ଅବତାର ତତ୍ତ୍ୱର ରହସ୍ୟ – ଏକ ବୈଜ୍ଞାନିକ ବିଶ୍ଳେଷଣ
ପୌରାଣିକ ମତାନୁସାରେ, ଯେତେବେଳେ ଧରାଧାମରେ ଧର୍ମର ଗ୍ଳାନି ଘଟେ ଅର୍ଥାତ୍ ପାପର ମାତ୍ରା ବଢିଚାଲେ, ଦୁରାଚାରୀଗଣ ଆଧିପତ୍ୟ ବିସ୍ତାର କରନ୍ତି, ଅରାଜକତା ସୀମା ଲଂଘନ କରେ ଓ ସରଳ, ନିରୀହ ଏବଂ ଧର୍ମପ୍ରାଣ ଜନତା ଅତ୍ୟାଚାରୀଙ୍କ ଦୌରାତ୍ମ୍ୟରେ ତ୍ରାହି ତ୍ରାହି ଡାକନ୍ତି, ସେହି ସମୟରେ ଭଗବାନ ବିଷ୍ଣୁ ସୃଷ୍ଟି ରକ୍ଷା ନିମିତ୍ତ ଅବତାର ଗ୍ରହଣ କରିଥାନ୍ତି, ଯଥା –
ଯଦା ଯଦା ହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ
ଅଭ୍ୟୁଥାନମ୍ ଅଧର୍ମସ୍ୟ ତଦାତ୍ମନଂ ସୃଜାମ୍ୟହମ୍
ପରିତ୍ରାଣାୟ ସାଧୁନାଂ ବିନାଶାୟଶ୍ଚ ଦୁଷୃତାମ୍
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ ।
ମହାଭାରତ ଯୁଦ୍ଧର ଅବ୍ୟବହିତ ପୂର୍ବରୁ କେଶବ ପାର୍ଥକୁ ଏହି ଉକ୍ତି ଶୁଣାଇଛନ୍ତି । ପ୍ରକୃତି – ପୁରୁଷ – ମହାକାଳ – ଶ୍ରୀଭଗବାନ(The Time) ହିଁ ସମସ୍ତ ସୃଷ୍ଟିର ମୂଳବିନ୍ଦୁ । ସୃଷ୍ଟିର ସର୍ବ ସଜୀବ ଓ ନିର୍ଜୀବ ଠାରେ ଭରି ରହିଛି ବ୍ରହ୍ମଚେତନା । ସୂକ୍ଷ୍ମ ଜଗତରୁ ସ୍ଥୂଳ ଜଗତ ଯାଏଁ ଅସଂଖ୍ୟ ଘଟଣାବଳୀ ପ୍ରତି ମୁହୂର୍ତ୍ତରେ ଘଟିଚାଲିଛି ପ୍ରତ୍ୟେକଙ୍କ ପାଇଁ କିଛିନା କିଛି ନିୟମ ଖଞ୍ଜା ଯାଇଛି ଓ ଏହାର ଅବମାନନା ହେଲେ ବିପର୍ଯ୍ୟୟ ଘଟୁଛି । ବୈଜ୍ଞାନିକ ପରୀକ୍ଷଣ ଦର୍ଶାଏ ଯେ, ବିଶ୍ୱର କୌଣସି ବସ୍ତୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଉତ୍ତେଜିତ ଅବସ୍ଥାରେ ରହିପାରିବ ନାହିଁ । ବଳପୂର୍ବକ ଉତ୍ତେଜିତ ଅବସ୍ଥାରେ ରଖାଗଲେ ଏହା ବିଲୟର କାରଣ ସୃଷ୍ଟିକରେ । ତେବେ ପ୍ରଶ୍ନ ଉଠେ, ଇଲେକ୍ଟ୍ରନ୍ ଓ ଗ୍ରହାଦିଗଣ ନିଜ ନିଜ କକ୍ଷରେ କାହିଁକି ଘୂରୂଛନ୍ତି ବା କିଏ ଘୂରାଇଲା ? ବିଶ୍ୱର ଆୟତନ କାହିଁକି ବୃଦ୍ଧି ପାଉଛି ? ବିଶ୍ୱର ଚାରି ପାରସ୍ପରିକ କ୍ରିୟାର ସର୍ଜନା ଏବଂ ସଞ୍ଚାର କେମିତି ହେଲା ? ଶିଶୁଟି ଜନ୍ମହୋଇ କ୍ରମଶଃ ବୃଦ୍ଧାବସ୍ଥାରେ ପଦାର୍ପଣ କରୁଛି ଓ ଶେଷରେ ମୃତ୍ୟୁ ମୁଖରେ ପଡୁଛି । ବୃଦ୍ଧାବସ୍ଥାରୁ ଜୀବ ପୁନଃ ଶୈଶବକୁ ଫେରିପାରୁନାହିଁ କାହିଁକି ଅର୍ଥାତ୍ ସମୟର ଗତି କ’ଣ ସଦା ସର୍ବଦା ଆଗକୁ ? ଏହିପରି ଅସଂଖ୍ୟ ଘଟଣାର ମୂଳ କାରଣ ରହସ୍ୟମୟ ଅଟେ । ଯାହା ଜଣାପଡୁଛି ସର୍ବେ ନିୟମର ପରିବେଷ୍ଟନୀ ମଧ୍ୟରେ ଆବଦ୍ଧ । ବିଶ୍ୱର ସର୍ବମୟ କର୍ତ୍ତା ଏହି ପ୍ରାକୃତିକ ନିୟମ ଗୁଡିକର ପ୍ରଣେତା । ସେହି ସର୍ବ ପରିବ୍ୟାପ୍ତ – ସର୍ବ ସୃଷ୍ଟିକାରକ – ସର୍ବଗ୍ରାସୀ ସ୍ରଷ୍ଟା ସୃଷ୍ଟି କରିଛନ୍ତି ଏହି ସୁନ୍ଦର – ସବୁଜମୟ – ଜୀବଜଗତ ପୂର୍ଣ୍ଣ ବସୁନ୍ଧରା । ଏଠାରେ ମାନବ ହେଉଛି ସର୍ବ ଶ୍ରେଷ୍ଠ ଜୀବ, ଯାହାଠାରେ ଭରି ରହିଛି ଓ ଜାଗ୍ରତ ଅଛି ବ୍ରହ୍ମ ଚେତନା, ଷଡରିପୁ, ପଞ୍ଚମନ, ପଚିଶ ପ୍ରକୃତି ……. ଇତ୍ୟାଦି । ନିଜ ନିଜ ନିଜର ଗୁଣ କର୍ମକୁ ମହାଜାଗତିକ ରୂପରେଖ ଦେବାପାଇଁ ପ୍ରକୃତି ଯୋଗାଇ ଦେଇଛି ପ୍ରଶସ୍ତ କ୍ଷେତ୍ର । ଉଦ୍ଦେଶ୍ୟ ସୃଷ୍ଟି ରକ୍ଷା ହେଉ ଓ ଏହାର ମଙ୍ଗଳ ହେବା ସଙ୍ଗେ ସଙ୍ଗେ ଅବକ୍ଷୟ ନ ହେଉ । ତେଣୁ ଏକକୋଷୀ ପ୍ରାଣୀ ସୃଷ୍ଟି ଠାରୁ କ୍ରମ ବିବର୍ତ୍ତନ ହୋଇ ମର୍କଟ ଓ ଶେଷରେ ବୁଦ୍ଧିମାନ ମାନବର ସୃଷ୍ଟି ହୋଇଛି । ଯାହା ପ୍ରତୀୟମାନ ହୁଏ, ଦିବ୍ୟସୃଷ୍ଟି ମାନବ ଯଥାନିମ୍ନ ଆବଶ୍ୟକତା ସହ ବସତି ସ୍ଥାପନ କରିବା ଓ ପ୍ରକୃତିର ବିରୁଦ୍ଧାଚରଣ ନ କରିବାହିଁ ସୃଷ୍ଟିର ମୂଳ ଉଦ୍ଦେଶ୍ୟ ଅଟେ । ଯେହେତୁ ଯୁଗ ସହ ମାନବର ଜ୍ଞାନ ପରିପକ୍ୱତାର ବୃଦ୍ଧି, ଲାଳସା ଓ ଅହଂକାରର ବଶବର୍ତ୍ତୀ, ପ୍ରକୃତିର ନିୟମ ଧାରାରେ କୁଠାରଘାତ …… ଆଦି ଘଟଣାମାନ ଦୃଶ୍ୟମାନ ହୋଇଉଠେ, ତେଣୁ ମାନବ ସମାଜର ରକ୍ଷା ନିମିତ୍ତ ମହାମାନବମାନେ ବିଭିନ୍ନ ଉପାୟରେ ନୀତି-ନିୟମମାନ ଚିନ୍ତା କରିବା ସଙ୍ଗେ ସଙ୍ଗେ ତତ୍କାଳୀନ ଘଟଣାବଳୀରୁ ସୃଷ୍ଟି କରି ଚାଲନ୍ତି ଶାସ୍ତ୍ର, ପୋଥି, ପୁରାଣ ….. ଇତ୍ୟାଦି । ଏସବୁ ସତ୍ତ୍ୱେ ମଧ୍ୟ ସମୟର ଅନନ୍ତ ପରିସର ମଧ୍ୟରେ ଅହଂକାରୀ ଓ ସ୍ୱେଛାଚାରୀ ଶାସକବର୍ଗଙ୍କ ଉତ୍ପାତ ବଢିଲେ ସୃଷ୍ଟିରେ ଜାତ ହୁଏ ଧ୍ୱଂସାତ୍ମକ ପରିବେଶ । ଦୁର୍ନୀତି, ବ୍ୟଭିଚାର, ଶୋଷଣ, କୁକର୍ମ, ଅପକର୍ମ, ଦୁଃଷ୍କର୍ମ, ନରସଂହାର ଆଦି ପାପ କର୍ମର ମଧ୍ୟ ବୃଦ୍ଧି ଘଟେ ।ସମଗ୍ର ଧରା ନର୍କଗାମୀ ହେବାର ଅନୁଭୂତ ହୁଏ । ଏହି ଦୃଶ୍ୟାବଲୋକନରେ କେଉଁ ସ୍ରଷ୍ଟା କ’ଣ ସ୍ଥିର ହୋଇ ରହି ପାରିବ ? ନିଜ ଚକ୍ଷୁ ସାମ୍ନାରେ କେଉଁ ପିତା – ମାତା ସନ୍ତାନ ମାନଙ୍କର ନର୍କଗାମୀ ପଥକୁ ଅବରୋଧ ନ କରି କ’ଣ ରହିପାରିବେ ? ତେଣୁ ସୃଷ୍ଟିର ସର୍ବମୟ କର୍ତ୍ତା ଭଗବାନ ବିଷ୍ଣୁ ଏ ସୁନ୍ଦର ଧରାର ରକ୍ଷା ଓ ପାଳନ ନିମିତ୍ତ ବାରମ୍ବାର ଅବତାର ଗ୍ରହଣ କରନ୍ତି ।
ହିନ୍ଦୁ ଧର୍ମ ଶାସ୍ତ୍ରରେ ଅବତାର ତତ୍ତ୍ୱର ବିଶ୍ଳେଷଣମାନ କରାଯାଇଛି । ସୃଷ୍ଟି ସର୍ଜନାଠାରୁ ପ୍ରଳୟକାଳ ଯାଏ ଅର୍ଥାତ୍ ଚାରିଯୁଗପାଇଁ ବିଭିନ୍ନ ପୁରାଣରେ 10, 18, 22, 24, 33 ଓ 50 ପ୍ରଭୃତି ଅବତାରର ବର୍ଣ୍ଣନା କରାଯାଇଛି । ଶ୍ରୀମଦ୍ଭାଗବତ ମହାପୁରାଣରେ 22 ଟି ଅବତାର ତତ୍ତ୍ୱକୁ ଗ୍ରହଣ କରାଯାଇଅଛି ଏବଂ ଏହା ପ୍ରଥମ ସ୍କନ୍ଧରେ ଉଲ୍ଲେଖ ହୋଇଛି । ସୃଷ୍ଟି କାଳରେ ଅନାଦି ପରମ ପୁରୁଷ – ମୁରାରି, ବିରାଟ ରୂପରେ ଷୋଡଶ କଳା ବହନ କରିଥା’ନ୍ତି, ଯଥା – ମନ, ଅନ୍ତରୀକ୍ଷ, ସମୀର, ଅନଳ, ବସୁମତୀ, ଜଳ, ପଞ୍ଚଜ୍ଞାନେନ୍ଦ୍ରିୟ ଓ ପଞ୍ଚକର୍ମେନ୍ଦ୍ରିୟ । ସୃଷ୍ଟି ସର୍ଜନାର ଇଛା ପ୍ରକଟ ପୂର୍ବକ ଜଳରେ ଯୋଗନିଦ୍ରା ଓ ମହାପୁରୁଷଙ୍କ ନାଭି