କାଳର ବଶେ ଏ ଜଗତ
ଜଗନ୍ନାଥ ମହାପ୍ରଭୁଙ୍କର ବଡଦେଉଳ ନିର୍ମାଣ ପରେ ଦାରୁବ୍ରହ୍ମ ପ୍ରତିଷ୍ଠା ନିମିତ୍ତ ସ୍ୱୟଂ ବ୍ରହ୍ମଦେବ ଏହାର ଉପଯୁକ୍ତ ପୁରୋଧା ଜାଣି ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକକୁ ଯାତ୍ରାରମ୍ଭ କଲେ । ସେଠାରେ ପହଞ୍ଚି ଦେଖିଲେ ବ୍ରହ୍ମଦେବ ତର୍ପଣାଦି କର୍ମରେ ଧ୍ୟାନମଗ୍ନ ଓ ସେଥିପାଇଁ ଇନ୍ଦ୍ରଦ୍ୟୁମ୍ନଙ୍କୁ ଅପେକ୍ଷା କରିବାକୁ ପଡିଲା । ତର୍ପଣ ଶେଷରେ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ରାଜା ଆମନ୍ତ୍ରଣର ବାର୍ତ୍ତା ଜଣାଇଲେ । ବ୍ରହ୍ମଦେବ ତିଥି, ବାର ଓ ନକ୍ଷତ୍ର ଗଣନା ପୂର୍ବକ ସମ୍ମତି ଜଣାଇବା ମାତ୍ରେ, ରାଜା ତତ୍କ୍ଷଣାତ୍ ଭୂଲୋକକୁ ପ୍ରତ୍ୟାବର୍ତ୍ତନ କଲେ । କିନ୍ତୁ ହାୟଃ ! ଏ’କି ବିଡମ୍ବନା !! ସବୁକିଛି ଓଲଟପାଲଟ ହୋଇଯାଇଛି ଓ ଭୌଗଳିକ ପରିବେଶ ମଧ୍ୟ ଭିନ୍ନ ଅଟେ । ସମସ୍ତେ ଅପରିଚିତ ଓ ତାଙ୍କ ରାଜ୍ୟରେ ଆଉଜଣେ ନୂଆ ରାଜା ଗାଲମାଧବ ରାଜସିଂହାସନରେ ଉପବିଷ୍ଟ । ସମ୍ପୂର୍ଣ୍ଣ ନୂତନ ପରିବେଶରେ ସେ ରାଜ୍ୟର ପ୍ରକୃତ ରାଜା ଓ ଶ୍ରୀମନ୍ଦିରର ନିର୍ମାଣକର୍ତ୍ତା ଭାବେ, ଇନ୍ଦ୍ରଦ୍ୟୁମ୍ନ ନିଜକୁ ପ୍ରତିପାଦନ କରିବା ଅସମ୍ଭବ ହୋଇପଡିଲା । ଏତେ କମ୍ ସମୟ ବ୍ୟବଧାନରେ ଅର୍ଥାତ୍ ବ୍ରହ୍ମଲୋକକୁ ଗମନ ଓ ପ୍ରତ୍ୟାବର୍ତ୍ତନ ମଧ୍ୟରେ ଏହି ବିରାଟ ପରିବର୍ତ୍ତନକୁ ରାଜା କିଛି ବୁଝିପାରୁ ନ’ଥାନ୍ତି । ଏଠାରେ ଶହ ଶହ ବର୍ଷ କେମିତି ବିତିଗଲା ? ଶେଷରେ ରାଜାଙ୍କୁ ମନ୍ଦିର ନିର୍ମାଣ କାର୍ଯ୍ୟରେ ସାହାର୍ଯ୍ୟ କରିଥିବା କେତେକ ଜଳଚର ଜୀବ ଅର୍ଥାତ୍ କଇଁଛ ଆଦିଙ୍କ ସାକ୍ଷ୍ୟ ପ୍ରମାଣ ଦ୍ୱାରା ସେ ନିଜକୁ ପ୍ରମାଣିତ କରାଇ ପାରିଥିଲେ । ଇନ୍ଦ୍ରଦ୍ୟୁମ୍ନ ପ୍ରାୟ ମନର ଗତିରେ ଯାଇ ଫେରି ଆସିଥିଲେ ଓ ବ୍ରହ୍ମଦେବଙ୍କ ତର୍ପଣ ଏବଂ କଥୋପକଥନ ନିମିତ୍ତ ସେଠାରେ ମାତ୍ର କେତୋଟି ମୁହୂର୍ତ୍ତ ବିତିଥିଲ । ତେଣୁ ବ୍ରହ୍ମଲୋକର ସେହି ସମୟ ବ୍ୟବଧାନ ପୃଥିବୀରେ ଶହ ଶହ ବର୍ଷ ସହିତ ତୁଳନୀୟ । ହଜାର ହଜାର ବର୍ଷ ପୂର୍ବରୁ ଆମ ଧର୍ମଶାସ୍ତ୍ର ମାନଙ୍କରେ ସମୟର ମାପକାଠି – ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ, ବୈକୁଣ୍ଠପୁର, କୈଳାସପୁର, ବ୍ରହ୍ମପୁର ଆଦି ପାଇଁ ଭିନ୍ନ ଭିନ୍ନ ବୋଲି ଦର୍ଶାଯାଇଛି । ସୃଷ୍ଟିର ଧ୍ୱଂସ ଅର୍ଥାତ୍ ପ୍ରଳୟର ଧାରା ଆରମ୍ଭ ହୁଏ ବିଭିନ୍ନ ପର୍ଯ୍ୟାୟରେ । ପ୍ରଥମେ ଇନ୍ଦ୍ରଙ୍କ ମୃତ୍ୟୁ ଯୋଗୁଁ ଶସ୍ୟଶ୍ୟାମଳା ବସୁନ୍ଧରାର ଜୀବଜଗତ ଧ୍ୱଂସ ହୁଏ ଓ ତା’ପରେ ପରେ ପର୍ଯ୍ୟାୟକ୍ରମେ ଅନ୍ୟ ଦେବାଦେବୀ ସେମାନଙ୍କ ମୃତ୍ୟୁ ସମୟ ଆଗତ ଜାଣି ଦେହ ତ୍ୟାଗ କରନ୍ତି । ଶେଷରେ ବିଶ୍ୱର ସମସ୍ତ ଶକ୍ତିର ଏକତ୍ରୀକରଣ ହୋଇ ଏକ ବିନ୍ଦୁରେ ଠୁଳ ହୁଏ । ଏହାକୁ ଶୂନ୍ୟ ବ୍ରହ୍ମ, ନାଦବ୍ରହ୍ମ – ଓଁ, ପରମବ୍ରହ୍ମ – ନିରାକାର ବିଷ୍ଣୁ, ସର୍ବଗ୍ରାସୀ ମହାକାଳ ଆଦି ବହୁ ରୂପରେଖ ଦ୍ୱାରା ବର୍ଣ୍ଣନା କରାଯାଇଛି ।
ଉପରୋକ୍ତ ପୌରାଣିକ ବିଶ୍ଳେଷଣରୁ ସମୟ ପ୍ରବାହର କ୍ଷୀପ୍ରତା ଓ ମନ୍ଥରତା ସମ୍ବନ୍ଧରେ ସମ୍ୟକ୍ ସୂଚନା ମିଳେ । ବଡ ଗୌରବର ବିଷୟ ଯେ, ମହାମାନବ ଆଇନ୍ଷ୍ଟାଇନ୍ ତା’ଙ୍କ ବିଶିଷ୍ଟ ଆପେକ୍ଷିକତା ତତ୍ତ୍ୱ (Special Theory of Relativity) ମାଧ୍ୟମରେ ଏତାଦୃଶ ଭାବକୁ ସରଳ ଗାଣିତିକ ସୂତ୍ର ଦ୍ୱାରା 1905 ମସିହାରେ ପ୍ରତିଷ୍ଠା କରି ସାରା ଜଗତରେ ଚହଳ ସୃଷ୍ଟି କରିଥିଲେ । ଏହିପରି ଅନେକ ଅନେକ ନବ – ବିପ୍ଳବାତ୍ମକ ତତ୍ତ୍ୱମାନ ପ୍ରତିଷ୍ଠା କରି ସେ ଚିରସ୍ମରଣୀୟ ଓ ଚିର ଅମର ହୋଇ ପାରିଛନ୍ତି ।
ସମୟ ପ୍ରବାହର ମନ୍ଥରତା ବା ସମୟର ବିସ୍ତାରଣ ତା’ଙ୍କ ତଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ମନେକର ଏକ ସ୍ଥିର S – ଫ୍ରେମ୍ ଓ ସାମ୍ୟ ପରିବେଗରେ ଏକ ନିର୍ଦ୍ଦିଷ୍ଟ ଅକ୍ଷରେ ଗତି କରୁଥିବା S’ – ଫ୍ରେମ୍ର ମୂଳ ବିନ୍ଦୁ ଦ୍ୱୟରେ ଦୁଇଟି ଘଣ୍ଟା ସ୍ଥାପନ କରାଯିବା ସହ ସେଠାରେ ଦୁଇଜଣ ପର୍ଯ୍ୟବେକ୍ଷକଙ୍କୁ ବିଶ୍ୱର କୌଣସି ଏକ ସ୍ଥାନରେ ଘଟୁଥିବା ଏକ ଘଟଣାର ସମୟ ବ୍ୟବଧାନକୁ ପର୍ଯ୍ୟବେକ୍ଷଣ ନିମିତ୍ତ ନିୟୋଜିତ କରାଗଲା । ଆଶ୍ଚର୍ଯ୍ୟର ବିଷୟ, ସମୟ ବ୍ୟବଧାନକୁ ପର୍ଯ୍ୟବେକ୍ଷକ ଦ୍ୱୟ ଦୁଇଟି ଘଣ୍ଟାରୁ ଭିନ୍ନ ବୋଲି ଦର୍ଶାଇବେ । ଗତିଶୀଳ S’ -ଫ୍ରେମ୍ରେ ସମୟ ବ୍ୟବଧାନ ∆t’ ହୋଇଥିବା ବେଳେ, ସ୍ଥିର S -ଫ୍ରେମ୍ର ଘଣ୍ଟାରେ ∆t ହେବ ଓ ଏହି ଦୁଇ ସମୟ ବ୍ୟବଧାନ ନିମ୍ନ ସୂତ୍ର ଦ୍ୱାରା ଆବଦ୍ଧ ହେବେ, ଯଥା –
∆t’ = ∆t/√(1 – v2/c2) , v = S- ଫ୍ରେମ୍ ଅନୁଯାୟୀ S’- ଫ୍ରେମ୍ର ସାମ୍ୟ ପରିବେଗ, ଯାହା ଆଲୋକର ବେଗ c ସହ ତୁଳନୀୟ ଓ v< c
କିମ୍ବା ∆t’ > ∆t
ଏଠାରେ S’- ପର୍ଯ୍ୟବେକ୍ଷକଙ୍କୁ ଜଣା ପଡିବ ଯେ, ନିଜ ଘଣ୍ଟା ଠାରୁ S -ଫ୍ରେମ୍ ଘଣ୍ଟା ମନ୍ଥର ଗତିରେ ଚାଲୁଛି । ସେହିପରି S -ଫ୍ରେମ୍ ପର୍ଯ୍ୟବେକ୍ଷକ ନିଜ ଫ୍ରେମ୍ରେ ସମୟ ବ୍ୟବଧାନ ∆t ଓ S’- ଫ୍ରେମ୍ ପାଇଁ ∆t’ ଦର୍ଶାଇବା ସହିତ ଗାଣିତିକ ସୂତ୍ରଟି ଏହିପରି ହେବ, ଯଥା –
∆t = ∆t’/√(1 – v2/c2)
କିମ୍ବା ∆t > ∆t’
ତେଣୁ ଜଣେ ଅନ୍ୟର ଘଣ୍ଟା ମନ୍ଥର ଗତିରେ ଚାଲିଛି ବୋଲି ଭାବିବ ଓ ଏହାକୁ ପାରସ୍ପରିକ ପ୍ରଭାବ କୁହାଯାଏ । ଏଥିରୁ ଜଣାଯାଏ ଯେ, ଜଣେ ପର୍ଯ୍ୟବେକ୍ଷକ ସହିତ ଘଣ୍ଟାଟି ସ୍ଥିର ଥିଲେ ତାହା ସର୍ବାଧିକ ବେଗରେ ଚାଲିଲା ପରି ପ୍ରତୀୟମାନ ହୁଏ । ଯଦି ଘଣ୍ଟାଟି v – ପରିବେଗରେ ଗତିଶୀଳ ହୁଏ, ତେବେ ଏହାର ସୂଚକ କଣ୍ଟା ଉପରୋକ୍ତ ସୂତ୍ରାନୁସାରେ ଧିମେଇ ଚାଲିଲା ପରି ପର୍ଯ୍ୟବେକ୍ଷକକୁ ଜଣାପଡେ । ଏହି ବିଶ୍ଳେଷଣରୁ ଯମଜଭ୍ରାତା ବିରୋଧଭାସ(Twin Brother Paradox )ର ମୀମାଂସା ମଧ୍ୟ କରାଯାଇ ପାରିଛି । ଦୁଇ ଅଭିନ୍ନ ଯମଜଭ୍ରାତା ମଧ୍ୟରୁ ଜଣେ ପୃଥିବୀରେ ରହିବ ଓ ଅନ୍ୟ ଜଣେ ରକେଟରେ ବସି ଅନ୍ତରୀକ୍ଷର ବହୁଦୂରକୁ ଯାତ୍ରା କରି ପ୍ରତ୍ୟାବର୍ତ୍ତନ କରି ଆସିବ । ରକେଟର ଗମନ ଓ ପ୍ରତ୍ୟାବର୍ତ୍ତନର ବେଗ ସାମ୍ୟ ରହିବା ସହ ଆଲୋକର ଗତି ସହ ତୁଳନୀୟ ହୋଇଥିବ । ସମୟର ବିସ୍ତାରଣ ତତ୍ତ୍ୱାନୁଯାୟୀ ଅନ୍ତରୀକ୍ଷଗାମୀ ଭ୍ରାତା ପୃଥିବୀକୁ ଆସି ଦେଖିବ ତା’ର ଯମଜଭ୍ରାତାର ବୟସ ନିଜଠାରୁ ବହୁତ ଅଧିକ ହୋଇଯାଇଛି । ଏହି ତତ୍ତ୍ୱ ସ୍ଥୂଳ ଜଗତ ପାଇଁ ପରୀକ୍ଷା ସିଦ୍ଧ ହୋଇ ନ’ପାରିଥିଲେ ମଧ୍ୟ କଣିକା ଜଗତ ଅର୍ଥାତ୍ μ – ମ୍ୟୁଅନ୍ ଓ π – ମେସନ୍ କ୍ଷେତ୍ରରେ ପ୍ରମାଣିତ ହୋଇପାରିଛି । ପୁନଶ୍ଚ ଏ ତତ୍ତ୍ୱରୁ ମଧ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭାବର ପ୍ରକଟ ହେଉଅଛି , ଯଥା –
(1) କୌଣସି ପର୍ଯ୍ୟବେକ୍ଷକ ପାଇଁ ସମୟର ଗତି ପଶ୍ଚାତଗାମୀ ନୁହେଁ ଓ ଜଣେ ପ୍ରୌଢ ତା’ର ଶୈଶବାବସ୍ଥାକୁ ଫେରିବା ଅସମ୍ଭବ ଅଟେ ।
(2) କୌଣସି ଘଟଣା ଘଟିବା ପୂର୍ବରୁ ପର୍ଯ୍ୟବେକ୍ଷଣ କରାଯାଇ ପାରିବ ନାହିଁ ଅର୍ଥାତ୍ ଭବିଷ୍ୟତର ଆକଳନ ଏକ ସମ୍ଭାବନା ମାତ୍ର ।
ଅନନ୍ତ ବିଶ୍ୱର ସମସ୍ତ ବସ୍ତୁ, ଧାରା ଓ ଉପଧାରା ଆଦି ଗତିଶୀଳ ଅଟନ୍ତି । ଏହା କଣିକା ଜଗତ ଠାରୁ ଆରମ୍ଭ କରି ସ୍ଥୂଳ ଜଗତ ଯାଏଁ ପରିବ୍ୟାପ୍ତ ଅଟେ । ଗ୍ୟାଲାକ୍ସି ଗୁଡିକ ଅନବରତ ପରସ୍ପର ଠାରୁ ଦୂରେଇ ଯିବା ସହ ଇଲେକ୍ଟ୍ରନ୍ଟି ତା’ର ନାଭି କେନ୍ଦ୍ରକୁ ପରିକ୍ରମଣ କରୁଅଛି । ପରସ୍ପରର ଆପେକ୍ଷିକ ବେଗ ଅନୁଯାୟୀ ଧାରା, ଉପଧାରା ଆଦି ଗୁଡିକର ସମୟର ମାପକାଠି ସୂଚିତ କରାଯାଇ ପାରେ । ସବୁଠାରୁ ଅଧିକ ବେଗରେ ରହିଲେ ବୟସ ବୃଦ୍ଧି ମନ୍ଥର ଓ ସ୍ଥିର ରହିଲେ ବୟସ ବୃଦ୍ଧି ପ୍ରଖର ହେବ । ସମବେଗ ଓ ଭିନ୍ନବେଗ ପାଇଁ ସମୟର ମାପକାଠି ଯଥାକ୍ରମେ ସମାନ ଓ ଅସମାନ ହେବ । ଏହାଦ୍ୱାରା ସମ୍ଭବତଃ କେତେକ ଏକକାଳୀନ ମୃତ୍ୟୁ ଓ କେତେକ ବିଭିନ୍ନ ସମୟରେ ମୃତ୍ୟୁର କରାଳ ଗ୍ରାସର ସମ୍ମୁଖୀନ ହେବେ । ଆମ ବିଶ୍ୱ ଗର୍ଭରେ ଅସୁମାରୀ ଧାରା ଓ ଉପଧାରା ଆଦିର ଜନ୍ମ ଓ ମୃତ୍ୟୁ ଅହରହ ଘଟୁଅଛି । ତାରକାର ଜନ୍ମ ଓ ମୃତ୍ୟୁ, କଣିକାର ଜନ୍ମ ଓ ମୃତ୍ୟୁ ଆଦି ଏହାର ଉଦାହରଣ ଅଟେ । ସ୍ରଷ୍ଟାର ସମ୍ମୁଖରେ ସୃଷ୍ଟିର ମୃତ୍ୟୁ ଘଟୁଛି । ଏ ବିଶ୍ୱର ଆୟତନ ଚତୁଃ ଅକ୍ଷରେ ବୃଦ୍ଧି ପାଉଅଛି ଓ ସର୍ବଗ୍ରାସୀ କୃଷ୍ଣଗର୍ତ୍ତ ଗୁଡିକର ସନ୍ଧାନ ଗୋଟିକ ପରେ ଗୋଟିଏ ମିଳିବାରେ ଲାଗିଛି । ଏହି କୃଷ୍ଣଗର୍ତ୍ତ ଗୁଡିକର ପ୍ରବଳ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରେ ହଜାର ହଜାର ଆଲୋକବର୍ଷ ଦୂରରୁ ନକ୍ଷତ୍ର ଗୁଡିକ ଅତ୍ୟନ୍ତ ବେଗରେ ଟାଣିହୋଇ ଆସୁଛନ୍ତି । ଏପରି ଏକ ସମୟ ଆସିପାରେ, ଯେତେବେଳେ କି ଏ ବିଶ୍ୱ କୃଷ୍ଣଗର୍ତ୍ତମୟ ଓ ବିକିରଣ ଶୂନ୍ୟ ହୋଇଯିବ । ଅର୍ଥାତ୍ ଘୋର ଅନ୍ଧକାର ମାଡି ଆସିବା ସହ ବିଶ୍ୱ ସୃଷ୍ଟି ହୋଇଥିବା ପ୍ରାୟ 13.7 ବିଲିୟନ୍ ବର୍ଷ ପୂର୍ବର ପ୍ରଚଣ୍ଡ ବିସ୍ଫୋରଣର ଶକ୍ତି ଯାହାକି, ବିଶ୍ୱର କଳେବର ବୃଦ୍ଧି କରାଇ ଚାଲିଛି ତାହାର ଏକ ସନ୍ତୁଳନ ଅବସ୍ଥା କୃଷ୍ଣଗର୍ତ୍ତ ଗୁଡିକର ଭୟଙ୍କର ଆକର୍ଷଣ ଦ୍ୱାରା ଉପନୀତ ହୋଇପାରେ । ଏହାପରେ କୃଷ୍ଣଗର୍ତ୍ତ ଗୁଡିକର ପରସ୍ପର ମିଶ୍ରଣ, ବିଶ୍ୱର ସଂକୋଚନ ପ୍ରକ୍ରିୟା ଆରମ୍ଭ, ଶେଷରେ ଏହା ଏକ ମହା କୃଷ୍ଣଗର୍ତ୍ତରେ ପରିଣତ ହେବା ଓ ଏହି କୃଷ୍ଣଗର୍ତ୍ତର ଲଗାତର ସଂକୋଚନ ପ୍ରକ୍ରିୟା ଦ୍ୱାରା ସମଗ୍ର ବିଶ୍ୱ ଏକ ବିନ୍ଦୁରେ ଲୀନ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ’ପାରେ । ଏହାକୁ ବିଗ୍କ୍ରଞ୍ଚ୍ (Big Crunch) ବା ବିଶ୍ୱର ମୃତ୍ୟୁ ଭାବେ ଆଖ୍ୟା ଦିଆଯାଇଛି । ସମଗ୍ର ବିଶ୍ୱ ସ୍ଥାନ – ଶୂନ୍ୟ ହୋଇ ସମୟ ବା କାଳ ସହ ଏକତ୍ରିତ ହୋଇଯିବ । ଏହାକୁ ସ୍ଥାନ – କାଳ ଏକତ୍ୱ (Space -Time Singularity)ଭାବେ ଦର୍ଶା ଯାଇଛି । ଏହି ସମୟରେ ସମଗ୍ର ବିଶ୍ୱ ଅବାସ୍ତବ ମନେହୁଏ ଓ କାଳ୍ପନିକ ସମୟ ଅକ୍ଷରେ ଅବସ୍ଥାନ କଲାପରି ପ୍ରତୀୟମାନ ହୁଏ, ଯାହା ମିଙ୍କୋସ୍କିଙ୍କ ସ୍ଥାନରେ ଚତୁଃଅକ୍ଷ ସମୀକରଣ ସହ ତୁଳନୀୟ ଅଟେ । ଏହି ପ୍ରଳୟ ଅବସ୍ଥାରେ ଏକମାତ୍ର ଅକ୍ଷୟ ଓ ଅନନ୍ତ କାଳ ସତେକି ନିଜର କରାଳ ଗର୍ଭରେ ସମଗ୍ର ବିଶ୍ୱକୁ କ୍ଷେପଣ କରି ତିଷ୍ଠି ରହିବ ଓ ଆଗାମୀ ସୃଷ୍ଟିର ସର୍ଜନା ନିମିତ୍ତ ପୁନଃ ପ୍ରସ୍ତୁତି ଆରମ୍ଭ କରିବ ଯାହାକୁ ବିଗ୍ବ୍ୟାଙ୍ଗ୍ (Big Bang) କୁହାଯାଏ ।
ଏପରି ଏକ ଚିନ୍ତନ ଆମ ସଂସ୍କୃତି ଓ ଆଇନ୍ଷ୍ଟାଇନ୍ଙ୍କ ବିଶିଷ୍ଟ ଆପେକ୍ଷିକ ତତ୍ତ୍ୱ ସହ ପ୍ରାୟ ମେଳ ରହୁଛି । ପ୍ରଳୟର ଘୋର ଅନ୍ଧକାର ସତେକି ଓଁ – କାର ଧ୍ୱନିରେ ପ୍ଳାବିତ, ମହାକାଳର କରାଳ ରୂପରେ ଶୋଭିତ, ପରମ ବ୍ରହ୍ମ – ନିରାକାର ବିଷ୍ଣୁ ଅନନ୍ତ ଶଯ୍ୟାରେ କ୍ଷୀରସାଗରରେ ଯୋଗ ନିଦ୍ରାରେ ନିଦ୍ରିତ ଇତ୍ୟାଦି ରୂପରେଖ ଆମ ସଂସ୍କୃତିକୁ ଗୌରବମୟ କରି ରଖିଅଛି, ଯାହାକୁ ସ୍ଥାନ – କାଳଏକତ୍ୱ ସହ ତୁଳନା କରାଯାଇପାରେ । ଧନ୍ୟ ଏ ମହାନ୍ ସଂସ୍କୃତି । ପ୍ରତ୍ୟେକ ମାନବ ପ୍ରାକୃତିକ ନିୟମର ବିରୋଧାଚରଣ ନ’କରି ସେହି ପରମ ବ୍ରହ୍ମ ମହାକାଳଙ୍କୁ ଭକ୍ତିପୂତ ଚିତ୍ତରେ ପ୍ରାର୍ଥନା କରିବା ସହ ନିଜର କର୍ମକୁ ନିମ୍ନମତେ ଦର୍ଶାଇବା ବିଧେୟ, ଯଥା –
“ସର୍ବେ ଭବନ୍ତୁ ସୁଖୀନଃ – ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ – ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍”
(1) Published in ‘Digbalay’ (ଦିଗ୍ବଳୟ)- Feb – 2006 – Popular Science Magazine in Odia, Odisha Physical Society, Odisha .
(2) Published in Bigyan Digant(ବିଜ୍ଞାନ ଦିଗନ୍ତ)
(3) Published in the College Magazine, “PURABI”, Dharanidhar Autonomous Collega, Keonjhar, Odisha.