ଗିରି ଗୋବର୍ଦ୍ଧନ ଧାରଣ ଓ ପ୍ରକୃତି ପୂଜା

ଗିରି ଗୋବର୍ଦ୍ଧନ ଧାରଣ ଓ ପ୍ରକୃତି ପୂଜା

ଆଦିମ ଯୁଗରେ ମାନବର ଜୀବନ ଯାପନ ପ୍ରଣାଳୀ ସରଳ ଓ ନିରାଡମ୍ବର ଥିଲା । ପ୍ରଥମେ ସେ ଜଙ୍ଗଲର ଫଳମୂଳ ଓ କଞ୍ଚାମାଂସ ଆଦି ଭକ୍ଷଣ କରୁଥିଲା ଓ ପ୍ରକୃତି  ସହ ମିଳିମିଶି ଚଳିବାରେ ଅଭ୍ୟସ୍ତ ଥିଲା । ପୁରାତନ ପ୍ରସ୍ତର ଯୁଗରୁ ବିଭିନ୍ନ ସ୍ତର ଦେଇ ମାନବ ଆଜି ଅତ୍ୟାଧୁନିକ ଯୁଗରେ ପଦାର୍ପଣ କରିଛି । ଲଙ୍ଗଳା ମଣିଷ ବସ୍ତ୍ର       ପିନ୍ଧିବା ଓ ସଭ୍ୟତାର କ୍ରମ ଉନ୍ନତି ହେବା ସହିତ ମାନବ କୃତ୍ରିମତା ପ୍ରତି ଆକର୍ଷିତ ହେବାରେ ଲାଗିଛି । ଜନ ବିସ୍ଫୋରଣ କାରଣରୁ ଖାଦ୍ୟପେୟ, ବାସଗୃହ,  ଗୃହୋପକରଣ , ବସ୍ତ୍ରାଦି ଓ ଅନ୍ୟାନ୍ୟ ସାମଗ୍ରୀର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଗମନାଗମନ ଓ ଯୋଗାଯୋଗ ପ୍ରକ୍ରିୟାରେ ଦ୍ରୁତ ଉନ୍ନତି ଘଟିଛି । ଜନ୍ମଲାଭ  କରୁଛି ନୂଆ ନୂଆ ବ୍ୟାଧି ଓ ତାହାର ନିରାକରଣ ନିମିତ୍ତ ଗବେଷଣାମାନ କରାଯାଉଛି । ଜୀବନ ଯାପନ ପ୍ରଣାଳୀରେ ଭରିହୋଇ ଯାଇଛି ବିଳାସବ୍ୟସନର ଅଭିନବ  ସୃଷ୍ଟି । ଦେଶ ଦେଶ ମଧ୍ୟରେ ସଂଘର୍ଷ ଆଶାତୀତ ଭାବେ ବୃଦ୍ଧି ପାଇଛି । ପ୍ରଥମ ବିଶ୍ୱଯୁଦ୍ଧ ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ତାହାର ଭୟଙ୍କର ପରିଣାମ ଅଦ୍ୟାବଧି ମାନବ  ଭୋଗି ଚାଲିଛି । ବାୟୁ, ଜଳ, ଖାଦ୍ୟ, ମୃତ୍ତିକା ……… ଆଦି ଭୟଙ୍କର ରୂପେ ପ୍ରଦୂଷିତ ହୋଇଉଠିଛି । ଜଙ୍ଗଲ ଧ୍ୱଂସ, ଶିଳ୍ପ ବିପ୍ଳବ, …….. ଆଦି କାରଣରୁ ବାୟୁ ମଣ୍ଡଳରେ ଥିବା ଜୀବଜଗତର ରକ୍ଷାକର୍ତ୍ତା ଓଜୋନ୍‍ସ୍ତରରେ ଗର୍ତ୍ତମାନ ସୃଷ୍ଟି ହେବାରେ ଲାଗିଛି । ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଓ ସବୁଜ ଗୃହର ପ୍ରଭାବ (Green House Effect) ଅନୁଭୂତ ହେଉଛି । ଫଳରେ ଭୂ – ତାପ ବୃଦ୍ଧି(Global Warming) ଘଟୁଅଛି ଓ ମେରୁ ଅଞ୍ଚଳର ବରଫ ଖଣ୍ଡମାନ ତରଳି  ସମୁନ୍ଦ୍ର ପତ୍ତନର  ବୃଦ୍ଧିପ୍ରାପ୍ତ ହେଉଅଛି । ଭୟଙ୍କର ଭୂମିକମ୍ପ, ସୁନାମି, ବନ୍ୟା, ବାତ୍ୟା ଓ ମରୁଡି ଆଦି ଫଳରେ କଳ୍ପନାତୀତ ଧନଜୀବନ ନଷ୍ଟ ହେଉଛି । ଜଳ, ସ୍ଥଳ ଓ ଆକାଶ ବିଭିନ୍ନ  ପ୍ରଦୂଷଣରେ ଭୟଙ୍କର ଭାବେ ପ୍ରଦୂଷିତ ହୋଇ ଉଠିଛି । ଯେଉଁ ମାନବ ପ୍ରକୃତି ସହ ଖାପ ଖୁଆଇବା ସହ ଷଡୠତୁ ଚକ୍ରରେ ନିଜର ସୀମିତ ଉପକରଣରେ ତିଷ୍ଠି ରହି     ପାରୁଥିଲା, ଆଜି ତାହା ସମ୍ପୂର୍ଣ୍ଣରୂପେ ଅସମ୍ଭବ ହୋଇପଡିଛି । ଶୀତତାପ ନିୟନ୍ତ୍ରିତ କୋଠରୀରେ ରହି ମଧ୍ୟ ରୋଗ ଯନ୍ତ୍ରଣାରୁ ମୁକ୍ତି ମିଳୁନାହିଁ । ବଞ୍ଚିବାର ଘୋର  ସଂଘର୍ଷରେ ମାନବ ବ୍ୟତିବ୍ୟସ୍ତ ହୋଇଊଠିଛି । ପ୍ରାକୃତିକ ପରିବେଶର ଘୋର ସଂକୋଚନ ହେବା ସହ ପ୍ରକୃତିଠାରୁ ଆଜିର ଅତ୍ୟାଧୁନିକ ମଣିଷ  ବହୁ ଦୂରକୁ ଠେଲି  ହୋଇ ଯାଇଛି । କାହିଁଗଲା ସେକାଳର ମନୋରମ ପରିବେଶ ! ଦିନକୁଦିନ ବିଭିନ୍ନ ପ୍ରଜାତିର ଜୀବ ଓ ବୃକ୍ଷାଦିର ବିଲୋପ ଘଟୁଛି । ବସନ୍ତର ମୃଦ୍ୟୁ ମଳୟ ସ୍ୱପ୍ନ ସଦୃଶ ପ୍ରତୀୟମାନ ହେଉଛି । ଧୂମକୁଣ୍ଡଳୀ ଓ ଘନ କୁହୁଡିରେ ସହରଗୁଡିକ ଆଚ୍ଛାଦିତ ହୋଇ ରହିଛି । ତେଣୁ ସେଠାରେ ନୀଳ ନଭ ଦୃଶ୍ୟମାନ ହେଉନାହିଁ । କିନ୍ତୁ ଦେଶ  ବନ୍ଦନାରେ ଭରି ରହିଥିବା ପ୍ରକୃତିର ଶୋଭା ଓ ଲୋମ ଟାଙ୍କୁରି ଉଠୁଥିବା ଭାବ, ଯଥା –

