ନିରାମିଷ ବୁଧବାର

ନିରାମିଷ ବୁଧବାର

ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ଜୀବଗଣତି ଯେତେବେଳେ ଛପନ କୋଟିରେ ପହଞ୍ଚିଲା, ବୋଧହୁଏ ସେ ବ୍ୟତିବ୍ୟସ୍ତ ହୋଇ ତତ୍‍କ୍ଷଣାତ୍ ଜୀବସୃଷ୍ଟି ପ୍ରକ୍ରିୟା ବନ୍ଦକଲେ । ଏତେ  ସଂଖ୍ୟକ ଜୀବଙ୍କ ରକ୍ଷଣାବେକ୍ଷଣ, ଖାଦ୍ୟ ସମସ୍ୟା, ରୋଗ-ବ୍ୟାଧି ସୃଷ୍ଟି ଓ ତା’ର ନିରାକରଣ ଇତ୍ୟାଦିକୁ  ନେଇ ବିଚଳିତ ଭଙ୍ଗୀରେ ଏହି ଯୁଗ୍ମ  ସଂଖ୍ୟା ଛପନ  କୋଟି  ତଳେ ନାଲିଗାର ଟାଣିଦେଲେ । ସେ ବୋଧେ ଚିନ୍ତା କରିଥିଲେ ଛପନରେ ଥିବା ପାଞ୍ଚ  ଓ ଛ’କୁ ମିଶାଇଲେ ସଂଖ୍ୟା ଏଗାର ହେଉଛି । ଆରମ୍ଭରୁ ଦେଖିଲେ  ଯାହା  ଅନ୍ତିମ ପଟରୁ ଦେଖିଲେ  ସେଇଆ । ଆଗରୁ ଦେଖିବୁ ଯେନ୍ତା – ପଛରୁ ଦେଖିବୁ ସେନ୍ତା, ଅର୍ଥାତ୍ ଦିବ୍ୟସୃଷ୍ଟିର ଆରମ୍ଭ ଓ ବିଲୟ  ଏକ ରୂପରେଖ ରହୁ  କିମ୍ବା  ଆରମ୍ଭର  ଉନ୍ମାଦ ବିଲୟରେ ଭରିରହୁ । ଅର୍ଥାତ୍‍ ସୃଷ୍ଟି ଆରମ୍ଭରେ କ୍ରମଶଃ କୋଳାହଳ ହୋଇ ଉଠୁଥିବା ବିଶ୍ୱ ଦରବାର ବାଳୁତ କାଳରୁ ବୃଦ୍ଧାବସ୍ଥା ଯାଏ ଏକ ଅତି ସଙ୍କଟମୟ ପୂର୍ଣ୍ଣତା ଲାଭ କରି ପୁନଃ ଆଗଭର ହୋଇପାରେନି । ଏହିଠାରୁ ସୃଷ୍ଟିର ବିପରୀତ ପ୍ରକ୍ରିୟା ବା ବିଲୟ ଘଟିଚାଲେ, ଯାହାକି ବିଚ୍ଛେଦ,କାରୁଣ୍ୟ ଓ କୋଳାହଳମୟ ବିଶ୍ୱ ପରିବେଷ୍ଟନୀକୁ ବୁଝାଏ । ତେଣୁ ଛପନ କୋଟି ଜୀବସୃଷ୍ଟି ପ୍ରକ୍ରିୟାର ଅନ୍ତିମତାକୁ ଯଥାର୍ଥତା ମନେକଲେ । ଯଦି କେଉଁ ଦୁର୍ବୃତ୍ତ ନାଲିଗାର  ଜଗିରହିଥିବା  ନିରାପତ୍ତା  ବାହିନୀଙ୍କୁ ଲାଞ୍ଚ ଆଦିଦେଇ ଓ ଅନ୍ୟାନ୍ୟ  ଲାଳସାର ସ୍ୱାଦ ଚଖାଇ ବ୍ରହ୍ମାଙ୍କ ଅଗୋଚରରେ ନାଲିଗାର ପରେ କିଛି  ନୂଆବର୍ଗ ଜୀବଙ୍କର ନାମ  ତାଲିକାଭୁକ୍ତ  କରନ୍ତି ତେବେ ବୋଧହୁଏ ସେମାନଙ୍କୁ କାଟିବା(Delete)ର  ଏକ ଗୁପ୍ତ ବ୍ୟବହାରିକ ସ୍ୱୟଂ ପ୍ରକ୍ରିୟାଯୁକ୍ତ ଗାଣିତିକ ଜ୍ଞାନ କୌଶଳକୁ (auto-applicable mathematical formulation or soft ware) ସଦା ସର୍ବଦା  ଜାଗ୍ରତ କରି ରଖିଥାଇପାରନ୍ତି । ନୂଆ କିସମର ଜୀବ ସୃଷ୍ଟିକରି ଅନେକ  ଫାଇଦା  ଆଶାରେ ରହିଥିବା ବ୍ୟକ୍ତିଙ୍କର ଦୁର୍ବାର ଭାବନାକୁ ପଣ୍ଡପୂର୍ବକ ଅନ୍ୟାନ କାର୍ଯ୍ୟକ୍ରମକୁ  ଆରାମରେ ଆଗେଇନେବା ପାଇଁ ବ୍ରହ୍ମା ନିଶ୍ଚିତ ରହିଥିବେ ନିଶ୍ଚୟ । ନୂତନ ସୃଷ୍ଟିର ସାଙ୍କେତିକ ଭାଇରସ୍ ଓ ଏହା ଟଣାଯାଇଥିବା ନାଲିଗାର ପାଇଁ ବିପଦର ସମ୍ଭାବନାକୁ କେହି  ଭାବିପାରିବେ ନାହିଁ । ତେଣୁ ବ୍ରହ୍ମାଙ୍କ ପରି ଜଣେ ମହାଭାବୁକ  କାହିଁକି  ବା ଭାବିବେ ? ତେବେ କୌଣସି ପରିସ୍ଥିତିରେ ଜୀବ କିସମ ସଂଖ୍ୟାକୁ ଅଯୁଗ୍ମରେ ରଖାଯିବ ନାହିଁ ।  କାଳ ଓ ସ୍ଥାନର ସମାହାରରୁ ବିଷ୍ଣୁଙ୍କ ଆବିର୍ଭାବ ଓ   ତତ୍‍କ୍ଷଣାତ୍  ତା’ଙ୍କ ନାଭିକମଳରୁ ବ୍ରହ୍ମାଙ୍କ ଜନ୍ମ । ଅର୍ଥାତ୍ ଯୁଗ୍ମର କାରଣ ହିଁ ବଂଶ ବିସ୍ତାର ଓ ଏହାହିଁ ମର୍ତ୍ତ୍ୟରେ ଓ ପାତାଳରେ   ଲୀଳା ଖେଳାର ବିହିତ ବ୍ୟବସ୍ଥା । କିନ୍ତୁ  ଦେବା ଦେବୀଙ୍କ ସୃଷ୍ଟି ସଂଖ୍ୟାକୁ ଏହାର ଓଲଟା ଅର୍ଥରେ ନିଆଯାଇ ଅଯୁଗ୍ମ ସଂଖ୍ୟା ତେତିଶ କୋଟିରେ ରଖାଗଲା । ଯୁଗ୍ମ ସଂଖ୍ୟା  ବତିଶ ପରେ ପ୍ରକୃତିର ନିୟମ  ଅନୁଯାୟୀ ଆଉ ମାତ୍ର ଏକକୋଟି ଦେବାଦେବୀ ସନ୍ତାନର ସୃଷ୍ଟି ନିମିତ୍ତ ଅନୁମତି ପୂର୍ବକ ପୁନଃ ସୃଷ୍ଟିରେ ଲଗାମ ଲଗାଇ ସେମାନଙ୍କ ଜନ୍ମ  ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ  ନିୟନ୍ତ୍ରଣରେ ରଖାଗଲା । ଦେବାଦେବୀଙ୍କ କିସମ ବୃଦ୍ଧି ହୋଇ ବତିଶ କୋଟିରେ ପୂର୍ଣ୍ଣତା ପ୍ରାପ୍ତ ପରେ ଯେଉଁ ଏକ କୋଟି ଦେବାଦେବୀ ସନ୍ତାନର ସୃଷ୍ଟି  ହେଲା,  ତାହା ଅଯୁଗ୍ମ ହୋଇ ରହିଲା ଓ ସେମାନେ ଯୁଗ୍ମ ହୋଇ ଜନ୍ମ ପ୍ରକ୍ରିୟାକୁ ବଢାଇବା ନିମିତ୍ତ ଆଉ ଏକ କୋଟି ସୃଷ୍ଟି କରାଗଲା ନାହିଁ । ଅର୍ଥାତ୍ ଆଗ୍ନେୟ ଗିରିର ଶେଷ  ଉଦ୍‍ଗୀରଣରେ କାମନା ଓ ବାସନାକୁ ଚାପିଦିଆଗଲା, ଯେହେତୁ ପୁନଃ ସୃଷ୍ଟି ଦେବାଦେବୀଙ୍କ କିସମ ବୃଦ୍ଧିକୁ ବୁଝାଏ ଓ ଏହା ଅମରତ୍ୱ ଲାଭ କରିବାର କଳ୍ପିତ ସଂଖ୍ୟା ପଥରେ  ବାଧା ସୃଷ୍ଟି କରିବ । ପରନ୍ତୁ ସେହି ଧାରାରେ ଯୁଗ୍ମ ସଂଖ୍ୟା ଛପନ, ମର୍ତ୍ତ୍ୟରେ ଜୀବ କିସମ ସୃଷ୍ଟିରେ ମୁଣ୍ଡି ମାରିବାର କାରଣ ସହ ଜନ୍ମ – ମରଣ ପ୍ରକ୍ରିୟାକୁ   କାର୍ଯ୍ୟକ୍ରମ କରାଗଲା , ଅର୍ଥାତ୍ “ମର୍ତ୍ତ୍ୟ ମଣ୍ଡଳେ ଦେହ ବହି – ଦେବତା ହେଲେ ବି ମରଇ” । ଫଳତଃ ସେଠାରେ ଜୀବ ସଂଖ୍ୟା ପ୍ରତି କିସମରେ ଘନ ଘନ  ବୃଦ୍ଧି  ପାଇବ ଓ ଛପନ  କୋଟିର କିସମ ସମାନ ରହିବ । ତେଣୁ ଅଯୁଗ୍ମ ଓ ଯୁଗ୍ମ ସଂଖ୍ୟାରୁ ପ୍ରବାହିତ ଭାବାବେଶ ପରସ୍ପର ବିପରୀତମୁଖୀ ହେବାର ପ୍ରତୀୟମାନ ହୁଏ । ଏଠାରେ ଅଯୁଗ୍ମ ଓ ଯୁଗ୍ମ  ଯଥାକ୍ରମେ ଦେବ ସୃଷ୍ଟି ନହେବାର ଓ ଜୀବ ସୃଷ୍ଟି ହେବାର କାରଣକୁ ବୁଝାଉଛି । ଦେବ ସୃଷ୍ଟିରେ ନାଲିଗାର ଟଣାଗଲା ଓ  ଜୀବ ସୃଷ୍ଟିର  ପ୍ରକାର ଭେଦରେ ମଧ୍ୟ ନାଲିଗାର  ପଡିଲା ; କିନ୍ତୁ ଦେବାଦେବୀ ମାନଙ୍କର ସଂଖ୍ୟା ସମୟ ସହ ସ୍ଥିର(Stationary with Time) ରହିଲା ଓ  ସେମାନେ ଚାରି ଯୁଗକୁ ଅମରତ୍ୱ ଲାଭ କଲେ । ଏଥି ନିମିତ୍ତ  ସମୁନ୍ଦ୍ର ମନ୍ଥନ ପର୍ଯ୍ୟାୟର ବିହିତ ବ୍ୟବସ୍ଥା ରଖାଗଲା ।

ଜୀବମାନେ ଛପନ କୋଟି ପ୍ରକାରର ଓ ପ୍ରତ୍ୟେକ ପ୍ରକାରର ଜୀବ ମାନଙ୍କ ମଧ୍ୟରେ ଜନ୍ମିତ ସଂଖ୍ୟା ଶହ ଶହ କୋଟି, ଯେପରି ଭାରତବର୍ଷରେ କେବଳ ମାନବର  ସଂଖ୍ୟା ଏକଶହ କୋଟି ଟପିଲାଣି । ପୁନଶ୍ଚ ଛପନ କୋଟି ଜୀବମାନଙ୍କ ପାଇଁ ସମ ସଂଖ୍ୟକ ଖାଦ୍ୟ ଭଣ୍ଡାର ରହିବା ଜରୁରୀ । କିନ୍ତୁ ସେମାନଙ୍କ ଲାଳନ ପାଳନ ପାଇଁ  ବାଉନ କୋଟି  ଭଣ୍ଡାରର ବ୍ୟବସ୍ଥା କରାଗଲା  ଓ ଚାରି କୋଟି ଭଣ୍ଡାର ଅପୂରଣ ରହିଲା । ବର୍ତ୍ତମାନ ଚାରିକୋଟି କିସମର ଜୀବ ଭୋକିଲା ରହିବେ । ଏହି ଚାରିକୋଟି  କିସମର ଜୀବ ଓ ପ୍ରତି  କିସମରେ ଲକ୍ଷ ଲକ୍ଷ କୋଟି ଜୀବନ ଥିବାର ସମ୍ଭାବନା ରହିଛି । ତେବେ କ’ଣ ଜନ୍ମଲାଭ କରି ଏମାନେ ଭୋକ ଉପାସରେ ମରିବେ ? ନାଁ  କଦାପି ନୁହେଁ । ସେମାନଙ୍କ  ଭିତରେ ଭରିଦିଆଗଲା ଏକତ୍ରିତ ନହେବାର ଶାସନ ବ୍ୟବସ୍ଥା (divide rule policy), ଯାହାକୁ  କୁହାଯାଏ ବ୍ରହ୍ମାଙ୍କର  ବହୁ ସ୍ତରୀୟ  ଶାସନଧାରାରୁ ଏକ ଧାରା । ଏହାକୁ ପ୍ରଥମେ ବୁଝିପାରିଥିଲେ ବିଶ୍ୱର ଛାୟାପଥ ଗ୍ୟାଲାକ୍ସିରେ ଥିବା ସୌରଜଗତର ଗ୍ରହ – ପୃଥିବୀର(ମର୍ତ୍ତ୍ୟର) ଛପନ କୋଟି ଜୀବର ମାନବ ବର୍ଗରୁ ଏକ ଉପବର୍ଗ ଅର୍ଥାତ୍  ଇଂଲଣ୍ଡର ଶ୍ୟେତାଙ୍ଗ  ମାନବଗଣ । ଏତାଦୃଶ ପଦ୍ଧତିକୁ ପ୍ରଥମେ କାର୍ଯ୍ୟକାରୀ କରି ବିଶ୍ୱ ଧ୍ୱଂସ(Big Chrunch)ହେବାଯାଏଁ  ଏକଛତ୍ର ଶାସକ ହେବାର ଦୃଢ ଆଶା      ପୋଷଣ କରିଥିଲେ ସେମାନେ । ମହାଜାଗତିକ ବିସ୍ଫୋରଣ (Big Bang)ହିଁ ବିଶ୍ୱ ସୃଷ୍ଟିର ସମୟ ଅର୍ଥାତ୍ ଶୂନସମୟ (Zero Time) । ଯେହେତୁ ବ୍ରହ୍ମାଙ୍କ ପରିସର(Frame of Reference)ପ୍ରାୟ ଆଲୋକର ବେଗରେ ଧାବମାନ, ତେଣୁ ଆଇନ୍‍ଷ୍ଟାଇନ୍‍ଙ୍କ ଆପେକ୍ଷିକ ତତ୍ତ୍ୱ (Theory of Relativity)ଅନୁସାରେ ତାଙ୍କର ଏକ ମୁହୂର୍ତ୍ତ ପୃଥିବୀରେ ଶହ ଶହ ବର୍ଷ ସହ ସମାନ । ତେଣୁ ତାଙ୍କ ପାଇଁ ସମୟ ବୃଦ୍ଧିରେ ସ୍ଥିରତା ପ୍ରତୀୟମାନ  ହୁଏ । ବ୍ରହ୍ମାଙ୍କ ଏକ ବା ଦୁଇ ମୁହୂର୍ତ୍ତର ତର୍ପଣର ସୁଯୋଗ ନେଇ ବୋଧହୁଏ ଇଂରେଜମାନେ ତା’ଙ୍କ ସର୍ବଶକ୍ତିମାନ ଆଣ୍ଟିନା – ବ୍ରହ୍ମଦଣ୍ଡରୁ ନିର୍ଗତ ଉପରୋକ୍ତ  ନକରାତ୍ମକ ଭାବକୁ ଚାଲାଖି କରି ଭାରତ ଭୁଖଣ୍ଡ ଉପରେ ନିଜ କାର୍ଯ୍ୟରେ  ଲଗାଇଥିଲେ । ତର୍ପଣାନ୍ତେ ବ୍ରହ୍ମା  ତା’ଙ୍କ ବ୍ରହ୍ମଦଣ୍ଡରୁ ଏହି ସଙ୍କେତ  ପାଇ ପ୍ରକୃତିର ଈଛା  ବିରୁଦ୍ଧରେ ଯାଇଥିବା ଇଂରେଜମାନଙ୍କୁ ଭାରତ ଛାଡିବା ନିମିତ୍ତ ସେହି ଭୁଖଣ୍ଡରେ ଏକ ଦିବ୍ୟଗୁଣ ଯୁକ୍ତ ମାନବର ସୃଷ୍ଟି କଲେ । ସେହି ମୋହନଦାସ କରମଚାନ୍ଦ ଗାନ୍ଧି  ଅହିଂସା ଆନ୍ଦୋଳନ ଦ୍ୱାରା ଇଂରେଜମାନଙ୍କୁ ଭାରତରୁ ବିତାଡିତ କଲେ । କନା ସିନା ଚାଲିଗଲା  କିନ୍ତୁ ରହିଗଲା କର୍ପୂର ଅର୍ଥାତ୍ ଢାଞ୍ଚା ରହିଗଲା ଯୁଗ ଯୁଗ ପାଇଁ । “ସର୍ପ କୁଳେ ଜାତ କଲ ମୋତେ – ସ୍ୱଭାବ ଛାଡିବି କେମନ୍ତେ” – ଏହି କ୍ରମରେ ଇଂରେଜମାନେ ଯଦି  ବ୍ରହ୍ମାଙ୍କୁ ଆବେଦନ କରି କହନ୍ତି – ହେ ସୃଷ୍ଟିକର୍ତ୍ତା ! ଆପଣ  ଆମକୁ ଶ୍ୱେତାଙ୍ଗ କୁଳରେ ଜନ୍ମ ଦେଲେ, ଆମର ସ୍ୱଭାବ ହିଁ ଅନ୍ୟକୁ ଭାଗ ଭାଗ କରି ଆମର ସାମ୍ରାଜ୍ୟ ବିସ୍ତାର କରିବୁ । ଏଥିରେ ଆମର ଦୋଷ ବା କ’ଣ ରହିଲା ?  ଆପଣଙ୍କ ସୃଷ୍ଟିରେ ଯେଉଁ ନିୟମ ଚାଲିଛି ଆମେ ତ ସେଇଆ କରିଛୁ । ଆପଣଙ୍କ ମହାବିଶ୍ୱରେ ତ କୋଟି କୋଟି ବ୍ରହ୍ମାଣ୍ଡ ଝୁଲୁଛି ।  ମାଳମାଳ ବ୍ରହ୍ମାଣ୍ଡ(Galaxy)  ଏକତ୍ରିତ ନହେବାର ଶାସନ ବ୍ୟବସ୍ଥା ମଧ୍ୟରେ ରହି ପରସ୍ପର ଠାରୁ ଅଲଗା ହୋଇ ଚାଲିଛନ୍ତି । ଆଗାମୀ ଭବିଷ୍ୟତରେ ସେମାନେ ଆଦୌ ଏକତ୍ରିତ  ହୋଇପାରିବେ ନାହିଁ । କିନ୍ତୁ ଆମର କିଛି କାର୍ଯ୍ୟ ସୃଷ୍ଟିର ନିୟମ ବିରୁଦ୍ଧରେ ଓ କିଛି ସପକ୍ଷରେ ମଧ୍ୟ ରହିଛି, ଯଥା – କଂପାନି ଶାସନ ଅନୁଯାୟୀ, ଭାରତୀୟ ମାନଙ୍କୁ   ସେମାନଙ୍କ  ମୌଳିକତାରୁ ହଟାଇ, ଦେଶପ୍ରେମୀ ମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ, ଶହ ଶହ ଜୟଚନ୍ଦ୍ର ମାନଙ୍କୁ କରାୟତ ପୁର୍ବକ , ମାଛ ତେଲରେ ମାଛ ଭାଜି, ତଣ୍ଟିଚିପା ଧନରେ ଆମଦେଶର ଆର୍ଥିକ ମାନଦଣ୍ଡକୁ ସୁଦୃଢ କଲୁ । ଏହାର ବିପରୀତରେ ଅନେକ ଗଠନ ମୂଳକ କାର୍ଯ୍ୟ ମଧ୍ୟ କରିଛୁ । ସତୀଦାହ-ପ୍ରଥା ଉଚ୍ଛେଦ, ବିଧବା-ବିବାହର  ପ୍ରଚଳନ, ବାଲ୍ୟ-ବିବାହର ଉଚ୍ଛେଦ, …………… ଇତ୍ୟାଦି ଅନେକ ସାମାଜିକ କୁସଂସ୍କାରର ମୁଳୋତ୍ପାଟନ ସହ ଜନହିତକର କାର୍ଯ୍ୟମାନ କରିଅଛୁ । ଗମନାଗମନ, ଯୋଗାଯୋଗ ଆଦି କ୍ଷେତ୍ରରେ ବିପ୍ଳବାତ୍ମକ କାର୍ଯ୍ୟ ଓ ଇଂରାଜୀ ଭାଷାର ପ୍ରସାର ଦ୍ୱାରା ସେମାନଙ୍କର ଅହେତୁକ ଉନ୍ନତି କରାଯାଇ ଅଛି । ଯେହେତୁ ଅହିଂସା -ଆନ୍ଦୋଳନ ଆମର ଗୋଚ୍ଛି କାଟିଚାଲିଲା ଓ ଭାରତ ବର୍ଷରୁ ଆମର ବିତାଡିତ ହେବାର ପଥ ଜଳ ଜଳ ହୋଇ ଦିଶିଲା, ତେଣୁ ଆମେ ଗୋଟିଏ ଦେଶକୁ  ତିନିଭାଗ କଲୁ – ଇଣ୍ଡିଆ, ପୂର୍ବ – ପାକିସ୍ଥାନ ଓ ପଶ୍ଚିମ – ପାକିସ୍ଥାନ ଏବଂ ଜାମ୍ମୁ – କାଶ୍ମୀରରେ ଏପରି କଳିମଞ୍ଜି ପୋତିଦେଲୁ ଯେ, ଯୁଗ ଯୁଗ ଧରି ସେମାନେ ଅଖା ଧୋଉଥିବେ  ଓ  ଗୁଣ ଗାଉଥିବେ ।  ଏକତ୍ରିତଙ୍କୁ ଅଲଗା କରିବାର ଧାରା ଆପଣଙ୍କ ପଦ୍ଧତି ଓ ଆମର ସ୍ୱଭାବକୁ ସେମାନଙ୍କ ଉପରେ ପ୍ରୟୋଗ କରିବା ଦ୍ୱାରା ଚିରଦିନ ପାଇଁ ସେମାନେ  ପରସ୍ପର ମଧ୍ୟରେ ଯୁଦ୍ଧ  ଓ  ଅନ୍ୟାନ ଧ୍ୱଂସାତ୍ମକ କାର୍ଯ୍ୟରେ ଲିପ୍ତ ରହି ନଷ୍ଟ – ଭ୍ରଷ୍ଟ ହେବା ସହିତ ପୋକ ମାଛି ପରି କଲବଲ ହେଉଥିବାର ଦୃଶ୍ୟ ଦେଖି ଆମେ ଅପାର କ୍ରୂର ଆନନ୍ଦରେ ବିଭୋର ହୋଇ ଉଠୁଥିବୁ ।  ଏହାହିଁ  ଥିଲା ଆମଦ୍ୱାରା ପ୍ରକୃତି ବିରୁଦ୍ଧ କାର୍ଯ୍ୟ ।

ତେବେ ମୁଳ ଆଲୋଚ୍ୟ ବିଷୟକୁ ପ୍ରତ୍ୟାବର୍ତ୍ତନ ପୂର୍ବକ ବ୍ରହ୍ମାଙ୍କ ବହୁ ସ୍ତରୀୟ ଶାସନ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଉ । ଛପନ କୋଟି ଜୀବଜଗତ ନିମିତ୍ତ ଅତି  କମ୍‌ରେ ଛପନ  କୋଟି ଖାଦ୍ୟଭଣ୍ଡାର ଯୋଗାଇବା ଜରୁରୀ ଅଟେ । କିନ୍ତୁ ଛାମୁଙ୍କ ସ୍ୱଳ୍ପ ବଜେଟରୁ ମିଳିଲା ବାଉନ କୋଟି ଖାଦ୍ୟ ଭଣ୍ଡାର । ଆଉ ଚାରିକୋଟି ଖାଦ୍ୟ  ଭଣ୍ଡାର ମିଳିବ କେଉଁଠୁ ?  ସେଥିପାଇଁ ବୋଧେ ଜୀବ – ସମ୍ବଳ ବିକାଶ(Life Resource Developement)ମଞ୍ଚ ନିମ୍ନଲିଖିତ ସିଦ୍ଧାନ୍ତରେ ଉପନୀତ ହୋଇ  ବ୍ରହ୍ମାଙ୍କଠାରୁ ବିଚକ୍ଷଣତା ଓ  ବୁଦ୍ଧିମତାର  ମାନପତ୍ର ପ୍ରାପ୍ତ ହୋଇଥିବେ ।

