ପଞ୍ଚୁଆ ବଞ୍ଚିଛି

ପଞ୍ଚୁଆ ବଞ୍ଚିଛି

                                                                              ଭାଗ – ୧

୧୯୭୪ ମସିହାରୁ ମନରେ ଅଲିଭା ଦାଗ ସଦୃଶ ରହିଥିବା  ବାଲ୍ୟକାଳର ଏକ ଘଟଣା ନିରାକାର ବାବୁଙ୍କ ମନରେ ଉଙ୍କି ମାରିଲା । ଏହିପରି ଅସଂଖ୍ୟ ଘଟଣାବଳୀ ଅତୀତର ଚହଲା  ମନର ସ୍ମୃତି କୋଷରୁ ଜାଗିଉଠି ଥାଏ,  କିନ୍ତୁ ଭାଷାରେ ପରିପ୍ରକାଶ କରି ଲୋକ ଲୋଚନକୁ  ଆଣିବା ସହଜ ସାଧ୍ୟ ହୋଇ ନ ଥାଏ । ସ୍ଥାନ-କାଳ ପରିବେଶର ଏକ କ୍ଷଣିକ ସୁସ୍ଥତାରୁ ଆରମ୍ଭ ହୁଏ ଉକ୍ତ ପ୍ରବନ୍ଧର ରୂପରେଖ । ପିଲା ବେଳର କଥା,ସେତେବେଳେ ସେ ଷଷ୍ଠ ଶ୍ରେଣୀର ଛାତ୍ର । ସ୍କୁଲ୍‍ଟି ଘର ପାଖରୁ ପ୍ରାୟ ତିନି କିଲୋମିଟର ବାଟ । ନଦୀ ପାର ହୋଇ ଯିବାକୁ ପଡେ । ଆଷାଢ ମାସରୁ ଆଶ୍ୱିନ ମାସ ଶେଷ ଯାଏ ନଦୀ ପ୍ରାୟ ଉଛୁଳୁ ଥାଏ ଓ ସ୍ରୋତ ମଧ୍ୟ ପ୍ରଖର ଥାଏ । ଏହି  ସମୟ  ମଧ୍ୟରେ  ସ୍କୁଲ୍‍କୁ ଯିବା ଆସିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ଘରୁ ନଦୀ ଘାଟ ଯାଏ ଛୋଟ ଛୋଟ ନାଳ ଥାଏ, ଯାହା ପାଣି ଓ କର୍ଦ୍ଦମାକ୍ତ ଯୁକ୍ତ । କେଉଁଠି ଆଣ୍ଠୁଏ-ଜଙ୍ଘେ ପାଣିରେ ପଶିବାକୁ ପଡେ ତ କେଉଁଠି ଖାଲି ଆଣ୍ଠୁଏ କାଦୁଅରେ ପଶିଯିବାକୁ ପଡେ । ତାଙ୍କ ସାହିରେ କେବଳ ନିରାକାରର ବଡଭାଇ  ପ୍ରଭାକର ନବମ ଶ୍ରେଣୀ ପର୍ଯ୍ୟନ୍ତ  ପାଠପଢିଥିଲା । କିନ୍ତୁ ତା’ର ବଦ୍-ଗୁଣରୁ ପାଠପଢାରେ ଡୋରି ବନ୍ଧା ହେଲା । ସେତେବେଳେ ଆଉ ଟିକିଏ ଆଗକୁ ମାଡିଥିଲେ ସ୍କୁଲ୍‍ ମାଷ୍ଟର ହୋଇ  ପାରିଥା’ନ୍ତା ଅଥବା ସେହି ଯୋଗ୍ୟତାରେ ଭାରତୀୟ ସୈନ୍ୟବାହିନୀରେ ଚାକିରୀ ପାଇପାରି ଥା’ନ୍ତା । କାରଣ ସୈନ୍ୟ ବାହିନୀ ପାଇଁ ଘୋଷିତ ଶାରୀରିକ ଯୋଗ୍ୟତାର ମାପକାଠିକୁ ସେ ପୂର୍ଣ୍ଣ କରୁଥିଲା । କିନ୍ତୁ ବାପା’ମା ଅଭିଳାଷ ଯାହା ଥାଉନା କାହିଁକି, ପୁଅର ମନ ସେଆଡକୁ ନଥିଲା । କାରଣ ସେ ସେଠାରେ ପ୍ରଥମ ପାଠୁଆ, ଯୌବନର ପ୍ରଭାବ ଓ ଗ୍ରାମ୍ୟ ମାମଲତିରେ ଧିରେ ଧିରେ ପ୍ରବେଶ  କରିବାର  ଈଛାହିଁ ଏହାର କାରଣ ଥିଲା । ଯଦି ଭାଇଟି  ଚାକିରୀ କରିଥା’ନ୍ତା, ତାଙ୍କ ଘରର ଅଭାବ ଓ ଅନାଟନ ଏତେ ଅଧିକ ହୋଇ ନଥା’ନ୍ତା ।  ଭଲ ବ୍ୟାଗରେ ବହି-ଖାତା-କଲମ-ପେନସିଲ୍ କିଣି ଭରି ନେଇ ଥା’ନ୍ତା । ବର୍ଷାରୁ ରକ୍ଷା ନିମିତ୍ତ ଲମ୍ୱା ବେଣ୍ଟିଆ ଛତା ଧରି ଓ ଚପଲ ହଳେ ପିନ୍ଧିବାର ସୁଯୋଗ ବି ପାଇଥା’ନ୍ତା । ଖେଳଛୁଟିରେ ତା’ର ଖାଲି ହୋଇଆସୁଥିବା ପେଟ  ପୁନଃ ଖାଦ୍ୟ ଲାଳସାରେ ଡହଳ ବିକଳ ହେବା ଓ ତା’ର ସାଙ୍ଗ ସାଥି ମାନେ  ସ୍କୁଲ ପାଖ ବଜାରରୁ ଘୁଗୁନି, ସୋଲାଭଜା, ପାଉଁରୁଟି, ରଙ୍ଗବେରଙ୍ଗର ବିସ୍କୁଟ ଖାଉଥିବାର ଦେଖି ନିଜକୁ କେହି ଦେଖୁ ନଥିବା ଯାଗାରେ ଛିଡା ହୋଇ ଛେପ ଢୋକିବାହିଁ ସାର ହୋଇ ନ ଥା’ନ୍ତା । ପିଲା ମନ ହେଲେବି ସ୍ୱାଭିମାନ ଭରା । ତେଣୁ କ୍ଷୁଧାର ଜ୍ୱାଳାରେ ଯେତେ ମତିଭ୍ରମ ଘଟିଲେ ବି  କାହା ଆଗରେ ବିକଳ ହୋଇ ନତମସ୍ତକ ହେବା ସହ ଅନ୍ୟର ଘୃଣାରପାତ୍ର ହେବା ଅପେକ୍ଷା ସହିଯିବା ଭଲ ।  କାରଣ ସେ ସମୟରେ ଚତୁର୍ଦ୍ଦିଗରୁ ଖାଦ୍ୟ  ଅନାଟନର ହାୱା ।  ଘରେ ଖେଳଛୁଟିରେ ଖାଇବା କଥା କେହି ଚିନ୍ତା କରିବେ ବା  କାହିଁକି ? ଅନାଟନ  ପରିବେଶରେ  ଏ କଥା  କ’ଣ  କିଏ  ଭାବିପାରିବ ?  ତା’ର  ବଡଭାଇ  ହାତରେ  କିଛି  କିଛି  ପଇସା  ରହିଥାଏ । ସିଏ ପଢୁଥିବା  ବେଳେ  ନିଶୟ ଖେଳଛୁଟିରେ ଖାଉଥିବ । ସିଏତ ବଡ,  କିନ୍ତୁ  ନିରାକାର ତ ମଝିଆଁ, ଭାଇ-ଭଉଣୀ ଆଠ ଜଣ । ବାପା କୁହନ୍ତି  ବଡ ପୁଅ  ବାପାର-ସାନ ପୁଅ  ମାଆର ଓ  ମଝିଆଁ ପୁଅ ବାହାର, ଅର୍ଥାତ ନୁହେଁ କାହାର । ତେବେ କାହିଁ  ଆଉ କାହାକୁତ ପଢାଇଲେ ନାହିଁ , ବଡର ପାଠପଢାରେ ଡୋରି ବନ୍ଧା ହେବା ପରେ ଏ ମଝିଆଁଟାକୁ ପଢାଇବାର ପଛରେ କିଛି କାରଣ ଥାଇପାରେ । କିଛି ସକରାତ୍ମକ ଓ କିଛି ନକରାତ୍ମକ ଭାବ ଥାଇପାରେ । ସତ୍ୟକୁ ପଖାଳିବାର ଅଭ୍ୟାସରୁ ଘରେ ଅଶାନ୍ତି, ବିଲରେ ପରିଶ୍ରମ କରିବାରେ ଅବହେଳା, ଗାଁ’ରେ ଅନ୍ୟ ଛୁଆଙ୍କୁ ପ୍ରତିଦିନ ମାର୍ ଧର୍ କରି ଘରକୁ କଳହ ଟାଣିଆଣିବା, ଆବାଳ-ବୃଦ୍ଧ-ବନିତା ମାନଙ୍କୁ ନକଲ କରି କହିବାରୁ ହାସ୍ୟରୋଳ ଓ ପୁଣି ସେଥିରୁ ଅଶାନ୍ତି ସୃଷ୍ଟି ହେବା, ବହୁତ କଥା ମନେ ରଖି ପାରିବା ….. ଆଦି କାରଣ ବୋଧେ ବିଦ୍ୟାଳୟକୁ  ଯିବାର ବାଟ ଫିଟାଇଲା । ବାପା-ମା ନିଶ୍ଚୟ ଏ ପୁତ୍ରର ଅନ୍ତର୍ନିହିତ ଗୁଣମାନ ଜାଣିପାରି ବିଦ୍ୟାଳୟକୁ ପଠାଇବାର ସିଦ୍ଧାନ୍ତ ନେଇଥିଲେ । ସେତିକି ନ ହୋଇଥିଲେ ତାଙ୍କର ଏ ପୁତ୍ର ନର୍କଗାମୀ ନ’ହୋଇ ଥା’ନ୍ତା ବା କାହିଁକି ? ଧନ୍ୟ ସେ ପିତା-ମାତା ! ଅସହ୍ୟ ଦୁଃଖ,  ଯନ୍ତ୍ରଣା, ଅଭାବ,  ଅନାଟନରେ  ସଢିସଢି  ତାଙ୍କ ହୃଦୟ  କନ୍ଦରରୁ  ଅନବରତ ଆଶିଷ ପ୍ରାପ୍ତ  ଏ ପୁତ୍ର  ଆଜି ସମାଜରେ ଏକ ଉଚ୍ଚ ଆସନ ଲାଭ କରିପାରିଛି । ଖାଲି ସେତିକି ନୁହେଁ, ସୃଷ୍ଟିରେ ସବୁ  ସ୍ରଷ୍ଟା ତା’ଙ୍କ  ସର୍ଜନାର  ମଙ୍ଗଳ କାମନା  କରନ୍ତି । ଯେତେବେଳେ ଭାଇ-ଭଉଣୀ ମାନଙ୍କ ମଧ୍ୟରେ ବିଭିନ୍ନ କାରଣରୁ କଳହ ଅସହ୍ୟ ହୁଏ, ସେତେବେଳେ ମଙ୍ଗଳମୟୀ ମା’ ନିଜର ସନ୍ତାନ ସନ୍ତତିଙ୍କୁ ବିଭିନ୍ନ ବାର୍ତ୍ତା  ମାଧ୍ୟମରେ ସତର୍କ କରାଇ ଦିଅନ୍ତି , ଯଥା- “ବୀଜରୁ ବୀଜ ଅଙ୍କରନ୍ତି…… କିଏ ହୁଅନ୍ତି, କିଏ ନୁହନ୍ତି ଓ ମା’ ପେଟ କୁମ୍ଭାର ଉହା” । ଅର୍ଥାତ୍ ଏକଇ  ଗର୍ଭରୁ  ଜନ୍ମଲାଭ  କରିଥିବା ସନ୍ତାନ ମାନେ ସମାନ ନୁହନ୍ତି । ଏକ ହସ୍ତର ପାଞ୍ଚ ଆଙ୍ଗୁଳି ସମାନ ନୁହେଁ । ପ୍ରକୃତିରେ ସମ ଜାତୀୟ ଜୀବ ବା ଉଦ୍ଭିଦ  ମଧ୍ୟରେ ପ୍ରଭେଦ  ଦେଖାଯାଏ ।  ସୃଷ୍ଟି ଯେଉଁ ଭାବେ ସ୍ରଷ୍ଟାର  ନିରବ ବାର୍ତ୍ତା, ମୁଖ ନିସୃତ ଅସହ୍ୟ ବେଦନାର ବାର୍ତ୍ତା ଅଥବା ସୁସ୍ଥ ମନରୁ ଭାଷିଆସୁଥିବା ମଙ୍ଗଳ ଧ୍ୱନିକୁ ଗ୍ରହଣ କରେ,  ତାହାର  ଉନ୍ନତି  ବା  ଅବନତି ସେହି  ଧାରାରେ ହୋଇଥାଏ ।

