ଅସହ୍ୟ ଯନ୍ତ୍ରଣାର ତାତ୍ତ୍ୱିକ ପରିଭାଷା – ଭାଗ – ୨
ଦ୍ୱିତୀୟ ଭାଗ ————-
ଯେହେତୁ ଚାକିରୀର ଶେଷ ଭାଗକୁ ବଦଳି ଆଦେଶ ପାଇ ଦୂର ସ୍ଥାନରୁ ଆହୁରି ଦୂରସ୍ଥାନକୁ ଠେଲିହୋଇ ଯାଇଛି, ତେଣୁ ସେ ମନଦୃଢକରି ଓ ସବୁ କଷ୍ଟକୁ ନିରବରେ ହଜମ କରି ପୁରୁଣା ସ୍ଥାନରୁ ନିଜ ଆସବାସ ପତ୍ର ଏକ ଛୋଟିଆ ଯାନରେ ଲଦି ରାତି ପ୍ରାୟ ଆଠଟା ବେଳକୁ ଘରେ ପହଞ୍ଚିଲେ । କର୍ତ୍ତା ଭାବୁଛି ସବୁ ଦୁଃଖକୁ ଅନ୍ତରରେ ରଖି ଅତ୍ୟନ୍ତ କଷ୍ଟରେ ଥିବା ଘରଣୀ ଆଗରେ ହସ ହସ ବଦନରେ ଭାଷା ପ୍ରକାଶ କରିବ, ଯାହାଦ୍ୱାରା ସେ ଭୟଭୀତ ହେବନାହିଁ । ଗାଡିରୁ ଜିନିଷପତ୍ର ଗାଡିଚାଳକ ସହାୟତାରେ ବାହାର କରି ଓ ତା’ର ପାଉଣା ଦେଇ ବିଦାକଲେ । ଏହାପରେ ଜିନିଷପତ୍ର ଗୁଡିକୁ ଘରଣୀ ସହାୟତାରେ ଘରକୁ ନିଆଗଲା । ସାତଦିନ ସ୍ଥାନାନ୍ତର ଅବକାଶ (Transit) ନେଇ ସବୁଠୁ ଦୂର ଇଲାକାକୁ ବଦଳି ହୋଇଥିବା ସ୍ଥାନରେ ଯୋଗ ଦେବାକୁ ପଡିବ । ଆକାଶ ମୁଣ୍ଡ ଉପରେ ଛିଣ୍ଡିପଡିଲା ପ୍ରାୟ ଲାଗୁଥିଲା । ଅଗଷ୍ଟମାସ ଓ ଧାଁ’-ଦୌଡାରେ ଦେହରୁ ଝାଳ, ବର୍ଷାରେ ଭିଜିବା, ବାରମ୍ବାର ଶୋଷରେ ପାଣି ପିଇବା ଆଦିକାରଣରୁ ଥଣ୍ଡା, କାଶ ଓ ଜ୍ୱରର ପ୍ରଭାବରେ ଅତିଷ୍ଠ ଶରୀର ପରଦିନ ଡାକ୍ତରଙ୍କୁ ଦେଖାଇ ଔଷଧ ଆଣିବା ଆଦି ଭାବନାରେ ରାତି କଟିଲା । ସକାଳୁ ଦିନଗଣତି, ଡାକ୍ତର ଦେଖା, ଔଷଧ ସେବନରୁ ଦେହ ଦୁର୍ବଳ ଲାଗିବା, କାଶ ବୃଦ୍ଧି ପାଇବା ଆଦିରେ ଦିନ ସରିଆସିଲା । ବ୍ୟାଗ୍ରେ ନିତ୍ୟବ୍ୟବହାର ସାମଗ୍ରୀର ପ୍ୟାକିଂ ଆଦି ଆରମ୍ଭ ହେବା ବେଳକୁ ସଦ୍ୟ ଘଟିଥିବା ଘଟଣାମାନ ଗୋଟିଗୋଟି ହୋଇ ମନେ ପଡିଯାଉଥାଏ । ପୁରୁଣା କାର୍ଯ୍ୟାଳୟରୁ ବଦଳି ଆଦେଶ ପୂର୍ବରୁ କିଛି ଅଜଣା ଆତଙ୍କର ଭାବ ମନରେ ବାରମ୍ବାର ଉଙ୍କି ମାରୁଥିଲା । ସେଥିପାଇଁ ଅନେକ ଦିନ ଆଗରୁ କିଛି ରହିଯାଇଥିବା କାର୍ଯ୍ୟାଳୟ ସମ୍ବନ୍ଧୀୟ କାର୍ଯ୍ୟକୁ ସେ ସମାପ୍ତ କରିଥିଲେ । ପୁଣି ଆଉ କିଛି ଘଟଣା ନିଜର ବାସସ୍ଥାନରେ ମଧ୍ୟ ଘଟିଥିଲା । ଯେହେତୁ ଘରଟି ନଈକୂଳ ପାଖରେ, ରାତିରେ ଓଧ ଆସି ଛାତ ଉପରେ ଖଡ୍ଖାଡ୍ କରନ୍ତି, ପାରାକୁ ମାରି ଖାଆନ୍ତି, ଛାତ ଉପରେ ମଳତ୍ୟାଗ କରନ୍ତି ……….. ଇତ୍ୟାଦି । କିନ୍ତୁ ଗ୍ରୀଲ୍ମଧ୍ୟ ଦେଇ ଘର ଭିତରର ଶିଡି ଆଦିକୁ ଆସନ୍ତି ନାହିଁ । କ’ଣ ହେଲା କେଜାଣି, ଏଥରକ ରାତିରେ ଗ୍ରୀଲ୍ ମଧ୍ୟ ଦେଇ ଭିତର ଅଗଣା ଓ ଶିଡିରେ ବାରମ୍ବାର ମଳମୂତ୍ର ତ୍ୟାଗ କରନ୍ତି ଓ ପହିଲି ସକାଳୁ ତାହା ସଫା କରି କରି ଘରଣୀ ଅତିଷ୍ଠ ହୋଇଉଠନ୍ତି । ଫୋନ୍ରେ ଘରଣୀ ବାରମ୍ବାର କହନ୍ତି ଓ ଏ ଅସୁବିଧା ଦୂର ନିମନ୍ତେ ବଦଳି ଆଦେଶର ସପ୍ତାହେ ପୂର୍ବରୁ ଶନିବାର ରାତି ସାତଟା ବେଳକୁ ଦୁଇଦିନ ଛୁଟିନେଇ ଘରେ ପହଞ୍ଚି ଭିତର ଅଗଣାର ମୂଖ୍ୟ ଗ୍ରୀଲ୍ ଓ କାନ୍ଥ ସଂଯୋଗିତ ଝରକା ଗ୍ରୀଲ୍ରେ ଆଲୁମିନିୟମ୍ ଚାନେଲ୍ ଓ ଫାଇବର୍ ଯୁକ୍ତ ସଟର୍ ଲଗାଇବା ନିମିତ୍ତ ଦୋକାନକୁ ଦୌଡିଲେ । ସେଠାରେ ଦର୍ଦାମ୍ ଛିଣ୍ଡାଇ ତହିଁ ପରଦିନ କାମ ଆରମ୍ଭର କଥା ହୋଇ ରାତି ନ’ଟାରେ ଘରକୁ ଫେରିଲେ । ରବି, ସୋମ ଓ ମଙ୍ଗଳବାରରେ ମିସ୍ତ୍ରୀର ଅନୁପସ୍ଥିତିରୁ କ୍ଷୀଣମାତ୍ରାରେ କାମ ହେଲା । ବୁଧବାର ପ୍ରାତଃରୁ ମନଦୁଃଖରେ ଅଫିସ୍ରେ ଯୋଗଦେବାକୁ ବସ୍ରେ ବସିଲେ । ଅଫିସ୍ରେ ଜାଣିଲେ ତା’ଙ୍କ ଅନୁପସ୍ଥିତିରେ ମିସ୍ତ୍ରୀ ବୁଧ ଓ ଗୁରୁବାରରେ ସଟର୍ ଲଗାଇଲା । ମଣିଷ ଟିକିଏ ଆଶ୍ୱସ୍ତି ଲାଭକଲା । ଲଗାତର ଓଧଙ୍କ ମଳ ସଫା କରିବାର ଯନ୍ତ୍ରଣାରୁ ତ୍ରାହି ମିଳିଲା । ପୁଣି ଏଥର ଦଳେଦଳେ ମାଙ୍କଡ ଆସି ଛାତ ଉପରେ ଥିବା ଫୁଲ କୁଣ୍ଡ ଭାଙ୍ଗିବାର ଉତ୍ପାତ ଆଦି ବୃଦ୍ଧି ପାଉଥିଲା । ଏତିକିରେବି ସରିଲାନି ଯେ, ଘର କଡରେ ଥିବା ସଜନା ଗଛରେ ସେ ବର୍ଷ ସଁବାଳୁଆର ଛାଲ ବାରମ୍ବାର ଗଛକୁ କବଳିତ କରୁଥିଲେ । ଯେତେ ସର୍ଫ ପାଣି ପକାଇ ମାରିଲେ ମଧ୍ୟ ପୁନଃ ପୁନଃ ସେମାନଙ୍କ ବଂଶ ବୃଦ୍ଧିପାଇବାରେ ଲାଗୁଥିଲା । ଏ ଜୀବଗୁଡିକୁ ମାରିବାରେ ଗଭୀର ଅନୁତାପ ହେଉଥିଲା, ଯେହେତୁ ଏହା ପ୍ରକୃତିର ବିରୁଦ୍ଧରେ ଥିଲା । କିନ୍ତୁ ଘରେ- ବାହାରେ ଚାଲିବା ଓ ଦେହ-ହାତରେ ଲାଗିବାର ଯନ୍ତ୍ରଣାରୁ ବଞ୍ଚିବାର ଏକମାତ୍ର ସେମାନଙ୍କୁ ମାରିବା ଛଡା ଅନ୍ୟ ପନ୍ଥା ନଥିଲା । ଶେଷରେ ଅସମ୍ଭାଳ ପରିସ୍ଥିତିରୁ ଗଛଟିକୁ କାଟିବାର ଯୋଜନା ଓ ଛୁଟି ଦିନରେ କିଛିକିଛି ଡାଳଭାଙ୍ଗି ଫୋପାଡିବାର କାର୍ଯ୍ୟ ମଧ୍ୟ ଚାଲୁ ରହିଥାଏ । ଏହା ସହ କାର୍ଯ୍ୟାଳୟରେ ତାଙ୍କ ବିରୁଦ୍ଧରେ ଘଟିଥିଲା ଭୟଙ୍କର ଘଟଣାବଳୀ । ଚାରିଜଣ ସମସାମୟିକ ବରିଷ୍ଠ କର୍ମଚାରୀ ଅଳ୍ପଦିନପରେ ଏକସମୟରେ ଚାକିରୀରୁ ଅବସର ନେବେ, ସେମାନଙ୍କ ମଧ୍ୟରୁ ଜଣେ କାର୍ଯ୍ୟାଳୟର ସର୍ବୋଚ୍ଚ ପଦାଧିକାରୀ ଓ ଅନ୍ୟତିନିଜଣ ମଧ୍ୟ ସେ ଅଫିସ୍ର ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡିକର ଦାଇତ୍ୱରେ ଥିଲେ । ସେମାନେ ସଦା ସର୍ବଦା ଏ ବ୍ୟକ୍ତିପ୍ରତି ଈର୍ଷାନ୍ୱିତ ହେଉଥିଲେ ଦକ୍ଷତାର ପରିମାପକରେ । ଯେହେତୁ ଅବସର ପରେ ବରିଷ୍ଠତା ଭିତ୍ତିରେ ସେ କାର୍ଯ୍ୟାଳୟର ମୂଖ୍ୟ ହେବେ ଭାବି ଭୟଭୀତ ହେବା ଭାବନାରେ ଅତିଷ୍ଠ ହୋଇ “ମୂଳୁ ମାଇଲେ ଯିବ ସରି – ଦେବଙ୍କ ସଙ୍ଗେ କିମ୍ପା କଳି” ନୀତି ଧରିବାକୁ ଆଗେଇ ଥାଇ ପାରନ୍ତି । ତାହା ହେଲା ସେଠାରୁ ତାଙ୍କୁ ଦୂରକୁ ବଦଳି କରିଦେଲେ କାମ ଖତମ୍ । ତେବେ କର୍ତ୍ତା ସେମାନଙ୍କ ଠାଣିରୁ ଏହି ପ୍ରକାରର ପ୍ରତିଫଳନତାର କ୍ଷୀଣ ଆଭାସ ପାଇଲେବି ତାହା ତାଙ୍କ ଚେତନାରେ ଜାଗ୍ରତ ହୋଇ ରହୁ ନଥିଲା । ଏହାହିଁ ଥିଲା କର୍ତ୍ତାର ବଦଳି ହେବା ପୂର୍ବର କିଛି ମୁଖ୍ୟ ଘଟଣାବଳୀ ।
ଶୁକ୍ରବାର ରାତି ବାରଟା !! ଅଶୁଭ ମୁହୂର୍ତ୍ତର ବେଳା । ପୁରୁଣା ସ୍ଥାନରେ ସେ(କର୍ତ୍ତା) ଓ ଆଉଜଣେ ଏକଇ ଅଫିସ୍ର କର୍ମଚାରୀ ଘରଭଡା ନେଇ ଦୁଇଟି କୋଠରୀରେ ରହୁଥିଲେ । ବୋଧହୁଏ ପୂର୍ବରୁ ଅବଗତ ଥିବା କିଛି କର୍ମଚାରୀ, ମୁଖ୍ୟ ଅଫିସ୍ରୁ ଇ – ସ୍ପେସ୍ (E-Space)କୁ ଛଡାଯାଉଥିବା ଚିଠି ଆଦିକୁ ଦେଖିବା ନିମନ୍ତେ ଜାଗ୍ରତ ଥିଲେ । ହଠାତ୍ ମଧ୍ୟରାତ୍ରି ପରେ ଦ୍ୱିତୀୟ କୋଠରୀରେ ଅନ୍ୟ ଜଣଙ୍କ ଫୋନ୍ ବାଜିଲା ଓ କର୍ତ୍ତା ମଧ୍ୟ ଝାପ୍ସା ନିଦରେ ତାହା ଶୁଣି ପାରୁଥିଲେ । ତାଙ୍କ କୋଠରୀକୁ ଆସି ସାଥି ଜଣଙ୍କ ଅତି ଦୁଃଖରେ ଦୂର ସ୍ଥାନକୁ ବଦଳି ହୋଇଥିବାର ସମ୍ବାଦ ଦେଲେ । ଈଶ୍ୱରଙ୍କ କୃପା କହିହେବନି, କିନ୍ତୁ କର୍ତ୍ତା ଏଥିରେ ତିଳେମାତ୍ର ବିଚଳିତ ବୋଧ ନକରି ଶରୀରର ବାହ୍ୟ ଏବଂ ଅନ୍ତରର ସନ୍ତୁଳନତା ବଜାୟ ରଖି ସାଥିଟିକୁ ଦାର୍ଶନିକ ବକ୍ତବ୍ୟ ଦେଇ ଶୋଇପଡିଲେ । ସକାଳୁ ସକାଳୁ ଶୁଭାକାଙାକ୍ଷୀଙ୍କ ଫୋନ୍ ଓ କର୍ତ୍ତାଙ୍କ ଅସୀମ ଅବିଚଳତାର ଉତ୍ତରରେ ଲୁକ୍କାୟିତ ହୋଇ ରହି ଯାଉଥିଲା ଅସହ୍ୟ ଦୁଃଖ ଓ ଯନ୍ତ୍ରଣା ।
ଅଫିସ୍ ଯାଉଁଯାଉଁ ବାଟରେ କର୍ତ୍ତା ଭାବୁଛି ବୋଧହୁଏ ସୋମବାର କି ମଙ୍ଗଳବାରକୁ ରିଲିଭ୍ ହେବାକୁ ମୂଖ୍ୟ କହିବେ । କିନ୍ତୁ ସେ ନିଜ ଅଫିସ୍ କୋଠରୀରେ ବସି କିଛି କର୍ମଚାରୀଙ୍କଠାରୁ ସୂଚନା ପାଇଲେ ଯେ ସେହି ଦିନହିଁ ରିଲିଭ୍ କରିବାକୁ ମୂଖ୍ୟ ଓ ତା’ଙ୍କ ତିନିଜଣ ପରାମର୍ଶଦାତା ସ୍ଥିରନିଶ୍ଚିତ କରିଛନ୍ତି । ତେଣୁ କର୍ତ୍ତା ନତମସ୍ତକ ହେବା ପରିବର୍ତ୍ତେ ଆହୁରି ଦୃଢ ହୋଇ ତାଙ୍କୁ ରିଲିଭ୍ କରିବା ନିମନ୍ତେ ମୂଖ୍ୟଙ୍କ କୋଠରୀରେ ପହଞ୍ଚିଲେ । ହଠାତ୍ ମୂଖ୍ୟ ଦେଖି ବିଚଳିତ ହୋଇଉଠିଲେ ଓ ଆଜି ରିଲିଭ୍ କରନ୍ତୁ ଶୁଣି ଅସ୍ତବ୍ୟସ୍ତ ହେଲେ । ଏତିକିରେ କର୍ତ୍ତା ସେଠାରୁ ଆସିଲେ ଓ ରିଲିଭ୍ ହେବାର ସବୁ ବ୍ୟବସ୍ଥାରେ ଜଡି ରହିଲେ । ମଧ୍ୟାହ୍ନରେ ସେ କ୍ୟାଣ୍ଟିନ୍ରୁ ମିଲ୍ ଖାଇ କିଛି ଦୂରରୁ ମୂଖ୍ୟ ଓ ତିନି ବନ୍ଧୁ କ୍ୟାଣ୍ଟିନ୍କୁ ଆସୁଥିବାର ଦେଖିଲେ । ହଠାତ୍ ସେମାନେ କର୍ତ୍ତାଙ୍କୁ ସାମ୍ନା ନ କରିବା ପାଇଁ ମୁହଁ ତଳକୁ କରି ଅନ୍ୟ ରାସ୍ତାରେ କ୍ୟାଣ୍ଟିନ୍କୁ ଗଲେ । ଅପରାହ୍ନକୁ ରିଲିଭ୍ ଆଦେଶ ଧରି କର୍ତ୍ତା ଭଡାଘରକୁ ଫେରିଲେ । ନିଜ ବିଭାଗର ଅନୁରୋଧକୁ ରକ୍ଷା କରି ପରଦିନକୁ ସେମାନଙ୍କଠାରୁ ବିଦାୟ ସମ୍ବର୍ଦ୍ଧନା ନିମିତ୍ତ ରାଜି ହେଲେ । କିନ୍ତୁ ବିଭାଗର ଜଣେ କର୍ମଚାରୀ ଚାହିଁଲେ ମୁଖ୍ୟଙ୍କୁ ସେହି ବିଦାୟକାଳୀନ ସଭାକୁ ଆମନ୍ତ୍ରିତ କରିବାକୁ । ଏଥିରେ ସେ ରାଜି ହେଲେନାହିଁ ବରଂ କହିଲେ ମୁଖ୍ୟ ଆସିଲେ ସେ ସେଠାକୁ ଆଦୌ ଯିବେନାହିଁ । ଶେଷରେ କର୍ତ୍ତାଙ୍କ ଯିଦିହିଁ ରହିଲା । ପରଦିନ ନିଜ ବିଭାଗରେ ଦୁଖଃପୂର୍ଣ୍ଣ ବିଦାୟରେ ବିଭାଗର କର୍ମଚାରୀଙ୍କ ଆଖି ଛଳ ଛଳ ହୋଇଉଠୁଥିଲା । କିନ୍ତୁ କର୍ତ୍ତାଙ୍କ ଅବିଚଳିତ ଭାଷଣ ଓ ଦିବ୍ୟ ପରାମର୍ଶରେ ସର୍ବେ ସ୍ତମ୍ଭୀଭୂତ ହେଲେ । ଜଣେ କର୍ମଚାରୀ ଅନ୍ୟମାନଙ୍କ ଅପେକ୍ଷା ଅଧିକ ମ୍ରିୟମାଣ ହୋଇ କାନ୍ଦକାନ୍ଦ ହୋଇଯାଇଥିଲେ । ସେ କହିଲେ ” ଆପଣ ଏ ବୟସରେ ଘରଠାରୁ ଚଉଦ ବର୍ଷ ଧରି ଏଠାରେ ରହିବା ପରେବି ଆଉ ଅଳ୍ପଦିନ ଚାକିରୀ ଥାଇ ପୁଣି ସବୁଠୁ ଦୂର ସ୍ଥାନକୁ ବଦଳି ହୋଇ ଅବିଚଳିତ ଭାବରେ ଆମକୁ ବୁଝାଉଛନ୍ତି, କିନ୍ତୁ ମୁଁ ଏ ଷ୍ଟେସନ୍ରେ ଦୀର୍ଘ କୋଡିଏ ବର୍ଷ ପରିବାର ସହ ରହି ମଧ୍ୟ ଯଦି ସେ ଯାଗାକୁ ବଦଳି ହୋଇଥା’ନ୍ତା – ମୋ ବି.ପି.(Blood Pressure) ବଢି ଏଇଠି ସେପୁରକୁ ଚାଲିଯାଇଥା’ନ୍ତି” । ତାଙ୍କୁ ଦର୍ଶନ ତତ୍ତ୍ୱରୁ କିଛି କହି ସବୁକୁ ସମ୍ମୁଖୀନ୍ନ ହେବାକୁ ଉପଦେଶ ଦେଇ ସେ ବିଭାଗରୁ ବିଦାୟ ନେଲେ । ବିଦାୟକାଳୀନ ଗିଫ୍ଟି ନେଇ ଜଣେ ବିଭାଗୀୟ ପିଅନ୍ ସର୍ବ ସମ୍ମୁଖରେ କାନ୍ଦି କାନ୍ଦି କର୍ତ୍ତାଙ୍କ ନିବାସଯାଏ ଆସିଲେ ।