(୧) ବାଉନ କୋଟି ଜୀବଜଗତ ପାଇଁ ଉଦ୍ଦିଷ୍ଟ ବାଉନ କୋଟି ଖାଦ୍ୟ ଭଣ୍ଡାର ବିନିଯୋଗ ହେବ । ସେମାନଙ୍କଠାରୁ ନିଷ୍କାସିତ ବର୍ଜ୍ୟବସ୍ତୁ  ଆଦିକୁ ବଳକା ଚାରିକୋଟି  ଜୀବଜଗତ ମଧ୍ୟରୁ କେତେକ ଖାଦ୍ୟ ରୂପେ ବ୍ୟବହାର କରିବା ପାଇଁ ଆଇନ୍ ପ୍ରଣୟନ କରାଗଲା । ଏହି କ୍ରମରେ ମାନବ ସମାଜକୁ ଚେତାବନୀ ଦିଆଗଲା ଯେ,  କଳିଯୁଗରେ ଧରଣୀ ବକ୍ଷରେ ଶିଳ୍ପର ତ୍ୱରାନ୍ୱିତ ବିକାଶ ଯୋଗୁ କଳକାରଖାନରୁ ଉତ୍ପନ୍ନ କ୍ଷତିକାରକ ଧୂଆଁ ଓ ବର୍ଜ୍ୟ ବସ୍ତୁ ଆଦିକୁ ପୁନଃ ବିନିଯୋଗ କରି  ବାୟୁମଣ୍ଡଳକୁ ପ୍ରଦୂଷଣ ମୁକ୍ତ  କରିବା ଶ୍ରେୟସ୍କର ହେବ, ଯାହା ଫଳରେ ଜୀବଜଗତ ଜରା – ବ୍ୟାଧିଗ୍ରସ୍ତତାରୁ ଦୂରେଇ ରହିବେ । ନଚେତ୍ ପରିବେଶରେ ପ୍ରଦୂଷଣର ମାତ୍ରା  ବୃଦ୍ଧିପ୍ରାପ୍ତ  ଘଟି ଭୟଙ୍କର  ପ୍ରାକୃତିକ ବିପର୍ଯ୍ୟୟକୁ ଡାକିଆଣିବ, ଯଥା – ସବୁଜ ଗୃହର ପ୍ରଭାବ(Green House Effect), ଅମ୍ଳବର୍ଷା(Acid Rain), ଜୀବଜଗତର ରକ୍ଷା କବଚ ଓଜୋନ୍ ଗ୍ୟାସ୍ ସ୍ତର(Ozone Layer)ରେ ଗର୍ତ୍ତମାନ ସୃଷ୍ଟିହୋଇ ସୂର୍ଯ୍ୟଙ୍କଠାରୁ ନିର୍ଗତ ଜୀବନାଶକାରୀ ବିକିରଣ(Life Destructing Radiation) ଅର୍ଥାତ୍ ଅତି-ବାଇଗଣି  ରଶ୍ମି (Ultra-Violet Ray), ଗାମା ରଶ୍ମି(Gamma Ray)……. ଆଦି ପୃଥିବୀ ପୃଷ୍ଠରେ ଆପତିତ ହେବ ଯାହା ଜୀବଜଗତକୁ ଧିରେଧିରେ କ୍ଷୟପ୍ରାପ୍ତ କରିବାର  କାରଣ ସୃଷ୍ଟି କରିବ । ତେବେ ବର୍ଜ୍ୟ ବସ୍ତୁ କଳକାରଖାନାରୁ ହେଉ ଅଥବା ଜୀବ ମାନଙ୍କ ଶରୀରରୁ ହେଉ ଏହା ଜାତି – ଧର୍ମ – ବର୍ଣ୍ଣ ନିର୍ବିଶେଷରେ ଦୁର୍ଗନ୍ଧଯୁକ୍ତ ଅଟେ । ଶରୀର ରୂପୀ କାରଖାନା ପ୍ରତ୍ୱେକ କିସମ ପାଇଁ ଏକ ପ୍ରକାର ଅଟେ । ପୁଣି ଏଠାରେ ଭାଗବତରୁ ପଦେ ମନେପଡେ – “ସକଳ ଘଟେ ନାରାୟଣ ….. ଅନାଦି ପରମ କାରଣ” । ତଥାପି ଏକ କିସମ ରୂପୀ ମାନବ ମଧ୍ୟରେ ଏତେ ମାନବକୃତ ଉଦ୍ଦେଶ୍ୟ ପ୍ରଣୋଦିତ ଭିନ୍ନତା ଭରି ଦିଆ ଯାଇଛି, ଯାହା ପ୍ରକୃତିର ଅହରହ ବିରୁଦ୍ଧାଚରଣ କରି ଚାଲିଛି । ସର୍ବ ଘଟଧାରୀ  ଜୀବ ମଧ୍ୟେ ବ୍ରହ୍ମ ବିଦ୍ୟମାନ ଓ କାରଣରୁ ଜୀବର ସୃଷ୍ଟି । ଏକ ଘଟରୁ ନିଷ୍କାସିତ – ଅନ୍ୟ ଘଟରେ ବିକାଶିତ । ବିଜ୍ଞାନ କହେ ସୃଷ୍ଟି ଧାରାରେ ପ୍ରତ୍ୱେକ ପରସ୍ପର ପ୍ରତି ନିର୍ଭରଶୀଳ । ପଦାର୍ଥ ବିଜ୍ଞାନ କହେ ଏ ବିଶ୍ୱ ଜୀବମୟ – ଚଳତ୍ ହେଉ କିମ୍ବା  ଜଡ଼  ହେଉ । ଜଡ଼ରୁ ଜୀବନର ସୃଷ୍ଟିକୁ ବଖାଣି ପାରିଛି ବିଶ୍ୱ ସୃଷ୍ଟିର ବିଜ୍ଞାନ । ଶାସ୍ତ୍ର – ପୁରାଣରେ ମଧ୍ୟ ବର୍ଣ୍ଣିତ  ହୋଇଛି, ଯଥା – ନରସିଂହ ଅବତାର, ଅହଲ୍ୟା ଉଦ୍ଧାର …. ଇତ୍ୟାଦି । ତେବେ ସାମାଜିକ ମୂଲ୍ୟବୋଧତାରେ ବର୍ଣ୍ଣବାଦକୁ ଜନ୍ମବାଦରେ ଜୋର ଜବରଦସ୍ତ ପରିଣତ ପୂର୍ବକ ଯୁଗସୂତ୍ରୀ ଧାରାରେ ବଂଶାନୁକ୍ରମିକ ଉଚ୍ଚ-ନିଚ୍ଚ ଭେଦଭାବର ପରାକାଷ୍ଠା ଦେଖାଇ ଅନ୍ୟକୁ ନିମ୍ନ ବିଚାରିବା ସହ ନିଜର ଓରମାନ ମେଣ୍ଟାଇବା କେତେଦୂର ବିଜ୍ଞାନ ସମ୍ମତ ? ମଳତ୍ୟାଗ ପରେ ଶୌଚ ପ୍ରକ୍ରିୟାରେ ବାମ ହସ୍ତର ପ୍ରାଧାନ୍ୟତା ରହେ । ଦକ୍ଷିଣ ହସ୍ତ ସାତ୍ତ୍ୱିକ, ରାଜସିକ ଓ ତାମସିକ ଖାଦ୍ୟକୁ ଉଦରସ୍ତ କ୍ରିୟାରେ ମାନ୍ୟତା ପାଇଅଛି । ଚକ୍ଷୁ,    କର୍ଣ୍ଣ,ନାସା …… ଆଦିର କାର୍ଯ୍ୟର ରୂପରେଖରେ ବିଭିନ୍ନତାର ଝଲକ । ତେଣୁ ଶରୀରର ସମସ୍ତ ଅଂଶ ଭିନ୍ନ ଭିନ୍ନ କାର୍ଯ୍ୟରେ ବ୍ୟସ୍ତ ତାହା ଉଚ୍ଚ କିମ୍ବା ନିଚ୍ଚ ହେଉ । ତେଣୁ ଶରୀରକୁ ସର୍ବ ଜାତିର  ସମାହାର ରୂପେ ବିବେଚନା କରାଯାଇ ପାରେ । କାହିଁ ଶରୀରର ବିଭିନ୍ନ ଅଂଶ ମାନଙ୍କ ମଧ୍ୟରେ ଉଚ୍ଚ – ନିଚ୍ଚ ଭେଦଭାବକୁ ନେଇ ବାଡିଆ – ପିଟା ହେଉ ନାହାନ୍ତି ?  ବରଂ ଏହା ଚରମ ସନ୍ତୁଳନତାର ପ୍ରତୀକ । କିନ୍ତୁ ଯୁଗେ ଯୁଗେ ଧରାବକ୍ଷେ ବିଭିନ୍ନ ପ୍ରାନ୍ତେ ବହୁ ପ୍ରକାରର ଉଚ୍ଚ – ନିଚ୍ଚ ଭେଦଭାବ ଭିନ୍ନଭିନ୍ନ ରୂପରେ ବିଦ୍ୟମାନ । ଏପରିକି  ଈଶ୍ୱର ଆରାଧନାରେ ମଧ୍ୟ ଏହାର ଅଭାବ ନାହିଁ । ଯେପରି ଜଗତର ନାଥ ଜଗନ୍ନାଥଙ୍କୁ ସ୍ଥାନ – କାଳର ଅବିଚ୍ଛିନ୍ନ ପରିସର (Space – Time Continuum)ମଧ୍ୟରେ ବିଭିନ୍ନ ବିନ୍ଦୁରେ ସ୍ଥାପିତ କରି ଆରାଧନାର ବାହ୍ୟ ରୂପରେଖ ବା ସ୍ଥୂଳତାକୁ କେଉଁଠାରେ ସାର୍ବଜନୀନ କରାଯାଇଛି ଓ କେଉଁଠାରେ  ହୀନମନ୍ୟତାର ପଙ୍କିଳତାକୁ ଉଚ୍ଚାସନ ଦିଆଯାଇଛି । ଅର୍ଥାତ୍ ଉଚ୍ଚ – ନିଚ୍ଚ ମନୋବୃତ୍ତିର ସୀମିତ ମାପକାଠିରେ କେତେକ ସ୍ଥାନରେ ଜଗନ୍ନାଥଙ୍କୁ ମପାଯାଇଛି । ସେଠାରେ ଜଗନ୍ନାଥଙ୍କୁ ସବୁ ବର୍ଗର ଲୋକଙ୍କୁ  ସମାନ  ଦୃଷ୍ଟିରେ ନ ଦେଖିବା ପାଇଁ ବୋଧେ ତାଗିଦ୍ କରାଯାଇଥାଏ । ସେଥିରେ ଭରି ରହିଥାଏ ଅହଂ ବା ‘ମୁଁ’ର ଆସ୍ଫାଳନ, ଯଥା –

ଭାଙ୍ଗି ଯାଉ ଶାସ୍ତ୍ର ବିଜ୍ଞାନର ତତ୍ତ୍ୱ ……… ମହାବିଶ୍ୱ ଯାଉ ଫାଟି

ଗୋଟିଗୋଟି ହୋଇ ଗ୍ୟାଲାକ୍ସି ଗୁଡିକ …….  ଛାୟାପଥେ ହେଉ ପିଟି

ଛାଡିବୁନି ଆମ ଗାରିମା ଓ ଦର୍ପ  …………..ଯେତେ ହୁଅ ଛାଟିପିଟି ।

ଆମ ବିଶ୍ୱରେ ତ ଚାରି ପ୍ରକାର ପାରସ୍ପରିକ କ୍ରିୟା ଅଛି, ତେଣୁ ଏହାକୁ କେଉଁ ପ୍ରକାର ପାରସ୍ପରିକ କ୍ରିୟା ରୂପେ ନାମିତ କରାଯିବ ? ତେବେ ଏହାକୁ ବିଷମ ବର୍ଗ ଓ  ସମ ଜୀବ  ମଧ୍ୟରେ ବିକର୍ଷଣ(Repulsion between Unlike Community and like Creature)କୁହାଯିବ । ତେବେ ମନ୍ଦିର ଚତୁଃପାର୍ଶ୍ୱରେ ଲୌହ ଗ୍ରୀଲ୍  ଯୁକ୍ତ ମେଘନାଦ ପ୍ରାଚୀର ମଧ୍ୟରେ ଶ୍ରୀଜଗନ୍ନାଥଙ୍କୁ ରଖାଯାଇ କିଛି ବର୍ଗଙ୍କୁ ଗ୍ରୀଲ୍ ବାହାରେ ଫାଙ୍କ ବାଟେ ଓ କିଛି ବର୍ଗଙ୍କୁ  ଗ୍ରୀଲ୍ ଭିତରେ ଅତି  ନିକଟରେ  ଦିଅଁ  ଦର୍ଶନ ନିମିତ୍ତ ଅନୁମତି  ଦିଆଯାଇଥାଏ । ଏଠାରେ  ଗ୍ରୀଲ୍ ବାହାର ବର୍ଗଙ୍କ ପାଇଁ  ସର୍ବଶୌଚତା ଓ ଚିତ୍ତ ନିର୍ମଳତାର କାଟ୍‍ତି କାମ କରେ ନାହିଁ । କିନ୍ତୁ ଭିତର ବର୍ଗଙ୍କ  ପାଇଁ ସର୍ବଶୌଚତା  ବା ଚିତ୍ତ  ନିର୍ମଳତାର ଆବଶ୍ୟକତା ଅନୁଭୂତ ହୋଇ ନଥାଏ, କେବଳ ଜନ୍ମ ଜାତକ ହିଁ ସବୁକିଛି । ଏମାନେ ଦିଅଁଙ୍କୁ ଅତି ନିକଟରୁ ଦର୍ଶନ ପୂର୍ବକ  ତାଙ୍କୁ ଛୁଇଁବେ ଓ କୁଣ୍ଢେଇବେ, କାରଣ ସେମାନେ କୁଆଡେ ଜଗନ୍ନାଥଙ୍କର ଅତି ନିଜର । ସମୁନ୍ଦ୍ର ମନ୍ଥନ ବେଳେ ରାକ୍ଷସମାନେ ବାସୁକୀର ମୁଣ୍ଡପଟ ଧରି କେତେ  ଟଣାଟଣି କରିଥିଲେ, ତଥାପି ସେମାନଙ୍କୁ ଅମୃତ  ମିଳିବା ଦୂରର କଥା ଝାଳବୁହା ପାରିଶ୍ରମିକ ମଧ୍ୟ ଅଦ୍ୟାବଧି ମିଳିଲା ନାହିଁ । ଏମାନେ ଶକ୍ତି ଓ ଜ୍ଞାନର ଦୁରୂପଯୋଗ କରିବାର ସମ୍ଭାବନାରୁ ମଜୁରୀ ପାଇବାରୁ ବଞ୍ଚିତ ହେଲେ । ତେବେ ଭଗବତ୍‍ ଚେତନାକୁ ନିଜସ୍ୱ ଫାଇଦାରୂପୀ ଅସ୍ତ୍ର ଭାବେ ବ୍ୟବହାର କରିବା, ରାଜକୀୟ ସୁବିଧାକୁ ନିଜ ବଂଶଧର, ବନ୍ଧୁବର୍ଗ, ପ୍ରିୟ ପରିଜନଙ୍କ ପାଇଁ ସଜାଇ ରଖିବା ……… ଆଦିରୁ ସୌଖୀନ୍‍ ଜୀବନ ଚର୍ଯ୍ୟାର ଅତିଷ୍ଠତାରେ ଭରି ହୋଇଯାଏ ପରିବେଶରେ କ୍ରୂର ଅସମତା । ବୁକୁ ଫଟାଇ ବିଳାପ କରିଉଠେ ଅନାହାରକ୍ଳିଷ୍ଟ ଜନତା । ଜନ୍ମ ଜାତକର ଦୌରାତ୍ମ୍ୟରେ ମତୁଆଲା ମାନବ ପାଇଁ ସବୁ ଅସମ୍ଭବ ସମ୍ଭବ ହୋଇଯାଏ । ନେଡି ଗୁଡ କହୁଣୀକୁ ବୋହିଯିବା ପରେ କିଛି ଦଣ୍ଡିତ ହୁଅନ୍ତି ଓ କିଛି ଗଳାବାଟରେ ମୁକୁଳି ଯାଆନ୍ତି । ତଥାପି ସବୁ ପ୍ରତିଶ୍ରୁତି ପାଣିଫୋଟକା ପରି ମିଳାଇ ଯାଏ ଓ ଅଫିସ୍ ଧାଇଁ ଧାଇଁ ନାକେଦମ୍ ହେବାହିଁ ସାର  ହୁଏ । ନିଜସ୍ୱ ସୁବିଧା ନିମିତ୍ତ ଭିତିରିଆ ହାତଗୁଞ୍ଜାର ସୀମା ଆକାଶ ଛୁଇଁଲାଣି । ଯାହାର ବଡବଡିଆ  ଯେତେ ଚିହ୍ନା ସେ ସେତେ ଉତ୍‍ଫୁଲ୍ଲିତ ହୋଇ ବକ୍ଷରେ ହାତ ପିଟୁଛି ।   ତେଣୁ  ଜଗାଙ୍କଠାରୁ ଦୂରେଇ ରଖାଯାଇଥିବା ଏ ଅଚିହ୍ନା ବର୍ଗ ଜଗାଙ୍କୁ ତେଲେଇକି ବରପ୍ରାପ୍ତ  ହେବାର ଆଶା ଦିବା ସ୍ୱପ୍ନ ସହ ସମାନ । କେଉଁ ଠାକୁରଙ୍କୁ ସମୟ ଅଛି ଯେ ଗ୍ରୀଲ୍ ଫାଙ୍କରୁ ଏମାନଙ୍କ କଥା ଶୁଣିବାକୁ ? ଦାସିଆର ନଡିଆକୁ ମୁଳ ଜଗନ୍ନାଥ ଭାବରେ  ବାନ୍ଧିହୋଇ ବାହୁ ପ୍ରସାରି ନେଇଥିଲେ । ନିଚ୍ଚବର୍ଗର ଶ୍ରୀୟା ଚଣ୍ଡାଳୁଣି ପାଇଁ  ଶ୍ରୀଜଗନ୍ନାଥ ଯେଉଁ ଅଦ୍ଭୁତ ମାନବ ଲୀଳା ସମ୍ବରଣ କରିଥିଲେ, ତାହା  ଯୁଗଯୁଗ ପାଇଁ  ଅଦ୍ୱିତୀୟ । କିନ୍ତୁ ଏବେତ ଅନେକ ମୁଳ ଦେଖିବାକୁ ମିଳୁଛି । ସବୁ ମୁଳରୁ ତ ସମାନ  ଚେତନା ଜାଗିବା  କଥା । କିନ୍ତୁ ସ୍ଥାନ – କାଳ – ପାତ୍ର ଅନୁସାରେ କ’ଣ  ଦିବ୍ୟ  ଚେତନାର ମୁଳତତ୍ତ୍ୱ ଓଲଟି ଯାଉଛି ? ସେଥିପାଇଁ ବୋଧହୁଏ କିଛି ଗ୍ରୀଲ୍ ଭିତରେ ଓ  କିଛି  ବାହାରେ ।

ହେ ପ୍ରଭୁ ଜଗନ୍ନାଥ ! ତୁମେ କ’ଣ ମୁଳ ବାହାରେ କେତେକ ସ୍ଥାନରେ ସଙ୍କୁଚିତ ହୋଇଯାଇଛ ? ତୁମେ ସେଠାରେ ଜଗତ ପାଇଁ ନହୋଇ କ’ଣ କେତେ ଜଣଙ୍କ ପାଇଁ  ହୋଇଛ ? “ବିଶ୍ୱାସେ ମିଳନ୍ତି ହରି – ତର୍କେ ବହୁଦୂର” – କିନ୍ତୁ ଏବେ ତୁମେ କେତେକ ମୁଳ ଗୁଡିକରେ ଏହାର ଓଲଟା ଧାରାକୁ ଆଦରି ନେବାର ଭାବ  ଜାଗ୍ରତ ହେବା  ସ୍ୱାଭାବିକ ।  ଯୁକ୍ତି  – ତର୍କ ଦ୍ୱାରା ଆକର୍ଷିତ ହୋଇ ତୁମେ ବୋଧେ ଆବିର୍ଭାବ ହେଉଛ । ସେଥିପାଇଁ ମନ୍ଦିର ମଧ୍ୟରେ ଥିବା ବ୍ୟକ୍ତି ତୁମର ଆବିର୍ଭାବକୁ  ସ୍ପଷ୍ଟ ଭାବେ  ଦେଖିପାରିବେ ଓ ତୁମେ ତାଙ୍କୁ  ଦେଖିବ । କାହିଁ କେତେ ଯୁଗରୁ ଲକ୍ଷେ ଯୋଜନରେ ଗଜ ଡାକିଥିଲା । ସେତେବେଳେ ତୁମର ଫାଙ୍କା ସମୟ ଥିଲା, ଶୁଣିଥିଲ । ବର୍ତ୍ତମାନ ଯୁଗ ବଦଳି ଯାଇଛି । ଗାଡି – ମଟର  କେଁକାଁ ଧ୍ୱନିରେ କାନ ଅତଡା ଧସୁଛି ଓ କିଛି ଶୁଭୁନାହିଁ  । ପୁଣି ଜଗା ତା’ଙ୍କ ନିଜ ଓ ଆପଣାର ମାନଙ୍କ  ସୁଦୃଢ ବଳୟ  ମଧ୍ୟରେ ଉପବିଷ୍ଟ । ପୁଣି ମଝିରେ ମଝିରେ ଘଣ୍ଟ – ମରଦଳ – କାହାଳୀ -ତୂରୀ- ଭେରୀ – ଢୋଲ – ଟମକ ଆଦି ମାତି ଉଠୁଛନ୍ତି । ଏତେ ଗଣ୍ଡଗୋଳିଆ ପରିବେଶରେ  ଜଗା  ତା’ଙ୍କ ଚକା ଆଖିରେ ଗ୍ରୀଲ୍ ବାହାରର  ଦୁନିଆଁ  କାହୁଁ ବା  ଦେଖିବେ ! କାହୁଁ ବା ଶୁଭିବ ତାଙ୍କର ବିକଟ ଆର୍ତ୍ତ ଚିତ୍କାର !

ଯେହେତୁ ଶରୀରକୁ ସବୁ ବର୍ଗୀଙ୍କ ସମାହାରରୂପେ  ଗ୍ରହଣ କରାଯାଇପାରେ, ତେବେ ନିମ୍ନ ବର୍ଗରୂପୀ ବାମ ହସ୍ତାଦି ଗୁଡିକୁ  ଛେଦନ ପୁର୍ବକ ମନ୍ଦିରକୁ ପ୍ରବେଶ କରିବା  କଥା ।  ସ୍ଥୂଳ ଚେତନାଗ୍ରସ୍ତ ମାନବ ନିମିତ୍ତ ଯେହେତୁ ଏ ଶରୀରବାଦ ଗ୍ରହଣଯୋଗ୍ୟ ନୁହେଁ, ତେଣୁ ଜନ୍ମବାଦର ତାଣ୍ଡବତା ରୋମେ ରୋମେ ବିରାଜିତ । ଏକ କିସମରେ ଥିବା ସବୁ  ବର୍ଗୀଙ୍କ ଶରୀରରେ  ଖାଦ୍ୟର ପାଚନ ପ୍ରକ୍ରିୟା ଅସମାନ ବୋଲି ଏ ଜନ୍ମବାଦ ପ୍ରମାଣ କରିପାରି ନାହିଁ । ସୁତରାଂ ଏମାନଙ୍କଠାରୁ  ନିଷ୍କାସିତ  ବର୍ଜ୍ୟାଦିକୁ ଜୀବାଣୁ, କୀଟାଣୁ,  ଶ୍ୱାନାଦି ………. ଜୀବମାନେ ଖାଦ୍ୟଭାବେ ଗ୍ରହଣ କରିବାର ବ୍ୟବସ୍ଥା ବ୍ରହ୍ମାଙ୍କ ପ୍ରକଳ୍ପ(Project)ରେ ଲିପିବଦ୍ଧ ହେଲା । ଏହି  ବ୍ୟବସ୍ଥା ବାଉନ କୋଟି ଜୀବଙ୍କ ପାଇଁ ଲାଗୁ  କରାଯିବାରୁ ଭୋକିଲା ରହିଥିବା ଚାରିକୋଟି ଜୀବ କିସମଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କ ପାଇଁ  ଖାଦ୍ୟ ସମସ୍ୟା  ଦୂର  ହୋଇଗଲା ।

(୨) ଆଉ ପ୍ରାୟ ଦୁଇ କୋଟିରୁ କମ୍ ସଂଖ୍ୟକ ଜୀବ – କିସମଙ୍କ ପାଇଁ ଖାଦ୍ୟ ଯୋଗାଣ ଜନିତ ସମସ୍ୟା ମୁଣ୍ଡବିନ୍ଧାର କାରଣ ହେଲା । ବ୍ରହ୍ମା ସୃଷ୍ଟିକର୍ତ୍ତା ହୋଇ ମଧ୍ୟ  ପାଳନକର୍ତ୍ତା ବିଷ୍ଣୁଙ୍କର ପାଳନ ପ୍ରକ୍ରିୟାରେ ଥିବା ଜୀବ ପୁଷ୍ଟିକରଣ ଯୋଜନାର ଅଧାରୁ ଅଧିକ କାମ ଦକ୍ଷତାର ସହ ତୁଲାଇ ପାରିଲେ । ତେଣୁ ତାଙ୍କର ଗୁପ୍ତ ଚରିତ୍ର  ପଞ୍ଜିକା  (C C R )ରେ  ତା’ଙ୍କ କାର୍ଯ୍ୟ ଦକ୍ଷତା (Efficiency) ଶତକଡା ଶହେ ଭାଗରୁ ଅଧିକ ବୋଲି ଦର୍ଶାଗଲା । ତେଣୁ ଭବିଷ୍ୟତରେ ପଦୋନ୍ନତି, ଅବସର ସୀମା ବୃଦ୍ଧି ……… ଆଦିରେ କିଛି ବାଧା ରହିଲା ନାହିଁ । ଏହାପରେ ବଳକା ସମସ୍ୟାର ସମାଧାନ ନିମିତ୍ତ ବିଷ୍ଣୁ , ସୃଷ୍ଟି – ପାଳନ ଓ ସଂହାର ପ୍ରକ୍ରିୟାର ସବୁ ନଥି -ପତ୍ରାଦିକୁ ନିଜ ଲକର୍‌ରେ ରଖିଲେ । ଆରମ୍ଭହେଲା ତା’ଙ୍କ ବହୁମୁଖୀ ଯୋଜନା ଗୁଡିକର ଶିଳାନ୍ୟାସ ମହୋତ୍ସବ ମାନ । ଏହା ବିଭିନ୍ନତାର ବଳୟ ମଧ୍ୟରେ ରହି ସାମାଜିକ ବାର୍ତ୍ତାମାନ ପ୍ରେରଣ କଲା  ଓ କଳା – ସଂସ୍କୃତି – ବିଜ୍ଞାନାଦିର  ଉତ୍କର୍ଷତା ନିମିତ୍ତ ମାର୍ଗମାନ ଉନ୍ମୁକ୍ତ କରି ରଖିଲା । ଏହାର ସାରମର୍ମ ତା’ଙ୍କ ଟିପା ଖାତାରେ ନିମ୍ନମତେ ଦର୍ଶାଗଲା ।

(କ) ଅନନ୍ତ ବିଶ୍ୱ – ବ୍ରହ୍ମାଣ୍ଡର ସଂରଚନା ଓ ସନ୍ତୁଳନତା(Equilibrium)ର ଗୁରୁ ଦାଇତ୍ୱକୁ ବ୍ରହ୍ମା ସଠିକ୍ ରୂପରେଖ ଦେଇ କାର୍ଯ୍ୟ ଦକ୍ଷତାରେ ସବୁରି ଉପରେ  ରହିଲେ । ସୃଷ୍ଟିରେ କୌଣସି  ଜୀବ କିମ୍ବା ସେମାନଙ୍କ ଜ୍ଞାନ – କୌଶଳରୁ ଜାତ ଯନ୍ତ୍ରାଦିର କାର୍ଯ୍ୟଦକ୍ଷତାର ଲକ୍ଷଣରେଖା ସୃଷ୍ଟିକର୍ତ୍ତାଙ୍କଠାରୁ ବହୁ ପଛରେ ରହିବାର  ନିର୍ଦ୍ଧାରିତ ହେଲା,  ଯାହା ବିଧିର  ବିଧାନ  ଅଟେ । ଉଦାହରଣ ସ୍ୱରୂପ ସବୁଠୁ ଆଦର୍ଶ କାରନଟ୍’ଙ୍କ ଯନ୍ତ୍ର (Most Ideal Carnot’s Engine) ର କାର୍ଯ୍ୟଦକ୍ଷତା  ଶତକଡା  ଶହେ ଭାଗରୁ  କମ୍ ବୋଲି ପ୍ରମାଣସିଦ୍ଧ ହୋଇଅଛି, ଯାହା ତାପ ସଂଚାରଣ ନିୟମ  (Laws of Thermodynamics)ର  ଅନ୍ତର୍ଭୁକ୍ତ ଅଟେ । କାରନଟ୍’ଙ୍କ ଉପପାଦ୍ୟ (Carnot’s Theorem) କହେ ଯେ କୌଣସି ଯନ୍ତ୍ର  ର କାର୍ଯ୍ୟଦକ୍ଷତା କାରନଟ୍ ଇଞ୍ଜିନ୍ ଠାରୁ ଅଧିକ ହୋଇ ପାରିବ ନାହିଁ ଓ  ଏହା ପ୍ରତିପାଦିତ  ହୋଇଅଛି । ସେହିପରି ସୃଷ୍ଟିକର୍ତ୍ତାଙ୍କ କାର୍ଯ୍ୟଦକ୍ଷତା ଠାରୁ କାରନଟ୍ ଇଞ୍ଜିନ୍’ର କାର୍ଯ୍ୟଦକ୍ଷତା କସ୍ମିନ୍ କାଳେ ଅଧିକ ହୋଇପାରିବ ନାହିଁ । ଏହା ହେଲେ  ସୃଷ୍ଟି କବଳିତ କରିବ  ସ୍ରଷ୍ଟାକୁ ଯେମିତି କଂସାସୁର  ପିତା  ଉଗ୍ରସେନଙ୍କୁ ହଟାଇ ରାଜା ହୋଇଥିଲା ।

(ଖ) ବଳକା ଭୋକିଲା ଜୀବଙ୍କପାଇଁ ଖାଦ୍ୟ ଯୋଗାଣର ଆଂଶିକ ସମାଧାନ ସୂତ୍ର ହେଲା ମାଛ ତେଲରେ ମାଛ ଭଜା ପ୍ରକ୍ରିୟା । ସେଥିପାଇଁ କିଛି ଜୀବଙ୍କୁ ମାଂସାସୀ (Carnivorous) ରୂପେ ମାନ୍ୟତା ପ୍ରଦାନ କରାଗଲା  ଯଥା – ବ୍ୟାଘ୍ର, ସିଂହ, ସର୍ପ, ବେଙ୍ଗ,  ……. ଆଦି ସ୍ଥଳଚର, ଇଗଲ୍, ଛଞ୍ଚାଣ, ବାଜ, ବଗ, ଚିଲ …….. ଆଦି  ଆକାଶଚର, ଜଳଚର  ମାନଙ୍କ ମଧ୍ୟରୁ କୁମ୍ଭୀର, ତିମୀ ଓ ବହୁ ପ୍ରକାର ମତ୍ସ୍ୟାଦିଙ୍କୁ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ କରଗଲା । ପୁନଶ୍ଚ ଭଲ୍ଲୁକ, କାକ ,ବିରାଡି ……… ଆଦିଙ୍କୁ ମାଂସାସୀ ଓ ତୃଣଭୋଜୀ (Herbivorous) ରୂପେ ପ୍ରମାଣପତ୍ର ମିଳିଲା ଅର୍ଥାତ୍ ଏଥି ନିମିତ୍ତ ନୂତନ ଖାଦ୍ୟଭଣ୍ଡାର ସୃଷ୍ଟିର ଜରୁରତ୍  ପଡିଲାନାହିଁ । ଜୀବ -ଜୀବ ଭକ୍ଷଣ  ପ୍ରକ୍ରିୟାରେ ମଧ୍ୟ ମାନବ ଓ ଦାନବ ଆଦିଙ୍କୁ ସାମିଲ୍  କରାଗଲା, ଯାହା ସମ୍ପୂର୍ଣ୍ଣରୂପେ ନୁହେଁ କିନ୍ତୁ ପ୍ରକୃତିଗତ । ବର୍ତ୍ତମାନ ଉଦ୍‍ବୁଦ୍ଧ ମାନବ  ସର୍ବଭକ୍ଷ(Omnivorous)  ହେବାର ପ୍ରମାଣପତ୍ର ଲାଭ କରିବାର ଆଶାରେ ଗବେଷଣାରତ । ଯେହେତୁ  ଜନ ବିସ୍ଫୋରଣ ଭୟଙ୍କର ରୂପ ନେବ, ତେଣୁ  ଖାଦ୍ୟ  ଗ୍ରହଣ କରିବାର ରୁଚି ଓ ପ୍ରକାର ଭେଦରେ କୌଣସି ଅଙ୍କୁଶ କାମ କରିବ ନାହିଁ ।

