କରୋନା ସଂକ୍ରମଣରେ ବାଇଆ ବାବୁଙ୍କ ବାଇଆମି ପ୍ରତିଫଳିତକରେ ବିଜ୍ଞାନ ସଂଯୁକ୍ତ ସାମାଜିକ ତତ୍ତ୍ୱ ।

କରୋନା ସଂକ୍ରମଣରେ ବାଇଆ ବାବୁଙ୍କ ବାଇଆମି ପ୍ରତିଫଳିତକରେ ବିଜ୍ଞାନ ସଂଯୁକ୍ତ ସାମାଜିକ ତତ୍ତ୍ୱ ।

ବାଇଆ ବାବୁ ବେଳୁ ବେଳ କରୋନା ଭୂତାଣୁର ସଂକ୍ରମଣକୁ ନେଇ ଅଧିକରୁ ଅଧିକ ବ୍ୟତିବ୍ୟସ୍ତ ହେବାକୁ ଲାଗିଲେ । କରୋନା ମହାମାରୀର ଉଦ୍ଦଣ୍ଡତାରେ ମାନବ ଜର୍ଜରିତ ହୋଇଉଠେ । ସଭିଙ୍କ ଜୀବନ ନିର୍ବାହର ସନ୍ତୁଳନତା ଦୋହଲି ଯାଏ । ଖାଦ୍ୟପେୟ, ଗମନାଗମନ ଆଦି ଦୈନନ୍ଦିନ କାର୍ଯ୍ୟ କଳାପ ଠାରୁ ଆରମ୍ଭ କରି ଦିନ ମଜୁରିଆ, ଚାକିରୀଆ, ଦଳୀୟ କର୍ମୀ, କୁଜିନେତା, ନେତା, ବଡନେତା, ଅତି ବଡନେତା, ରାଷ୍ଟ୍ରନେତା, ବିଶ୍ୱନେତା, ପୁଞ୍ଜିପତି ଏବଂ ଜଳ, ସ୍ଥଳ ଓ ଆକାଶର ସବୁ ଚଳତ୍ ଓ ଜଡ଼ ଆଦିଙ୍କ ଉପରେ ଏ ମହାମାରୀ ତା’ର କାୟା ବିସ୍ତାର କରିବାକୁ ଲାଗିଲା । ଫଳରେ ପ୍ରଭାବର ଦୁଇ ପ୍ରକାର ଫଳାଫଳ ଅନୁଭୂତ ହେଲା । ସର୍ବଶ୍ରେଷ୍ଠ ଜୀବ ବୋଲାଉଥିବା ମାନବ ସମାଜ ନକରାତ୍ମକ ପରିସ୍ଥିତିକୁ ସାମ୍‍ନା କରି କରି ଧ୍ୱଂସାଭିମୁଖୀ ହେବାକୁ ଲାଗିଲା । ତାହାହିଁ ମାନବୀୟ ଜ୍ଞାନ କୌଶଳର ଦୁରୂପଯୋଗରୁ ସୃଷ୍ଟି । ପରନ୍ତୁ ଏତଦ୍‍ଭିନ୍ନ ଅନ୍ୟ ଜୀବ ଜଗତ ଓ ଜଡ଼ଙ୍କ ପ୍ରତି ସକରାତ୍ମକ ପରିବେଷ୍ଟନୀ ଦଣ୍ଡାୟମାନ ହେଲା । ଯାନବାହନ ଓ କଳକାରଖାନା ଠପ୍‍ ହେତୁ ପରିବେଶ ନିର୍ମଳ ହେବାକୁ ଲାଗିଲା । ଲୁକ୍‍କାୟିତ ଜୀବଜନ୍ତୁ ବିନା ବାଧାରେ ବିଚରଣ କଲେ । ପକ୍ଷୀମାନଙ୍କର ସୁନ୍ଦର ରାବ, ନିର୍ମଳ ଆକାଶ, ନଦୀର ଗୋଳିଆ ଓ ଦୁର୍ଗନ୍ଧ ଜଳ ଦର୍ପଣ ସଦୃଶ ଦୃଶରେ ସବୁକିଛି ନୂଆ ନୂଆ ଲାଗିଲା । ଉଦିତ ଓ ଅସ୍ତଗାମୀ ସୂର୍ଯ୍ୟ ଆହୁରି ରକ୍ତିମ ଆଭାରେ ଶୋଭା ପାଇଲା । ପୁନଃ ବୁଲା କୁକୁର, ଗାଈ-ଗୋରୁ ଆଦିଙ୍କ ପାଇଁ ବଜାର ଘାଟ ବନ୍ଦ୍‍ ହେତୁ ମିଳୁଥିବା ବର୍ଜ୍ୟ ସବୁ ନମିଳିବାରୁ ସେମାନେ ଭୋକିଲା ବୁଲିବାକୁ ଲାଗିଲେ ଓ ବାଟ ଭିକାରୀଙ୍କ କଥା ନକହିଲେ ଭଲ ।

କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦିଏ । ସର୍ବେ ଭୟଭୀତ । ପ୍ରତି କ୍ଷଣରେ କାହିଁ କେତେ ଅମୂଲ୍ୟ ମାନବ ଜୀବନ ଟଳି ପଡୁଛି । ପ୍ରଥମେ ବିଶ୍ୱର ସବୁଠୁ ଧନୀ ଓ ଉନ୍ନତ ଦେଶ ଗୁଡିକରେ ଏ ମହାମାରୀର ତାଣ୍ଡବ ଆରମ୍ଭ ହୁଏ, ଯଥା – ଇଟାଲୀ, ଫ୍ରାନ୍ସ, ସ୍ପେନ୍‍, ଇଂଲଣ୍ଡ, ଆମେରିକା, ଜର୍ମାନୀ …… ଆଦି । କ୍ରମେ ଉନ୍ନତଶୀଳ ରାଷ୍ଟ୍ର, ଗରିବ ରାଷ୍ଟ ଆଦିକୁ ଏହା ବ୍ୟାପେ ।
ଦେବଭୂମି ଭାରତ ବର୍ଷ । ଇତିହାସ କହେ ଏ ଦେଶ ଅନେକ ଅନେକ ଘାତ ଓ ପ୍ରତିଘାତର ସମ୍ମୁଖୀନ ହୋଇଛି । ବାରମ୍ବାର ବାହ୍ୟ ଶକ୍ତିର ପ୍ରଚଣ୍ଡ ଆକ୍ରମଣର ଶୀକାର ହୋଇଛି ଏ ଦେଶ । କାହିଁ କେତେ ନର ସଂହାର, ଲୁଟ୍‍ପାଟ୍‍, ଦେବାଳୟ ଲୁଟ୍‍ପାଟ୍‍ ଓ ଧୂଳିସାତ୍‍,  ନାରି ଧର୍ଷଣ ଆଦି ବହୁବିଧ କ୍ରୂରତାର ଶୀକାରରେ ଜର୍ଜରିତ କଙ୍କାଳ ସାର ଓ ଅବକ୍ଷୟପ୍ରାପ୍ତ ଶରୀର ବିଳାପ କରେ । ପୁନଃ ପୁନଃ ମଥାଟେକେ । ଏହାହିଁ ସୃଷ୍ଟି କରେ ହିଂସା ଓ ଦ୍ୱେଷର ଭାବନା । ଅର୍ଥାତ୍‍ ଦେଶ – ଜାତି – ଧର୍ମ ଆଦି ବିଦ୍ୱେଷତାର ପରିବେଷ୍ଟନୀରେ ହାହାକାରମୟ ହୋଇଉଠେ ମାନବ ସମାଜ । ବର୍ଷ ବର୍ଷ ଧରି ବିଦେଶୀ ମାନଙ୍କ ଦ୍ୱାରା ଶାସିତ ହୁଏ ଭାରତ ବର୍ଷ । ଶେଷରେ ଅଖଣ୍ଡ ସାମ୍ରାଜ୍ୟର ଅଧିନରେ ଥରହର ହୁଏ ଏ ଦେଶ । କୁହାଯାଏ ସେ ସାମ୍ରାଜ୍ୟରେ ସୂର୍ଯ୍ୟାସ୍ତ ହେଉ ନଥିଲା । ସନାତନ ଧର୍ମର ମହା ସମର୍ପଣ ଭାବ ଅର୍ଥାତ୍‍ ଅହିଂସା ନୀତି ଶେଷରେ ତରଳାଇ ପାରିଥିଲା କଠିନ ପଥରକୁ । ଖଣ୍ଡ ବିଖଣ୍ଡିତ ରୂପେ ସ୍ୱାଧିନ ହୁଏ ଭାରତବର୍ଷ ଓ ତହିଁରେ ଅଭିନବ ଉପାୟରେ କାଳକୁଟ ଏପରି ଭରିଦିଆଯାଏ ଯେ, ଯୁଗ ଯୁଗ ଧରି ମୂଖ୍ୟ ଭାରତ ଭୁଖଣ୍ଡ ଉପରେ ଘନ ଘନ ପ୍ରହାର ହୋଇଚାଲେ । ଏଥିରେ ଲିପ୍ତ ଥାଏ ଧର୍ମୀୟ, ରାଜନୈତିକ, ଜାତି ଭିତ୍ତିକ ଅଭିସନ୍ଧି ଇତ୍ୟାଦି । ସବୁଠୁ ଭୟଙ୍କର ପ୍ରତିପାଦିତ ହୁଅନ୍ତି ଘର ଢିଙ୍କି, ଯେଉଁମାନେ କୁମ୍ଭୀର ସାଜନ୍ତି ନିଜର ହୀନ ଲାଳସା ପୂରଣ ପାଇଁ । ଇତିହାସରେ ଜୟଚନ୍ଦ୍ର ଏହାର ଏକ ଏକ ଉଦାହରଣ । ତେବେ ଏ ମଞ୍ଜି ବିକ୍ଷିପ୍ତ ଭାବେ ଏହି ଭୁଖଣ୍ଡର ଅଧିକାଂଶ ବିନ୍ଦୁରେ ପ୍ରାୟ ଅଙ୍କୁରିତ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ ।
ବାଇଆବାବୁ ଏହା ଭାବନ୍ତି ଓ କୋଠରୀ ମଧ୍ୟରେ ଇତଃସ୍ତତଃ ବୁଲନ୍ତି । ଭାରତରେ କ୍ଷୀଣ ରୂପେ ଏବେ ମହାମାରୀ ପଦଚାରଣ କରୁଛି । ସଠିକ ପ୍ରତିରୋଧାତ୍ମକ ବ୍ୟବସ୍ଥା ନ କଲେ, ଏହା ଧିରେ ଧିରେ ବିସ୍ଫୋରିତ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଏକୋଇଶ ଦିନ(23.3.2020 – 14.4.2020) ପାଇଁ କେନ୍ଦ୍ର ସରକାର ତାଲାବନ୍ଦ୍‍(Lock Down) ଘୋଷଣା କଲେ । ଯାତ୍ରିବାହୀ ଯାନ ସବୁକୁ ଠପ୍‍ କରିଦିଆଗଲା । ସତେକି ସମୟର ପ୍ରବାହ ସ୍ଥିର ହୋଇଗଲା । ଚାକିରୀର ଶେଷ ସମୟରେ ସ୍ୱଃ ସ୍ଥାନରୁ ଦୂରରେ ରହିଥିବା ବାଇଆବାବୁ ଆହୁରି ଦୂର ସ୍ଥାନକୁ ଠେଲି ହୋଇ ଆସିଛନ୍ତି । ଏହାକୁ ସାଦରରେ ଗ୍ରହଣ କରି ନିଜ କର୍ମ କ୍ଷେତ୍ରରେ ବୀର ସାଜିଛନ୍ତି ବାଇଆବାବୁ । ସେ ଭାବୁଛନ୍ତି, କୁଚେଷ୍ଟା କରି ଯେଉଁ ସରକାରୀ ଚାକିରୀଆ ମାନେ ସମୁଦାୟ ଚାକିରୀ କାଳ ନିଜ ଇଲାକାରେ କଟାଇବାକୁ ସମର୍ଥ ହୋଇ ପାରିଛନ୍ତି, ଯାହା ଅନ୍ୟ ମାନଙ୍କୁ କାଳ  ହେଲେ ହେଉ ଓ ସେମାନେ ଘିଅ ମହୁରେ ଭାସନ୍ତୁ, କିଛି ପରବାୟ ନାହିଁ । ସେମାନଙ୍କ କୁଚେଷ୍ଟାକୁ ସାକାର କରୁଥିବା ଓ ବାହାରକୁ ପୁରା ନିର୍ମଳ ଦେଖେଇ ହେଉଥିବା ଆଜନ୍ମ ଘିଅ ମହୁଆଙ୍କ ରଣ ହୁଂକାରରେ ସତ୍ୟ ଲୁକ୍‍କାୟିତ ହୋଇ ରହୁ । କିଛି ଚିନ୍ତା କରିବା ଦରକାର ନାହିଁ । ଢେଙ୍କି ସ୍ୱର୍ଗକୁ ଗଲେବି ଧାନ କୁଟିବ । ଯେଉଁ କ୍ଷେତ ମିଳିଲା ମିଳୁ, ନିଜେ ସତ୍‍ବ୍ରତୀ ହୋଇ କାମ କଲେ ପରସ୍ପର ଠାରୁ ବିଚ୍ଛିନ୍ନ ହୋଇ ରହିଥିବା ତାଙ୍କ ପରିବାରର ସହଧର୍ମିଣୀ(୮୦୦କିମି.), ବଡପୁଅ(୧୫୦୦ କି. ମି.), ସାନପୁଅ(୭୦୦ କି. ମି.), ବନ୍ଧୁ – ବାନ୍ଧବ, ଗାଁ ଆଦି ଓ ସର୍ବେ ଭବନ୍ତୁ ସୁଖୀନଃର ଭାବକୁ ଏହି ମାସ ମାସ ଧରି ତାଲାବନ୍ଦ୍‍ର ଦୁର୍ଦ୍ଦିନରେ ପ୍ରକୃତି ତା’ର ଦିବ୍ୟ ହସ୍ତ ବଢାଇ ସାହାଯ୍ୟ କରିବ ନିଶ୍ଚୟ । ଦୁଇ ସନ୍ତାନ କଷ୍ଟ ସହି ଓ ସବୁ ବାଧା ବିଘ୍ନକୁ ସାମ୍ନା କରି ସୁମଣିଷ ହୋଇପାରିବେ । ଏ ଅଖଣ୍ଡ ବିଶ୍ୱାସରେ ବାଇଆବାବୁ କର୍ମ କରି ଚାଲନ୍ତି ଓ ବେଳେ ବେଳେ ଅତି ଭାବୁକ ହୋଇଗଲେ , ଆଖିରୁ ଲୁହ ଝରେ ।
ମହାମାରୀର କରାଳତା ଭାରତରେ ବ୍ୟାପିଚାଲେ । ପ୍ରତିଦିନ ବାଇଆବାବୁ ତା’ଙ୍କ ବିଚ୍ଛୁରିତ ପରିବାର ବର୍ଗଙ୍କୁ ଜଣ ଜଣ କରି ବୁଝାନ୍ତି ଏ ମହାମାରୀରୁ ରକ୍ଷା ନିମିତ୍ତ ସରକାରଙ୍କ ଗାଇଡ୍‍ ଲାଇନ୍‍କୁ ମାନିବାକୁ । ତାଲାବନ୍ଦ୍‍ ଆରମ୍ଭରୁ ହଠାତ୍‍ ଆରମ୍ଭ ହୁଏ ସମସ୍ୟା –

(1)ଘରେ ହଠାତ୍‍ ଇନ୍‍ଭର୍‍ଟର୍‍ ଖରାପ ହେବାର ସମ୍ବାଦ ପାଇ ଅସ୍ଥିର ନହେବାକୁ ବାଇଆ ବାବୁ ତାଙ୍କ ସ୍ତ୍ରୀ’କୁ ବୁଝାଇଲେ । ଯେହେତୁ ଏବେ ଇନ୍‍ଭର୍‍ଟର ସଜାଡିବାକୁ ଟେକ୍‍ନିସିଆନ୍‍ ଆସିବା ଅସମ୍ଭବ, ତେଣୁ ସମୟକୁ ଅପେକ୍ଷା କରିବାକୁ ପଡିବ । ଗରମ ଓ ଗୁଳୁଗୁଳିରେ ପାୱାର୍‍ କଟ୍‌ ବାରମ୍ବାର ହେଉଛି । ଦିନବେଳା ଚଳେଇ ନେଲେ ବି ରାତିରେ ମହମ ବତୀ, ଲଣ୍ଠନ, ଟର୍ଚ୍ଚ, ମୋବାଇଲ୍‍ ଟର୍ଚ୍ଚ ଆଦିକୁ ବ୍ୟବହାର କରି ଓ ବିଞ୍ଚଣା ସାହାଯ୍ୟରେ ନିଜକୁ ରକ୍ଷା କରିବାକୁ ପଡିବ ବୋଲି ସେ ତାଙ୍କ ସ୍ତ୍ରୀ’କୁ କହିଲେ । ତାଲାବନ୍ଦ୍‍ ପରେ ଯାଇ ଇନ୍‍ଭର୍‍ଟର ସଜାଡିବାକୁ ହେବ ଓ ସେତେ ଦିନ କଷ୍ଟ ସହିବାକୁ ହେବ । ତା’ ସାଙ୍ଗକୁ ଏ କରୋନା ମାଡରେ ଇମର୍‌ଜେନ୍‍ସି ଲାଇଟ୍‍ଟି ବି ହଠାତ୍‍ ଖରାପ ହୋଇଗଲା ।
(2)ବାଇଆ ବାବୁ ଜାଣିଲେ ଯେ, ନିଜ ଗ୍ୟାସ୍‍ ଶୀଘ୍ର ସରିଯିବ । ତାଲାବନ୍ଦରେ କେହି ସାହାଯ୍ୟ କରିବା ଓ ନିଜ ଜୀବନ ପ୍ରତି କାହାର ବା ଲୋଭ ନାହିଁ । ସଦ୍ୟ କରୋନା, ସଦ୍ୟ ତାଲାବନ୍ଦ, ମସ୍ତିଷ୍କ ସଦ୍ୟ ବିଚଳିତରୁ ସବୁଆଡେ ଖାଲି କରୋନା ମୟର ବାସ୍ତବ ଓ ଅବାସ୍ତବ ଆଭାସ । ପାଞ୍ଚ କେଜି ସିଲିଣ୍ଡର, ବିନା କାର୍ଡ୍‌ରେ, ତେଣୁ ଗ୍ୟାସ୍‍ ଯୋଗାଳି ମାନେ କେହି ସାହାଯ୍ୟ କଲେ ନାହିଁ । ବାହାର ଯାଗାରେ ଆଉ କ’ଣ କରାଯାଇ ପାରିବ ? ଅତିକଷ୍ଟ କରି ଓ ପ୍ଲାନିଙ୍ଗ୍‍ ସହ ରୋଷେଇ କରି ବଞ୍ଚିବାକୁ ପଡିବ ତାଲାବନ୍ଦ୍ ଖୋଲିବା ଯାଏ । ଅସୁବିଧା ଗୁଡିକ ପ୍ରାୟ ଏକଯୁଟ ହୋଇ ଆସେ, ଯାହା ସାଧୁ ସନ୍ଥଙ୍କ ବାଣୀ ଅଟେ ।
(3)ହଠାତ୍‍ ସ୍ତ୍ରୀ’ର ଦେହ ସାରା ପ୍ରତିକୂଳ ପ୍ରତିକ୍ରିୟା ବା ଆଲାର୍ଜି(Allergy) ବାହାରିଲା । କୁଣ୍ଢାଇ କୁଣ୍ଢାଇ ଦେହସାରା ଲାଲ୍‍ ଓ ଚକଡା ହୋଇ ଫଳିଯାଏ । ଯନ୍ତ୍ରଣାରେ ଅସ୍ତବ୍ୟସ୍ତ ଲାଗେ ଓ ଅନେକ ସମୟପରେ ଚର୍ମ ସାଧାରଣ ଅବସ୍ଥାକୁ ଆସେ । ବାଇଆ ବାବୁ ଭାବିଲେ ସେ ସତରେ କ’ଣ ବାଇଆ ହୋଇଯିବେ ! କୋଠରୀରେ ଅସ୍ଥିର ହୋଇ ପଦଚାରଣ କରିବାକୁ ଲାଗିଲେ । ନିଜ ଅନୁଭବରୁ କିଛି ଘରୋଇ ଟୁଟୁକା ବରାଦ କଲେ । କିଛି ଫଳ ହେଲା ନାହିଁ । ପରଦିନ ଘର ମାଲିକାଣୀଙ୍କ ସହ ଏ ବାବଦରେ କଥା ହେବାରୁ ସେ କହିଲେ ଯେ, ତାଙ୍କର ସେମିତି ହେଉଥିଲା । ନଡିଆ ତେଲରେ କର୍ପୂର ଫେଣ୍ଟି ଲଗାଇବାରୁ ଆରାମ ମିଳିଲା । ପାଣିରେ ବୁଡିଯାଉଥିବା ବେଳେ ଯେମିତି କୁଟାଖିଅକୁ ମଧ୍ୟ ଆଶ୍ରା କରାଯାଏ, ଠିକ୍‍ ସେହିପରି ବାଇଆ ବାବୁଙ୍କୁ ଆଶ୍ରା ମିଳିଲା । ସଙ୍ଗେସଙ୍ଗେ ସ୍ତ୍ରୀ’କୁ ଫୋନ୍‍ କରି କହିଲେ । ଘରେ ଏସବୁ ଥିଲା ଓ ତାହାକୁ ପ୍ରୟୋଗ କରି ତାଙ୍କ ସ୍ତ୍ରୀ ଆଲାର୍ଜି ଯନ୍ତ୍ରଣାରୁ ଅନେକାଂଶରେ ମୁକ୍ତି ପାଇଲେ ।
(4)ବାଇଆ ବାବୁଙ୍କ କର୍ଣ୍ଣ ଗହ୍ୱରରେ ଯନ୍ତ୍ରଣା ।
କରୋନା ଭୂତାଣୁର ପ୍ରଭାବରେ ଦିନରାତି ସବୁ ଏକାକାର ହୋଇଗଲା । ଗ୍ରୀଷ୍ମଦିନ । ବାଇଆର ବାମ କର୍ଣ୍ଣ ଗହ୍ୱରରେ ଯନ୍ତ୍ରଣା ଆରମ୍ଭ ହୁଏ । ଏହା ସେ ସ୍ଥାନକୁ ବଦଳି ହେବାର ଦୁଇ ବର୍ଷ ପରେ ପରେ ଟିକିଏ ଟିକିଏ ଜଣା ପଡେ । କାରଣ ତା’ର କର୍ମକ୍ଷେତ୍ର ଏକ ଥଣ୍ଡା ଓ ବାୟୂ ମଣ୍ଡଳ ଅଧିକ ଜଳୀୟବାଷ୍ପ ଯୁକ୍ତ ଅଟେ । ପୁଣି ମାସରେ ଥରୁଟିଏ ଘରକୁ ଯାଏ ଦୀର୍ଘ ଅଠର ଘଣ୍ଟାର ବସ୍‍ ଯାତ୍ରାରେ । ଯିବା ସମୟରେ ରାତିର ଥଣ୍ଡା କମ୍‍ ରହେ । କାରଣ ବସ୍‍ ପାହାଡିଆ ଅଞ୍ଚଳ ପାର ହୋଇଯାଇଥାଏ । କିନ୍ତୁ ଘରୁ ଫେରିବା ସମୟ ଅଧିକ ଥଣ୍ଡା ହୁଏ । ରାତିର ମଧ୍ୟଭାଗ ପରେ ପରେ ଆସିଯାଏ ପାହାଡ, ପର୍ବତ ଓ ଘାଟି ରାସ୍ତା । ଶୀତ ଦିନେ ପ୍ରବଳ ଥଣ୍ଡାରେ ମୁଣ୍ଡ ଓ କାନ ବିନ୍ଧେ । ମୁଣ୍ଡରେ ଟୋପି, ମଫଲର ସତ୍ୱେ ବି ଏହା ଘଟେ । ଧିରେ ଧିରେ ପୁଣି ଠିକ୍‍ ହୋଇଯାଏ । କିନ୍ତୁ ଏଥର ଚାରିମାସରୁ ଉର୍ଦ୍ଧ୍ୱ ଘରକୁ ଯିବା ହୋଇ ପାରିଲା ନାହିଁ । ଭଡା କୋଠରୀରେ ଏକ ଟିକି ଝରକା । ତା’ରି ଭିତରେ ରୋଷେଇ । ଆହୁରି ଜଟିଳ ହୁଏ ପରିସ୍ଥିତି । କେବଳ ଜଳୀୟ ବାଷ୍ପଭରି ହୋଇଯାଉଥିବା ଏକ ନିବୁଜ କୋଠରୀରେ ରହିବାକୁ ପଡେ । କରୋନା ଭୟ । କୁଆଡକୁ ବା ଯିବ । ରୁମ୍‍ ମଧ୍ୟରେ ମାଟି କାମୁଡି ପଡି ରହିବା ବ୍ୟତୀତ ଅନ୍ୟ ପନ୍ଥା ନଥାଏ । ତା’ ସହ ତାଳ ଦେଇ କର୍ଣ୍ଣ ଯନ୍ତ୍ରଣା ବେଳବୁ ବେଳ ପ୍ରବଳ ହୁଏ । କ’ଣ କରାଯିବ, ସବୁତ ବନ୍ଦ । ଏବେ ଡାକ୍ତରଖାନା କେବଳ କରୋନା ରୋଗୀଙ୍କ ପାଇଁ ବୋଲି କୁହାଯାଇଛି । ଡାକ୍ତର ମାନେ ଭୟଭୀତ ଅବସ୍ଥାରେ କରୋନା ରୋଗୀଙ୍କୁ ସେବା ପ୍ରଦାନ କରୁଛନ୍ତି । ପୁଣି କିଛି ସ୍ୱାସ୍ଥ୍ୟକର୍ମୀ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି ଓ କେତେ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ତଥ୍ୟ ପ୍ରକାଶ ପାଉଛି । ତେବେ ଏହିଭାବରେ ଯଦି ସବୁ ଡାକ୍ତର ବର୍ଗଙ୍କ ମୃତ୍ୟୁ ହୁଏ, ଅବସ୍ଥା ଅସମ୍ଭାଳ ହୋଇଯିବ । ଏବେ ପୃଥିବୀରେ ଅନ୍ୟ ରୋଗୀ ଅଛନ୍ତି ବୋଲି ସର୍ବେ ଭୂଲିବାକୁ ଆରମ୍ଭ କଲେଣି । ବୋଧହୁଏ ବିଧାତାଙ୍କ ଦ୍ୱାରା ଏହା ଆଗରୁ ନିର୍ଦ୍ଧାରିତ ହୋଇଥିଲା ଯେ, ଏକଦା ସବୁ ଡାକ୍ତରଖାନା ଗୁଡିକ କେବଳ କରୋନା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ହେବ । ଅନ୍ୟ ରୋଗୀ ମଲେ କି ଗଲେ କେହି ଶୁଣିବାର କି ବୁଝିବାର ନାହିଁ । ତେଣୁ ଭାଗ୍ୟକୁ ଆଦରି ବାଇମନିଆ ନିଜେ କାନ ଯନ୍ତ୍ରଣାରୁ ରକ୍ଷା ନିମିତ୍ତ ନିମ୍ନ ବ୍ୟବସ୍ଥା ମାନ କରି ଚାଲନ୍ତି, ଯଥା : –
(1) ସକାଳ ସୁର୍ଯ୍ୟ ରଶ୍ମି ଓ ଯେତେବେଳେ ଫାଙ୍କା ମିଳିଲା, ଛାତ ଉପରେ କାନକୁ ଖରାରେ ଦେଖାଇବା । ଟିକିଏ ଭଲ ଲାଗେ ।
(2) ପ୍ରତିଦିନ ସକାଳ ଯୋଗ ଓ ପ୍ରାଣାୟମରେ ନିତିଦିନିଆ କାନ ବ୍ୟାୟାମ କରିବା ସହ ୟୂ ଟ୍ୟୁ(You Tube)ରୁ ଦେଖି କିଛି କାନ ବ୍ୟାୟାମ ମଧ୍ୟ କରାଯାଏ । ତେବେ କାନ ସଂକ୍ରମିତ ହୋଇଥିଲେ ଭାମରି ବ୍ୟାୟାମ ମନା ଜାଣି ସେ ତା’କୁ ବନ୍ଦ କଲେ ।
(3) ଉଷୁମ ଲୁଣପାଣି କୁଳି ଓ ପାଟିରେ ସେ ପାଣିକୁ ସେହିପାଖ କାନ ତରଫରେ ରଖିଲେ କିଛିଟା ଲାଘବ ମିଳେ ।

