ତାରକାର ଜନ୍ମ ଓ ମୃତ୍ୟୁର କାହାଣୀ

ତାରକାର ଜନ୍ମ ଓ ମୃତ୍ୟୁର କାହାଣୀ

ଏ ବିଶ୍ୱର ସୃଷ୍ଟି କେଉଁ ଅନାଦି କାଳରୁ ହୋଇଅଛି । ଏହା ସମ୍ପୂର୍ଣ୍ଣ ରହସ୍ୟମୟ ଓ ଆମୋଦପୂର୍ଣ୍ଣ । ପୌରାଣିକ ମତାନୁଯାୟୀ ବିଶ୍ୱର ସୃଷ୍ଟି  ଓ ପ୍ରଳୟ କ୍ରମାନ୍ୱୟରେ         ଘଟୁଅଛି । କ୍ଷୀର ସାଗରରେ ଅନନ୍ତ ନାଗ କୋଳରେ ବିଷ୍ଣୁଙ୍କର ମହାଯୋଗ ନିଦ୍ରା, ମଧୁ – କୈଟଭର ବ୍ରହ୍ମାଙ୍କ ସହିତ ଘୋର ଯୁଦ୍ଧ, ଶେଷରେ ବିଷ୍ଣୁଙ୍କ ହସ୍ତରେ ମଧୁ –  କୈଟଭଙ୍କ ନିଧନ । ବ୍ରହ୍ମାଙ୍କ ଉପରେ  ସୃଷ୍ଟି ସର୍ଜନାର ଗୁରୁ ଦାଇତ୍ୱ ଅର୍ପଣକୁ ନେଇ ଏ ବିଶ୍ୱର ସୃଷ୍ଟି ।  ଏହାପରେ ଯୁଗ ପରେ ଯୁଗ ଅତିବାହିତ ହୋଇଚାଲେ । ସତ୍ୟ – ତ୍ରେତୟା – ଦ୍ୱାପର ଓ କଳି । କଳି ଯୁଗରେ ପାପର ମାତ୍ରା ବଢିଚାଲେ ଓ ସୃଷ୍ଟିର ମୂଳ ଉଦ୍ଦେଶ୍ୟର ସଠିକ୍‍ ରୂପାୟନ ହୋଇପାରେ ନାହିଁ ।   ପାପ ମାତ୍ରା  ଅତି ହୋଇ  ସୃଷ୍ଟି ଧ୍ୱଂସ ହୁଏ ଓ ପ୍ରଳୟ ଆସେ । ମହା ଅନ୍ଧକାରରେ ବିଶ୍ୱ ବ୍ରହ୍ମାଣ୍ଡ ଲୀନ ହୁଏ । ସର୍ବବ୍ୟାପି ଜଳମୟ ଓ ବିଶ୍ୱର ସମସ୍ତ ଶକ୍ତି ଏକ ବିନ୍ଦୁରେ କେନ୍ଦ୍ରୀଭୂତ ହୋଇ ପୁଣି  ରୂପ ନିଏ –  ବିଷ୍ଣୁଙ୍କର କ୍ଷୀର ସାଗରରେ ଅନନ୍ତ ନାଗ କୋଳରେ ମହାନିଦ୍ରା । ତେଣୁ ଏହା ଏକ ସୃଷ୍ଟି  ଓ ପ୍ରଳୟର ଘୂର୍ଣ୍ଣନ ଚକ୍ର ।

ବିଶ୍ୱ ସୃଷ୍ଟିର ବିଜ୍ଞାନ ବାଦକୁ ବିଶ୍ଳେଷଣ କଲେ ଏହା ଆପାତତଃ ପୌରାଣିକ ବାଦର ବାହ୍ୟଧାରା ସହ ଖାପ ଖାଇଲା ପରି ପ୍ରତୀୟମାନ ହୁଏ । ପଦାର୍ଥ ବିଜ୍ଞାନୀମାନେ  ବିଶ୍ୱ ସୃଷ୍ଟିକୁ ବିଗ୍‍ବ୍ୟାଙ୍ଗ୍‍ ତତ୍ତ୍ୱ ଦ୍ୱାରା ବ୍ୟାଖ୍ୟା କରିଛନ୍ତି । ଏହି ମତବାଦ ଅନୁସାରେ ଏକଦା ବିଶ୍ୱର ସମସ୍ତ ବସ୍ତୁତ୍ୱ ଏକ ଗୋଲାକର ପିଣ୍ଡରୂପେ ଘୂରୁଥିଲା । ଏହାକୁ ଏକ  ଉତ୍ତପ୍ତ ନିଉକ୍ଲିୟସ୍‍ ସହିତ ତୁଳନା କରାଯାଇଛି ଓ ଏହାର ସାନ୍ଦ୍ରତା ବହୁତ ଅଧିକ ଥିଲା । ପ୍ରାୟ 13.7 ବିଲିୟନ୍‍ ବର୍ଷ ପୂର୍ବେ ଏଥିରେ ଏକ  କସ୍ମିକ୍‍(Cosmic)  ବିସ୍ଫୋରଣ ଯୋଗୁଁ ମୂଳ ପିଣ୍ଡଟି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ କଣିକା ରୂପରେ(ହାଇଡ୍ରୋଜେନ୍‍)ସର୍ବ ଦିଗକୁ ବିଛ୍ଛୁରିତ ହୋଇଗଲା ଏବଂ ଗ୍ୟାଲାକ୍ସିମାନ ସୃଷ୍ଟି ହୋଇ ପରସ୍ପର ଠାରୁ ସଦା ସର୍ବଦା  ଦୂରେଇ ଯିବାକୁ  ଲାଗିଲେ । ଏହି ପ୍ରକ୍ରିୟାକୁ ହବଲ୍‍ ତା’ଙ୍କ ନିୟମରେ(Hubble’s Law)ସୂଚାଇଛନ୍ତି ଯେ, ଆମର ବିଶ୍ୱ ସଦା ସର୍ବଦା  ଆୟତନରେ ବୃଦ୍ଧି ପାଇବାରେ ଲାଗିଛି । ଏହି ବିସ୍ଫୋରଣ ସମୟରୁ   ବିଶ୍ୱ ସୃଷ୍ଟି ହେଲା ଓ ଏହାକୁ ସମୟ ଶୂନ(Zero Time) ବୋଲି ଧରାଗଲା ଅର୍ଥାତ୍‍ ଏହିଠାରୁ  ସମୟର ଆରମ୍ଭ ହେବା ସହ ମହାଶୂନ୍ୟର ଗଠନ ହେବାକୁ ଲାଗିଲା ।  ଶୂନ ସମୟରୁ 10-43 ସେକେଣ୍ଡ୍‍ ମଧ୍ୟରେ ବିଶ୍ୱର ଅବସ୍ଥା କ’ଣ ଥିଲା ବର୍ତ୍ତମାନ ସୁଦ୍ଧା ତାହା ବ୍ୟାଖ୍ୟା କରାଯାଇ ପାରି ନାହିଁ । 10-43  ସେକେଣ୍ଡ୍‍ ଠାରୁ ବିଶ୍ୱର ବିଭିନ୍ନ ଅବସ୍ଥାକୁ କ୍ୱାଣ୍ଟମ୍‍ ମେକାନିକାଲ୍‍ ଥିଓରି ଅଫ୍‍ ଗ୍ରାଭିଟି(Quantum Mechanical Theory of Gravity) ଦ୍ୱାରା ବ୍ୟାଖ୍ୟା କରାଯାଇ ଅଛି ।

ଗ୍ୟାଲାକ୍ସି ଗୁଡିକରେ ଇତଃସ୍ତତଃ ଭାବରେ ବୁଲୁଥିବା ହାଇଡ୍ରୋଜେନ୍‍ କଣିକା ମଧ୍ୟରୁ କିଛି କିଛି କୌଣସି ସମୟରେ ମହାକର୍ଷଣ ଜନିତ ଆକର୍ଷଣ ଦ୍ୱାରା ପରସ୍ପର  ଆଡକୁ ଆକର୍ଷିତ ହୋଇ ବିଭିନ୍ନ ସ୍ଥାନରେ ଏକ ଏକ  ହାଇଡ୍ରୋଜେନ୍‍ ଗ୍ୟାସ୍‍ ପିଣ୍ଡୁଳାର ରୂପ ନେଇଥିବେ ଅର୍ଥାତ୍‍ ପ୍ରତ୍ୟେକ କଣିକା ନିଜ ନିଜର  ଗ୍ୟାସ୍‍ ପିଣ୍ଡୁଳାର  କେନ୍ଦ୍ରବିନ୍ଦୁ ନିକଟକୁ ଆକର୍ଷିତ ହୋଇ ଆସୁଥିବେ । ଏହାଦ୍ୱାରା କଣିକା ଗୁଡିକ ନିକଟରୁ ନିକଟତର ହୋଇଥିବେ ଓ ପରସ୍ପର ମଧ୍ୟରେ ଆକର୍ଷଣ ବଳ ବଢି ବଢି  ଚାଲିଥିବ । ଏପରି ଏକ ସମୟ ଆସିଥିବ ଯେତେବେଳେ କଣିକା ଗୁଡିକ  ଆକର୍ଷଣ ବଳକୁ ଭାଙ୍ଗି ଦୂରେଇ ଯାଇପାରି ନ’ଥିବେ ଓ ଅଧିକ ବେଗରେ ଗ୍ୟାସ୍‍ ପିଣ୍ଡୁଳାର  କେନ୍ଦ୍ର ଆଡକୁ ଗତିଶୀଳ ହେଉଥିବେ । ସେହି ସମୟରେ ପ୍ରତ୍ୟେକ ପିଣ୍ଡୁଳାକୁ ଏକ ଏକ ଗ୍ୟାସ୍‍ ଥଳୀ କିମ୍ବା ପ୍ୟାକେଟ୍‍ ଭାବେ ଚିତ୍ରଣ କରାଯାଇଅଛି । ପ୍ରତ୍ୟେକ  ଥଳୀରେ କେତେଯେ ହାଇଡ୍ରୋଜେନ୍‍ କଣିକା କେନ୍ଦ୍ରବିନ୍ଦୁ ଆଡକୁ ଧାବମାନ ହେଉଥିବେ ତାହା କଳ୍ପନାତୀତ । ଏହିପରି ଅସଂଖ୍ୟ ଗ୍ୟାସ୍‍ ଥଳୀ ସୃଷ୍ଟି ହେବାରେ ଲାଗିଲା । ଏଗୁଡିକୁ ପ୍ରୋଟୋଷ୍ଟାର୍‍(Proto-star) କିମ୍ବା ଆଦିତାରକା କୁହାଗଲା । ଏହିଠାରୁ ତାରକା ଜନ୍ମ ହେବାର ପ୍ରଥମ ପ୍ରକ୍ରିୟା ଆରମ୍ଭ ହୋଇଗଲା ।