(ଗ) ପୁନଶ୍ଚ ଜୀବାଣୁ, ଭୂତାଣୁ …… ଆଦିଙ୍କୁ ଖାଦ୍ୟ ସ୍ୱରୂପ ସମଗ୍ର ଜୀବଜଗତକୁ ସେମାନଙ୍କ ନିକଟରେ ସମର୍ପଣ କରିଦିଆଗଲା । ଅର୍ଥାତ୍ ଏଥି ନିମିତ୍ତ ନୂଆ  ଖାଦ୍ୟଭଣ୍ଡାର ସୃଷ୍ଟିର ଜରୁରତ୍ ପଡିଲା ନାହିଁ ।

(ଘ) ଉଦ୍ଭିଦ ଜଗତକୁ ଖାଦ୍ୟ ଯୋଗାଣ ପ୍ରକ୍ରିୟା ସହଜ ଓ ସରଳ କରାଗଲା । ଏମାନଙ୍କ ପାଇଁ ସୂର୍ଯ୍ୟଙ୍କଠାରୁ ଆସୁଥିବା ବିଦ୍ୟୁତ୍ – ଚୁମ୍ବକୀୟ ତରଙ୍ଗ(Electro – magnetic wave) ଓଜୋନ୍ ସ୍ତରରୁ ଅବଶୋଷିତ ପରେ ପୃଥିବୀ ପୃଷ୍ଠରେ ଆପତିତ ହୁଏ ଅବଲୋହିତ(Infrared)ତରଙ୍ଗ ଓ ଦୃଶ୍ୟମାନ(Visible)ତରଙ୍ଗ । ଅବଲୋହିତ ତରଙ୍ଗ ଜୀବସୃଷ୍ଟିର ଆଧାର ଓ ଦୃଶ୍ୟମାନ ତରଙ୍ଗ ଜୀବ ପୁଷ୍ଟିକରଣର କାରଣ ଅଟେ । ଅର୍ଥାତ୍ ଆଲୋକ ସଂଶ୍ଳେଷଣ (Photo – synthesis) ପ୍ରକ୍ରିୟା  ଉଦ୍ଭିଦ ଜଗତ ପାଇଁ ଖାଦ୍ୟ ଯୋଗାଣର ମାଧ୍ୟମ ହେଲା । ପୁନଶ୍ଚ ଚେର ଦ୍ୱାରା ଜଳ ଓ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଯୋଗାଣର ସୁନିଶ୍ଚିତ ବ୍ୟବସ୍ଥା ରହିଲା । ତେଣୁ  ପତ୍ରରେ  ରନ୍ଧନ କାର୍ଯ୍ୟ ଦିବା ବାରଘଣ୍ଟା ଅନ୍ୟାୟାସରେ ଚାଲୁ ରହିବ । ସେଥିପାଇଁ ତ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଠାରୁ ଅହରହ ପାରମାଣବିକ  ନାଭିକ (Atomic Nucleus) ହିଲିୟମ୍ – ହିଲିୟମ୍ ସଂଯୋଗୀକରଣ(Fusion) ରୁ ଆଲୋକ ବିକିରଣର ଯୋଜନା କରାଯାଇଛି । ତେବେ ଲଗାତର ମେଘୁଆ ପାଗ  କିଛିଟା ଅସୁବିଧା ସୃଷ୍ଟି  କଲେ ମଧ୍ୟ ଚଳିବ । କିନ୍ତୁ ଆର୍ଯ୍ୟାବର୍ତ୍ତର ପରମ ପତିବ୍ରତା ଓ ସତୀନାରୀ ଅନସୂୟାଙ୍କ ପଦାନୁସରଣ ପୂର୍ବକ ଅନ୍ୟ ସତୀ ମାନେ  ଧର୍ମସଂକଟ  ପରିସ୍ଥିତିରେ – “ଏକ ରାତି ହେଉ ସପତ ରାତି”ର ଅକାଟ୍ୟ ବାକ୍ୟ ପ୍ରୟୋଗ ପୁର୍ବକ ଦୃଢତା ପୋଷଣ କଲେ ପରିସ୍ଥିତି ତ ନିଶ୍ଚୟ ଗମ୍ଭୀର ହୋଇ ଉଠିବ ।

(ଙ) ଯେତେ ଯାହା ଚେଷ୍ଟା କରାଗଲେ ମଧ୍ୟ ସମସ୍ତଙ୍କ କ୍ଷୁଧା ନିବାରାଣାର୍ଥେ ଯୋଜନାର ଅଭାବ ଘଟିଲା । ତେଣୁ ଆହାର ଓ ଅନାହାର ଏକ ମୁଦ୍ରାର ଦୁଇପାର୍ଶ୍ୱ  ସଦୃଶ ରହିବ  ହିଁ  ରହିବ । ଅନ୍ଧାର ନ ଥିଲେ ଆଲୋକର ଚମତ୍କାରିତା କାହୁଁ ବା ଜଣା ପଡିବ ? ଯେହେତୁ ବଳକା ବହୁ ସଂଖ୍ୟକ ଜୀବ ମାନଙ୍କ ପାଇଁ ଖାଦ୍ୟ ଭଣ୍ଡାର  ସୃଷ୍ଟି କରିବାକୁ ଅନେକ  ସମସ୍ୟା ଆସିଲା ଓ ଏହାର ସମାଧାନ କରିବା କଷ୍ଟକର ହେଲା, ତେଣୁ ପ୍ରତିଦିନ କିଛି କିଛି ଜୀବ ଅନାହରରେ ରହିବାର ସ୍ଥିର ନିଶ୍ଚିତ ହେଲା । ଆରମ୍ଭ ହେଲା ଅନାହାର ମୃତ୍ୟୁର ବିଭିଷୀକା । ବନ୍ୟା,ବାତ୍ୟା, ମରୁଡି ……… ଆଦି ପ୍ରାକୃତିକ ବିପର୍ଯ୍ୟୟରୁ ସୃଷ୍ଟି ଦୁର୍ଭିକ୍ଷର କରାଳ ରୂପରୁ ମରୁମରୁ ବଞ୍ଚିଥିବା  ଜୀବ  ମାନଙ୍କ ମଧ୍ୟରୁ  ଅଧିକାଂଶ ଅନାହାର ମୃତ୍ୟୁର ଶୀକାର ହୁଅନ୍ତି । କିନ୍ତୁ କେତେକ ଅଞ୍ଚଳ ନିମିତ୍ତ ଅନାହାର ମୃତ୍ୟୁ ସତେକି ବିଧି ନିର୍ଦ୍ଦିଷ୍ଟ ଅନୁମେୟ ହୁଏ । ରାଜନୀତି ବଜାର ସରଗରମ ହୋଇଉଠେ । ଅନାହାର ମୃତ୍ୟୁର ପ୍ରଚାର ଖବର କାଗଜ ଗୁଡିକର ରୋମେରୋମେ ଜାଗିଉଠେ । ପୁନଶ୍ଚ ଅତ୍ୟାହାର ମୃତ୍ୟୁର  ସମ୍ବାଦବି କୌଣସି  ଗୁଣରେ କମ୍ ନୁହେଁ । ବିଭାଘର  ଆଦି  ଭୋଜିର ବଫେରେ ଚଢାଚଢି କରି ସାତଆଠ ଥର ଛେଳିମାଂସ , ଚିଲି ଚିକେନ୍, ଦୁଇପିସ୍ ଆଦି ଆନ୍ଧ୍ରା ମାଛ ଫ୍ରାଏ,  ଯଦି  ପୋଡାମାଂସ ଆଇଟମ୍ ହୋଇଥାଏ  ତେବେ ଥରେ, ମସ୍‍ରୁମ୍ ଚିଲି, ଭେଜ୍ ଆଇଟମ୍ ମୋଟେନୁହେଁ, ଶେଷକୁ କ୍ଷୀରି, ମିଠା, ଦହିବରା, ଗୁପ୍ -ଚୁପ୍ , ଆଇସ୍ – କ୍ରିମ୍ , ମୃଦ୍ୟୁ ଥଣ୍ଡା ପାନୀୟ …… ଡିଲକ୍ସ ପାନ୍  …..  ଇତ୍ୟାଦିରୁ  ଅଧେ ଖିଆ ଓ ଅଧେ ଫୋପଡା କିନ୍ତୁ ସବୁ ଠିଆଠିଆ ଗିଳିବା, କାରଣ ବସିବାର ଚାନ୍‍ସ ନାହିଁ । ଫଳତଃ  ସାଗର ରୂପୀ ପେଟରେ ଖୁଆ – ଦଣ୍ଡ ରୂପୀ ନାଭି-ମଣ୍ଡଳ   ଚତୁଃପାର୍ଶ୍ୱରେ ଆରମ୍ଭହୁଏ ସମୁନ୍ଦ୍ର ମନ୍ଥନ ଓ ଉଦ୍‍ଗତ୍ ହୁଏ ହଳାହଳ ମୟ ବିଷ । ଅର୍ଥାତ୍ ପରସ୍ପର ବିପରୀତ ଧର୍ମୀ ଖାଦ୍ୟର ସମାହାରରୁ ବିଷାକ୍ତ ପ୍ରକ୍ରିୟା ଭୟଙ୍କର ହୁଏ । ପେଟରେ ଭୟଙ୍କର ଯନ୍ତ୍ରଣା । ଥମିବାର ଚାନ୍‍ସ ନାହିଁ । ବିଷ୍ଣୁଙ୍କ ନାଭି କମଳରେ ବି ଯନ୍ତ୍ରଣା ଓ ଯେହେତୁ  ଏହା ବ୍ରହ୍ମାଙ୍କ ବସିବା ସ୍ଥାନ ତେଣୁ ଆସନ ଟଳମଳ ହୁଏ । ସବୁ  ଜୀବଙ୍କୁ ତ ଖାଦ୍ୟ ଯୋଗାଇ ହେଲାନି, କିନ୍ତୁ ଏ ବ୍ୟକ୍ତି ସର୍ବଗିଳା ସାଜି ଦରଚୋବା ଓ ବିପରୀତ  ଖାଦ୍ୟକୁ ତଣ୍ଟିଯାଏ ଗିଳିବା ସହିତ ଅନେକ ନାମୀ ଦାମୀ ଖାଦ୍ୟକୁ ଫିଙ୍ଗିଛି  ।  ଯେଉଁମାନେ ନିଜଘରେ ରବିବାରିଆ କିମ୍ବା  ବୁଧବାରିଆ ମାଉଁସ ଦିନ  ଛେଳିହାଡକୁ  ଚାଟିଚାଟି ଚିକ୍‍ଚିକ୍ କରି ନିଜର ପ୍ରତିଛବି ଦେଖନ୍ତି ସେମାନେ ଭୋଜିରେ ଅପକର୍ମ କରି ଆକୁଳ ଚିତ୍କାର କଲେ କିଏ ବା ଶୁଣିବ ? ତେଣୁ ଏ ବାବଦରେ କେତେକଙ୍କୁ  ମରିବାକୁ ବାଧ୍ୟ । ତେବେ ଅନାହାର ଓ ଅତ୍ୟାହାର ମୃତ୍ୟୁର ଏହା ଏକ ଏକ ଉଦାହରଣ ମାତ୍ର । କିନ୍ତୁ  ଏ ମହା ସୃଷ୍ଟିରେ ଏତାଦୃଶ ମୃତ୍ୟୁର ଅନେକ ଅନେକ  ରୂପରେଖ  ଭରିରହିଛି । ଛପନ କୋଟି ଜୀବଙ୍କୁ ଯେହେତୁ ପୂର୍ଣ୍ଣମାତ୍ରାରେ ଖାଦ୍ୟଭଣ୍ଡାରର ସୁଷମ ବଣ୍ଟନ ହେବା ଅତ୍ୟନ୍ତ   କଷ୍ଟକର ହେଲା, ତେଣୁ ପ୍ରତିଦିନ କିଛିକିଛି  ଜୀବଙ୍କୁ  ଅନାହାରରେ ରହିବା ସାର ହେଲା – ପ୍ରାକୃତିକ ଭାବେ ହେଉ ଅଥବା କୃତ୍ରିମ ଭାବେ ହେଉ । କିନ୍ତୁ ଜଣେ ଅତ୍ୟାହାରୀ  କ୍ଷଣକେ ବହୁ ପରିମାଣରେ ଖାଦ୍ୟ ତଣ୍ଟିଯାଏ ଗିଳିବା ସହ ନଷ୍ଟ ମଧ୍ୟ କରିଥାଏ, ଯାହାର କୁପ୍ରଭାବରେ ପ୍ରାକୃତିକ ବଣ୍ଟନ ଧାରା ଆଲୋଡୀତ ହୁଏ । ଫଳରେ କଳାମେଘ ଘୋଟିଗଲା ପରି କେତେକଙ୍କୁ  ଉପବାସ  ରହିବାହିଁ ସାର ହୁଏ । କିଏ ଖାଇବା ପତ୍ରରୁ ଉଠିଯାଏ ତ କାହା ମୁଖରୁ ଖାଦ୍ୟ ଛଡାଇ ନିଆଯାଏ … ଇତ୍ୟାଦି । ଭିନ୍ନଭିନ୍ନ ଢଙ୍ଗରେ ଅନାହାରର ତାଣ୍ଡବତା  ବ୍ୟାପିଯାଏ  ଚତୁର୍ଦ୍ଦିଗକୁ । ଏହାଦ୍ୱାରା ବ୍ରହ୍ମାଙ୍କ ପରିସଂଖ୍ୟନ ଅନୁଯାୟୀ ଯେତେ ସଂଖ୍ୟକ ଜୀବ ଅନାହାରରେ ରହିବାର ନିର୍ଦ୍ଧାରିତ ହୋଇଥିଲା ତାହା  ନ ହୋଇ ଅଯଥାରେ  ଏମାନଙ୍କ ସଂଖ୍ୟା ବୃଦ୍ଧି ହେବା ସହ ପ୍ରାକୃତିକ ପରିବେଷ୍ଟନୀକୁ ଅସନ୍ତୁଳିତ କରିଚାଲେ । ବିଜ୍ଞାନ ତତ୍ତ୍ୱ କହେ – ଯିଏ ପ୍ରାକୃତିକ ଧାରାକୁ ଭଲ ପାଇବାସହ  ଏହାର  ନିୟମକୁ ଉଲଘଂନ ନ କରି କାର୍ଯ୍ୟ କରେ ପ୍ରକୃତି ତା’କୁ ଭଲ ପାଏ ଓ ଏହା ସମାଜ ମଙ୍ଗଳ କାରକ ହୁଏ (i.e. Nature Loves Symmetry) । କିନ୍ତୁ  ପ୍ରକୃତିର  ବିରୁଦ୍ଧରେ କାର୍ଯ୍ୟ କଲେ ପ୍ରକୃତି ତା’ର  ସଦା ସାମ୍ୟ ନୀତିରୁ ନ ଓହରି ପ୍ରତିଶୋଧ ପରାୟଣ ହୋଇଉଠେ । ଫଳତଃ ଏହା ସମାଜର କ୍ଷତିକାରକ ହୁଏ ।

ସୃଷ୍ଟିର ମହାଜାଗତିକ ବିଜ୍ଞାନ(Cosmology) ବର୍ଣ୍ଣନା କରେଯେ, ଜଡ଼ରୁ ବ୍ରହ୍ମାଣ୍ଡ ପରିବ୍ୟାପ୍ତ ଓ ଜୀବ ଜଗତ୍‍ର ସୃଷ୍ଟି । ପୁନଶ୍ଚ ଏହା ମଧ୍ୟ ଅହରହ ପ୍ରତିପାଦିତ  ହେଉଅଛି  ଜୀବଜଗତ୍ ଜଡ଼ତା  ପ୍ରାପ୍ତାର୍ଥେ ଧାବମନ ଅର୍ଥାତ୍ ଭେଟିବାକୁ ମୃତ୍ୟୁ – ସିନ୍ଧୁ କରାଳ ଲହରୀ । ଯଦି ଜନ୍ମ ଓ ମୃତ୍ୟୁର ସଂଖ୍ୟା ମିଶି ଶୂନ ହୁଅନ୍ତା ତେବେ ଏ  ବାବଦରେ ଖାଦ୍ୟ  ସମସ୍ୟା ଏକ ସ୍ଥିର ସମୀକରଣର ରୂପରେଖ ନିଅନ୍ତା । କିନ୍ତୁ କଳିରେ ଜନ୍ମର ହାର ଏତେ ବୃଦ୍ଧି ପାଇବ ଯେ ଖାଦ୍ୟ  ଯୋଗାଣରେ ଉତ୍କଟତା  ଅନୁଭୂତ ହେବ । ତେଣୁ ଜନ୍ମ  ସଂଖ୍ୟାରୁ ମୃତ୍ୟୁ  ସଂଖ୍ୟାକୁ ବିୟୋଗ କଲେ ଯାହା ରହିବ ସେତିକି ସଂଖ୍ୟକ ଜୀବ ପୁଣି ଅନାହାରରେ ରହିବାକୁ ବାଧ୍ୟ ହେବେ । ଏ  ସଂଖ୍ୟା ସ୍ଥିର ବା ଅସ୍ଥିର  ଭାବେ ବୃଦ୍ଧି  ପାଇପାରେ, ଶୂନ  ହୋଇପାରେ ଅଥବା କିଛିକ୍ଷଣ ପାଇଁ ପଶ୍ଚାତ୍‍ମୁଖୀ ହୋଇ ବିଯୁକ୍ତ ରାଶି ହୋଇପାରେ । ଏ ଅଧିକାରକୁ  ମାନବ ସମାଜ ପାଇଁ  ଦୁର୍ଗାପୂଜା ଭେଟି  ସ୍ୱରୂପ  ଅଜାଡି ଦିଆଗଲା । ତେଣୁ ମାନବ ଏବେ ଯାହା ଚାହିଁବ ତାହା କରିପାରିବ । ଯେହେତୁ ମାନବ ଯୁଗେଯୁଗେ ନିଜକୁ  ସବୁଠୁ ଚାଲାକ୍‌ଖୋର୍‍ ଭାବେ ଓ ବୁଡି ବୁଡି ପାଣି ପିଏ,  ସେହି ଧାରାରେ ନିଜସ୍ୱ ଯନ୍ତ୍ର – ଜ୍ଞାନ କୌଶଳକୁ ମନଇଛା ପ୍ରୟୋଗ କରି ରୋଟି – କପଡା ଔର୍ ମକାନ୍‍ର  ଯେତେ ସୁବ୍ୟବସ୍ଥା ହୋଇପାରେ ତାହାକୁ ସାକାର  କରି କରି  ଯିବା ସହ ମଉଜ ମଜ୍‌ଲିସ୍‌ରେ ବହୁମୂଖୀ ଲାଳସାକୁ  ଚରିତାର୍ଥ କରିବା ନିମିତ୍ତ “ମସ୍ତ ମସ୍ତ ଆଖିରେ  ମସ୍ତ ଚାହାଣୀ” ର ଅପୂର୍ବତାକୁ ଅତ୍ୟାଧୁନିକ ଦିଗରେ ଆଗେଇ  ନେବାରେ  ବ୍ୟତିବ୍ୟସ୍ତ ରହିବ । ଯଦି ଗଜାନନ ଓ କାର୍ତ୍ତିକେୟଙ୍କ ମଧ୍ୟରେ  ପ୍ରତିଯୋଗିତା ସତ୍ୟ  ହୋଇଥାଏ ଏବଂ ଗଣେଶ ମୂଷିକ ପୃଷ୍ଠରେ ପିତା -ମାତାଙ୍କୁ ବ୍ରହ୍ମାଣ୍ଡ ମଣି ତା’ଙ୍କ  ଚତୁଃପାର୍ଶ୍ୱରେ ସାତଥର ନିମିଷକେ ଘୂରି ପୁର୍ବସ୍ଥାନରେ  ସ୍ଥିର ରହିବା ଓ କାର୍ତ୍ତିକେୟ  ମୟୁର ପୃଷ୍ଠରେ ସତସତିକା ଚଉଦ ବ୍ରହ୍ମାଣ୍ଡକୁ ସାତଥର ପରିକ୍ରମଣ କରି ଫେରିଆସି ଥା’ନ୍ତି, ତେବେ ପୁରାତନ ପ୍ରସ୍ତର ଯୁଗକୁ  ଅତି – ନୂତନ ପ୍ରସ୍ତର ଯୁଗ(Ultra- Neolithic Period)ରୁ  ସତ୍ୟତାର ପ୍ରତିପାଦନ ନିମିତ୍ତ , ଏ ମାନବ ସମାଜ ବୁଲିବୁଲି ଶେଷକୁ ସେହି ଆଦିମାନବ ରୂପରେଖରେ ପହଞ୍ଚିବାର ସମ୍ଭାବନାକୁ କେମିତି ବା ଏଡାଇ ଦିଆଯାଇ ପାରିବ ? ତେଣୁକରି କପଡା ଗୁଡିକର ଅପସାରଣ ହୋଇହୋଇ ଚାଲିବ ଓ ଶେଷକୁ  ଏ ବିଶ୍ୱ କପଡା ଶୂନ୍ୟ ହୋଇଯିବ ଏବଂ ଗଦା ଗଦା  ସର୍ଟ୍ ସାର୍ଟ୍, ସର୍ଟ୍ ପ୍ୟାଣ୍ଟ୍ ଆଦି ଖତ ଖାଇବ । ଅର୍ଥାତ୍ ଆମେ ସମସ୍ତେ କପଡାରେ ଆବୃତ୍ତ ହୋଇ ନ ଥିବା ଶରୀରକୁ ନେଇ  ବିଚରଣ କରିବା । ଟିଭି ପରଦାଠୁଁ  ଆରମ୍ଭ କରି ଏଠି ସେଠି ସବୁଠି କପଡା ଶୂନ୍ୟ ମାନବର ଲୀଳା ଖେଳା ହିଁ ଦୃଶ୍ୟମାନ ହେବ ।

ଯେହେତୁ ଅତ୍ୟାଧୁନିକ ମାନବ ଆଦିମାନବ ରୂପରେ ଦଣ୍ଡାୟମାନ ହେବାର ଆଶଙ୍କା ବୃଦ୍ଧିପ୍ରାପ୍ତ, ତେଣୁ ଖାଦ୍ୟ ଯୋଗାଣ ସମସ୍ୟାର ମୁଣ୍ଡବିନ୍ଧା କିଛିଟା କମିବ – କାରଣ  ସେତେବେଳେ ମାନବର ଶରୀର ସରୁଆ ହୋଇଯିବ ଓ ହ୍ୟାଲୋ – ହାଏ – ଡାଡ୍ – ମାମ୍ – ଟା ଟା – ବାଏ – ବାଏ ଷ୍ଟାଇଲ୍‌ରେ ଖାଦ୍ୟର ପରିମାଣ କମିଯିବ । “ସମସ୍ତେ  ହେବେ ଏକାକାର – ବେଦରେ ନଥିବ ବିଚାର” । ଆଦିମାନବର ରୁଚିକୁ ସର୍ବେ ରୁଚି ଭାବେ ଗ୍ରହଣ କରିବେ ଓ କଞ୍ଚାମାଂସ ଖାଦ୍ୟର  ମୁଖ୍ୟ ଆଇଟମ୍  ବନିବ । ପ୍ରକୃତି  ଯେପରି  ତା’ର ଧାରାକୁ ଦୋହରାଇ ଚାଲିଛି, ଯଥା – ଋତୁ ଚକ୍ର, ଦିବା – ରାତ୍ରି ଚକ୍ର, ଜଳ ଚକ୍ର, ଯବକ୍ଷାରଜାନ ଚକ୍ର ………… ଇତ୍ୟାଦି, ସେହିପରି  ଅତ୍ୟାଧୁନିକ ମାନବରୁ  ଆଦିମାନବ ଚକ୍ର ପାଇଁ ବିଚଳିତ ହେବାର କିଛି କାରଣ ନାହିଁ  । ଫଳତଃ ଖାଦ୍ୟ ଖାଇବା ପରିମାଣ କମିଲେ ସେ ବାବଦକୁ କିଛି  ଅନାହାରୀଙ୍କ  ସଂଖ୍ୟା ମଧ୍ୟ କମିବ ।

ବର୍ତ୍ତମାନ ଆସନ୍ତୁ ଦେବ – ମାନବ – ଦାନବର ଏକ ବିନ୍ଦୁରେ ସନ୍ତୁଳନତା (Co- existence at a point) ର ବିଷୟକୁ ଗୁରୁତର ସହ ବିଚାର କରିବା । ଯେପରି  ପଦାର୍ଥର  ତ୍ରୀ- ବିନ୍ଦୁ (Tripple Point) – କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥା ତ୍ରୟର ସନ୍ତୁଳନତାକୁ ବୁଝାଏ ଓ ଏଥିରେ ଟିକିଏ  ଓଲମ୍‍ବିଲମ୍ ଘଟିଲେ ପଦାର୍ଥ  ଯେକୌଣସି ଅବସ୍ଥାକୁ  ଚାଲିଯାଏ, ସେହିପରି ଦେବ – ମାନବ – ଦାନବ ମାନଙ୍କ ପାଇଁ ଏକ ତ୍ରୀ- ବିନ୍ଦୁୟ ସନ୍ତୁଳନତାକୁ ଏଡାଇ ଦିଆଯାଇ ନପାରେ । ପ୍ରତ୍ୟେକଙ୍କ  ପାଇଁ କର୍ମକ୍ଷେତ୍ର ନିଜସ୍ୱ  ଚେଷ୍ଟା ଓ  ବାହ୍ୟ ପ୍ରଭାବର ମିଶ୍ରିତ ଫଳାଫଳ ଅଟେ । ଗୁଣତ୍ରୟର ପ୍ରଭାବରେ ମାନବ ପ୍ରଭାବିତ । ସତ୍ତ୍ୱ, ରଜ ଓ ତମ ଗୁଣଧାରୀ  ମାନଙ୍କୁ  ଯଥାକ୍ରମେ ଦେବ, ମାନବ  ଦାନବ ଭାବରେ     ଚିତ୍ରଣ କରାଯାଇପାରେ । ତେବେ ବସ୍ତୁର କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାର ଧର୍ମ କ୍ରମାନ୍ୱୟରେ ତ୍ରୀ – ଗୁଣ ସହ  ସାମଞ୍ଜସ୍ୟ ଥିବାର ଅନୁଭୂତ ହେଉଅଛି । ସାତ୍ତ୍ୱିକ ଚେତନା  କଠିନତାର ପ୍ରତୀକ ଅଟେ । ଏତାଦୃଶ ବ୍ୟକ୍ତି ସତ୍ୟପ୍ରେମୀ, ନିଷ୍ଟାବାନ୍ ଓ ସରଳ ଅଟନ୍ତି । ରାଜସିକ  ଚେତନା ଓ ତରଳ ଅବସ୍ଥା ଗୋଟିଏ ବୃନ୍ତର ଦୁଇଟି ପାଖୁଡା ସଦୃଶ । ଚିର ଭୋଗ୍ୟା ଏ ବସୁନ୍ଧରା । ଭୋଗ ବିଳାସର ଲାଳସାରେ ରାଜସିକ ବ୍ୟକ୍ତିର ମନ ତରଳ  ଅବସ୍ଥାରେ ଥାଏ ଓ ଯେଉଁ ଆଡକୁ ସୁବିଧା ପାଏ ସେହି ଦିଗକୁ ବୋହିଚାଲେ । ଏମାନେ ପ୍ରାୟ ଅନ୍ୟାୟର ପ୍ରତିରୋଧ କରନ୍ତି ନାହିଁ । ଯାହା ବି କରନ୍ତି ତାହା  ସମୁନ୍ଦ୍ରକୁ  ଶଙ୍ଖେ ପାଣି ପରି । କାଳେ ନିଜସ୍ୱ ବିଳାସ ବ୍ୟସନ ଓ ସାମାଜିକ ସ୍ଥିତି ପ୍ରତି ବିପଦ  ଆସିଯିବକି ? ତେଣୁ ସାତ୍ତ୍ୱିକ ପାଖରେ ହଁ ଓ ତାମସିକ ପାଖରେ ମଧ୍ୟ ହଁ । ସବୁ  ଦିଗରୁ ସୁବିଧା ମାରିମାରି ଏମାନେ ମନାନନ୍ଦେ ଓ ପ୍ରେମାନନ୍ଦେ ଜୀବନ ଯାପନ କରନ୍ତି । ପୁନଶ୍ଚ ତାମସିକ ବ୍ୟକ୍ତି ପଦାର୍ଥର ଗ୍ୟାସୀୟ ଅବସ୍ଥା ସହ ତୁଳନୀୟ କହିଲେ  ଅତ୍ୟୁକ୍ତି ହେବ ନାହିଁ । ଜଳର ବାଷ୍ପୀକରଣ ଯେପରି ଉର୍ଦ୍ଧ୍ୱକୁ ଉଦ୍‍ଗତ, ତାମସିକ ମାନେ ମଧ୍ୟ  ସେହିପରି ଉପର ମୁହାଁ । ବାଷ୍ପକୁ ଅବରୋଧ କଲେ,  ଅବରୋଧୀର  ପୃଷ୍ଠରୁ ବୁନ୍ଦାବୁନ୍ଦା ହୋଇ ଜଳ ଉପରକୁ ନଯାଇ ତଳକୁ ପଡେ । ଠିକ୍ ସେହିପରି ତାମସିକଙ୍କୁ ପ୍ରତିରୋଧ କରିଲେ ଅନେକ ସମୟରେ ସେମାନେ ତରଳତାର  ଗୁଣଧର୍ମ ଥିବା ଏକ ଅବାସ୍ତବ ପ୍ରତିଛବି(Virtual Image)ରୂପେ ତଳମୁହାଁ କାଙ୍କ ସାଜନ୍ତି । ବାଷ୍ପ କ୍ଷଣକେ ଚତୁର୍ଦ୍ଦିଗକୁ ବ୍ୟାପିଯାଏ ଏବଂ  ଏହି ଭାବରେ ତାମସିକ ଗଣ ଏ ବିଶ୍ୱ – ବ୍ରହ୍ମାଣ୍ଡକୁ କବ୍‍ଜାରେ ରଖିବାକୁ ଯତ୍‍ପରନାସ୍ତି ଚେଷ୍ଟା କରନ୍ତି । ଏମାନେ ଖଳ, ଈର୍ଷାପରାୟଣ, ହୀନ, ଷଡଯନ୍ତ୍ରକାରୀ, ଲୁଟେରା, ଅହଂକାରୀ, ଅତି ମାତ୍ରାରେ ବିଶୃଙ୍ଖଳିତ, ହିତାହିତ ଜ୍ଞାନ ଶୂନ୍ୟ, ବିଷଧର ସର୍ପଠାରୁ ବି ଭୟଙ୍କର …………….. ଇତ୍ୟାଦି ଇତ୍ୟାଦି ଅସଂଖ୍ୟ ଦୁର୍ଗୁଣ ଗୁଡିକର ସମାହାର । କିନ୍ତୁ  ମାନବର ମାନସପଟରେ ବୌଦ୍ଧିକତା (Rationality) ଓ ନିଷ୍ଠୁରତା ବା ପାଶବିକତା (Animality) ର ଭାବ ମହଜୁଦ ରହିଛି, ଯାହା ତ୍ରୀ -ଗୁଣକୁ ବୁଝାଏ । ତେଣୁ ଏ  ପଞ୍ଚଭୂତ ଶରୀରହିଁ ଦେବ – ମାନବ – ଦାନବ ରୂପର ସମାହାର ଅଟେ, ଅର୍ଥାତ୍ ଏକ ବିନ୍ଦୁରେ ସନ୍ତୁଳନତାର ପ୍ରତୀକ ଅଟେ । ମନର ଆଣ୍ଟିନା  ଯେଉଁ  ଦିଗକୁ ଆକର୍ଷିତ,  ଜୀବ  ମାନଙ୍କର ପ୍ରକୃତି ସେହି ସ୍ୱରୂପର ହୁଏ ।  ବର୍ତ୍ତମାନର ସାମାଜିକ ଦୃଶ୍ୟପଟ୍ଟରୁ ପ୍ରତୀୟମାନ ହେଉଅଛିକି ଏ ମାନବ  ଜଗତ୍‌ରେ ଦାନବୀୟ  ଚରିତ୍ର ଗଣଙ୍କ  ସଂଖ୍ୟା  ଦ୍ରୁତଗତିରେ ବୃଦ୍ଧିପ୍ରାପ୍ତ ହେଉଅଛି ଓ ବିଶ୍ୱର କୋଣ,  ଅନୁକୋଣ ଏବଂ ପ୍ରତିକୋଣରେ ଏମାନଙ୍କ ପ୍ରାଦୃଭାବର  ମାତ୍ରା ଅଧିକରୁ  ଅଧିକତର  ହେଉଅଛି ।

