ସର୍ବତତ୍ତ୍ୱଭିତ୍ତିକ ଶ୍ରୀମଦ୍ଭଗବଦ୍‌ଗୀତା – ପ୍ରଥମ ଅଧ୍ୟାୟ (ଅର୍ଜୁନ ବିଷାଦ ଯୋଗ)- ଦ୍ଵିତୀୟ ଭାଗ

ସର୍ବତତ୍ତ୍ୱଭିତ୍ତିକ ଶ୍ରୀମଦ୍ଭଗବଦ୍‌ଗୀତା – ପ୍ରଥମ ଅଧ୍ୟାୟ (ଅର୍ଜୁନ ବିଷାଦ ଯୋଗ)- ଦ୍ଵିତୀୟ ଭାଗ

 

ନକୁଳ ଚରଣ ମଲିକ,

(ଅବସରପ୍ରାପ୍ତ ଆସୋସିଏଟ ପ୍ରଫେସର, ପଦାର୍ଥ ବିଜ୍ଞାନ)   

ତେବେ ଶ୍ରୀମଦ୍ଭଗବଦ୍‍ ଗୀତାର ପ୍ରଥମ ଅଧ୍ୟାୟ ଅର୍ଜୁନର ବିଷାଦ ଓ ଯୁଦ୍ଧରୁ ବିମୁଖ ହେବାକୁ ବ୍ୟାଖ୍ୟା କରେ । ଏହାକୁ ବିଜ୍ଞାନ ଢାଞ୍ଚାରେ ବର୍ଣ୍ଣନା କରିବାର ଏକ ନିମିତ୍ତ ପ୍ରୟାସ ମାତ୍ର । ଏଠାରେ କୃଷ୍ଣ ବସ୍ତୁ ବିକିରଣ(Black Body Radiation) ପ୍ରକ୍ରିୟାକୁ ଅନ୍ତର୍ଭୁକ୍ତ କରାଯାଇଛି । କୃଷ୍ଣ ବସ୍ତୁକୁ ଉତ୍ତପ୍ତ କଲେ ଏହା ବିଦ୍ୟୁତ୍‌-ଚୁମ୍ବକୀୟ ତରଙ୍ଗ(Electromagnetic Wave ) ବିକିରିତ କରିଥାଏ । ଉକ୍ତ ବର୍ଣ୍ଣାଳୀ(Spectrum) ନିମ୍ନଆବୃତ୍ତି(Low Frequency) ବା ଦୀର୍ଘ ତରଙ୍ଗ ଦୈର୍ଘ୍ୟ(Long Wavelength)ରୁ ଆରମ୍ଭ କରି ଉଚ୍ଚ ଆବୃତ୍ତି ବା ନିମ୍ନ ତରଙ୍ଗ ଦୈର୍ଘ୍ୟ ଅର୍ଥାତ୍‍ ଅବଲୋହିତ ତରଙ୍ଗ(Infrared wave), ଦୃଶ୍ୟମାନ ତରଙ୍ଗ(Visible wave) ଓ ଅତିବାଇଗଣି ତରଙ୍ଗ(Ultraviolet wave) ଆଦିର ସମଷ୍ଟି ଅଟେ । ବୈଜ୍ଞାନିକମାନେ ପରୀକ୍ଷାଗାରରେ ଏହା ଉପଲବ୍‍ଧ ପୂର୍ବକ ଉକ୍ତ ପରୀକ୍ଷଣର ବିକିରିତ ଶକ୍ତି ଓ ତରଙ୍ଗ ଦୈର୍ଘ୍ୟ ବା ଆବୃତ୍ତିର ରୈଖିକ ଚିତ୍ରପଟ୍ଟ(Graphical Representation) ଅଙ୍କନ କରିଥିଲେ । ତେବେ ରୈଖିକ ଚିତ୍ରପଟ୍ଟର ସମ୍ପୂର୍ଣ୍ଣ ଗାଣିତିକ ପ୍ରତିପାଦନ ପ୍ରାଥମିକ ଓ ଦ୍ୱିତୀୟକ ସ୍ତରରେ ଆଂଶିକ ସଫଳ ଲାଭ କଲା । ପର୍ଯ୍ୟବେକ୍ଷଣରୁ ନିସୃତ ଗୋଟିଏ ଅବିଚ୍ଛିନ୍ନ ରେଖା(Continuous Curve) କେବଳ ଏକ ଗାଣିତିକ ସୂତ୍ର ଦ୍ୱାରା ବୁଝା ପଡିବା କଥା । କିନ୍ତୁ ବୈଜ୍ଞାନିକ ୱାଇନ୍‍(Wein)ଙ୍କ ସୂତ୍ର ରୈଖିକ ଚିତ୍ରପଟ୍ଟର ମୂଳ ଅଂଶରୁ ଅଧା(ନିମ୍ନ ତରଙ୍ଗ ଦୈର୍ଘ୍ୟ) ଓ ରାଲି – ଜିନ୍‍(Rayleigh – Jean)ଙ୍କ ସୂତ୍ର ରୈଖିକ ଚିତ୍ରପଟ୍ଟର ଶେଷ ଅଂଶରୁ ଅଧା(ଦୀର୍ଘ ତରଙ୍ଗ ଦୈର୍ଘ୍ୟ) ଯାଏ ବୁଝାଇ ପାରିଲା । ଏହା ବୈଜ୍ଞାନିକ ମହଲରେ ଆଲୋଡନ ସୃଷ୍ଟି କଲା ଯେ ବିଜ୍ଞାନ ତତ୍ତ୍ୱରେ କେଉଁଠି ଭୂଲ୍‍ ରହିଲା ? କୃଷ୍ଣ ବସ୍ତୁ ବିକିରଣରୁ ଉତ୍ପନ୍ନ ତରଙ୍ଗ ଶକ୍ତି ଓ ତରଙ୍ଗ ଦୈର୍ଘ୍ୟର ରୈଖିକ ଚିତ୍ରପଟ୍ଟକୁ ଏମାନଙ୍କ ଗାଣିତିକ ସୂତ୍ର କାହିଁକି ସମୂର୍ଣ୍ଣରୂପେ ପ୍ରତିପାଦନ କରିପାରୁ ନାହିଁ ? ଏକ ଦଶନ୍ଧି ଧରି ବୈଜ୍ଞାନିକ ମାନଙ୍କର ପ୍ରଚେଷ୍ଟାରେ ସଫଳତା ପ୍ରାପ୍ତ ହୋଇଥିଲା । ସେ ହେଉଛନ୍ତି ମହାନ୍‍ ବୈଜ୍ଞାନିକ ମାକ୍ସ୍‍ ପ୍ଲାଙ୍କ୍‍(Max Planck) । ତାଙ୍କ ତତ୍ତ୍ୱ ଥିଲା ତରଙ୍ଗର ଦ୍ୱିବିଧ ପ୍ରକୃତି(Dual Nature) ଅର୍ଥାତ୍‍ ତରଙ୍ଗ ପ୍ରକୃତି(Wave Nature) ଓ କଣିକା ପ୍ରକୃତି (Particle Nature)। ତରଙ୍ଗର ମୂଳ ପ୍ରକୃତି ତରଙ୍ଗ ଅଟେ, କିନ୍ତୁ କେତେକ ପରିସ୍ଥିତିରେ ଏହା ମୂଳ ପ୍ରକୃତି ଦର୍ଶାଇବା ପରିବର୍ତ୍ତେ କଣିକା ପ୍ରକୃତିକୁ ଦର୍ଶାଇ ଥାଏ । କୃଷ୍ଣ ବସ୍ତୁ ବିକିରଣର ରୈଖିକ ଚିତ୍ରପଟ୍ଟଗୁଡିକୁ ତରଙ୍ଗର କଣିକା ପ୍ରକୃତି ଦ୍ୱାରା ସମ୍ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରାଯାଇ ପାରିଲା ଓ ପ୍ଲାଙ୍କ୍‍ଙ୍କ ସୂତ୍ରରୁ ମଧ୍ୟ ୱାଇନ୍‍ ଏବଂ ରାଲି – ଜିନ୍‍ଙ୍କ ସୂତ୍ର ତତ୍‍ଜନିତ ଅବସ୍ଥାରେ ପରିପ୍ରକାଶ ହୋଇ ପାରିଲା । ଏହିଠାରୁ ବିଜ୍ଞାନ ଜଗତରେ ଏକ ନୂଆ ଯୁଗ ଆରମ୍ଭ ହେଲା, ଅର୍ଥାତ୍‍ ପାରମାଣବିକ ସ୍ତର ବା ସୂକ୍ଷ୍ମ ସ୍ତରରେ କ୍ଲାସିକାଲ୍‍ ତତ୍ତ୍ୱ(Classical Theory)ର ଅସଫଳତାରୁ ସୃଷ୍ଟି ହେଲା କ୍ୱାଣ୍ଟମ ତତ୍ତ୍ୱ(Quantum Theory) । 