ଆଦିତାରକାର ପ୍ରତ୍ୟେକ ହାଇଡ୍ରୋଜେନ୍‍ ପରମାଣୁ ମହାକର୍ଷଣ ଜନିତ ଆକର୍ଷଣ ଯୋଗୁଁ ତ୍ୱରାନ୍ୱିତ ଗତିରେ ଏହାର କେନ୍ଦ୍ରବିନ୍ଦୁ ନିକଟକୁ ଗତିକରି ଚାଲିଲେ । ଏହାଦ୍ୱାରା  ଆଦିତାରକାର ଆକାର କମିବାରେ ଲାଗିଲା ଓ ସାନ୍ଦ୍ରତା ବଢି ଚାଲିଲା । ଫଳସ୍ୱରୂପ ଆଦିତାରକାର ତାପମାତ୍ରା ଦ୍ରୁତ ବୃଦ୍ଧିପ୍ରାପ୍ତ ହେଲା । ଏକ ବର୍ଷ  ମଧ୍ୟରେ ତାପମାତ୍ରା ପ୍ରାୟ 100K ରୁ 50,000K  ଯାଏଁ  ବୃଦ୍ଧି ପାଇବାରେ ଲାଗିଲା । ଏତେ ଅଧିକ  ତାପମାତ୍ରାରେ  ହାଇଡ୍ରୋଜେନ୍‍ ପରମାଣୁର ଇଲେକ୍‍ଟ୍ରନ୍‍  ଏହାର ନିଉକ୍ଲିୟସ୍‍ ସହିତ ବାନ୍ଧି ନହୋଇ ମୁକ୍ତ ବିହଙ୍ଗ ପରି ବିଚରଣ କଲା ଓ  ଆଦିତାରକାରେ ଦୁଇ କିସମର ଗ୍ୟାସ୍‍ ସୃଷ୍ଟି ହେଲା, ଯଥା – ପ୍ରୋଟନ୍‍ ଗ୍ୟାସ୍‍ ଏବଂ   ଇଲେକ୍‍ଟ୍ରନ୍‍ ଗ୍ୟାସ୍‍ ।  ତାପମାତ୍ରାର ବୃଦ୍ଧି ହେବା ଦ୍ୱାରା ଆଦିତାରକା ଗୁଡିକ ଉଜ୍ଜ୍ୱଳ ହୋଇ ଉଠନ୍ତି ଏବଂ ଇନ୍‍ଫ୍ରାରେଡ୍‍(Infra-red)ଆଲୋକ ବିକିରଣ କରନ୍ତି ।

