ଦିବ୍ୟଦୃଷ୍ଟି
ମହାଭାରତ ଯୁଦ୍ଧର ଜୀବନ୍ତ ଧାରା ବିବରଣୀ ପ୍ରଦାନ କରିବା ପାଇଁ ସଞ୍ଜୟକୁ ଆଜ୍ଞା ଦେଇଛନ୍ତି ରାଜା ଧୃତରାଷ୍ଟ୍ର । ହସ୍ତିନାର ରାଜ ପ୍ରକୋଷ୍ଠରେ ବସି କୁରୁକ୍ଷେତ୍ରରେ ଘଟୁଥିବା ପ୍ରତିମୁହୂର୍ତ୍ତର ଘଟଣାବଳୀର ପ୍ରକୃତ ବ୍ୟାଖ୍ୟା ଶ୍ରବଣ ନିମିତ୍ତ ରାଜାଙ୍କ ଶଙ୍କାକୁଳ ଚିତ୍ତ ବ୍ୟଗ୍ର ହୋଇ ଉଠିଛି । ତାଙ୍କ ନିକଟରେ ବସି ସଞ୍ଜୟ ଦୃଷ୍ଟି ନିକ୍ଷେପ କରିଛନ୍ତି ସୁଦୂର କୁରୁକ୍ଷେତ୍ର ଯୁଦ୍ଧଭୂମିକୁ । ଦୃଶ୍ୟମାନ ହୋଇଛି କୌରବ ଓ ପାଣ୍ଡବ ସେନାର ସମସ୍ତ ଯୋଦ୍ଧାଗଣ ଓ ଦୁଇ ପକ୍ଷର ଅପୂର୍ବ ସୈନ୍ୟସଜ୍ଜା । ଘୋର ଘର୍ଘର ନାଦରେ ପ୍ରକମ୍ପିତ କୁରୁକ୍ଷେତ୍ରର ଅବିକଳ ଦୃଶ୍ୟପଟ୍ଟମାନ ସଞ୍ଜୟଙ୍କ ମୁଖରୁ ଭାଷାର ସ୍ରୋତ ମାଧ୍ୟମରେ ଅବିରତେ ପ୍ରସ୍ଫୁଟିତ ହୋଇ ଉଠିଛି । ଏହି ବିବରଣୀର ଏକ ମାତ୍ର ସ୍ରୋତା ହେଉଛନ୍ତି ରାଜା ଧୃତରାଷ୍ଟ୍ର । ଏତାଦୃଶ କାର୍ଯ୍ୟ ସମ୍ପାଦନ ହୋଇ ପାରିଛି ବ୍ୟାସଦେବଙ୍କ କୃପାରୁ, ସଞ୍ଜୟକୁ ପ୍ରଦତ୍ତ ହୋଇଥିବା ସ୍ୱତନ୍ତ୍ର ଦୃଷ୍ଟିଶକ୍ତି ଦ୍ୱାରା । ମାନବର ସାଧାରଣ ଦୃଷ୍ଟିଶକ୍ତି ଠାରୁ ଏହା ସମ୍ପୂର୍ଣ୍ଣ ରୂପେ ଭିନ୍ନ କିନ୍ତୁ ଏହାର ସୁପ୍ତ ଓ ପ୍ରତିଫଳିତ ଭାବଧାରା ଆମ ସମାଜର ଶିରା ପ୍ରଶିରାରେ ଅହରହ ସ୍ପନ୍ଦନ ସୃଷ୍ଟି କରୁଅଛି । ବିଶ୍ୱର ସମସ୍ତ ଦୃଶ୍ୟମାନ ବସ୍ତୁ, ଅଦୃଶ୍ୟମାନ ବସ୍ତୁ ଓ ପାରସ୍ପରିକ କ୍ରିୟା ଗୁଡିକୁ ଦର୍ଶନ କରିପାରିବା, ପ୍ରାଞ୍ଜଳଭାବେ ବୁଝିପାରିବା ଓ ଅନ୍ୟକୁ ବୁଝାଇ ପାରିବାର ଦକ୍ଷତା ହିଁ ଏହାର ସ୍ୱତନ୍ତ୍ରତାର ନିଦର୍ଶନ ଅଟେ ।
ବିଷାଦ ଓ ମୋହଗ୍ରସ୍ତ ଅର୍ଜୁନର ମନ ଦିବ୍ୟ ରସରେ ପ୍ଳାବିତ ହୋଇଉଠିଛି, ସଖା କୃଷ୍ଣଙ୍କ ରହସ୍ୟ ଓ ଅମୃତମୟ ବାର୍ତ୍ତା ପ୍ରବାହ ଦ୍ୱାରା । ପ୍ରାଣୀର ଉର୍ଦ୍ଧ୍ୱଗତି ନିମିତ୍ତ ଉଦ୍ଦିଷ୍ଟ ବିଭିନ୍ନ ଯୋଗମାର୍ଗ, ଯଥା – ସାଂଖ୍ୟ ଯୋଗ, କର୍ମଯୋଗ, ଭକ୍ତିଯୋଗ, ବିଭୂତିଯୋଗ, ଜ୍ଞାନ ବିଜ୍ଞାନଯୋଗ, ଅକ୍ଷରବ୍ରହ୍ମଯୋଗ, ରାଜବିଦ୍ୟା ରାଜଗ୍ୟୁହଯୋଗ, …….. ଆଦିର ବିସ୍ତୃତ ବର୍ଣ୍ଣନା ଶ୍ରୀକୃଷ୍ଣଙ୍କ ମୁଖ ପଦ୍ମରୁ ଅଷ୍ଟାଦଶ ପାଖୁଡାରୂପେ ଖସିପଡି ଧରଣୀ ବକ୍ଷରେ ସର୍ବଶାସ୍ତ୍ରମୟୀ ଗୀତା ରୂପେ ମୁକ୍ତିଲାଭ କରିଅଛି । ଶ୍ରୀକୃଷ୍ଣଙ୍କ ମୁଖ ନିସୃତ ବାଣୀ ଶ୍ରବଣ କରି ଓ ଭାବଗ୍ରାହୀଙ୍କର ବିଶ୍ୱରୂପର ପରିପ୍ରକାଶକୁ ଦର୍ଶନ କରି ଭାବ ବିହ୍ୱୋଳିତ ଅର୍ଜୁନର ମନରୁ ସମସ୍ତ ଆଶଙ୍କା ଦୂରୀଭୂତ ହୋଇ ପାରିଛି ।ଏହି ରୂପ ଦର୍ଶନ ନିମିତ୍ତ ପାର୍ଥଙ୍କୁ ପ୍ରାପ୍ତ ହୋଇଛି ଦିବ୍ୟ ଦୃଷ୍ଟି । ସଚରାଚର ପରିବ୍ୟାପ୍ତ ଏକ ଅନନ୍ତ କାୟାରେ ଏ ଜଗତର ଭୂତ, ଭବିଷ୍ୟ ଓ ବର୍ତ୍ତମାନର ସମସ୍ତ କ୍ରିୟା ମାନ କେନ୍ଦ୍ରିଭୂତ ହୋଇଥିବାର ଏକ ସମୟରେ ଦର୍ଶନ କଲେ ପାର୍ଥ ଓ ସଞ୍ଜୟ । ଏହି ଅଦ୍ଭୁତ ଓ ଲୋମହର୍ଷଣକାରୀ ପରିପ୍ରକାଶର ପ୍ରଚଣ୍ଡ ଆଭାକୁ ଏକ ସମୟରେ କୋଟି କୋଟି ସୂର୍ଯ୍ୟର ସମାହାର ଭାବେ କଳ୍ପନା କରାଯାଇପାରେ, ଯାହାକୁକି ସାଧାରଣ ଚକ୍ଷୁ ଦ୍ୱାରା ଦର୍ଶନ କରିବା ଅସମ୍ଭବ । ପ୍ରକୃତି ପୁରୁଷର ଅନନ୍ତ ସୀମାଯାଏ ବଢିଥିବା କାୟାର ଅସଂଖ୍ୟ ମୁଖ ଗହ୍ୱରରେ ପ୍ରାଣୀର ଜନ୍ମ – ମୃତ୍ୟୁ – କର୍ମ ଚକ୍ରର ମହାଜାଗତିକ ପ୍ରବାହ ପ୍ରବଳ ବେଗରେ ଅନ୍ତଃସ୍ରୋତ ଓ ବାହ୍ୟ ସ୍ରୋତ ଦ୍ୱାରା ପ୍ରକଟିତ ହେଉଥିବାର ଅବଲୋକନ କଲେ ବୀର ପାର୍ଥ, ଯଥା –
ରୋମେ ରୋମେ ବିରାଜିଛି ସହସ୍ର ବ୍ରହ୍ମାଣ୍ଡ ……. ତେଜରେ ନିନ୍ଦୁଛି ସତେ କୋଟି ମାରତଣ୍ଡ ।
ଛପନ କୋଟି ଜୀବ ଓ ବାଉନ ଭଣ୍ଡାର …… ତେତ୍ରିଶ କୋଟି ଦେବତା -ଯକ୍ଷ -ନାଗ -ନର ।
ଦିଶୁଛି ସ୍ୱର୍ଗ – ମର୍ତ୍ତ୍ୟ – ପାତାଳ – ରସାତଳ ………. ଭରି ରହିଅଛି ସର୍ବ କଉଣପକୁଳ ।
