ଜଗନ୍ନାଥ ଚେତନାରେ ବର୍ଣ୍ଣପ୍ରବାହ ଧାରା
ସକଳ ତୀର୍ଥସ୍ଥାନ ମଧ୍ୟରେ ଶ୍ରୀପୁରୁଷୋତ୍ତମଧାମ ଏକ ବିଶିଷ୍ଟ କ୍ଷେତ୍ର ଅଟେ । ଦାରୁବ୍ରହ୍ମ ରୂପେ ଅଚଳ ଓ ଅଟଳ ରହି ଶ୍ରୀଜଗନ୍ନାଥ ବଡଦେଉଳରେ ବିଦ୍ୟମାନ ହୋଇଛନ୍ତି ଭ୍ରାତା ବଳଭଦ୍ର ଓ ଭଗ୍ନି ସୁଭଦ୍ରାଙ୍କ ସହିତ । ଭକ୍ତର ଅନାବିଳ ଭକ୍ତିରସରେ ଅହରହ ପ୍ଳାବିତ ହେଉଛନ୍ତି ହସ୍ତ – ପାଦ ଶୂନ୍ୟ ତିନି ଠାକୁର । ସେଠାରୁ ନିର୍ଗତ ହେଉଛି ମାନବ ଧର୍ମର ଅବିଛିନ୍ନ ଜ୍ୟୋତିଗୁଛ । ସର୍ବଧର୍ମ ସମନ୍ୱୟର ମୂକସାକ୍ଷୀ ରୂପେ ବଡଠାକୁର ତା’ଙ୍କ ଚକା ନୟନରେ ଚାହିଁ ଦେଖୁଛନ୍ତି ସମଗ୍ର ମାନବ ଜାତିକୁ । ତିନିଠାକୁରଙ୍କ ରୂପରେଖରୁ ପରିସ୍ଫୁଟ ହେଉଛି ବିବିଧ ବର୍ଣ୍ଣର ଜ୍ୟୋତିଧାରା ଓ ଏହାର ଭାବାତ୍ମକ ବିଶ୍ଳେଷଣରୁ ସୃଷ୍ଟି କରାଏ ସୂକ୍ଷ୍ମ ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ ଚେତନା ।ଏହା ଜଗନ୍ନାଥ ସଂସ୍କୃତି ବା ମାନବ ସଂସ୍କୃତିର ଅନ୍ୟ ଏକ ସାର୍ବଜନୀନ ଦିଗଭାବେ ପ୍ରତ୍ୟେକ ହୃଦୟର ଗଭୀରତମ ପ୍ରଦେଶକୁ ନିଶ୍ଚିତରୂପେ ସ୍ପର୍ଶ କରିପାରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
କୃଷ୍ଣବର୍ଣ୍ଣ ଅଟେ ପ୍ରଭୁ ଜଗନ୍ନାଥଙ୍କର ରୂପ ଓ ଏହା କୃଷ୍ଣବସ୍ତୁ(Black Body)ର ଗୁଣ – ଧର୍ମ ସହ ସମାନୁପାତିକ ଅଟେ । କୃଷ୍ଣବସ୍ତୁ ଜଗତର ସମସ୍ତ ପ୍ରକାର ବିକିରଣକୁ ଅବଶୋଷଣ କରିପାରେ । ଅବଲୋହିତ ବିକିରଣଠାରୁ ଆରମ୍ଭ କରି ଦୃଶ୍ୟମାନ, ଅତିବାଇଗଣି ଆଦି ବିକିରଣକୁ ଏହା ଅବଶୋଷଣ କରିଥାଏ ।ସେହିପରି କୃଷ୍ଣବସ୍ତୁଟିକୁ ଉତ୍ତପ୍ତ କଲେ ଏହା ସମସ୍ତ ବିକିରଣମାନ ପ୍ରଦାନ କରିଥାଏ । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପଦାର୍ଥ ବିଜ୍ଞାନୀଗଣ କୃଷ୍ଣବସ୍ତୁର ବର୍ଣ୍ଣାଳୀକୁ ଗାଣିତିକ ସୂତ୍ରରେ ବୁଝାଇବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରୁ ୱିନ୍ (Wien), ରାଲି ଓ ଜିନ୍ (Rayleigh and Jean) ଉକ୍ତ ବର୍ଣ୍ଣାଳୀକୁ କେତେକାଂଶରେ ବୁଝାଇବାକୁ ସଫଳ ହେଲେ, କିନ୍ତୁ ସମ୍ପୂର୍ଣ୍ଣରୂପେ ବୁଝାଇବାରେ ଅସମର୍ଥ ହେଲେ । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ବୈଜ୍ଞାନିକ ମହଲରେ ଚହଳ ପକାଇଥିଲା ମାକ୍ସ୍ ପ୍ଲାଙ୍କ୍ (Max Planck)ଙ୍କ କ୍ୱାଣ୍ଟମ୍ ତତ୍ତ୍ୱ । ସେ ସୂଚାଇଥିଲେଯେ, ବିକିରଣର ଦ୍ୱୈତପ୍ରକୃତି (Dual Nature) ଅଛି, ଯଥା – ମୂଳ ତରଙ୍ଗ ପ୍ରକୃତି ଓ କଣିକା ପ୍ରକୃତି । ଏହି କ୍ୱାଣ୍ଟମ୍ ତତ୍ତ୍ୱ କୃଷ୍ଣବସ୍ତୁର ବର୍ଣ୍ଣାଳୀକୁ ସମ୍ପୂର୍ଣ୍ଣଭାବେ ବୁଝାଇ ପାରିଲା ଓ ଏଥିରୁ ମଧ୍ୟ ୱିନ୍ ଓ ରାଲି ଏବଂ ଜିନ୍ଙ୍କର ଗାଣିତିକ ସୂତ୍ରଗୁଡିକ ମିଳିପାରିଲା । ଏହିଠାରୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ବହୁ ସୂକ୍ଷ୍ମ ସମସ୍ୟାଗୁଡିକର ସମାଧାନ ହୋଇପାରିଲା । ଆଲ୍ବର୍ଟ ଆଇନ୍ଷ୍ଟାଇନ୍ ଓ ଏ. ଏଚ୍. କମ୍ପଟନ୍ ଆଦି ବୈଜ୍ଞାନିକଗଣ ବିକିରଣର କଣିକା ପ୍ରକୃତିକୁ ବିଜ୍ଞାନଗାରରେ ପ୍ରମାଣସିଦ୍ଧ କରାଇ ପାରିଥିଲେ । ସେମାନେ ଯଥାକ୍ରମେ ଫଟୋଇଲେକ୍ଟ୍ରିକ୍ ପ୍ରଭାବ (Photoelectric Effect) ଓ କମ୍ପଟନ୍ ପ୍ରଭାବ (Compton Effect) କୁ ପ୍ରାଞ୍ଜଳଭାବେ ବ୍ୟାଖ୍ୟା କରି ବିଶ୍ୱରେ ନୂତନ ଯୁଗର ଅୟମାରମ୍ଭ କରିଥିଲେ ନିଉଟନ୍ଙ୍କ ଯୁଗ ପରେ ଆରମ୍ଭ ହୋଇଥିବା ଏହି କ୍ୱାଣ୍ଟମ୍ଯୁଗ ଅଦ୍ୟାବଧି ସ୍ଥିର – ନଶ୍ଚିତ ହୋଇ ରହିଅଛି । ଏହି ପ୍ରସଙ୍ଗରେ ସ୍ୱୟଂ ଜଗନ୍ନାଥଙ୍କ କୃଷ୍ଣବର୍ଣ୍ଣ ରୂପରେଖ ଏବଂ ତହିଁରୁ କୃଷ୍ଣବର୍ଣ୍ଣ ବିକିରଣର ଦ୍ୱୈତପ୍ରକୃତିକୁ ଭକ୍ତର ହୃଦୟରେ ଜାଗିଉଠୁଥିବା ଚେତନା ସହ ତୁଳନା କରାଯାଇପାରେ । ବିକିରଣର ତରଙ୍ଗ ଓ କଣିକା ପ୍ରକୃତିକୁ ଯଥାକ୍ରମେ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଚେତନାର ପ୍ରତୀକରୂପେ ଗ୍ରହଣ କରାଯାଇପାରେ । ବୈଜ୍ଞାନିକ ଚେତନାରେ ଭରି ରହିଛି ଅନନ୍ତ ଜ୍ଞାନର ଭଣ୍ଡାର, ଯାହା ଜଗନ୍ନାଥଙ୍କ ରୂପରେଖକୁ ବୁଝାଏ । ସତେକି ମହାପ୍ରଭୁଙ୍କର ବର୍ଣ୍ଣାବତାର ରୂପେ ପଦାର୍ଥ ବିଜ୍ଞାନୀମାନେ ଜନ୍ମ ନେଇ ନୂଆ ନୂଆ ତତ୍ତ୍ୱାବଳୀ ଉପସ୍ଥାପନ କରିଚାଲିଛନ୍ତି । ଆଗକୁ ନିଶ୍ଚିତଭାବେ ଲୁକ୍କାୟିତ ହୋଇ ରହିଥିବା ଅସଂଖ୍ୟ ତତ୍ତ୍ୱଗୁଡିକ ପ୍ରସ୍ଫୁଟିତ ହେବ ବର୍ଣ୍ଣାବତାରମାନଙ୍କ ଆବିର୍ଭାବ ଦ୍ୱାରା ।
ସେହିପରି ଆଧ୍ୟାତ୍ମିକ ଚେତନା ତରଙ୍ଗମୟ ଅଟେ ଯାହାକୁ ଭକ୍ତି ରସର ସାଗର ରୂପେ କଳ୍ପନା କରାଯାଇପାରେ । ଭକ୍ତର ଡାକହିଁ ସାଗରର ଉତ୍ତାଳ ତରଙ୍ଗ ସଦୃଶ ଓ ଏହାର ଉତ୍ତରରେ ସେ ପାଏ ଅନାବିଳ ସ୍ୱର୍ଗୀୟ ଅନୁକମ୍ପା ଯାହାକି ସ୍ଥାନ ଓ କାଳ (Space and Time) ଉପରେ ନିର୍ଭରଶୀଳ ନୁହେଁ ବୋଲି ଅନୁମେୟ ହୁଏ । ସେହି ସର୍ବ ବିଦ୍ୟମାନ ମହାଜାଗତିକ ସତ୍ତାର ଅନୁଭବ ନିମିତ୍ତ ଶ୍ରୀମଦ୍ଭାଗବତ ମହାପୁରାଣରେ କୁହାଯାଇଛି –
ଗଗନ ସମୀରଣ ଜ୍ୟୋତି …. ଯେ ଅବା ସଲିଳ ଧରିତ୍ରୀ ।
ନଦୀ ସାଗର ତରୁଗଣ …. ପର୍ବତ ସ୍ଥାବର ଜଙ୍ଗମ ।
ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର …. ଏ ସର୍ବ କୃଷ୍ଣଙ୍କ ଶରୀର ।
ଦ୍ୱାପର ଯୁଗର କୃଷ୍ଣାବତାର ଠାରୁ ଆରମ୍ଭ କରି ଅଦ୍ୟାବଧି ହୋଇଥିବା ସାମାଜିକ ଓ ଭୌଗୋଳିକ ପରିବର୍ତ୍ତନର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ଥାଇ ଓ କିମ୍ବଦନ୍ତୀ ଗୁଡିକର ବକ୍ଷରେ ଦଣ୍ଡାୟମାନ ହୋଇ ସୁଦୃଢ ଏବଂ ବଳିଷ୍ଠ ହୋଇ ଉଠିଛି ଆଜିର ଜଗନ୍ନାଥ ସଂସ୍କୃତି । କୃଷ୍ଣବସ୍ତୁଟିରେ ଯେପରି ଆଲୋକର ସମଗ୍ର ବର୍ଣ୍ଣାଳୀ ଜଗତ ଅବଶୋଷଣ ହୋଇପାରୁଛି, ସେହିପରି ଅସୁମାରୀ ଭକ୍ତଙ୍କର ଭକ୍ତି