କବିତା – ଶିଶୁର ହସରେ
ଶିଶୁର ହସରେ
———————
ଶାନ୍ତ ସ୍ନିଗ୍ଧ ଜୋଚ୍ଛନାର ଧାରା
ପୁଲକିତ ମଧୁମୟ ଧରା ।
ଶ୍ୱେତବସ୍ତ୍ରେ ତନୁ ଆଚ୍ଛାଦିତ
ସୁଶୀତଳ କୋମଳ ମରୁତ ।
କ୍ଷିପ୍ରବେଗେ ଧାବମାନ ଜରା
ପରିବ୍ୟାପ୍ତ ଅମୃତ ପସରା ।
ଭରିଦିଏ ଦିବ୍ୟଭାବ ମନେ
ଶିଶୁହସେ ଜନ୍ମେ ପ୍ରତିକ୍ଷଣେ ———- (୧)
ନୀଳ ନଭ ନୀଳ କଳେବର
ନିରାକାର ବ୍ରହ୍ମ ଚରାଚର ।
ଓଁ କାର ଧ୍ୱନିରେ ପ୍ଳାବିତ
ମକରନ୍ଦ ରସେ ଭରେ ଚିତ୍ତ ।
କି ସୁନ୍ଦର ! କି ନିରାଡମ୍ବର !!
ନାହିଁ ତିଳେ ଅହଂଭାବ ତା’ର ।
ସର୍ବ ଜୀବେ ଢାଳୁଛି ଆଶିଷ
ଶିଶୁ ହସେ ଏ ହୁଏ ପ୍ରକାଶ ———— (୨)
ଉଷା ନାଶ କରଇ ତିମିର
ହସିହସି ଆସଇ ଭାସ୍କର ।
ରମଣୀୟ ଲୋହିତ ବସନ
ପ୍ରବାହିତ ବିଶ୍ୱ ଭ୍ରାତୃ ପ୍ରେମ ।
କୋଟି ଜନ ମନ ନିଏ କିଣି
ସୁଲଳିତ ଢଳଢଳ ଠାଣି ।
ଆଧାର ସେ ସକଳ ଶକ୍ତିର
ଶିଶୁ ହସେ ଜାଗେ ନିରନ୍ତର ———– (୩)
ଫେନିଳ ତୋ ପୃଷ୍ଠ ରତ୍ନାକର
ସୀମାହୀନ ଚଳ ଓ ଚଞ୍ଚଳ ।
ଉତ୍ଫୁଲିତ ଅବିଶ୍ରାନ୍ତ କାୟା
ସୌମ୍ୟମୁଖ ଅଟେ ନିରିମାୟା ।
ତୋ’ର ସେହି ବ୍ରହ୍ମାଣ୍ଡ ଉଦର
ନାହିଁ ତିଳେ ଭେଦଭାବ ତା’ର ।
ଲାବଣ୍ୟନିଧି ନୀଳ ନୟନ
ଶିଶୁ ହସେ ଏ ଚପଳ ଜାଣ ———– (୪)
ଋତୁରାଜ ବସନ୍ତ ପରସେ
ବସୁନ୍ଧରା ବୁକୁ ହସିଉଠେ ।
କୋକିଳର ସୁଲଳିତ ତାନ
ଜଡ଼ ଅଙ୍ଗେ ଫୁଟଇ ଯୌବନ ।
ସୁବାସିତ କୁସୁମିତ ଚୂତ
ବିଭୋରିତ ମଧୁମିତ ନୃତ୍ୟ ।
ପ୍ରାଣପ୍ରିୟ ଚଇତାଳି ବାଆ
ଶିଶୁ ହସ କି ସୁନ୍ଦର ଆହା ! ——————– (୫)
କ୍ଷଣେ ଦେଖ ଯୁଗଳ ମୂରତି
ଧେନୁ ମୁଖେ ଜାଗେ ବତ୍ସା ପ୍ରୀତି ।
ନିଷ୍କପଟ ସହାସ୍ୟ ବଦନ
ବତ୍ସା ତା’ର କରେ ଦୁଗ୍ଧ ପାନ ।
ଲଭଇ ସେ ପରମ ସନ୍ତୋଷ
ଦିବ୍ୟ ଜ୍ୟୋତି ହୁଏ ଉଦ୍ଭାସିତ ।
ଚିରନ୍ତନ ପ୍ରେମ ଏ ଶାସ୍ୱତ
ଶିଶୁ ହସେ ହୁଏ ପ୍ରକଟିତ ————– (୬)
ବିସ୍ତାରିତ କାୟା ତରୁ ବଟ
ଛାୟା ଲୋଭେ ଧାଏଁ କ୍ଳାନ୍ତ ଘଟ ।
ନିଦାଘର ତପନେ ଅତିଷ୍ଠ
ପଥିକର କ୍ଳେଶ ହୁଏ ନାଶ ।
ଆଶ୍ରା ଦିଏ ନ କରି କପଟ
ହେଉ ପଛେ ବଇରୀ ବା ମିତ୍ର ।
ତା’ କ୍ଷମାର ନାହିଁ ପଟାନ୍ତର
ଶିଶୁ ହସେ ଶୋହେ ଏ ପ୍ରକାର ————— (୭)
ଶିଶୁ ହସେ ମିଳେ ମୋକ୍ଷଗତି
ପ୍ରାଣୀ ଲଭେ ଅପାର ଶକତି ।
ବାଳକୃଷ୍ଣ ଦିନେ ଗୋପପୁରେ
ହସିଥିଲେ ମାତା ସମ୍ମୁଖରେ ।
ମୁଖଗହ୍ୱରରେ ବିଶ୍ୱରୂପ
ଦର୍ଶନେ ଯଶୋଦା ହେଲେ କୃତ୍ୟ ।
ଶିଶୁରେ ନ କର ଅନାଦର
ଭବିଷ୍ୟମଣି ଏ ଧରଣୀର —————– (୮)