ଅସହ୍ୟ ଯନ୍ତ୍ରଣାର ତାତ୍ତ୍ୱିକ ପରିଭାଷା – ଭାଗ -୧
ପ୍ରଥମ ଭାଗ ————-
ଆସନ୍ନ ବିପଦର ନିଶ୍ଚିତତାହିଁ ବିବେକ ଶୁନ୍ୟତାର ପ୍ରହେଳିକାରୁ ଘଟିଥାଏ । ନିରାଶ୍ରୟ ବୋଧଯୁକ୍ତ ବିପଦଗ୍ରସ୍ତ ବ୍ୟକ୍ତିର ଯଦି ଭଗବଦ୍ ଚେତନାର ରଜ୍ଜୁ ଦୃଢତର ହୋଇଉଠେ, ତେବେ ସେ ମହାଜାଗତିକ ଉତ୍ସର ବହୁବିଧ ଅବୟବରୁ ଅକୁଣ୍ଠ ସାହାଯ୍ୟ ପ୍ରାପ୍ତି ନିମିତ୍ତ ଯୋଗ୍ୟ ବିବେଚିତ ହୋଇଥାଏ । ସାହାଯ୍ୟ ପ୍ରାପ୍ତିର ରୂପରେଖ ଦୁଇ ଧାରାରେ ପ୍ରସ୍ଫୁଟିତ ହୁଏ, ଯଥା ସୂକ୍ଷ୍ମ ସ୍ତରରୁ ଯୁକ୍ତାତ୍ମକ ଶକ୍ତି ସ୍ରୋତ (Positive Energy Current) ର ପ୍ରବାହ, ଯାହା ଅଦୃଶ୍ୟମାନ ଅଟେ । ଦ୍ୱିତୀୟରେ ସ୍ଥୂଳ ଜଗତ୍ ଅର୍ଥାତ୍ ଦୃଶ୍ୟମାନ ଦୁନିଆଁରୁ ସାହାଯ୍ୟର ହସ୍ତ । କିନ୍ତୁ ଏହି ନିର୍ଯ୍ୟାସ ପରମ ସତ୍ୟ (Absolute Truth) ନୁହେଁ, କାରଣ ଏହାର ଅନେକ ଅନେକ ବ୍ୟତିକ୍ରମ ଏ ଦୁନିଆଁରେ ପରିଲକ୍ଷିତ ହୁଏ । ଏପରିକି ଅକଥନୀୟ ଯନ୍ତ୍ରଣାରେ ପ୍ରାଣୀଟି ସାହାଯ୍ୟ ନିମିତ୍ତ କରୁଥିବା କରୁଣ ଆର୍ତ୍ତ ଚିତ୍କାର ନିସ୍ଫଳ ହୋଇ ସ୍ଥାନ – କାଳ ପରିସରରେ ତା’ର ଜୀବନ ଦୀପ ଚିରଦିନ ପାଇଁ ଲିଭି ଯାଏ । ପୁନଶ୍ଚ ବିପଦ ସୃଷ୍ଟିର କାରଣ ନିଜ ଦ୍ୱାରା କିମ୍ବା ଅନ୍ୟ ଦ୍ୱାରା ହୋଇପାରେ । କୌଣସି ପ୍ରାଣୀ ଏ ଦୁନିଆଁରେ ସମ୍ପୂର୍ଣ୍ଣ ବିପଦମୁକ୍ତ ନୁହନ୍ତି କିମ୍ବା ସମ୍ପୂର୍ଣ୍ଣ ବିପଦଯୁକ୍ତ ନୁହନ୍ତି । ତେଣୁ ସତର୍କ ରହିବା ପାଇଁ ସାଧୁ – ସନ୍ଥ ମାନେ ଅନେକ ଉପଦେଶ ଦେଇଯାଇଛନ୍ତି, ଯଥା –
ବୁଦ୍ଧି ବିଚାରୀ କାର୍ଯ୍ୟ କଲେ ………. ପ୍ରମାଦ ନ’ପଡଇ ଭଲେ ।
ଏହାବାଦ୍ ଆଉ ଏକ ପଂକ୍ତି ମନେପଡେ ଯେ,
କରି କରାଉ ଥାଏ ମୁହିଁ ………. ମୋ ବିନୁ ଅନ୍ୟ ଗତି ନାହିଁ ।
ଏହି ଦୁଇ ଉକ୍ତିର ସ୍ଥୂଳ ଚେତନା ପରସ୍ପରର ବିରୋଧାଭାସ ସୃଷ୍ଟି କରେ, କିନ୍ତୁ ସୂକ୍ଷ୍ମ ଚେତନା ଅନେକ ସମ୍ଭାବନାର ଗନ୍ତାଘର ରୂପେ ପ୍ରତୀୟମାନ ହୁଏ । ଏ ବିଶ୍ୱରେ ଭରି ରହିଥିବା ମର ଓ ଅମର ଜଗତଗୁଡିକରେ ପ୍ରତ୍ୟେକ ସୃଷ୍ଟି ନିମିତ୍ତ ବିପଦମାନ ରହିଛି ଓ ରହିବ । ତେଣୁ କଥାରେ ଅଛି,
ବିପଦେ ନହେବ କାତର ……… ସମ୍ପଦେ ନହେବ ଅଧିର ।
ଭୌତିକବାଦୀ ଓ ବସ୍ତୁବାଦୀ ମାନେ ବିପଦର କାରଣ ଓ ମାତ୍ରାକୁ ଭିନ୍ନ ଭିନ୍ନ ରୂପରେ ସଜ୍ଜିତ କରିଥାନ୍ତି ତେବେ ବିପଦ ସ୍ଥିରୀକୃତ ହେଉ ବା ଅସ୍ଥିରୀକୃତ ହେଉ, ପ୍ରତ୍ୟେକଙ୍କୁ ସଜାଗ ରହିବା ବିଧେୟ ଅଟେ । ସଜାଗ ମଧ୍ୟେ ଅସଜାଗ ଓ ଅସଜାଗ ମଧ୍ୟେ ସଜାଗର ସମ୍ଭାବନାକୁ ବାଦ୍ ଦେଇହେବ ନାହିଁ । ତେବେ ଏ ଦୁଇ ସମ୍ଭାବନାର ବାସ୍ତବ ରୂପରେଖକୁ ନିୟତି ଅଥବା ମାନବକୃତ କୁହାଯାଇପାରେ ।
ସଜାଗତା ବିପଦର ମାତ୍ରାକୁ ନିଶ୍ଚୟ କମାଇ ଦେବାର ଯଥାର୍ଥତା ମନେହୁଏ । ଯେହେତୁ ସଜାଗ ରହିବାର ଆବଶ୍ୟକତା ଏକାନ୍ତ ଅପରିହାର୍ଯ୍ୟ, ତେଣୁ ଏହା ବିନା, ନିଜର କ୍ଷୀଣ କ୍ଷତିକୁ ଅସହ୍ୟବୋଧତା ପୂର୍ବକ ଓ ଏ ବାବଦକୁ ଅନ୍ୟ ବ୍ୟକ୍ତିର ଚରମ କ୍ଷତି କରିବା କେତେଦୂର ଶ୍ରେୟସ୍କର ଅଟେ ? ସଜାଗତା କେବଳ ନିଜସ୍ୱ ପ୍ରତିଷ୍ଠାପାଇଁ ନୁହେଁ । ଏହା ସମାଜ ମଙ୍ଗଳ କାରକ ହେବା ଉଚିତ୍ । ପୁନଶ୍ଚ କିଛି ଅସଜାଗ ବ୍ୟକ୍ତି ସମାଜର ଭୟଙ୍କର କ୍ଷତିକାରକ ହୋଇଥାନ୍ତି ଓ କିଛି ମଙ୍ଗଳକାରକ ମଧ୍ୟ ହେବାର ସମ୍ଭାବନା ସୃଷ୍ଟି କରେ। ଦ୍ୱିତୀୟ ବର୍ଗ ପ୍ରାୟ ନିଜ ସ୍ୱାର୍ଥକୁ ଅବହେଳା କରି କର୍ମବୀର ହୋଇଥାନ୍ତି । ଏହାହିଁ ମହାମାନବିକତାର ପରିଚୟ ଅଟେ । ଏହାର ଫାଇଦା ଉଠାଇଥାନ୍ତି ସ୍ୱାର୍ଥନ୍ୱେଷୀ ସଜାଗ ବ୍ୟକ୍ତିଗଣ, ଅର୍ଥାତ୍ ସେମାନଙ୍କ ମତରେ – “ଏ ଜଗତ ପଛେ ନର୍କେ ପଡିଥାଉ …. (ମୋ) ଜୀବନ ଉଦ୍ଧାର ହେଉ” । କର୍ମବୀର କୌଣସି ପରିସ୍ଥିତିରେ ଭୟଭୀତ ହୁଏନାହିଁ । ସତ୍ୟକୁ ସାମ୍ନା କରିବାହିଁ ତା’ର ପ୍ରବୃତ୍ତି । ଏହିପରି ଏକ ସତ୍ୟ ଦୁର୍ଘଟଣାରେ ପଡି ଅସହ୍ୟ ଯନ୍ତ୍ରଣାରେ କଲବଲ ହୋଇଥିବା ଜଣେ ଅସଜାଗ ଦ୍ୱିତୀୟ ବର୍ଗ ବ୍ୟକ୍ତିର ଅନୁଭୂତିରୁ ଉଦ୍ଗତ ସୂକ୍ଷ୍ମ ଓ ସ୍ଥୂଳ ଭାବନାରାଜିକୁ ସମାଜ ବକ୍ଷରେ ସ୍ଥାପନ କରିବା ଏ ପ୍ରବନ୍ଧର ମୂଳ ଉଦ୍ଦେଶ୍ୟ ଅଟେ । ଜଣେ କର୍ମଚାରୀଙ୍କର ପରିଣତ ବୟସରେ ଦୂର ଇଲାକାକୁ ବଦଳି ହୋଇଥାଏ । ରାତିରେ ବଦଳି ଆଦେଶର ଅନ୍ଲାଇନ ଟ୍ରାନ୍ସମିସନ ଓ ତା’ ପରଦିନ ଅଫିସ୍ କର୍ତ୍ତୃପକ୍ଷ ଉଚ୍ଚପଦାଧିକାରିଙ୍କ ଆଦେଶ ଅନୁଯାୟୀ ବଦଳି ହୋଇଥିବା ଅଫିସରଙ୍କୁ ରିଲିଭ୍ ଅର୍ଡର ଧରାଇବା । ଝାଡା – ପରିସ୍ରା ବି ବନ୍ଦ୍ । ସତେକି ଏମାନେ ଏତେ ଅପରାଧ କରିଛନ୍ତି ଯେ, ପୂର୍ବ ଶାସକ ବ୍ରିଟିସର୍ ମାନଙ୍କ କଳାପାଣି ପଠାଯିବା ଦଣ୍ଡବିଧାନ ବି ଏମାନଙ୍କ ପାଇଁ ଅତି ନଗଣ୍ୟ ବୋଧ ହେଉଥିଲା । ସେଥିପାଇଁ ବୋଧହୁଏ ସ୍ଥିର ଶାସକ ବର୍ଗଙ୍କ ରାତ୍ରି ଉଜାଗର ଓ ବିଳମ୍ବିତ ରାତିରେ ଆଦେଶନାମର କଠୋରତା ପରିପ୍ରକାଶ । କିନ୍ତୁ ବର୍ଷ ତମାମ ବଦଳି ବିଷୟରେ ତର୍ଜମାର ଫଳାଫଳ କ’ଣ ରାତି ଅଧିଆ ଅନ୍ୟାୟ ଭାବେ ଆଦେଶରୂପୀ ଆଗ୍ନେୟଗିରିର ଉଦ୍ଗୀରଣ ? ଉଦ୍ଦେଶ୍ୟ ଯେତେ ମହତ୍ ହୋଇଥାଉନା କାହିଁକି ସେହି ଆଦେଶନାମାରେ ଯେଉଁ କର୍ମଚାରୀଙ୍କର ନାମ ପ୍ରକାଶ ପାଇଥିଲା ଓ ବଦଳି ହେବାପାଇଁ ଯେଉଁ ନୀତି ଓ ନିୟମର ମାନଦଣ୍ଡ ରହିଥିଲା, ତାହାକୁ ତିରଷ୍କାର ଓ ପଦାଘାତ କରିବାର ନିଖୁଣ ଚିତ୍ରପଟ୍ଟ ଦୃଶ୍ୟମାନ ହେଉଥିଲା । ଏହା କ’ଣ କଡା ହାକୀମଙ୍କ କଡା ମିଞ୍ଜାସର ବୌଦ୍ଧିକ ପରିପ୍ରକାଶ ? ଯେଉଁ କର୍ମଚାରୀ ଯେତେ ଚତୁର ଓ ବିଭିନ୍ନ ଭାବେ ଶକ୍ତିସ୍ଥଳରେ ନିଜର ପ୍ରଭାବ ବିସ୍ତାର କରିବାରେ ଧୂରନ୍ଧର, ସେ ନିଜ ଇଲାକାରୁ ବଦଳି ନ’ହୋଇ ପ୍ରଭାବଶାଳୀ ହୋଇଥାଏ । ନିଜ କର୍ତ୍ତବ୍ୟରେ ଅବହେଳା ସହ ଶାସନ କଳ ପାଖରେ ଲୁଙ୍ଗୁରୁ ପୁଙ୍ଗୁରୁ ଦ୍ୱାରା ସେ ଶାସକ ମାନଙ୍କର ବିଭିନ୍ନ ଉପାୟରେ ପ୍ରିୟଭାଜନ ହୋଇଥାଏ । ତେଣୁ ସେମାନେ ସମାଜରେ ସଚ୍ଚୋଟ କର୍ମଚାରୀ ରୂପେ ପ୍ରତିପାଦିତ ହୋଇଥାନ୍ତି । ହାକୀମ ଏମାନଙ୍କପାଇଁ କଅଁଳିଆ ହୁଅନ୍ତି, କାରଣ ଏମାନେ ଦଶଦିଗକୁ ବାହ୍ୟଶକ୍ତି ବଳରେ କବ୍ଜା କରି ରଖିଥା’ନ୍ତି । ଅତଏବ ହାକୀମ ସେମାନଙ୍କପାଇଁ ନରମ ଓ ପ୍ରକୃତ କର୍ତ୍ତବ୍ୟନିଷ୍ଠାଙ୍କପାଇଁ ଗରମ । ତେଣୁ ପାରିଲା ବାଲାଏ କଳାପାଣି ଯିବାର ଆଦୌ ସମ୍ଭାବନା ନଥାଏ । କୋଳିଖାଇ କୋଳିମଞ୍ଜି ପୋତିବା ପ୍ରାୟ ସେମାନେ ନିଜ ଧାମରୁହିଁ ଅବସର ନେବାର ସ୍ଥିର ନିଶ୍ଚିତ ହୋଇଥାଏ । ଏମାନେ କୁଆଡେ ବିଭିନ୍ନ କିସମର ରାଜା ଓ ରାଜୁଡା ମାନଙ୍କର ନିଜର କିମ୍ବା ପାଖାପାଖି ଅଟନ୍ତି । ହାୱା ବହିଚାଲେ । କାହାର ବହପ ଅଛି ଅଟକାଇବାକୁ ? ସତ୍ୟରେ ଚାରି ଅକ୍ଷର ବିଶିଷ୍ଟ ରାକ୍ଷସ – ହିରଣାକ୍ଷର ବିନାଶ ନିମିତ୍ତ ନରସିଂହ ଅବତାର, ତ୍ରେତ୍ୟାରେ ତିନି ଅକ୍ଷର ବିଶିଷ୍ଟ ରାକ୍ଷସ – ରାବଣର ବିନାଶ ନିମିତ୍ତ ଶ୍ରୀରାମ ଅବତାର, ଦ୍ୱାପରରେ ଦୁଇ ଅକ୍ଷର ବିଶିଷ୍ଟ ରାକ୍ଷସ – କଂସର ବିନାଶ ନିମିତ୍ତ କୃଷ୍ଣ ଅବତାର ଓ କଳିରେ ଏକ ଅକ୍ଷର ବିଶିଷ୍ଟ ରାକ୍ଷସ – କଡା ମିଞ୍ଜାସ ହାକୀମ, ରାଜାରୂପୀ ‘ମୁଁ’ ଓ ଅନ୍ୟ ସବୁପ୍ରକାର ‘ମୁଁ’ର ବିନାଶ ନିମିତ୍ତ କଳ୍କୀ ଅବତାର । ତେବେ ଏ ଯୁଗର ଏହି ଜାତୀୟ ରାକ୍ଷସ ମାନଙ୍କପାଇଁ କଳ୍କୀ ଅବତାରର କେଉଁ କେଉଁ ସ୍ଥିରୀକୃତ ରୂପ ଦୃଶ୍ୟମାନ ହୋଇ ମ୍ଳେଚ୍ଛ ସଂହାରଣ ପ୍ରକ୍ରିୟା ଚାଲୁଥିବ କିମ୍ବା ଚାଲୁ ହେବ ତାହାର ବାସ୍ତବତା କିଏବା କହି ପାରିବ ? କାହିଁ ସେପରି କିଛି ଆଭାସ ତ କିଛି ଜଣାପଡୁନାହିଁ ? ଏହାର କାରଣ ହେଲା ‘ଦୀପ ତଳ ଅନ୍ଧାର’ । କିନ୍ତୁ ଏ ମହା ସୃଷ୍ଟିରେ ସନ୍ତୁଳନତା ରକ୍ଷା ନିମିତ୍ତ ସାମ୍ୟରୂପୀ ପ୍ରକୃତି ନିଜର ଭୈରବ ରୂପ ତ ଦେଖାଇବା ସ୍ୱାଭାବିକ ଅଟେ । ଏହାକୁ କେହି ଅବମାନନା କରିବାର ଦୁଃସାହସ କରି ପାରିବେନି । କ୍ଷଣିକ ଉତ୍ତେଜନାରେ ମଦମତ୍ତ ମାନବ ଯଦି ଦୁଃସାହସ କରେ, ତେବେ ପ୍ରକୃତି ନିକଟରେ ତାହା ବାଏଁ ବାଏଁ କାଟ୍ ଖାଇଯିବ । ସେଥିପାଇଁ ତ ସନ୍ତୁଳନତାର ମନ୍ତ୍ର ନିଷ୍କପଟ ହୃଦୟରୁ ଫୁଟିଉଠେ –
ତମସୋ ମା ଜ୍ୟୋତିର୍ଗମୟ —– ମୃତ୍ୟୋ ମା ଅମୃତ ଗମୟ ।
ପ୍ରଥମ ତିନିଯୁଗ ଅପେକ୍ଷା କଳିରେ ‘ମୁଁ’ରୂପୀ ରାକ୍ଷସ ସର୍ବତ୍ର ରୋମେ ରୋମେ ବିରାଜିତ । ପୃଥିବୀ ବକ୍ଷରେ ଉଇ ଚରିଯିବା ପରି ପ୍ରକୃତିକୁ ଘଞ୍ଚାଳି ଚାଲିଛନ୍ତି ଏମାନେ । ତେଣୁ ନୀତି ଓ ନିୟମମାନ କାଗଜ – କଲମରେ ସୀମାବଦ୍ଧ, କିନ୍ତୁ ‘ମୁଁ’ମାନେ ତ ସୀମାହୀନ ଦରିଆ ! ସେଥିପାଇଁ ତ ରାତିରେ ଆଦେଶନାମା ଓ ସକାଳୁ ରିଲିଭ୍ । ଏହାଦ୍ୱାରା ‘ମୁଁ’ର ସଠିକ୍ ବିନିଯୋଗ ହେବା ସଙ୍ଗେ ସଙ୍ଗେ ଏହାର ପ୍ରତିଷ୍ଠା ବହୁ ମାତ୍ରାରେ ସମାଜର ବିଭିନ୍ନ କ୍ଷେତ୍ରରେ ବୃଦ୍ଧି ପାଇ ଚାଲିଛି ।
କଥାରେ ଅଛି – ଆଗପଛ ଅନେଇ ବିଚାର ନକଲେ ବିଚାର ଏକତରଫା ହୋଇଯାଏ । ତେଣୁ ଅକାଳରେ କଳାପାଣି ଯାଇଥିବା କର୍ମଚାରୀଙ୍କ କାର୍ଯ୍ୟ ଓ ଭାବଧାରାକୁ ତର୍ଜମା କରିବା ଏଠାରେ ନିହାତି ଆବଶ୍ୟକ । ଯାହା ଅନୁଭୂତ, ବଦଳି ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ କର୍ତ୍ତବ୍ୟପରାୟଣ ଅଟନ୍ତି ଓ କେତେକ ଠକ, ଅହଂକାରୀ, ଏପରିକି କାହାକୁ ବିଶ୍ୱାସ ନକରିବା ଚରିତ୍ରମାନ ମଧ୍ୟ ଦୃଶ୍ୟମାନ ହୁଅନ୍ତି । ଏହି ଦ୍ୱିତୀୟ କିସମ ଚରିତ୍ରରୁ କିଛି କଳାପାଣି ରୂପୀ ସ୍ଥାନରେ ମଧ୍ୟ ମୁଖ୍ୟ ସ୍ଥାନକୁ ମଣ୍ଡନ କରିଥାନ୍ତି । ତେଣୁ ସେମାନେ ଏକ ନୂଆ ଦୁନିଆରେ ପରସ୍ପର ସହ ବୃଥା ପ୍ରଳାପ ଓ ବାହାସ୍ଫୋଟ ଜରିଆରେ ମୋବାଇଲ୍ ଫୋନ୍ ଦ୍ୱାରା ଏକତ୍ରିତ ହୋଇ ସହକର୍ମୀ ମାନଙ୍କୁ ଜର୍ଜରିତ କରିଥାନ୍ତି । କାରଣ ସେମାନେ ଜାଣିସାରିଥାନ୍ତି ଯେ, ଅଳ୍ପ ଦିନ ପରେ ପୁନଃ ନିଜ ଇଲାକାକୁ ବଦଳି ହେବେ । ବଦଳି ଆଦେଶ ଧରି ଆସିବା ବେଳେ ସେମାନଙ୍କ ଗୋସେଇଁମାନେ ଏ ମହାମନ୍ତ୍ର ତାଙ୍କ କାନରେ କୁଆଡେ ଫୁଙ୍କି ଦେଇଥିଲେ । ସେଇଥିପାଇଁ ତ ସେମାନେ ଏତାଦୃଶ ମହାଉତ୍ପାତବ୍ରତୀ ହୁଅନ୍ତି ଓ ଉପର ସ୍ତରରେ ହାତ ନଥାଇ ସେ ସ୍ଥାନକୁ ବିସ୍ଥାପିତ ହୋଇଥିବା ବିଚରା ଅନ୍ୟ କର୍ମଚାରୀ ମାନଙ୍କୁ ମାନସିକ ସ୍ତରରେ ଆଘାତ ଦିଅନ୍ତି ।
କଳାପାଣି କହିବାର ଯଥାର୍ଥତାକୁ ବର୍ଣ୍ଣନା କରିବାର ଆବଶ୍ୟକ ମନେହୁଏ । କାରଣ ଲେଖକକୁ କେହି ଭୀରୁ ବା କାପୁରୁଷ ନ ଭାବନ୍ତୁ । ଯେଉଁ ସ୍ଥାନଗୁଡିକୁ କିଛି କର୍ମଚାରୀ ମାନଙ୍କୁ ବଦଳି କରାଗଲା ସେମାନଙ୍କୁ ନିମ୍ନ କାରଣଗୁଡିକ ସହ ସଂଯୋଗ କରାଯିବାର ଯଥାର୍ଥା ଅନୁଭୂତ ହୁଏ , ଯଥା –
(କ) ଦକ୍ଷତା ସମ୍ପନ୍ନ କର୍ମଚାରୀଟି ନିଜ କର୍ମ କ୍ଷେତ୍ରରେ କ୍ଷେତ୍ରର ମୁଣ୍ଡି ଓ ଅସହିଷ୍ଣୁ ବର୍ଗଙ୍କ ପାଇଁ ଗାତ୍ରଦାହ ଏବଂ ସେମାନଙ୍କ ଓରମାନ ମେଣ୍ଟାଇବାରେ ବାଧକ ସାଜିବାର କାରଣରୁ ସେମାନେ ସଦା ସତର୍କତା ପନ୍ଥାକୁ ଅବୋରିବା ଅର୍ଥାତ୍ ଦକ୍ଷତା ସମ୍ପନ୍ନ କର୍ମଚାରୀଟିକୁ ଦୂର ଦୁର୍ଗମ ସ୍ଥାନକୁ ଠେଲିବାର ଦୃଢ ଷଡଯନ୍ତ୍ର ରଚନା କରିବା । ପୁନଃ ସର୍ବୋଚ୍ଚ ଅଧିକାରୀଙ୍କ କାର୍ଯ୍ୟାଳୟରେ କୌଣସି ପାରଙ୍ଗମ ବ୍ୟକ୍ତି ସହ ଦୀର୍ଘସୂତ୍ରୀ ବନ୍ଧନରେ ନିରନ୍ତର ଅର୍ଥ ଲୁକ୍କାୟିତ ମାଧ୍ୟମରେ ଯୋଗାଇ ମୁଣ୍ଡି ଓ ଅସହିଷ୍ଣୁ ବର୍ଗମାନେ ବଦଳି ହେବାର ସମ୍ଭାବନାକୁ ରଦ୍ଦ ପୂର୍ବକ ନିଜକୁ ଏକ ସୁବିଧା ସ୍ଥାନରେ ଅବସର ଯାଏ ରହିବାର ଦୃଢତା । ସେ ଦୁର୍ଗମ ସ୍ଥାନକୁ ଯାଇଁ ଛଟପଟ ନହେବା ପାଇଁ ତ ପାରଙ୍ଗମ ବ୍ୟକ୍ତିଟି ସୀମାନ୍ତରେ ସତର୍କ ପ୍ରହରୀ ସଦୃଶ ଜାଗ୍ରତ ଅଛି । ଶାସନ କଳ ପାଞ୍ଚବର୍ଷ ପାଇଁ କିନ୍ତୁ ପ୍ରଶାସନ କଳ ତ ଚିରଦିନ ପାଇଁ । ଠିକ୍ ଚାନେଲ୍ ସ୍ଥିର ହୋଇଗଲେ କଚେପୁଅ ବାର୍ । ମୂଖ୍ୟ କାର୍ଯ୍ୟାଳୟର ଭୂମି ସଂଲଗ୍ନ ମହଲା ଠାରୁ ଆରମ୍ଭ କରି ଉପର ଉପରକୁ ଯେକୌଣସି ମହଲା ସହ ଯଦି ଯୋଗସୂତ୍ର ସ୍ଥାପନ ହୋଇଯାଏ , ତେବେ ବ୍ୟକ୍ତିଟିର ଆଉ କାହାକୁ ପରବାୟ ନଥଏ । ଶୁଣାଯାଏ, ଏକ ନିର୍ଦ୍ଦିଷ୍ଟ ମହଲାର କୌଣସି ଏକ ଅଣୁ, ପରମାଣୁ, ଇଲେକ୍ଟ୍ରନ୍, ପ୍ରୋଟନ୍, କ୍ୱାର୍କ, ଗ୍ଲୁଅନ୍ ଆଦି ସହ ରକ୍ତ ସମ୍ପର୍କ ତ ଦୂରର କଥା କିନ୍ତୁ ଯେକୌଣସି ସମ୍ପର୍କରେ ଯୋଡି ହୋଇଥିଲେ ଆଉ ଚିନ୍ତାର ପ୍ରୟୋଜନ ନଥାଏ । ନିଜେ ଘିଅ ମହୁରେ ଭାସିବା ଓ ପୃଥିବୀ ଧ୍ୱଂସ ହେବାଯାଏ ଭବିଷ୍ୟତ ବଂଶଧରମାନେ ମଧ୍ୟ ଘିଅ ମହୁରେ ଅନବରତ ଭାସୁଥିବେ । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । କୁହାଯାଏ କାଳଚକ୍ରରୁ ଏମାନଙ୍କ ନାମ ସବୁ ଟାଇପ୍ କଲାବେଳେ କାଟ୍ କରିଦିଆଯାଏ । ପ୍ରକୃତି କୁଆଡେ ଏମାନଙ୍କ ନିକଟରେ ନତମସ୍ତକ । ତେଣୁ ଏତାଦୃଶ ସୁବିଧାବାଦୀ, ବିଚରା ଦକ୍ଷତା ସମ୍ପନ୍ନ ମାନଙ୍କୁ ପଛରୁ ଛୁରୀ ମାରିବାରେ ଅସୁବିଧା କ’ଣ ? ନିଜ ମୁଣ୍ଡ ଉଚ୍ଚା ରଖିବାକୁ ହେଲେ କିଛି ମୁଣ୍ଡକୁ ଉଡାଇବା ଦରକାର । ଏଥିପାଇଁ ସେମାନଙ୍କ କଳା ଆଖିରେ ସେହି ସ୍ଥାନ ଗୁଡିକ କଳାପାଣି ନୁହେଁତ ଆଉ କ’ଣ ?