“ଘନ ଘନ ବନ ଭୂମି ରାଜିତ ଅଙ୍ଗେ — ନୀଳ ଭୂଧରମାଳା ସାଜେ ତରଙ୍ଗେ                                                                                                               କଳ କଳ ମୁଖରିତ ଚାରୁ ବିହଙ୍ଗେ — ଜନନୀ ଜନନୀ ଜନନୀ ………… “

ମାନବ ସମାଜକୁ ଏକତାର ମନ୍ତ୍ରରେ ପ୍ରାକୃତିକ ଢାଞ୍ଚାରେ ବାନ୍ଧି ରଖିଛି । ତଥାପି ଆଦ୍ୟ  ସଭ୍ୟତାର ପ୍ରକୃତି ପୂଜା ଛାଡି ଓ ପ୍ରକୃତି ସହ ଟକ୍‍କର ଦେଇ ଆଜିର ପ୍ରାୟ  ମାନବ ବ୍ୟକ୍ତିକୈନ୍ଦ୍ରିକ ପୂଜାରେ ଅଭ୍ୟସ୍ତ । ଏଥିପାଇଁ ତ ଗୋକୁଳବାସୀଙ୍କୁ ଦିନେ ଗୋପାଳ  ବାଳକ କୃଷ୍ଣ ଚେତାବନୀ ଦେଇ କହିଥିଲେ ପ୍ରକୃତିର  ପୂଜା କରିବାକୁ  ଓ ବ୍ୟକ୍ତିକୈନ୍ଦ୍ରିକ ପୂଜାରୁ ଦୂରେଇ ରହିବାକୁ । ଏହି ମାନବ ସମାଜ  କଲ୍ୟାଣକାରୀ  ବାର୍ତ୍ତା  ମାଧ୍ୟମରେ ସେ ପରିବେଶର ସନ୍ତୁଳନତା (Environmental Equilibrium) ରକ୍ଷା ନିମିତ୍ତ ଅଲୌକିକତାର ପ୍ରଦର୍ଶନ କରିଥିଲେ ।