ପ୍ରତ୍ୟେକ ମୂହୁର୍ତ୍ତରେ ଆଦିତାରକାର ସାନ୍ଦ୍ରତା ବୃଦ୍ଧି ହେଉଥିବାରୁ କଣିକାଗୁଡିକ ମଧ୍ୟରେ ସଂଘର୍ଷ(Collision)ର ହାର ବୃଦ୍ଧି ପାଏ । ଏହାଦ୍ୱାରା ଆଦିତାରକାର  ଆକାର କମିବାର ବେଗ ଧିମେଇ ଯାଏ । ପ୍ରାୟ 10 ମିଲିୟନ୍‍ ବର୍ଷରେ ଏକ ଆଦିତାରକାର ବ୍ୟାସ 1 ଟ୍ରିଲିୟନ୍‍(1012)କି . ମି ରୁ  2.5 ମିଲିୟନ୍‍ କି . ମି . କୁ  କମିଯାଏ ଓ ଏହାର ଆଭ୍ୟନ୍ତର ତାପମାତ୍ରା 106 K ରେ ପହଞ୍ଚେ । ଏହି ତାପମାତ୍ରାରେ  ହାଇଡ୍ରୋଜେନ୍‍ ନିଉକ୍ଲିୟସ୍‍ ଗୁଡିକ ଅର୍ଥାତ୍‍ ପଦାର୍ଥର ଚତୁର୍ଥାବସ୍ଥାରେ ଥିବା  ହାଇଡ୍ରୋଜେନ୍‍  ପ୍ଲାଜମା ଗୁଡିକର ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ ହୁଏ । ଏହି ସଂଯୋଗୀକରଣ ପ୍ରକ୍ରିୟା କିମ୍ବା ନିଉକ୍ଲିୟର ଫ୍ୟୁଜନ୍‍(Nuclear Fusion) ଦ୍ୱାରା  ହାଇଡ୍ରୋଜେନ୍‍ ନିଉକ୍ଲିୟସ୍‍ ଗୁଡିକ ସଂଯୁକ୍ତ ହୋଇ ହିଲିୟମ୍‌ରେ ପରିଣତ ହୁଅନ୍ତି । ଏହି ପ୍ରକ୍ରିୟାରୁ ନିର୍ଗତ ହୁଏ ପ୍ରଚୁର ତାପଶକ୍ତି । ଆଦିତାରକାର ପୃଷ୍ଠଦେଶରୁ ବିକିରଣ ହେଉଥିବା  ଆଲୋକ ଓ  ତାପଶକ୍ତି ଯେତେବେଳେ ଆଭ୍ୟନ୍ତରରୁ ନିର୍ଗତ ହେଉଥିବା ତାପଶକ୍ତି ସହ ସମାନ ହୋଇଯାଏ, ସେତେବେଳେ ଆଦିତାରକାଟି ଏକ ସନ୍ତୁଳନ ଅବସ୍ଥାରେ ପହଞ୍ଚେ । ଏହି ସନ୍ତୁଳନ ଅବସ୍ଥାକୁ ତାରକାର ଜନ୍ମ ସମୟ କୁହାଗଲା । ସତେକି ତାରକାଟି ବିଶ୍ୱରୂପକ ମାତୃଗର୍ଭରୁ କେତେଯେ ରୂପ ବଦଳାଇ ଶେଷରେ ପୂର୍ଣ୍ଣାଙ୍ଗ  ଆକୃତି ନେଇ ବିଶ୍ୱ ଦରବାରକୁ ନିଜସ୍ୱ ଆଲୋକରେ ଉଦ୍‍ଭାସିତ କରି କଅଁଳା ଶିଶୁଟିଏ ପରି କୁଆଁ କୁଆଁ ରାବ ଦେଲା । ସମଗ୍ର ବିଶ୍ୱ ତା’ର ବାହୁ  ପ୍ରସାରଣ  କରି  ସ୍ୱାଗତ କରୁଛି –  ତା’ର ବକ୍ଷରେ ଜନ୍ମ ନେଉଥିବା ଏହି ଅସଂଖ୍ୟ କୁନିକୁନି ତାରକାଗୁଡିକୁ । ସତେକି ବିଶ୍ୱ ତା’ର ନବଜାତ ଶିଶୁ ମାନଙ୍କୁ ଆଲିଙ୍ଗନ କରି ଆତ୍ମହରା ହୋଇ ଆନନ୍ଦାଶ୍ରୁ ସହ ସମ୍ବୋଧନ କରି କହୁଛି – ରେ ମୋର କୁନି ପିଲାମାନେ ! ତୁମର ଈଶ୍ୱରୀୟ ଉଦ୍‍ଭାସିତ ଜ୍ୟୋତି ଦେଖି ମୁଁ ଆଜି ଅପୂର୍ବ ଆନନ୍ଦରେ ପୁଲକିତ  ହୋଇଛି । ଆଜିଠାରୁ  ତୁମେ ତୁମର ନିଜସ୍ୱ ଶକ୍ତି ଦ୍ୱାରା ମୋ ବକ୍ଷରେ ତୁମର ଲୀଳା ଖେଳା ଆରମ୍ଭ କର ! ନୂଆ ନୂଆ ଜୀବଜଗତ ସୃଷ୍ଟି ପାଇଁ ଆଗଭର ହୋଇ ଉଠ । ସାରା ବିଶ୍ୱ ହସିଉଠୁ ।  ପୁଷ୍ପର ମହକ ଓ ବିହଙ୍ଗ ମାନଙ୍କ ସୁମଧୁର ତାନରେ ମୋର ହୃଦୟ ବିଭୋର ହୋଇଉଠୁ । ହିଂସା, ଦ୍ୱେଷ, ଅନ୍ୟାୟ,  ଅତ୍ୟାଚାର ଆଦିର ସ୍ଥାନ  ନ’ରହୁ । କେତେ ଯୁଗ ଧରି ମୁଁ ଅନ୍ଧକାରରେ ଡୁବି ରହିଥିଲି । ଆଜି କିନ୍ତୁ ମୋ ବକ୍ଷରେ ଆଲୋକର ସୃଷ୍ଟି ହୋଇଛି । ବକ୍ଷ ମୋର ଆନନ୍ଦରେ ଫାଟି ଉଠୁଛି । ଆହାଃ !  କି ଅପୂର୍ବ ମିଳନ ! କି     ଅଭିନବ ଖେଳ !! କି ଈଶ୍ୱରୀୟ ଭାବ !!! ସତେକି ଦଶମାସ ଗର୍ଭ ଧାରଣର କଷ୍ଟ ସହି ମାଆ ତା’ର  ନବଜାତ ଶିଶୁକୁ ଦର୍ଶନ କରିବା ସହ  ତା’ର  କ୍ରନ୍ଦନରୋଳ ଶ୍ରବଣ  କରୁଛି । ମାତୃହୃଦୟ ଦିବ୍ୟ ଚେତନାରେ ପରିପୂର୍ଣ୍ଣ ହୋଇ ଆନନ୍ଦାଶ୍ରୁରେ ଶିଶୁଟି ପାଇଁ ଦୀର୍ଘଜୀବନର ମଙ୍ଗଳ କାମନା କରୁଅଛି ।

ଆମ ପୃଥିବୀର ନିକଟତମ ତାରକା ସୂର୍ଯ୍ୟ ବି ଏମିତି ଦିନେ ଜନ୍ମ ହୋଇଥିଲେ । ସୂର୍ଯ୍ୟର ଜନ୍ମ ହେବାପାଇଁ ପ୍ରାୟ 27 ମିଲିୟନ୍‍ ବର୍ଷ ଲାଗିଥିଲା । ତାରକାର ଜନ୍ମ  ସମୟ ଶୂନରୁ ଆରମ୍ଭ ହୁଏ ଓ ସେହିଠାରୁ ସେ ମୂଖ୍ୟ ସ୍ରୋତରେ ସାମିଲ ହୁଏ । ଜନ୍ମ ସମୟରେ ତାରକାର ପୃଷ୍ଠ ତାପମାତ୍ରା ପ୍ରାୟ 3600K ରେ ପହଞ୍ଚିଥାଏ । ତାରକାର ଜନ୍ମ ପ୍ରକ୍ରିୟାକୁ  ପୃଷ୍ଠ ତାପମାତ୍ରା ଓ ଉଜ୍ଜ୍ୱଳତାକୁ ହଜ୍‍ବର୍ଗ ଓ ରସେଲ୍‍ଙ୍କ ଦ୍ୱାରା  ବ୍ୟାଖ୍ୟା କରାଯାଇଛି । ମୂଖ୍ୟ ସ୍ରୋତରେ ତାରକାଟିର ଜୀବନ ନାଟକ  ଆରମ୍ଭ ହୁଏ । ସବୁବେଳ ପାଇଁ ଏହାର କେନ୍ଦ୍ରରେ ହାଇଡ୍ରୋଜେନ୍‍ ହିଲିୟମ୍‍କୁ ରୂପାନ୍ତରିତ ହୁଏ । ଏହା ମୁଖ୍ୟତଃ ପ୍ରୋଟନ୍‍ -ପ୍ରୋଟନ୍‍ କିମ୍ବା କାର୍‍ବନ୍‍ – ନାଇଟ୍ରୋଜେନ୍‍  ଚକ୍ରରେ ସମ୍ପନ୍ନ ହୁଏ । କେନ୍ଦ୍ରରେ ଉତ୍ପନ ପ୍ରଚୁର ନିଉକ୍ଲିୟର ଶକ୍ତି ତାରକାର ମାଧ୍ୟକର୍ଷଣ ଜନିତ ବଳକୁ ସନ୍ତୁଳନ କରିବା ପରେ ଅବଶିଷ୍ଟ ଶକ୍ତି ପୃଷ୍ଠଭାଗ  ଦେଇ  ମହାଶୂନ୍ୟକୁ ବିକିରିତ ହୁଏ । ଏହାଦ୍ୱାରା ତାରକାର ତାପମାତ୍ରା ବଢି ବଢି ଯାଏ ଓ ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହୋଇଉଠେ । ଏହି ପ୍ରକ୍ରିୟାରେ ତାରକାଟି ତା’ର ଜୀବନ    ନାଟିକାର ଶତକଡା  99 ଭାଗ ବିତାଏ ଓ ବିଶ୍ୱକୁ ନିଜସ୍ୱ ଆଲୋକରେ ଉଦ୍‍ଭାସିତ କରେ । ସୂର୍ଯ୍ୟ ବର୍ତ୍ତମାନ ମୂଖ୍ୟ ସ୍ରୋତର ଯାତ୍ରୀ ଓ ଆମର ସକଳ ଶକ୍ତିର ଆଧର ।