ସେହି ସମୟର ପରିବେଶ,ପରିଚର୍ଯ୍ୟା,ଖାଦ୍ୟପେୟ, ରାସ୍ତାଘାଟ, ପରିବହନ,  ଯୋଗାଯୋଗ ଆଦିକୁ ବର୍ତ୍ତମାନ(୨୦୧୭)ସମୟ ସହ ତୁଳନା କଲେ ଆକାଶ ପାତାଳ ପ୍ରଭେଦ ଥିବାର ଅନୁଭୂତ ହୁଏ । ସେ ବେଳର ସହର ସଭ୍ୟତା ଓ ଗ୍ରାମ୍ୟ ସଭ୍ୟତା ମଧ୍ୟରେ ମିଶ୍ରଣକୁ ନେଇ ପ୍ରତିରୋଧର ଏକ ଦୃଢ ପ୍ରାଚୀର ଦଣ୍ଡାୟମାନ ରହିଥିଲା । ପାଠପଢା  ପ୍ରତି ଗ୍ରାମର  ଅଧିକାଂଶ ପରିବାର ମୁଁହ ମୋଡିବାର ଲକ୍ଷଣ ପରିପ୍ରକାଶ ହେଉଥିଲା । ଏହାର ମୂଖ୍ୟ କାରଣ ଥିଲା ଦାରିଦ୍ର୍ୟତା । ଯିଏ ପଢିଲା, ସିଏ ବେଳେବେଳେ  ପ୍ରାୟ  ଅନ୍ୟମାନଙ୍କ ଠାରୁ ହୀନ ମନ୍ତବ୍ୟର ଶୀକାର ହୁଏ ଓ ତତ୍ ସଙ୍ଗେସଙ୍ଗେ କିଛି ସହୃଦୟ ବ୍ୟକ୍ତିଙ୍କ ଦ୍ୱାରା ମଧ୍ୟ ଆକୃଷ୍ଟ ହେବାର କ୍ଷେତ୍ର ପ୍ରାପ୍ତ  ହୋଇଥାଏ । ମନର ଆଣ୍ଟିନା  ଯେଉଁ  ଦିଗକୁ ଢଳିଲା, ପରିପ୍ରକାଶ ସେହି ଧାରାରେ ହେବା ସୁନିଶ୍ଚିତ । ଯେହେତୁ ପିଲାମନ ତା’ର ଦୃଢ ନିଶ୍ଚିତ, ତେବେ ପାଠ ପଢା  ଦିଗକୁ ମନ ରହିଥାଏ ।  ତଥାପି ଗାଁ’ର ଅନ୍ୟ ପିଲା ମାନଙ୍କ ମୁକ୍ତ ବିଚରଣ, ଖେଳକୁଦ ଆଦିକୁ ଦେଖି ନିରାକାରର ମନ ବେଳେବେଳେ ସନ୍ତୁଳନ ହରାଇ ବସେ । ନିଜକୁ ସେଇ ଦିଗକୁ ନେଇ ଯିବାକୁ ଇଛା କରେ । ପିଲାମନ ଆନ୍ଦୋଳିତ ହୋଇଉଠେ । ଏମାନେ ତ କାହିଁ ସ୍କୁଲ ଯାଉ ନାହାନ୍ତି ଓ ଆରାମରେ ବୁଲୁଛନ୍ତି । ମୋତେ  ଦେଖି ହସୁଛନ୍ତି ଓ ସାଙ୍ଗରେ ଖେଳାଉ ନାହାନ୍ତି ।  ମନଟା  ଆମ୍ବିଳା ହୋଇଯାଏ ଓ ଘର ଉପରେ ରାଗ ଚିଡେ ।  କାହିଁକି ବାପା-ମା’ଙ୍କର କେବଳ  ମୋ ଉପରେ  ଏତେ  କଟକଣା ? ସବୁବେଳେ ତାଗିଦା । ସେମାନେ ନିଶ୍ଚିନ୍ତରେ  ବୁଲୁଥିବା ବେଳେ, ମୁଁ ବହି-ଖାତା ଧରି ବସେ ।  ମନ ହୁଏ  ଏତେ କଷ୍ଟକର  କଟକଣାରୁ  ବାହାରି  ମୁକ୍ତଭାବେ ବିଚରଣ କରିବାକୁ । ନିର୍ଦ୍ଦିଷ୍ଟ ସମୟ ସୀମାରେ ସବୁ  କରିବାକୁ  ସୁବିଧା ଲାଗେନାହିଁ । ଘର କଟକଣା, ସ୍କୁଲ୍‌ରେ ସାର୍‍ଙ୍କ ବେତ ମାଡ,  ପାଠ ମନେ  ରଖିବା  ଓ ଲେଖିବାର ବୋଝରେ ଅତିଷ୍ଠ ହୋଇଉଠେ ନିରାକାର । ସେ ଯାହା  ହେଲେ  ମଧ୍ୟ  ଧିରେ ଧିରେ କଟକଣା ମାନ ଅଭ୍ୟାସଗତ ହୋଇଯାଏ ଓ  ଗାଁ’ରେ  ସେ  ଅନ୍ୟମାନଙ୍କ ଠାରୁ ଅଲଗା  କିସମର ବୋଲି ବାରି ହୋଇଉଠେ ।

ସକାଳୁ ଘରେ ଓ ଗାଁ’ରେ ପ୍ରାୟ କେହି ସ୍ନାନ କରନ୍ତି ନାହିଁ । ଆଗେ ଖାଇଦେଇ ଘରକାମ, ବିଲକାମ ଆଦି ଯାହାର ଯାହା ସାରି, ପ୍ରାୟ ଅପରାହ୍ନକୁ ନଦୀରେ ଗାଧୋଇ  ଦିନର ମୂଖ୍ୟ ଖାଦ୍ୟ ଗ୍ରହଣ କରନ୍ତି । ସକାଳେ ସମସ୍ତେ ଯେତେବେଳେ ଖାଇବାକୁ ବସନ୍ତି, ନିରାକାର ମଧ୍ୟ ପାଠପଢା ବନ୍ଦକରି ନିଜର ଅଂଶ ଖାଇଦିଏ । ମା’ ମନା କଲେ ଶୁଣୁଛି କିଏ ?  ଚିନ୍ତା କରେନି ତା’ର ସ୍କୁଲ୍‍ ଯିବା ସମୟ ଡେରି ଅଛି ଓ ୯’ଟା ବେଳକୁ ଗାଧୋଇ-ଖାଇ ବାହାରିବ ବୋଲି । ସ୍କୁଲ୍‍ ଯିବା ସମୟ ହୋଇ  ଆସିଲେ  ତରବରରେ  ନଈରେ ଦୁଇ ଚା’ରି ବୁଡ ମାରି ବାହାରିପଡେ ନିଜର ବହି-ବସ୍ତାନି ସହ । ଆଦୌ ସ୍କୁଲ୍‍ ଯିବାକୁ ମନ ନ’ଥାଏ । ମୁକ୍ତଭାବେ ବୁଲିବାର ପ୍ରବଳ ଈଛା ! ଅର୍ଗଳି  ଭିତରେ  ପଶିବା  ପରି ଲାଗୁଛି । ଡରେମରେ ଏତାଦୃଶ ଭାବକୁ ମନ ଗହନରେ ଚାପି ରଖି ସ୍କୁଲ୍‍କୁ ଯାଏ । ପାଠତ ଭଲ ହେଉଛି । କିନ୍ତୁ ଓଲଟା ଭାବନା  ମନରେ  ଜାଗିବାର କାରଣ ଅନେକ । ଅନ୍ୟ ପାଖାପାଖି ଗାଁ’ରୁ ପିଲାମାନେ ଗୋଟିଏ ଘାଟରେ ପାର ହୋଇ ସ୍କୁଲ୍‍ ଯାଆନ୍ତି । ସେମାନେ ପାଠପଢା , ବିଶ୍ଳେଷଣାତ୍ମକ  ଚିନ୍ତାଧାରା ଓ ବୌଦ୍ଧିକତା ଆଦି ଦୃଷ୍ଟି କୋଣରୁ  ନିରାକାର ଠାରୁ ନିମ୍ନ ମାନର ହେଲେ ମଧ୍ୟ ଆନନ୍ଦରେ ହସି ଖେଳି, ସାଙ୍ଗ ସାଥି ହୋଇ ଯାଉଥିବା ବେଳେ  ଏ ବିଚରା  ଚିନ୍ତା ଜର୍ଜରିତ ମନରେ ମୁହଁ ଶୁଖାଇ ଚାଲୁଥାଏ । କାରଣ  ସେମାନଙ୍କ ସାମାଜିକ ଚଳଣି ଆଦି ନିରାକାରର ଘର ଠାରୁ ଉଚ୍ଚ ମାନର । ସବୁର  ପଛରେ ଧନର  କାର୍‍ନାମା । ଖେଳଛୁଟିରେ ସ୍କୁଲ୍‍-ପାଖ ବଜାରରୁ ଖାଇବା ପାଇଁ ଘରୁ କିଏ  କେତେ ପଇସା ଆଣିଛି ଓ କ’ଣ କ’ଣ ଖାଇବେ ଆଦି ବିଷୟରେ ପରସ୍ପର ମଧ୍ୟରେ  ଗପସପ ହୋଇ ଚାଲିଥା’ନ୍ତି । ବିଚରା ନିରାକାର ଏ ଗପରେ ସେମାନଙ୍କ ସାଥୀରେ  ସାମିଲ୍‍ ହେବାପାଇଁ ସବୁ ରାସ୍ତା ତା’ର ବନ୍ଦ୍‍ । କାରଣ ଖେଳଛୁଟିରେ  ଖାଇବା  ପାଇଁ ଘରେ କେବେ ପଇସା ଯାଚି ନାହାନ୍ତି ଓ ସେ କେବେ ମାଗି ନାହିଁ । ଘରର ପରିସ୍ଥିତିକୁ ଚାହିଁ  ସେ କେବେ ମାଗିନାହିଁ ଓ ଯଦି ମାଗେ, ଦେବେ ନାହିଁ ତ,  କିନ୍ତୁ ତା’  ବଦଳରେ ଗାଳି ମିଳିବାର ସମ୍ଭାବନା ନିଶ୍ଚିତ ଭାବେ ରହିଛି । ତେଣୁ ଏ ଲଜ୍ଜାକର ପରିସ୍ଥିତିକୁ ଏଡାଇ ନିଜେ  ଚୁପ ରହିବା ଶ୍ରେୟସ୍କର ଅଟେ । ଖେଳଛୁଟିରେ ଖାଇବାକୁ ମାର୍‍ ଗୁଲି କିନ୍ତୁ ଅପମାନରୁ ତ ରକ୍ଷା ମିଳିବ !

ଦିନ ପରେ ଦିନ ଗଡିଚାଲେ । ପ୍ରତିଦିନ ଖେଳଛୁଟି ଘଣ୍ଟା ବାଜିଲେ ପିଲାମାନେ କୋଳାହଳରେ ବାହାରକୁ ଧାଇଁ ଆସନ୍ତି ଓ ସେମାନଙ୍କ ସହ ନିରାକାର ମଧ୍ୟ ।  ସ୍କୁଲ୍‍ଟି ବଜାରର  ଏକ   ପ୍ରାନ୍ତରେ ଓ ସେ ସମୟରେ ଆଠ-ଦଶଟି ଦୋକାନକୁ ନେଇ ବଜାର । ପ୍ରତି ସୋମବାର ଏବଂ ଗୁରୁବାରରେ ହାଟ ବସେ । କିନ୍ତୁ ଖେଳଛୁଟି  ସମୟକୁ  କେତେକ  ହାତ ଗଣତି  ଲୋକ, ପିଲାଙ୍କ ସେହି ସମୟର ଖାଦ୍ୟ ରୁଚିକୁ ଚିନ୍ତାକରି ଆଣିଥା’ନ୍ତି ଓ ହାଟର ମଧ୍ୟସ୍ଥଳରେ ପସରା ମେଲାଇ  ଦିଅନ୍ତି । ସେମାନଙ୍କ ମଧ୍ୟରୁ  ଜଣଙ୍କ  ପାଖରେ ବେଶି  ଭିଡ ଜମେ । ସେହି ଲୋକଟି  ଘରୁ ଘୁଗୁନି ତିଆରି କରି ଏକ ବଡ ଡେକ୍‍ଚିରେ ଆଣିଥାଏ ।  ପତ୍ରଠୁଙ୍ଗା ଓ ତାଳ ବରଡାକୁ କାଟି ଛୋଟ  ଚାମଚର କାର୍ଯ୍ୟ ତୁଲାଇବା  ହିସାବରେ ଆଣିଥାଏ । ଘୁଗୁନି କିଣିବାର ସର୍ବନିମ୍ନ କାରବାର ଦଶ ପଇସାରୁ ଆରମ୍ଭ । ସେତିକି ପଇସାରେ ଠୁଙ୍ଗାରେ ଅଧା  ଭରି ଦିଏ  ଓ ତାଳପତ୍ର ଚାମଚରୁ ଖଣ୍ଡେ । ତାହା ଆଜିର  ବଜାରରେ ପ୍ରାୟ ଦଶ ଟଙ୍କା ହେବ । ସେତେବେଳେ ଘୁଗୁନିର ସିଝା ମଟରର ଆକାର ଆଜିର ଆକାର ଠାରୁ ବଡ ଥିଲା,  ଯାହାର ରୂପରେଖ ଅର୍ଥାତ୍‍ ସେ ବଡବଡ ଟୁମୁକା  ଟୁମୁକା ମଟର ଦାନା ଆଜିବି ନିରାକାର ବାବୁଙ୍କ ଆଖି ସାମ୍ନାରେ ଜଳଜଳ ଦୃଶ୍ୟମାନ ହେଉଛି । ତେବେ କ’ଣ ଶସ୍ୟ  ଦାନାର ଆକାର ଧିରେଧିରେ କମୁଛି ? କିନ୍ତୁ ହାଇବ୍ରିଡ୍‍  କଥା ତ  ନିଆରା । ଫୁଲୁକା ଫୁଲୁକା ମଟର ଦାନା ଗୁଡିକ ମୋଟା-ବହଳିଆ ଝୋଳ ଦ୍ୱାରା ସଂଯୁକ୍ତ ହୋଇ ରହିଥାଏ । ଝୋଳର ସାନ୍ଦ୍ରତା ଅଧିକ ଥିବାରୁ ବରଡା ଚାମଚରେ ଖାଇବା  ସମୟରେ ବୋହିପଡେ ନାହିଁ । ପିଲାମାନେ ଦଶ ଦଶ ପଇସାରେ କିଣିନେଇ ବିଭିନ୍ନ ଭାବ  ଭଙ୍ଗୀରେ ଖାଇବାରେ ଲାଗନ୍ତି । ମଝିରେ ମଝିରେ ଘୁଗୁନି ବିକାଳି  ଏକ  ହାତ  ତିଆରି ଛୋଟ  ଧାତବ ଡାକବାଜି ଯନ୍ତ୍ର (ଛୋଟ ତୂରୀ ସଦୃଶ) ରେ ମୁହଁ ଲଗାଇ ଓ ମୁଣ୍ଡହଲାଇ,ଗୀତ-ତାଳ-ଲହରୀ ମିଶା କଣ୍ଠରେ ଚିଲାଏ –

ଘୁଗୁନି କିଏସେ ଖାଇବ ଆସ

ଏଥିରେ ମିଶିଛି ନଡିଆ ରସ

…………………………

…………………………..

ସେ ଲୋକଟିର ଚେହେରାରୁ ଜଣାପଡେ ବୟସ ପଚାଶ ପାଖାପାଖି , କଳାବର୍ଣ୍ଣ, ଡେଙ୍ଗା ଓ ମଜ୍‍ବୁତିଆ । ତା’ର ଘୁଗୁନି ଶ୍ଳୋକ ସମ୍ପୂର୍ଣ୍ଣ ମନେ ନ ଥିବାରୁ  ନିରାକାର ବାବୁଙ୍କର  ସବୁଦିନ ପାଇଁ ଅବଶୋଷ ରହିଗଲା । କିନ୍ତୁ ନିରାକାରର କର୍ଣ୍ଣରେ ‘ନଡିଆ ରସ’ ଶବ୍ଦଟି  ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟିକରେ । ସେ ଆନନ୍ଦିତ ହୁଏ ଓ ଭାବେ ଯେ, ନଡିଆରୁ ରସ  ବାହାର କରି ନିଶ୍ଚୟ ଘୁଗୁନିରେ ମିଶାଇ ଥିବ । ଫଳରେ ଏହା ଅଧିକ ସ୍ୱାଦଯୁକ୍ତ ହୋଇଥିବ  ନିଶ୍ଚୟ । ଖେଳଛୁଟି ଘଣ୍ଟା ଶବ୍ଦ ଓ ପିଲାଙ୍କ ହୋ-ହାଲ୍ଲା  ହୋଇ କ୍ଲାସ୍‍ରୁ ବାହାରିବା  ସମୟରେ ସେ ମଧ୍ୟ ଅନ୍ୟମନସ୍କରେ ଘୁଗୁନିବାଲା ପାଖରେ ପହଞ୍ଚି ଯାଇଥାଏ । କିନ୍ତୁ ହଠାତ୍‍ ଚେତନାଯୁକ୍ତ ହୋଇଉଠେ ଏବଂ ଅଟକିଯାଏ, କାରଣ ତା’ପାଖରେ ପଇସା ନାହିଁ । ପିଲାମାନେ ଲୋକଟି ଚତୁଃ ପାର୍ଶ୍ୱରେ ଘେରିଯାଇ ଓ ଦଶ ଦଶ ପଇସାରେ ଘୁଗୁନି ନେଇ ବରଡା ଚାମଚରେ ଖାଇବାରେ  ଲାଗନ୍ତି । ଦୂରରୁ ରହି ସେ ଏଗୁଡ଼ିକୁ ନିରୀକ୍ଷଣ କରେ ଗୋଟିଏ ପିଲାର ଖାଇବା ଶୈଳୀ ପ୍ରତି ସେ ଆକୃଷ୍ଟ ହୋଇଉଠେ । ପିଲାଟି ତା’ଙ୍କ କ୍ଲାସ୍‍ର ଓ ଏବେ ତା’ର  ନାଁ  ମନେ ପଡୁନି । ପିଲାଟି ଛନଛନିଆ, ଗୋରା, ହୃଷ୍ଟପୃଷ୍ଟ, ପେଟୁଆ, ମୁଖମଣ୍ଡଳ ତେଜଯୁକ୍ତ ଓ ଗାଲଦ୍ୱୟ ପୁଚୁକା ପୁଚୁକା । ପ୍ରତିଥର ବରଡା ଚାମଚରେ ପ୍ରାୟ ତିନି ଚାରୋଟି ମଟରଦାନାଯୁକ୍ତ  ବହଳିଆ ଝୋଳ ଘୁଗୁନି ପାଟିରେ ପୁରାଏ । କାରଣ ସେ ବରଡା ଚାମଚରେ ସେତିକିହିଁ  ଧରେ । ତା’ର ପାଟିରେ ଚାମ୍‌ଚେ ଘୁଗୁନି ପଶିବା  ମାତ୍ରେ ଗାଲଦ୍ୱୟ ଦୁଇପଟକୁ ପ୍ରାୟ ଅଧଇଞ୍ଚ ଆହୁରି ଫୁଲିଯାଏ ଓ ମୁଖମଣ୍ଡଳ ଆହୁରି ଆକର୍ଷଣୀୟ ହୋଇଉଠେ । ବୋଧହୁଏ ଅତିବ ସ୍ୱାଦ ହୋଇଥିବା ଘୁଗୁନିର  ପ୍ରଭାବରେ ପାଟିରୁ ସବୁ ପ୍ରକାରର ପାଚକ ରସ ଝରି ଏହାହିଁ  ଘଟାଉଥିବ । ଏମିତି ଅବିରାମ ଗତିରେ ସେ ଖାଇଚାଲେ, ଅନ୍ୟମାନେ ଆସିବା ପରେ ବି । ଏବେ  ନିରାକାର ଭାବୁଛିଯେ, ସେ କ’ଣ ଏକ ମହା ଖାଦକ ନାଁ ବ୍ରହ୍ମଗିଳା ଥିଲା !  ଏମିତି ଖାଇଚାଲିଲେ ବିଶ୍ୱରେ ସଞ୍ଚିତ ଥିବା ଖାଦ୍ୟଭଣ୍ଡାର ତ ଅବିଳମ୍ବେ  ନିଃଶେଷ  ହୋଇଯିବ ?