କମଳରୁ ପଦ୍ମର ପ୍ରକାଶ ଏବଂ ତନ୍ମଧ୍ୟରୁ ବ୍ରହ୍ମା ଜାତ ହେଲେ । ବ୍ରହ୍ମାଙ୍କ ଶରୀରରୁ ସୃଷ୍ଟିର ବିସ୍ତାର ହେଲା । ସୃଷ୍ଟିର ପ୍ରଥମ ଅବତାର – କୁମାର ରୂପେ ସନକ, ସନନ୍ଦନ, ସନାତନ ଓ ସନତ୍ କୁମାର ଆଦି ଚାରି ମୁନିଙ୍କର ଆବିର୍ଭାବ ହେଲା । ସେମାନେ ଦୁସ୍ତର ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରି ଦୃଢ ଚିତ୍ତରେ ଘୋର ତପ ସାଧନା କଲେ ଓ ସୃଷ୍ଟି ଉଦୟର ଉପଦେଶ ଦେଲେ । ଦ୍ୱିତୀୟରେ ଯଜ୍ଞେଶ୍ୱର ରୂପେ ସୃଷ୍ଟି ଆଗମ ଭାବିଲେ । ପୂର୍ବ ପ୍ରଳୟ କାଳରୁ ଘୋର ଜଳରେ ମହୀ ରସାତଳେ ଡୁବି ରହିଥିଲା । ତେଣୁ ବରାହ ରୂପରେ ଶ୍ରୀହରି ମହୀକୁ ଦନ୍ତରେ ଧାରଣ କରି ଉଦ୍ଧାର ପୂର୍ବକ ଜଳରେ ଭସାଇ ରଖିଲେ । ତୃତୀୟରେ ନାରଦମୁନି ରୂପେ ବିଷ୍ଣୁ ଭକ୍ତଙ୍କ ହିତରେ ନିଷ୍କାମ ଶାସ୍ତ୍ର ଶୁଣାଇଲେ । ଚତୁର୍ଥରେ ନରନାରାୟଣ ୠଷିଭାବେ ସୃଷ୍ଟି କଳ୍ପନା ନିମିତ୍ତ ଧର୍ମ ଓ ତପ ଆଚରଣର ମାର୍ଗ ଦେଖାଇଲେ । ପଞ୍ଚମରେ ସିଦ୍ଧ ଅବତାରରେ କର୍ଦ୍ଦମଙ୍କ ପୁତ୍ର କପିଳ ରୂପରେ ପିତା- ମାତାଙ୍କୁ ଜ୍ଞାନମାର୍ଗ ଦର୍ଶାଇଲେ । ଷଷ୍ଠରେ ଅତ୍ରି ଓ ଅନସୂୟାଙ୍କ ପୁତ୍ର ଦତ୍ତାତ୍ରେୟ (ବିଷ୍ଣୁ), ଦୁର୍ବାସା (ଶିବ), ଓ ସୋମ (ବ୍ରହ୍ମା) ହୋଇ ଦୈତ୍ୟମାନଙ୍କୁ ଜ୍ଞାନଶାସ୍ତ୍ର ବୁଝାଇଲେ । ସପ୍ତମ ସର୍ଗରେ ନରହରି ଯଜ୍ଞ ରୂପରେ ଆକୂତି ଗର୍ଭରୁ ଜାତହୋଇ ସ୍ୱୟମ୍ଭୁ ମନ୍ୱନ୍ତର ପାଳିଲେ । ଅଷ୍ଟମରେ ନାଭି ଓ ମେରୁ ଦେବୀଙ୍କ ସୂତ ରୂଷଭ ରୂପେ ଜାତ ହୋଇ ଜ୍ଞାନୀଙ୍କୁ ପଥ ପ୍ରଦର୍ଶନ କଲେ । ନବମରେ ପୃଥୁ ରୂପରେ ବସୁନ୍ଧରୀଙ୍କୁ ଦୋହନ କଲେ ଓ ତାଙ୍କ ନାମ ଉଶତ୍ତମ ହେଲା । ଦଶମରେ ମତ୍ସ୍ୟ ଅବତାର ହୋଇ ପ୍ରଳୟ ଜଳରେ ଔଷଧି – ବୀଜପୂର୍ଣ୍ଣ – ନାବ ବାହି ରବି କୁମରଙ୍କୁ ରକ୍ଷା କଲେ । ଏକାଦଶରେ କୂର୍ମରୂପ ଧରି ଦେବାସୁର କ୍ଷୀର ସାଗର ମନ୍ଥନ କାଳରେ ମନ୍ଦର ଗିରିକୁ ପୃଷ୍ଠରେ ବହିଲେ । ଦ୍ୱାଦଶ ସର୍ଗରେ ଧନ୍ୱନ୍ତରୀ ରୂପେ ଜାତ ହୋଇ କ୍ଷୀରାର୍ଣ୍ଣବରୁ ଅମୃତ ଆଣି ଦେବତାଙ୍କୁ ପିଆଇଲେ ।