ବ୍ରହ୍ମାଣ୍ଡ ମାଳମାଳ ହୋଇ
ଭାରତୀୟ ସଂସ୍କୃତି କେତେକାଂଶରେ ଅପମିଶ୍ରିତ ହୋଇଥିଲେ ମଧ୍ୟ ଏହାର ମୌଳିକ ରୂପରେଖ ସଦାସର୍ବଦା ଅତୁଟ ଓ ଅପରିବର୍ତ୍ତନୀୟ ଅଟେ ।ବର୍ତ୍ତମାନର ବିଜ୍ଞାନ ସମ୍ମତ ଦୃଷ୍ଟିଭଙ୍ଗୀ ଓ ଆମ ସଂସ୍କୃତିର ମୌଳିକ ରୂପ ମଧ୍ୟରେ ବହୁ ସାମଞ୍ଜସ୍ୟ ଥିବାର ପରିଲକ୍ଷିତ ହେଉଅଛି । ବେଦ , ରାମାୟଣ, ମହାଭାରତ ଇତ୍ୟାଦି ପବିତ୍ର ଗ୍ରନ୍ଥ ଗୁଡିକରେ ଭରିରହିଥିବା ଭାବକୁ ବିଭିନ୍ନ ଦୃଷ୍ଟିକୋଣରୁ ଯେତେ ବିଶ୍ଳେଷଣ କଲେ ତାହା ସେତେ ରୋମାଞ୍ଚକର ଓ ବିଜ୍ଞାନସମ୍ମତ ହୋଇଉଠେ । ବିଶ୍ୱବ୍ରହ୍ମାଣ୍ଡର ବ୍ୟାଖ୍ୟା ଓ ଈଶ୍ୱରଙ୍କ ଅନନ୍ତ ଲୀଳାର ନିଗୁଢ ତଥ୍ୟ ଅତ୍ୟନ୍ତ ଚିତାକର୍ଷକ । ସୃଷ୍ଟିର ସର୍ଜନା ହୁଏ ସର୍ବଶକ୍ତିମାନର ବିଭକ୍ତିକରଣ ପ୍ରକ୍ରିୟା ଦ୍ୱାରା । ଏକ କେନ୍ଦ୍ରୀୟ ଶକ୍ତିର ବିକେନ୍ଦ୍ରୀକରଣ ହୋଇ ଅନନ୍ତ ମହାଶୂନ୍ୟ କୋଳରେ ପୃଥକ୍ ପୃଥକ୍ ଶକ୍ତି ଭାବରେ ସ୍ଥାନ ଗ୍ରହଣ କରି ନିଜସ୍ୱ ଭାବଧାରାରେ କ୍ରିୟା ସମ୍ପାଦନ କରନ୍ତି । ଅର୍ଥାତ୍ ବ୍ରହ୍ମପୁରରେ ବା ସଞ୍ଜୀବନୀପୁରରେ ବ୍ରହ୍ମା, ବୈକୁଣ୍ଠପୁରରେ ବିଷ୍ଣୁ, କୈଳାଶପୁରରେ ଶିବ, ସ୍ୱର୍ଗପୁରରେ ଇନ୍ଦ୍ର, ମର୍ତ୍ତ୍ୟପୁରରେ ରାଜା, ମହାରାଜା ଓ ଲୋକ ପ୍ରତିନିଧିଗଣ, ପାତାଳପୁରରେ ବାସୁକୀନାଗ ………… ଏମିତି ଅତଳ, ବିତଳ ,ସ୍ୱତଳ ,ରସାତଳ ଇତ୍ୟାଦି ଯାଏଁ ବିକେନ୍ଦ୍ରୀକରଣ ପ୍ରକ୍ରିୟା ଦ୍ୱାରା ଘଟିଅଛି । ଏହି ସମସ୍ତ ପୁରମାନ ବୈକୁଣ୍ଠପୁରପୁର ବାସୀ ବିଷ୍ଣୁଙ୍କ ପରିଚାଳିତ ହୋଇଥା’ନ୍ତି । ଏମାନେ ସମସ୍ତେ କାଳ ଅର୍ଥାତ୍ ସମୟର ବଶବର୍ତ୍ତୀ । ପ୍ରତ୍ୟେକଙ୍କଠାରେ ଠୁଳଥିବା ଶକ୍ତିର ପରିମାଣ ଅନୁଯାୟୀ ସୃଷ୍ଟିଚାଳନା ପାଇଁ ଉଦ୍ଦିଷ୍ଟ କ୍ରିୟା ସମ୍ପାଦନ ଓ ସୃଷ୍ଟିରେ ସାମ୍ୟାବସ୍ଥା ନିମିତ୍ତ ଶକ୍ତିର ବିନିଯୋଗ ଏବଂ ରୂପାନ୍ତରୀକରଣ କରିଥା’ନ୍ତି । କାଳର କରାଳ ଗତି ସହ କୌଣସି ନା କୌଣସି ପୁରରେ ଶକ୍ତିର ଅପପ୍ରୟୋଗ ହେବା ଦ୍ୱାରା ସୃଷ୍ଟିର ସାମ୍ୟାବସ୍ଥାରେ କମ୍ପନ ଜାତ ହୁଏ । ଅନ୍ୟ ପୁରର ପ୍ରତିନିଧିଗଣ ଏହାକୁ ରୋକିବା ପାଇଁ ବାଧ୍ୟ ହୋଇ ଉଠନ୍ତି । କାରଣ ସବୁ ପୁର କ୍ରିୟା ଓ ପ୍ରକ୍ରିୟାର ରଜ୍ଜୁରେ ବନ୍ଧା ହୋଇ ଅଛନ୍ତି । ଯଦି କୌଣସି ଏକ ପୁରରେ ଶକ୍ତିର ଅପବ୍ୟବହାର ହେବାର ସୀମା ଲଂଘିଯାଏ, ତେବେ ସେ ପୁରର ବିଧି ନିର୍ଦ୍ଧାରିତ ଆୟୁକାଳ ପୂର୍ବରୁ ଶକ୍ତିର ଏକ କେନ୍ଦ୍ରୀକରଣ ବା ପ୍ରଳୟ ଘଟେ । ଏହାର ପ୍ରଭାବରେ ଅନ୍ୟ ପୁର ଗୁଡିକର ପରମାୟୁ ପରିସର ଧିରେଧିରେ କମିଯାଏ ଓ ପ୍ରତ୍ୟେକ ପୁରର ଶକ୍ତି ଏକ କେନ୍ଦ୍ରରେ ଠୁଳ ହୁଏ । ଶେଷରେ ବିଶ୍ୱର ସମସ୍ତ ଶକ୍ତି ଏକ କେନ୍ଦ୍ରରେ କେନ୍ଦ୍ରୀଭୂତ ହୁଏ । ସମସ୍ତ ପ୍ରକାର ବିଚିତ୍ରମୟ ସୃଷ୍ଟି ଏକ ବିନ୍ଦୁରେ ଲୀନ ହୋଇ ଶକ୍ତିରୂପରେ ମହାଶୂନ୍ୟରେ ଠୁଳହୁଏ ଅର୍ଥାତ୍ ଏକ ବିଶ୍ୱର ପ୍ରଳୟ ଘଟେ । ଏକ ପୁରର ସମୟର ମାପକାଠି ଅନ୍ୟପୁର ସହ ସମାନ ନୁହେଁ । ଶକ୍ତିର ପରିମାଣ ଅନୁଯାୟୀ ଏହା ନିର୍ଦ୍ଧାରିତ ଓ ପରସ୍ପର ତୁଳନାତ୍ମକ । ଉଦାହରଣ ସ୍ୱରୂପ, ବ୍ରହ୍ମାଙ୍କର ଏକ ଦିବସ ମନୁଷ୍ୟ ମାନଙ୍କର ସହସ୍ର ମହାଯୁଗ ସହିତ ସମାନ ।
ବ୍ରହ୍ମାଙ୍କର ପରମାୟୁ = 100 ବ୍ରହ୍ମ ବର୍ଷ
= ପ୍ରଥମ ପରାର୍ଦ୍ଧ ପଦ୍ମକଳ୍ପ(50ବର୍ଷ) + ଦ୍ୱିତୀୟ ପରାର୍ଦ୍ଧ ଶ୍ୱେତବାରାହ କଳ୍ପ (50 ବର୍ଷ)
= 100х365 ବ୍ରହ୍ମ ଦିବସ
= 36500 х 1000 ମହାଯୁଗ
= 36500000 х 4 ଯୁଗ
= 146000000 ଯୁଗ
ଏହିପରି ଗୋଟିଏ ବିଶ୍ୱର ପ୍ରଳୟ ଘଟିଲେ ଏହାର ସମସ୍ତ ଶକ୍ତି ଏକ ବିନ୍ଦୁରେ କେନ୍ଦ୍ରୀଭୂତ ହୁଏ । ଏହି ଶକ୍ତିର ଅନ୍ୟ ରୂପରେଖ ବିଷ୍ଣୁ ଅଟନ୍ତି । ଏହିପରି କେତେ ଯେ ବ୍ରହ୍ମାଣ୍ଡ ଅଛି ତାହା କଳ୍ପନାତୀତ । ତଥାପି ଏକୋଇଶ ବ୍ରହ୍ମାଣ୍ଡ ଯାଏଁ ଆକଳନ କରାଯାଇ ଅଛି । କ୍ରମେ ଅନ୍ୟ ବ୍ରହ୍ମାଣ୍ଡଗୁଡିକର ପ୍ରଳୟ ଘଟି ଏକ ଏକ ବିଷ୍ଣୁର ରୂପ ନିଅନ୍ତି । ଏହାପରେ ଆରମ୍ଭ ହୋଇଯାଏ ବିଷ୍ଣୁ – ବିଷ୍ଣୁଙ୍କର ସଂଯୋଗୀକରଣ ପ୍ରକ୍ରିୟା ଓ ଏହାଦ୍ୱାରା ବିଷ୍ଣୁଙ୍କର ଶକ୍ତିର ପରିମାଣ ବଦଳି ବଦଳି ଯାଏ । ଏହିପରି ଏକୋଇଶ ବ୍ରହ୍ମାଣ୍ଡର ମିଶ୍ରଣ ହୋଇ ନିରାକାର ବିଷ୍ଣୁ ରୂପେ ଶକ୍ତିର ଏକ କେନ୍ଦ୍ରୀକରଣ ହୋଇ ମହାକାଳ ମଧ୍ୟେ ଲୀନହୁଏ । ଏହାକୁ କୁହାଯାଏ ମହାପ୍ରଳୟ ଯାହା ଆମର ପୌରାଣିକ ତଥ୍ୟର ଏକ ଅଂଶ ଅଟେ ।
