ଅଦେହୀ

ଅଦେହୀ

ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି ଅତ୍ୟନ୍ତ ରହସ୍ୟମୟ ଓ ଜଟିଳ ଅଟେ । ସୃଷ୍ଟିକର୍ତ୍ତା ବ୍ରହ୍ମା,ଲୀଳାମୟ ବିଷ୍ଣୁ ଓ ସଂହାରକର୍ତ୍ତା ଶିବଙ୍କର ଆଜ୍ଞାରେ ଏ ଜଗତର ସମସ୍ତ କ୍ରିୟାର ସମ୍ପାଦନା ହେଉଅଛି । ଛପନ କୋଟି ଜୀବର ସୃଷ୍ଟି ଓ  ସେମାନଙ୍କ ଠାରେ ଭରି ରହିଥିବା ରିପୁ ଓ ସ୍ୱଭାବ ଆଦି ଦ୍ୱାରା ପରସ୍ପରର ଭାବ ବିନିମୟ ହୋଇଥାଏ । ଦେବ, ଦାନବ ଓ  ମାନବ ଯେପରିକି ଏକ ତ୍ରିଭୁଜର ତିନି ବିନ୍ଦୁରେ ଅବସ୍ଥାନ କରିଛନ୍ତି ଓ ଅନ୍ୟ ସମସ୍ତ ଜୀବ ଏହି ତ୍ରିଭୁଜର ପରିସୀମା ମଧ୍ୟରେ ଆବଦ୍ଧ । ନିଜର ଉନ୍ନତି ନିମିତ୍ତ ଦାନବ ଓ ମାନବଙ୍କର ଅଦମ୍ୟ ଚେଷ୍ଟା ଓ ତପସ୍ୟା ବେଳେ ବେଳେ ଦେବତା ମାନଙ୍କୁ ଚକିତ କରାଏ । ଏପରିକି ସେମାନଙ୍କ ତପସ୍ୟାରେ ବିଘ୍ନ ସୃଷ୍ଟି  କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ସମସ୍ତ ବାଧାକୁ ଅତିକ୍ରମ କରି କେତେକ  ମହାମାନବ ଓ ମହାଦାନବ ସ୍ତରରେ ଉପନୀତ ହୁଅନ୍ତି । ଏମାନେ ମଧ୍ୟ ଦେବତାମାନଙ୍କ ପରି ନିଜ ଘଟକୁ  ଶୂନ୍ୟ  କରିବା, ପୁନର୍ବାର ଘଟପ୍ରାପ୍ତ ହେବା, ଅନ୍ୟ ଘଟକୁ  ପ୍ରବେଶ କରିବା ଓ ବିଭିନ୍ନ କଳେବର ଧାରଣ କରିବାର କ୍ଷମତା ହାସଲ କରିପାରିଥା’ନ୍ତି । ଏସବୁ ଶକ୍ତିର  ଅପବ୍ୟବହାର ଯେଉଁ ଦେବ, ଦାନବ ଓ ମାନବଗଣ  ଯେତେବେଳେ କରିଛନ୍ତି ସୃଷ୍ଟିର ନିୟମାନୁଯାୟୀ କଠିନ ଦଣ୍ଡ ପାଇଛନ୍ତି ।