ସେ ଯାହା ହେଉନା କାହିଁକି, ନିରାକାରର ଏତାଦୃଶ ନିରୀକ୍ଷଣ ପ୍ରାୟ ଷଷ୍ଠରୁ ସପ୍ତମ ଶ୍ରେଣୀ ଯାଏଁ ଚାଲୁରହିଥାଏ ।  କିନ୍ତୁ ନିରୀକ୍ଷଣ ସମୟରେ ସେ ଅତି ସତର୍କ ରହିଥାଏ, କାରଣ ତା’ର ଚିହ୍ନା ବା ଅଚିହ୍ନା ଯେ ଦେଖିଲେ ବି ନିଶ୍ଚୟ ଖରାପ୍‍ ଭାବିବେ । ସେମାନେ ଘରେ କହିଦେଲେ ଗାଳିର ମାତ୍ରା ବଢିଯିବ, ତା’ର ଏ ହୀନ କର୍ମପାଇଁ । କିନ୍ତୁ ସେ ଏମିତି ଯାଗାରେ ଠିଆହୋଇ ଏପରି ନିରୀକ୍ଷଣ କରୁଥାଏ ଯେ, ତା’ର ସୁରାକ୍‍ କେହି ପାଆନ୍ତି ନାହିଁ । ନିଜଲୋକ ପାଖରେ ଆସି ଗପିଲେ ବି  କିଛି ଜାଣି ପାରନ୍ତି ନାହିଁ । ଏଥିରୁ ସେ ଅପୂର୍ବ ଆନନ୍ଦ ପାଏ ଓ ନିଜର ଭୋକ ଶୋଷ ଭୂଲିଯାଏ । ସେ ଜାଣିଥିଲା ଖେଳଛୁଟି ଖାଇବା ବାବଦକୁ ଘରେ  କେହି ଯାଚିକରି  ପଇସା ଦେବେନି ଓ ସେ ମଧ୍ୟ ଆଦୌ ମାଗିବ ନାହିଁ । ତେଣୁ ଲାଳାୟିତ ହେବ କିଆଁ ? ତେଣୁ ସେ ଦିଗରୁ ମନକୁ ସେ ସମ୍ପୂର୍ଣ୍ଣ ବିମୁଖ କରିଦେଇଥାଏ ।  ଦୁଃଖର ବିଷୟ ହେଲା ଦୁଇ ବର୍ଷ ଧରି  ସେ ଖାଲି  ଘୁଗୁନି ଦେଖି ଦେଖି ଓ ଶ୍ଳୋକ ଶୁଣିଶୁଣି ରହିଲା, କିନ୍ତୁ ସ୍ୱାଦ ଚାଖି ପାରିଲା ନାହିଁ । ସୁଖର ବିଷୟ ହେଲା ସେ ସ୍ୱାଦଯୁକ୍ତ  ଘୁଗୁନି  ଖାଇବାକୁ ଆଦୌ ଲାଳାୟିତ ହୋଇ ନ ଥିଲା  କିମ୍ବା ତା’ର ଜିଭରୁ ଲାଳ ଜକେଇ ନ ଥିଲା । ଏହା ପଛରେ ନିହିତ ଥିଲା ତା’ର ସ୍ୱାଭିମାନ  ଓ ନିମ୍ନ ଚେତନାଯୁକ୍ତ  ହୋଇ ତଳକୁ ଖସି ନ ଯିବା କିମ୍ବା  କାହା ଆଗରେ ହାତ ନ  ପତେଇବା । ଏହା ଜାଗି ଉଠିଥିଲା ତା’ର ପିତା-ମାତାଙ୍କ ଈଶ୍ୱରୀୟ ସଂସ୍କାରରୁ । ହେ ମୋର ପରମ ପୂଜ୍ୟ  ପିତୃଦେବ ଓ ପରମ ପୂଜ୍ୟା ମାତୃଦେବୀ ! ତୁମର ଆଶୀର୍ବାଦରୁ ମୁଁ ଆଜି  ସୌଭାଗ୍ୟଶାଳୀ ହେବା ସହ ଈଶ୍ୱରୀୟ ସତ୍ତାର ଅନୁଭବ କରିପାରୁଛି । ହେ ଈଶ୍ୱର ! ତୁମର  କୃପାରୁ ମୋର ଘୁଗୁନି ଖାଇବାର ଲାଳସାରୂପୀ ରିପୁ  ଦମନ ହୋଇ ଯାଇଥିଲା  ଓ ମୁଁ କାହା ଆଗରେ ଛୋଟ ହୋଇଯାଇ ନ ଥିଲି । ହେ ଭାବଗ୍ରାହୀ ! ତୁମେ ଭାବର  ଅଧୀନ । ଏ ଭାବ ହିଁ ସମଗ୍ର ବିଶ୍ୱକୁ ବାନ୍ଧି ରଖିଛି ।

ବିଜ୍ଞାନ କହେ, ଏ ବିଶ୍ୱ ପ୍ରାୟ ଚାରି ପ୍ରକାର ଭାବରେ ବାନ୍ଧି ହୋଇ ରହିଛି । ମହାକର୍ଷଣୀୟ ଭାବ (Gravitational Interaction), ବିଦ୍ୟୁତ୍‌-ଚୁମ୍ବକୀୟ ଭାବ (Electro- Magnetic Interaction), ଦୁର୍ବଳ ଭାବ (Weak Interaction) ଓ ନାଭିକୀୟ ବା ଦୃଢ ଭାବ(Nuclear Interaction) । ସୂକ୍ଷ୍ମରୁ ସ୍ଥୂଳ ଜଗତ ଯାଏଁ ଏହା ପରିବ୍ୟାପ୍ତ । ପରମାଣୁର ନାଭିକ(Nucleus)ମଧ୍ୟରେ ଥିବା ପ୍ରୋଟନ୍‌-ନିଉଟ୍ରନ୍‍(Proton-Neutron)ବିଘଟନ ପ୍ରକ୍ରିୟାରେ କ୍ରିୟାରତ  କ୍ୱାର୍କ(Quark), ଗ୍ଲୁଅନ୍‍(Gluon), ଈଶ୍ୱର କଣିକା(God Particle)ଠାରୁ ଆରମ୍ଭ କରି ସଚରାଚର ବ୍ୟାପି ଯାଇଛି ଗ୍ୟାଲାକ୍ସିଗୁଡିକ ମଧ୍ୟରେ । ହେ ଭାବଗ୍ରାହୀ ! ତୁମର ଏ ଭାବମୟ ବିଶ୍ୱରେ ଯେଉଁ ସୀମାହୀନ ମହାଜାଗତିକ ପ୍ରକ୍ରିୟା(Cosmic Process) ଅହରହ ଚାଲିଛି, ତାହା କ’ଣ ଏହି ଚାରି ପ୍ରକାର  ଭାବ  ମଧ୍ୟରେ  ସୀମାବଦ୍ଧ ! ଆଜିର ମାନବୀୟ ବିଜ୍ଞାନ  ଜଗତ ଏହା ଜାଣିବାକୁ ବ୍ୟାକୁଳ । ବିଜ୍ଞାନଗାରରେ ଯାନ୍ତ୍ରିକ କୌଶଳ କିମ୍ବା ବାହ୍ୟ ପର୍ଯ୍ୟବେକ୍ଷଣ ଦ୍ୱାରା ଏହାର  ଭେଦ କ’ଣ  ସତରେ ଜାଣିହେବ ?

ଭାବହିଁ ଜୀବନର  ମୁଳବିନ୍ଦୁ ଓ ଏହା ଯୁଗେ ଯୁଗେ ପ୍ରମାଣିତ । ଈଶ୍ୱରୀୟ ଚେତନା, ସଂସ୍କୃତି, ପ୍ରକୃତିର ଅଭିନବ ରୂପର ପର୍ଯ୍ୟବେକ୍ଷଣ, ଚିନ୍ତନ ……. ଆଦିର ସମାହାରରୁ ପୃଥିବୀର କୃତ୍ରିମ ବାହ୍ୟ ରୂପରେଖ ଶୋଭା ପାଉଛି । ପରନ୍ତୁ ଲୁକ୍‍କାୟିତ ହୋଇ ରହିଯାଉଛି କାହିଁ କେତେ ଗଠନମୂଳକ ଜ୍ଞାନ ସାଗରର ଢେଉ । ଅନେକ କ୍ଷେତ୍ରରେ ଏହା ଦାରିଦ୍ର୍ୟର କଷାଘାତରୁ ଘଟୁଥିବାର ପରିଲକ୍ଷିତ ହୁଏ । ସମାଜରୁ ଦାରିଦ୍ର୍ୟତା ରୂପୀ ବିଷାକ୍ତ କୀଟର ବିନାଶ ସମ୍ପୂର୍ଣ୍ଣଭାବେ  ନ ହୋଇ  ପାରିଲେ ବି ଅନେକାଂଶରେ ହୋଇ ପାରିବ । ଦରିଦ୍ର ବ୍ୟକ୍ତିଟି ସମାଜ ପାଇଁ ବୋଝ ନୁହେଁ କିମ୍ବା କାହାର ଦୟାର ପାତ୍ର ବୋଲି ଭାବିବା ଅନୁଚିତ । ଦାରିଦ୍ର୍ୟତା ପ୍ରତି  କୁଠାରଘାତ, ଆକ୍ଷେପ, ହୀନ ଦୃଷ୍ଟିପାତ ନ କରି  ସେମାନଙ୍କର ଦୃଢ ମନୋବଳ ବୃଦ୍ଧି ନିମିତ୍ତ  ବାରମ୍ବାର ଗଠନମୂଳକ ପରାମର୍ଶ ଦେବା ଆବଶ୍ୟକ । ମନୋବଳ  ବୃଦ୍ଧି ହେଲେ ଦାରିଦ୍ର୍ୟତାର କଷାଘାତରୁ ରକ୍ଷା ପାଇବା ପାଇଁ ସେମାନେ ସଂଗ୍ରାମ ଜାରି ରଖିବେ ଓ କଠିନ ପରିଶ୍ରମ କରି ଆଗେଇ ଚାଲିବେ । ନତମସ୍ତକ ହୋଇ  ହାତ ପତାଇବାର କ୍ରିୟାରୁ ନିବୃତ୍ତ ହେବେ ଓ ସ୍ୱାଭିମାନ ଭରା ହେବେ । ଯଦି ଘୁଗୁନି  ବିକାଳି ନିରାକାରକୁ ଦୟା ପରବଶ ପୂର୍ବକ ମାଗଣାରେ ଘୁଗୁନି ଖାଇବାକୁ  ଦେଇଥା’ନ୍ତା, ତାହା ନିରାକରର ଦିବ୍ୟ ବୌଦ୍ଧିକ ଚେତନାକୁ କ୍ଷତି ପହଞ୍ଚାଇଥା’ନ୍ତା ଓ ସେହି ମୂହୁର୍ତ୍ତରୁ ତା’ର ଅଧୋପତନ ଆରମ୍ଭ ହେବାଦ୍ୱାରା  ମାଗଣା ମିଳିବାର  ଲାଳସା ଅହେତୁକ ଭାବେ ବୃଦ୍ଧି ପାଇ ଥା’ନ୍ତା । ଏ ନିରାକାର ଏକ ସାମାଜିକ କଳଙ୍କ ରୂପେ ଉଭା  ହୋଇ ନ ଥା’ନ୍ତା  ବା  କାହିଁକି ?  ଏଠାରେ ଭାବିବାକୁ ପଡିବ ଯେ, ଘୁଗୁନି ବିକାଳି ଦୁଇ ବର୍ଷ କାଳ ପିଲାଟିକୁ ଦୂରରେ ଛିଡା ହେବାର ଦେଖିଛି ଓ ସେ ତା’ ପାଖରୁ  ଦିନେ ବି  ଘୁଗୁନି କିଣିନାହିଁ । ବହୁବାର ସେ ନିରାକାରକୁ ଅନାଇଛି, ଯାହା ଅନୁଭୂତ ହୋଇଛି ପିଲାଟିର ତୀର୍ଯ୍ୟକ୍‍ ଅବଲୋକନରୁ । କିନ୍ତୁ ନିରାକାର ମୁଖମଣ୍ଡଳରେ ଏମିତି ଭାବ ଫୁଟାଇଛି ଯେ, ସତେକି ସେ କ୍ଷୁଧା-ତୃଷାରୁ ଅନେକ ଉଚ୍ଚରେ । ତା’ର ମୁଖଟି ମଧ୍ୟ ଘୁଗୁନି ଆଦୌ ନ’ଖାଇବାର ଆଭାସରେ ପ୍ରତିଫଳିତ ହୋଇଥାଏ । ଘୁଗୁନି ବିକାଳି ତା’ର ପରିଶ୍ରମର ଘୁଗୁନି କାହିଁକି ବା  ମାଗଣାରେ  ନିରାକାରକୁ ଦେବାକୁ ଆଗେଇ ଆସିବ  ଅଥବା ଭବିଷ୍ୟତରେ ସେ ଜଣେ ବଡ ମଣିଷ ହେବାକୁ ଭାବିବ ? କିନ୍ତୁ  ଏହାର ପ୍ରଚ୍ଛଦ ପଟ୍ଟରେ ଥିବା ସୁପ୍ତ ଈଶ୍ୱରୀୟ  ଚେତନାରେ  ଜାଗି ଉଠିଛି ନିରାକାର  ଓ ନିଜସ୍ୱ ପରିଶ୍ରମକୁ ଅଗ୍ରାଧିକାର ଦେଇଛି ସେ । ଏହା ଥିଲା ତା’ର ସମ୍ପୂର୍ଣ୍ଣ ଅଲଗା ଓ  ଏକୁଟିଆ ହୃଦୟର ଭାବ, ଯାହା ଅଦ୍ୟାବଧି କାହାସହ ବିନିମୟ ହୋଇ ନ ଥିଲା । ଅଧୁନା ଏହା ସର୍ବ ସମ୍ମୁଖରେ ଅଜାଡି ଦିଆଗଲା ।  ସେହିଦିନୁ ସେ  ଅକେଲା ଚାଲିଥିଲା । ତେଣୁ ଏଠାରେ ବିଶ୍ୱକବି  ରବିନ୍ଦ୍ରନାଥ ଠାକୁରଙ୍କ ଏକ  ଉକ୍ତି ମନେ  ପଡେ – “ଅକେଲା ଚଲୋ ଅକେଲା ଚଲୋ ଅକେଲା ଚଲୋରେ ………” । ଏହି ଚେତନାର  ପ୍ରତିଛବି ଫୁଟିଉଠେ ମହାନ୍‍ ପଦାର୍ଥ ବିଜ୍ଞାନି  ମାକ୍ସ୍‍ ପ୍ଲାଙ୍କ୍‍ଙ୍କ କ୍ୱାଣ୍ଟମ୍‍ ତତ୍ତ୍ୱ (Quantum Theory of Max Planck)ରେ | ଆଲୋକ ରଶ୍ମିର ତରଙ୍ଗ ପ୍ରକୃତି(wave nature) ଭିନ୍ନ ଅନ୍ୟ ଏକ ପ୍ରକୃତି ଅଛି ତାହା  ହେଲା କଣିକା  ପ୍ରକୃତି (particle nature) । ଏହି ପ୍ରକୃତି କହେ, ଆଲୋକହିଁ ଧାବମାନ ବସ୍ତୁତ୍ୱ ବିହୀନ କଣିକାର ସମାହାର, ଯାହାକୁ କୁହଯାଏ ଫୋଟନ୍‍(Photon) ।  ଏ କଣିକା ଶକ୍ତିଯୁକ୍ତ ଓ ଅହରହ ଧାବମାନ ସେତେବେଳ ଯାଏଁ, ଯେତେବେଳେ ଏହାର ଶକ୍ତି ବିନିମୟ ନ ହୋଇଛି । ଏ କଣିକାର ପ୍ରକୃତି ହେଲା ଯେ, ଏହା ନିଃଶବ୍ଦରେ ଆଲୋକ ବେଗରେ ଧାଏଁ ଓ ଶକ୍ତି ବିନିମୟ ସମ୍ପୂର୍ଣ୍ଣଭାବେ କରେ, କିନ୍ତୁ ଆଂଶିକଭାବେ ନୁହେଁ । ସେହିପରି ଆଂଶିକ ଶକ୍ତି ଦାନ ଓ ଗ୍ରହଣକୁ ଏ ଫୋଟନ୍‍ ମୁହଁମୋଡେ । ତେବେ ଏହାକୁ ପୂର୍ଣ୍ଣ ଶରଣାଗତ ( Complete Surrender)କୁହାଯାଇପାରେ । ସେହିପରି ନିରାକାରର ଫୋଟନ୍‍ ରୂପୀ ଭାବ ଜୀବନର ଗତି ସହ ତାଳ ଦେଇ ନିଃଶବ୍ଦରେ ଧାଉଁଥିଲା  ଓ ଆଜି  ସମ୍ପୂର୍ଣ୍ଣ  ବିନିମୟ ହେଲା ।