(4) ସେହିପରି ୟୁ ଟ୍ୟୁରୁ ଦେଖି ବାମ କଳରେ ରାଗ କଞ୍ଚାଲଙ୍କା ଚୋବାଇବାରେ ରାଗର ପ୍ରଭାବ ଓ ଆହୁରି ଅଧିକ ପ୍ରଜ୍ଜଳନ ନିମିତ୍ତ କଞ୍ଚା ରସୁଣ ଦୁଇ ପାଖୁଡା ଚୋବାଇବାକୁ ପଡେ । ଏତେ ଅଧିକ ରାଗ ବଢିଯାଏ ଯେ କାନମୁଳ ଝାଇଁ ଝାଇଁ ହୁଏ । ସେ ଅସହ୍ୟତାକୁ ନାକ ସିଙ୍ଘାଣି ଓ ଲୁହ ସହ ସହିବାକୁ ପଡେ । ସହିବାକୁ ସେ ସାହାରା ନିଏ ନୃତ୍ୟର ତାଳେ ତାଳେ ମନେ ପଡୁଥିବା ଅକ୍ଷୟ ମହାନ୍ତିଙ୍କ କିଛି ହାଲୁକା ଓଡିଆ ହାସ୍ୟରସାତ୍ମକ ଗୀତ, ଯଥା :- ଘାଇଁ ଘାଇଁ ଘୂରେ ବିଞ୍ଚଣା ନଳୀ – ବାଃ ବାଃ ବାଃ ରେ କ୍ୟାପିଟାଲ୍‍ । କୋଠରୀରେ ତ ଏକା । କେହି ତ ଦେଖିବାର ନାହିଁ । ତେଣୁ ଅସୁବିଧା ନଥାଏ । ଟିକିଏ ଭଲ ଲାଗେ ।
(5) ମୁଣ୍ଡ ଓ କାନକୁ ପ୍ରାୟ ରୁମାଲ, ଟୋପି କିମ୍ବା ମଫଲର ଦ୍ୱାରା ଆବୃତ୍ତ କରି ରଖିବାକୁ ପଡେ । ଶୋଇବା ବେଳେ ମଧ୍ୟ ।
(6) କାନ ଭିତର ପ୍ରବଳ କୁଣ୍ଢାଇ ହୁଏ ଓ ତେଣୁ ଜନ୍‍ସନ୍‍ କାନ କାଠିରେ ସେ ସଫା କରନ୍ତି । କିନ୍ତୁ ମନ ବୁଝେନି । ତେଣୁ ବେଳେ ବେଳେ ଦିଆସିଲି କାଠିର ଲାଞ୍ଜପଟକୁ କାନରେ ପୁରାଇ ବୁଲାଇଲେ ଟିକେ ଭଲ ଲାଗେ । ଜଣାଯାଏ କାନ ଭିତରଫୁଲି ବୋଧେ ବାଟ ସରୁ ହୋଇଯାଇଛି ।  ସମୟ ସହ ଉପରୋକ୍ତ ପ୍ରକ୍ରିୟାର ପ୍ରଭାବ ନିଷ୍କ୍ରିୟ ହେବାକୁ ଲାଗେ । ତେଣୁ ସେ ପୁନଃ ୟୁ ଟ୍ୟୁ(You Tube)ରୁ ସନ୍ଧାନ କରି ନିମ୍ନ ଉପଚାର ଧାରାକୁ ଆପଣାଇ ନିଅନ୍ତି, ଯଥା : –
(1) ରାତିରେ ଶୋଇବା ପୂର୍ବରୁ ଗରମ ଭଜା ଲୁଣକୁ କପଡାରେ ପୁଟୁଳା କରି କାନକୁ ନ ଛୁଆଇଁ କାନଗର୍ତ୍ତର ସାମ୍ନାରେ ଧରି ରଖନ୍ତି । ପୁଟୁଳାରୁ ନିର୍ଗତ ଗରମ ବାୟୁ କାନ ଗର୍ତ୍ତ ମଧ୍ୟକୁ ପ୍ରବେଶ କରେ ପ୍ରଥମ ଥର ପାଇଁ । ସତରେ ତାହା ଥିଲା ଏକ ଭିନ୍ନ ଓ ଅପୂର୍ବ ଅନୁଭୂତି । ସତେକି – ଛୁକ୍‍ ଛୁକ୍‍ ଛୁକ୍‍ ଛୁକ୍‍ ଛୁକ୍‍ ଛୁକ୍‍ ଚାଲେ ରେଳ ଗାଡି । ଅଥବା “ଲହ ଲହ ଜିହ୍ୱା ମା’ଗୋ ଘୋର ଦନ୍ତ ପାଟି – ନମୋଃ ଆଦି ମାତ ତୁହି ବିଜେ ସିଂହ ପିଠି” । ମା ଦୁର୍ଗା ଖଣ୍ଡା ଖର୍ପର ଓ ତ୍ରିଶୂଳ ଧରି ଏବଂ ସିଂହ ପିଠିରେ ବସି କାନର ଗର୍ତ୍ତରେ ପ୍ରବେଶ କରୁଛନ୍ତି । କାନ ଭିତରେ ରହି ବିଚରା ବାଇଆକୁ କଲବଲ କରୁଥିବା ସବୁ ନକରାତ୍ମକ ଶକ୍ତି ଉତ୍ସ ଗୁଡିକୁ ମା ଧ୍ୱଂସ କରି ଚାଲିଛନ୍ତି । କାନ ଭିତରେ ଟିଣ୍‍ ଟିଣ୍‍ ଶବ୍ଦ । ଆଃ ! କି ଦିବ୍ୟ ଅନୁଭୂତି ! ସରୁ ହୋଇ ଯାଇଥିବା ବାଟ ତା’ର ପୂର୍ବାବସ୍ଥାକୁ ଆସିବାର ଅନୁଭବ ହୁଏ । ଯନ୍ତ୍ରଣା ସବୁ ଦୂର ହୋଇଯାଏ । ସତେକି ଏକ ଦିବ୍ୟ ଶର କାନ ଭିତରେ ତା’ର ଭେଦନ ପ୍ରକ୍ରିୟା ଚାଲୁ ରଖିଛି । ଓଃ କି ଆରାମ ! ଯାହା ଜଣାଯାଏ କାନର ନରମ ଅସ୍ଥି ବୋଧେ ଥଣ୍ଡାରୁ ଫୁଲିଯାଇ କାନର ବାଟକୁ ବନ୍ଦ କରିବାକୁ ଯାଉଥିଲା ଓ ଯନ୍ତ୍ରଣା ସେହି ପଟ ମୁଣ୍ଡର ଶୀର୍ଷକୁ ବ୍ୟାପି ଯାଉଥିଲା । କାନ ଭିତରେ ଚଡ୍‍ ଚଡ୍‍ ମଡ୍‍ ମଡ୍‍ ଶବ୍ଦ କରି ଗରମ ଲବଣ ବାୟୂ ବୁଜି ହୋଇଯାଉଥିବା ରାସ୍ତାକୁ ଫାଙ୍କ କରି କରି ଚାଲିଥାଏ । ଦୁଇ କାନକୁ ବାଇଆ ବାବୁ କିଛି ସମୟ ଧରି ବାରମ୍ବାର ସେକ ଦେଇ ଚାଲିଲେ ଓ ମହା ଆରାମରେ ସେ ରାତିଟି ଶୋଇଲେ । ଦିନ ଗଡିଚାଲେ । ପୁନଃ ଯନ୍ତ୍ରଣା ଆରମ୍ଭ ହୁଏ । ପୁନଃ ଲୁଣ ଭଜା ଯାଏ । କିନ୍ତୁ କଷ୍ଟ ଲାଘବର ମାତ୍ରା ଧିମା ପଡେ । କେତେ ବା ଆଉ ଲୁଣ ଭାଜି ଭାଜି ସେକ ଦେବାକୁ ପଡିବ । “ଦାସ ଆସିଲେ ମୁଳରୁ ଗାଆ”ଧାରା ଆଉ କାଟୁ କଲା ନାହଁ ।

(2) ମନକୁ ଆସେ ସମ୍ଭବତଃ ପ୍ରତିଦିନ ମୁଣ୍ଡଧୋଇ ଗାଧୋଇବାରୁ ଏହା ହୋଇଥାଇ ପାରେ । ପାଣିର ଆସର ବୋଧହୁଏ ବାମ କାନ ଓ ତା’ର ପରିସରରେ ଜମୁଛି । ତେଣୁ ଅପ୍ରେଲ୍‍ ଶେଷରୁ ଜୁନ୍‍(ରଜପର୍ବ) ଯାଏ ମୁଣ୍ଡ ନ ଧୋଇ ସେ ଉଷୁମ ପାଣିରେ ବେକଠାରୁ ତଳକୁ ଭିଜି ଗାଧୋଇଲେ । କିଞ୍ଚିତ୍‍ ମାତ୍ରାରେ କଷ୍ଟ କମେ, କିନ୍ତୁ କିଛିଦିନ ପରେ – “ଯଥା ପୁର୍ବଂ ତଥା ପରଂ ” ଅବସ୍ଥା ଆସେ । ବେଳେବେଳେ ପୁତ୍ର ଓ ସ୍ତ୍ରୀ ସହ ଏହା ଉପରେ ଆଲୋଚନା ହୁଏ । ସେମାନେ ବ୍ୟସ୍ତ ହୁଅନ୍ତି । ତେଣୁ ସେ କଥାକୁ ହେୟଜ୍ଞାନ ପୂର୍ବକ ସେ ଆଳାପ ଆଲୋଚନା କରନ୍ତି । କାରଣ ହେଲା ସେମାନେ ଏ ସମୟରେ ଶରୀର ଓ ମନ ସହ ସ୍ଥିରତା ବଜାୟ ରଖିବା ଠିକ୍‍ ହିଁ ହେବ । ଏମିତି ସମୟ ଗଡିଚାଲେ ଓ ସବୁ ସମ୍ପର୍କୀୟଙ୍କ ସହ ଭାବ ଆଦନ ପ୍ରଦାନରେ ସାନ୍ତ୍ୱନା ମିଳେ

ତେବେ ପୃଥିବୀରେ ଯେତେବେଳେ ଏ ମାନବ ବିନାଶକାରୀ ମହାମାରୀ ତା’ର କାୟା ବିସ୍ତାର କରି ଦେଶକୁ ଦେଶ ମାଡି ଚାଲିଛି, ସେତେବେଳେ ପ୍ରତି ଗୃହରେ ମଧ୍ୟ ଅନେକ ସମସ୍ୟା ହଠାତ୍‍ ଆବିର୍ଭାବ ହେବା ପରି ଜଣା ପଡୁଛି । କାରଣ ବିପଦ ଏକୁଟିଆ ଆସେ ନାହିଁ । ସେ ତା’ର ସାଙ୍ଗ ସାଥୀ ମାନଙ୍କ ସହ ଆସିଥାଏ । ସବୁଆଡେ ଭୟ ଓ ଅବିଶ୍ୱାସର ବାତାବରଣ । ବାହାର ଲୋକ ଘରକୁ ଆସି ସମସ୍ୟା ସମାଧାନ କରିବାକୁ ଡର ଓ ନିଜ ଅସୁସ୍ଥତା ନିମିତ୍ତ ଡାକ୍ତରଖାନା ଯିବାକୁ ମଧ୍ୟ ଡର । କୁଆଡେ କରୋନା ରୋଗୀଙ୍କ ବ୍ୟତୀତ ଅନ୍ୟ କେହି ରୋଗୀ ଡାକ୍ତରଖାନା ହତା ମାଡି ପାରିବେ ନାହିଁ ବୋଲି କଡ଼ା ଆଦେଶ ଦିଆଯାଇଛି ।

ସମ୍ବାଦପତ୍ର ଓ ୟୁ- ଟ୍ୟୁବ୍‍, ଟ୍ୟୁଟର(Twitter) ଆଦିରୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମିତ୍ତ ଅନେକ ପ୍ରକାର ଆୟୁର୍ବେଦିକ୍‍ ପଦ୍ଧତିର ଅନୁସରଣ କରିବାର ବାର୍ତ୍ତା ପ୍ରକାଶ ପାଏ । ସେଥିମଧ୍ୟରୁ କିଛିଟା ଏଠାରେ ଦର୍ଶାଯାଇଛି, ଯଥା :- (୧)ଆୟୁଷ ମନ୍ତ୍ରଣାଳୟର ଚିକିତ୍ସା ପଦ୍ଧତିରେ, ଅଶ୍ୱଗନ୍ଧା + ଯଷ୍ଟିମୁତି + ପିପ୍‍ପଳୀର ବ୍ୟବହାର । (୨) ସବୁଦିନେ କାଢା(Kadha) ପିଇଲେ ରୋଗ ପ୍ରତିରୋଧ ଶକ୍ତି ଅନେକ ପରିମାଣରେ ବୃଦ୍ଧି ପାଏ ବୋଲି ଘନଘନ ପ୍ରଚାର ଚାଲିଲା । କାଢାର ଉପକରଣ ସବୁ ସହଜରେ ଉପଲବ୍ଧ୍‍ ହେଉଥିବାରୁ ପ୍ରାୟ ଅଧିକାଂଶ ଭାରତୀୟ ଏହାର ସଦୁପଯୋଗ କରିବାକୁ ଲାଗିଲେ । ବାଇଆ ବାବୁ କିନ୍ତୁ ପିଲା ଦିନରୁ ନାଲିଚାହା ପାନ କରିବାରେ ଅଭ୍ୟସ୍ତ । ଏହାର କାରଣ ଗ୍ରାମ୍ୟ ପରିସ୍ଥିତି ସେତେବେଳେ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ହେଉଥାଏ । ତାଙ୍କର ଜନ୍ମ ୧୯୬୦ ମସିହା ଓ ପିଲା ଦିନରୁ ଅଦ୍ୟାବଧି ସବୁ ଘଟଣାବଳୀ ଗୋଟିଗୋଟି ମାନସପଟରେ ଉଙ୍କି ମାରୁଥାଏ । ଗାଁ’ରେ ସମସ୍ତେ ପ୍ରାୟ ଗରିବ ଓ ଖାଦ୍ୟର ଅଭାବରେ ଅଧିକାଂଶ ଗ୍ରାମବାସୀ ଦୁର୍ବଳ । ତେଣୁ ଭୋକ ଲିଭାଇବା ପାଇଁ ଶସ୍ତା ଚାହା କିଣି ତେଜପତ୍ର ଓ ଲୁଣ ପକାଇ ସିଝାନ୍ତି । ମଜୁରୀ ମିଳିବା କଷ୍ଟକର ଓ ପରିଶ୍ରମର ମୂଲ୍ୟ ଅତି କ୍ଷୀଣ ହେତୁ ପରିବାରରେ ପ୍ରତ୍ୟେକଙ୍କ ପାଇଁ ଖାଦ୍ୟର ପରିମାଣ ମଧ୍ୟ କ୍ଷୀଣ ହୁଏ । ତେଣୁ କ୍ଷୀଣ ଖାଦ୍ୟ ଖାଇ ଅଥବା କିଛି ଖାଦ୍ୟ ନଥିଲେ ଉପରୋକ୍ତ ନାଲିଚାହା ବେଲାଏ ବା ଅଧବେଲା ପିଇ ବଞ୍ଚିବା ନିମିତ୍ତ ଭୋକ ଲିଭାଇ ପରିଶ୍ରମ କରିବାକୁ ପଡେ । ବାଇଆ ବିଚରା ଏଥି ସହ ମଧ୍ୟ ଅଭ୍ୟସ୍ତ ଥିଲେ । କ୍ରମେ ଭୋକ ଉପାସରେ ସେ ଏକୁଟିଆ ସେ ଗାଁ’ରୁ ପାଠପଢି ଆଜି ଏକ ଉଚ୍ଚପଦସ୍ତ କର୍ମଚାରୀ ହୋଇଥିଲେ ବି ବାଲ୍ୟକାଳର ନାଲିଚାହାକୁ ସେ ଭୂଲିପାରି ନାହାନ୍ତି । କ୍ରମେ ସେ ଚାହାରେ ତେଜପତ୍ର ଓ ଅଦା ସିଝାଇ ପିଇଲେ । ପୁନଃ ନାଲିଚାହାରେ ଲେମ୍ବୁରସ ଓ କଳା ଲୁଣ ଯୋଗକରି ପିଇ ଅତି ଆନନ୍ଦିତ ହୁଅନ୍ତି ବାଇଆ ବାବୁ । କିନ୍ତୁ ଏ କରୋନା କାଳରେ କାଢାର ସବୁ ଉପକରଣମାନ ବଜାରରେ ସବୁବେଳେ ପ୍ରାୟ ମିଳେନି । ଅଳ୍ପ ସମୟ ବଜାର ଖୋଲାହୁଏ ଓ ଜୀବନ ବିକଳେ ଲୋକେ ବଞ୍ଚିବା ପାଇଁ କାଢାର ଜିନିଷସବୁ ଆଗେ କିଣନ୍ତି । ତେଣୁ ଏଗୁଡିକର ଡିମାଣ୍ଡ ବଢିଚାଲେ ଓ ଦୋକାନରୁ ପ୍ରାୟ ଖତମ୍‍ ହୋଇଯାଏ । ତଥାପି ବାଇଆ ବାବୁ ଚେଷ୍ଟା କରି କାଢାର ସବୁ ଜିନିଷ ନମିଳେ ବି ଯାହା ମିଳିଲା, ସେଥିରେ ସନ୍ତୁଷ୍ଟ ହୁଅନ୍ତି । ତେବେ କାଢାର ଉପକରଣମାନ ନିମ୍ନରେ ଦର୍ଶାଗଲା :-
(୧) ଅଦା (Ginger)/ଶୁଣ୍ଠି(Sunth)
(୨) ତୁଳସୀପତ୍ର (Basil leaf)
(୩) ଡାଲଚିନି(Cinnamon stick)
(୪) ତେଜପତ୍ର(Bay leaf)
(୫) ଗୋଲମରିଚ (Black pepper)
(୬) ଲବଙ୍ଗ(Cloves)
(୭) ଗୁଜୁରାତି (Green cardamon)- small elaichi
(୮) ଲେମ୍ବୁ(Lemon) – ନିଜର ରୁଚି ଅନୁସାରେ
(୯) ସାଧାରଣ ଲୁଣ(common salt) / କଳା ଲୁଣ(black salt) / ଚିନି(sugar) / ଗୁଡ(Jaggery) – ନିଜର ରୁଚି ଅନୁସାରେ
(୧୦) ଚାହାପତ୍ର(Tea leaf/dust) – ନିଜର ରୁଚି ଅନୁସାରେ
(୧୧) ପୁଦିନା ପତ୍ର(Pudina leaf) – ନିଜର ରୁଚି ଅନୁସାରେ
(୧୨) ଭେରଶୁଙ୍ଗା ପତ୍ର(Curry leaf) – ନିଜର ରୁଚି ଅନୁସାରେ
(୧୩) ନିମ୍ବ ପତ୍ର(Neem leaf) – ନିଜର ରୁଚି ଅନୁସାରେ
(୧୪) ଗୁଳୁଚି(Giloy) ଡଙ୍କରୁ ଛୋଟ ଖଣ୍ଡେ – ଯଦି ମିଳେ