ସବୁ କଷ୍ଟକୁ ନିର୍ବିଘ୍ନରେ ହଜମ କରି ସେ ଚାଲିବେ କର୍ମକ୍ଷେତ୍ରକୁ । ବିଚରା ଚିନ୍ତା କରୁଛି ଯେ, ମୋ’ଠାରୁ ସେ ଷ୍ଟେସନ୍ରେ ଅନେକ ବର୍ଷଆଗରୁ ଦଳେ ମାର୍କାମରା ସ୍ଥିର ନିଶ୍ଚିତରେ ରହିଛନ୍ତି । କାହିଁ ତାଙ୍କର ତ ବଦଳି ହେଉନାହିଁ ? କେତେକ କହନ୍ତି ବଡ ଅଫିସ୍ର ଟାଇପ୍ ବିଭାଗରେ ଏହି ଜାତୀୟ ବ୍ୟକ୍ତିମାନେ କାହାକୁ ହାତରେ ରଖି ଥାଆନ୍ତି ଯେ, ସେ ସଦା ଜାଗ୍ରତ ପ୍ରହରୀ ରୂପେ ରିତୀମତ ପାଉଣାର ବିହିତ ବ୍ୟବସ୍ଥାରେ ଆଲ୍ଲାଦିତ ହେଉଥାଏ । ଯଦି କେବେ କୌଣସି ବେଳାରେ ଏମାନଙ୍କ ବଦଳି ଆଦେଶ ବାହାରେ, ତେବେ ଚଟାପଟ୍ ମୋଟା ଅଙ୍କରେ ଅନ୍ଲାଇନ୍ କାରବାର । ଫଟାଫଟ ବଦଳି ତାଲିକାରୁ ନାମ ଡିଲିଟ୍ । ଚଡକ ପଡେ ବିଚରା ନିରୀହ ବ୍ୟକ୍ତିଙ୍କ ଉପରେ ଯାହାର ନାମକୁ ସେ ଡିଲିଟ୍ ସ୍ଥାନରେ ରଖିଦିଆଯାଏ । ଉଚ୍ଚ ଅଫିସ୍ର କରିତ୍କର୍ମା ବ୍ୟକ୍ତିଟି ଭାବେ,ଏହି ନିରୀହ ବ୍ୟକ୍ତିଗଣ ବାରମ୍ବାର ବଦଳି ହେବାକୁ ଯୋଗ୍ୟ । କଥାରେ ଅଛି “ତେଲିଆ ମୁଣ୍ଡରେ ତେଲ୍ – ନୁଖୁରା ମୁଣ୍ଡକୁ ଠେଲ୍”, କାରଣ ଏମାନେ ତ ଦିନେ ହେଲେ ବଡ ବିଭାଗକୁ ଆସି ଚା’ , ପାଣି, ପାନ, ଛେନାପୋଡ ଆଦି ଖାଇବାକୁ ଦେଉନାହାନ୍ତି । ଦିନେ ହେଲେ ବି ଆମ ଆଗରେ ଲୁଙ୍ଗୁପୁଙ୍ଗୁ ହୋଇ ଗୋଡଭାଙ୍ଗି ଠିଆ ହେଉନାହାନ୍ତି । କେତେ ବଡ ବଡ ପଦବୀ ବାଲା ଆସି ହଜାରେ ଜୁହାର ପକାଇ କେତେ କ’ଣ ଦେଉଛନ୍ତି । ତେଣୁ ଯେଉଁମାନେ ଏଠାକୁ ନଆସି ଷ୍ଟାଇଲ୍ ମାରୁଛନ୍ତି ତା’ର ଫଳ ଏବେ ଭୋଗନ୍ତୁ । ସାରା ଜୀବନ ବାହାରେ ବୁଲୁଥା’ରେ ପୁଅ ! ଘର ପାଖ ଅଫିସ୍କୁ ଆସିବାର ସ୍ୱପ୍ନ ଦେଖିବାକୁ ସମୟ ମିଳିବ ନାହିଁ । ଜାଣୁ ! ଉଚ୍ଚ ଅଫିସ୍ର ଯଦି ଜଣେ ପିଅନ୍ ଧୂର୍ତ୍ତ ଥାଏ, ତେବେ ସାରା ମୂଲକର କର୍ମଚାରୀ ତା’ ପାଖକୁ ଧାଇଁ ଧାଇଁ , ତା’ର ପାଦଧୂଳି ନେବାକୁ ଲାଇନ୍ ମାରିବେ । ଏବେ ମନ ପୋଡୁଛି କିଆଁ ? ଆମେ ଏଠାରେ ସର୍ବଗ୍ରାସୀ ବ୍ରହ୍ମରାକ୍ଷସ ଦଳ ବଡ ଆଁ କରି ବସିଛୁ । ଅଗସ୍ତି ଋଷିଙ୍କ ପରି ସପ୍ତ ସମୁନ୍ଦ୍ର ଚଳୁ କରିପାରିବୁ । ଶୀଘ୍ର ଧାଇଁ ଆସ, ନଚେତ୍ ଆଉଜଣେ ଲାଇନ୍ରେ ରହିଯିବ । ହଠାତ୍ ବିଚରାର ମନେ ପଡିଗଲା ଗୋଟିଏ କଥା ଯେ, ଏମିତି ଜଣେ ଉଚ୍ଚ ଅଫିସ୍ରେ ଥିଲେ ବୋଲି । ସାରା ମୂଲକର କର୍ମଚାରୀ ମାନଙ୍କୁ ସେ ଏମିତି କଲବଲ କରନ୍ତି ଯେ, ମୋଟା ଅଙ୍କର ଅର୍ଥ ବାଦ୍ ପ୍ରଚୁର ଛେନାପୋଡ ବି ଖାଆନ୍ତି । ଏମିତି ଛେନାପୋଡ ଖାଇଖାଇ ଅଧା ଚାକିରୀରେ ସେ ପାରାଲିସିସ୍ ରୋଗରେ ଘରେ ପଡି ରହିଲେ ଓ ଶେଷରେ ଏ ଦୁନିଆରୁ ହଜିଗଲେ । ତେବେ ବିଜ୍ଞାନ ଏ ମଉକାରେ କ’ଣ ସ୍ଥିର ହୋଇ ବସିପାରିବ ? ନିଶ୍ଚୟ ତା’ର ସତ୍ୟର ଡେଣା ଫଡ୍ଫଡ୍ କରି ଏହା ସହ ଖାପ୍ ଖାଉଥିବା ତତ୍ତ୍ୱକୁ ଘଣ୍ଟାଘଣ୍ଟି କରିବ । ତାହା ହେଉଛି , ଯେତେବେଳେ ଅନନ୍ତ ନାକ୍ଷତ୍ରିକ ଜଗତରେ ଏକ ବୃହତ୍କାୟ ତାରକାର ମୃତ୍ୟୁ ହୁଏ ଓ କୃଷ୍ଣଗର୍ତ୍ତକୁ ବଦଳିଯାଏ, ସେତେବେଳେ ସେ ଏକ ସର୍ବଗ୍ରାସୀ ରାକ୍ଷସ ରୂପେ ଉଭା ହୁଏ । ନିଜର ଅମାପ ଆକର୍ଷଣ ଶକ୍ତି ବଳରେ ଅନନ୍ତ ବ୍ରହ୍ମାଣ୍ଡର ଜାଗତିକ ପିଣ୍ଡଗୁଡିକୁ ନିଜ ଆଡକୁ ଟାଣିଆଣେ । ଥରେ କବ୍ଜାରେ ପଡିଲେ ନିସ୍ତାର ନାହିଁ । ଏହିପରି କାହିଁ କେତେ ଗ୍ରହ, ନକ୍ଷତ୍ର, ଉଲ୍କାପିଣ୍ଡ, ଧୂମକେତୁ …………. ଆଦିର ସତ୍ତା ହଜିଯାଏ , ତାହା ଜାଣିବା ଅତ୍ୟନ୍ତ କଷ୍ଟକର ବ୍ୟାପାର । ନିଜ ଗ୍ୟାଲାକ୍ସି ବାଦ୍ ଅନ୍ୟ ଗ୍ୟାଲାକ୍ସିର ଜାଗତିକ ପିଣ୍ଡ ମଧ୍ୟ ଏହାର ଶୀକାର ହେଉଛନ୍ତି । ଏହା ସୃଷ୍ଟି ବିନାଶକାରୀ । ଆକଳନରୁ ଜଣାଯାଏ ବିଶ୍ୱରେ ଏହିପରି ଅନେକ କୃଷ୍ଣଗର୍ତ୍ତମାନ ରହିଛି । ତେବେ ଯାହା ଜଣାପଡୁଛି, ଏକ ସମୟ ଆସିବ, ଯେତେବେଳେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ କୃଷ୍ଣଗର୍ତ୍ତମୟ ହୋଇଯିବ ଓ ଏଗୁଡିକର ମିଶ୍ରଣ ହୋଇ ଏକ କୃଷ୍ଣଗର୍ତ୍ତ ହେବ ବା ମହାପ୍ରଳୟ ହେବ । ଏହାହିଁ ଧ୍ୱଂସକାରୀ ଶକ୍ତିର ଚରମ ସମୟ ଅଟେ । ସୁନ୍ଦର ସୃଷ୍ଟିରେ ଧ୍ୱଂସକାରୀ ଶକ୍ତିର ପ୍ରଭାବ ବୃଦ୍ଧିପାଇବାରେ ଲାଗିଛି । କୃଷ୍ଣଗର୍ତ୍ତ ଯେପରି ବିଶ୍ୱ ସଂରଚନାରେ ବିଘ୍ନ ସୃଷ୍ଟିକରେ, ସମାଜରେ ସେହିପରି ମାନବର ଧ୍ୱଂସକାରୀ ମସ୍ତିଷ୍କ ପ୍ରକୃତିକୁ ଦୋହଲାଇବାକୁ ଯତ୍ପରନାସ୍ତି ଚେଷ୍ଟା କରେ । ଗ୍ରୀକ୍ ସଭ୍ୟତା ଦିନେ ଉନ୍ନତିର ଚରମ ସୀମାରେ ପହଞ୍ଚିବା ସହ ମଧ୍ୟ ଦୁର୍ନୀତିର ଶୀର୍ଷ ସ୍ଥାନରେ ପଦାର୍ପଣ କରିଥିଲା । ଫଳରେ ସେ ସଭ୍ୟତା ଚିରଦିନ ପାଇଁ ଭୁଷୁଡି ପଡିଲା । ତେଣୁ ଅନ୍ୟାୟ ଭାବେ ମୋଟା ଅଙ୍କର ଅର୍ଥ ସହ ଛେନାପୋଡ ଖାଇଖାଇ ମରିବାର ଉଦାହରଣ କିମ୍ବା ସାରା ମୂଲକକୁ ନିଜ ପାଦତଳେ ଧୂଳି ଚଟାଇବାର କାର୍ନାମାକୁ କୃଷ୍ଣଗର୍ତ୍ତ ସହ କାହିଁକି ତୁଳନା ନକରିବା ? କାରଣ ମହାପ୍ରଳୟ ବେଳେ କୃଷ୍ଣଗର୍ତ୍ତ ତା’ର ସତ୍ତା ହରାଇ ଥାଏ ଓ ସେହିପରି ଅତି ଅନ୍ୟାୟରେ ଛେନାପୋଡଖିଆ ବାବୁ ମାନଙ୍କର ସତ୍ତା ବା କେମିତି ରହିବ । ଏହାହିଁ ପ୍ରକୃତିର ସ୍ୱର୍ଗୀୟ ଜାଗତିକ ପିଣ୍ଡ ମାନବ ସମାଜକୁ ବାର୍ତ୍ତା ଦେଉଅଛି :- ହେ ମାନବ ! ତୁମେ ସୃଷ୍ଟିରେ ସର୍ବ ଶ୍ରେଷ୍ଠ ଜୀବ ରୂପେ ମାନ୍ୟତା ପାଇଛ । ନିଜର ହୀନ ସ୍ୱାର୍ଥ ସାଧନ ନିମିତ୍ତ ସୁନ୍ଦର ଧରା ବକ୍ଷରେ ନିରୀହ ଓ ନିଷ୍କପଟ ଆଦିଙ୍କୁ କଲବଲ କରି ବିଶ୍ୱ ସନ୍ତୁଳନତାରେ ବ୍ୟାଘାତ ଜନ୍ମାଉଛ । ତେଣୁ ତୁମର ଭୟଙ୍କର ଅନ୍ତଃ ସୁନିଶ୍ଚିତ ଅଟେ । ଏହା ପ୍ରକୃତିର ମହା ଭକ୍ଷକ(Black Hole) ମହାପ୍ରଳୟ ସମୟରେ ସତ୍ତା ହରାଇ ମହାକାଳର ମହାଜାଗତିକ ଅଣ୍ଡା(Cosmic Egg)ରେ ବିଲୀନ ହେବା ପୂର୍ବରୁ ମାନବ ସମାଜକୁ ଅହରହ ଚେତାଇ ଦେଉଅଛି ।
ଯେଉଁମାନେ ନିଜର ସୁରକ୍ଷା ନିମିତ୍ତ ଲାଞ୍ଚ(ଛେନାପୋଡ) ଓ ମୋଟା ଅଙ୍କର ଅର୍ଥ ଦେଇଥା’ନ୍ତି, କୃଷ୍ଣଗର୍ତ୍ତଙ୍କ ପାଦଧୂଳି ଆଣି ମଥାରେ ଲଗାନ୍ତି ସେମାନଙ୍କର ଯୁଗେଯୁଗେ ଅଧୋପତନ ଘଟିଥାଏ । ଅର୍ଥାତ୍ ନିଜର ନୈତିକତା ହରାଇ କୃଷ୍ଣଗର୍ତ୍ତଙ୍କ ଆୟତ୍ତାଧିନ ହୋଇ ରହନ୍ତି । ନିରୀହ, ନିଷ୍କପଟଙ୍କୁ କଲବଲ କରି ବିଶ୍ୱ ସନ୍ତୁଳନତାରେ ବ୍ୟାଘ୍ୟାତ ସୃଷ୍ଟି କରନ୍ତି । ଯେଉଁ କୃଷ୍ଣଗର୍ତ୍ତରୂପୀ ବ୍ରହ୍ମରାକ୍ଷସର ବଡ ଆଁ’ରେ ଯେତେ ପରିମାଣର ଧନ ଓ ଛେନାପୋଡ ପଶିଲେବି ପେଟ ଆଦୌ ପୁରେନି ଓ ଏ ସୁନ୍ଦର ସୃଷ୍ଟିର ରକ୍ଷା ନିମିତ୍ତ ସେମାନେ ଅଂଶ ଗ୍ରହଣ କରନ୍ତି ନାହିଁ, ତେଣୁ ସେମାନେ ସୃଷ୍ଟି ଧ୍ୱଂସର ପ୍ରମାଦ କାହୁଁ ବୁଝିବେ ? ବାଞ୍ଝ କି ବୁଝିବ ପ୍ରସବ ବେଦନା ! ଏହିପରି ଦିନେ ହସ୍ତିନାର ରାଜା ଧୃତରାଷ୍ଟ୍ର ଆର୍ଯ୍ୟାବର୍ତ୍ତରେ ଭୟଙ୍କର ନର ସଂହାର ପରେ ବି ନିଜର ଭୂଲ୍ ନବୁଝି ନିଜଠାରେ ଭରିରହିଥିବା କୃଷ୍ଣଗର୍ତ୍ତ ସ୍ୱରୂପ ଧ୍ୱଂସକାରୀ ଶକ୍ତିକୁ ପ୍ରୟୋଗ କରିଥିଲେ ବୃକୋଦରର ସଂହାର ପାଇଁ । ମାତା ଗାନ୍ଧାରୀ ସାରା ଜୀବନର ସକଳ ତୀର୍ଥଧାମ ପତି ଦେବତାଙ୍କ ନୀତି ଅନୁକରଣ ପୂର୍ବକ ଅନ୍ଧପୁଟୁଳି ବାନ୍ଧିଥିଲେ । ଯେଉଁ ସତୀ ଶକ୍ତି ସମ୍ମୁଖରେ ସମଗ୍ର ବିଶ୍ୱ ନତମସ୍ତକ ହୁଏ, ତାହାର ଅପପ୍ରୟୋଗ କରିଥିଲେ ନିଜର ଅଧର୍ମୀ ପୁତ୍ର ଦୁର୍ଯ୍ୟୋଧନର ଶରୀରକୁ ବଜ୍ରରେ ପରିଣତ କରିବାରେ । ଯେହେତୁ ମାତା ତା’ଙ୍କ ଦିବ୍ୟଶକ୍ତିର ଦୁରୁପଯୋଗ କଲେ. ତାହା ନିଜରହିଁ ସର୍ବଧ୍ୱଂସକାରକ ହେଲା । ସେହିପରି ଦେଖାଯାଉଛି ଅମାପ ପାପଧନ ସଞ୍ଚୟ, ଅନ୍ୟର ତଣ୍ଟିଚିପା ଧନରେ ନିଜ ଜୀବନକୁ ସୌଖୀନ୍ କରିବା, ସମାଜ ମଙ୍ଗଳକାରକ ଧନକୁ ଆତ୍ମସାତ୍ କରିବା ଆଦିର କୁପ୍ରଭାବରୁ ବର୍ତ୍ତିବା ନିମିତ୍ତ ଆତ୍ମହତ୍ୟା ଓ ଟ୍ରେନ୍ଲାଇନ୍ରେ ଶୋଇବାହିଁ ସାର ହେଉଛି ଅଥବା ଆୟ ବହିର୍ଭୂତ ସମ୍ପତି ଅଭିଯୋଗ ହେତୁ ସବୁ ଧନ ନିଜ ଚକ୍ଷୁ ସାମ୍ନାରେ ଜବତ କରାଯାଇ ପୁନଃ ସରକାରଙ୍କ ଅଧିନକୁ ଚାଲିଯାଉଛି । କିନ୍ତୁ କାହିଁକି ? ଆମ ଶାସ୍ତ୍ର, ପୁରାଣ ଓ ଆଜିର ବିଜ୍ଞାନ ବାର୍ତ୍ତାରେ ଘନଘନ ଚେତନା ସୃଷ୍ଟି କରାଗଲେବି ମାନବ ସମାଜ ଅବକ୍ଷୟପ୍ରାପ୍ତ ହେବାରେ ଲାଗିଛି !!
