ସର୍ବତତ୍ତ୍ୱଭିତ୍ତିକ ଶ୍ରୀମଦ୍ଭଗବଦ୍‌ଗୀତା – ପ୍ରଥମ ଅଧ୍ୟାୟ (ଅର୍ଜୁନ ବିଷାଦ ଯୋଗ)-ପ୍ରଥମ ଭାଗ

ସର୍ବତତ୍ତ୍ୱଭିତ୍ତିକ ଶ୍ରୀମଦ୍ଭଗବଦ୍‌ଗୀତା – ପ୍ରଥମ ଅଧ୍ୟାୟ (ଅର୍ଜୁନ ବିଷାଦ ଯୋଗ)-ପ୍ରଥମ ଭାଗ

ନକୁଳ ଚରଣ ମଲିକ,

(ଅବସରପ୍ରାପ୍ତ ଆସୋସିଏଟ ପ୍ରଫେସର, ପଦାର୍ଥ ବିଜ୍ଞାନ)     

ଅଷ୍ଟାଦଶ ଅଧ୍ୟାୟ ପରିବ୍ୟାପ୍ତ ଶ୍ରୀମଦ୍ଭଗବଦ୍‌ଗୀତା ଏ ବିଶ୍ୱର ଏକ ଅମୃତମୟ ସୃଷ୍ଟି । ଯୁଗ ଯୁଗ ଧରି ମାନବ ସମାଜ ପାଇଁ ଏହା ଏକ ଜୀବନ୍ତ ସ୍ୱର୍ଗୀୟ ଅସରନ୍ତି ଉର୍ଜାର ଭଣ୍ଡାର ଅଟେ । ଦଧି ମନ୍ଥନରୁ ଯେପରି ଲବଣୀ ଉଦ୍‍ଗତ ହୁଏ, ସେହିପରି ଏହାର ଅଧ୍ୟାୟ ପରେ ଅଧ୍ୟାୟ ପଠନର ବାରମ୍ବାରତାରେ ପ୍ରାପ୍ତ ହୁଏ ଅଶେଷ ଜ୍ଞାନ, ଯାହା ଅତୁଳନୀୟ ଅଟେ । ସର୍ବଜ୍ଞାନରେ ଭରପୂର ‘ଶ୍ରୀମଦ୍‌ଭଗବଦ୍‍ ଗୀତା’ର ଅସୀମ ଭାବଧାରାରୁ ଏ ଅକିଞ୍ଚନ ନିଜ ସୀମିତ ପରିମାପକରେ ଯେଉଁ ନିମିତ୍ତ ମାତ୍ର ହୃଦ୍‌ବୋଧତା ପ୍ରାପ୍ତ ହୋଇଅଛି, ତାହାର ପରିପ୍ରକାଶ ପୂର୍ବକ ଏ ଜଗତ କଲ୍ୟାଣର ଆଶା ପୋଷଣ କରିଅଛି ।

ଏହା ଚତୁଃ ସକ୍ରିୟ ଚରିତ୍ର ଓ ଏକ ନିଷ୍କ୍ରିୟ ଚରିତ୍ର ମଧ୍ୟରେ ସୀମାବଦ୍ଧ । ଏମାନେ ମହାଭାରତ ଯୁଦ୍ଧର ଆଦ୍ୟରୁ ପ୍ରାନ୍ତ ଯାଏ ଉପଗତ ରହି ଯୁଦ୍ଧ କ୍ଷେତ୍ରରେ ଘଟୁଥିବା ଘଟଣାବଳୀସହ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ସଂଶ୍ଳିଷ୍ଟ । ତେବେ ଅର୍ଜୁନ ହିଁ ଯୁଦ୍ଧରେ ପ୍ରତ୍ୟକ୍ଷଭାବେ, ଶ୍ରୀକୃଷ୍ଣ ପରୋକ୍ଷଭାବେ, ସଞ୍ଜୟ ଓ ବାର୍‍ବରିକ୍‍ ଦର୍ଶକଭାବେ ଏବଂ ଧୃତରାଷ୍ଟ୍ର ଶ୍ରୋତାଭାବେ ବର୍ଣ୍ଣନା କରାଯାଇଛି । ଫଳରେ ଯୁଦ୍ଧଭୂମିରେ ଉଭୟ ପକ୍ଷର ଅଂଶୀଦାର ଚରିତ୍ର ମାନଙ୍କର ଯୁଦ୍ଧ ପ୍ରକ୍ରିୟାର ବିବରଣୀ ଜ୍ଞାତ ହେବାର ଏହା ଥିଲା ବିଧାନ । ଏଠାରେ କୁରୁକ୍ଷେତ୍ରକୁ ସମଗ୍ର ବିଶ୍ୱ – ବ୍ରହ୍ମାଣ୍ଡର ରୂପରେଖ ସହ ତୁଳନା କରାଯାଇପାରେ । ସମଗ୍ର ମାନବ ସମାଜ ଭିନ୍ନ ଭିନ୍ନ ଗୁଣଧାରୀଙ୍କ ସମାହାର ଅଟେ । ଅହରହ ସର୍ବେ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ଯୁଦ୍ଧରେ ଲିପ୍ତ । ଏହାକୁ ଜାଗତିକ ଦୃଷ୍ଟିରେ ଦର୍ଶନ ପୂର୍ବକ ସମାଜରେ ପ୍ରତିଫଳିତ କରିବା ନିମିତ୍ତ ପାଞ୍ଚପ୍ରକାର ଚରିତ୍ରର ଏକ ପରିସର ସଦା ସର୍ବଦା ଜାଗ୍ରତ ।
ପ୍ରଥମ ଚରିତ୍ର – ରାଜା ଧୃତରାଷ୍ଟ୍ର – ଅନ୍ୟାୟ ପକ୍ଷର ପ୍ରତିନିଧି ।
ଦ୍ୱିତୀୟ ଚରିତ୍ର – ସଞ୍ଜୟ – ସତ୍ୟ ସମ୍ବାଦ ପରିବେଷକ ।
ତୃତୀୟ ଚରିତ୍ର – ଅର୍ଜୁନ – ନ୍ୟାୟ ପାଇଁ ବ୍ୟାକୁଳ ହୋଇ ଯୁଦ୍ଧ କ୍ଷେତ୍ରରେ ଉପବିଷ୍ଠ ।
ଚତୁର୍ଥ ଚରିତ୍ର – ଶ୍ରୀକୃଷ୍ଣ – ସର୍ବଶେଷ ନ୍ୟାୟାଳୟର ମହାନାୟକ ।
ପଞ୍ଚମ ଚରିତ୍ର -ବାର୍‍ବରିକ୍‍ – ବଚନବଦ୍ଧତାରୁ ବଳିଦାନ ଓ ନିଜ କଟା ମସ୍ତକ ସ୍ତମ୍ଭ ଉପରେ ଜୀବନ୍ତ ରହି ଯୁଦ୍ଧ ଦେଖିବାର ଅଭିଳାଷରୁ ଜଣେ ଦର୍ଶକ ।

ଏଠାରେ ଯୁଦ୍ଧ ଭୂମିର ଦୃଶ୍ୟ ଦେଖି ଅଧର୍ମ ପକ୍ଷରେ ଜଣେ ସତ୍ୟବାଦୀ ବ୍ୟକ୍ତି ଅନ୍ୟାୟ ପକ୍ଷର ପ୍ରତିନିଧିଙ୍କୁ ସୂଚନା ଦେଉଛନ୍ତି । ପୁନଃ ଧର୍ମ ପକ୍ଷରେ ଥିବା ଜଣେ ମହାଯୋଦ୍ଧାଙ୍କ କଟା ମସ୍ତକ କେବଳ ମହାଭାରତ ଯୁଦ୍ଧର ଜଣେ ନିରବ ଦ୍ରଷ୍ଟା ଓ ସେ ପରିସ୍ଥିତିରେ କୌଣସି ପକ୍ଷଯୁକ୍ତ ନୁହନ୍ତି ବୋଲି ବିବେଚନା କରାଯାଇପାରେ । ଯୁଦ୍ଧର ଅବ୍ୟବହିତ ପୂର୍ବରୁ ବ୍ୟାସଦେବ ସଞ୍ଜୟଙ୍କୁ ଦିବ୍ୟଦୃଷ୍ଟି ପ୍ରଦାନ କରିଛନ୍ତି । କାରଣ ହସ୍ତିନାପୁର ରାଜପ୍ରକୋଷ୍ଠରେ ବସି ଦୃଷ୍ଟିହୀନ ରାଜା ଧୃତରାଷ୍ଟ୍ରଙ୍କୁ କୁରୁକ୍ଷେତ୍ରର ଯୁଦ୍ଧ ବିବରଣୀ ଦେବେ । ସେହିପରି ଶ୍ରୀକୃଷ୍ଣ ଦିବ୍ୟଦୃଷ୍ଟି ପ୍ରଦାନ କରିଛନ୍ତି ବାର୍‍ବରିକ୍‍କୁ । ଏହାବାଦ୍‍ ଯୁଦ୍ଧ ଆରମ୍ଭରୁ ମୋହଗ୍ରସ୍ତ ଅର୍ଜୁନର ମୋହଭଙ୍ଗ ନିମନ୍ତେ ଶ୍ରୀକୃଷ୍ଣଙ୍କ ମୁଖରୁ ଫୁଟି ଉଠିଛି ଅଷ୍ଟାଦଶ ଅଧ୍ୟାୟ ପରିବ୍ୟାପ୍ତ ଦିବ୍ୟବାର୍ତ୍ତା ଓ ନିଜର ବିଶ୍ୱରୂପ – ଯେହେତୁ ସାଧାରଣ ଚର୍ମ ଚକ୍ଷୁରେ ଦର୍ଶନ କରିବା ଅସମ୍ଭବ, ତେଣୁ ସେ ତାହାର ଦର୍ଶନ ନିମିତ୍ତ ଅର୍ଜୁନଙ୍କୁ ମଧ୍ୟ ସେହି ସମୟ ପାଇଁ ଦିବ୍ୟଦୃଷ୍ଟି ପ୍ରଦାନ କରିଛନ୍ତି । କିନ୍ତୁ ଶ୍ରୀକୃଷ୍ଣଙ୍କ ଅଷ୍ଟାଦଶ ଅଧ୍ୟାୟ ପରିବ୍ୟାପ୍ତ ବାର୍ତ୍ତା ସମାଜକୁ ପ୍ରବାହିତ ହୋଇଛି ଅଧର୍ମ ପକ୍ଷରେ ବସିଥିବା ସଞ୍ଜୟଙ୍କ ଦ୍ୱାରା । ତେଣୁ ସେ ହେଉଛନ୍ତି ଜଣେ ଶ୍ରୋତା, ଦ୍ରଷ୍ଟା ଏବଂ ଧୃତରାଷ୍ଟ୍ରଙ୍କ ପାଇଁ ଜଣେ ପ୍ରବକ୍ତା । ତେଣୁ ଧର୍ମାତ୍ମା ସଞ୍ଜୟ, ରାଜା ଧୃତରାଷ୍ଟ୍ର, ସଖା ଅର୍ଜୁନଙ୍କ ରଥରେ ସାରଥୀ ରୂପେ କୃଷ୍ଣ, ଅର୍ଜୁନ ଓ ଦ୍ୱିତୀୟ ପାଣ୍ଡବ ଭୀମଙ୍କ ପ୍ରପୌତ୍ର ବାର୍‍ବରିକ୍‍ର ଜୀବନ୍ତ ରଖାଯାଇଥିବା କଟା ମସ୍ତକକୁ ନେଇ ଏକ ଜାଗତିକ ପରିବେଷ୍ଟନୀ ଭାବେ ଚିନ୍ତା କରାଯାଇପାରେ ।
ଶ୍ରୀମଦ୍‍ଭଗବଦ୍‍ ଗୀତାର ପ୍ରଥମ ଅଧ୍ୟାୟ-
ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରୁ ଆରମ୍ଭ ହୁଏ ଓ ପ୍ରଥମ ଚରିତ୍ର ରାଜା ଧୃତରାଷ୍ଠ୍ର ହସ୍ତିନାର ରାଜପ୍ରକୋଷ୍ଠରେ ବସି ଯୁଦ୍ଧର ଅୟାରମ୍ଭର ସୂଚନା ଦେବା ପାଇଁ ସଞ୍ଜୟଙ୍କୁ ଏହିପରି କହିଲେ –
ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ ।
ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ ॥୧॥
ଏହି ଅଧ୍ୟାୟ ବର୍ଣ୍ଣନା କରେ ଉଭୟ ପକ୍ଷରୁ ଯୁଦ୍ଧର ପ୍ରାରମ୍ଭ, ସୈନ୍ୟସଜ୍ଜା, ଉପସ୍ଥିତ ମହାରଥୀ, ରଥୀ, ସାରଥୀ, ଅଶ୍ୱାରୋହୀ, ଗଜାରୋହୀ, …… ପଦାତିକ ବାହିନୀ ଆଦିର ସଂଖ୍ୟା । ସେମାନେ
ସେହିକ୍ରମରେ ମହାଯୋଦ୍ଧା, ଯୋଦ୍ଧା, …. ଆଦି ରୂପରେ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଛନ୍ତି । ଏହିପରି ଗଦାଧାରୀ, ଧନୁର୍ଦ୍ଧାରୀ , ଖଡ୍‍ଗଧାରୀ …… ଆଦିଙ୍କ ଦ୍ୱାରା କୁରୁକ୍ଷେତ୍ର ମଣ୍ଡିତ ହୋଇଅଛି । କୌରବ ପକ୍ଷରେ ଉପବିଷ୍ଠ ଅଛନ୍ତି ଅନେକ ଅପରାଜେୟ ଯୋଦ୍ଧା, ଯଥା – ମହାରଥୀ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, କର୍ଣ୍ଣ, ଅଶ୍ୱତ୍‍ଥମା ….. ଆଦିଙ୍କ ସହ ସଂଯୁକ୍ତ ହୋଇଛନ୍ତି ମହାଯୋଦ୍ଧା ଓ ଯୋଦ୍ଧା, ତଥା – ଶଲ୍ୟ, ଜୟଦ୍ରଥ, ଶକୁନି, ଦୁର୍ଯ୍ୟୋଧନ, ଦୁଃଶାସନ, ବିକର୍ଣ୍ଣ, ଅନ୍ୟ କୌରବ ଭ୍ରାତା ଗଣ ଓ ଯୁଦ୍ଧରେ ନିପୁଣ ବହୁ ଶୂରବୀରଙ୍କ ସହ ଦୁର୍ଯ୍ୟୋଧନଙ୍କ ଇଛାନୁସାରେ ଶ୍ରୀକୃଷ୍ଣଙ୍କ ଠାରୁ ପ୍ରାପ୍ତ ମହାପରାକ୍ରମୀ ନାରାୟଣୀ ସେନା । ସେହିପରି ପାଣ୍ଡବ ସେନାରେ ଅଛନ୍ତି ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ, ସାତ୍ୟକି, ରାଜା ବିରାଟ, ରାଜା ଦ୍ରୁପଦ, ଧୃଷ୍ଟକେତୁ, ଚେକିତାନ, କାଶିରାଜ, ପୁରୁଜିତ୍‍, କୁନ୍ତିଭୋଜ, ଶୈବ୍ୟ, ଯୁଧାମନ୍ୟୁ, ଉତ୍ତମୌଜା, ସୁଭଦ୍ରାପୁତ୍ର ଅଭିମନ୍ୟୁ ଏବଂ ଦ୍ରୌପଦୀଙ୍କ ପାଞ୍ଚପୁତ୍ର । ନାରାୟଣୀ ସେନା ପ୍ରତିବଦଳରେ ଓ ଅର୍ଜୁନଙ୍କ ଇଛାନୁସାରେ ପ୍ରାପ୍ତ ସ୍ୱୟଂ ଶ୍ରୀକୃଷ୍ଣଙ୍କୁ ଓ ସେ ପରେ ବଳରାମଙ୍କ ନିକଟରେ ଅସ୍ତ୍ର ଧାରଣ ନକରିବାର ବଚନବଦ୍ଧ ହୋଇ ଅର୍ଜୁନଙ୍କ ରଥରେ ସାରଥୀ ସାଜିଛନ୍ତି । ତେଣୁ ଯଦି ଯୁଦ୍ଧର ଫଳାଫଳ ଉପରେ ସବୁଦୃଷ୍ଟିରୁ ବିଚାର କରାଯାଏ ତେବେ କୌରବ ମାନଙ୍କ ପଲା ବହୁ ଗୁଣରେ ଭାରୀ ରହିବାର ନିଶ୍ଚିତତା ପ୍ରତିଫଳିତ ହୁଏ ।

କୌରବ ସେନା ପକ୍ଷରୁ ପ୍ରଥମେ ମହାରଥୀ , ଇଛା ମୃତ୍ୟୁଧାରୀ, ଅପରାଜେୟ, ପର୍ଶୁରାମ ଶିଷ୍ୟ, ଓ କୌରବ ସେନାର ପ୍ରଧାନ ସେନାପତି କୁରୁବୃଦ୍ଧ ମହାପ୍ରତାପୀ ପିତାମହ ଭୀଷ୍ମ ସିଂହନାଦ ପରି ଗର୍ଜନ କରି ଉଚ୍ଚସ୍ୱରରେ ଯୁଦ୍ଧଶଙ୍ଖ ବାଦନ କଲେ । ଏହା ପରେ ପରେ ସବୁ ଯୋଦ୍ଧା ମାନଙ୍କ ଶଙ୍ଖ ଓ ଯୁଦ୍ଧବାଦ୍ୟ ବାହିନୀଙ୍କ ଭେରୀ, ନାଗରା, ମର୍ଦ୍ଦଳ ଓ ରଣଶିଙ୍ଗା ଆଦି ବାଦ୍ୟ ଏକସଙ୍ଗେ ବାଜି ରଣଭୂମିକୁ ଶବ୍ଦର ତୀବ୍ରତାରେ ଭୟଙ୍କର କରିଦେଲା । ଏହାପରେ ପାଣ୍ଡବଙ୍କ ପକ୍ଷରୁ ଷଡଶଙ୍ଖ ବାଦନ ସହ ଧନୁର୍ଦ୍ଧର କାଶୀରାଜ,ମହାରଥୀ ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ରାଜା ବିରାଟ, ଅଜେୟ ସାତ୍ୟକି, ରାଜା ଦ୍ରୁପଦ, ଦ୍ରୌପଦୀଙ୍କ ପାଞ୍ଚପୁତ୍ର ଏବଂ ସୁଭଦ୍ରାପୁତ୍ର ଅଭିମନ୍ୟୁ ଆଦି ଶଙ୍ଖ ବଜାଇଲେ ।  ଷଡଶଙ୍ଖ ଅର୍ଥାତ୍ –
ପାଞ୍ଚଜନ୍ୟଂ ହୃଷୀକେଶୋ ଦେବଦତ୍ତଂ ଧନଞ୍ଜୟଃ ।
ପୌଣ୍ଡ୍ରଂ ଦଧ୍ମୌ ମହାଶଙ୍ଖଂ ଭୀମକର୍ମା ବୃକୋଦରଃ ॥ ୧୫॥
ଅନନ୍ତବିଜୟଂ ରାଜା କୁନ୍ତୀପୁତ୍ରୋ ଯୁଧିଷ୍ଠିରଃ ।
ନକୁଳଃ ସହଦେବଶ୍ଚ ସୁଘୋଷ ମଣିପୁଷ୍ପକୌ ॥୧୬॥
ତେବେ ଏ ଶବ୍ଦ ସବୁର ଏକତ୍ରୀକରଣରୁ ଶବ୍ଦର ତୀବ୍ରତା କୌରବ ପକ୍ଷଠୁଁ ଅଧିକ ଭୟଙ୍କର , ଯାହା ଆକାଶ ଓ ପୃଥିବୀକୁ ପ୍ରତିଧ୍ୱନିତ କରି ସେମାନଙ୍କ ହୃଦୟକୁ ବିଦୀର୍ଣ୍ଣ କରିଦେବା ପ୍ରାୟ ହେଲା ।