ଚେତନା ତରଙ୍ଗ ଭାବେ ଭିନ୍ନ ଭିନ୍ନ ଆବୃତ୍ତି(Frequency)ର କମ୍ପନରେ ପ୍ରବାହିତ ହୋଇ ପ୍ରଭୁଙ୍କ ରୂପରେ ଅବିଳମ୍ବେ ଲୀନ ହୁଏ । ଯେଉଁଭାବେ ତାଙ୍କୁ ଆରାଧନା କଲେ ଅର୍ଥାତ୍ ଶ୍ରଦ୍ଧାରେ, କ୍ରୋଧରେ କିମ୍ବା ଭୟରେ ହେଉ ତାହା ଗ୍ରହଣଯୋଗ୍ୟ ହୋଇଥାଏ । ପୁଣି କୃଷ୍ଣବସ୍ତୁଟି ଉତ୍ତପ୍ତ ହେଲେ ଯେପରି ଆଲୋକର ସବୁ ବର୍ଣ୍ଣାଳୀକୁ ବିକିରିତ କରେ, ସେହିପରି ସ୍ୱୟଂ ଜଗନ୍ନାଥ ଭକ୍ତ ଡାକର କମ୍ପନରେ ପ୍ରକମ୍ପିତ ହୋଇ ଉଠନ୍ତି ତତ୍ସଙ୍ଗେ ସଙ୍ଗେ ତାଙ୍କଠାରୁ ପ୍ରବାହିତ ହୁଏ ଆଶୀର୍ବାଦର ଅବିଶ୍ରାନ୍ତ ସ୍ରୋତ । ଯେଉଁ ବ୍ୟକ୍ତିର ଭକ୍ତି ଚେତନା ଯେଉଁ ସ୍ତରରେ ଥାଏ, ସେହି ବ୍ୟକ୍ତି ସେହି ସମାନ ସ୍ତରର ଆଶୀର୍ବାଦ ସ୍ରୋତରେ ପ୍ଳାବିତ ହୁଏ । ସମଗ୍ର ବିଶ୍ୱର ମାନବ ସମାଜ ପାଇଁ ଏତାଦୃଶ ଧାରାର ନିଛକ ପ୍ରତିବିମ୍ବ ହେଉଛନ୍ତି ସେହି କଳାଠାକୁର । ତେଣୁ ଯଥାର୍ଥରେ କୁହାଯାଇଛି – “ଭକ୍ତିରେ ଯେ ଡାକେ ମୋତେ …….. ସଦାଦିନ ସଦା ମୁଁ ତାହାର” ।
ସେହି ଦାରୁବ୍ରହ୍ମ ହିଁ ପ୍ରକୃତିପୁରୁଷର ରୂପରେଖ । ପ୍ରକୃତି ସହ ବିରୋଧାଭାସ ସୃଷ୍ଟି କରୁଥିବା ଓ ଅସତ୍ କର୍ମରେ ଲିପ୍ତଥିବା ମାନବ ପାଇଁ ସେ ଭୟଙ୍କର କ୍ରୁଦ୍ଧ ହୋଇ ଉଠନ୍ତି, ଯେପରି ଆଲୋକ ବର୍ଣ୍ଣାଳୀର ଗାମାରଶ୍ମି ହେଉ ଅଥବା ପ୍ରାକୃତିକ ତେଜସ୍କ୍ରିୟତାରୁ ହେଉ ଯାହା ଜୀବଜଗତ ପାଇଁ ଭୟଙ୍କର ଧ୍ୱଂସକାରକ ଅଟେ । ଯଦିଓ କୃତ୍ରିମ ତେଜସ୍କ୍ରିୟତାର ସୁବିନିଯୋଗ ଦ୍ୱାରା ଜଗତର କିଛି କଲ୍ୟାଣ ସାଧନ ହୋଇପାରୁଛି ଓ ଯାହାର ତୁଳନାତ୍ମକଦିଗ ଦାରୁବ୍ରହ୍ମ ସହ ସାମଞ୍ଜସ୍ୟ ଥିବାର ପ୍ରତୀୟମାନ ହୁଏ, ଏହି କ୍ରମରେ ମାନବ ନିଜକୁ ସଂଯତ ରଖି ଧିରେ ଧିରେ ଅସତ୍ ପଥରୁ ଅପସରିଗଲେ ତାହା ସମାଜ ପାଇଁ ମଙ୍ଗଳମୟ ହୁଏ ଓ ସେ ଈଶ୍ୱରଙ୍କ କରୁଣା ଲାଭ କରିବାର ସୌଭାଗ୍ୟ ଅର୍ଜନ କରେ । କୃଷ୍ଣବସ୍ତୁର