                             ଭାରତରେ ତାଲାବନ୍ଦ୍‍

କୋଭିଡ୍‍ ୧୯ ନିରାକରଣରେ ଭାରତରେ ତାଲାବନ୍ଦ୍‍ ଓ ଅନ୍ୟ ସଂସ୍କାରୀୟ ରୀତିର ଘୋଷଣା ଓ ପାଳନ :-
ତାଲବନ୍ଦ୍‍                       ସମୟସୀମା                                          ଦିନ ସଂଖ୍ୟା
୧.୦           ୨୪.୩.୨୦୨୦ ଅର୍ଦ୍ଧରାତ୍ରରୁ ୧୪.୪.୨୦୨୦                 ୨୧
୨.୦           ୧୫.୪.୨୦୨୦ରୁ ୦୩.୫.୨୦୨୦                             ୧୯
୩.୦           ୦୪.୫.୨୦୨୦ରୁ ୧୭.୫.୨୦୨୦                             ୧୪
ଜନତା କର୍ଫ୍ୟୁ :- (୧) ୨୨.୩.୨୦୨୦ ସକାଳ ୭ଟାରୁ ରାତି ୯ଟା । ତାଳି, ଥାଳି ଆଦି ବଜାଇ ସଫେଇ କର୍ମୀ, ସ୍ୱାସ୍ଥ୍ୟକର୍ମୀ, ଆରକ୍ଷୀ ବାହିନୀଙ୍କୁ ଉତ୍ସାହିତ କରାଗଲା
(୨) ୦୫.୦୪.୨୦୨୦ :- ଦୀପ ଜଳାଇ ବ୍ଲାକ୍‍ ଆଉଟ୍‍ ପାଳନ କଲେ ପ୍ରଧାନ ମନ୍ତ୍ରୀଙ୍କ ସହ ଦେଶବାସୀ – ରାତି ୯ଟାରେ ୯ ମିନିଟ୍‍ ପାଇଁ ।

ଓଡିଶାରେ ତାଲାବନ୍ଦ୍‍

ତାଲବନ୍ଦ୍‍                       ସମୟସୀମା                                          
୧.୦           ୨୨.୩.୨୦୨୦ ଅର୍ଦ୍ଧରାତ୍ରରୁ ୨୯.୩.୨୦୨୦                 
୨.୦           ୧୫.୪.୨୦୨୦ରୁ ୦୩.୫.୨୦୨୦                             
୩.୦           ୦୫.୫.୨୦୨୦ରୁ ୧୯.୫.୨୦୨୦

  ତେବେ ସେ ସମୟରେ ସମ୍ବାଦପତ୍ରରେ ପ୍ରକାଶିତ କିଛି କିଛି କଟାକ୍ଷ ବାଇଆ ବାବୁଙ୍କ ମନକୁ ଛୁଏଁ ଓ ତାହାକୁ ସେ ବାରମ୍ବାର ପଢନ୍ତି ଏବଂ ତାଙ୍କ ମନ ହସଖୁସିର ମିଶ୍ରିତ ଫଳରେ ଆନ୍ଦୋଳିତ ହୁଏ । ତନ୍ମଧ୍ୟରୁ କିଛି :-                           
ସମାଜ (୧୦.୫.୨୦୨୦) – କଥା କଥାରେ –
ଚତୁର୍ଥ ପର୍ଯ୍ୟାୟ ଯୁଦ୍ଧ ଚାଲିଅଛି — ଫେମିଲି ଦାଇତ୍ୱ ବେଶି ।
ନିଜଲୋକ ଯଦି ବାହାରୁ ଫେରନ୍ତି — ଅଳ୍ପ ଅଳ୍ପ ହୁଅ ଖୁସି ।
ଦିନ ମାତ୍ର ଏକୋଇଶି
କ୍ୱାରେଣ୍ଟାଇନ୍‍ରୁ ଫେରିଲେ ରାନ୍ଧିବ — ମାଛ କି ଚିକେନ୍‍ ଖାସି !!

ସମାଜ (୧୩.୫.୨୦୨୦) – କଥା କଥାରେ –
ମୋଦୀଙ୍କ ଭାଷଣ ଶୁଣି ଭାରତୀୟ ଏନର୍ଜି ପାଇଲେ ଦିହରେ
ଆତ୍ମ ନିର୍ଭରର ପଞ୍ଚ ମନ୍ତ୍ର ଶୁଣି ହସ ଫୁଟାଇଲେ ମୁହଁରେ
ପୁଣିଚିନ୍ତା ପ୍ରତି ଗୃହରେ,
ଚତୁର୍ଥ ପର୍ଯ୍ୟାୟ ତାଲା ବନ୍ଦ ହେବ ନୂଆ ରଙ୍ଗଢଙ୍ଗ ସହରେ ।

ସମାଜ (୧୫.୫.୨୦୨୦) – କଥା କଥାରେ –
ଯେତେବେଳେ କିଛି ସମସ୍ୟା ନଥିଲା … ଗୃହବନ୍ଦୀ ଥିଲେ ଲୋକେ
ଯାଉଣୁ ଆସୁଣୁ ହାତ ଧୋଉ ଥିଲେ … ତୁଣ୍ଡି ବାନ୍ଧୁଥିଲେ ମୁଖେ
ଜଗୁଥିଲେ କାଶ, ଛିଙ୍କେ
ଏବେକୁ ସମସ୍ୟା ବଢିଲା ବେଳକୁ … ବୁଲୁ ବୁଲି ଫାଙ୍କେ ଫାଙ୍କେ ।

 

1. ଜଣା ପଡିବାକୁ ଲାଗିଲା ଯେ, ପୁରୁଷମାନେ ସ୍ତ୍ରୀ ଲୋକଙ୍କ ଠାରୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେଉଛନ୍ତି । ଏହାର ଅନେକ ଯୁକ୍ତିଯୁକ୍ତ କାରଣ ମାନ ଦର୍ଶାଯାଇଛି । କିନ୍ତୁ ବାଇଆ ବାବୁ ଆଉ ଏକ କାରଣ କଥା ଭାବନ୍ତି । ତାହା ସବୁ କାରଣ ମଧ୍ୟରେ ବି ସାମିଲ ହୋଇ ପାରିବ । ଏହା ହେଲା ସ୍ତ୍ରୀ ଲୋକଙ୍କର ନିଶ, ଥୋଡି ଆଦି ନ ଥାଏ । କିନ୍ତୁ ପୁରୁଷଙ୍କ ଠାରେ ଏହା ଆବିର୍ଭାବ ହୋଇଥାଏ । ପୁରୁଷମାନଙ୍କର ନିଶ ଓ ଥୋଡି ଅଧିକାଂଶ ସମୟରେ କୁଣ୍ଢାଇ ହେବା ଆଦି କାରଣରୁ ହାତ ମୁହଁ ପାଖକୁ ବାରମ୍ବାର ଯିବ, ଯାହା କରୋନା ସଂକ୍ରମଣର କାରଣ । ପରନ୍ତୁ ସ୍ତ୍ରୀ ଲୋକମାନେ ଗାଲର ଯତ୍ନ ନେବା, କ୍ରୀମ୍‍ ବୋଳିବା ଓ ନିଶ – ଦାଢି ନ ଥିବା କାରଣରୁ ମୁହଁ କୁଣ୍ଢାଇ ହେବାର ସମ୍ଭାବନା ପ୍ରାୟ ନ ଥାଏ । ତେଣୁ ସେମାନଙ୍କୁ କରୋନା ସଂକ୍ରମଣ ଏ ବାବଦକୁ ହୋଇ ନ ଥାଏ । ତେବେ ସଂକ୍ରମଣର ଅନ୍ୟ କାରଣମାନ ରହିଛି । ଅର୍ଥାତ୍‍ ପୁରୁଷ ଅଧିକ କାରଣରେ ଯୋଡି ହେବା ଦ୍ୱାରା, ଏମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି ।

2. କୁହାଗଲା କେତେକ ନିର୍ଦ୍ଦିଷ୍ଟ ରକ୍ତ ଗ୍ରୁପ୍ର ଲୋକଙ୍କୁ କରୋନା ଶୀଘ୍ର ଆକ୍ରମଣ କରୁଛି । ତେଣୁ ସେହି ଗ୍ରୁପ ବ୍ୟକ୍ତିମାନେ ଭୟଭୀତ ଓ ଅନ୍ୟ ଗ୍ରୁପ ବ୍ୟକ୍ତିଙ୍କର ଭୟଶୂନ୍ୟ କାରଣରୁ ମାନବୀୟ ସନ୍ତୁଳନ ଅବସ୍ଥାରେ ବିଭ୍ରାଟ ସୃଷ୍ଟି ହୁଏ । ବାଇଆ ବାବୁ ଟିକିଏ ଆଶ୍ୱସ୍ତି ହେଲେ ଯେ, ତାଙ୍କ କ୍ଷୁଦ୍ର ପରିବାରରେ ଜଣକୁ ଛାଡି ଅନ୍ୟ ତିନିଜଣଙ୍କର ବ୍ଲଡ୍‍ ଗ୍ରୁପ୍‍ ଠିକ୍‍ ଅଛି । ତେଣୁ ସେହି ଜଣଙ୍କ ପାଇଁ ମନରେ ଭୟ ଓ ଈଶ୍ୱରଙ୍କୁ ବାରମ୍ବାର ସ୍ମରଣ କରିବା – ହେ ପ୍ରଭୁ ନାରାୟଣ ! ରକ୍ଷା କର !

୩. ଶୁଣାଯାଏ କରୋନା ଭୂତାଣୁ କାଶ, ଛିଙ୍କ ଓ ଛେପରୁ ଜଣକଠୁଁ ଅନ୍ୟକୁ ସଂକ୍ରମିତ ହୁଏ । ତେବେ ଚିନ୍‌ର ଉହାନ୍‍ ସହରରୁ ଉତ୍ପନ୍ନ ଏ ମହାମାରୀ ଭୂତାଣୁ ମାନବରୁ ମାନବକୁ ସଂକ୍ରମିତ ହେବାର ସତ୍ୟତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (World Health Organisation) କ’ଣ ପାଇଁ ଲୁଚାଇ ରଖିଲା ? ଯଦି ପ୍ରଥମରୁ ସଠିକ୍‍ ତଥ୍ୟ ବିଶ୍ୱବାସୀଙ୍କୁ ଜଣାଇ ଦିଆ ଯାଇଥାନ୍ତା, ତେବେ ସୃଷ୍ଟିରେ ମାନବ ସମାଜ ଧ୍ୱଂସ ମୁଖକୁ ଠେଲି ହୋଇ ଯାଇ ନଥାନ୍ତା । ଶୁଣାଯାଏ ଚୀନ୍‍ ତା’ର ବିସ୍ତାରବାଦୀ ସ୍ୱପ୍ନକୁ ସାକାର କରିବାକୁ ଯାଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ନିଜ ସଖୀ କଣ୍ଢେଇ କରି ରଖିଥିଲା । ସତରେ କ’ଣ ଏ ପୋକ ଓ ଜୋକ ଖିଆ ଦେଶ ସାରା ପୃଥିବୀର ଲୋକଙ୍କୁ ସାଲୁବାଲୁ କରି ମାରିବାର ଚକ୍ରାନ୍ତରେ ଉହାନ୍‍ ଭୂତାଣୁ ପରିକ୍ଷଣ କେନ୍ଦ୍ରରେ ଅନେକ ଦିନରୁ କୃତ୍ରିମ କରୋନା ଭୂତାଣୁର ସୃଷ୍ଟି ଓ ପରେ ପ୍ରୟୋଗ ଏବଂ ଜାଣତରେ ପୃଥିବୀ ବ୍ୟାପି ମାନବକୁ ସଂକ୍ରମିତ କରାଇ ଚାଲିଲେ !! ସାରା ପୃଥିବୀରେ ଜାଲ ବିଛାଇ ନିଜ ଦେଶରୁ କରୋନା ସଂକ୍ରମିତ ଅନୁଚରଙ୍କୁ ବିଭିନ୍ନ ଦେଶକୁ ଆକାଶ ମାର୍ଗରେ ପଠାଇ ଚାଲିଲେ ! ନିଜ ଦେଶକୁ ରକ୍ଷାକରିବା ପାଇଁ କରୋନା ଟୀକା ଲୁକ୍‍କାୟିତ କରି ରଖିଥାଇପାରେ । ସେଥିପାଇଁ ଅନ୍ୟ ଦେଶରେ ମହାମାରୀକୁ ସଂକ୍ରମିତ କରାଇ ପୁନଃ ସ୍ୱଃ ଦେଶ ପ୍ରତ୍ୟାବର୍ତ୍ତନ ଓ ନିଜ ଜୀବନ ରକ୍ଷଣରେ କରୋନା ଟୀକା ଭକ୍ଷଣର ସମ୍ଭାବନା ସୃଷ୍ଟି କରେ । ତେବେ ନିଜ ଦେଶରେ କିଛି ଲୋକ ମରିବା ଦରକାର । ଫଳରେ ଜନସଂଖ୍ୟା କମିବ ଓ ତାଙ୍କ ଦେଶର ଦ୍ରୁତ ଉନ୍ନତି ଘଟିବ । ସେଥିପାଇଁ ଖାଲି ଉହାନ୍‍ ସହରରେ ସବୁ ମହାମାରୀରେ ମରନ୍ତୁ । କିଛି ଅସୁବିଧା ନାହିଁ । ସେମାନଙ୍କୁ ଟୀକା ପ୍ରୟୋଗ କରାଯିବ ନାହିଁ । ବିଶାଳ ଆୟତନ ଧାରୀ ଚୀନ୍‌ରେ ଆଭ୍ୟନ୍ତରୀଣ ଆକାଶ ସେବାଠୁ ଆରମ୍ଭ କରି ଅନ୍ୟ ସମସ୍ତ ପରିବହନ ବ୍ୟବସ୍ଥା ଉହାନ୍‍ ସହରରୁ ଠପ୍‍ କରାଯିବା ରହସ୍ୟପୂର୍ଣ୍ଣ ଅଟେ । ତେଣୁ ମହାମାରୀ କେବଳ ଉହାନ୍‍ ସହରରେ ସୀମିତ ଓ ପୃଥିବୀ ପାଇଁ ଅସୀମିତ । ଯେହେତୁ କମ୍ୟୁନିଷ୍ଟ ଦେଶ, ସତ୍ୟକୁ ଚାପି ରଖି ଅସତ୍ୟ ପ୍ରଚାର କରିବାରେ ଅସୁବିଧା ନାହିଁ । ମାନବ ସମାଜକୁ ରକ୍ଷା କରିବା ପାଇଁ ସତ୍ୟ ପ୍ରଘଟକାରୀ କିଛି ବୈଜ୍ଞାନିକ, ଡାକ୍ତର ଆଦିଙ୍କୁ ରାସ୍ତାରୁ ବୋଧହୁଏ ସଫା କରି ଦିଆଗଲା ବୋଲି ସମ୍ବାଦ ପତ୍ରରେ ପ୍ରକାଶ ପାଏ । କାରଣ ସେମାନେ କୁଆଡେ ଗଲେ କିଛି ବି ଟେର୍‍ ମିଳିଲା ନାହିଁ । ସେଥିପାଇଁ ତ ଚୀନ୍‍ର ଉହାନ୍‍ ବ୍ୟତୀତ କରୋନା ସେ ଦେଶର ଅନ୍ୟ ପ୍ରାନ୍ତକୁ ପ୍ରାୟ ସଂକ୍ରମିତ ହେଲାନାହିଁ , କିନ୍ତୁ ସଂକ୍ରମିତ ହେଲେ ଅନ୍ୟ ଦେଶର ମାନବ ବର୍ଗ ।  ସତରେ ପ୍ରକୃତ ସତ୍ୟ ଜାଣିବା ଏ କଳିଯୁଗରେ କଷ୍ଟକର ଅଟେ ।

ପ୍ରଥମେ ପାଶ୍ଚାତ୍ୟ ଦେଶ ଆଦିରେ କରୋନା ସଂକ୍ରମଣର କରାଳତା ବ୍ୟାପେ । ଇଟାଲୀ, ଫ୍ରାନ୍ସ୍‍, ଇଂଲଣ୍ଡ, ଆମେରିକା, ଜର୍ମାନ ….. ଆଦି ଦେଶରେ ବ୍ୟାପି ଚାଲେ କରୋନା ଜନିତ ମୃତ୍ୟୁ । କ୍ରମେ ପ୍ରାଚ୍ୟ ଦେଶଗୁଡିକ ମହାମାରୀର ତାଣ୍ଡବତାରେ ଜର୍ଜରିତ ହୁଅନ୍ତି ।