ଏମିତି ଏକ ସମୟ ଆସିବ ଯେତେବେଳେ ତାରକାଟିର କେନ୍ଦ୍ରରେ ଥିବା ସବୁ ହାଇଡ୍ରୋଜେନ୍‍  ହିଲିୟମ୍‍ରେ ପରିଣତ ହୋଇଯିବ ଓ କେନ୍ଦ୍ର ସଂକୁଚିତ ହେବା ସହ  ତାପମାତ୍ରା ବଢିଯିବ । କିନ୍ତୁ ବାହ୍ୟ ସ୍ତରରେ  ହାଇଡ୍ରୋଜେନ୍‍  ଥିବା ହେତୁ ଏହାର ଆକାର ବଢିଯିବ ଓ ପୃଷ୍ଠ ତାପମାତ୍ରା କମିବାକୁ ଲାଗିବ । ଯେତେବେଳେ ଏହାର  ବାହ୍ୟ ସ୍ତରର ତାପମାତ୍ରା 4000K ରୁ   3000K କୁ ପହଞ୍ଚିବ, ଏହାର ବର୍ଣ୍ଣ ଉଜ୍ଜ୍ୱଳ ଶୁଭ୍ରରୁ ଲୋହିତ ବର୍ଣ୍ଣକୁ ପରିବର୍ତ୍ତିତ ହେବ ଓ ତାରକାଟି ମୁଖ୍ୟ ସ୍ରୋତରୁ ବାହାରି  ଯାଇ ବିଶାଳ ଲୋହିତ କ୍ଷେତ୍ର (Red Giant Region)ରେ ପ୍ରବେଶ କରିବ । ଏହି କ୍ଷେତ୍ରରେ ପହଞ୍ଚିବାକୁ ତାରକାଟିକୁ 10.6  х 109  ବର୍ଷ ଲାଗେ । ଏହିଠାରୁ  ତାରକାର ଜୀବନ ନାଟିକାର ଯବନିକା ପତନ ଆରମ୍ଭ ହୁଏ ।