ଏହି ପୌରାଣିକ ତଥ୍ୟାଂଶଟିକୁ ଅଦ୍ୟାବଧି ପଦାର୍ଥବିତ୍ମାନଙ୍କ ଗବେଷଣା ଓ ବିଶ୍ଳେଷଣରୁ ମିଳିଥିବା ସୂଚନାଗୁଡିକ ସହିତ ସମାନ୍ତରାଳ ଭାବେ ତୁଳନା କରାଯାଇପାରେ। ଏ ବିଶ୍ୱର ସ୍ମୃତି ଓ ଏଠାରେ ଅହରହ ଘଟୁଥିବା ସମସ୍ତ ଘଟଣାଗୁଡିକ ଚାରିପ୍ରକାର ବଳ, ଯାହାକୁ ନେଇ ଅସଂଖ୍ୟ ଗାଣିତିକ ସମୀକରଣ ପ୍ରକାଶ କରାଯାଇ ପାରୁଛି । ଫଳ ସ୍ୱରୂପ ଆଜିର ମାନବ ବିଶ୍ୱ ଦରବାରରେ ବିଜ୍ଞାନର ଅସୀମ କରାମତିକୁ ପ୍ରମାଣ କରାଇବା ସହ ପ୍ରତି ମୁହୂର୍ତ୍ତରେ ନବଜାତ ରୋମାଞ୍ଚକର ତଥ୍ୟମାନ ପରିବେଷଣ କରୁଛି । ଏହି ଚାରି ପ୍ରକାର ପାରସ୍ପରିକ କ୍ରିୟା ହିଁ ଏ ବିଶ୍ୱର ମେରୁଦଣ୍ଡ ଅଟେ । ଉକ୍ତ ଚାରି ପ୍ରକାର ପାରସ୍ପରିକ କ୍ରିୟା ଗୁଡିକ ହେଲା – ଶକ୍ତିଶାଳୀ ପାରସ୍ପରିକ କ୍ରିୟା , ବିଦ୍ୟୁତ୍ – ଚୁମ୍ବକୀୟ ପାରସ୍ପରିକ କ୍ରିୟା , ଦୁର୍ବଳ ପାରସ୍ପରିକ କ୍ରିୟା ଓ ମାଧ୍ୟାକର୍ଷଣ ଜନିତ ପାରସ୍ପରିକ କ୍ରିୟା ।
ଏ ବିଶ୍ୱର ସୃଷ୍ଟିକୁ ବିଗ୍ବ୍ୟାଙ୍ଗ୍ ମଡେଲ୍ ଦ୍ୱାରା ବ୍ୟାଖ୍ୟା କରାଯାଇଛି ଏବଂ ଏହା ବର୍ତ୍ତମାନ ସୁଦ୍ଧା ଗ୍ରହଣଯୋଗ୍ୟ ହୋଇ ରହିଛି । ବିଶ୍ୱର ସମସ୍ତ ବସ୍ତୁତ୍ୱ ଏକ କ୍ଷୁଦ୍ରାତିକ୍ଷୁଦ୍ର ଆୟତନ ମଧ୍ୟରେ ଠୁଳ ହୋଇ ରହିଥିଲା ଯାହାର ତାପମାତ୍ରା ଓ ସାନ୍ଦ୍ରତା କଳ୍ପନାତୀତ ଭାବେ ଅଧିକ ଥିଲା । ଏହା ଏକ ଜାତୀୟ ବସ୍ତୁ ଓ ଏକ ଜାତୀୟ ପାରସ୍ପରିକ କ୍ରିୟା ଦ୍ୱାରା ପରିଚାଳିତ ହେଉଥିଲା । ଏହି ଏକ ଜାତୀୟ ପାରସ୍ପରିକ କ୍ରିୟାକୁ ଆଦିବଳ କୁହାଯାଇପାରେ ଓ ଏହାକୁ ମାଧ୍ୟାକର୍ଷଣ ଜନିତ ପାରସ୍ପରିକ କ୍ରିୟା ସହ ତୁଳନା କରାଯାଇପାରେ । ଏକଦା ଏଥିରେ ଏକ ପ୍ରଚଣ୍ଡ ମହାଜାଗତିକ ବିସ୍ଫୋରଣ ଯୋଗୁଁ ଏକ ଜାତୀୟ କଣିକା ପ୍ରାୟ ବସ୍ତୁଗୁଡିକ ବିଚ୍ଛୁରିତ ହେବା ସହ ପରସ୍ପର ଠାରୁ ଅତ୍ୟନ୍ତ ବେଗରେ ଦୂରେଇ ଚାଲିଲେ । ଏହିଠାରୁ କଣିକା ଗୁଡିକ ସହିତ ସ୍ଥାନ ଓ ସମୟ ଅଲଗା ହେଲେ ଓ ବିଭିନ୍ନ ଘଟଣାମାନ ଲଗାତର ଭାବେ ଘଟିଚାଲିଲା । ସମୟ, ସ୍ଥାନ, ବିକିରଣ, ପାରସ୍ପରିକ କ୍ରିୟା ଓ ଘଟଣାଗୁଡିକ ମଧ୍ୟରେ କଣିକାର ରୂପ ପରିବର୍ତ୍ତନ ହୋଇଚାଲିଲା । ଗ୍ୟାଲାକ୍ସି, ତାରକା, ଗ୍ରହ, ଉପଗ୍ରହ ……….. ଇତ୍ୟାଦି ସୄଷ୍ଟି ଓ ଏହାର ସମାହାରକୁ ଆଜିର ବିଶ୍ୱ ଭାବେ ବର୍ଣ୍ଣନା କରାଯାଇଛି । ଆନୁମାନିକ ହିସାବରୁ ଜଣାଯାଏ –
ଏ ବିଶ୍ୱର ବ୍ୟାସ = 21 х 109 ଆଲୋକ ବର୍ଷ
ବସ୍ତୁତ୍ୱ = 2.5 х 1054 କି. ଗ୍ରା.