ମହାନ୍‍ ଭାରତୀୟ ସଂସ୍କୃତିକୁ ବିଶ୍ଳେଷଣ କଲେ ଏହାର କୋଣେ, ଅନୁକୋଣେ ଓ ପ୍ରତିକୋଣରେ ବୈଜ୍ଞାନିକ ଚିନ୍ତନର ପରିସ୍ଫୁଟ ହୁଏ  ପୁରାତନ ଗ୍ରନ୍ଥଗୁଡିକରେ ଭରି  ରହିଥିବା ଦିବ୍ୟ ବାଣୀ ବିଶ୍ୱବାସୀ ମାନଙ୍କ ପାଇଁ ସଦା ସର୍ବଦା ଜାଗ୍ରତ ପ୍ରହରୀ ସଦୃଶ ଅଟେ । ବେଦ, ରାମାୟଣ, ମହାଭାରତ ……..  ଆଦିରେ ଯେଉଁ ସର୍ବ ଜ୍ଞାନ  ତତ୍ତ୍ୱର ପରିସ୍ଫୁଟ ହୁଏ, ତାହା ଅତୁଳନୀୟ । ସବୁ ଧର୍ମଭାବନାରେ ପ୍ରକୃତି ସହ କୌଣସିପ୍ରକାର ବିରୁଦ୍ଧାଚରଣ ନକରିବା ପାଇଁ  ମାନବ  ସମାଜ ପାଇଁ ପ୍ରତି ସ୍ତରରେ ସତର୍କ ଘଣ୍ଟି ବଜାଇ ଦିଆଯାଇଛି । ଏହା ଜୀବଜଗତ ତିଷ୍ଠି ରହିବାର ମୂଖ୍ୟ ମାର୍ଗ ଅଟେ । ଯଦି ପ୍ରକୃତି ସହ ଖେଳ ଖେଳାଯାଏ, ତେବେ  ପ୍ରକୃତି ସମୟ ସହ ତାଳ  ଦେଇ ଆମ ଉପରେ ପ୍ରତିଶୋଧ ନେବ । ଅର୍ଥାତ୍‍ ବିଭିନ୍ନ ଦିଗରୁ ଭୟଙ୍କର ବିପତ୍ତିମାନ ମାଡିଆସିବ । ଫଳରେ ଜୀବଜଗତ ଧ୍ୱଂସ ମୁଖକୁ  ଠେଲି ହୋଇ ଚାଲିବ ।କେତେକଙ୍କ ମତରେ ପୁରାତନ ସଂସ୍କୃତି କାଳ୍ପନିକ ବା ଅତିରଞ୍ଜିତ ହୋଇପାରେ, କିନ୍ତୁ ଆଜିର ବିଜ୍ଞାନ ଯୁଗରେ ଅସମ୍ଭବ ମନେ ହେଉଥିବା  କାର୍ଯ୍ୟଗୁଡିକ ସମ୍ଭବ  ହେଲାଣି । ପୌରାଣିକ ଜ୍ଞାନକୌଶଳ ଓ ଆଜିର ଯନ୍ତ୍ରଯୁଗର ଜ୍ଞାନ କୌଶଳ ମଧ୍ୟରେ ତଫାତ୍‍ ରହିଛି ଓ ରହିବ । କାରଣ ଜ୍ଞାନର ଅସୀମ ଭଣ୍ଡାରରୁ ଆମକୁ କିଛି ଜଣା  ଓ ଅନେକ କିଛି ଅଜଣା ଅଟେ । ତେଣୁ ପୁରା କାଳର କୌଶଳ, ଆଜିର ଯନ୍ତ୍ର କୌଶଳ ନିକଟରେ ଦୁର୍ବୋଧ୍ୟ ଅଟେ । ତେବେ ଅତୀତର  ସମଜାତୀୟ କୌଶଳକୁ  ଭିତ୍ତିକରି ବିଜ୍ଞାନ ବିଭିନ୍ନ ଦିଗରେ ପରିବ୍ୟାପ୍ତ ହେବାରେ ଲାଗିଛି ।  ଅତୀତରେ ମୁନି,ୠଷି ଓ ସାଧକ ମାନେ ଅନ୍ତର୍ଦ୍ଧାନ ଓ ଆବିର୍ଭାବ ହେବାସହ  ଅତୀତ ଏବଂ ଭବିଷ୍ୟତ ଚିତ୍ରପଟ୍ଟର ବର୍ଣ୍ଣନା କରିପାରୁଥିଲେ । ତାହା ଯୋଗମାର୍ଗ ଅଥବା ଭୌତିକଜ୍ଞାନ ବଳରେ ହୋଇଥାଇପାରେ । ସେହିପରି ଆଜିର ବିଜ୍ଞାନ ଏତାଦୃଶ ପରିପ୍ରକାଶକୁ ମଧ୍ୟ  କିଞ୍ଚିତ୍‍ ମାତ୍ରାରେ ସ୍ୱତଃସିଦ୍ଧ କରାଇ ପାରିଛି । ଯେପରି କଣିକା ଜଗତ(Particle World) , ଆଇନ୍‍ଷ୍ଟାଇନ୍‍ଙ୍କ ଆପେକ୍ଷିକ ତତ୍ତ୍ୱ(Theory of Relativity) …….  ଇତ୍ୟାଦି । ଇଲେକ୍‍ଟ୍ରନ୍‍ଟି କଣିକା ହୋଇଥିଲେ ମଧ୍ୟ ପରିବେଶ ଓ ପରିସ୍ଥିତିରେ ତରଙ୍ଗର ରୂପ ନିଏ ଅଥବା ଅଦୃଶ୍ୟ ହୁଏ । ସେହିପରି  ଆଲୋକ ମୂଳ ଭାବେ ତରଙ୍ଗ  ହୋଇଥିଲେବି ଅନୁକୁଳ ପରିବେଶରେ ଏହା କଣିକାରୂପୀ ଫୋଟନ୍‍(Photon)ର କାର୍ଯ୍ୟ କରେ । ଆପେକ୍ଷିକ ତତ୍ତ୍ୱରେ ସମୟର  ଗତି ମନ୍ଥର ହୋଇପାରିବାର ବୁଝାଯାଇଛି । ଫଳରେ ଦୁଇଜଣ ସମବୟସ୍କ ବ୍ୟକ୍ତି ମଧ୍ୟରୁ ଜଣେ ସ୍ଥିର ଓ ଅନ୍ୟ ଜଣେ ଆଲୋକର ବେଗ ପାଖାପାଖି ଗତି କଲେ,  ପ୍ରଥମବ୍ୟକ୍ତି ଦ୍ୱିତୀୟର ଅତୀତ  ଦେଖୁଥିଲା ବେଳେ ଦ୍ୱିତୀୟବ୍ୟକ୍ତି ପ୍ରଥମର ଭବିଷ୍ୟତ ଦେଖିପାରିବ । ପୁଣି ବିଶ୍ୱର କୌଣସି ବସ୍ତୁ ଆଲୋକର ବେଗରେ ଯିବା ଅସମ୍ଭବ , କାରଣ ବସ୍ତୁଟି ଅସୀମ ଶକ୍ତି  ଧାରକ ଓ ଅଦୃଶ୍ୟ ହେବାକୁ ଖଣ୍ଡନ କରୁଛି ବିଜ୍ଞାନର ତତ୍ତ୍ୱ । ତେଣୁ ଏହି ବୈଜ୍ଞାନିକ ତତ୍ତ୍ୱାବଳୀ ଆଦି ପୌରାଣିକ ତଥ୍ୟ ସହ କିଛି ମାତ୍ରାରେ ସମାନ୍ତରାଳର ଭାଷା ପ୍ରକାଶ କରୁଛି । ତେଣୁ ଗୋପାଳ ବାଳକ କୃଷ୍ଣ ଗିରି ଗୋବର୍ଦ୍ଧନକୁ ଶୂନ୍ୟରେ ଟେକି ଧରିବାର ସୂତ୍ର ଆଜିର ବୈଜ୍ଞାନିକ ତତ୍ତ୍ୱାବଳୀର  ସୀମାକୁ  ଅତିକ୍ରମ କରୁଛି, ଯାହା ଆମକୁ ଅଜଣା  ଅଟେ ।