ଯେତେବେଳେ କେନ୍ଦ୍ରର ତାପମାତ୍ରା  108K  ରେ ପହଞ୍ଚେ, ହିଲିୟମ୍‍ ନିଉକ୍ଲିୟସ୍‍ ଗୁଡିକର ପୁଣି ସଂଯୋଗୀକରଣ ହୋଇ କାର୍ବନ୍‍ ନିଉକ୍ଲିୟସ୍‌ରେ ପରିଣତ ହୁଏ । କିନ୍ତୁ ଯେଉଁ ତାରକାଗୁଡିକର ବସ୍ତୁତ୍ୱ କମ୍‍ , ସେହି କ୍ଷେତ୍ରରେ କେନ୍ଦ୍ରର ସବୁ ହିଲିୟମ୍‍ର ସଂଯୋଗୀକରଣ ପ୍ରକ୍ରିୟା ଶୀଘ୍ର ସରିଯାଏ  ଓ ଏହାର ଆଭ୍ୟନ୍ତର  ଭାଗ  ଅର୍ଥାତ୍‍ କୋର୍‍,  ବାହ୍ୟସ୍ତର ଠାରୁ ବିଛିନ୍ନ ହୋଇଯାଏ । ଏହି ଆଭ୍ୟନ୍ତର ଭାଗକୁ ଶ୍ୟେତ ବାମନ ତାରକା(White dwarf Star) କୁହାଯାଏ । ଏହି ବିଛିନ୍ନତା  ପ୍ରଭାବରୁ ବାହ୍ୟସ୍ତର ମହାଶୂନ୍ୟକୁ ବିଛୁରିତ ହୋଇଯାଏ । କିନ୍ତୁ ଯେଉଁ ତାରକାଗୁଡିକର ଆକାର ବହୁତ ବଡ ଅର୍ଥାତ୍‍ ଅଧିକ ବସ୍ତୁତ୍ୱ , ସେହି କ୍ଷେତ୍ରରେ ଆଭ୍ୟନ୍ତରରେ ହିଲିୟମ୍‍ ନିଉକ୍ଲିୟସ୍‍ର ସମ୍ପୂର୍ଣ୍ଣ ସଂଯୋଗୀକରଣରେ ଦୀର୍ଘ ସମୟ ଲାଗେ । ତେଣୁ ପୁନଃ ପୁନଃ ସଂଯୋଗୀକରଣ ପ୍ରକ୍ରିୟା ଦ୍ୱାରା ହିଲିୟମ୍‍ରୁ କାର୍‍ବନ୍‍, କାର୍‍ବନ୍‍ରୁ  ଅମ୍ଳଜାନ … …. ଇତ୍ୟାଦି ସୃଷ୍ଟି ହୋଇ ଲୌହ ସୃଷ୍ଟି ହେବା ଯାଏଁ ପହଞ୍ଚିଯାଏ । ସେତେବେଳକୁ ଆଭ୍ୟନ୍ତରରୁ ସବୁ ହିଲିୟମ୍‍ ପ୍ରାୟ ଶେଷ ହୋଇ ଯାଇଥାଏ ଓ  ତାରକାଟିର ଘୋର ବିପତ୍ତି ସମୟ ପହଞ୍ଚିଯାଏ । ଏହି ସମୟରେ ତାରକା ମଧ୍ୟରେ ପ୍ରଚଣ୍ଡ ବିସ୍ଫୋରଣ ଘଟେ ଯାହାକୁ ସୁପରନୋଭା  ବିସ୍ଫୋରଣ କୁହାଯାଏ  ଓ  ତାରକାର ମୃତ୍ୟୁ ଘଟେ । ମୃତ୍ୟୁ ପରେ ଅବଶିଷ୍ଟାଂଶକୁ ନିଉଟ୍ରନ୍‍ ତାରକା (Neutron Star) ଓ କୃଷ୍ଣଗହ୍ୱର(Black Hole) ଇତ୍ୟାଦି କୁହାଯାଏ । ସୂର୍ଯ୍ୟର ବି  ଏମିତି ଦିନେ ମୃତ୍ୟୁ ହେବା ସଙ୍ଗେ ସଙ୍ଗେ ପୃଥବୀ ଓ ଜୀବଜଗତର ଧ୍ୱଂସ ଅବଶ୍ୟମ୍ଭାବୀ ହୋଇପଡିବ ।

ପଦାର୍ଥବିତ୍‍ମାନେ ଆମଠାରୁ ଲକ୍ଷ ଲକ୍ଷ ଆଲୋକବର୍ଷ ଦୂରରେ କୃଷ୍ଣଗର୍ତ୍ତ ମାନ ଥିବାର ସନ୍ଧାନ ପାଇ ସାରିଲେଣି । ଏହାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବସ୍ତୁ ରୂପେ  ଚିତ୍ରଣ କରାଯାଇଛି । ଏହାର ସାନ୍ଦ୍ରତା ଅଧିକରୁ ଅଧିକ ହେବା ସହ ଆକର୍ଷଣ ବଳ ଏତେ ଅଧିକ ବଢିଯାଏ ଯେ, ଆଲୋକ ରଶ୍ମିର ଫୋଟନ୍‍ ମଧ୍ୟ ଏଥିରୁ ନିର୍ଗତ  ହୋଇପାରେ ନାହିଁ । ବିନା ବାଛ ବିଚାରରେ ବିଶ୍ୱର ସମସ୍ତ ବସ୍ତୁ ଏହି ସର୍ବ ଶକ୍ତିମାନ କୃଷ୍ଣଗହ୍ୱର ଆଡକୁ ଆକର୍ଷିତ ହୋଇ ଅତ୍ୟନ୍ତ ବେଗରେ ଏହା ସହ ସଂଘର୍ଷ ଘଟି     କଣିକାରେ ପରିଣତ ହୋଇ ମହାଶୂନ୍ୟକୁ ବିଛ୍ଚୁରିତ ହେବ । ଯେହେତୁ ଏହାର ଆକର୍ଷଣ ବଳ ବଢି ଚାଲିଛି, ଏହା ଗ୍ରହ, ନକ୍ଷତ୍ର, ସୌରଜଗତ ଏପରିକି ଗ୍ୟାଲାକ୍ସି  ଗୁଡିକୁ ନିଜ ଆଡକୁ ଟାଣି ଆଣିବାର କ୍ଷମତା ବୃଦ୍ଧି ପାଇବ ଏବଂ ସମଗ୍ର ବିଶ୍ୱ  ଦିନେନା ଦିନେ ଏହି  କୃଷ୍ଣଗହ୍ୱରରେ ଲୀନ ହେବ । ଅର୍ଥାତ୍‍ ଏ ସୃଷ୍ଟିର ପ୍ରଳୟ  ଅବଶ୍ୟମ୍ଭାବୀ ।