ଗ୍ୟାଲାକ୍ସି ସଂଖ୍ୟା = 1011ଟି
ହବଲ୍ଙ୍କ ପରୀକ୍ଷାରୁ ପ୍ରତିପାଦିତ ହୋଇପାରିଛି ଯେ, ବିଗ୍ବ୍ୟାଙ୍ଗ୍ ଠାରୁ ଆମ ବିଶ୍ୱର ଆୟତନ ସଦା ସର୍ବଦା ବୃଦ୍ଧି ପାଉଛି ଓ ଗ୍ୟାଲାକ୍ସିଗୁଡିକ ପରସ୍ପଠାରୁ ଲଗାତର ଭାବେ ଦୂରେଇ ଯାଉଛନ୍ତି । ଅତ୍ୟାଧୁନିକ ଅପ୍ଟିକାଲ୍ ଟେଲିସ୍କୋପ୍ ଓ ରେଡିଓ ଟେଲିସ୍କୋପ୍ ଦ୍ୱାରା ବିଶ୍ୱର କୋଣ ଅନୁକୋଣରୁ ଆସୁଥିବା ଆଲୋକର ବର୍ଣ୍ଣାଳୀ ରେଖା ଓ ଶବ୍ଦ ତରଙ୍ଗ ଗୁଡିକର ବିଶ୍ଳେଷଣରୁ ଗ୍ୟାଲାକ୍ସିମାନ, ତାରକା ଶ୍ରେଣୀକରଣ ଅର୍ଥାତ୍ ବିଶାଳ ଲୋହିତ ତାରକା, ଶୁଭ୍ର ବାମନାକୃତି ତାରକା, ପିଙ୍ଗଳ ବାମନାକୃତି ତାରକା, ନିଉଟ୍ରନ୍ ତାରକା, କୃଷ୍ଣଗର୍ତ୍ତ, କ୍ୱାର୍କ୍ ତାରକା, ପଲ୍ସାର, ଅଦୃଶ୍ୟ ବସ୍ତୁ, ମହାଜାଗତିକ ମାଇକ୍ରୋ ୱେଭ୍ ପୃଷ୍ଠଭୂମି ବିକିରଣ ଇତ୍ୟାଦିର ସନ୍ଧାନ ମିଳିସାରିଲାଣି । ଅନ୍ତରୀକ୍ଷର କୌଣସି ବସ୍ତୁ ମହାଜାଗତିକ ମାଇକ୍ରୋ ୱେଭ୍ ପୃଷ୍ଠଭୂମି ବିକିରଣରୁ ମୁକ୍ତ ନୁହନ୍ତି । ବିଗ୍ବ୍ୟାଙ୍ଗ୍ ମଡେଲ୍ର ଏହା ଏକ ବଳିଷ୍ଠ ପ୍ରମାଣ ଯେ, ପ୍ରଚଣ୍ଡ ମହାଜାଗତିକ ବିସ୍ଫୋରଣ ସମୟରେ ସମସ୍ତ ସ୍ଥାନ କଳ୍ପନାତୀତ ଉଚ୍ଚ ତାପମାତ୍ରା ସହିତ ବିକିରଣମୟ ହୋଇ ଉଠିଥିଲା । ବିଶ୍ୱର ଆୟତନ ବୃଦ୍ଧି ସହ ଏହି ବିକିରଣର ମାତ୍ରା ଓ ତାପମାତ୍ରା ଶିଥିଳ ହେବାରେ ଲାଗିଛି । ବର୍ତ୍ତମାନ ଏହି ମାଇକ୍ରୋ ୱେଭ୍ ଶବ୍ଦ ତରଙ୍ଗର ଦୈର୍ଘ୍ୟ ପ୍ରାୟ 7.35 ସେ. ମି. ସହିତ ସମଗ୍ର ବିଶ୍ୱକୁ 3୦K ତାପମାତ୍ରା ଦେଉଛି ।
ସୁବ୍ରମନ୍ୟମ୍ ଚନ୍ଦ୍ରଶେଖରଙ୍କ ତତ୍ତ୍ୱ ଅନୁଯାୟୀ ସୂର୍ଯ୍ୟର ତିନିଗୁଣ ବା ଅଧିକ ବସ୍ତୁତ୍ୱ ଥିବା ତାରକାଗଣ ମୃତ୍ୟୁ ପରେ କୃଷ୍ଣଗର୍ତ୍ତରେ ପରିଣତ ହୁଅନ୍ତି । ବିଶ୍ୱର ପ୍ରତ୍ୟେକ ଗ୍ୟାଲାକ୍ସିରେ ଏହି ତାରକାଙ୍କ ସଂଖ୍ୟା ବହୁତ ଓ ଏଗୁଡିକ ମୃତ୍ୟୁ ପରେ ନିଶୟ କୃଷ୍ଣଗର୍ତ୍ତରେ ପରିଣତ ହେବେ । ତଠାପି ବିଶ୍ୱର ପ୍ରତ୍ୟେକ ଗ୍ୟାଲାକ୍ସିରେ ଅତି କମ୍ରେ ଗୋଟିଏ କୃଷ୍ଣଗର୍ତ୍ତ ସୃଷ୍ଟି ହେବାର ଚିନ୍ତା କରାଯାଇପାରେ । କୃଷ୍ଣଗର୍ତ୍ତ ଗୁଡିକର ଅମାପ ଓ ପ୍ରଚଣ୍ଡ ମାଧ୍ୟାକର୍ଷଣ ବଳ ଦ୍ୱାରା ପ୍ରତ୍ୟେକ ଗ୍ୟାଲାକ୍ସିର ସମସ୍ତ ବସ୍ତୁତ୍ୱ ସେହି