ବିକିରଣରେ ଥିବା ଆଲୋକର ଅବଲୋହିତ ବର୍ଣ୍ଣାଳୀ ହିଁ ଜୀବନର ଉତ୍ସ ଓ ଉତ୍ତାପ ପ୍ରଦାୟକ ଏବଂ ଦୃଶ୍ୟମାନ ବର୍ଣ୍ଣାଳୀ ଜୀବଜଗତର ପୁଷ୍ଟିକାରକ ଅଟେ । ଅତିବାଇଗଣି ବର୍ଣ୍ଣାଳୀ, ରଞ୍ଜନରଶ୍ମି ଓ ଗାମାରଶ୍ମି ଆଦି କ୍ଷତିକାରକ ଓ ଉପଯୁକ୍ତ ବିନିଯୋଗରେ ପ୍ରାଣୀ ମଙ୍ଗଳ ଦାୟକ ଅଟେ । ଏହାହିଁ ଜଗନ୍ନାଥଙ୍କ ରୂପର ସମାନ୍ତରାଳ ସଂଜ୍ଞା ଅଟେ । ତେଣୁ ଜଗା ଏକାଧାରାରେ କୃଷ୍ଣବସ୍ତୁର ବର୍ଣ୍ଣାଳୀ ସଦୃଶ ମଙ୍ଗଳକାରକ ଓ ଧ୍ୱଂସକାରକ ଅଟନ୍ତି ।
ଦାରୁବ୍ରହ୍ମର ଦ୍ୱିତୀୟ ରୂପ ପ୍ରଭୁ ବଳଭଦ୍ରଙ୍କ ବର୍ଣ୍ଣ ଧବଳ ଅଟେ, ଯାହା ବିଶ୍ୱକୁ ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ପ୍ରେରଣ କରୁଅଛି । ଏହି ବର୍ଣ୍ଣ ଆଲୋକର ଦୃଶ୍ୟମାନ ବର୍ଣ୍ଣାଳୀର ସପ୍ତରଙ୍ଗର ସମାହାର ଅଟେ, ଯଥା – “ବାଘନୀସ ହନାଲା” । ଶୁଭ୍ରାଲୋକକୁ ଏକ କାଚ ପ୍ରିଜମ୍ ମଧ୍ୟ ଦେଇ ପ୍ରବାହିତ କରାଇଲେ, ସାତଟି ରଙ୍ଗ ଦୃଷ୍ଟିଗୋଚର ହୁଏ ଓ ପୁନଃ ଏହି ସାତଟିକୁ ମିଶାଇଲେ ଶୁଭ୍ରାଲୋକ ସୃଷ୍ଟି ହୁଏ । ପୁଣି ଶୁଭ୍ରାଲୋକକୁ ତିନୋଟି ପ୍ରାଥମିକ ବର୍ଣ୍ଣରୂପେ ବିଭକ୍ତିକରଣ କରାଯାଇଛି, ଯଥା –
ଉଜ୍ଜ୍ୱଳ ଲାଲ୍ = ଲାଲ୍ + ନାରଙ୍ଗୀ
ଉଜ୍ଜ୍ୱଳ ସବୁଜ = ହଳଦିଆ + ସବୁଜ
ଉଜ୍ଜ୍ୱଳ ନୀଳ = ନୀଳ + ଘନନୀଳ + ବାଇଗଣି
ଭିନ୍ନ ଭିନ୍ନ ବର୍ଣ୍ଣଶୋଷକ(Colour Filter) ମାଧ୍ୟମରେ ଶ୍ୱେତାଲୋକକୁ ଦୃଷ୍ଟି ନିକ୍ଷେପ କଲେ ଏହା ଭିନ୍ନ ଭିନ୍ନ ବର୍ଣ୍ଣରୂପେ ଦୃଷ୍ଟିଗୋଚର ହୁଏ । ଲାଲ୍,ସବୁଜ, ନୀଳ …. ଆଦି ବର୍ଣ୍ଣଶୋଷକରେ ଶୁଭ୍ରାଲୋକ ଯଥାକ୍ରମେ ଉଜ୍ଜ୍ୱଳ ଲାଲ୍ , ସବୁଜ ଓ ନୀଳବର୍ଣ୍ଣ ଦେଖାଯାଏ । ଏହି ଦୃଶ୍ୟମାନ ବର୍ଣ୍ଣାଳୀର ବିଭକ୍ତିକରଣ, ସମ୍ମିଶ୍ରଣ ଓ ଶୋଷଣ ଆଦି ପଦ୍ଧତି ସାହାର୍ଯ୍ୟରେ ବୈଜ୍ଞାନିକ ଗବେଷଣା ଓ ରୋଗ ଚିକିତ୍ସା ଆଦି କରାଯାଇପାରୁଛି । ଏହି ସପ୍ତବର୍ଣ୍ଣ ଜୀବଜଗତ ପାଇଁ ସମସ୍ତ ଉପାଦାନ ଯୋଗାଇବାର ମୂଳ ଉତ୍ସ ଅଟେ । ମାନବ ଶରୀରର ବିଭିନ୍ନ ଅଂଶ ଏହି ସପ୍ତବର୍ଣ୍ଣ ପ୍ରତି ସମ୍ବେଦନଶୀଳ ଅଟେ । ଚର୍ମ, ଅସ୍ଥି, ମଜ୍ଜା, ସ୍ନାୟୁ, ରକ୍ତ, ମାଂସ, ହୃତ୍ପିଣ୍ଡ, ଯକୃତ୍, ବୃକକ୍ ……… ଆଦି ପ୍ରତ୍ୟେକର ନିଜସ୍ୱ ରଙ୍ଗ ଅଛି । ଏପରିକି ଆମ ଶରୀରର ସୂକ୍ଷ୍ମାତିସୂକ୍ଷ୍ମ ଜୀବକୋଷ, ଆମର ବାର୍ତ୍ତାଳାପ, ବିଚାର , ଭାବନାରାଜି …… ଆଦି ମଧ୍ୟ ରଙ୍ଗୀନ୍ ଅଟେ ତେବେ ଆମର ସମ୍ପୂର୍ଣ୍ଣ ଶରୀର ଏକ ରଙ୍ଗୀନ୍ ପିଣ୍ଡ ଅଟେ ଓ ଆମର ସୂକ୍ଷ୍ମ ଶରୀର(Soul) ମଧ୍ୟ ବର୍ଣ୍ଣଯୁକ୍ତ ଅଟେ । ବ୍ରହ୍ମାଣ୍ଡର ପ୍ରତ୍ୟେ ପଦାର୍ଥର ଏକ ବିଶେଷ ରଙ୍ଗ ଅଛି । ଚିକିତ୍ସା ପଦ୍ଧତିର ଯେତେପ୍ରକାର ଔଷଧ ବ୍ୟବହୃତ ହେଉଛି, ସେସବୁର ମୂଳାଧାର ସୂର୍ଯ୍ୟଙ୍କର ସପ୍ତରଙ୍ଗର ମୌଳିକ ତତ୍ତ୍ୱ ଅଟେ । ଏହି ସପ୍ତବର୍ଣ୍ଣ ବିନା ଏ ଜୀବଜଗତ ତିଷ୍ଠିରହିବା ଅସମ୍ଭବ । ଏହାର ତୁଳନାତ୍ମକ ଆଧ୍ୟାତ୍ମକ ଚିତ୍ରପଟ୍ଟ ବଳଭଦ୍ରଙ୍କ ରୂପରେ ପରିପ୍ରକାଶ ହୋଇଉଠେ । ତାଙ୍କର ସ୍ୱରୂପ ସମଗ୍ର ଜୀବଜଗତତ୍କୁ ବୁଝାଏ ଓ ଏପରିକି ଜଡ଼ପଦାର୍ଥଗୁଡିକରେ ଏତାଦୃଶ ବର୍ଣ୍ଣାଢ୍ୟର ମଧ୍ୟ ବୋଧଗମ୍ୟ ହୁଏ । ସେ ପାଳନକର୍ତ୍ତା ଭାବେ ଏହି ଦିବ୍ୟସୃଷ୍ଟିକୁ ଅପଲକ ନୟନରେ ଦୃଷ୍ଟି ନିକ୍ଷେପ କରିଛନ୍ତି । ବଳଭଦ୍ରଙ୍କର ଧବଳ ବର୍ଣ୍ଣ ଦର୍ଶନଲାଭ କରି ଭକ୍ତର ମନରେ ପବିତ୍ରତା ଜାଗ୍ରତ ହୁଏ । ଭକ୍ତର ପରିକଳ୍ପନାରେ ଜାଗିଉଠେ ସପ୍ତବର୍ଣ୍ଣର ବର୍ଣ୍ଣାଢ୍ୟ ପରିବେଶ । ଏଠାରେ ନିଜସ୍ୱ ମନର ସ୍ଥିତିହିଁ ବର୍ଣ୍ଣଶୋଷକ ଭୂମିକା ଗ୍ରହଣ କରିବାର କାରଣ ହୁଏ । ତେଣୁ ରୋଗୀ, ଭୋଗୀ ଓ ଯୋଗୀମାନେ ନିଜନିଜର ମାନସିକ ଚେତନା ଅନୁଯାୟୀ ବର୍ଣ୍ଣସ୍ରୋତରେ ପ୍ଳାବିତ ହୁଅନ୍ତି ଅର୍ଥାତ୍ ପ୍ରଭୁ ବଳଭଦ୍ରଙ୍କ ଠାରୁ ଅନୁକମ୍ପା ଲାଭ କରନ୍ତି । ତାଙ୍କ ଧବଳବର୍ଣ୍ଣ ଏ ଜଗତକୁ ଆଶୀର୍ବାଦର ସୁଧାବାରୀ ସିଞ୍ଚନ କରୁଅଛି ଓ ତାଙ୍କୁ ଏ ଜୀବଜଗତର ପୁଷ୍ଟିକାରକ ଏବଂ ସର୍ବବ୍ୟାଧି ନିରାକରଣର ପ୍ରତୀକରୂପେ ଗ୍ରହଣ କରାଯାଇପାରେ ।