ନିଶ୍ୱାସରେ ସୃଷ୍ଟି ହୁଏ କୋଟି କୋଟି ବିଶ୍ୱ …….. ପ୍ରଶ୍ୱାସରେ ଅପଲକେ ହେଉଅଛି ନାଶ ।
ସୃଷ୍ଟି – ସ୍ଥିତି – ପ୍ରଳୟ ଘଟୁଛି ଅହରହ ………. ସେହି ମହାକାଳ ଅଟେ ଅକ୍ଷୟ ଅମର ।
ଅସଂଖ୍ୟ ମୁଖ ଉଦର ଘୋର ଦନ୍ତପଂକ୍ତି ……… ବ୍ୟାପିଅଛି ଚରାଚର ଲାଗେ ବଡ ଭୀତି ।
କୁରୁକ୍ଷେତ୍ର ଯୁଦ୍ଧଭୂମି ଆଗତ ଭବିଷ୍ୟ ……….. ଅବଗତ ହେଲେ ଦେଖି ଦ୍ରୋଣଙ୍କର ଶିଷ୍ୟ ।
ଘନ ଘନ ପ୍ରଣିପାତ କରେ ପୃଥା ପୁତ୍ର ………… ହେ ଅନନ୍ତ ଅବିନାଶୀ ! ନିମିତ୍ତ ମୁଁ ମାତ୍ର ।
ଭୟେ ଆତୁର ହୋଇଣ କରଇ ସେ ସ୍ତୁତି ……… କ୍ଷଣକେ ହୋଇଲେ ପ୍ରଭୁ ଚତୁର୍ଦ୍ଧା ମୂରତି ।
ପୁଣି ଉଭା ହେଲେ ସେ’ତ ସଖା କୃଷ୍ଣ ଭାବେ …….. ଦିବ୍ୟଦୃଷ୍ଟି ହରାଇଲେ ଧନଞ୍ଜୟ ବେଗେ ।
ସେହି ଅନାଦି ଓ ଅନନ୍ତ ରୂପର ଏକ କ୍ଷୁଦ୍ର ଅଂଶ ମାତ୍ର ଦର୍ଶନ କରି ଅର୍ଜୁନର ମୋହଭଙ୍ଗ ହେବା ସଙ୍ଗେ ସଙ୍ଗେ ମନର ଭାରସାମ୍ୟ ହରାଇବାରୁ, ଅନ୍ତର୍ଯ୍ୟାମି ଭକ୍ତର ବାଞ୍ଛାନୁଯାୟି ନିଜର ପୂର୍ବ ରୂପକୁ ପ୍ରକଟିତ କରାଇଛନ୍ତି । ହୁଏତ ଆଉକିଛି ସମୟ ପାଇଁ ସ୍ଥିତପ୍ରଜ୍ଞ ଭାବେ ଅର୍ଜୁନ ଦିବ୍ୟ ଚକ୍ଷୁର ସଦ୍ବ୍ୟବହାର କରିଥିଲେ ଏ ସଂସାର ପାଇଁ ଆହୁରି ବହୁ ରହସ୍ୟର ପରଦା ଉନ୍ମୋଚନ ହୋଇପାରିଥା’ନ୍ତା । ତଥାପି ଏହି ସ୍ୱତନ୍ତ୍ର ଦୂରଦର୍ଶନ ପରଦା ରୂପକ ନୟନରେ ଚମତ୍କାରଭାବେ ଅଳ୍ପ ସମୟ ବ୍ୟବଧାନରେ ମୁକ୍ତିଲାଭ କରିଅଛି ଅସଂଖ୍ୟ ସ୍ଥୂଳ ଓ ସୂକ୍ଷ୍ମ ଜଗତମାନ, ଯାହାକୁ କି ସାଧାରଣ ଚର୍ମ ଚକ୍ଷୁ ଦ୍ୱାରା ଦେଖିବା ସମ୍ଭବ ନୁହେଁ ।
ଏତାଦୃଶ ଅଲୌକିକତା ଆଦ୍ୟ କାଳରୁ ଆମ ସଂସ୍କୃତିର ଶୋଭା ବର୍ଦ୍ଧନ ପୂର୍ବକ ସାମାଜିକ ଏକତ୍ୱର ମହାନ୍ ପ୍ରେରଣାର ଭାବ ଜଗାଇ ଜନ ମାନସକୁ କର୍ତ୍ତବ୍ୟନିଷ୍ଠା ହେବାକୁ ଦିଗ୍ଦର୍ଶନ ଦେଇ ଆସୁଛି । ଅଧିକାଂଶ ଅଲୌକିକତାର ଗାଣିତିକ ଓ ବ୍ୟବହାରିକ ରୂପରେଖ ଯଦିଓ ଆଜିର ଜ୍ଞାନକୌଶଳର ପରିସୀମା ବାହାରେ ରହୁଅଛି, ତଥାପି ବିଜ୍ଞାନୀବୃନ୍ଦ ଉକ୍ତ ସୀମାର ବୃଦ୍ଧି ନିମିତ୍ତ ଦ୍ରୁତ ବେଗରେ ଧାବମାନ । ସମୟ ସାପେକ୍ଷ ହେଲେବି ଭିନ୍ନ ଭିନ୍ନ କ୍ରିୟାକୁ ବ୍ୟବହାରିକ ଜ୍ଞାନ ବଳୟ ଦ୍ୱାରା କେତେକାଂଶରେ ଦର୍ଶାଯାଇ ପାରୁଛି । ଅଦ୍ୟାବଧି କାହିଁ କେତେ ଯେ ଯୁଗାନ୍ତକାରୀ ତତ୍ତ୍ୱାବଳୀମାନ ପ୍ରତିଷ୍ଠିତ ହୋଇ ଜ୍ଞାନ ସାଗରରେ ସୃଷ୍ଟି କରୁଛି ବିପ୍ଳବାତ୍ମକ ଲହଡି, ଯାହାର ନାଦ ଶ୍ରୁତି ପଟଳରେ ଅପୂର୍ବ ଗୁଞ୍ଜରଣ ସୃଷ୍ଟି କରୁଛି ତାହା ପ୍ରକୃତ ପକ୍ଷେ ଅତୁଳନୀୟ ଅଟେ । ବିଂଶ ଶତାବ୍ଦୀର ବାଲ୍ୟକାଳରେ ଏହିପରି ଦୁଇଟି ଢେଉ କୂଳ ଲଂଘନ କରିବାରୁ ଜନ୍ମନେଲା ଦୁଇ ଦ୍ରୁମ, ଯଥା – ମୂଳ ବିକିରଣ ବା ବିଦ୍ୟୁତ୍ – ଚୁମ୍ବକୀୟ ତରଙ୍ଗର କଣିକା ପ୍ରକୃତି ଓ ମୂଳ କଣିକାର ତରଙ୍ଗ ପ୍ରକୃତି । ଦୃଶ୍ୟମାନ ସ୍ଥୂଳ ଜଗତରେ ଆଲୋକ ତରଙ୍ଗ ରୂପେ ଅବତୀର୍ଣ୍ଣ ହେବାବେଳେ ସୂକ୍ଷ୍ମ ବା ପାରମାଣବିକ ଜଗତରେ ଏହା କଣିକା (ଫୋଟନ୍)ର ଅବତାର ନିଏ । ସମାନ୍ତରାଳଭାବେ ମଧ୍ୟ ବସ୍ତୁ ଜଗତରେ ଏହି ଦ୍ୱୈତ ସ୍ୱରୂପ ପ୍ରତିଷ୍ଠିତ ହୋଇ ପାରିଲା । ଅର୍ଥାତ୍ ବସ୍ତୁ ଜଗତରେ କଣିକା ହିଁ ସ୍ଥୂଳ ରୂପୀ କିନ୍ତୁ ଏହା ସୂକ୍ଷ୍ମ ସ୍ତରରେ ବସ୍ତୁ – ତରଙ୍ଗ ଅଟେ । ବସ୍ତୁ ଓ ଆଲୋକର ଦ୍ୱିତୀୟ ଅବତାର ପାଇଁ ତତ୍ତ୍ୱ ଉପସ୍ଥାପନ, ପରୀକ୍ଷା ସିଦ୍ଧ ଓ ପ୍ରୟୋଗ ଆଦି ପାଇଁ ମହାନ୍ ବୈଜ୍ଞାନିକ ଗଣ କାଳ କାଳକୁ ଯଶ ରଖି ଯାଇଛନ୍ତି । ସେମାନେ ହେଲେ – ମାକ୍ସ୍ ପ୍ଲାଙ୍କ୍ (Max Plank), ଆଲ୍ବର୍ଟ୍ ଆଇନ୍ଷ୍ଟାଇନ୍ (Albert Einstein), ଏ.ଏଚ. କମ୍ପଟନ୍ (A.H.Compton), ଲୁଇସ୍ ଡି ବ୍ରୋଗ୍ଲି (Louis de Brogile), ଡାଭିସନ୍ ଓ ଜର୍ମାର୍ (Davison and Germer) ………… ଆଦି ।
