ଚତୁର୍ଥ ଧୃତରାଷ୍ଟ୍ର ଓ ଦ୍ୱିତୀୟ ଶକୁନିର କୃଷ୍ଣଗହ୍ୱରରେ ଈଶ୍ୱର କଣିକା

ଚତୁର୍ଥ ଧୃତରାଷ୍ଟ୍ର ଓ ଦ୍ୱିତୀୟ ଶକୁନିର କୃଷ୍ଣଗହ୍ୱରରେ ଈଶ୍ୱର କଣିକା

ପୂର୍ବକାଳରୁ ଅଦ୍ୟାବଧି ଖନାବଚନ ଏକ ଅମୂଲ୍ୟ ଗ୍ରନ୍ଥ ଭାବେ ଆଦୃତ । ଅବକ୍ଷୟପ୍ରାପ୍ତ ପୁରାତନ ଗଣିତ ଜ୍ୟୋତିଷ ଓ ଫଳିତ ଜ୍ୟୋତିଷର ଏକ କ୍ଷୁଦ୍ର ଅଂଶର   ପରିପ୍ରକାଶ  ହିଁ ଖନାବଚନ । କହିବା ଓ କାର୍ଯ୍ୟରେ କରିବାର ଯାବତୀୟ ଶୁଭାଶୁଭ  ଫଳାଫଳକୁ ନେଇ ଏହା ଏକ ସତର୍କତାର ସୀମାରେଖା ସୃଷ୍ଟିକରେ । ତହିଁ ମଧ୍ୟରୁ ଚାଷୀକୁଳକୁ  ଅନେକ  ଅନେକ ସୂଚନା ଦିଆଯାଇଛି । ପ୍ରଥମତଃ ଜମିରେ ହଳ ବୁଲାଇବା ପାଇଁ ଦକ୍ଷତା ଥିବା ବଳଦ କ୍ରୟ କରିବାର ଏକ  ଯୁଗାନ୍ତକାରୀ  ମାର୍ଗକୁ ପାଥେୟ କରି ଉକ୍ତ ପ୍ରବନ୍ଧରେ ସୁସ୍ଥ  ସାମାଜିକ ଚେତନା ସୃଷ୍ଟି ନିମିତ୍ତ ବିଜ୍ଞାନର ଆକର୍ଷଣକୁ ମଧ୍ୟ ଏଡାଇ ଦିଆଯାଇ ପାରିବ ନାହିଁ । ଯଥା –

ଜାଣେ ନଜାଣେ ଝାମ୍ପୁଲା ଆଣେ …………………. ଖାଡିଆ ଶିଙ୍ଗା ସବୁଠୁ ଟାଣ ।

କୁଣ୍ଡଳୀ ଶିଙ୍ଗା ଦେଖିବୁ ଯେବେ  ………………….. ଅଣ୍ଟାରୁ ପଇସା କାଢିବୁ ତେବେ ।

ଯେବେ ଦେଖିବୁ ଟାଙ୍କୁଲାଞ୍ଜୁଆ …………………… କାଢିବୁ ତେବେ ଟଙ୍କା ଗାଞ୍ଜିଆ ।

ମୂଳିଆ ଶିଙ୍ଗା କିଣିବୁ ବାଛି  ……………………….. କାନ୍ଦୁଥିବୁ ହିଡ ମୁଣ୍ଡରେ ବସି ।

ଶିଙ୍ଗ ସରୁଆ ଲାଙ୍ଗୁଡ ଲାଙ୍ଗୁଡ ମୋଟା ………………….. ମାଗଣା ଦେଲେ ଆଣିବୁନି ବେଟା ।

ପ୍ରକୃତପକ୍ଷେ ଏହାର ସ୍ଥୂଳ ଓ ସୂକ୍ଷ୍ମ ସ୍ୱରୂପରେ ଡୁବି ରହିଛି ନିରବ – ନିଷ୍ଠୁର – ସାର୍ବଜନୀନ ଏବଂ ସଦାଜୀବନ୍ତ ଦର୍ଶନ ତତ୍ତ୍ୱର ନିଚ୍ଛକ ଭାବଧାରା ।ଭାରତୀୟ  ସଂସ୍କୃତି  ଓ ବିଜ୍ଞାନ  ମଧ୍ୟରେ ଅପୂର୍ବ ସମନ୍ୱୟତାର ପ୍ରତୀୟମାନ ହୁଏ । ସଂଖ୍ୟାରୁ ଜାତ ତାତ୍ତ୍ୱିକଭାବ ସ୍ପର୍ଶକରେ ବିଜ୍ଞାନର ପ୍ରତି ଅବୟବକୁ । ତନ୍ମଧ୍ୟରୁ ସଂଖ୍ୟା ଚାରିର  ଆଲୋକପାତ ନିମିତ୍ତ ଏହା   ସହ ସଂଲଗ୍ନ ଭିନ୍ନ ଭିନ୍ନ ବିଶେଷ୍ୟଗୁଡିକର ରୂପରେଖ ଭାବନା ରାଜ୍ୟରେ ଉଙ୍କିମାର, ଯଥା – ଚାରିଯୁଗ, ଚାରିବର୍ଣ୍ଣ,  ଜୀବନର  ଚାରିସୋପାନ, ଚତୁର୍ଭୁଜ, ଚାରିପଦ୍ମ, ଚାରିଧାମ,   ଚାତୁର୍ମାସ, ଚାରିଆୟୁଧ, ଚାରିଆଙ୍ଗୁଳ, ଚତୁର୍ବେଦ, ଚତୁଃମୁଖ, ଚତୁଃପରିସର, ଚାରିବଳଦ,  ବିଶ୍ୱର ଚାରି  ପାରସ୍ପରିକ କ୍ରିୟା, ………. ଇତ୍ୟାଦି । ଏଥିରୁ ଉଦ୍‍ଗତ ଚରମସତ୍ୟ   ବାଣୀ ଗୁଡିକର ନିନାଦ ବିହୀନ ମହାଜାଗତିକ ପ୍ରବାହରେ ଚାରିବଳଦ ଉପରେ ଦୃଷ୍ଟି ନିକ୍ଷେପ  କରାଯାଇଛି ।

ପ୍ରଥମତଃ ସ୍ଥୂଳ ସ୍ୱରୂପରୁ ପରିପ୍ରକାଶ ପାଏ ଚାରିପ୍ରକାର ବଳଦର କର୍ମକ୍ଷେତ୍ରରେ ଦକ୍ଷତା । ଲଙ୍ଗଳ ଓ ଯୁଆଳିଯୁକ୍ତ ଯୁଗ୍ମବଳଦ ମାନଙ୍କ ସହ ହଳୁଆର ଏକ ହାତ  ଲଙ୍ଗଳ କଣ୍ଟି ଉପରେ ଥାଏ ଓ ଅନ୍ୟ  ହାତରେ ପାଞ୍ଚଣ ଥାଏ । ଜମିରେ  ଲଙ୍ଗଳ ଟାଣିବାରେ ଝାମ୍ପୁଲା ଧୁରନ୍ଧର ଓ ସ୍ଥିର ଦକ୍ଷତା ପ୍ରଦର୍ଶନରେ ସବୁ ବଳଦଠାରୁ ଆଗୁଆ । ଝାମ୍ପୁଲା ବଳଦର  ମୁଖମଣ୍ଡଳର ଲୋମରାଶି ଓ ଶିଙ୍ଗଦ୍ୱୟ ପ୍ରାୟ ପଶ୍ଚାତ୍‍ମୁଖୀ । ନଥାଏ ରୁକ୍ଷତା । ଅତି ସାଧାରଣ ବଳଦଟିଏ, ଯାହାର ଆକ୍ରମଣାତ୍ମକ  ଇସାରା  ନଥାଏ । ଆଉଁସି ଦେଲେ ନିଜର  ହୋଇଯା’ନ୍ତି । ଏମାନେ ମାଲିକ ବୋଲକରା – ଯେତେ ଖଟାଇଲେ ଆପତ୍ତି ନାହିଁ । ଏମାନଙ୍କର ପ୍ରାୟ ଶତ୍ରୁ ନ’ଥାନ୍ତି । ଶରୀରର  ସମସ୍ତ ଶକ୍ତି ମାଲିକ ପାଇଁ ଗଠନମୂଳକ କାର୍ଯ୍ୟରେ ବିନିଯୋଗ ହୁଏ । ଦ୍ୱିତୀୟ ପ୍ରକାର ବଳଦ ମାନଙ୍କର ଶିଙ୍ଗ ଛୋଟ ଓ ପ୍ରାୟ ଉର୍ଦ୍ଧ୍ୱମୁଖା । ଏମାନେ କାଟଣ ଓ  ଜମିରେ ଲଙ୍ଗଳ ଟାଣିବାର ଧୁରନ୍ଧର । ତେଣୁ କାର୍ଯ୍ୟରେ  ସବୁଠୁ ଟାଣ ବୋଲି କୁହାଯାଇଛି । ଏମାନେ ତିନି ରୂପରେ ଆବିର୍ଭାବ ହୋଇଥା’ନ୍ତି, ଯଥା – ଖାଡିଆ (ପ୍ରାଥମିକ ସ୍ୱରୂପ), ଖାଡିଆ(କୁଣ୍ଡଳୀ ଶିଙ୍ଗା) ଓ ଖାଡିଆ(ଟାଙ୍କୁ ଲାଞ୍ଜୁଆ) । କୁଣ୍ଡଳୀ ଶିଙ୍ଗା ବଳଦର ଦୁଇ ବା ଏକ ଶିଙ୍ଗ ଅଗ୍ରଭାଗରେ କୁଣ୍ଡଳାକାର ହୋଇଥାଏ । ପ୍ରକୃତିର ସୃଷ୍ଟି କୁଣ୍ଡଳାକାର ବା ଗୋଲାକାର ଅଟେ । ଏମାନେ ଧୈର୍ଯ୍ୟବାନ ଓ ସ୍ଥିରବୁଦ୍ଧି   ସମ୍ପନ୍ନ ହୋଇଥିବାର ଧାରଣା ଜଗାନ୍ତି । ଏମାନଙ୍କୁ ଦେଖିଲେ ପ୍ରକୃତିର ଦିବ୍ୟ ଚେତନା ଭାବ ଜାଗ୍ରତ ହୁଏ । ସତେକି ଏହି ଜାତୀୟ ବଳଦ ସମୟର  ଅନାଦି ଓ ଅନନ୍ତ  ରୂପର ପ୍ରତିବିମ୍ବ ଅଥବା ସୃଷ୍ଟିର କାରଣରେ ଜଡିତ । ଏମାନଙ୍କ ସଂଖ୍ୟା  କୋଟିକରେ ଗୋଟିଏ । ପର କ୍ଷେତରୁ ଫସଲ ଖାଇ ଉଜାଡିବା, ପଘା ଛିଣ୍ଡାଇ ପଡୋଶୀ ବାଡିରେ  ପଶିବା ଆଦି ଗୁଣମାନ କୁଣ୍ଡଳୀଶିଙ୍ଗା  ଠାରେ ନ’ଥାଏ । ପୁନଶ୍ଚ  ଖାଡିଆର ତୃତୀୟ ବର୍ଗ ଅର୍ଥାତ୍‍ ଟାଙ୍କୁଲାଞ୍ଜୁଆ ପ୍ରାୟତଃ ଉତ୍ତେଜିତ ଓ ଅସ୍ଥିର ଥିବାର ଜଣାପଡେ । ସମସ୍ତ  ପୁରୁଣା ଅଛିଣ୍ଡା ସମସ୍ୟାର ସମାଧାନ ନିମିତ୍ତ  ଏମାନଙ୍କୁ  ନିୟୋଜିତ କରିବା ବିଧେୟ । ଟାଙ୍କୁଲାଞ୍ଜୁଆର ଲାଙ୍ଗୁଡରେ ଭାବିଚିନ୍ତି ହାତ ବା ପାଞ୍ଚଣ ମାରିବା ଉଚିତ୍‍ । ସଦା ଜାଗ୍ରତ   ନିଦ୍ରା ନାହିଁ ଅର୍ଥାତ୍‍ ଏମାନେ ସର୍ବଦା  ପ୍ରଖର  ଓ ଲାଙ୍ଗୁଡ ଅନ୍ୟ ବଳଦଙ୍କଠୁଁ ସରୁଆ ଅଟେ । ଲାଙ୍ଗୁଡ ମୁଳରେ ହାତ ବାଜିବା ମାତ୍ରେ ଉଚ୍ଛନ୍ନ ହୋଇ ଡେଇଁ ପଡନ୍ତି, ଯେପରି ବିରୁଡି ବସାରେ କାଠି  ମାରିଲେ ପରିସ୍ଥିତି ଭୟଙ୍କର ହୁଏ । କର୍ତ୍ତବ୍ୟରେ ଦାସ ଓ ଲଙ୍ଗଳ ଟାଣିବାରେ ବିରାମ ନାହିଁ । ତେଣୁ ଅଯଥା ତା’ଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା  ବୁଦ୍ଧିମାନର କାର୍ଯ୍ୟ ନୁହେଁ । କର୍ମବୀରର  ଅବିଚ୍ଛିନ୍ନତାରେ ହସ୍ତକ୍ଷେପ ପୂର୍ବକ ନିଜର ମାଲିକତ୍ୱ ଜାହିର କରିବାର ଫଳ ଓଲଟା ହୁଏ । ବିଜ୍ଞାନୀ ଚାଷୀ ଏହିମର୍ମ ସଠିକ୍‍ ଭାବେ  ଆକଳନ କରିଥାଏ ଓ ସତର୍କ  ରହେ । ଯଦି ମାଲିକ ଦେଖେଇ ହୁଏ, ତେବେ ପରିଣାମ କ୍ଷତିକାରକ ହୁଏ । ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ । ଏମାନେ  ତ ଜନ୍ମରୁ ଉତ୍ତେଜିତ  ଓ ଶାଣଦିଆ ଛୁରୀ ସଦୃଶ । ତେଣୁ ଅଯଥାରେ ମିଛ ଓ ଚୁଗୁଲିର ମାୟାଜାଲରେ ପକାଇ ଏମାନଙ୍କୁ ଉତ୍ତେଜିତ କରାଇଲେ, ସମୟ ସେହି ପାଷାଣ୍ଡ ମାନଙ୍କୁ   କ୍ଷମା  ଦିଏ ନାହିଁ । ଟେକାଟିଏ ପକାଇଲେ ପଥରଟିଏ ଥୁଆ ।