ବିଚରା ଭାବୁଛି ଆଉ ମାତ୍ର କେତେଟା ବର୍ଷ ଚାକିରୀ ଥାଇ ଦୂରରୁ ପୁନଃ ବହୁ ଦୂରକୁ ସ୍ଥାନାନ୍ତର ପଛରେ ବଡ ହାକୀମଙ୍କର କିପ୍ରକାର ବୌଦ୍ଧିକତାର ପରିପ୍ରକାଶ ହେଉଛି ତାହା କିଛି ବୁଝାପଡୁ ନାହିଁ । ହାକୀମଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିଜର ଗୁହାରୀ ଶୁଣାଇବା ପରେ ମଧ୍ୟ ଚାକିରୀର ପରିଣତ ବୟସରେ ଏ ଦଶା । ଏହା ମଧ୍ୟରେ କୌଣସି ନୀତି ନିୟମ ଲାଗୁ କରା ନଯାଇ ନିଜ ଅହଂତ୍ୱକୁ ଜାହିର ପୂର୍ବକ ଯେଉଁ ମାନଙ୍କୁ ଦୂରକୁ ଠେଲିଲେ ସେମାନଙ୍କ ପାଇଁ କୌଣସି ବାହ୍ୟଶକ୍ତିର ପ୍ରଭାବ ନଥିବ, ହାକୀମ ଏ ବାବଦକୁ ନିଶ୍ଚିତ ହୋଇ ରହିବେ ଓ ସେହିମାନଙ୍କ ମଧ୍ୟରେ ଏ ବ୍ୟକ୍ତିଟି ଅନ୍ତର୍ଭୁକ୍ତ । ଏହାଦ୍ୱାରା ହାକୀମଙ୍କ ସଚ୍ଚୋଟତା ବାହ୍ୟ ରୂପେ ପ୍ରତିଫଳିତ ହେବ । ହାକୀମ ନିଶ୍ଚୟ ଭାବୁଥିବେ ଟାଣୁଆ ମାନଙ୍କ ଲାଞ୍ଜରେ ହାତମାରି ବଦନାମ ମୁଣ୍ଡାଇବା କିଆଁ ? ଅର୍ଥାତ୍ ବାଘକୁ ମଧ୍ୟ ଫାଗର ଭୟ ରହିଛି । ଏହା ନହେଲେ ଟାଣୁଆ ବର୍ଗ ବିଭିନ୍ନ ସ୍ତରରୁ ଚାପ ପ୍ରୟୋଗକରି ସେମାନଙ୍କ ବଦଳି ଅଦେଶକୁ ନାକଚ କରି ହାକୀମଙ୍କ କାଟ୍ତିକୁ ଦୁର୍ବଳ କରିଦେବେ । ତେଣୁ ବ୍ୟାକିଂ ନଥିବା ଓ ନିରୀହ ବ୍ୟକ୍ତିଙ୍କୁ ବାରମ୍ବାର ବଦଳି କରିବା ସହ ଉପର ସ୍ତରରେ ହାତ ଥିବା କର୍ମଚାରୀଙ୍କୁ ତାଙ୍କ ଘର ପାଖରୁ ଆଦୌ ବଦଳି ନକରିବାହିଁ ଠିକ୍ ହେବ । ଯଦି ଘାଇରେ ପଡି ବଦଳି କରାଯାଏ, ତାହା ଅଳ୍ପଦିନ ପାଇଁ, ଅର୍ଥାତ୍ ସେମାନେ ଜ୍ୱାଇଁ କୁଣିଆ ପରି ସତେକି ନୂଆ ଶ୍ୱଶୁର ଘର ପରିଦର୍ଶନ କରି ଫେରିଆସିବେ । ଏହାଦ୍ୱାରା ସାପ ମରିବନି କି ବାଡି ଭାଙ୍ଗିବନି । ଫଳରେ ନିଃଷ୍କଳଙ୍କ କର୍ମବୀରଙ୍କ ପିଠିରେ ଘନଘନ ଚାବୁକ୍ ପ୍ରହାର ଓ ସେମାନଙ୍କ କଲବଲ ଦେଖି ହାକୀମ ଓ ସ୍ଥିର ରହିଥିବା କର୍ମକୋଢି କର୍ମଚାରୀମାନେ ଉତ୍ଫୁଲ୍ଲିତ ହେଉଥିବେ ନିଶ୍ଚୟ । ବାହାରକୁ ବୃକ୍ଷଟି ଓଲଟ ଦୃଶ୍ୟମାନ ହେବ ଯେ, ଠକୁଥିବା କର୍ମଚାରୀଙ୍କୁ ଅଭିଜ୍ଞ ହାକୀମ ସେମାନଙ୍କୁ ପାନେ ଚଖାଇବା ନିମିତ୍ତ ଦୂରକୁ ରାତାରାତି ସ୍ଥାନାନ୍ତରର ଆଦେଶ ଦେଇଛନ୍ତି । ଏହାକୁ ହାକୀମପଣିଆର ବାହାଦୂରି ବୋଲି ସର୍ବେ କହିବେ । ତେଣୁ ଟାଣୁଆ ବର୍ଗ ଓ ମଦମତ୍ତ ହାକୀମମାନେ ନିଜକୁ ସର୍ବ ବିଶାରଦ ଓ ବିଜ୍ଞତାର ନିଦର୍ଶନ ସ୍ୱରୂପ ସମାଜରେ ଏହିପରି ପ୍ରତିପାଦିତ କରିବାରେ ଲାଗିଥା’ନ୍ତି । ସତେକି ସେମାନେ ସ୍ଥିର, ନିର୍ବିକାର ଓ ନିରହଂକାରର ପ୍ରତିଛବି । ଏହାକୁ ବିଜ୍ଞାନର ପ୍ରତିଛବିରେ ମଧ୍ୟ ଚିନ୍ତା କରାଯାଇ ପାରେ । ମୌଳିକ ପଦାର୍ଥର ପିରିୟଡିକ୍ ସାରଣୀ (Periodic Table of Elements)ରେ ଯେପରି ନିଷ୍କ୍ରିୟ ଗ୍ୟାସ୍ (Inert Gas), ଯଥା – ହିଲିୟମ୍ (Helium), ନିୟନ୍ (Neon), ଆର୍ଗନ୍ (Argon), ଜେନନ୍ (Xenon) ………… ଇତ୍ୟାଦି ରସାୟନିକ ପ୍ରକ୍ରିୟା (Chemical Reaction)ରେ ଭାଗିଦାର ହୁଅନ୍ତି ନାହିଁ ଓ ଅତି ସନ୍ତୁଳିତ ଅବସ୍ଥା (State of Equilibrium)ର ରୂପରେଖକୁ ବୁଝାଏ । ସତେକି ସେହିଭାବେ ହାକୀମ ଓଗେର ଟାଣୁଆ ଦଳ ରସାୟନିକ ପ୍ରକ୍ରିୟାପରି କୌଣସି ଅନ୍ୟାୟରେ ସଂଯୁକ୍ତ ନୁହନ୍ତି କହି ବାହାରକୁ ନିଷ୍କ୍ରିୟ ଗ୍ୟାସ୍ର ଅବାସ୍ତବ ପ୍ରତିଛବିର ଦାମ୍ଭିକତା ଦେଖାନ୍ତି । ଭିତରେ ବରଂ ଉଇ ଚରିଯାଉ , କିଏ ଦେଖୁଛି ? କିନ୍ତୁ ବାସ୍ତବରେ ପୁନଃ ପୁନଃ ସ୍ଥାନାନ୍ତରିତ ବ୍ୟକ୍ତିଟି ସୂକ୍ଷ୍ମ ଓ ସ୍ଥୂଳରୂପେ ସନ୍ତୁଳିତ ଅବସ୍ଥାରେ ରହି ନିଜ କର୍ତ୍ତବ୍ୟ ସମ୍ପାଦନ କରିଥାଏ । ସ୍ଥିର ନିଶ୍ଚିତ ଦୃଶ୍ୟମାନ ହେଉଥିବା ବର୍ଗ ନିଜ ସ୍ୱାର୍ଥ ବିଷୟରେ ଭାବି ଭାବି ଶୟନେ ସ୍ୱପନେ ଓ ଜାଗରଣେ ବିଚଳିତ ହୋଇ ଅନ୍ୟକୁ ବାରମ୍ବାର ଖାଲରେ ପକାଇ ନିଜର ଓରମାନ ମେଣ୍ଟାଇବାର ପଥକୁ ଆଦରି ନେଇଥା’ନ୍ତି ।
ଆଗରୁ ମୁଣ୍ଡି ସେ ନୂଆ କାର୍ଯ୍ୟାଳୟରେ ଯୋଗ ଦେଇ ଏକ ଲଜ୍ରେ ରହୁଥିଲେ । ଯେହେତୁ କାର୍ଯ୍ୟାଳୟର ଗୃହ ତିଆରି କାମ ଚାଲିଥିଲା, ତେଣୁ ମୁଣ୍ଡି ଜିଲ୍ଲାପାଳଙ୍କ ଅଫିସ୍ରେ ପୂର୍ବ ଅଫିସ୍ର ରିଲିଭ ଆଦେଶ ଜିମାଦେଇ ଯୋଗଦାନ କରିଥିଲେ । ଏହାପରେ ଆଉ ଦୁଇଜଣ, ନିଜେ କର୍ତ୍ତା ଓ ପୁନଃ କଳାପାଣିକୁ ବଦଳି ଆଦେଶ ପାଇଥିବା ବ୍ୟକ୍ତି(ପରେ ଜାଣିଲେ)ଙ୍କ ସହ ଫୋନ୍ କରି କେବେ ନୂଆ କାର୍ଯ୍ୟାଳୟରେ ଯୋଗ ଦେବେ, ତାହା ମୁଣ୍ଡି ବୁଝିଥିଲେ । ମୁଣ୍ଡିଙ୍କ ଘର ବଡ ବସ୍ଷ୍ଟାଣ୍ଡ ଇଲାକାରେ । ଯୋଗଦାନ ପରେ ସେ ଜିଲ୍ଲାପାଳଙ୍କ ଅଫିସ୍ରେ ଛୁଟି ଦରଖାସ୍ତ ପକାଇ ଘରକୁ ଯାଇଥିଲେ । ତେଣୁ ମୁଣ୍ଡି ନିଜେ ଯେଉଁଦିନ ପ୍ରତ୍ୟାବର୍ତ୍ତନ କରିବେ, ସେହିଦିନ ଏ ଦୁଇ ତାଙ୍କ ସହ ଗୋଟିଏ ବସ୍ରେ ଗଲେ ସୁବିଧା ହେବ ବୋଲି ସୂଚାଇଲେ । ସେଇଆ ହିଁ ହେଲା । ମୁଣ୍ଡି ଏ ଦୁଇଜଣଙ୍କ ପାଇଁ ଟିକେଟ୍ କାଟିଦେଲେ ଓ ଟିକେଟ୍ ପଇସା ବସ୍ରେ ଦିଆଯିବ ବୋଲି ସ୍ଥିର ହେଲା । ମୁଣ୍ଡି କଳାପାଣି ବସ୍ଷ୍ଟାଣ୍ଡ ଅବସ୍ଥିତି ସମ୍ପର୍କରେ କର୍ତ୍ତାଙ୍କୁ ସୂଚନା ପ୍ରଦାନ କଲେ । ମୁଣ୍ଡିଙ୍କ ଠାରୁ କର୍ତ୍ତା ଦ୍ୱିତୀୟ ବ୍ୟକ୍ତିଙ୍କ ଫୋନ୍ ନମ୍ବର ଆଣି ତାଙ୍କୁ ଫୋନ୍ କଲେ । କର୍ତ୍ତା ଓ ଦ୍ୱିତୀୟ ବ୍ୟକ୍ତି ଫୋନ୍ରେ ବର୍ତ୍ତାଳାପ କରି ମୁଣ୍ଡି ଯିବାଦିନ ଯିବାକୁ ସ୍ଥିର କଲେ । ଯେହେତୁ ଦ୍ୱିତୀୟ ବ୍ୟକ୍ତିଙ୍କ କାର୍ଯ୍ୟାଳୟ ଓ କର୍ତ୍ତାଙ୍କ ବାସସ୍ଥାନ ଗୋଟିଏ ସହରରେ, ତେଣୁ ଉଭୟ ଏକ ବସ୍ ଷ୍ଟାଣ୍ଡ୍ରୁ ବାହାରିବାର ସମୟ ନିର୍ଦ୍ଧାରଣ କଲେ । କର୍ତ୍ତା ଯେତେବେଳେ ଦ୍ୱିତୀୟ ବ୍ୟକ୍ତିଙ୍କ ସହ ପ୍ରଥମେ କଥା ହେଲେ, ସେ ଅତି ନିଜର ଭଳି ଜଣା ପଡିଲେ । ଏହା ଥିଲା ତାଙ୍କ ପାଇଁ ପ୍ରଥମ ଈଶ୍ୱରୀୟ ଶାନ୍ତ୍ୱନା ।
ସତକୁ ସାମନାକରି କର୍ମଚାରୀଟି ନିଜ ନୂଆ କର୍ମକ୍ଷେତ୍ରରେ ଯୋଗ ଦେବାକୁ ବାହାରିଲେ । ସାନପୁଅ ସହ ଘରୁ ବାଇକ୍ରେ ବାହାରି ଅପରାହ୍ନ ୨ଟା ୩୦ ରେ ପ୍ରଥମ ବସ୍ଷ୍ଟାଣ୍ଡ୍ରେ ପହଞ୍ଚିଲେ । କିଛି ସମୟ ଆଗରୁ ଦ୍ୱିତୀୟ ବ୍ୟକ୍ତି ଆସି ଯାଇଥିଲେ । ଯେହେତୁ ଆଗରୁ ତାଙ୍କ ସହ ଦେଖା ହୋଇ ନଥିଲା ସେ ପହଞ୍ଚି ପୁନଃ ଫୋନ୍ କଲେ ଓ ସାନପୁଅ ଜାଣିପରି କହିଲା ଯେ ଆଗରେ ସେଇ ସାର୍ ଫୋନ୍ ରିସିଭ କରୁଛନ୍ତି ସେ ହେଉଛନ୍ତି ତାଙ୍କ ଇଂରାଜୀ ସାର୍ । ତାଙ୍କ ପୁଅ ଯାଇ ସାର୍ଙ୍କୁ ପ୍ରଣାମ କଲା ଓ କର୍ତ୍ତାଙ୍କୁ ଆହୁରି ଭଲ ଲାଗିଲା । ବସ୍ ୩ଟା ରୁ ବାହାରି ଦୀର୍ଘ ଚାରିଘଣ୍ଟା ଯାତ୍ରା ପରେ ବଡ ବସ୍ଷ୍ଟାଣ୍ଡ୍ରେ ପହଞ୍ଚିଲା । ବିଚରା କର୍ତ୍ତା ଦୁଇଟି ବଡ ବ୍ୟାଗ୍ରେ ଆସବାସ ପତ୍ର ପ୍ୟାକ୍ କରି ନେଇଥିଲେ ଓ ପୁଅର ସାର୍ ଏକ ମଝି ମଝିକିଆ ବ୍ୟାଗ୍ରେ ଅଳ୍ପ ଜିନିଷ ପତ୍ର ନେଇଥିଲେ । ଦୁହେଁ ପାଖାପାଖି ବସି ଥିଲେ ଓ ବସ୍ ଭିତରେ କଥାବାର୍ତ୍ତା ହେଉଥିଲେ । ତାହା ଥିଲା ଦୁହିଁଙ୍କ ଭିତରେ ପ୍ରଥମ ଦେଖାର ସମଦୁଃଖାପନ୍ନ ଓ ସମଭାବାପନ୍ନ ବ୍ୟକ୍ତି ଦ୍ୱୟଙ୍କ ମଧ୍ୟରେ ନିବିଡତା । ରାତି ପ୍ରାୟ ୭ ଟା ବେଳକୁ ବସ୍ ବଡ ବସ୍ଷ୍ଟାଣ୍ଡ୍ରୁ କିଛି ଦୂରରେ ରହିଲା ଓ ଦୁହେଁ ନିଜ ଆସବାସ ପତ୍ର ଧରି ଓଲ୍ଲାଇଲେ । ସେଠାରୁ କଳାପାଣି ବସ୍ଷ୍ଟାଣ୍ଡ୍କୁ ପ୍ରାୟ ଦେଢ କିଲୋମିଟର ରାସ୍ତା ଚାଲି ଚାଲି ଯିବାକୁ ପଡିଲା । ବିଚରା କର୍ତ୍ତା ଜ୍ୱର, ଥଣ୍ଡା, କାଶ ଔଷଧ ସେବନ କରି ଦୁର୍ବଳ ହୋଇ ଯାଇ ଥିବାରୁ ଓଜନିଆ ବ୍ୟାଗ୍ ଦୁଇଟିକୁ ବାଟରେ ରଖି ରଖି ଯିବାକୁ ପଡୁଥିଲା । କାରଣ ସେ ଧଇଁସଇଁ ହୋଇ ପଡୁଥିଲେ ଓ ବଳକା ଔଷଧ ସାଙ୍ଗରେ ନେଇଥିବାରୁ କାଳେ ଜ୍ୱର ଓଲଟିଲେ ନୂଆ ଯାଗାରେ ସେବନ କରିବେ ଭାବି ସାହସର ସହିତ ଚାଲୁଥିଲେ । ସାଥିଟିର ଗୋଟିଏ ବ୍ୟାଗ୍ ଓ ସେ କମ୍ ବୟସର । ତେଣୁ ତାଙ୍କ ଠାରୁ ଏକ ବ୍ୟାଗ୍ ବୋହି ନେବାକୁ ଚାହୁଁଥିଲେବି, କର୍ତ୍ତା ନିଜ କଷ୍ଟକୁ ନିଜେ ବହନ କରିବା ଇଛାରେ ସାଥିକୁ ନିଜ ସାମୟିକ ଶାରିରିକ ଦୁର୍ବଳତାକୁ ପ୍ରକାଶ ନକରି, ସବୁ ଠିକ୍ ଅଛି କହି ଗୋଟିଏ ବ୍ୟାଗ୍ କାନ୍ଧରେ ଓ ଅନ୍ୟଟି ହାତରେ ଓହଳାଇ ଚାଲୁଥିଲେ । ସୁଖ ହେଉ କି ଦୁଃଖ ହେଉ, ପ୍ରତ୍ୟେକର ଏକ ସୀମା ଅଛି । ଏହା ଭାବି ଭାବି ସେ ଓ ତାଙ୍କ ସାଥି କଳାପାଣି ବସ୍ଷ୍ଟାଣ୍ଡ୍ରେ ପହଞ୍ଚି ଗଲେ । ମୁଣ୍ଡିଙ୍କ ଘର ତ ବଡ ବସ୍ଷ୍ଟାଣ୍ଡ୍ ପାଖରେ, ତେଣୁ ସେ ଆଗରୁ ଆସି ଯମରାଜ ସଦୃଶ ଠାଣିରେ ପଦଚାଳନା କରୁଥିଲେ । କର୍ତ୍ତା ତ ଆଗରୁ ମୁଣ୍ଡିଙ୍କୁ ଚିହ୍ନି ନଥିଲେ, କିନ୍ତୁ ସାଥି ଓ ମୁଣ୍ଡି ଯେହେତୁ ଏକ ଅଫିସ୍ରୁ ସେ ଯାଗାକୁ ବଦଳି ହୋଇଥିଲେ, ତେଣୁ ସାଥିଟି ମୁଣ୍ଡିଙ୍କ ନିକଟକୁ ବାଟ କଢାଇ ନେଲେ । ସେଠାରେ ମୁଣ୍ଡିଙ୍କ ସହ ମଧ୍ୟ କର୍ତ୍ତାର