ତେବେ ଆଲୋକ ଓ ବସ୍ତୁ ମାତ୍ର ଦୁଇ ଦୁଇଟି ଅବତାରରେ ସୀମିତ ନାଁ ବହୁ ଅବତାର ରୂପେ ବିସ୍ତାରିତ ? ଏହା କ’ଣ ଆମ ଜ୍ଞାନ ତଟର ଆରପାରିରେ ନୃତ୍ୟରତ ? ସୀମା ହୀନ ଅବାସ୍ତବ ଭାବନା ଓ ପୌରାଣିକ ଇନ୍ଧନରୁ ଆଜିର ଅନେକ ଅନେକ ବାସ୍ତବତା ଜନ୍ମଲାଭ କରିଅଛି ।ତେବେ ଆମ ବିଶ୍ୱ ପାଇଁ ହେଉ ଅଥବା କଳ୍ପିତ ବହୁ ବିଶ୍ୱବାଦ ପାଇଁ ହେଉ, ଏହି ବସ୍ତୁ ଓ ଆଲୋକର ଆହୁରି ଅନେକ ପ୍ରକାର ରୂପ ପ୍ରକଟ ହେବାର ଧାରଣା ମନମଧ୍ୟରେ ଉଙ୍କି ମାରିବା ସ୍ୱାଭାବିକ । ଆଲୋକକୁ ଶକ୍ତି ପୁଡିଆ(Photon)ର ସମାହାର (E=nhν) ଓ ବସ୍ତୁକୁ ବା କଣିକାକୁ ତା’ର ସମାନୁପାତିକ ଶକ୍ତିଭାବେ (E=mc2) ଗ୍ରହଣ କରାଯାଇ ପାରିଛି । ଶୂନ ବସ୍ତୁତ୍ୱ ଥାଇ ଓ ଆଲୋକର ବେଗରେ ଗତିଶୀଳ ଫୋଟନ୍ ଉଭୟ କଣିକା ଓ ତରଙ୍ଗ ରୂପେ ଶକ୍ତି ପ୍ରଦର୍ଶନ କରୁଥିବା ବେଳେ, ବସ୍ତୁତ୍ୱ ଓ ବେଗ ଥାଇ କଣିକାଟି ଉଭୟ କଣିକା ଓ ବସ୍ତୁ – ତରଙ୍ଗ ଭାବେ ମଧ୍ୟ ଶକ୍ତିର ପରାକାଷ୍ଠା ଦେଖାଇଥାଏ । ଏହି ଶକ୍ତି ସଂଚାରଣ ପରମାଣୁଠୁ ଆରମ୍ଭ କରି ଅନନ୍ତ ମହାଶୂନ୍ୟଯାଏ ସର୍ବଦା ବିଦ୍ୟମାନ । ଶକ୍ତି ବିଭିନ୍ନ ରୂପରେ ସଞ୍ଚାରିତ ହେବା, କ୍ଷେତ୍ର ସୃଷ୍ଟି କରିବା ଓ ବଦଳିବା ହେଉଛି ପ୍ରକୃତିର ନିୟମ । ପ୍ରତ୍ୟେକ ଶକ୍ତିକ୍ଷେତ୍ର ତା’ର କ୍ଷେତ୍ର କଣିକାକୁ ନେଇ ନିଜର ସ୍ୱଭାବକୁ ଦର୍ଶାଇଥାଏ । ଏହି କ୍ଷେତ୍ର କଣିକାଗୁଡିକ ସାଧାରଣ ଚକ୍ଷୁରେ କଦାପି ଧରାପଡନ୍ତି ନାହିଁ । ମହାକର୍ଷଣ ଶକ୍ତିକ୍ଷେତ୍ରର କ୍ଷେତ୍ରକଣିକା ଗ୍ରାଭିଟନ୍ (Graviton)ମାନବର ସତର୍କ ବ୍ୟୁହ ମଧ୍ୟରେ ଧରା ଦେଉନାହିଁ । କଥାରେ ଅଛି – ହରିଣ ନ ଦିଏ ଧରା ……… ଦଉଡନା ବଡ ଖରା । ତଥାପି ସାଧନାର ସିଦ୍ଧି ପ୍ରାପ୍ତାର୍ଥେ ପଥ ଯେତେ କଣ୍ଟକିତ ହେଲେବି ସାଧକ ଆଗେଇଚାଲେ । ଦିନେ ବାଳକ ଧ୍ରୁବର ସାଧନାର ଅମାପ ଆକର୍ଷଣ ବଳ ଦ୍ୱାରା ପ୍ରକୃତି ନତମସ୍ତକ ହୋଇ ଉଠିଥିଲା ଓ ସ୍ୱୟଂ ନାରାୟଣ ଅବତାର ନ ନେଇ ମୂଳ ରୂପରେ ମର୍ତ୍ତ୍ୟକୁ ଟାଣିହୋଇ ଆସିଥିଲେ, ଭକ୍ତ ମନରେ ଉଙ୍କି ମାରିଥିବା ପ୍ରଶ୍ନର ଉତ୍ତର ଦେବାପାଇଁ । ତେଣୁ ଭକ୍ତିଯୋଗର ଶକ୍ତିକ୍ଷେତ୍ର ଓ ତତ୍ସଂଲଗ୍ନ କ୍ଷେତ୍ରକଣିକା, ବିଜ୍ଞାନ ପାଇଁ ଅବାସ୍ତବ ହେଲେବି ଆକର୍ଷଣ ବଳ ନିଶ୍ଚତ ରୂପେ ବାସ୍ତବ ଅଟେ । ଭକ୍ତିକ୍ଷେତ୍ର ଯେପରି ଜାଗତିକ ସ୍ତରର, ସେହିପରି ମହାକର୍ଷଣ ଶକ୍ତିକ୍ଷେତ୍ର ଓ ସଂଚାରଣ ମଧ୍ୟ ସର୍ବତ୍ର ବିଦ୍ୟମାନ । ତେଣୁ ବିଜ୍ଞାନ ଓ ଆଧ୍ୟାତ୍ମିକତା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ସଦୃଶ । ସେଥିପାଇଁ ବୈଜ୍ଞାନିକମାନଙ୍କ ଅଦମ୍ୟ ସାଧନାରୁ ଦିବ୍ୟଦୃଷ୍ଟି ସଦୃଶ ଯେଉଁ ଶକ୍ତି ପ୍ରାପ୍ତ ହେବ ସେଥିରେ ଗ୍ରାଭିଟନ୍କୁ ଧରିବା ପାଇଁ ଅନିଶ୍ଚିତତାର ସ୍ଥାନ ନାହିଁ ।
ଉପରୋକ୍ତ ନିଶ୍ଚିତତା ଯୁକ୍ତିଯୁକ୍ତ ବୋଧହୁଏ 2017 ମସିହାର ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାରରୁ । ତିନିଜଣ ଆମେରିକୀୟ ପଦାର୍ଥବିଜ୍ଞାନୀ ରେନର୍ ୱିସ୍ (Rainer Weiss), ବାରି ସି ବାରିସ୍ (Barry C. Barish) ଏବଂ କିପ୍ ଏସ୍ ଥ୍ରୋନ୍ ( Kip S. Throne), ଲିଗୋ (LIGO – Laser Interferometer Gravitational Wave Observatory) ଦ୍ୱାରା ମହାକର୍ଷଣୀୟ ତରଙ୍ଗର ସନ୍ଧାନ ପାଇପାରିଛନ୍ତି । ଏ ତରଙ୍ଗ ସ୍ଥାନ – କାଳ ପରିବେଷ୍ଟନୀକୁ ସଂକୋଚନ ଓ ସମ୍ପ୍ରସାରଣ କରୁଅଛି । ସତେକି ଏ ମହାକର୍ଷଣୀୟ ତରଙ୍ଗ, ସ୍ଥାନ – କାଳ ପରିବେଷ୍ଟନୀ ସ୍ୱରୂପ ସାଗରର