ରାଜନୀତିର ପଶାପାଲିରେ ଏ ସୃଷ୍ଟିକୁ ଉବୁଟୁବୁ କରାଉଥିବା ରାଜା, ମହାରାଜା ଓ ସମ୍ରାଟମାନେ କରୋନା ଭୂତାଣୂକୁ ନେଇ ଆରମ୍ଭ କଲେ ଜୋର୍‍ଦାର କୂଟନୀତି । ରାଜନୀତିର ବ୍ୟାପକତା କ୍ରମାନ୍ୱୟରେ ଆନ୍ତର୍ଜାତୀକ ସ୍ତରରୁ ଦେଶ, ରାଜ୍ୟ, ଜିଲ୍ଲା ଅର୍ଥାତ୍‍ ତୃଣମୂଳ ସ୍ତରକୁ ମାଡିଯାଏ ।ଭାରତ ବର୍ଷରେ ଯେତେବେଳେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୁଏ, ସେତେବେଳେ ପ୍ରତି ଭାରତୀୟଙ୍କ ହୃଦ୍‍ସ୍ପନ୍ଦନ ବଢିଯାଏ । କିନ୍ତୁ କିଛି ଅଣଭାରତୀୟ ଓ ଦେଶ ବିରୋଧୀଙ୍କ ରାଜନୀତିର ଚକ୍‍ମା ବୃଦ୍ଧି ପାଏ । ଅନ୍ଧ ଦେଶେ ଗଲି ଦର୍ପଣ ବିକି । ସେତେବେଳେ କରୋନା ସଂକ୍ରମଣରୁ ରକ୍ଷା ପାଇବାର ଉପାୟ ସମ୍ପୂର୍ଣ୍ଣ ଭାବେ ଜଣା ନଥିଲା ଓ ଚୀନ୍‍ ସହ ସ୍ୱର ମିଳାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ଯେ, କରୋନା ଭୂତାଣୁ ମାନବରୁ ମାନବକୁ ସଂକ୍ରମିତ ହୁଏନାହିଁ । ତେଣୁ କରୋନା ମହାମାରୀ ବିଶ୍ୱକୁ ଗ୍ରାସ କରିବାରେ ଏହାହିଁ ମୂଳ କାରଣ ଥିଲା । ଯେତେବେଳେ ଷଡଯନ୍ତ୍ରର ସଠିକ୍‍ ରୂପରେଖ ଅନୁଭୂତ ହେଲା ଅର୍ଥାତ୍‍ ଏହା ମାନବରୁ ମାନବକୁ ବ୍ୟାପେ ବୋଲି ଜଣାପଡିଲା ସେତେବେଳେ ସତର୍କ ରହିବାର ମନ୍ତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗାୟନ କରିବାକୁ ଲାଗିଲା । ଏହାକୁ ପ୍ରଥମେ ଆମେରିକା ଦର୍ଶାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନ୍‍ ବିରୁଦ୍ଧରେ ବିଷୋଦ୍‍ଗାର ପୂର୍ବକ ନୂଆ ଭୂତାଣୂକୁ ଚୀନ୍‍ ଭୂତାଣୁ କହିଲା । ପରେ ଚୀନ୍‌ର ଅଭିଯୋଗରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭୂତାଣୁର ନାମ ରଖିଲା- କରୋନା ଭୂତାଣୁ (COVID – 19) ।

ଏପରି ଏକ ଦିନର କଥା । ସମ୍ବାଦ ପତ୍ରରେ ପ୍ରକାଶ ହେଲା ଯେ, ଚୀନ୍‍ରୁ ଆଉ ଏକ ଭାଇରସ ସୃଷ୍ଟି ହୋଇଛି, ଯାହା ମାନବ ପ୍ରତି ଘାତକ ସିଦ୍ଧ ଅଟେ । ଏକ କୃଷକ ଉକ୍ତ ଭାଇରସ ଯୋଗୁ ମୃତ୍ୟୁ ବରଣ କରିଛି । ଅନୁସନ୍ଧାନରୁ ଜଣାପଡିଲା ଯେ, କୃଷକଟି ନିଜ କ୍ଷେତରୁ କେତୋଟି ମୂଷା ମାରି ତରକାରୀ କରି ଖାଇବାରୁ ହଣ୍ଟା ଭାଇରସ ତା’ ଶରୀରକୁ ପ୍ରବେଶ କଲା । ଫଳରେ ତା’ର ମୃତ୍ୟୁ ହେଲା । ଏ ଭାଇରସର କାର୍ନାମା ସେଠାରେ ବୃଦ୍ଧି ପାଇଲାଣି ଓ ପୁଣି ଆଉ ଏକ ମହାମାରୀ ପୃଥିବୀରେ ବ୍ୟାପିବାର ଭୟ ସଭିଙ୍କ ମନରେ ଜାଗ୍ରତ ହୁଏ ଅର୍ଥାତ ଏ ଭାଇରସକୁ ଚୀନ୍‍ ବିଶ୍ୱ ଧ୍ୱଂସ ପ୍ରକ୍ରିୟାରେ ସାମିଲ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ଅନେକ ମତ ରଖିଲେ । ଭୟରେ ବିଳିବିଳେଇ ଉଠେ ମାନବର ଅନ୍ତରାତ୍ମା । ଠିକ୍‍ ସେଦିନ ରାତିର ଘଟଣା । ପରିବାର ବର୍ଗଙ୍କ ସହ କଥାବାର୍ତ୍ତା ଓ ହଣ୍ଟା ଭାଇରସ ଉପରେ ଆଲୋଚନା କରି ବାଇଆ ବାବୁ ଶୋଇଲେ । ଅନ୍ୟମନସ୍କତାରୁ କବାଟ ହୁକ ଲଗାଇ ନଥିଲେ । କବାଟ କେବଳ ଆଉଜା ହୋଇ ରହିଥିଲା । ବାଇଆ ନିଘୋଡ ନିଦ୍ରାରେ ନିମଗ୍ନ । କିନ୍ତୁ କରୋନାର କରାଳତା ନିଦକୁ ଏମିତି ସାଇଜ କରିଦେଇଥିଲା ଯେ, କେଉଁଠି ଟିକିଏ ଶବ୍ଦ ହେଲେ ଆଖି ଛାଁ’କୁ ଛାଁ ଖୋଲି ହୋଇଯାଏ । କିଛି ଅଘଟଣ ଘଟିଲାକି ଆଉ ! ସେଦିନ ରାତିରେ ମୁଣ୍ଡ ପଟରୁ ହଠାତ୍‍ ଏକ ଶବ୍ଦ ଶୁଣି ସେ ଜାଗ୍ରତ ହୋଇ ଉଠିଲେ । କଡ ଲେଉଟାଇ ମୁଣ୍ଡପଟ କାନ୍ଥର ଥାକକୁ ଅନାଇଲେ । ଦେଖିଲେ ତୃତୀୟ ଥାକରେ ଏକ ମୂଷା ଜୁଳୁଜୁଳୁ ଆଖିରେ ତା’କୁ ଅନାଇଛି ! ସେ ମୂଷାକୁ ଘଉଡାଇବାକୁ ଯାଇ ଉଠିବାକୁ ଉଦ୍ୟନ୍ତ ହୁଅନ୍ତେ ସେ ଏକ ଡିଆଁ ମାରି କବାଟକୁ ମୁହଁରେ ଠେଲି ବାହାରକୁ ପଳାଇ ଗଲା । ବାଇଆ ମନରେ ଛନକା ପଶେ । କହିବାକୁ ଲାଗିଲେ – ଆସିଲାରେ ହଣ୍ଟା ଭାଇରସ ! ଚୀନ୍‍ ଛାଡିଲାକି ଆଉ । ସମ୍ଭବତଃ ଘରେ ଘରେ ଏ ଭାଇରସ ପଶିବାକୁ ଆରମ୍ଭ କଲାଣି ! ଆଉ ରକ୍ଷା ନାହିଁ । ତେଣୁ ସେ ଜୀବନ ବିକଳରେ ଉଠି ଯେଉଁ ବହି ଉପରେ ମୂଷା ବସିଥିଲା ସେ ସ୍ଥାନକୁ ସାନିଟାଇଜର ତୁଳାରେ ଭିଜେଇ ଘଷିଲେ ଓ କବାଟକୁ ଯେଉଁ ସ୍ଥାନରେ ଠେଲି ପଳାଇଗଲା ସେଠାରେ ମଧ୍ୟ । କାରଣ ମୂଷା ହିଁ ହଣ୍ଟା ଭାଇରସର ବାହକ । ଆଗରୁ ଏସବୁ ଏମିତି ନଥିଲା । ଜୀବ ଜନ୍ତୁ ଓ ମାନବ ମିଳିମିଶି ଚଳୁଥିଲେ । ଏବେ କାହିଁକି ଏମିତି !! ତା’ପରଦିନ ଠାରୁ ସେ ହଣ୍ଟା ଭାଇରସ କବଳରୁ ବର୍ତ୍ତିବା ପାଇଁ କବାଟ ହୁକ ଲଗାଇବାକୁ ଭୂଲିଲେ ନହିଁ ।

ଆଉ ଏକ ଦିନର ଘଟଣା । ସେ ରାତି ୪.୩୦ ରେ ଆଲାରାମ ସେଟ୍‍ କରିଥିଲେ । ତେଣୁ ସେ ସମୟରେ ନିଦ ଭାଙ୍ଗେ । ସେ ନିଦରୁ ଉଠି ପରିସ୍ରା କରି ଅଳସୁଆମି ହେତୁ ପୁଣି ଶୋଇ ପଡନ୍ତି । ସେଦିନ ବି ସେଇଆ ହେଲା । ତେବେ ପୁଣି ଶୋଇବାର କିଛି ସମୟ ପରେ ବାମଗୋଡ ଆଣ୍ଠୁ ଓ ଗୋଇଠି ମଧ୍ୟବର୍ତ୍ତୀ ଏକ ସ୍ଥାନରେ କିଏ ଗୋଟେ କାମୁଡି ଦେଲା । ବିନ୍ଧିବାକୁ ଲାଗିଲା । ସେ ଉଠି ବିଛଣା ଝଡାଝଡି କରି ଦେଖିଲେ ଏକ ମଝିମଝିକିଆ ଅସରପା । ମନରେ ଭୟ ! ଅସରପା ବିଷ ଶରୀରକୁ ଯାଇଛି । କ’ଣ ହେବ କ’ଣ ନାହିଁ ! ଯଦି ତା’ ଦାନ୍ତରେ କରୋନା ଭାଇରସ ଲାଗିଥିବ, ତେବେ କଥା ସରିଲା । ଅସରପାକୁ ମାରିଦେଲେ ଅସୁବିଧା । ବିଷ ଝଡିବ ନାହିଁ । ତତ୍‍କ୍ଷଣାତ୍‍ ସେ ସର୍ଜିକାଲ୍‍ ସ୍ପିରିଟ୍‍ ଟିପରେ ନେଇ ବିନ୍ଧୁଥିବା ଯାଗାରେ ବାରମ୍ବାର ଲଗାଇଲେ । ଭିତରେ ଭିତରେ ଫୋଡି ହୋଇଯାଉଥାଏ । ଦାନ୍ତ ଭାଙ୍ଗି ରହିଗଲାକି ଆଉ ! ତେଣୁ ସେ ବ୍ଲେଡ୍‌ରେ ସେ ଯାଗାକୁ ଚାଞ୍ଛିଲେ ଏବଂ ସ୍ପିରିଟ୍‍ ଓ ସାନିଟାଇଜର ଲଗାଇଲେ । ଏହା ପ୍ରାୟ ଦୁଇ ପକ୍ଷ ଯାଏ ମଝିରେ ମଝିରେ ବିନ୍ଧେ ଓ ଫୋଡି ହୋଇଯାଏ । ଅସରପା କାମୁଡିବାର ଦ୍ୱିତୀୟ ଦିନରେ ସମ୍ପୂର୍ଣ୍ଣ ବିଛଣା ବାହାର କରି ଦେଖିଲେ ଯେ ଖଟର ସନ୍ଧିସ୍ଥଳ ଗୁଡିକରେ ଅସରପା ଦଳ ସାଲୁବାଲୁ ହେଉଛନ୍ତି । ତିନିବର୍ଷ ଯାଏ କାହିଁ ଅସରପା ତ ଖଟକୁ ଆସନ୍ତି ନାହିଁ, ରୁମ୍‌ରେ ବୁଲନ୍ତି । ଏବେ କାହିଁକି ଆସିଲେ ? ନିଶ୍ଚୟ ୟା ପଛରେ କିଛି ରହସ୍ୟ ଅଛି ! କାଳ ବିଳମ୍ବ ନ କରି ସେ ଆଗରୁ ରଖିଥିବା ଅସରପା ସ୍ପ୍ରେ ବ୍ୟବହାର କରିବାରୁ ବିଳିବିଳେଇ ହୋଇ ଅସରପା ସବୁ କିଏ କୁଆଡେ ଧାଇଁଲେ । ବିଷର ପ୍ରଭାବରେ ପାଗଳ ପ୍ରାୟ ହୋଇ ଭ୍ରମିବାକୁ ଲାଗିଲେ । ତେବେ କାମୁଡିଥିବା ଅସରପା ସମୟ ଚକ୍ରରେ କୁଆଡେ ଉଭାନ ହୋଇଗଲା କି ମଲା ତାହା ଜଣା ପଡିଲା ନାହିଁ । ଏଠାରେ ଚାଣକ୍ୟଙ୍କ ଏକ ଭାଷା ମନେ ପଡେ । ଏକଦା ସେ ଯାଉଥିବା ବେଳେ ତାଙ୍କ ଗୋଡରେ କୁଶ ଘାସର ଗୋଜିଆ ଗଜା ଫୁଟିଗଲା ଓ ସେ କଷ୍ଟ ପାଇଲେ । ତହିଁ ପରଦିନ ସେ ପାଣିଆ ଦହି ଆଣି କୁଶ ଘାସ ଉଠିଥିବା ସ୍ଥାନରେ ଢାଳିଦେଲେ । କିଛି ଦିନ ପରେ ସବୁ କୁଶଘାସ ମରିଗଲା ଓ ସେ କହି ଉଠିଲେ –
ଥା’ରେ କୁଶ ଭାବୁଥା ବସି –
ମୋ ଗୋଡରେ ତୁ ଗଲୁ ପଶି –
ଏବେ ତୋତେ ଦେଲି କଷି ।
ଅର୍ଥାତ୍ କିଛି ଅସରପା ମଲେ । ତଥାପି ବାଇଆ ବାବୁ ଭାବୁଛନ୍ତି – ଆଗରୁ ପିଲାଦିନେ ତ ଅନେକ ଅସରପା ତାଙ୍କ ମାଟିଘରେ କାମୁଡନ୍ତି । ଦେହରେ ପ୍ରବଳ କାଛୁ କୁଣ୍ଢିଆ ହୋଇଥାଏ । ରାତି ସାରା ସେମାନେ ଘା’କୁ ଆଘ୍ରାଣ କରନ୍ତି । ତେବେ ବାପା-ବୋଉ ଘା’ଗୁଡିକୁ ସୋରିଷ ପିଡିଆ ବାମ୍ଫ ଦିଅନ୍ତି ଓ ଧଳା ଧଳା ଆସ୍ତରଣ ପାଣି ଉପରେ ପଡିଯାଏ । ଫଳରେ ଘା’ ଶୀଘ୍ର ଶୁଖିଯାଏ । ବାପା – ବୋଉ କହନ୍ତି – ସେଗୁଡିକ ଅସରପା ଲାଳ । କିନ୍ତୁ ଏବେକାର ବିନ୍ଧାବିନ୍ଧି ପରି ସେତେବେଳେ ତ କିଛି ତ ହେଉ ନଥିଲା ! ଏବେ ସବୁ ବିପରୀତ ଚାଲିଛି !