ପ୍ରକୃତିର ଗତିପଥରେ ଯଦି କିଛି ବିଘ୍ନ ସୃଷ୍ଟି କରାଯାଏ, ତେବେ ସେ କାହାକୁ କ୍ଷମା ଦିଏ ନାହିଁ । ଏହା ଟାଙ୍କୁଲାଞ୍ଜୁଆର ସତର୍କ ବାଣୀର ଆଭାସ ।ପୃଥିବୀରେ  ଜୀବଜଗତର ରକ୍ଷା କବଚ ବାୟୁମଣ୍ଡଳର ଓଜୋନ୍‍ ସ୍ତର ଅଟେ । ଆଜିର ପରିବେଶ ପ୍ରଦୂଷଣରୁ ଏହି ସ୍ତରରେ ମହାଗର୍ତ୍ତ ମାନ ସୃଷ୍ଟି ହେବାରେ ଲାଗିଛି । ତେଣୁ  ଶୋଷକ ସ୍ତରର ଅନୁପସ୍ଥିତି ପଥରେ ଅତିବାଇଗଣି ଆଦି ରଶ୍ମି ପୃଥିବୀ ପୃଷ୍ଠରେ ଆପତିତ ହେଉଅଛି । ଏହା ଜୀବଜଗତ୍‍ ଧ୍ୱଂସର କାରଣକୁ ବୃଦ୍ଧିପ୍ରାପ୍ତ କରାଉଛି । ତେଣୁ ହେ ମାନବ ସମାଜ ! କର୍ତ୍ତବ୍ୟ  ପରାୟଣ ଟାଙ୍କୁଲାଞ୍ଜୁଆ ମୁଣ୍ଡରେ ଅଯଥାରେ ଅଠା ବୋଳି ପରିବେଶକୁ ଅଶାନ୍ତ କରିବା ଏବଂ ଓଜୋନ୍‍ ସ୍ତରକୁ ଧ୍ୱଂସ  କରିବାର  ପ୍ରକ୍ରିୟା ସମଭାବାପନ୍ନ ଅଟେ । ବିନାଶ କାଳେ ବିପରୀତ  ବୁଦ୍ଧିର ଏହାହିଁ ନମୁନା । ତେବେ ଖାଡିଆର ତିନି ସ୍ୱରୂପର ଏକତ୍ରୀକରଣର ନିର୍ଯ୍ୟାସ ବିଶ୍ୱ ପାଇଁ  ଅହରହ  ବାର୍ତ୍ତା ପ୍ରେରଣ କରୁଅଛି ଯେ, ବ୍ରହ୍ମା(କୁଣ୍ଡଳୀ ଶିଙ୍ଗା), ବିଷ୍ଣୁ   (ମୁଳ ଖାଡିଆ) ଓ ଶିବ(ଟାଙ୍କୁଲାଞ୍ଜୁଆ) ଯେପରି ରୂପରେ ଭିନ୍ନ ଏବଂ ଭାବରେ ଏକ – ତାହାହିଁ ଏକ ବ୍ରହ୍ମ  ଦ୍ୱିତୀୟ ନାସ୍ତି । ଚରାଚରରେ ସମସ୍ତ ଜଡ଼ ଓ ଚଳତ୍‌ରେ  ବ୍ରହ୍ମ    ବିଦ୍ୟମାନ । ଏହା ଈଶ୍ୱର କଣିକାର ପ୍ରତୀକ ଅଟେ  । ବିଶ୍ୱର କୋଣେ, ଅନୁକୋଣେ ଓ ପ୍ରତିକୋଣେ  ସଜାଗ ରହିଛି । ସମସ୍ତ ସ୍ୱରୂପର ଆଧାର ଓ ସମସ୍ତ ଶକ୍ତିର ପ୍ରକାର । ତେଣୁ ସତ୍‍ ବିନିଯୋଗହିଁ ଦିବ୍ୟ ଫଳ ପ୍ରାପ୍ତିର କାରଣ ଅଟେ ।

ଖାଡିଆ ଜାତୀୟ ବଳଦ ଲଢେଇ କରିବାରେ ଧୁରନ୍ଧର ଓ ମାରଣା ଅଟନ୍ତି । ଲଢେଇ ସମୟରେ ଏମାନେ ସମ୍ମୁଖ ଦକ୍ଷିଣ ଖୁରାରେ ମାଟି ଉଖାଡି, ଧୂଳି ଉଡାଇ,  ଦ୍ୱନ୍ଦ୍ୱ  ଯୁଦ୍ଧ  ନିମିତ୍ତ ଡାକରା ଦିଅନ୍ତି । ଆକ୍ରମଣ ଯେଉଁ ଜାତୀୟ ବଳଦ ଦ୍ୱାରା ହେଉ, କିମ୍ବା କିଛି ଷଡଯନ୍ତ୍ରକାରୀ ବଳଦ ଗୋଷ୍ଠୀଙ୍କ ତରଫରୁ ପ୍ରେରିତ  ଏକ ବଳଦ ଦ୍ୱାରା  ହେଉ ଅଥବା  ଖାଡିଆକୁ ଚକ୍ରବ୍ୟୁହ ମଧ୍ୟରେ ପକାଇ ଦଳେ ପ୍ରତିହିଂସା ପରାୟଣ ବଳଦ ମାନଙ୍କ ଦ୍ୱାରା ହେଉ ……… ଇତ୍ୟାଦିକୁ ଖାଡିଆ ଶିଙ୍ଗା ଭୟ କରେ  ନାହିଁ  ଓ ସେ ପ୍ରତିଆକ୍ରମଣ  କରେ । ଆକ୍ରମଣକାରୀ ଭାବିନ’ଥାଏ ଯେ, ଖାଡିଆକୁ  ଆକ୍ରମଣ ପାଇଁ ଯେହେତୁ ବହୁ ଷଡଯନ୍ତ୍ରକାରୀ , କୁଟୀଳ ଓ ବାକ୍‍ଚାତୁରୀର ଘେର  ରହିଛି, ତେଣୁ ସତରେ ସେ କ’ଣ  ପ୍ରତିଆକ୍ରମଣ କରିବ ? ମୋ’ର କିମ୍ବା ଆମ୍ଭମାନଙ୍କର କ’ଣ କିଛି କ୍ଷତି କରିବ ? କିନ୍ତୁ ଖାଡିଆ ପ୍ରତିଆକ୍ରମଣ କରେ ଓ ନିଶ୍ଚିତ  ଭାବରେ ଶାରିରୀକ ଭାବେ ହେଉ  କିମ୍ବା  ମାନସିକ ସ୍ତରରେ ହେଉ କିଛି କ୍ଷତି କରେ । ଚେତାଇଦିଏ ଷଡଯନ୍ତ୍ରକାରୀ ବଳଦଙ୍କୁ, ଯଥା –