ଗ୍ୟାଲାକ୍ସିରେ ଥିବା କୃଷ୍ଣଗର୍ତ୍ତରେ ଲୀନ ହେବ । ଅର୍ଥାତ୍ ସବୁ ଗ୍ୟାଲାକ୍ସି ଗୁଡିକ ଏକ ଏକ କୃଷ୍ଣଗର୍ତ୍ତରେ ପରିଣତ ହେବା ସହ ସମଗ୍ର ବିଶ୍ୱ କୃଷ୍ଣଗର୍ତ୍ତମୟ ହୋଇଯିବ । ଏହି କୃଷ୍ଣଗର୍ତ୍ତ ଗୁଡିକର ପ୍ରଚଣ୍ଡ ମାଧ୍ୟାକର୍ଷଣ ବଳ ଯଦି ହବଲ୍ଙ୍କ ବିଶ୍ୱ ଆୟତନ ବୃଦ୍ଧି ପାଇବାର ବଳକୁ ରୋକିପାରେ, ତେବେ ବିଶ୍ୱର ସଂକୋଚନ ପ୍ରକ୍ରିୟା ଆରମ୍ଭ ହୋଇଯିବ ଖୁବ୍ କମ୍ ସମୟ ବ୍ୟବଧାନରେ ସବୁ କୃଷ୍ଣଗର୍ତ୍ତଗୁଡିକ ଏକତ୍ରିତ ହୋଇ ମହା କୃଷ୍ଣଗର୍ତ୍ତରେ ପରିଣତ ହେବ । ଏହାକୁ କୁହାଯାଏ ବିଗ୍ କ୍ରଞ୍ଚ୍ । ଯଦି କୃଷ୍ଣଗର୍ତ୍ତଗୁଡିକ ବିଶ୍ୱର ଆୟତନ ବୃଦ୍ଧିକୁ ରୋକି ନ’ପାରନ୍ତି ତେବେ ନିମ୍ନ ଆଲୋଚନାର ଯଥାର୍ଥତା ଅନୁଭୂତ ହୁଏ ।
ପରୋକ୍ଷ ଗଣନାରୁ ଜଣାଯାଏ ଯେ, ବିଶ୍ୱର ବସ୍ତୁତ୍ୱ, ସମସ୍ତ ଦୃଶ୍ୟମାନ ବସ୍ତୁର ବସ୍ତୁତ୍ୱଠାରୁ ଢେର୍ ଅଧିକ । ଅର୍ଥାତ୍ ଅଜଣା ଓ ଅଦେଖା ବସ୍ତୁଗୁଡିକର ସମଷ୍ଟି ବିଶ୍ୱର ବସ୍ତୁତ୍ୱର ପ୍ରାୟ ଶତକଡା 90 ଭାଗଯାଏଁ ଥିବାର ବୁଝାଯାଇ ପାରୁଛି । ଏହି ଅଦୃଶ୍ୟ ବସ୍ତୁଗୁଡିକୁ ମୃତ ତାରକା, ଅନ୍ତରୀକ୍ଷରେ ଭରି ରହିଥିବା ମହାଜାଗତିକ ଧୂଳିକଣା, ଅଜଣା ବସ୍ତୁ, କୃଷ୍ଣଗର୍ତ୍ତ, ଜନ୍ମ ହେବାକୁ ଥିବା ତାରକା, ବସ୍ତୁତ୍ୱ ଥିବା ନିଉଟ୍ରିନୋ ଇତ୍ୟାଦି ଭାବେ ଗ୍ରହଣ କରାଯାଇଛି । ଆଲୋକର ମହାକର୍ଷଣ ଲେନ୍ସିଙ୍ଗ୍ ବିଶ୍ଳେଷଣରୁ ଅଜ୍ଞାତ ଓ ଅଦୃଶ୍ୟ ବସ୍ତୁ ଥିବାର ବଳିଷ୍ଠ ପ୍ରମାଣ ମିଳେ । ଏଥିରୁ ଜଣାଯାଏ ଯେ, ଗ୍ୟାଲାକ୍ସି ଗୁଡିକରେ ଶହ ଶହ ଅଦୃଶ୍ୟ କ୍ଷୁଦ୍ର ଗ୍ୟାଲାକ୍ସି ଭରି ରହିଛି । ଏହାକୁ ଅଜଣା ଶୀତଳ ବସ୍ତୁ ଭାବେ ଚିତ୍ରଣ କରାଯାଇଛି । ଏହାର ପ୍ରଚଣ୍ଡ ମାଧ୍ୟାକର୍ଷଣ ବଳ ଥିବାର ଅନୁମାନ କରାଗଲାଣି । ଏତଦ୍ ଭିନ୍ନ ଏହି ଅଜଣା ବସ୍ତୁର ପ୍ରତିକ୍ରିୟା ଦୃଶ୍ୟମାନ ବସ୍ତୁ ସହ ବହୁତ ଦୁର୍ବଳ କିମ୍ବା ନାହିଁ କହିଲେ ଚଳେ । ଏହି ଦୁର୍ବଳ ପ୍ରତିକ୍ରିୟାକୁ ଅଜଣା ଶକ୍ତି ବା ବଳ କୁହାଯାଏ । କିନ୍ତୁ ମାଧ୍ୟାକର୍ଷଣ ପ୍ରତିକ୍ରିୟା ଥାଇ ଏହା ଅଦୃଶ୍ୟ ଅର୍ଥାତ୍ ଆଲୋକ ରଶ୍ମିର ଫୋଟନ୍ ଏଥିରେ ସମ୍ପୂର୍ଣ୍ଣ ଶୋଷି ହୋଇ ରହୁଛି । ତେଣୁ ଏଠାରେ ଶକ୍ତିର ବସ୍ତୁତ୍ୱକୁ ରୂପାନ୍ତରଣ ପ୍ରକ୍ରିୟା ହେଉଥିବାର ପ୍ରତୀୟମାନ ହୁଏ । ଏହାଦ୍ୱାରା ତାପମାତ୍ରା କମି ଯାଉଥିବ ଓ ଏଗୁଡିକୁ ଅଜ୍ଞାତ ଶୀତଳ ବସ୍ତୁ କହିବାର ଯଥାର୍ଥାତା ମନେହୁଏ । ବିଶ୍ୱର ସମସ୍ତ ଦୃଶ୍ୟ ବସ୍ତୁଠାରୁ ବିକିରିତ ଆଲୋକ ଓ ତାପ ଶକ୍ତି ଅଜ୍ଞାତ ବସ୍ତୁଗୁଡିକ ଦ୍ୱାରା ଅହରହ ରୂପାନ୍ତରିତ ହୋଇ ଚାଲିଛି ଓ ବିଶ୍ୱର ବସ୍ତୁତ୍ୱ ବଢି ଚାଲିଛି । ଏହା ହେଉଛି ବିକିରଣ ଓ ବସ୍ତୁର ପୁନଃ ଏକତ୍ରୀକରଣ । ବିଶ୍ୱର ସମସ୍ତ ତାରକାଗୁଡିକର ମୃତ୍ୟୁ ହେବାଯାଏଁ ଅଧିକାଂଶ ବିକିରିତ ଶକ୍ତି ବସ୍ତୁକୁ ରୂପାନ୍ତରିତ ହୋଇ ଚାଲିଥିବ ।
ଏମିତି ଏକ ସମୟ ଆସିବ ଯେତେବେଳେ ବିଶ୍ୱର ସବୁ ବିକିରିତ ଆଲୋକ ଶୋଷି ହୋଇ ଶୂନରେ ପହଞ୍ଚିବ ଓ ସମଗ୍ର ବିଶ୍ୱ ପାଇଁ ଘନ ଅନ୍ଧକାର ମାଡି ଆସିବ । ବିଶ୍ୱ କେବଳ କୃଷ୍ଣଗର୍ତ୍ତ ଓ ଅଜ୍ଞାତ ବସ୍ତୁଦ୍ୱାରା ଭରପୂର ହୋଇଯିବ । ଏଗୁଡିକ ମଧ୍ୟରେ ଥିବା ପ୍ରବଳ ମାଧ୍ୟାକର୍ଷଣ ବଳ ହବଲ୍ଙ୍କ ବିଶ୍ୱ ଆୟତନ ବୃଦ୍ଧି ପ୍ରକ୍ରିୟାକୁ ରୋକିବାରେ ସମର୍ଥ ହୋଇପାରେ । ତେଣୁ ବିଶ୍ୱର ସଂକୋଚନ ପ୍ରକ୍ରିୟା ବଢି ଚାଲିବା ସହ କୃଷ୍ଣଗର୍ତ୍ତ ଓ ଅଜ୍ଞାତ ବସ୍ତୁର ମିଶ୍ରଣ ଘଟି ଏକ ବସ୍ତୁତ୍ୱରେ ପରିଣତ ହେବ । ଏପରିକି ଏହା ଏକ କ୍ଷୁଦ୍ରାତିକ୍ଷୁଦ୍ର ମହାଜାଗତିକ ଅଣ୍ଡାର ରୂପ ନେଇ ପାରିବ ଓ ଏହାର ସାନ୍ଦ୍ରତା ଏବଂ ତାପମାତ୍ରା ଅନନ୍ତ ପରିମାଣରେ ବୃଦ୍ଧି ପାଇବ । ଏହାକୁ ମହା ସଂକୋଚନ ବା ବିଗ୍ କ୍ରଞ୍ଚ୍ କୁହାଯାଇପାରେ । ମହାଜାଗତିକ ଅଣ୍ଡାଟି କ୍ରମଶଃ ସଙ୍କୁଚିତ ନ’ହୋଇ ପୁଣି ମହାଜାଗତିକ ବିସ୍ଫୋରଣ ଦ୍ୱାରା ନୂତନ ବିଶ୍ୱ ସୃଷ୍ଟିର ଅନୁମାନ କରାଯାଏ । ତେଣୁ ଆମ ବିଶ୍ୱର ଜନ୍ମ ଓ ମୃତ୍ୟୁକୁ ଅବିରାମ ଘୂର୍ଣ୍ଣନ ଚକ୍ର ସହ ତୁଳନା କରାଯାଇପାରେ ।
ପୁଣି ପ୍ରଶ୍ନ ଉଠେ ଯଦି ଅଜ୍ଞାତ ବସ୍ତୁ ଓ କୃଷ୍ଣଗର୍ତ୍ତଗୁଡିକର ମାଧ୍ୟାକର୍ଷଣ ବଳର ସମଷ୍ଟି ହବଲ୍ଙ୍କ ବିଶ୍ୱ ଆୟତନ ବୃଦ୍ଧିର ବଳକୁ ରୋକି ନ’ପାରେ ତେବେ ଅନନ୍ତ କାଳ ଯାଏ ଏହାର ପରିସୀମା ବୃଦ୍ଧିପାଇ ମହାଶୂନ୍ୟରେ ହଜିଯିବ । କିନ୍ତୁ ପ୍ରକୃତିର ନିୟମାନୁଯାୟୀ ପ୍ରତ୍ୟେକ ଆରମ୍ଭର ବିଲୟ ଘଟେ । ଜଳ – ଚକ୍ର, ଜନ୍ମ – ମୃତ୍ୟୁ ଚକ୍ର, ଯବକ୍ଷାରଜାନ ଚକ୍ର, ଦିବା – ରାତ୍ରି ଚକ୍ର ……. ଇତ୍ୟାଦି ଏହାର ଅନେକ ଉଦାହରଣ । ଯେମିତି ମଞ୍ଜିଟିଏ ମାଟିରୁ ଗଜା ହୋଇ ଗଛ ହୁଏ ଓ ଶେଷରେ ମରିଯାଏ ଏବଂ ମାଟିରେ ମିଶିଯାଏ । ଏହା ସହିତ ଗଛଟି ଆହୁରି କେତେଯେ ମଞ୍ଜି ସୃଷ୍ଟି କରିଥାଏ ଓ ସେଥିରୁ ପୁଣି ବୃକ୍ଷର ସୃଷ୍ଟି ହୁଏ । ସେଇ ଏକ ବୃକ୍ଷରୁ ଭିନ୍ନ ସମୟରେ ସୃଷ୍ଟି ମଞ୍ଜି ଗୁଡିକ ଭିନ୍ନ ସ୍ଥାନ, ସମୟ ଓ ମାଧ୍ୟମରେ ଅଙ୍କୁରୋଦ୍ଗମ ହୋଇ ବୃଦ୍ଧି ପାଏ ଓ ବିଲୟ ମଧ୍ୟ ଘଟେ । ଏହି ଜନ୍ମ – ମୃତ୍ୟୁ ଚକ୍ର ବିଗ୍ବ୍ୟାଙ୍ଗ୍ ସହିତ ତୁଳନୀୟ ଓ ଏ ବିଶ୍ୱର ବିଲୟ ନିଶ୍ଚିତ ପରି ଜଣାପଡେ ଅର୍ଥାତ୍ ବିଗ୍ କ୍ରଞ୍ଚ୍ ର ସମ୍ଭାବନା ଅଧିକ ।
ଏକ ବିଗ୍ବ୍ୟାଙ୍ଗ୍ର ମାଧ୍ୟାକର୍ଷଣ ବଳରୁ ଅନ୍ୟାନ୍ୟ ବଳ ଆଦି ସୃଷ୍ଟି ହୋଇ ବସ୍ତୁ ସହିତ ପାରସ୍ପରିକ କ୍ରିୟା ମାଧ୍ୟମରେ ବିଶ୍ୱର ସୃଷ୍ଟି ହୁଏ । ବର୍ତ୍ତମାନ ବିଶ୍ୱର ସମସ୍ତ ପ୍ରକାର ପାରସ୍ପରିକ କ୍ରିୟାଗୁଡିକ ସନ୍ଧାନ କରାଯାଇ ପାରିନାହିଁ । ଏପରିକି ଅଜ୍ଞାତ ବସ୍ତୁଗୁଡିକ ଏକ ପ୍ରକାର ବସ୍ତୁ କିମ୍ବା ଭିନ୍ନ ପ୍ରକାରର, ତାହା ମଧ୍ୟ ଅଜଣା । କିନ୍ତୁ ଭିନ୍ନ ଭିନ୍ନ ଅଜ୍ଞାତ ବସ୍ତୁ ଥିବାର ଯଥାର୍ଥତା ମନେହୁଏ ଅର୍ଥାତ୍ ଆମର ଦୃଶ୍ୟମାନ ବିଶ୍ୱ ପରି କେତେ ଯେ ଅଦୃଶ୍ୟମାନ ବିଶ୍ୱ ବିଭିନ୍ନ ପାରସ୍ପରିକ କ୍ରିୟା ଓ ବିଭିନ୍ନ ବସ୍ତୁ ସହ ସଂଶ୍ଳିଷ୍ଟ ହୋଇ ରହିଥିବାର ଅନୁମାନ କରାଯାଏ । ତେଣୁ ବହୁ ବିଶ୍ୱର ସୃଷ୍ଟି ଓ ବହୁ ବିଶ୍ୱର ମୃତ୍ୟୁ ମଧ୍ୟ ଘଟିଚାଲିଥିବ । ବିଶ୍ୱଗୁଡିକ ମଧ୍ୟରେ ଏକ ପାରସ୍ପରିକ କ୍ରିୟା ବା ମାଧ୍ୟାକର୍ଷଣ ବଳ ଥିବା ପରି ଜଣାପଡେ । ଏକ ବିଗ୍ବ୍ୟାଙ୍ଗ୍ରୁ ବହୁ ବିଶ୍ୱ ସୃଷ୍ଟି ଓ ବହୁ ବିଶ୍ୱରୁ ଏକ ବିଗ୍ କ୍ରଞ୍ଚ୍ ହୋଇପାରେ । ବୃକ୍ଷ ସୃଷ୍ଟି ହେବାପରି କେତେ ଯେ ବିଗ୍ବ୍ୟାଙ୍ଗ୍ ଓ ବିଗ୍ କ୍ରଞ୍ଚ୍ ଭିନ୍ନ ସମୟ ଓ ଭିନ୍ନ ସ୍ଥାନରେ ଘଟୁଥିବ ତାହା କଳ୍ପନାତୀତ । ତେଣୁ କେଉଁଟି ମୂଳ ବିଶ୍ୱ ଓ ମୂଳ ବିଗ୍ବ୍ୟାଙ୍ଗ୍ରୁ ଉତ୍ପତ୍ତି ତାହା ସଠିକ୍ କହିହେବ ନାହିଁ । ତେବେ ଏହା କେଉଁ ଅନନ୍ତ କାଳରୁ ଘଟି ଚାଲିଛି ଓ ଅନନ୍ତ କାଳ ଯାଏ ଘଟୁଥିବ । ଏହା ସହିତ ଅସଂଖ୍ୟ ପରସ୍ପରିକ କ୍ରିୟା ଗୁଡିକର ପୃଥକୀକରଣ ଓ ସଂଯୋଗୀକରଣ ସହ ବସ୍ତୁର ବିଭିନ୍ନ ଅବସ୍ଥା ଓ ବିଭିନ୍ନ ବସ୍ତୁ ସଂଶ୍ଳିଷ୍ଟ ହେବାର ଅନୁମାନ କରାଯାଇପାରେ ।