କପିଧ୍ୱଜ ରଥରେ ଅର୍ଜୁନ ନିଜ ଧନୁ ଧାରଣ ପୂର୍ବକ ଯୁଦ୍ଧ ପ୍ରାରମ୍ଭରୁ, ଦୁର୍ଯ୍ୟୋଧନର ହିତାକାଙ୍‍କ୍ଷୀ ହୋଇ ଯେଉଁମାନେ କୌରବ ସେନାରେ ସାମିଲ ହୋଇଛନ୍ତି ସେମାନଙ୍କୁ ଭଲଭାବେ ଚିହ୍ନିବା ନିମନ୍ତେ ତାଙ୍କ ରଥକୁ ଦୁଇ ସେନା ମଧ୍ୟରେ ଠିଆ କରାଇବା ପାଇଁ ଭଗବାନ୍‍ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କଲେ । ରଥ ଦୁଇ ସେନା ମଧ୍ୟରେ ରହିବା ପରେ ଅର୍ଜୁନ ଦେଖିଲେ ସେମାନେ ହେଉଛନ୍ତି ନିଜର ପିତୃ, ପିତାମହ, ଗୁରୁ, ମାମୁ, ଭାଇ, ପୁଅ, ନାତି, ମିତ୍ର, ଶ୍ୱଶୁର ଓ ସୁହୃଦ୍‍ମାନେ । ଏହା ଦେଖି ଅର୍ଜୁନ ମୋହଗ୍ରସ୍ତତାର ଶୀକାର ହୋଇ ଅତ୍ୟନ୍ତ କରୁଣାପରବଶ ଚିତ୍ତରେ ଶୋକାତୁର ହୋଇଉଠିଲେ । ଜଣେ ଯୋଦ୍ଧାର ସବୁ ବିପରୀତ ଲକ୍ଷଣ ତାଙ୍କଠାରେ ପ୍ରକାଶ ପାଇଲା । କାରଣ ସେ ରାଜ୍ୟ, ଭୋଗ ଓ ସୁଖାଦି ଅଭିଳାଷରେ ଏତାଦୃଶ ସ୍ୱଜନସମୁଦାୟଙ୍କୁ ବଧ କରି ସୁଖ ଓ ଯଶ ପାଇବା ପରିବର୍ତ୍ତେ କେବଳ ଅସହ୍ୟ ଦୁଃଖ ଓ ଅପଯଶର ଯନ୍ତ୍ରଣାରେ ଜର୍ଜରିତ ହେବ । ଏମାନଙ୍କୁ ମାରି ତିନିଲୋକର ରାଜ୍ୟାଧିକାର ମିଳିଲେବି ତାହା ସେ କରି ନପାରିବାର ଆତୁରତା ପ୍ରକାଶ କଲେ । ସେମାନଙ୍କ ହାତରେ ବରଂ ନିଜ ଜୀବନ ଚାଲିଯାଉ, କିନ୍ତୁ ସେମାନଙ୍କୁ ସେ ମାରିପାରିବ ନାହିଁ । କାରଣ ନିଜର କୁଟୁମ୍ବ ଲୋକଙ୍କୁ ବଧ କରି ସେ କୁଳକ୍ଷୟଜନିତ ଦୋଷ ଓ ମିତ୍ରଦ୍ରୋହଜନିତ ପାପରେ ଭାଗୀଦାର ହେବାକୁ ପଛଘୁଞ୍ଚା ଦେଲେ । କୁଳନାଶରେ କୁଳଧର୍ମ ନଷ୍ଟ, କୁଳ ପାପଗ୍ରସ୍ତ ହେବା, କୁଳସ୍ତ୍ରୀମାନେ ଦୂଷିତା ହେବା, ବର୍ଣ୍ଣସଙ୍କର ଉତ୍ପନ୍ନ ହେବା, ପିତୃଲୋକ ଶ୍ରାଦ୍ଧ ଓ ତର୍ପଣରୁ ବଞ୍ଚିତ ହୋଇ ଅଧୋଗତି ପ୍ରାପ୍ତ ହେବା ଆଦିର କାରଣ ହୋଇ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ନରକବାସକୁ ସେ ଆଦୌ ଗ୍ରହଣ କରିପାରିବ ନାହିଁ । ବୁଦ୍ଧିମାନ ହୋଇ ମଧ୍ୟ ଆମେ ନିଜର ଆତ୍ମୀୟସ୍ୱଜନମାନଙ୍କୁ ମାରିବାକୁ ଉଦ୍ୟତ ! ଏହା କହି ଶୋକରେ ଉଦ୍‍ବିଗ୍ନମନା ଅର୍ଜୁନ କହିଲେ ତାଙ୍କପରି ନିଃଶସ୍ତ୍ର ଓ ପ୍ରତିକାରରହିତ ଲୋକକୁ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ମାରିଦେଲେ ତାଙ୍କପାଇଁ ଅଧିକ ମଙ୍ଗଳକର ହେବ । ତେଣୁ ଧନୁ ତ୍ୟାଗ କରି ରଥର ପଛପଟେ ବସିପଡିଲେ ।