ପ୍ରକୃତି ବା ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଏକ ସ୍ୱୟଂ ସମ୍ପୂର୍ଣ୍ଣମୁଖୀ ସମବିନ୍ୟାସର ରୂପରେଖ, ଯାହା ସଦା ସର୍ବଦା ବଜାୟ ରହିଛି । ଏଥିରେ କିଞ୍ଚିତ୍‍ ବ୍ୟତିକ୍ରମ ଘଟିଲେ ପ୍ରକୃତି ବିରୋଧ କରେ । ତେଣୁ ପ୍ରକୃତିର ଲକ୍ଷଣ ହେଲା ତା’ର ସମବିନ୍ୟାସତାକୁ ଭଲ ପାଇବା(Nature Loves Symmetry) । ଏହାକୁ ଭିତ୍ତି କରି ଫରାସୀ ବୈଜ୍ଞାନିକ ଲୁଇସ୍‍ ଡି ବ୍ରୋଗ୍ଲାଏ(Louis de Broglie) ଯୁକ୍ତି ବାଢିଲେ ଯେ, ମୂଳ ତରଙ୍ଗ ଯଦି କଣିକାର କାର୍ଯ୍ୟ କରିପାରୁଛି ତେବେ ସେହି ଢାଞ୍ଚାରେ ମଧ୍ୟ ମୂଳ କଣିକା ପରିସ୍ଥିତିର ତାଡନାରେ ତରଙ୍ଗର କାର୍ଯ୍ୟ ସମ୍ପାଦନ କରି ପାରିବ ଯାହାକୁ ବସ୍ତୁ ତରଙ୍ଗ(Matter Wave) କୁହାଗଲା । ଏହା ମଧ୍ୟ ପରୀକ୍ଷାସିଦ୍ଧ ହେବା ସହ କଣିକାର ଦ୍ୱିବିଧ ପ୍ରକୃତି ଥିବାର ବିଜ୍ଞାନ ଗ୍ରହଣ କଲା । ସେହିପରି ହାଇଜେନ୍‍ବର୍ଗଙ୍କ ଅନିଶ୍ଚିତତା ନିୟମ(Heisenberg Uncertainty Principle)ପ୍ରକାଶ କଲା ଯେ, କୌଣସି ଘଟଣାରେ ପରସ୍ପର ସଂଯୁକ୍ତ ଥିବା ଅନୁବଦ୍ଧିୟ ପରିବର୍ତ୍ତନଶୀଳ(Canonically Conjugate Variable) ଓ ପର୍ଯ୍ୟବେକ୍ଷୀୟ ସଂଖ୍ୟା(Observable Quantity) ଦ୍ୱୟର ପର୍ଯ୍ୟବେକ୍ଷଣ ଏକ ସଙ୍ଗରେ ନିର୍ଭୁଲ୍‍ ଭାବେ ମପା ଯାଇପାରିବ ନାହିଁ । ପ୍ରଥମଟିର ସଠିକ୍‍ ପରିମାପ କରାଗଲେ ଦ୍ୱିତୀୟଟିର ପରିମାପରେ ସର୍ବାଧିକ ତ୍ରୁଟି ପରିଲକ୍ଷିତ ହେବ ଓ ଏହା ବିପରୀତମୁଖୀ ଅଟେ । ଉଦାହରଣ ସ୍ୱରୂପ ସ୍ଥାନ(Position) ଓ ସଂବେଗ(Momentum) ଏବଂ ଶକ୍ତି(Energy) ଓ ସମୟ(Time) ଆଦିକୁ ଏହି ପରିମାପକ ଯୋଡିଗୁଡିକୁ ବୁଝାଇଥାଏ । ଏକ ଗତିଶୀଳ କଣିକାର ସଠିକ୍‍ ସ୍ଥାନ ନିରୂପଣରେ ତା’ର ସଂବେଗ ନିରୂପଣରେ ସର୍ବାଧିକ ତ୍ରୁଟି କିମ୍ବା ସଠିକ୍‍ ସଂବେଗର ନିରୂପଣରେ କଣିକାର ସ୍ଥାନ ନିରୂପଣରେ ସର୍ବାଧିକ ତ୍ରୁଟି ପରିଲକ୍ଷିତ ହେବ । ତେଣୁ ସ୍ଥାନର ପର୍ଯ୍ୟବେକ୍ଷଣରେ ଯେତେ ସଠିକ ନିଶ୍ଚିତତା ରହିବ, ସଂବେଗ ଜାଣିବା ନିମିତ୍ତ ସେହି ଧାରାରେ ଅନିଶ୍ଚିତତା ବୃଦ୍ଧି ପାଇବ । ତେଣୁ ଏକ ସମୟରେ ଦୁଇ ପରିମାପକରେ ନିଶ୍ଚିତତା ରହିବା ଅସମ୍ଭବ । ଏହି ଅନିଶ୍ଚିତତା ଦର୍ଶାଏ ମାନବୀୟ ପର୍ଯ୍ୟବେକ୍ଷଣର ସୀମାବଦ୍ଧତାକୁ ଓ ମନରେ ଜାଗ୍ରତ କରାଏ ଈଶ୍ୱରୀୟ ଭାବନା । ମନେକର ଏକ ପରୀକ୍ଷଣରେ ବସ୍ତୁର କଣିକା ପ୍ରକୃତି ସମ୍ବନ୍ଧୀୟ ମାପ ନିମିତ୍ତ ବ୍ୟବସ୍ଥା କରାଯାଇଛି । ତେଣୁ କଣିକାଟିର ସ୍ଥାନ ଓ ସମୟ ନିରୂପଣରେ ପର୍ଯ୍ୟବେକ୍ଷଣୀୟ ତ୍ରୁଟି ଯଥାକ୍ରମେ Δx ଓ Δt ଶୂନ ହେବ । ଏଠାରେ କଣିକାର ତରଙ୍ଗୀୟ ଭାବ, ଯଥା – ସଂବେଗ(p=h/λ) ଓ ଶକ୍ତି(E=hν) ସମ୍ପୂର୍ଣ୍ଣ ରୂପେ ଅଜ୍ଞ ରହିବ । ସେହିପରି ଯଦି ପର୍ଯ୍ୟବେକ୍ଷଣ ପଦ୍ଧତିରେ କେବଳ କଣିକାର ତରଙ୍ଗ ସମ୍ବନ୍ଧୀୟ ମାପର ବ୍ୟବସ୍ଥା ରହିଛି, ତେବେ ସଂବେଗ ଓ ଶକ୍ତି ନିର୍ଦ୍ଧାରଣରେ ପର୍ଯ୍ୟବେକ୍ଷଣୀୟ ତ୍ରୁଟି ଯଥାକ୍ରମେ Δp ଓ ΔE ମଧ୍ୟ ଶୂନ ହେବ । ଏଠାରେ ସ୍ଥାନ ଓ ସମୟ ନିର୍ଦ୍ଧାରଣତାରେ ମଧ୍ୟ ସମ୍ପୂର୍ଣ୍ଣ ଅଜ୍ଞତା ରହିବ । ଏହା ପ୍ରକାଶ କରେ, ଯେତେବେଳେ ବସ୍ତୁର କଣିକା ପ୍ରକୃତି ପ୍ରଦର୍ଶିତ ହୁଏ ସେତେବେଳେ ତରଙ୍ଗ ପ୍ରକୃତି ଲୁକ୍‌କାୟିତ ହୋଇଥାଏ । ସେହିପରି କଣିକାର ତରଙ୍ଗ ପ୍ରକୃତିର ପ୍ରଦର୍ଶନରେ ଏହାର କଣିକା ପ୍ରକୃତି ଲୁକ୍‌କାୟିତ ହୁଏ । ଏହା କଣିକାର ଦ୍ୱିବିଧତାକୁ ଏକ ସମୟରେ ପର୍ଯ୍ୟବେକ୍ଷଣ କରିବାର ଅକ୍ଷମତାକୁ ବୁଝାଇଥାଏ । ଏହାହିଁ  ନେଲ୍‍ ବୋର୍‌(Neil Bohr)ଙ୍କ ପରିପୂରକ ନିୟମ(Complimentary Principle) ଅର୍ଥାତ୍‍ କ୍ଲାସିକାଲ୍‍ ଓ କ୍ୱାଣ୍ଟମ୍‍ ଅନୁଭବତା ଏକ ସମୟରେ ଅସମ୍ଭବ । ଅର୍ଥାତ୍‍ ସେହି ଧାରାରେ ତରଙ୍ଗ ତା’ର ମୂଳ ପ୍ରକୃତି ଦର୍ଶାଉଥିବା ବେଳେ କଣିକା ପ୍ରକୃତିରୁ ବାଦ୍‍ ପଡିବ କିମ୍ବା କଣିକା ସ୍ୱଭାବ ଦେଖାଉଥିବା ବେଳେ ତରଙ୍ଗ ପ୍ରକୃତିରୁ ବାଦ୍‍ ପଡିବ । ଏହି କ୍ୱାଣ୍ଟମ ତତ୍ତ୍ୱଗୁଡିକ ପରସ୍ପର ସହ ଜଡିତ ଅଟନ୍ତି ।