ତେଣୁ ନିରାକାର ଭାବ ବିହ୍ୱଳିତ ହୋଇ ଘୁଗୁନି ବିକାଳିକୁ ଧନ୍ୟବାଦ ପୁର୍ବକ କହୁଛି – ହେ ମୋର ପରମପୂଜ୍ୟ ଘୁଗୁନି ବିକାଳି ମଉସା ! ତୁମର ତ ଦେହାନ୍ତ ହୋଇ  ସାରିଥିବ । ଏ ମର ଜଗତରେ ତୁମେ ପୁନର୍ଜନ୍ମ ଲଭିଥିବ ଅଥବା ପରମେଶ୍ୱରଙ୍କ ସହ ମିଳିତ ହୋଇଥିବ, ତାହା ମୋତେ ଅଜଣା । ତୁମେ ଦୁଇବର୍ଷ କାଳ ମୋ ମୁହଁ  ଦେଖିଥିଲ ଓ ମୁଁ  ତୁମର ଘୁଗୁନି ବିକା ପଦ୍ଧତିକୁ ନିରୀକ୍ଷଣ କରୁଥିଲି ।  ମୁଁ ତୁମର ଘୁଗୁନିର ସ୍ୱାଦ ସ୍ଥୂଳରୂପେ ଜାଣିପାରିଲି ନାହିଁ ସିନା, କିନ୍ତୁ ପରୋକ୍ଷରେ ମୋର  ଜୀବନକୁ ତାହା ଗଭୀର ଭାବେ  ପ୍ରଭାବିତ କରିଚାଲିଲା । ଯାହା  ଫଳରେ ସେ ଆଜି ଏକ ଉଚ୍ଚ ସ୍ଥାନକୁ ଉଠି ପାରିଛି । ସୂକ୍ଷ୍ମ ରୂପରେ ଏହାହିଁ ତୁମ ଘୁଗୁନିର ଅପୁର୍ବ  ସ୍ୱାଦ, ଯାହାକୁ ମୁଁ ଅହରହ ଚାଖୁଅଛି । ଆମେ  ପରସ୍ପର ପ୍ରତି ଅଜଣା, କିନ୍ତୁ ମହାଜାଗତିକ ସ୍ତରରେ ଆମେ ବନ୍ଧନଯୁକ୍ତ । ତୁମେ ଯେଉଁଠି ଯେଉଁ ରୁପରେ ଥାଅ, ମୁଁ ତୁମକୁ ନତମସ୍ତକ ହୋଇ ପ୍ରଣାମ ଜଣାଉଛି  । ତୁମର ଆତ୍ମା ପରମେଶ୍ୱରଙ୍କ ଠାରେ  ଲୀନ ହେବାର କାମନା କରୁଅଛି ।

ଏହା ଏକ ଅନୁଭୂତିର ପରିପ୍ରକାଶ । ଏହାର ଅର୍ଥ ନୁହେଁ ଯେ ପତିତ, ଆର୍ତ୍ତ, ବୁଭୁକ୍ଷୁ, ଅସହାୟ, ତ୍ରାହି ଡାକୁଥିବା ସଂକଟାପନ୍ନ ଓ ବିପଦଗ୍ରସ୍ତ, ଜରାଗ୍ରସ୍ତ …….. ଆଦିଙ୍କୁ  ସାହାଯ୍ୟ କରା ନ ଯାଉ । ବାସ୍ତବିକ ନିଜସ୍ୱ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ  ସାହାଯ୍ୟର ଦିବ୍ୟ ହସ୍ତ ଏମାନଙ୍କ ପ୍ରତି ବଢାଇ ଦେବାହିଁ ମାନବିକ ମୂଲ୍ୟବୋଧ ଅଟେ । ଏହାହିଁ  ପ୍ରାକୃତିକ ଈଛା (Will of Nature) ।

                                         ଭାଗ – ୨

ପ୍ରତି ଖେଳଛୁଟିରେ ନିରାକାର ଘୁଗୁନି ଖାଇବାର କୋଳାହଳକୁ ନିରୀକ୍ଷଣ ସହ ମଝିରେ ମଝିରେ ବଜାରରେ ଥରେ କି ଦୁଇଥର ଚକ୍‍କର କାଟେ, ଯାହାକି  ଖେଳଛୁଟି  ସରିବାର  ବେଲ୍‍ ବାଜିବା ମଧ୍ୟରେ ସୀମାବଦ୍ଧ ଅଟେ । ହଠାତ୍‍ ଦିନେ ବଜାରରେ ତା’ର ଜୀବନରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଲା ।  ସେ ଅନ୍ୟମନସ୍କ ଥିବା  ବେଳେ ଜଣେ ମଧ୍ୟ ବୟସର ବ୍ୟକ୍ତି ତା’ହାତରେ ପୋଷ୍ଟକାର୍ଡ ସାଇଜ୍‍ର ଲେଖାଥିବା ଏକ ମୋଟା କାଗଜ ଖଣ୍ଡେ କ୍ଷଣକେ ଧରାଇ ଦେଇ ଚାଲିଗଲା । ବାର୍ତ୍ତାଳାପର ମୌକା ଆଦୌ ନଥିଲା । ପ୍ରଥମେ ସେ ନାଲି ରଙ୍ଗର ଛପା ଅକ୍ଷର ଦେଖି ଖୁସିରେ ପଢିବାରେ ଲାଗିଲା । କିନ୍ତୁ ଧିରେଧିରେ ଖୁସିର ମାତ୍ରା କ୍ଷୀଣ ହେବାକୁ ଲାଗିଲା,  ମୁଖ ମଳିନ ପଡିଗଲା ଓ ମୁଣ୍ଡ  ଚକ୍‍କର୍‍ କାଟିଲା । ସେ ଲୋକଟି ଏକ ଯମଦୂତ ପ୍ରାୟ ଅନୁଭୂତ ହେଲା । ସେଥିରେ ଏହିପରି ଲେଖା ଥିଲା – କେଉଁ ଏକ ଗ୍ରାମର (ନାଁ ମନେ ପଡୁନି) ନଈକୂଳ ପାଖରେ ଥିବା  ବଡ ନିମ୍ବଗଛ ମୂଳେ ଏକ କଥାକୁହା ନାଗସପ ବାହାରିଛି । ସେ କହୁଛି – ଘୋର କଳିକାଳ, ପାପର ମାତ୍ରା ବଢିଚାଲିଛି,  ଭୈରବ ରଡି ଛାଡିବ ଓ ଯାହା କାନରେ ଏ  ରଡି  ପଡିବ ତତ୍‍କ୍ଷଣାତ୍‍ ସେ ଛଟପଟ ହୋଇ ମରିଯିବ । ନାଗଦେବ ସପ୍ତାହରେ ଥରେ ଅର୍ଥାତ୍‍  ସୋମବାର ପ୍ରାତଃ ୪’ଟା  ରୁ ୫’ଟା ମଧ୍ୟରେ  ଦୃଶ୍ୟମାନ ହୋଇ ପୁନଃ  ଉଭାନ  ହୋଇ ଯାଉଛି ।  ତେଣୁ ଏ ଭୟଙ୍କର ବିପତ୍ତିରୁ ରକ୍ଷା ପାଇବାକୁ ହେଲେ ପ୍ରତି ସୋମବାର କିମ୍ବା ଗୁରୁବାର ଦିନ ପରିବାରର ମା’ ମାନେ ଥରେ ମାତ୍ର ସକାଳ ୫’ଟା ପରେ ସେ  ଗଛମୂଳେ ଖଣ୍ଡେ ନାଲି ପାଞ୍ଚି, ନଡିଆ, କଦଳୀ, ସିନ୍ଦୂର, ନାଲିଶଙ୍ଖା ଦୁଇପଟ ଓ ଧୂପ-ଦୀପ  ଜଳାଇ ମୁଣ୍ଡିଆ ମାରି ନାଗଦେବଙ୍କୁ ସମର୍ପଣ କରିବାକୁ କହିଛ’ନ୍ତି । ନିଜ  ପରିବାରର ରକ୍ଷା ପାଇଁ ନାଗଦେବଙ୍କୁ ପ୍ରାର୍ଥନା କରିବା ସହ କିଛି ଦକ୍ଷିଣା ଦେଇ ଏକ ମୁହାଁ ଘରକୁ ଆସିବାକୁ ନିର୍ଦ୍ଦେଶ ଅଛି । ଅତି ଗରିବ ହୋଇଥିଲେ ମାତ୍ର ଦଶ ପଇସା ମୁଣ୍ଡରେ ମାରି ଗଛମୂଳେ ରଖି ଜୁହାର ହୋଇ ଆସିଲେ ବି ନାଗଦେବ ସନ୍ତୁଷ୍ଟ ହେବେ । ଗ୍ରାମରେ ସ୍ୱପ୍ନାଦେଶ ହୋଇଛି ଯେ, ନିମ୍ବବୃକ୍ଷ ନିକଟରେ ଏକ ଦେଉଳ ତୋଳିବା ପାଇଁ,  ନଚେତ୍‍  ଗ୍ରାମର ଅଶେଷ କ୍ଷତି ହେବ । ଏହାକୁ ଯିଏ ଉପହାସ କରିବ ତା’  ପରିବାର ଉପରେ ଚଡ଼କ ପଡିବ । ପାଖ ଗାଁ’ର ଜଣେ ଉପହାସ କରିବାରୁ ତା’ର  ଗୋଟିଏ ମାତ୍ର  ସନ୍ତାନଟି  ମରିଗଲା ଓ ସେ ପାଗଳା ହୋଇ  ଗାଁ’ରୁ ଗାଁ’ ବୁଲୁଛି । ପୁଣି ନାଗଦେବ କହିଛନ୍ତି, ଏ ଲେଖା ଯାହା ହାତରେ ପଡିବ ସେ ୧୦୮ ଖଣ୍ଡ ଏହିପରି  ଲେଖି ୧୦୮ ଜଣଙ୍କୁ ବାଣ୍ଟିବ । ନ ହେଲେ ଭୟଙ୍କର ବିପତ୍ତି ମାଡି ଆସିବ ।