ପଛଘୁଞ୍ଚା ନାହିଁ ଖାଡିଆ ଜାତକେ  ………….  ନ’ମରେ ସେ କେବେ ପରାଣ ଆତଙ୍କେ  

ତଥାପି ବଳଦ ଗୋଷ୍ଠୀ ଛତ୍ରଭଙ୍ଗ ପରେ ମଧ୍ୟ ପୁନଃ ପୁନଃ ଷଡଯନ୍ତ୍ର ରଚନା କରନ୍ତି । ତେଣୁ ଜାରଜ କୁଳରୁ ଜାତ ତମ୍ପ କଦାପି ଗୋଖର ହୋଇ ପାରେନା । ଗୋଖର  ଉପରେ  ଆକ୍ରମଣ ହେଲେ ସେ ଜାଗେ ଓ ସମ୍ମୁଖ ଚୋଟ ମାରେ; କିନ୍ତୁ ତମ୍ପ ସର୍ବଦିଗରୁ ସର୍ବଦା ଅସହିଷ୍ଣୁତାର ବହ୍ନିରେ ଜର୍ଜରିତ ହୋଇ ଅନ୍ୟାୟରେ,  ଜଣା ଓ  ଅଜଣାରେ ଗୋଖର  ଉପରେ ଆକ୍ରମଣର ମସୁଧା ଚଳାଇ ଥାଏ । ଯେହେତୁ ଖାଡିଆର ନିଜସ୍ୱ ଶକ୍ତି, ଶତ୍ରୁ ଦମନାର୍ଥେ କିଛି ମାତ୍ରାରେ କ୍ଷୟ ହୁଏ,  ତେଣୁ କାର୍ଯ୍ୟ  ଦକ୍ଷତା ଝାମ୍ପୁଲା ବଳଦଠାରୁ କିଞ୍ଚିତ୍‍ କମ୍‍ ଓ ବେଳେ ବେଳେ ଅଧିକ ମଧ୍ୟ ହୁଏ । କର୍ମରେ ଯେହେତୁ ଅବହେଳା ନ’ଥାଏ, ତେଣୁ ଖନାବଚନରେ ଝାମ୍ପୁଲା ଓ ଖାଡିଆ  ବଳଦକୁ ବିନା ଦ୍ୱିଧାରେ କ୍ରୟ କରିବା  ପାଇଁ  ଆହ୍ୱାନ ଦିଆଯାଇଛି ।

ତୃତୀୟ ପ୍ରକାର ବଳଦଙ୍କୁ ମୂଳିଆ ଶିଙ୍ଗା କୁହାଯାଏ । ଏମାନଙ୍କୁ ଚାଷୀ କିଣିଲେ ବହୁତ ହଇରାଣ ହରକତ ହୁଅନ୍ତି । ଏମାନେ କର୍ମକ୍ଷେତ୍ରରେ ମାନ୍ଦା ଓ କୁଟୀଳ ସ୍ୱଭାବର । ଶିଙ୍ଗ  ଦ୍ୱୟ ମୂଳରୁ ମୋଟା ଓ ବଡ ଆକାରର । ବେଳେବେଳେ ଶିଙ୍ଗଦ୍ୱୟ ଉର୍ଦ୍ଧ୍ୱରେ ପରସ୍ପର ଆଡକୁ ବକ୍ର କିମ୍ବା ଆକାଶ – ପାତାଳମୁଖୀ ହୋଇଥାଏ ଯାହା  ଷଡଯନ୍ତ୍ର  ଘେରର ସୂଚନା  ଦିଏ । ଏମାନେ ବହୁତ ପାରିବାର ପଣିଆ ଦେଖେଇ ହୁଅନ୍ତି ଓ ଖାଡିଆ ମାନଙ୍କ ଉପରେ ରାଗରେ ଜଳୁଥା’ନ୍ତି । ଖାଦ୍ୟଗ୍ରହଣ ଅତ୍ୟଧିକ  ପରିମାଣର  ଓ ଜମିରେ ଅଳ୍ପ ସମୟ  ଲଙ୍ଗଳ ଟାଣି ପୁନଃ ପୁନଃ ଶୁଅନ୍ତି । ଚାଷୀର ପ୍ରଚଣ୍ଡ ପାଞ୍ଚଣ ମାଡରେ ସେ କିଛି ମାତ୍ରାରେ ସତେଜ ହେଲେ ମଧ୍ୟ ଯଥାପୂର୍ବଂ – ତଥାପରଂ । ଯେତେ ପାଞ୍ଚଣ  ପାହାର ବସେ  ଖାଡିଆ ଉପରେ ତା’ର ସେତେ ରାଗ ଜଳେ । ମୂଳିଆ ଶିଙ୍ଗା ଭାବେ କାହିଁକି ଏମାନେ ଏତେ ଟାଣୁଆ ! ଚାଷୀ ହନ୍ତସନ୍ତ ହୋଇ  ହଳ  ଛାଡି ହିଡ ଉପରେ ମୁଣ୍ଡରେ ହାତ ମାରି   ଭାଗ୍ୟକୁ ନିନ୍ଦେ । ମୂଳିଆ ପ୍ରତ୍ୟେକ କ୍ଷେତ୍ରରେ ବିଘ୍ନ ସୃଷ୍ଟି କରେ  । ଅଶାନ୍ତିର ଗନ୍ତାଘର ଓ ବହୁ ରୋଗ – ବ୍ୟାଧିଗ୍ରସ୍ତ ମୂଳିଆର  ଜୀବନର ସବୁ ମୂଲ୍ୟବାନ ସମୟ ଖାଡିଆ  ଦମନାର୍ଥେ ଓ ଦଳ ଗଠନରେ ବିତିଯାଏ । କାର୍ଯ୍ୟଦକ୍ଷତା ପ୍ରଦର୍ଶନରେ ସବୁଠୁ ପଛୁଆ ଥିଲେ ମଧ୍ୟ ଦକ୍ଷତା   ସମ୍ପନ୍ନ ବୋଲି  ଶରୀରର ଅଙ୍ଗଭଙ୍ଗୀ ମାଧ୍ୟମରେ ଇସାରା  ପ୍ରଦାନ  କରେ । ଏମାନଙ୍କ ଶରୀରର ଆକାର ପୃଥୁଳକାୟ ଓ ପ୍ରତ୍ୟେକ ରିଷ୍ଟ ମୂଳରେ ଜଡ଼ିତ ହୋଇ ରହିଥା’ନ୍ତି । ମୂଳିଆ  ଯେତେବେଳେ ଝାଡିଝୁଡି ହୋଇ ଖାଡିଆକୁ ମିଥ୍ୟା କଳଙ୍କର  କାଦୁଅ ବୋଳୁଥିବ ଓ ନିଜକୁ ସତ୍ୟର ମୂର୍ତ୍ତିମନ୍ତ ଅବତାର ରୂପେ ପ୍ରକାଶୁଥିବ,  ଅନ୍ୟ ଷଡଯନ୍ତ୍ରକାରୀ  ମୂଳିଆ ଗୋଷ୍ଠୀ ପଛରେ ଦୂରେଇ ରହି ଆମୋଦିତ ହେଉଥିବେ ।

ଚତୁର୍ଥ ଶ୍ରେଣୀୟ ବଳଦର ଶିଙ୍ଗ ସରୁ ଓ ଲାଞ୍ଜ ମୋଟା ଅଟେ, ଯାହା ମୋଟା ବୁଦ୍ଧିଆର ପ୍ରଥମ ସଙ୍କେତ । ଦ୍ୱିତୀୟତଃ ଏହି ବଳଦ ବର୍ଷା ଯୁଆଡେ ଛତା ସିଆଡେ ଅର୍ଥାତ୍‍  ସୁବିଧାବାଦୀ । ଯେତେ ଘାସ, ନଡା, କୁଟା, କୁଣ୍ଡା, କିଣା ଯାଇଥିବା ଗୋଖାଦ୍ୟ, …. ଆଦି ଦେଲେ ମଧ୍ୟ ଏମାନଙ୍କ ପେଟକୁ ନିଅଣ୍ଟ ହୁଏ । ଗୋରୁ ଗୁହାଳରେ ଅଧିକ  ମଳ – ମୂତ୍ର ତ୍ୟାଗ ପୂର୍ବକ ପରିବେଶକୁ ଅତ୍ୟନ୍ତ କଦର୍ଯ୍ୟ କରନ୍ତି । ଖୁଣ୍ଟରେ ଗୁଡେଇ ହୋଇ ପଘା ଛିଣ୍ଡାଇ ଅନ୍ୟ ବାଡି – ବଗିଚା ଓ କ୍ଷେତରୁ ରୋପିତ ଗଛ  ଓ  ଫସଲ ଖାଇଯା’ନ୍ତି ।  ଫଳରେ କଳହର ସୂତ୍ରପାତ ହୁଏ । ଜମିରେ ହଳ ବୁଲାଇବାର ଦକ୍ଷତା ଏମାନଙ୍କର ନାହିଁ କହିଲେ ଚଳେ । ତେଣୁ ମାଗଣାରେ ମିଳିଲେବି  ଏମାନଙ୍କୁ ଘରକୁ ଆଣିବା ମନା । ବ୍ରହ୍ମା ଯେପରି ଆଜନ୍ମ ବୃଦ୍ଧ, ଏମାନେ ଆଜନ୍ମ ମୃତବତ୍‍ ଓ ଅଲୋଡା । ଶିଙ୍ଗ ଗୁଡିକ ବିଭିନ୍ନ ଆକୃତିର ଓ ସମସ୍ତ  ଦୁର୍ଗୁଣର ଗନ୍ତାଘର ଏବଂ ନିଜର ବାସସ୍ଥାନଟିକୁ ନର୍କରେ  ପରିଣତ କରିବାରେ ଏହି ବଳଦ ମାନେ ନିଜର ମୁଖ୍ୟ କର୍ମ ବୋଲି ଭାବିଥା’ନ୍ତି । ତେବେ ଏହି ଚାରି ଜାତୀୟ ବଳଦ  ମାନଙ୍କର  କାର୍ଯ୍ୟକଳାପ ପୁରାତନ  କାଳରୁ ଚାଷୀମାନଙ୍କ  ଦ୍ୱାରା ପ୍ରାୟ ପରୀକ୍ଷିତ ହୋଇଛି, ଯାହା ଖନାବଚନରୁ ଯଥାର୍ଥ ମନେହୁଏ ।