ହଠାତ୍‍ ମଶା ଗୁଡିକ କୋଠରୀରେ ଅସ୍ୱାଭାବିକ ପ୍ରକ୍ରିୟା ଦେଖାଇବାକୁ ଲାଗିଲେ । ଅତି କ୍ଷୁଦ୍ର ପ୍ରଜାତିର ମଶା । କେଉଁଠି କାମୁଡି ଦେଲେ ଅନେକ ସମୟ ଧରି ବିନ୍ଧେ । ଏତେ ବର୍ଷ ପରେ ବାଇଆ ବାବୁ ସେ ଘରେ ଏହା ନୂଆ ଦେଖିବାକୁ ପାଆନ୍ତି ଯେ, କ୍ଷୁଦ୍ର ମଶା ଅତି ଦ୍ରୁତ ଗତିରେ ଆସି ଶରୀରରେ ଧକ୍‍କା ଦେବା ଓ ତତ୍‍କ୍ଷଣାତ୍‍ କାମୁଡି ଫେରାର୍‍ ହେବା । କୋଠରୀରେ ଯେଉଁ ସ୍ଥାନକୁ ଗଲେ ବି ସେମାନଙ୍କ ଆକ୍ରମଣରୁ ତ୍ରାହି ମିଳେନି । ପ୍ରାୟ ମୁହଁରେ ଧକ୍‍କା ମାରନ୍ତି, ସତେକି ଏକ ଏକ ତୀକ୍ଷ୍‍ଣ ଶର । ସେମାନେ ସ୍ୱୟଂଚାଳିତ କ୍ଷେପଣାସ୍ତ୍ର ପରି ଲକ୍ଷ୍ୟ ଭେଦନ କରନ୍ତି । ବାହାରେ କରୋନା ଜଗି ବସିଛି ଓ ଭିତରେ କ୍ଷେପଣାସ୍ତ୍ର ମାଡ । ଅସ୍ତବ୍ୟସ୍ତ ହୋଇ ସେ ମଶା ମରା ରାକେଟ୍‍ କିଣିବାକୁ ମାର୍କେଟ୍ ବାହାରିଲେ । ମୁହଁରେ ତୁଣ୍ଡି ବାନ୍ଧି ରାସ୍ତାରେ ଚାଲିଲା ବେଳେ ସେ ଭାବୁଛନ୍ତି,ସେ ରାକେଟ୍ ତ ଚୀନ୍‍ରୁ ତିଆରି । କରୋନା ଭୂତାଣୁ ଲାଗି ନ ଥିବ ତ ! ଲାଗୁ, ସାନିଟାଇଜର୍ ମାରି ତା’ର ମୁକାବିଲା କରାଯାଇ ପାରିବ । ପରନ୍ତୁ ମଶାଙ୍କ କବଳରୁ ରକ୍ଷା ନିମିତ୍ତ ବାହାରକୁ ଧାଇଁଲେ କରୋନା ଭୂତାଣୁ ପ୍ରାଣ ନେଇଯିବ । ମଶା ଧୂପ ବା ଅଲ୍‍ ଆଉଟ୍‍ ଲଗାଇ ଘର ଭିତରେ ମଣିଷ ଅଣନିଶ୍ୱାସି ହୋଇଯାଉଛି ଓ ତା’କୁ ବି ମାନୁ ନାହାନ୍ତି । ତେଣୁ ସେମାନଙ୍କୁ ମାରିବା ଦରକାର । ଶେଷରେ ସେ ମଶା ରାକେଟ୍ କିଣି ମଶା ମରା ଅଭିଯାନରେ ନିମଗ୍ନ ହେଲେ । ଓଃ ! ଟିକେ ରକ୍ଷା ମିଳିଲା ।

ସେ ବଜାରକୁ ସୀମିତ ସମୟରେ ଯାଇ ପରିବା, ଅଟା, ଚାଉଳ, ତେଲ, ଲୁଣ ଆଦି କିଣିବା, ପରିବା ଆଦିକୁ ଧୋଇ ଶୁଖାଇବା, ରାନ୍ଧିବା ଝିନ୍‍ଝଟ୍, ଖାଇବା, ପ୍ରବନ୍ଧ ଲେଖିବା, ବାରମ୍ବାର ସମ୍ବାଦ ଶୁଣିବା, ପରିବାର ଲୋକଙ୍କୁ ଜଣାଇବା, ସତର୍କରେ ଶୋଇବା ଇତ୍ୟାଦିରେ ସମୟ ବିତେ । କିନ୍ତୁ ଦିନୁ ଦିନ କରୋନାର ଭୟ ଘାରିଚାଲେ । ସବୁଆଡେ କରୋନା ବିଛାଡି ହୋଇଥିବାର ଭାବ । ଛାତ ଉପରକୁ ଗଲେ ସିଡି ରାଲିଙ୍ଗ୍‌ରେ ହାତ ବାଜିଲେ ଟେନ୍‍ସନ୍ । ସାନିଟାଇଜର ଲଗାଅ । ପାଣି ଟ୍ୟାପ୍, କବାଟ ହ୍ୟାଣ୍ଡଲ୍ ଆଦି ସବୁଆଡେ କରୋନା ଲାଗିଛି ଓ ଚାହୁଁଛି କେମିତି ମଉକା ପାଇଲେ ମାନବର ଶ୍ୱାସନଳୀରେ ପଶିବ । ବାହାରକୁ ନ ଯାଇ ବି ଘରେ ଭୟର ବାତାବରଣ । ବାରମ୍ବାର ହ୍ୟାଣ୍ଡୱାସ୍‌ରେ ହାତ ଧୋଇବା, ଟ୍ୟାପ୍‍, କବାଟ ହ୍ୟାଣ୍ଡଲ୍ ଆଦିରେ ସାନିଟାଇଜର୍ ମାରିବାର ପ୍ରକ୍ରିୟା ଚାଲେ । ଗଣମାଧ୍ୟମରେ ଖାଲି ହାତ ଧୋଇବାର ବାର୍ତ୍ତା, ମାସ୍କ ବ୍ୟବହାର , ସାମାଜିକ ଦୂରତା ରକ୍ଷାକର …ଆଦି ଅହରହ ପ୍ରବାହିତ ହୁଏ । ତେବେ ମୁହଁକୁ ହାତ ନ ଯାଉ । ଯିବା ପୂର୍ବରୁ ବାରମ୍ବାର ଭାବ, ହାତ ସାନିଟାଇଜ୍‍ ହୋଇଛି କି ନାଁ । ଯଦି ବାଜିଲା – ମନରେ ନିଆଁ ଜଳିଲା । ଜୀବନ ବିକଳେ ସମୟ ଅତିବାହିତ ନକରି  ସେ ଟିପରେ ଟିକେ ସାନିଟଜର ନଚେତ୍ ସ୍ପିରିଟ୍ ବା ହ୍ୟାଣ୍ଡୱାସ୍ ଲଗାଇ ଦିଅନ୍ତି । ତଥାପି ସନ୍ଦେହ । ଅପେକ୍ଷା କରିବାକୁ ପଡିବ କିଛିଦିନ, କରୋନା ଲକ୍ଷଣ ସବୁ ତାଙ୍କ ଠାରେ ପ୍ରକାଶ ପାଉଛି କି ନାହିଁ । ବାଇଆ ବାବୁ ଭାବନ୍ତି ସତରେ କ’ଣ ସେ ବାଇଆ ହୋଇଯିବେ ! ପରକ୍ଷଣରେ ପୁଣି ସେ ତେଜୀୟାନ୍ ହୋଇଉଠନ୍ତି । ଯାହା ହେଲେ ବି ବଞ୍ଚିବାକୁ ପଡିବ ।

ପ୍ରଥମେ ପ୍ରଥମେ ସେ ପରିବା ପାଇଁ ବାହାରକୁ ଗଲେ ନାହିଁ । ସକାଳେ ଜଣେ ଦୁଇଜଣ ସ୍ତ୍ରୀ ଲୋକ ପରିବା ବୋଝ ଧରି ଆସନ୍ତି । ମାସ୍କ ପିନ୍ଧି ସେ ତାଙ୍କ ପାଖରୁ ପରିବା କିଣନ୍ତି । ଓଜନରେ ନୁହେଁ । କେବଳ ଦଶ ଦଶ ଟଙ୍କାରେ ରଖିବାକୁ ହୁଏ । କାରଣ ସେମାନେ ଓଜନରେ ଦିଅନ୍ତି ନାହିଁ ଓ ମାତ୍ରା ଅତି କ୍ଷୀଣ । ପୁଣି ସେ ଯାଗାରେ ସ୍ତ୍ରୀ ଲୋକ ମାନେ ଖୋଲା ମୁହଁରେ ଯାଇ ପରିବା କିଣନ୍ତି ଓ ଆଳାପ ଅଲୋଚନା କରନ୍ତି । ବାଇଆର ସ୍ତ୍ରୀ ତ ଦୂରରେ ଓ ନିଜଘରେ । ସେ କେବଳ ଜଣେ ପୁରୁଷ, ତେଣୁ ସ୍ତ୍ରୀ ଲୋକଙ୍କ ଗହଣରେ ପରିବା କିଣିବା ବେଳେ ତାଙ୍କୁ ସୁବିଧା ଲାଗେନି । ପୁଣି ସେମାନଙ୍କର ଖୋଲା ମୁଖ । ସେ ତରବରରେ ଯାହା ପାଇଲେ ଶୀଘ୍ର କିଣି ଆଣନ୍ତି ଓ ଟଙ୍କା ଦେଇସାରି ହାତ ସାନିଟାଇଜ୍ କଲା ପରେ ମାସ୍କ ବାହାର କରନ୍ତି । ପରିବା ଧାରକକୁ ନେଇ ଛାତକୁ ଯାଇ ଧୁଅନ୍ତି ଓ ଶୁଖାନ୍ତି । ଯଦି ବର୍ଷା ହେଉଥାଏ, ଘରେ ଏକ ଯାଗାରେ କ୍ୱାରେଣ୍ଟାଇନ୍ କରି ଚବିଶ ଘଣ୍ଟା ଯାଏ ରଖି ଦିଅନ୍ତି । ଯେହେତୁ ସେ ବେଶୀ ପରିବା ଖାଆନ୍ତି, ଧିରେ ଧିରେ ସ୍ତ୍ରୀ ଲୋକଙ୍କ ଠାରୁ କିଣା ପରିବା ତାଙ୍କ ଗର୍ଭକୁ ନିଅଣ୍ଟ ହେଲା ଓ ମନ ଜାଣି ପରିବା ମିଳିଲା ନାହିଁ । ତେଣୁ ସେ ପ୍ରଥମ କରି ଦିନେ ପରିବା କିଣିବାକୁ ବଜାର ବାହାରିଲେ । ସେଥିପାଇଁ ସଜବାଜ । ସତେକି ପାଣ୍ଡବ ପକ୍ଷର ସେନା ଚାଲିଲେ କୁରୁକ୍ଷେତ୍ରକୁ । କରୋନା ବା କୌରବ ପକ୍ଷର ଆକ୍ରମଣକୁ ପ୍ରତିହତ କରିବା ପାଇଁ ମୁଖରେ ତୁଣ୍ଡି ଓ ପକେଟରେ ସାନିଟାଇଜର୍ । ସକାଳୁ ନିତ୍ୟକର୍ମ ସାରି ଓ ଚୂଡା ଖାଇ ବାହାରିଲା ବେଳକୁ ସାଢେ ଦଶଟା । ପ୍ରାୟ ଲୋକେ ବଜାରରୁ ଆସି ସାରିଲେଣି । ଅତି ଅଳ୍ପ ସଂଖ୍ୟକ ଲୋକ ରାସ୍ତାରେ ଚଳପ୍ରଚଳ ହେଉଛନ୍ତି । ସବୁଆଡେ ଖାଁ ଖାଁ ଲାଗୁଛି । ବିପରୀତରୁ କେହି ଆସୁଥିଲେ, ମନରେ ସନ୍ଦେହ ଜାତ ହୁଏ । ମାସ୍କ ପିନ୍ଧି ନ ଥିଲେ ସନ୍ଦେହ ଆହୁରି ଘନୀଭୂତ ହୁଏ । ଥୁକି ଦେବକି ଆଉ ! ହେ ପ୍ରଭୁ ରକ୍ଷାକର ! ଛକକୁ ଛକ ପୋଲିସ । ଲାଠି ମାଡ କରିବେକି ! ସିଏ ତ ମାସ୍କ ପିନ୍ଧିଛି । ଅମାନିଆଙ୍କୁ ସିନା ଲାଠି ମାଡ କରନ୍ତି, ତାଙ୍କୁ ବା କାହିଁକି ବାଡେଇବେ ? ଏପରିକି କେତେକ ଅମାନିଆଙ୍କୁ କାନ୍ଧରେ ନିଜ ସାଇକେଲ ରଖି ଖରାରେ ପିଚୁ ରାସ୍ତାରେ ଆଣ୍ଠୋଇ ଆଣ୍ଠୋଇ ଯିବାର ସମ୍ବାଦ ପତ୍ରରେ ବାହାରିଥିଲା ଓ ପୋଲିସର ଏତାଦୃଶ ଅମାନବୀୟ ବର୍ବରତା ପାଇଁ ସେମାନଙ୍କ ପ୍ରତି ଦଣ୍ଡ ବିଧାନ ନିମନ୍ତେ ବିଭିନ୍ନ ଆଡୁ ଦାବି ହୋଇଥିଲା । ଏପରି ଭାବୁ ଭାବୁ ସେ ପରିବା ମାର୍କେଟ୍‌ରେ ପହଞ୍ଚିବା ଉପରେ । ସମୟ ପ୍ରାୟ ଏଗାରଟା ଉପରେ । ଦୋକାନୀ ସବୁ ପ୍ରାୟ ଦୋକାନ ବନ୍ଦ୍ କଲେଣି । ଦିନ ସମୟ ଓ ଖାଲି ରାସ୍ତାରେ ମଧ୍ୟ ଭୟ ଲାଗୁଥାଏ । ମହାମାରୀର ଭୟ କି ଭୟଙ୍କର ହୋଇପାରେ, ତାହାର ଅବିକଳ ଛବି ଆଜି ସମ୍ମୁଖରେ । ସବୁଆଡେ ନିର୍ଜନତାର ରାହା । ବିନାଶ କାଳେ ଭୈରବ ରଡି ଛାଡେ । ସେ ଭୟରେ ମା’ ଦୁର୍ଗାଙ୍କ ସ୍ତ୍ରୋତ୍ର ମନେ ମନେ ଗାଇଲେ :-
ଓଁ ଦୁର୍ଗେ ଦୁର୍ଗପ୍ରଦେଶେଷୁ ଦୁର୍ବାର ରିପୁ ମର୍ଦ୍ଦିନି
ମର୍ଦ୍ଦୟିତ୍ୱା ରିପୁନ୍‍ ସର୍ବାନ୍‍ ରକ୍ଷାଂ କୁରୁ ନମୋସ୍ତୁତେ (1)
ପଥି ଦେବାଳୟେ ଦୁର୍ଗେ ଅରଣ୍ୟେ ପର୍ବତେ ଜଳେ
ସର୍ବତ୍ରୋପଗତେ ଦୁର୍ଗେ ଦୁର୍ଗେ ରକ୍ଷ ନମୋସ୍ତୁତେ (2) ………