ଏହି ସମସ୍ତ ଘଟଣାଗୁଡିକର ସାରାଂଶକୁ ବହୁ ବିଶ୍ୱବାଦ ଭାବେ ଚିତ୍ରଣ କରାଯାଇପାରେ । ଆମେ ଏକ ପରସ୍ପର ସମ୍ବନ୍ଧ ବିଶିଷ୍ଟ ବହୁ ବିଶ୍ୱର ସମାହାର ମଧ୍ୟରେ ଅବସ୍ଥିତ । ଏହି ଧାରାରେ ଅସଂଖ୍ୟ ବିଶ୍ୱଗୁଡିକ ଏକ ଏକ ଉପଧାରା ଅଟେ । ପ୍ରତ୍ୟେକ ଉପଧାରା ଅନନ୍ତ ନିରବଚ୍ଛିନ୍ନ ସମୟ, ସ୍ଥାନ, ବ୍ୟବସ୍ଥା ମଧ୍ୟରେ ଭିନ୍ନ ଭିନ୍ନ ମୂଳ ବସ୍ତୁ ସହ ସଂଯୋଗ ହୋଇ ରହିଅଛି । ପ୍ରତ୍ୟେକ ଉପଧାରାର ମୂଳ ବିନ୍ଦୁ, ସମୟ ଓ ସ୍ଥାନ ପରିବର୍ତ୍ତନୀୟ । ପ୍ରତ୍ୟେକ ବିଶ୍ୱର ସମୟର ମାନାଙ୍କ ଅନ୍ୟ ବିଶ୍ୱ ସହିତ ଅସମାନ ହୋଇ ପାରେ ଓ ସମାନ ହେବାର ସମ୍ଭାବନକୁ ମଧ୍ୟ ଏଡାଇ ଦିଆଯାଇ ନ’ପାରେ । ପ୍ରତ୍ୟେକ ବିଶ୍ୱ ଅନନ୍ତ ସୀମା ଓ ଅନନ୍ତ ସମୟ ଯାଏଁ ବ୍ୟାପ୍ତ ହୋଇପାରେ । ସମୟ ଓ ସ୍ଥାନ ନିରବଚ୍ଛିନ୍ନ ଭାବେ ସମ୍ପୃକ୍ତ ଅଟନ୍ତି ।
ଏକ ବିଶ୍ୱରୁ ଅନେକ ଓ ଅନେକରୁ ଏକ । ଏଗୁଡିକ ପରସ୍ପର ସହ ପାରସ୍ପରିକ କ୍ରିୟା ଓ ବସ୍ତୁ ସହ ରୂପାନ୍ତରୀକରଣ ପ୍ରକ୍ରିୟା ମାଧ୍ୟମରେ ଜଡିତ ।କୌଣସି ବିଶ୍ୱ ଏକକ ବା ପୃଥକ୍ ନୁହେଁ । ନିରାକାର ମଧ୍ୟେ ଆକାର ଓ ଆକାରରୁ ନିରାକାରର ଭାବ ଏହି ବହୁ ବିଶ୍ୱବାଦକୁ ବୁଝାଏ । ତେଣୁ ବୈଜ୍ଞାନିକ ଦୃଷ୍ଟିକୋଣରୁ କାଳ, ସ୍ଥାନ, ବସ୍ତୁ ଓ ପାରସ୍ପରିକ କ୍ରିୟା ଯେପରି ସର୍ବବ୍ୟାପୀ ଓ ସର୍ବ ଶକ୍ତିମାନ ଭାବେ ରହିଛି ତାହ ନିମ୍ନ ପୌରାଣିକ ଭାବଧାରା ସହ ଖାପ ଖାଇବାର ପ୍ରତୀୟମନ ହୁଏ, ଯଥା –
ବ୍ରହ୍ମାଣ୍ଡ ମାଳ ମାଳ ହୋଇ
କାଳର ବଶ ମଧ୍ୟେ ରହି
କୋଟି ବ୍ରହ୍ମାଣ୍ଡେ ସର୍ବବ୍ୟାପୀ
ନିରାକର ବ୍ରହ୍ମ ତୁ ଅନାଦି ।
(1)Published in ଦିଗ୍ବଳୟ ‘Digbalay’- Feb 2004 – Popular Science Magazine in Odia, Odisha Physical Society, Odisha .
(2)Published in the College Magazine, “PALLI BHARATI” 2002 -2003 , Bhadrak Autonomous College, Bhadrak, Odisha .