(ଖ) ରାଜାଙ୍କ ବଗିଚା ପରିସରରେ ଭିନ୍ନଭିନ୍ନ କିସମର କର୍ମଚାରୀ ମନାନନ୍ଦେ ପ୍ରେମାନନ୍ଦେ କାଳାତିପାତ କରନ୍ତି । ସେମାନେ ସ୍ୱପ୍ନରେ ବି ଭାବନ୍ତି ନାହିଁ ଦୂର ସ୍ଥାନକୁ ବଦଳି ହେବାକୁ । ସେଥିପାଇଁ କଳେବଳେ କୌଶଳେ ନିଜ ପାଇଁ ଦୃଢ ବନ୍ଧ ବାନ୍ଧି ଥାଆନ୍ତି । ଗୁପ୍ତ ଯୋଜନା ପୂର୍ବକ ଅଳ୍ପଦିନ ପାଇଁ ବଦଳି ତାଲିକାରେ ନାମ ପ୍ରବେଶ କରାଇ ଦିଆଯାଏ ଦୂର ଇଲାକାକୁ । ବଦଳି ହୁଏ ଓ କିଛିଦିନ ପରେ ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ ହୁଏ । ବଦଳି ତ ହୋଇଛି । ଆଉ କିଏ ଲାଙ୍ଗୁଡରେ ହାତ ମାରିବ ? ସେ ଦୂର ସ୍ଥାନକୁ ମୂଖ୍ୟ କାର୍ଯ୍ୟାଳୟରୁ ସବୁ ସୁବିଧା ଗୁଡିକ ସହଜରେ ପହଞେନି । ଚିଠି ପ୍ରଦାନକୁ ଗୁରୁତ୍ୱ ଦିଆଯାଏନି । ସଶରୀରେ ରାଜାଙ୍କ ବଗିଚାରେ ଉପସ୍ଥିତ ହେବା ପାଇଁ ବେଳେବେଳେ ସର୍ବୋଚ୍ଚ ଅଧିକାରୀଙ୍କ ଆଦେଶ ଆସେ । କିନ୍ତୁ ସେ ଦୁର୍ଗମ ସ୍ଥାନରୁ ଏତେ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଚଳାଇବା ତ କଠିନତମ ବ୍ୟାପାର ହୁଏ, ତେଣୁ ସଶରୀରେ ଉପସ୍ଥିତ ହେବା କେତେଦୂର ସମ୍ଭବ ? ଏହା ବଗିଚା ଇଲାକା ବା ତହିଁ ପାଖ ସ୍ଥାନରୁ ସହଜ ସାଧ୍ୟ ଅଟେ ।
ସୀମିତ ସମୟ ପାଇଁ ବିଭିନ୍ନ କଳାପାଣିକୁ ଆସିଥିବା କିଛି ଠକ ସେଠାର କାର୍ଯ୍ୟାଳୟରେ ମଧ୍ୟ ମୁଣ୍ଡିଆଳ ରୂପେ ସ୍ଥାନ ପାଇଥାନ୍ତି । ବର୍ତ୍ତମାନ ସେମାନଙ୍କ ଗାରିମା ବିଷୟରେ ତର୍ଜମା କରାଯାଉ । କୌଣସି ସତ୍ ଚେତନାକୁ ଗ୍ରହଣ କରିବାର ମନୋଭାବ ସେମାନଙ୍କ ଠାରୁ ପରିଲକ୍ଷିତ ହୁଏନାହିଁ । କାହାର ଭଲ ଓ ଖୁସି ଖବର ଏତେ ସହଜରେ ଏମାନେ ଗ୍ରହଣ କରିପାରନ୍ତି ନାହିଁ । ଖାଲି ବିଳିବିଳେଇ ହୋଇ ସେହି ଜାତୀୟ ଠକ ଅର୍ଥାତ୍ ରାଜାଙ୍କ ବଗିଚାରୁ ଅଳ୍ପ ଦିନ ପାଇଁ ଆସି, ପରେ ପୁନଃ ନିଜ ଇଲାକାକୁ ବଦଳି ହେବାର ଦୃଢତା ପୋଷଣ କରୁଥିବା ବ୍ୟକ୍ତିଙ୍କ (ଏଠାରେ ଲାଞ୍ଜୁଆଳ କୁହାଯାଇପାରେ) ସହ ଦଳବଦ୍ଧ ହୋଇଥିବାରୁ, ସେମାନଙ୍କ ଆଡକୁ ମୁହଁ ବଙ୍କାଇ ଆଲୋଚନାରେ ମଜ୍ଜି ରହିବାର ଅଯଥା ବ୍ୟସ୍ତତା ଓ ତାଙ୍କ ବିନା ଏ ପରିସର ଡୁବିଯିବାର ଲକ୍ଷଣ ପ୍ରକାଶ କରନ୍ତି । କିନ୍ତୁ ଭୂଲି ଯାଆନ୍ତି ଯେ, ସେ ଏବେ ସିନା ମୁଣ୍ଡିଆଳ ହୋଇଛନ୍ତି କିନ୍ତୁ ଚାକିରୀ ଆରମ୍ଭରୁ ତ କର୍ମରେ ଠକଙ୍କ ଓସ୍ତାତ୍ ଥିଲେ ! ଏବେ ମୁଣ୍ଡିଆଳମାନେ ଗୋଟିପୁଣି ସୁନାମୁଣ୍ଡା ବନିଯିବାର ଭାବଭଙ୍ଗୀ ଦେଖାଉଛନ୍ତି । ଗୋଟିଏ କାମକୁ ବାରମ୍ବାର କହି କହି ପରିବେଶ ପ୍ରଦୂଷଣ କରିବାରେ ବ୍ୟସ୍ତ ରହନ୍ତି । ପୁଣି ସବୁ କଳାପାଣି ସ୍ଥାନ ଗୁଡିକରେ କିଛି ମଝିଆଳ ଓ ମୁଣ୍ଡିଆଳ ମାନଙ୍କ ମଧ୍ୟରେ ପୂର୍ବରୁ ଚିହ୍ନା ପରିଚୟ ଥିବାରୁ ଫୋନ୍ ଜରିଆରେ ଭାବ ଆଦାନ ପ୍ରଦାନ ହୁଏ । ସେତେବେଳେ ମୁଣ୍ଡିଙ୍କ ଶକ୍ତିସ୍ତର ଅତି ଉଚ୍ଚରେ ଥିବାର ପ୍ରତୀୟମାନ ହୁଏ । ମଝିଙ୍କ ସମସ୍ତ ତଥ୍ୟ ପଚାରି ବୁଝନ୍ତି, କିନ୍ତୁ ଯେତେବେଳେ ମଝିବାଲା ତାଙ୍କ ବିଷୟରେ ଜିଜ୍ଞାସନ୍ତି ତରବରରେ ମୁଣ୍ଡି ଅଳ୍ପଟିକେ ହୁଁହାଁ ମାରି ଫୋନ୍ କାଟି ଦିଅନ୍ତି । କାରଣ ହେଲା ମୁଣ୍ଡିମାନେ ବୋଧହୁଏ ଭାବନ୍ତି, ଯେହେତୁ ଆମେ ଉଚ୍ଚ ଶକ୍ତିସ୍ତରର ମାନବ ତେଣୁ ନିଚ୍ଚ ଶକ୍ତିସ୍ତରର ମାନବଗଣ ମୁଣ୍ଡିଙ୍କ ବିଷୟରେ ଜାଣିବାକୁ ଅଯୋଗ୍ୟ ଅଟନ୍ତି । ବୋଧହୁଏ ଉଚ୍ଚ ଶକ୍ତିସ୍ତର ଅଳ୍ପାୟୁଷ ବୋଲି ମୁଣ୍ଡିମାନେ ଜାଣନ୍ତି ନାହିଁ । ଏହାହିଁ ବିଧିର ବିଧାନ ଓ ସ୍ଥୂଳ ଏବଂ ସୂକ୍ଷ୍ମ ପରିସରରେ ଏହା ପରିବ୍ୟାପ୍ତ । ବିଜ୍ଞାନଗାରର ପରୀକ୍ଷଣରୁ ପ୍ରାପ୍ତ ଫଳାଫଳ ମଧ୍ୟ ଏଥିରେ ସହମତ । ସେହିପରି ଉତ୍ତେଜିତ ମୁଣ୍ଡିଆଳର ସ୍ଥାୟୀତ୍ୱ ବି କ୍ଷଣିକ ଅଟେ । ଏହାହିଁ ବାହ୍ୟ ଉତ୍ସରୁ ପ୍ରାପ୍ତ ଶକ୍ତିର କୁପ୍ରୟୋଗର ଫଳାଫଳ । ତେଣୁ ସ୍ୱଃ ଧାମକୁ ଫେରିବା ବେଳକୁ ମୁଣ୍ଡି ଓ ତା’ର ଚେଲା ଚାମୁଣ୍ଡାଗଣ ଶକ୍ତିହୀନ ହୋଇ ବିଷହୀନ ସର୍ପ ସଦୃଶ ହେବାକୁ ବାଧ୍ୟ ହେବେ । ଯେମିତି ଅନାଦୃତ ଅତିଥି ମୁଁହ ଆମ୍ବିଳା କରି ଫେରି ଯାଆନ୍ତି, ଠିକ୍ ସେହିପରି ମଝିଆଳଙ୍କ ପାଖରୁ ମୁଣ୍ଡି ଓ ତାଙ୍କ ଲାଞ୍ଜୁଆଳ ଫେରିଯିବେ । ଏଠାରେ ଅତିଥି ଚର୍ଚ୍ଚା ଉପରେ ଏକ ଗାଉଁଲୀ ଢଗ ମନେପଡେ –
“ଯେଉଁ ବାଟେ ବାଟେ ଆସିଥିଲ ବନ୍ଧୁ ସେଇ ବାଟେ ବାଟେ ଯାଆ ……… ପାନ ଖଣ୍ଡିଏ ଦେଇ ଥାଆନ୍ତି ମୋର ଛିଣ୍ଡା ବଟୁଆଟା “।
ତେବେ ହୀନ ପାରିଲାପଣିଆର ଆନନ୍ଦରେ ଉଲ୍ଲସିତ ହେବା ପରି କିଛି ମୁଣ୍ଡିମାନେ ଭାବନ୍ତି ଯେ, ଅତି ଯନ୍ତ୍ରଣାଦାୟକ ପରିସ୍ଥିତିରେ ଥିବା କିମ୍ବା ଯୋଗଦାନ କରୁଥିବା ସହକର୍ମୀଙ୍କୁ ଘନଘନ ମନ୍ଥିବାର ପ୍ରାପ୍ତ ଫଳାଫଳ ନିଜ ପାଇଁ ମଙ୍ଗଳଦାୟକ ହେବ । ଅନ୍ୟକୁ ସୁବିଧାରୁ ବଞ୍ଚିତକରି ନିଜ ସୁବିଧାରେ ମସ୍ଗୁଲ୍ ଥିବା ମୁଣ୍ଡି ଭାବୁଛି ତା’ର ପାରିଲାପଣିଆକୁ । ମୁଣ୍ଡିମାନଙ୍କ ଭିତରୁ ନିଶ୍ଚୟ ଜଣେ ମୁଣ୍ଡିଶ୍ରେଷ୍ଠ ଉତୁରିବ । ଅନ୍ୟ ମୁଣ୍ଡିମାନେ ପ୍ରଚାର କରିବେ ଯେ, ସେ ଜଣେ କଡ଼ା ମୁଣ୍ଡି ଅଟନ୍ତି । ନିଶ୍ଚୟ ଉପର ହାକୀମ ଅବସର ବେଳେ ତା’ଙ୍କ ଶିରରେ ସ୍ୱର୍ଣ୍ଣମୁକୁଟ ବାନ୍ଧିଦେବେ । ଏବେ କଡ଼ା ମୁଣ୍ଡିଙ୍କ ଆନନ୍ଦ କହିଲେ ନ ସରେ । ‘ଶୀକାର’ ଗଳ୍ପରେ ଘିନୁଆ ଦିନେ ସେଇଆ ଭାବି କଟାମୁଣ୍ଡ ନେଇ ବ୍ରିଟିସ୍ ସରକାରଙ୍କ ହାଜତରେ ପହଞ୍ଚିଥିଲା ସ୍ୱର୍ଣ୍ଣାଦି ଉପହାରରେ ଭୂଷିତ ହେବାପାଇଁ । କିନ୍ତୁ ଘିନୁଆ ଯାହା ଦଣ୍ଡ ପାଉନା କାହିଁକି, ସେ ଥିଲା ସତ୍ୟବାଦୀ, ନିର୍ଭୀକ , ସରଳ ….. । ବର୍ତ୍ତମାନ କିନ୍ତୁ ଦୃଢଭାବେ ଦଣ୍ଡାୟମାନ ରହିଥିବା ବ୍ରିଟିସ୍ କୁଟୀଳତା ମଧ୍ୟରେ ଖଞ୍ଜିହୋଇ ଗଲାଣି କାହିଁ କେତେ ଚରମ କୁଟୀଳତାର ସୀମାହୀନ ଦରିଆ । ତେଣୁ ଠକାମୀ, ମିଥ୍ୟା ଓ ଭୀରୁତା ଆଦିର ଆଶ୍ରୟ ନେଇ ମୁଣ୍ଡି ସ୍ୱର୍ଣ୍ଣମୁକୁଟର ଅଧିକାରୀ ହୋଇପାରେ ବା ନ ହୋଇପାରେ । ଯଦି ହୁଏ, ମୁଣ୍ଡିର ଅନ୍ତରାତ୍ମା ତ ସତ୍ୟକୁ ଫାଙ୍କିପାରୁ ନ ଥିବ । ସେହି ଦୁର୍ବଳତା ଜୀବନର ଶେଷ ସମୟଯାଏ କଲବଲ କରିବାର ସମ୍ଭାବନା ନିଶ୍ଚିତଭାବେ ପ୍ରବଳ ହେବ । କାରଣ ସର୍ବ ଶେଷ ହାକୀମଙ୍କ ଦରବାରରେ ସଭିଙ୍କ ବିଚାର ହେବ । ସୂକ୍ଷ୍ମ ନୀତି ନିୟମକୁ ଘିନୁଆର ସରଳ ମନ ବୁଝିପାରି ନଥିଲା, କିନ୍ତୁ ମୁଣ୍ଡିଗଣ ତ ନିଜେ ‘ଜ୍ଞାନୀନାମ୍ ଅଗ୍ରଗଣ୍ୟମ୍’ କହି ବୋବାଳି ଛାଡୁଛନ୍ତି ଓ ଛଦ୍ମତାର ପ୍ରୟୋଗ ପୂର୍ବକ ଜୀବନକୁ ରଙ୍ଗୀନ୍ କରିବା ଆଶାରେ ଧାଉଁଛନ୍ତି । ତେଣୁ ଘିନୁଆ ନିର୍ବୋଧ ହୋଇ ନପାରେ । ପ୍ରକୃତ ନିର୍ବୋଧ ଏଇମାନେ, ଯେଉଁମାନେକି ଦୁନିଆଁକୁ ହାରିକିନୀ ଦେଖାଇ ଚାଲିଛନ୍ତି ।
ଏତାଦୃଶ ଚିନ୍ତା ରାଜ୍ୟକୁ ଅନୁପ୍ରବେଶ କରିବା ବୋଧହୁଏ ସେମାନଙ୍କ ଜାତକରେ ନ ଥିବାର ଅନୁମେୟ ହୁଏ । ନୂଆ ନୂଆ ଗଢି ଉଠିଥିବା ମୁଣ୍ଡି ସମାଜ ସନ୍ଧ୍ୟା ଆସରର ଦୁନିଆଁରେ ଫୋନ୍ ମାଧ୍ୟମରେ ମସ୍ଗୁଲ୍ ରହନ୍ତି ଓ ତହିଁ ପରଦିନ କାର୍ଯ୍ୟାଳୟରେ ସର୍ବ ସମ୍ମୁଖରେ ମସ୍ଗୁଲ୍ ସମ୍ବନ୍ଧରେ କିଛି ବଖାଣିବା ସହ ନିଜସ୍ୱ କରିସ୍ମାରେ ଭାବ ଗଦ୍ଗଦ୍ ହୋଇ ବିଭୋର ହୁଅନ୍ତି । ତାହାର ଜ୍ୱଳନ୍ତ ପ୍ରମାଣ ସ୍ୱରୂପ ଦେଖାଇ ହୁଅନ୍ତି ଫୋନ୍ରେ ପୁନଃ ବାର୍ତ୍ତାଳାପ, ଯାହାର ପ୍ରଭାବରୁ ଫୁଟିଉଠେ ଗଗନ ପବନ ପ୍ରକମ୍ପିତକାରୀ ଠୋଠୋ ହସ । ତତ୍ସଙ୍ଗେସଙ୍ଗେ ନିଜର ବକ୍ଷ ମଧ୍ୟ ସଗର୍ବେ ଚାରିଇଞ୍ଚ ଫୁଲିଉଠେ । ପରନ୍ତୁ ଏ ହସ ମଝିଆଳଙ୍କ ଶରୀରରେ ସିଙ୍ଗିମାଛ ବିନ୍ଧି ଦେଲା ପ୍ରାୟ ଲାଗେ ଅଥବା କୋଇଲିଖିଆ କଣ୍ଟା ଫୁଟିଯିବାର ଯନ୍ତ୍ରଣା ଅନୁଭୂତ ହୁଏ । ଓଃ ! କି ଅସହ୍ୟ ଯନ୍ତ୍ରଣା !!