ସେଥିପାଇଁ ବୋଧହୁଏ ଏ କଳିଯୁଗ ବାବାମୟ ହୋଇଉଠିଛି । ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିବାର ଅଦମ୍ୟ ପିପାସାରୁ ଜାତହୁଏ ଅସଂଖ୍ୟ ଧାବମାନ ପଥ ।  କିଏ କେଉଁ ମାର୍ଗରେ  ଧାବିତ ହୋଇ କେଉଁ ବାବାଙ୍କ ପାଖରେ ପହଞ୍ଚିବ ବା ପହଞ୍ଚାଇ ଦିଆଯିବ ତାହା ଆକଳନ କରିବା ଅତ୍ୟନ୍ତ କଷ୍ଟକର ଅଟେ । ଅଳ୍ପ ଖର୍ଚ୍ଚରେ ବହୁତ ମିଳିବ  ଓ ସକଳ କାମନା  ପୂରଣ ହେବା ଆଶାରେ ଛନ୍ଦାଛନ୍ଦି ବ୍ୟକ୍ତିଙ୍କର ଅଭାବ ନାହିଁ । ତେଣୁ ଭକ୍ତଙ୍କର ସଂଖ୍ୟା ହୁହୁ ବଢିଚାଲିବ । ଅଲୌକିକତାର ପ୍ରଚାର ଓ ପ୍ରସାର, ଭକ୍ତ – ଭକ୍ତ ମିଳନ, ଭାବାକୁଳ    ମନରୁ ଉଦ୍‍ଗତ ବହୁସୂତ୍ରୀ ପ୍ରବଚନ, ପାଣ୍ଠିକୁ କିସ୍ତି ସ୍ୱରୂପ ଅକୁଣ୍ଠ ମନରେ ଦାନ ଦ୍ୱାରା  ଭଗବାନଙ୍କୁ ଆପଣେଇବାର  ଅଭିଳାଷ,  ବିନା  ପିଆଜ – ରସୁଣ ଖାଦ୍ୟ ସେବନ, କ୍ରମେ   କ୍ରମେ ଧରା ପୃଷ୍ଠରେ ଆବିର୍ଭାବ  ହେଉଥିବା ପିଆଜ – ରସୁଣ ବିହୀନ ଭୋଜନାଳୟରେ ଏକତ୍ରିକରଣ,  ଗୁରୁଙ୍କ ଦୀକ୍ଷା  ଗ୍ରହଣ ଓ ତହିଁରୁ ଆଶୀର୍ବାଦ ପ୍ରାପ୍ତାର୍ଥେ  ଦଳାଚକଟା  ଓ  ଭିଡକୁ ବେଖାତିର ପୂର୍ବକ ତା’ଙ୍କ ପାଦ ପଦ୍ମରେ ଯେନତେନ ପ୍ରକାରେ ନିଜକୁ ସମର୍ପଣ କରିବାର  ଅଦମ୍ୟ  ପିପାସା, ଭକ୍ତ ମିଳନ ପେଣ୍ଠରେ ନିର୍ଦ୍ଧାରିତ ସମୟରେ ପହଞ୍ଚିବାର     ବ୍ୟାକୁଳତାର ରୂପରେଖରେ ବେଳେବେଳେ ଝଲସି ଉଠେ ଶାଶୁ – ବୋହୁ ଓ ବୋହୁ – ଶାଶୁ , ସ୍ୱାମୀ – ସ୍ତ୍ରୀ ଓ ସ୍ତ୍ରୀ – ସ୍ୱାମୀ …….. ଇତ୍ୟାଦି ଯୋଡ଼ ଏବଂ ବିଯୋଡ଼  ଚରିତ୍ର  ମାନଙ୍କ ମଧ୍ୟରେ କାଦୁଆ ଫିଙ୍ଗାଫିଙ୍ଗି ଆଦି ନାନାବିଧ ଘଟଣାବଳୀ । ତାପ ପ୍ରବାହର  ନିୟମ(Laws of Thermodynamics) କହେ ବିଶ୍ୱର ଅଧିକାଂଶ  ପ୍ରକ୍ରିୟା ଏକ  ଦିଗାଭିମୁଖୀ (Irreversible) । ଉଦାହରଣ ସ୍ୱରୂପ ଜନ୍ମରୁ  ପ୍ରକ୍ରିୟାମାନ  ଘଟିଚାଲେ ମୃତ୍ୟୁ ଯାଏଁ,କିନ୍ତୁ ପଛକୁ ଫେରେନି । ପୁଣି ମଳଦ୍ୱାର ଓ ପରିସ୍ରାଦ୍ୱାର ପାଖରେ  ଯଦି  ଝାଡା ଓ ପରିସ୍ରା ରଖିଦିଆଯାଏ ତାହା  ପେଟ ଭିତରକୁ ଯାଇ  ମୁଖବାଟେ ଖାଦ୍ୟ ଏବଂ ପାନୀୟ ଜଳ ରୂପେ ବାହାରେ ନାହିଁ । ଏହାହିଁ ପ୍ରାକୃତିକ ନିୟମ ଓ  ଅନ୍ୟ ଭାଷାରେ  ଏହାକୁ ବିଧିର ବିଧାନ ମଧ୍ୟ  କୁହାଯାଇ ପାରେ । ଯଦି କୃତ୍ରିମ ଭାବେ କୌଣସି ପ୍ରକ୍ରିୟାକୁ ପଶ୍ଚାତ୍‍ଗାମୀ(Reversible) କରାଯାଏ, ତେବେ ଅସ୍ଥିରତା (Disorderedness) ର ମାତ୍ରା ପରିବେଶ  ପାଇଁ  ଅତ୍ୟଧିକ ହୁଏ । ପଦାର୍ଥ ବିଜ୍ଞାନ ଭାଷାରେ ଏହି ଅସ୍ଥିରତାକୁ ଏକ ସ୍ୱତନ୍ତ୍ର ମାପକରେ ମପାଯାଏ , ଯାହାକୁ ଏଣ୍ଟ୍ରୋପି (Entropy) କୁହାଯାଏ । ପ୍ରାକୃତିକ ଧାରାରେ  ଜନ୍ମ ହୋଇଛି ଏ ବିଶ୍ୱ । ତେଣୁ ମୃତ୍ୟୁ ଅବଶ୍ୟମ୍ଭାବୀ ଯାହା  ଅସ୍ଥିରତା ବୃଦ୍ଧିପ୍ରାପ୍ତରୁ ହେଉଅଛି । ତେବେ ପ୍ରାକୃତିକ ଧାରାରେ ବିଘ୍ନ ଘଟାଇଲେବି  ପ୍ରକୃତି  ତା’ର କାର୍ଯ୍ୟହିଁ କରିବ ଅର୍ଥାତ୍ ଅସ୍ଥିରତାର ମାତ୍ରା ବହୁଗୁଣିତ ହୋଇ ବିଶ୍ୱର ଅପରିପକ୍ୱ ମୃତ୍ୟୁ   (Immatured Death) ହେବ । ଏତାଦୃଶ ବୈଜ୍ଞାନିକ ପର୍ଯ୍ୟବେକ୍ଷଣ  ଧାରାକୁ  ଯଦି ଉପରୋକ୍ତ ଘଟଣାବଳୀ ଉପରେ ଅଜାଡି ଦିଆଯାଏ (Superimpose), ତାହାର ପ୍ରତିଫଳନ ନିମ୍ନମତେ ଦର୍ଶାଯାଇପାରେ ।

ଯଦି କୌଣସି ଶାଶୁ ବାବା – ଧର୍ମରେ ଦିକ୍ଷୀତ ଓ ଅତି ମାତ୍ରାରେ କୁସଂସ୍କାରଯୁକ୍ତ କିନ୍ତୁ ବୋହୁଟି ସତ୍ୟନିଷ୍ଠା ଏବଂ ସହିଷ୍ଣୁତାର ପ୍ରତୀକ, ତେବେ ଭକ୍ତ ମିଳନ ପେଣ୍ଠରେ  ଶାଶୁର ମନ ଚୈତନ – ଉପଯୋଗୀତାର ଉଦ୍ଦାମତା ସୃଷ୍ଟିକରେ ପାରିବାରିକ ଅଶାନ୍ତି । ଶାଶୁର ଗଞ୍ଜଣା ସହିବା ସହିତ ପରିବାରର ସମସ୍ତ କାର୍ଯ୍ୟ ବୋହୁ ଉପରେ ନ୍ୟସ୍ତ ହୋଇଥାଏ ।  ‘ପୁତ୍ରବଧୁ ପଛେ ନର୍କେ ପଡିଥାଉ ଶାଶୁ ଉଦ୍ଧାର’ ହେଉ ଢାଞ୍ଚାରେ, ନିର୍ଦ୍ଧାରିତ ସମୟରେ ପେଣ୍ଠରେ ପହଞ୍ଚିବା ପାଇଁ ଶାଶୁର  ଡ୍ରେସିଂ, ପେଣ୍ଟିଂ ଆଦି  ଦାଇତ୍ୱକୁ ବୋହୁ ସବୁ ସହି  ତୁଲାଇବାକୁ ପଡେ ।  ମୁହଁ ଖୋଲିଲେ ଅବସ୍ଥା ଅସମ୍ଭାଳ । ନିରୀହ ବଧୁଟିର ମନରେ ଅସ୍ଥିରତା ବୃଦ୍ଧିହୋଇ  ଚାଲେ ତା’ର  ଶେଷ ସମୟ  ଯାଏ । ପୁଣି ଯୌତୁକ ଗଞ୍ଜଣା,  କିରୋସିନି ଆଦିର ସଠିକ୍ ବ୍ୟବହାର ସମ୍ବାଦ ପତ୍ରର ପୃଷ୍ଠା ମଣ୍ଡନ କରିବା ସାର ହୁଏ । ଅର୍ଥାତ୍ ଯେଉଁ କୃତ୍ରିମତା ବିଶ୍ୱକୁ  ମୃତ୍ୟୁ ଆଡକୁ  ତ୍ୱରାନ୍ୱିତ କରୁଛି ,କିଛି ଶାଶୁ ମାନଙ୍କର    କୃତ୍ରିମତା ମଧ୍ୟ କିଛି ବଧୁ ମାନଙ୍କୁ ଶୀଘ୍ର ମୃତ୍ୟୁ ମୁଖକୁ ଠେଲି ଦେଉଛି । ଏହାକୁ ଓଲଟା ଭାବିଲେ ଅଥବା ହ୍ୟାଲୋ – ହାଏ – ଡାଡ୍ – ମାମ୍ – ଜିନ୍ – ସର୍ଟସାଟ୍ – ଗୁପ୍‍ଚୁପ୍ – ଚାଓମିନ୍ – ଏଗ୍‍ରୋଲ୍ …. ଇତ୍ୟାଦି ଜାତୀୟ ପୁତ୍ରବଧୂ ଯଦି ନିରୀହ ଓ ସହିଷ୍ଣୁତାରୂପୀ ଶାଶୁ  ସହ ସଂଯୋଗୀକରଣ  ଘଟେ, ତେବେ ପବିତ୍ର ସଂସ୍କାରରେ ଘୋର ବିପ୍ଳବ ଘଟି   ପାରିବାରିକ ଅସ୍ଥିରତା ସୀମା ଲଂଘନ କରେ । ସୃଷ୍ଟିହୁଏ ନାରକୀୟ ସାମାଜିକ ଘଟଣାବଳୀ । ଆଖିଲୁହ  ଆଖିରେ ପୋଛି ସର୍ବଂସହା ଶାଶୁ ବୃଦ୍ଧାବୟସରେ ବୋହୁର ଯାତନା  ସହିଚାଲେ ଦୀପର ସଳିତା ସମ୍ପୂର୍ଣ୍ଣ ଜଳିଯିବା ପର୍ଯ୍ୟନ୍ତ । ତୃତୀୟତଃ ଦୁଇପକ୍ଷ ନକରାତ୍ମକ  ହେଲେ  ପାରିବାରିକ ପରିବେଶ ଭୟଙ୍କର ପ୍ରଦୂଷଣଯୁକ୍ତ ହୁଏ । କିନ୍ତୁ ଉଭୟ  ସକରାତ୍ମକ ଚିନ୍ତାଧାରୀ ହେଲେ ତାହାହିଁ ହେବ ପ୍ରାକୃତିକ ଢାଞ୍ଚାର ସର୍ବଶ୍ରେଷ୍ଠ  ପାରିବାରିକ  ସନ୍ତୁଳନତା । ସେହିପରି ସ୍ୱାମୀ – ସ୍ତ୍ରୀ ଓ ସ୍ତ୍ରୀ – ସ୍ୱାମୀ ପ୍ରଭୁତ୍ୱ ଜାହିର, ସନ୍ଦେହର  ଘେର  …… ଓ ଅନ୍ୟାନ୍ୟ ଚରିତ୍ରାଦିର ସଂଯୁକ୍ତରୁ ଉଦ୍‍ଗତ ସାମାଜିକ ବ୍ୟାଧିର ଦର୍ଶନ  ତତ୍ତ୍ୱ ଏବଂ ବ୍ୟାଖ୍ୟା, ଏକତା ମଧ୍ୟରେ ଭିନ୍ନତା ଓ ଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା  ପ୍ରେରଣ  କରେ । ପୁନଶ୍ଚ ପ୍ରଚାରିତ ବିୟୋଗାତ୍ମକ ଖାଦ୍ୟ ପିଆଜ – ରସୁଣକୁ  ସାତ୍ତ୍ୱିକ ପୀଠ ମାନଙ୍କରେ ବାରଣ ଓ ତହିଁରୁ ଜାତ ଭୋଜନାଳୟ ମଧ୍ୟରେ ବାରଣ ହେତୁ ସେହି     ଜାତୀୟ ବଳକା ଖାଦ୍ୟ ସାତ୍ତ୍ୱିକ ଚେତନାହୀନ ମାନବଙ୍କୁ ଖାଦ୍ୟ  ଯୋଗାଣ ସମସ୍ୟାରୁ କିଛିଟା ଲାଘବ ମିଳିଲା ।

ଆହୁରି ମଧ୍ୟ ଦୃଶ୍ୟମାନ ହୁଏ କିଛି ସ୍ୱପ୍ରଚାରିତ ଈଶ୍ୱରରୂପୀ ବ୍ରହ୍ମତେଜୀ(Self- Styled God) (ଦଶ ଅବତାର ପରେ କେଉଁଟି ନୁହେଁ ) ମାନଙ୍କର ହୁହୁ ଉତ୍‍ଥାନ  ଓ ନିଜସ୍ୱ  କୁକର୍ମର  ପ୍ରଘଟରୁ ଅତି କୁତ୍ସିତ ଭାବେ ପତନ । ଏପରିକି କେତେକଙ୍କ ନିତ୍ୟକର୍ମାଦିରୁ ବର୍ଜିତ ବସ୍ତୁ ମଧ୍ୟ ତଳେ ପଡୁନାହିଁ । ଉଦାହରଣ ସ୍ୱରୂପ  ଗାଭୀ ଦୁଗ୍‍ଧରେ ସ୍ନାନ ପରେ  ସେହି  ଗାଧୁଆ ଦୁଗ୍‍ଧ ଓ ତହିଁରେ ମିଶିଥିବା ଦେହର ମଳି, ସ୍ୱେଦ ଆଦି ସମୁହରୁ ପ୍ରସ୍ତୁତ କ୍ଷୀରୀ  ଭକ୍ତ ମାନଙ୍କ ପାଇଁ ଦିବ୍ୟ  ପ୍ରସାଦ  ରୂପେ ଗୃହିତ ହେବାର ଦୃଶ୍ୟପଟ୍ଟ ବ୍ରହ୍ମାଙ୍କ ଚକ୍ଷୁରେ  କିଛିଟା ଖାଦ୍ୟ ସମସ୍ୟା ଦୂର  ହେବାପ୍ରାୟ ଲାଗିଲା । କାରଣ ଗାଧୁଆ ଦୁଗ୍‍ଧରେ ଅନ୍ୟାନ୍ୟ  ବସ୍ତୁତ୍ୱର ସମିଶ୍ରଣ  ଘଟିଥାଏ ଯଥା, – ଅଙ୍ଗ ମଳୁଖ, ଛେପ, ଖଙ୍କାର,  ସିଘାଂଣି,  ସ୍ନାନ ପୂର୍ବରୁ ହୋଇଥିବା ତୈଳ ମାଲସ୍‍ ଓ ପ୍ରଲେପର କିଛି ଭାଗ , ଶରୀରରୁ ଝଡିଥିବା ଲୋମ ଓ କେଶ  ………….  ଏବଂ  ଯେହେତୁ ପ୍ରକୃତିର ବିରୁଦ୍ଧରେ ନଯିବା ପାଇଁ ସେମାନେ ଦୃଢ ସଂକଳ୍ପବ୍ରତୀ, ତେଣୁ ଗାଧୁଆ ସମୟରେ ମଧ୍ୟ ଶରୀରରୁ ପ୍ରକୃତିର ଡାକର  ସମ୍ଭାବନାକୁ ବୃଥା ଦମନ କରିବାର ଅଭିଲିପ୍‍ସା ରହିବ ନାହିଁ । ତେଣୁ ଗାଧୁଆ  ଦୁଗ୍‍ଧରେ ଅନେକ ଅନେକ  ବସ୍ତୁତ୍ୱର ସମିଶ୍ରଣରୁ ଉଦ୍‍ଗତ  ତରଳ ପଦାର୍ଥର  ସାନ୍ଦ୍ରତା(Density) ବୃଦ୍ଧିପାଇ ଏକ ବହଳିଆ ଦୁଗ୍‍ଧ ମିଳେ । ଏହାହିଁ କ୍ଷୀରୀର ପୂର୍ବାବସ୍ଥା । ଘରେ ଯେତେ ଅଧିକ  ପଇସା  ଦେଲେ ସେଇ ଚିରାଚରିତ ବୈଚିତ୍ରହୀନ  ପାଣିଚିଆ ଦୁଗ୍‍ଧ । କିନ୍ତୁ ଏଠାରେ ଶରୀରରୁ ଅପମିଶ୍ରଣ ଘଟି ବହଳିଆ କ୍ଷୀରରୁ  କ୍ଷୀରୀ ଖାଇବା  ପାଇଁ  ବୋଧେ  ବ୍ୟାକୁଳତା ବଢେ । ତେଣୁ ଶରୀରରୁ  ନିର୍ଗତ  ବର୍ଜ୍ୟବସ୍ତୁ  ଏହିରୂପେ ଜନମୁଖରେ ଦିବ୍ୟ ଖାଦ୍ୟ ଭାବେ ବ୍ୟବହୃତ ହେତୁ ଜୀବ – ଖାଦ୍ୟ ଯୋଗାଣ ସମସ୍ୟାର  କିଛିଟା ସମାଧାନର  ସମ୍ଭାବନା  ସୃଷ୍ଟିକଲା । ଏକ  କିସମ ଜୀବଙ୍କଠାରୁ  ନିର୍ଗତ ବର୍ଜ୍ୟବସ୍ତୁ ଅନ୍ୟ କିଛି କିସମ ମାନଙ୍କ ପାଇଁ ଖାଦ୍ୟରୂପେ ନିର୍ଦ୍ଧାରିତ । କିନ୍ତୁ ଏଠାରେ ସମ  ଜାତୀୟ  ମଧ୍ୟରେ  ଘଟୁଛି, ଯାହା  ନିୟମର  ଉଲଂଘନ ଅଟେ । ସେ ଯାହା ହେଉ  ପଛେ କିଞ୍ଚିତ୍ ବର୍ଗ ଜୀବମାନେ ଦିଲ୍‍ଖୁସ୍ ତ ହୋଇପାରୁଛନ୍ତି ! ତେଣୁ ସ୍ରଷ୍ଟାଙ୍କର ମୁଣ୍ଡବିନ୍ଧାର  ଜରୁରତ୍  ପଡୁନାହିଁ । ଏମିତି କାହିଁ  କେତେ  ସ୍ୱପ୍ରଚାରିତ ଈଶ୍ୱରରୂପୀ ବ୍ରହ୍ମତେଜୀ ମାନଙ୍କର ଭଳିଭଳି ଭେଳିକିରେ ମତୁଆଲା ହୋଇ ଉଠନ୍ତି ଭକ୍ତମାନେ । ସବୁଦିନେ ତ ଅନ୍ଧାର  ରାତି  ନଥାଏ । କିଛି ଭକ୍ତ ଅସହ୍ୟ ହୋଇ ବାବାଙ୍କ ପରଦା ପଛରେ ଲୁକ୍‍କାୟିତ ଥିବା ସତ୍ୟର ପ୍ରଘଟ କରନ୍ତି । ତଥାପି ସତ୍ୟପ୍ରତି ଅସହ୍ୟ ହୋଇ କିଛି ଭକ୍ତ  ମାତିଉଠନ୍ତି । ଜାତୀୟ ସମ୍ପତି  ନଷ୍ଟଭ୍ରଷ୍ଟ ହୁଏ । କାରାଗାରକୁ ଯିବାବେଳେ ଘଟୁଥିବା ଠେଲାପେଲାର ଦୃଶ୍ୟ ଓ ତହିଁରୁ ମୁକୁଳାଇବାର ପ୍ରଚେଷ୍ଟା   ଚାଲୁ ରହେ ।

ସ୍ରଷ୍ଟା ଦେଖୁଛନ୍ତି ପୃଥିବୀ ଗ୍ରହର କୋଣେ, ଅନୁକୋଣେ ଓ ପ୍ରତିକୋଣେ ବ୍ରହ୍ମତେଜୀ ବୋଲାଉଥିବା ଅନେକ ମାନବ । ବୁଝି ହେଉନି ଏମାନେ କେଉଁଠୁ ଆସିଲେ ! ପାର୍ବତୀଙ୍କ   ମଳୁଖରୁ ଗଜାନନ ସୃଷ୍ଟି । କିନ୍ତୁ ଏମାନଙ୍କ ସୃଷ୍ଟି ବୋଧହୁଏ ଦିବ୍ୟ କ୍ଷୀରୀର କାରଣ ହୋଇପାରେ । ତେଜଧାରୀମାନେ ସପ୍ତାହର ଗୋଟିଏ  ଗୋଟିଏ  ବାରକୁ ରେଜିଷ୍ଟ୍ରେସନ୍ କରୁଛନ୍ତି । ତା’ଙ୍କ ବାର ଗୁଡିକରେ ସତେକି ଭେଳିକିର ମାତ୍ରା ଆକାଶ ଛୁଏଁ । ତେଜଧାରୀଙ୍କ ସଂଖ୍ୟା ବଢିଚାଲିଛି ଓ  ତତ୍‍ସଙ୍ଗେ ସଙ୍ଗେ  ଚେଲାମାନଙ୍କ ଦଳାଚକଟା ଓ  ଠେଲାପେଲାରେ ସୋରିଷ ପକାଇବାକୁ ସ୍ଥାନ ନାହିଁ । ଗୋଟିଏ ଗୋଟିଏ ସମାନ ବାର  ହଜାର ହଜାର ତେଜଧାରୀଙ୍କ  ଦ୍ୱାରା  ଜବର  ଦଖଲ ହେବାରେ ଲାଗିଛି । କିନ୍ତୁ କର୍ଣ୍ଣ  ମଲେ ପାଞ୍ଚ ଓ ଅର୍ଜୁନ ମଲେ ପାଞ୍ଚ ଭାଷାରେ ବାର ଗୁଡିକ ଯେତେ ଦଖଲ ହେଲେ ମଧ୍ୟ ସପ୍ତାହର ବାର ମାତ୍ର ସାତ୍ । ପାଞ୍ଚ   ଆଙ୍ଗୁଳି ସମାନ ନୁହେଁ ଓ ସବୁ ବାର ସମାନ   ସଙ୍ଖ୍ୟକ ଭାବେ ଦଖଲ ହେଉ ନାହାନ୍ତି । ତେବେ ସବୁଠୁ ହତଭାଗା ବାରଟି ହେଉଛି  ବୁଧବାର ଯାହା ପାଖକୁ ପ୍ରାୟ  କୌଣସି ତେଜସ୍ୱୀ ଆସିନାହାନ୍ତି କିମ୍ବା ସେ କାହାର   ଦଖଲ୍‍ଦାର୍ ହୋଇପାରିନାହିଁ । ବିଚରା ବହୁତ ମନ ଦୁଃଖରେ ସମୟ କାଟୁଛି । ବର୍ଷ, ମାସ, ଦିନ ଆଦିର  ବିଶ୍ଳେଷଣ ଓ ଏହାର ସାମାଜିକୀକରଣ ମାନବ ସମାଜ ପାଇଁ  ସଦାସର୍ବଦା ଜରୁରତ୍ ଥିଲା, ରହିଛି ଓ ରହିବ । ସାତବାରର ଉତ୍ପତ୍ତି, ବର୍ଣ୍ଣନା,ସାତବାର  ପାଇଁ ମାନବର  ଗଠନମୂଳକ ଭୂମିକା ……… ଆଦିରୁ ସୁସ୍ଥ ସାମାଜିକ ଚଳନୀର ଏକ   ଆବରଣ ତଳେ ସର୍ବେ ବିଚରଣ କରୁଛନ୍ତି । ଏହି ସାତବାର ଯଥା – ରବି, ସୋମ, ମଙ୍ଗଳ,  ବୁଧ,ଗୁରୁ, ଶୁକ୍ର ଓ ଶନି ଏକ ସପ୍ତାହ ଅଟେ । ଏହା ସମୟ ସହ ଏକ ବୃତ୍ତାନୁକ୍ରମିକ  ପ୍ରକ୍ରିୟା(Cyclic Process), ଯାହାର ପୁନରାବୃତ୍ତି ଘଟିଚାଲିଛି ଓ ଏହାହିଁ କାଳ – ଚକ୍ର ଅଟେ ।  ଫଳିତ ଜ୍ୟୋତିଷ ବା ଜ୍ୟୋତିର୍ବିଦ୍ୟା (Astrology) ଗଣିତ  ଜ୍ୟୋତିଷ ବା  ଜ୍ୟୋର୍ତିବିଜ୍ଞାନ (Astronomy) ଓ ଜ୍ୟୋତିର୍ପଦାର୍ଥ ବିଜ୍ଞାନ (Astro Physics)ଏହି କାଳ – ଚକ୍ର ସମ୍ବନ୍ଧରେ ଅନେକତତ୍ତ୍ୱମାନ ପ୍ରଦାନ କରେ । ରବି(ଅର୍କବାସ) ଓ ସୋମ   (ଚନ୍ଦ୍ରାବାସ) ଯଥାକ୍ରମେ ସୌରଜଗତର  ପ୍ରାଣକେନ୍ଦ୍ର  ସୂର୍ଯ୍ୟ(ମହାଜାଗତିକ ଜଗତର ଏକ ମଧ୍ୟମ ତାରକା) ଓ ପୃଥିବୀ ଗ୍ରହର ଉପଗ୍ରହ ଚନ୍ଦ୍ରକୁ ବୁଝାଏ । ପୃଥିବୀ ବାସୀଙ୍କ ପାଇଁ   ଏହି ସାତବାରହିଁ ସାତଗ୍ରହ  ଓ ଅନ୍ୟ  ଦୁଇଟି ଛାୟା ଗ୍ରହ ରାହୁ ଓ କେତୁ ମିଶି ନବଗ୍ରହର ଝଟ୍‍କା ବଳବତର ରହିଥିବାର ଭାରତୀୟ ଜ୍ୟୋତିର୍ବିଦ୍ୟା ପରିପ୍ରକାଶ କରେ । ଘଟଣା   (Event) ଓ କାରଣ (Cause)କୁ ନେଇ ସମୟର ସ୍ରୋତ ଆଗେଇଚାଲିଛି ଏବଂ ପୃଥିବୀ ବକ୍ଷରେ ନବଗ୍ରହ ମାନେ କାରଣ ସାଜନ୍ତି ।    ରାହୁ ଓ କେତୁ ବ୍ୟତୀତ  ଅନ୍ୟମାନେ ଦେହଧାରୀ  ଅଟନ୍ତି ଏବଂ ଦୃଶ୍ୟମାନ, କିନ୍ତୁ ଛାୟାଗ୍ରହ ଦ୍ୱୟର ଶରୀର, ଆବର୍ତ୍ତନ(Spinning), ପରିକ୍ରମଣ(Orbiting), ……….  ଇତ୍ୟାଦି ଦୃଶ୍ୟମାନ  ନୁହେଁ । ତେବେ  ମହାଶୂନ୍ୟରେ କିମ୍ବା ସୌରଜଗତ  ମଧ୍ୟରେ ଦୁଇଟି କଳ୍ପିତ ବିନ୍ଦୁକୁ ଏମାନଙ୍କ ଅବସ୍ଥାନ ବୁଝାଯାଇପାରେ  ଯାହା ଅନ୍ୟ ମାନଙ୍କ  ସଦୃଶ ନିର୍ଦ୍ଦିଷ୍ଟରୂପେ  ଭ୍ରାମ୍ୟମାଣ (Mobile) ଅଟେ । ସୂକ୍ଷ୍ମ ଗାଣିତିକ ତତ୍ତ୍ୱର ଚତୁଃ – ସ୍ତରୀୟ  ପରିବେଷ୍ଟନୀ (Four – Dimensional Space)କୁ ବୁଝାଉଥିବା  ନିର୍ଭରଶୀଳ  ପରିବର୍ତ୍ତନୀୟ ପରିମାଣଯୋଗ୍ୟ ସଂଖ୍ୟା (Dependent variable quantity) ମଧ୍ୟରେ ସୃଷ୍ଟି ହେଉଥିବା ଏକକତ୍ୱ (Singularity), ଅତିଚଳନ(Overlapping),  ସଂଯୋଗସ୍ଥଳ(Junction), ସଙ୍କଟମୟ ବିନ୍ଦୁ(Critical Point), ସୀମାବସ୍ଥା(Boundary Condition), …… ଆଦିରୁ ଉକ୍ତ ବିନ୍ଦୁ ଦ୍ୱୟକୁ  ବୁଝାଯାଇପାରେ ।