ପ୍ରଥମ ଦେଖା ସାକ୍ଷାତ ହେଲା । କିନ୍ତୁ ମୁଣ୍ଡିଙ୍କ ତୀର୍ଯ୍ୟକ ଦୃଷ୍ଟି ସାଥୀଙ୍କ ଏକଇ ବ୍ୟାଗ୍ ଉପରେ ନିବଦ୍ଧ ହେଲା ଓ ସେ ତତ୍କ୍ଷଣାତ୍ କଟୁ ମନ୍ତବ୍ୟ ଦେଇ କହିଲେ – କ’ଣ ? ନୂଆ ଯାଗାରେ ଯୋଗ ଦେଇ ନରହିବା ଆଶାରେ ଆସିଛନ୍ତି କି ? ସାଥିଟି କିଛି ନକହି ଚୁପ୍ ରହିଲେ । କିନ୍ତୁ କର୍ତ୍ତା ମନେ ମନେ ମୁଣ୍ଡିଙ୍କ ଉପରେ ଚିଡିଚିଡିଆ ହେଲେ । ଯେହେତୁ ପ୍ରଥମ ଦେଖାରୁ ମୁଣ୍ଡିଙ୍କ ପ୍ରତି “ବିଛୁଆତି ଦୁଇ ପତ୍ରରୁ କୁଣ୍ଢାଇ ହୁଏ”ର ଧାରଣା ଜାଗ୍ରତ ହୁଏ, ସେଥିପାଇଁ କର୍ତ୍ତା ମୁଣ୍ଡିଙ୍କ ପାଖରେ ନବସି ଅନ୍ୟତ୍ର ବସିଲେ ଓ ସେ ଦୁହେଁ ଏକତ୍ର ବସିଲେ । ମୁଣ୍ଡିଙ୍କୁ ଟିକେଟ ବାବଦ ପଇସା ଦିଆଗଲା । ସେଠାରୁ ଏକଘଣ୍ଟା ପରେ ବସ୍ ଛାଡିଲା ଓ ରାତି ଦଶଟାରେ ଏକ ସ୍ଥାନରେ ରହିଲା ଓ ଅନ୍ୟ ବସ୍ ସବୁ ରହୁଥାଏ । ସର୍ବେ ଖାଇବାକୁ ହୋଟେଲକୁ ଗଲେ । କିନ୍ତୁ ମୁଣ୍ଡି ଗଲେ ନାହିଁ, କାରଣ ସେ ଘରୁ ଖାଦ୍ୟ ଆଣିଥିଲେ । କର୍ତ୍ତା ଓ ସାଥି ଭିଡ ଭିତରେ ସିଟ୍ ଦୁଇଟି ପାଇ ବସି ପଡିଲେ । ରୁଟି ଦୁଇଟି ଓ ସାଧା ତଡକାକୁ ୯୦ ଟଙ୍କା । ଯାହାତ ଲାଗୁଥିଲା, ପୁଣି ଏତେ ଦାମ୍ । ମୁମ୍ବାଇରେ ବି ଏତେ ଦାମ୍ ନଥିବ । ଯାତ୍ରିମାନେ ଖାଇସାରି ବସ୍କୁ ଉଠିଲେ । ଗାଡି ଛାଡିଲା । କର୍ତ୍ତା ଓ ଅନ୍ୟ ଏକ ଲୋକ ସିଟ୍ ଦୁଇଟିରେ ବସିଥିଲେ । ପଛ ସିଟ୍ରେ ମୁଣ୍ଡି ଓ ସାଥି । କର୍ତ୍ତା ଖୁସି ଥିଲେ ଯେ, ସେ ମୁଣ୍ଡି ପାଖରେ ବସି ନଥିଲେ । ପ୍ରାୟ ରାତି ୩ଟା ପାଖାପାଖି ଗାଡି ରହିଲା ଓ ଡାକ ଶୁଭିଲା କିଏ ପାସ୍ ଯିବ ଯାଅ । ନିଦ୍ରିତ, ଅର୍ଦ୍ଧନିଦ୍ରିତ ଓ ନିଦ୍ରା ଭଗ୍ନରେ ବସିଥିବା ଯାତ୍ରି କିଛି ଓଲ୍ଲାଇ ପାସ୍ ଯାଆନ୍ତି ଓ ଖୁବ୍ କମ୍ ଯାତ୍ରି ଆଦୌ ଉଠନ୍ତି ନାହିଁ । ଗାଡିର ପଶ୍ଚାତ୍ ଦିଗରେ ମହିଳା ମାନେ ଓ ସମ୍ମୁଖ ଦିଗକୁ ପୁରୁଷ ମାନେ ଧାବନ୍ତି । ଯଦି ଭୁଲ୍ ବଶତଃ ପୁରୁଷଟିଏ ଯାନର ପଛକୁ ଗଲା, ସଙ୍ଗେସଙ୍ଗେ ବସ୍ କର୍ମଚାରୀ ବଡ ପାଟି କରି ତାକୁ ରୋକିଦିଏ ଓ ଆଗକୁ ଯିବାକୁ କହେ । ସକାଳ ଆଠଟାରେ ଯାନ ନୂଆ ଯାଗାରେ ପହଞ୍ଚିଲା ।
ଯେଉଁ ଲଜ୍ରେ ମୁଣ୍ଡି ରହୁଥିଲେ, ସେଇ ବାଟଦେଇ ବସ୍ ଯାଏ । ତେଣୁ ତିନିଜଣ ସେହିଠାରେ ଓଲ୍ଲାଇଲେ । ମୁଣ୍ଡି ମାସକ ପାଇଁ ରୁମ୍ ନେଇଥିଲେ ତିନି ମହଲାରେ ଓ ସେ ତାଙ୍କ କୋଠରୀକୁ ଗଲେ । ଏ ଦୁଇ ଜଣ ଲଜ୍ର ଭୂମି ସଂଲଗ୍ନ ମହଲାରେ ରୁମ୍ ଦେଖିଲେ, କିନ୍ତୁ ଅପରିଷ୍କାର ଲାଗିବାରୁ ଉପର ମହଲାକୁ ଦେଖିବାକୁ ଗଲେ । ସେ ମହଲା ଓ କୋଠରୀ ଗୁଡିକ ପ୍ରାୟ ପରିଷ୍କାର ଥିଲା ଓ କର୍ତ୍ତା ଭାବିଲେ ଏଇ ମହଲାରେହିଁ ଚଳେଇ ନବାକୁ ପଡିବ । ଡବଲ୍ ବେଡ୍ ରୁମ୍କୁ କର୍ତ୍ତା ମନେ ମନେ ଅମଙ୍ଗ ଥିଲେ । କାରଣ ସେ ଯୋଗାଭ୍ୟାସୀ ଓ ନିର୍ଜନତା ପ୍ରିୟ ଏବଂ ବିଜ୍ଞାନ,ଧର୍ମଜ୍ଞାନ ଓ ସାମାଜିକ ଚିତ୍ରପଟ୍ଟର ସମନ୍ୱୟରେ ମାନବ ସମାଜ ମଙ୍ଗଳକାରୀ ପ୍ରବନ୍ଧ ଆଦି ଲେଖନ୍ତି । ଯେହେତୁ ଡବଲ୍ ବେଡ୍ ରୁମ୍ରେ ସୁବିଧା ହେବନାହିଁ, ତେଣୁ ଦୁଇଜଣ ସିଙ୍ଗଲ୍ ସିଙ୍ଗଲ୍ ବେଡ୍ ରୁମ୍ରେ ପାଖାପାଖି ରହିଲେ । ବାବୁଙ୍କର ଦୁର୍ବଳତା ହେଲା ଯେ, ସେ ଯେବେ ଲଜ୍ରେ ରହନ୍ତି ପ୍ରାୟ ଅଣନିଶ୍ୱାସୀ ହୋଇଯାଆନ୍ତି, କାରଣ ଲଜ୍ର କାନ୍ଥ, ବାଡ, ଖଟ, ବେଡ୍ସିଟ୍ ……… ଆଦି ଓ ରୁମ୍ର ଆସବାସ ପତ୍ର ପ୍ରତି ତାଙ୍କର ଅସହ୍ୟ ଘୃଣାଭାବ ଜାଗେ । ଏପରିକି କାନ୍ଥରେ ହାତ ବାଜିଗଲେ ସେ ହାତ ଧୁଅନ୍ତି, ବେଡ୍ସିଟ୍ କାହିଁ କେତେଯୁଗରୁ ପଡିଥିବ, କେତେ ଲୋକ ଶୋଇଥିବେ, ଅବଶ୍ୟ ବେଡ୍ସିଟ୍ ବଦଳାଇ ଲଜ୍ ବୟ ଆଉ ଗୋଟିଏ ବିଛାଇଲା , କିନ୍ତୁ ତାହା ମଧ୍ୟ ସେଇ ଗନ୍ଧିଆ ଜଣାପଡୁଥିଲା । ତେଣୁ ଚଟାପଟ୍ ବ୍ୟାଗ୍ରୁ ନିଜ ବେଡ୍ସିଟ୍ ବାହାର କରି ପୁନଃ ତା’ ଉପରେ ବିଛାଇ ବିଚରା ଖଟ ଉପରେ ଥକ୍କା ମେଣ୍ଟାଇବା ପାଇଁ ଲଥ୍ କରି ବସିଗଲେ । ପ୍ରାତଃରୁ ଦବାଇ ରଖାଯାଇଥିବା ପ୍ରକୃତିର ଡାକ ଓ ଅନ୍ୟ ସବୁ ନିତ୍ୟକର୍ମାଦିକୁ ତରତରରେ ସାରିଲେ । ଘରୁ ଆଣିଥିବା ପାଣି ବୋତଲର ପାଣି ସରି ଯିବାରୁ, ସେ ପୂର୍ବ ରାତିରେ କୋଡିଏ ଟଙ୍କା ଦେଇ ପୁନଃ କିଣିଥିବା ଖଣିଜ ଲବଣଯୁକ୍ତ ପାଣି ବୋତଲରୁ ବାଟରେ ତିନିଢୋକ ପିଇଥିଲେ । ସଯତ୍ନେ ରଖିଥିବା ବୋତଲ ପାଣିକୁ ଆଉ ତିନିଢୋକ ସହାୟତାରେ ନିଃଶେଷ କରିଦେଲେ । ବିଚରା ଭାବୁଛି, ଯଦି ଏ କର୍ମ ଛାଡି ପାଣି ବ୍ୟବସାୟ କରାଯାଏ ସେ କଚେପୁଅ ବାର୍ ହୋଇ ରାଜକୀୟ ଜୀବନ ବିତାନ୍ତା । କେତେକେତେ ହାକୀମଙ୍କ ଅଫିସ୍କୁ ତା’ ପାଣିବୋତଲ କିଣାହୋଇ ଅଫିସ୍ର ଶୋଭା ମଣ୍ଡନ କରନ୍ତା । ହାକୀମ ତା’ ପାଣି ପିଇବାକୁ ବାଧ୍ୟ ହୁଅନ୍ତା, କାରଣ ଜଳହିଁ ଜୀବନ । କିନ୍ତୁ ତା’କୁ ବଦଳି କରିବାର ଅଧିକାରରୁ ସେ ସମ୍ପୂର୍ଣ୍ଣରୂପେ ବଞ୍ଚିତ ହୁଅନ୍ତା । ଏହିପରି ଭାବନାର ଅନ୍ତଃ ହୁଏ ନାହିଁ ।
ସେ ସାର୍ଟ-ପ୍ୟାଣ୍ଟ୍ ପିନ୍ଧି ରୁମ୍ ଚାବି ପକାଇ, ସାଥୀକୁ ଡାକିଲେ ଓ ମୁଣ୍ଡିଙ୍କ ସହ ପାଖରେ ଥିବା ଏକ ହୋଟେଲ୍କୁ ଯାଇ ଟିଫିନ୍ ଖାଇଲେ । ମୁଣ୍ଡି ସେମାନଙ୍କୁ କହିଲେ, ଏ ହୋଟେଲ୍ଟି ଏ ସ୍ଥାନର ଅନ୍ୟ ହୋଟେଲ୍ ଠାରୁ ଭଲ ଓ ମୂଳରୁ ଏଠାରେ ସେ ସକାଳ,ମଧ୍ୟାହ୍ନ ଓ ରାତ୍ରି ଭୋଜନ କରନ୍ତି । ଯେଉଁ ଅନୁଷ୍ଟାନରେ ଯୋଗ ଦେବାକୁ ସେମାନେ ଆଦେଶ ପ୍ରାପ୍ତ ହୋଇଛନ୍ତି ତାହା ଅଧାଗଢା ଅବସ୍ଥାରେ ପ୍ରାୟ । ଲଜ୍ ଠାରୁ ୮ କିଲୋମିଟର ଦୂର । ତେଣୁ ଏ ଦୁହେଁ ସେଇ ଲଜ୍ରେ ଅର୍ଥାତ୍ ମୁଣ୍ଡିଙ୍କ ରୁମ୍ରେ ରିଲିଭ୍ ଆଦେଶ ଦେଇ ଯୋଗଦାନ କଲେ ଓ ସେହିଠାରେ ଅଫିସ୍ କାମ ଚାଲୁ ରହିଲା । ସେଠାକାର ସ୍ଥାନୀୟ ଭାଷା ବୁଝିବା ପ୍ରଥମେ ଅଡୁଆ ଲାଗିଲେବି ହାଉଲେ ହାଉଲେ ବୁଝି ହୁଏ । କେବଳ ଅପରାହ୍ନ ୧.୩୦ କୁ ସେଠାରେ ଘଣ୍ଟେ ଅଧେ କୁହନ୍ତି । ହଠାତ୍ ଏହାର ଅର୍ଥ ବୁଝିବାକୁ କର୍ତ୍ତାଙ୍କୁ ପ୍ରାୟ ସବୁବେଳେ ଅଡୁଆ ଲାଗେ । ନୂଆ ନୂଆ ଜାଣିବାରେ କର୍ତ୍ତାତ ଆଗ୍ରହୀ, ତେଣୁ ତାଙ୍କୁ ବିଶ୍ଳେଷଣ ନିମିତ୍ତ ଖୋରାକ ମିଳେ ଓ ଲୋକ କଥା ମାନ ମନେ ପଡେ, ଯଥା :- ଦେଶ୍କେ ଫାଙ୍କ୍ —- ନଈକେ ବାଙ୍କ୍ ଓ ଯେ ଦେଶ ଯାଇ — ସେ ଫଳ ଖାଇ । ଅଫିସ୍ କାମ ପାଇଁ ମୁଣ୍ଡି ପ୍ରାୟ ସମୟ ତାଙ୍କ କୋଠରୀକୁ ଡାକନ୍ତି ଓ ସେ ଦୁହେଁ ଯାଇ ହାଜର ହୁଅନ୍ତି । ମୁଣ୍ଡି ଭାରୀ କୁହାଳିଆ ଓ ସନ୍ଦେହୀ । ଗୋଟିଏ କାମକୁ ବାରମ୍ବାର ବଖାଣନ୍ତି । ଯଦି ଜଣେ ଚୋରକୁ ପୋଲିସ୍ ଚାକିରୀ ମିଳିଯାଏ, ସେ ନିଜର ସ୍ୱଭାବ ଅନୁଯାୟୀ ଦୁଇଟି ରାସ୍ତାରୁ ଗୋଟିଏକୁ ଅନୁଧାବନ କରନ୍ତି । ପ୍ରଥମଟି ହେଲା ତା’ର ପୂର୍ବ ଚୋର ସାଙ୍ଗଙ୍କ ସହ ମିଳିତ ହୋଇ ମାଲାମାଲ ହୁଏ ଓ ଦ୍ୱିତୀୟଟି ହେଲା ସବୁ ଚୋରଙ୍କୁ ଗୋଡେଇ ଗୋଡେଇ ଧରେ । କାରଣ ଚୋରଙ୍କ ସବୁ ଗୁମର ତାକୁ ମାଲୁମ ଥାଏ । ମୁଣ୍ଡିଙ୍କ ବାବଦରେ ଯେଉଁ କଥା ମାନ ତାଙ୍କ ପୁର୍ବ କାର୍ଯ୍ୟାଳୟ ଗୁଡିକରେ ଥିବା ସହକର୍ମୀ ମାନେ କହନ୍ତି, ତାହା ହେଲା ସେ କଲେଜରେ କ୍ଲାସ୍ ନନେଇ ଠକାନ୍ତି । ତେଣୁ ଠକେଇବାର ବିଭିନ୍ନ କୌଶଳ ତାଙ୍କୁ ମାଲୁମ ଥାଏ ଓ ସେହି ଧାରାରେ ଅନ୍ୟ ମାନଙ୍କୁ ସନ୍ଦେହ କରେ । ସିଏ କାହୁଁ ଭାବିବେ ଯେ, ଏମାନେ କର୍ମକୋଢୀ ନୁହନ୍ତି ଓ ନିଜ କର୍ତ୍ତବ୍ୟରେ ଅବହେଳା କରନ୍ତି ନାହିଁ । କାଲକୁ ବଡ ପାଟିରେ କହିଲେ ଶୁଭେ । ତେଣୁ ଅନ୍ୟ ମାନଙ୍କୁ ଶୁଭୁନାହିଁ ଭାବି କାଲ ସଭିଙ୍କୁ ମଧ୍ୟ ଉଚ୍ଚ ସ୍ୱରରେ କହିଥାଏ । ଏ ଦୁଇ ଜଣ ପରେ କଥା ହୁଅନ୍ତି ଯେ, ମୁଣ୍ଡି ସେମାନଙ୍କୁ କ୍ଷୀର ଖିଆ ଛୁଆ ପରି ଭାବି ବୁଝାଉଛି । ସେମାନଙ୍କ ସତ୍ ପରାମର୍ଶକୁ କର୍ଣ୍ଣପାତ କରୁ ନାହିଁ । ସତେକି ଏ ଦୁହେଁ କିଛି ଜାଣି ନାହାନ୍ତି ।
ଯେହେତୁ ନୂଆ କଲେଜ ଖୋଲାଯାଇଛି, ତେଣୁ ସେହି ବର୍ଷ ପ୍ରଥମ ବ୍ୟାଚ୍ ପିଲା ନାମ ଲେଖାଇବେ । କିନ୍ତୁ ଅଧ୍ୟକ୍ଷ(ମୁଣ୍ଡି)ଙ୍କ ସହ ଏ ଦୁଇଙ୍କୁ ମିଶାଇ ତିନିଜଣ ଓ ଆଉ ଜଣେ ଷ୍ଟେନୋଗ୍ରାଫର୍କୁ କୁଆଡେ ସେ କାର୍ଯ୍ୟାଳୟକୁ କିରାଣୀ ବାବଦକୁ ବଦଳି କରାଯାଇଛି ବୋଲି ମୁଣ୍ଡି କହୁଥିଲେ । ସେ ଥିଲା ମୁଣ୍ଡିଙ୍କ ଠାରୁ ଆହୁରି ଠକ ଅର୍ଥାତ୍ ମହାଠକ । ଏହି ଗୁଣ ଯୋଗୁ ବୃଦ୍ଧ ବୟସରେ ତାଙ୍କୁ ଠେଲି ଦିଆଯାଇଥିଲା । ମୁଣ୍ଡିଙ୍କ କହିବା ଅନୁଯାୟୀ, ସେ ମଣିଷ ନୁହେଁ ଯେ ଏକ ଅପଦାର୍ଥ । ତା ଅକ୍ଷରକୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବି ପଢି ପାରିବେ ନାହିଁ । ବସିକି ଖାଇ ଖାଇ ଲୋକଟା ପୃଥୁଳକାୟ ହୋଇଛି ଓ ପାଦ ଶରୀରର ଭାର ସହିପାରୁ ନଥିବାରୁ ସେ ପେଙ୍ଗେଇ ପେଙ୍ଗେଇ ଚାଲୁଛି । ବେଳେବେଳେ ସେ ମଧ୍ୟ ଖଲେଇ ଖଲେଇ ଚାଲେ ଓ ସେ ବିଭିନ୍ନ ରୋଗରେ ପଡିଥିବା କଥା କହି କୁନ୍ଥାଇ ହୁଏ । ସେ ମଧ୍ୟ ଏକ ମହା କୁହାଳିଆ । କାମ ନକରି କାମ କରୁଥିବାର ଖେଳ ପ୍ରଦର୍ଶନ କରିବାରେ ସେ ଏକ ପୁରୁଣା ଖେଳାଳୀ । ସେ ବ୍ୟକ୍ତି ତାଙ୍କ ପୁରୁଣା ଷ୍ଟେସନ୍ରୁ ଯିବା ଆସିବା କରିବେ ବୋଲି କହୁଥିଲେ । ନୂଆ ଖୋଲିଥିବା ମହାବିଦ୍ୟାଳାୟର ରୂପରେଖ ଯାହା ମୁଣ୍ଡି କହନ୍ତି, ତାହା କେବଳ ଶୁଣିକି ନିଜସ୍ୱ କଳ୍ପନାର ଚିତ୍ରପଟ୍ଟରେ କର୍ତ୍ତା ଦେଖନ୍ତି । ସେହିବର୍ଷ ନୂଆ ମହାବିଦ୍ୟାଳୟରେ ପ୍ରଥମ ନୂଆ ଦଳ ପିଲା ଆଡ୍ମିସନ୍ ପାଇଁ ସେ ଷ୍ଟେସନ୍ରେ ପୁର୍ବରୁ ଥିବା ଏକ ପୁରୁଣା ମହାବିଦ୍ୟାଳୟ ମଧ୍ୟଦେଇ ଆବେଦନ କରିଥିଲେ । ପ୍ରଥମ, ଦ୍ୱିତୀୟ …… ଆଦି ସିଲେକ୍ସନରେ ମନୋନୀତ ପିଲା ନିର୍ଦ୍ଧାରିତ ତାରିଖରେ ସେ କଲେଜକୁ ନାମ ଲେଖାଇବାକୁ ଆସିବେ । ତେଣୁ ନୂଆ କଲେଜର ଅଧ୍ୟକ୍ଷ ଏଥି ନିମିତ୍ତ ବଡ କୋଠରୀର ବ୍ୟବସ୍ଥା କରିଥିଲେ ଓ ତାଙ୍କ କଲେଜର କିଛି ଷ୍ଟାଫ୍ ସାହାଯ୍ୟ କରିବାକୁ ମଧ୍ୟ ନୋଟିସ୍ ବାହାର କରିଥିଲେ । ନୂଆ କଲେଜର ସମୁଦାୟ ଷ୍ଟାଫ୍ (ମୁଣ୍ଡି, କର୍ତ୍ତା, କର୍ତ୍ତାର ସାଥୀ ଓ ଧୂର୍ତ୍ତ କିରାଣୀ) ସେହିଦିନ ଗୁଡିକରେ ଯାଇ ଆଡ୍ମିସନ୍ କାମ କରିବେ । ଏହା ଥିଲା ମୁଣ୍ଡିଙ୍କ ନିର୍ଦ୍ଦେଶ । ମୂଣ୍ଡି ସେଠାରେ ଏକ ସ୍କୁଟି କିଣିଥିଲେ । ପ୍ରଥମ ଆଡ୍ମିସନ୍ ଦିନ ସକାଳୁ ହୋଟେଲ୍ରେ ବରା, ଘୁଗୁନି ଆଦି ଖାଇ ସେ କଲେଜକୁ ତିନିଜଣ ଲଜ୍ରୁ ବାହାରିଲେ । ମୁଣ୍ଡି ତାଙ୍କ ଗାଡିରେ ଏକା ଗଲେ ଓ ଏ ଦୁଇ ଆଟୋରେ ଯାଇ ପହଞ୍ଚିଲେ । କର୍ତ୍ତାଙ୍କ ସାଥୀ ଆଗରୁ ତ ସେ ଇଲାକାରେ ଥିଲେ । ତେଣୁ ସେ କଲେଜକୁ ଖାତା ଦେଖା ଆଦି କାମରେ ପ୍ରାୟ ଯାଆନ୍ତି । ତେଣୁ ସେ ଚିହ୍ନା ଥିଲେ । ମୁଣ୍ଡି ମାସକ ଆଗରୁ ବଦଳି ହୋଇ ସେ କଲେଜର ମୁଣ୍ଡିଙ୍କ ସହ ମଧ୍ୟ ସମ୍ପୃକ୍ତ ହୋଇଥିଲେ । କେବଳ କର୍ତ୍ତା ଥିଲେ ନୂଆ । ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଷ୍ଟନୀ ମଧ୍ୟରେ ତାହା ଥିଲା ସୁନ୍ଦର କଲେଜଟିଏ । କର୍ତ୍ତାଙ୍କୁ ତାହା ଏକ ବନ ବିଦ୍ୟାଳୟ ପରି ଲାଗୁଥିଲା ।
ଆଡ୍ମିସନ୍ କାମ ଆରମ୍ଭ ହୁଏ । ସେ ହଲ୍ରେ ମାଇକ୍ର ବ୍ୟବସ୍ଥା ଥିଲା । ତାଙ୍କ କଲେଜର ଜଣେ କିରାଣୀ ରେଜିଷ୍ଟରରେ ଲେଖୁଥାନ୍ତି, ସାଥୀ ଓ ସେଠାର ଜଣେ ଅଧ୍ୟାପକ ପିଲାଙ୍କ ଫର୍ମ୍ ସହ ମୂଳ ସାର୍ଟିଫିକେଟ୍କୁ ଚେକିଂ କରୁଥାନ୍ତି, କର୍ତ୍ତା ମାଇକ୍ରେ ପିଲାଙ୍କ ନାମ ଡାକୁଥାନ୍ତି ଓ ମୁଣ୍ଡି ଟହଲ୍ ମାରୁଥାନ୍ତି । କର୍ତ୍ତା ନାମ ଡାକିଲା ବେଳେ ନୂତନ ଅନୁଭବ ପ୍ରାପ୍ତ ହୁଅନ୍ତି, କାରଣ ପିଲାଙ୍କ ଟାଇଟେଲ୍ ସବୁ ତାଙ୍କ ପାଇଁ ନୂଆ ଥିଲା । ଆଡ୍ମିସନ୍ର ଘଣ୍ଟାଏ ପରେ ଧୂର୍ତ୍ତ କିରାଣୀ ଆସି ପହଞ୍ଚିଲେ । ଡେରିରେ ଆସିବାର କିଛି କାରଣ ମୁଣ୍ଡିଙ୍କ ଆଗରେ କହି ଚାଲିଲେ ଓ ପିଲାଙ୍କ ଆଡ୍ମିସନ୍ ପାଉଣା ସଠିକ୍ ରୂପେ ଗଣି ବାକ୍ସରେ ରଖିବାକୁ ତାଙ୍କୁ ମୁଣ୍ଡି ନିର୍ଦ୍ଦେଶ ଦେଲେ । କର୍ତ୍ତା ଓ ତାଙ୍କ ସାଥୀ ସେଦିନ ପ୍ରଥମେ ଧୂର୍ତ୍ତ କିରାଣୀ ସହ ଦେଖା ଓ ମୁଣ୍ଡିଙ୍କ ଦ୍ୱାରା ପରିଚିତ ହେଲେ । ଏମିତି ସେ କଲେଜର ସହାୟତାରେ ଆଡ୍ମିସନ୍ କାମ ଚାଲିଲା । ପ୍ରାୟ ସବୁ କାର୍ଯ୍ୟଭାର କର୍ତ୍ତା ଓ ତାଙ୍କ ସାଥି ଉପରେ ନ୍ୟସ୍ତ ଥାଏ । ସନ୍ଧ୍ୟା ୫ଟା ଯାଏ କାମ ଚାଲେ । ଧୂର୍ତ୍ତ କିରାଣୀ ୩ଟା ବେଳକୁ ଘରକୁ ଛୁ ମାରେ । ମୁଣ୍ଡିଙ୍କ ଦୃଷ୍ଟି ଏ ଦୁଇଙ୍କ ଉପରେ ସବୁବେଳେ ଆପତିତ ହୋଇ ରହିଥାଏ । କିନ୍ତୁ ଆଡ୍ମିସନ୍ କାମ ଚାଲିଥିବା ବେଳେ ତାଙ୍କ ଟହଲ ପଣିଆରେ ସର୍ବେ ଅଣନିଶ୍ୱାସୀ ହୋଇ ଉଠନ୍ତି । କାମକୁ ବାରମ୍ବାର ସନ୍ଦେହରେ ଯାଞ୍ଚ୍ କରିବାରୁ ସମସ୍ତେ ମନେ ମନେ ବିରକ୍ତ ହୁଅନ୍ତି ଓ କାର୍ଯ୍ୟର ଗତିଶିଳତା ଧିମା ପଡେ । ମଧ୍ୟାହ୍ନ ଭୋଜନ ଅତି ନିମ୍ନ ମାନର ହୋଇଥାଏ, କାରଣ ସଭିଙ୍କ ପାଇଁ କେଉଁ ଏକ ଗନ୍ଧିଆ ହୋଟେଲ୍ରୁ ଖାଦ୍ୟ ଅଣାଯାଇ ଥାଏ । ପ୍ରଥମ ସିଲେକ୍ସନ ତାରିଖର ଆଡ୍ମିସନ୍ କାମ ସରେ । ମୁଣ୍ଡିଙ୍କ ଦୃଷ୍ଟିରେ ସେ ଯାହା ହେଉ ପଛେ, ନୂଆ କଲେଜର ଅଧ୍ୟକ୍ଷ ବୋଲି ସବୁ ପିଲା ଓ ଅଭିଭାବକ ଗଣ ତାଙ୍କୁ ଜାଣିବା ତ ନିହାତି ଦରକାର । କାମ ବିଳମ୍ବ ହେଉ, କିଛି ପରବାୟ ନାହିଁ । କିନ୍ତୁ ଏ ଦୁଇ ଜଣ କିଛି ଜାଣି ନାହାନ୍ତି ଓ ସେମାନଙ୍କ ମିଛି ମିଛିକିଆ ଭୂଲ୍ ବାଛିଲେ ସିନା ତାଙ୍କ ମହତ୍ତ୍ୱର ପ୍ରତିପାଦିତ ହେବ । ନହେଲେ ଛଣ ଛ’ବିଡାରେ କିଏ ତାଙ୍କୁ ପଚାରିବ ? ଏଭଳି ଏକ ଦେଖେଇ ହେବା ସନ୍ଦେହୀ ଅଧ୍ୟକ୍ଷ ପାଖରେ କାର୍ଯ୍ୟ ଦକ୍ଷତା ଥିବା ଅଧ୍ୟାପକ ଦ୍ୱୟ ବାରମ୍ବାର କାମ ଠିକ୍ ଚାଲିଛି ବୋଲି ନତମସ୍ତକ ହୋଇ ବୁଝାଇବା କ’ଣ ଅସହ୍ୟ ଯନ୍ତ୍ରଣା ନୁହେଁକି ?
ଏହାପରେ ଦ୍ୱିତୀୟ ସିଲେକ୍ସନ୍ ଆଡ୍ମିସନ୍ ଲିଷ୍ଟ ତାରିଖ ସହ ବାହାରେ । ନୂତନ ମହାବିଦ୍ୟାଳୟ କେଉଁଠି ଓ ଦେଖିବାକୁ କେମିତିକା ! କର୍ତ୍ତା ଏହା ଭାବି ଚାଲନ୍ତି । ମୁଣ୍ଡି ଓ ସାଥି ସ୍କୁଟିରେ କଲେଜ ବାବଦକୁ ନେଇ ଅନେକବାର ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଆନ୍ତି । ବିଚରା ଏକୁଟିଆ କଲେଜର ପ୍ରାରମ୍ଭିକ କାମ ସବୁ କରନ୍ତି । ଯେଉଁଦିନ ଜିଲ୍ଲାପାଳଙ୍କ ସହ ଶୀଘ୍ର ସାକ୍ଷାତ ହୋଇଯାଏ ଉଭୟ ଲଜ୍କୁ ଫେରନ୍ତି ସାଙ୍ଗ ହୋଇ ହୋଟେଲ୍କୁ ଖାଇବାକୁ ଯିବା ପାଇଁ । କର୍ତ୍ତାଙ୍କ କୋଠରୀକୁ ଉଭୟ ଆସନ୍ତି ଓ ମୁଣ୍ଡି ନଗଦା ଜିଲ୍ଲାପାଳଙ୍କୁ ଭେଟିକି ଆସି ଥିବାର ଠାଣି ଅଲଗା ବାରି ହୋଇଯାଏ । ଅର୍ଥାତ୍ ଏହାର ପରିଭାଷା ପ୍ରତିଫଳିତ କରାଏ ଯେ, ତାଙ୍କ ଲାଙ୍ଗୁଡରେ ହାତ ମାରିବାକୁ ଏବେ କାହାର ବହପ ଅଛି ? ଏହା ପ୍ରମାଣିତ ହୁଏ ଯେ, ଅନେକ ବାର ମୁଣ୍ଡି ଜିଲ୍ଲାପାଳଙ୍କ ଅଫିସ୍ରୁ ଫେରି କର୍ତ୍ତା କାମ କରୁଥିବାର ଦେଖି ମଧ୍ୟ ବିଳିବିଳେଇ ହେବା ଭଙ୍ଗୀରେ କହନ୍ତି :- କର୍ମ କର ! କର୍ମ !! ଏହାଶୁଣି କର୍ତ୍ତାଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଲେବି, ସେ ସଞ୍ଜମ ରକ୍ଷା କରି ଚୂପ୍ ଓ ଗମ୍ଭୀର ହୋଇ ଯାଆନ୍ତି । ଭାବନ୍ତି ଏ ଅକାଳ କୁଷ୍ମାଣ୍ଡ ଲୋକଟି କେଉଁଠୁ ଧରା ହୋଇ ଆସିଛିକି ? ଚାକିରୀରେ ସମାନ ବରିଷ୍ଠତା ଥିବା କର୍ମଚାରୀଙ୍କୁ ଇଏ କି ପ୍ରକାର ବ୍ୟବହାର ! କର୍ତ୍ତା ଭାବନ୍ତି ପାଟି ଖୋଲିଲେ ମହାଭାରତ ଯୁଦ୍ଧର ଆଶଙ୍କା ଓ ତାଙ୍କ ରୌଦ୍ର ରୂପ ସେ ଦେଖନ୍ତେ । ଛାଡ ସେ କଥା, ନିଜର ସମ୍ମାନ ଯାଉ ବରଂ, ମୁଣ୍ଡିଙ୍କ ସମ୍ମାନ ରକ୍ଷା ହେଉ । ସମାଜରେ ତ ଏପରି ଚରିତ୍ର ଗଣ ଭରି ହୋଇଛନ୍ତି । ସହିଯିବାଟା ସବୁଠୁ ବୁଦ୍ଧିମାନର କାମ । ଏହା ମଧ୍ୟ ଏକ ପ୍ରକାର ଅସହ୍ୟ ଯନ୍ତ୍ରଣା ।
ସମୟ ବିତିଚାଲେ । ଲଜ୍ରେ ଦିନ ଓ ରାତିରେ ମଧ୍ୟ କଲେଜ କାମ । ନିଜ ପରିବାରର ସୁରକ୍ଷା ପାଇଁ ସକାଳ, ସନ୍ଧ୍ୟା ଓ ରାତିରେ ଶୋଇବା ବେଳେ ଦେବାଦେବୀଙ୍କ ମନ୍ତ୍ରପାଠ ସହ ଆକୁଳ ନିବେଦନ, ଲେଖିବା ଗୁଣ ଥିବାରୁ ପ୍ରତିଦିନ କିଛି ଲେଖିବା ଓ ଘରକୁ ଏବଂ ବାହାରେ ପଢୁଥିବା ପୁତ୍ର ଦ୍ୱୟଙ୍କୁ ଫୋନ୍ କରି ଭଲମନ୍ଦ ବୁଝିବା ସହ ସୁପରାମର୍ଶ ଦେବା ଇତ୍ୟାଦିରେ ସମୟ ଗଡିଚାଲେ । ଘରଣୀ ଯେହେତୁ ଘରେ ଏକା, ସେଥିପାଇଁ ମନ ଭଲ ରହେନି ଓ ପୁରା ଟେନ୍ସନ୍ରେ ସମୟ କଟୁଥାଏ । ଘରକୁ ବୁଲିଯିବାକୁ ମନ ବ୍ୟାକୁଳ ହୁଏ, କାରଣ ସ୍ତ୍ରୀ’ର ଦେହ ଅଧିକାଂଶ ଦିନ ଅସୁସ୍ଥ ରହେ । ପାଖରେ ଆମେ କେହି ନାହୁଁ, କେତେବେଳେ କ’ଣ ସମସ୍ୟା ଆସିବ, କିଏ ବା କହି ପାରିବ । ନିରାଶ୍ରୟକୁ ଈଶ୍ୱର ସାହା ହେବେ । ଏହାହିଁ ବଞ୍ଚି ରହିବାର ଏକମାତ୍ର ଅସ୍ତ୍ର । ଦିନେ ଶୁଣିଲେ ଯେ, ତାଙ୍କ ଘର ପାଖରେ ଡାକୁ ମାନେ ରାତିରେ ଘରେ ପଶି ମାରଣାସ୍ତ୍ରରେ ଲୋକଙ୍କୁ ହାଣି ସବୁ ଲୁଟ୍ପାଟ୍ କରିନେଲେ । କର୍ତ୍ତାଙ୍କ ଛାତି ଉଠ୍ପଡ୍ ଦେବାକୁ ଲାଗିଲା ଓ ସାଥୀଙ୍କର ମଧ୍ୟ । ତାଙ୍କ ସ୍ତ୍ରୀ ଓ ଦୁଇ ସ୍କୁଲ ଯାଉଥିବା ଝିଅ ଏବଂ ଦୁଇ ବର୍ଷର ପୁଅ ସେଇ ଏକା ସ୍ଥାନର । ଉଭୟଙ୍କର ସମାନ ବେଦନା । ମୁଣ୍ଡି ଏକଥା ଶୁଣି ନଶୁଣିଲା ପରି ଅଭିନୟ କରନ୍ତି । କାଳେ ଏମାନେ ଘରକୁ ଚାଲି ଯିବେକି ଆଉ । ତେଣୁ ସେ ଘରକୁ ନଯାଇ ପାରିବାର ବ୍ୟବସ୍ଥା ମାନ ଖଞ୍ଜିବାରେ ବ୍ୟସ୍ତ ରହନ୍ତି । ମୁଣ୍ଡି ତ ରାଜାଙ୍କ ଉଆସ ପାଖରୁ ଆସିଛନ୍ତି । ସଂଧ୍ୟାରେ ଗାଡିରେ ବସିଲେ, କାଉ ରାବିବା ପୂର୍ବରୁ ଘରେ ହାଜର । ସେଥିପାଇଁ ସେ ବେପରୁଆ ଭାବେ କଥା କହନ୍ତି ଓ ଏମାନଙ୍କ ଦୁରାବସ୍ଥାକୁ କର୍ଣ୍ଣପାତ କରନ୍ତି ନାହିଁ । ପରନ୍ତୁ ଏ ଦୁଇଙ୍କ ସମସ୍ୟା ମୁଣ୍ଡିଙ୍କଠାରୁ ତ ସମ୍ପୂର୍ଣ୍ଣ ଅଲଗା ତେଣୁ କର୍ତ୍ତା ଭାବୁଛନ୍ତି – “ଛାଡିଣ ସକଳ ଆଶା – ରଖ ଗୋବିନ୍ଦଙ୍କ ଭରସା” ।