ଗୋବର୍ଦ୍ଧନ ପର୍ବତର ପାଦଦେଶରେ ଗୋପପୁର ଓ ନିକଟରେ ଯମୁନା ନଦୀ କଳକଳ ନାଦରେ ପ୍ରବାହିତ । ନଦୀତଟ ଓ ପାହାଡର ପାଦଦେଶ ସମତଳ ଏବଂ ଉର୍ବର  ମୃତ୍ତିକା ଯୋଗୁଁ ଏହା ସଶ୍ୟ ଶ୍ୟାମଳା । ପୁଣି ବିସ୍ତୀର୍ଣ୍ଣ ଗୋଚର ଭୂମି ଥିବାରୁ ଗୃହପାଳିତ ପଶୁମାନଙ୍କୁ ପ୍ରଚୁର ପରିମାଣର ଖାଦ୍ୟ ମିଳିଥାଏ । ଗୋବର୍ଦ୍ଧନ ପର୍ବତ ହେତୁ     ଯମୁନାର ଜଳ, ସଶ୍ୟଶ୍ୟାମଳା କ୍ଷେତରୁ ଖାଦ୍ୟଶସ୍ୟ ଓ ପ୍ରଚୁର ଗୋଦୁଗ୍‍ଧ ମିଳୁଥିବାରୁ ଗୋପପୁରବାସୀ ଆନନ୍ଦରେ ଜୀବନ ଯାପନ କରୁଥିଲେ । ଏହି ଅଧିବାସୀଗଣ  ସେମାନଙ୍କର ପାରମ୍ପରିକ ପୂଜାପର୍ବ ମହାସମାରୋହରେ ପାଳନ କରନ୍ତି । ତନ୍ମଧ୍ୟରୁ ଦେବରାଜ ଇନ୍ଦ୍ରଙ୍କ ପୂଜା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ । ମେଘମାନଙ୍କ  ଅଧିପତି ଇନ୍ଦ୍ରଙ୍କ କୃପା ପାଇବାପାଇଁ ଏମାନେ ବଡ ସମାରୋହରେ ତାଙ୍କୁ ପୂଜାର୍ଚ୍ଚନା କରିଥା’ନ୍ତି । ଗୋପାଳମାନଙ୍କ ମୂଖ୍ୟ ନନ୍ଦରାଜାଙ୍କ ପୁତ୍ର ବାଳକ କୃଷ୍ଣ ଏହି ଇନ୍ଦ୍ରପୂଜା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରୁ , ରାଜ୍ୟବାସୀଗଣ ଏହାର ପ୍ରତିବାଦ କଲେ । କିନ୍ତୁ ତାଙ୍କ ଅକାଟ୍ୟ ଯୁକ୍ତି ଦ୍ୱାରା ସମସ୍ତେ ହାର ମାନିଲେ ।

ବାଳକ କୃଷ୍ଣ କହିଲେ – ହେ ମୋର ପ୍ରିୟ ଗୋପବାସୀଗଣ ! ଆଜି ଆମେ ଯେଉଁ ପବିତ୍ର ଯମୁନା ନଦୀ ଦେଖୁଛନ୍ତି, ତାହାର ଜଳ ବହିଆସୁଛି  ଗୋବର୍ଦ୍ଧନ ପର୍ବତରୁ ।      ଏହାର ତଟରେ ଥିବା ଉର୍ବର ଜମିରୁ ଆମେ ପ୍ରଚୁର ଶସ୍ୟ ଉତ୍ପାଦନ କରୁଛନ୍ତି । ଏହାର ଜଳ ପବିତ୍ର ପାନୀୟ ଜଳ ଅଟେ । କାରଣ ପର୍ବତରୁ ଔଷଧିୟ ବୃକ୍ଷ ଓ ଗୁଳ୍ମାଦିର  ସଂସ୍ପର୍ଶରେ ଆସି ଏହି ଜଳ ଯମୁନାରେ ପଡେ ଓ ଏହାକୁ ପାନକରି ଆମ୍ଭେ ବ୍ୟାଧିମୁକ୍ତ ଅଟନ୍ତି । ପର୍ବତର ପାଦଦେଶରେ ବିସ୍ତୀର୍ଣ୍ଣ ଚାରଣ ଭୂମି ପରିବ୍ୟାପ୍ତ ଥିବାରୁ  ଗୋପାଳନ ନିମିତ୍ତ ଅନୁକୁଳ ଅଟେ । ଫଳରେ ଗୋଦୁଗ୍‍ଧର ବନ୍ୟାରେ ଅମେ ଆଜି ପ୍ଳାବିତ । ଏହି ପର୍ବତକୁ ଘେରି ରହିଥିବା ଘଞ୍ଚ ଜଙ୍ଗଲରୁ ଆମେ ବିଭିନ୍ନ ବନଜାତ  ଦ୍ରବ୍ୟ ସଂଗ୍ରହ କରି ସୁଖକର ଜୀବନ ଯାପନ କରୁଛନ୍ତି । ଘଞ୍ଚ ବୃକ୍ଷରାଜି ଯୋଗୁଁ ଏ ସ୍ଥାନର ବାୟୁ ଶୀତଳ ଓ ନିର୍ମଳ ଅଟେ । ଏଠାରେ ଆମେ ଷଡୠତୁର ଅନୁଭୂତି ଲାଭ କରୁଛନ୍ତି । ଆକାଶର ବାଦଲଖଣ୍ଡ ଗୋବର୍ଦ୍ଧନ ପର୍ବତର ଶିଖରରେ ପିଟିହୋଇ ଏହି ଅଞ୍ଚଳର ଆକାଶରେ ଘନୀକରଣ ହେଉଛି ଓ ବର୍ଷାର ଅଭାବ ରହୁନାହିଁ । ଏହି  ବର୍ଷାହିଁ ଆମ୍ଭ ଜୀବନର ମୁଖ୍ୟ ଉପଦାନ ଅଟେ । ଏଠାରେ ଇନ୍ଦ୍ରଙ୍କ କୃପାରୁ ବର୍ଷା ହେଉନାହିଁ । ସବୁ ସୁଖର ମୂଳ କାରଣ ହେଉଛି ଗୋବର୍ଦ୍ଧନ ପର୍ବତ । ତେଣୁ ଇନ୍ଦ୍ରଙ୍କ  ପୂଜା ବନ୍ଦ୍‍କରି ପ୍ରକୃତିର ଜୀବନ୍ତ ଅବତାର ଗୋବର୍ଦ୍ଧନ ପର୍ବତର ପୂଜା କରିବା ଅତ୍ୟନ୍ତ ଜରୁରୀ ଅଟେ । ଏହା ଆମକୁ ବଞ୍ଚିବାର ସମସ୍ତ ରାହା ଯୋଗାଉଛି । ଏହି ପର୍ବତ  ହେଉଛି ଆମର ରକ୍ଷାକର୍ତ୍ତା । ଏହାଯୋଗୁ ଆମ୍ଭେ ଦିଗନ୍ତ ବ୍ୟାପି ଶସ୍ୟଶ୍ୟାମଳା କ୍ଷେତ ଦେଖୁଛନ୍ତି । ଗୋପପୁରର ଗୋ – ସମ୍ପତି ଆମକୁ ପ୍ରଚୁର ପରିମାଣରେ ଦୁଗ୍‍ଧ     ପ୍ରଦାନ କରୁଛନ୍ତି । ତେଣୁ ଗୋ – ପୂଜାହିଁ ପ୍ରକୃତି ପୂଜା । ପ୍ରକୃତିର ଚଳନ୍ତି ପ୍ରତିମା ଯମୁନା ନଦୀକୁ ପୂଜା କରିବା । କୌଣସି ବ୍ୟକ୍ତି ବିଶେଷର ପୂଜାର୍ଚ୍ଚନା  ଅନୁଚିତ  ଅଟେ । ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କଠାରୁ ଆଲୋକ ଓ ଉତ୍ତାପ ମିଳୁଛି । ଚନ୍ଦ୍ରଙ୍କଠାରୁ ଶୀତଳ ଆଲୋକ ପ୍ରାପ୍ତ ହେଉଛି । ପ୍ରାଣୀର ଦୈନନ୍ଦିନ ଜୀବନରେ ସୂର୍ଯ୍ୟ – ଚନ୍ଦ୍ର ଓତପ୍ରୋତ ଭାବେ ଜଡିତ । ତେଣୁ ସେମାନଙ୍କ ପୂଜା ବିଧେୟ ଅଟେ । ପ୍ରକୃତି ବିରୁଦ୍ଧରେ କୌଣସି କାର୍ଯ୍ୟ କଲେ ତା’ର ଫଳ ଅନିଷ୍ଟକାରୀ ହୁଏ । ତେଣୁ ଆମ  ସମ୍ମୁଖରେ ଥିବା ଗୋବର୍ଦ୍ଧନ ପର୍ବତ, ଯମୁନା ନଦୀ ଓ ଗୋ – ସମ୍ପଦର ରକ୍ଷଣା ବେକ୍ଷଣା କରିବା ଜରୁରୀ ଅଟେ । ଇନ୍ଦ୍ରପୂଜା ଏକ ରାଜ ତୁଷ୍ଟିକରଣ ପୂଜା , ଯାହା  ତୋଷାମୋଦକାରୀତାକୁ ବୁଝାଏ । ଏହି ବ୍ୟକ୍ତିକୈନ୍ଦ୍ରିକ ପୂଜାଦ୍ୱାରା ଆମର ଉନ୍ନତିତ ଅସମ୍ଭବ, କିନ୍ତୁ ନୈତିକ ଅଧୋଗତି ହେବ । ତେଣୁ ପ୍ରକୃତିକୁ ରକ୍ଷା କରିବା ଆମ୍ଭର କର୍ତ୍ତବ୍ୟ ଓ ପ୍ରକୃତିର ନିୟମରେ ଆମ୍ଭେ ସାମିଲ ହେବା ଉଛିତ୍‍ ।  ଗୋବର୍ଦ୍ଧନ ପର୍ବତ ଆମକୁ ବାଆ ବତାସରୁ ରକ୍ଷା କରୁଛି । ଯଦି ଏହି ପର୍ବତର ରକ୍ଷଣା ବେକ୍ଷଣା କରା  ନଯାଇ ଏହାକୁ ବିଲୁପ୍ତ କରାଯାଏ, ତେବେ ଏହି ରାଜ୍ୟ ଏକ ମରୁଭୂମିରେ ପରିଣତ ହେବ । ଯମୁନାର ଜଳ ଶୁଖିଯିବ ଓ ଗୋ -ସମ୍ପଦର ବିନାଶ ଘଟିବ ।  ସେତେବେଳେ କ’ଣ ଦେବରାଜ ଇନ୍ଦ୍ର ଆମକୁ ରକ୍ଷା କରିପାରିବେ ?