ଯେହେତୁ ସପ୍ତାହଟି ରବିବାରରୁ ଶନିବାର ଯାଏ ପରିବ୍ୟାପ୍ତ, ତେଣୁ ଶେଷ ଦୁଇ ଛାୟାଗ୍ରହ ମିଳିତ ହୁଅନ୍ତି ଗ୍ରହରାଜ ଶନିଙ୍କ ସହ ଓ ଏମାନଙ୍କୁ  ପାପଗ୍ରହ ବୋଲାଯାଏ । ପୃଥିବୀରେ ବାର ଅନୁଯାୟୀ ମାନବୀୟ ସଂସ୍କାର ଭିନ୍ନ – ଭିନ୍ନ ଧର୍ମରେ ପରିଲକ୍ଷିତ ହୁଏ । ଯେହେତୁ ସନାତନୀୟ ଧର୍ମ ସଂସ୍କାରର ଶାଖା – ପ୍ରଶାଖା ବହୁଳ ଭାବେ  ଦିଗନ୍ତ  ବିସ୍ତାରିତ ଓ ଏହା ସର୍ବାଧିକ ପର୍ବ – ପର୍ବାଣି ଏବଂ ଉତ୍ସବାଦିରେ ଭରପୂର, ତେଣୁ ଏହା ଅନୁଯାୟୀ ବାରଭିତ୍ତିକ, ମାସଭିତ୍ତିକ, …… ଆଦି ପୂଜା – ପର୍ବ ଓ  ଖାଦ୍ୟପେୟ ଉପରେ   ପର୍ଯ୍ୟାଲୋଚନା ଆବଶ୍ୟକ ମନେହୁଏ । ପ୍ରଥମେ ବାରଗୁଡିକର ମୌଳିକତାକୁ  ବିଶ୍ଳେଷଣ ପୂର୍ବକ ପ୍ରଥମ ବାର ରବିବାର ଉପରେ ଦୃଷ୍ଟି ନିକ୍ଷେପ କରାଯାଉ । ସୌରଜଗତର    ପ୍ରାଣକେନ୍ଦ୍ର ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ।

“ଆଦିଦେବ ନମସ୍ତୁଭ୍ୟଂ ପ୍ରସୀଦ ମମ ଭାସ୍କର – ଦିବାକର ନମସ୍ତୁଭ୍ୟଂ ପ୍ରଭାକର ନମୋସ୍ତୁତେ” । ହେ ସୂର୍ଯ୍ୟଦେବ !     ଧରଣୀ ବକ୍ଷରେ ଛପନ କୋଟି ଜୀବ ଓ ବାଉନ କୋଟି ଖାଦ୍ୟ ଭଣ୍ଡାର ସୃଷ୍ଟିର ତୁମେହିଁ ପ୍ରଥମ ରକ୍ଷାକର୍ତ୍ତା । ଏହା ବିଧିର ବିଧାନ । ବିଜ୍ଞାନର ପରିଭାଷାରେ  ତୁମେ  ମଧ୍ୟ ଅନ୍ତିମତାର ପ୍ରତୀକ । ତୁମେ ଅହରହ ଜଳୁଅଛ ଓ ସବୁପ୍ରକାର ବିଦ୍ୟୁତ୍ – ଚୁମ୍ବକୀୟ ତରଙ୍ଗର ବିକିରଣ କରୁଅଛ ଏବଂ ପୃଥିବୀ  ବାସୀଙ୍କ ଉପରେ  ତୁମର  ମାଧ୍ୟାକର୍ଷଣ ବଳ ସୌରଜଗତର  ଅନ୍ୟ ସଦସ୍ୟ ମାନଙ୍କ ତୁଳନାରେ ମଧ୍ୟମ ଅଟେ । ତୁମେ ଦିବାରମ୍ଭେ ଓ ଦିବାସନେ ଲୋହିତ ରୂପୀ ଅର୍ଥାତ୍ ପ୍ରାଣୀ – ମଙ୍ଗଳ କାରକ  ଓ ଦିବ୍ୟ ବାର୍ତ୍ତାବହ । ତେଣୁ ସମସ୍ତ ମାନବ ସମାଜ ତୁମ ବାରରେ ସାତ୍ତ୍ୱିକ ଭୋଜନ କରି ସତ୍‍କର୍ମୀ ଓ ସତ୍‍ଚିନ୍ତନବ୍ରତୀ ହେବା ଯଥାର୍ଥ ଅଟେ । ଗରିଷ୍ଠ, ଆମିଷ,  ଦଗ୍‍ଧଜାତ ଦ୍ରବ୍ୟ, …. ଆଦି  ଭୋଜନ ବର୍ଜନୀୟ ନିମିତ୍ତ ଶାସ୍ତ୍ର – ପୁରାଣରେ କୁହାଯାଇଛି । କାରଣ ଏହି ବାରରେ ଉକ୍ତ ଖାଦ୍ୟ ହଜମ  ପ୍ରକ୍ରିୟାରେ ଅନେକ  ବିଘ୍ନ  ଘଟାଇଥାଏ । କିନ୍ତୁ ଏହାର ଓଲଟା ପ୍ରଭାବ  ପରିଲକ୍ଷିତ ହେଉଅଛି । ରବିବାରଟିକୁ ସବୁ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ …. ଆଦି ଛୁଟି ଦିବସ ରୂପେ ପାଳନ କରୁଛନ୍ତି । ବୋଧହୁଏ ଏହିଦିନ ସକଳ ଶକ୍ତିର ଆଧାରଙ୍କ ପ୍ରାଣୀ – ମଙ୍ଗଳ କାରକ  ଦିବ୍ୟ ବାର୍ତ୍ତା ଦ୍ୱାରା ଉଦ୍‍ବୁଦ୍ଧ ହୋଇ ନିଜକୁ ସେହିଭାବେ ନିୟୋଜିତ  କରିବାର  ଆଭିମୂଖ୍ୟ  ହୋଇଥାଇପାରେ । ଏତାଦୃଶ ପ୍ରତିଫଳନ ଅତି ଗୌଣ  ଓ ଏହି  ବାରରେ ଅଧିକାଂଶ ଆମିଷାଦି ଓ ବିଭିନ୍ନ କିସମର ଖାଦ୍ୟ  ତଣ୍ଟିଯାଏ ଗିଳି ନିଜକୁ  କୃତ୍ୟକୃତ୍ୟ  ମନେକରନ୍ତି । ଆରମ୍ଭ ହୁଏ ଝାଡା – ବାନ୍ତି, ବଦହଜମୀ, …. ଆଦି । ଏହାର  ଅର୍ଥହିଁ  ଅନେକ ନାମୀ – ଦାମୀ ଖାଦ୍ୟର ପ୍ରଚୁର ପରିମାଣରେ ନଷ୍ଟ । କିନ୍ତୁ ସେହି  ସମୟରେ ଅନେକ ଭୋକିଲା ପେଟ ଖାଦ୍ୟ ପାଇଁ ଆଉଟୁ ପାଉଟୁ ହେଉଥାଏ । ଫଳରେ  ଖାଦ୍ୟରେ ସୁଷମ ବଣ୍ଟନ ହେବା ତ ଦୂରର କଥା, ମୁଷ୍ଟିମେୟ  ମାନଙ୍କ  ଇଙ୍ଗିତ ହୁଏ ବେଦର ଗାର । ଫଳତଃ ଜରାଗ୍ରସ୍ତ ମାନବଙ୍କ ସଂଖ୍ୟା ଓ ଖାଦ୍ୟ ସମସ୍ୟା  ବୃଦ୍ଧିପାଇ ଚାଲେ ।

ବର୍ତ୍ତମାନ ଅନ୍ୟ ବାର ତଥା – ସୋମ, ମଙ୍ଗଳ, ବୁଧ,ଗୁରୁ, ଶୁକ୍ର ଓ ଶନିବାରକୁ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ନିମ୍ନମତେ ବିଶ୍ଳେଷଣ କରାଯାଇ ପାରେ । ସମୁନ୍ଦ୍ର – ମନ୍ଥନରୁ ଜାତ ହଳାହଳ ବିଷକୁ ପାନକରି ଜୀବ – ସଂହାର ପ୍ରକ୍ରିୟାକୁ ବନ୍ଦ୍ କରିବା ସଙ୍ଗେସଙ୍ଗେ ସୃଷ୍ଟିକଳ୍ୟାଣ କାରକ  ଦେବଦେବ ମହାଦେବ ନୀଳକଣ୍ଠ  ବୋଲାଇଲେ ଓ ମସ୍ତକରେ ଧାରଣ କଲେ ମନ୍ଥନରୁ ଉତ୍ପନ୍ନ ସୁଶୀତଳ ଚନ୍ଦ୍ରଙ୍କୁ । ସେଥିପାଇଁ ସୋମବାରରେ ଶିବ ଆରାଧନାର ଅର୍ଥ ନିଜେ କଷ୍ଟ ସ୍ୱୀକାର କରି ସମାଜ – ମଙ୍ଗଳରେ  ବ୍ରତୀ  ହେବା ଓ ଚନ୍ଦ୍ର – ସୁଶୀତଳତାକୁ  ମନ ଚୈତନରେ ଉଦ୍ରେକ କରାଇ ଆଶୁତୋଷଙ୍କ ପରି – “କର୍ପୂରଗୌରଂ – କରୁଣାବତାରଂ” ….. ର ସ୍ୱଚ୍ଚତା ଓ ପରାକାଷ୍ଠା  ଦ୍ୱାରା ଗଗନ  ପବନକୁ ମୁଖରିତ କରିବା ବିଧେୟ । ପୃଥିବୀର ଏକମାତ୍ର ଉପଗ୍ରହ ଚନ୍ଦ୍ର, ଯାହାର ମାଧ୍ୟାକର୍ଷଣ ଜନିତ ପ୍ରଭାବ ଆମ ଉପରେ ଅତ୍ୟଧିକ  ଅଟେ  । ସେହିପରି  ଅମାବାସ୍ୟା ଓ  ସୂର୍ଯ୍ୟୋପରାଗ ଏବଂ ପୂର୍ଣ୍ଣିମା ଓ ଚନ୍ଦ୍ର ଗ୍ରହଣାଦିରେ ସୂର୍ଯ୍ୟ – ଚନ୍ଦ୍ରଙ୍କ ମିଳିତ ମାଧ୍ୟାକର୍ଷଣ ଜନିତ ପ୍ରଭାବ ସର୍ବାଧିକ ରହୁଥିବାରୁ , ସୋମବାର ଓ ଉକ୍ତଦିନ ମାନଙ୍କରେ କେବଳ ସରଳ ଖାଦ୍ୟ ଗ୍ରହଣ କରିବା ବାଞ୍ଛନୀୟ ଅଟେ । ପୁନଶ୍ଚ ଚନ୍ଦ୍ର ପୃଷ୍ଠରେ ମାନବ , ନୂଆ ନୂଆ ତଥ୍ୟ ଓ ତା’ର  ଶରୀର  ଗଠନ ଯଥା  – ନିଶ୍ଚଳ ସାଗର(Sea of Tranquility) ……….. ଇତ୍ୟାଦି  ବିଷୟରେ ଅବଗତ, ସେଠାରେ ଜନବସତି ସ୍ଥାପନର ପରିକଳ୍ପନା ଓ  ଭିନ୍ନଭିନ୍ନ  କାର୍ଯ୍ୟ ପାଇଁ ଅନ୍ତରୀକ୍ଷ ଯାନ ଗୁଡିକର ଚନ୍ଦ୍ର – ପ୍ରଦକ୍ଷୀଣରୁ ସତ୍ୟର ଉନ୍ମୋଚନ ଦ୍ୱାରା ସମାଜରୁ କିଛିମାତ୍ରାରେ ବ୍ୟାଧିର ନିରାକରଣ ଆଦି ବିଧାତା ଦେଖୁଛନ୍ତି । କିନ୍ତୁ  ବିଜ୍ଞାନର ଦୁରୂପଯୋଗ ଓ ଆଧ୍ୟାତ୍ମିକତାର  ଅସତ୍ ବିନିଯୋଗ  ସୁବ୍ୟବସ୍ଥା  ଗୁଡିକୁ ବିଗାଡୁଛି ଏବଂ ଅତି ଅଧିକ ହେଲେ ପରିଣାମ ଯାହା ହୁଏ,  ତାହାହିଁ ହେବାରେ  ଲାଗିଛି ।  ତଥାପି ଏହିଦିନ ଅଧିକାଂଶ ସ୍ୱଳ୍ପ – ସାତ୍ତ୍ୱିକ ଆହାର ଗ୍ରହଣ କରୁଛନ୍ତି ଓ ଛାଗ,  ମେଷ, କୁକ୍‍କୁଟ୍ଟ ……… ଆଦିଙ୍କ ମସ୍ତକ ଛେଦନ ବହୁ ପରିମାଣରେ ହ୍ରାସ  ପାଉଛି । ଅର୍ଥାତ୍ ମାଛ – ମାଂସ ଝୋଳ ହେଲେ ଭାତ ଅଧିକ ଉଠିବାର କାରଣ ବନ୍ଦ୍ ହୋଇଯାଉଛି । ଏହା ଖାଦ୍ୟ ସମସ୍ୟା ସମାଧାନରେ  କିଛି ମାତ୍ରାରେ  ଲାଘବର  କାରଣ ହେଉଛି ଓ ବିଧାତାଙ୍କ ଅଧରରେ ସୂକ୍ଷ୍ମ ସ୍ମିତହାସ୍ୟ ରେଖାର ଝଲକ୍ ସୃଷ୍ଟି ହେଉଛି ।

ଏହାବାଦ୍ ଆଲୋଚ୍ୟ ବିଷୟ ହେଲା ମଙ୍ଗଳ ଗ୍ରହଙ୍କ ଅଧିନ ମଙ୍ଗଳବାର । ପୁରାଣ କହେ – “ଧରଣୀ ଗର୍ଭ ସମ୍ଭୁତଂ”, କିନ୍ତୁ ବିଜ୍ଞାନ କହେ ପୃଥିବୀଠାରୁ ଏହା ପୁରାତନ । ମାନବ ପ୍ରେରିତ ମଙ୍ଗଳଯାନର ଫଟୋଚିତ୍ରରୁ ଓ ନାନା ମୁନିଙ୍କର ନାନା ମତରୁ ଏକ ସୂକ୍ଷ୍ମ ଅଂଶ ଓଡିଶାର ଗାଉଁଲି ଗୀତ  ଢାଞ୍ଚାରେ କ୍ଳେଶ ଲାଘବ  ନିମିତ୍ତ ପରିପ୍ରକାଶ  କରାଗଲା । ଯଥା –

ସ୍ତ୍ରୀ – ଚାଳେ ଚାଳେ ରାବେ କାଉ ……….. ମଙ୍ଗଳ ଗ୍ରହର ବଢିଲା ଭାଉ

ମୋ ମଉଜିଆରେ ………… ସେଠି ପ୍ଲଟ୍ ଏକ କିଣାଯାଉ ……..   ମୋ ମଉଜିଆରେ ……………. (୧)

ସ୍ୱାମୀ – ଘୂରୁଅଛି ଅନ୍ତରୀକ୍ଷେ ………….. ଲୋହିତ ବର୍ଣ୍ଣରେ କି ଶୋଭା ଦିଶେ

ମୋ କେଳିକଦମ୍ବ …………. ନଦୀ – ନାଳ ଶୁଖିଛି ସେ ଦେଶେ  …..   ମୋ କେଳିକଦମ୍ବ  ………….(୨)

ସ୍ତ୍ରୀ – ଧାଉଁଛି ରୋବର୍ଟ ଭାଇ …………….. ମଙ୍ଗଳ ଗ୍ରହ ବକ୍ଷ ଦୁଲୁକାଇ

ମୋ ରସିକରାଜ ……………….କେତେ ଧୂଳି, ପର୍ବତ ଓ ଘାଇ ……  ମୋ ରସିକରାଜ  …………..(୩)

ସ୍ୱାମୀ – କରୁଅଛି ପ୍ରଦକ୍ଷୀଣ ………………. କୃତ୍ରିମ ଉପଗ୍ରହ ପ୍ରତିକ୍ଷଣ

ମୋ ରଙ୍ଗବତୀ ଲୋ …………. ଜୟ ଜୟ କସ୍ମିକ୍ ବିଜ୍ଞାନ(Cosmic) …… ମୋ ରଙ୍ଗବତୀ ଲୋ ……….(୪)

ସ୍ତ୍ରୀ – ବଗୁଲୀ ରହିଛି ଟାକୀ ………………. ମଙ୍ଗଳାୟନରେ ଯିବାପାଇଁକି

ମୋ ସିନ୍ଦୂରବିନ୍ଦୁ …………. ଏଲିୟାନ୍‍ସ ମାନେ ହେବେ ବନ୍ଧୁ ………… ମୋ ସିନ୍ଦୂରବିନ୍ଦୁ  …………….(୫)

ସ୍ୱାମୀ – ଯୋକ ମୁହେଁ ଦେଇ ଲୁଣ ………….. ତ୍ରିରଙ୍ଗା ଉଡାଏ ମଙ୍ଗଳ ଯାନ

ମୋ ପତିରି ସୁନା ………… ଫୋଟନ୍ ରକେଟର କଳପନା ……….. ମୋ ପତିରି ସୁନା ……………..(୬)

ସ୍ତ୍ରୀ – ଯିବାକୁ ତିନି ମିନିଟ୍ ……………….. ଡି’ ବ୍ରୋଗ୍ଲାଏଙ୍କ ହାଇପୋଥେସିସ୍

ମୋ ରସ ଶେଖର ……….. ଖାଲି ଅନ୍‍ଲାଇନ୍ ରେଜିଷ୍ଟ୍ରେସନ୍ ବାକି …………… ମୋ ରସ ଶେଖର ….. (୭)

ସ୍ୱାମୀ – ରଚିବା ନୂଆ ସଂସାର ……………. ଅଛି ସେଠି ଚାରିକୋଟି ଭଣ୍ଡାର

ମୋ କାବୁଲି ହୀରା ……….. ଖାଦ୍ୟ ସମସ୍ୟା ଘୁଞ୍ଚିବ ପରା …………… ମୋ କାବୁଲି ହୀରା  ………….(୮)

ସ୍ତ୍ରୀ – ପୁରୁଣା କାଳରେ ପରା ………………. ସଭ୍ୟତା ସେଠାରେ ଶୀର୍ଷରେ ଥିଲା

ମୋ ଧନମାଳୀରେ ………. କହ କି’କାରଣୁ ନାଶ ଗଲା …………..ମୋ ଧନମାଳୀରେ ……………. (୯)

ସ୍ୱାମୀ – ଏ’ତ ମଙ୍ଗଳ ପୁରାଣ …………….. ପ୍ରଥମ ଅଧ୍ୟାୟ କଲି ବଖାଣ

ମୋ ରୁମୁକୁଝୁମା ………… ଦୁଜେ ଉତ୍ତର ମିଳିବ ଜାଣ ………….. ମୋ ରୁମୁକୁଝୁମା …………(୧୦)

ଶାସ୍ତ୍ର କହେ ଏହି ବାରରେ ଚାରିଯୁଗ ଅମର -ଏକାଦଶ ରୂଦ୍ର – ଶ୍ରୀ ହନୁମାନ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କର ଉପାସକ ମାନେ  ନିରାମିଷ ଆହାର ବ୍ରତୀ  ହୋଇଥା’ନ୍ତି । ପୁଣି ମାତୃ ଉପାସକମାନେ ମଧ୍ୟ ଏହି ବାରରେ ନିରାମୀଷାସି । ଯେହେତୁ ଆମିଷ ହେଲେ ଅଧିକ ଖାଦ୍ୟ ଗର୍ଭକୁ ଯାଏ, ତେଣୁ ନିଶ୍ଚୟ ନିରାମୀଷାସିଙ୍କ ଠାରୁ କିଛି ବଳକା  ଖାଦ୍ୟ  ଭୋକିଲାଙ୍କ କ୍ଷୁଧା ନିବାରାଣାର୍ଥେ ବିନିଯୋଗ ହୋଇପାରେ ।

ବର୍ତ୍ତମାନ ଗୁରୁବାର ବା ଦେବଗୁରୁ ବୃହଷ୍ପତିଙ୍କ ବାର ଓ ହିନ୍ଦୁନାରୀଙ୍କର ସର୍ବଶ୍ରେଷ୍ଠବାର ଉପରେ ଆଲୋକପାତ କରାଯାଉ । ଐଶ୍ୱର୍ଯ୍ୟର ଅଧିକାରିଣୀ ମାତା ଲକ୍ଷ୍ମୀଙ୍କର  ଏହା ଅତି  ପ୍ରିୟବାର ଓ ଏ ବାରର ସର୍ବ ଶୁଭଙ୍କର ବର୍ଣ୍ଣ ହରିଦ୍ରା ଅଟେ । ସୃଷ୍ଟିରେ କିଏବା ଶ୍ରୀହୀନ ହେବାକୁ ଚାହିଁବ ? ତେଣୁ ମାର୍ଗଶୀର ଗୁରୁବାରରେ ପ୍ରାୟ ହିନ୍ଦୁନାରୀ  ମାନେ ନିଜକୁ   ଶ୍ରୀୟା ଚଣ୍ଡାଳୁଣି ମଣନ୍ତି । ଏହିବାର ନାରୀମାନଙ୍କର ଏକ ଚରମ ସାତ୍ତ୍ୱିକତାର ନିଦର୍ଶନ ହେଲେବି ପୁରୁଷମାନଙ୍କ ପାଇଁ ସେମିତି କିଛି ଜଟିଳତା ନାହିଁ । ମାଛ, ମାଂସ, ଅଣ୍ଡା  ଖାଇପାରିବେ, ଘରେ ନହେଲେ ବି ବାହାରେ । କେତେକଙ୍କ ଘରେ ନାରୀମାନେ ଚିଡିଚିଡା ପରିବେଶରେ ଆଇଟମ୍ ବନାନ୍ତି,  ତେଣୁ ସ୍ୱାଦଯୁକ୍ତ  ହେବାର ୱାରେଣ୍ଟି କାର୍ଡ୍ ପ୍ରାୟ  ମିଳେନାହିଁ । ଠାକୁର ଓ ଠାକୁରାଣୀଙ୍କ ପୂଜା ଏହିଦିନ ଡେରିରେ ସରେ । ପ୍ରାତଃ ଖାଦ୍ୟ ଗ୍ରହଣରେ ବହୁ ବିଳମ୍ବ, ପୁଣି ଆମିଷ ରନ୍ଧନ,  ଚୂଲୀ ଧାସ, ……. ଆଦିର ପ୍ରଭାବରୁ  ପେଟ ଅମ୍ଳ ଓ  ବାୟୁରେ ପୂର୍ଣ୍ଣ ହୁଏ । ତେଣୁ ଶରୀରରେ ଅସ୍ଥିରତା ବୃଦ୍ଧିରୁ – ପୁଦିନ୍‍ହାରା, ଜେଲୁସିଲ୍, ପେଣ୍ଟାସିଡ୍, ଡାଇଜିନ୍,  ଇନୋ, ଯୁଆଣିପାଣି,  ନକ୍‍ସଭୋମ୍,  ଚାଇନିନିୟମ୍,  କାର୍‍ବୋଭେଜ୍, ପିପର୍‌ମେଣ୍ଟ୍‍, ଅଦା, ଲୁଣ – ଚିନି – ଲେମ୍ବୁ ପାଣି, ……… ଆଦିର ସଠିକ୍  ବ୍ୟବହାର  କରାଯାଏ । ଏହି ବାରରେ ଖାଦ୍ୟ ନଷ୍ଟର ପରିମାଣ  ପ୍ରାୟ କମିଯାଏ । ପୁଣି ସୌରଜଗତର ବୃହତମ ଗ୍ରହ  ବୃହଷ୍ପତି, ତେଣୁ ଅନ୍ୟ ଗ୍ରହ ତୁଳନାରେ  ଏହାର  ମାଧ୍ୟାକର୍ଷଣ ଜନିତ ପ୍ରଭାବ ପୃଥିବୀ ବାସୀଙ୍କ ଉପରେ ଅଧିକ । ମହାମାନବ ଆଇନ୍‍ଷ୍ଟାଇନ୍‍ଙ୍କ ସାଧାରଣ ଆପେକ୍ଷିକ ତତ୍ତ୍ୱ (General Theory of Relativity) ରୁ ବୁଝାପଡେ ଯେ, ଆଲୋକରଶ୍ମିର ସରଳରୈଖିକ ଗତିରେ ବକ୍ରତାର ସୃଷ୍ଟି ଉପସ୍ଥିତ ବସ୍ତୁର ବସ୍ତୁତ୍ୱ ସହ ସମାନୁପାତିକ ଅଟେ । ତେବେ ବୃହଷ୍ପତି ଗ୍ରହ ନିକଟକୁ  ଆସୁଥିବା ସୂର୍ଯ୍ୟାଲୋକ ଓ ମହାନାକ୍ଷତ୍ରିକ ଜଗତରୁ ବିକିରିତ ଆଲୋକ ଉକ୍ତ ଗ୍ରହ ନିକଟରେ ପ୍ରଭାବିତ ହୋଇ ବକ୍ରତା ଲାଭ କରେ । ତେବେ ବକ୍ରତା ଶୂନ୍ୟ  ବିକିରିତ ଓ ବକ୍ରତାଯୁକ୍ତ ବିକିରିତ ଆଲୋକ ରଶ୍ମି ପୃଥିବୀ ଦିଗରେ ସମାନ ଉର୍ଜ୍ଜା ବା ଉଜ୍ଜଳତା ବହନ କରି ନଥିବ । ଯେହେତୁ ସବୁ ଘୂର୍ଣ୍ଣାୟମାନ, ତେଣୁ ବୃହଷ୍ପତିଙ୍କ ଠାରୁ ଆସୁଥିବା ଉର୍ଜ୍ଜାର ମାତ୍ରା ପୃଥିବୀରେ ମଧ୍ୟ ପରିବର୍ତ୍ତନୀୟ । ଅର୍ଥାତ୍ ଆକଳିତ  କରାଯାଉଥିବା ବହୁବିଧ  ଘଟଣାବଳୀରେ ଭିନ୍ନ – ଭିନ୍ନ ମୋଡ ସୃଷ୍ଟି ହୁଏ । ଏହି ବାର ହିନ୍ଦୁ ନାରୀମାନଙ୍କ ପାଇଁ ନିଷ୍ଠା, ତ୍ୟାଗ, ନିର୍ମଳତା, ସହିଷ୍ଣୁତା, …… ଆଦିର ନିଦର୍ଶନ  ସ୍ୱରୂପ  ମଙ୍ଗଳମୟ ବାର୍ତ୍ତା   ପ୍ରେରଣ କରେ ଏବଂ ଲଘୁ- ନିରାମିଷ ଖାଦ୍ୟ ଗ୍ରହଣ, ଖାଦ୍ୟ ସମସ୍ୟା ଅଭାବ ଜନିତ କାରଣ ସୃଷ୍ଟି କରେ ନାହିଁ ।