ଏହିପରି ପନ୍ଦର ଦିନ ବିତିଯାଏ । ଉଭୟଙ୍କ ଅସହାୟ ପରିବାରର ଯନ୍ତ୍ରଣା ବଢିଚାଲେ । ପ୍ରଥମେ ସାଥିଟି ନିଜ ସୃଷ୍ଟିର ରକ୍ଷା ନିମିତ୍ତ ଜୀବନ ବିକଳେ ଚାରିଦିନ ପାଇଁ ଘରକୁ ଗଲେ । ତା’ ପରଦିନ ଦ୍ୱିତୀୟ ସିଲେକ୍ସନ୍ ଆଡ୍ମିସନ୍ । ବିଚରା କର୍ତ୍ତା ଏକୁଟିଆ ଓ ମୁଣ୍ଡି ତ କାମରେ ବିଘ୍ନ ସୃଷ୍ଟି କରିବେ । ତାଙ୍କ ଉପରେ କାର୍ଯ୍ୟର ମାତ୍ରାଧିକ ବୋଝ ପଡିବ । ଏହା ଭାବି ସେ ନିଜକୁ ସ୍ଥିର କରିନେଲେ । ସେଦିନ କର୍ତ୍ତା ମୁଣ୍ଡିଙ୍କ ସ୍କୁଟିରେ ବସିକି ଗଲେ । ପୁଣି ଯୋଗକୁ ସେଦିନ ପୁରୁଣା ମହାବିଦ୍ୟାଳୟରୁ ମାତ୍ର ଜଣେ ଅଧ୍ୟାପକ ଓ ଜଣେ କିରାଣୀ ସାହାଯ୍ୟ କଲେ । ପିଲା ଶହେରୁ ଅଧିକ ନାମ ଲେଖାଇବେ । କର୍ତ୍ତା ନିରଚ୍ଛିନ୍ନ ଭାବେ କାମ କରିଚାଲନ୍ତି । ସେଦିନ ମୁଣ୍ଡିଙ୍କର ପ୍ରଳାପ ବେଳକୁ ବେଳ ପ୍ରବଳ ହେଉଥାଏ । ମୁଣ୍ଡିଙ୍କ ଧାରଣା ବୋଧହୁଏ ଏ କର୍ତ୍ତା ସବୁ ଭୁଲ୍ କରୁଛି ଓ ପୁରୁଣା କଲେଜ ଅଧ୍ୟାପଙ୍କ ଠାରୁ ଇଏ କେମିତି ଏତେ ଜଲ୍ଦି ପିଲାଙ୍କ ଫର୍ମ୍ ଓ ସବୁ ସାର୍ଟିଫିକେଟ୍ ଗୁଡିକୁ ଯାଞ୍ଚ୍ କରି କିରାଣୀ ପାଖକୁ ପଠାଉଛି !! ତେଣୁ ସେ ବାରମ୍ବାର ଠିକ୍ ହେଉଛି କି ନାହିଁ ବଡ ପାଟିରେ କହୁଥାନ୍ତି ଓ ଫର୍ମ୍କୁ ପୁନଃ ଯାଞ୍ଚ୍ କରନ୍ତି । ଫଳରେ ମଝିରେ ମଝିରେ କାମ ଧିମା ପଡେ । କର୍ତ୍ତା କିନ୍ତୁ ଏସବୁକୁ ବେଖାତିରି କରି ଆଗେଇ ଚାଲନ୍ତି । ଖାଇବା ସମୟ ଗଡିଯାଏ । ମୁଣ୍ଡି କୌଣସି ବ୍ୟବସ୍ଥା କରନ୍ତି ନାହିଁ । ଭୋକ ବେଳ ଗଡିଯାଏ ଓ ପାଣି ପିଇବାକୁ ତର ନଥାଏ । ଖାଇବା ସମୟକୁ ସେ କଲେଜ ଅଧ୍ୟାପକ ଛୁ’ ମାରିଲେ ଯେ, ଆଉ ଆସିଲେ ନାହିଁ । ଏବେ ମୁଣ୍ଡି ଓ କର୍ତ୍ତା ସାମ୍ନା ସାମ୍ନି ଓ ବଳ କଷାକଷିର ସମୟ ଉପଗତ ହୁଏ । ମୁଣ୍ଡି ବକି ବକି ବେଦମ୍ ହୁଅନ୍ତି ଓ କର୍ତ୍ତା ନିରବ – ନିଶ୍ଚଳ ବ୍ୟକ୍ତିତ୍ୱର ପରାକାଷ୍ଠା ଦେଖାଇ ନିର୍ଭୁଲ୍ ଭାବେ କାମ କରି ଚାଲନ୍ତି । ଶେଷରେ ମୁଣ୍ଡି ଚୁପ୍ ହେବାକୁ ବାଧ୍ୟ ହୁଅନ୍ତି, କାରଣ କର୍ତ୍ତାଙ୍କ ମୁଖ ମଣ୍ଡଳରୁ କ୍ରୋଧାଗ୍ନିର ସ୍ପୁଲିଙ୍ଗ ଉଦ୍ଗତକୁ ସେ ଜାଣିପାରନ୍ତି । ପରନ୍ତୁ ମୁଣ୍ଡି ତ ମୁଣ୍ଡି , ହାର୍ ମାନିବା ଜନ୍ତୁ ସେ ନୁହେଁ । ସେ’ତ ରାଜାଙ୍କ ଘର ପାଖିଆ ଲୋକ । ନାମଲେଖାରେ ଭୁଲ୍ ବାହାରିଲେ ସରକାରକୁ ଲେଖି ଜଣାଇ ଦେବେ । ଚାକିରି ଏକାଥରେ ଗୋଲ୍ ହେବ । ଏହା ଥିଲା ମୁଣ୍ଡିଙ୍କ ଅନ୍ତରର ଭାବନା ଓ ସେଥିପାଇଁ ଚୁପ୍ ରହିଲେ । ସନ୍ଧ୍ୟା ଛ’ଟାରେ ସବୁ କାମ ସରେ ଓ ସେଦିନ ସବୁଠୁ ଅଧିକ ପିଲା ନାମ ଲେଖାଇଲେ । ଦୁହେଁ ଲଜ୍କୁ ଫେରିଲେ ଓ ଟିଫିନ୍ ଖାଇବାକୁ ଯିବାକୁ ସେ କହିଲେ । କର୍ତ୍ତା ତ ମନେ ମନେ ଫଁଫଁ ହେଉଥିଲେ । ତେଣୁ ସେ ତାଙ୍କୁ କହିଲେ :- ସାର୍ ଆପଣ ଖାଆନ୍ତୁ, ମୁଁ ରୁମ୍କୁ ଯାଉଛି । ରୁମ୍ରେ ପହଞ୍ଚି ସେ ଭାବନ୍ତି ଯନ୍ତ୍ରଣା ବଢି ଚାଲୁଛି, କମିବାର ଅବକାଶ ନାହିଁ । ଈଶ୍ୱରଙ୍କୁ ସ୍ମରଣ କରି ସେ ଖଟ ଉପରେ ପଡି ଭାବୁ ଭାବୁ ନିଦ ଆସିଯାଏ ।
ତା’ ପରଦିନର ଏକ ସ୍ମରଣୀୟ ଘଟଣା । ପୂର୍ବଦିନ ନାମ ଲେଖାରେ ଗୋଟିଏ ନାମ ଡକାହେଲା ଚମ୍ପାବାଇ । କିନ୍ତୁ ଦୁଇଟି ଝିଅପିଲା ସାର୍ଟିଫିକେଟ୍ ସହ କର୍ତ୍ତାଙ୍କ ନିକଟରେ ହାଜର ହେଲେ । ସେ ଥିଲେ ଚମ୍ପାବାଇ ଓ ଚମ୍ପିବାଇ ଏବଂ ଦୁଇଜଣଙ୍କର ସାଙ୍ଗିଆ ସମାନ ଥିଲା । ଆଡ୍ମିସନ୍ ହୋଇଥିବା ପିଲାଙ୍କ ସମ୍ପୂର୍ଣ୍ଣ ତଥ୍ୟ ସମୁହକୁ ପୁରୁଣା କଲେଜର ତଥ୍ୟ ପ୍ରବେଶ ଚାଳକ(Data entry Operator) କମ୍ପ୍ୟୁଟରରେ ବୋଝେଇ(Loading) କରନ୍ତି । ଉଭୟ କଲେଜର ଆଡ୍ମିସନ୍ ତଥ୍ୟ କାମ ହେତୁ ସେ ଅଧିକ ଚାପଗ୍ରସ୍ତ ହୁଅନ୍ତି । ପ୍ରତିଦିନର ତଥ୍ୟ ପ୍ରବେଶ କାର୍ଯ୍ୟ ସାରିବାକୁ ତାଙ୍କୁ ଅର୍ଦ୍ଧରାତ୍ରି ଯାଏ ଘରେ ଖଟିବାକୁ ପଡେ । ଏହି କାରଣରୁ ସେ କେତେବେଳେ ଭୁଲ୍ ମଧ୍ୟ ହୋଇଯାଏ । ତେଣୁ ସେ ନଜାଣି ପାରି ଚମ୍ପିବାଇ ସ୍ଥାନରେ ଚମ୍ପାବାଇର ଆଡ୍ମିସନ୍ କରାଯାଇଛି ବୋଲି ମୁଣ୍ଡିଙ୍କୁ ରାତିରେ ଫୋନ୍ କରି ଜଣାଇଲେ । ମୁଣ୍ଡି ବ୍ୟସ୍ତ ହୋଇ ରାତିରେ ଭଲରେ ଶୋଇ ପାରିଲେ ନାହିଁ । ପୁଣି ଭାବିଲେ ଏ ବଦ୍ମାସ କର୍ତ୍ତାକୁ ଏତେ ଜଗିବା ସତ୍ତ୍ୱେ ଭୁଲ୍ କଲା ଓ ଆହୁରି କେତେ ଭୁଲ୍ ବାହାରିପାରେ । ମୋ କଥାକୁ ବେଖାତିର କରି ରାଗିକି ଫଁଫଁ ହେଲା । ତରବର ହେବାର ଫଳ ଏବେ ଭୋଗିବ । ସକାଳୁ ଏ କଥା ସେ କର୍ତ୍ତାଙ୍କୁ କହିଲେ । କର୍ତ୍ତା ବିଚଳିତ ନହୋଇ କହିଲେ, ତାଙ୍କୁ ପ୍ରାୟ ୯୦% ପିଲାଙ୍କ ଫର୍ମ୍ ସବୁକୁ ଚେକିଂ କରିବାକୁ ପଡିଲା, ଅନ୍ୟ ଜଣେ ଅଧ୍ୟାପକ ଗଲେ ତ ଆଉ ଫେରିଲେ ନାହିଁ ଓ ସୃଷ୍ଟି କରାଯାଉଥିବା ଗଣ୍ଡଗୋଳିଆ ପରିବେଶରେ ଏତେ ସଂଖ୍ୟକ ପିଲାଙ୍କର ଆଡ୍ମିସନ୍ । ଭୁଲ୍ ହୋଇଥାଇ ପାରେ । ଏହା କହି ସେ ଗମ୍ଭୀର ହୋଇ ଚିନ୍ତା କଲେ :- ଚମ୍ପାବାଇର ତ ଆଡ୍ମିସନ୍ କଲେ, ପୁଣି ଚମ୍ପିବାଇକୁ କେମିତି ବଦଳିଗଲା ! ନିଜେ ବୋଧହୁଏ ଭୁଲ୍ କରିଛନ୍ତି । ଏ ବାବଦକୁ କ’ଣ କରାଯିବ ବୋଲି ସେ ମୁଣ୍ଡିଙ୍କୁ କିଛି ପଚାରିଲେ ନାହିଁ । ସେ ଛିଣ୍ଡା ଲୋକକୁ ପଚାରିକି ଲାଭ କ’ଣ । ସବୁ ଅଶାନ୍ତିର ମୁଳ କାରଣ ସେ । ପଚାରି କିଛି ଲାଭ ନାହିଁ ଓ ଯାହା ହେଲେ ହେଉ ବରଂ । ଦିନ ଦୁଇଟା ପାଖାପାଖି ସମୟକୁ ମୁଣ୍ଡି ଜଣାଇଲେ ଯେ, ସବୁ ଠିକ୍ ଅଛି । ପ୍ରକୃତରେ ଚମ୍ପାବାଇର ଆଡ୍ମିସନ୍ ହୋଇଛି, ଚମ୍ପିବାଇର ନୁହେଁ । ଏହା ଶୁଣି କର୍ତ୍ତାଙ୍କ ଭାରାକ୍ରାନ୍ତ ମନ ହାଲୁକା ହୋଇଗଲା । ସାଥିଟି ଘରୁ ଫେରିଲା ପରେ ଏକଥା ସେ ତାଙ୍କୁ ଜଣାଇଲେ । କର୍ତ୍ତା ଘରୁ ଆସିବାର ଏକୋଇଶ ଦିନ ହେଲା । ସ୍ତ୍ରୀ’ର ଦେହ ଅସୁସ୍ଥ । ତେଣୁ ଘରକୁ ଯିବାକୁ ମୁଣ୍ଡିଙ୍କୁ କହିଲେ । ସେ ମଧ୍ୟ ତାଙ୍କ ଘରକୁ ଯିବାକୁ କହିଲେ । ସନ୍ଧ୍ୟାରେ ଉଭୟ ଏକା ବସ୍ରେ ସାଙ୍ଗ ହୋଇ ବସିକି ଆସିଲେ । ବାଟରେ ଠିକ୍ଠାକ୍ କଥାବାର୍ତ୍ତା ଚାଲୁଥାଏ । ଯାହା ହେଲେବି ସେ ଅଧ୍ୟକ୍ଷଙ୍କ ପାଖରେ ବସିଛନ୍ତି, ତେଣୁ କର୍ତ୍ତା ସଞ୍ଜମତା ରକ୍ଷା କରି କଥା ହେଉଥାନ୍ତି । ଭୋର୍ ସମୟରେ ବଡ ବସ୍ଷ୍ଟାଣ୍ଡ୍ରେ ପହଞ୍ଚି ଫେରିବା ଟିକେଟ ଆଗୁଆ କରାଗଲା । ଏଥର କର୍ତ୍ତା ଅନ୍ୟ ଏକ ବସ୍ରେ ଟିକେଟ କାଟିଲେ, ଟିକିଏ ଫ୍ରି’ରେ ବସି ଚିନ୍ତା କରିବା ଉଦ୍ଦେଶ୍ୟରେ । ଅଧ୍ୟକ୍ଷ ତ ସକାଳେ ଘରେ ହାଜର ହେଲେ, ପରନ୍ତୁ ସେ ଦ୍ୱିତୀୟ ବସ୍ରେ ବସି ଘରେ ଦିନ ୧୨ଟା ପାଖାପାଖି ସମୟରେ ପହଞ୍ଚିଲେ । ଏତେ ସମୟ ଯାଏ ପ୍ରକୃତିର ଡାକକୁ ଅଟକାଇ ରଖିଥିଲେ ସେ । ଏତେ ଦିନ ବ୍ୟବଧାନ ପରେ ସ୍ୱାମୀ-ସ୍ତ୍ରୀ’ର ଦେଖା, କିନ୍ତୁ ଉଭୟ ପରସ୍ପରର ରୁଗ୍ଣ ଶରୀରକୁ ଦେଖି ଚାରି ଆଖି ଛଳଛଳ ହୋଇ ଉଠିଲା । ଶୀଘ୍ର ଝାଡା, ଦାନ୍ତଘଷା ଓ ଗାଧୁଆ କାମ ସାରି ଦୁହେଁ ଖାଇ ବସିଲେ । ସ୍ତ୍ରୀ ନଖାଇ ଅପେକ୍ଷା କରି ରହିଥିଲେ । ଏଥିପାଇଁ କର୍ତ୍ତା ତାଙ୍କ ଉପରେ ବିଗିଡିଲେ । ତା’ପରେ ଘୋର ନିଦରେ ସେ ବିଛଣାରେ ପଡିଗଲେ । ଦିନ ତିନିଟା ବେଳକୁ ସ୍ତ୍ରୀ’ର ଡାକରେ ଉଠି ଖାଇଲେ ଓ ପୁଣି ଶୋଇ ପଡିଲେ । ସତେକି ରାତି ସାରା ଅନିନ୍ଦ୍ରା ହୋଇ ଯାତ୍ରା ଦେଖୁଥିଲେ । ସୁଖ ସମୟ ଶୀଘ୍ର ସରିଯାଏ । ପୁନଃ କର୍ମ ସ୍ଥାନକୁ ଯିବାକୁ ହୁଏ । ଆଡ୍ମିସନ୍ କାମ ସରେ ଓ ନୂଆ କଲେଜର ନିର୍ମାଣ କାମ ମଧ୍ୟ । କଲେଜର ସବୁ ଜିନିଷ ପତ୍ର ଆଦିର ପ୍ରାୟ ଏକ ପଞ୍ଚମାଂଶ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଆସିଯାଇଥାଏ । ତେଣୁ ଏବେ କଲେଜକୁ ଯାଇ ସବୁ ଅଫିସ୍ କାମ ସହିତ ପିଲାଙ୍କୁ ପାଠ ପଢାଇବାକୁ ପଡିବ । ତେବେ କେଉଁଠୁ ବସ୍ ଅଥବା ଆଟୋରେ ଯାଇ କେଉଁଠି ଓଲ୍ଲାଇବାକୁ ପଡିବ, ତାହାର ସୂଚନା ଦେଇଥିଲେ ମୁଣ୍ଡି । ସେ ଓ ସାଥି ସ୍କୁଟିରେ ଯିବେ ଏବଂ କର୍ତ୍ତା ବସ୍ଷ୍ଟାଣ୍ଡ୍ରୁ ଉଠିବେ । ପରଦିନ ପାଇଁ ଯୋଜନା ହୋଇଗଲା ଓ ତିନିହେଁ ହୋଟେଲ୍ରୁ ଖାଇ ଲଜ୍ର ନିଜ ନିଜ ରୁମ୍କୁ ଗଲେ ।