ଶିଶୁ ମୁଖରୁ ଏହି ଯୁଗାନ୍ତକାରୀ ଭୌଗୋଳିକ ଓ ବୈଜ୍ଞାନିକ ବାର୍ତ୍ତା ଶ୍ରବଣ କରି ଗୋପପୁରବାସୀ ବିମୋହିତ ହୋଇ ଉଠିଲେ । ଆରମ୍ଭ ହେଲା ଗିରି ଗୋବର୍ଦ୍ଧନ ପୂଜାର  ସମସ୍ତ ସଜବାଜ । କୋଳାହଳମୟ ହୋଇଉଠିଲା ଗୋପପୁର । ଶଙ୍ଖ, ଘଣ୍ଟା, ହରିବୋଲ ଓ ହୁଳହୁଳି ନାଦରେ ପ୍ରକମ୍ପିତ ହୋଇଉଠିଲା ଗଗନ ପବନ । ସର୍ବେ  ଗୋବର୍ଦ୍ଧନ ପର୍ବତର ପାଦଦେଶରେ ଠୁଳହେଲେ । ଯଥାରିତୀ ପୂଜାର୍ଚ୍ଚନା କରାଗଲା । ଯୁଗଯୁଗ ପାଇଁ ଏହିପୂଜା ରଚନା କଲା ସ୍ୱର୍ଣ୍ଣ ଇତିହାସ । ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ଅଟେ ।

ଆରମ୍ଭ ହେଲା ଇନ୍ଦ୍ରଙ୍କ କୋପ । ଦେବରାଜ ଇନ୍ଦ୍ରଙ୍କୁ ପୁଣି ଅବମାନନା ! ବଜ୍ରକାଠି ଓ ବଜ୍ରଶକ୍ତି ସହ ମଘବା  ଦମ୍ଭୋକ୍ତି ପ୍ରକାଶ କଲେ ।