ସପ୍ତାହର ଶେଷ ଦୁଇବାର ଶୁକ୍ର ଓ ଶନି ଜ୍ୟୋତିଷଶାସ୍ତ୍ର ଓ ଜ୍ୟୋର୍ତିବିଜ୍ଞାନରୁ ଦୁଇ ଗ୍ରହର ସଙ୍କେତ ପ୍ରଦାନ କରେ । ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ନାମ ବହନ କରେ ସୌର ଜଗତର ଶୁକ୍ର ଗ୍ରହ ଓ ଏହା ଅନିଷ୍ଟକାରୀ ଚିନ୍ତାର ଗନ୍ତାଘର ରୂପେ ପୁରାଣ ବିଦିତ । ପ୍ରତ୍ୟେକ ନାଟକର ନାୟକ ଓ ଖଳନାୟକର ଭୂମିକାକୁ  ବିଚାରକୁ ନେଲେ,  ଖଳନାୟକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଭୂମିକାଟି ଯେତେ ଲୋମହର୍ଷଣକାରୀ ହେବ ନାଟକ ବହିଟି ସେତେ ହିଟ୍ ହେବ । ସେହିପରି ପୁରାଣର  ଘଟଣାବଳୀକୁ ଅନୁଧ୍ୟାନ  କଲେ ଜଣାଯାଏ ଯେ, ଦୈତ୍ୟଗୁରୁଙ୍କ ଠାରୁ ତାଲିମ୍‍ପ୍ରାପ୍ତ ଦୈତ୍ୟମାନେ ମହାଖଳନାୟକ ସାଜି ବିଧିର ବିଧାନରେ ହଇଚଇ ସୃଷ୍ଟି କରନ୍ତି । ସେମାନଙ୍କ ଧ୍ୱଂସକାରୀ ଶକ୍ତିକୁ  ସାମ୍‍ନା କରିନପାରି ସମସ୍ତ ଦେବକୁଳ ସୁସଂଘଟିତ ହୁଅନ୍ତି । ଏହି ବାରଟିର ସାମାଜିକ ଚିତ୍ରପଟ୍ଟରୁ  ଦୃଶ୍ୟମାନ ହୁଅନ୍ତି ଉଭୟ  ଆମିଷାସୀ ଓ ଅଳ୍ପସଂଖ୍ୟକ ନିରାମିଷାସୀ ଶକ୍ତି ଉପାସକ । ତେବେ ଆଇଁଷ ଟିକିଏ ହେଲେ ପ୍ଲେଟ୍ ଭାତ ଯାଗାରେ ଦୁଇପ୍ଲେଟ୍ ଉଠିବ  ଓ  ସାମ୍ୟ ଖାଦ୍ୟ ନିତୀରେ  ବିଭ୍ରାଟ ନିଶ୍ଚୟ ଘଟିବ । ଏଥିପାଇଁ ବିଧାତା ଟେନ୍‍ସନ୍ – ଫ୍ରି   ହୋଇପାରୁ ନଥିବେ । ଧର୍ମ ଏବଂ ବିଜ୍ଞାନ ଭାଷାରେ ଶୁକ୍ର ଓ ପୃଥିବୀ ମଧ୍ୟରେ ସାମଞ୍ଜସ୍ୟ ରହିଛି । ତେବେ ପୃଥିବୀବାସୀଙ୍କ ପାଇଁ ଏହା ଏକ ମହାକାଳ ଫଳ ସଦୃଶ  ଲୋଭନୀୟ ଦେଖାଯାଏ । ସନ୍ଧ୍ୟାରେ ପଶ୍ଚିମାକାଶରେ ସବୁଠୁ ଉଜ୍ଜଳ ଓ  ଉଷା ଆଗମନରେ ଉଜ୍ଜଳ  କୁଆଁତାରା ପୂର୍ବାକାଶରେ ଜନମନ ମୋହିନିଏ । କିନ୍ତୁ ଦୂର ପର୍ବତ ସୁନ୍ଦର ଓ ଦୂର ବନ୍ଧୁ ସୁନ୍ଦର ଏବଂ ବିଷ୍ଣୁଙ୍କ ବିଶ୍ୱମୋହିନୀ ପଛରେ ଧାଇଁଥିଲେ ଦାନବ କୁଳ । ଏହିଭାବ  ଶୁକ୍ରଗ୍ରହର ଉଜ୍ଜଳତାରୁ ବୁଝାଯାଏ ଓ ଏହାହିଁ ଜୀବଜଗତ ପାଇଁ ଅତିବ ଭୟଙ୍କର,   ଯାହା ଜ୍ୟୋତିର୍ପଦାର୍ଥ ବିଜ୍ଞାନର ପରିଭାଷା ଅଟେ । କାରଣ ଶୁକ୍ରର ବାୟୁମଣ୍ଡଳ  ବିଷାକ୍ତ ଅଟେ ଓ ଏଥିରେ ଅଙ୍ଗାରକାମ୍ଳର ମାତ୍ରା ପ୍ରାୟ ୯୭ ଶତାଂଶ । ସୌରଜଗତର ଏହା ଉଷ୍ଣତମ ଗ୍ରହ (୪୮୦ ଡିଗ୍ରୀ ସେଲ୍‍ସିୟସ୍) । ଶୁକ୍ରବାର ଠାରୁ  ଆରମ୍ଭ ହୁଏ  ଦୁଃଷ୍ଟ ଗ୍ରହ ମାନଙ୍କର କରିସ୍ମା କାରଣ ବୋଧହୁଏ ଏହାର ଆବର୍ତ୍ତନ ଓ ପରିକ୍ରମଣ ପରସ୍ପର  ବିପରୀତମୂଖୀ । ସୌରଜଗତର ଗ୍ରହ ଗୁଡିକର ପରିକ୍ରମଣ  ଦକ୍ଷିଣାବର୍ତ୍ତ ଅଟେ,  କିନ୍ତୁ କେବଳ ଶୁକ୍ର ବାମାବର୍ତ୍ତରେ ଆବର୍ତ୍ତନ କରେ । ତେଣୁ ଏଠାରେ ସୂର୍ଯ୍ୟ ପଶ୍ଚିମରେ ଉଇଁ  ପୂର୍ବରେ ଅସ୍ତହୁଏ ଓ କାଣୀ ଗାଈର  ଭିନ୍ନେ ଗୋଠ  ସଦୃଶ ଭାବ ମନରେ  ଜାଗେ ।

ସପ୍ତାହର ସପ୍ତମ ବା ଶେଷ ଦିନଟି  ଶନିବାର ଓ ଏହା ଗ୍ରହରାଜ ଶନି ଦେବଙ୍କର ଅଟେ । କିନ୍ତୁ ଆହୁରି ଦୁଇ ଛାୟା ଗ୍ରହ ରାହୁ ଓ କେତୁ  ବନ୍ଧନଯୁକ୍ତ ହୋଇ ଏହି ଦିନରେ ତା’ଙ୍କ  ପ୍ରଭାବ ମଧ୍ୟ ବିସ୍ତାର କରିଥା’ନ୍ତି । ଜୀବନକାଳ ମଧ୍ୟରେ ଅଧିକାଂଶ ଭୋଗାଭୋଗ ଏହି ତିନିଗ୍ରହଙ୍କ ଅକ୍ତିଆରରେ ପ୍ରାୟ ଥାଏ କହିଲେ ଅତ୍ୟୁକ୍ତି ହେବନାହିଁ । ଅବଶ୍ୟ ଅନ୍ୟ  ଛଅଟି ଗ୍ରହମାନଙ୍କ ହସ୍ତରେ ପ୍ରଭାବ ବିସ୍ତାରର ଶକ୍ତି – ଦଣ୍ଡ ଭିନ୍ନଭିନ୍ନ ରୂପେ ରହିଥାଏ, କିନ୍ତୁ ଶନି – ଦଣ୍ଡକୁ ସମସ୍ତେ ଡରନ୍ତି । ଜୀବନ କାଳର  ଭୋଗାଭୋଗା ଆଦି ଗ୍ରହମାନଙ୍କ  ମହାଦଶା ଦ୍ୱାରା ଆୟତାଧିନ ହୋଇଥାଏ । ଏକାକୀ ଶନି ଦେବଙ୍କ ଆବାହନ ଓ ପୂଜାର୍ଚ୍ଚନା କରାଯାଏ ନାହିଁ ।  ତେବେ ଶନିଶ୍ଚରଙ୍କ  ପୂଜା ରାହୁ ଓ କେତୁଯୁକ୍ତ ହୁଏ । ବିଧାତାଙ୍କ ସହାସ୍ୟ ବଦନ ବୋଧହୁଏ ନିମ୍ନ କାରଣଯୁକ୍ତ ହୋଇପାରେ । ପୃଥିବୀ ପୃଷ୍ଠରେ ଶନି ଦେବଙ୍କର ପୂଜାର୍ଚ୍ଚନା ପାଇଁ   ଧିରେ  ଧିରେ ମନ୍ଦିରର ସଂଖ୍ୟା ବଢିବାରେ ଲାଗିଛି ଓ ତତ୍‍ସଙ୍ଗେସଙ୍ଗେ ଏହିବାରରେ ଶନି – ଭକ୍ତ ଅର୍ଥାତ୍ ନିରାମିଷାସୀଙ୍କ  ସଂଖ୍ୟା ମଧ୍ୟ ବୃଦ୍ଧିପାଉଛି । ଏପରିକି ଅନେକ  ଏହିଦିନ ନିଷ୍ଠା ଉପବାସ ରହି ରାତ୍ରିର ଦ୍ୱିତୀୟ ପ୍ରହର ପରେପରେ  ସମର୍ପିତ ଭୋଗରେ ଉଦର ଶାନ୍ତ କରାଇବା ହେଉଛନ୍ତି । ଏହା ଉତ୍କଟ ଖାଦ୍ୟ ସଙ୍କଟ  ସୃଷ୍ଟି ହେବାରେ ନିଶ୍ଚୟ ଏକ ପ୍ରତିବନ୍ଧକ ଅଟେ । ବିଜ୍ଞାନ କହେ ଶନିଗ୍ରହ ପୃଥିବୀଠାରୁ ବିଶାଳ ଅଟେ ଓ ଏହା ବଳୟଯୁକ୍ତ । ବୈଜ୍ଞାନିକ ମାନେ ଏହା ଉପରେ ଅନେକ  ଗବେଷଣା ଚାଲୁ ରଖିବା  ସହିତ ବିଭିନ୍ନ ଚାଞ୍ଚଲ୍ୟକର ତଥ୍ୟାବଳୀ ଦ୍ୱାରା  ବିଜ୍ଞାନ ଜଗତକୁ ଆମୋଦିତ କରାଉଛନ୍ତି । ଏହି ବଳୟ ଗୁଡିକ ରୋଗବ୍ୟାଧିର  କାରଣ ବୋଲି କେହିକେହି ମଧ୍ୟ ଦର୍ଶାଉଛନ୍ତି ।

ପର୍ବତ ଶିଖରେ ମଣ୍ଡିଲି ଚୂଡା ………………….. ମୁଁ ମଣ୍ଡିଲି ଚୂଡା ,

କୃଷ୍ଣ ଧରିଛନ୍ତି ରାଧିକା ଜୁଡା …………………… ଗୋ ରାଧିକା ଜୁଡା ।

ଅର୍ଥାତ୍ ଦିବ୍ୟ ଅଭିଳାଷୀ ତା’ର ଅଭିଳାଷ ପୂରଣ ନିମନ୍ତେ ମାନବ – ସମାଜ – କଲ୍ୟାଣ କର୍ମରେ ଲିପ୍ତରହି ଅନ୍ତିମ ସୋପାନରେ ପଦାର୍ପଣ  କରିବାର ଆନନ୍ଦ  ଅତି  ମଧୁର ଅଟେ   । ଭକ୍ତ ତା’ର ସାଧନର ଶୀର୍ଷରେ ପହଞ୍ଚିବା ପାଇଁ ପର୍ବତ ସ୍ୱରୂପ ପ୍ରତିବନ୍ଧକ ଗୁଡିକୁ ଅତିକ୍ରମ କରିବାକୁ ପଡିଥାଏ ଏବଂ ଦିବ୍ୟ ଆବାହନରେ ରାଧା – କୃଷ୍ଣଙ୍କ ଅପୂର୍ବ ଲୀଳାର     ଅନୁଭବୀ ହୁଏ । ଏହାହିଁ ତା’ର ସାଧନାର ମନ୍ଦିର ଚୂଡା, ଯାହାକୁ ସେ ଆନନ୍ଦାଶ୍ରୁରେ ଧୌତକରି ସୁନ୍ଦର ଭାବେ ମଣ୍ଡନ କରେ । ସେହିପରି  ଏକଦା ଏକ ମହାନ୍ ବିଜ୍ଞାନଭକ୍ତ, ସାଧନାର ପର୍ବତ ଚୂଡା ମଣ୍ଡନାର୍ଥେ ଇଉରେକା – ଇଉରେକା କହି ଧାଉଁ – ଧାଉଁ , ଅଙ୍ଗ – ବସ୍ତ୍ର ଖସି ନିଜେ ଉଲଗ୍ନ ହୋଇଯିବାଟା  ତା’ଙ୍କୁ ଅଜଣା ଥିଲା । ସମାଜ କଲ୍ୟାଣ ନିମିତ୍ତ ମହିଷାସୁରର ବିନାଶାର୍ଥେ ସର୍ବ ଦିବ୍ୟଶକ୍ତିର ସମାହାର ମା’ ଦୁର୍ଗାଙ୍କୁ ଅଙ୍ଗବସ୍ତ୍ର ତ୍ୟାଗ କରିବାକୁ ପଡିଥିଲା । ଯୁଗେଯୁଗେ କଲ୍ୟାଣକାରୀମାନଙ୍କୁ ନିନ୍ଦା , ଅପବାଦ,   ତାଡନା ……. ଆଦି ସହିବାକୁ ପଡେ । ଏକ ପ୍ରବନ୍ଧର ମୂଖ୍ୟ ବିଷୟବସ୍ତୁ ସହ ଜଡ଼ିତ ହେବା ନିମିତ୍ତ ଏହାର ଡାଳ, ଶାଖା,  ପ୍ରଶାଖା, ପତ୍ର, ଫୁଲ, ଫଳ, …… ଆଦିକୁ ସ୍ପର୍ଶ କରିବାକୁ  ପଡେ । ସପ୍ତାହର ମଧ୍ୟମ ଦିନଟି ବୁଧବାର ଅଟେ ଓ ଏହା ବର୍ତ୍ତମାନ ଆଲୋଚନାର ପରିସର ମଧ୍ୟକୁ  ଆଗମନ କରିଥିବାରୁ ମନରେ ଆଶ୍ୱସ୍ତି ଅନୁଭୂତ ହେଉଅଛି ।     କଥାରେ ଅଛି –

ବଡପୁଅ ବାପାର …………………. ସାନପୁଅ ମାଆର

ମଝିଆଁ ନୁହେଁ କାହାର

ଏହା ହେଉଛି ପିତା – ମାତା’ଙ୍କ ମୃତ୍ୟୁରେ ମୁଖାଗ୍ନି ପାଇଁ ଏକ ପ୍ରଥା । ଫଳତଃ ମଝିଆଁ ପୁଅ ମାନଙ୍କର ଗୁରୁତ୍ୱ କମିଯିବା ପରି ଲାଗେ । ସେହିପରି ସପ୍ତାହର ସର୍ବଶ୍ରେଷ୍ଠ  ମଝିଆଁ  ହେଉଛି ବୁଧବାର ଓ ଧାର୍ମିକ ଦୃଷ୍ଟିକୋଣରୁ ଏହାର ସ୍ଥାନ ପ୍ରାୟ ନାହିଁ କହିଲେ ଚଳେ ।  ଖାଦ୍ୟପେୟ ଦୃଷ୍ଟିକୋଣରୁ ବିଚାର କଲେ ଏହାକୁ ଏକ  ଲଗାମ୍‍ଛଡା ବାରର ଆଖ୍ୟା ଦିଆଯାଇପାରେ । ସପ୍ତାହର ଅନ୍ୟ ଦିବସଗୁଡିକରୁ ଲୁକ୍‍କାୟିତ ହୋଇ ରହିଥିବା ଆଇଁଷିଆ ପ୍ରବୃତ୍ତି ଏହିଦିନରେ ଏକକାଳୀନ ବିସ୍ଫୋରିତ ହୁଏ ।  ଏହି ଦିନରେ  ଗାଁ – ଗହଳି , ସହର – ବଜାର, ମେନ୍‍ରୋଡ୍, ଗଳିକନ୍ଦି, କାର୍ଯ୍ୟାଳୟ ଗୁଡିକରେ ଆସର ଜମାଇଥିବା ଯେକୌଣସି ସମ୍ବର୍ଦ୍ଧନା ଉତ୍ସବ, ……..  ଇତ୍ୟାଦିରେ  ଦେଖିଲେ  ଆଘ୍ରାଣେ ଅର୍ଦ୍ଧଭୋଜନମ୍‍ର ଅସଲି ଚେହେରା ପ୍ରକଟିତ ହୁଏ । ଅର୍ଥାତ୍ ଶୁଖୁଆ ପୋଡାର ବାସ୍ନା, ଈଲିଶୀ ଶୁଖୁଆ ଭଜା ଓ  ଈଲିଶୀମାଛ  ଭଜାର ବାସ୍ନା,  ଅନ୍ୟ ମାଛଭଜାରୁ  ବାହାରୁଥିବା ମହକ, ମଟନ୍ କଷାରୁ ଉଦ୍‍ଗତ ମୋଟାଳିଆ ମଳୟ, ଦେଶୀ ଚିକେନ୍ କଥାହିଁ ନିଆରା ଓ ଏହାପାଇଁ ଭାଷାର ଅଭାବ,  ବ୍ରଏଲର୍ ତ  ରୋମେ ରୋମେ ବିରାଜିତ ………. ଇତ୍ୟାଦିରୁ ତନୁମନ ଉଚ୍ଛନ୍ନ । ଗଗନ ପବନ ଉଲ୍ଲସିତ ଓ କବିମାନଙ୍କର କବିତା ହୋଇଉଠେ ପଲ୍ଲବିତ ।  ସମସ୍ତେ ତ୍ରୀଅକ୍ଷର ବ୍ରହ୍ମ ଆମିଷଙ୍କ ଅପେକ୍ଷାରେ । କେତେବେଳେ ଖାଦ୍ୟ ପରଷା ଯିବ ? ଯେତେ ବିଳମ୍ବ ହେଉଛି ମନ ସେତେ ଉଚ୍ଛନ୍ନ ହେଉଛି । ଧରାରୁ ପାପର ବିନାଶ ପାଇଁ ଶକ୍ତି  ସ୍ୱରୂପିଣୀ  ମା’ ଧରାବତରଣ କରନ୍ତି ଚଣ୍ଡି – ଚାମୁଣ୍ଡା ପ୍ରଭୃତି ତା’ଙ୍କ ଥାଟପାଟଙ୍କୁ ଧରି । ସେହିପରି ପ୍ରିୟ ବୁଧବାର ମଧ୍ୟ ତା’ଙ୍କ ଥାଟପାଟଙ୍କୁ ଧରି ସପ୍ତାହରେ ଥରେ ଧରାବତରଣ କରନ୍ତି । ସେଥିପାଇଁ ତା’ଙ୍କ ଆଗମନରେ କବିତା ପାଠୋତ୍ସବ ଚାଲୁ ରଖିବାରେ ହେଳା କାହିଁକି ? ତେବେ ଗାଆନ୍ତୁ ସର୍ବେ ……………….

ବୁଧ ଆସେରେ ……. ମନ ନାଚେରେ

ରୋଷେଇଘର ବାସେରେ

ସଭିଏଁ ଆଜି

ମାଛ, ମାଂସ, ଶୁଖୁଆର ପବିତ୍ର ବାସ୍ନାରେ ……….  ବୁଧ ଆସେରେ …….  (୧)

ହସୁଛି ଉଦର ……… ଜିହ୍ୱା ଜରଜର

ବହୁଅଛି ଲାଳ ……… ଗୋଡ, ହାଡ, ପର

ଗଡେ ମୁଣ୍ଡମାଳ ………… ପଶୁପକ୍ଷୀଙ୍କର

କେହି କାହିଁ କରୁନାହିଁ ହାହାକାର

ହରଷେ, ସରସେ, ଭରସେ, ପରଷେ ………. ଅଧିରେ ବିଭୋର

ବୁଧ ଆସେରେ …………………….. (୨)

ସୌର ଜଗତର ନମ୍ବର ୱାନ୍ ଗ୍ରହ ବୁଧ(Mercury)ଅଟେ ଓ ସୂର୍ଯ୍ୟାସ୍ତରେ ବାରୁଣି ଗଗନରେ କେତେ ସେକେଣ୍ଡେ ପାଇଁ ଏହି ଉଜ୍ଜଳ ଗ୍ରହ ଦୃଶ୍ୟମାନହୋଇ ମନ ମୋହିନିଏ । ପାହାନ୍ତି ରାତିର ପ୍ରାଚୀ ଗଗନରେ ମଧ୍ୟ କ୍ଷଣିକ ଆଭାସ ମନରେ ଦୀର୍ଘ ସମୟ ଯାଏ ଜାଗତିକ ଚେତନା ସୃଷ୍ଟିକରେ । ଏହି ଚେତନା ଆମିଷ  କିମ୍ବା  ନିରାମିଷ ସ୍ତରର ନୁହେଁ । ବୁଧ ଗ୍ରହ ସୂର୍ଯ୍ୟଙ୍କର ସବୁଠାରୁ ନିକଟତମ । ନିଜ ଚାରିପାଖରେ  ୫୯ ଦିନ ଓ ସୂର୍ଯ୍ୟଙ୍କ ଚାରିପାଖରେ ଘୂରି ଆସିବାପାଇଁ ପ୍ରାୟ ୮୮  ଦିନ  ନିଏ । ତେବେ ପରିକ୍ରମଣର  ଏକକ  ଓ ଦଶକ ସ୍ଥାନରେ ସମାନତା  ଓ ଗ୍ରହଟିର ବାହ୍ୟ ରୂପ ପାରଦ ପରି ଶୂଭ୍ରତା ଆଦିରୁ ଉକ୍ତ ପ୍ରବନ୍ଧର ମୌଳିକତା  ପୁନଃ ଜାଗ୍ରତ  ହୁଏ, ଯଥା – ଆରମ୍ଭର ଉନ୍ମାଦ ବିଲୟରେ ଭରିରହୁ । ତେଣୁ ଆଲୋକ – ଅନ୍ଧାର, ଉତ୍‍ଥାନ -ପତନ, ଜନ୍ମ – ମୃତ୍ୟୁ, ହସ – କାନ୍ଦ, ସୁଖ – ଦୁଃଖ, ମାନ – ଅପମାନ,  ନିନ୍ଦା – ପ୍ରଶଂସା, ପ୍ରାପ୍ତ – ହୃତ, ……ଇତ୍ୟାଦି    ପରିସ୍ଥିତି ଓ ପରିବେଶରେ ମନର ସ୍ଥିରତା ବଜାୟ ରଖି ଧ୍ରୁବସତ୍ୟ ବା ସମୟର ଧାରାରେ ନିଜସ୍ୱ ସତ୍  ବିନିଯୋଗରେ ସନ୍ତୁଳନତା ଓ ତହିଁରୁ ଜାତ ଧୈର୍ଯ୍ୟର ଅସୀମତା ହାସଲ   କରିବାର ନୈସର୍ଗିକ ପ୍ରେରଣାହିଁ ବୁଧଗ୍ରହର ବିଶିଷ୍ଠତା ରୂପେ ଅନୁଭୂତ ହୁଏ । ଜ୍ୟୋତିଷ ଶାସ୍ତ୍ର କହେ  ବୁଧଗ୍ରହ ଜାତୀୟ ବ୍ୟକ୍ତି ଶାନ୍ତ, ସ୍ଥିତପ୍ରଜ୍ଞ, ନମ୍ର, ଜ୍ଞାନୀ, ସୌମ୍ୟକାନ୍ତି  ଏବଂ ସର୍ବ ଉତ୍ତମ ଗୁଣର ଅଧିକାରୀ । ସବୁଜ ରଙ୍ଗର ପରିବେଶ, ପରିଧାନ, ପରିଚର୍ଯ୍ୟା ………. ଆଦିରେ ଏ ଗ୍ରହ ତୁଷ୍ଟ ହୁଅନ୍ତି ।

ବିଦ୍ୟୁତ୍ ଶକ୍ତିରୁ ତାପଶକ୍ତି ପ୍ରାପ୍ତର ଯାନ୍ତ୍ରିକ କୌଶଳ ଯେତେ ସରଳ, ତାପଶକ୍ତିରୁ ବିଦ୍ୟୁତ୍ ଶକ୍ତି ପ୍ରାପ୍ତ ସେତିକି ସରଳ ନହେଲେ ମଧ୍ୟ  ମାନବ ସମାଜ କଲ୍ୟାଣ ନିମିତ୍ତ  ମହାଜ୍ଞାନ କୌଶଳ ଦ୍ୱାରା ତାପଜ ଶକ୍ତିକେନ୍ଦ୍ର(Thermal Power Plant), ଆଣବିକ ଶକ୍ତିକେନ୍ଦ୍ର(Atomic Power Plant) ଆଦି ପ୍ରତିଷ୍ଠା କରାଯାଇଅଛି,  ଯାହା ପାରମାଣବିକ  ବିଭାଜନରୁ ଉତ୍ପନ୍ନ ବିନାଶକାରୀ ଶକ୍ତିକୁ ବିକାଶକାରୀ ଶକ୍ତିର ରୂପରେଖ ପାଇଁ ଆଇନ୍‍ଷ୍ଟାଇନ୍‍ଙ୍କ ଦ୍ୱାରା ପ୍ରଣୀତ ଶକ୍ତି, ବସ୍ତୁତ୍ୱ ଓ ଆଲୋକର  ବେଗକୁ ନେଇ ଗାଣିତିକ  ସମୀକରଣ ହିଁ ବ୍ୟବହାରିକ ଦିଗ ଅଟେ । ପାରମାଣବିକ ରିଆକ୍ଟର୍ (Nuclear Reactor)ଦ୍ୱାରା ଭୟଙ୍କର ବିସ୍ଫୋରିତ ପ୍ରକ୍ରିୟାକୁ  ଆୟତ୍ତରେ ରଖାଯାଇ  ଏ କାର୍ଯ୍ୟ  ସାଧନ କରାଯାଉଅଛି । ଏଥି ନିମିତ୍ତ ଭାରତ ବର୍ଷରେ ଅପ୍‍ସରା, ଧ୍ରୁବ, ଜର୍ଲିନା, ………   ଆଦି ରିଆକ୍ଟର୍ ଆଣବିକ ଶକ୍ତିକେନ୍ଦ୍ର  ଗୁଡିକରେ ସ୍ଥାପନ କରାଯାଇଅଛି । ପାରମାଣବିକ ଶକ୍ତିର ସୁବିନିଯୋଗର ସ୍ୱପ୍ନ ଦେଖିଥିଲେ ମହାମାନବ ଆଇନ୍‍ଷ୍ଟାଇନ୍‍, କିନ୍ତୁ ତତ୍‍କ୍ଷଣାତ୍ ଏହାକୁ ଓଲଟା ଭାବେ  ବ୍ୟବହାର କରି ମାନବ ତା’ର ମାନବୀୟତାକୁ ହରାଇ ବସିଲା । ଅଧୁନା ଅଧିକାଂଶ ଦେଶ ପରମାଣୁ ବୋମାଦ୍ୱାରା ବଳିୟାନ ବୋଲାଇ ଗର୍ବ ଅନୁଭବ କରୁଛନ୍ତି । ପୁରାଣ କାଳରେ ଯେଉଁ ବ୍ରହ୍ମାସ୍ତ୍ରର କୋକୁଆ ଭୟ ଥିଲା,  ଏବେବି ସେହି ସମଦଶା ଘାରିଛି ମାନବ ସମାଜକୁ । ମାନବ ସମ୍ବଳ ବିକାଶରେ ଶକ୍ତିର ବିନିଯୋଗ ଯେଉଁ  ମାତ୍ରାରେ ହେବାକଥା ତାହା ନହୋଇ ଧ୍ୱଂସକାରୀ ମାର୍ଗରେ ବୃଦ୍ଧି ଘଟୁଛି ଓ ସମାଜ ଅତି ମାତ୍ରାରେ ଉତ୍‍ଶୃଙ୍ଖଳ ହେବାରେ ଲାଗିଛି । ଫଳତଃ ସୃଷ୍ଟିକର୍ତ୍ତା ସନ୍ତୋଷ ଲାଭ  କରିବା ପରିବର୍ତ୍ତେ ଅଧିକ ବ୍ୟଥିତ । ସୃଷ୍ଟିର ସମସ୍ତ ଉଦ୍ଦେଶ୍ୟକୁ ପଣ୍ଡ ପୂର୍ବକ ଜୀବଜଗତ୍ ଧ୍ୱଂସର କାରଣ ଏହି ପରମାଣୁ ବୋମା ଅଟେ । ଏହାର ତାଣ୍ଡବ ଲୀଳାରୁ  ଘୋର ଅନାଟନ, ଖାଦ୍ୟସଙ୍କଟ, ଜୀବ ବିକୃତିକରଣ, ଦୁଃସାଧ୍ୟ ବ୍ୟାଧି, ଭୟଙ୍କର ପ୍ରଦୂଷଣ, ………… ଆଦି ପ୍ରକ୍ରିୟାମାନ ଶହଶହ ବର୍ଷ ଧରି ମୁଣ୍ଡ ଟେକି ରହନ୍ତି । ଏହା ପ୍ରକୃତିର ଜୀବ – ଖାଦ୍ୟ ସନ୍ତୁଳନତାରେ ଘୋର ବିଘ୍ନ ସୃଷ୍ଟିର ଏକ ମାରାତ୍ମକ  ପ୍ରଶ୍ନବାଚୀ ଅଟେ ।