ଦାରୁବ୍ରହ୍ମର ତୃତୀୟ ରୂପ ମାତା ସୁଭଦ୍ରାଙ୍କ ବର୍ଣ୍ଣ ହରିଦ୍ରା ଅଟେ ଓ ସେ ଦୁଇଭ୍ରାତଙ୍କ ମଧ୍ୟରେ ବିଦ୍ୟମାନ । ତାଙ୍କ ରୂପରୁ ବିକିରିତ ହେଉଥିବା ପୀତବର୍ଣ୍ଣର ଆଲୋକରଶ୍ମି ମଧ୍ୟ ଦ୍ୱୈତଭାବ , ଯଥା – ମିଳିତ ଭାବ ଓ ରୋଗ ନିରାକରଣର ପ୍ରତୀକ ଅଟେ । ଶରୀରର ବୃହତ୍ତମ ଗ୍ରନ୍ଥି ଯକୃତ୍ର ବର୍ଣ୍ଣ ସମ୍ବେଦନଶୀଳତା ହଳଦିଆ ଅଟେ । ଫଳିତ ଜ୍ୟୋତିଷ(Astrology)ଅନୁଯାୟୀ ସୌରଜଗତର ବୃହତ୍ତମ ଗ୍ରହ ବୃହଷ୍ପତିଙ୍କର ବର୍ଣ୍ଣ ପୀତ ଅଟେ ଓ ମନ୍ତ୍ରପୂତ ଭାବେ ତାଙ୍କୁ ନିମ୍ନରୂପେ ଆରାଧନା କରାଯାଏ, ଯଥା-
ଦେବତାନା ମୁକ୍ଷିଣାଞ୍ଚ ଗୁରୁ କନକ ସନ୍ନିଭଂ
ଜଗଦ୍ବନ୍ଦଂ ତ୍ରିଲୋକେଶୁଂ ପ୍ରଣମାମି ବୃହଷ୍ପତିଂ ।
ଏହି ଗ୍ରହଦୋଷ ଖଣ୍ଡନାର୍ଥେ ଗଜମୁକ୍ତା, ସୁବର୍ଣ୍ଣ ଅଥବା ବ୍ରାହ୍ଣଣଝାଟିୟା ବୃକ୍ଷର ଚେର ଧାରଣ କରିବାକୁ ପଡେ । ସୋଡିୟମ୍ ଡିସ୍ଚାର୍ଜ କାଚନଳୀରେ ବିଦ୍ୟୁତ୍ ପ୍ରବାହ କରାଇଲେ ଏହା ଏକବର୍ଣ୍ଣୀ (Monochromatic) ହରିଦ୍ରା ବର୍ଣ୍ଣର ଆଲୋକ ବିକିରଣ କରାଏ, ଯାହା ଅନ୍ୟାନ୍ୟ ମୌଳିକ ପଦାର୍ଥ କ୍ଷେତ୍ରରେ ପ୍ରାୟ ଦେଖାଯାଏ ନାହିଁ । ପୁଣି ଦୃଶ୍ୟମାନ ବର୍ଣ୍ଣାଳୀର ସପ୍ତବର୍ଣ୍ଣ ମଧ୍ୟରେ ପୀତବର୍ଣ୍ଣର ଭୂମିକା ସ୍ୱତନ୍ତ୍ର ଅଟେ । ଏହି ବର୍ଣ୍ଣର ତରଙ୍ଗ ଦୈର୍ଘ୍ୟକୁ ସପ୍ତବର୍ଣ୍ଣର ପ୍ରାୟ ହାରାହାରି ତରଙ୍ଗ ଦୈର୍ଘ୍ୟ ଭାବେ ନିଆଯାଏ । ଏହି ପ୍ରସଙ୍ଗରେ ପୀତବର୍ଣ୍ଣ ପ୍ରତିନିଧିତ୍ୱ କରିବାର ଭୂମିକାରେ ରହିବାର ପରିସ୍ଫୁଟ ହୁଏ , ଯେପରି ଦେବ ସମାଜର ଗୁରୁ ବୃହଷ୍ପତିଙ୍କର ଆପୋଷତା ।