ଏହାର ଏକ ତୁଳନାତ୍ମକ ବିଜ୍ଞାନ ତତ୍ତ୍ୱ ଉପରେ ଆଲୋକପାତ କରିବାର ଆବଶ୍ୟକତା ମନେହୁଏ । ଏହା ହେଉଛି ବୈଦ୍ୟୁତିକ ବଳରେଖା (Electric Lines of Force) ବା ଚୁମ୍ବକୀୟ ବଳରେଖା (Magnetic Lines of Force) ଗୁଡିକ କିପରି ଏକ ଆବଦ୍ଧ ପୃଷ୍ଠତଳ (Closed Surface) ସହ ସଂଶ୍ଳିଷ୍ଟ (Linkage) ହେବାରେ ଭିନ୍ନତାର ପରାକାଷ୍ଠା ଦେଖାଇଥାନ୍ତି । ଏହାକୁ ବୈଦ୍ୟୁତିକ ବା ଚୁମ୍ବକୀୟ ଫ୍ଲକ୍ସ୍ (Flux) କୁହାଯାଏ ।
ଏକ ବସ୍ତୁର ପୃଷ୍ଠତଳ (Surface) ଦୁଇ ପରିମିତ(Two Dimensional) ଅଟେ ଓ ଏହା ଦ୍ୱାରା ଆବଦ୍ଧ ଘନଫଳ (Volume) ତିନି ପରିମିତ ଅଟେ । ଯଦି ଏହାକୁ ଏକ ସମାନ୍ତରାଳ ଯୁକ୍ତ ବୈଦ୍ୟୁତିକ ବଳରେଖାର ଦିଗ ବାମରୁ ଡାହାଣକୁ ଥିବା କ୍ଷେତ୍ରରେ ରଖାଯାଏ କିମ୍ବା ଏହି କ୍ଷେତ୍ରରେ ଏକ ଆବଦ୍ଧ ପୃଷ୍ଠତଳ ଅଙ୍କନ କରାଯାଏ, ତେବେ ବଳରେଖା ପୃଷ୍ଠତଳର ସବୁ ପାର୍ଶ୍ୱକୁ ସମଭାବେ ସଂଶ୍ଳିଷ୍ଟ ହୁଏନାହିଁ । ପ୍ରଥମତଃ ବଳରେଖାମାନ ପୃଷ୍ଠତଳର ବାମପାର୍ଶ୍ୱରେ ପ୍ରବେଶ କରେ । ଦ୍ୱିତୀୟତଃ ବଳରେଖା ପୃଷ୍ଠତଳର ଡାହାଣ ପାର୍ଶ୍ୱରୁ ବାହାରି ଯିବାର ଜଣାପଡେ ଓ ତୃତୀୟତଃ ବଳରେଖାକୁ ଅଭିଲମ୍ବ(Normal) ରହୁଥିବା ପାର୍ଶ୍ୱ (ଉର୍ଦ୍ଧ୍ୱ ଓ ନିମ୍ନ ଭାଗ) ସହ ଏହା ଆଦୌ ସଂଶ୍ଳିଷ୍ଟ ହେଉ ନ ଥିବାର ଦେଖାଯାଏ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୃଷ୍ଠତଳ ସହ ଯଥାକ୍ରମେ ବିଯୁକ୍ତାତ୍ମକ, ଯୁକ୍ତାତ୍ମକ ଓ ଶୂନ ପରିମାଣର ଫ୍ଲକ୍ସ୍ ସଂଶ୍ଳିଷ୍ଠକୁ ବୁଝାଏ । ଏହି ଧାରାରେ ମୁଣ୍ଡିଆଳଙ୍କ ସମ୍ମୁଖରେ ତିନି କିସମର ବ୍ୟକ୍ତି ଥିବାର ପ୍ରାୟ ଅନୁଭୂତ ହୁଏ । ପ୍ରଥମତଃ ଯେଉଁମାନଙ୍କ କାନରେ ମୁଣ୍ଡିଙ୍କ ଉଦ୍ଗାର(ଯାହାକୁ ବଳରେଖା ସହ ତୁଳନା କରାଯାଇ ଅଛି)ପ୍ରବେଶ କରେ ଓ ତତ୍କ୍ଷଣାତ୍ ଏହାକୁ ସେମାନେ ନିଜସ୍ୱ ଉତ୍ତେଜକର ପ୍ରଭାବରେ ଧ୍ୱଂସ ବା ଶୁନକରି ଦିଅନ୍ତି ଏବଂ ନିଜ ମନର ଗଠନମୁଳକ ଦିଗକୁ ସ୍ଥିର ରଖନ୍ତି, ସେମାନେ ହେଉଛନ୍ତି ପ୍ରଥମ କିସମର ବ୍ୟକ୍ତି ଓ ତାହା ପୃଷ୍ଠତଳର ବାମପାର୍ଶ୍ୱକୁ ବୁଝାଏ । ସେମାନଙ୍କ ଚିନ୍ତାଧାରା ଓ ମୁଣ୍ଡିଙ୍କ ଚିନ୍ତାଧାରାର ଦିଗ ମଧ୍ୟରେ କୋଣର ପରିମାଣ ୧୮୦ ଡିଗ୍ରି ଅଟେ । ଏମାନଙ୍କର ମୁଳ ପ୍ରକୃତି ଏତାଦୃଶ ମୁଣ୍ଡି ମାନଙ୍କ ପ୍ରକୃତିରୁ ସମ୍ପୂର୍ଣ୍ଣ ଓଲଟା । ଅର୍ଥାତ୍ ମୁଣ୍ଡିଙ୍କ ଉଦ୍ଗାରର ପ୍ରଭାବ ଏମାନଙ୍କ ମନ ଉପରେ ବିଯୁକ୍ତାତ୍ମକ ହୁଏ । ତେଣୁ ଉତ୍ତେଜକର ପ୍ରଭାବରେ ଶରୀରର ସନ୍ତୁଳନତା ନଷ୍ଟ ହୁଏନି ଓ ପୂର୍ବପରି ମନ ଯୁକ୍ତାତ୍ମକ ମାର୍ଗରେ ଜଡିତ ରହେ । ଦ୍ୱିତୀୟତଃ ଯିଏ ମୁଣ୍ଡିଙ୍କ ଉଦ୍ଗାରକୁ ଆକଣ୍ଠ ପାନକରି ମର୍ମସ୍ଥଳକୁ ସଜାଗ କରି ରଖନ୍ତି, ସେମାନେ ହେଉଛନ୍ତି ଦ୍ୱିତୀୟ କିସମର ବ୍ୟକ୍ତି ଓ ତାହା ପୃଷ୍ଠତଳର ଡାହାଣ ପାର୍ଶ୍ୱକୁ ବୁଝାଏ । ସେମାନଙ୍କ ଚିନ୍ତାଧାରା ଓ ମୁଣ୍ଡିଙ୍କ ଚିନ୍ତାଧାରାର ଦିଗ ପରସ୍ପର ସମାନ୍ତରାଳ ଅର୍ଥାତ୍ କୋଣର ପରିମାଣ ଶୁନ ଅଟେ । ମୁଣ୍ଡିଙ୍କ ଉଦ୍ଗାରର ପ୍ରଭାବ ଏମାନଙ୍କ ମନ ଉପରେ ଯୁକ୍ତାତ୍ମକ ହୁଏ । ଅର୍ଥାତ୍ ମନ ବିଯୁକ୍ତାତ୍ମକ ମାର୍ଗକୁ ଧାବନ କରେ । ତେଣୁ ସେମାନେ ଆକଣ୍ଠ ପାନକରି ଥିବା ଉଦ୍ଗାରକୁ ପୁନଃ ପୁନଃ ଅନ୍ୟମାନଙ୍କ ଆଗରେ ମୁଣ୍ଡିଙ୍କ ଆଦବ କାଇଦାରେ ଉଦ୍ଗାରନ୍ତି ଓ ମୁଣ୍ଡି ହିଁ ଚିରନ୍ତନ ସତ୍ୟର ପ୍ରତିବିମ୍ବ ବୋଲି ପ୍ରଚାର କରନ୍ତି । ତେବେ ଏ ତୃତୀୟ କିସମମାନେ କିଏ ? ପ୍ରକୃତରେ ଏମାନେ ନ୍ୟୁନ ସଂଖ୍ୟାଧାରୀ (ପୃଷ୍ଠତଳର ଉର୍ଦ୍ଧ୍ୱ ଓ ନିମ୍ନ ଭାଗ) । ଅନେକ କ୍ଷେତ୍ରରେ ଏମାନଙ୍କ ସଂଖ୍ୟା ନଗଣ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ ଓ ବେଳେବେଳେ ପ୍ରାୟ ନଥାଏ କହିଲେ ଚଳେ । ମୁଣ୍ଡିଙ୍କ ବଳରେଖା ସହ ସଂଶ୍ଳିଷ୍ଟ ନହେବା ବ୍ୟକ୍ତିଙ୍କ ସଂଖ୍ୟା ନିଶ୍ଚିତ ରୂପେ ନଗଣ୍ୟ ରହିବା ସ୍ୱାଭାବିକ, କାରଣ ବଳରେଖା ବାମରୁ ପ୍ରବେଶ ଓ ଡାହାଣରୁ ନିର୍ଗତ ବେଳେ ଉର୍ଦ୍ଧ୍ୱ ଓ ନିମ୍ନ ପୃଷ୍ଠତଳ ଅନ୍ତରାଳରେ ରହି ନିଷ୍କ୍ରିୟତାର ଭୂମିକା ଲିଭାଇ ଥାନ୍ତି । ସେ ପରିବେଷ୍ଟନୀରେ ତୃତୀୟ କିସମର ବ୍ୟକ୍ତି, ଯଦି ଥାଆନ୍ତି …. ନିଆଁ ଜଳାନ୍ତି । ଏହି ନିଆଁ ଲିଭେ କେବେ ? ……… ବିରୁଡି ବସାରେ କାଠି ମାରିବା ନୋହିବ ଯେବେ । ଏମାନଙ୍କ ଶରୀର ମୁଣ୍ଡିଙ୍କ ଉଦ୍ଗାରକୁ ସ୍ୱାଗତ କରେନି, ତେଣୁ ଉଦ୍ଗାରକୁ ଗ୍ରହଣ ଓ ନିର୍ଗତ କରିବାର ଆଶା ଆଦୌ ନଥାଏ । ମୁଣ୍ଡିଙ୍କ ଉଦ୍ଗାର ରୂପୀ ବଳରେଖାର ଦିଗ ଓ ଏମାନଙ୍କ ଚିନ୍ତାଧାରାର ଦିଗ ମଧ୍ୟରେ କୋଣ ୯୦ ଡିଗ୍ରି ବା ସମକୋଣ ଅଟେ । ତେଣୁ ଏମାନଙ୍କ କର୍ଣ୍ଣକୁ ମୁଣ୍ଡିଙ୍କ ପ୍ରଳାପ ଆଦୌ ଶୁଭେନି । ସେଥିପାଇଁ ତ ଏ କିସମ ବ୍ୟକ୍ତିଙ୍କ ଉପରେ ମୁଣ୍ଡି ମାନେ ରାଗରେ ଗରଗର ହେଉଥାନ୍ତି । ତେବେ ଏମାନଙ୍କ ଶରୀର ସର୍ବ ସନ୍ତୁଳନତାର ପ୍ରତୀକ କହିଲେ ଅତ୍ୟୁକ୍ତି ହେବନାହିଁ ।
ରାଜାଙ୍କ ବଗିଚାରୁ କିଛିଦିନପାଇଁ ଠେଲାହୋଇ ଆସିଥିବା ମୁଣ୍ଡିମାନେ ପ୍ରାୟ ନିଜ ସ୍ୱାର୍ଥରେ ଅନ୍ଧ ହୋଇ ଅନ୍ୟ ମାନଙ୍କ ପାଇଁ ବିଘ୍ନ ସୃଷ୍ଟିକାରକ ହୋଇଥାନ୍ତି । ସେମାନଙ୍କ ଠୋଠୋ ହସ ସୂଚାଏ ଯେ, ଅଳ୍ପଦିନ ପରେ ତ ନିଶ୍ଚିତରୂପେ ଲେଉଟିବୁ । ସେତେବେଳେ ଜ୍ୟେଷ୍ଠ ମଝିଆଳ(ତୃତୀୟ କିସମ ବ୍ୟକ୍ତି)କୁ କାର୍ଯ୍ୟଭାର ହସ୍ତାନ୍ତର କରି ଡିଆଁ ମାରିବୁ । କିନ୍ତୁ ସବୁ ଫାଇଲ୍ ଗୁଡିକର ସ୍ୱଛତା ଓ ରହସ୍ୟର ଭେଦକୁ ନଜଣାଇଲେ ଠିକ୍ହେବ । ଜ୍ୟେଷ୍ଠ ମଝିଆଳ ତ ବଗିଚା ମଧ୍ୟକୁ ପଶି ଉପର ହାକୀମ ଓ ତା’ଙ୍କ ସେନାକୁ ମୋହିପାରିବ ନାହିଁ । ଏଇଠି ପଡି ଘାଣ୍ଟିହେଉଥିବ । ସେ ଏ କଡ଼ା ମୁଣ୍ଡିର ପ୍ରଳାପକୁ ଆଦୌ ଶୁଣୁନି ଓ ବେଳେବେଳେ ତେଢା ଜବାବ ଦେଉଛି । ଏ ଲୋକଟି ପାଇଁ ବି ବେଳେବେଳେ ମନରେ ଭୟର ସଞ୍ଚାର ହୁଏ । ତା’ ପାଟିରେ ହାଡଗୋଡ ନାହିଁ ଓ ଟିକିଏ ବି ଡରୁ ନାହିଁ । ସେଥିପାଇଁ ତାହାର ମର୍ମସ୍ଥଳକୁ ଶର ନିକ୍ଷେପ କରିବା ଏକାନ୍ତ ପ୍ରୟୋଜନ । ନଳିତାବିଡା ମୁଣ୍ଡରେ ଲଦାହେଲେ, ଖାଲି ବିଳିବିଳେଇ ହୋଇ ସେଇ ଏକୋଇର ବଳା ବିଶିକେଶନ ଅର୍ଥାତ୍ ଏ କଡ଼ା ମୁଣ୍ଡି ପାଖରେ ଫାଇଲ୍ ଚାଷ ପାଇଁ ଫୋନ୍ ଦ୍ୱାରା ଲାଙ୍ଗୁଡ ଜାକି କୁଁକୁଁ ହେବାକୁ ବାଧ୍ୟ ହେବ । ମୁଣ୍ଡିଆଳ କ’ଣ ସବୁ ଭେଦ ଏକାବେଳକେ ବତାଇ ପାରିବ ? କଦାପି ନୁହେଁ । ଫଳରେ କାର୍ଯ୍ୟାଳୟରେ କାର୍ଯ୍ୟ ଧିମା ପଡିବ ଓ ତାକୁ ମହାବିଦ୍ୟାଳୟର ସବୁ ଅସନ୍ତୋଷକୁ ସାମ୍ନା କରିବାକୁ ପଡିବ । ଜ୍ୟେଷ୍ଠ ମଝିଆଳ ପୁର୍ବ ମୁଣ୍ଡିପରି ଅଶେଷ କାଇଦାରେ ଘରକୁ ବାରମ୍ବାର ଯାଇ ପ୍ରିୟଜନଙ୍କ ସାଥେ ରହିବାର ସୁଯୋଗ ହରାଇବ । ଅର୍ଥାତ୍ ସବୁ ଦିଗରୁ ଠିପି ବନ୍ଦ୍ ହୋଇଯିବ । କର୍ମକ୍ଷେତ୍ରରୁ ଅବସର ନେବାକୁ ଆଉ ଚାରି ବର୍ଷରୁ ଉର୍ଦ୍ଧ୍ୱ ରହିଲାଣି । ସିଏ ତ କସ୍ମିନ୍ କାଳେ ପ୍ରାୟ ୮୦୦ କି. ମି. ଦୂରରୁ ତା’ ପରିବାରକୁ ଆଣି ପାରିବ ନାହିଁ । ତା’ର ପିଲାମାନେ ବାହାରେ ଅଛନ୍ତି । ଘର ଖଣ୍ଡେ ବନେଇଲା ଯେ, ବିଚରା ସେ ଘରେ ରହିବାର ଆନନ୍ଦ ପାଇପାରିଲା ନାହିଁ । ତା’ର ରୋଗିଣା ସ୍ତ୍ରୀ, ବୃଦ୍ଧା ମାତାଙ୍କ ସେବା, ସମ୍ପର୍କୀୟ ମାନଙ୍କ ଦାଇତ୍ୱ ଆଦି ବୁଝିବା ସହ, ଏତେ ଦୂରରେ ନିଜ ସ୍ୱାମୀ ଓ ପିଲାଙ୍କ ବିଷୟରେ ଚିନ୍ତା କରି କରି ରସାତଳ ଗାମୀ ହେବ । ସେ ଜ୍ୱେଷ୍ଠ ମଝିଆଳ ଏ ମୁଣ୍ଡି ପାଖରୁ ଅନୁମତି ନେଇ ବିଭାଗୀୟ ମୁଖ୍ୟଙ୍କୁ ଗୁହାରୀ ଶୁଣାଇବାକୁ ରାଜାଙ୍କ ବଗିଚାକୁ ଯାଇଥିଲା । ଆଉ ଜଣେ ମ୍ୟାଡମ୍ ମଧ୍ୟ ଯାଇଥିଲେ । କ’ଣ ହେଲା ? ମ୍ୟାଡମ୍ଙ୍କର ବଦଳି ତାଙ୍କ ନିଜ ସ୍ଥାନକୁ ହେଲା ଓ ସେ ମାତ୍ର ତିନି ମାସ କଳାପାଣିରେ ରହିଲେ । ଏ ଭକୁଆର କିଛି ହେଲା ନାହିଁ । ଆରେ ବଦଳି ହେଲେ ଆମର ହେବ, କାରଣ ଉପର ସ୍ତରରେ ଆମର ହାତ ଅଛି , ଚାନେଲ୍ ଜଣା ଅଛି, ଠିକ୍ ଯାଗାରେ ମାଲ୍ ପାଣି କାରବାର ହେବ । ଏହା ତ ଏ ଯୁଗର କରିସ୍ମା । ଏ ଗବା ମାଷ୍ଟରର କେହି ସେମିତିକା ଚିହ୍ନା ନାହାନ୍ତି, ମାଲ୍ପାଣି କାରବାରର ଚାନେଲ୍ ବି ଜାଣେନି । କେବଳ ପାଠ ପଢାଇ ପଢାଇ ଶେଷରେ ତା ଦୁକୁଦୁକି ଶୁଖିଯିବ । ତଥାପି ମୁହଁ ଫୁଟାଣି କ’ଣ ଛାଡୁଛି ! ତେଣୁ ତା’ ପାଇଁ କଳାପାଣି ହିଁ ଯୋଗ୍ୟ ସ୍ଥାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ନିଜ ବୃଦ୍ଧା ଓ ଶେଷ ନିଶ୍ୱାସ ତ୍ୟାଗ ମୁହୂର୍ତ୍ତରେ ଅଟକିଥିବା ଜନ୍ମଦାତା ବା ଜନ୍ମଦାତ୍ରୀଙ୍କୁ ସାହା ହେବା ପାଇଁ କଳାପାଣିରୁ ଜ୍ୱେଷ୍ଠ ମଝିଆଳକୁ ବଦଳି କରିବା ପାଇଁ ରାଜା ବା ରାଜାଙ୍କ ସେନା ଓ କର୍ମୀମାନେ ମାଲ୍ ପାଣି ବିନା କ’ଣ କେବେ ଚିନ୍ତା କରିବେ ? କଦାପି ନୁହେ । ମୋ’ପରି ଏ ଗବା ଠୋଠୋ ହସିବାର ଅବକାଶ ପାଇବ ନାହିଁ । ଆପଣମାନେ କ’ଣ କେବେ ଚିନ୍ତା କରିଛନ୍ତି !! ଏହା କୁଟୀଳତା ନା ବୁଦ୍ଧିମତାର ଉପହାର ? ଏହା କ’ଣ ଅସହ୍ୟ ଯନ୍ତ୍ରଣା ନୁହେଁକି ?