ଏପରି ଏକ ଉପାଖ୍ୟାନ

ଲୀଳାମୟଙ୍କ ଲୀଳାର ରହସ୍ୟ ଭେଦ ପୂର୍ବକ ଅପାର ଆନନ୍ଦ ପ୍ରାପ୍ତାର୍ଥେ, ଦେବ ଦେବ ମହାଦେବ କୈଳାସ ପୁରରେ ମହାଯୋଗମୁଦ୍ରାରେ ଉପବିଷ୍ଟ ।ସମଗ୍ର କୈଳାସ  ପୁର ଦିବ୍ୟ ଜ୍ୟୋତିରେ ଉଦ୍‍ଭାସିତ । ସୃଷ୍ଟିର ସକଳ ଶୃଙ୍ଗାର ରସର ସୁପ୍ରିମୋ ରତି ଓ ମଦନ ବିଶ୍ୱ ପରିଭ୍ରମଣ କରୁଥିବା କାଳେ ମହାଦେବଙ୍କ ଏତାଦୃଶ ଯୋଗମୁଦ୍ରା       ଦେଖି କୌତୁହଳ ବଶତଃ ପଞ୍ଚକାମଶର ନିକ୍ଷେପ କଲେ । ତତ୍‍କ୍ଷଣାତ୍‍ ବସନ୍ତର ଆଗମନ, ମୃଦୁ ମଳୟ, ମଧୁପର ଗୁଞ୍ଜନ, କୋକିଳର କୁଜନ ଓ ପୁଷ୍ପ ଶୋଭିତ         ତରୁରାଜିରେ କୈଳାସ ପୁର ବିଭୋରିତ ହୋଇ ଉଠିଲା । ତନୁ ମନେ ଜାଗି ଉଠିଲା ନବ ଯୌବନର ଉନ୍ମାଦ । ମହାଦେବଙ୍କ ଯୋଗମୁଦ୍ରରେ ଅସ୍ଥିରତା ପରିପ୍ରକାଶ  ହେଲା ।

ବଂବଂ ଶିବ ଭୋଳାନାଥ …………. କାମାନଳେ ତନୁ ଜର୍ଜରିତ  ।

ଡମ୍‍ ଡମ୍‍ ଡମ୍ବରୁର ନାଦ  ………… ମହାଯୋଗେ କେ ସାଧିଲା ବାଦ ?

ଚକ୍ଷୁ କଲେ ଅର୍ଦ୍ଧ ନିମିଳିତ  ………… ମଦନର କାର୍ଯ୍ୟ ଏ ଗର୍ହିତ  ।

ହର କୋପାନଳ ହେଲା ଭୀମ ………. ଉନ୍‍ମୁକ୍ତ ତୃତୀୟ ନୟନ  ।

ସେ ନୟନୁ ମହାତେଜ ତ୍ରାସ  ……….. କାମଦେବ ହେଲେ ଭସ୍ମୀଭୂତ  ।

ତନୁହୀନ ହୋଇଲା ଜୀବନ  ………… ଭ୍ରମିଲେ ସେ ବିଶ୍ୱ ପ୍ରତିକ୍ଷଣ ।

ଏହି ପୌରାଣିକ ଚେତନା ସହ ବିଜ୍ଞାନ ଯୁଗର ଆବିଷ୍କୃତ କେତେକ ତଥ୍ୟାବଳୀ ମଧ୍ୟରେ ଥିବା ସାମଞ୍ଜସ୍ୟର ବିଶ୍ଳେଷଣ ନିମ୍ନରେ ପ୍ରତିପାଦନ  କରାଯାଇଅଛି ।