ବର୍ତ୍ତମାନ ଏହି ଚାରି ଜାତୀୟ ବଳଦ ମାନଙ୍କର କାର୍ଯ୍ୟଦକ୍ଷତା, ଶାରୀରିକ ଗଠନାଦିର ସୂକ୍ଷ୍ମ ଚେତନାର ପରିପ୍ରକାଶକୁ ଆଜିର ଅବକ୍ଷୟପ୍ରାପ୍ତ ମାନବ ସମାଜ ନିମିତ୍ତ ଅତି  ସତର୍କତାର ଚେତାବନୀ ରୂପେ ଚିନ୍ତା କରାଯାଇ ପାରେ । ମାନବ ତା’ର କ୍ଷଣିକ କୃତ୍ରିମ ଶାରିରୀକ ସୁଖ ନିମିତ୍ତ ବିଭିନ୍ନ ପ୍ରକାରରେ ଆରମ୍ଭ କରିଛି ପ୍ରକୃତି  ବିରୁଦ୍ଧରେ ମହାଯାତ୍ରା,   ଯାହାର ଅନ୍ତଃ ନାହିଁ । ଏ ବିଶ୍ୱ ଚତୁଃବର୍ଗ ବଳଦର ସମାବେଶ ସଦୃଶ ଅଟେ । ପ୍ରଥମ ଦୁଇ ବର୍ଗଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଯଦି  ଏକ ନୂତନ ସ୍ଥାନରୁ ମୂଳିଆ  ଆସିଯାଏ, ତତ୍‍କ୍ଷଣେ ପୁରୁଣା ମୂଳିଆ ଓ ଚତୁର୍ଥ ଶ୍ରେଣୀୟ ମାନେ ନିଜସ୍ୱ ବାକ୍‍ଚାତୁରୀ ଓ ତୋଷାମଦ ପଣିଆର ବଳୟ ମଧ୍ୟରେ  ସେମାନଙ୍କୁ ଆପଣାର କରି ନିଅନ୍ତି । ଆଗନ୍ତୁକଙ୍କ ପିଠି ଚାଟି ସଫା କରନ୍ତି, ମୁହଁକୁ ମୁହଁ ଘଷନ୍ତି, ଲାଙ୍ଗୁଡ ଦ୍ୱାରା ମଶା – ମାଛି – ଡାଆଁସ ଆଦିଙ୍କୁ ତା’ଙ୍କ ଶରୀରରୁ  ଘଉଡାଇ ଦିଅନ୍ତି । ଆହାଃ ! କି ଅନାବିଳ ପ୍ରେମ !!  ଏହାର ନିଗୁଢ ରହସ୍ୟ ହେଲା ନୂଆ ମୂଳିଆକୁ ହାତ ବାରିସୀ କରି କସ୍ମିନ୍‍କାଳେ ମଥାନତ  କରୁନଥିବା ଖାଡିଆ  ଉପରେ ପ୍ରତିଶୋଧ ନେବା । ତେଣୁ ଆଗନ୍ତୁକ ଆରମ୍ଭରୁ ସତ୍ୟ  ନ’ଜାଣି ଖାଡିଆ ସହ ଶତ୍ରୁତାର ମନୋଭାବ ରଖେ । ଯଦି ନୂଆ ମୂଳିଆଟି ରାଜାଙ୍କ  ଉଆସ  ପାଖାପାଖି ବିଲରୁ ଆସିଥାଏ ତେବେ ସବୁ ରାସ୍ତା ତା’ପାଇଁ ମୁକୁଳା ହୋଇଯାଏ । ପୁରୁଣା ମୂଳିଆ ସବୁ କୂପ ମଣ୍ଡୁକ ସଦୃଶ । ଯାହା ଶିଖାଇଛି ଜଟାଧାରୀରେ  ବରାଙ୍ଗୀ । ଏତେବଡ ଦାମୀ ବିଲରୁ ଆସିଛନ୍ତି । ତେଣୁ କାଳେ ରାଜାଙ୍କ  କାନରେ ଫୋଡିଦେବେ,  ସେହି ଭୟରେ ଓ ନିଜ ସ୍ଥାନ ସୁରକ୍ଷିତାର୍ଥେ  ପୁରୁଣା ମୂଳିଆ  ମାନେ  ଆଗନ୍ତୁକର ପଛ ଠେଲା ବନନ୍ତି । ଯାହା ଫଳରେ ଆଗନ୍ତୁକର କର୍ମକ୍ଷେତ୍ରରେ ସବୁ ଦୁର୍ଗୁଣ, ନକରାତ୍ମକ  ଚିନ୍ତାଧାରା , କର୍ତ୍ତବ୍ୟରେ ଠକେଇ ଆଦି ସବୁ ଲୁଚିଯାଏ । ରାତାରାତି ନବାଗତ ପୁରୁଣା ମୂଳିଆଙ୍କ ନେତା ବନିଯାଏ । ନିଶରେ ଖାଣ୍ଟି ଗାଈଘିଅ ମାରି ନବାଗତ ଆନନ୍ଦରେ  ବିଭୋର । ଆଲ୍ଲା ଦେଗା ତୋ ଛପର୍‍  ଫାଡ୍‍କେ  ଦେଗା । ରହରେ ଖାଡିଆ ! ନାହିଁ ତୋ’ର ଗତିମୁକ୍ତି । ନବାଗତ କର୍ମଭୂମିରୁ କିମ୍ବା ଲଙ୍ଗଳ ଟାଣିବା ଭୟରେ  ଲୁଚି ପଳାୟନ  କଲେ ମଧ୍ୟ ଚିନ୍ତା କରିବାର  ଅବକାଶ  ନ’ଥାଏ । ଅଛନ୍ତି’ତ ସଖା – ସହୋଦର ତଥା ପୁରୁଣାବର୍ଗ । ମାଲିକ ହଜିବା ବଳଦକୁ ଯେତେ ଖୋଜିଲେ ପାଇବେ ବା କାହୁଁ ? ଘେରି ରହିଥିବା ମୂଳିଆଗୋଷ୍ଠୀ ବଖାଣନ୍ତି – ସା’ରେ ! ନବାଗତ ମାନେ ଅଛନ୍ତି । ଏବେ ରାଧୁଆର ଧାନ କିଆରୀ ହିଡରେ କଅଁଳିଆ ଦୁବଘାସ ଖାଉଥିବାର ଦେଖିଛୁ । ନୂଆ ମୂଳିଆ ଫେରିଲେ ଏମାନେ ଘେରିଯାଇ ମୁଣ୍ଡକୁ ଆଣ୍ଠୁଯାଏ ବଙ୍କାଇ ନମସ୍କାର କରି କହିବେ ସାଆରେ ! ଆପଣଙ୍କ ଦେହ’ପା ସବୁ ଠିକ୍‍ଠାକ୍‍ ଅଛି ତ ? ଜଗିରଖି ଚଳିବେ । ଆମେ ଅଛୁ  । ମାଲିକର ଖୋଜିବାରେ ଅବକାଶ ନାହିଁ । କିନ୍ତୁ ଖାଡିଆ ମାନଙ୍କୁ ସାବଧାନ ! ସେମାନେ ପରା ମାଲିକ ଆଗରେ କହିଲେ ଆପଣ  ଲଙ୍ଗଳ ନ’ଟାଣି ବିଲରୁ ପଳାୟନ  କରିଛନ୍ତି । କିଛି ଫଳ ହେଲାନାହିଁ । ଆମର ଦୃଢ ବଳୟ ଭେଦ କରିବାକୁ ଏଇ କେତେଟା ହାତ ଗଣତି ଖାଡିଆ କ’ଣ ସକ୍ଷମ ? ତଥାପି ଆପଣ କର୍ମକ୍ଷେତ୍ରରୁ  ଚମ୍ପଟ୍‍  ମାରିବାରୁ ମାଲିକର  ଦୁଇଟି କିଆରୀରେ ହଳ ଓ ଧାନବୁଣା ହୋଇପାରିନି, ଯେହେତୁ ତାହା ଆପଣଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ଆମର ଚତୁରପଣିଆ ଯୋଗୁଁ  ମାଲିକ ବୁଝିଯାଇ ଓଲଟି  ଖାଡିଆ  ଉପରେ ରକ୍ତ ଚାଉଳ ଚୋବାଉଛନ୍ତି । ଯାହା ଫଳରେ ଖାଡିଆ ଖାଲି ଡେଉଁଛି ଓ ନାତ ମାରୁଛି । ପୁନଶ୍ଚ  ଯଦି ଖାଡିଆ ଏକ  ନୂଆ ସ୍ଥାନକୁ କିଣାହୋଇ ଯାଏ, ସେଠାରେ  ମଧ୍ୟ  ତତ୍‍କ୍ଷଣାତ୍‍ ମୂଳିଆମାନେ ଏକତ୍ରିତ ହୋଇ ତାହାକୁ ଏତେ କଲବଲ କରନ୍ତି ଯେ, ତାହା ଅବର୍ଣ୍ଣନୀୟ  ଅଟେ । ଏତାଦୃଶ ପନ୍ଥାର ଘଟଣାମାନ ଅହରହ ଘଟି ଚାଲିଛି । ଯୁଗଯୁଗ ଧରି ବିଭିନ୍ନ ରୂପରେ କୁଚକ୍ରାନ୍ତର ଶୀକାର ହେଉଛନ୍ତି ଖାଡିଆମନେ । ଏହାହିଁ ଆଜିର ସମାଜରେ ମୂଳମନ୍ତ୍ର ରୂପେ ପ୍ରତିଷ୍ଠିତ ହୋଇଯାଇଛି ।