ତେବେ ଦୁଇ ପ୍ରକାରର ଚିନ୍ତାଧାରାରେ ମିଶ୍ରିତ ହୋଇଛି କ୍ୱାଣ୍ଟମ୍‍ ତତ୍ୱାବଳୀ । ଏହା ମହାନ୍‍ ବୈଜ୍ଞାନିକ ମାନଙ୍କ ମହାନତାକୁ ପ୍ରଦର୍ଶିତ କରାଏ । ଏହା ନିଶ୍ଚିତତା ଓ ଅନିଶ୍ଚିତତାର ଦ୍ୱନ୍ଦ୍ୱ ଅଟେ । ପ୍ରଥମ ସମ୍ଭାବନାକୁ ଦର୍ଶାନ୍ତି ମହାମାନବ ସାର୍‍ ଆଲ୍‍ବର୍ଟ୍ ଆଇନ୍‍ଷ୍ଟାଇନ୍‍ ଓ ନେଲ୍‍ ବୋର୍‍ ଆଦି ବୈଜ୍ଞାନିକ ଗଣ । ସେମାନେ କହନ୍ତି ଗଣିତ ଓ ପଦାର୍ଥ ବିଜ୍ଞାନକୁ ନେଇ ଏ ବିଶ୍ୱର ସବୁ ଘଟଣାବଳୀକୁ ଏକ ଏକ ଗାଣିତିକ ସୂତ୍ର ଦ୍ୱାରା ଆଲୋକପାତ କରାଯାଇ ପାରିବ । ଯାହା କିଛି ଘଟୁଛି ତାହା ସବୁକୁ ପ୍ରୋଗ୍ରାମ ମାଧ୍ୟମରେ ବୁଝାଇ ଦିଆଯାଇ ପାରିବ ଓ ଏହା ନିଶ୍ଚିତତାକୁ ବର୍ଣ୍ଣନା କରେ । ଆଇନ୍‍ଷ୍ଟାଇନ୍‌ଙ୍କ ମତରେ ଯେହେତୁ ବିଶ୍ୱର ପ୍ରତ୍ୟେକ ଘଟଣା ଏକ ଏକ ପ୍ରୋଗ୍ରାମ ସହ ସଂଯୁକ୍ତ, ତେଣୁ ଏକ ପର୍ଯ୍ୟବେକ୍ଷଣ ଯନ୍ତ୍ରର ସ୍ଥାପନ କରାଯାଇପାରେ, ଯାହାଦ୍ୱାରା ଭବିଷ୍ୟତ ଦୃଶ୍ୟମାନ ହୋଇପାରିବ । ଉଦାହରଣ ସ୍ୱରୂପ କୌଣସି ଏକ କଣିକା ବା ଏକ ସଜୀବର ଗତିକୁ ନିରୀକ୍ଷଣ କରି ତା’ର ଗତିପଥରୁ ଏକ ଗାଣିତିକ ସୂତ୍ର ପାଇ ପାରିବା । ଏହି ଗତି ରେଖାକୁ ବିଶ୍ଳେଷଣ କରି ଜୀବଟି କେଉଁ ସମୟରେ କେଉଁଠି ଥିବ ଜାଣିହେବ । ପୁନଃ ବସ୍ତୁର ଗତିଶୀଳତାରୁ ସୃଷ୍ଟି ହେବ ଡି ବ୍ରୋଗ୍ଲାଏ ତରଙ୍ଗ(de Broglie) ବା ବସ୍ତୁ ତରଙ୍ଗ । ଏହା ଅନନ୍ତ କାଳ ଯାଏ ପରିବ୍ୟାପ୍ତ ରହେ ଓ ଏହା ସହ ଅନୁରଣିତ(resonate) କରାଯାଇ ପାରିଲେ ଜଣେ ପ୍ରତ୍ୟେକ ଘଟଣାର ଅତୀତ ଓ ଭବିଷ୍ୟତକୁ ଦେଖିପାରିବ । ଏହି ଧାରଣା ପ୍ରଥମେ ଆଇନ୍‍ଷ୍ଟାଇନ୍‍ ଦେଇଥିଲେ ଓ ଏହି କାଳ୍ପନିକ ପର୍ଯ୍ୟବେକ୍ଷଣ ଯନ୍ତ୍ରକୁ ସମୟ ଯନ୍ତ୍ର(Time Machine) କୁହାଗଲା । ଏହି ଯନ୍ତ୍ରରେ ପ୍ରୋଗ୍ରାମ ଓ ଗାଣିତିକ ସମୀକରଣମାନ ଏପରି ଭାବରେ ଖଞ୍ଜି ଦିଆଯାଇଥିବ ଯାହା ଦ୍ୱାରା ହଜାର ହଜାର ବର୍ଷର ଅତୀତ ଓ ଭବିଷ୍ୟତ ଘଟଣାବଳୀକୁ ଦେଖିହେବ । ଏହା ଡି ବ୍ରୋଗ୍ଲାଏଙ୍କ ବସ୍ତୁ ତରଙ୍ଗ ସହ ଅନୁରଣିତ ଦ୍ୱାରା ନିଶ୍ଚିତତାର ଆଶା ସଞ୍ଚାର କରେ । ପୁଣି ଡି ବ୍ରୋଗ୍ଲାଏ କହିଲେ ଯେ ଏକ ଇଲେକ୍‍ଟ୍ରନ୍‍ ଏକ ନିର୍ଦ୍ଦିଷ୍ଟ କକ୍ଷରେ ନିର୍ଦ୍ଦିଷ୍ଟ ପରିବେଗ ଓ ଶକ୍ତି ସହ ଅନବରତ ଘୂରୁଅଛି । ଏହାର ସ୍ଥାନ ନିରୂପଣ କରାଯାଇ ପାରିବ ଓ ବର୍ଷ ବର୍ଷ ଆଗକୁ ମଧ୍ୟ ଏହାର ସ୍ଥାନ ସମ୍ପର୍କୀୟ ସୂଚନା ଦିଆଯାଇ ପାରିବ । ଏହାହିଁ ନିଶ୍ଚିତତାର ପରିଭାଷା କହିଲେ ଅତ୍ୟୁକ୍ତି ହେବନାହିଁ । ଆଜିର ପ୍ରଯୁକ୍ତି ବିଦ୍ୟା ଏକ ଏକ ଚିନ୍ତାଶକ୍ତିର ନିଶ୍ଚିତ ପ୍ରତିଫଳନ ଅଟେ । ତେଣୁ ନେଲ୍‍ ବୋର୍‍, ଆଇନ୍‍ଷ୍ଟାଇନ୍‍ …….. ଆଦି ନିଶ୍ଚିତବାଦୀ ମାନଙ୍କ କଥାର ସତ୍ୟତା ପରିସ୍ଫୁଟ ହେବା ସଙ୍ଗେ ସଙ୍ଗେ ଅନେକ ଅନେକ ସତ୍ୟର ଉନ୍ମୋଚନ ହେବାକୁ ଅଦ୍ୟାବଧି ବାକି ଅଛି ।

