ ଅହରହ ଏହା ପଞ୍ଚଭୂତ ସମାହାରରୁ ବିଯୁକ୍ତ ହୋଇ ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡରେ ମିଳେଇ ଯାଉଛି । ଏହିପରି ଅନେକ ଅନେକ ସମ୍ଭାବନା ମନରେ ଜାଗ୍ରତ ହୁଏ । ତେଣୁ ଅନୁମାନ କରାଯାଏ ଯେ, ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଏକ ବିନ୍ଦୁୟ ଓ ଚେତନାମୟ ସ୍ୱରୂପ ହିଁ ଈଶ୍ୱରୀୟ ସତ୍ତା ଅଥବା ବିଶ୍ୱର କେଉଁ ଏକ ପୁରରେ ଏହି ସତ୍ତାର ଅବସ୍ଥାନ ଏବଂ ସମଗ୍ର ଜଡ଼ ଓ ଚଳତ୍ ତାଙ୍କ ଦ୍ୱାରା ପରିଚାଳିତ । ଅର୍ଥାତ୍ ଜୀବାତ୍ମାର ସେଠାରୁ ସୃଷ୍ଟି ଓ ପୁନଃ ବିଲାୟ ଘଟୁଅଛି, ଯାହାକୁ ପରମାତ୍ମା କୁହାଯାଏ ଓ ସବୁ ଜୀବାତ୍ମା ପରମାତ୍ମାଙ୍କ ଅଂଶ ବିଶେଷ ଅଟେ । ଏହା ସମ୍ପୂର୍ଣ୍ଣ କୁହେଳିକାମୟ ଓ ଅସଂଖ୍ୟ ସମ୍ଭାବନାର ଗନ୍ତାଘର । ତେଣୁ ଯଥାର୍ଥରେ କୁହାଯାଇଛି ଆତ୍ମା ନିତ୍ୟ, ସର୍ବଗତ, ସ୍ଥିର, ଅଚଳ ଓ ସନାତନ ଅଟେ । ଏହା ଅବ୍ୟକ୍ତ, ଅଚିନ୍ତ୍ୟ ଓ ବିକାରରହିତ ଅଟେ । ତେବେ ଏହା ବସ୍ତୁତ୍ୱଧାରୀ ଉର୍ଜ୍ଜା ନା ବସ୍ତୁତ୍ୱହୀନ ଉର୍ଜ୍ଜା ନା ଅନ୍ୟ କିଛି ? ଏହାର ବେଗ କ’ଣ ଅଲୋକର ବେଗ ସହ ସମାନ ନା ଭିନ୍ନ ? ଏହାର ସଞ୍ଚାରରେ ଶରୀର ଚେତନାଯୁକ୍ତ ହୁଏ ଓ ମନ, ଇନ୍ଦ୍ରିୟ ଆଦି କ୍ରିୟାଶୀଳ ହୋଇଉଠନ୍ତି । ପୁଣି ଜୀବାତ୍ମାର ସୃଷ୍ଟି, ସଞ୍ଚାର, ବିଲୟ ଓ ପଞ୍ଚଭୂତରୁ ଶରୀର ଏବଂ ପଞ୍ଚଭୂତରେ ଶରୀର ଆଦି ଅହରହ ପ୍ରକ୍ରିୟାରେ ବିଶ୍ୱ ସମୁଦାୟର ଶକ୍ତି ସଂରକ୍ଷଣ ନିୟମ(law of energy conservation) ବଳବତ୍ତର ରହେ । କେବଳ ଉର୍ଜ୍ଜା ସୂକ୍ଷ୍ମ ରୂପେ ଏକ ମାଧ୍ୟମରୁ ଅନ୍ୟ ମାଧ୍ୟମକୁ ପରିଚାଳିତ ହୁଏ ଓ ବିଶ୍ୱର ଉର୍ଜ୍ଜା ସ୍ଥିର ଅର୍ଥାତ୍ ସମାନ ରହେ । ଏହାପରେ ଶ୍ରୀକୃଷ୍ଣ ସ୍ୱଧର୍ମ ତ୍ୟାଗ ସବୁମତେ ଅନୁଚିତ ବୋଲି ଅର୍ଜୁନକୁ କହିଲେ ।
ସ୍ୱଧର୍ମମପି ଚାବେକ୍ଷ୍ୟ ନ ବିକମ୍ପିତୁମର୍ହସି ।
ଧର୍ମ୍ୟାଦ୍ଧି ଯୁଦ୍ଧାଚ୍ଛ୍ରେୟୋନ୍ୟତ୍ କ୍ଷତ୍ରିୟସ୍ୟ ନ ବିଦ୍ୟତେ ॥୩୧॥
ହେ ଅର୍ଜୁନ ! ତୁମେ କ୍ଷତ୍ରିୟଧର୍ମୀ । ତେଣୁ ସ୍ୱଧର୍ମ ଦୃଷ୍ଟିରୁ ତୁମେ ଭୟ କରିବା ଉଚିତ ନୁହେଁ । କାରଣ କ୍ଷତ୍ରିୟନିମନ୍ତେ ଧର୍ମଯୁଦ୍ଧଠାରୁ ବଳି କଲ୍ୟାଣକର କର୍ତ୍ତବ୍ୟ ଆଉ କିଛି ନାହିଁ ।
ଯଦୃଚ୍ଛୟା ଚୋପପନ୍ନଂ ସ୍ୱର୍ଗଦ୍ୱାରମପାବୃତମ୍ ।
ସୁଖିନଃ କ୍ଷତ୍ରିୟାଃ ପାର୍ଥ ଲଭନ୍ତେ ଯୁଦ୍ଧମୀଦୃଶମ୍ ॥୩୨॥
ହେ ପାର୍ଥ ! ଆହ୍ୱାନ କରାଯାଇଥିବା ଏ ଧର୍ମ ଯୁଦ୍ଧକୁ ତୁମେ ସ୍ୱତଃ ପ୍ରାପ୍ତ ହୋଇଛ । ଏ ଉନ୍ମୁକ୍ତ ସ୍ୱର୍ଗଦ୍ୱାରରୂପକ ଯୁଦ୍ଧ ଭାଗ୍ୟବାନ କ୍ଷତ୍ରିୟମାନେ ଲାଭ କରନ୍ତି ।
ଅଥ ଚେତ୍ତ୍ୱମିମଂ ଧର୍ମ୍ୟଂ ସଙ୍ଗ୍ରାମଂ ନ କରିଷ୍ୟସି ।
ତତଃ ସ୍ୱଧର୍ମଂ କୀର୍ତ୍ତିଂ ଚ ହିତ୍ୱା ପାପମବାପ୍ସ୍ୟସି ॥୩୩॥
ଅକୀର୍ତ୍ତିଂ ଚାପି ଭୂତାନି କଥୟିଷ୍ୟନ୍ତି ତେବ୍ୟୟାମ୍ ।
ସମ୍ଭାବିତସ୍ୟ ଚାକୀର୍ତ୍ତିର୍ମରଣାଦତିରିଚ୍ୟତେ ॥୩୪॥
ଭୟାଦ୍ରଣାଦୁପରତଂ ମଂସ୍ୟନ୍ତେ ତ୍ୱାଂ ମହାରଥାଃ ।
ଯେଷାଂ ଚ ତ୍ୱଂ ବହୁମତୋ ଭୂତ୍ୱା ଯାସ୍ୟସି ଲାଘବମ୍ ॥୩୫॥
ଅବାଚ୍ୟବାଦାଂଶ୍ଚ ବହୂନ୍ ବଦିଷ୍ୟନ୍ତି ତବାହିତାଃ ।
ନିନ୍ଦନ୍ତସ୍ତବ ସାମର୍ଥ୍ୟଂ ତତୋ ଦୁଃଖତରଂ ନୁ କିମ୍ ॥୩୬॥
ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗଂ ଜିତ୍ୱା ବା ଭୋକ୍ଷ୍ୟସେ ମହୀମ୍ ।
ତସ୍ମାଦୁତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତନିଶ୍ଚୟଃ ॥୩୭॥
ସୁଖଦୁଃଖେ ସମେ କୃତ୍ୱା ଲାଭାଲାଭୌ ଜୟାଜୟୌ ।
ତତୋ ଯୁଦ୍ଧାୟ ଯୁଜ୍ୟସ୍ୱ ନୈବଂ ପାପମବାପ୍ସ୍ୟସି ॥୩୮॥
ତେଣୁ ହେ ଅର୍ଜୁନ ! ତୁମେ କ୍ଷତ୍ରିୟ ଧର୍ମ ପାଳନ ପୂର୍ବକ ଏ ଯୁଦ୍ଧରେ ଅସ୍ତ୍ର ଧାରଣ କରି ସୁଯଶ ପ୍ରାପ୍ତ ହୁଅ । ଯଦି ତୁମେ ଯୁଦ୍ଧ ନ କରିବ, ତାହା ଭୂମଣ୍ଡଳରେ ନକରାତ୍ମକରୂପେ ପ୍ରତିଫଳିତ ହେବ ଯାହାକି ତୁମପାଇଁ ମରଣଠୁ ବଳି ଦୁଃଖଦାୟକ ହେବ, ଯଥା :-
(1) ତୁମେ ସ୍ୱଧର୍ମ ଓ ସୁଯଶ ହରାଇ ପାପଭାଗୀ ହେବ ।
(2) ତୁମ ଭଳି ଧନୁର୍ଦ୍ଧରଙ୍କୁ ସମସ୍ତେ ଯୁଗ ଯୁଗ ଧରି ଅପକୀର୍ତ୍ତି ଦେବେ ।
(3) ତୁମେ ବିଶେଷ ରୂପରେ ଯେଉଁ ଯୋଦ୍ଧାର ସମ୍ମାନ ଲାଭ କରିଛ, ତାହା ହୀନ ହୋଇଯିବ ଓ ତୁମେ ଭୟଭୀତ ହୋଇ ଯୁଦ୍ଧରୁ ପଳାୟନ କଲ ବୋଲି କହିବେ ।
(4) ତୁମର ଶତ୍ରୁମାନେ ତୁମ ସାମର୍ଥ୍ୟକୁ ନିନ୍ଦା କରି ବହୁ ଅକଥ୍ୟ ବଚନ କହିବେ ।
ତେଣୁ ଏତାଦୃଶ ମରଣଠୁ ବଳି ଦୁଃଖଦାୟକ ଅପକୀର୍ତ୍ତି ଓ ପାପଭାଗିରୁ ମୁକ୍ତ ହେବାପାଇଁ ତୁମେ ଯୁଦ୍ଧ କରିବାପାଇଁ ସଙ୍କଳ୍ପବଦ୍ଧ ହୋଇ ଦଣ୍ଡାୟମାନ ହୁଅ । ତୁମେ ଯୁଦ୍ଧରେ ନିହତ ହେଲେ ସ୍ୱର୍ଗଲାଭ କରିବ ନଚେତ୍ ଭୂମଣ୍ଡଳ ରାଜ୍ୟ ଭୋଗ କରିବ । ତେବେ ଫଳାଫଳକୁ ଅର୍ଥାତ୍ ଜୟ – ପରାଜୟ, ଲାଭ – କ୍ଷତି ଓ ସୁଖ – ଦୁଃଖକୁ ସମାନ ମନେକରି ଯୁଦ୍ଧ କରିବାକୁ ପ୍ରସ୍ତୁତ ହୁଅ ଓ ପାପଭାଗୀ ହୁଅନାହିଁ ।
ଏଷା ତେଭିହିତା ସାଂଖ୍ୟେ ବୁଦ୍ଧିର୍ଯୋଗେ ତ୍ୱିମାଂ ଶୃଣୁ ।