ଏହାବାଦ୍‍ ଯଦି ବଳଦଶ୍ରେଣୀ ଉପରୁ ଦୃଷ୍ଟି ଫେରାଇ ସମାଜର ନୀଚ ପୁରୁଷଶ୍ରେଣୀ ଉପରେ ଦୃଷ୍ଟିପାତ କରାଯାଏ, ତେବେ ଏମାନଙ୍କୁ ଚାରି ରୂପରେ ଦେଖାଯାଏ ; ଯଥା –   ଠାପୁଆ – ଗଧୁଆ – ଠେଙ୍ଗା – ଅଳସୁଆ ପୁରୁଷ ଏ ଚାରି ଜାତି । ଠାପୁଆ ଅନ୍ୟ କାନ୍ଧରେ ଭରା ଦେଇ ଚାଲେ । ଜୀବନକାଳ ମଧ୍ୟରେ ଠାପୁଆର ବାହୁବଳ କୌଣସି  ଉନ୍ନତି ମୂଳକ କାର୍ଯ୍ୟରେ ଲାଗିନଥାଏ । ସେ ଯେଉଁ କାର୍ଯ୍ୟ କରିବା କଥା ତାହା ନ’କରି ଅନ୍ୟର ଦୁର୍ଗୁଣ ଗାଇ ପଶ୍ଚାତ୍‍ପଦ ପ୍ରକୃତି ଦ୍ୱାରା ସମୟ ଗଡାଏ । ନିଜର  କାର୍ଯ୍ୟ ସାଧନ ପାଇଁ  କିମ୍ବା ଅନ୍ୟ ଉପରେ ଅସହିଷ୍ଣୁତାର ଦାବାନଳରେ କେତେକଙ୍କୁ କୁପରାମର୍ଶ ଦେଇ ତେଜାଇ ଦିଅନ୍ତି । ନିଜେ ଠାପେଇକି ଗଣ୍ଡଗୋଳ ପରେ  ଦୃଶ୍ୟମାନ ହୁଅନ୍ତି । ସତେକି  ମାଛିକୁ ‘ମ’ ନ’କହିବା ବ୍ୟକ୍ତି ଏମାନେ । ନିଜଠାରେ ଅସଂଖ୍ୟ କଳଙ୍କର ଦାଗ ଲାଗିଥିଲେବି ଅନ୍ୟର ମିଥ୍ୟା କୁପ୍ରଚାରରେ  ଠାପୁଆ ଶ୍ରେଣୀ ସିଦ୍ଧହସ୍ତ । ଅନ୍ୟ କାନ୍ଧରେ  ବନ୍ଧୁକ ରଖି ଲକ୍ଷ୍ୟସ୍ଥଳକୁ ଗୁଳିବିଦ୍ଧ କରିବାର ଅହରହ ଯୋଜନାରେ ଲିପ୍ତ ରୁହନ୍ତି । ପୁନଶ୍ଚ ଗଧୁଆ ଶ୍ରେଣୀୟ ପୁରୁଷଙ୍କର  ବିଚାରଶକ୍ତି ଓ ଚିନ୍ତାଶକ୍ତି ପ୍ରାୟ ନ’ଥାଏ । କାମ ଦେଲେ କରିବେ ଅନ୍ୟଥା ନିଷ୍କ୍ରିୟ ପ୍ରାୟ ପଡି ରହିବେ । ଚାବୁକ୍‍ ମାଡ ସଦୃଶ ବାକ୍ୟରେ ଏମାନେ  କ୍ଷଣିକ ପାଇଁ  ତେଜିଉଠି ପୁଣି ନିମ୍ନ ଶକ୍ତି ସ୍ତରକୁ ଚାଲିଯାଆନ୍ତି । ଠେଙ୍ଗା ଜାତୀୟଙ୍କର ଆଗାପିଛା ପ୍ରାୟ ସମାନ । ଅର୍ଥନୀତି ଏମାନଙ୍କୁ ଭଲଭାବେ ଜଣା ଓ କଞ୍ଜୁସ୍‍ ସ୍ୱଭାବର । ଖର୍ଚ୍ଚ ଏପରିକି ପେଟ ପାଇଁ ମଧ୍ୟ ନୁହେଁ । ନିଜର ଆୟକୁ ସଞ୍ଚୟ  କରି  କଷ୍ଟ ସହି ସହି ବଞ୍ଚନ୍ତି ଓ ମାଗଣା ମିଳିବାର ସୁବିଧାକୁ ଉଣ୍ଡି ଚାଲନ୍ତି । ପ୍ରକୃତି ସତେକି ଜନ – ମାନବ  ଶୂନ୍ୟ ପରିବେଶ ଏମାନଙ୍କ ପାଇଁ ସଜାଡି ରଖିଛି । କାହାର ହାନୀରେ  ଏମାନେ ବିବ୍ରତ ନୁହନ୍ତି । ଚତୁର୍ଥ ବର୍ଗ ହେଲେ ଅଳସୁଆ ଗୋଷ୍ଠୀ । ସାର୍ବଜନୀନ ପ୍ରକ୍ରିୟାରେ  ଏହି ବ୍ୟକ୍ତିର ସ୍ଥାନ ନ’ଥାଏ । ସମସ୍ତ ଖରାପ୍‍ ଚିନ୍ତା ଓ ଖରାପ୍‍ କାର୍ଯ୍ୟ ଏମାନଙ୍କ  ପିଛା ଧରିଥାଏ । ଅଳସୁଆମୀ ଯୋଗୁଁ ନିଜର ବାସସ୍ଥାନଟିକୁ  ନର୍କରେ ପରିଣତ  କରିଥା’ନ୍ତି । ପରିବେଶ ପ୍ରଦୂଷଣର ପ୍ରାଥମିକ କାରଣହିଁ ଏହି ବ୍ୟକ୍ତିତ୍ୱକୁ ବୁଝାଏ । ତେଣୁ ଶେଷ  ଦୁଇ କିସମର ବଳଦ – ମୂଳିଆ ଓ ମୋଟା ଲାଞ୍ଜୁଆ  ବା ଢମଣା ସାପ  ପରି ଲମ୍ବିଥିବା ଲାଞ୍ଜ ଉପରୋକ୍ତ ଚାରିପ୍ରକାର ହୀନ ଜାତୀୟ ପୁରୁଷ ସହ ତୁଳନୀୟ  କହିଲେ  ଅତ୍ୟୁକ୍ତି  ହେବ ନାହିଁ ।

ଦ୍ୱାପରର ମହାଭାରତ ଅଧ୍ୟାୟରେ ରାଜା ଧୃତରାଷ୍ଟ୍ରର ଘେରକୁ ଶକୁନିର କୁପରାମର୍ଶ ସୃଷ୍ଟି କରିଥିଲା ଏକ ସୁଦୃଢ ନାରକୀୟ ପରିବେଶ ।ପାଣ୍ଡବମାନଙ୍କ ପାଇଁ ଏହି  ପରିବେଶ  ଏକ କୃଷ୍ଣଗର୍ତ୍ତ ସଦୃଶ ଥିଲା । ଜତୁଗୃହ, ପଶାଖେଳ, ବନବାସ, ଆଦି ଏକ ଏକ କୃଷ୍ଣଗର୍ତ୍ତ ପରି ଉଭା ହୋଇ ସେମାନଙ୍କୁ ମାନସିକ  ଓ ଶାରୀରିକ  ଯନ୍ତ୍ରଣା  ଦେଉଥିଲା । ଦୁର୍ଯ୍ୟୋଧନର ନିରବ ସମର୍ଥକ ଧୃତରାଷ୍ଟ୍ର ଏବଂ ଶକୁନିକୃତ କୃଷ୍ଣଗର୍ତ୍ତ  ମଧ୍ୟରେ ପାଣ୍ଡବମାନଙ୍କୁ ଲୀନ କରାଇବାର ପ୍ରଚେଷ୍ଟା ଅହରହ ଚାଲିଥିଲା । କୃଷ୍ଣଗର୍ତ୍ତର ଅସୀମ  ମହାକର୍ଷଣୀୟ ଆକର୍ଷଣ ବଳ ଏପରିକି ବହୁ ଆଲୋକବର୍ଷ ଦୂରରୁ ତାରକା ଆଦିକୁ  ନିଜ ଆଡକୁ ଟାଣିଆଣିବାରେ ସକ୍ଷମ, ସେହିପରି ଖଳ  ମାନବକୃତ ପଶାଖେଳ ଆଦି  ପରିବେଶ  ପାଣ୍ଡବମାନଙ୍କୁ ବାଧ୍ୟ ବାଧ୍ୟକତା ରୂପେ କୂଟଚକ୍ର ଜାଲରେ ଛନ୍ଦିଦେଉଥିଲା । ଶ୍ରୀକୃଷ୍ଣଙ୍କ ଯୁଦ୍ଧ ରୋକିବାର ଶେଷ  ଚେଷ୍ଟା ଓ  ଅଲୌକିକ ଦିବ୍ୟଶକ୍ତି ପ୍ରଦର୍ଶନ କୌରବ  ମାନଙ୍କ ପାଇଁ ବିଫଳ ହେଲା । ଅର୍ଥାତ୍‍ ଏତାଦୃଶ କୃଷ୍ଣଗର୍ତ୍ତ ରୂପୀ ପରିବେଶରେ ପାଣ୍ଡବମାନେ ପତିତ  ହେଲେ ସ୍ୱୟଂ  ଚକ୍ରଧାରୀଙ୍କ ଜ୍ଞାତସାରରେ । ବିନାଶ କାଳେ ବିପରୀତ  ବୁଦ୍ଧି । ତୈଳ ବା ଘୃତ ଦୀପରେ କୈଶିକ ପ୍ରକ୍ରିୟା ଦ୍ୱାରା ମାଧ୍ୟାକର୍ଷଣ ବଳର ବିପରୀତ ଦିଗରେ ତୈଳ ଉର୍ଦ୍ଧ୍ୱମୁଖୀ ହୋଇଉଠେ ଓ ଅମ୍ଳଜାନ ସହାୟତାରେ ଏହା ସଳିତା  ମାଧ୍ୟମରେ ଦାହ ହୁଏ । ଏହା ତରଳ ପଦାର୍ଥର ଏକ ଧର୍ମ ଯାହାକୁ ପୃଷ୍ଠତାନ (Surface Tension) କୁହାଯାଏ । ତୈଳ ନିଃଶେଷ ହୋଇ ଆସିଲେ ଦୀପଶିଖା ବୃଦ୍ଧି ଘଟି  ଜୋର୍‍ ଜଳେ ଏବଂ ସର୍ବଶେଷରେ ସଳିତାର ଅବଶିଷ୍ଟାଂଶ ଜଳିଯାଏ । ତେବେ  କୁରୁକ୍ଷେତ୍ରରେ ଅଷ୍ଟାଦଶ ଦିବସ ବ୍ୟାପି ଯୁଦ୍ଧରେ କୌରବ ଓ ସେମାନଙ୍କୁ ସହାୟତା  କରୁଥିବା  ଯୋଦ୍ଧାଙ୍କର ପତନ ଘଟିଥିଲା । ଅର୍ଥାତ୍‍ ଇନ୍ଧନ ରୂପୀ କୌରବ  ଓ  ଅମ୍ଳଜାନ ସ୍ୱରୂପର ଯୋଦ୍ଧାଗଣଙ୍କର ବିନାଶ ଘଟିଲା । ବ୍ୟୁହ ରଚନା ଉତ୍ସର ପରିସମାପ୍ତି ଘଟିଲା । କେବଳ  ରହିଲେ ଦୂବଘାସ ପରି ଦଳିଚକଟି ହୋଇଥିବା ପାଣ୍ଡବ ଓ  ସେମାନଙ୍କ ରକ୍ଷାକର୍ତ୍ତା ଶ୍ରୀକୃଷ୍ଣ । ଯାହା ବୁଝାପଡେ ଅଧିକାଂଶ ଅପ୍ରାକୃତିକ ରଚିତ କ୍ରିୟାର ଶେଷ ଦୃଶ୍ୟ ପ୍ରାୟ  ତେଜୀୟାନ୍‍ ହୋଇଉଠେ । ଖଳର କାର୍ଯ୍ୟ ସୀମା ଲଙ୍ଘନ କରେ ଓ ତା’ର ପତନ ଘଟେ । ଏହାହିଁ ପ୍ରାକୃତିକ ଧାରା । ପ୍ରତ୍ୟେକ କ୍ରିୟାର ଆରମ୍ଭ ଓ ବିଲୟ ହିଁ ସ୍ଥିର ନିଶ୍ଚିତ । ବିଶ୍ୱ  ସୃଷ୍ଟି ସମୟ ବା ଶୂନ ସମୟ (Zero Time) ରେ ଯେଉଁ ପାରସ୍ପରିକ କ୍ରିୟା ଥିଲା ତାହାକୁ ଆଦିବଳ ବା  ମହାକର୍ଷଣୀୟ ବଳ କୁହାଯାଏ । ତାହା ପରିପ୍ରକାଶ ହୋଇଛି ଚାରି  ଭାଗରେ । ସେହିପରି  ବିଶ୍ୱ ଧ୍ୱଂସରେ ପୁନଶ୍ଚ ଚାରି ପାରସ୍ପରିକ କ୍ରିୟା ଏକତ୍ରିତ ହେବାର ଅନୁମାନ କରାଯାଏ । ଏହି  ଚାରି ପାରସ୍ପରିକ କ୍ରିୟାକୁ ଖନାବଚନର ଚାରିଶ୍ରେଣୀୟ ବଳଦଙ୍କୁ ଏକ  ତୁଳନାତ୍ମକ ମାପକାଠି ଦ୍ୱାରା ବିଶ୍ଳେଷଣ କରାଯାଇ ପାରେ । ପ୍ରଥମତଃ ଝାମ୍ପୁଲା ବଳଦଶ୍ରେଣୀରୁ ଯେଉଁ ଭାବ ଜାଗ୍ରତ ହୁଏ ତାହା ମାନବୀୟ ମୂଲ୍ୟବୋଧତାର  ଏକ  ସ୍ୱତନ୍ତ୍ର ଅଂଶ କହିଲେ ଅତ୍ୟୁକ୍ତି ହେବନାହିଁ । ଏ ବିଶ୍ୱର ଗାଠନିକ ସ୍ୱରୂପର କାରଣ ମହାକର୍ଷଣୀୟ ବଳ ଅଟେ । ବିଗ୍‍ ବ୍ୟାଙ୍ଗ୍‍ଠାରୁ ଏ ବିଶ୍ୱ ଆୟତନରେ ବିସ୍ତାରିତ ହେଉଛି । ଗ୍ରହ, ଉପଗ୍ରହ, ତାରକା ଆଦିର ପରିକ୍ରମଣ ପଥ ନିରୂପିତ ହୋଇ ଏ ବିଶ୍ୱ ପୂର୍ଣ୍ଣ ସନ୍ତୁଳନତା ଲାଭ କରିଅଛି, ଯାହାକି  ମହାକର୍ଷଣୀୟ ବଳର ଅନନ୍ୟ ଉପହାର ଅଟେ । ହେ  ଅନନ୍ତ ପ୍ରସାରୀ ଆଦିବଳ ! ତୁମେ ମାନବ ପ୍ରସ୍ତାବିତ କ୍ଷେତ୍ରକଣିକା (Field Particle)ଗ୍ରାଭିଟନ୍‍ (Graviton) ଦ୍ୱାରା ବିଶ୍ୱର ସ୍ଥୂଳରୁ ସୂକ୍ଷ୍ମତା ଅର୍ଥାତ୍‍ ଅନନ୍ତ  ନାକ୍ଷତ୍ରିକ  ଜଗତ୍‍ (Cosmos)ରୁ ପାରମାଣବିକ ଗଠନ(Atomic Structure)ଯାଏ ଆୟତ୍ତାଧିନ କରି ରଖିଛ । ତୁମର ସେହି ଅହରହ କାର୍ଯ୍ୟକ୍ଷମ କ୍ଷେତ୍ରକଣିକା ମାନବୀୟ  ପରୀକ୍ଷାଗାରରେ ଅଦ୍ୟାବଧି ଧରାପଡି ନାହିଁ । ଅଦୃଶ୍ୟମାନ ହୋଇ ରହିଅଛ । ହୁଏତ ବିଶ୍ୱର ଅନ୍ୟ କେଉଁ ଗ୍ରହର ଅଧିକ  ବୁଦ୍ଧିମାନ  ଜୀବମାନେ ତୁମର ଦିବ୍ୟରୂପ  ଦେଖି  ନିଜକୁ କୃତ୍ୟକୃତ୍ୟ ମନେ କରୁଥିବେ । ତୁମେହିଁ ସତ୍ୟ, ତୁମେହିଁ ସୁନ୍ଦର ଓ ତୁମେହିଁ ନିରାକାର – ଆଦି ଓ ଅନ୍ତଃ । ତୁମକୁ ପ୍ରଥମେ  ବୁଝିପାରି ତୁମର ଅନନ୍ତ ପ୍ରସାରୀ  କାର୍ଯ୍ୟ ଧାରାକୁ ଏ ପୃଥିବୀରେ ପ୍ରଥମ ବିଜ୍ଞାନ ବାର୍ତ୍ତା ଦେଇଥିଲେ ସାର୍‍ ଆଇଜାକ୍‍ ନିଉଟନ୍‍ । ହେ ସନ୍ତୁଳନତାର ନିଚ୍ଛକ ମୂର୍ତ୍ତିମନ୍ତ  ଅବତାର ! ସମଗ୍ର ସୃଷ୍ଟି ତୁମର ଗଠନମୂଳକ ସ୍ୱଭାବ ନିମିତ୍ତ ତୁମଠାରେ ଅବିରତ ନତମସ୍ତକ । ଏହି ଚେତନାର ପ୍ରତିଛବି ପରି ମନରେ ଉଙ୍କିମାରେ ପ୍ରଥମ ଶ୍ରେଣୀୟ ଝାମ୍ପୁଲା ବଳଦ । ଧ୍ୱଂସାତ୍ମକ ମନୋଭାବର ବିରୋଧାଭାସ  ସୃଷ୍ଟି କରୁଥିବା ଏହି ପ୍ରତିଛବି ଆଜିର ଅବକ୍ଷୟ ଓ ଉତ୍‍ଶୃଙ୍ଖଳ ହୋଇଉଠୁଥିବା  ମାନବ ସମାଜକୁ ନିଜର  ବର୍ବରତା ଓ ନିଷ୍ଠୁରତା ଆଦିକୁ ବିନାଶ କରିବାକୁ ଚରମ ବାଣୀ ଶୁଣାଉଛି ।