ଏଠାରେ ଅର୍ଜୁନ ମୋହଗ୍ରସ୍ତତାର ଶୀକାର ହୋଇ ପଶ୍ଚାତାପର ଅଗ୍ନିରେ ଦଗ୍‍ଧୀଭୂତ ଓ ଶୋକପୂର୍ଣ୍ଣ ନୟନରେ ନିଜର ଅସ୍ତ୍ର ତ୍ୟାଗ କରି ଯୁଦ୍ଧରୁ ବିରତ ରହିବା ତାଙ୍କର ଶ୍ରେଷ୍ଠ କର୍ତ୍ତବ୍ୟ ବୋଲି ପ୍ରତିଫଳନ କରିଛନ୍ତି । ତାଙ୍କଠାରେ ପ୍ରକାଶ ପାଇଛି ସମ୍ପୂର୍ଣ୍ଣ ଆତ୍ମସମର୍ପଣ ଭାବ । ନିଜ ଲୋକଙ୍କୁ ବଧ କରିବା ଓ ତତ୍‍ସଙ୍ଗେସଙ୍ଗେ ଭୟଙ୍କର ରକ୍ତପାତରେ ଅଜସ୍ର ମାନବ ଜୀବନର ବିନାଶରେ ସମାଜ ମଙ୍ଗଳର କୌଣସି ଆଭାସ ସେ ପାଇ ପାରି ନାହାନ୍ତି । ପୁନଃ ସେ ନିଜ କୁଳଧର୍ମ ନଷ୍ଟର ପରିଣାମକୁ ମଧ୍ୟ ଅଗ୍ରାଧିକାର ଦେଇଛନ୍ତି ଓ ନିଜର ବିନାଶକୁ ମଧ୍ୟ ଗ୍ରହଣ କରିଛନ୍ତି । ଏହା ରୋମେରୋମେ ସତ୍ୟର ପରିପ୍ରକାଶ ଅଟେ ।

ଦ୍ୱିତୀୟତଃ ସେ ଭୂଲି ଯାଇଛନ୍ତି ଅତୀତର ସବୁ ଘଟଣାବଳୀ । ସେମାନଙ୍କୁ ମାରିବା ପାଇଁ ଗାନ୍ଧାରରାଜ ଶକୁନି ଓ ଦୁର୍ଯ୍ୟୋଧନର ନୂଆ ନୂଆ ବ୍ୟୁହ ରଚନା, ଛଳରେ ପଶା ଖେଳରୁ ଦ୍ରୌପଦୀ ବସ୍ତ୍ର ହରଣ, ରାଜ୍ୟ ହରାଇ ବନବାସ ସହ ଅଜ୍ଞାତ ବାସ, ଶେଷରେ ପାଞ୍ଚଖଣ୍ଡ ପଡା ପରିବର୍ରେ ‘ବିନା ଯୁଦ୍ଧେ ଦେବିନାହିଁ ସୂଚ୍ୟଗ୍ରେ ମେଦିନୀ’ର ଯୁଦ୍ଧ ଡାକରା ……. ଆଦି ଓ ଶ୍ରୀକୃଷ୍ଣଙ୍କ ଯୁଦ୍ଧ ଏଡାଇବାର ପ୍ରଚେଷ୍ଟାକୁ ନିଷ୍ଫଳ କରିଦେଲା । ସେଥିପାଇଁ ‘ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ’ । ଅଧର୍ମ ପଥରେ ଜଡିତ ରହି କୌରବମାନେ ପାଣ୍ଡବଙ୍କୁ ସେମାନଙ୍କ ପୈତୃକତାର ନିଦର୍ଶନ ରୂପେ ଭିକ୍ଷା ସ୍ୱରୂପ ସାମାନ୍ୟ ପାଞ୍ଚଖଣ୍ଡ ଗ୍ରାମରୁ ବଞ୍ଚିତ କରି ‘ଯୁଦ୍ଧଂ ଦେହି’ ଡାକରା ଦେଲେ । ସେଥିପାଇଁ ଅନେକ ଅନେକ ରାଜା ମହାରାଜା ସହ ଏଗାର ଅକ୍ଷୌହିଣୀ ସୈନ୍ୟଙ୍କ ବିରାଟ କଳେବରକୁ ନେଇ ଓ ପ୍ରାୟ ସବୁ ଅଜେୟ ଯୋଦ୍ଧାଙ୍କ ଗହଣରେ ଅଧର୍ମୀ କୌରବଗଣ ମତୁଆଲା । କିନ୍ତୁ ଧର୍ମ ପକ୍ଷରେ ପାଣ୍ଡବଙ୍କୁ ସହଯୋଗ କରିଛନ୍ତି କିଛି ରାଜା ଓ ମହାରାଜାଙ୍କ ସହ ସାତ ଅକ୍ଷୌହିଣୀ ସେନା । ଏହା ସୂଚାଏ ଯେ ସେ ସମୟରେ ଅଧର୍ମୀଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ଘଟିଥିଲା ଓ ରାଜ୍ୟ ଗୁଡିକରେ ଅରାଜକତାର ଲେଲୀହାନ ଶିଖା ମଧ୍ୟ । ତେଣୁ ସେ ସମୟର ଏହା ଧର୍ମ ଏବଂ ଅଧର୍ମ ମଧ୍ୟରେ ଏକ ବିଶ୍ୱଯୁଦ୍ଧ କହିଲେ ଅତ୍ୟୁକ୍ତି ହେବନାହିଁ । ଧର୍ମର ଆଧାରରେ ଥିବା ପାଣ୍ଡବଙ୍କୁ ମିଳିଥିଲା ନ୍ୟୂନ ସଂଖ୍ୟକ ସମର୍ଥନ । ମାନବ ସମାଜର ସନ୍ତୁଳନତା ବଜାୟ ରହିବା ନିମନ୍ତେ ପାଣ୍ଡବଙ୍କ ସହ ଭଗବାନ୍‍ ଶ୍ରୀକୃଷ୍ଣ ସେ ମହାଯୁଦ୍ଧରେ ସାରଥୀ ହୋଇଛନ୍ତି । ଏସବୁକୁ ପାର୍ଥ ଭୁଲିଯାଇଛନ୍ତି ମୋହରୂପୀ ଅନ୍ଧକାରରେ ବଶୀଭୂତ ହୋଇ । ଯୋଦ୍ଧା ଓ କ୍ଷତ୍ରିୟର ଧର୍ମଯୁଦ୍ଧକୁ ସେ ଭୂଲିବା ସହ ଏହା ସହ ଉଦ୍ଦିଷ୍ଟ ସମଗ୍ର ବିଶ୍ୱର ମଙ୍ଗଳକୁ ସେ ପାଶୋରି ପକାଇଛନ୍ତି । ଅଧର୍ମ ମାର୍ଗରେ ଧାବିତ ମାନବ କୌରବଙ୍କ ହିତାକାଙ୍‍କ୍ଷୀ । ତେଣୁ କୌରବଙ୍କ ପଲା ଭାରୀ ହୋଇଛି । ଧର୍ମ ରକ୍ଷା ଓ ମାନବ ସମାଜ ମଙ୍ଗଳ ନିମିତ୍ତ ସେମାନଙ୍କ ବିନାଶ ଅପରିହାର୍ଯ୍ୟ ଅଟେ । ଏହା ନିଜ କୁଳଧର୍ମ ବିନାଶର ପରିଣାମରୁ ଅରାଜକତା ଭରିଯିବା ସହ ତୁଳନୀୟ ନୁହେଁ । ଅର୍ଥାତ୍‍ ଅର୍ଜୁନ ବାଟବଣା ହୋଇ ଭ୍ରମରେ ପଡିଯାଇଛନ୍ତି । ଯୁଦ୍ଧରୁ ବିମୁଖ ହୋଇଛନ୍ତି । ଯାହା ନିଜସ୍ୱ ମୂଳ ଧର୍ମ ଓ କର୍ତ୍ତବ୍ୟର ବିରୁଦ୍ଧ ଅଟେ । ଏତାଦୃଶ କାପୁରୁଷତା ଓ ଭୀରୁତାର ଲକ୍ଷଣ ଅର୍ଜୁନଙ୍କ ଠାରେ ପ୍ରକାଶ ପାଇଛି କୁରୁକ୍ଷେତ୍ର ଯୁଦ୍ଧ ପରିସରର ମୋହଯୁକ୍ତତାରୁ ।

କିନ୍ତୁ ଅନ୍ୟ ଦୃଷ୍ଟିରୁ ଦେଖିଲେ ଅବଗତହୁଏ ଯେ, ଯେତେବେଳେ ସର୍ବେ କେବଳ ଯୁଦ୍ଧ କରିବାର ମଦିରାରେ ମତୁଆଲା ସେତେବେଳେ ଜଣେ ମାତ୍ର ଯୋଦ୍ଧାର ମନ ନିଜ ସ୍ୱଜନଙ୍କ ବଧ ଓ ଭୟଙ୍କର ନର ସଂହାର କଥା ଭାବି ଶୋକାତୁର ହୋଇ ଉଠିଛି । ଏହା ଏକ ଦୟା ଓ କ୍ଷମାଶୀଳ ପ୍ରାଣରୁ ଉଦ୍‍ଗତ ନିଷ୍କପଟ ପରିପ୍ରକାଶ । ଏହା ଏକ ସାର୍ବଜନୀନ କର୍ତ୍ତବ୍ୟବୋଧତା । କିନ୍ତୁ ଏତାଦୃଶ ନମନୀୟତା ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ଅନ୍ୟ ଯୋଦ୍ଧା ମାନଙ୍କ ହୃଦୟରେ ଜାଗ୍ରତ ହୋଇପାରି ନଥିଲା । ଯେଉଁ କାରଣ ଗୁଡିକରୁ ନିଜେ ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ଉପବିଷ୍ଠ, ତାହାର ଗୁରୁତ୍ୱକୁ ସେ ଭୁଲି ମୋହଗ୍ରସ୍ତତା ଓ କର୍ମରୁ ବିଚ୍ୟୁତ ହେବାରୁ ଭଗବାନ୍‍ ଶ୍ରୀକୃଷ୍ଣ ମାନବ ଜୀବନ ନିମିତ୍ତ ପ୍ରଥମ ଅଧ୍ୟାୟ(କାରଣ)ରୁ ଦୀର୍ଘ ସତର ଅଧ୍ୟାୟ (ଫଳାଫଳ)ପରିବ୍ୟାପ୍ତ, ତଥା- ସାଂଖ୍ୟ ଯୋଗ, କର୍ମଯୋଗ, ଜ୍ଞାନକର୍ମସନ୍ୟାସଯୋଗ, କର୍ମସନ୍ୟାସଯୋଗ, ଆତ୍ମସଂଯମଯୋଗ,  ଜ୍ଞାନବିଜ୍ଞାନ ଯୋଗ, ଅକ୍ଷର ବ୍ରହ୍ମ ଯୋଗ, ରାଜବିଦ୍ୟା ରାଜଗ୍ୟୁହ ଯୋଗ, ବିଭୂତି ଯୋଗ, ବିଶ୍ୱରୂପ ଦର୍ଶନ ଯୋଗ, ଭକ୍ତି ଯୋଗ, କ୍ଷେତ୍ର-କ୍ଷେତ୍ରଜ୍ଞ ବିଭାଗଯୋଗ, ଗୁଣତ୍ରୟ ବିଭାଗ ଯୋଗ, ପୁରୁଷୋତ୍ତମଯୋଗ, ଦୈବାସୁରସମ୍ପତ୍‍ ବିଭାଗ ଯୋଗ, ଶ୍ରଦ୍ଧାତ୍ରୟ ବିଭାଗ ଯୋଗ, ମୋକ୍ଷସନ୍ୟାସ ଯୋଗର ପରମ ବ୍ୟାଖ୍ୟା କରିଛନ୍ତି ।

ଏ ଅଠର ଅଧ୍ୟାୟକୁ ନେଇ ଶ୍ରୀମଦ୍ଭଗବଦ୍‍ ଗୀତାର କଳେବର ଶୋଭା ମଣ୍ଡନ କରେ, ଯାହା ଅଠର ପ୍ରକାର ନାମ ବହନ କରେ, ତଥା-ଗୀତା, ଗଙ୍ଗା, ଗାୟତ୍ରୀ, ସୀତା, ସତ୍ୟ, ସରସ୍ୱତୀ, ବ୍ରହ୍ମବିଦ୍ୟା, ବ୍ରହ୍ମବଳ୍ଳୀ(ବ୍ରହ୍ମବାହିନୀ), ତ୍ରିସନ୍ଧ୍ୟା, ମୁକ୍ତଗେହିନୀ, ଅର୍ଦ୍ଧମାତ୍ରା, ଚିଦାନନ୍ଦୀ, ଭୱାଂଗୀ, ଭୟନାଶିନୀ, ବେଦତ୍ରୟୀ(ଚିରା), ପରା, ଅନନ୍ତା, ତତ୍ତ୍ୱାର୍ଥଜ୍ଞାନମଞ୍ଜରୀ । ମହାଭାରତ ଯୁଦ୍ଧରେ ଅଠର ଅକ୍ଷୌହିଣୀ ସେନା ଭାଗ ନେଇଥିବାର କୁହାଯାଏ । ତନ୍ମଧ୍ୟରୁ ଏଗାର ଅକ୍ଷୌହିଣୀ ସେନା କୌରବଙ୍କ ପକ୍ଷରେ ଓ ସାତ ଅକ୍ଷୌହିଣୀ ସେନା ପାଣ୍ଡବଙ୍କ ପକ୍ଷରେ ରହି ଯୁଦ୍ଧ କରିଥିଲେ ଏବଂ ଅଠର ଦିବସ ବ୍ୟାପି ଯୁଦ୍ଧ ହୋଇଥିବାର ବର୍ଣ୍ଣନା କରାଯାଇଛି ।

                                                                                                                        ଅପର୍ତ୍ତିବିନ୍ଧା ,  ଭଦ୍ରକ