ଏହାକୁ ପଢିସାରି ନିରାକାର ଅସ୍ତବ୍ୟସ୍ତ ହୋଇଉଠିଲା । କାହାକୁ ବା କହିବ ? ମନ କଥା ମନରେ ଚାପିରଖି ସେ ସ୍କୁଲ୍‍ ଛୁଟି ହେବାଯାଏଁ କ୍ଲାସ୍‌ରେ ବସିରହିଲା । ପାଠପଢାରେ ଆଦୌ ମନ ଲାଗିଲା ନାହିଁ ଓ ଖାଲି ମୃତ୍ୟୁର କଳା ବାଦଲ ତା’ ଆଖି ଆଗରେ ନାଚି ଉଠିଲା । ସ୍କୁଲ୍‍ ଛୁଟି ହେଲା ଓ ସେ ବିରସ ମନରେ ଘରେ ପହଞ୍ଚିଲା । ଭୋକକୁ ଚାପିରଖି  ଭାଇ ପ୍ରଭାକରକୁ ପ୍ରଥମେ ସବୁ ବର୍ଣ୍ଣନା କରି କହିଲା । କାଗଜଟି ଦେଖାଇଲା କିନ୍ତୁ ପଢିବାକୁ ମନାକଲା, କାରଣ  ସେ ପଢିଲେ  ଆହୁରି ୧୦୮ଖଣ୍ଡ ତା’କୁ ଲେଖିବାକୁ ପଡିବ ।  କ’ଣ କରାଯିବ ? ପାଖଆଖ ଗାଁ’ରେ ପାଠପଢା ଲୋକ ତ ବହୁତ କମ୍‍ । ବିଭିନ୍ନ ଜାତିର ଲୋକ ଓ ତୀବ୍ର ଜାତିଭେଦ । ସାଙ୍ଗସାଥିଙ୍କୁ ତ ଦେଇ ହେବନି, ବୟସ୍କ ଲୋକଙ୍କୁ ଦେବାକୁ ହେବ । ଅନ୍ୟ ଗାଁ’ରେ ଦେବାକୁ ସାହାସ ପାଉନାହିଁ, ନିଶ୍ଚୟ ମାରି ଗୋଡାଇବେ । ଏଡେ ବକଟେ ଛୁଆ,  କୁଆଡେ ଆଉ ବୁଲିବ ! ହଠାତ୍‍ ଦୁଇ ଭାଇଙ୍କ ମନରେ ପଡିଗଲା ତା’ଙ୍କ ମାମୁଁଘର ଗାଁ’ କଥା । ସେ ଗାଁ’ରେ ଭାଇ ସାଙ୍ଗରେ ଏକା କ୍ଲାସ୍‌ରେ ଜଣେ ପଢୁଥିଲା, ଏବେ ଆଉ ପଢୁନାହିଁ ତା’ର ନାଁ’ – “ପଞ୍ଚୁଆ” । ମାମୁଁଘର ଅଳ୍ପ ବାଟ । ତେଣୁ ଅଧିକାଂଶ ସମୟରେ ତା’ ସହ ଦେଖା ସାକ୍ଷାତ୍‍ ଓ କଥାବାର୍ତ୍ତା ହୁଏ । ଯାହା ହେଉ ୧୦୮ଜଣଙ୍କ  ମଧ୍ୟରୁ ଜଣେ ତ ମିଳିଲା ! କିଛିଟା’ତ ରକ୍ଷା ମିଳିଯିବ !! ନଈରେ ଭାସି  ଯାଉଥିବା ଅସହାୟ ଲୋକଟି ଯେପରି କୁଟାଖିଅକୁ ଆଶ୍ରା କରେ, ସେହିପରି ଘନ ଅନ୍ଧକାରରେ କ୍ଷୀଣ ଆଲୋକର ସନ୍ଧାନ ମିଳିଲା । କଥା ହେଲା ଖାଇ ସାରି, ସେ କାଗଜର   ଲେଖାକୁ ଆଉ ଖଣ୍ଡେ କାଗଜରେ ଉତ୍ତାରି ଓ ମୂଳ କାଗଜ ଖଣ୍ଡିକକୁ ମିଶାଇ ସମୁଦାୟ  ଦୁଇଖଣ୍ଡ ପଞ୍ଚୁଆକୁ ଧରାଇ ଦେବାକୁ ହେବ । ଦ୍ୱାପରରେ ଅଶ୍ୱତ୍‍ଥମା ବ୍ରହ୍ମ ଅସ୍ତ୍ରକୁ ଉତ୍ତରାର ଗର୍ଭ ଆଡକୁ ମୁହାଁଇ ଦେଇଥିଲା । ଏବେ ନିରାକାର ହାତରେ ପଡିଥିବା  ବ୍ରହ୍ମ ଅସ୍ତ୍ର ବିଚରା ପଞ୍ଚୁଆ ଆଡକୁ ମୁହାଁଇବ । ପଞ୍ଚୁଆର କ’ଣ ହେବ-ନାହିଁ, ସେ କଥା ମୁଣ୍ଡରେ ଢୁକିବାର ଆଦୌ ଅବସର ନଥିଲା, ନିଜ ହାତରୁ ସେ ଭୟଙ୍କର  ବ୍ରହ୍ମ ଅସ୍ତ୍ରକୁ ଯଥାଶୀଘ୍ର ହଟାଇ ଦେଲେ ଗଲା । ଘଟଣାଟି ଶେଷରେ, “କାଉ ଖାଇଲା ଧାନ – ବଗ    ମୁଣ୍ଡରେ ଅଠା” ସଦୃଶ ହେଲା ।

ବିଚରା ତରବରରେ ଖାଇସାରି, ଲେଖିବାକୁ କାଗଜ ଯୋଗାଡ କଲା ।  ମୂଳ କାଗଜ ଠାରୁ ବଡଖଣ୍ଡେ କାଗଜରେ ଛୋଟଛୋଟ ଅକ୍ଷରରେ  ଧାଡି ସିଧାକରି ଓ  ଦୁଇପାଖ ମାର୍ଜିନ୍‍  ଛାଡି ସୁନ୍ଦର ଭାବେ ଉତ୍ତାରିଲା । ଦେହରେ ସତେକି ଶତ ସିଂହର ବଳ । ଗଡ ଜୟ କରିବା ପ୍ରାୟ ଲାଗୁଛି । ଲେଖା ସରିଲା ଓ ବହୁତ ସୁନ୍ଦର  ହୋଇଥିଲା । ଧାଡି ଆଦୌ ବଙ୍କା  ତେଢା ହୋଇ ନଥିଲା । ସୁନ୍ଦର କାହିଁକି ବା ନ ହେବ ? ଜୀବନ ବିକଳେ ମନଧ୍ୟାନର ସହ ଲେଖା ହୋଇଛି । ୟା’ ମଧ୍ୟରେ  ନିରାକାର ୧୦୮ ତତ୍ତ୍ୱକୁ ସମ୍ପୂର୍ଣ୍ଣ ରୂପେ ପାସୋରି ପକାଇଛି । କାମ ହୋଇଗଲା । ସାର୍ଟ୍ – ପ୍ୟାଣ୍ଟ୍‍ ପିନ୍ଧି, ମୁଣ୍ଡ କୁଣ୍ଢାଇ ଓ କାଗଜ ଦୁଇଖଣ୍ଡକୁ ସାଇଜ୍‍ କରି ଧରି ବୀର  ଦର୍ପରେ ମାମୁଁଘର ଗାଁ’କୁ ଚାଲିଲା ସେ । ତଥାପି ମନ ଭୟାକୁଳ ପରିବେଶ ମଧ୍ୟରେ ଘାଣ୍ଟି ହେଉଥାଏ । ମାମୁଁଘର ଗାଁ’କୁ ଯାଇ ଫେରିବା ବେଳକୁ ବାଟରେ ସଂନ୍ଧ୍ୟା  ହୋଇ ଯିବନାହିଁ ତ ! ବାଟରେ ଦୁଇଟି ଯାଗାରେ ଡରମାଡେ ।  ସେଠାରେ କୁଆଡେ ଭୂତ ବାହାରନ୍ତି । ପୁଣି ପଞ୍ଚୁଆ ସହ ଦେଖା ହେବ ତ ! ମାମୁଁଘରେ ରାତିରେ  ଏ ପରିସ୍ଥିତିରେ ରହିବାର ଚାନ୍‍ସ ନାହିଁ । ଅବଶ୍ୟ ପଞ୍ଚୁଆଙ୍କ ଘର ଗାଁ’ର  ପ୍ରଥମ ମୁଣ୍ଡରେ ଓ ମାମୁଁଘର ସେ ଗାଁ’ର ଶେଷ ମୁଣ୍ଡରେ । ତେବେ ପଞ୍ଚୁଆ ନିଶ୍ଚୟ  ଦେଖାହେବ । ପୁଣି ଭାବିଲା ପଞ୍ଚୁଆ ଯଦି କାଗଜକୁ ନେଇ ଫୋପାଡି ଦିଏ, କ’ଣ ହେବ !   ତା’ ମୁଣ୍ଡକୁ ବୁଦ୍ଧି ଯୁଟିଲା ଯେ,  ପଞ୍ଚୁଆକୁ କାଗଜ ଧରାଇ ଏକ  ମୁଁହା  ହୋଇ ପଳାଇ ଆସିବି, ଡାକିଲେ ଶୁଣିବି ନାହିଁ ଓ ସିଏ କ’ଣ କଲା ନ’କଲା ମୋର ସେଥିରେ କିଛି ଯାଏ  ଆସେ ନାହିଁ ।  ନ ଦେଖିଲେ ହେଲା । ଦୁଃଶ୍ଚିନ୍ତାର ଅନ୍ତଃ  ନାହିଁ । ମାମୁଁଘର ଗାଁ’ ତ ଦେଖାଯାଉଛି, କିନ୍ତୁ ତା’ ଭିତରେ  ବିଲ, କଳମ ବଣରେ ସରୁଆ ବାଟ, ନଈ (ଅବଶ୍ୟ ଶୁଖିଲା), ଖାଲ, ଢିପ……. ଇତ୍ୟାଦି ଇତ୍ୟାଦି । କ’ଣ କଲେ ସନ୍ଧ୍ୟା ପୂର୍ବରୁ ଘରେ ପହଞ୍ଚିବି ! ଦୌଡି ଦୌଡି ଗଲେ ତ ହାଲିଆ ହୋଇଯିବି । ତେଣୁ ସେ ଖଣ୍ଡି ଦୌଡା   ମାରି ଯିବ ଓ ଆସିବ । ସେଇଆହିଁ କଲା ।

ବାଟରେ ନିରାକାର ଭାବୁଛି, ମାମୁଁଘର ଗାଁ’ରେ ତ  ତା’ର ସବୁଠୁ ବଡ ଦିବାକର ଭାଇ ରହନ୍ତି । ଅଜାଙ୍କର କେହି ପୁଅ ନଥିବାରୁ ବାପାଙ୍କଠାରୁ ଭାଇ ଦିବାକରକୁ  ପୋଷ୍ୟପୁତ୍ର ଭାବେ ଗ୍ରହଣ କରି ନେଇଥିଲେ । ବର୍ତ୍ତମାନ ମାମୁଁଘରେ କେବଳ ଭାଇ, ଭାଉଜ ଓ ତା’ଙ୍କ ପିଲାପିଲି ବସବାସ କରୁଅଛନ୍ତି । ଅଜା ଓ ଆଈ ସମୟର  ସ୍ରୋତରେ ଆରପାରିକୁ  ଚାଲିଗଲେଣି ।  ଏ ସବୁ ନିରାକାରର ଜନ୍ମ ପୁର୍ବର ଘଟଣା । କିନ୍ତୁ ବନ୍ଧନ ଦୃଢ ରହିଛି । ଆଗାମୀ ପିଢିରେ କ’ଣ ହେବ ସେ କଥା  ଈଶ୍ୱରଙ୍କୁ  ଜଣା । ଯଦି ଭାଇ ଦିବାକର ମୋତେ ଦେଖି ଦିଅନ୍ତି, ସେ’ତ ଘରକୁ ନେଇଯିବେ, ଖାଇବାକୁ ଦେବେ, ସ୍ନେହବୋଳା କଥା କହିବେ, ଆଉଁସି ଦେବେ ଓ ରାତିରେ  ରହିବାକୁ ବାଧ୍ୟ କରିବେ । ବଡଭାଇ କଥା ତ ଭାଙ୍ଗି ହେବ ନାହିଁ, ପୁଣି ଭାଉଜ ଭାରି ଭଲ, ସ୍ନେହୀ ଓ ସେଠାରେ ନିରାକାର ତା’ର ଛୋଟ ଛୋଟ ଝିଆରୀ  ମାନଙ୍କୁ  ଦେଖିଲେ ପେଟ ମଧ୍ୟ ପୁରିଯାଏ । ରାତିରେ ରହିଲେ ଭଲ ଖାଇବାକୁ ଦେବେ ଓ ସକାଳେ ବି ।  କିନ୍ତୁ  ସେ ହାତରେ ଯାହା ଧରିଛି, ତାହାର ପ୍ରଭାବରେ ଏ ସବୁ ବିଷ  ପରି ଲାଗୁଛି ।  ହେ ପ୍ରଭୁ ! ସେଠାରେ ଭାଇଙ୍କ ସହ ଦେଖା ନହେଉ !! ପୁଣି ସେ ଭାବୁଛି ତା’ର ସାନଭାଇ ସର୍ବାକାରକୁ ସାଙ୍ଗରେ ଡାକିଆଣିଥିଲେ ରାତିହେବା ଭୟ ନ ଥା’ନ୍ତା । ସିଏତ ସହଜରେ ଧରା ଦେଇ ନଥାନ୍ତା । ଖାଲି ଖାଇକି ବୁଲୁଛି । ପାଠ ପଢିଲା ନାହିଁ । ବାପା-ମା’ ଦେଖିଲେ ୟା’ ଦ୍ୱାରା ଶାଗ ସିଝିବ ନାହିଁ । ବଡ ହେଲେ ବିଲରେ ଖଟିକି ବଞ୍ଚିବ । ସବୁବେଳେ ଖାଇବା ବେଳେ ତା’ର ଅଝଟ ଓ ଦିନ ରାତି ଯଦି ତା’ ମୁଁହରେ ଖାଦ୍ୟ ବାନ୍ଧିକି ରଖାଯାଏ ତଥାପି ସେ ଶାନ୍ତି ହେବ ନାହିଁ । ତେଣୁ ବୋଉ ରାଗିକି ତା’ ନାଁ’ ଦେଇଥିଲା “ଗିଳା”। ମୁଁ ସ୍କୁଲ୍‍ରୁ ଆସିଲେ ସିଏ ଦିନସାରା କୋଉଠି, କ’ଣ, କେତେ ଖାଇଲା  ଓ ବୁଲିଲା ମୋତେ କହିବ । ମୋ ମନଟା ଆମ୍ବିଳା ହୋଇଯାଏ ଯେ, ସିଏ କି ଆରାମରେ ବୁଲୁଛି ଏବଂ ମୁଁ ଅର୍ଗଳୀ ଭିତରେ ପଶିଛି । କିନ୍ତୁ ସର୍ବାକାର ଖାଲି ଖାଇ ଖାଇ ବୁଲୁଛି,   ସତେକି ଏ  ବିଶ୍ୱ-ବ୍ରହ୍ମାଣ୍ଡ ତା’ର ପେଟରେ ଧରିଯିବ । ସେଥିପାଇଁ ବୋଧହୁଏ ତା’  ଦେହରେ ମାଂସ ନାହିଁ  ଏବଂ ଏକ ବଡ ପେଟ ବୁଜୁଳାଟିଏ ବୋହିଚାଲିଛି । ମୋର ସେ ଗୁଣ ନଥିବାରୁ ମୁଁ ସାଇଜିଆ ଦେଖା ଯାଉଛି । ତଥାପି ତା’କୁ ଘରେ କହୁଛନ୍ତି ଚାଲାକ୍‍ ଓ ମତେ କହୁଛନ୍ତି ହୁଣ୍ଡା, ଗୋପତମୁଁହା ଓ ଗୁମରବାଲା । ସିଏ ଲାଜ ସରମ କିଛି ନରଖି ସବୁଆଡେ ଗିଳି ଚାଲିଛି,ସେଥିପାଇଁ ସେ ଚାଲାକ୍‍ ଓ ମୋ ମନରେ ସରମ ଥିବାରୁ ମୁଁ ହୁଣ୍ଡା ! ଏ କଥା ବି ବନ୍ଧୁ-ବାନ୍ଧବଙ୍କ ଆଗରେ କହୁଛନ୍ତି। ମୋତେ ଭାରି ବାଧେ ଓ ରାଗରେ ଲାଲ୍‍ ପଡି ସେ ସ୍ଥାନ ଛାଡିବାକୁ ଉଦ୍ୟତ ହୁଏ । ଏତାଦୃଶ ଚିନ୍ତାରେ  ଡୁବି ଧାଉଁଥିବାରୁ  କେତେବେଳେ ନିରାକାର  ମାମୁଁଘର ଗାଁ’ର ଉପର ମୁଣ୍ଡରେ ପହଞ୍ଚି  ଗଲାଣି ତା’କୁ  ଜଣା ନାହିଁ ।

ହଠାତ୍‍ ତା’ର ଚେତା ପଶିଲା ମାମୁଁଘର ଗାଁ’କୁ ଦେଖି । ଗାଁ’ ଭିତରକୁ ଅଳ୍ପ ବାଟ ଯାଇ ଦେଖିଲା ଗ୍ରାମ ଦେବତୀଙ୍କ ପାଖ ପଡିଆରେ କେତେଜଣ ଗୋଲାକାରରେ  ବସିଛନ୍ତି ଓ  ଆଉ କେତେକ ଠିଆ ହୋଇ ଦେଖୁଛନ୍ତି । ଅତି ନିକଟରେ ଯାଇ ଦେଖିଲା ଛ’ ଜଣିଆ ଦଳ ତାସ୍‍ ଖେଳୁଛନ୍ତି । ପଞ୍ଚୁଆ ବି ଖେଳୁଛି । ନିରାକାର ଭାବିଲା ତା’ ଭାଗ୍ୟ ଟାଣ୍‍ ଅଛି  ଓ ଖୁସିକୁ ମନ ଭିତରେ ଦବାଇ ରଖିଲା । ପ୍ରାୟ ପ୍ରତି ଗାଁ’ରେ ଅପରାହ୍ନରେ ଏହାହିଁ ଦୃଶ୍ୟମାନ ହୁଏ । ବିଲ କାମ ସାରି, ଖାଇ ସାରି,  ଅପରାହ୍ନରେ ବସି ତାସ୍‍ ଖେଳିବା କିଛି ଲୋକଙ୍କର ଏକ ପ୍ରକାର ପେଷା ବନିଯାଇଥାଏ । ତଥାପି କିଛି କର୍ମଠ ବ୍ୟକ୍ତି ଏ ଖେଳପ୍ରତି ନାକଟେକି ଅପରାହ୍ନରେ ନିଜ  ବାଡିଘର କାମରେ ବ୍ୟସ୍ତ ରୁହନ୍ତି । ଏ ଖେଳରେ ବେଳେବେଳେ ଝଗଡା ଲାଗନ୍ତି, ବାଡିଆପିଟା ହୁଅନ୍ତି, ଥାନାରେ ପଶନ୍ତି, ଗ୍ରାମ୍ୟ ଏକତା ଭାଗଭାଗ  ହୋଇଯାଏ  ଓ  ରୋଜଗାରର ସିଂହଭାଗ ବୋହିଚାଲେ ତୃତୀୟ ବ୍ୟକ୍ତି ମାନଙ୍କ ହସ୍ତକୁ । ନିରାକାର ଆହୁରି ଖୁସି ହେବାର କାରଣ ଯେ, ତା’ର ଭାଇ ସେଠାରେ ନଥିଲା । ନ’ହେଲେ  କାଗଜକୁ ଟାଣି ନେଇ ପ୍ରଥମେ ପଢି ଥା’ନ୍ତେ ତ ନିଶ୍ଚୟ । ଯାହା ହେଉ ଭାଇ ସେଥିରୁ ରକ୍ଷା ପାଇଗଲେ । ଏଇ ମୋଉକାରେ ସେ ପଞ୍ଚୁଆର ସାମ୍ନା ପଟରେ ଯାଇ  ଛିଡା ହୋଇ ରହିଲା । ଅପେକ୍ଷା କଲା, କେତେବେଳେ ସେ ତା’ଆଡକୁ ଅନାଇବ । ଗୋଡ ଦୁଇଟା ଥରିଲା ପରି ଲାଗୁଥାଏ । କିଛିକ୍ଷଣ ପରେ ପଞ୍ଚୁ ଭାଇନା ମଥା  ଟେକିଲେ । ମଳୁ ଖୋଜୁଥିଲା ଯାହା – ବଇଦ ବତେଇଲା ସେଇଆ, ଅର୍ଥାତ୍‍ ତା’ଙ୍କୁ ଡାକିବାକୁ ପଡିଲା ନାହିଁ ।  କ୍ଷଣକେ ଦୁହିଁଙ୍କ ଚାରି  ଚକ୍ଷୁର ମିଳନ, ଅବିଳମ୍ବେ ଲେଖା କାଗଜକୁ ପଞ୍ଚୁଆ ହାତକୁ ବଢାଇ ଦେଇ ଚମ୍ପଟ୍‍ ମାରିବାର ବିଚକ୍ଷଣ ଓ କିଛି ସମୟ ପରେ ମଝି ରାସ୍ତାରେ ନିଜକୁ ଆବିଷ୍କାର କରିବାର ସ୍ୱପ୍ନ ନୁହେଁତ ଆଉ କ’ଣ ?

ଦୌଡି ଦୌଡି ନିରାକାର ସନ୍ଧ୍ୟା ପୁର୍ବରୁ ଘରେ ପହଞ୍ଚି ସାରିଥିଲା । ମନେ ପଡିଲା କାଗଜ ବଢାଉ ବଢାଉ ପଞ୍ଚୁଆ  ତା’ ହାତରୁ ଝାମ୍ପିନେଲା ପରି ଲାଗୁଥିଲା । ଅନ୍ୟମାନେ ଅନାଇ ଥିଲେ । ସତେକି ଝାମ୍ପିନେଲେ ମହାପାତ୍ରେ – ଚାହିଁଛନ୍ତି ଜଳକା ।  ସେ ସମୟର ମାତ୍ର ସେତିକି ଘଟଣା ସେ ଦେଖିଛି । ଆଉ କିଛି ସେ ଦେଖିନି  କି ଶୁଣିନି, କାରଣ ନିମିଷକେ ତ ସେ ସେଠାରୁ ଉଭାନ୍‍ ପ୍ରାୟ ହୋଇ ଆସିଲା । ତା’ପରେ ପଞ୍ଚୁଆର କ’ଣ ହେଲା, କ’ଣ କଥାବାର୍ତ୍ତା ହେଲେ, ପଛରୁ ତା’କୁ ଡାକିଲେକି  ନାହିଁ , ତା’ପରଦିନ ସେ ୧୦୮ ଖାଣ୍ଡ ଲେଖି ବାଣ୍ଟିଲା କି ନାହିଁ , ଯଦି ନ’ବାଣ୍ଟିଲା – ସେ ବାବଦକୁ ତା’ର କ’ଣ କ’ଣ କ୍ଷତି ହେଲା ଓ ବଞ୍ଚିଲା ନା’ ମଲା  …. ଇତ୍ୟାଦି ବିଷୟରେ ନିରାକାର ଜାଣିବାକୁ ଚେଷ୍ଟା କରିନାହିଁ ଏବଂ ଏ  ଘଟଣା ମନରୁ ସମ୍ପୂର୍ଣ୍ଣ ରୂପେ ଲିଭି ଯାଇଛି ।

ଏ ଘଟଣାଟି ତା’ ଜୀବନରେ ୧୯୭୨ ମସିହାରେ ଘଟିଥିଲା  ଓ ଏହା ଉପରେ ଲେଖା ଆରମ୍ଭ ହେଉଛି  ୧୯୧୭ ମସିହା ମଇ ମାସରୁ । ଏଇ ସମୟ ବ୍ୟବଧାନରେ  ପ୍ରାୟ  ସବୁ କିଛି ବଦଳି ଯାଇଛି । ନାହିଁ ସେ ଯୁଗର ଚାଲି —- ଧୋତି, ଚଦର ଗଲାଣି ଚୂଲିକି ।  କିନ୍ତୁ ପଞ୍ଚୁଆ ବଞ୍ଚିଛି । ୧୯୭୨ ମସିହାରୁ ଆଜିଯାଏଁ ସେ  ଅନେକ ଥର ଆମ ଗାଁ’କୁ ଆସେ, ମୋ ସହିତ ମଧ୍ୟ କଥାବାର୍ତ୍ତା କରେ, ଆମ ଗାଁ’ର କେତେକଙ୍କ ବିଭାଘର ଭୋଜିଭାତ, ମେଳା, ମହୋତ୍ସବ ଓ ବିଭିନ୍ନ ଲୋକଙ୍କର  ଏକାଦଶାହକୁ ନିମନ୍ତ୍ରଣ ପାଇ ସେ ଗାଁ’ର ଲୋକଙ୍କ ସହ ପ୍ରାୟ ପଞ୍ଚୁଆ ଆସେ ।ସେହି ହସହସ ମୁହଁ, ଗୋଟା ମୁଣ୍ଡକୁଣ୍ଢା ଇଲ୍ୟାଦି । କାହିଁ କେବେ ତ’ ସେ ଲେଖା  ବିଷୟରେ ମୋତେ କିଛି କହି ନାହିଁ ? ଯାହା ଜଣା ପଡୁଛି ପଞ୍ଚୁଆ ସେ ଲେଖାକୁ ଆଦୌ ଗୁରୁତ୍ୱ ଦେଇନାହିଁ, ହସରେ ଉଡାଇ ଦେଇଛି ଓ ସେ ବାବଦକୁ ତା’ର  କିଛି  କ୍ଷତି ଅର୍ଥାତ୍ ମୃତ୍ୟୁ ହୋଇନାହିଁ ।  ତେଣୁ ଏହା ପ୍ରମାଣିତ ହେଉଛି ଯେ, ନିରାକାରକୁ ଯିଏ ଲେଖାଟି ଦେଇଥିଲା ସେ ନିଶୟ ଏକ ଭଣ୍ଡ । ଧର୍ମ ଚେତନାକୁ ଆଧାର କରି  ଲୋକଙ୍କ ମନରେ ଭୟ ଜାଗ୍ରତ ପୂର୍ବକ ନିଜସ୍ୱ ଲାଳସା ମେଣ୍ଟାଇବାର ଏହା ଏକ ହୀନ ଚକ୍ରାନ୍ତ ଅଟେ । ସମାଜର ଦୁର୍ବଳ ମନା ବ୍ୟକ୍ତି ମାନେ ପ୍ରାୟ  ଏତାଦୃଶ ଚକ୍ରାନ୍ତର  ଶୀକାର ହୋଇଥାନ୍ତି । ମନର ଦୃଢତା ଅଧିକ ଥିବା ବ୍ୟକ୍ତି ଏହାକୁ ବେଖାତିର୍ କରନ୍ତି । ଯିଏ ସାମାଜିକ କ୍ଷତିରେ ଭାଗୀଦାର ନୁହେଁ ଓ ସତ୍ୟବାଦୀ, ସେ ନିଶୟ  ଦୃଢମନା । କିନ୍ତୁ ସେ ସମୟର ସାମାଜିକ କୁସଂସ୍କାର ଓ ଧର୍ମୀୟ ଚେତନାକୁ ହାତ ବାରିସୀ କରି ଏହାର ଦୁରୂପଯୋଗ ସ୍ୱରୂପ ସୃଷ୍ଟି କରାଯାଇଥିବା ଭୟ  ଓ ଶଙ୍କାକୁଳ  ବାତାବରଣକୁ ତିରଷ୍କାର କରି ନିର୍ଭୀକ ଭାବେ ଆଜିଯାଏଁ ବଞ୍ଚି ରହିଛି ଅର୍ଦ୍ଧଶିକ୍ଷିତ ପଞ୍ଚୁଆ । କଥାରେ ଅଛି – ଦୃଢେ ତରନ୍ତି, ମୂଢେ ତରନ୍ତି …. ମଝିମଝିକିଆ ବୁଡି ମରନ୍ତି । ତେବେ ପଞ୍ଚୁଆର ଦୃଢତା ଅଥବା ମୂଢତା ପାଇଁ ହେଉ ସେ ନିଶୟ ସମାଜ  ପାଇଁ ଏକ ଆଦର୍ଶତାର ନିଦର୍ଶନ ।

ତେଣୁ ହେ ଆଧୁନିକ ସମାଜର ସଭ୍ୟ ବୋଲାଉଥିବା ମାନବ ! ସତ୍ୟତାର ପର୍ଯ୍ୟବେକ୍ଷଣ ନ’କରି ଶ୍ରୁତିକୁ ଆଧାର କରି ଅନ୍ଧାରରେ ବାଡି ବୁଲାଇବା  କେତେଦୂର  ଯୁକ୍ତିଯୁକ୍ତ ! ନିମ୍ନରେ କିଛି ମନଗଢା ମିଥ୍ୟା ଶ୍ରୁତି, ଯାହା ସାମାଜିକ ସନ୍ତୁଳନତାକୁ ନଷ୍ଟ କରିବାରେ ସାହାଯ୍ୟ କରିଛି, କରୁଛି ଓ କାୟା ବିସ୍ତାର କରି ଚାଲିଛି, ତାହାର  କିୟଦଂଶ ଏଠାରେ  ବର୍ଣ୍ଣନା କରାଗଲା ।

ନିରାକର ବାବୁ ପିଲାଦିନଠୁ ସେ ଲେଖା ପାଇବା ସମୟରୁ ଆଜିଯାଏ ଅନେକ ଘଟଣାମାନ ମନେ ପକାଇବାରେ ଚେଷ୍ଟାରତ । ଓଡିଶାର ବାୟୁମଣ୍ଡଳରେ ସାଧାରଣତଃ  ଏହି  ମିଥ୍ୟା ପ୍ରଚାର ଆଷାଢ ମାସରୁ କାର୍ତ୍ତିକ ମଧ୍ୟରେ ବେଶି ଶ୍ରୁତିଗୋଚର ହୁଏ । ଏହାର ଉତ୍କଟତା ଗ୍ରାମ୍ୟ ପରିବେଶରେ ବୃଦ୍ଧି ପାଇଥାଏ ଓ ଖଟିଖିଆ ଗରିବ   ଶ୍ରେଣୀୟ  ପରିବାର  ମାନେ ଉତ୍ପୀଡିତ ହେବାର ଅନୁଭୂତ ହୁଏ । ସେ ସମୟରେ ଓଡିଶା ଦାରିଦ୍ର୍ୟର କଷାଘାତରେ ସଢୁଥିଲା । ଥିଲାବାଲାଙ୍କ ପାଇଁ ପ୍ରଚାରକୁ ଗ୍ରହଣ  କରିବାରେ ଅସୁବିଧା  ନ’ ଥିଲେବି ଦାରିଦ୍ର୍ୟର ସୀମାରେଖା ତଳେ ଥିବା ଅଧିକାଂଶ ପରିବାର ହନ୍ତସନ୍ତ ହେବା ହିଁ ସାର ହୁଏ । ନିଜର ଫାଇଦା ଉଠାଇବା ପାଇଁ  କେତେକ ଅତି ସ୍ୱାର୍ଥପର ଓ କୂଟଚକ୍ରୀ ଦଳ ନାରୀ ମାନଙ୍କ ଚରମ ଦୁର୍ବଳତାକୁ ଆଖିଆଗରେ ରଖି  ସମାଜ ବକ୍ଷରେ ଏମିତି ହାବେଳି ବାଣ ଛାଡନ୍ତି ଯେ,  ତାହା ଏକ  ଭୟର ବାତାବରଣ ସୃଷ୍ଟି କରେ । ଏ  ବାଣର  ଉତ୍ପତ୍ତିସ୍ଥଳ ଓ ଏହାର ସତ୍ୟାସତ୍ୟ ଜାଣିବା’ତ ଦୂରର କଥା, ସର୍ବେ ପ୍ରଚାରର ନିୟମକୁ ମାନିବାରେ ବ୍ୟସ୍ତ  ହୋଇ  ଉଠନ୍ତି । ଯାହା ଘରେ ପ୍ରାୟ ଦୁଇ ଦିନରେ  ଚୂଲୀ  ଜଳେ,  ସେ  ମଧ୍ୟ ଜୀବନ ବିକଳରେ ନିଜ ସୃଷ୍ଟି ରକ୍ଷା ନିମିତ୍ତ ଧଇଁସଇଁ ହୋଇ ଧାଇଁ ଚାଲେ । ଘୋର କଳିକାଳ ! ନ  ମାନିଲେ ସର୍ବନାଶ ! ଏ ପ୍ରଚାର ଡାକବାଜି ଯନ୍ତ୍ର ଦ୍ୱାରା  ହୋଇ ନଥାଏ,  କିନ୍ତୁ ଆପେଆପେ ଉଇ ଚରିଲା ପରି ଗ୍ରାମେଗ୍ରାମେ କ୍ଷଣକେ ବ୍ୟାପିଯାଏ । ତନ୍ମଧ୍ୟରୁ କିଛି ପ୍ରଚାର – (ଏହା ବିଭିନ୍ନ ସ୍ଥାନରେ ଅଲଗା ଅଲଗା ରୂପରେଖ ନେଇଥାଏ)