ବିଜ୍ଞାନ କହେ, ଏହି ଆଦି ବଳରୁ ଅନ୍ୟ ବଳ ତ୍ରୟର ଉତ୍ପତ୍ତି ଲାଭ ହୋଇଛି । ଦ୍ୱିତୀୟ ବଳ ବିଦ୍ୟୁତ୍‍ – ଚୁମ୍ବକୀୟ ଅଟେ, ଯାହା ସମଗ୍ର ଦୃଶ୍ୟମାନ ଓ ଅଦୃଶ୍ୟମାନ  ବର୍ଣ୍ଣାଳୀରେ  ପରିବ୍ୟାପ୍ତ । ଏହାର କ୍ଷେତ୍ରକଣିକାକୁ ଫୋଟନ୍‍ (Photon) କୁହାଯାଏ । ଅବଲୋହିତ ରଶ୍ମି (Infra red ray) ତାପ ବା ଉଷ୍ମତାକୁ  ବୁଝାଏ ଓ  ଏହାହିଁ ପୃଥିବୀରେ  ଜୀବଜଗତ୍‍ ସୃଷ୍ଟିର ପ୍ରମୁଖ ଉପାଦାନ ଅଟେ । ଦୃଶ୍ୟମାନ ରଶ୍ମି (Visible ray) ଜୀବଜଗତ୍‍ ତିଷ୍ଠି ରହିବା କିମ୍ବା ପାଳନ ପ୍ରକ୍ରିୟାର  କାରଣ  ଅଟେ । ଅତିବାଇଗଣି ରଶ୍ମି (Ultra-violet ray) ଠାରୁ ଆରମ୍ଭ କରି ରଞ୍ଜନରଶ୍ମି (X-ray) ଓ ଗାମା ରଶ୍ମି (Gamma ray) ଆଦି କ୍ଷତିକାରକ ବା  ଧ୍ୱଂସାତ୍ମକ  ଅଟନ୍ତି । ପୁନଶ୍ଚ ମାନବର  ଜ୍ଞାନ କୌଶଳର ସୁବିନିଯୋଗ ଦ୍ୱାରା ଏହା ମଧ୍ୟ ଜୀବ – ମଙ୍ଗଳ କାରକ ହୋଇଥାଏ । ତେବେ ବିଦ୍ୟୁତ୍‍ – ଚୁମ୍ବକୀୟ ବର୍ଣ୍ଣାଳୀକୁ  ଏକାଧାରାରେ ସୃଷ୍ଟି – ପାଳନ ଓ ସଂହାର କର୍ତ୍ତାର ଏକ ଅପୂର୍ବ ସମାହାର ରୂପେ ଗ୍ରହଣ କରାଯାଇପାରେ । ଏହା ବ୍ରହ୍ମା – ବିଷ୍ଣୁ – ମହେଶ୍ୱରଙ୍କ ସହ ସଂଯୋଗର  ଭାବ  ଉଦ୍ରେକ କରାଏ । ସଂହାର କର୍ତ୍ତା ମହେଶ୍ୱରଙ୍କ ତୃତୀୟ  ନୟନ ସତେକି ଗାମା ବିକିରଣର ଉତ୍ସ କିମ୍ବା ଭୟଙ୍କର ଧ୍ୱଂସକାରକ  ଓ ପୁଣି ସେ ସଠିକ୍‍  ଆବାହନରେ  ଅଭୟ ବର ଦାୟକ ଅଟନ୍ତି । ତେଣୁ ତିନିପ୍ରକାର ଖାଡିଆ ଜାତୀୟ  ବଳଦ ଏତାଦୃଶ ଚେତନା ସହ ସମାନ୍ତରାଳ । ଏମାନେ ଦୀପ୍ତିମାନ, ସଦା ଚଞ୍ଚଳ, ସତର୍କ ଓ କର୍ମକ୍ଷେତ୍ରରେ ଟାଣୁଆ । ଚାଷ ଜମିରୁ ଶସ୍ୟ ସୃଷ୍ଟିହିଁ ଜୀବଜଗତ୍‍  ପାଇଁ ପୁଷ୍ଟିକାରକ  ଓ ପାଳନକାରକ  ଅଟେ । ଦ୍ୱିତୀୟତଃ ଏମାନଙ୍କ ଦୃଷ୍ଟିଶକ୍ତି ପ୍ରଖର ଓ ଫଁଫଁ  ହେଉଥିବାର ଦୃଶ୍ୟମାନ ହୁଏ, ଯାହାକି ଆକ୍ରମଣାତ୍ମକ ଭଙ୍ଗୀର ସୂଚନା ଦିଏ । ଏମାନେ ପ୍ରାୟତଃ  ଅଳସୁଆ ବଳଦ ଆଦିଙ୍କୁ ନିଜର ଗୋଜିଆ  ଶିଙ୍ଗରେ ଭୂସି  ଘାଏଲା  କରନ୍ତି ଓ ବେଳେବେଳେ ମାନବ ମଧ୍ୟ ଏହାର ଶୀକାର ହୁଏ । ଡିଆଁ କୁଦା ମାରି ଶିବଙ୍କ ତାଣ୍ଡବ ନୃତ୍ୟର ଭୟ  ସଞ୍ଚାର କରନ୍ତି, ଯାହା ଟାଙ୍କୁଲାଞ୍ଜୁଆ ବଳଦ  କ୍ଷେତ୍ରରେ  ଦେଖାଯାଏ । ତେଣୁ ଅବଲୋହିତ, ଦୃଶ୍ୟମାନ ଓ ଅତିବାଇଗଣି  ବର୍ଣ୍ଣାଳୀର ସାଙ୍କେତିକ ସ୍ୱରୂପ ଭାବେ କୁଣ୍ଡଳୀଶିଙ୍ଗା,   ମୂଳ ଖାଡିଆ ଓ ଟାଙ୍କୁଲାଞ୍ଜୁଆ  ବଳଦଙ୍କୁ  ଯଥାକ୍ରମେ ଗ୍ରହଣ କରାଯାଇପାରେ ।