ବୁଦ୍ଧ୍ୟା ଯୁକ୍ତୋ ଯୟା ପାର୍ଥ କର୍ମବନ୍ଧଂ ପ୍ରହାସ୍ୟସି ॥୩୯॥
ହେ ପାର୍ଥ ! ଏହି ବୁଦ୍ଧି ତୁମକୁ ଜ୍ଞାନଯୋଗ ଦୃଷ୍ଟିକୋଣରୁ ବର୍ଣ୍ଣନା କରାଗଲା । ବର୍ତ୍ତମାନ ତୁମେ ଏହାକୁ କର୍ମଯୋଗ ଦୃଷ୍ଟିରୁ ଶୁଣ । ଏହି ବୁଦ୍ଧିରେ ଯୁକ୍ତ ହେଲେ ତୁମେ କର୍ମବନ୍ଧନକୁ ଭଲରୂପେ ତ୍ୟାଗ କରିଦେଇପାରିବ ଓ କର୍ମବନ୍ଧନରୁ ସର୍ବଥା ମୁକ୍ତ ହୋଇଯିବ ।
ନେହାଭିକ୍ରମନାଶୋସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ ।
ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେମହତୋ ଭୟାତ୍ ॥୪୦॥
କର୍ମଯୋଗ ଦୃଷ୍ଟିରୁ ସମବୁଦ୍ଧିକୁ ଆଚରଣ କରିବାର ମହିମା ବର୍ଣ୍ଣନା କରି ଶ୍ରୀକୃଷ୍ଣ କହିଲେ – ପ୍ରାଣୀର ବହୁବିଧ କର୍ମରେ ଆରମ୍ଭ ବା ବୀଜର ନାଶ ହୁଏନି ଏବଂ ବିପରୀତ ଫଳରୂପକ ଦୋଷ ମଧ୍ୟ ଏଥିରେ ହୁଏ ନାହିଁ । କିନ୍ତୁ ଶରୀର କର୍ମଦୋଷରୁ ପ୍ରଦୂଷିତ ହୁଏ । ତେବେ କର୍ମଯୋଗରୂପୀ ଧର୍ମର ନିମିତ୍ତ ମାତ୍ର ସାଧନା ବି ମନୁଷ୍ୟକୁ ଜନ୍ମ – ମୃତ୍ୟୁ ଚକ୍ରରୁ ନିସ୍ତାର କରାଇପାରେ । ଶାସ୍ତ୍ରବିହିତ ଉତ୍ତମ କ୍ରିୟାର ନାମ କର୍ମ ଏବଂ ସମଭାବର ନାମ ଯୋଗ । ଏଣୁ ମମତ୍ୱ-ଆଶକ୍ତି, କାମ-କ୍ରୋଧ, ଏବଂ ଲୋଭ-ମୋହ ଆଦିରୁ ରହିତ ହୋଇ ଯେଉଁ କର୍ତ୍ତବ୍ୟକର୍ମ ଆଚରଣ କରାଯାଏ ତାହା କର୍ମଯୋଗ । ଏଠାରେ ଆରମ୍ଭ ବା ବୀଜର ନାଶ ହୁଏନି ଅର୍ଥ ମନୁଷ୍ୟ ଯଦି କର୍ମଯୋଗ ସାଧନା ଆରମ୍ଭ କରି ତାହା ପୂର୍ଣ୍ଣ ହେବା ପୂର୍ବରୁ ଛାଡିଦିଏ, ସେଥିରେ ଆରମ୍ଭ ଅର୍ଥାତ୍ ବୀଜ ନଷ୍ଟ ହୁଏ ନାହିଁ । କାରଣ କର୍ମଯୋଗର ସଂସ୍କାର ସାଧକଙ୍କ ଅନ୍ତଃକରଣରେ ରହିଯାଏ ଏବା ସାଧକର ପରବର୍ତ୍ତୀ ଜନ୍ମରେ ତାହା ପୁନର୍ବାର ବଳପୂର୍ବକ ସାଧନାରେ ଲଗାଇଦିଏ । ପୁନଃ ବିପରୀତ ଫଳରୂପକ ଦୋଷ ବି ହୁଏ ନାହିଁ ଅର୍ଥାତ୍ କର୍ମ କାମନାଯୁକ୍ତ ହେଲେ ତାହା ଭଲମନ୍ଦ ଫଳ ଦେବାର ସମ୍ଭାବନା ଥାଏ । କିନ୍ତୁ ଏହା କାମନାରହିତ ହେଲେ ବିପରୀତ ଫଳ ମଧ୍ୟ ହୁଏ ନାହିଁ । ସକାମଭାବେ କର୍ମ କଲାବେଳେ ଦେବତା, ପିତୃ, ମନୁଷ୍ୟ ଆଦିଙ୍କ ସେବାରେ କୌଣସି କାରଣରୁ ତ୍ରୁଟି ହୋଇଗଲେ , ସେମାନେ ରୁଷ୍ଟ ହୋଇପାରନ୍ତି । ଫଳତଃ ସାଧକର ଅନିଷ୍ଟ ମଧ୍ୟ ହୋଇପାରେ । କିନ୍ତୁ ସ୍ୱାର୍ଥରହିତ ଯଜ୍ଞ, ଦାନ, ତପ, ସେବା ଆଦି କର୍ମ ପାଳନରେ ତ୍ରୁଟି ରହିଗଲେ ମଧ୍ୟ ସେଥିରେ ବିପରୀତ ଫଳରୂପକ ଅନିଷ୍ଟ ହୁଏନାହିଁ । ଯଦି କର୍ମଯୋଗ ପୂର୍ଣ୍ଣ ହୋଇ ନ ପାରିଲା –
(୧) ତେବେ ତାହା ସାଧକକୁ ଏହି ଜନ୍ମରେ ପରମପଦପ୍ରାପ୍ତିରୁ ବଞ୍ଚିତ କରାଇଲେ ବି ପୂର୍ବ ଜନ୍ମ ପାପର ଫଳ ସ୍ୱରୂପ ତିର୍ଯ୍ୟକ୍ ଯୋନିରେ ବା ନରକରେ ପଡିବାକୁ ହୁଏ ନାହିଁ ।
(୨) ସାଧକର ପୂର୍ବ ଜନ୍ମ ପୁଣ୍ୟର ଫଳ ସ୍ୱରୂପ ପରଲୋକରେ ସୁଖଭୋଗରୁ ବଞ୍ଚିତ ହୁଏ ନାହିଁ ଓ ସେ ପରଜନ୍ମରେ ଉତ୍ତମ ଲୋକ ହିଁ ପ୍ରାପ୍ତ ହୁଏ । ଏହା କ୍ରମାନ୍ୱୟରେ ଯୁକ୍ତାତ୍ମକରୂପେ ବୃଦ୍ଧିପାଇ ପରମପଦ ପ୍ରାପ୍ତ କରାଏ ଅର୍ଥାତ୍ ଜୀବାତ୍ମା ପରମାତ୍ମାଙ୍କ ସହ ମିଳିତ ହୁଏ ।
ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ ।
ବହୁଶାଖା ହ୍ୟନନ୍ତାଶ୍ଚ ବୁଦ୍ଧୟୋବ୍ୟବସାୟିନାମ୍ ॥୪୧॥
ହେ ଅର୍ଜୁନ ! ସ୍ଥିର ବିଚାରଯୁକ୍ତ ବିବେକୀ ନିଷ୍କାମ ମନୁଷ୍ୟମାନଙ୍କର ନିଶ୍ଚୟାତ୍ମିକା ବୁଦ୍ଧି ଗୋଟିଏ ମାତ୍ର ହୁଏ । ପରନ୍ତୁ ଅସ୍ଥିର ବିଚାରଯୁକ୍ତ ଅବିବେକୀ ସକାମ ମନୁଷ୍ୟମାନଙ୍କର ବୁଦ୍ଧି ବହୁପ୍ରକାର ଓ ଅସଂଖ୍ୟ ହୁଏ ।
ଯାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତ୍ୟବିପଶ୍ଚିତଃ ।
ବେଦବାଦରତାଃ ପାର୍ଥ ନାନ୍ୟଦସ୍ତୀତି ବାଦିନଃ ॥୪୨॥
କାମାତ୍ମାନଃ ସ୍ୱର୍ଗପରା ଜନ୍ମକର୍ମ ଫଳପ୍ରଦାମ୍ ।
କ୍ରିୟାବିଶେଷ ବହୁଳାଂ ଭୋଗୈଶ୍ୱର୍ଯଗତିଂ ପ୍ରତି ॥୪୩॥
ଭୋଗୈଶ୍ୱର୍ଯପ୍ରସକ୍ତାନାଂ ତୟାପହୃତଚେତସାମ୍ ।
ବ୍ୟବସାୟାତ୍ମିକା ବୁଦ୍ଧିଃ ସମାଧୌ ନ ବିଧୀୟତେ ॥୪୪॥
ଅର୍ଥାତ୍ ଏମାନେ ଭୋଗ ବିଳାସରେ ବୁଡି ରହନ୍ତି, କର୍ମଫଳର ପ୍ରଶଂସାରେ ପ୍ରୀତ ହୁଅନ୍ତି, ସ୍ୱର୍ଗ ହିଁ ପରମ ପ୍ରାପ୍ୟ ବସ୍ତୁ ଓ ତା’ଠାରୁ ବଳି ଅନ୍ୟ କୌଣସି ବସ୍ତୁ ନାହିଁ ବୋଲି କହନ୍ତି ଓ ଭୋଗ – ଐଶ୍ୱର୍ଯ୍ୟ ପ୍ରାପ୍ତିକୁ ଜନ୍ମରୂପୀ କର୍ମଫଳ ବୋଲି କହନ୍ତି । ସେହିପରି ଏତାଦୃଶ ବାଣୀଦ୍ୱାରା ଯେଉଁମାନେ ମୋହିତ ଓ ଅତ୍ୟନ୍ତ ଆସକ୍ତିରେ ମଜ୍ଜି ରହିଥିବା ସମସ୍ତ ମନୁଷ୍ୟମାନଙ୍କର ପରମାତ୍ମାଙ୍କ ଠାରେ ନିଶ୍ଚୟାତ୍ମିକା ବୁଦ୍ଧି ହୁଏ ନାହିଁ । ଯେଉଁ ବୁଦ୍ଧିର ସ୍ୱରୂପ ଅଟଳ ଓ ଦୃଢନିଶ୍ଚିତ ଏବଂ ସେହି ବୁଦ୍ଧିରେ କେବଳ ଏକମାତ୍ର ସଚ୍ଚିଦାନନ୍ଦ ପରମାତ୍ମା ହିଁ ନିଶ୍ଚିତରୂପେ ରହନ୍ତି । ତାହା ହିଁ ବ୍ୟବସାୟାତ୍ମିକା ବା ନିଶ୍ଚୟାତ୍ମିକା, ସ୍ଥିରବୁଦ୍ଧି ଓ ସମବୁଦ୍ଧି । ଏଥିରେ ବିଭିନ୍ନ ଭୋଗ ଏବଂ ସେସବୁର ପ୍ରାପ୍ତି-ଉପାୟର ସ୍ଥାନ ଆଦୌ ନ ଥାଏ । ଅବ୍ୟବସାୟୀନାମ୍ ବା ଅସ୍ଥିରବିଚାରଯୁକ୍ତ ବିବେକହୀନତା ସକାମ ମନୁଷ୍ୟମାନଙ୍କର ଗୁଣ ଅଟେ ଓ ଅଜ୍ଞାନଜନିତ ବିଷମଭାବଯୋଗୁ ସେମାନଙ୍କର ଅନ୍ତଃକରଣ ମୋହଗ୍ରସ୍ତ ହୋଇଯାଇଥାଏ ।