ହେ ମହାବିଶ୍ୱ ! ତୁମେହିଁ ସର୍ବଶ୍ରେଷ୍ଠ ସନ୍ତୁଳନତାର ନିଦର୍ଶନ ଅଟ । ତୁମେ ଅତି ସୂକ୍ଷ୍ମାତିସୂକ୍ଷ୍ମ ସ୍ଥାନ ଓ କାଳ ମଧ୍ୟେ ବିଲୀନ ଥିଲ ଏହି ଦୁଇ ପରିସରର କ୍ଷଣିକ  ସଂଯୋଜନାରୁ କୋଟିକୋଟି ଗ୍ୟାଲାକ୍ସିର ଉଦ୍‍ଭବ ଓ ତହିଁରୁ ଅଗଣିତ ଦେହଧାରୀ ତାରକା,  ଗ୍ରହାଦିଗଣର ସୃଷ୍ଟି ଏବଂ ବିଭିନ୍ନ ରୂପରେଖର  ଜୀବଜଗତମାନ ତିଷ୍ଠି  ରହିଥିବାର ସମ୍ଭାବନା ଉଙ୍କି ମାରିବା ସ୍ୱାଭାବିକ । ସୃଷ୍ଟିତତ୍ତ୍ୱର ପରୀକ୍ଷିତ ଓ ପ୍ରମାଣସିଦ୍ଧ ବୈଜ୍ଞାନିକ ଦର୍ଶନ ଏବଂ ଅପ୍ରମାଣିତ ବ୍ରହ୍ମତତ୍ତ୍ୱ ମଧ୍ୟରେ ଅଭୂତପୂର୍ବ ଏକକତ୍ୱ  ଭାବ ପ୍ରସ୍ଫୁଟିତ ହେଉଅଛି । ପୃଥିବୀ ବକ୍ଷର ଜୀବଜଗତ ମଧ୍ୟରେ ସବୁଠୁ ଉନ୍ନତତମ ଜୀବ ମାନବର ବୌଦ୍ଧିକ ଓ ବ୍ୟବହାରିକ ସ୍ତରରେ ନିରଙ୍କୁଶ ସନ୍ତୁଳନତା ବଜାୟ  ରଖିବା ହେଉଛି ପ୍ରକୃତିର ଚରମ ଚେତାବନୀ । ଯେହେତୁ ବଞ୍ଚିବାପାଇଁ ପ୍ରଥମ ଆବଶ୍ୟକତା ଖାଦ୍ୟ, ତେଣୁ ଏହା ଉପରେ ପର୍ଯ୍ୟାଲୋଚନାକରି ମନ, ପ୍ରକୃତି, ରିପୂ, ……… ଆଦିର ଏକ ସମ୍ମିଳିତ ନିର୍ଯ୍ୟାସର   ଅନୁଭବ ହେବା ନିତାନ୍ତ ଆବଶ୍ୟକ ।

ଜ୍ୟୋତିଷଶାସ୍ତ୍ର ଓ ଜ୍ୟୋତିର୍ବିଜ୍ଞାନରେ ଯେଉଁ ପୃଥକ୍ ପୃଥକ୍ ନବଗ୍ରହର ରୂପରେଖ ଦିଆଯାଇଛି ତହିଁରେ ଥିବା କ୍ରମିକତା ମଧ୍ୟରେ କୌଣସି ସମାନୁପାତିକ ସାମଞ୍ଜସ୍ୟ  ନାହିଁ । ଶାସ୍ତ୍ର କହେ ସୂର୍ଯ୍ୟ ଓ ଚନ୍ଦ୍ର ଦୁହେଁ ଗ୍ରହ, କିନ୍ତୁ ବିଜ୍ଞାନ କହେ ଏମାନେ ଯଥାକ୍ରମେ ନକ୍ଷତ୍ର ଓ ଉପଗ୍ରହ । ଉଭୟ କ୍ଷେତ୍ରରେ ଭିନ୍ନତାର ପରିଚୟ ବଦଳିବା ସହ  ଶେଷ ଗ୍ରହ ଯାଏ ପରିବ୍ୟାପ୍ତ ଅଟେ । ଶାସ୍ତ୍ରାନୁସାରେ ବୁଧ ମଧ୍ୟମ ଅଟେ । ପରିବାରର ମଧ୍ୟମ ପୁତ୍ର ପ୍ରତି ନିଘା, ଅନୁକମ୍ପା ଓ ଆଦରର ମାତ୍ରା ଅନ୍ୟ ମାନଙ୍କ ତୁଳନାରେ ପଛରେ ଥିବାର ଅନୁମେୟ ହୁଏ । ଧାର୍ମିକ ଏବଂ ସାମାଜିକ କ୍ରିୟା କର୍ମରେ ଏମାନଙ୍କ ସ୍ଥାନକୁ ଏତେ ଗୁରୁତ୍ୱ ଦିଆଯାଇ ନଥାଏ,  ଯାହାକୁ ଏକପ୍ରକାର ଅବହେଳିତର  ଆଖ୍ୟା ଦିଆଯାଇ ପାରେ ।  ଏହା ଏକ ଖାଣ୍ଟି ଆକଳନ ନହୋଇପାରେ କାରଣ କିଛି ବ୍ୟତିକ୍ରମତା ମଧ୍ୟ ରହିଛି । ଜ୍ୟେଷ୍ଠ ଓ କନିଷ୍ଠ ପୁତ୍ର(କୋଡପୋଛା)ମାନଙ୍କର  ସ୍ୱତନ୍ତ୍ର ସ୍ଥାନ ରହିଥାଏ । ପର୍ଯ୍ୟବେକ୍ଷଣରୁ  ବୁଧଗ୍ରହ ଦୂରତା କ୍ରମରେ ସୌର ପରିବାରର ପ୍ରଥମ ବା ଜ୍ୟେଷ୍ଠ ଓ ସୂର୍ଯ୍ୟଙ୍କ କ୍ଷତିକାରକ  ବିକିରଣର ପ୍ରଭାବରେ ଏହି ଗ୍ରହ  ସର୍ବାଗ୍ରେ ସର୍ବଦା ଜର୍ଜରିତ । ଏହାର ଦିବାଭାଗ ଓ ରାତ୍ରିଭାଗର ତାପମାତ୍ରା ଯଥାକ୍ରମେ ଅତ୍ୟୁଚ୍ଚ ଓ ଅତିନିମ୍ନ । ଫଳତଃ ଜୀବଜଗତ ସୃଷ୍ଟିହେବା, ତିଷ୍ଠିରହିବା  ଏବଂ  ମାନବ ସେଠାରେ ବସତି ସ୍ଥାପନ  କରିବାର ଲାଳସା କଳ୍ପନାର ବାହାରେ । ତେବେ କ’ଣ ଏହି ଧାରାରେ ବୁଧବାରଟି ଆଧାରିତ ହୋଇଅଛି ? ଏହା କ’ଣ ଶାକାହାରୀ  ଦିବସ ରୂପେ ତାଲିକାଭୁକ୍ତ ନହୋଇ ଆନ୍ତର୍ଜାତିକ ଆମିଷବାର(International Non-veg day)ଭାବେ ପରିଗଣିତ ? ସୃଷ୍ଟିରେ ଆମିଷ ଭକ୍ଷଣ ନିମିତ୍ତ  କ’ଣ  ଏହି ବାରକୁ ଉନ୍ମୁକ୍ତ ରଖାଯାଇଛି ? ତେଣୁ  ଏହାକୁ ଜୀବ ନାଶକ ବାର ରୂପେ କାହିଁକି ଆଖ୍ୟା  ଦିଆ ନଯିବ ?  କିନ୍ତୁ ଉଭୟ ବିଜ୍ଞାନ ଓ ବ୍ରହ୍ମତତ୍ତ୍ୱ ଏକମତ ଯେ, ସୃଷ୍ଟିରେ  ପ୍ରତି କ୍ଷେତ୍ରରେ ସନ୍ତୁଳନତା ବଜାୟ ରଖିବା ଉଚିତ୍  ଏପରିକି ଖାଦ୍ୟ ଉତ୍ପନ୍ନ ଓ ସେବନରେ ମଧ୍ୟ । ଯେହେତୁ ବୁଧବାରକୁ ଆଇଁଷିଆ କରାଯାଇଛି  ଓ ଖାଦ୍ୟ ଅପଚୟର  କାରଣ ସାଜୁଛି, ତେବେ ଏହାର ନିରାକରଣ ନିମିତ୍ତ ଜୀବ ବଧ ନକରିବାପାଇଁ ମିଶ୍ରିତ ବ୍ରହ୍ମ – ବିଜ୍ଞାନ ତତ୍ତ୍ୱର ସିଧା ପ୍ରସାରଣ ଆବଶ୍ୟକ ଅନୁଭୂତ ହୁଏ ।

ବୁଧ ଗ୍ରହଟି ଚିର ଜୀବଜଗତ ଶୂନ୍ୟ । ବୋଧହୁଏ ତାଙ୍କରି ଦିନରେ ଜୀବହତ୍ୟା ପ୍ରକ୍ରିୟା ଚାଲୁରହି ସର୍ବଶେଷ ଛାଗ, ମେଷ, କୁକ୍‍କୁଟ, ଅନ୍ୟାନ୍ୟ ଜୀବଜନ୍ତୁ ……. ଆଦିଯାଏଁ ପରିବ୍ୟାପ୍ତ ରହିବ । ପୁଣି ଏହି ବାରରେ ପ୍ରାୟ ମାନବାକୃତ ସେପରି କିଛି ନିୟମିତ ପୂଜାର୍ଚ୍ଚନାର ବ୍ୟବସ୍ଥା ନାହିଁ । ତେବେ ବୁଧେଇ ଓଷା ସମୁନ୍ଦ୍ରକୁ ଶଙ୍ଖେ  ପାଣି ପରି କେତେ ବା ଖାଦ୍ୟ ବଞ୍ଚାଇବ ? ବର୍ତ୍ତମାନ ବୁଧବାର ପାଇଁ ଭୋଜିଭାତ ସମ୍ବନ୍ଧରେ ପୁନଃ ଆଲୋଚନା କରାଯାଉ । ଗଭୀରଭାବେ ଚିନ୍ତା କଲେ କିଛିନା  କିଛି ସଙ୍କେତ ପ୍ରାପ୍ତ ହୁଏ ଯେ, ପ୍ରତି   ମୁହୂର୍ତ୍ତରେ ପୃଥିବୀରେ କୌଣସି ଯାଗାରେ ଏହି ଦିନରେ ଭୋଜିଭାତ ନିଶ୍ଚୟ ଚାଲୁଥିବ । ବିଧାତାଙ୍କ ଖାଦ୍ୟ  ଜନିତ ସମସ୍ୟା  ପ୍ରତି ଏହା କେତେଦୂର ସମାଧାନର ଅଂଶୀଦାର  ତାହା ଚିନ୍ତା କରାଯାଉ । ମନେକର କୌଣସି ପରିବେଶରେ କେହି ପ୍ରତିଷ୍ଠାବାନ୍  ବ୍ୟକ୍ତି କିମ୍ବା ଦୀକ୍ଷାଧାରୀଙ୍କୁ  ସମ୍ବର୍ଦ୍ଧିତ କରିବା ପାଇଁ ଏକ ବଡ ଭୋଜିଭାତର ଆୟୋଜନ ଏହି   ବାରରେ ପଡେ , ତେବେ ଭାଗିଦାରୀ ମାନଙ୍କ ମନ ଆନନ୍ଦରେ ନାଚିଉଠୁଥିବ ଯେ, ଯେ ନିଶ୍ଚୟ  ମଟନ୍ ମାଡ ହେବ । କିନ୍ତୁ ଏଠାରେ ବିଭିନ୍ନ ପ୍ରକାର ସମ୍ଭାବନାର  ପରିସ୍ଫୁଟ  ହୁଏ ।

(୧)ପ୍ରଥମତଃ ଯଦି ଅତିଥି ଆଜନ୍ମ ନିରାମିଷାସୀ ହୋଇଥିବେ ତେବେ –  ଆମିଷ  ଖାଦ୍ୟ ଉପରେ ନିଷେଧାଜ୍ଞା ଜାରୀ ପୂର୍ବକ ସମ୍ପୂର୍ଣ୍ଣ ନିରାମିଷ ଭୋଜିର ଆହ୍ୱାନ  ଦେଇ ପାରନ୍ତି, ଅନ୍ୟଥା ତା’ଙ୍କ ପକ୍ଷେ ଖାଦ୍ୟ ଗ୍ରହଣ ଅସମ୍ଭବ ।

(୨) ଅନ୍ୟମାନଙ୍କ ମଟନ୍ ଝୋଳ ଲାଳସା ଉପରେ କୌଣସି ଅଙ୍କୁଶ ନଲଗାଇ ନିଜପାଇଁ ପୃଥକ୍ ସାତ୍ତ୍ୱିକ ଭୋଜନ ବନ୍ଦୋବସ୍ତ କରିବାର ଅଭିଳାଷ  ପୋଷଣ  କରିପାରନ୍ତି ।  ଦ୍ୱିତୀୟତଃ ଯଦି ଆମିଷ ଭକ୍ଷଣ ସହ ଅତିଥିଙ୍କ ଜୀବନର କିଛି ଅଂଶ ଅତିବାହିତ ହୋଇଯାଇଥିବା ପରେ ବିଭିନ୍ନ କାରଣ ବଶତଃ ସାତ୍ତ୍ୱିକବିତ୍‍କୁ  ବଦଳିଥା’ନ୍ତି, ତେବେ ତାଙ୍କ  ତରଫରୁ ନିମ୍ନ ସମ୍ଭାବନା ଆସିପାରେ –

(କ) ଯଦି ଆମିଷ ଭକ୍ଷଣରେ ଅତିଥିଙ୍କର କଟକଣା ନଥିବା ପ୍ରାୟ ଜଣାପଡେ, ଯେହେତୁ ଦିନଟି ବୁଧବାର ଓ  ଏବଂ ଆଗରୁ ମଟନ୍‍କଷା, ମଟନ୍‍ ଝୋଳାଦିର ସ୍ୱାଦରେ  ସେ  ମସଗୁଲ୍ ଥିଲେ, ତେଣୁ ଏବେ ଥରେ ଅଧେ ଖାଇଦେଲେ କ୍ଷତି ବା କ’ଣ ? ଶପଥ ଗ୍ରହଣରେ ତ ଅନ୍ତରାତ୍ମା ମାନିନାହିଁ, କେବଳ ପରିସ୍ଥିତିର ତାଡନାରେ ସେ ସାତ୍ତ୍ୱିକ ବନିଛି ।  ତେଣୁ ବାହ୍ୟ ଚାକଚକ୍ୟ ପ୍ରତି ଦୃଷ୍ଟି ଦେବା ନିହାତି ଦରକାର ଓ ଏଥିପାଇଁ ଓଲଟା ଭାବିବା କିଆଁ ?

(ଖ) ଯଦି ଶପଥ ଗ୍ରହଣର ଭାବ ଅନ୍ତରାତ୍ମା ଯାଏଁ କୁଦା ମାରିଥିବ, ତେବେ ପ୍ରଥମ ସ୍ଥିତିର ସମ୍ଭାବନା ଏଠାରେ ଆସନ ଗ୍ରହଣ କରିବାକୁ ବାଧ୍ୟ ।

(୩) ଯଦି ଅତିଥି ଉପରୋକ୍ତ କିଟିମିଟିଆ ପରିବେଷ୍ଟନୀରୁ ନିଆରା, ତେବେ ଯାହା ମିଳିଲା ବିନା ଦ୍ୱିଧାରେ ଖାଅ । ଶାସ୍ତ୍ର କହେ  ପ୍ରଳୟ  କାଳରେ କୌଣସି ନିୟମ  ଲାଗୁ ହୁଏନି – ‘ସର୍ବେ ହୋଇବେ ଏକାକାର – ବେଦରେ ନଥିବ ବିଚାର’ । ସେହିଭଳି ଏଠାରେ ଖା – ଭୁଞ୍ଜ୍ – ଗିଳ୍ ମିଶି ଏକେଶ୍ୱର ବ୍ରତୀ  ହୋଇ ପାରନ୍ତି । କିନ୍ତୁ  ନିଷ୍କପଟ ବ୍ୟକ୍ତିତ୍ୱ ନିମିତ୍ତ  ସମସ୍ୟାମାନ ବାଏଁ ବାଏଁ ଉଡିଯିବ ।

ଉପରୋକ୍ତ ବିଶ୍ଳେଷଣରୁ ପ୍ରତିପାଦିତ ହୁଏ ଯେ, ପ୍ରଥମ କ୍ଷେତ୍ରର ପ୍ରଥମ ସମ୍ଭାବନାରେ ଅତିଥିଙ୍କ ଅଭିଳାଷ ଯାହା ଥାଉନା କାହିଁକି, ତାହା ଖାଦ୍ୟ -ବ୍ରହ୍ମର ଉପଯୁକ୍ତ  ବିନିଯୋଗ   କାରକ ଅଟେ । କିନ୍ତୁ ଏହା ଆମିଷିଆଳୀ ମାନଙ୍କପାଇଁ ବାପ ରାଣ – ଢିଙ୍କି ଗିଳି ସଦୃଶ ଅଟେ । କ’ଣ ବା କରାଯାଇ ପାରିବ ? ଅତିଥି ଦେବୋ ଭବଃ । କିନ୍ତୁ ଘରେ ପରିବାର  ବର୍ଗଙ୍କ ପାଇଁ ନିଜ ଅଂଶ କାଟ୍‍କରି ମାଛ କିମ୍ବା ମାଂସ ଯୋଗାଇ ଦେଇ ସମ୍ବର୍ଦ୍ଧନା ସଭାକୁ ଯିବାକୁ ପଡିବ । ଘରେ ତ ରାତ୍ରି ଭୋଜନ ଅଛି, ନିଜପାଇଁ  ବଜାରରୁ ପୁନାଃମିଷ କ୍ରୟ  କରାଯାଇ ପାରିବ । ତେଣୁ ପ୍ରଥମେ ଭୋଜିରେ ସାମିଲ ହେବାକୁ ପଡିବ । ଜୀବନକାଳ ମଧ୍ୟରେ ଏପରିକା ବୁଧବାର  ଆସିପାରେ ଓ ନ’ଆସିପାରେ ବି । ଯଦି ଆମିଷିଆଳୀଟି   ଅର୍ଥନୀତି ପ୍ରତି ସଜାଗ, ତେବେ ସେ କଦାପି ନିଜର ରାତ୍ରି ଭୋଜନାର୍ଥେ ପୁନଃ ଖର୍ଚ୍ଚାନ୍ତ ହେବନି । କାରଣ  ସମ୍ବର୍ଦ୍ଧନା ସଭାପାଇଁ ମୋଟା ଆକାରରେ ଚାନ୍ଦା ଦିଆଯାଇଛି । ଅତି   ଦେଖେଇ ହେଲେ ପକେଟ୍ ଖାଲି ହେବ ସିନା, ତେଣୁ ଗୋଟିଏ ରାତିପାଇଁ ମନ ମାରିଦେଲେ  ଚଳିବ । ଜୀବନରେ କେତେ ବୁଧବାର ରାତିରେ, ଘରେ କିମ୍ବା ବାହାରେ ଆମିଷ ଖାଇବାର ସୁଯୋଗ ନ’ଆସିବ ବା କାହିଁକି ? ତେବେ ଏହି ଭୋଜିଭାତ ମୂଳରେ,  ସୃଷ୍ଟିର ଖାଦ୍ୟ ସମସ୍ୟା ବୃଦ୍ଧିର ଅନେକ କାରଣ ରହିଛି ଓ ସବୁଠୁ ଭୟଙ୍କର କାରଣ ହେଲା “ରନ୍ଧନ ଖାଦ୍ୟ ନଷ୍ଟ ହେବା” । ଶସ୍ୟ ଉତ୍ପାଦନ ପାଇଁ ଚାଷୀ  କ୍ଷେତରେ  ହଳ ବୁଲାଇ, ମଞ୍ଜିବୁଣିବା ଠାରୁ ଆରମ୍ଭକରି ଶସ୍ୟ ଅମଳ ଯାଏ କାହିଁ କେତେ ପ୍ରତିବନ୍ଧକ ଗୁଡିକୁ ଏଡାଇବାକୁ ପଡିଥାଏ । ଶସ୍ୟ ଅମଳ ପରେ  ଯତ୍ନରେ ସାଇତି  ରଖିବା, ରନ୍ଧନ କରିବା ଓ ଗର୍ଭକୁ କ୍ଷେପଣ କରିବା ଆଦି ପ୍ରତି ସ୍ତରରେ ଶକ୍ତିକୁ ବିଭିନ୍ନ ଭାବେ  ବିନିଯୋଗ କରାଯାଏ । କିନ୍ତୁ ଲକ୍ଷ ଲକ୍ଷ ଭୋଜିରେ ବଳକା  କ୍ୱିଣ୍ଟାଲ୍  କ୍ୱିଣ୍ଟାଲ୍ ରନ୍ଧନ ଖାଦ୍ୟ , ଜୀବ – ଜନ୍ତୁ ମାନଙ୍କର ବଳକା ରନ୍ଧନ ମାଂସ, ନିଜ ପ୍ଲେଟ୍‍ରୁ  ନିଃଶେଷ କରିପାରି  ନ’ଥିବା  ଖାଦ୍ୟ, ଅତି ଭକ୍ଷଣ ଯୋଗୁ  ଖାଦ୍ୟର ପ୍ରକୃତ  ବିନିଯୋଗ ନ’ହୋଇ  ବଦହଜମୀ ହେତୁ ଶରୀରରୁ ଝାଡା – ବାନ୍ତି ରୂପେ ନିର୍ଗତ ହେବା, …….. ଇତ୍ୟାଦି  ଇତ୍ୟାଦି  ରୂପେ ଖାଦ୍ୟ  ନଷ୍ଟ ହେବାଯୋଗୁ ବ୍ରହ୍ମାଙ୍କ  ବିଧାନରେ ଆଲୋଡନ ଜାତ ହୁଏ । ଏହାହିଁ  ଖାଦ୍ୟ – ଶକ୍ତିର ଘୋର ଅପଚୟ ଓ ଅପବ୍ୟବହାର । ଫଳରେ ଶକ୍ତିସଙ୍କଟ  ବୃଦ୍ଧିପାଇ  ଚାଲେ,  କାରଣ  ଶକ୍ତି ଏକ ରୂପରୁ ଅନ୍ୟ ରୂପକୁ ବଦଳେ । ଯେହେତୁ ଖାଦ୍ୟରୁ ଜାତ ଶକ୍ତିହିଁ ବଞ୍ଚିବାର ପ୍ରଥମ ରାହା,  ତେବେ ଆସନ୍ତୁ ବୁଧଗ୍ରହଙ୍କ ଠାରୁ  ମାନବ ସମାଜ  କଳ୍ୟାଣ ନିମିତ୍ତ ପ୍ରେରିତ  ବାର୍ତ୍ତା  ଶ୍ରବଣ କରିବା ।

ହେ ମୋର ପରମ ପୂଜ୍ୟ – ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ ! ମୋର ଅନ୍ୟ ସମସ୍ତ ଗୁରୁଜନ ବୃନ୍ଦ ! , ଯଥା – ଚନ୍ଦ୍ର, ମଙ୍ଗଳ, ବୃହଷ୍ପତି, ଶୁକ୍ର, ଶନି, ରାହୁ ଓ କେତୁ (ଶାସ୍ତ୍ରମତେ)ଏବଂ ଶୁକ୍ର, ମଙ୍ଗଳ, ବୃହଷ୍ପତି, ଶନି, ବରୁଣ, ଇନ୍ଦ୍ର, ଯମ, ସମସ୍ତ ଉପଗ୍ରହ, ଧୂମକେତୁ, ଅନାବିଷ୍କୃତ ନୈସର୍ଗିକ ପିଣ୍ଡ …(ବିଜ୍ଞାନମତେ) ! ଆପଣମାନଙ୍କୁ ମୋର    ସାଦର ପ୍ରଣାମ ! ହେ ସର୍ବଂସହା ଧରଣୀ ଦେବୀ ! ଏ ଅଧମର ପ୍ରଣାମ ଘେନା କରିବା ହୁଅନ୍ତୁ । ହେ ମୋର ପ୍ରିୟ ପୃଥିବୀ ବାସୀ ! ଆପଣମାନଙ୍କୁ ମୋର  ଶୁଭାଶିଷ ! କାରଣ  ମୁଁ  ବୟସରେ ବହୁତ ଉର୍ଦ୍ଧ୍ୱରେ, କିନ୍ତୁ ଆପଣମାନେ ସମ୍ବନ୍ଧରେ ମୋର କନିଷ୍ଠ ଭ୍ରାତା ହେବେ । ଶାସ୍ତ୍ର କହେ ମୁଁ ଚନ୍ଦ୍ରଙ୍କ ପୁତ୍ର, ଚନ୍ଦ୍ର ପୃଥିବୀ ବାସୀଙ୍କ ମାମୁଁ  । ତେଣୁ ମୁଁ  ପୃଥିବୀ  ମାତାଙ୍କର ପୁତୁରା । ‘ବିଜ୍ଞାନ’ ମୋର ଜନ୍ମ ରହସ୍ୟର କୌଣସି ପ୍ରମାଣସିଦ୍ଧ ତଥ୍ୟ ହାସଲ କରିପାରି ନାହିଁ । ମୋର ପିତା – ମାତା କିଏ କିପରି ଜାଣିବି ? ତଥାପି ଶାସ୍ତ୍ରକୁ  ଗ୍ରହଣ କରି ମୋର ପିୟୁଷୀଙ୍କ ସନ୍ତାନ(ପିଢୀ ପରେ ପିଢୀ ବଦଳିଲେ ବି ମୋର ଭ୍ରାତୃତୁଲ୍ୟ)  ମାନଙ୍କୁ ଏ ଘଡିସନ୍ଧି  ମୁହୂର୍ତ୍ତରେ କିଛି ବାର୍ତ୍ତା ପ୍ରେରଣ ନିମିତ୍ତ ଶ୍ରେୟସ୍କର ମଣୁଅଛି । କାରଣ କଥାରେ ଅଛି – “ସୁ ପୁତ୍ରଃ ତୁ କୁଳେ ଭାତି – ସୁନୃପୋ ଧରଣୀ ତଳେ” ।

ମୋର ପ୍ରିୟ ଧରଣୀବାସୀ ! ସପ୍ତାହର ଏକ ଦିବସ ମୋ ନାମରେ ଥିବାର ଜାଣି ମୁଁ ପ୍ରୀତ ହେଲି । ମୋତେ ଅଶେଷ ଜ୍ଞାନୀ, ଶାନ୍ତ ଓ ନମ୍ର ସ୍ୱଭାବର ଚରିତ୍ରଧାରୀ ରୂପେ  ଆପଣ ମାନେ ଗ୍ରହଣ କରିଛନ୍ତି, ଯଥା –

” ପ୍ରିୟଙ୍ଗ କଳିକା ଶ୍ୟାମଂ ରୂପେଣା ପ୍ରତିମଂ ବୁଧଂ ….. ସୌମ୍ୟଂ ସର୍ବୋଗୁଣ ପେତଂ ନମାମି ଶଶୀନ ସୁତଂ ” ।