ଦ୍ୱିତୀୟ ଧାରାରେ ଚିନ୍ତନ ପ୍ରକ୍ରିୟା ଅନିଶ୍ଚିତତାକୁ ଗ୍ରହଣ କରେ । ଜର୍ମାନ ବିଜ୍ଞାନୀ ହାଇଜେନ୍‍ବର୍ଗ୍ ପ୍ରକାଶ କଲେ କଣିକାଟିର ବା ଏକ ସଜୀବର ଗତିକୁ ନିରୀକ୍ଷଣ କରି ପ୍ରାପ୍ତ ଗାଣିତିକ ସୂତ୍ର ଦ୍ୱାରା ବିଭିନ୍ନ ସମୟରେ ତା’ର ଅବସ୍ଥା ସମ୍ବନ୍ଧରେ ଭବିଷ୍ୟତ ବାଣୀ କିମ୍ବା ଅତୀତର ଅବସ୍ଥା ଉପରେ ସଠିକ୍‍ ବିବରଣୀ ଦେବା ଏକ ଅନିଶ୍ଚିତତାର ଦ୍ୱାର ଉନ୍ମୋଚନ କରେ । କାରଣ ଆଗକୁ କେଉଁ ଏକ ସମୟରେ କଣିକାଟିର ବିଲୟ ହୋଇଥିବ ଅଥବା ତିଷ୍ଠି ରହି ଥାଇପାରେ ଓ ସେହିପରି ଜୀବ କ୍ଷେତ୍ରରେ ମଧ୍ୟ । ତେଣୁ ଏମାନଙ୍କ ଅବସ୍ଥା ବୁଝାଇ ପାରୁଥିବା ଗାଣିତିକ ସୂତ୍ରରେ ମଧ୍ୟ ଅନିଶ୍ଚିତତା ରହିବ । ତେଣୁ ଆଗକୁ କାହାପାଇଁ କ’ଣ ଘଟିବ କିଛି କହିହେବ ନାହିଁ ଅର୍ଥାତ୍‍ କିଛି ବି ଘଟିପାରେ । ଏଥିପାଇଁ ହାଇଜେନ୍‍ବର୍ଗ କହନ୍ତି ମାନବର ଏକ ନିର୍ଦ୍ଦିଷ୍ଟ ସୀମା ଯାଏ ଚିନ୍ତା କରିବାର କ୍ଷମତା ରହିଛି ଓ ଏହା ବାଦ୍‍ ସେ କିଛି ଭାବି ପାରେ ନାହିଁ । ତେଣୁ ସେ ବାଧ୍ୟ ହୋଇ ଅନିଶ୍ଚିତତାର ବହ୍ମିରେ  ଜର୍ଜରିତ ହୁଏ ଓ ତତ୍‍ଜନିତ ଅଜଣା ପ୍ରଭାବ ଉପରେ ସବୁକିଛି ନ୍ୟସ୍ତ ହୋଇଯାଏ । ହାଇଜେନ୍‍ବର୍ଗଙ୍କ ଏହି ନିୟମର ଗାଣିତିକ ସୂତ୍ର ହେଲା –