ତ୍ରୈଗୁଣ୍ୟବିଷୟା ବେଦା ନିସ୍ତ୍ରୈଗୁଣ୍ୟୋ ଭବାର୍ଜୁନ ।
ନିର୍ଦ୍ୱନ୍ଦ୍ୱୋ ନିତ୍ୟସତ୍ତ୍ୱସ୍ଥୋ ନିର୍ଯୋଗକ୍ଷେମ ଆତ୍ମବାନ୍ ॥୪୫॥
ତେଣୁ ଅର୍ଜୁନକୁ ନିଷ୍କାମ ହେବାକୁ କୁହାଯିବା ଛଳରେ ବେଦମାନେ ତିନିଗୁଣ(ସତ୍ତ୍ୱ, ରଜ ଓ ତମ)ର କାର୍ଯ୍ୟରୂପ, ସମସ୍ତ ଭୋଗ ଓ ସେସବୁର ସାଧନ ଆଦିକୁ ପ୍ରତିପାଦନ କରିଥିବା ଦର୍ଶାଇଲେ । କିନ୍ତୁ ସେସବୁ ସାଧନରେ ଅନାସକ୍ତ ହୋଇ, ହର୍ଷ – ଶୋକାଦି ଦ୍ୱନ୍ଦ୍ୱରୁ ରହିତ ହୋଇ ଓ ସେହି ଅବିନାଶୀ ପରମାତ୍ମାଙ୍କ ଠାରେ ଲୟ ରଖି ସ୍ୱାଧୀନ ଅନ୍ତଃକରଣଯୁକ୍ତ ହେବାକୁ କହିଲେ ।
ଯାବାନର୍ଥ ଉଦପାନେ ସର୍ବତଃ ସଂପ୍ଳୁତୋଦକେ ।
ତାବାନ୍ ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତଃ ॥୪୬॥
ଏହା ଉଦାହରଣ ଦ୍ୱାରା କୁହାଯାଇଛି ଯେ, ମନୁଷ୍ୟ ଯେପରି ସବୁଦିଗରୁ ପରିପୂର୍ଣ୍ଣ ଜଳାଶୟଟିଏ ପାଇଗଲେ କ୍ଷୁଦ୍ର ଜଳାଶୟରେ ଯେତିକି ପ୍ରୟୋଜନ ରହେ, ବ୍ରହ୍ମଜ୍ଞାନ ଲାଭ କରିଥିବା ବ୍ୟକ୍ତିର ସମସ୍ତ ବେଦରେ ସେତିକି ପ୍ରୟୋଜନ ରହିଥାଏ । ସେହିପରି ଭଗବଦ୍ ବାଣୀରେ ଉଦ୍ବୁଦ୍ଧ ଅର୍ଜୁନର ଆସକ୍ତିରେ ମଧ୍ୟ ସେତିକି ପ୍ରୟୋଜନତାକୁ ବୁଝାଏ । ଏଠାରେ ଜଳାଶୟର ଦୃଷ୍ଟାନ୍ତ ଦେବାର ଅଭିପ୍ରାୟ ଏହି ଯେ, ଯାହାଙ୍କୁ ଅମୃତପରି ସ୍ୱାଦ ଓ ଗୁଣଯୁକ୍ତ ଅଗାଧ ଜଳରେ ପରିପୂର୍ଣ୍ଣ ଜଳାଶୟ ମିଳିଯାଏ, ତାଙ୍କୁ ଜଳପାଇଁ ଛୋଟ ଜଳାଶୟ ତଥା କୂପ, ପୋଖରୀ ଆଦିର ଆଉ କୌଣସି ପ୍ରୟୋଜନ ରହେନାହିଁ । କାରଣ ଜଳବିଷୟକ ସମସ୍ତ ଆବଶ୍ୟକତା ସେଥିରୁ ପୂର୍ଣ୍ଣ ହୋଇଯାଏ । ଠିକ୍ ସେହିପରି ଯେଉଁ ପୁରୁଷ ସମସ୍ତ ପ୍ରକାର ଭୋଗରେ ମମତା ଓ ଆସକ୍ତି ତ୍ୟାଗ କରି ପରମାତ୍ମାଙ୍କୁ ଜାଣିନିଅନ୍ତି ଓ ଯାହାଙ୍କୁ ପରମାନନ୍ଦର ସାଗର ପୂର୍ଣ୍ଣବ୍ରହ୍ମ ପରମାତ୍ମା ପ୍ରାପ୍ତ ହୋଇଯାଏ, ତାଙ୍କର ଆନନ୍ଦପ୍ରାପ୍ତି ପାଇଁ ବେଦୋକ୍ତ କର୍ମର ଫଳରୂପ ଭୋଗରେ କୌଣସି ପ୍ରୟୋଜନ ରହେନାହିଁ । ସେ ସର୍ବଦା ପୂର୍ଣ୍ଣକାମ ଓ ନିତ୍ୟତୃପ୍ତ ହୋଇଯାଆନ୍ତି । ଏପରି ସ୍ଥିତିପ୍ରାପ୍ତି ପାଇଁ ମନୁଷ୍ୟ ବେଦୋକ୍ତ କର୍ମର ଫଳରୂପ ଭୋଗରେ ମମତ୍ୱ, ଆସକ୍ତି ଏବଂ କାମନା ସର୍ବଦା ତ୍ୟାଗ କରି ପୂର୍ଣ୍ଣଭାବରେ ନିସ୍ତ୍ରୈଗୁଣ୍ୟ ହୋଇଯିବା ଉଚିତ । ତେଣୁ ପ୍ରାପ୍ତ କର୍ତ୍ତବ୍ୟକର୍ମରୁ ପଛଘୂଞ୍ଚା ଦେବା ଅନୁଚିତ ।
କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ ।
ମା କର୍ମଫଳହେତୁର୍ଭୂର୍ମାତେ ସଙ୍ଗୋସ୍ତ୍ୱକର୍ମଣି ॥୪୭॥
କାରଣ ପ୍ରତ୍ୟେକଙ୍କର କର୍ମଉପରେ ଅଧିକାର ରହିଛି, କିନ୍ତୁ କର୍ମର ଫଳ ଉପରେ କଦାପି ନୁହେଁ । ତେଣୁ ହେ ଅର୍ଜୁନ ! ତୁମେ କର୍ମଫଳର କାରଣ ହୁଅନାହିଁ ଅର୍ଥାତ୍ ମନ, ବୁଦ୍ଧି ଏବଂ ଇନ୍ଦ୍ରିୟମାନଙ୍କ ଦ୍ୱାରା କରାଯାଉଥିବା ଶାସ୍ତ୍ରବିହିତ କର୍ମରେ ଏବଂ ସେହି କର୍ମର ଫଳରେ ମମତ୍ୱ, ଆସକ୍ତି, ବାସନା, ଆଶା, ସ୍ପୃହା ଓ କମନା କରିବା ହିଁ କର୍ମଫଳର କାରଣ ହେବା । ସେହିପରି ତୁମର କର୍ମ ନ କରିବାରେ ବି ଆସକ୍ତି ନ ହେଉ । ଏହା ହିଁ କର୍ତ୍ତବ୍ୟକର୍ମବୋଧତାକୁ ବୁଝାଏ ।
ଯୋଗସ୍ଥଃ କୁରୁ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା ଧନଞ୍ଜୟ ।
ସିଦ୍ଧ୍ୟସିଦ୍ଧ୍ୟୋଃ ସମୋ ଭୂତ୍ୱା ସମତ୍ୱଂ ଯୋଗ ଉଚ୍ୟତେ ॥୪୮॥
ତେଣୁ ହେ ଧନଞ୍ଜୟ ! ତୁମେ ଆସକ୍ତି ତ୍ୟାଗ କରି ତଥା ସିଦ୍ଧି ଓ ଅସିଦ୍ଧିରେ ସମାନ ବୁଦ୍ଧି ରଖି ଯୋଗସ୍ଥ ହୋଇ କର୍ତ୍ତବ୍ୟକର୍ମ କର । ଏହି ସମତ୍ୱକୁ ହିଁ ଯୋଗ କୁହାଯାଏ ।
ଦୂରେଣ ହ୍ୟବରଂ କର୍ମ ବୁଦ୍ଧିଯୋଗାଦ୍ଧନଞ୍ଜୟ ।
ବୁଦ୍ଧୌ ଶରଣମନ୍ୱିଚ୍ଛ କୃପଣାଃ ଫଳହେତବଃ ॥୪୯॥
ହେ ଧନଞ୍ଜୟ ! ଏହି ସମତ୍ୱରୂପକ ବୁଦ୍ଧିଯୋଗ ଅପେକ୍ଷା ସକାମ କର୍ମ ଅତ୍ୟନ୍ତ ନିମ୍ନଶ୍ରେଣୀର ଅଟେ । ତୁମେ ସମବୁଦ୍ଧିରେ ନିଜ ରକ୍ଷାର ଉପାୟ ଖୋଜ ଓ ବୁଦ୍ଧିଯୋଗର ଆଶ୍ରୟ ଗ୍ରହଣ କର । କାରଣ, ଫଳର କାରଣ ହେଉଥିବା ଲୋକେ ଅତ୍ୟନ୍ତ ଦୀନ ।
ବୁଦ୍ଧିଯୁକ୍ତୋ ଜହାତୀହ ଉଭେ ସୁକୃତଦୁଷ୍କୃତେ ।
ତସ୍ମାତ୍ ଯୋଗାୟ ଯୁଜ୍ୟସ୍ୱ ଯୋଗଃ କର୍ମସୁ କୌଶଳମ୍ ॥ ୫୦॥
ସମବୁଦ୍ଧିଯୁକ୍ତ ପୁରୁଷ ଉଭୟ ପାପ ଓ ପୁଣ୍ୟକୁ ଇହଲୋକରେ ତ୍ୟାଗ କରିଦିଅନ୍ତି ଅର୍ଥାତ୍ ସେଥିରୁ ମୁକ୍ତ ହୋଇଯାଆନ୍ତି । ଏହି ସମତ୍ୱରୂପକ ଯୋଗ ହିଁ କର୍ମରେ କୁଶଳତା ଅର୍ଥାତ୍ କର୍ମବନ୍ଧନରୁ ମୁକ୍ତି ପାଇବାର ଉପାୟ ଅଟେ ।
କର୍ମଜଂ ବୁଦ୍ଧିଯୁକ୍ତା ହି ଫଳଂ ତ୍ୟକ୍ତ୍ୱା ମନୀଷିଣଃ ।
ଜନ୍ମବନ୍ଧବିନିର୍ମୁକ୍ତାଃ ପଦଂ ଗଚ୍ଛନ୍ତ୍ୟନାମୟମ୍ ॥୫୧॥
କାରଣ ସମବୁଦ୍ଧିରେ ଯୁକ୍ତ ଏହି ଜ୍ଞାନୀଜନମାନେ କର୍ମଦ୍ୱାରା ଉତ୍ପନ୍ନ ହେଉଥିବା ଫଳ ତ୍ୟାଗ କରି, ଜନ୍ମରୂପକ ବନ୍ଧନରୁ ମୁକ୍ତ ହୋଇ ନିର୍ବିକାର ପରମପଦ ପ୍ରାପ୍ତ ହୋଇଯାଆନ୍ତି ।