ସକାଳୁ ତିନିଜଣ ହୋଟେଲ୍ ଯାଇ ବରା ଓ ଘୁଗୁନି ଖାଇଲେ । ଦୁଇଜଣ ଆଗେ ସ୍କୁଟିରେ ଗଲେ । ବିଚରା କର୍ତ୍ତା ଅଫିସ୍କୁ ଯିବାର ରାସ୍ତା ପଚାରି ବୁଝିଲେ । ପ୍ରଥମେ ପ୍ରଥମେ ସେ ଭାବିଥିଲେ ଯେ, କଲେଜଟି ଟାଉନ୍ରେ ଅବସ୍ଥିତ ହୋଇଥିବ । କିନ୍ତୁ ମୁଣ୍ଡି ଯେତେବେଳେ କହିଲେ ଏହା ସେ ଟାଉନ୍ ମଧ୍ୟରେ ନୁହେଁ ଓ ତାହା ସେଠାରୁ ପ୍ରାୟ ଦଶ କିଲୋମିଟର ଏକ ନିଛାଟିଆ ସ୍ଥାନରେ ଏବଂ ସେଠାରେ କିଛି ଦୋକାନ ବଜାର ବି ନାହିଁ । ଅତି କମ୍ ସଂଖ୍ୟକ କେତୋଟି ବସ୍ ସେ ଲାଇନ୍ରେ ଚାଲେ ଓ ମଝିରେ ମଝିରେ ଅଟୋରିକ୍ସା ମଧ୍ୟ । ବସ୍ଷ୍ଟାଣ୍ଡ୍କୁ ରାସ୍ତା ବୁଝି ସେ ଦ୍ରୁତ ବେଗରେ ଚାଲିଲା । ବସ୍ ଛାଡିବାକୁ ଆଉ କୋଡିଏ ମିନିଟ୍ ଅଛି ଜାଣି ସେ ଗତିକୁ ବଢାଇଲା, ହେଉ ପଛେ ଅଷ୍ଟ୍ରେଲିଆର କନ୍ଗାରୁ ପରି ଡେଇଁ ଡେଇଁ ଅଥବା ଅଜଣା ମୂଲକ ଲଙ୍କା ଗଡରେ କପିଶ୍ରେଷ୍ଠ ହନୁମାନ ପଶି ମାତା ସୀତାଙ୍କ ସନ୍ଧାନ ନିମିତ୍ତ ଡେଇଁବା ପରି ହେଉ କିଛି ଯାଏ ଆସେ ନାହିଁ । ଏତେବଡ ଭକ୍ତ ତ ଦିନେ ଡେଇଁଥିଲେ । ଇଏ ବା କୋଉ ଗାଈର ଗୋବର ଯେ ଡେଇଁବନି ! ପିଚୁ ଉପରେ ଗଲେ ଯାନଗୁଡିକର ଚାପରେ ପୈତୃକ ପ୍ରାଣଟି ଚାଲିଯିବ, ଶବ ଚିହ୍ନଟ ହୋଇପାରିବନି । ବାପା ତ ସ୍ୱର୍ଗରେ, କିନ୍ତୁ ବୃଦ୍ଧା ମା’, ଘରଣୀ, ଛୁଆପିଲା ଫେରିବା ପଥକୁ ଅନାଇଁ ଅନାଇଁ ରହିବେ ଓ ଶେଷକୁ ସୁନ୍ଦର ସଂସାରଟି ଧ୍ୱଂସ ହୋଇଯିବ, କାରଣ ସେଠାରେ ଯାନର ଗତି ଓ ନୀତିରୁ ତାହା ପ୍ରସ୍ଫୁଟିତ ହେଉଥିଲା । ତେଣୁ ପୈତୃକ ପ୍ରାଣ ହରାଇବା ଠାରୁ ବରଂ ରାସ୍ତା କଡର ଖାଲ, ଢିପ, ଖୋଲା ନର୍ଦ୍ଦମା ଆଦିର ପରିସରରେ ଡେଇଁ ଡେଇଁ ହାତଗୋଡ ଟାଣ କରାଇବାରେ କ୍ଷତି କ’ଣ ? ତେବେ ନପଡିଲେ ହେଲା । ସତେକି ବଡ ହାକୀମଙ୍କ ରକ୍ତାକ୍ତ ଚାବୁକ୍ ପିଠିରେ ସଟାବ୍ ସଟାବ୍ ବସି ଡେଇଁବାକୁ ବାଧ୍ୟ କରୁଛି । ୟା’ ମଧ୍ୟରେ ସେ ବସ୍ଷ୍ଟାଣ୍ଡ୍ରେ ପହଞ୍ଚି ଗଲାଣି । ଭାବନା ମଧ୍ୟରେ ଡୁବିରହି କିଛି ଜଣାପଡିଲା ନାହିଁ । କାରଣ ଭାବନା ନେଇଯାଏ ଭାବଗ୍ରାହୀଙ୍କ ନିକଟକୁ ।
“ଯାହା ନଦେଖିବୁ ଦୁଇ ନୟନେ – ପରତେ ନ ଯିବୁ ଗୁରୁ ବଚନେ”, ଅର୍ଥାତ୍ ଦିନରେ ଦୁଇଟି ଦଦରା ଓ ଆୟୁସୀମା (Expiry Date) ଟପି ଯାଇଥିବା ବସ୍ ସେ ଛିଣ୍ଡା- ଧୂଳି ଧୁସରିତ – ଖାଲଖୋମା ରଞ୍ଜିତ ରାସ୍ତାରେ ଚାଲେ ବୋଲି ଶୁଣିଲା ଓ ଛାଡିବାକୁ ଥିବା ବସ୍କୁ ଦେଖି ସେ ପରତେ ଗଲା । ଅର୍ଥାତ୍ ଆତୁରେ ନିୟମ ନାସ୍ତି ପରି ଉପର ପ୍ରବଚନର ଦକ୍ଷତା ଆପେଆପେ କ୍ଷୀଣ ହୋଇଗଲା । ବସ୍ରେ ଯାହା ଦେଖାଯାଉଛି ପିମ୍ପୁଡି ଗଳିବାକୁ ଫାଙ୍କ ନାହିଁ । ପୁଣି ଛାତ ଉପରେ ଦମ୍ଭର ସହ ଲୋକେ ବସିଛନ୍ତି । ସେଠାରେ ନିଶ୍ଚୟ ଅଧିକ ଆନନ୍ଦ ମିଳୁଥିବ । ସେ ଅନୁଭବ ତ ମିଳିନି, ତେଣୁ ଉପରକୁ ଉଠିଲେ ଅସୁବିଧା କ’ଣ ? ଅଚିହ୍ନା ଯାଗା , ତା’କୁ ତ କେହି ଚିହ୍ନି ନାହାନ୍ତି । ତେଣୁ ଲାଜ ଲାଗିବାର ଚାନ୍ସ ନାହିଁ ।
ସେ ପୁଣି ଦେଖିଲା ଯାନ ମଧ୍ୟରେ ଏକ ଲୋକ ଗୋଟିଏ ଛେଳିକୁ କୋଳରେ ଧରି ବସିଛି ଓ ବିଭିନ୍ନ ଲୋକଙ୍କ ହସ୍ତରେ କୁକୁଡା – ବତକ ପୁର୍ଣ୍ଣ ବ୍ୟାଗ୍ରୁ ଫଡ୍ଫଡ୍ ଶବ୍ଦ । କିନ୍ତୁ ଏହା କସ୍ମିନ୍ କାଳେ ଜୀବେ ଦୟାର ପ୍ରତିଫଳନ ନୁହେଁ । ଏହିପରି ଅନେକ ଅନେକ ସମାହାରର ଦୃଶ୍ୟ ସହ ଯାନ ଭିତରେ ପ୍ରବଳ ଭିଡ ଓ ଠେସାଠେସିର ମାତ୍ରା ଅବର୍ଣ୍ଣନନୀୟ । ଯାନର ମଝି ରାସ୍ତାରେ ପରସ୍ପର ଅତି ନିବିଡ ଭାବେ ଜଡିତ ଏବଂ ଯାନ ଗତିଶୀଳ ନହେବା ଯାଏ ହଲିବାର ସମ୍ଭାବନା ପ୍ରାୟ ନଥାଏ । ଏ ପ୍ରକାର ଦୃଢ ଓ କଠିନ ପ୍ୟାକିଂକୁ କଠିନାବସ୍ଥା ପଦାର୍ଥ ବିଜ୍ଞାନ (Solid State Physics)ରେ ଷଡବାହୁ ବିଶିଷ୍ଟ ଅତି ନିକଟତ୍ତମ ବନ୍ଧନର ଗାଠନିକ ରୂପ (Hexagonal Closed Packed Structure) କିମ୍ବା ପାର୍ଶ୍ୱକୈନ୍ଦ୍ରିୟ ସମଘନୀୟ ଗାଠନିକ ରୂପ (Face Centred Cubic Structure) ସହ ତୁଳନା କରାଯାଇ ପାରେ । ଏହା ହେଉଛି ବିଶ୍ୱର କଠିନ ପଦାର୍ଥ ଗୁଡିକରେଥିବା ଅଣୁ – ଅଣୁ ମଧ୍ୟରେ ସର୍ବନିମ୍ନ ଦୂରତା ଥିବା ଜଡ଼ । ଏଥିରେ ୭୪% ସ୍ଥାନ ଦଖଲଦାରୀ ଓ ୨୬% ଫମ୍ପା ଅଟେ । ଏହାଠୁଁ ଅଧିକ ଦଖଲଦାରୀ ସ୍ଥାନ ଥିବା କଠିନର ସତ୍ତା ପରୀକ୍ଷାଗାରରେ ପରୀକ୍ଷଣ ହୋଇପାରିନାହିଁ । ତେବେ ମହାଜାଗତିକ ବିଜ୍ଞାନରେ ନିଉଟ୍ରନ୍ ତାରକା , କୃଷ୍ଣଗର୍ତ୍ତ ଆଦିର କଥାହିଁ ନିଆରା । ଯେମିତି ପିଲାଦିନେ ଲେଖକ ଛକ ବଜାରରେ ଲଗାଯାଇଥିବା ଅନେକ ବିଜ୍ଞାପନ ଛବିରେ ଏକ ସିଗାରେଟ୍ କମ୍ପାନିର ଲେଖା ମନ ଗହନକୁ ଭେଦିକି ରହିଛି , ଯଥା – “ଚାର୍ମିନାର ଖଣ୍ଡେ ଧରନ୍ତୁ । ଚାର୍ମିନାର କଥାହିଁ ନିଆରା” । ପରନ୍ତୁ ଯାନରେ ପ୍ରତ୍ୟେକଙ୍କୁ ଏକ ଏକ ଅଣୁ ରୂପେ ଭାବିଲେ ୧୦୦% ସ୍ଥାନ ଦଖଲ ସହ ୦% ସ୍ଥାନ ଫମ୍ପା ଥିବାର ପ୍ରତୀୟମାନ ହେଉଛି । ଏହା ପ୍ରାକୃତିକ ସ୍ଥାନ ଦଖଲ ଠାରୁ ବହୁ ଉର୍ଦ୍ଧ୍ୱରେ । ତେବେ ସ୍ଥୁଳ ସଜାଗ ଚେତନାଧାରୀ (ଜୀବନ୍ତ) ମାନେ ପରିସ୍ଥିତିର ତାଡନାରେ ଡହଳ ବିକଳ ହୋଇ କୃତ୍ରିମତାର ଶୀକାରରେ ସୂକ୍ଷ୍ମ ଅଣୁ ଠାରୁ ଅଧିକ ଚାପିହୋଇ ଚାଲିଛନ୍ତି । ଯେମିତି ବିଶ୍ୱର କୋଣେ କୋଣେ ଅଧିକାଂଶ କ୍ଷେତ୍ରରେ କୃତ୍ରିମ ଶିକାରୀ ଅର୍ଥାତ୍ ବଡ ହାକୀମ ମାନଙ୍କ ଦ୍ୱାରା ଏମିତି ଦଳା ଚକଟା ଚାଲିଛି ।
ଏମିତି ତା’ ଅଖି ସାମ୍ନାରେ ବସ୍ଟି ଚାଲିଗଲା, ଅଥଚ ସେ ଯାଇ ପାରିଲାନାହିଁ । ସବୁ ଚେଷ୍ଟା ବୃଥା ହେଲା । ଅଟୋରିକ୍ସା ପାଖକୁ ଯାଇ ବୁଝିବାରୁ ଜଣାପଡିଲା ଯେ, ଲୋକ ହେଲେ ଛାଡିବ ଓ ମୁଣ୍ଡଗୋଟି କୋଡେ । ରିଜର୍ଭ କଲେ ଦେଢଶହ । କିଛି ଲୋକ ଓ ସେ ଅଟୋରେ ବସିଲେ । ଏହାପରେ ଲୋକେ ମାଲ୍ପତ୍ର ପରି ପ୍ୟାକିଂ ହେଲେ । ସାଙ୍ଗରେ ଅଛି ବତକ ଓ କୁକୁଡା ଭରା ବ୍ୟାଗ୍, ଦାନ୍ତକାଠି ଓ ଅନ୍ୟାନ ସାମଗ୍ରି ଭରା ବସ୍ତାନି ଆଦି । ବତକ ଥିବା ବ୍ୟାଗ୍ର ଉଷୁମ ଚାପ ଓ ମୁହଁରେ ବାଜୁଥାଏ କୁକୁଡା ଫଡ୍ଫଡ୍ ହେବାର ଧାସ । ଅଟୋ ଚାଲିଲାରୁ ଟିକିଏ ଥଣ୍ଡା ପବନ ବାଜି ଢୁଳାଇବା ଆରମ୍ଭ ହୁଏ ଓ ପୁନଃ ପୁନଃ ସତର୍କତାରେ ସଜାଗ ହେବାର ଯନ୍ତ୍ରଣା ଲାଗିରହେ । ଯେହେତୁ ଅଟୋରେ ସବୁ ସ୍ଥାନୀୟ ବା ଦେଶିଆ, ତେଣୁ ତା’ ଆଡକୁ ସେମାନେ ଅନାଉ ଥା’ନ୍ତି ଓ ଚାପର ମାତ୍ରାକୁ କମ୍ କରୁଥା’ନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ବୃଦ୍ଧା , ଛୋଟଛୋଟ ଛୁଆ କୋଳରେ ଠେସର ମାତ୍ରାକୁ ସହି ନେଉଥାଆନ୍ତି । ଯେହେତୁ ସେ ଲାଇନ୍ରେ ନୂଆ ଅଫିସ୍ ଖୋଲାଯାଇଛି , ବାହାରିଆ ଲୋକ ନ୍ୟୁନ ସଂଖ୍ୟାରେ ଯା’ଆସ କରନ୍ତି । ନାକରେ ବାଜୁଛି ପକ୍ଷୀ ମଳର ଗନ୍ଧ, ଯାହାକୁ ସେ ଡରେ । ତଥାପି ଦୁର୍ଗନ୍ଧର ପରିବେଷ୍ଟନୀରେ ସୂକ୍ଷ୍ମରୂପେ ଡୁବି ରହିଥିଲା ନିର୍ମଳ ଚିନ୍ତାଧାରା । ସର୍ବେ କଷ୍ଟ ପାଉଥିଲେ ଓ ସେମାନଙ୍କ କୋମଳ ଦୃଷ୍ଟିରେ ସେ ଅଧିର ହୋଇଉଠୁଥିଲେ । ସେମାନେ ପରସ୍ପରକୁ ଭଲ ପାଉଥିଲେ । ନଥିଲା କୁଟୀଳତା । ସେ ସବୁ ଯନ୍ତ୍ରଣା ଓ କଷ୍ଟକୁ ଭୂଲିଯାଉଥିଲେ । ଅନୁଭବ କରୁଥିଲେ ସେମାନଙ୍କ ନିର୍ମଳ ହୃଦୟକୁ । ଏମାନେ ନିରକ୍ଷର, କିନ୍ତୁ ହାକୀମ ବର୍ଗଙ୍କ ବ୍ୟାଧିଗ୍ରସ୍ତ ଚେତନାଠାରୁ ଏମାନେ ଅନେକ ଉର୍ଦ୍ଧ୍ୱରେ ।
ନୂଆ କଲେଜ ଆଗରେ ଓଲ୍ଲାଇଲେ ଓ ସେଦିନ ଆଉ ଏକ ଅପାରଗ ଏବଂ କୋଢୀ କିରାଣୀ ବଦଳି ଆଦେଶ ଧରି ଯୋଗ ଦେଲେ । ସେ ପାଖ କଲେଜରେ ଥିଲେ ଓ ଠକ ଗୁଣ ଯୋଗୁ ତାଙ୍କ ଅଧ୍ୟକ୍ଷ ହାକୀମଙ୍କୁ ଲେଖି ଜଣାଇ ଥିଲେ । ତେଣୁ ଏ ମଉକାରେ ଏ ନିରାଶ୍ରୟ ବୋଧ ହେଉଥିବା କଲେଜକୁ ଠେଲିଦେଇ ନିଶରେ ଘିଅ ମାରି ହାକୀମ ବସିଲେ । ନୂଆ କଲେଜରେ କିରାଣୀ ନାହାନ୍ତି ବୋଲି ଆଉ କେହି କହି ପାରିବେ ନାହିଁ । ଏହା ଥିଲା ହାକୀମଙ୍କ କୂଟନୀତି । ଏ କିରାଣୀ ଦ୍ୱୟ ତ ଠକଙ୍କ ଗୁରୁ । କାମ ତ କିଛି ସୂଚାରୁ ରୂପେ କରିବେ ନାହିଁ ଓ ଯାହା କରିବେ ସବୁକୁ ଭୁଲ୍ ହିଁ କରିବେ । ଠିକ୍ କରିବାକୁ ମାଷ୍ଟରଙ୍କ ଉପରେ ଚାପ ବଢିବ । ଧିରେ ଧିରେ ସବୁ କାମ ମାଷ୍ଟର ମାନେ କରିବେ । ନଗଦା ସେମାନଙ୍କ ବିରୁଦ୍ଧରେ ତ ହାକୀମଙ୍କୁ ଜଣାଇ ହେବ ନାହିଁ । ଅର୍ଥାତ୍ ଅଯାଗା ଘା’ ଦେଖେଇ ହେବନି ଓ ଚୋର ମା’ ଲୁଚେଇ ଲୁଚେଇ କାନ୍ଦିବାର ପରିସ୍ଥିତି ସୃଷ୍ଟି ହେବ । ଛାମୁଙ୍କ ଠାରୁ ଯାହା ମଲା-ମାଧିଆ ମିଳିଛି, ସେ ବାବଦକୁ କିଛି କରି ହେବ ନାହିଁ । କ୍ଲାସ୍ ପାଇଁ ଘଣ୍ଟି ତ ବଜେଇ ପାରିବେ । ଫାଇଲ୍ ଓ ଟେବୁଲ୍ ଚେୟାର ତ ବୁହା ବୁହି କରି ପାରିବେ ? ଏହା ଥିଲା ନୂଆ କଲେଜର ତିନି ଜଣଙ୍କ ଚିନ୍ତାଧାରା । ବର୍ତ୍ତମାନ ସମୁଦାୟ ପାଞ୍ଚଜଣ କର୍ମଚାରୀ ହେଲେ । ଦୁଇଜଣ କିରାଣୀ ଓ ତିନିଜଣ ଅଫିସର୍ । ସେଥିରୁ ଦୁଇ ଅଫିସର ଗୋଟିଏ ସ୍ଥାନରୁ , ଅଧ୍ୟକ୍ଷ ଅନ୍ୟ ସ୍ଥାନରୁ ଓ କିରାଣୀ ଦ୍ୱୟ ପ୍ରାୟ ଚାଳିଶ – ପଚାଶ କିଲୋମିଟର ସ୍ଥାନରୁ ବଦଳି ହୋଇ ଆସିଥିଲେ । ତେବେ ଅଳ୍ପ ଦୂରତାରୁ ଅଫିସର ଅଣାଯାଇ ପାରିଥାନ୍ତା । ତାହା ନହୋଇ ୭୦୦ ରୁ ୮୦୦ କିଲୋମିଟର ଦୂରତାରୁ ପରିଣତ ବୟସରେ ବଦଳି କରି କଲବଲ କରାଇବାରେ ବଡ ହାକୀମଙ୍କର କି ପ୍ରକାର ବୌଦ୍ଧିକତାର ପରିଚୟ ଦିଏ ? ଏହା କ’ଣ କାର୍ଯ୍ୟଦକ୍ଷତା ବୃଦ୍ଧି କରାଇବାର ଏକମାତ୍ର ପନ୍ଥା ?