ତୃତୀୟ ପାରସ୍ପରିକ କ୍ରିୟା(Strong Interaction) କୁ ନାଭିକୀୟ(Nuclear)ବଳ କୁହାଯାଏ । ପାରମାଣବିକ ନାଭିକର ବିଘଟନ(Fission) କିମ୍ବା  ସଂଯୋଗୀକରଣ (Fusion)ରୁ ଯେଉଁ ଶକ୍ତି ନିର୍ଗତ ହୁଏ ତାହା ପ୍ରାଥମିକ ଭାବେ ସୃଷ୍ଟି ବିନାଶର କାରଣ ଅଟେ । ଦ୍ୱିତୀୟରେ ଏହାର ସୁବିନିଯୋଗ ନିମିତ୍ତ ମାନବ  ଅନେକ ନାଭିକୀୟ ରିଆକ୍ଟର୍‍ (Nuclear Reactor)ମାନ ପ୍ରସ୍ତୁତ କରୁଅଛି । ତେଣୁ ଆଣବିକ ଶକ୍ତି ପ୍ରକଳ୍ପମାନ ପ୍ରତିଷ୍ଠା କରାଯାଇ ଶକ୍ତି ସଙ୍କଟର ମୁକାବିଲା  କରାଯାଉଛି । କିନ୍ତୁ ପ୍ରକଳ୍ପଗୁଡିକରୁ ବାହାରୁଥିବା ବର୍ଜ୍ୟବସ୍ତୁ ଆଦିରେ ତେଜଷ୍କ୍ରିୟତା (Radioactivity) ଭରି ରହୁଛି । ପୁଣି ପ୍ରକଳ୍ପଗୁଡିକରେ ଦୁର୍ଘଟଣା, ନିଃସରଣ (Leakage) ଆଦିରୁ ଯେଉଁ  ନାରକୀୟ ଧ୍ୱଂସର ତାଣ୍ଡବ ସୃଷ୍ଟି ହେଉଛି, ତାହା ଅବର୍ଣ୍ଣନୀୟ । ଅର୍ଥାତ୍‍ ଯାହାର ମୂଳ ପ୍ରକୃତି ଧ୍ୱଂସକାରକ, ତାହାକୁ  ଯେତେ  ସୁବିନିଯୋଗର ବାଟ ଦେଖାଇଲେ ମଧ୍ୟ, ତାହାର ଲୁକ୍‍କାୟିତ  ଚରିତ୍ର ନିଶ୍ଚୟ ପରିପ୍ରକାଶ ହେବ ଏବଂ ଭସ୍ମାସୁରର ରୂପ ନେବ । ମାନବ ଯେତେ ସତର୍କ ହେଲେ  ମଧ୍ୟ ନିଜପାଇଁ ମୃତ୍ୟୁର ଗର୍ତ୍ତ ଖୋଳି ଚାଲିଛି । ଦେଶ ଦେଶରେ ଭରି ରହିଛି   ଭୟଙ୍କର ପରମାଣୁ ବୋମା । ଆକ୍ରମଣ ପାଇଁ ପ୍ରତି ଆକ୍ରମଣ ତ ରହିଛି । ଧ୍ୱଂସ ହେଉ  ଏ ସରସ – ସୁନ୍ଦର – ସବୁଜ ପୃଥିବୀ ! ନାହିଁ ଚିନ୍ତା । ଏହା କ’ଣ ବିଜ୍ଞାନର ମୂଳ ଲକ୍ଷ୍ୟ ?   ହେ ମହାମାନବ ଆଇନ୍‍ଷ୍ଟାଇନ୍‍ ! ତୁମର ସାର୍ବଜନୀନ ସୂତ୍ରକୁ ଧ୍ୱଂସାତ୍ମକ  ପ୍ରକ୍ରିୟାରେ ସାମିଲ କରି ନିଜର ସୁରକ୍ଷା ପାଇଁ ବ୍ୟବସ୍ଥା କରୁଛି । ଯେଉଁ ପରମାଣୁ ବୋମାକୁ  ନିଜ ଦେଶର ରକ୍ଷାକର୍ତ୍ତା ରୂପେ ଗଚ୍ଛିତ ରଖାଯାଉଛି, ତାହା ଅନ୍ୟ  ଦେଶ  ପାଇଁ ଧ୍ୱଂସ କାରକ । ପାଲଟା ଜବାବ ପାଇଁ ସର୍ବେ ବ୍ୟାକୁଳ ଅର୍ଥାତ୍‍ ନିଜର ମଧ୍ୟ ରକ୍ଷା ନାହିଁ ।  ଆଇନ୍‍ଷ୍ଟାଇନ୍‍ଙ୍କ କକ୍ଷରୁ ଆଜିର ମାନବ ହୋଇଛନ୍ତି  କକ୍ଷଚ୍ୟୁତ । ଅଙ୍ଗାର ଶତ ଧୌତେନ ………….. , ଅର୍ଥାତ୍‍ ଏ ପାରମାଣବିକ ଶକ୍ତି ସର୍ବୋପରି ଧ୍ୱଂସଲୀଳାର ଗନ୍ତାଘର । ଏହି  ଚେତନା ଏ ଦେବଭୂମି ଭାରତ ବର୍ଷରେ  ପୁରାତନ  କାଳରୁ ଖନାବଚନରେ ସତର୍କ କରାଯାଇଛି, ଯଥା –ମୂଳିଆ ଶିଙ୍ଗା କିଣିବୁ ବାଛି  ……………………….. କାନ୍ଦୁଥିବୁ ହିଡ ମୁଣ୍ଡରେ ବସି ।

ପ୍ରକୃତିର ଚତୁର୍ଥ ପାରସ୍ପରିକ କ୍ରିୟା (Weak Interaction) ବିଘଟନ ବା ଅବକ୍ଷୟତାକୁ ବୁଝାଏ । ପାରମାଣବିକ ନାଭିକରୁ ବିଟା କଣିକା କ୍ଷୟ, ଜଣା ଓ ଅଜଣା  କଣିକା  ଗୁଡିକର ଅବକ୍ଷୟ ହିଁ ଏହି ଦୁର୍ବଳ ବଳର କାରଣ ଅଟେ । ପିରିୟଡିକ୍‍ ସାରଣୀର ଶେଷ ଆଡକୁ ଥିବା ମୌଳିକ ଗୁଡିକ ଓଜନିଆ (Heavy Nucleus)  ଓ ତେଜଷ୍କ୍ରିୟ ।  ଅହରହ ନିର୍ଗତ ହୁଏ ଆଲ୍‍ଫା ଓ ବିଟା କଣିକା ଏବଂ ଗାମା ବିକିରଣ । ନିଜେ ଶେଷ ହେବେ ଓ ଶେଷ ରକ୍ତବିନ୍ଦୁ ଥିବାଯାଏ  ଅନ୍ୟକୁ ଶେଷ କରିବା  ହେଉଛି ଦୁର୍ବଳ  ପ୍ରକ୍ରିୟାର  ଲକ୍ଷଣ । କିଛି କଣିକା ମଧ୍ୟ ଆଖି ପଲକର ଅତି କ୍ଷୁଦ୍ରାଂଶ ସମୟରେ ସୃଷ୍ଟି ଓ ଧ୍ୱଂସ ହେବା ସହ ତେଜଷ୍କ୍ରିୟତାର ଝଲକ ଦେଖାଇଥା’ନ୍ତି । ଯଦିଓ ମାନବ କୃତ୍ରିମ ଓ ପ୍ରାକୃତିକ  ତେଜଷ୍କ୍ରିୟତାର ସୁବିନିଯୋଗ କରୁଛି, ତଥାପି – ପ୍ରକୃତି ନୈବ ମୁଚ୍ୟତେ ….. ଅର୍ଥାତ୍‍ ନିଆଁ ମୁଣ୍ଡାକୁ  ଅଣ୍ଟାରେ ଖୋସିବାର  ପରିଣତି ଭୋଗ କରିବାକୁ ପଡିବ ନିଶ୍ଚୟ । ତେଣୁ  ଯଥାର୍ଥରେ କୁହାଯାଇଛି –

ଶିଙ୍ଗ ସରୁଆ ଲାଙ୍ଗୁଡ ଲାଙ୍ଗୁଡ ମୋଟା ………………….. ମାଗଣା ଦେଲେ ଆଣିବୁନି ବେଟା ।

କାରଣ ଏତାଦୃଶ ବଳଦ ହିଁ ଅବକ୍ଷୟତା ଓ କ୍ଷତିକାରକର ନମୁନା । ବିଟାକ୍ଷୟ ଏବଂ ଓଜନିଆ  ତେଜଷ୍କ୍ରିୟ ନାଭିକରୁ ଶିଙ୍ଗ ସରୁଆ ଓ ଲାଞ୍ଜ ମୋଟାର ଭାବାର୍ଥ  ଯଥାର୍ଥ  ମନେ ହୁଏ । ତେଣୁ ଇଉରାନିୟମ୍‍ ଏବଂ ତା’ର ବନ୍ଧୁବର୍ଗ ହେଲେ ଆଜନ୍ମ କ୍ଷୟପ୍ରାପ୍ତ ଓ ସର୍ବଗ୍ରାସୀ ଭୂମିକାର ନାୟକ ।