ଯଦା ତେ ମୋହକଲିଳଂ ବୁଦ୍ଧିର୍ବ୍ୟତିତରିଷ୍ୟତି ।
ତଦା ଗନ୍ତାସି ନିର୍ବେଦଂ ଶ୍ରୋତବ୍ୟସ୍ୟ ଶ୍ରୁତସ୍ୟ ଚ ॥ ୫୨॥
ଯେତେବେଳେ ବୁଦ୍ଧି ମୋହରୂପକ ପଙ୍କକୁ ଅତିକ୍ରମ କରେ, ସେତେବେଳେ ଶୁଣିଥିବା ଏବଂ ଶୁଣିବାକୁ ଥିବା ଇହଲୋକ ଓ ପରଲୋକ ସମ୍ବନ୍ଧୀୟ ସମସ୍ତପ୍ରକାର ଭୋଗ ପ୍ରତି ବୈରାଗ୍ୟ ଆସେ ।
ଶ୍ରୁତିବିପ୍ରତିପନ୍ନା ତେ ଯଦା ସ୍ଥାସ୍ୟତି ନିଶ୍ଚଳା ।
ସମାଧାବଚଳା ବୁଦ୍ଧିସ୍ତଦା ଯୋଗମବାପ୍ସ୍ୟସି ॥୫୩॥
ଶ୍ରୁତିରେ ବିଚଳିତ ବୁଦ୍ଧି ଯେତେବେଳେ ପରମାତ୍ମାଙ୍କ ଠାରେ ସ୍ଥିର ଓ ଅଚଳ ହୁଏ, ସେତେବେଳେ ମନୁଷ୍ୟ ଯୋଗପ୍ରାପ୍ତ ହୁଏ ଅର୍ଥାତ୍ ପରମାତ୍ମାଙ୍କ ସହିତ ମନୁଷ୍ୟର ନିତ୍ୟସଂଯୋଗ ହୁଏ ।
ଅର୍ଜୁନ ଉବାଚ
ସ୍ଥିତପ୍ରଜ୍ଞସ୍ୟ କା ଭାଷା ସମାଧିସ୍ଥସ୍ୟ କେଶବ ।
ସ୍ଥିତଧୀ କିଂ ପ୍ରଭାଷେତ କିମାସୀତ ବ୍ରଜେତ କିମ୍ ॥ —- (୫୪)
ଏହା ଶୁଣି ଅର୍ଜୁନ ଏହି ସ୍ଥିତପ୍ରଜ୍ଞ ବା ସମାଧିରେ ପରମାତ୍ମପ୍ରାପ୍ତ ସ୍ଥିରବୁଦ୍ଧି ପୁରୁଷଙ୍କ ଲକ୍ଷଣ, ପରିଭାଷା, ଆସନ ଓ ଚଳନି ସମ୍ବନ୍ଧରେ କେଶବଙ୍କୁ ଜିଜ୍ଞାସିଲେ ।
ଶ୍ରୀଭଗବାନୁବାଚ
ପ୍ରଜହାତି ଯଦା କାମାନ୍ ସର୍ବାନ୍ ପାର୍ଥ ମନୋଗତାନ୍ ।
ଆତ୍ମନ୍ୟେବାତ୍ମନା ତୁଷ୍ଟଃ ସ୍ଥିତପ୍ରଜ୍ଞସ୍ତଦୋଚ୍ୟତେ —– (୫୫)
ଶ୍ରୀଭଗବାନ୍ କହିଲେ – ମନରୁ ସକଳ କାମନା ପୂର୍ଣ୍ଣରୂପେ ତ୍ୟାଗ କରି ଓ ଆତ୍ମାଦ୍ୱାରା ଆତ୍ମାରେ ସନ୍ତୁଷ୍ଟ ହୋଇ ରହିଥିବା ପୁରୁଷକୁ ସ୍ଥିତପ୍ରଜ୍ଞ କୁହାଯାଏ ।
ଦୁଃଖେଷ୍ୱନୁଦ୍ବିଗ୍ନମନାଃ ସୁଖେଷୁ ବିଗତସ୍ପୃହଃ ।
ବୀତରାଗଭୟକ୍ରୋଧଃ ସ୍ଥିତଧୀର୍ମୁନିରୁଚ୍ୟତେ ॥ ୫୬ ॥
ଏମାନେ ଦୁଃଖରେ ଉଦ୍ବେଗହୀନତା, ସୁଖରେ ନିଃସ୍ପୃହତା, କ୍ରୋଧ ଓ ଭୟହୀନତା ଆଦି ଲକ୍ଷଣଯୁକ୍ତ ଅଟନ୍ତି, ଅର୍ଥାତ୍ ଦୁଃଖ ଆସିଲେ ବି ମନରେ ଉଦ୍ବେଗ ଜାତ ହୁଏ ନାହିଁ, ସୁଖ ମିଳିଲେ ବି ଏମାନେ ସର୍ବଦା ନିଃସ୍ପୃହ ରହନ୍ତି, ଯାହାଙ୍କର ରାଗ, ଭୟ ଓ କ୍ରୋଧ ନଷ୍ଟ ହୋଇଯାଇଛି, ସେହିପରି ମୁନିଙ୍କୁ ସ୍ଥିରବୁଦ୍ଧି କୁହାଯାଏ ।
ଯଃ ସର୍ବତ୍ରାନଭିସ୍ନେହସ୍ତତ୍ତତ୍ ପ୍ରାପ୍ୟ ଶୁଭାଶୁଭମ୍ ।
ନାଭିନନ୍ଦତି ନ ଦ୍ୱେଷ୍ଟି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ॥ ୫୭॥
ଅର୍ଥାତ୍ ଯେଉଁମାନେ ସର୍ବତ୍ର ସ୍ନେହରହିତ ଅର୍ଥାତ୍ ଶୁଭ ବସ୍ତୁ ପାଇଲେ ପ୍ରସନ୍ନ ହୁଅନ୍ତି ନାହିଁ ଓ ଅଶୁଭ ବସ୍ତୁ ପାଇଲେ ଦ୍ୱେଷ କରନ୍ତି ନାହିଁ ସେମାନଙ୍କ ବୁଦ୍ଧି ସ୍ଥିର ଅଟେ ।
ଯଦା ସଂହରତେ ଚାୟଂ କୂର୍ମୋଙ୍ଗାନୀବ ସର୍ବଶଃ ।
ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ॥୫୮॥
କଇଁଛ ଯେପରି ନିଜର ଅଙ୍ଗପ୍ରତ୍ୟଙ୍ଗଗୁଡିକୁ ସବୁଦିଗରୁ ସଙ୍କୁଚିତ କରି ଆଣେ, ସ୍ଥିରବୁଦ୍ଧି ସମ୍ପନ୍ନ ପୁରୁଷ ଠିକ୍ ସେହିପରି ନିଜର ଇନ୍ଦ୍ରିୟମାନଙ୍କୁ ଇନ୍ଦ୍ରିୟଗ୍ରାହ୍ୟ ବିଷୟମାନଙ୍କରୁ ସକଳପ୍ରକାରେ ହଟାଇ ଆଣନ୍ତି ସେତେବେଳେ ତାଙ୍କର ବୁଦ୍ଧି ସ୍ଥିର ଅଟେ ବୋଲି ଜାଣିବା ଉଚିତ ।
ବିଷୟା ବିନିବର୍ତ୍ତନ୍ତେ ନିରାହାରସ୍ୟ ଦେହିନଃ ।
ରସବର୍ଜଂ ରସୋପ୍ୟସ୍ୟ ପରଂ ଦୃଷ୍ଟ୍ୱା ନିବର୍ତ୍ତତେ ॥୫୯॥
ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟମାନଙ୍କୁ ଆଗ୍ରାହ୍ୟ କରୁଥିବା ପୁରୁଷର କେବଳ ବିଷୟମାନେ ନିବୃତ୍ତ ହୋଇଯାଆନ୍ତି, କିନ୍ତୁ ବିଷୟଭୋଗପ୍ରତି ଥିବା ଆସକ୍ତି ନିବୃତ୍ତ ହୁଏ ନାହିଁ । ତେବେ ପରମାତ୍ମାଙ୍କ ସହ ନିତ୍ୟସଂଯୋଗ ହୋଇଥିବା ସ୍ଥିତପ୍ରଜ୍ଞ ପୁରୁଷଙ୍କର ଆସକ୍ତି ବି ନିବୃତ୍ତ ହୋଇଯାଇଥାଏ ।
ଯତତୋ ହ୍ୟପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ ।
ଇନ୍ଦ୍ରିୟାଣି ପ୍ରମାଥୀନି ହରନ୍ତି ପ୍ରସଭଂ ମନଃ ॥୬୦॥
ହେ ଅର୍ଜୁନ ! ଆସକ୍ତି ନାଶ ହୋଇ ନ ଥିଲେ ଏହି ପ୍ରମଥନ ସ୍ୱଭାବ ବିଶିଷ୍ଟ ଇନ୍ଦ୍ରିୟମାନେ ଯତ୍ନଶୀଳ ବୁଦ୍ଧିମାନ ପୁରୁଷଙ୍କର ମନକୁ ମଧ୍ୟ ବଳପୂର୍ବକ ହରଣ କରିନିଅନ୍ତି ।
ତାନି ସର୍ବାଣି ସଂଯମ୍ୟ ଯୁକ୍ତ ଆସୀତ ମତ୍ପରଃ ॥
ବଶେ ହି ଯସ୍ୟେନ୍ଦ୍ରିୟାଣି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ॥୬୧॥
ଯେଉଁମାନଙ୍କର ଇନ୍ଦ୍ରିୟମାନେ ବଶୀଭୂତ ହୋଇ ନଥାନ୍ତି ସେମାନେ ସ୍ଥିରବୁଦ୍ଧି ସମ୍ପନ୍ନ ନୁହନ୍ତି । ତେଣୁ ସାଧକମାନେ ସକଳ ଇନ୍ଦ୍ରିୟ ବଶ କରି ସମାହିତଚିତ୍ତରେ ଈଶ୍ୱରଙ୍କ ପରାୟଣ ହୋଇ ଧ୍ୟାନରେ ବସିବା ଆବଶ୍ୟକ ଅଟେ ।
ଧ୍ୟାୟତୋ ବିଷୟାନ୍ପୁଂସଃ ସଙ୍ଗସ୍ତେଷୂପଜାୟତେ ॥
ସଙ୍ଗାତ୍ ସଞ୍ଜାୟତେ କାମଃ କାମାତ୍ କ୍ରୋଧୋଭିଜାୟତେ ॥୬୨॥
କ୍ରୋଧାତ୍ ଭବତି ସମ୍ମୋହଃ ସମ୍ମୋହାତ୍ ସ୍ମୃତିବିଭ୍ରମଃ ।
ସ୍ମୃତିଭ୍ରଂଶାଦ୍ ବୁଦ୍ଧିନାଶୋ ବୁଦ୍ଧିନାଶାତ୍ ପ୍ରଣଶ୍ୟତି ॥୬୩ ॥
ବିଷୟଚିନ୍ତନ କରୁଥିବା ବ୍ୟକ୍ତିର ସେହି ବିଷୟପ୍ରତି ଆସକ୍ତି ଜନ୍ମେ । ଆସକ୍ତିରୁ ସେହି ବିଷୟମାନଙ୍କପ୍ରତି କାମନା ଜାତ ହୁଏ । କାମନାରେ ବାଧା ଉତ୍ପନ୍ନ ହେଲେ କ୍ରୋଧ, କ୍ରୋଧରୁ ଅତ୍ୟନ୍ତ ମୂଢଭାବ ଓ ମୂଢଭାବରୁ ସ୍ମୃତିଭ୍ରମ ହୁଏ । ସ୍ମୃତିଭ୍ରମରୁ ବୁଦ୍ଧି ଅର୍ଥାତ୍ ଜ୍ଞାନଶକ୍ତି ନାଶ ହୁଏ ଓ ବୁଦ୍ଧିନାଶରୁ ପୁରୁଷ ନିଜ ସ୍ଥିତିରୁ ସ୍ଖଳିତ ହୁଏ ।