ଆଲୋକ ତରଙ୍ଗରୂପେ ବିକିରିତ ହୁଏ । ଏହାର କଣିକା ସ୍ୱଭାବ ଥିବାର ପ୍ରମାଣସିଦ୍ଧ ହେବାପରେ, ଡିବ୍ରୋଗ୍ଲାଇଙ୍କ ଯୁକ୍ତିକୁ ଡାଭିସନ୍‍ ଓ ଜର୍ମର ପ୍ରମାଣିତ କରି  ପାରିଥିଲେ । ଅର୍ଥାତ୍‍ କଣିକା ମଧ୍ୟ ତରଙ୍ଗ ପରି ପ୍ରତିକ୍ରିୟା ସୂଚାଏ । ଆଲୋକର ଫୋଟନ୍‍, ଶୂନ୍ୟ ବସ୍ତୁତ୍ୱ ଥାଇ ମଧ୍ୟ ବସ୍ତୁତ୍ୱ ଥିବା କଣିକାର ଗୁଣ ଓ ଧର୍ମକୁ ଦର୍ଶାଇ ପାରୁଛି । ସେହିପରି ବସ୍ତୁତ୍ୱ ଥିବା କଣିକା ମଧ୍ୟ ସମ୍ପୂର୍ଣ୍ଣଭାବେ ବସ୍ତୁ – ତରଙ୍ଗକୁ ରୂପାନ୍ତରିତ ହୋଇପାରୁଛି । ପ୍ରତ୍ୟେକ ସଜୀବ ଓ ନିର୍ଜୀବର ବସ୍ତୁତ୍ୱ ଅଛି । ଫୋଟନ୍‍ ଓ    ଇଲେକ୍‍ଟ୍ରନ୍‍ର କଣିକା ଓ ତରଙ୍ଗ ପ୍ରକୃତିକୁ ଯଦିସଜୀବର ଜୀବନ ଶକ୍ତିକୁ ଅତୁଟ ରଖି ତୁଳନା କରାଯାଏ, ତେବେ ଏମାନଙ୍କର ମଧ୍ୟ ତରଙ୍ଗ ପ୍ରକୃତି ଥିବା ପରି  ପ୍ରତୀୟମାନ ହେଉଅଛି । ଅର୍ଥାତ୍‍ ପ୍ରତ୍ୟେକ ଜୀବ ବସ୍ତୁତ୍ୱହୀନ ହୋଇ ତରଙ୍ଗର ଭୂମିକା ନେଇ ପାରିବ । ଏହାକୁ ଜୀବ – ତରଙ୍ଗ ଦ୍ୱୈତଭାବ କୁହାଯାଇପାରେ ।           କେତେକ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀର ପରିସୀମା ମଧ୍ୟରେ ଏହା ସମ୍ଭବ ହୋଇପାରେ  । ଯେପରି ଯୋଗୀ – ମୁନିଗଣ ନିଜର ତପସ୍ୟା ବଳରେ ନିଜକୁ ଅନ୍ତର୍ଦ୍ଧାନ କରାଇ ପାରିବା, ଆଲୋକର ବେଗରେ ବିଶ୍ୱର ବିଭିନ୍ନ ସ୍ଥାନରେ ପହଞ୍ଚିବା ଓ ପୁନଃ ଆବିର୍ଭାବ ହେବା ଆଦି କ୍ରିୟାମାନ ସମ୍ପାଦନ କରିପାରନ୍ତି । ତେଣୁ ବସ୍ତୁତ୍ୱ ଥିବା ଜୀବ  ଦୃଶ୍ୟମାନ ଓ କେତେକ ସର୍ତ୍ତ ପୂରଣ କରି ସାମୟିକ ଅଦୃଶ୍ୟ ହେବାର ସମ୍ଭାବନା ଥାଏ । ସେହିପରି ଶୂନ୍ୟ ବସ୍ତୁତ୍ୱ ଥିବା ଜୀବ ସାମୟିକ ଦୃଶ୍ୟମାନ ହେବାର  ସମ୍ଭାବନାକୁ ଏଡାଇ ଦିଆଯାଇ ନ’ପାରେ । ଶୂନ୍ୟ ବସ୍ତୁତ୍ୱ ଥିବା ଜୀବ ବା ଅଦେହୀର ସତ୍ତା ଅଦ୍ୟାବଧି ପରୀକ୍ଷାଗାରରେ ପ୍ରମାଣ କରାଯାଇ ପାରିନାହିଁ ।

ଦ୍ୱିତୀୟତଃ ଆମ ବିଶ୍ୱର ବସ୍ତୁତ୍ୱ ଓ  ଦୃଶ୍ୟମାନ ବସ୍ତୁର ବସ୍ତୁତ୍ୱର ହିସାବରୁ ଜଣା ପଡିଛି ଯେ, ଅଜ୍ଞାତ ଓ ଅଦୃଶ୍ୟ ବସ୍ତୁ(Dark Matter)ର ବସ୍ତୁତ୍ୱ ବିଶ୍ୱର ପ୍ରାୟ           ଶତକଡା ନବେଭାଗ । ମାଧ୍ୟାକର୍ଷଣ ଜନିତ ଯବୀକରଣ (Gravitational Lensing)ରୁ ଏହା ଥିବାର ପ୍ରମାଣ ମିଳିପାରୁଛି । ଦୃଶ୍ୟମାନ ବସ୍ତୁର ବସ୍ତୁତ୍ୱରେ          ଉଭୟ ସଜୀବ ଓ ନିର୍ଜୀବକୁ ଗ୍ରହଣ କରାଯୈଅଛି । ସେହିପରି ବିଶ୍ୱରେ ଅନ୍ୟ ଅଦୃଶ୍ୟ ଜୀବ ଜଗତ ଥିବାର ସମ୍ଭାବନାକୁ ଦୃଷ୍ଟିରେ ରଖି, ଅଜ୍ଞାତ ଓ ଅଦୃଶ୍ୟ ବସ୍ତୁ          ମଧ୍ୟରେ ସଜୀବର ସତ୍ତା ଅନୁମାନ କରାଯାଇପାରେ । ଏମାନେ ବସ୍ତୁତ୍ୱ ଥିବା ଅଦୃଶ୍ୟ ଜୀବ ଓ ଦ୍ୱିତୀୟ ପ୍ରକାରର ଅଦେହୀ ଅଟନ୍ତି ।