ଆରେ ଆରେ ଗୋପାଳ ନନ୍ଦନ ……. ଜାଣିନୁ ତୁ ଇନ୍ଦ୍ର ଟାଣପଣ ।

ମୁହିଁ ଅଟେ ଶଚୀପତି ଇନ୍ଦ୍ର …….. ମୋର ଥାଟ ସେନା ସବୁ ରୁଣ୍ଡ ।

ଭ୍ରୁକୁଣ୍ଡ , ମର୍କାଣ୍ଡ ଓ ପେଟାଙ୍ଗ ……… ଶୁଷ୍କାଙ୍ଗ, ତ୍ରିଗଣ୍ଡ, ଗରଗଣ୍ଡ ।

ବାହାସ୍ଫୋଟ ମାରୁଛି କାଙ୍କଣ୍ଡ ……….ଗର୍ଜୁଅଛି ମହା ଚରଚଣ୍ଡ ।

କୋଳି ଖାଇ କୋଳିମଞ୍ଜି ପୋତୁ ….ବ୍ରହ୍ମାଣ୍ଡ ଶାସନେ ଆମ୍ଭେ କେତୁ ।

ଶୁଣ ଶୁଣ ରେ ନନ୍ଦ ନନ୍ଦନ ……… ମୋ ପୂଜାକୁ କଲୁ ତୁ ଖଣ୍ଡନ ।

ଜାଣିନାହୁଁ ମୋର ପରାକ୍ରମ ………. ଆସ ବେଗେ କରାଳ ବିକ୍ରମ ।

ଓଥରା, ବାତରା, ଘରଛଡା ………. ଥୋଡା ଥୋଡା ଆସରେ ମଗରା ।

କେତେ କାଳୁ ଥିଲ ଶୁଷ୍କ ହୋଇ ……… ଏବେ ଯାହା ପାଅ ଦିଅ ଖାଇ ।

ଆରେ ଐରାବତ ଉଚ୍ଚୈଶ୍ରବା ………. ଗୋପେ ଯାଇଁ ଭାଙ୍ଗ ତାଙ୍କ ଗ୍ରୀବା ।

ଜାଣିନାହୁଁ ମୋର ପରାକ୍ରମ ! ……. ଦନ୍ତେ ଧରି ଆସ ତୁ ତିରଣ ।

ପ୍ରତିଶୋଧର ଅଗ୍ନିରେ ସେ ଦଗ୍‍ଧ ହେବାକୁ ଲାଗିଲେ ।  ଚର୍ତୁମେଘ,ବିଜୁଳି, ଘଡଘଡି ଓ ପ୍ରଚଣ୍ଡ  ବତାସର  ତ୍ରାସରେ ଥରହର ହୋଇଉଠିଲେ ଗୋପପୁରବାସୀ ।ବ୍ୟକ୍ତିକୈନ୍ଦ୍ରିକ ପୂଜାରୁ ବିରତ ହେବାରୁ ଇନ୍ଦ୍ର କୋପ କରି ନିରୀହ ପ୍ରଜାମାନଙ୍କ ଉପରେ ଅତ୍ୟାଚାର  ଆରମ୍ଭ କଲେ ।ଏହାଦ୍ୱାରା ସ୍ୱୟଂ ଇନ୍ଦ୍ର ସୃଷ୍ଟି -ନିୟମର  ବିରୁଦ୍ଧାଚରଣ କଲେ । ତେଣୁ ପ୍ରକୃତିର ଅବତାର ବାଳକ କୃଷ୍ଣ ନିଜର ଅଲୌକିକତା ପ୍ରଦର୍ଶନ କରି ଇନ୍ଦ୍ରର ଗର୍ବ ଖଣ୍ଡନ କଲେ । ସେ ଗୋବର୍ଦ୍ଧନ ପର୍ବତକୁ ଉତ୍ତୋଳନ କରି ନିଜର ଅଙ୍ଗୁଳି ଅଗ୍ରରେ ଶୂନ୍ୟରେ ଧାରଣ କଲେ । ଗୋପପୁରବାସୀ ଓ ସମସ୍ତ ଗୋ – ସମ୍ପଦ ଆଦି ଗୋବର୍ଦ୍ଧନ ପର୍ବତ  ତଳେ ଆଶ୍ରୟ ନେଲେ । ଇନ୍ଦ୍ରଙ୍କ ବଜ୍ର, ବିଦ୍ୟୁତ୍‍, ଚର୍ତୁମେଘ, ଅଣଚାଶ ବାଆ ଆଦି ସବୁ ହାର ମାନିଲା ବାଳକ କୃଷ୍ଣଙ୍କ ନିକଟରେ । ଇନ୍ଦ୍ର ପରାଜୟ ସ୍ୱୀକାର କରି ଲୀଳାମୟଙ୍କ  ନିକଟରେ ଶରଣ ଭିକ୍ଷା କଲେ ।

ସୃଷ୍ଟିର ଧାରାରେ ଯାହାହିଁ ଘଟି ଚାଲିଛି ତାହା ପ୍ରାକୃତିକ ନିୟମ ଅଟେ । ଜଳଚକ୍ର, ବାୟୁଚକ୍ର, ଖାଦ୍ୟଚକ୍ର, ୠତୁଚକ୍ର, ଜୀବନଚକ୍ର ………… ଆଦି ଏଥିରେ ଅନ୍ତର୍ଭୁକ୍ତ ।ଇଲେକ୍‍ଟ୍ରନ୍‍, ଗ୍ରହ, ଗ୍ୟାଲାକ୍ସି … ଆଦି ସବୁ ଚଳନଶୀଳ । ବିଶ୍ୱର ସବୁ ପ୍ରକ୍ରିୟାଗୁଡିକ ପରସ୍ପର ନିର୍ଭରଶୀଳ ଅଟନ୍ତି । ଆମ ତରଫରୁ କୌଣସି ପ୍ରକ୍ରିୟାରେ ବ୍ୟାଘାତ      ସୃଷ୍ଟି କରାଗଲେ, ଏହା ସୃଷ୍ଟିର ନିୟମ ଧାରାରେ ଆଲୋଡନ ସୃଷ୍ଟିକରେ । ଏହି ଆଲୋଡନ ବିଭିନ୍ନ ରୂପରେ ପରିପ୍ରକାଶ ହୁଏ ।ମନେକର ପୃଥିବୀର ପରିକ୍ରମଣ ଓ  ଆବର୍ତ୍ତନକୁ କୌଣସି ଉପାୟରେ ବନ୍ଦ୍‍ କରି ଦିଆଗଲା । ତେଣୁ ପୃଥିବୀର ଏକ ପାର୍ଶ୍ୱ ଆଲୋକିତ ଓ ଗରମ ହେବା ସହ ଅନ୍ୟ ପାର୍ଶ୍ୱଟି ଅନ୍ଧକାର ଓ ଥଣ୍ଡା  ହୋଇ  ଚାଲିବ । ୠତୁଚକ୍ର ବନ୍ଦ୍‍ ହୋଇଯିବ ଓ ଏହି କାରଣରୁ ଜୀବଜଗତ ଧ୍ୱଂସ ହେବ । ପୁଣି ମହାକର୍ଷଣୀୟ ସନ୍ତୁଳନତାରେ ବିଭ୍ରାଟ ସୃଷ୍ଟି ହେବ ଅର୍ଥାତ୍‍ ସମଗ୍ର  ବିଶ୍ୱରେ ଏହା ଆଲୋଡନ ସୃଷ୍ଟି କରିବ । ଏତାଦୃଶ ପ୍ରାକୃତିକ ବିରୋଧୀ କାର୍ଯ୍ୟ ପୃଥିବୀବାସୀ ମାନଙ୍କ ଦ୍ୱାରା ଅହରହ କରାଯାଉଛି । ପୃଥିବୀ ପୃଷ୍ଠରୁ ଜଙ୍ଗଲ କ୍ଷୟ, ଶିଳ୍ପ ବିପ୍ଳବ,  ବହୁତଳ ପ୍ରାସାଦର ନିର୍ମାଣ ହୋଇ ବଡ ବଡ ନଗରୀର ପ୍ରତିଷ୍ଠା, ଖଣିଖାଦାନ ଅଞ୍ଚଳରେ ଭୂଖନନ, କଳକାରଖାନାର ବର୍ଜ୍ୟ ବସ୍ତୁକୁ ବାୟୁମଣ୍ଡଳ ଓ  ନଦୀ ଜଳକୁ  ନିଷ୍କାସନ କରିବା, ଭୟଙ୍କର ଆଣବିକ ପରୀକ୍ଷା କରିବା, ଅତ୍ୟାଧୁନିକ ଯୁଦ୍ଧର ନାରକୀୟ ବିଭିଷୀକା, କ୍ଷେପଣାସ୍ତ୍ର ପରୀକ୍ଷଣ , ବହୁ ସଂଖ୍ୟକ ଯାନ ବାହନର ବ୍ୟବହାର, ଜନସଂଖ୍ୟା ବିସ୍ଫୋରଣ ………….. ଇତ୍ୟାଦିର କୁପ୍ରଭାବ ପୃଥିବୀକୁ ମାତ୍ରାଧିକ ପ୍ରଦୂଷିତ କରାଉଛି । ଏହା ଜଳ ପ୍ରଦୂଷଣ , ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଖାଦ୍ୟ  ପ୍ରଦୂଷଣ,  ମୃତ୍ତିକା ପ୍ରଦୂଷଣ ……..  ଆଦି ରୂପରେ ଜୀବଜଗତ ପାଇଁ ସବୁ ପ୍ରକାର ପ୍ରତିକୂଳ ପରିବେଶ ସୃଷ୍ଟି ହେବାରେ ଲାଗିଛି । ଏହି ପ୍ରକାର ପାରିପାର୍ଶ୍ୱିକ  ଅବସ୍ଥାରେ ଏ ଜୀବଜଗତ ଆଉ କେତେ ଦିନ ତିଷ୍ଠି ରହିବ ତାହାହିଁ ଚିନ୍ତାର ବିଷୟ ।