ରାଗଦ୍ୱେଷବିଯୁକ୍ତୈସ୍ତୁ ବିଷୟାନିନ୍ଦ୍ରିୟୈଶ୍ଚ ରନ୍ ॥
ଆତ୍ମବଶ୍ୟୈର୍ବିଧେୟାତ୍ମା ପ୍ରସାଦମଧିଗଚ୍ଛତି ॥୬୪॥
କିନ୍ତୁ ସାଧକ ଯଦି ଅନ୍ତଃକରଣକୁ ନିଜ ଆୟତ୍ତରେ ରଖିଥାଏ, ତେବେ ତା’ର ବଶରେ ଥିବା ରାଗଦ୍ୱେଷରହିତ ଇନ୍ଦ୍ରିୟମାନେ ବିଷୟମାନଙ୍କରେ ବିଚରଣ କରୁଥିଲେ ବି ଅନ୍ତଃକରଣର ପ୍ରସନ୍ନତା ଲାଭ ହୁଏ ।
ପ୍ରସାଦେ ସର୍ବଦୁଃଖାନାଂ ହାନିରସ୍ୟୋପଜାୟତେ ।
ପ୍ରସନ୍ନଚେତସୋ ହ୍ୟାଶୁ ବୁଦ୍ଧିଃ ପର୍ଯ୍ୟବତିଷ୍ଠତେ ॥୬୫॥
ଅନ୍ତଃକରଣର ପ୍ରସନ୍ନତା ଆସିବା ଫଳରେ ତାଙ୍କର ସବୁ ଦୁଃଖର ବିନାଶ ଘଟେ ଓ ବୁଦ୍ଧି ସକଳ ଦିଗରୁ ଅପସରି ଆସି ପରମାତ୍ମାଙ୍କ ଠାରେ ସ୍ଥିର ନିଶ୍ଚିତ ହୋଇଯାଏ ।
ନାସ୍ତି ବୁଦ୍ଧିରଯୁକ୍ତସ୍ୟ ନ ଚାଯୁକ୍ତସ୍ୟ ଭାବନା ।
ନ ଚାଭାବୟତଃ ଶାନ୍ତିରଶାନ୍ତସ୍ୟ କୁତଃ ସୁଖମ୍ ॥୬୬॥
କିନ୍ତୁ ମନ ଓ ଇନ୍ଦ୍ରିୟମାନଙ୍କୁ ଜୟ କରି ନ ଥିବା ମନୁଷ୍ୟର ନିଶ୍ଚୟାତ୍ମିକା ବୁଦ୍ଧି ହୁଏ ନାହିଁ । ତେଣୁ ଅନ୍ତଃକରଣରେ ଆସ୍ତିକଭାବନା ଜାଗ୍ରତ ହୁଏ ନାହିଁ । ଆସ୍ତିକ ଭାବନାହୀନ ବ୍ୟକ୍ତିକୁ ଶାନ୍ତି ମିଳେ ନାହିଁ । ତେଣୁ ଶାନ୍ତିରହିତରେ ସୁଖ ବା କେଉଁଠୁ ମିଳିବ ?
ଇନ୍ଦ୍ରିୟାଣାଂ ହି ଚରତାଂ ଯନ୍ମନୋନୁ ବିଧୀୟତେ ।
ତଦସ୍ୟ ହରତି ପ୍ରଜ୍ଞାଂ ବାୟୁର୍ନାବମିବାମ୍ଭସି ॥୬୭॥
ପବନ ଯେପରି ଜଳରେ ଚାଲୁଥିବା ନୌକାକୁ ତା’ର ବେଗ ଦିଗରେ ଭସାଇ ନିଏ, ଠିକ୍ ସେହିପରି ବିଷୟରେ ବିଚରଣ କରୁଥିବା ଇନ୍ଦ୍ରିୟମାନଙ୍କ ମଧ୍ୟରୁ ଯେଉଁ ଇନ୍ଦ୍ରିୟଟି ମନ ସହ ଯୁକ୍ତ ହୋଇ ରହିଥାଏ, ସେହି ଏକ ଇନ୍ଦ୍ରିୟଟି ବି ଉକ୍ତ ଅଯୁକ୍ତ ବ୍ୟକ୍ତିର ବୁଦ୍ଧିକୁ ହରଣ କରିନିଏ ।
ତସ୍ମାଦ୍ୟସ୍ୟ ମହାବାହୋ ନିଗୃହୀତାନି ସର୍ବଶଃ ।
ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ॥୬୮॥
ଅତଏବ ହେ ମହାବାହୁ ! ଯେଉଁ ପୁରୁଷଙ୍କ ଇନ୍ଦ୍ରିୟମାନେ ଇନ୍ଦ୍ରିୟମାନଙ୍କର ବିଷୟମାନଙ୍କ ଠାରୁ ସକଳପ୍ରକାରେ ବିଚ୍ଛିନ୍ନ ହୋଇଯାଆନ୍ତି, ସେମାନଙ୍କୁ ସ୍ଥିରବୁଦ୍ଧି ସମ୍ପନ୍ନ କୁହାଯାଏ ।
ଯା ନିଶା ସର୍ବଭୂତାନାଂ ତସ୍ୟାଂ ଜାଗର୍ତି ସଂଯମୀ ।
ଯସ୍ୟାଂ ଜାଗ୍ରତି ଭୂତାନି ସା ନିଶା ପଶ୍ୟତୋ ମୁନେଃ ॥୬୯॥
ତେଣୁ ଯେଉଁ ନିତ୍ୟଜ୍ଞାନ ସ୍ୱରୂପ ପରମାନନ୍ଦପ୍ରାପ୍ତି ସକଳ ପ୍ରାଣୀଙ୍କ ନିମନ୍ତେ ରାତ୍ରିସମାନ, ତାହାର ପ୍ରାପ୍ତିରେ ସ୍ଥିତପ୍ରଜ୍ଞ ଯୋଗୀମାନେ ଜାଗ୍ରତ ରହନ୍ତି । କିନ୍ତୁ ଯେଉଁ ନାଶବାନ୍ ସଂସାରିକ ସୁଖ ଲାଭରେ ସକଳପ୍ରାଣୀ ଜାଗ୍ରତ ରହନ୍ତି, ପରମାତ୍ମତତ୍ତ୍ୱ ଜାଣିଥିବା ମୁନିଙ୍କ ନିମନ୍ତେ ତାହା ମଧ୍ୟ ରାତ୍ରି ସମାନ ।
ଆପୂର୍ଯ୍ୟମାଣମଚଳପ୍ରତିଷ୍ଠଂ — ସମୁନ୍ଦ୍ରମାପଃ ପ୍ରବିଶନ୍ତି ଯଦ୍ବତ୍ ।
ତଦ୍ବତ୍ କାମ ଯଂ ପ୍ରବିଶନ୍ତି ସର୍ବେ — ସ ଶାନ୍ତିମାପ୍ନୋତି ନ କାମକାମୀ ॥୭୦॥
ସବୁ ଦିଗରୁ ବିଭିନ୍ନ ନଦୀର ଜଳ ଅଚଳ ପ୍ରତିଷ୍ଠାଯୁକ୍ତ ସମୁନ୍ଦ୍ରକୁ ପ୍ରବେଶ କରେ, କିନ୍ତୁ ତାହା ସାଗରକୁ ବିଚଳିତ କରିପାରେନି । ସେହିପରି ଯେଉଁ ସ୍ଥିତପ୍ରଜ୍ଞ ପୁରୁଷଙ୍କ ଠାରେ ସକଳ ଭୋଗ କୌଣସି ପ୍ରକାର ବିକାର ଉତ୍ପନ୍ନ ନ କରି ପ୍ରବେଶ କରନ୍ତି, ସେହି ପୁରୁଷ ପରମ ଶାନ୍ତି ପ୍ରାପ୍ତ ହୁଅନ୍ତି । କିନ୍ତୁ ଭୋଗ ଚାହୁଁଥିବା ବ୍ୟକ୍ତି ତାହା ପାଏ ନାହିଁ ।
ବିହାୟ କାମାନ୍ ଯଃ ସର୍ବାନ୍ ପୁମାଂଶ୍ଚ ରତି ନିଃସ୍ପୃହଃ ।
ମିର୍ମମୋ ନିରହଙ୍କାରଃ ସ ଶାନ୍ତିମଧ୍ଗଚ୍ଛତି ॥୭୧॥
ଯେଉଁ ପୁରୁଷ ସମସ୍ତ କାମନା ତ୍ୟାଗ କରି ମମତ୍ୱରହିତ, ଅହଂକାରରହିତ ଓ ସ୍ପୃହାରହିତ ହୋଇ ବିଚରଣ କରେ ସେ ହିଁ ପରମ ଶାନ୍ତି ପ୍ରାପ୍ତ ହୁଏ ।
ତେଣୁ ହେ ଅର୍ଜୁନ ! ଏହା ହିଁ ବ୍ରହ୍ମପ୍ରାପ୍ତ ହୋଇଥିବା ବ୍ୟକ୍ତି ଓ ଏହା ପ୍ରାପ୍ତ ହେଲେ ଯୋଗୀ କେବେହେଲେ ମୋହିତ ହୁଅନ୍ତି ନାହିଁ । ଅନ୍ତଃକାଳରେ ମଧ୍ୟ ସେ ଏହି ବ୍ରାହ୍ମୀ ସ୍ଥିତିରେ ସ୍ଥିର ରହି ବ୍ରହ୍ମାନନ୍ଦ ପ୍ରାପ୍ତ ହୁଅନ୍ତି । ଏ ଅଧ୍ୟାୟରେ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ ଯେ, ଇହଲୋକରେ ଦୁଇପ୍ରକାର ନିଷ୍ଠା ବା ସାଧନାର ପରିପକ୍ୱ ଅବସ୍ଥାପ୍ରାପ୍ତ ହୁଏ, ଯଥା :-
(1) ଜ୍ଞାନଯୋଗ – ମାୟାରୁ ଉତ୍ପନ୍ନ ଗୁଣମାନେ ହିଁ ଗୁଣମାନଙ୍କରେ ପ୍ରବର୍ତ୍ତିତ ହୁଅନ୍ତି । ତେଣୁ ମନ, ଇନ୍ଦ୍ରିୟ ଓ ଶରୀରଦ୍ୱାରା ହେଉଥିବା ସମସ୍ତ କ୍ରିୟାରେ କର୍ତ୍ତାପଣ ତ୍ୟାଗ ପୂର୍ବକ ପରମାତ୍ମାଙ୍କ ଠାରେ ସ୍ଥିରତା ବଜାୟ ରଖିବାକୁ ଜ୍ଞାନଯୋଗ, ସନ୍ୟାସଯୋଗ ବା ସାଂଖ୍ୟଯୋଗ କୁହାଯାଏ । ଏହା ସାଂଖ୍ୟଯୋଗୀମାନଙ୍କଦ୍ୱାରା ହୋଇଥାଏ ।
(2) କର୍ମଯୋଗ – କର୍ମର ଫଳ ଓ ଆସକ୍ତି ପରିତ୍ୟାଗ କରି ଭଗବାନଙ୍କପାଇଁ ସମତ୍ୱବୁଦ୍ଧିରେ କର୍ମ କରିବାକୁ କର୍ମଯୋଗ, ନିଷ୍କାମ କର୍ମଯୋଗ, ସମତ୍ୱଯୋଗ, ବୁଦ୍ଧିଯୋଗ, ତଦର୍ଥକର୍ମ ଓ ମଦର୍ଥକର୍ମ ମଧ୍ୟ କହନ୍ତି । ଏହା ଯୋଗୀମାନଙ୍କଦ୍ୱାରା ହୋଇଥାଏ ।