ତାରକାର ଜନ୍ମ ଓ ମୃତ୍ୟୁ ଏବଂ  କୃଷ୍ଣଗହ୍ୱରର ତାଣ୍ଡବଲୀଳା ସମ୍ବନ୍ଧରେ କିଞ୍ଚିତ୍‍ ଧାରଣା ସତ୍ତ୍ୱେ ବିଶ୍ୱର ସବୁ ପ୍ରକାର ତାରକାର ବିଶ୍ଳେଷଣ ଅପରିହାର୍ଯ୍ୟ ଅଟେ । ଯେଉଁ    ବିଶ୍ୱରେ ଆମେ ଅଛନ୍ତି ତାହାକୁ ଚିହ୍ନିବା ଅତ୍ୟନ୍ତ ଜରୁରୀ । ଆମ ବିଶ୍ୱ ବିଭିନ୍ନ କିସମର ତାରକା ମାନଙ୍କୁ ନେଇ ଗଠିତ । ହାଭାର୍ଡଙ୍କ ତାରକା ଶ୍ରେଣୀ  ବିଭକ୍ତିକରଣ  ଆମକୁ ସେ ସମ୍ବନ୍ଧରେ ସମ୍ୟକ୍‍ ସୂଚନା ଦିଏ । ତାରକାରୁ ବିକିରିତ ଆଲୋକର ବର୍ଣ୍ଣାଳୀକୁ ବିଶ୍ଳେଷଣ କରି ସେ ଇଂରାଜୀ ବର୍ଣ୍ଣମାଳା କ୍ରମରେ ତାରକାଗୁଡିକୁ  A, B …….. ଇତ୍ୟଦି ଶ୍ରେଣୀରେ ବିଭକ୍ତ କଲେ । କିନ୍ତୁ ପରେ ତାରକାର ବାହ୍ୟସ୍ତରର ତାପମାତ୍ରା ଅନୁଯାୟୀ ସବୁ ତାରକାଗୁଡିକୁ ସାତଟି ବର୍ଣ୍ଣାଳୀ ଶ୍ରେଣୀରେ ବିଭକ୍ତ କଲେ,  ଯଥା –  O  B  A  F  G  K  M  । ଏହାକୁ ମନେ ରଖିବା ପାଇଁ ଏକ ସୁବିଧା ସୂତ୍ର ରଖିଲେ, ଯଥା – Oh Be A Fine Girl Kiss Me । ପ୍ରତ୍ୟେକ ଶ୍ରେଣୀର   ତାରକାଙ୍କୁ ଦଶଟି ଉପଶ୍ରେଣୀରେ ବିଭକ୍ତ କରାଗଲା । ଉଦାହରଣ ସ୍ୱରୂପ  B  ଶ୍ରେଣୀର ତାରକା B0  , B1 , B2 …….. B9  ଆଦି ଦଶଟି ଉପଶ୍ରେଣୀର ।   B0 ତାରକାଗୁଡିକର  ତାପମାତ୍ରା ସବୁଠୁ ଅଧିକ ଓ ତା’ପରେ  B1 , B2 …….. ଆଦି ଉପଶ୍ରେଣୀର  ତାପମାତ୍ରା କମି କମି ଯାଏ । ସେହି ଧାରାରେ ଅନ୍ୟ  ଶ୍ରେଣୀକୁ ବିଭକ୍ତ କରାଯାଇଛି । ଭାରତୀୟ ମହାକାଶ ବିଜ୍ଞାନୀ ମେଘନାଦ ସାହାଙ୍କ ମତାନୁସାରେ ତାରକାର ବାହ୍ୟ ସ୍ତରର ତାପମାତ୍ରାର ଭିନ୍ନତା ହିଁ ବର୍ଣ୍ଣାଳୀରେ ଭିନ୍ନତା ସୃଷ୍ଟି  କରେ । ବର୍ଣ୍ଣାଳୀ ଶ୍ରେଣୀର ‘M’ ଶ୍ରେଣୀ ତାରକାଙ୍କ ବାହ୍ୟ ସ୍ତରର ତାପମାତ୍ରା ସବୁଠୁ କମ୍‍ ଓ ‘O’ ଶ୍ରେଣୀର  ତାପମାତ୍ରା ସବୁଠୁ ଅଧିକ । ବର୍ଣ୍ଣାଳୀରେଖା ଗୁଡିକୁ  ଅନୁଧ୍ୟାନ କରି ଜଣାପଡିଲା ଯେ, ତାରକାଙ୍କଠାରେ ଥିବା ଆୟୋନାଇଜଡ୍‍(Ionised) ମୌଳିକ ପଦାର୍ଥର ଭିନ୍ନତା ତାରକାଙ୍କ ତପମାତ୍ରାର ଭିନ୍ନତା ଯୋଗୁଁ  ହୋଇଥାଏ । ନିମ୍ନ ସୂଚନାରୁ ଏହା  ଜାଣିହୁଏ ।

O – ତାରକା ଶ୍ରେଣୀରେ ଜୀଟାପପିଜ୍‍ ଆଦି ଅନ୍ତର୍ଭୁକ୍ତ । ତାପମାତ୍ରା 30,000K  ରୁ  50,000K ମଧ୍ୟରେ, ବର୍ଣ୍ଣ – ନୀଳ ଓ ବର୍ଣ୍ଣାଳୀରେଖାରେ  ଆୟୋନାଇଜଡ୍‍  ହିଲିୟମ୍‍ର ସୂଚନା ମିଳେ ।

B – ତାରକା ଶ୍ରେଣୀରେ ରିଗେଲ୍‍, ସ୍ପିକା ଆଦି ଅନ୍ତର୍ଭୁକ୍ତ । ତାପମାତ୍ରା 10,000K  ରୁ  30,000K  ମଧ୍ୟରେ, ବର୍ଣ୍ଣ – ନୀଳ ବା ଶ୍ୱେତନୀଳ  ଓ ବର୍ଣ୍ଣାଳୀରେଖାରେ    ନିଉଟ୍ରାଲ୍‍ ହିଲିୟମ୍‍ର  ସୂଚନା ମିଳେ ।