ଜଳକୁ ଲଗାତର ଭାବେ ଜୁଆର ଓ ଭଟ୍ଟା ଦ୍ୱାରା ଦୋଳାୟିତ କରୁଅଛି । ଏ ତରଙ୍ଗ ଆଲୋକର ଗତିରେ ଧାବମାନ ଓ କୃଷ୍ଣଗର୍ତ୍ତ – କୃଷ୍ଣଗର୍ତ୍ତ ପାରସ୍ପରିକ କ୍ରିୟାରେ ଏହାର ମାତ୍ରା ତୀବ୍ରତର ହୁଏ । ଯେଉଁ ପିଣ୍ଡର ବସ୍ତୁତ୍ୱ ଓ ଗତି ଯେତେ ଅଧିକ, ତାହାର ଆକର୍ଷଣ ବଳ ସେତେ ଅଧିକ ବା ତରଙ୍ଗର ତୀବ୍ରତା ସେତେ ଅଧିକ ଓ ସେହି ମାତ୍ରାରେ ସ୍ଥାନ – କାଳର ଅନବଚ୍ଛେଦ ବ୍ୟାପାର (Space -Time Continuum)ରେ ବକ୍ରତାର ସୃଷ୍ଟି ହୁଏ । ତେଣୁ ଅନ୍ୟାନ୍ୟ ଜାଗତିକ ପିଣ୍ଡ ଆଦିକୁ ନିଜ ଆଡକୁ ଟାଣି ଆଣନ୍ତି । ଅର୍ଥାତ୍ ସ୍ଥାନ ସଂକୁଚିତ ହୋଇଥାଏ ଓ ସମୟର ପ୍ରବାହ ଧିମେଇ ଯାଏ । ନିଉଟ୍ରନ୍ ତାରକା, କୃଷ୍ଣଗର୍ତ୍ତ ଆଦିରେ ସ୍ଥାନ ଅତି ମାତ୍ରାରେ ସଂକୁଚିତ ଓ ସମୟର ଗତି ମଧ୍ୟ ଅତି ଧିମା । କୃଷ୍ଣଗର୍ତ୍ତ ଗୁଡିକର ଆକର୍ଷଣ ବଳ ଏତେ ଅଧିକଯେ, ଆଲୋକ ରଶ୍ମିର ଫୋଟନ୍ ମଧ୍ୟ ଏଥିରୁ ତ୍ରାହି ପାଏ ନାହିଁ । ଯାହା ଅନୁମାନ କରାଯାଉଛି , କୃଷ୍ଣଗର୍ତ୍ତ ମଧ୍ୟରେ କାଳର କରିସ୍ମା ନାହିଁ କହିଲେ ଚଳେ ଅର୍ଥାତ୍ ଏଠାରେ ବୟସ ବୃଦ୍ଧି ଘଟିବନି ଓ ମୃତ୍ୟୁ କେଶାଗ୍ରବି ସ୍ପର୍ଶ କରିପାରିବ ନାହିଁ ।
ଗୀତାରେ ଶ୍ରୀକୃଷ୍ଣ ନିଜକୁ ସମସ୍ତ ଶକ୍ତିର ଉତ୍ସଭାବେ ବର୍ଣ୍ଣନା କରିଛନ୍ତି ଓ ବିଶ୍ୱରୂପରେ ତାହା ଦେଖାଇଛନ୍ତି । ଏହି ଶକ୍ତି ଉତ୍ସ ବିଭିନ୍ନ ଦୁର୍ଦ୍ଦିନରେ ଧରା ବକ୍ଷରେ ନୂଆ ନୂଆ ରୂପ ଧାରଣ କରିବାର ଗାଥା ଆମ ଶାସ୍ତ୍ରରେ ବର୍ଣ୍ଣିତ । ଯୁଦ୍ଧ ଭୂମିରେ ଶ୍ରୀକୃଷ୍ଣ କହିଛନ୍ତି – “ଯଦା ଯଦାହି ଧର୍ମସ୍ୟ ……….. ସମ୍ଭବାମି ଯୁଗେ ଯୁଗେ” । ତେବେ କୁରୁକ୍ଷେତ୍ରରେ କୃଷ୍ଣାବତାରଙ୍କୁ ଶକ୍ତିର ଉତ୍ସ ଓ ଅର୍ଜୁନଙ୍କୁ ଶକ୍ତି ବାହକ ବା କ୍ଷେତ୍ର କଣିକା ରୂପେ ତୁଳନା କରାଯାଇପାରେ । “ସକଳ ଘଟେ ନାରାୟଣ” ଅର୍ଥାତ୍ ଜାଗତିକ ଶକ୍ତି ଜଡ଼ଠୁ ଆରମ୍ଭ ହୋଇ ସକଳ ଜୀବ ଘଟେ ସୁପ୍ତ ବା ଜାଗ୍ରତଭାବେ ବିଦ୍ୟମାନ । ଶକ୍ତିର ପ୍ରତୀକ ମା’ ଦୁର୍ଗାଙ୍କ ଆରାଧନାରୁ ଭାସିଆସେ – “ଯା ଦେବୀ ସର୍ବ ଭୂତେଷୁ ଶକ୍ତିରୂପେଣ ସଂସ୍ଥିତା …..” । ଏହି ଶକ୍ତି ମଧ୍ୟ ଘଟ ମଧ୍ୟେ ବିଭିନ୍ନ ଭାବର ପ୍ରତୀକ ଅଟେ, ଯଥା – ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, ଶ୍ରଦ୍ଧା, କାନ୍ତି, ଲକ୍ଷ୍ମୀ, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ମାତୃ, ଭ୍ରାନ୍ତି, ……… ଇତ୍ୟାଦି ଓ ଏହା ସର୍ବପରିବ୍ୟାପ୍ତ ବୋଲି ଆବାହନ କରାଯାଏ । ତେଣୁ ଏହି ଚିନ୍ତନ ଆଲୋକ ଓ ବସ୍ତୁର ବହୁରୂପବାଦକୁ ଆଦରି ନେବାର ସମ୍ଭାବନା ସୃଷ୍ଟି କରୁଅଛି ।
ବିଶ୍ୱର ପ୍ରତ୍ୟେକ କ୍ରିୟା ନିର୍ଦ୍ଦିଷ୍ଟ ନିୟମରେ ପରିଚାଳିତ । ଇଲେକ୍ଟ୍ରନ୍ଟି ପାରମାଣବିକ ନିଉକ୍ଲିୟସ୍କୁ ଅନବରତ ପରିକ୍ରମଣ କରିବା ପୂର୍ବକ ନିଜଅକ୍ଷ ଚତୁଃପାର୍ଶ୍ୱରେ ଘୂରୂଅଛି । ଗ୍ରହାଦି ବସ୍ତୁ ଓ ତାରକାଗଣଙ୍କ ମଧ୍ୟରେ କ୍ରିୟା ସମ୍ପାଦନ ଠିକ୍ ଏହିପରି ଅଟେ । ଗ୍ୟାଲାକ୍ସିଗୁଡିକ ପରସ୍ପରଠାରୁ ଦୂରେଇ ଯାଉଛନ୍ତି । ଏସବୁର ପର୍ଯ୍ୟବେକ୍ଷଣ ସମ୍ଭବପର ହୋଇପାରିଛି ଅତି ଶକ୍ତିଶାଳୀ ଅଣୁବୀକ୍ଷଣ ଓ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା । ବିଶ୍ୱର ଆୟତନ ଓ ଗ୍ୟାଲାକ୍ସି ସଂଖ୍ୟା ମଧ୍ୟ ଗାଣିତିକ ମୂଲ୍ୟାୟନରେ ପ୍ରକାଶ କରାଯାଇ ପାରୁଛି । ବିଶ୍ୱର ଜନ୍ମ ରହସ୍ୟର ମୂଳ ବିନ୍ଦୁକୁ ସ୍ପର୍ଶ କରିବାର ଆଶା ସଞ୍ଚାର ହେଉଥିଲେବି ଏହିଠାରେ ପ୍ରକୃତିର ଅଦ୍ୟାବଧି ଉପଲବ୍ଧ ନିୟମଗୁଡିକର ପତନ ଘଟୁଅଛି । ଏହାକୁ ସ୍ଥାନ – କାଳ ଏକତ୍ୱ (Space – Time Singularity)ଭାବେ ଦର୍ଶାଯାଉଅଛି । ଅର୍ଜୁନ ଓ ସଞ୍ଜୟ ବିଶ୍ୱରୂପ ଦର୍ଶନରେ ଅସଂଖ୍ୟ ଦୃଶ୍ୟମାନ ଓ ଅଦୃଶ୍ୟମାନ ଜଗତର ସତ୍ତା ଅନୁଭବ ପୂର୍ବକ ମହାଜାଗତିକ ସ୍ତରରେ ଉପନୀତ ହୋଇଥିଲେ । ସମସ୍ତ ବ୍ୟବସ୍ତା ଏକ ବିନ୍ଦୁରେ ଅର୍ଥାତ୍ କାଳ – ଚକ୍ରରେ ଲୀନ ଓ ପୁନଃ ପୁନଃ ଅସଂଖ୍ୟ ପରା ଓ ଅପରା ଜଗତର ସୃଷ୍ଟି ସର୍ଜନା ଭିନ୍ନ ଭିନ୍ନ ରୂପରେ ହେଉଥିଲା, ଯାହା ଯଥାକ୍ରମେ ସ୍ଥାନ – କାଳ ଏକତ୍ୱ ଓ ବିଭାଜିତର ସଂକେତ ହୋଇପାରେ । ସସାଗରା ବିଶ୍ୱ ତା’ର ସମସ୍ତ ବସ୍ତୁତ୍ୱ ହରାଇ ଅଦୃଶ୍ୟମାନ, ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଓ ନିର୍ବିକାର ସମୟ ଅକ୍ଷରେ ସାମିଲ ହେଉଥିଲା । ଦିବ୍ୟଦୃଷ୍ଟି ଦ୍ୱାରା ଏସବୁର ଦର୍ଶନ ସମ୍ଭବପର ହୋଇପାରିଛି । ସତେକି ଯୁଦ୍ଧ ଭୂମିରେ ସ୍ଥାପିତ ହୋଇଛି ସର୍ବଶକ୍ତି ସମ୍ପନ୍ନ ଦୂରଦର୍ଶନ କେନ୍ଦ୍ର ଓ ଏହାର ସଙ୍କେତକୁ ଦୁଇଟି କେନ୍ଦ୍ର ଗ୍ରହଣ କରୁଛି । ଅନନ୍ତ ପରିପ୍ରକାଶରେ ଘଟୁଥିବା ସମସ୍ତ କ୍ରିୟାଗୁଡିକୁ ଦର୍ଶନଲାଭ କରିପାରୁଥିବାରୁ ,ଏହି କେନ୍ଦ୍ର ଦ୍ୱୟକୁ ଅସୀମ ଶକ୍ତି ସମ୍ପନ୍ନଯୁକ୍ତ ଆଣ୍ଟିନା ଓ ଏହାର କାର୍ଯ୍ୟ ଦକ୍ଷତାକୁ ଅସଂଖ୍ୟ ସୁପର୍କମ୍ପ୍ୟୁଟରର ସମାହାର ସହ ତୁଳନା କରାଯାଇପାରେ । ତରଙ୍ଗ ଜଗତର ସକଳ ବର୍ଣ୍ଣାଳୀର ଆଭା ଉଦ୍ଭାସିତ ହୋଇଉଠିଛି ଏହି ମହାଜାଗତିକ ଚକ୍ଷୁ ପରଦାରେ । ଶହ ଶହ ହବ୍ଲ ଟେଲିସ୍କୋପ୍ର ଦକ୍ଷତାକୁ ମାତ୍ରାଧିକ ବୃଦ୍ଧି କରାଇ ସର୍ବ ଦିଗରୁ ପର୍ଯ୍ୟବେକ୍ଷଣ କଲେ ମଧ୍ୟ ଏ ସବୁ ଜଣାପଡିବ ନାହିଁ । ସ୍ୱତନ୍ତ୍ରଭାବେ ପ୍ରତିଷ୍ଠିତ ଏହି କେନ୍ଦ୍ର ଦ୍ୱୟ ଦ୍ୱାରା ଦୃଷ୍ଟିଗୋଚର ହୋଇଛି ବିଭିନ୍ନ ବ୍ୟୋମରେ ଓ ବିଭିନ୍ନ ସମୟରେ ଘଟୁଥିବା ବିଗ୍ବ୍ୟାଙ୍ଗ୍ ଏବଂ ବିଗ୍କ୍ରଞ୍ଚ୍ ମାନ । ଏକ ଅତ୍ୟାଧୁନିକ କୃତ୍ରିମ ଉପଗ୍ରହ ଯେପରି ଅନେକ ତଥ୍ୟ ଯୋଗାଇଥାଏ, ସେହିପରି ଏହି ପବିତ୍ର ପରଦା ମାଧ୍ୟମରେ ଏ ଜଗତ ପ୍ଳାବିତ ହୋଇଉଠିଛି ଜ୍ଞାନର ଅସରନ୍ତି ଭଣ୍ଡାରର ଦିବ୍ୟଜ୍ୟୋତି ପରିପ୍ରକାଶ ଦ୍ୱାରା ।
କଳ୍ପନା ବିଳାସୀ ମାନବର ଅତିମାନବୀୟ ଅନୁଚିନ୍ତା ସହିତ ପ୍ରାକୃତିକ ନିୟମଧାରାର ସଂଯୋଗୀକରଣରୁ ଜନ୍ମ ହେଉଛି ବିଜ୍ଞାନ ଓ ସମୟ ସହ ଏହା ନୂଆ ନୂଆ କଳେବର ଧାରଣ କରୁଛି । ପାରମାଣବିକ ନିଉକ୍ଲିୟସ୍ର ବ୍ୟୁହ ଭେଦନ କରିବାଠୁ ଆରମ୍ଭ କରି ଅନନ୍ତ ମହାଶୂନ୍ୟର ବିଭିନ୍ନ ଆକଳନର ପ୍ରାମାଣିକ ତଥ୍ୟ ନିମିତ୍ତ ବୈଜ୍ଞାନିକ ମାନଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ । ପାରମାଣୁର ନିଉକ୍ଲିୟସ୍ଟି ସୂକ୍ଷ୍ମାତିସୂକ୍ଷ୍ମ କଣିକା ବା ଛ’ଟି କ୍ୱାର୍କ(quark)ର ସମଷ୍ଟି ଅଟେ । ପ୍ରତ୍ୟେକ କ୍ୱାର୍କର ନିଜସ୍ୱ ରଙ୍ଗ ଥିବା ସହ ସେମାନଙ୍କୁ ଆୟତ୍ତ କରୁଛି ଆଠ ପ୍ରକାରର ରଙ୍ଗିନ୍ କ୍ଷେତ୍ର କଣିକା ଗ୍ଲୁଅନ୍ (gluon) । ଏହି ଗ୍ଲୁଅନ୍ ବା ବର୍ଣ୍ଣପରିବାହକ ଦ୍ୱାରା କ୍ୱାର୍କଗୁଡିକ ନିଜର ବର୍ଣ୍ଣ ବଦଳାଇବାରେ ଲାଗିଛନ୍ତି । ତେଣୁ କ୍ୱାର୍କର କ୍ଷେତ୍ରକୁ ବର୍ଣ୍ଣକ୍ଷେତ୍ରରୂପେ ଚିତ୍ରଣ କରାଯାଇଛି ଓ ଏହି ଭାବକୁ କ୍ୱାଣ୍ଟମ୍ ବର୍ଣ୍ଣପ୍ରବାହ (Quantum Chromodynamics) ବାଦ ଦ୍ୱାରା ବୁଝାଯାଇ ପାରୁଛି । ତିନୋଟି ପ୍ରାଥମିକ ରଙ୍ଗ ଲାଲ୍, ନୀଳ ଓ ସବୁଜ ଏବଂ ସେହିପରି ଏଗୁଡିକର ବିପରୀତ ରଙ୍ଗର ବିଭିନ୍ନ ଅନୁପାତର ମିଶ୍ରଣ ହିଁ ଗ୍ଲୁଅନ୍ ଅଟେ । ଏହି ବର୍ଣ୍ଣପ୍ରବାହ ହେଉଛି କ୍ୱାର୍କ ମାନଙ୍କ ମଧ୍ୟରେ ବଳିଷ୍ଠ ପାରସ୍ପରିକ କ୍ରିୟାର କାରଣ ଓ ସୂକ୍ଷ୍ମ କଣିକା ଜଗତରେ ବର୍ଣ୍ଣର କ୍ୱାଣ୍ଟମ୍ ସ୍ରୋତ ପ୍ରବାହିତ ହୋଇ ଚାଲିଛି । ଏହି ଧାରା ମଧ୍ୟ ଭରି ରହିଛି