ବର୍ତ୍ତମାନ ବିଜ୍ଞାନବାଦର ପର୍ଯ୍ୟବେକ୍ଷିତ ଓ ପ୍ରୟୋଗଧାରାରୁ ଉଦ୍ଗତ ଅସୁମାରୀ ପ୍ରକ୍ରିୟାଗୁଡିକରୁ ଯତ୍କିଞ୍ଚିତ୍ ଉପରେ ପର୍ଯ୍ୟାଲୋଚନା ପୂର୍ବକ ଦର୍ଶାଯାଇପାରେ ଯେ, ବ୍ରହ୍ମବାଦ ହିଁ ସବୁ ଜ୍ଞାନର ମୌଳିକ ଉତ୍ସ । ତେଣୁ ବିଜ୍ଞାନ ତତ୍ତ୍ୱାବଳୀ ମଧ୍ୟରେ ଭଗବଦ୍ ଚେତନାର ଅନୁସନ୍ଧାନରେ ବିଶ୍ୱସୃଷ୍ଟି ତତ୍ତ୍ୱ ବା ବିଗ୍ବ୍ୟାଙ୍ଗ୍ ବିସ୍ଫୋରଣ(Big Bang Explosion)କୁ ଏଠାରେ ଆଲୋଚନାର ପର୍ଯ୍ୟାୟଭୁକ୍ତ କରାଯାଇଛି । ପ୍ରାୟ 13.7 ବିଲିୟନ୍ ବର୍ଷ ପୂର୍ବେ ବିଶ୍ୱର ସବୁକିଛି ଉପାଦାନ ଏକ ବିନ୍ଦୁରେ ଠୂଳ ଥିଲା । ଏହି ଦୃଶ୍ୟ ଓ ଅଦୃଶ୍ୟ ଗାଠନିକ ଉପାଦାନମାନ, ଯଥା – ବସ୍ତୁ(Matter), ବିକିରଣ(Radiation), ସମସ୍ତ ପ୍ରକାର ପାରସ୍ପରିକ କ୍ରିୟା(Interaction) ବା ବଳ ଆଦି ଏକ କ୍ଷୁଦ୍ରାତିକ୍ଷୁଦ୍ର ପରିସର(Dimension) ବା ସ୍ଥାନ(Space) ମଧ୍ୟେ ରହିଥିଲା । ସମୟ ବା କାଳ(Time) ସହ ଜଡ଼ିତ ବା ଏକକତ୍ୱ(Coupled) ଅବସ୍ଥାକୁ ସ୍ଥାନ – କାଳ ଏକକତ୍ୱ(Space – Time Coupling) ଅବସ୍ଥା କୁହାଯାଏ । ଏବେକାର ବିଶ୍ୱ ଆୟତନ ସେତେବେଳେ ଏକ ବିନ୍ଦୁ ଅବସ୍ଥାରେ ରହିଥିଲା, ଯାହାକୁ ବିଜ୍ଞାନ ଭାଷାରେ ମହାଜାଗତିକ ଅଣ୍ଡା(Cosmic Egg) ବୋଲି ବର୍ଣ୍ଣନା କରାଯାଏ । ଅର୍ଥାତ୍ ଅଦେଖା, ଅଜଣା, ଘନଘୋର ଅନ୍ଧକାରମୟ, ସମ୍ପୂର୍ଣ୍ଣ ନିରବ, ସମ୍ପୂର୍ଣ୍ଣ ନିଶ୍ଚଳ ଓ ସମ୍ପୂର୍ଣ୍ଣ ଜୀବଶୂନ୍ୟତା ଓ ଅନନ୍ତ ମାତ୍ରାର ସାନ୍ଦ୍ରତା ବ୍ୟତୀତ ଆଉକିଛି କଳ୍ପନା କରିବା କଷ୍ଟକର ବ୍ୟାପାର ଅଟେ । ମହାଜାଗତିକ ବିଜ୍ଞାନ(Cosmology) କହେ ସ୍ଥାନ ଓ କାଳର ଅତିକ୍ଷଣିକ ସଂଯୋଗରୁ ବା ଆଲିଙ୍ଗନରୁ ମହାଜାଗତିକ ବିସ୍ଫୋରଣ ହୁଏ, ଯାହାକୁ ବିଶ୍ୱର ଜନ୍ମ ମୁହୂର୍ତ୍ତ ବା ଶୂନ ସମୟ(Zero Time) କୁହାଯାଏ । ଏହିଠାରୁ ଆରମ୍ଭ ହୁଏ ବିଶ୍ୱର ଜୀବନ ନାଟିକା । ସେହି କ୍ଷୁଦ୍ରାତି କ୍ଷୁଦ୍ର ମହାଜାଗତିକ ବିନ୍ଦୁ ସ୍ୱରୂପ ପରିସରରେ ସବୁ ଭରି ହୋଇ ରହିଥିଲା । ତେଣୁ ବସ୍ତୁ ସାନ୍ଦ୍ରତା(Matter Density) ଅନନ୍ତ ସୀମା(∞)ଯାଏ ପରିବ୍ୟାପ୍ତ ଥିଲା ଓ ବିସ୍ଫୋରଣରୁ ସବୁର ଉଦ୍ଗତ ହେଲା । ପଦାର୍ଥ ଜ୍ୟୋତିଃ ବିଜ୍ଞାନୀମାନେ ଆଇନ୍ଷ୍ଟାଇନ୍ଙ୍କ ମହାକର୍ଷଣୀୟ କ୍ୱାଣ୍ଟମ୍ ତତ୍ତ୍ୱାଦିର ପଶ୍ଚାତ୍ଧାବନରେ ଅତୀତକୁ ଅର୍ଥାତ୍ 13.7 ବିଲିୟନ୍ ବର୍ଷ ପଛକୁ ପହଞ୍ଚିବାର ପ୍ରଚେଷ୍ଟା ସହ ବିଶ୍ୱର ଜନ୍ମ ଜାତକ ଲେଖିଲେ । ପରନ୍ତୁ 10-43 ସେକେଣ୍ଡ୍ରୁ ବିଶ୍ୱର ଜନ୍ମକ୍ଷଣ ବା ଶୂନ ସେକେଣ୍ଡ୍କୁ ପହଞ୍ଚି ହେଲା ନାହିଁ । କାରଣ ସମସ୍ତ ତତ୍ତ୍ୱାବଳୀ ଏହି ସୂକ୍ଷ୍ମସମୟ ବ୍ୟବଧାନରେ ଫଳପ୍ରଦ ହେଲା ନାହିଁ । ଅର୍ଥାତ୍ ଏହା ସୂଚାଇଲା ଯେ, ସେହି ସମୟ ବ୍ୟବଧାନରେ ସମ୍ଭବତଃ ସ୍ଥାନ ଓ କାଳ ସଂଯୋଗ ଅବସ୍ଥାରେ ରହିଥିଲେ । ଯେହେତୁ ଆଜିର ବିଶ୍ୱ ସ୍ଥାନ – କାଳ ବିଚ୍ଛିନ୍ନ ପରିସର ଅଟେ, ତେଣୁ ଏ ବିଶ୍ୱ ସୃଷ୍ଟି ହେବା ସମୟରେ ସଂଯୋଗତା ସେହି କ୍ଷଣିକ ସମୟ ବ୍ୟବଧାନପାଇଁ ହୋଇଥିବ ଓ ମହାବିସ୍ଫୋରଣ ଘଟାଇଥିବ । ତେବେ ଏହି ସଂଯୋଗୀକରଣକୁ ବୈଦିକ ଭାଷାରେ ସତେକି ହରି ଓ ହର(ମହାକାଳ)ଙ୍କ ଦିବ୍ୟ ମିଳନ ଓ ଏହାକୁ ସୃଷ୍ଟି ପ୍ରକ୍ରିୟାର ଅୟାରମ୍ଭ ସହ ତୁଳନା କରାଯାଇପାରେ । ତେଣୁ ସମୟ ବା ମହାକାଳ ହିଁ ଅନାଦି । ସ୍ଥାନ(cosmic egg), ବସ୍ତୁ(matter) , ଉର୍ଜ୍ଜା(energy), ପାରସ୍ପରିକ କ୍ରିୟା(interaction), ପରିମେୟ ପରିସର(dimension) ଆଦି ମଧ୍ୟ ଅନାଦି । କ୍ଷୁଦ୍ରାତିକ୍ଷୁଦ୍ର ସଙ୍କୁଚିତ ସ୍ଥାନ ମଧ୍ୟରେ ବସ୍ତୁ , ଉର୍ଜ୍ଜା, ପାରସ୍ପରିକ କ୍ରିୟା, ପରିମେୟ ପରିସର ଆଦି ନିବିଡ ଓ ସୁପ୍ତ ରୂପେ ରହିଥିଲେ । ସମୟ ସହ କ୍ଷୁଦ୍ରାତିକ୍ଷୁଦ୍ର ସଙ୍କୁଚିତ ସ୍ଥାନ ସହ ସଂଯୋଗୀକରଣରୁ ଅବଚେତନାରୁ ଚେତନାର ଜାଗ୍ରତ ହୁଏ । ସବୁକିଛି ଚେତି ଉଠିବାରୁ ମହାବିସ୍ଫୋରଣର ସୃଷ୍ଟି ଓ କର୍ମ କ୍ଷେତ୍ରର ଆରମ୍ଭ ହୁଏ । ଏହାପରେ ସମୟ ପରିସର ସ୍ଥାନ ଓ ଏହା ସହ ଜଡିତ ଥିବା ସମସ୍ତ ଉପାଦାନରୁ ପୁନଃ ବିଚ୍ୟୁତ ଘଟେ ଓ ସମୟର କବଳରେ ସର୍ବେ ଅର୍ଥାତ୍ ଜଡ଼ ଓ ଚଳତ୍ ପତିତ ହୁଅନ୍ତି । ଏହା ଚତୁଃ ସ୍ତରୀୟ ସ୍ଥାନ – କାଳ ପରିସରମୟ ବିଶ୍ୱ(Four Dimensional space – time continuum world) ଅଟେ ।