ତେବେ ମୁଁ ଯାହା ଦେଖୁଛି , ଆପାଣମାନଙ୍କର ଜ୍ଞାନର ସୀମା ବୃଦ୍ଧିପାଇବା ସହ ଅନେକ ତତ୍ତ୍ୱକୁ ପ୍ରମାଣଯୋଗ୍ୟ କରିପାରୁଛ ଯାହା ଏକ ଖୁସିର ଖବର । କିନ୍ତୁ ଏହାର  ବ୍ୟବହାରିକ ଦିଗ ଯେତେ ମାତ୍ରାରେ ଗଠନମୂଳକ ହେବାକଥା, ତାହା ନ’ହୋଇ ଧ୍ୱଂସକାରକର ମାତ୍ରା ଅଧିକ ହେଉଛି । ଅନ୍ୟ ଦିନ ଗୁଡିକରେ ପୂଜା -ବ୍ରତ ଯେତେ  ପାଳନ  କରାଯାଉଛି ଓ ଖାଦ୍ୟପେୟ ଉପରେ ଯାହା  ଅଙ୍କୁଶ ଲଗାଯାଇଛି ତାହା ମୋ ବାରରେ ନାହିଁ କହିଲେ ଚଳେ । ଏହି ଦିନରେ ମାଛ – ମାଂସର ପ୍ରବଳ ସୁଅ  ଛୁଟୁଛି । ଫଳରେ ଅତ୍ୟଧିକ ଭୋଜନ କରି ଓ ଖାଦ୍ୟ ନଷ୍ଟ କରି ସୁଷମ ଖାଦ୍ୟ ବଣ୍ଟନ ନୀତିରେ କୁଠାରଘାତ କରୁଅଛ । ଚାରିକୋଟି ନିଅଣ୍ଟ ଖାଦ୍ୟ  ଭଣ୍ଡାରର ଭରଣା  ନିମନ୍ତେ ବିଧାତା ଯେତେ  ଚେଷ୍ଟା କରୁଛନ୍ତି, ତାହାର ବିରୋଧ ସେହି ମାତ୍ରାରେ କରାଯାଉଛି । ଆପଣମାନେ ଜାଣିଛନ୍ତି ନିରୀହ ଜୀବମାନଙ୍କୁ  ବଧ କରାଗଲେ  ସେମାନଙ୍କ ଆକୁଳ ଚିତ୍କାରରୁ ଯେଉଁ  ତରଙ୍ଗ ଜାତହୁଏ ତାହା  ଇ – ତରଙ୍ଗ (E – Wave) ବା ଈଶ୍ୱର  ତରଙ୍ଗ  ଅଟେ । ଏହି ଘାତକ ତରଙ୍ଗର ପ୍ରଭାବରେ  ପୃଥିବୀ  ଗର୍ଭରେ ଥିବା ଶିଳାଖଣ୍ଡ ଗୁଡିକ ପ୍ରତି ମଧ୍ୟ ବିପଦ ଓ ସେଗୁଡିକୁ ଦୁର୍ବଳ କରି ତରଳାଇ ଦେଇପାରେ । ଏହିପରି ଦିନେ ଦ୍ରୌପଦୀ ଆକୁଳତା ପ୍ରକାଶ କରିବାରୁ  ପ୍ରକୃତି  ଦୋହଲି ଯାଇଥିଲା ଏବଂ ଜାଗତିକ ଉତ୍ସରୁ ଅସୀମ    ସାହାର୍ଯ୍ୟ ପ୍ରାପ୍ତ ହୋଇଥିଲା । ଯଦିଓ ଜୀବ – ଜନ୍ତୁଙ୍କ ଆକୁଳତାରୁ ଉଦ୍‍ଭବ  ତରଙ୍ଗର ତୀବ୍ରତା ଅତ୍ୟଧିକ ଆବୃତ୍ତି (Frequency)ଯୁକ୍ତ ହେବାକୁ ସମୟ ମିଳେନି, ତେବେ  ଏଗୁଡିକର ସଂଯୋଗୀକରଣ ଓ ଗଚ୍ଛିତ ପ୍ରକ୍ରିୟା ବୃଦ୍ଧିପ୍ରାପ୍ତ ହୋଇଚାଲେ । ଦେଖ ! ପୃଥିବୀର ବୃହତ୍ତମ  କଂସେଇ ଖାନା ଚିକାଗୋକୁ ! ଏ ବିଶ୍ୱ E- ତରଙ୍ଗମୟ ହେବାରେ ଲାଗିଛି ।  ପୃଥିବୀର ଧାରଣ ଶିଳା କ୍ରମେକ୍ରମେ ଦୁର୍ବଳ ହେବାରେ ଲାଗିଛି । ତେଣୁ ଭୟଙ୍କର  ଭୂମିକମ୍ପ, ସୁନାମି, ଅନ୍ୟାନ୍ୟ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ମାନ ସୃଷ୍ଟି ହେଉଛି ।  ଏଥିରୁ ଉଦ୍ଧାର ପାଇବାର ଉପାୟ କ’ଣ ?

ବର୍ତ୍ତମାନ ଏକ ମାଂସକଟା ସ୍ଥାନର ଦୃଶ୍ୟ ଦେଖନ୍ତୁ । ନିରୀହ ଜୀବଟିର ଚର୍ମଛଲା – ମୁଣ୍ଡକଟା ପାର୍ଥିବ ଶରୀର ଓଲଟା ଝୁଲୁଛି । କତା ବୁଲୁଛି ଓ ଲୋକମାନଙ୍କର  ଲମ୍ବା  ଲାଇନ୍‍ରୁ   ଚିତ୍କାର ଶୁଭୁଛି । ଆଜ୍ଞା ମୋର ଦୁଇକିଲୋ – ସିନା, ପଛ ଫଡିଆ, ଗର୍ଦ୍ଦନ, ଅଳ୍ପଚର୍ବି ଓ କଲିଜା । ଆଜି ଘରେ ମୋର ଗେଷ୍ଟ୍ – ଦେଖିଚାହିଁ ଦେବ । ମୋର  କଣ୍ଟାଳିଆ ଏକ କେଜି । ମୋ ପୁଅ ହାଡ ଚୁଚୁମିବାକୁ ଭଲପାଏ । ମୋ ଝିଅ ଗର୍ଦ୍ଦନକୁ ଭଲପାଏ – ସାଢେ ସାତ’ଶ । ଆଜ୍ଞା ମୋ ସ୍ତ୍ରୀ କଲିଜା ପ୍ରିୟ – ସେଥିରୁ ବେଶୀ  ଦେବ । ମୋ ବୁଢା ବାପାର ଦାନ୍ତ ନାହିଁ – ଟିକେ କଅଁଳିଆ ଖାଣ୍ଟି ଖାସିରୁ ମାଂସ -ମାଂସ ବାଛିକରି ଦେବ । ଆମ ଅଫିସ୍‌ରେ ଆଜି ଗେଟ୍‍ଟୁଗେଦର୍ – ପୁରା ଆଠ କେଜି , କାଲିରୁ ଆଡ୍‍ଭାନ୍‍ସ ଦିଆଯାଇଛି – ବଡ ଖାସିରୁ ଦେବ ଏବଂ ଅଧାକିଲୋ ମୋଟା ଚର୍ବି ମୁଫତ୍ – କାରଣ ପ୍ରତି ବୁଧବାର ଆମେ ନେଉଛୁ । ଅନ୍ୟ ଦିଗକୁ ଦେଖ – ଦେଶୀ ଓ ବ୍ରଏଲର୍‍ଙ୍କ ଫଡ୍‍ଫଡ୍ ଶବ୍ଦ ସହ ବେକ  ମୋଡାର ଦୃଶ୍ୟ । ପଶ୍ଚିମ ପଟେ ଦେଖ – ମୃତ ମାଛର ସମ୍ଭାର ଓ ଡେକ୍‍ଚି ଭିତରେ ଡେଉଁଛନ୍ତି ମତ୍ସ୍ୟାବତାରଗଣ । ପନିକୀରେ ଫଟାଫଟ୍ ଗଣ୍ଡି -ମୁଣ୍ଡ ଅଲଗା ଓ ବିଚ୍ୟୁତ ଲାଞ୍ଜ   କିଛି ସମୟ ପାଇଁ ଛଟପଟ ହେଉଛି । ମାନବର ଜିଭ ଓ ପେଟର ଚୂଲୀ ଦାଉଦାଉ ଜଳୁଛି । ଏକ ପକ୍ଷରେ ମୃତ୍ୟୁ ସମୟର ବ୍ୟାକୁଳତା ଓ ଅନ୍ୟ ପକ୍ଷରେ ଜୀବ – ବଧ ଦେଖି  ସନ୍ତୁଷ୍ଟ ହେବା ସହ ମାଂସପାଇଁ ବିଳାପ କରିବା । ଏହା ସୃଷ୍ଟି କରେ ଏକ ଅଭାବନୀୟ କ୍ରୂର  ପରିବେଶ ।

ବିଜ୍ଞାନ ତତ୍ତ୍ୱଦ୍ୱାରା ଏତାଦୃଶ ପରିସ୍ଥିତିକୁ ପର୍ଯ୍ୟାଲୋଚନା କରାଯାଇପାରେ । ବିଦ୍ୟୁତ୍ ଓ ତାପ ପ୍ରତିରୋଧକ (Insulator) ଉକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ଯେପରି  ବିରୋଧ କରେ , ପଶୁ – ପକ୍ଷିଙ୍କ ହତ୍ୟା ବେଳର କ୍ରନ୍ଦନକୁ ମାନବର ନିଷ୍ଠୁରତା ସେହିପରି ବିରୋଧ କରେ । କିନ୍ତୁ ସଞ୍ଚାଳନର ବିଭବତା (Potential)ବୃଦ୍ଧିରେ  ପ୍ରତିରୋଧୀ ଦୁର୍ବଳ ହୁଏ  ଓ ଏକ ସମୟରେ ପ୍ରତିରୋଧୀର ସବୁ ବନ୍ଧ ଭାଙ୍ଗି ଚୂର୍‍ମାର୍ ହୋଇଯାଏ । ଫଳରେ ସଞ୍ଚାଳନ ପ୍ରକ୍ରିୟାର ଦୃତ ବୃଦ୍ଧି ଘଟେ । ଯେପରି ଗଜରାଜ ଆସନ୍ନ ମୃତ୍ୟୁରୁ ଉଦ୍ଧାର ପାଇଁ ଜାଗତିକ ସ୍ତରରେ ଈଶ୍ୱରଙ୍କୁ ଲୟ ଲଗାଇ କରୁଣ ବିଳାପ କରିଥିଲା ଓ ପ୍ରକୃତିରୁ ସାହାର୍ଯ୍ୟର ଲମ୍ବା ହାତ ଦ୍ୱାରା ନକ୍ରର ବିନାଶ ଘଟିଥିଲା । ଏଠାରେ ଗଜରାଜର ବଞ୍ଚିବାର  ଇଛାକୁ  ସଞ୍ଚାଳନ ପ୍ରକ୍ରିୟା, ପ୍ରତିରୋଧୀକୁ ନକ୍ର ଓ  ଜାଗତିକ ସ୍ତରରେ ଈଶ୍ୱରଙ୍କୁ ଲୟ ଲଗାଇ କରୁଣ ବିଳାପ କରିବାକୁ ସଞ୍ଚାଳନର  ବିଭବତା ସହ ତୁଳନା କରାଯାଇ ପାରେ । ସେହିପରି ଗ୍ରୀକ୍ ସଭ୍ୟତା ଦିନେ ଶୀର୍ଷରେ ପହଞ୍ଚିବା ସହ ଦୁର୍ନୀତିର ଚରମ ସୀମାରୁ ବିଲୟ ଘଟିଥିଲା । ଜୀବ ହତ୍ୟାର  କରୁଣ କ୍ରନ୍ଦନ ଧ୍ୱନି ଏ ନିରବଚ୍ଛିନ୍ନ ସ୍ଥାନ – କାଳ  ପରିସରର(Infinite Space – Time Continuum) ସାମ୍ୟତାରେ ଘୋର ବିଭ୍ରାଟ ସୃଷ୍ଟି କରିବାରେ ଲାଗିଛି  ଓ E- ତରଙ୍ଗମାନ ଯୁକ୍ତ ହୋଇ ଯେତେବେଳେ  ସର୍ବାଧିକ ବିସ୍ଥାପନ(Displacement)ର କାରଣ  ହେବ, ସେତେବେଳେ ନେଡି ଗୁଡ଼ କହୁଣୀକୁ ବୋହିସାରିଥିବ । କଥାରେ ଅଛି “ଘାଇଯାକ ମୁକୁଳା ତୁ ବନ୍ଧ କେତେ ବାନ୍ଧୁରେ ……” ।

ବର୍ତ୍ତମାନ ଦେଖନ୍ତୁ ଏକ ପଡିଆରେ ଚରୁଥିବା ଚତୁଃପାଦ ପଶୁଙ୍କର ଆନନ୍ଦ ସମାରୋହ । ଏକ ଥୋଡିଯୁକ୍ତ ଓ ଅନ୍ୟ ଥୋଡି ବିହୀନ ଛେଳି ଦ୍ୱୟ ପଶ୍ଚାତ୍‌ଗୋଡ  ଦୁଇକୁ ଭୂମିରେ  ରଖି  ସାମ୍‍ନା ଦୁଇଗୋଡକୁ ଉର୍ଦ୍ଧ୍ୱରେ ପରସ୍ପର ସହ ମିଳାଇଛ’ନ୍ତି । ଶରୀରର ଭାରସାମ୍ୟ ଅପୂର୍ବ ଭାବେ ରକ୍ଷା କରି ନୀରବ  ବାର୍ତ୍ତାଳାପରେ କ୍ଷଣିକ  ପାଇଁ ବିଭୋର । ଯେହେତୁ  ଆଜି   ବୁଧବାର ଓ ସେମାନଙ୍କ ମାଲିକର ଆଭାସରୁ ଠଉରେଇଛ’ନ୍ତି ଯେ ସେମାନେ ଆଉ କିଛି ସମୟ ପରେ  ନିଶ୍ଚିତ କଟା ହେବେ,  ତଥାପି ମାନବ ସମାଜ କଲ୍ୟାଣ ନିମିତ୍ତ  ମୃତ୍ୟୁ ପୂର୍ବରୁ ଏ ପଶୁ ସମାଜ ସେମାନଙ୍କୁ କିଛି ବାର୍ତ୍ତା ଦେଇ, ନିଜେ ପାଇଥିବା ଏ ପଶୁ – ଜନ୍ମ – ଚକ୍ରରୁ କିଞ୍ଚିତ୍ ଲାଘବ  ପାଇବେ । ଏ ଇଛା ପୂରଣାର୍ଥେ, ସେମାନେ କହୁଛନ୍ତି – ହେ ମାନବଗଣ ! ତୁମେ ଆମକୁ ହତ୍ୟା କରି ଭକ୍ଷଣ କରିବ ଜାଣିକରି  ମଧ୍ୟ ଦୁଇଗୋଡରେ କିଛି କ୍ଷଣ ପାଇଁ ସନ୍ତୁଳନତା ରକ୍ଷା କରି ଆମେ ଅପାର ଆନନ୍ଦ ଅନୁଭବ କରୁଛୁ । ତେଣୁ ତୁମେ ତୁମ ଜୀବନ ପଥରେ ସନ୍ତୁଳନତା ବଜାୟ ରଖ । ତୁମେ ଆମକୁ ଖାଉଛ ଓ ଖାଇବ – ସେଥିରେ ଆମେ ଦୁଃଖ ଅନୁଭବ କରୁନୁ । ଏପରିକି ବେଳେବେଳେ  ଗର୍ଭଧାରୀ ପଶୁକୁ ହତ୍ୟାକରି ମଧ୍ୟ ଅନୁତାପ କରନାହିଁ । ଜିଭ ଲାଳସାର ବଶବର୍ତ୍ତୀ ହୋଇ  ତୁମେ ବହୁତ ତଳକୁ ଖସିଯାଇଛ । ତଥାପି ଏ ପଶୁ ସମାଜ  ଯୁଗଯୁଗ ଧରି  ତୁମପାଇଁ ଜୀବନ ଉତ୍ସର୍ଗ କରିବା ସତ୍ତ୍ୱେ ମଧ୍ୟ ଆମ କ୍ଷମାଶୀଳ ହୃଦୟରୁ ମମତାର  ସୁଧାବାରୀ ବର୍ଷଣ କରୁଅଛୁ । ସେହିପରି ଅନ୍ୟ ଏକ ଦୃଶ୍ୟପଟ୍ଟ ପ୍ରାନ୍ତରର  ଶୋଭା ବର୍ଦ୍ଧନ  କରିବା ସହ ସମାଜକୁ ମଧ୍ୟ ବାର୍ତ୍ତା ଦେଉଅଛି, ଯଥା –

କ୍ଷଣେ ଦେଖ ଯୁଗଳ ମୂରତି ………… ଧେନୁ – ବତ୍ସା – ମମତା ଓ ପ୍ରୀତି

ନିଷ୍କପଟ ସହାସ୍ୟ ବଦନ   …………. ବତ୍ସା ତା’ର କରେ ଦୁଗ୍‍ଧ ପାନ

ଲଭନ୍ତି ସେ ପରମ ସନ୍ତୋଷ ………… ଦିବ୍ୟଜ୍ୟୋତି ହୁଏ ଉଦ୍‍ଭାସିତ

ଚିରନ୍ତନ ପ୍ରେମ ଏ ଶାଶ୍ୱତ  ………….. ହେ ମାନବ ଘେନା  କର ଚିତ୍ତ ।

ଅନ୍ୟକୁ ସାହାର୍ଯ୍ୟ କର ଓ ଦିବ୍ୟାନନ୍ଦରେ ବିଭୋର ହୁଅ । ମୃତକକୁ ଜୀବନ୍ତ କରିବାର କ୍ଷମତା ନାହିଁ, ତେଣୁ ପ୍ରାଣୀ ବଧ କାହିଁକି ?

ଆସନ୍ତୁ ଏକ ଭୋଜି – ସମ୍ଭାରକୁ ନିରୀକ୍ଷଣ କରିବା । ଖାଦ୍ୟର ଭିନ୍ନଭିନ୍ନ ଅବତାରମାନେ ପ୍ଲେଟ୍‍ ମଧ୍ୟରେ ସ୍ଥାନ ଦଖଲ କରିଛନ୍ତି । ଭୋଜନ କ୍ରିୟା ଦ୍ୱାରା ତହିଁରୁ ଖାଦ୍ୟର  ଅପସାରଣ ଘଟୁଅଛି । ଅନତି ଦୂରରେ ଏକ କୋଠରୀ ମଧ୍ୟକୁ ଦୃଷ୍ଟି ନିକ୍ଷେପ କରାଯାଉ । ନୀଳ, ସବୁଜ …. ଆଦି ରଙ୍ଗର ବୋତଲରୁ ପ୍ଲାଷ୍ଟିକ୍‍ ଗ୍ଲାସ୍‍ ମଧ୍ୟକୁ  ଇଥାଇଲ୍‍  ଆଲ୍‍କହଲ୍‍ର ନାନାବିଧ ବିଶ୍ଳେଷିତ ନିର୍ଯ୍ୟାସର ସ୍ରୋତ ପ୍ରବାହିତ ହେଉଅଛି । ଜଣେ ଅନ୍ୟ ଜଣକୁ ବକୁଛି – ତୁ ଖାଲି ପେଟରେ ନେଉଛୁ, ସେଥିପାଇଁ ଅଧିକ ହେଉଛୁ । ମୋତେ ଦେଖ୍‍ – ମୁଁ କିଛି ଖାଦ୍ୟ ଗ୍ରହଣ ପରେ ନିଏ, ତେଣୁ ମୋର ଆଜିଯାଏ ସବୁ ଠିକ୍‍ଠାକ୍‍ ଅଛି ଓ ପାଦ ଠିକ୍‍ ପଡୁଛି । ତୁ ବି ସେଇଆ କର । ତା’ର ଛାଣ୍ଟ୍‍ରୁ ଜଣେ  ଭାବିବ – ସଃ ଉତ୍ତମ ବୈଦ୍ୟ , କିନ୍ତୁ ଆଲ୍‍କହଲ୍‍ ଶରୀରରେ ଉତ୍ତେଜନା ସୃଷ୍ଟି କରିବା ସହ କ’ଣ କ’ଣ କ୍ଷତି କରେ ସିଏ ବା କାହୁଁ ବୁଝିବ ? ଆଲ୍‍କହଲ୍‍ର ମାତ୍ରା  ଅତ୍ୟଧିକ କାରଣରୁ କେତେକଙ୍କ ଖାଦ୍ୟପୂର୍ଣ୍ଣ ଥାଳି ଖାଲି ନଷ୍ଟ ହେବା ହିଁ ସାର ହେଉଛି । ପୁନଶ୍ଚ ମାତ୍ରା ଅଳ୍ପ ଓ ମଧ୍ୟମ ବାଲା ଏତେ ଗିଳୁଛନ୍ତି ଯେ, ପ୍ରାୟ  କେଜିଏ ପାଖାପାଖି ମାଂସ  ହେବ । ବ୍ୟବହୃତ ପରେ ପଡୁଥିବା ଅଇଁଠା ଥାଳି ଆଡେ ନଜର ପକାଯାଉ । ଏ କ’ଣ ପ୍ରଚୁର ପରିମାଣରେ ନାମୀ ଦାମୀ ଖାଦ୍ୟର ଅପଚୟ ! ଏହା ସୃଷ୍ଟିର ଖାଦ୍ୟ ବଣ୍ଟନ ବ୍ୟବସ୍ଥାକୁ  ଘୋର ବିରୋଧ  କରୁଅଛି ।  ଯେଉଁ ଦେଶରେ ଅନେକ ସଂଖ୍ୟକ ପେଟ ଭୋକିଲା ରହୁଛି ଓ ଅନାହାର କ୍ଳିଷ୍ଟ  କେତେ ଯେ ଦୁର୍ଲଭ ମାନବ ଜୀବନର ବିନାଶ  ଘଟୁଛି ତାହା  କଳ୍ପନାତୀତ । ବୋଧହୁଏ ଏମାନଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ଏହି ନାମୀ ଦାମୀ ଖାଦ୍ୟର ଅପଚୟ – ଚିକ୍କଣିଆ ବାବୁ ମାନଙ୍କ ଦ୍ୱାରା ହେଉ କିମ୍ବା ଅନ୍ୟ କାହା ଦ୍ୱାରା ହେଉ,  ସେଥିରେ  କିଛି ଫରକ୍‍ ପଡିବ ନାହିଁ । ଏକ ପକ୍ଷେ ଖାଦ୍ୟ ପାଇଁ ହାହାକାର ଓ ଅନ୍ୟ ପକ୍ଷେ ଖାଦ୍ୟର ମନମୁଖୀ ଅପଚୟ । ତେବେ ଖାଦ୍ୟ ନଷ୍ଟକାରୀଙ୍କୁ କ’ଣ କୁହାଯିବ ?  ସ୍ୱାକ୍ଷରୀତ  ନିଶୟ, କିନ୍ତୁ କସ୍ମିନ୍‍ କାଳେ ଶିକ୍ଷିତ ନୁହନ୍ତି । ତେଣୁ ହେ ମାନଵ ବର୍ଗ ! କାମ, କ୍ରୋଧ , ଲୋଭ, ମୋହ, ମାୟାଦିର ଆବରଣ ତଳେ ରହି ଓ ନିଜକୁ  କୁକର୍ମରେ  ଲିପ୍ତ  ରଖି ଯେଉଁ ଆନନ୍ଦ ଅନୁଭବ କରୁଅଛ ତାହା କ୍ଷଣସ୍ଥାୟୀ ଏବଂ ଏହାହିଁ ଆକଣ୍ଠ ଆମିଷ ଭକ୍ଷଣର ଏକଏକ ଜ୍ୱଳନ୍ତ ନମୁନା । ତେଣୁ ପ୍ରକୃତି ସହ ଟକ୍‍କର୍ ନ’ଦେଇ ଆଜିର ଅସୁସ୍ଥ  ମାନବ ସମାଜକୁ ସଠିକ୍‍ ରୂପରେଖ ଦେବା ନିମିତ୍ତ ମୁଁ ବୁଧବାର ତୁମକୁ ଚରମ ଚେତାବନୀ ଦେଉଅଛି । ଯାହା ଫଳରେ ମୋର  ଆମିଷ ଗନ୍ଧଯୁକ୍ତ ଶରୀର ଧିରେ ଧିରେ  ନିରାମିଷ  ହୋଇ ପାରିବ । ଆଜିର ସମ୍ବାଦ ପରିବେଷଣ ଏତିକିରେ ଶେଷ ହେଲା ।

ଶେଷରେ ମତାମତ ପାଇଁ ସମ୍ପାଦକ ଦାୟୀ ନୁହନ୍ତି ସ୍ତମ୍ଭରୁ ପଦେ । ହେ ପ୍ରିୟ ବୁଧବାର ! ଆମେ ଅତି ନ୍ୟୁନସଂଖ୍ୟକ ମାନବ, ସମ୍ବାଦ ପତ୍ରର ଏହି ସ୍ତମ୍ଭରେ ପ୍ରାୟ ମୁଣ୍ଡ  ଟେକୁ ।  ଆପଣ ଅତି ଦୁର୍ଗନ୍ଧ ପରିବେଶରେ ରହି ଓ ଆପଣଙ୍କ ବାରରେ ଏତେ ଯାତନା ସହି ମଧ୍ୟ ଏ ମାନବ ସମାଜର ମଙ୍ଗଳ ପାଇଁ ଚେତାବନୀ ଦେଇଥିବାରୁ , ଆମେ ଆଜି   ଆପଣଙ୍କ  ଏତାଦୃଶ ନୈତିକ ଉତ୍କର୍ଷତା ନିକଟରେ ଚିର ନତ ମସ୍ତକ । ପଙ୍କରୁ ପଦ୍ମ ଜାତ । ବିଷ୍ଣୁଙ୍କ ନାଭି ପଦ୍ମରୁ ବ୍ରହ୍ମା ଜାତ । ବ୍ରହ୍ମ ସର୍ବତ୍ର ପରିବ୍ୟାପ୍ତ । ଉଚ୍ଚ – ନୀଚ୍ଚ ଭେଦ ଭାବ ହିଁ  ମାନବାକୃତ । ତେଣୁ ହେ ଶଶୀ ନନ୍ଦନ ! “ଯାହାକୁ କହନ୍ତି କୁଆହାଣୀ …. ସେ ରଖଇ ନାଁ ପାଣି”, ଏକ ଅତି ଗାଉଁଲୀ ଢଗ  ଏ  ବିଶ୍ୱବାସୀଙ୍କୁ ମଧ୍ୟ  ଚେତାଇ  ଦେଉଛି  ଯେ, – ଯୁଗେଯୁଗେ ପରିତ୍ୟକ୍ତତାରୁ ପ୍ରକାଶ ପାଇଛି ମହା ଜାଗତିକତା । ଶବରୀ, ଦାସିଆ, ଶ୍ରୀୟା, ସାଲବେଗ …… ଆଦି  ଚରିତ୍ରମାନ ଏକଏକ ଜ୍ୱଳନ୍ତ ଉଦାହରଣ । ପୁନଶ୍ଚ   ସବୁ ଶାସକ କୀଚକ ମାନଙ୍କ ଦ୍ୱାରା ପରିଚାଳିତ  ନୁହନ୍ତି ଓ ସବୁ କୀଚକ ମାନଙ୍କ ଜୀବନରେ ଖାଲି  ଜହ୍ନରାତି  ଆସେନି । ଏକ ପରିତ୍ୟକ୍ତ – ହେୟ ମାନବ ମଧ୍ୟ ସଙ୍ଘର୍ଷ ପୂର୍ବକ ଶ୍ରେଷ୍ଠ ଶାସକ ରୂପେ ପୂଜା ପାଇବାର ଯୋଗ୍ୟତା ଅର୍ଜନ କରିପାରେ । ତେଣୁ ନିଜର ମିଥ୍ୟା  ଶ୍ରେଷ୍ଠତା  ଜାହିର ପୂର୍ବକ ଅନ୍ୟକୁ ହେୟ ମଣିବା ଅନୁଚିତ । ତେବେ ମାନବ  ମନରୁ ଆମିଷ ରୂପୀ ତିକ୍ତତା ଧିରେ ଧିରେ ଅପସରି ଯିବାର ପ୍ରକ୍ରିୟାରୁ ବୁଧବାରଟି ନିଶ୍ଚୟ ଏକ  ନିରାମିଷ ଦିବସ ଭାବେ ସାର୍ବଜନୀନ ମାନ୍ୟତା ଲାଭ କରି  ପାରିବ ଏବଂ ସୃଷ୍ଟିରେ ଖାଦ୍ୟ ସମସ୍ୟାର ବିଲୋପ ହେବାର ଆଶା ସଞ୍ଚାର ହେବ । ଏହା ହେବ  ପୃଥିବୀବାସୀଙ୍କ ତରଫରୁ ବୁଧବାର ପାଇଁ ସର୍ବଶ୍ରେଷ୍ଠ ଉପାସନା ।

———————————————————————————————————————————-

Published in the College Magazine, ପୂରବୀ “PURABI” 2014 2015, Dharanidhar Autonomous Collega, Keonjhar, Odisha.

 

 

 

 

 

 

 

 

 

 

 

 

 

 

 

 

 

 

 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help