Δx Δp ≥ h/4π ,  ‘h’ କୁ ପ୍ଲାଙ୍କ ସ୍ଥିରାଙ୍କ(Planck’s Constant) କୁହାଯାଏ । ଅର୍ଥାତ୍‍ h/4π ହେଉଛି ଅନିଶ୍ଚିତତା ଦ୍ୱୟର ଗୁଣଫଳ, ଯାହା ଏକ ନିର୍ଦ୍ଦିଷ୍ଟ ସୀମାରୁ ଆରମ୍ଭ ହୁଏ ଓ ତାହା କ୍ୱାଣ୍ଟମ୍‍ ବିଜ୍ଞାନ ବା ସୂକ୍ଷ୍ମ ଦୁନିଆଁରେ ଏକ କ୍ଷୁଦ୍ର ଗାଣିତିକ ପରିମାଣ h/4π କୁ ସୂଚାଏ । ସେହିପରି କଣିକାର ଶକ୍ତି ଓ ସମୟର ଅନିଶ୍ଚିତତାର ଗୁଣଫଳ ମଧ୍ୟ ଏକା ରୂପ, ΔE Δt ≥ h/4π ଅଟେ ।

ବର୍ତ୍ତମାନ ଏହି ସୂକ୍ଷ୍ମ ବିଜ୍ଞାନ ତତ୍ତ୍ୱାବଳୀ ଧାରାରେ କୁରୁକ୍ଷେତ୍ରରେ ଘଟିଥିବା ସ୍ଥୂଳ ଏବଂ ସୂକ୍ଷ୍ମ ଘଟଣା ଗୁଡିକୁ ପର୍ଯ୍ୟାଲୋଚନା କରିବାର ଇଛା ପ୍ରକଟ ହୁଏ । ଏଠାରେ ଅର୍ଜୁନର ମନ ଓ ଶରୀରରେ ଉପୁଜିଥିବା ପ୍ରତିକ୍ରିୟା ଗୁଡିକୁ ବିଚାରକୁ ନିଆଯାଉ । ସେ ଅନୁଭବ କଲେ ନିଶ୍ଚିତ ଯୁଦ୍ଧରେ ଅନେକଙ୍କ ମୃତ୍ୟୁ ଓ ଅନିଶ୍ଚିତ ଫଳାଫଳ, ଅର୍ଥାତ୍‍ ଏ ଯୁଦ୍ଧରେ ହୋଇପାରେ ପାଣ୍ଡବ ଅଥବା କୌରବଙ୍କ ବିଜୟ । କିନ୍ତୁ ତାକୁ ଅନେକଙ୍କ ପ୍ରାଣ ବିନାଶ କରିବାକୁ ପଡିବ କିମ୍ବା ନିଜ ପ୍ରାଣ ଯିବ  । ସେମାନଙ୍କ ମଧ୍ୟରେ ଥିଲେ ପିତାମହ, ସହୋଦର, ସେମାନଙ୍କ ପୁତ୍ରାଦି, ବନ୍ଧୁ, ଅନ୍ୟ ରାଜ୍ୟର ରାଜା ଓ ସୈନ୍ୟ । ବିଜ୍ଞାନ ତତ୍ତ୍ୱାନୁସାରେ ଉଭୟ ନିଶ୍ଚିତ ଓ ଅନିଶ୍ଚିତ ହିଁ ସତ୍ୟର ନିଦର୍ଶନ ଅଟେ । ଏହି ଦୁଇ ଭାବ ଭିନ୍ନଭିନ୍ନ ସମୟ ବ୍ୟବଧାନରେ ଅର୍ଜୁନକୁ କାବୁ କରୁଥିଲା । ଉଭୟର ତାଡନାରେ ସେ ଜର୍ଜରିତ ହୋଇ ଉଠିଥିଲା । ଧୀରେ ଧୀରେ ସେ ଅତିବ ମୋହଯୁକ୍ତ ହୋଇ ସେ ନିଶ୍ଚିତତାର ବହ୍ନିରେ ଦଗ୍‍ଦୀଭୂତ ହେବାକୁ ଲାଗିଲା । ଜାଗିଉଠିଲା ଗୋବିନ୍ଦଙ୍କ ସମ୍ମୁଖରେ ଆତ୍ମ ସମର୍ପଣ ଭାବ । ସେ ଯୁଦ୍ଧରେ ଜିତିବା ଅବା ହାରିବାକୁ ତୁଛା ମଣୁଥିଲା । ଜିତିଲେ ତା’ର ରକ୍ତ ସମ୍ପର୍କୀୟ କୌରବଙ୍କ ବିନାଶ ଘଟିବ । ଏ ଜିତିବାରେ କି ଆନନ୍ଦ ! ତେଣୁ ସେ ରାଜ୍ୟ ଲାଭକୁ ହେୟଜ୍ଞାନ କରୁଥିଲା । ହାରିଲେ ବି ତା’ପାଇଁ କିଛି ଫରକ ପଡୁନଥିଲା । କାରଣ ଉଭୟ କ୍ଷେତ୍ରରେ କେବଳ ନର ସଂହାରର ଦୃଶ୍ୟ ସେ ଦେଖିପାରୁଥିଲା । ସେଥିପାଇଁ ସେ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଥିଲା , କିନ୍ତୁ ଯୁଦ୍ଧ ନକରିବାକୁ ସ୍ଥିର ନିଶ୍ଚିତ କରିଥିଲା । ସେ ଅତୀତର ସବୁ ଘଟଣାବଳୀକୁ ପାଶୋରି କ’ଣ ପାଇଁ ସେ ଯୁଦ୍ଧ କ୍ଷେତ୍ରରେ ଉପବିଷ୍ଠ ତାହା ତା’କୁ ଜଣାପଡୁ ନଥିଲା । ନିଜ କର୍ମକୁ ସମ୍ପୂର୍ଣ୍ଣରୂପେ ଭୁଲି ଅତିବ ଦୟାଶୀଳ ହୋଇଉଠିଥିଲା । ତା’ର ସର୍ବାଙ୍ଗରେ ସ୍ପନ୍ଦନ ଜାତ ହୋଇଥିଲା । ଥର ଥର ହସ୍ତରେ ଗାଣ୍ଡିବ ଧାରଣର ସାମର୍ଥ୍ୟ ହରାଇ ଯୁଦ୍ଧ ନକରିବା ନିମନ୍ତେ ଭୂମି ଉପରେ ବସିପଡି ଶ୍ରୀକୃଷ୍ଣଙ୍କ ଶରଣଭିକ୍ଷା କରିଥିଲା । ପ୍ରାୟତଃ ଅର୍ଜୁନ ସ୍ଥୂଳ ଚେତନାଯୁକ୍ତ ହେଉଥିଲା ଓ ତାହା ଦର୍ଶାଉଥିଲା ମୋହଗ୍ରସ୍ତତା । ଅର୍ଥାତ୍‍ ସେହିଁ ଜାଣୁଥିଲା ତରଙ୍ଗର ତରଙ୍ଗ ପ୍ରକୃତି ଓ କଣିକାର କଣିକା ପ୍ରକୃତି । ସେ ସମୟରେ ସୂକ୍ଷ୍ମ ଚେତନା ବା ତରଙ୍ଗର କଣିକା ପ୍ରକୃତି ଓ କଣିକାର ତରଙ୍ଗ ପ୍ରକୃତି ଲୁକ୍‌କାୟିତ ହୋଇ ରହୁଥିଲା । ମହାଯୋଦ୍ଧା, ଦେବ ଅଂଶରୁ ଜାତ, ଶ୍ରୀକୃଷ୍ଣଙ୍କ ସଖା,ଅର୍ଜୁନ, ଫାଲ୍‍ଗୁନ, ପାର୍ଥ, ସବ୍ୟସାଚ୍ଚୀ, ଶ୍ୱେତବାହକ, ଗାଣ୍ଡିବଧର, ଜିଷ୍ଣୁ, କିରୀଟିନ୍‍, ଧନଞ୍ଜୟ, ବିଭତ୍ସୁ, ଗୁଡାକେଶ, କପିଧ୍ୱଜ, ଭାରତ, କୌନ୍ତେୟ …… ଆଦି ବିଭିନ୍ନ ଯଥାର୍ଥ ନାମ ବହନକାରୀଙ୍କୁ କ’ଣ ସୂକ୍ଷ୍ମ ତତ୍ତ୍ୱ ସବୁ ଅଜଣା ଥିଲା ? ତାହା ନୁହେଁ, କିଛି ସମୟ ପାଇଁ ସେ ମୋହ – ମାୟା ଦୁନିଆଁର ଅନ୍ଧାର ଗହ୍ୱରରେ ପତିତ ହୋଇଥିଲେ । କ୍ରମେ ଶ୍ରୀକୃଷ୍ଣଙ୍କ ମୁଖରୁ ସପ୍ତଦଶ ଅଧ୍ୟାୟ ଶୁଣିବା ଓ ତନ୍ମଧ୍ୟରେ ବିଶ୍ୱରୂପ ଦର୍ଶନ ପ୍ରାପ୍ତ ହେବା ପରେ ସେ ଅନ୍ଧକାର ଦୂରୀଭୂତ ହୋଇଥିଲା ।