ବିଜ୍ଞାନ ତତ୍ତ୍ୱର ପରିଭାଷା ପ୍ରମାଣ କରେ, ବିସ୍ଫୋରଣରୁ ସୂକ୍ଷ୍ମାତି ସୂକ୍ଷ୍ମ କଣିକା କ୍ୱାର୍କ୍, ଗ୍ଲୁଅନ୍, ହିଗ୍ଙ୍କ ବୋସନ୍(Higgs Boson)…. ପ୍ରୋଟନ୍, ଇଲେକ୍ଟ୍ରନ୍, …… , ବିଶ୍ୱର ଆଦିମୌଳିକ ଉଦ୍ଜାନ(Hydrogen) ପରମାଣୁ ….. ଆଦିତାରକା(Proto Star), ତାରକାର ଜନ୍ମ, ମହାଜାଗତିକ ଧୂଳିକଣା(Cosmic Dust), …… ଆଦି ଖୁବ୍ କମ୍ ସମୟରେ କଳ୍ପନାତୀତଭାବେ ସୃଷ୍ଟି ହେବାକୁ ଲାଗିଲା । ସୃଷ୍ଟି ହେଲା ଜଗତ ପରେ ଜଗତ(Galaxy), ଅନ୍ଧକାରମୟ ପରିବେଷ୍ଟନୀ ବସ୍ତୁ ଓ ବିକିରଣର ବିଚ୍ଛିନ୍ନତାରୁ ଆଲୋକିତ ହେଲା । ଆଦିବଳ(ମହାକର୍ଷଣୀୟ ପାରସ୍ପରିକ ପ୍ରତିକ୍ରିୟା-Gravitational Interaction) ରେ ଯୁକ୍ତ ହୋଇ ରହିଥିବା ଅନ୍ୟ ତ୍ରିବଳ ବା ପାରସ୍ପରିକ ପ୍ରତିକ୍ରିୟାମାନ ମଧ୍ୟ ବିଚ୍ଛିନ୍ନ ହେବାକୁ ଲାଗିଲା, ଯଥା – ସବଳ ପାରସ୍ପରିକ ପ୍ରତିକ୍ରିୟା(Strong Interaction), ବିଦ୍ୟୁତ୍ – ଚୁମ୍ବକୀୟ ପାରସ୍ପରିକ ପ୍ରତିକ୍ରିୟା(Electro – magnetic Interaction) ଓ ଦୁର୍ବଳ ପାରସ୍ପରିକ ପ୍ରତିକ୍ରିୟା(Weak Interaction) ।
ପୁନଃ ବିଶ୍ୱରେ ମହାକର୍ଷଣୀୟ ବଳ(Gravitational Force) ଓ ମହାକର୍ଷଣୀୟ ଶକ୍ତି ବିନ୍ୟାସ(Energy Configuration)କୁ ଏଠାରେ ଆଲୋଚନାର ପର୍ଯ୍ୟାୟଭୁକ୍ତ କରାଯାଇଛି । ପଦାର୍ଥ ବିଜ୍ଞାନ ଭାଷାରେ ବିଶ୍ୱସୃଷ୍ଟି ସମୟରେ ସବୁ ବଳ ବା ପାରସ୍ପରିକ ପ୍ରତିକ୍ରିୟାମାନ ଏକ ବଳରୂପେ ବିଦ୍ୟମାନ ଥିଲା । ଏହାକୁ ଆଦିବଳ(premodal) ବା ମହାକର୍ଷଣୀୟ ବଳ କୁହାଯାଏ । ଏହା ସହ ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଜଣା ଓ ଅଜଣା(Matter, Energy, interaction, Dark Matter, Dark Energy, Dark interaction etc.) ଆଦି ସନ୍ନିହିତ ହୋଇ ଏକ କ୍ଷୁଦ୍ର ପରିସର(Space) ମଧ୍ୟରେ ରହିଥିଲା । ସବୁ କିଛି ସମୟର ଆୟତ୍ତାଧିନ ଥିଲା ଓ ସେହି କ୍ଷୁଦ୍ର ପରିସର ମଧ୍ୟରେ ମହାକର୍ଷଣୀୟ ଶକ୍ତି ଦ୍ୱାରା ଦୃଢଭାବେ ଜଡ଼ିତ ହୋଇ ରହିଥିଲା । ତେବେ କ୍ଷଣେ ମାତ୍ର ସମୟ ସଂଯୁକ୍ତ ହୋଇଥିଲା ସ୍ଥାନ ସହ, ଯାହା ଫଳରେ ପ୍ରଚଣ୍ଡ ବିସ୍ଫୋରଣରୁ ନୂତନ ସୃଷ୍ଟି ସମ୍ଭାର ଆରମ୍ଭ ହେଲା । ବୋଧହୁଏ ଏହାହିଁ ମହାକାଳର ଇଛା ଅର୍ଥାତ୍ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି ।
ଏଠାରେ ସମୟକୁ ଅଦେଖା, ଅଜଣା, ରୂପହୀନ, ବର୍ଣ୍ଣହୀନ, ଗନ୍ଧହୀନ, ଅନାଦି……. ଆଦି ରୂପେ କଳ୍ପନା କରାଯାଇ ପାରେ । ଏହା ସର୍ବ ସମନ୍ୱୟ ରକ୍ଷାକାରୀ । ଦୃଶ୍ୟ ଓ ଅଦୃଶ୍ୟ ଗାଠନିକ ଉପାଦାନମାନର ଏକ ବିନ୍ଦୁରେ ଅନନ୍ତ ଆକର୍ଷଣ ବଳ ଓ ଅନନ୍ତ ସାନ୍ଦ୍ରତାର ସମଷ୍ଠିଗତତା ହିଁ ସମୟ ବ୍ୟତୀତ ଅନ୍ୟ ସବୁକୁ ଅର୍ଥାତ୍ ସ୍ଥାନକୁ ବୁଝାଏ । ଉଭୟର ମିଳନରୁ ବିଶ୍ୱ ସୃଷ୍ଟି ଅର୍ଥାତ୍ ସୃଷ୍ଟିର ସର୍ଜନା ହୁଏ । ପ୍ରତ୍ୟେକ ଜୀବାତ୍ମା ସୃଷ୍ଟି ହୁଏ ପରମାତ୍ମାର ଏକ ଏକ ଅଂଶ ରୂପେ । ପୂର୍ବ ସୃଷ୍ଟିରୁ ଲୁକ୍କାୟିତ ପ୍ରାରବ୍ଦ୍ଧକୁ ନେଇ ସମୟ ଚକ୍ରରେ ସେହି ପ୍ରକାର ସୂକ୍ଷ୍ମ ସ୍ୱରୂପ(ଜୀବାତ୍ମା) ରୂପେ ଧରା ପୃଷ୍ଠରେ ଭିନ୍ନ ଭିନ୍ନ ଯୋନିରେ ଯୁକ୍ତ ହୋଇ ପ୍ରାଣୀ ଜନ୍ମ ଲାଭ କରେ । ସେଇଥି ପାଇଁ ତ ଶରୀରଧାରୀ ସମ ବା ଅସମ ଯୋନି ଜୀବାତ୍ମା ମାନଙ୍କର ଜୀବନ ଧାରା ସମାନ ହୋଇ ନଥାଏ । ସୃଷ୍ଟିର ଈଛାରେ ଗଠନମୂଳକ ସହଯୋଗରେ ମାୟା ମୋହ ରହିତ ସତ୍କର୍ମୀ ଜୀବ ଜନ୍ମ-ମୃତ୍ୟୁ ଚକ୍ରରୁ ନିସ୍ତାର ପାଇ ପରମାତ୍ମାଙ୍କ ସହ ମିଳିତ ହୁଏ ବା ମୋକ୍ଷପ୍ରାପ୍ତି ହୁଏ, ନଚେତ୍ ପୁନଃ ପୁନଃ ଜନ୍ମ ଓ ମରଣ ପ୍ରକ୍ରିୟାରେ ପତିତ ହୁଏ ।
ସେହିପରି ଏ ବାବଦକୁ ବିଜ୍ଞାନର ଭାଷାରେ ବିଗ୍ବ୍ୟାଙ୍ଗ୍ର ବିପରୀତ ପ୍ରକ୍ରିୟାକୁ ବିଗ୍କ୍ରଞ୍ଚ୍(Big Chrunch) କୁହାଯାଏ । ବିଗ୍ବ୍ୟାଙ୍ଗ୍ରୁ ବିଶ୍ୱ ଆୟତନ ବୃଦ୍ଧି ଘଟି ଚାଲେ ଏବଂ ମହାକର୍ଷଣୀୟ ବଳ ପୁନଃ କ୍ରମବର୍ଦ୍ଧିଷ୍ଣୁ ବିଶ୍ୱକୁ ପଶ୍ଚାତ୍ ଗତି କରାଇବାରେ ଅକ୍ଷମ ରହେ । କାରଣ ବିଶ୍ୱର ହାରାହାରୀ ବସ୍ତୁ ସାନ୍ଦ୍ରତା(Average Mass Density) ପତଳା ହେଉଥାଏ ଓ ଏହା ସଙ୍କଟୀୟ ବସ୍ତୁ ସାନ୍ଦ୍ରତା(Critical Mass Density) ଠାରୁ କମ୍ ହେତୁ ଘଟେ । ପରନ୍ତୁ ମହାଜାଗତିକ ଘଟଣାବଳୀର ଆକଳନ ଓ ମାନବୀୟ ଜ୍ଞାନ ଭଣ୍ଡାରର ବାହ୍ୟ ସୀମାରେ ଥିବା ଅଜ୍ଞାତ ଅସୀମ ପ୍ରକ୍ତିୟାମାନ ଅନେକ ସମ୍ଭାବନା ସୃଷ୍ଟି କରେ ଯେ,
(୧) ମହାକର୍ଷଣୀୟ ବଳରୁ ବିଚ୍ଛିନ୍ନ ବଳଗୁଡିକ ପୁନଃ ମୂଳ ବଳରେ ମିଶ୍ରିତ ହେବ ।
(୨) ସଙ୍କଟୀୟ ବସ୍ତୁ ସାନ୍ଦ୍ରତା ବିଶ୍ୱର ହାରାହାରୀ ବସ୍ତୁ ସାନ୍ଦ୍ରତା ଠାରୁ ଅଧିକ ହେବ ।
(୩) ବିଶ୍ୱର ସଙ୍କୋଚନ ପ୍ରକ୍ରିୟା ଆରମ୍ଭ ହେବ ।
(୪) ବିଶ୍ୱର ସମସ୍ତ ବସ୍ତୁର ଏକତ୍ରୀକରଣ ଘଟିବା ଆରମ୍ଭ ହେବ ।
(୫) କ୍ରମଶଃ ବସ୍ତୁ ଓ ବିକିରଣର ସଂଯୋଗୀକରଣ ହେବ ଓ ଅନ୍ଧକାର ମାଡି ଆସିବ ।
(୬) ବିଶ୍ୱର ଆୟତନ ଏକ ବିନ୍ଦୁୟ ସୀମାକୁ ଧାବମାନ ହେବ ।
(୭) ଏହାକୁ ବିଗ୍କ୍ରଞ୍ଚ୍ ବା ମହାପ୍ରଳୟର ଆଖ୍ୟା ଦିଆଯାଇପାରେ ।
(୮) ଶେଷକୁ ବିଚ୍ଛିନ୍ନ ହୋଇ ରହିଥିବା ସ୍ଥାନ ଓ କାଳର ସଂଯୋଗୀକରଣ ଓ ପୁନଃ ସୃଷ୍ଟିର ସମ୍ଭାର ।
(୯) ଏହାହିଁ ପ୍ରକୃତିରେ ଚାଲିଥିବା ଘୂର୍ଣ୍ଣାୟମାନ ପ୍ରକ୍ରିୟା ସଦୃଶ ବିଶ୍ୱ ସୃଷ୍ଟି ଓ ପ୍ରଳୟର ସମ୍ଭାବନାକୁ ବୁଝାଏ ।