ସମାଜର ପ୍ରତ୍ୟେକ କ୍ଷେତ୍ରରେ ମୁଣ୍ଡିମାନଙ୍କ ସଂଖ୍ୟା ଭରି ରହିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ କାର୍ଯ୍ୟଧାରାର ସ୍ୱଚ୍ଛତାର ପ୍ରଚାର ଯେଉଁ ମାତ୍ରାରେ ପ୍ରତିଫଳିତ ହୁଏ, ତାହା ପ୍ରାୟ ପ୍ରକୃତ କାର୍ଯ୍ୟରେ ନଥାଏ । ପରିବେଶକୁ ଏମିତି ଗୋଳିଆ କରିଦିଆଯାଇଥାଏ ଯେ, ଫାଇଦାର ସ୍ରୋତ କେତେଜଣଙ୍କ ପାଖକୁ ପ୍ରବାହିତ ହୁଏ । ବାହ୍ୟ ରୂପରେଖତ ସ୍ୱଚ୍ଛ ଜଣାପଡେ, କିନ୍ତୁ ଅନ୍ତରର ଅସ୍ୱଚ୍ଛତା ସାଧାରଣ ଚର୍ମ ଚକ୍ଷୁରେ ଦୃଷ୍ଟିଗୋଚର ହୁଏ ନାହିଁ । ଏହାକୁ ଭେଦ କରିବାକୁ ଅତିମାନବୀୟ ସ୍ତରର ଜାଗତିକ ନେତ୍ର(Cosmic Eye) ଆବଶ୍ୟକ । ଯେମିତି ବିଜ୍ଞାନ ପ୍ରଥମେ ଏ ବିଶ୍ୱକୁ ସମ୍ପୂର୍ଣ୍ଣ ଦୃଶ୍ୟମାନ ବୋଲି ଭାବୁଥିଲା । ପରନ୍ତୁ ଗବେଷଣାର କ୍ରମ ପରିପକ୍ୱତାରୁ ଜଣାଗଲା, ଏ ବିଶ୍ୱର ପ୍ରାୟ ଶତକଡ଼ା ୫ ଭାଗ ଦୃଶ୍ୟମାନ ଓ ଆଉ ସବୁ ଅର୍ଥାତ୍ ୯୫% ବସ୍ତୁ ଆମକୁ ଅଜଣା । ଏହାକୁ ଅଜ୍ଞାତ ବସ୍ତୁ (Dark Matter) କୁହାଗଲା । ସେହିପରି ପ୍ରତ୍ୟେକଙ୍କ ଠାରେ ଭରି ରହିଛି ଅନେକ ମାତ୍ରାରେ ଲୁକ୍କାୟିତ ଚିନ୍ତାଧାରା, ଯାହାକୁ କାର୍ଯ୍ୟରେ ପରିଣତ ନିମିତ୍ତ ବ୍ୟକ୍ତି ଅହରହ ଚେଷ୍ଟାରତ । ଏହା ସମାଜ ପାଇଁ ବିନାଶକାରୀ ହୋଇପାରେ ଅଥବା ମଙ୍ଗଳକାରୀ ବି ହୋଇପାରେ । ଏ ଚକ୍ଷୁ ପ୍ରାପ୍ତ ବ୍ୟକ୍ତିକୁ ଦୃଶ୍ୟମାନ ହୁଏ ବିଶ୍ୱର ଅଜ୍ଞାତ ଜଗତ(Dark World)ର ବହୁବିଧ ଘଟଣାବଳୀ ଓ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଲୁକ୍କାୟିତ ଥିବା ସମସ୍ତ ଗୋପନୀୟତା । ପ୍ରାକୃତିକ ନିୟମାନୁସାରେ ଜଣେ ପ୍ରାୟ ୯୫% ଅସ୍ୱଛ ରହିପାରିବ । କିନ୍ତୁ ଏହା ପ୍ରକୃତିକୁ ଧ୍ୱଂସ କରିବା କିମ୍ବା କାହାର କ୍ଷତି କରିବା ସର୍ବଦା ବର୍ଜନୀୟ ଅଟେ ।
ତାହା ଥିଲା ଏକ ସମ୍ପୂର୍ଣ୍ଣ ନୂଆ ହୋଇ ଗଢିଉଠିଥିବା ମହାବିଦ୍ୟାଳୟ । ସେଠାରେ ଜଣକୁ ଅଧ୍ୟକ୍ଷ ରୂପେ ଅବସ୍ଥାପିତ କରାଯାଇ ଥିଲା ଓ ପରେ ପରେ କର୍ତ୍ତାଙ୍କ ପରି କିଛି କିଛି ଅଧ୍ୟାପକଙ୍କୁ ମଧ୍ୟ ପଠାଗଲା । ଆସବାସ ପତ୍ର ଧିରେ ଧିରେ ମହାବିଦ୍ୟାଳୟକୁ ଆସୁଥାଏ, କିନ୍ତୁ ବିଳମ୍ବରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ଏକ ସୁନ୍ଦର ବଡ ଟେବୁଲ୍ ଓ ଚକାଲଗା ଏକ ବଡ ଘୂର୍ଣ୍ଣାୟମାନ ଚେୟାର୍ ଅଣାଗଲା । ସେତେଦିନ ଯାଏ ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହ ମିଳିତଭାବେ ସାଧାରଣ ପ୍ରକୋଷ୍ଠରେ ବସି କାର୍ଯ୍ୟ ତୁଲାଉଥିଲେ । ବର୍ତ୍ତମାନ ଅଧ୍ୟକ୍ଷଙ୍କ ମନ ଅପୂର୍ବ ଆନନ୍ଦରେ ଉଲ୍ଲସିତ ହେବାକୁ ଲାଗିଲା । କିନ୍ତୁ ଏକୁଟିଆ ସେ ଘୂର୍ଣ୍ଣାୟମାନ ଚେୟାର୍ରେ ସହକର୍ମୀମାନଙ୍କୁ ଛାଡି ନ ବସିବାକୁ ମିଛିମିଛିକା ଇଛାକୁ ବାରମ୍ବାର ପ୍ରକାଶ କରି ଚାଲିଲେ । ସେ ଚେୟାର୍ ତ ଅଧ୍ୟକ୍ଷଙ୍କ ପାଇଁ । କିନ୍ତୁ ଏ ଅବାସ୍ତବ ବାହାନା ଦେଖାଇ ହକ୍କୁ କେତେ ଦିନ ବା ସେ ଛାଡି ରହିବେ ? ମନର ଭାବକୁ ଆଉ ଦବେଇ ରଖି ହେଉନି । ଧନୁରୁ ଶର ବାହାରି ଯାଇଛି । ଜିଭଟି ବାକ୍ୟ କହି ସାରିଛି । ଛେପ ପକେଇ ଦିଆଯାଇଛି । ପଛକୁ ଫେରି ହେଉନାହିଁ । ଏହା ଭାବି ଚେୟାର୍ରେ ବସିବାର ଲାଳସାରେ ମୁହଁ ଝାଳେଇ ଉଠୁଛି । ମନକୁ ଆସେ କେହିଜଣେ ହେଲେ ମଥାନତ କରି ଅନୁନୟ ବିନୟ କରି କୁହନ୍ତା – ସାଆରେ ! ଚେୟାର୍ରେ ବସିବା ହେଉନ୍ତୁ । ମାତ୍ର ଏତିକିରେ ସେ ଚିଲାଟିଏ ମାରି ତତ୍କ୍ଷଣାତ୍ ଚେୟାର୍ରେ ବସି ପଡନ୍ତେ । ଏତେଦିନ ବିତିଗଲାଣି । କାହିଁ କେହିବି ତା’ଙ୍କ ପାଇଁ ପଦେ କହୁନାହାନ୍ତି । ଧିରେ ଧିରେ ଚେୟାର୍ଟି ତା’ଙ୍କୁ ଈଲିଶୀମାଛ ଭଜାର ସ୍ୱାଦ ପରି ଅନୁଭୂତ ହେଲାଣି । ଆଉ ରହିହେବନି । ଏପରିକି ଚେୟାରକୁ ଖାଇଦେବାକୁ ମନ ଉଛନ୍ନ ହେଲାଣି । ଅଧ୍ୟକ୍ଷ ଭାବୁଛନ୍ତି, କାହିଁକି ମୁଁ ଚାଣ୍ଡାଳ ମିଠା ଅଙ୍ଗୁର ପେନ୍ଥାକୁ ଜାଣିଜାଣି ଦୂରେଇ ରଖିଲି ! ଚେୟାର୍ରେ ବସିଲେ କେହିତ ଅଟକାଇବେ ନାହିଁ, କିନ୍ତୁ ସହକର୍ମୀମାନେ ଆଖି ଠରାଠରି, ହସାହସି ଓ ଫୁସୁର୍ଫାସର୍ ତ ହେବେ । ନିଜ ଛାତି ଭିତରର ଘଣ୍ଟା ଟିଙ୍ଗ୍ ଟିଙ୍ଗ୍ ବାଜିବାର ଶବ୍ଦ ସେମାନଙ୍କୁ ଶୁଭିବ । ଫଳରେ ଲଜ୍ଜାରେ ମୁହଁ ଟେକି ହେବ ନାହିଁ । ଚାକିରୀ ଆରମ୍ଭରୁ ସେ ଚେୟାର୍ରେ ବସିବା ହୋଇନି । ଏବେ ପଦବୀ ମିଳିଛି । ଯଦି ଉପର ଠାଉରିଆ ଭାବେ କହିଦେଲି, କ’ଣ ହେଲା ସେଉଠୁ ? ବସିବି । ନିଶ୍ଚୟ ସେ ଚେୟାର୍ରେ ବସିବି । ବସିକରି ଗୋଡ ହଲାଇବି, ପଛକୁ ବାରମ୍ବାର ଆଉଜି ଗମ୍ଭୀର ସ୍ୱରରେ ବାର୍ତ୍ତାଳାପ କରିବି, କ୍ରିଂକ୍ରିଂ କଲିଙ୍ଗ୍ବେଲ୍ ବଜାଇ ପିଅନକୁ ଆଦେଶ ଦେବି ଚାହା, ପାଣି …… ଆଦି ଆଣିବାପାଇଁ । ଅଧ୍ୟାପକମାନେ ଟିକେ ଚିନ୍ତା କରିବା କଥା ଓ ସେମାନେ ପରସ୍ପରକୁ ଇସାରା ଦିଅନ୍ତେ – ଆସନ୍ତୁ ସାର୍ମାନେ! ଅଧ୍ୟକ୍ଷଙ୍କ ଅଭିମାନକୁ ଭାଙ୍ଗି ତା’ଙ୍କୁ ଚେୟାର୍ରେ ବସାଇବା । କାହିଁ କମନ୍ ରୁମ୍ରେ ସେହି ପ୍ରକାର ଇସାରା କେହି ଦେଉନାହାନ୍ତି ! ରାଗ ବ୍ରହ୍ମଚଣ୍ଡାଳ ବଢି ଚାଲିଛି । ଆରେ କୁହରେ ! ତୁମକୁ ସପ୍ତାହରେ ଦିନେ ଦି’ଦିନ ଫ୍ରୀ କରିବି । ନାଁ, ଏମାନେ ଅପଦାର୍ଥ ! ଖାଲି କ୍ଲାସ୍ ନେବା, କୋର୍ସ କଭର୍ କରିବା, ପିଲାମାନଙ୍କୁ ନୂଆନୂଆ ତଥ୍ୟ ଯୋଗାଇବା, ପିଲାଙ୍କୁ ଅଧିକ ସମୟ ପଢାଇବା ଆଦିରେ ମସଗୁଲ୍ । ଏହିପରି କିଛିଦିନ ଚାଲିଲା । ଦିନେ ସେମାନଙ୍କ ଗହଣରେ ବସିଥିବା ବେଳେ ଅଧ୍ୟକ୍ଷଙ୍କ କ୍ରୋଧାଗ୍ନି ଅତ୍ୟଧିକ ବୃଦ୍ଧି ପାଇଲା । ସେମାନଙ୍କ ବାର୍ତ୍ତାଳାପରୁ ମୁହଁ ଆଡେଇ ଅଧ୍ୟକ୍ଷ ଭାବୁଛନ୍ତି – ଗପ କ’ଣ କରୁଛ ? ଏପଟକୁ ଚାହଁ । ତୁମର ଯମ ବସିଛି । ହଠାତ୍ କେହିଜଣେ କହିଲେ – ସାର୍ ! ଆପଣ ନିଜ ପ୍ରକୋଷ୍ଠର ଚେୟାରରେ ବସୁନଥିବାରୁ ଆମକୁ ଆଦୌ ଭଲ ଲାଗୁନାହିଁ । ଏବେ ଆପଣ ସେଠାରେ ବସନ୍ତୁ । ଅଧ୍ୟକ୍ଷ ଭାବିଲେ ଏମାନେ କ’ଣ ମୋ ମନ କଥା ଜାଣି ଦେଲେକି ଆଉ ! ଅପ୍ରସ୍ତୁତ ଅବସ୍ଥାରେ ସେ କହିଦେଲେ – ନାଇଁମ ମୁ ଆପଣମାନଙ୍କୁ ଛାଡି ଏକୁଟିଆ ବସି ପାରିବି ନାହିଁ(ଧିର ଗଳାରେ କମ୍ ଜୋର୍ ଦେଇ) । ରାତିରେ ଅଧ୍ୟକ୍ଷ ଭାବନ୍ତି ଯେ, ଆସନ୍ତାକାଲି ଆଗରୁ ଯାଇ ନିଶ୍ଚୟ ଚେୟାର୍ରେ ବସିବି । ଷ୍ଟାଫ୍ମାନଙ୍କୁ ମିଛକଥା କହି ମୋର ସବୁ ବେକାର ହେଲା । ଏବେ ଲାଜ ସରମ ଛାଡି ମୁଁ ବସିବି ଓ ଷ୍ଟାଫ୍ମାନଙ୍କୁ ମନଇଛା ଡକାଇ ଠିକ୍ ଭାବେ କାମ କରୁନ କହି ଦବେଇକି ରଖିବି । ମୁଁ ତ ଆଗରୁ ବଡ ଠକ ଥିଲି । ମୋତେ ଜାଣି ନଥିବା ନୂଆ ସହକର୍ମୀ ଏବେ ଅନ୍ୟ ଉତ୍ସରୁ କିଛି କିଛି ଜାଣୁଥିବେ । ସେ ଯାହା ହେଉନା କାହିଁକି, ମୋର ମାଧିଆ ପଣିଆ ଲୁଚାଇବାକୁ ହେଲେ ଏମାନଙ୍କ ଉପରେ ବାରମ୍ବାର ତାଉ ଦେଖାଇବା ଦରକାର ।