ସାଧାରଣ ଚକ୍ଷୁରେ ଅର୍ଜୁନ ଦେଖୁଥିଲା ପ୍ରକୃତିରୁ ପ୍ରବାହିତ ଦୃଶ୍ୟମାନ ବର୍ଣ୍ଣାଳୀର ସପ୍ତରଙ୍ଗ ଓ ଅନୁଭବ କରୁଥିଲା ଅବଲୋହିତ ତରଙ୍ଗର ତାପପ୍ରବାହ । ଅନୁଭୂତ ହୋଇପାରୁ ନଥିଲା ପ୍ଲାଙ୍କ୍‍ଙ୍କ କ୍ୱାଣ୍ଟମ୍‍ ତତ୍ତ୍ୱ, ଅର୍ଥାତ୍‍ ତରଙ୍ଗର କଣିକା ପ୍ରକୃତି । ତାଙ୍କ ଚକ୍ଷୁ ଆଇନ୍‍ଷ୍ଟାଇନ୍‍ଙ୍କ ପ୍ରସ୍ତାବିତ ନିଶ୍ଚିତତାର ପରିମାପକ ସମୟ ଯନ୍ତ୍ରର ସ୍ଥାନ ଗ୍ରହଣ କରିପାରି ନଥିଲା, ଯାହାଦ୍ୱାରା ସେ ଅତୀତ ଓ ଭବିଷ୍ୟତ ଦେଖିପାରି ଥାଆନ୍ତା । ସେ ସ୍ଥୂଳରୂପେ ଦେଖୁଥିଲା ବସ୍ତୁବାଦ ଦୁନିଆଁର ସମାବେଶ, କିନ୍ତୁ ଅବଗତ ହୋଇପାରି ନଥିଲା ସୂକ୍ଷ୍ମରୂପେ ଡି ବ୍ରୋଗ୍ଲାଏଙ୍କ ସବୁହିଁ କଣିକା ସମାହାରର ବସ୍ତୁ ତରଙ୍ଗ ।