ଅପରାହ୍ନରେ ରୁମ୍କୁ ଫେରି ଲଜ୍ ପାଖରେ ଥିବା ଏକ ହୋଟେଲ୍ରେ ତିନି ଜଣ ମିଲ୍ ଖାଆନ୍ତି । ସାଧା ମିଲ୍ ବରାଦରେ ଭାତ, ଡାଲି, ତରକାରୀ ଓ ଭଜା । ମିଲ୍ପ୍ରତି ଏକଶହ ପଚାଶଟଙ୍କା ମାତ୍ର । ନୂଆ ଯାଗା ପୁଣି କ୍ଳାନ୍ତ ନିଦୁଆ ଆଖିରେ କିଛି ନଭାବି ରୁମ୍କୁ ଯାଇ ଘୋର ନିଦରେ ଶୋଇ ପଡନ୍ତି । ରାତିକୁ ଡକାଡକି ହୋଇ ସେଇ ହୋଟେଲ୍ରେ ସେ ଓ ସାଥିଟି ମିକ୍ସ ଭେଜ୍ + ରୁଟି ଓ ମୁଖ୍ୟ ସାହେବ ଅଣ୍ଡା ଆଇଟମ୍ ହୋଟେଲ୍ ବୟକୁ ପ୍ରାୟ ବରାଦ କରନ୍ତି । ତେବେ ନିମ୍ନ ମାନର ବାଲିଆ ଲାଗୁଥିବା ଦୁଇଟି ରୁଟି ଓ ହାପ୍ ମିକ୍ସ ଭେଜ୍କୁ ଏକଶହ ଟଙ୍କା ପଡେ । ଅଣ୍ଡା ବିଲ୍ କଥା ମୁଣ୍ଡ ନ ଖେଳାଇ ସେ ରୁମ୍କୁ ଫେରନ୍ତି । ଏହା ହେଲା ନିତିଦିନ ଖାଦ୍ୟର ଏକ ସାମାନ୍ୟ ଚିତ୍ରଣ । ସେମିତି ମାଛ ଖଣ୍ଡେ, ଡାଲି ଓ ଭାତ ମଧ୍ୟ ଏକଶହ କୋଡିଏ ଟଙ୍କା । ତେବେ ଓଡିଶାର ରାଜଧାନୀରେ ସେଇ ଏକା ଆଇଟମ୍ ଏହାର ଅଧାରୁବି କମ୍, କିନ୍ତୁ ଏଠାରେ ଏତେ ଅଧିକ କ’ଣ ପାଇଁ ? ହୋଇପାରେ ସେମାନେ ଅନ୍ଧାର ମୂଲକରେ ଏକଚାଟିଆ କାରବାରରେ ଶୋଷଣ କରିବାର ଅପୂର୍ବ ସ୍ୱାଦରେ ବିମୋହିତ । ଅନ୍ୟ କେହି ଟକ୍କର ଦେଇ ସେଇ ସମାନ ଗୁଣର ଭୋଜନାଳୟ ଚାଲୁ କରିବାର ବିଧିବଦ୍ଧ ଯୋଜନାରେ ଉତ୍ଫୁଲ୍ଲିତ ହେଲେ ସେମାନେ ରାସ୍ତାରୁ କଣ୍ଟା ସଫା କରିବାର ଆଦବ କାଇଦାକୁ ସମ୍ଭବତଃ ପ୍ରୟୋଗ କରୁଥିବେ , ଯାହା ତାଙ୍କୁ ଜଣା । ପୁନଃ, ଯେହେତୁ ଖାଦ୍ୟମୂଲ୍ୟ ନିର୍ଦ୍ଧାରଣରେ ନିଜର ସ୍ୱତନ୍ତ୍ର ଅଧିକାର ବ୍ୟତୀତ ଅନ୍ୟ କାହାର ଅଙ୍କୁଶ ନଥିବାରୁ ସେମାନେ ପ୍ରୀତଃ ହୁଅନ୍ତି ଓ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ବହପହୀନ ପରିବେଶ ମଧ୍ୟ କାରଣ ହୋଇପାରେ । ତେବେ ଭାରତର ସବୁଠୁ ଦାମୀ ସ୍ଥାନ ମୁମ୍ବାଇଠୁଁ ଏଠାରେ ଜୀବନ ଧାରଣ କରିବାର ସୀମାରେଖା କ’ଣ ଏତେ ଉଚ୍ଚରେ ! ଦିନପରେ ଦିନ ବିତିଯାଏ । ଜୀବନ ଧାରଣର ପ୍ରତ୍ୟେକ ଅଙ୍ଗକୁ ଏଠାରେ ସତେକି ଏକ କୁଚିନ୍ତିତ ଓ ଦୀର୍ଘମିଆଦୀ ଯୋଜନା ମଧ୍ୟରେ ରଖାଯିବାର ପ୍ରତୀୟମାନ ହୁଏ । ଏଠାକାର ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ଭଗ୍ନ ପ୍ରାୟ ଓ ଶୋଷଣକାରୀଙ୍କ ପ୍ରତି ପ୍ରତିରୋଧ ଶୂନ୍ୟ ମାନସିକତା ଥିବାର ଅନୁଭୂତ ହୁଏ । କିଛି ହାତଗଣତି ଟାଣୁଆଙ୍କ କବ୍ଜାରେ ଏମାନେ ନିର୍ବିକାର ଓ ଏହି ଶୋଷିତବର୍ଗ ପରସ୍ପର ପ୍ରତି କୁତ୍ସିତ – କଦାକାର ଶତ୍ରୁତା ମଧ୍ୟରେ ରହି ଆନନ୍ଦିତ । ମଥା ଉଚ୍ଚା କରି ରହିଥିବା ଧନୀକଙ୍କୁ ସେମାନେ ପ୍ରଭୁ ରୂପେ ଗ୍ରହଣ କରନ୍ତି, ଯେହେତୁ ତାଙ୍କ ଦ୍ୱାରା ରୋଜଗାର ମିଳେ । ପ୍ରତି ସ୍ତରରେ ହୀନ ମାନସିକତାର ପ୍ରତିବିମ୍ବ ପ୍ରସ୍ଫୁଟିତ । ବାହ୍ୟ ପରିବେଷ୍ଟନୀରୁ ସାତ୍ତ୍ୱିକ ଅନୁଚିନ୍ତାକୁ ଆଦୌ ଗ୍ରହଣ ନକରି ନିଜର ତଥାକଥିତ ପ୍ରଭୁ ମାନଙ୍କୁ ସଲାମ୍ ମାରିବା ବୋଧେ ଏମାନଙ୍କର ରକ୍ତ – ମଜ୍ଜାଗତ ହୋଇଯାଇଛି । ଅନ୍ୟାୟ ମଧ୍ୟରେ ରହି ଅନ୍ୟାୟକୁ ନିର୍ବିଘ୍ନରେ ହଜମ କରୁଥିବା ବ୍ୟକ୍ତିଙ୍କୁ ଜଡ଼ କୁହାଯାଇପାରେ । ତଥାପି ଏମାନଙ୍କ ମନରେ ବିଦ୍ରୋହର ବହ୍ନି ସୁପ୍ତଭାବେ ରହି ପ୍ରକାଶିତ ହେବାକୁ ନିଶ୍ଚୟ ଉଙ୍କିମାରୁଥିବ । ଯେହେତୁ ଏମାନେ ଶିକ୍ଷା, ସ୍ୱାସ୍ଥ୍ୟ, ଧନ, ବଳ ଆଦିରେ ଦୁର୍ବଳ ଓ ବାହ୍ୟ ଯୁକ୍ତାତ୍ମକ ଶକ୍ତିର ପ୍ରଭାବ ସେହି ମାତ୍ରାରେ ଏମାନଙ୍କୁ ଜାଗ୍ରତ କରିପାରେନି, ତେଣୁ ସେମାନଙ୍କ ପାଇଁ ଜଡତ୍ୱର ଶୀକାର ବିନା ଅନ୍ୟ ଗତି ନଥାଏ । ଏହାହିଁ ବିଜ୍ଞାନର ପରିଭାଷାରେ ଯୁକ୍ତିଯୁକ୍ତ । ସୂକ୍ଷ୍ମ ସ୍ତରରେ ଅନୁଧ୍ୟାନ କଲେ ଦୃଶ୍ୟମାନ ହୁଏ ପାରମାଣବିକ ନାଭିକ (Atomic Nucleus) ଓ ଏହାର କବ୍ଜାରେ କବଳିତ ଘୂର୍ଣ୍ଣନରତ ଇଲେକ୍ଟ୍ରନ୍ । ଏକ ନିର୍ଦ୍ଧାରିତ ପରିମାଣର ବାହ୍ୟଶକ୍ତି ପ୍ରାପ୍ତରେ ଇଲେକ୍ଟ୍ରନ୍ଟି ନିଜ କକ୍ଷରୁ ବାହାରି ଆସିଥାଏ କିଛି କ୍ଷଣ ପାଇଁ , ଯାହାକୁ ବିଦ୍ରୋହ କୁହାଯାଇପାରେ ଓ ପୁନଃ ସେ ପରିବେଶକୁ କିଛି ବିକିରଣ ବା ଜାଗରଣ ଶକ୍ତିପ୍ରଦାନ ପୂର୍ବକ ନିଜ ସ୍ଥାନକୁ ଲେଉଟିଯାଏ । ଏହାହିଁ ବିଧିର ବିଧାନ । କିନ୍ତୁ ଶୋଷିତ ପୁନଃ ପୁନଃ ଜାଗିବା ଓ ଏହାପାଇଁ ଉଚ୍ଚମାତ୍ରାର ବାହ୍ୟ ପ୍ରଭାବ ଆବଶ୍ୟକ ମନେହୁଏ । ଯଦି ସେହି ପରିମାଣର ଜାଗରଣ ଶକ୍ତି ପ୍ରାପ୍ତରୁ ଏମାନେ ବଞ୍ଚିତ ହେଲେ, ଶୋଷିତଙ୍କ ବ୍ୟୁହରେ ଦୁର୍ବଳଗଣ ଶୋଷିତ ହୋଇ ରହିଥିବେ । ବାହ୍ୟ ଦିବ୍ୟତା ଗ୍ରହଣୀୟ ହେବନି ଓ ମୁକ୍ତିର ଆନନ୍ଦ ପାଇପାରିବେନି । ବରଂ ନିଜ ବର୍ଗ ମଧ୍ୟରେ କାମୁଡା କାମୁଡି ହୋଇ ପ୍ରଭୁଙ୍କ ଚରଣରେ ହାଜର ହେବେ । ପ୍ରଭୁମାନେ ତ ସେଇଆ ଚାହାନ୍ତି । ଯେପରି ରୁଟି ଖଣ୍ଡେ ଫୋପାଡି ଦେଲେ ଶ୍ୱାନ ଦଳ ପରସ୍ପର ଝିଙ୍କାଝିଙ୍କି, ଝିଣାଝିଣି ଓ କାମୁଡା କାମୁଡି ହୋଇ ରକ୍ତାକ୍ତ ହୁଅନ୍ତି, ଠିକ୍ ସେହିପରି । ଏହାହିଁ ସମାଜବାଦୀଙ୍କ ପାଇଁ ଅସହ୍ୟ ଯନ୍ତ୍ରଣା ଅଟେ ।
ଏହିପରି ପରିସ୍ଥିତିରେ ଦୁଇମାସରୁ ଅଧିକ ସମୟ ଲଜ୍ରେ ବିତାଇବାକୁ ହୁଏ । ସେ ଓ ଅନ୍ୟ ସାଥିଟି ସନ୍ଧ୍ୟାରେ ବୁଲି ବୁଲି ଘର ଖୋଜନ୍ତି, କିନ୍ତୁ ମୂଖ୍ୟ, ତାଙ୍କର କିଏ ଜଣେ ଚିହ୍ନାଜଣା ଲୋକ ଏକ ନୂଆ ତିଆରି କରୁଥିବା ଭଡାଘର ପାଇଁ ଅଗ୍ରୀମ ଦେୟ ପୈଠ କରିଥିଲେ । ଶେଷକୁ ଘର ଖୋଜି ଖୋଜି ନୟାନ୍ତ ହୋଇ ସପରିବାର ରହିବା ଯୋଜନାରେ ସାଥିଟିକୁ ଘର ମିଳିଗଲା । କାରଣ ସେ ଥିଲେ କମ୍ବୟସର ଓ ତାଙ୍କ ସ୍କୁଲ୍ ଯାଉଥିବା ପିଲାଙ୍କ ପାଇଁ ବ୍ୟଥିତ ହୋଇ ଆଗକୁ ପରିବାର ଆଣିବା ଯୋଜନା ରଖି ସେ ଘର ଭଡା ନେଲେ । ତେଣୁ ମାସକ ପରେ ପରେ ଆଗପଛ ହୋଇ ସେ ଦୁହେଁ ଲଜ୍ରୁ ଚାଲିଗଲେ । ବିଚରା କର୍ତ୍ତାଟି ପୁଣି ଏକା ହୋଇଗଲା , କିଛି ପରବାୟ ନାହିଁ । ମନ ଦୃଢ ହୋଇଗଲା ମନର ଭାବନାରେ, ଯଥା – “ଆସିଛୁ ଏକା – ଯିବୁତୁ ଏକା – ଏକା ହୋଇ” । ତଥାପି ସାଥିଟିକୁ କର୍ତ୍ତା କହିଥିଲେ ନୂଆ ଘରେ ରହି ଗୋଟିକିଆ ବେଡ୍ରୁମ୍ ସହ ରୋଷଇଘର ଓ ପାଇଖାନା ଯୁକ୍ତ ଘରଟିଏ ତାଙ୍କ ପାଇଁ ନଜର ରଖିବାକୁ । ଏହି କିସମର ଭଡାଘର ମିଳିବା କଷ୍ଟକର ହୋଇଥାଏ । ଏହାର ଭଡାମାତ୍ରା ଅଧିକ ଥାଏ ଓ ଖାଲି ହେବାକ୍ଷଣି ଭଡାଟିଆ ଯୁଟି ଯାଆନ୍ତି । କାରଣ ତାଙ୍କପରି ଅନେକ ଲଜ୍ରେ ରହି ନିରନ୍ତର ଏତାଦୃଶ ଘର ସନ୍ଧାନରେ ଲାଗି ରହିଥା’ନ୍ତି । କିନ୍ତୁ ଚାକିରୀର ପରିଣତ ବୟସରେ ତାଙ୍କପରି ଘରଛଡା ହତାଶିଆଙ୍କ ସଂଖ୍ୟା ବି କମ୍ ନୁହେଁ । ଏମାନଙ୍କୁ ଠେଙ୍ଗୁଆ (Married Bachelor) କୁହାଯାଏ ଅର୍ଥାତ୍ ଏମାନେ ବିବାହିତ, ସନ୍ତାନ ସନ୍ତତି ପ୍ରାପ୍ତ ଓ ଜୀବନର ପ୍ରାୟ ଅଧାଭାଗ ପରିବାରଠାରୁ ବିଚ୍ୟୁତ ହୋଇ ଦୂର ଇଲାକାରେ ରହିବାକୁ ବାଧ୍ୟ ହୋଇଥା’ନ୍ତି । ପରିଣତ ବୟସରେ ମହିଳାମାନେ ପ୍ରାୟ ବିଭିନ୍ନ ରୋଗରେ କଷ୍ଟ ପାଇଥାଆନ୍ତି ଏବଂ ତା’ଙ୍କ ସହଧର୍ମିଣୀ ସେହି କିସମରୁ ଜଣେ । ମୁଖ୍ୟତଃ ପରିବାର ପାଇଁ ବାରବ୍ରତ, ତେରଓଷା ଆଦିରେ ଦେହ ଅସଜଡା ଯୋଗୁଁ ସେ ଜଣେ ପେଟରୋଗୀ । ପିଲାମାନେ ବାହାରେ ପଢୁଛନ୍ତି । ମଝିରେ ମଝିରେ ମାଆ ପାଖକୁ ଆସନ୍ତି ଅନେକ କାର୍ଯ୍ୟରେ । ରକ୍ତସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ଆଦି ଦରକାର ବେଳେ ସାହାଯ୍ୟ ନିଅନ୍ତି । ବିଚରା ଅତି କଷ୍ଟରେ କି ଯୋଗରେ ଘରଟିଏ ତୋଳିଥିଲା ଯେ, ତା’ର ରହିବା ହୋଇପାରିଲା ନାହିଁ । ଏ ପରିସ୍ଥିତିରେ ଯନ୍ତ୍ରଣା ଜର୍ଜରିତ ସହଧର୍ମିଣୀଙ୍କୁ ନିଜ ସ୍ୱାର୍ଥ ପାଇଁ ଏତେ ଦୂରକୁ ଆଣିବାକୁ ସାହସ ଯୁଟେନି, କାରଣ ବାଟରେ ଏତେ କଷ୍ଟ, ଗାଡି ଧକଡ ଚକଡ, ପେଟଗ୍ୟାସ୍, ବାନ୍ତି – ଓକାଳ, ଅନିନ୍ଦ୍ରା, ଖାଦ୍ୟହୀନତା, ମୁଣ୍ଡ ଚକ୍ରାକାରରେ ଘୂର୍ଣ୍ଣନ, ଅନ୍ୟାନ୍ୟ ଦୁଃଶ୍ଚିନ୍ତା ଆଦିରେ ନିଜ ଚକ୍ଷୁ ସାମ୍ନାରେ ସ୍ତ୍ରୀ’ର କଲବଲର ଦୃଶ୍ୟ ଓ ହୋଇପାରେ ଇହଧାମ ତ୍ୟାଗର ସମ୍ଭାବନା । ଏହାବାଦ୍ ରହିଛି ସାହାଯ୍ୟ ପାଉଥିବା ନିଜ ପ୍ରିୟ ପରିଜନଙ୍କ ନିରାଶ୍ରୟତା, ପିଲାମାନଙ୍କର ଏତେ ଦୂରରୁ ପାଠପଢାରେ କ୍ଷତି ଘଟାଇ ମାଆର ସାନ୍ନିଧ୍ୟ ଲାଭ କରିବାରେ ଭଟ୍ଟା ଇତ୍ୟାଦି କାରଣମାନ । ତେଣୁ ‘ମୋ ଜୀବନ ପଛେ ନର୍କେ ପଡିଥାଉ …….. ପ୍ରିୟ ପରିଜନଙ୍କର ଉଦ୍ଧାର ହେଉ’ ଓ ସ୍ତ୍ରୀ’ଟି ଆଉ କିଛି ଦିନ ବଞ୍ଚୁ, ହେଉଛି ମୂଖ୍ୟ ଉଦ୍ଦେଶ୍ୟ । ହେଉ ପଛେ ହୋଟେଲ୍ର ଚଢା ମୂଲ୍ୟର ଦୂଷିତ ଖାଦ୍ୟ ସେବନରେ ନିଜ ସ୍ୱାସ୍ଥ୍ୟର ଅଧୋପତନ, ନୂଆ ବଡ ଅଫିସ୍ରେ ଅତି ନ୍ୟୁନ ସଂଖ୍ୟକ କର୍ମଚାରୀଙ୍କ ସହ ଭୋକ ଉପାସରେ ରହି ଜୀବନ ବିକଳେ କାର୍ଯ୍ୟ ସମ୍ପାଦନ, ଅସୁବିଧାରେ ନିଜ ପରିବାରକୁ ହଠାତ୍ ସାହା ହୋଇ ନପାରିବାର କାରଣରୁ ଭାରାକ୍ରାନ୍ତ ମନକୁ ନେଇ କୋଠରୀରେ ଇତଃସ୍ତତଃ ବିଚରଣ ଓ ଦୁଃଶ୍ଚିନ୍ତାର ପ୍ରଭାବରୁ ନିଦ୍ରାହୀନତାର କଷଣ …… ଇତ୍ୟାଦିକୁ ଏ ରକ୍ତ -ମାଂସ ଯୁକ୍ତ ଶରୀର କେତେ ବା ବରଦାସ୍ତ କରିବ ? ତେବେ ଯାହା ହେଉ ଶରୀର ସୂକ୍ଷ୍ମ ଓ କ୍ଷୀଣ ହୋଇ ପଞ୍ଚତ୍ୱ ପ୍ରାପ୍ତ ପୂର୍ବରୁ ଘରଟିଏ ମିଳିଗଲା । ନିଜେ ରାନ୍ଧି, କିଛି ନହେଲେବି ଭାତ ଓ ଆଳୁ ଚକଟା ଖାଇ ହେବ ! ସେତିକିରେ ତ ପୁର୍ଣ୍ଣ ସନ୍ତୋଷ ମିଳିବ । ଏହାଠୁଁ ଅଧିକ ଆଶା ଆଉ ଦରକାର ନାହିଁ । ପୁରାଣ କହେ ଦିନେ ଜୀବାତ୍ମା (ଭକ୍ତ ସୁଦାମା)ର ଭୋକରେ ପରମାତ୍ମା (ଶ୍ରୀକୃଷ୍ଣ) ସେଇ ସମାନ ଭୋକରେ ଡହଳ ବିକଳ ହେଉଥିଲେ । କୃଷ୍ଣ – ସୁଦାମା ମିଳନରେ ଭକ୍ତର ମଳିଆ ଗାମୁଛାରେ ବନ୍ଧା ହୋଇଥିବା ଖୁଦଭଜା, ଯାହାକୁ ସୁଦାମା ଚରମ ଲଜ୍ଜାରୁ ବର୍ତ୍ତିବା ନିମିତ୍ତ ଲୁଚାଇ ରଖିଥିଲା ଓ ଭକ୍ତବତ୍ସଳ ଶ୍ରୀକୃଷ୍ଣ ପୁନଃ ବାଲ୍ୟସଖା ହୋଇ ସେ ଖୁଦଭଜାକୁ ଝାମ୍ପିନେଇ ଆନନ୍ଦରେ ଖାଇ ପରମ ସନ୍ତୋଷ ଲାଭ କରିଥିଲେ । ସତେକି ବିଶ୍ୱର ସବୁ ଅନାହାରକ୍ଳିଷ୍ଟ ପ୍ରାଣୀ ସେହି କ୍ଷଣରେ ଦିବ୍ୟ ଭୋଜନରେ ଆପ୍ୟାୟିତ ହେବାର ଅନୁଭବ କରୁଥିଲେ । ତେବେ ଏଇ ଆଳୁ ଚକଟା ଓ ଭାତ ନପାଇ କେତେଯେ ମାନବ ଜୀବନ ଅନାହାରରେ ଅକାଳରେ ଟଳିପଡୁଛି, ତା’ର ସଠିକ୍ ହିସାବ କିଏ ରଖୁଛି ? ଭାବବିହ୍ୱଳିତ ହୋଇ ସେ ନିମିଷକେ ଅନୁଭବ କଲାଯେ, ନିଜେ ଆଳୁ ଚକଟା ଓ ଭାତ ଖାଉଛି ଓ ବିଶ୍ୱର ସବୁ ଅନାହାରକ୍ଳିଷ୍ଟ ପ୍ରାଣୀ ମଧ୍ୟ ଖାଉଛନ୍ତି । ହେ ଈଶ୍ୱର ! ସର୍ବ ପ୍ରାଣରେ ଏ ଭାବନା ଜାଗିଉଠୁ ଓ କାର୍ଯ୍ୟରେ ପ୍ରତିଫଳିତ ହେଉ । ଏ ପୃଥିବୀ ଅନାହାରରୁ ମୁକ୍ତ ହେଉ । ସର୍ବଗ୍ରାସୀ ଓ ବଡ ହାକୀମବର୍ଗଙ୍କ ଠାରେ ଦିବ୍ୟତାର ପରିପ୍ରକାଶ ହେଉ । ଏହା କ’ଣ ଅସହ୍ୟ ଯନ୍ତ୍ରଣାର ତାତ୍ତ୍ୱିକ ପରିଭାଷା ନୁହେଁକି ?