ତହିଁପରଦିନ ଅଧ୍ୟକ୍ଷ ସକାଳୁ ସକାଳୁ କଲେଜ ଆସି ଚେୟାରରେ ବସି ଚେୟାରକୁ ଚାରି -ପାଞ୍ଚ ଥର ଘୂରାଇ ଦେଲେ । ପିଲାଦିନେ ମେଳାରେ ଚରିଖି ଦୋଳିରେ ବସିବାର ସେ ଅନୁଭବ କଲେ । ଏବେ ସମସ୍ତେ ଦେଖୁଛନ୍ତି ଯେ, ଅଧ୍ୟକ୍ଷ ଆଉ ଚେୟାରରୁ ଉଠୁନାହାନ୍ତି । ସହକର୍ମୀ ମାନଙ୍କୁ ଡାକି ଅପମାନିତ କରୁଛନ୍ତି । ବାରମ୍ବାର ଚିତ୍କାର କରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛନ୍ତି । କାମକୁ ସନ୍ଦେହ କରି ନିଜେ ଏମିତି ଅସୁବିଧା ସୃଷ୍ଟି କରୁଛନ୍ତି ଯେ, ସଚ୍ଚୋଟତା ଓ କାମ କରିବାର ସ୍ପୃହା କ୍ଷୀଣ ହେବାରେ ଲାଗୁଛି । ଏପରି ବିରକ୍ତିକର ପରିବେଷ୍ଟନୀରୁ ଉଦ୍ଧାର ନିମିତ୍ତ ସର୍ବେ ତ୍ରାହି ତ୍ରାହି ଡାକିଲେଣି । ଅଧ୍ୟକ୍ଷଙ୍କ ପ୍ରଥମ ରାଗ ହେଲା କେତେଜଣ ଅଧ୍ୟାପକଙ୍କ ଉପରେ । କାରଣ ସେମାନେ ରିତିମତ କ୍ଲାସ୍ ନିଅନ୍ତି ଓ ସବୁଦିନେ ତା’ଙ୍କ ପ୍ରକୋଷ୍ଠକୁ ଆସି ମୁଣ୍ଡ ନୁଆଁଇ ତାଙ୍କୁ ନମଃ କରୁନାହାନ୍ତି । ବେଶି ରାଗ ଜଳେ କେତେଟା ବିଜ୍ଞାନ ଅଧ୍ୟାପକଙ୍କ ଉପରେ । କାରଣ ସେମାନେ ବିଭିନ୍ନ ବୌଦ୍ଧିକ ପରିବେଶରୁ ନିମନ୍ତ୍ରଣ ପାଉଛନ୍ତି ଓ ଲୋକପ୍ରିୟତାର ଭାଗୀଦାର ହେଉଛନ୍ତି । କଲେଜରେ ଯେଉଁ ଦାଇତ୍ୱ ଦିଆଯାଉଛି ତାହା ସୂଚାରୁ ରୂପେ ସମ୍ପାଦନ କରି ଆହୁରି ଅଧିକ କ୍ଲାସ୍ ନେଉଛନ୍ତି । ଏମାନଙ୍କ ଜ୍ଞାନଗୁଣ ନିକଟରେ ନିଜର କୌଣସି କାଟ୍ତି କାମ କରୁନି । ଏମାନଙ୍କ ପାଖରେ ଛିଡା ହେଲେ ସେ ହିରୋରୁ ଜିରୋ ହୋଇଯାଉଛନ୍ତି । ମୋର ସବୁ ଦୁର୍ବଳତା ଏମାନଙ୍କୁ ଜଣା । ସେମାନଙ୍କ କାର୍ଯ୍ୟ ଦକ୍ଷତାରେ ଅସହ୍ୟ ହୋଇଉଠନ୍ତି ଅଧ୍ୟକ୍ଷ । ମିଛରେ ଭୁଲ୍ ବାହାର କରି ସର୍ବସମ୍ମୁଖରେ ସେମାନଙ୍କୁ ଅପମାନିତ କରିବାର ରାହା ଖୋଜନ୍ତି । ଯେହେତୁ ସେ ଚେୟାର୍ର ଅଧିକାରୀ, କେତେକ ପରମ ଠକ ତା’ଙ୍କ ପଛରେ ଗୋଡାଇଲେ ଓ ପ୍ରକୋଷ୍ଠରେ ବସି କାର୍ଯ୍ୟରତ ଅଧ୍ୟାପକଙ୍କ ବିରୁଦ୍ଧରେ ବହେ ବହେ ଗପିବାକୁ ଆରମ୍ଭ କଲେ । ମଳୁ ଖୋଜୁଥିଲା ଯାହା – ବଇଦ ବତେଇଲା ସେଇଆ । ଏ ଠକ ଦଳ କ୍ଲାସ୍ ନିଅନ୍ତିନି ଓ ଏବେ ଗୋଟିପୁଣି ଅଧ୍ୟକ୍ଷଙ୍କର । ମୋତେ ଏମାନେ ରାଜକୀୟ ସମ୍ମାନ ଅର୍ପଣ କରିବା ହେଉଥିବେ । ଏବେ ଯେଉଁମାନଙ୍କ ଉପରେ ରାଗ ଜଳୁଛି, ତାଙ୍କୁ ପିଅନ ଦ୍ୱାରା ଜଣ ଜଣ କରି ହକାରୀ ଜୁନିୟରଙ୍କ ସାମ୍ନାରେ ଭର୍ସନା କରାଯିବ । କିଛି କାରଣ ନଥାଉ । କ’ଣ ହେଲା ସେଉଠୁ ? ଭାରି ସଚ୍ଚଟ ପଣିଆ ଦେଖେଇ ହେଉଛନ୍ତି । ଅଧ୍ୟକ୍ଷଙ୍କର ସବୁଠୁ ଭୟଙ୍କର କ୍ରୋଧ ତା’ଙ୍କ ପର ସିନିୟର୍ ଉପରେ । କାରଣ ସେ ମହାଜ୍ଞାନୀ । ମୋର ବଦଳି ହେଲେ ସେ ଦାଇତ୍ୱ ନେବ । ସବୁ ଫାଇଲ୍ଗୁଡିକ ଚେକିଂ କରି କରି ମୋ ହଗା ଖସେଇ ଦେବ । ଏ ଠକ ଗ୍ରୁପ୍ ତା’ ସାମ୍ନାରେ କୀଟ – ପତଙ୍ଗ ପରି ଜଳିଯିବେ । ତେଣୁ ପ୍ରଥମେ ତା’ର ପାଳି । ତାକୁ ଏମିତି କଲବଲ କରାଇବି ଯେ, ତା’ର ସବୁ ବ୍ରହ୍ମଜ୍ଞାନ ହଜିଯିବ ।
ଏହାକୁ କାର୍ଯ୍ୟରେ ପରିଣତ କରି ଅଧ୍ୟକ୍ଷ ମହାଶୟ ମନେ ମନେ ଗୁଲ୍ମସ୍ତାନି ହୁଅନ୍ତି । ପୁଣି ଭାବନ୍ତି ଯେ, ପ୍ରତିଦିନ ମୋର ବାଚାଳତାକୁ ଶୁଣିବାକୁ ସମସ୍ତେ ବାଧ୍ୟ । କ୍ଲାସ୍ ପାଞ୍ଚ ମିନିଟ୍ ଡେରି ହେଉ ! କିଛି ପରବାୟ ନାହିଁ । ଗୋଟି ଗୋଟି କରି କଡ଼ାଗଣ୍ଡା ହିସାବରେ ସବୁ ନମସ୍କାର ଗୁଡିକ ମିଳିବ । କ୍ଲାସ୍ ନେବା ବାହାନାରେ ମୋର ପ୍ରାପ୍ୟ ନମସ୍କାରକୁ ଜଳାଞ୍ଜଳି ଦେଇ ହେବ ନାହିଁ । ମୁଁ ସାରା ଜୀବନ ଠକେଇ ଠକେଇ ଆସି ଅବସର ସମୟରେ ପହଞ୍ଚିଲିଣି । କାହିଁତ କିଛି ଅସୁବିଧା ହୋଇନି । ଖାଲି କ’ଣ ପଢାଇଲେ ସବୁ ଠିକ୍ ହୋଇଯିବ ? ନିଜର ସୁବିଧା ପାଇଁ ଅନ୍ୟକୁ ଅସୁବିଧାରେ ପକାଇ ମୁଁ ବର୍ତ୍ତମାନ୍ ତେଜୀୟାନ୍ । ଏମାନେ କାହୁଁ ଜାଣିବେ ? ପଢେଇ ପଢେଇ ଏମାନଙ୍କ ଗଇଁଆ ବାହାରି ଗଲାଣି । ସେଇଥିପାଇଁ ତ ସବୁ ଅସୁବିଧା ଏମାନଙ୍କ ଭାଗ୍ୟରେ ଜୁଟୁଛି । ମୁଁ ବର୍ତ୍ତମାନ ଚୋରରୁ ପୋଲିସ୍ । ଏମାନଙ୍କୁ ବାରମ୍ବାର ମୋ କକ୍ଷକୁ ଡକାଇ, ତା’ଙ୍କ କାର୍ଯ୍ୟ ଦକ୍ଷତା ଉପରେ ହୀନ ମନ୍ତବ୍ୟ ଦେଇ ଧମକାଇ ଚାଲିବି । ମୁଁ ଏଠାରେ ରାଜା । ସାଜିଅଛି ଦଳବଳ । ସବୁ ସାଧୁଙ୍କୁ କରିବି କଲବଲ ।
ବର୍ତ୍ତମାନ ଲାଞ୍ଜୁଆଳ ମାନଙ୍କ ମନୋଭାବ ଉପରେ ଆଲୋକପାତ କରାଯାଉ । ଏମାନେ ସାଧାରଣତଃ ମୁଣ୍ଡିଙ୍କ ପରି ରାଜାଙ୍କ ବଗିଚାରୁ ଅଲ୍ପ ଦିନ ପାଇଁ ଆସିଥାନ୍ତି । ଲାଞ୍ଜୁଆଳ କହିବାର ଅର୍ଥ ଏଇଆ ଅଟେ ଯେ, ମୁଣ୍ଡିମାନେ ଯାହାକୁ ଅଧିକ ବିଶ୍ୱାସ ଓ ଭରସା କରନ୍ତି । ଲାଞ୍ଜୁଆଳ ଓ ମୁଣ୍ଡି ଉଭୟ ଖଳବୁଦ୍ଧି ସମ୍ପନ୍ନ ଅଥବା ଗଠନମୂଳକ ବ୍ୟକ୍ତି ବିଶେଷ ହୋଇପାରନ୍ତି । ନଚେତ୍ ଯୋଡି ଭାଙ୍ଗିଯିବାର ସମ୍ଭାବନା ଅଧିକ । ନଦୀରେ ଡଙ୍ଗା ଚଳେଇବା ବେଳେ ଏହାର ଦିଗ ଏବଂ ଗତି ପଛ ମଙ୍ଗୁଆଳର କାତ ମାରିବା ଶୈଳୀ ଉପରେ ଅଧିକ ନିର୍ଭରଶୀଳ । ପଛ ମଙ୍ଗରେ ଥାଇ କାତ ମାରିଲେ ଗତି ଓ ଦିଗ ଯେଉଁ ମାତ୍ରାରେ ବଢେ ଏବଂ ବଦଳେ ତାହା ଆଗମଙ୍ଗୁଆଳ ବା ମୁଣ୍ଡିର କାତମରାର ଦକ୍ଷତାଠୁଁ ଅଧିକ । ଆଗମଙ୍ଗୁଆଳ କାତଦ୍ୱାରା ପଛର ଇସାରାକୁ ସହଜସାଧ୍ୟ ବା ଲକ୍ଷ୍ୟଭେଦୀ କରିବାରେ ସହାୟକ ହୋଇଥାଏ । ତେଣୁ ଲାଞୁଆଳର ଗୁରୁତ୍ୱ ଏଠାରେ ଅଧିକ । ଏମାନେ ଜୁନିୟର୍ ବା ସିନିୟର୍ ହୋଇପାରନ୍ତି । ସେ ଯାହା ହେଉ, ଠକ ଲାଞ୍ଜୁଆଳ ମାନଙ୍କର ନାହିଁ ନଥିବା ଆନନ୍ଦ । ଏକାଥରେ ପ୍ଲୁଟୋ ଗ୍ରହରୁ ଡେଇଁ ସୂର୍ଯ୍ୟଙ୍କ ନିକଟତମ ଗ୍ରହ ବୁଧ ସ୍ଥାନରେ ଅବସ୍ଥାପିତ । ଚାନ୍ସ ମିଳିଛି ଯଦିଓ ଏହାର ଉପଯୋଗ ନ କରିବା କାହିଁକି ? ସେଥିପାଇଁ ଗାମ୍ଭୀର୍ଯ୍ୟତା ପୂର୍ଣ୍ଣ ଠାଣିରେ ନିଜକୁ ପ୍ରଦର୍ଶିତ କରିବା ଏକାନ୍ତ ଆବଶ୍ୟକ, ନହେଲେ କେହି ମାନିବେ ନାହିଁ । ଅଧିକାଂଶ ସମୟରେ ମୁଣ୍ଡିଙ୍କ ପ୍ରକୋଷ୍ଠରେ ବସିବା ଓ ଗୁମ୍ମାରି ସ୍ୱଳ୍ପଭାଷୀ ହେବା ଭଲ । ଆଲୋଚନା ପରେ ମୁଣ୍ଡି ଅନ୍ୟମାନଙ୍କ ମତାମତକୁ ଆଲୋକପାତ ନକରି ନିଶ୍ଚୟ ଲାଞ୍ଜୁଆଳର ପରାମର୍ଶ ଲୋଡିବେ । ଏହାହିଁ ହୁଏ ଓ ସେ ସେତେବେଳେ ବାରମ୍ବାର ଛେପ ଢୋକି ଏକ କ୍ଷୁଦ୍ର ଗାମ୍ଭୀର୍ଯ୍ୟପୂର୍ଣ୍ଣ ମତାମତ କ୍ଷୀଣ ସ୍ୱରରେ କହିବାର ଦେଖାଯାଏ । ଏହା ମୁଣ୍ଡି ବ୍ୟତୀତ ଉପସ୍ଥିତ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଠିକ୍ ରୂପେ ଶୁଭେନି । ଜଡ଼ା ଠାର ଜଡ଼ା ମା’ ବୁଝେ । ମୁଣ୍ଡି ଠିକ୍ ବୁଝୁଥିବେ । କିନ୍ତୁ ଅନ୍ୟମାନେ ବୁଝି ନପାରି ଲାଞ୍ଜୁଆଳକୁ ଉତ୍କଣ୍ଠାର ସହ ପଚାରିବା ଦ୍ୱାରା ଗାମ୍ଭୀର୍ଯ୍ୟତା ଆହୁରି ବୃଦ୍ଧି ପାଏ । ସେ ନିଜେ କଲେଜର କୌଣସି ଦାଇତ୍ୱ ନ ନେଇ ଓ ବରିଷ୍ଠ ମଝିଆଳ ତଳକୁ ରହିଥାଇ ମଧ୍ୟ ଅଧ୍ୟକ୍ଷଙ୍କୁ ଉସ୍କାନ୍ତି । ଦାଇତ୍ୱ ନେବାକୁ ବରିଷ୍ଠ ମଝିଆଳକୁ ଅଫିସ୍ ଅର୍ଡର ଧରାନ୍ତି ଏପରିକି ପିଲାଙ୍କ ଆଇଡେଣ୍ଟିଟ୍ କାର୍ଡ ଲେଖିବାକୁ ମଧ୍ୟ । ଏଥିରେ ବରିଷ୍ଠ ମଝିଆଳଙ୍କ ରାଗ ପଞ୍ଚମକୁ ଚଢେ । ଏମାନେ ମୁଣ୍ଡିଙ୍କ ପରି ଏକ ସ୍ଥାନରୁ ଆସିଛନ୍ତି ଓ ଜଣେ ଜଣେ ପରମ ଠକ ଏବଂ କର୍ମକୋଢି । ତେଣୁ ପଛ ମଙ୍ଗରେ ଥାଇ କେଉଁ ପାଖରେ କାତ ଭିଡି ବିଚାରର ଦିଗ ନିର୍ଣ୍ଣୟ କରିବେ, ତାହା ସେମାନଙ୍କୁ ଚାକିରି ଆରମ୍ଭରୁ ଜଣା । କାରଣ ସେମାନେ :- “ଓଳିଆରୁ ଗଜା” । ଏମାନଙ୍କ ଦ୍ୱାରା ଦିଗ ଏମିତି ନିର୍ଣ୍ଣୟ କରାଯାଏ ଯେ, ତାହା ମୁଣ୍ଡିର ମନକୁ ଅତି ଖୁସି କରିଦିଏ ଓ କର୍ମବୀର ମାନଙ୍କ ବିରୁଦ୍ଧରେ ଯିବାକୁ ରାସ୍ତା ସଫା ହୋଇଯାଏ । କିନ୍ତୁ ସବୁ ଠକ, କର୍ମବୀର ଓ ମୁଣ୍ଡି ନତମସ୍ତକ ହେବାକୁ ବାଧ୍ୟ ହୁଅନ୍ତି ଜଣେ ଅଧ୍ୟାପକ ନିକଟରେ । ସେ ନିରୀହ ଅଧ୍ୟାପକ ବିଚରା ସବୁ ଅଫିସିଆଲ୍ କାମ କରନ୍ତି । ନଥାଏ ଶତ୍ରୁ – ମିତ୍ର ଭାବ, କ୍ରୋଧ ଓ ଅହଂକାର । ସେ କିରାଣୀ ଶୂନ୍ୟ ମହାବିଦ୍ୟାଳୟ ପାଇଁ ସେ ସତେକି ଏକ ଦିବ୍ୟ ଉପହାର । କିନ୍ତୁ ସେଠାରେ ସୃଷ୍ଟି କରାଯାଉଥିବା କୌଣସି ଅସନ୍ତୁଳିତ ପରିବେଶ ସହ ସେ ସମ୍ପୃକ୍ତ ହୋଇ ନଥାନ୍ତି । ମହାବିଦ୍ୟାଳୟର ପାହାଡ ସଦୃଶ ଅନେକ ଅନେକ ଅଫିସିଆଲ କାମ ତାଙ୍କ ଉପରେ ଆପେ ଆପେ ଲଦି ହୋଇ ଯାଏ । ନାହିଁ ଶୋଚନା, ନାହିଁ ଭୟ ଓ ସେ କମ୍ପ୍ୟୂଟର ପ୍ରକୋଷ୍ଠରେ ସକାଳୁ ସନ୍ଧ୍ୟା ଯାଏ ଅନବରତ କାର୍ଯ୍ୟରତ । ମହାବିଦ୍ୟାଳୟର ସବୁ କର୍ମଚାରୀଙ୍କୁ ସେ ସାହାଯ୍ୟ କରନ୍ତି । କିନ୍ତୁ ସେ ରାଜା ବଗିଚାର ବ୍ୟକ୍ତି ନୁହନ୍ତି । ପ୍ରାୟ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସେ କଳାପାଣିରେ କାର୍ଯ୍ୟ କରି ବହୁ ଦୂରରେ ଥିବା ନିଜ ଧାମକୁ ବଦଳି ହୋଇଥିଲେ । ପରନ୍ତୁ ତିନି ବର୍ଷ ପରେ ରାତି ଅଧିଆ ବଦଳି ଆଦେଶର ଖଣ୍ଡା ଚୋଟ ସେ ନିଷ୍କପଟ ବ୍ୟକ୍ତିଙ୍କ ବେକରେ ବାଜିଲା ପୁନଃ କଳାପାଣି ଆସିବା ପାଇଁ । ଏତାଦୃଶ ଘଟଣାବଳୀର କିୟଦଂଶ, ଏକ ସମାନ୍ତରାଳ ଧାରାରେ ଯୋଡି ହୋଇଯାଏ ବିଚରା ବରିଷ୍ଠ ମଝିଆଳର ଜୀବନ ନାଟିକାରେ । ଏଠାରେ ରାମାୟଣର ଏକ ଆବେଗପୂର୍ଣ୍ଣ ଅବସ୍ଥା ମନରେ ଜାଗି ଉଠେ – “ବୋଲେ ସୁଗ୍ରୀବେ ରାମ କ୍ଳେଶ ଭାଷା – ବେନି ଜନେ ପଡିଛି ସମ ଦଶା” । ଅର୍ଥାତ୍ ଏକ ପାହାଡ ଘେରା ଅଞ୍ଚଳରୁ ପ୍ରାୟ ଦୀର୍ଘ ଚଉଦ ବର୍ଷ ପରେ ଆଉ ଏକ ପାହାଡ ଘେରା ଇଲାକାକୁ ବଦଳି ହୋଇଛି ବିଚରା ବରିଷ୍ଠ ମଝିଆଳର । ଉଭୟଙ୍କର ଭେଟ ହୁଏ ନୂଆ କାର୍ଯ୍ୟାଳୟରେ ଯୋଗ ଦେବା ପଥରେ । ଅର୍ଥାତ୍ କର୍ତ୍ତାଙ୍କ ବାସସ୍ଥାନ ଓ ସେ ନିରୀହ ଅଧ୍ୟାପକ ବିଚରାର କର୍ମସ୍ଥାନ ସମାନ । ତେଣୁ ଫୋନ୍ରେ ଚିହ୍ନା ପରିଚୟ ହୋଇ ଦୁହେଁ ରହୁଥିବା ସେହି ଟାଉନ୍ର ବସ୍ଷ୍ଟାଣ୍ଡ୍ରୁ ବାହାରିଲେ ମୁଖ୍ୟ ବସ୍ଷ୍ଟାଣ୍ଡ୍କୁ । ସେଠାରୁ ମୁଣ୍ଡିଙ୍କ ସହ ଯୁକ୍ତ ହୋଇ ଆଉ ଏକ ରାତ୍ରି ବସ୍ରେ ବଦଳି ସ୍ଥାନକୁ ଆସିଲେ । ଏଠାରେ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ଏକ ଅଶ୍ରୁଳ ଭକ୍ତି ଜଣାଣ ମନ ମନ୍ଦିରରେ ଜାଗି ଉଠେ, ତାହା ନିଜସ୍ୱ ଶୈଳୀରେ ସ୍ୱୟଂଚାଳିତ ହୋଇ ପ୍ରସ୍ଫୁଟିତ ହୁଏ –
ପଥର ହେଲହେ ପ୍ରଭୁ ପଥର ଟେକା – ପଥର ନୀଳ ଚକ୍ରରେ ଉଡେ ପତାକା
ପଥରେ ଭେଟି ସୁଗ୍ରୀବ ଆଚରିଲେ ମିତ୍ର ଭାବ – ପଥରେ ପଥର ହେଲା ମନ ନଉକା । ପଥର ହେଲହେ ପ୍ରଭୁ ………………..
ମୁଣ୍ଡି ବଡ ନଗରୀରୁ ଆସିବା ହୋଇଛନ୍ତି । ପରେ କେତେକ ଲାଞ୍ଜୁଆଳମାନେ ଆଖପାଖ ରାଜା ବଗିଚାରୁ ଶକ୍ତି ପ୍ରାପ୍ତ ସହ ବଦଳି ହୋଇ ଆସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ବସି ଅଫିସିଆଲ୍ ଡେକୋରମ୍କୁ ନଷ୍ଟକରି ଚାଲନ୍ତି ଓ ବରିଷ୍ଠ ମଝିଆଳଙ୍କ ପାଇଁ ଚିଠି ଅର୍ଡର କରନ୍ତି ! ଏହାର କାରଣ, ସେମାନେ ଜାଣିଥିଲେ, ଦୁଇ ତିନି ମାସ ଭିତରେ ବଦଳି ଆଦେଶ ବାହାରିବ ଓ ସ୍ୱଃ ଗୃହକୁ ସେମାନେ ପୁନଃ ପ୍ରତ୍ୟାବର୍ତ୍ତନ କରିବେ । ସେଥିପାଇଁ ସେମାନେ ଭୟ ଶୂନ୍ୟ । ବରିଷ୍ଠ ମଝିଆଳ ଅଧ୍ୟକ୍ଷ ଦାଇତ୍ୱ ପ୍ରାପ୍ତ ହେବା ବେଳକୁ ସେ ଲାଞ୍ଜୁଆଳ ମାନେ ଛୁ ମାରିଥିବେ । ଯଦି ବଦଳି ଆଦେଶ ଡେରିରେ ବାହାରେ, ତଥାପି ଡରିବାର ନାହିଁ । କାରଣ ଯେଉଁମାନେ ରାଜା ବଗିଚାର କର୍ମଚାରୀଙ୍କ ଛତ୍ରଛାୟା ତଳେ ପାଳିତ, ସେମାନେ ବା କାହିଁକି ଡରିବେ ! ଏ ବରିଷ୍ଠ ମଝିଆଳର ତ ଉପର ସ୍ତରରେ ହାତ ନାହିଁ । କଳାପାଣିରେ ପଡି ପଡି ଅବସର ନେବାକୁ ବାଧ୍ୟ । ଏତାଦୃଶ ମନୋଭାବର ସୂକ୍ଷ୍ମ ଓ ସ୍ଥୂଳତ୍ୱକୁ ଅନୁଭବ କରୁଥିଲେ ବରିଷ୍ଠ ମଝିଆଳ । ସେ ଜାଣିଥିଲେ ନିଜର ବଦଳି ହେବନି । ତେଣୁ ରାଜା ବଗିଚାରୁ କ୍ଷଣକ ପାଇଁ ଆସିଥିବା ଦଳଙ୍କର ଠାଣି, ଚାଲି ଓ ଇସାରାରୁ ପ୍ରସ୍ଫୁଟିତ ହୁଏ ଅହଂକାରର ପରିଭାଷା । ଏ ବାବଦରେ ଆମ ଲୋକକଥା କହେ ଯେ, ଲାଞ୍ଜୁଆଳ ମାନଙ୍କର ଏତାଦୃଶ ଗାମ୍ଭୀର୍ଯ୍ୟତାକୁ ସମାନ୍ତରାଳ ଭାବେ ସୃଷ୍ଟି ଆରମ୍ଭରେ କାକ ପକ୍ଷୀଠାରେ ପରିଲକ୍ଷିତ ହୋଇଥିବା ସହ ତୁଳନା କରାଯାଇ ପାରେ । ଏହା ସୂଚାଏ ଯେ, ଅହଂକାରୀ ଓ ତୋଷାମୋଦକାରୀ ଲାଞ୍ଜୁଆଳ ଏବଂ ବାର୍ତ୍ତାବହ କାକପକ୍ଷୀ ଉଭୟ କସ୍ମିନ୍ କାଳେ ସମାଜ ମଙ୍ଗଳକାରକ ନୁହଁନ୍ତି ।
ନୂଆ ନୂଆ ସୃଷ୍ଟି ଆରମ୍ଭ ହୋଇଥାଏ । ପୃଥିବୀରେ ଷଡ ଋତୁର ଦେବତାମାନେ କ୍ରମାନ୍ୱୟରେ ସେମାନଙ୍କର ରାଜୁତି କରୁଥାନ୍ତି । ଦେଖାଗଲା ବସନ୍ତ ଋତୁ ବ୍ୟତୀତ ଅନ୍ୟ ଋତୁଗୁଡିକରେ ମାନବର କଷ୍ଟ ବୃଦ୍ଧି ପାଉଛି । ବିଶେଷ କରି ଗ୍ରୀଷ୍ମ, ବର୍ଷା ଓ ଶୀତ ଋତୁରେ ଧନ-ଜୀବନ ହାନୀ, ରୋଗ-ବ୍ୟାଧି ଓ ଅନ୍ୟାନ୍ୟ କଷ୍ଟ ଆଦି ସମସ୍ୟାମାନ ଲାଗିରହୁଛି । ଶରତ ଓ ହେମନ୍ତ ଋତୁରେ କଷ୍ଟ ଏତେ ଅଧିକ ନହେଲେବି ବସନ୍ତ ଋତୁ ପରି ନୁହେଁ । ତେଣୁ ସର୍ବ ସମ୍ମତିକ୍ରମେ ପୃଥିବୀରେ କେବଳ ଋତୁରାଜ ବସନ୍ତ ସଦା ସର୍ବଦା ରାଜୁତି କରିବ ଓ କୌଣସି ଜୀବ ଅନାହାର କିମ୍ବା ରୋଗ -ବ୍ୟାଧିଗ୍ରସ୍ତ ହୋଇ ମୃତ୍ୟୁମୁଖରେ ପଡିବ ନାହିଁର ଅଭିଳାଷ ପୋଷଣ କରି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନିକଟକୁ ଏକ ପତ୍ର ଲେଖାଗଲା । ପତ୍ରବାହକ କିଏ ହେବ ଖୋଜା ପଡିଲା ଓ ଶେଷରେ ଏ ଦାଇତ୍ୱ କାକ ପକ୍ଷୀ ଉପରେ ନ୍ୟସ୍ତ କରାଗଲା । ତତ୍ସଙ୍ଗେସଙ୍ଗେ ପତ୍ର ନେଇ ବ୍ରହ୍ମାଙ୍କ ନିକଟରେ ପହଞ୍ଚାଇବାର ନୀତି ଓ ନିୟମମାନ କାକକୁ ବୁଝାଇ ଦିଆଗଲା । କାକର ମନ କୁଣ୍ଢେମୋଟ ହୋଇଗଲା । ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡିଲା ପରି ଲାଗିଲା । ଏତେବଡ ଦାଇତ୍ୱ ! ପୁଣି ଏଡିକି ଟିକେ ତଳୁଆ ଜୀବ ଉପରେ ନ୍ୟସ୍ତ ! କାକ ସଗର୍ବେ ଉଡିଚାଲିଲା ଓ ଉଛୁଳା ମନର ପ୍ରଭାବରୁ ମନୁଷ୍ୟମାନେ କହିଥିବା ନିୟମ ଗୁଡିକୁ ସମ୍ପୂର୍ଣ୍ଣ ଭୂଲିଗଲା । ପୃଥିବୀରେ ଯେହେତୁ ନୂଆକରି ପଞ୍ଚ ଶସ୍ୟ ଉତ୍ପାଦନ ହୋଇଥିଲା, ତେଣୁ ପ୍ରଥମେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଅର୍ପଣ କରିବା ପାଇଁ ଏହି ଶସ୍ୟ ଗୁଡିକର ମିଶ୍ରଣରୁ ଏକ ସୁନ୍ଦର ପିଠା ପ୍ରସ୍ତୁତ କରି କାକକୁ ଦିଆଯାଇଥିଲା । ତର୍ପଣାନ୍ତେ ବ୍ରହ୍ମା ମନୁଷ୍ୟମାନଙ୍କ ପତ୍ର ପଢି ଖୁସିହେଲେ । କିନ୍ତୁ ସେମାନଙ୍କ ଅର୍ପିତ ପିଠାକୁ ଗ୍ରହଣ କରିବାକୁ ଯାଇ ହସ୍ତ ବଢାନ୍ତେ, ତାହା ତତ୍କ୍ଷଣାନ୍ତେ ଅଦୃଶ୍ୟ ହୋଇଗଲା । ବ୍ରହ୍ମା ମନୁଷ୍ୟମାନଙ୍କ ଉପରେ ରାଗିଗଲେ ଓ ମର୍ତ୍ତ୍ୟରେ ପୂର୍ବସ୍ଥିତି ରହିବାର ଅଭିଶାପ ଦେଲେ । ପୁଣି ପଞ୍ଚଶସ୍ୟର ଦେବୀଙ୍କୁ ଡାକି ଆଜ୍ଞା ଦେଲେ ପୃଥିବୀରୁ ସବୁ ଶସ୍ୟ ନେଇ ଆସିବାକୁ । ସଙ୍ଗେ ସଙ୍ଗେ ପଞ୍ଚଦେବୀ ପୃଥିବୀରୁ ଶସ୍ୟ ଆଣିବାକୁ ଲାଗିଲେ । ମର୍ତ୍ତ୍ୟଲୋକରେ ହାହାକାର ପଡିଗଲା । ଶେଷବାର ଶସ୍ୟ ନେବାବେଳକୁ ପକ୍ଷୀମାନେ କାକୁତି ମିନତି ହୋଇ ପଞ୍ଚଦେବୀଙ୍କ ପାଦତଳେ ପଡି ଗୁହାରୀ କଲେ, ଗଛର ଶେଷ ଅଂଶ ଅର୍ଥାତ୍ ଅଗ୍ରରେ କିଛି ଶସ୍ୟ ସେମାନଙ୍କ ପାଇଁ ଛାଡି ଯିବାକୁ । ନଚେତ୍ ଅନାହାରରେ ପକ୍ଷୀମାନଙ୍କର ପ୍ରାଣବାୟୁ ଉଡିଯିବ । ମାତା ପରମ ଦୟାଳୁ । ପକ୍ଷୀମାନଙ୍କ ଆକୁଳ ପ୍ରାର୍ଥନାରେ ପ୍ରସନ୍ନ ହୋଇ ଗଛର ଅଗ୍ରଭାଗରେ କିଛି ଶସ୍ୟ ଛାଡିଦେଇ ଗଲେ । କୁହାଯାଏ ସେତେବେଳେ ଗଛର ମୂଳରୁ ଅଗଯାଏଁ ଶସ୍ୟ ଫଳୁଥିଲା । କାକକୁ କୁହାଯାଇଥିଲା ପଞ୍ଚଶସ୍ୟର ପିଠାକୁ ପବିତ୍ର ଗଙ୍ଗା ଜଳରେ ସିଦ୍ଧ କରି ବ୍ରହ୍ମାଙ୍କୁ ଅର୍ପଣ କରିବାକୁ । କିନ୍ତୁ ଅହଂକାରୀ କାକ ସବୁ ସତ୍ୟାନାଶ କରିଦେଲା । ଜୀବନ ବିକଳେ ସର୍ବେ ସୃଷ୍ଟିକର୍ତ୍ତାଙ୍କୁ ଦୁଇଭୁଜ ଟେକି ସ୍ତୁତି କଲେ ଓ କାକକୁ ପୁନର୍ବାର ସବୁ ନିୟମମାନ କାନଫୁଙ୍କା ଗୋସାଇଁ ପରି କହି କହି ନିଜର ଅଭିଳାଷ ପୁରଣାର୍ଥେ ପ୍ରେରଣ କଲେ । ଏଥର କାକ ଡରେମରେ ସବୁ ମାନିଲା ଓ ବ୍ରହ୍ମା ତଥାସ୍ତୁ କହି ମାନବଙ୍କୁ ତା’ଙ୍କ ବାର୍ତ୍ତା ପହଞ୍ଚାଇବାକୁ କହିଲେ । କିନ୍ତୁ ବାଟରେ କେଉଁଠି ନ ଅଟକି ଏକମୁଖା ଯାଇ ମାନବାଲୋକରେ ଏ ବାର୍ତ୍ତା ଦେବାକୁ ସତର୍କ କରି ଦେଇଥିଲେ । କାଉ ମୁଣ୍ଡ ତ, ଯେତେ କହିଲେ କ’ଣ ହେବ ? କଥାରେ ଅଛି – ମୋତେ ଯେତେ ମାଠିବୁ ମାଠ୍ …. ମୁଁ ସେଇ ଦରପୋଡା କାଠ୍ । ଏତେବଡ ସମ୍ବାଦ ନେଇ ଯାଉଁ ଯାଉଁ ଗର୍ବରେ ତା’ର ବକ୍ଷ ଫୁଲିବାକୁ ଲାଗିଲା । ଗମ୍ଭୀରଭାବେ ମୁଣ୍ଡ ଅଳ୍ପ ତଳକୁ ବଙ୍କାଇ ଦୋହଲାଇବାକୁ ଲାଗିଲା । ଯେମିତି ପାହାଡିଆ ଘାଟିର ସର୍ପିଳ ରାସ୍ତାରେ ଯାନ ଓ ଯାତ୍ରୀ ଦୋହଲନ୍ତି । କାଉ ଆଉ ନିଜକୁ ସମ୍ଭାଳି ନପାରି ଏକ ପଥର ଉପରେ ଗୁମ୍ମାରି ବସିଲା । ଦେଖାଯାଏ ଯଦି ଜଣେ ବ୍ୟକ୍ତି ପାଇଁ ପରିବେଶ ଅନାସକ୍ତ ହୁଏ, ତେବେ ସେ ଗୁମ୍ମାରି ବସେ ଓ ତା’ର ରୁଚିକର ପରିସ୍ଥିତିକୁ ଅପେକ୍ଷା କରେ । କିନ୍ତୁ ସେମିତି କିଛି ଘଟଣା ନଥାଇ କାଉ ନିଜକୁ ସବୁଠାରୁ ଉର୍ଦ୍ଧ୍ୱରେ ଭାବୁଥିଲା ଓ ତା’ର ଗୁମ୍ ଚିରସ୍ଥାୟୀ ପରି ଜଣାପଡୁଥିଲା । କାଉ ମନେ ମନେ କହୁଛି ହେ ପୃଥିବୀ ବାସୀ ! ମୁଁ ବ୍ରହ୍ମାଙ୍କ ଏ ଗୁରୁ ସମ୍ବାଦ ବହନ କରି ତୁମ ପାଖକୁ ଯାଉଛି ତୁମର ସର୍ବମଙ୍ଗଳକାରକ ଏ କାକ ପକ୍ଷୀ । ତେଣୁ ମୋତେ ସାମାନ୍ୟ ଭାବନାହିଁ ।
ବିଚରା ପଥରଟି କାଉର ଏହି ଗାମ୍ଭୀର୍ଯ୍ୟଭରା ଠାଣିରେ ବ୍ୟସ୍ତ ହୋଇ ପୁଛିଲା – ହେ କାକ ଶ୍ରେଷ୍ଠ ! ହେ ମହାମାନ୍ୟ ! ଆପଣ ବ୍ରହ୍ମାଙ୍କ ପାଖରୁ ମର୍ତ୍ତ୍ୟଲୋକକୁ ସମ୍ବାଦ ଆଣିଛନ୍ତି । କୃପାକରି ମୋର ବ୍ୟଗ୍ରତାକୁ ବଢାନ୍ତୁ ନାହିଁ । ମହାଗର୍ବୀ କାଉ ଗମ୍ଭୀରଭାବେ ମୁଣ୍ଡ ଟୁଙ୍ଗାରିବାକୁ ଲାଗିଲା । ଶେଷରେ ପଥରର ଅନୁନୟ ବିନୟକୁ ରକ୍ଷା କରି କ୍ଷୀଣ କଣ୍ଠରେ କହିଲା – ଏବେ ପୃଥିବୀରେ କେବଳ ବସନ୍ତ ଋତୁହିଁ ରହିବ । ବ୍ରହ୍ମାଙ୍କ ଆଜ୍ଞା ଅବଜ୍ଞା ଓ ପ୍ରଥମ ସମ୍ବାଦ ପଥରଟିକୁ ପ୍ରାପ୍ତ ହେବାରୁ ତତ୍କ୍ଷଣାତ୍ ପଥରଟି ମୃଦୁ ମଳୟର ମାଧୁର୍ଯ୍ୟତା ଅନୁଭବ କରିବାକୁ ଲାଗିଲା । ସେହିଦିନୁଁ ପଥର ପାଇଁ ଏକ ଋତୁ ବସନ୍ତହିଁ ଅନୁଭୂତ ହେଲା । ନିଜର ଭୂଲ୍ ବୁଝିପାରି କାଉ ଶୀଘ୍ର ଆସି ମାନବଙ୍କୁ ଯାହା ଶୁଣାଇଲା, ତାହା ପୁଣି କାଉର ବିଶ୍ୱାସଘାତକତା ବୋଲି ପ୍ରମାଣିତ ହୋଇଗଲା । କାଉଦ୍ୱାରା ବାରମ୍ବାର ପ୍ରତାରିତ ମାନବ ସମାଜ ବ୍ରହ୍ମାଙ୍କ ପାଖରେ ଗୁହାରୀ କଲେ । କିନ୍ତୁ ବ୍ରହ୍ମବାକ୍ୟ ଅଟଳ । ତେଣୁ ପଥରର ଭାଗ୍ୟ ଖୋଲିଲା ଓ ମର୍ତ୍ତ୍ୟରେ ପୂର୍ବପରି ଷଡଋତୁହିଁ ରହିଲା । ଶେଷରେ ସବୁ ଅନର୍ଥର ମୂଳ କାରଣ କାଉ ଉପରେ ବ୍ରହ୍ମାଙ୍କ ଅଭିଶାପର ବର୍ଷା ବର୍ଷିଲା । ତେବେ କାଉ ଓ ଲାଞ୍ଜୁଆଳକୁ ପରସ୍ପରର ପ୍ରତିବିମ୍ବ କହିଲେ ଅତ୍ୟୁକ୍ତି ହେବନାହିଁ । ରାଜା ଯଦି ତୋଷାମଦକାରୀ ଓ କର୍ମକୋଢୀ କର୍ମଚାରୀକୁ କରଗତ କରି ଏବଂ ତା’ଉପରେ ଭରସା ରଖି ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଧୁଳି ଚଟେଇବାର ବ୍ୟବସ୍ଥା କରେ , ତାହା ଉପରୋକ୍ତ ଫଳାଫଳ ସଦୃଶ ଫଳ ପ୍ରାପ୍ତ ହୁଏ । ମୁଣ୍ଡ ସମସ୍ତ କାର୍ଯ୍ୟଧାରାର କେନ୍ଦ୍ରସ୍ଥଳ ଓ ତାହା ଲାଞ୍ଜ ବା ପାଦ ଦ୍ୱାରା ନିଜର ଓରମାନ ମେଣ୍ଟାଇଥାଏ । ମଝିଅଂଶକୁ ହଲାଇବା ନିଶ୍ଚିତରୂପେ କଷ୍ଟକର । ଏଠାରେ ଲାଞ୍ଜୁଆଳକୁ ଆଜ୍ଞାବାହକ କୁହାଯାଇପାରେ ଓ ସେ ବିଶ୍ୱାସଘାତକତା କରି ମୁଣ୍ଡକୁ ଦୋହଲାଇ ଦେଇପାରେ ବା ନପାରେ । ଏ ବିଶ୍ୱରେ ଯେତେ ପ୍ରାକୃତିକ ଓ କୃତ୍ରିମ ଘଟଣାମାନ ଘଟୁଛି ସେସବୁ ଏକମୁଖୀ (Irreversible) । କାରଣ ସେହି ଘଟଣାର ପଶ୍ଚାତ୍ମୁଖୀ (Reversible) ଘଟଣା ଅସମ୍ଭବ । ଉଦାହରଣ ସ୍ୱରୂପ ଜଣେ ବୃଦ୍ଧାବସ୍ଥାରୁ ବାଳ୍ୟାବସ୍ଥାକୁ ଫେରୁନାହିଁ ଓ ଧ୍ୱଂସ ପରେ ତା’ର ପୂର୍ବ ସ୍ଥିତି ଆସୁନାହିଁ । କାରଣ ସମୟର ଗତି ସର୍ବଦା ଆଗକୁ । କିନ୍ରୁ ଘଟଣାକ୍ରମର ଚକ୍ରାକାର ପରିବର୍ତ୍ତନ ପରିଲକ୍ଷିତ ହେଉଛି ଦୃଶ୍ୟ ଓ ଅଦୃଶ୍ୟର ସମାହାରରେ । ଦୃଶ୍ୟ କୃତ୍ରିମ ଅଟେ ଓ ଅଦୃଶ୍ୟ ସେହି ସମୟରେ ପ୍ରାକୃତିକ, ଯାହା ବିଳମ୍ବରେ ପ୍ରତିଫଳିତ ହୁଏ । ତେଣୁ ଲାଞୁଆଳର ସୁପରାମର୍ଶ ଅଥବା କୁପରାମର୍ଶ ତା’ପାଇଁ ସେହି ଜାତୀୟ ଫଳ ସମୟ ଚକ୍ରରେ ଯେତେବେଳେ ବି ଆସିଥାଏ । ସେହି ସମ ଦଶା ଘଟିଥାଏ ମୁଣ୍ଡିଆଳ କ୍ଷେତ୍ରରେ । ଉଭୟ କ୍ଷଣିକ ଶକ୍ତିପ୍ରାପ୍ତରେ ବିଭୋର ହୋଇ ମଝିଆଳକୁ ଅଣଦେଖା କରିବାର ଫଳ ସମୟ ହିଁ ଦେଖାଇଦିଏ । କାରଣ ମୁଣ୍ଡିଆଳ ଶକ୍ତିହୀନ ହୋଇ ଲୀନ ହେବା ବେଳକୁ ମଝିଆଳର ପାଳି ଆସେ ।
ଏବେ ଯେଉଁଆଡକୁ ଚାହିଁବ ପ୍ରାୟ ମୁଣ୍ଡି ଓ ଲାଞ୍ଜଙ୍କ ସମାବେଶ ଦୃଶ୍ୟମାନ ହେଉଛି । ଅର୍ଥାତ୍ ବିଭିନ୍ନ କ୍ଷେତ୍ରରେ ଥିବା ଅସାଧୁ ମୁଣ୍ଡିମାନେ କିଛି କର୍ମକୋଢୀ ବ୍ୟକ୍ତି (ଲାଞ୍ଜୁଆଳ)ଙ୍କୁ କରାୟତ୍ତ କରି ନିଜର ଓରମାନ ମେଣ୍ଟାଇବାରେ ବ୍ୟସ୍ତ ରହୁଛନ୍ତି । ଏହା ତଳସ୍ତରରୁ ଆରମ୍ଭ ହୋଇ ସର୍ବୋଚ୍ଚସ୍ତର ଯାଏ ପରିବ୍ୟାପ୍ତ । ପ୍ରତି ସ୍ତରରେ ସତ୍ବ୍ରତୀ ମାନେ ଯନ୍ତ୍ରଣାରେ ଛଟପଟ ହେବା ସହିତ ପରଦା ପଛପଟେ ରହିଯାଉଛନ୍ତି । ହେୟଜ୍ଞାନ କରାଯାଉଥିବା ମଝିଆଳମାନଙ୍କୁ ପ୍ରାୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡୁଛି । କାହାର ପ୍ରିୟଭାଜନ ହେବା ପାଇଁ ଏମାନେ ଖଳ ଚତୁରତାର ଆଶ୍ରୟ ନିଅନ୍ତି ନାହିଁ । ପରିବାରଠୁ ଆରମ୍ଭ କରି ରାଷ୍ଟ୍ର ଓ ପୃଥିବୀରେ ଏ ସମସ୍ୟା ମୁଣ୍ଡଟେକି ରହିଛି । କ୍ଷମତାର ଅପପ୍ରୟୋଗରେ ଜର୍ଜରିତ ମାନବ ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇଁ ରାହା ଖୋଜୁଛି ।