ହାଇଜେନ୍‍ବର୍ଗଙ୍କ ନିୟମାନୁସାରେ ମାନବର ଏକ ନିର୍ଦ୍ଦିଷ୍ଟ ସୀମା ଯାଏ ଚିନ୍ତା କରିବାର କ୍ଷମତା ରହିଛି ଓ ଏହା ବାଦ୍‍ ସେ କିଛି ଭାବି ପାରେ ନାହିଁ । ଏହାହିଁ ଘଟିଥିଲା ଅର୍ଜୁନ କ୍ଷେତ୍ରରେ । ସେ ଉଭୟ, କ’ଣ କରିବ ଓ ନକରିବ ଦ୍ୱନ୍ଦ୍ୱରେ ପଡି ବାତୁଳ ପ୍ରାୟ ହୋଇଥିଲା । ଯୁଦ୍ଧ କରିବାର ନିଶ୍ଚିତତାରେ ସେ ଯୁଦ୍ଧ କ୍ଷେତ୍ରରେ ବିଦ୍ୟମାନ, କିନ୍ତୁ ତାହାଠାରେ ପ୍ରକାଶିତ ହୋଇଛି ଯୁଦ୍ଧ କରିବାର ଅନିଶ୍ଚିତତା ବା ଯୁଦ୍ଧ ନକରିବାର ନିଶ୍ଚିତତା । ତେଣୁ ଯୁଦ୍ଧ କରିବାର ନିଶ୍ଚିତତା ସ୍ଥୂଳତାକୁ ବୁଝାଏ ଓ ଯୁଦ୍ଧ କରିବାର ଅନିଶ୍ଚିତତା ସୂକ୍ଷ୍ମତାକୁ ବୁଝାଏ । ଦ୍ୱିତୀୟ ସମ୍ଭାବନା ଜାତ ହୋଇଛି ମାନବୀୟ ଚିନ୍ତାର ସୀମାବଦ୍ଧତାରୁ । ଏହା ଯଥାକ୍ରମେ ସ୍ଥାନ ଓ ସଂବେଗ ସହ ତୁଳନୀୟ ଏବଂ ଉଭୟର ଅନିଶ୍ଚିତତାର ଗୁଣଫଳ ଏକ ଗାଣିତିକ ପରିମାଣ Δx Δp ≥ h/4π, ଏକ  କ୍ରିୟାର(Action)କ୍ୱାଣ୍ଟମ୍‍ ମାତ୍ରାକୁ ବୁଝାଏ । ଯେହେତୁ ଅର୍ଜୁନ ଓ ସମଗ୍ର ପରିବେଶ ସ୍ଥୂଳରୂପୀ ତେଣୁ, କ୍ରିୟାର କ୍ୱାଣ୍ଟମ୍‍ ମାତ୍ରା କୋଟି କୋଟି ଗୁଣ ବୃଦ୍ଧି ପାଇ ଥାଇପାରେ । ଏହାର ପ୍ରଭାବରେ ଅର୍ଜୁନର ଶରୀର ପ୍ରକମ୍ପିତ ହୋଇ ସ୍ଥୂଳରୂପେ ବିଷାଦଗ୍ରସ୍ତତାରେ ଲୀନ ହୋଇ ଥାଇପାରେ ।

ତେବେ ମୋହଗ୍ରସ୍ତତାର ମାତ୍ରା ବୃଦ୍ଧି ଘଟି ଏକ ସୀମାରେ ପହଞ୍ଚିଲେ,  ମାନବ ସେହି କ୍ଷଣରୁ ଆଉ କିଛି ଭାବିପାରେନି । ଏହାର ପ୍ରଭାବରେ ଅର୍ଜୁନ ଯୁଦ୍ଧରୁ ବିମୁଖ ହୋଇଥିଲା । ଫଳତଃ ଅଧର୍ମୀଙ୍କ ସଂଖ୍ୟା ବହୁଳ ଭାବେ ବୃଦ୍ଧି ଘଟି ଧର୍ମାତ୍ମା ମାନଙ୍କୁ ନିଃଶେଷ କରିଥାନ୍ତା । ଦୃଷ୍ଟିଗୋଚର ହୋଇଥାନ୍ତା ଏକ ନକରାତ୍ମକ ଦୁନିଆଁ । ଯେହେତୁ ତାହା ସୃଷ୍ଟିର ଇଛା ବିରୁଦ୍ଧରେ ଥିଲା ତାହା ହୋଇପାରିଲାନି । କିନ୍ତୁ ଅଧୁନା ସମାଜର ସବୁ କ୍ଷେତ୍ରରେ ଭରି ହୋଇଗଲେଣି ଅତିବ ମୋହଯୁକ୍ତ ଚରିତ୍ରଗଣ, ଯେଉଁମାନେ ନିଜ ସ୍ୱାର୍ଥ ସାଧନରେ ଅନ୍ଧ ଓ ପାଗଳ ପ୍ରାୟ । ତେଣୁ ମୋହଗ୍ରସ୍ତତାର ଅସଂଖ୍ୟ ରୂପରେଖ ସମାଜରେ ପ୍ରତିଫଳିତ ହେବାରେ ଲାଗିଛି । ବିଭତ୍ସ ହେଲାଣି ମାନବୀୟ ଚିନ୍ତାଧାରା । ଆଧ୍ୟାତ୍ମିକ ତତ୍ତ୍ୱ ବା ବିଜ୍ଞାନ ତତ୍ତ୍ୱ ଏଥିପାଇଁ ଦାୟୀ ନୁହେଁ । ଦାୟୀ ଅଟେ ମାନବର ନିଷ୍ଠୁର, ସ୍ୱାର୍ଥନ୍ୱେଷୀ ଓ ଉଭୟ ଆଧ୍ୟାତ୍ମିକତା ଓ ବିଜ୍ଞାନର ଅପପ୍ରୟୋଗ କରିବାର ବିକୃତ ମାନସିକତା । ତେବେ ଏଥିରୁ ନିବୃତ୍ତ ରହି ସୁସ୍ଥ ଚିନ୍ତନଶୀଳ ହେବାହିଁ ମାନବୀୟ ମହାନତା ଅଟେ ।

                                                                                                                           ଅପର୍ତ୍ତିବିନ୍ଧା , ଭଦ୍ରକ 

……………………………………………………………………………………………………………………………………………………………..