ମହାଜାଗତିକ ସ୍ତରରେ । ବୈଜ୍ଞାନିକ ମାନଙ୍କ ବିଶ୍ଳେଷଣାତ୍ମକ ଅନୁଧ୍ୟାନରୁ ସୂଚନା ମିଳୁଛି ଯେ, କୋଟି କୋଟି ଗ୍ୟାଲାକ୍ସିର ସମାହାରର ପ୍ରତୀକ ଏ ବିଶ୍ୱର ବାହ୍ୟ କଳେବରର ରୂପ ଏକ ସବୁଜ ବର୍ଣ୍ଣର ଗୋଲକ ଅଟେ । ଏହା ବିଶ୍ୱର ଯୌବନାବସ୍ଥା ରୂପେ କଳ୍ପନା କରାଯାଇଛି । ବିଶ୍ୱର ଜନ୍ମ ବା ବିଗ୍ବ୍ୟାଙ୍ଗ୍ ପରର ବାଲ୍ୟାବସ୍ଥା ଥିଲା ନୀଳବର୍ଣ୍ଣ ଓ ପ୍ରୌଢାବସ୍ଥାରେ ଏହା ଲୋହିତ ବର୍ଣ୍ଣ ଧାରଣ କରିବାର ଚିନ୍ତାଧାରାରୁ ଅନୁମେୟ ହେଉଛି ଯେ, ଜନ୍ମରୁ ଏ ବିଶ୍ୱ ଅନବରତ ବର୍ଣ୍ଣ ବଦଳାଇ ଚାଲିଛି । ତେବେ ଅନନ୍ତ ମହାଜାଗତିକ ଜଗତ ସମ୍ଭବତଃ ବର୍ଣ୍ଣପ୍ରବାହ ବାଦ ସହ ସଂଶ୍ଳିଷ୍ଟ ।
ବାସ୍ତବରେ ଏହି ବର୍ଣ୍ଣ ବୈଚିତ୍ରତା ହିଁ ମାନବର ଦୈନନ୍ଦିନ ଜୀବନ ସ୍ରୋତ ସହ ସୂକ୍ଷ୍ମ ଓ ସ୍ଥୂଳ ଭାବେ ଜଡିତ । ସୂର୍ଯ୍ୟକିରଣ ଚିକିତ୍ସା (Chromopathy)ରେ ତିନୋଟି ପ୍ରାଥମିକ ରଙ୍ଗ ଲାଲ୍, ନୀଳ ଓ ସବୁଜ ଓ ଏମାନଙ୍କ ବିଭିନ୍ନାନୁପାତିକ ସଂଯୋଗର ପ୍ରବାହରେ ରୋଗ ନିରାକରଣ କରାଯାଇ ପାରୁଛି । ଏଠାରେ ନୀଳ – ଶୀତଳତା, ସବୁଜ – ସତେଜତା ବା ମଧୁରତା ଓ ଲାଲ୍ ଉଷ୍ମତାର ପ୍ରତୀକ ରୂପେ ଗ୍ରହଣ କରାଯାଇଛି । ଏହା ଯଥାକ୍ରମେ କଫ, ବାତ ଓ ପୀତ୍ତ ସମ୍ଭନ୍ଧୀୟ ରୋଗର କାରଣ ଓ ନିଦାନ ଅଟେ । ଏହି ତ୍ରିବର୍ଣ୍ଣ ଶୋଭାରେ ମଣ୍ଡିତ ହୋଇଥିବା ପ୍ରକୃତିରୁ ଝରି ପଡୁଛି ଅନାବିଳ ସୁଧାରସ, ଯାହାକୁ ପାନ କରି କବି, ଭାବୁକ ଓ ଦାର୍ଶନିକଗଣ ଆନନ୍ଦରେ ଆତ୍ମହରା ହେଉଛନ୍ତି । ନୀଳ ଗଗନରେ ଉଦିତ ଓ ଅସ୍ତଗାମୀ ସୁର୍ଯ୍ୟର ଲୋହିତ ବର୍ଣ୍ଣ ପ୍ରବାହକୁ ଧରଣୀରାଣୀ ସବୁଜ ବର୍ଣ୍ଣର ପାଟ ପରିଧାନ କରି ସ୍ୱାଗତ କରୁଅଛି । ସୁଜଳା ସୁଫଳା ଓ ଶସ୍ୟଶ୍ୟାମଳା ବସୁନ୍ଧରାରେ ଜୀବଜଗତ ପାଇଁ ଭରି ରହିଛି ଅସରନ୍ତି ବର୍ଣ୍ଣ ବୈଚିତ୍ର୍ୟଧାରା । ସଧବା ନାରୀର ମଥାରେ ଶୋଭିତ ଲାଲ୍ ସିନ୍ଦୂର ଟୋପା ଓ ଭକ୍ତର କପାଳରେ ସିନ୍ଦୂର ଗାର ସୁସ୍ଥ ଓ ଶୃଙ୍ଖଳିତ ଜୀବନ ଧାରାର ପ୍ରତିଫଳିତ କରାଇଥାଏ । ଅଦୃଶ୍ୟ ଆତ୍ମାର ବର୍ଣ୍ଣକୁ ନୀଳ ବର୍ଣ୍ଣରୂପେ ପରିକଳ୍ପନା କରା ଯାଉଛି । ଈଶ୍ୱରଙ୍କ ଅବତାର ବାଦରେ ମଧ୍ୟ ବର୍ଣ୍ଣ ପ୍ରବାହ ବାଦର ସଂଯୋଗ ଥିବାର ଜଣାଯାଏ । “ନବଦୁର୍ବାଦଳ ରାମ – ଅତସୀ କୁସୁମ ଶ୍ୟାମ” ପରି ଆଧ୍ୟାତ୍ମିକ ପରିକଳ୍ପନା ହିଁ ଏହାର ଉଦାହରଣ । ବିଶ୍ୱରୂପରେ ମଧ୍ୟ ଅର୍ଜୁନ ସକଳ ବର୍ଣ୍ଣାଳୀର ବିଚିତ୍ର ଦୃଶ୍ୟ ଓ ବିଶ୍ୱର ବୟସାନୁପାତିକ ବର୍ଣ୍ଣ ପ୍ରବାହର ଆଭାରେ ଉଦ୍ଭାସିତ ହୋଇଉଠିଥିଲେ । ଏହା ଆଧ୍ୟାତ୍ମିକତା ଓ କ୍ୱାଣ୍ଟମ୍ ବର୍ଣ୍ଣ ପ୍ରବାହ ବାଦର ଅପୁର୍ବ ମିଳନ(Coupling of divine thought and quantum chromodynamics)ର ନିଦର୍ଶନ ସଦୃଶ ପ୍ରତୀୟମାନ ହେଉଅଛି ।
ଅଷ୍ଟାଦଶ ଦିବସ ବ୍ୟାପି ହୋଇଥିବା ହୋଇଥିବା ମହାଭାରତ ଯୁଦ୍ଧର ପ୍ରାରମ୍ଭରୁ ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ଅଷ୍ଟାଦଶ ଅଧ୍ୟାୟ ଗୀତାବାଣୀ ଶୁଣାଇ ବିଶ୍ୱରୂପ ଦର୍ଶନରେ ଶ୍ରୀକୃଷ୍ଣ ଦେଖାଇଛନ୍ତି ଏହିଯୁଦ୍ଧର ପୂର୍ବ ଓ ଏହାର ସମସ୍ତ ଭବିଷ୍ୟତ ଫାଳାଫଳର ଚଳଚ୍ଚିତ୍ର । ଅର୍ଜୁନ ସ୍ୱୟଂ ଯୁଦ୍ଧ କରୁଥିବାର ଦିବ୍ୟଚକ୍ଷୁରେ ଦର୍ଶନ କରିଛନ୍ତି । ଦୁଇ ସେନାଙ୍କ ମଧ୍ୟରେ କେତେ ବା ସମୟ ଧରି ବାକ୍ୟ ବିନିମୟ ଚାଲିଥିବ ? ରଣମୁଖୀ ସେନାଙ୍କୁ ସଂଗ୍ରାମ ଭୂମିରେ ସ୍ଥାଣୁ କରି ରଖିବା ଓ ଯୁଦ୍ଧର ଅତୀତ ଏବଂ ଭବିଷ୍ୟତର ଘଟଣାବଳୀକୁ ଦେଖିଚାଲିବାର ଆଧ୍ୟାତ୍ମିକ ଚେତନା ଆଦିକୁ କିୟଦାଂଶରେ ବିଜ୍ଞାନାଭିମୁଖୀ କରିବାର ପ୍ରଚେଷ୍ଟା କରାଯାଇପାରେ ।