ଯୁଗେ ଯୁଗେ ସତ୍ୟର ପରାକାଷ୍ଠା ରହିଛି ଓ ରହିବ । ସତ୍ୟହିଁ ନିଷ୍ଠୁର ଓ ଏହା ସହଜରେ ମୂଳିଆ ଆଦି ମାନଙ୍କ ଦ୍ୱାରା ଗ୍ରହଣୀୟ ନୁହେଁ ଏବଂ ସତ୍ୟ କ’ଣ ବୋଲି ପଚାରି  ନିଜକୁ    ” ଜ୍ଞାନୀନାମ୍‍ ଅଗ୍ରଗନ୍ୟମ୍‍” ଭାବେ ଦମ୍ଭୋକ୍ତି ପ୍ରକାଶ କରନ୍ତି । ନିଜର କୁଅଭିଳାଷ ନିର୍ବିଘ୍ନରେ ପରିପୂରଣ ହେବାରେ ବ୍ୟାଘାତ ଜନ୍ମିଲେ,  ସେମାନେ କଳେବଳେ କଉଶଳେ  କ୍ଷମତା ପାଖରେ ରହି ଖାଡିଆ ବିରୁଦ୍ଧରେ ଷଡଯନ୍ତ୍ର ରଚନା କରନ୍ତି । ମୂଳିଆଙ୍କ ମଧ୍ୟରେ ଯେତେ ଅନ୍ତର୍ଦ୍ଦ୍ୱନ୍ଦ୍ୱ ଥାଉନା କାହିଁକି,  ପ୍ରାଣପଣେ  ବର୍ହିମୁଖୀ କରାଇବେ ନାହିଁ । ନାଭିକର ପ୍ରୋଟନ୍‍ ଗୁଡିକ ମଧ୍ୟରେ ବିକର୍ଷଣ ପ୍ରକ୍ରିୟା, ନାଭିକ ମଧ୍ୟରେ ଥିବା ମହାକର୍ଷଣୀୟ ବଳ, ବିଦ୍ୟୁତ୍‍ – ଚୁମ୍ବକୀୟ ବଳ,  କ୍ଷେତ୍ରକଣିକା ଗ୍ରାଭିଟନ୍‍ ଓ ଫୋଟନ୍‍ ଆଦି  ଥିଲେ ମଧ୍ୟ  ଦୃଢ ବଳର ପ୍ରଭାବରେ ଲୁକ୍‍କାୟିତ ହୋଇ ରହିଥା’ନ୍ତି । ପୁଣି ସେଠାରେ ମଧ୍ୟ  ଅନ୍ୟ କ୍ଷେତ୍ରକଣିକାମାନ ବିଚରଣ କରନ୍ତି , ଯଥା – ପାୟନ୍‍ (Pion), କାଓନ୍‍(Kaon),  ଗ୍ଲୁଅନ୍‍ (Gluon) …. ଆଦି । ଯେହେତୁ ନାଭିକଟି ଭିନ୍ନ ଭିନ୍ନ କ୍ଷେତ୍ରକଣିକାର  ଗନ୍ତାଘର, ସେହିପରି  ମୂଳିଆବର୍ଗ  ଖାଡିଆଙ୍କୁ ଦବାଇ ରଖିବା ପାଇଁ  ବହୁରୂପୀ ଷଡଯନ୍ତ୍ର  ରଚନାରେ  ଧୂରନ୍ଧରତା ପ୍ରଦର୍ଶନ କରନ୍ତି । ଯାହା ଫଳରେ ନିଜର ବାସଗୃହାଦି ମଳ – ମୂତ୍ର ତ୍ୟାଗ  ସ୍ୱରୂପ କାରଣରୁ ପରିତ୍ୟକ୍ତ ହୋଇଉଠେ । ଅନ୍ୟତ୍ର ବୁଲି ନିଜ ଦକ୍ଷତାର ପ୍ରଚାର କରନ୍ତି  ଓ ଅନ୍ୟର  ଦକ୍ଷତାକୁ କର୍ଦ୍ଦମାକ୍ତ  କରି କହନ୍ତି । ଖାଡିଆମାନେ ତ  ଅନ୍ୟାୟରେ ଆହାର କରୁଥିବା ମୂଳିଆ ମାନଙ୍କ ମୁଖରେ ପାହାର ପକାଇବେ, ଯାହାକି ଖାଡିଆ ସୃଷ୍ଟିର ମୂଳତତ୍ତ୍ୱ ଅଟେ । ତେଣୁ ହେ ମୂଳିଆ ବର୍ଗ !   ତୁମ ଦୀର୍ଘ  ମିଆଦୀ ଯୋଜନାରେ ଯେଉଁ ଦୁର୍ଭେଦ୍ୟ ନାଭିକମାନ ସୃଷ୍ଟି କରିଛ, ତାହା ପ୍ରାକୃତିକ କଣିକା ତ୍ୱରକ (Particle Accelerator) ରୁ  ଶକ୍ତିଶାଳୀ କଣିକା ସୃଷ୍ଟି  ହୋଇ  ଦିନେନା ଦିନେ ପ୍ରଚଣ୍ଡ ଧକ୍‍କା (Bombardment) ଦେବାର ସମ୍ଭାବନା ରହିଛି ଅର୍ଥାତ୍‍ ଶକ୍ତିବାନ୍‍ ଖାଡିଆର ସମ୍ମୁଖୀନ ହେବାକୁ ପଡିବ । ଫଳତଃ  ଦୁର୍ଭେଦ୍ୟ  ନାଭିକ ଖିନ୍‍ଭିନ୍‍ ହୋଇ ତା’ର ସତ୍ତା ହରାଇ ବସିବ । ପୁଣି ବୈଜ୍ଞାନିକ ମାନେ ଚାରିପ୍ରକାର ବଳକୁ ପୁନଃ ମିଶ୍ରଣ କରାଇବାର ପ୍ରଚେଷ୍ଟାରେ ବ୍ୟସ୍ତ ଯାହାକୁ ମହା ଏକତ୍ରୀକରଣ ତତ୍ତ୍ୱ (Grand Unification Theory) କୁହାଯାଏ । ଘରବାହୁଡା ସମୟ ଆସିଲେ ସର୍ବେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିବା ସ୍ଥିର ନିଶ୍ଚିତ । ଅର୍ଥାତ୍‍  ଚାରିବଳ ପୁନଃ ଆଦିବଳର ରୂପରେଖ ନେବାର  ସମ୍ଭାବନାକୁ ଏଡାଇ  ଦିଆଯାଇ ନ’ପାରେ । ଏହାକୁ କୁହାଯାଏ ମହା ସୈଦ୍ଧାନ୍ତିକ ଘଟଣା (Big Chrunch) । ସୁତରାଂ ଝାମ୍ପୁଲା ବଳଦଠାରୁ ଯେଉଁ ମହାଜାଗତିକ ଚେତନାର  ପରିପ୍ରକାଶ  ଘଟେ ତାହାହିଁ ଶେଷ ସିଦ୍ଧାନ୍ତ ।

ଯୁଗେ ଯୁଗେ ଧୃତରାଷ୍ଟ୍ର ସୃଷ୍ଟି ହୋଇଛନ୍ତି । ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ । ନିଜର ଦୁର୍ବାର ଲୋଭଶକ୍ତି ଓ ଅହଂତ୍ୱ ଭାବରୁ ଚକ୍ଷୁ ଥାଇ ଅନ୍ଧ ସଦୃଶ ଶକୁନି  ମାନଙ୍କ  ଦ୍ୱାରା ଆନ୍ଦୋଳିତ ହୋଇ ସମାଜକୁ ସର୍ବନାଶର ସ୍ୱାଦ ଚଖାଇବା ସତ୍ତ୍ୱେ ମଧ୍ୟ ନିଜର ଅଶାନ୍ତ ଓ ବର୍ବର ମନର ଦ୍ୱେଷ ମେଣ୍ଟାଇବା  ପାଇଁ ଲୌହ ଭୀମକୁ  ସତ ଭୀମ ଭାବି ଗୁଣ୍ଡ  କରି ଚାଲିଛନ୍ତି । ସତ୍ୟ, ତ୍ରେତ୍ୟା, ଦ୍ୱାପର ପରେ ଏହା କଳିଯୁଗ । ତେଣୁ ଚତୁର୍ଥ  ଧୃତରାଷ୍ଟ୍ରଙ୍କ କରିସ୍ମା ଚାଲିଛି । ଏହି ଧୃତରାଷ୍ଟ୍ରଙ୍କ ଠାରେ  ସମାଜର ନୀଚ୍ଚ ବର୍ଗର ପୁରୁଷଙ୍କ  ଗୁଣ ଭରି ରହିଛି । ମୂଳ ଶକୁନି ସର୍ବଦା ମୂଳେ ମୂଳେ ବିରାଜମାନ । କଳିଯୁଗର ପ୍ରଭାବରୁ ମଧ୍ୟ ଆହୁରି  ଶକୁନି ବର୍ଗ ଜାତ  ହେଉଛନ୍ତି । ଏମାନେ ଭିନ୍ନ ଭିନ୍ନ ଭଙ୍ଗୀରେ  ଧୃତରାଷ୍ଟ୍ରଙ୍କ ଦରବାରରେ ଦ୍ୱିତୀୟ ଶକୁନି ଭାବେ ଉଭା ହୁଅନ୍ତି, ଯେପରି ନାଭିକୀୟ କ୍ଷେତ୍ରକଣିକାର ରୂପ ମଧ୍ୟ ଭିନ୍ନ ଭିନ୍ନ । ଏମାନଙ୍କ ବହୁମୁଖୀ କୁମନ୍ତ୍ରଣାରୁ ଯେଉଁ ଗୋଚ୍ଛିକଟା  କାର୍ଯ୍ୟକ୍ରମ  ରଙ୍ଗାରଙ୍ଗ ରୂପ ନିଏ ତାହା କେବଳ ଖାଡିଆଙ୍କ ପାଇଁ ଉଦ୍ଦିଷ୍ଟ । କୃଷ୍ଣଗହ୍ୱର ସଦୃଶ ଯନ୍ତା  ସଜାହୋଇ  ରହିଅଛି । କାହାର ବହପ ନାହିଁ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ । ଦୁଇ ଶକୁନି ଅଛନ୍ତି ଦୁଇ ବାହାକୁ । ପୁଣି ଦରବାରର ସଭ୍ୟବୃନ୍ଦ  ସମସ୍ତ ଲାଭାଂଶରେ  ଭାଗିଦାରୀ । କେବଳ ବିଘ୍ନ ସୃଷ୍ଟିକାରୀ ହେଲେ ଖାଡିଆ । ଏମାନଙ୍କ ସଂଖ୍ୟା କ୍ଷୀଣ । ମାତ୍ର କେତୋଟି ଈଶ୍ୱର କଣିକା ସଦୃଶ ଖାଡିଆଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି  କାହିଁ କେତେ କୃଷ୍ଣଗହ୍ୱର । ତେଣୁ ଚତୁର୍ଥ ଧୃତରାଷ୍ଟ୍ରର ଗାଦି  ଦଖଲରେ  ବାଧା ବିଘ୍ନ କିଛି ନାହିଁ । ତେବେ କ’ଣ ଖାଡିଆ ମାନଙ୍କୁ କୃତ୍ରିମ ଯନ୍ତାରେ ସଦା ସର୍ବଦା ଆବଦ୍ଧ  କରି ରଖାଯାଇ ପାରିବ ? ନାଁ  କଦାପି  ନୁହେଁ । ସତ୍ୟହିଁ ଶେଷରେ ପରିପ୍ରକାଶ  ହେବ । ଧିରେ ଧିରେ  ଅନ୍ଧାର  ଅପସରି ଯିବ । ଦିବ୍ୟାଲୋକରେ ଆମ  ପରିସର  ଉଦ୍‍ଭାସିତ ହେବ । ସେଥିପାଇଁ କାଳର କରାଳ ଚକ୍ରରେ ନିଜର  କର୍ତ୍ତବ୍ୟକୁ ଭୂଲି ନ’ଯାଇ  ଯଥା ସମ୍ଭବ ଷଡରିପୁ  ଦମନ  ପୂର୍ବକ ବାକ୍ୟରେ ଓ କର୍ମରେ ସାତ୍ତ୍ୱିକତା  ବଜାୟ ରଖିବାହିଁ ଖନାବଚନରେ ଝାମ୍ପୁଲା ବଳଦର ହମ୍ଭାରଡି ଅଟେ ।


(1)Published in the College Magazine, ପୂରବୀ “PURABI” 2013 – 2014, Dharanidhar Autonomous Collega, Keonjhar, Odisha.

(2)Published in ଦିଗ୍‍ବଳୟ ‘Digbalay’- Feb – 2016  –   Popular Science Magazine in Odia, Odisha Physical Society, Odisha .

(3) Published in “ଅସନପାଟ” -ବୈତରଣୀ ଗବେଷଣା ପରିଷଦର ମୂଖପତ୍ର – ପ୍ରଥମ ବର୍ଷ – ପ୍ରଥମ ସଂଖ୍ୟା ।

 

 

 

 

 

 

 

 

 

 

 

 

 

 

 

 

 

 

 

 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help