(୧) ପ୍ରାୟ  ଦୁଇ ତିନି ବର୍ଷ ଧରି ଓଡିଶାର ଶରତ କାଳୀନ ବାୟୁମଣ୍ଡଳରେ ଗୁଞ୍ଜରୀ ଉଠିଥିଲା ଯେ, ମାମୁଁଘରୁ ମଣ୍ଡାପିଠା ଓ ତତ୍ ସମ୍ବନ୍ଧିୟ ଦକ୍ଷିଣା ଝିଅଘର ପରିବାର  ପାଇଁ  ନପଠାଇଲେ ତାହା ଝିଅର ସନ୍ତାନ ସନ୍ତତି ମାନଙ୍କ ଉପରେ ଭୟଙ୍କର ବିପତ୍ତି ମାଡିଆସିବ । ନବ ବିବାହିତା କନ୍ୟାଘରକୁ ପିଠା ଓ ଦକ୍ଷିଣା ସହିତ ନୂଆ  ଶାଢୀ,  ଚୂଡି ….. ଆଦି ଦେବାକୁ ହେବ । ନଚେତ୍ କନ୍ୟାର ସନ୍ତାନ ଜନ୍ମହେବା ଦୂରର କଥା, ତା’ପାଇଁ  ବୈଧବ ଯୋଗ ସୁନିଶ୍ଚିତ । କୌଣସି ଏକ ଗ୍ରାମରେ ଜଣେ  କନ୍ୟା  ପିତା ଏହାକୁ ହସରେ ଉଡାଇ ଦେବାର ସାତ ଦିନ ମଧ୍ୟରେ ତା’ କନ୍ୟାର ଜ୍ୱେଷ୍ଠ ପୁତ୍ର ଅକାଳ ମୃତ୍ୟୁ  ମୁଖରେ ପଡିଲା । ଏକଥା ଶୁଣି କେଉଁ ବାପା-ମା କ’ଣ ସ୍ଥିର  ହୋଇ ରହିପାରିବେ ?  ପୁଣି ଶରତ କାଳ । ଘୋର ଅନାଟନର ସମୟ । ଅନେକଙ୍କ ଘରେ ଖାଦ୍ୟ ସଙ୍କଟ । ସେ ସମୟରେ ମୂଲ ମଜୁରୀ ସବୁଦିନେ ମିଳେନି । ପ୍ରାୟ ଶତକଡା ଅଶୀ ( ୮୦% )  ଭାଗ ଲୋକ ଦରିଦ୍ର । ପ୍ରତିଦିନ ଓଳିଏ ବି ପେଟପୁରା ଖାଇବାକୁ ମିଳେନି । ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ଗ୍ରାମ୍ୟ ଜୀବନର  ମେରୁଦଣ୍ଡ ଭାଙ୍ଗି ଦେଉଛି । ତା’ ସହ ଏ ଅକାଳ ଚଡକ ବି ଦାଉ ସାଜିଛି । ନହେଲେ ନଚଳେ । ଖାଲି  ହାହାକାର ମୟ ବାତାବରଣ । ଗରିବ ଖଟିଖିଆ ମାନଙ୍କ ପାଇଁ  ଏହା ସତେକି ମୁଣ୍ଡ ଉପରେ ପର୍ବତ ପରି  ବୋଝ । ଅବଶ୍ୟ କନ୍ୟାହୀନ ପିତା-ମାତା ତା’ଙ୍କ ବୋହୁଘରୁ  ଆସିଥିବା ମଣ୍ଡା ଖାଇ ପେଟ ଆଉଁସିବାରେ ବ୍ୟସ୍ତ ରୁହନ୍ତି । ସମୟ ସହ ଏ ଗୁଜବର ରୂପରେଖ ଭିନ୍ନ ଭିନ୍ନ  ଅବତାର ନେଇ ନେଇ ଚାଲେ ।

(୨) ଗୋଟିକିଆ ପୁତ୍ର ଉପାଖ୍ୟାନ :- ଯୁଗେଯୁଗେ ମୄତ୍ୟୁ ସନ୍ନିକଟରେ ମାନବୀୟ ଜୀବନଧାରାର ଅଙ୍କ ଭୂଲ୍ ହୁଏ  ଓ ନିଜସ୍ୱ ମୃତ୍ୟୁ ପାଇଁ ଉଦ୍ଦିଷ୍ଟ ମର୍ମସ୍ଥଳ  ଆଘାତ  ପ୍ରାପ୍ତ ହୁଏ ।  ଯେପରି ହିରଣାକ୍ଷ, ମହିଷାସୁର, ରାବଣ, କଂସ, ……….. । କିନ୍ତୁ ପ୍ରତ୍ୟେକଙ୍କ ମର୍ମସ୍ଥଳ ଭିନ୍ନଭିନ୍ନ ଅଟେ । ଏହାକୁ ମର୍ମେମର୍ମେ ଅନୁଭବ କରି  ସମାଜରେ ବିଭ୍ରାଟ ସୃଷ୍ଟିକାରୀ  ଦଳ ଉକ୍ତ ଉପାଖ୍ୟାନରୂପୀ ହାବେଳୀ ବାଣକୁ ଛାଡନ୍ତି, ଯାହା କ୍ଷଣକେ ଫୁଟି ଚତୁର୍ଦ୍ଦିଗକୁ ଖେଳେଇ ହୋଇଯାଏ । ସେମାନେ ଜାଣନ୍ତି – ଯା’ ପୁଅକୁ ସାପ କାମୁଡେ, ତା’ ମା’ ପାଳ ଦଉଡି ଦେଖିଲେ ଡରେ । ସେହିପରି ଗୋଟିକିଆ ପୁଅ ଥିବା ମା’ର ମନ ପ୍ରାୟ ଦକଦକ ହେଉଥାଏ  ଓ ପୁତ୍ରର ଜୀବନ  ପ୍ରତି କିଛି ବିପଦ ନ’ଆସୁ ବୋଲି ଶୟନେ, ସ୍ୱପନେ ଓ ଜାଗରଣେ ଈଶ୍ୱରଙ୍କୁ ଡାକୁଥାଏ । ତେଣୁ ସେମାନଙ୍କ ମର୍ମସ୍ଥଳ ହେଲା ତାଙ୍କ ଏକଇ ମାତ୍ର ପୁତ୍ର । ଏହାକୁ  ଆଧାର କରି ଜନଶ୍ରୁତି ନିମିତ୍ତ ବିହିତ ବ୍ୟବସ୍ଥା କରାଯାଏ ।   

(କ) ଯଦି କୌଣସି ମହିଳାର  ମାତ୍ର ଗୋଟିଏ ପୁତ୍ର ଥିଲେ, ତା’ର ଜୀବନ ରକ୍ଷା ନିମିତ୍ତ ପିଲାର ମାଇଁକୁ ‘ଭଣଜା ଓଷା’ କରିବାକୁ ପଡିବ । ଏ ବାବଦକୁ ନଣନ୍ଦ ତା’ର ଭାଉଜକୁ ନୂଆ   ଶାଢୀ, ଶାୟା ଆଦି ସହ କିଛି ଟଙ୍କା ଦେବାକୁ ପଡିବ, ଯାହା ମନ୍ଦିରରେ ଭୋଗ ନିମିତ୍ତ ଖର୍ଚ୍ଚ ହେବ । କେଉଁ ନିର୍ଦ୍ଦିଷ୍ଟ ବାରରେ ପିଲାର ମାଇଁ ସ୍ନାନ ସାରି , ନୂତନ ବସ୍ତ୍ର ପରିଧାନ ପୁର୍ବକ ନିର୍ଦ୍ଦିଷ୍ଟ ମନ୍ଦିରରେ ଭୋଗ  କରିବାକୁ ପଡିବ । ସେଦିନ ବିଚାରୀ ମାଇଁ  ଉପବାସ ରାତି ନ’ଟା ଯାଏ କରିବ ଓ ତା’ପରେ କ୍ଷୀରୀ କିମ୍ବା ରୁଟି ଭକ୍ଷଣ କରିବ ।

(ଖ) ଗୋଟିକିଆ ପୁତ୍ର ଉପାଖ୍ୟାନ ବେଳେବେଳେ ଭିନ୍ନ ମୋଡରେ ଶ୍ରୁତି ଗୋଚର ହୁଏ – ଖଳ ନାୟକ ମାନେ ନିଶ୍ଚୟ ଭାବୁଥିବେ ଯେ, ଗୋଟିକିଆ ପୁଅର ମା’ମାନଙ୍କୁ  ପ୍ରତି  ବର୍ଷ ହରକତ କରାଯାଉଛି । ତେବେ ଦୁଇଟିକିଆ ପୁଅର ମା’ କାହିଁକି ଶାନ୍ତିରେ ନିଶ୍ୱାସ ମାରିବ । ସେମାନଙ୍କ ମୁଣ୍ଡରେ ବି ହାତ ବୁଲାଯାଉ । ଅର୍ଥାତ୍  ଗୋଟିକିଆ ପୁଅର ମା’ କୌଣସି ଦୁଇଟିକିଆ ପୁଅର ମା’ ଠାରୁ ଶାଢୀ ଓ ଟଙ୍କା ଆଣି ଓଷା-ବ୍ରତ କଲେ ତାହା ଦୁଇ କୁଳକୁ ହିତ ହେବ, ଅନ୍ୟଥା ………. । ତେବେ ଏ ଓଷାକୁ  ‘ଭଣଜା ଓଷା’ ରୂପେ  ନାମିତ କରାଯାଇ ପାରିବ ନାହିଁ । ଯାହା ଜଣା ପଡୁଛି ଧିରେଧିରେ ଏହା ବହୁ ପୁତ୍ରଧାରି ଜନନୀ ମାନଙ୍କୁ କାବୁ କରିବ । ସେତେବେଳକୁ ଗୁଜବ ଗୁଡିକ ପ୍ରାୟ  ସାର୍ବଜନୀନ ନ’ହେବ ବା କାହିଁକି ? ବାର ମାସରେ ତେର ପର୍ବ ଉକ୍ତିରେ ଏଗୁଡିକ ଅନାୟାସରେ ସାମିଲ୍ ହୋଇଯିବ ।             

(୩) ଜରୁରୀକାଳୀନ ଓ ଅଳ୍ପ ସମୟ ବ୍ୟବଧାନ ପାଇଁ ସୃଷ୍ଟି କରାଯାଇଥିବା ଗୁଜବ – ହଠାତ୍ ସନ୍ଧ୍ୟା ବେଳକୁ ଶୁଣିବାକୁ ମିଳେ ଯେ, ଆଜି ରାତି ବାରଟା ପୁର୍ବରୁ ଗୋଟିକିଆ ପୁଅର ମା’ମାନେ ନିକଟସ୍ଥ ଶିବ ମନ୍ଦିରରେ ଦୀପ ନ’ଜାଳିଲେ ଅବସ୍ଥା ଅସମ୍ଭାଳହେବ । ରକ୍ଷା ନାହିଁ । ତଡିତ୍ ବେଗରେ ଏ ଖବର ଚତୁର୍ଦ୍ଦିଗକୁ ବ୍ୟାପିଯାଏ ।

ନିରାକର ବାବୁ ଦୀର୍ଘବର୍ଷ  ଧରି ଦୂର ଯାଗାକୁ ବଦଳି ହୋଇ ଏକୁଟିଆ ଭଡା ଘରେ ରହୁଥିଲେ । ହୋଟେଲରେ ଖାଆନ୍ତି । ସେଦିନ ରାତି ନ’ଟାରେ ହୋଟେଲରେ ଖାଇ ରୁମ୍ କୁ  ଫେରୁଥା’ନ୍ତି । ବାଟରେ ଦୁଇଟି ଛକରେ ଲୋକଙ୍କ ରୁଣ୍ଡରୁ ଓ ପ୍ରତ୍ୟେକଙ୍କ କାନରେ ମୋବାଇଲ୍ ଫୋନ୍ ଏବଂ ସେମାନଙ୍କ ମୁଖ ମଣ୍ଡଳ ସୂଚାଉଥିଲା କ’ଣ  ଗୋଟେ ଘଟିଛି ।  କିଛି ବାଟ ଆଗେଇବାରୁ ପୁଣି ଦେଖିଲେ କେତେଜଣ ସ୍ତ୍ରୀ ଲୋକ ଅସ୍ତବ୍ୟସ୍ତ ହୋଇ ବିଚଳିତ ଭଙ୍ଗୀରେ ଅଧା ଚାଲି ଓ ଅଧା ଦୌଡିବା  ଠାଣିରେ  ଆସୁଛନ୍ତି ।  ପୁଣି କିଛି ବାଟ ପରେ ଆଉ ଗୋଟିଏ ସ୍ତ୍ରୀ ଲୋକ ଦଳ ଓ ଏମିତି ଦେଖିଦେଖି ସେ ରହୁଥିବା ଭଡାଘରେ ପହୁଞ୍ଚିଲେ । ରାତି ପ୍ରାୟ ଦଶଟା । ଶଙ୍କାକୁଳ  ମନକୁ ସଫା କରିବାକୁ ଚିନ୍ତା କରି ଘର ମାଲିକାଣୀକୁ ପଚାରିବାକୁ ବାହାରିଲେ । ହଠାତ୍ ନିରାକାର ବାବୁଙ୍କ ଫୋନ୍ ବାଜିଲା । ଦେଖିଲେ ତା’ଙ୍କ ସ୍ତ୍ରୀ’ଙ୍କର ଓ ଫୋନ୍  ଉଠାଇ ଶୁଣିଲେ – ଶୁଣୁଛ ! ଆଜି ରାତି ବାରଟା ପୁର୍ବରୁ ଗୋଟିକିଆ ପୁଅର ମା’ମାନେ ଶିବ ମନ୍ଦିରରେ ଦୀପ ଜାଳିବାକୁ ପଡିବ । ନହେଲେ ଅସୁବିଧା ହେବ । ନିରାକାର ବାବୁ କହିଲେ ଏ ସବୁ ବାଜେ କଥା ବନ୍ଦ୍ କର ! ହଁ  ଯଦି ଭାବୁଛ, ତୁମର ତ’ ଗୋଟିଏ ପୁତ୍ରରୁ ଅଧିକ । ବ୍ୟସ୍ତ କାହିଁକି ? ଏବେ ସବୁ କଥା ଜଣା ପଡିଲା । ଦଶ ମିନିଟ୍ ପରେ ପୁଣି ସ୍ତ୍ରୀ’ର ଫୋନ୍ । ପୁଣି କ’ଣ ହେଲା ? ସ୍ତ୍ରୀ’ର ଥରଥର କଣ୍ଠ ! ଜାଣିଲନା ! ସାହୁବାବୁଙ୍କ ସ୍ତ୍ରୀ ଏବେ ଆମ ଘରେ ଆସି କହିଲେ, ଯାହାର ଦୁଇଟି  ପୁଅ ସେ ବି ଦୀପ ଜାଳିବ । ସାହୁବାବୁଙ୍କ ସ୍ତ୍ରୀ ସହ ମୁଁ ମନ୍ଦିର ଯାଉଛି । ନିରାକାର ବାବୁ ବିରକ୍ତ ହୋଇ ଯେତେ ବୁଝାଇଲେ ଏ ସବୁ ମିଥ୍ୟା ଗୁଜବ, ଏତେ ରାତିରେ  ମନ୍ଦିର ଯିବ, ଗୋଟିଏ କିଲୋମିଟର ପାଖାପାଖି ଦୂରରେ ମନ୍ଦିର ! ସେ ବା କାହୁଁ  ବୁଝିବ ? ସମ୍ପୂର୍ଣ୍ଣ ଲଗାମ୍ ଛଡା ପରି ପ୍ରତୀୟମାନ ହେଉଥିଲା । ନିରାକାର ବାବୁଙ୍କ ମନ ଗହନରେ ଉଙ୍କିମାରୁଥିଲା  ରାସ୍ତାରେ ସ୍ତ୍ରୀ ଲୋକ ମାନଙ୍କର ଚାଲିବାର ଠାଣିର  ପରିସ୍ଫୁଟ ଭାବ  –