ମହାକାଳର କରାଳ ଗର୍ଭ ହିଁ ଶ୍ରୀକୃଷ୍ଣଙ୍କ ବିଶ୍ୱରୂପ, ଯେଉଁଠି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଲିପିବଦ୍ଧ ହୋଇ ରହିଅଛି, ଯାହାକୁ ବିଧିର ବିଧାନ କୁହାଯାଏ । ସମୟର ଅନାଦି ଓ ଅନନ୍ତ ରୂପରେ ସବୁକିଛି ଦୃଶ୍ୟମାନ ହୁଏ ଦିବ୍ୟଦୃଷ୍ଟି ପ୍ରାପ୍ତ ମାନବକୁ । ଶ୍ରୀକୃଷ୍ଣରୂପୀ ସମୟ ଅକ୍ଷର ଘୂର୍ଣ୍ଣନ ଦ୍ୱାରା ପୂର୍ବ – ପର ଘଟଣାର ପରିପ୍ରକାଶ ହୋଇଥିବ । ସମୟ ପ୍ରଭାବର ମନ୍ଦାନ୍ୱିତ ବା ପଶ୍ଚାତ୍ଗାମୀ ଓ ତ୍ୱରାନ୍ୱିତ ବା ଅଗ୍ରଗାମୀରୁ ଯଥାକ୍ରମେ ଅତୀତ ଓ ଭବିଷ୍ୟତ ଘଟଣାର ଦୃଶ୍ୟମାନ ହେବା ଅନୁମେୟ ।ଦିବ୍ୟ ନେତ୍ରର ଅସାଧାରଣ ଶକ୍ତି ବଳରେ କ୍ୱାର୍କଠାରୁ ଆରମ୍ଭକରି ଅନନ୍ତ ବିଶ୍ୱର ମହାଜାଗତିକ ଘଟଣାବଳୀ ଏବଂ କାଳ୍ପନିକ ସମୟ ଅକ୍ଷରେ ସବୁର ବିଲୀନ ଓ ସୃଷ୍ଟି ହେବାର ଦୃଶ୍ୟମାନ ହୋଇଥିବ । ଯେହେତୁ ସମସ୍ତ ସୃଷ୍ଟି ସମୟର ଅଧିନ, ତେଣୁ ଏହାର ମନ୍ଦାନ୍ୱିତ ଓ ତ୍ୱରାନ୍ୱିତ ପ୍ରବାହକୁ ଅନୁଭବ କରିବା ଅସମ୍ଭବ ବରଂ ଦିବ୍ୟଦୃଷ୍ଟି ଦ୍ୱାରା ଘଟଣାଗୁଡିକୁ ଦର୍ଶନ କରିହେବ । ଯେପରି ପୃଥିବୀବାସୀ ଏହାର ଆବର୍ତ୍ତନ ପରିକ୍ରମଣ ଗତିକୁ ଅନୁଭବ କରିପାରନ୍ତି ନାହିଁ, କିନ୍ତୁ ଏହାଯୋଗୁଁ ଦିବସ – ରଜନୀ ଓ ୠତୁଚକ୍ରର ପ୍ରଭାବରୁ ଘଟୁଥିବା ଦୃଶ୍ୟାବଳୀମାନ ଦୃଷ୍ଟିଗୋଚର ହୁଏ । ତେଣୁ କୃଷ୍ଣାର୍ଜୁନ ବାର୍ତ୍ତାଳାପର ପ୍ରଭାବ କୁରୁକ୍ଷେତ୍ରର ଉଭୟ ସେନାଙ୍କ ପାଇଁ ପ୍ରାୟ ଅନୁଭୂତ ହୋଇନ’ଥିବ । ବିଗ୍ବ୍ୟାଙ୍ଗ୍ କହେ ଆଦିବଳ ବା ମହାକର୍ଷଣୀୟ ବଳରୁ ଅନ୍ୟ ବଳ ତ୍ରୟର ଉତ୍ପତ୍ତି ଓ ମହାକର୍ଷଣୀୟ ତରଙ୍ଗ ବିଶ୍ୱ ପରିସରକୁ ସଂକୋଚନ ଏବଂ ସମ୍ପ୍ରସାରଣ ଜରିଆରେ ଦୋଳାୟମାନ କରୁଛି ଓ ଏହି ବଳର ମାତ୍ରା ଯେଉଁଠି ଅନନ୍ତ ସେଠାରେ ସମୟର ପ୍ରଭାବ ସ୍ଥିର ହୋଇଯାଏ । ଏହାହିଁ କୃଷ୍ଣଗର୍ତ୍ତର ପରିବେଶ । ତେଣୁ ଆଦିବଳଯୁକ୍ତ ମହାକାଳ ସ୍ୱରୂପ, ଶ୍ରୀକୃଷ୍ଣ ଯୁଦ୍ଧଭୂମିରେ ଦଣ୍ଡାୟମାନ ହୋଇଛନ୍ତି ଓ ସବୁ ବଳର ଏକତ୍ରୀକରଣ ଘଟିଛି । କୁରୁକ୍ଷେତ୍ର ପାଲଟିଯାଇଥିବ ସମଗ୍ର ବିଶ୍ୱର କେନ୍ଦ୍ରବିନ୍ଦୁ । ସବୁକିଛି ଏକାକାର ହୋଇ କୃଷ୍ଣଗର୍ତ୍ତର କରାଳ ପରିବେଶ ସୃଷ୍ଟି ହୋଇଥିବ । ଉଭୟ ସେନାଙ୍କ ପାଇଁ ସମୟ ସ୍ଥିର ହୋଇଯାଇଥିବ। କେବଳ ସମୟ ସ୍ରୋତରେ ନିମଜ୍ଜିତ ଥିବେ ପାର୍ଥ ଓ ସଞ୍ଜୟ ।
ତେବେ କୁରୁକ୍ଷେତ୍ରର ଅନ୍ୟ ଏକ ଘଟଣାକୁ ଏଠାରେ ସ୍ମରଣ କରାଯାଇ ପାରେ ଯେ, ଘଟୋତ୍କଚର ପୁତ୍ର ବାର୍ବରିକ୍ର କଟା ମସ୍ତକ ସ୍ତମ୍ଭ ଉପରେ ଜୀବିତ ରହି ଓ ନିଜର ଅଭିଳାଷ ପୂରଣାର୍ଥେ, ଶ୍ରୀକୃଷ୍ଣଙ୍କ ଠାରୁ ଦିବ୍ୟଦୃଷ୍ଟି ପାଇ ସେଠାର ସମସ୍ତ କ୍ରିୟାକୁ ମଧ୍ୟ ଅବଲୋକନ କରୁଥିଲା । ଅଠରଦିନ ପରେ ବାର୍ବରିକ୍ କହିଲା ଯେ, କେବଳ ସୁଦର୍ଶନ ଚକ୍ରହିଁ ସବୁକିଛି କରୁଥିଲା । ତେଣୁ ବାର୍ବରିକ୍ର ଦିବ୍ୟଦୃଷ୍ଟି କାଳଚକ୍ରର କରାଳତାକୁ ଦର୍ଶନ କରୁଥିଲା, ଯାହା ଅତ୍ୟୁଚ୍ଚ ମହାଜାଗତିକତାକୁ ସ୍ପର୍ଶ କରେ । ଯେହେତୁ ସୃଷ୍ଟି, ପାଳନ ଓ ସଂହାର ପରସ୍ପର ଅଭିନ୍ନ, ତେଣୁ ଏହାକୁ ତୃତୀୟ ନୟନ ମଧ୍ୟ କୁହାଯାଇପାରେ । ବହୁ ସାଧୁ, ସନ୍ଥ, ମୁନି, ଯୋଗୀ … ଆଦି ନିଜସ୍ୱ ସାଧନା ବଳରେ ଭୂତ – ଭବିଷ୍ୟାଦିର ଜ୍ଞାତ ହେଉଥିଲେ ଏବଂ ସମାଜ – ମଙ୍ଗଳ ନିମିତ୍ତ ପ୍ରୟୋଗ କରୁଥିଲେ । କିନ୍ତୁ ଆଜିର ସମାଜରେ ଆଧ୍ୟାତ୍ମିକତାର ଦୂରୂପଯୋଗ ଅତ୍ୟନ୍ତ ଭାବେ ବୃଦ୍ଧି ପାଇ ଚାଲିଛି । ସ୍ୱଘୋଷିତ ଭଣ୍ଡ ଭଗବାନ ଓ ମାଳ ମାଳ ଭଣ୍ଡ ଭକ୍ତଙ୍କ ସମାବେଶରେ ଜର୍ଜରିତ ହୋଇ ଉଠୁଛି ଏ ସମାଜ । ଦଣ୍ଡପ୍ରାପ୍ତ ହେବାର ଦେଖି ମଧ୍ୟ ସ୍ୱଭାବ ବଦଳୁନି ଓ ଏହାର ପୁନଃ ପୁନଃ ଆବିର୍ଭାବ ଘଟୁଛି । ସେଥିପାଇଁ ବୋଧହୁଏ କୁହାଯାଇଛି – “କଳିଯୁଗେ ନର ନାରୀ ………… ହେବେ ଜାଣ ପାପାଚାରୀ” । ଯଦି ବିଜ୍ଞାନ ଓ ଆଧ୍ୟାତ୍ମିକତାର ଦୂରୂପଯୋଗକୁ ରୋକା ନ’ଯାଏ, ତେବେ ଏ ଜୀବ ଜଗତର ଧ୍ୱଂସ ଅବିଳମ୍ବେ ଘଟିବ । ଏଥିରେ ସନ୍ଦେହ ନାହିଁ ।