ଆମ ବିଶ୍ୱର କଳେବର ଚତୁଃଅକ୍ଷ(x,y,z,t)ରେ ବୃଦ୍ଧି ପାଉଅଛି । ସମୟ ଅକ୍ଷକୁ କାଳ୍ପନିକ ଅକ୍ଷ କୁହାଯାଏ । ଯେହେତୁ ଦୂରତାର ମାପକାଠିରେ ଏହା ‘ict’ ହୁଏ,        i = √-1 ଓ  c= ଆଲୋକର ସେକେଣ୍ଡକୁ ବେଗ । ଯଦି ସ୍ଥିର  s – ଫ୍ରେମ୍‍ ପାଇଁ  ଗତିଶୀଳ s’ – ଫ୍ରେମ୍‍ର ବେଗ ସାମ୍ୟ ହୁଏ, ମିଙ୍କୋସ୍କିଙ୍କ ସ୍ଥାନରେ ନିମ୍ନ  ସମୀକରଣଟି  ଲରେଣ୍ଟଜ୍‍ ଟ୍ରାନ୍‍ସଫର୍ମେସନ୍‍ରେ ଅପରିବର୍ତ୍ତିତ ରହୁଛି, ଯଥା –

r2 = x2 + y2 + z2 +(ict)2  = x’2 + y’2 +z’2 +(ict’)

‘r’ ଦୂରତାର ମାପକାଠିକୁ ସୂଚାଏ । ଯେତେବେଳେ  x=x’ = 0, y = y’ = 0, z = z’ = 0  ହୁଏ,  ‘r’ ର ମୂଲ୍ୟ  s  ଓ  s’  ଫ୍ରେମ୍‍ରେ ସମାନ ଓ  ‘ict’  ହୁଏ  । ଏହି ସମୟରେ ବସ୍ତୁଟି (ସଜୀବ କିମ୍ବା ନିର୍ଜୀବ) ଆୟତନ ଶୂନ୍ୟ ହୁଏ ଓ କାଳ୍ପନିକ ସମୟ ଅକ୍ଷରେ ଅବସ୍ଥାନ କରେ । ଏହି ସମସ୍ତ ବସ୍ତୁର ସ୍ଥିର ବସ୍ତୁତ୍ୱ(Rest Mass)  ଶୂନ୍ୟ ଅଟେ ଓ ସଦାସର୍ବଦା ଆଲୋକର ବେଗରେ ଗତିଶୀଳ ହୋଇଥାଆନ୍ତି । ଅର୍ଥାତ୍‍ ଦ୍ୱିତୀୟ ପ୍ରକାର ଅଦେହୀ ଭିନ୍ନ ସବୁ ଅଦେହୀ ଆଲୋକର ବେଗରେ  ବିଶ୍ୱବ୍ରହ୍ମାଣ୍ଡରେ ପରିଭ୍ରମଣ କରନ୍ତି । ଏମାନଙ୍କୁ ସଜୀବ ଫୋଟନ୍‍ କହିଲେ ଅତ୍ୟୁକ୍ତି ହେବନାହିଁ ।


Published in ଦିଗ୍‍ବଳୟ ‘Digbalay’ -Feb – 2005 –   Popular Science Magazine in Odia, Odisha Physical Society, Odisha .

 

 

 

 

 

 

 

 

 

 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help