ଶେଷରେ ସେ ପରିବା ମାର୍କେଟ୍‌ରେ ପହଞ୍ଚି ଦେଖିଲେ ସବୁ ବନ୍ଦ୍ କରି ସାରିଲେଣି । ବିଚରା ମନଦୁଃଖରେ ଫେରୁ ଫେରୁ ଟିକିଏ ଭିତରକୁ ଅନାଇଁ ଦେଖିଲେ ଜଣେ ବନ୍ଦ୍ କରି ନାହିଁ । ତତ୍‍କ୍ଷଣାତ୍‍ ତା’ ପାଖରେ ପହଞ୍ଚି ଦେଖିଲେ ଅତି ଅଳ୍ପ ବାଛୁଆରୀ କିଛି ପରିବା । ସେ ଯାହା ହେଉ କିଛି ନେବାକୁ ପଡିବ । ପରିବା ଦୋକାନୀଟି ଖୁସି ହୋଇ ତରବରରେ କିଛି କିଛି ପରିବା ନିଜ କହିବା ଅନୁଯାୟୀ ଦେଲା ଓ ପରିବା ମୂଲ୍ୟ ଦେଇ ଶୀଘ୍ର ଫେରିବାକୁ ଉଦ୍ୟତ ହୁଅନ୍ତେ, କୁଆଡୁ ଏକ ରୁଗ୍‍ଣ ପିଲାଟିଏ ଆସି ହାତ ପତାଇଲା । ଆହୁରି ଭୟ ମାଡି ଆସିଲା । ଦୋକାନୀ ପାଖରୁ ଶୀଘ୍ର ପଳାଇ ଆସିଲା ବେଳକୁ ଆଉ ଏକ ଗ୍ରହ କୁଆଡୁ ଆସିଲା । ପୁଣି ବିପଦ ! ମାସ୍କ ପିନ୍ଧିନି । କରୋନା ରୋଗୀ ହୋଇଥାଇପାରେ । କାଳ ବିଳମ୍ବ ନ କରି ସେ ପକେଟରୁ ଦଶଟଙ୍କା ବାହାର କରି ପିଲାଟିକୁ ଦେଇଦେଲେ ଓ ହଠାତ୍‍ ସେ ସ୍ଥାନ ତ୍ୟାଗ କରି ଆସୁ ଆସୁ ଆଉ ଜଣେ ପରିବା ବାଲା ତା’ ବଳକା ପରିବା ଉପରେ ଏକ ବଡ ଜରୀ ଢାଙ୍କିବା ନିମନ୍ତେ ଝାଡି ଦେଲା । ଓଃ ! ସବୁ ଧୂଳି ତା’ ଆଡକୁ ମାଡି ଆସିଲା । ବାଇଆ ଭାବିଲା ଏ ଧୂଳିରେ ଥିବା କରୋନା ତା’ ମାସ୍କ ଭିତର ଦେଇ ଫୁସ୍‍ଫୁସ୍‌ରେ ଯେମିତି ନ ପଶୁ ଓ ସେଥିପାଇଁ ସେ ଖଣ୍ଡି ଦୌଡା ମାରି ପରିବା ମାର୍କେଟ୍‍ ମଧ୍ୟରୁ ବାହାରି ଆସିଲା । ଧଇଁ ପେଲିଲା ପରି ଧକେଇ ହୋଇ ସେ ଟିକିଏ ଠିଆ ହେଲେ ଓ ଟିକିଏ ଆଶ୍ୱସ୍ତ ହୋଇ ନିଜ ବସାକୁ ଦ୍ରୁତ ଗତିରେ ଆଗେଇଲେ । ଭାବିଲେ ସେ ଆଉ ଏ ପରିବା ମାର୍କେଟ୍‌କୁ କେବେ ବି ଆସିବ ନାହିଁ ।

ଆଉ ଏକ ଦିନର ଘଟଣା । ଲୋକଙ୍କ ସୁବିଧା ଦୃଷ୍ଟିରୁ ପୌରପାଳିକା ଆଉ ଏକ ବଡ ଖୋଲା ପଡିଆରେ ସକାଳ ସାତଟାରୁ ଏଗାରଟା ଯାଏ ପରିବା କିଣା ବିକା ପାଇଁ ଘୋଷଣା କଲେ । ତାଙ୍କ ରହିବା ସ୍ଥାନରୁ ପୁରୁଣା ମାର୍କେଟ୍‍ ଠାରୁ କମ୍‍ ବାଟ । ତେଣୁ ସେ ଦିନେ ନ’ଟାରେ ବାହାରି ପଡିଲେ । ପଡିଆରେ ପହଞ୍ଚି ସେ ଖୁସି ହୋଇଗଲେ । ଅନେକ ଗାଁ ପରିବା ବିକାଳି ତାଜା ପରିବା ପ୍ରଚୁର ମାତ୍ରାରେ ସାମାଜିକ ଦୂରତା ରଖି ବିକୁଛନ୍ତି । ଲୋକ ସମାଗମ କମି ଗଲାଣି । ଆନନ୍ଦରେ ସେ ନିଜ ରୁଚିର ପରିବା ସବୁ କିଣି ଚାଲିଲେ । ଦୁଇଟା ବ୍ୟାଗ୍‍ ଅଛି । ଚିନ୍ତା ନାହିଁ । ଶେଷରେ ଆଳୁ କିଣିବେ । ଆଜିକାଲି ଆଳୁରେ ଅନେକ ଖାମୀ ପଡୁଛି । ପୁଣି ମାଟି ଗୋଳା ଯାଇଥିବାରୁ ସବୁଜ ଆଳୁ ଜଣା ପଡୁନାହିଁ । ତାକୁ ଖାଇଲେ ପାଟି ଝିମ୍‍ଝିମ୍‍ କରେ । ଆଗରୁ ସେହି ଆଳୁ ସେ ଅନେକ ଥର ଖାଇଛନ୍ତି । ଏବେ ଖାଇଲେ କ୍ୟାନ୍‍ସର୍‍ ରୋଗ ହେବ ବୋଲି ବିଶେଷଜ୍ଞ ମାନେ କହୁଛନ୍ତି । ତେଣୁ ସେ ଭଲ ସଫା ଆଳୁ କାହା ପାଖରେ ଅଛି ଦେଖି ଦେଖି ଚାଲିଲେ । ଗରାଖ ତ ଅତି ଅଳ୍ପ । ବ୍ୟସ୍ତ ହେବାର ନାହିଁ । ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା । ସାମାଜିକ ଦୂରତା ଠିକ୍‍ ଅଛି । ଶେଷରେ ସେ ଚାହୁଁଥିବା ଆଳୁ ପାଇଲେ ଓ ବାଛିବାକୁ ଲାଗିଲେ । ପୁରା ତିନି କେଜି ନେଇଗଲେ ଠିକ୍‍ ହେବ । ଲଗାତର ଆସିବାକୁ ପଡିବନି । କିନ୍ତୁ ହାୟଃ ! ହଠାତ୍‍ ଜଣେ ବ୍ୟକ୍ତି ଆସି ତାଙ୍କ ଦେହରେ ଲାଗି ହୋଇ ଆଳୁ ବାଛିବା ସହ ଚିତ୍କାର କରି ଦୋକାନୀକୁ କ’ଣ ସବୁ କହିବାରେ ଲାଗିଲା । ବାଇଆର ଦେହରେ ଭୟର ଶୀହରଣ ଖେଳିଗଲା । ଏଥର ଆଉ ରକ୍ଷା ନାହିଁ । ସେ ଲୋକଟାର ଦେହରୁ ସବୁ କରୋନା ତା’ ଦେହରେ ପଶିଗଲା ପରି ଲାଗିଲା । ପୁଣି ଲୋକଟି ମାସ୍କ ଖସାଇ ପାଟି କଲା । ଆହୁରି ଭୟ ଲାଗିଲା । ବାଇଆର ବଛା ଆଳୁ ଡାଲା ପାଖରେ ସେ ଡାଲା ରହି ବାଛିଥିବା ଆଳୁକୁ ଅନାଇଁ ବକି ଚାଲୁଥାଏ । ସେ ଭାବୁଛି କ’ଣ ସବୁ ଅଘଟଣ ତା’ରି ପାଖରେ ! ତେଣୁ ସେ ମୋବାଇଲ ବାହାର କରି ଓ ଆଳୁକୁ ଛାଡି ଦୂରକୁ ପଳାଇ ଆସି ମିଛିମିଛିକିଆ ଫୋନ୍‍ କରିବାର ବାହାନା କଲା । ଲୋକଟି ମଝିରେ ତା’ ଆଡକୁ ଅନାଇଲା, କିନ୍ତୁ ବାଇଆର କଥା କହିବାର ଭାବଭଙ୍ଗୀରୁ ସେ ଅନୁମାନ କରିନେଲା ଯେ ସତରେ ଫୋନ କରୁଛି । ଲୋକଟି ଆଦୌ ଯିବା ଭଳି ଲାଗୁ ନଥିଲା । ନିଜେ ବାଛିଥିବା ଆଳୁକୁ ଛାଡି ଅନ୍ୟ ଠାରୁ ଆଳୁ ନେବାକୁ ଗଲେ କଥା ଖରାପ ହେବ । ତେଣୁ ସେ ଅପେକ୍ଷା କଲା । କେତେ ସମୟ ବା ଖରାରେ ମଣିଷ ଠିଆ ହେବ ! କିଛି ଦୋକାନୀ ଉଠିବାକୁ ଆରମ୍ଭ କଲେଣି । ବାଧ୍ୟ ହୋଇ ସେ କାନରେ ଫୋନ୍‍ ଲଗାଇ ଓ ମିଛ କଥା କହି କହି ଲୋକଟି ପାଖରୁ ଦୂରେଇ ରହି ଦୋକାନୀର ଅନ୍ୟ ପରିବା ଦାମ୍ ବୁଝିବାକୁ ଲାଗିଲା । ସେ ଲୋକଟି ତା’ ଆଡକୁ ପୁଣି ନଜର ପକାଉ ଥାଏ ଓ ଘୂଞ୍ଚି ଆସିବାର ପ୍ରୟାସ ଜାରୀ ରଖିଥାଏ । ସେ ବାବଦକୁ ବାଇଆ ଆହୁରି ଚାରିଶ ବିଶ୍ । ଛୁଇଁବାକୁ ଦେଲାନାହିଁ । ଯାହା ଜଣା ପଡୁଥାଏ ଲୋକଟି ଶେଷରେ ଅନ୍ୟ ରାସ୍ତା ନପାଇ ବାଇଆର ବଛା ଆଳୁ ଡାଲାକୁ ଉପରୁ ୯୦ ଡିଗ୍ରୀ କୋଣରେ କିଛି ସମୟ ଯାଏ ଦୃଷ୍ଟି ନିକ୍ଷେପ କରି ରହିଲା । ସମ୍ଭବତଃ ଆଳୁରେ ଥୁକିକି କରୋନା ଛାଡିବାକୁ ଆଙ୍କପାଙ୍କ ହେଉଥିଲା । ପରନ୍ତୁ ବାଇଆର ତୀକ୍ଷ୍‍ଣ ଦୃଷ୍ଟିରୁ ସେ ବା କାହୁଁ ବର୍ତ୍ତିବ ? ସର୍ବଶେଷରେ ବାଧ୍ୟହୋଇ ସେ ମାତ୍ର କେଜିଏ ଆଳୁ ନେଇ ନଯିବା ନଯିବା ଭଙ୍ଗୀରେ ବାଇଆକୁ ଶୀକାର କରି ନପାରି ମନକୁ ଆମ୍ବିଳା କରି କରି ଗଲା । ଓଃ ! ଏକ ବିରାଟ ଷଡଯନ୍ତ୍ର ବୋଧହୁଏ । ନିଶ୍ଚୟ ଏ ବ୍ୟକ୍ତି ଜଣେ କରୋନା ରୋଗୀ ହୋଇଥିବ ଓ ଅନ୍ୟକୁ ସେ କରୋନାଗ୍ରସ୍ତ କରିବା ପାଇଁ ଏ କାମ ପ୍ରତିଦିନ କରୁଥିବ । ନହେଲେ ପ୍ରାୟ ଅଧଘଣ୍ଟାଏ କାଳ ବକବକ କରି ଓ ଅନେକ ପରିବା କିଣିବାର ଇସାରା ଦେଖାଇ ଶେଷରେ ମାତ୍ର କେଜିଏ ଆଳୁ ନେଲା ଓ ଏ ବିଚରା ବାଇଆ ସହ କେହି ନଜାଣିଲା ପରି ଜୋକ ଭଳିଆ ଲାଗି ରହିଥିଲା । ଏହା ରହସ୍ୟପୂର୍ଣ୍ଣ ନୁହେଁକି ?

ସେ ସମୟରେ ଦୀଲ୍ଲିରେ ଅନେକ ଅଘଟଣର ସମ୍ବାଦ ଗଣମାଧ୍ୟମରେ ପ୍ରକାଶ ହୁଏ । କୁଆ ଉଡିବାକୁ ତାଳ ପଡିବା ପରି ସେ ଲୋକର ବ୍ୟବହାର ସେମିତି ଜଣା ପଡୁଥିଲା । ଦୀଲ୍ଲିରେ ସ୍ୱାସ୍ଥ୍ୟ କର୍ମୀଙ୍କୁ କିଛି କରୋନା ରୋଗୀ ଛେପ ପକାଇବା, ଅଭଦ୍ର ବ୍ୟବହାର ଦେଖାଇବା, ଖାଦ୍ୟରେ ମଟନ୍‍, ଚିକେନ୍ ଆଦି ନଥିଲେ ଖାଦ୍ୟ ଫୋପାଦିବା …… ଇତ୍ୟାଦି ଅନେକ କୁକର୍ମର ବାର୍ତ୍ତା ଗଣମାଧ୍ୟମରୁ ଶୁଣାଯାଏ । ମାନବ ଜାତି ପାଇଁ ଏହା ଏକ ଅତି କଳଙ୍କିତ ଅଧ୍ୟାୟ ଅଟେ । ଭାରତ ବର୍ଷରେ ସଭିଙ୍କୁ କରୋନାଗ୍ରସ୍ତ କରିବାର ଅଭିପ୍ରାୟ ରଖି କିଛି କରୋନାଗ୍ରସ୍ତ ବ୍ୟକ୍ତି ବୁଲିବୁଲି ମହାମାରୀକୁ ବୃଦ୍ଧି କରିବାର ସକଳ ଦିଗକୁ ଆବୋରି ନେଇଥିଲେ । ଏମାନଙ୍କ ମଧ୍ୟରୁ କିଛି ଆରେଷ୍ଟ ହୋଇ କାରାଗାରକୁ ଯାଆନ୍ତି ଓ କିଛି ଖସି ପଳାନ୍ତି । ତେଣୁ ବାହାରକୁ ବାହାରିଲେ ଭୟ ଜାଗ୍ରତ ହୁଏ । ବାଇଆ ଡାକେ ହେ ପ୍ରଭୁ ନାରାୟଣ ! ରକ୍ଷାକର ! କେହି ଜଣେ କରୋନା ରୋଗୀ ତା’ ଉପରକୁ ଓ ଆଉ କାହାକୁ ଛେପ ନ ପକାଉ । ସେ କଥାକୁ ସ୍ମରଣ ରଖି ସେ ରୁମ୍‍କୁ ଅତି ସନ୍ତର୍ପଣରେ ବାହାରନ୍ତି । ଯେଉଁ ବ୍ୟକ୍ତି କୁଇଣ୍ଟାଲ ଆଳୁ ନେବାର ଠାଣି ଦେଖାଉ ଥିଲା , ମାସ୍କ ମୁହଁରୁ ଖସାଇ ଦେଲା, ପାନ ଚୋବାଉ ଥିଲା ଓ ବାଇଆ କଷ୍ଟକରି ବାଛିଥିବା ଆଳୂକୁ ତୀକ୍ଷ୍‍ଣ ଦୃଷ୍ଟି ପକାଇ ସ୍ଥିର ରହିଥିଲା, ସେ ତା’ ପାଟିରୁ କରୋନା ଛେପ ଆଳୁ ଉପରେ ପକାଇବାର ପ୍ରୟାସ ଜାରି ରହିବାର ସନ୍ଦେହ ସୃଷ୍ଟି ହେଉଥିଲା, ତେଣୁ ସେ ବ୍ୟକ୍ତିକୁ ଏକ ରହସ୍ୟମୟ ଚରିତ୍ର କୁହା ନଯିବ କାହିଁକି ? ସେ ବାଛିଥିବା ଆଳୁ ଓଜନ କରାଇ ତିନି କେଜି ଆଣି ଫେରିଲା । ଦୁଇ ବ୍ୟାଗ୍‍ ପରିବା ଦୁଇ ହାତରେ ଧରି କଷ୍ଟେମଷ୍ଟେ ଆସିବା ବାଟରେ ଭାବିବାକୁ ଲାଗିଲା । ସେ ଲୋକ ତା’ ଆଳୁ ଉପରେ ନିଶ୍ଚୟ ତା’ ଅଦେଖାରେ ସୂକ୍ଷ୍ମ ରୂପେ କରୋନା ଛେପ ପକାଇ ଥିବ । ସେଥିପାଇଁ ସେ ସ୍ଥିର କଲା ଯେ, ଏ ଆଳୁକୁ ଚଉଦ ଦିନ ଯାଏ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ହେବ । କାରଣ ସେ ସମୟରେ କୋଭିଡ୍‍ ପଜିଟିଭ୍ ମାନଙ୍କୁ କୋଭିଡ୍ କେୟାର କେନ୍ଦ୍ରରେ ଚଉଦ ଦିନ କ୍ୱାରେଣ୍ଟାଇନ୍‌ରେ ରଖାଯାଉଥିଲା । ସେହି ଧାରାରେ ଆଳୁକୁ ସେତିକି ଦିନ କ୍ୱାରେଣ୍ଟାଇନ୍‌ରେ ରଖିଲେ ସବୁ କରୋନା ଭୂତାଣୁ ମରିଯିବେ ଓ ସେ ଲୋକର ଷଡଯନ୍ତ୍ର ଫସର ଫାଟିଯିବ । ଶେଷକୁ ସେ ସେଇଆ ହିଁ କଲେ ।