ଆମ ବିଶ୍ୱର ଅତୀତ ଦୃଶ୍ୟପଟ୍ଟର ଏକ ନମୁନା ପ୍ରକାଶ କରି ନୋବେଲ୍ ପୁରସ୍କାର ପ୍ରାପ୍ତ ହୋଇଛନ୍ତି ଦୁଇଜଣ ମାର୍କିନ୍ ଜ୍ୟୋତିଃ ପଦାର୍ଥ ବିଜ୍ଞାନୀ ଜନ୍. ସି. ମାଥେର୍ (John C Mather) ଓ ଜର୍ଜ ଏଫ୍. ସ୍ମୁଟ୍ (George F. Smoot) । ମହାବିସ୍ଫୋରଣରୁ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିହେବାର 3,80,000 ବର୍ଷ ପରେ ଏହା କିପରି ଥିଲା ତାହାର ସ୍ପଷ୍ଟ ପ୍ରାମାଣିକ ଚିତ୍ର ପ୍ରଦାନ କରିଛନ୍ତି । ତାରକା ଓ ଗ୍ୟାଲାକ୍ସିଗୁଡିକର ଉତ୍ସ ତଥା ସୁଦୂର ମହାକାଶରୁ ଆସୁଥିବା ମହାଜାଗତିକ ତରଙ୍ଗ(Cosmic Rays) ଗୁଡିକୁ ଏକ ମହାଜାଗତିକ ପୃଷ୍ଠଭୂମି ଅନୁସନ୍ଧାନକାରୀ (Cosmic Back-ground Explorer – COBE) ସହାୟତାରେ ସଂଗ୍ରହ କରି ଓ ଏହାର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଦ୍ୱାରା ଅତୀତ ବିଶ୍ୱର ଚିତ୍ରପଟ୍ଟ ଉପରେ ନୂତନ ତଥ୍ୟ ପ୍ରଦାନ କରିଛନ୍ତି । ବର୍ତ୍ତମାନର ଭିତ୍ତିଭୂମି ଉପରେ ଅନୁଧ୍ୟାନ କରି ଅତୀତ ବିଶ୍ୱର ରୂପରେଖ ଦର୍ଶାଯାଇଛି । ସତରେ ଏହି ସଫଳତା, ଦିବ୍ୟଦୃଷ୍ଟି ଦ୍ୱାରା ବିଶ୍ୱରୂପ ଦର୍ଶନ କରିବା ସହ କେତେକାଂଶରେ ମେଳ ଖାଉଛି । ସେହିପରି ବିଶ୍ୱବ୍ରହ୍ମାଣ୍ଡର ସୁଦୂର ଭବିଷ୍ୟତ ଚିତ୍ରପଟ୍ଟ, ଗାଣିତିକରୂପ ଓ ପରୀକ୍ଷାଣାତ୍ମକ ପ୍ରମାଣର ସମ୍ଭାବନାକୁ ଏଡାଇ ଦିଆଯାଇ ନ’ପାରେ ।
ମହାନ୍ ଭାରତବର୍ଷର ମହାନ୍ ସଂସ୍କୃତିକୁ ସକଳ ଜ୍ଞାନର ଆଧାର ରୂପେ ଗ୍ରହଣ କରିବାରେ କୌଣସି ଅଯୌକ୍ତିକତାର ପରିଲକ୍ଷିତ ପ୍ରାୟ ହେଉନାହିଁ ।ଏହାକୁ ଭିତ୍ତିକରି ବିଜ୍ଞାନ ଆଗକୁ ମାଡି ଚାଲିବାର ପ୍ରତୀୟମାନ ହେଉଅଛି । ଏ ବ୍ରହ୍ମମୟ ଜଗତକୁ ବୁଝିବାପାଇଁ ସୃଷ୍ଟିର ଶ୍ରେଷ୍ଠଜୀବ ମାନବର ଅବଦାନ ପରେ ଅବଦାନ ଅତୁଳନୀୟ ଅଟେ । ଅସରନ୍ତି ଇନ୍ଧନ ଭଣ୍ଡାର ଅର୍ଥାତ୍ ଦିବ୍ୟଦୃଷ୍ଟିର ପ୍ରତିବିମ୍ବ ସଦୃଶ ଚତୁର୍ବେଦ, ଗୀତା, ଅଷ୍ଟାଦଶ ମହାପୁରାଣ ………. ଇତ୍ୟାଦି ଗ୍ରନ୍ଥମାନ ସୃଷ୍ଟି ହୋଇଅଛି । ବିଜ୍ଞାନର ଅନେକ ରହସ୍ୟ ଓ ଅମୀମାଂସିତ ଜଟିଳ ସମସ୍ୟାର ସମାଧାନ ସୂତ୍ର ଏଥିରେ ଲୁକ୍କାୟିତ ଥିବାର ବୋଧଗମ୍ୟ ହେଉଅଛି । ଏହାର ସରଳୀକରଣ ଓ ପରୀକ୍ଷାଣାତ୍ମକ ପ୍ରମାଣ ପାଇଁ ଆହୁରି ଅସଂଖ୍ୟ ଅଙ୍କାବଙ୍କା, କଣ୍ଟକିତ, ଦୁର୍ଗମ, ବିପଦଶଙ୍କୁଳ ଆଦି ମାର୍ଗ ବୁଢୀଆଣି ଜାଲ ସଦୃଶ ବିଛେଇ ହୋଇ ରହିଅଛି । ଯଦିଓ ଆଧ୍ୟାତ୍ମିକ ଭାବ,ଚେତନା, ପରିକଳ୍ପନା, ଅଭିଜ୍ଞତା ……… ଆଦିର ପ୍ରମାଣ ପରୀକ୍ଷାଗାରରେ ଅସମ୍ଭବ ମନେହୁଏ, ତଥାପି କୁହେଳିକାମୟ ଜଗତକୁ ବୁଝିବାପାଇଁ ସନ୍ଧାନୀ ମନ ବ୍ୟାକୁଳ ହେବା ସ୍ୱାଭାବିକ । ଜ୍ଞାନଘର ଭଜନରେ ଦର୍ଶାଯାଇଛି -“ବଙ୍କୁନାଳ ବାଟରେ ଚଳ …. ଦେଖିବୁ ତୁ ଦିବ୍ୟ ମଣ୍ଡଳ” । ତେଣୁ ସମାଜ ମଙ୍ଗଳାର୍ଥେ ଆଜିର ପ୍ରତ୍ୟେକ ବିଜ୍ଞାନୀ ପ୍ରକୃତିରେ ଭରି ରହିଥିବା ଗୋପନ ରହସ୍ୟାଦିର ଉନ୍ମୋଚନ ନିମିତ୍ତ ଦୃଢ ମନୋବଳ ନେଇ ବଳିଷ୍ଠ ଉଦ୍ୟମ ଜାରି ରଖିବା ଶ୍ରେୟସ୍କର ଅଟେ ।
(1) Published in the College Magazine, “PURABI”, Dharanidhar Autonomous Collega, Keonjhar, Odisha.
(2) Published in ଦିଗ୍ବଳୟ ‘Digbalay’ Feb – 2018 – Popular Science Magazine in Odia, in 35th Convention of Orissa Physical Society, Odisha .
.