ତେଣୁ ଏହି ବର୍ଣ୍ଣ ମୀମାଂସା ଓ ଆପୋଷ ବୁଝାମଣା ସହ ମିଳିତଭବେ ବାସ କରିବାର ଶୁଭ ସଂକେତ ପ୍ରଦାନ କରେ । ପ୍ରତ୍ୟେକ ଶୁଭ କର୍ମରେ ହଳଦୀଗୁଣ୍ଡର ଆବଶ୍ୟକ ହୋଇଥାଏ ଓ ବର – କନ୍ୟା ନୂତନ ଜୀବନ ଧାରାକୁ ପ୍ରବେଶ କରୁଥିବାରୁ ସେମାନଙ୍କ ଶରୀରରେ ହଳଦୀ ମର୍ଦ୍ଦନ କରାଯାଏ । ନିହିତ ଉଦ୍ଦେଶ୍ୟ ହେଲା ସେମାନେ ମିଳିମିଶି ପରିବାର ସହ ବସବାସ କରିବା । ହଳଦୀର ଔଷଧୀୟ ଗୁଣର ମଧ୍ୟ ପଟାନ୍ତର ନାହିଁ । ସବୁପ୍ରକାର ଚିକିତ୍ସା ପଦ୍ଧତିରେ ହଳଦୀର ଉପାଦେୟତାକୁ ଗ୍ରହଣ କରା ଯାଇଛି । ପୁଣି ଏହା ନାରୀମାନଙ୍କ ଅଙ୍ଗ ସଜ୍ଜାର ଏକ ଉପାଦେୟ ଉପକରଣ ଅଟେ ଓ ଖାଦ୍ୟ ପ୍ରସ୍ତୁତିରେ ଏହାର ବ୍ୟବହାର ଅତ୍ୟନ୍ତ ଜରୁରୀ ଅଟେ ।
ଉପରୋକ୍ତ ବିଶିଷ୍ଟତାଗୁଡିକର ଆଧାର ମାତା ସୁଭଦ୍ରା ସତେକି ଦୁଇଭ୍ରାତାଙ୍କ ମଧ୍ୟରେ ବିଦ୍ୟମାନ ରହି ଭ୍ରାତୃକଳିର ମୀମାଂସା ପୁର୍ବକ ପରିବାରରେ ସ୍ନେହ, ପ୍ରେମ ଓ ମମତାର ରଜ୍ଜୁରେ ବାନ୍ଧିହୋଇ ରହିବାର ସାତ୍ତ୍ୱିକ ବାର୍ତ୍ତା ସର୍ବଶୁଭ ହରିଦ୍ରାବର୍ଣ୍ଣ ବିକିରଣରେପ୍ରେରଣ କରୁଛନ୍ତି । ଏହି ବର୍ଣ୍ଣ ବହନ କରୁଛି ଧର୍ମ – ଧର୍ମ, ଦେଶ – ଦେଶ, ଓ ଜାତି – ଜାତି ମଧ୍ୟରେ ପବିତ୍ର ଭ୍ରାତୃବନ୍ଧନ । ପୁଣି ଶାସ୍ତ୍ର କହେ ମନର ପବିତ୍ରତା ବ୍ୟାଧି ନିରାକରଣର ଏକ ଅମୋଘ ମହୌଷଧି ଅଟେ । ଏ ସବୁର ସମାହାରର ପ୍ରତୀକ ମାତା ସୁଭଦ୍ରାଙ୍କ କାଳଜୟୀ ବାର୍ତ୍ତା ଏ ଦୁନିଆଁର କୋଣେ, ଅନୁକୋଣେ ଓ ପ୍ରତିକୋଣେ ଗୁଞ୍ଜରୀ ଉଠୁ । ଏହାହିଁ ଆଜିର ଅନୁଚିନ୍ତା । ଶେଷରେ ଏହା ଅନୁଭବ କରାଯାଇ ପାରେ ଯେ, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରୂପରେଖ ହେଉଛି ବୈଜ୍ଞାନିକ ଓ ଭକ୍ତିଚେତନାର ମହାଜାଗତିକ ଭାବଧାରା ।
———————————————————————————————–
Published in ଦିଗ୍ବଳୟ ‘Digbalay’ Feb -2008 – Popular Science Magazine in Odia, Odisha Physical Society, Odisha .