କେଶ ବାସ ଅସମ୍ଭାଳ ଧାଉଁଛନ୍ତି ସର୍ବେ …….. ରକ୍ଷାକର ରକ୍ଷାକର ନୀଳକଣ୍ଠ ବେଗେ

ମୋର ପୁତ୍ର ସ୍ୱାମୀଙ୍କର ତୁ ରକ୍ଷା କବଚ …….. ତା’ଙ୍କ ବିନୁ ଏ ଜୀବନେ ନାହିଁ ତିଳେ ଆଶ

ଦୀପ ଜାଳି ବଞ୍ଚାଇବି ମୋ ପ୍ରିୟ ଜନଙ୍କୁ …….. ଦେବ ଦେବ ମହାଦେବ ରଖ ଅରକ୍ଷକୁ

ହେ ଶଙ୍କର ଆଶୁତୋଷ ତୁହି ସର୍ବ ବ୍ୟାପି ……. ତୋର ପାଦପଦ୍ମେ ମୁହିଁ ଢାଳୁଛି ପ୍ରଣତି  ।

ଦ୍ୱାପରରେ କୃଷ୍ଣଙ୍କ ବଂଶୀସ୍ୱନ ଶୁଣି ଗୋପୀମାନେ ପାଗଳୀ ପ୍ରାୟ ଧାଉଁ ଥିବାର ବର୍ଣ୍ଣନା ହୋଇଛି । କିନ୍ତୁ ଏ କଳିଯୁଗରେ କିଏ ବଂଶୀ ବଜାଇଲା ଯେ , ନାରୀ  ମାନଙ୍କର ଏ  ଦୁର୍ଦ୍ଦଶା ଘଟିଲା ?  ରାତି ଏଗାରଟା ଚାଳିଶ । ନିରାକର ବାବୁଙ୍କ ସ୍ତ୍ରୀ ଫୋନ୍ କରି କହିଲେ , ଶୁଣ ! ମନ୍ଦିରରେ ପ୍ରବଳ ଭିଡ । ଦୀପ ଦୋକନ ଆଗରେ  ରାହା ମିଳୁନାହିଁ ।  ଯାହା ହେଉ ଠେଲା ଠେଲିରେ ଦୀପଟିଏ କିଣିଲି । ଦୁଇ ଟଙ୍କିଆ ଦୀପକୁ ପଚାଶ ଟଙ୍କା ନେଲା । ଦୀପ ଜାଳି ଏବେ ଘରେ ପହଞ୍ଚିଲି । ଫେରିବା  ବେଳେ ଦୀପ ଦୋକାନ ଆଗରେ କଥା ଶୁଭୁଥିଲା ସେ ଦୀପ ଦାମ୍ ବଢି ବଢି ଦୁଇଶହ ଟଙ୍କା ହୋଇଗଲାଣି । ତୁମ କଥାରେ ଆଉ ଟିକିଏ ଡେରି କରିଥିଲେ ଦୁଇଶହ  ଟଙ୍କା ଯାଇଥା’ନ୍ତା । ଦେଢଶହ ଟଙ୍କା ତ ବଞ୍ଚିଗଲା  ଓ ପରିବାର ମଧ୍ୟ ରକ୍ଷା ପାଇଲା । ସ୍ତ୍ରୀ’ର ସନ୍ତୋଷ ପୂର୍ଣ୍ଣ କଣ୍ଠସ୍ୱର ଶୁଣି ନିରାକର ବାବୁ ଆଶ୍ୱସ୍ତି ହେଲେ । ନିରାକାର ବାବୁ ଭାବୁଛନ୍ତି, ଦୀପ ଦୋକାନୀର ଆଜି କଚେପୁଅ ବାର । ଏକା ଥରକେ ସଭିଙ୍କ ଥଳୀରୁ ଟଙ୍କା ଛାଏଁ ଛାଏଁ ବୋହି ଆସିଲା । ଯେତେ ଦାମ୍ ବଢାଇଲେ ପରବାୟ ନାହିଁ । ନିର୍ଦ୍ଦ୍ୱନ୍ଦରେ ବିକ୍ରି ଚାଲିଲା । ମନ ଭ୍ରମର ତା’ର ନିଶୟ ଭଁ ଭଁ କରି ଉଡୁଥିବ । ତେବେ ଭାରତୀୟ  ନାରୀ ! ନିଜ ଜୀବନକୁ ତିଳ ତିଳ କରି ଜାଳି ନିଜ ସ୍ୱାମୀ ଓ  ସନ୍ତାନ-ସନ୍ତତିଙ୍କ ପାଇଁ କେତେ ବାର, ବ୍ରତ ଓ ଉପବାସରେ  ନିମଜ୍ଜିତ ହୋଇ ଆଖିରୁ ଲୋତକ ଝରାଏ ତାହାର ତୁଳନା ନାହିଁ । ଏହାହିଁ ଦିବ୍ୟ ଭାରତୀୟ  ପରମ୍ପରା । କିନ୍ତୁ  ନାରୀ ମାନଙ୍କର ଏହି ଦୁର୍ବଳତାକୁ ହାତ ବାରିସୀ  କରି ଦୁଃଷ୍ଟ  ବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ଫାଇଦା ଆଶାରେ ସେମାନଙ୍କ ମର୍ମସ୍ଥଳକୁ ଆଘାତ କରି କଲବଲ କରିବା ହେଉଛି ଭାରତୀୟ ସଂସ୍କୃତି ଓ ଧାର୍ମିକ ଚେତନାର ଘୋର  ଦୁରୂପଯୋଗ ।

ବିଭିନ୍ନ ସ୍ଥାନରେ ଏହିପରି  ଅନେକ ଗୁଜବର ଶୀକାର ହୋଇ ଜନ ସମାଜ କଲବଲ ହେବାରେ ଲାଗିଛି । ଶଙ୍କାକୁଳ ଓ ଭୟଭୀତ ମନ ଆତୁର ହୋଇ ନିଶୟ ଗୁଜବକୁ  ଆଦରି  ନେବ । ଏହାକୁ ଆୟୁଧ କରି କାହିଁ କେତେ ପାପିଷ୍ଠ ମାନେ ଲିପ୍ତ ରହୁଛନ୍ତି କୁକର୍ମରେ, ତା’ର ତୁଳନା ନାହିଁ । ଯେମିତି ଦୁନିଆରେ ସ୍ୱଘୋଷିତ ଈଶ୍ୱର(Self-styled God)ମାନଙ୍କର ଆବିର୍ଭାବ, ଉତ୍‍ଥାନ ଓ ପତନର ଅନ୍ତଃ ନାହିଁ । ତେବେ ଲକ୍ଷ ଲକ୍ଷ ଭକ୍ତ ମାନଙ୍କର ପୃଷ୍ଟପୋଷକତାରେ ଈଶ୍ୱରୀୟ ବାବା ମାନଙ୍କର ଗାରିମା ଯେବେ ସୀମା ଲଂଘନ କରେ ସେତେବେଳେ କେହିନାକେହି ଜଣେ ଭକ୍ତ ବାବାଙ୍କ ପ୍ରଚ୍ଛଦପଟ ଅତ୍ୟାଚାରରେ ଅତିଷ୍ଠ ହୋଇ ସମାଜ ଆଗରେ ସତ୍ୟ ବୟାନ ଦିଏ । ଫଳରେ ତା’ଙ୍କ ମୁଖା ଖୋଲିଯାଏ ଓ  ବାବାଙ୍କର ଦୟନୀୟ ପତନ ଘଟେ । କିନ୍ତୁ ଯାହା ଦେଖାଯାଉଛି ଜଣେ ଦୁଇଜଣଙ୍କୁ ଛାଡି  ଲକ୍ଷ ଲକ୍ଷ ଭକ୍ତ ମାନେ ବୟାନକାରୀକୁ  ସହଯୋଗ ପରିବର୍ତ୍ତେ ବିରୋଧ  କରନ୍ତି । ସେମାନେ ବାବାଙ୍କ ପାଇଁ ଦୃଢ ବ୍ୟୁହ ରଚନା କରି ଓ ତା’ଙ୍କୁ ବ୍ୟୁହର କେନ୍ଦ୍ର ବିନ୍ଦୁରେ ସ୍ଥାପନ ପୁର୍ବକ ଭକ୍ତଙ୍କ ସମର ସଜ୍ଜା ସୃଷ୍ଟି  କରିଥା’ନ୍ତି । ଯେପରି ଜୟଦ୍ରଥଙ୍କୁ ଗୁରୁ  ଦ୍ରୋଣ ପଦ୍ମଶକଟ ବ୍ୟୁହ ମଧ୍ୟରେ ଅର୍ଜୁନ କବଳରୁ ଲୁଚାଇ ରଖିଥିଲେ । କିନ୍ତୁ ଏ କୌରବ ସେନା ରୂପୀ ଭକ୍ତ ଜାଣିଶୁଣି  ନିଜର ସ୍ୱାର୍ଥ ହାସଲ ନିମିତ୍ତ ବାବାଙ୍କ ଭୟଙ୍କର ଅତ୍ୟାଚାରକୁ ଦେଖୁଥିଲେ ସହୁଥିଲେ ଓ ନୂଆନୂଆ ଭକ୍ତ ସୃଷ୍ଟି କରାଉଥିଲେ । ଯେମିତି ଲାଞ୍ଚ ନେବା ଓ ଲାଞ୍ଚ ଦେବା  ଧର୍ତ୍ତବ୍ୟ ଅପରାଧ ଅଟେ, ସେହି ଧାରାରେ ଭଣ୍ଡ ବାବା  ଏବଂ ଭଣ୍ଡ ଭକ୍ତମାନେ ସମାନ ଭାବେ ଅକ୍ଷମଣୀୟ ଅପରାଧୀ ଅଟନ୍ତି ।

ଏତାଦୃଶ ଭିନ୍ନଭିନ୍ନ ପ୍ରକାରର ମିଥ୍ୟା ଗୁଜବ, କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଦ୍ୱାରା ହେଉ ଅଥବା କିଛି ବ୍ୟକ୍ତି ସମାଜରେ ହଇଚଇ ସୃଷ୍ଟି କରି ଆମୋଦିତ ହେବାର  ଉଦ୍ଦେଶ୍ୟ  ହୋଇଥାଉ କିମ୍ବା ଅନ୍ୟକ’ଣ ହୋଇଥାଉ ତାହା ଘଟିଥିଲା ଓ ଘଟୁଛି ମଧ୍ୟ । କିନ୍ତୁ ସବୁ ମନ ଶଙ୍କାକୁଳ ଓ ଭୟଭୀତ ଯୁକ୍ତ ନୁହେଁ ।  ଦୃଢ ଓ ସ୍ଥିତପ୍ରଜ୍ଞ ମାନଙ୍କ ସଂଖ୍ୟା  ନ୍ୟୁନ ହେଲେ ମଧ୍ୟ ସାମାଜିକ ସନ୍ତୁଳନତାରେ ନିଶ୍ଚିତଭାବେ ଏମାନେ ଆଦରଣୀୟ । ବାରମ୍ବାର ସୁସ୍ଥ ମାନବୀୟ ଜୀବନ ଧାରାରେ କୁଠାରଘାତ କରାଗଲେ ବି  ସାମାଜିକ ସୁସ୍ଥତା ବଜାୟ ରହୁଛି । ଅବଶ୍ୟ ଏଥିନିମିତ୍ତ ଜନସାଧାରଣଙ୍କୁ ହନ୍ତସନ୍ତ ହେବାକୁ ପଡୁଛି । ତିନି ତୁଣ୍ଡରେ ଛେଳି ହିଁ କୁକୁର ପାଲଟିଯାଏ । ତେଣୁ କୌଣସି  ଗୁଜବକୁ ଅନ୍ଧଭାବେ ଗ୍ରହଣ କରି ତା’ର ଶୀକାର ହେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ ।

ପଞ୍ଚୁଆ ଆଜିଯାଏ ବଞ୍ଚିଛି । ଶହେ ଆଠ ଖଣ୍ଡ ଲେଖିବା ଦୂରେ ଥାଉ, ଖଣ୍ଡେ ବି ଲେଖିଲା ନାହିଁ କି ବାଣ୍ଟିଲା ନାହିଁ । ତା’ର କ’ଣ ହେଲା ? ତା’ର  ଅବିଚଳିତ ମନର  ସ୍ଥିରତା  ଓ  ଦୃଢତାର ପ୍ରତିଫଳନ ହିଁ ଘଟିଲା । ସେ ସମୟର ଅଳ୍ପ ପଢିଥିବା ପଞ୍ଚୁଆ ଆଜିର ସମାଜ ପାଇଁ ଆଦର୍ଶର କେନ୍ଦ୍ରବିନ୍ଦୁ । ହୋଇପାରେ ସ୍ଥୂଳବୁଦ୍ଧି ସମ୍ପନ୍ନ । କିନ୍ତୁ ତା’ ମଧ୍ୟରୁ ପରିପ୍ରକାଶ ହୋଇଛି ଦିବ୍ୟ ସୂକ୍ଷ୍ମ ଚେତନା, ଯାହା ଆଜିର ଶିକ୍ଷିତ ମାନବ( ଯେଉଁମାନେ ଗୁଜବକୁ ଆଦରିନେଇ ହନ୍ତସନ୍ତ ହେଉଛନ୍ତି) ମାନଙ୍କ  ପାଇଁ ସତର୍କ  ଘଣ୍ଟି ଅଟେ । ସେଥିପାଇଁ ଏକ ଗାଉଁଲୀ ଢଗ, ଯାହାକୁ ନିରାକାର ବାବୁ ପିଲାଦିନେ ଶୁଣିଥିଲେ ଓ ସାଙ୍ଗ ମେଳରେ ଗାଉଥିଲେ ତାହାର ଉପସ୍ଥାପନା ସହ ଏ ପ୍ରବନ୍ଧର ଅନ୍ତିମ କ୍ଷଣରେ ପହଞ୍ଚି ପାରିଥିବାରୁ ସେ ଏକ ଦୀର୍ଘ ନିଃଶ୍ୱାସ ପକାଇ ଖଟଉପରେ ଲଥ୍ କରି ବସି ପଡିଲେ , ଯଥା : –

ବୁଣିଲି ଧନିଆଁ ଉଠିଲା ବିରି ………………… ଫୁଲ ଫୁଟିଗଲା ନବ ନାଗରୀ !

କଷି  ଧରିଗଲା ବେଲ

ସହସ୍ର ପାଠୁଆ ନ’ କହି ପାରିଲେ …………….  ମୂର୍ଖ ବୁଝିଗଲା ଗେଲ ।

ସମୟ ଚକ୍ରରେ ସବୁ କିଛି ଅତିବାହିତ ହୋଇଚାଲିଛି । ଘୁଗୁନି ବିକାଳି ମଉସା ଇହଲୀଳା ସମ୍ବରଣ କରି ସାରିଲେଣି । କିନ୍ତୁ ପଞ୍ଚାନନ ଭାଇ(ପଞ୍ଚୁଆ) ଦୃଢଭାବେ  ବିଦ୍ୟମାନ ।  ବାଲ୍ୟକାଳର ଏ ଦୁଇ ଚରିତ୍ର ନିରାକାର ବାବୁଙ୍କୁ ପରୋକ୍ଷରେ ଆଜିଯାଏ ପ୍ରେରଣା ଯୋଗାଇ ଚାଲିଛି ଓ ଚାଲିଥିବ ମଧ୍ୟ ।

———————————————————————————————————————————–

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help