ଏହାର ସମାଧାନ ହ୍ଁ ଭାରତୀୟ ସାଂସ୍କୃତିକ ଚେତନାକୁ କାର୍ଯ୍ୟରେ ପରିଣତ କରିବା ଉପରେ ନିର୍ଭର କରେ । ବାଳକ କୃଷ୍ଣଙ୍କ ଯୁଗଜୟୀ ବାର୍ତ୍ତାକୁ ଯଦି ଗ୍ରହଣ ପୂର୍ବକ  କାର୍ଯ୍ୟରେ ପରିଣତ କରା ଯାଇଥା’ନ୍ତା, ତେବେ ଆଜିର ଏ ଦୂରାବସ୍ଥା ସୃଷ୍ଟି ହୋଇ ନ’ଥାନ୍ତା । ଗିରି ଗୋବର୍ଦ୍ଧନ ହେଉଛି ପ୍ରକୃତିର ଅବଦାନ ଓ ଏହା ଯୋଗୁ ପ୍ରକୃତିରେ  ସନ୍ତୁଳନତା ରକ୍ଷା ହୋଇଥାଏ । କିନ୍ତୁ ଇନ୍ଦ୍ର ଜଣେ ବ୍ୟକ୍ତି ବିଶେଷ, ଯାହାର ରକ୍ଷା ହେବ ପ୍ରକୃତିରେ ସ୍ଥିର ଅବସ୍ଥା ବଜାୟ ରଖିବା ଦ୍ୱାରା । ତେଣୁ ପ୍ରକୃତି ପୂଜା ହିଁ  ସର୍ବୋତ୍ତମ ପୂଜା ଅଟେ । ଯେଉଁ ସଂସ୍କୃତି ପୁରାତନ କାଳରୁ ମାନବକୁ ସତର୍କ କରାଇ ଦେଇଛି ତାହକୁ ଭ୍ରୂକ୍ଷେପ ନ’କରି ଆମେ କୃତ୍ରିମତା ପଛରେ ଧାଇଁ ଚାଲିଛନ୍ତି ପ୍ରାକୃତିକ ସ୍ଥିତି ବଜାୟ ରଖିବା ପାଇଁ ସର୍ବେ ଦୃଢ ପରିକର ହେବା ବାଞ୍ଛନୀୟ ଅଟେ । ବିଳାସବ୍ୟସନର ଲୋଲୁପ ମୋହରୁ ଦୂରେଇ  ରହି ପରିବେଶର ସୁରକ୍ଷା  ନିମିତ୍ତ କାର୍ଯ୍ୟ କରିବା ଉଚିତ୍‍ । ଈଶ୍ୱରଙ୍କ ସୃଷ୍ଟିରେ ଶୋଭା ପାଉଥିବା ଏହି ସବୁଜ ଗ୍ରହ ପୃଥିବୀରେ ସବୁପ୍ରକାରର ଭାରସାମ୍ୟ ରକ୍ଷା ପୂର୍ବକ  ଏ ଜୀବଜଗତର ସୁରକ୍ଷା  ପାଇଁ ଆମେ ପ୍ରତି ମୁହୂର୍ତ୍ତରେ ପ୍ରକୃତିର ନିୟମରେ ସାମିଲ ହେବା ଉଚିତ । ପ୍ରକୃତି ପୂଜା ଓ ପ୍ରକୃତିର ରକ୍ଷା କରିବା ମାନବର ଚରମ ପ୍ରତିଜ୍ଞା ହେଉ । ଏହାହିଁ ଆଜିର  କାମନା ଅଟେ ।

———————————————————————————————————————-

Published in the Magazine – “THE SHREE” (“ଶ୍ରୀ” – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ – ପ୍ରଥମ ଛାତ୍ରୀନିବାସର ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ),  Feb -2009 .

 

 

 

 

 

 

 

 

 

 

 

 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help