ଯେଉଁଦିନ ସେ ବଜାର ସାରି ଫେରନ୍ତି ସିଧା ରୁମ୍‌କୁ ନଯାଇ ଛାତ ଉପରକୁ ଯାଇ ପରିବାକୁ ସବୁ ତାତିଥିବା ଚଟାଣରେ ଢାଳି ଦିଅନ୍ତି ଓ ସଉଦା ପତ୍ର ଆଦିକୁ ଖରାରେ ପରସ୍ପର ଠାରୁ ଦୂରେଇ ରଖନ୍ତି । ତା’ପରେ ପକେଟରେ ରଖିଥିବା ଛୋଟ ସାନିଟାଇଜର ବୋତଲ ଖୋଲି ହାତରେ ଲଗାଇ ଓ ମାସ୍କ ଖୋଲି ବନ୍ଧା ହୋଇଥିବା ତାରରେ ଝୁଲାଇ ଦିଅନ୍ତି । ବାଲ୍‍ତିରେ ଏକ କିସମ ପରିବା ରଖି ଛାତରେ ଥିବା ପାଣି ଟ୍ୟାପ୍‍ ଖୋଲି ପରିବା ଧୋଇ ଶୁଖାନ୍ତି । କ୍ରମାନ୍ୱୟରେ ସବୁ ପରିବା ଧୋଇ ଶୁଖାଇ ସାରି ଓ ଆଗରୁ ସେଠାରେ ରଖିଯାଇଥିବା ଗାମୁଛାଟିକୁ ପିନ୍ଧନ୍ତି । ପାଲଟି ଥିବା ପ୍ୟାଣ୍ଟ୍, ସାର୍ଟ ଆଦିକୁ ତାରରେ ଶୁଖାନ୍ତି ଓ ଖାଲି ପରିବା ବ୍ୟାଗ୍‌କୁ ମଧ୍ୟ । ଛାତ ଉପରେ ପ୍ରବଳ ଖରା । ଟିକିଏ ବି କାଟେନି । ଯେଊଁଠି ଜୀବନ ମରଣ ସମସ୍ୟା, ସେଠାରେ ଏ କଷ୍ଟକୁ ପଚାରେ କିଏ । ଆଣ୍ଟିନାର ଦିଗ ତ କରୋନା ମାରିବା ଦିଗରେ ରହିଛି । ତେଣୁ ସବୁ ଦୁଃଖ – କଷ୍ଟ ବାଏଁ ବାଏଁ ଉଡିଯାଏ । ଏବେ ସେ ଶାନ୍ତିରେ ରୁମ୍‌କୁ ଆସି ପାଣି ଓ ରଖି ଯାଇଥିବା ବଳକା କାଢା ପିଇ ଦୀର୍ଘ ନିଶ୍ୱାସ ପକାନ୍ତି ଓ କରୋନାକୁ ଖରାରେ ମରିବାକୁ ଛାଡି ଦେଇଥିବାରୁ ଖୁସି ହୁଅନ୍ତି । ପରିବା ଶୁଖିଗଲେ ଉପରୁ ଆଣନ୍ତି, କିନ୍ତୁ ମାସ୍କ ଓ ପ୍ୟାଣ୍ଟ୍ – ସାର୍ଟ ଖରାରେ ପଡିଥାଏ ସନ୍ଧ୍ୟା ଯାଏ । ରୋଷେଇ ସମୟରେ ଅତି ସତର୍କରେ ପରିବା କାଟିବା, ଧୋଇବା ବେଳେ ଅନେକଥର ଜଳ କଣାଟିଏ ଛିଟିକି ଆସି ଠିକ୍‍ ବାଇଆ ବାବୁଙ୍କ ଓଠରେ ପଡେ । ସତେକି ସବୁ ବେଙ୍ଗା ହୋଇଗଲା । ସେ ପାଟି ଓ ନାକରେ କରୋନାକୁ ନ ପୁରାଇ ଦେବା ନିମନ୍ତେ ନିଶ୍ୱାସ ବନ୍ଦକରି ଧାଇଁ ଯାଇ ଟିକେ ସ୍ପିରିଟ୍‍ ଲଗାଇ ଦିଅନ୍ତି କିମ୍ବା ହ୍ୟାଣ୍ଡ୍‍ ୱାସ୍‍ ଲଗାଇ ଧୋଇ ଦିଅନ୍ତି । ଫଳରେ ଓଠ କିଛି ସମୟ ଯାଏ ପୋଡେ । ପୋଡିଲେ ପୋଡୁ, କିନ୍ତୁ କରୋନା ଆକ୍ରମଣରୁ ତ ରକ୍ଷା ମିଳିଗଲା ! ଏ ବାବଦରେ ସେ ନିଜ ସହଧର୍ମିଣୀଙ୍କୁ ମଧ୍ୟ କହନ୍ତି ।

ଦେଶ କରୋନା ମହାମାରୀ ସହ ଲଢିବା ପାଇଁ ଭାରତ ସରକାର ପ୍ରଥମେ ଦେଶରେ 21ଦିନ ତାଲାବନ୍ଦ୍‍(Lockdown) ପାଇଁ ଘୋଷଣା କଲେ । ସବୁକିଛି ଠପ୍‍ । ବାଳକ ଧ୍ରୁବର ଘୋର ସକରାତ୍ମକ ତପସ୍ୟାରୁ ଉଦ୍‍ଗତ ନିଶ୍ଚଳ, ନିରାଡମ୍ବର ଓ ସାତ୍ତ୍ୱିକ ଭକ୍ତିର ପ୍ରଭାବରେ ଯେତେବେଳେ ସେ ସମଗ୍ର ଜୀବଜଗତର ପ୍ରାଣଶକ୍ତିର ଆଧାରକୁ ନେଇ ସେ ମହାଜାଗତିକ ତେଜଯୁକ୍ତ ହୋଇ ଉଠିଲେ , ସେତେବେଳେ ସବୁ ଚଳ-ପ୍ରଚଳ ସ୍ଥିର ହୋଇଗଲା ଓ ଧରାରେ ସର୍ବେ ପ୍ରାଣବାୟୁ ଶୂନ୍ୟ ହୋଇ ଗଲେ । ଯିଏ ଯେଉଁଠି, ସିଏ ସେଇଠି ମୃତ ପ୍ରାୟ ପଡି ରହିଲେ । ପବନର ଗତି ସ୍ଥିର ହୋଇଗଲା, ପକ୍ଷୀମାନେ ଉଡୁଥିବା ଅବସ୍ଥାରେ ସ୍ଥିର ରହିଗଲେ । ସାଗରର ଢେଉ, ନଦୀର ସ୍ରୋତ , ଜୀବ ଜନ୍ତୁର ଚଳତ୍‍ ଶକ୍ତି, ବୃକ୍ଷର ପତ୍ର ହଲିବା, ……….. ଇତ୍ୟାଦି ସବୁକିଛି ନିଶ୍ଚଳ । ସମସ୍ତ ଉର୍ଜା କେନ୍ଦ୍ରିଭୂତ ହୋଇଯାଏ ମହା ତପସ୍ୱୀ ବାଳକ ଧ୍ରୁବ ଠାରେ । ସେତେବେଳେ ପାଳନକର୍ତ୍ତା ଶ୍ରୀହରୀ ବିଷ୍ଣୁ ଅତି ଭୟଙ୍କର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବାଳକ ଧ୍ରୁବ ସମ୍ମୁଖରେ ଆବିର୍ଭାବ ହୋଇ ସବୁର ସମାଧାନ କରନ୍ତି । ବସୁନ୍ଧରା ପୁଲକିତ ହୋଇଉଠେ ଓ ପୁନଃ ଚଳତ କ୍ଷମ ହୋଇ ସର୍ବେ ଜାଗି ଉଠନ୍ତି । ଈଶ୍ୱରୀୟ ବାର୍ତ୍ତା କ୍ଷଣକେ ଦଶ ଦିଗ ବ୍ୟାପି ପ୍ରଚାରିତ ହୋଇଯାଏ । ଅର୍ଥାତ୍‍ ବାଳକ ଧ୍ରୁବର ପ୍ରଗାଢ ଭକ୍ତି ଓ ମନର ଦୃଢତା ସମଗ୍ର ପୃଥିବୀରେ କିଛି ସମୟ ବ୍ୟବଧାନ ପାଇଁ ତାଲାବନ୍ଦ କରି ପାରିଥିଲା । ଯେହେତୁ ଉଦ୍ଦେଶ୍ୟ ମହତ୍ ଓ ମଙ୍ଗଳକାରୀ, ତେଣୁ ଧ୍ରୁବଙ୍କ ତାଲାବନ୍ଦ ପୃଥିବୀ ବାସୀଙ୍କୁ ସୁଫଳ ପ୍ରଦାନ କରିଥିଲା । 

ଠିକ୍‍ ସେହିପରି ଭାରତ ବର୍ଷର ମହା ନାୟକଙ୍କ ପ୍ରଗାଢ ଈଶ୍ୱରୀୟ ଭକ୍ତି ସ୍ୱରୂପ ତାଲାବନ୍ଦର ଆଦେଶ ଓ ତାହା ପାଳନ କରିବାକୁ ଦୁଇ ହସ୍ତ ଯୋଡି ମଥାନତ ଭିକ୍ଷା ଦେଶବାସୀଙ୍କ ଉପରେ ଅଜାଡି ହୋଇଗଲା । ତେଣୁ ଦେଶରେ 21ଦିନ ତାଲାବନ୍ଦ ପ୍ରାଣୀ ମଙ୍ଗଳକାରୀ ଅଟେ ଓ ଏହା କାହିଁକି ସୁଫଳ ପ୍ରଦାନ ନକରିବ ? ସେ ହେଉଛନ୍ତି ମହାନ ଭାରତ ଭୁଖଣ୍ଡର ମହାନ ଗଣ ନାୟକ ଅର୍ଥାତ୍ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ମୋଦୀ । କଥାରେ ଅଛି ଘର ପାପ ଘର ମୁଖ୍ୟ ମୁଣ୍ଡରେ – ଦେଶ ପାପ ଦେଶ ରଜା ମୁଣ୍ଡରେ । ମହାମାରୀରୁ ଦେଶର ୧୩୦ କୋଟିରୁ ଉର୍ଦ୍ଧ୍ୱ ଜନତାଙ୍କ ପ୍ରାଣ ରକ୍ଷାର ଏହାହିଁ ଥିଲା ଭକ୍ତି ମାର୍ଗକୁ ଆଦରି ନେବାର ରଣ କୌଶଳ ଓ ମହାନ ଭାରତୀୟ ସଂସ୍କୃତିର ଦିଗ୍‍ଦର୍ଶନ । ଭାରତ ମଧ୍ୟ ଦିନେ ସ୍ୱାଧୀନ ହୋଇଥିଲା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସୃଷ୍ଟି ଭକ୍ତିମାର୍ଗ ରୂପୀ ଅହିଂସା ଆନ୍ଦୋଳନ ଦ୍ୱାରା, ଯାହା ବ୍ରିଟିସ୍‍ ଦରବାରକୁ ଦୋହଲାଇ ଦେଇଥିଲା । ସେହିପରି ଦିନେ ଚଣ୍ଡାଶୋକ ରାଜ୍ୟ ଜୟର ଲାଳସାରେ ସଂହାର କରିଥିବା ଅଗଣିତ କଳିଙ୍ଗ ସେନାଙ୍କ ରକ୍ତର ସ୍ରୋତରେ ମ୍ରିୟମାଣ ହୋଇ ଭଗ୍ନ ହୃଦୟରେ ଧର୍ମାଶୋକରେ ପରିବର୍ତ୍ତନ ହୋଇଥିଲେ । ଅର୍ଥାତ୍ କଳିଙ୍ଗ ବୀରର ରକ୍ତ ତାଙ୍କ ମନରେ ଅଭୂତ ଭକ୍ତି ଭାବ ଜାଗ୍ରତ କରିଥିଲା ଓ ସେ ପୁନଃ ରକ୍ତପାତରୁ ନିବୃତ୍ତ ହୋଇଥିଲେ । ରକ୍ଷା ପାଇଗଲା କୋଟି କୋଟି ଅମୂଲ୍ୟ ମାନବ ଜୀବନ ! ତେଣୁ ଭକ୍ତି ଚେତନା ଭରା ତାଲାବନ୍ଦକୁ ଆଦରି ନେଇ ସମଗ୍ର ପୃଥିବୀକୁ ବ୍ୟାପୁଥିବା ମହାମାରୀରୁ ନିଶ୍ଚିତ ରକ୍ଷା ପାଇବାର ଉପାୟ ଯଥାର୍ଥ ବୋଲି ଶ୍ରୀ ମୋଦୀଙ୍କୁ ହୃଦ୍‌ବୋଧ ହୋଇଥିଲା ଓ ପରେ ପରେ ସାରା ପୃଥିବୀ ଏହାକୁ ଉଚ୍ଚ ପ୍ରଶଂସା କରିବା ସହ ନିଜ ନିଜ ଦେଶରେ ଏ ପନ୍ଥାକୁ ଗ୍ରହଣ କରିଥିଲେ । 

ଜଳ ସ୍ଥଳ ଓ ଆକାଶ ମାର୍ଗରେ କରୋନା କାୟା ବିସ୍ତାର କରିବାର ସମ୍ବାଦ ଶୁଣିବାକୁ ପଡେ । ଏପରିକି ପାଣି ଜାହାଜରେ ଆସୁଥିବା ଯାତ୍ରୀଙ୍କୁ ସମୁନ୍ଦ୍ର ମଧ୍ୟରେ ଅର୍ଥାତ୍‍ ଦକ୍ଷିଣ ଚୀନ୍‍ ସାଗରରେ କ୍ୱାରେଣ୍ଟାଇନ୍‍ କରି ରଖାଗଲା । କାରଣ ସେମାନଙ୍କ ମଧ୍ୟରେ କରୋନା ପଜିଟିଭ ଥିଲେ । ପ୍ରତି କ୍ଷଣରେ ଗଣମାଧ୍ୟମ ଗୁଡିକ ଅନେକ ଅନେକ ନୂଆ ଘଟଣାମାନ ପରିବେଷଣ କରନ୍ତି । କିଏ କହେ ଚୀନ୍‌ରୁ କରୋନା ଆକାଶ ମାର୍ଗରେ ମାଡି ଆସୁଛି, କେଉଁଠି ନଦୀ ଜଳ ସବୁ କରୋନାମୟ, କେଉଁଠି ପରିବା ଓ ଖାଦ୍ୟ ଆଦି କରୋନା କବଳିତ ……. ଇତ୍ୟାଦି ସମ୍ବାଦ ଗୁଡିକର ଅନ୍ତଃ ନଥାଏ । ଶୁଣାଗଲା ଇରାନ୍‌ରେ କିଛି ଲୋକ ଜୀବନ ବିକଳରେ ଓ ଭୟରେ ମହାମାରୀରୁ ବଞ୍ଚିବା ପାଇଁ ସାନିଟାଇଜର ପିଇ ମୃତ୍ୟୁ ମୁଖରେ ପଡିଲେ । ଇଟାଲୀର ତ ନାହିଁ ନଥିବା ଅବସ୍ଥା । ଭାରତ ସରକାରଙ୍କ ଘୋଷଣାରୁ ଚେତି ଉଠି ତାଲା ବନ୍ଦ୍ ଘୋଷଣା କଲେ । ଫଳରେ ଇଟାଲୀରେ ସମସ୍ତେ ଘରେ ରହିବା ଦ୍ୱାରା ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ, ମାର୍‍ପିଟ୍‍, ଥାନା- କଚେରୀ ଦୌଡିବା ଓ ଛାଡପତ୍ର ଦେବା ଆଦି ଘଟଣାବଳୀ ପ୍ରକାଶ ପାଇଲା । ଏତାଦୃଶ ଅସରନ୍ତି ଘଟଣାବଳୀକୁ ନେଇ ବିଚରା ବାଇଆର ମନ ଉବୁଟୁବୁ ହୋଇଚାଲେ ଭାବନାର ମହାସାଗରରେ ।

*******************************************************************

 

 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help