A – ତାରକା ଶ୍ରେଣୀରେ ସାଇରସ୍‍, ଦେନେବ୍‍ ଆଦି ଅନ୍ତର୍ଭୁକ୍ତ । ତାପମାତ୍ରା 7,500K  ରୁ  1୦,୦୦୦   ମଧ୍ୟରେ, ବର୍ଣ୍ଣ – ଶୁଭ୍ର ଓ ବର୍ଣ୍ଣାଳୀରେଖାରେ  ହାଇଡ୍ରୋଜେନ୍‍ର  ସୂଚନା ମିଳେ ।

F – ତାରକା ଶ୍ରେଣୀରେ କ୍ୟାନୋପସ୍‍ ଓ ପୋଲାରିସ୍‍  ଅନ୍ତର୍ଭୁକ୍ତ । ତାପମାତ୍ରା 6000K  ରୁ 7,500K   ମଧ୍ୟରେ, ବର୍ଣ୍ଣ – ଶୁଭ୍ର ଓ ବର୍ଣ୍ଣାଳୀରେଖାରେ  ଆୟୋନାଇଜଡ୍‍ କ୍ୟାଲସିୟମ୍‍ ଓ ଅନ୍ୟାନ୍ୟ ଧାତୁର ସୂଚନା ମିଳେ ।

G – ତାରକା ଶ୍ରେଣୀରେ ସୂର୍ଯ୍ୟ, ଆଲ୍‍ଫା ସେଣ୍ଟାଉରୀ ଆଦି ଅନ୍ତର୍ଭୁକ୍ତ । ତାପମାତ୍ରା 4,500K  ରୁ 6000K  ମଧ୍ୟରେ, ବର୍ଣ୍ଣ – ପୀତ ଓ ବର୍ଣ୍ଣାଳୀରେଖାରେ ଶକ୍ତିଶାଳୀ ଆୟୋନାଇଜଡ୍‍ କ୍ୟାଲସିୟମ୍‍ ଓ ଅନ୍ୟାନ୍ୟ ବହୁତ  ଧାତୁର ସୂଚନା ମିଳେ ।

K  – ତାରକା ଶ୍ରେଣୀରେ  ଆର୍‍କ୍ଟୁରସ୍‍, ଆଲ୍‍ଡେବାରାନ୍‍   ଆଦି ଅନ୍ତର୍ଭୁକ୍ତ । ତାପମାତ୍ରା  3,500K  ରୁ  4,500K  ମଧ୍ୟରେ, ବର୍ଣ୍ଣ – ଲୋହିତ ଓ  ବର୍ଣ୍ଣାଳୀରେଖାରେ  ଅଧିକ ସଂଖ୍ୟକ ନିଉଟ୍ରାଲ୍‍ ଧାତୁର ସୂଚନା ମିଳେ ।

M – ତାରକା ଶ୍ରେଣୀରେ ବିଟେଲ୍‍ ଗ୍ୟୁଜ୍‍, ଆଣ୍ଟାରିସ୍‍  ଆଦି ଅନ୍ତର୍ଭୁକ୍ତ । ତାପମାତ୍ରା  2,000K  ରୁ  3,500K  ମଧ୍ୟରେ, ବର୍ଣ୍ଣ – ଲୋହିତ ଓ ବର୍ଣ୍ଣାଳୀଗୁଛ            ଟାଇଟନିୟମ୍‍ ଅକ୍‍ସାଇଡ୍‍ର ସୂଚନା ମିଳେ ।

ମହାକାଶ ବିଜ୍ଞାନ କ୍ଷେତ୍ରରେ ଗବେଷଣା ତ୍ୱରାନ୍ୱିତ ଗତିରେ ଆଗେଇ ଚାଲିଛି । କୃଷ୍ଣଗହ୍ୱର, ପଲ୍‍ସାର, ନୂତନ ଜୀବଜଗତର ସନ୍ଧାନ ……….. ଇତ୍ୟାଦି ବିଷୟରେ     ଗବେଷଣା ଆମକୁ ପ୍ରତି ମୂହୁର୍ତ୍ତରେ ନୂଆ ନୂଆ ତଥ୍ୟ ଯୋଗାଉଛି । କେତେବେଳେ ଏକ ନୂତନ ତଥ୍ୟର ଉନ୍ମୋଚନ ହୋଇ ଓ ସବୁ ପୁରାତନ ତଥ୍ୟକୁ ପଛରେ ପକାଇ ସାରା ବିଶ୍ୱକୁ ଚମତ୍‍କୃତ ନ କରିଦେବ ବା କାହିଁକି ? ଏମିତି ମଧ୍ୟ ସୂର୍ଯ୍ୟର ମୃତ୍ୟୁ ପୂର୍ବରୁ ସର୍ବଗିଳା କୃଷ୍ଣଗହ୍ୱର ଆମ ସୌରଜଗତକୁ ଭକ୍ଷଣ ନ କରିବ ବା କାହିଁକି ?  ଅର୍ଥାତ୍‍ ଆଗ ପଛ ହୋଇ ସେହି କରାଳ ଗର୍ଭରେ ଲୀନ ହେବାର ପାଳିକୁ ଏଡାଇବା ଏତେ ସହଜ ସାଧ୍ୟ ନୁହେଁ । ତେଣୁ କଥାରେ ଅଛି –

ତଳ ବରଡା ଖସୁଛି,

ଉପର ବରଡା ହସୁଛି,

ମଝି ବରଡା କହୁଛି,

ମୋ ଦିନ କାଳ ଆସୁଛି ।

———————————————————————————————————————

(1) Published in the College Magazine, ପଲ୍ଲୀଭାରତୀ “PALLI BHARATI” 2001 -2002 , Bhadrak Autonomous College, Bhadrak, Odisha .

(2) Published in the “SAMAJ  SAPTAHIK” 3rd April 2002.

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Leave a Reply

Your email address will not be published. Required fields are marked *