ମହାଜାଗତିକ ବିଜ୍ଞାନୀ ପ୍ରମାଣ କରିଛନ୍ତି ଯେ, ଏ ବିଶ୍ୱ ହେଉଛି ଉଦ୍ବର୍ତ୍ତନଶୀଳ ବିଶ୍ୱ (Evolutionary Universe) । ଗ୍ୟାଲାକ୍ସି ଗୁଡିକ ପରସ୍ପରଠାରୁ ଦୂରେଇ ଯାଉଛନ୍ତି । ସୂତ୍ରକଳ୍ପ(String Theory) ଅନୁଯାୟୀ ସ୍ଥାନ – କାଳ ପରିସରରେ ଦଶ ପରିମେୟ ପରିସର(10 Dimensions), ଏମ୍. ତତ୍ତ୍ୱ (M. Theory) ଅନୁଯାୟୀ ଏଗାର ପରିମେୟ ପରିସର(11 Dimensions), ବୋସୋନିକ ସୂତ୍ର – କଳ୍ପ(Bosonic String Theory) ଅନୁଯାୟୀ ଛବିଶ ପରିମେୟ ପରିସର(26 Dimensions) ଅନ୍ତର୍ଭୁକ୍ତ । ଶୂନ ପରିମେୟ ପରିସର(Zero Dimension)ରୁ ଉଚ୍ଚ ପରିସର ଯାଏ ସୂତ୍ରକଳ୍ପ ଅନୁଯାୟୀ ଚିନ୍ତା କରାଯାଇଛି ଓ ମାନବ ତିନି ପରିମେୟ ପରିସର(3D) ବା ସ୍ଥାନ(Space)ରେ ବିନ୍ଦୁ(Dot or ZeroD), ପୄଷ୍ଟତଳ(Plane or 2D) ଓ ଆୟତନ(Volume or 3D) ଆଦିକୁ ଦେଖିପାରୁଛନ୍ତି ଓ ତହିଁର ବାସିନ୍ଦା ଅଟନ୍ତି । କିନ୍ତୁ ଚତୁର୍ଥ ପରିସର(4th D) ବା ସମୟକୁ ଆମେ ଦେଖିପାରୁ ନାହାନ୍ତି , କାରଣ ଆମେ ସମୟ ପରିସରର ବାସିନ୍ଦା ନୁହନ୍ତି । ତେଣୁ ଆମେ ସମୟର ଅଧିନ ଓ ସମୟ ପରିସରର ବାସିନ୍ଦା ଆମକୁ ଅଦୄଶ୍ୟ । ସେଠାର ବାସିନ୍ଦାଙ୍କୁ ସମୟ ଦୄଶ୍ୟ ଓ ସେମାନେ ନିଜର ଅତୀତ ଓ ଭବିଷ୍ୟତକୁ ଯାଇ ପାରିବାର ଶକ୍ତିରେ ବଳୀୟାନ ଏବଂ ସେମାନଙ୍କୁ ଆମେ ଦୄଶ୍ୟ । ପଞ୍ଚମ ପରିସର(5th D)ରେ ସମାନ୍ତରାଳ ବିଶ୍ୱମାନ (Parallel Universe) ରହିଥିବାରୁ ସେଠାକାର ବାସିନ୍ଦା ଚତୁର୍ଥ ବାସିନ୍ଦାଙ୍କ ଠାରୁ ଅଧିକ ଶକ୍ତିବାନ । ଏକ ବିଶ୍ୱରୁ ଅନ୍ୟ ବିଶ୍ୱକୁ ନିଜ ନିଜର ସମୟ ରେଖା(Time Line)ରେ ଯାଇ ପାରନ୍ତି ଓ ଏକ ସମୟରେ ବିଭିନ୍ନ ବିଶ୍ୱରେ ଭିନ୍ନ ଭିନ୍ନ କର୍ମରେ ଲିପ୍ତ ରହିବାର ଶକ୍ତିରେ ବଳିୟାନ ଅଟନ୍ତି । ଶକ୍ତିର କ୍ରମ ବୄଦ୍ଧି ଓ ଉଚ୍ଚ ପରିସର(Higher Dimension)ରେ ଉଚ୍ଚତ୍ତର ଜୀବ ଆଦି ସହ ଦଶମ ପରିସର(10th D)କୁ ଈଶ୍ୱର(God)ଙ୍କ ପରିସର ବୋଲି କୁହାଯାଉଛି । ଏଗାରତମ(11th D) ପରିସରକୁ ଏକ ପରିସରୀୟ ଅପରିକଳ୍ପନୀୟ ସୂକ୍ଷ୍ମାତିସୂକ୍ଷ୍ମ ଦୈର୍ଘ୍ୟର ଷ୍ଟ୍ରିଙ୍ଗ(infinitely small string) ଗୁଡିକ ଅନନ୍ତ ସୀମା ଯାଏ ଭରିରହି ଅହରହ କମ୍ପନ(Vibration)ରେ ରତ । ଏହି କମ୍ପନରୁ ଅହରହ ଉର୍ଜା ଓ କଣିକା ଗୁଡିକର ସୄଷ୍ଟି ହେବାରେ ଲାଗିଥାଏ । ଏହା ବହୁ ବିଶ୍ୱବାଦ(Multi Universe Model) ଓ ବହୁ ବିଗ୍ବ୍ୟାଙ୍ଗ୍ ତତ୍ତ୍ୱଯୁକ୍ତ ଅଟେ । ଯଦି ଏହା ହୋଇଥାଏ ତେଣୁ ମାନବ ସ୍ତରରୁ ଜନ୍ମ ପରେ ଜନ୍ମ ଗ୍ରହଣ କରି ଦିବ୍ୟକର୍ମଯୁକ୍ତରୁ ଉଚ୍ଚ ପରିସରକୁ ଉନ୍ନୀତ ହୋଇ ଶେଷରେ ଦଶମ ପରିସରରେ ଜୀବାତ୍ମାଟି ସକଳ ପ୍ରାରବ୍ଦ୍ଧ ମୁକ୍ତ ହୋଇ ପରମାତ୍ମାଙ୍କ ସହ ମିଳିତ ହୋଇ ପାରିବ ଅର୍ଥାତ୍ ପରମଗତି ପ୍ରାପ୍ତ ହେବ ।
ସମୟ ଚକ୍ରରେ ବିଶ୍ୱର ଜନ୍ମ – ମୃତ୍ୟୁ ପ୍ରକ୍ରିୟା ଧାବମାନ ହେବାର ଅନୁମାନ କରାଯାଏ । ତେବେ ଜୀବାତ୍ମା ଭିନ୍ନ ଭିନ୍ନ ଯୋନିରେ ପୁନଃ ପୁନଃ ଜନ୍ମ – ମରଣ ପ୍ରକ୍ରିୟାରେ ପତିତ ହୁଏ, ଯେତେବେଳ ଯାଏ ସେ ପରମାତ୍ମାଙ୍କ ସହ ମିଳିତ ହୋଇପାରି ନାହିଁ । ପ୍ରତି ଜନ୍ମରେ ପ୍ରାଣୀକୁ ଅନେକ ପରୀକ୍ଷାର ସାମ୍ନା କରିବାକୁ ପଡେ । ପରୀକ୍ଷାରୁ ଉତ୍ତୀର୍ଣ୍ଣ ନିମନ୍ତେ ଏ ସାଂଖ୍ୟ ଯୋଗରେ ଶ୍ରୀକୃଷ୍ଣ ସମାଜକୁ ଅର୍ଜୁନ ମାଧ୍ୟମରେ ଆତ୍ମାର ସଦ୍ଗତି ନିମନ୍ତେ ଦିବ୍ୟ ଅମୃତ ବାଣୀ ଶୁଣାଇଛନ୍ତି । ଏହାହିଁ ସର୍ବେ ଭବନ୍ତୁ ସୁଖୀନଃର ସୁଧାମୟ ପଥ । ସେଥିପାଇଁ ଶ୍ରୀକୃଷ୍ଣ କହିଛନ୍ତି ;-
ଏଷା ବ୍ରାହ୍ମୀ ସ୍ଥିତିଃ ପାର୍ଥ ନୈନାଂ ପ୍ରାପ୍ୟ ବିମୁହ୍ୟତି ।
ସ୍ଥିତ୍ୱାସ୍ୟାମନ୍ତକାଳେପି ବ୍ରହ୍ମନିର୍ବାଣମୃଚ୍ଛତି ॥୭୨॥
ଅର୍ଥାତ୍ କାମନାର ବିନାଶରେ ଦୁଃଖର ବିନାଶ ହୁଏ ଏବଂ ଅହଂକାର – ମମତ୍ୱ – ସ୍ପୃହା ରହିତ ଦ୍ୱାରା ଶାନ୍ତି ପ୍ରାପ୍ତ ହୁଏ । ଏହା ବ୍ରହ୍ମ ପ୍ରାପ୍ତିର ସ୍ଥିତି ବା ବ୍ରାହ୍ମୀ ସ୍ଥିତି । ଏହା ସମ୍ପୂର୍ଣ୍ଣ ମୋହଶୂନ୍ୟ ସ୍ଥିତି ଓ ଅନନ୍ତ କାଳରେ ମଧ୍ୟ ଏହି ସ୍ଥିତିରେ ସ୍ଥିତ ହୋଇ ବ୍ୟକ୍ତି ବ୍ରହ୍ମାନନ୍ଦ ପ୍ରାପ୍ତ ହୁଏ ।
ଏ ଅଧ୍ୟାୟରେ ଶରଣାଗତ ଅର୍ଜୁନ ନିଜ ଶୋକ ନିବୃତିର ଐକାନ୍ତିକ ଉପାୟ ପଚାରିବାରୁ ଶ୍ରୀକୃଷ୍ଣ ପ୍ରଥମ ତିରିଶ ଶ୍ଳୋକ ପର୍ଯ୍ୟନ୍ତ ଆତ୍ମତତ୍ତ୍ୱ ବର୍ଣ୍ଣନା କରିଛନ୍ତି । ଏହାପରେ ସ୍ୱଧର୍ମ ବିଷୟରେ ବର୍ଣ୍ଣନା କରି କର୍ମଯୋଗର ସ୍ୱରୂପ ବୁଝାଇଦିଆଯାଇଥିଲେ ବି ଉପଦେଶର ଆରମ୍ଭ ସାଂଖ୍ୟଯୋଗରୁ ହିଁ ହୋଇଛି । ଏଠାରେ ଆତ୍ମତତ୍ତ୍ୱର ବର୍ଣ୍ଣନା ଅଧିକ ବିସ୍ତାରିତ ଭାବେ କରାଯାଇଛି । ତେଣୁ ଏହି ଅଧ୍ୟାୟର ନାମ ସାଂଖ୍ୟଯୋଗ ରଖାଯାଇଛି, କାରଣ ସାଂଖ୍ୟଯୋଗ ସାଧନାରେ ଅତ୍ମତତ୍ତ୍ୱର ଶ୍ରବଣ, ମନନ ଓ ନିବିଧ୍ୟାସନ ହିଁ ମୁଖ୍ୟ ।
***************************************************************