ତ୍ରୟୋଦଶରେ ମୋହିନୀ ରୂପ ଧରି ଅସୁରମାନଙ୍କୁ କାମ ବଶରେ ମୋହିଲେ । ଚତୁର୍ଦ୍ଦଶରେ ନୃସିଂହ ଅବତାର ଧରି ହିରଣ୍ୟକଶିପୁକୁ ବିଦାରଣ କଲେ । ପଞ୍ଚଦଶରେ ବାମନ ରୂପରେ ବଳିକୁ ଛଳିଲେ । ଷୋଡଶରେ ପର୍ଶୁରାମ ଅବତାର । ପିତୃହତ୍ୟାର କୋପାନଳରେ ଏକବିଂଶବାର ମହିକୁ ନିକ୍ଷତ୍ରିୟ କଲେ ଓ କ୍ଷତ୍ରିଙ୍କ ରୁଧିରପୂର୍ଣ୍ଣ କୁଣ୍ଡରେ ପିତୃତର୍ପଣ କଲେ । ଭଗବାନଙ୍କ ସପ୍ତଦଶ ଅବତାର ବ୍ୟାସଦେବ – କୃଷ୍ଣାଦ୍ୱୀପରେ ଜନ୍ମ ଯୋଗୁ କୃଷ୍ଣ ଦ୍ୱୈପାୟନ, ବେଦକୁ ବିଭାଗ କରିଥିବାରୁ ବେଦବ୍ୟାସ, ବେଦସଂହିତା ରଚନା କରିଥିବା ଯୋଗୁ ବାଦରାୟଣ, ପରାଶରଙ୍କ ପୁତ୍ର ହେତୁ ପାରାଶର୍ଯ ଓ ସତ୍ୟବତୀ ଗର୍ଭୁ ଜାତ ହେତୁ ସତ୍ୟବତୀପୁତ୍ର ବୋଲାଇଲେ ।ଅଷ୍ଟାଦଶରେ ଶ୍ରୀରାମ ଅବତାର ରୂପେ ସୂର୍ଯ୍ୟ ବଂଶରେ ଜାତ ହେଲେ ଓ ଲଙ୍କାପୁରକୁ ଧ୍ୱଂସ କରି ରାବଣକୁ ବଧ କଲେ । ଊନବିଂଶ ଓ ବିଂଶାବତାରରେ କୃଷ୍ଣ ଏବଂ ବଳରାମ ରୂପେ ଧରଣୀରୁ ପାପଭାର ଉଶ୍ୱାସିଲେ । କଳିର ଆଗମନରେ ଶ୍ରୀହରି ଏକବିଂଶରେ କୀକଟ ନଗରରେ ବୁଦ୍ଧରୂପରେ ଜ୍ଞାନ ବିତରଣ କରିବେ । କଳିଯୁଗରେ ପାପମାତ୍ରା ଅତ୍ୟଧିକ ବୃଦ୍ଧିରେ ହୃଷୀକେଶ ବିଷ୍ଣୁଯଶା ଘରେ କଳ୍କୀ ଅବତାର (ଦ୍ୱାବିଂଶ) ହୋଇ ଜନ୍ମଲାଭ କରିବେ । ଅଶ୍ୱ ଆରୋହଣ କରି ମନର ବେଗରୁ ଅଧିକ ବେଗରେ ଭ୍ରମଣ କରି ନନ୍ଦକ ଖଡ୍ଗରେ ମ୍ଳେଚ୍ଛମାନଙ୍କୁ ବଧ କରିବେ । ପୁନଶ୍ଚ ପରମ ଭକ୍ତ ଜୟଦେବଙ୍କ ଗୀତଗୋବିନ୍ଦରେ ଦଶ ଅବତାରର ବର୍ଣ୍ଣନା ହୋଇଛି, ଯଥା – ମୀନ, କୂର୍ମ, ବରାହ, ନରସିଂହ, ବାମନ, ପର୍ଶୁରାମ, ଶ୍ରୀରାମ, ବଳରାମ, ବୁଦ୍ଧ ଓ କଳ୍କୀ । ସେ କୃଷ୍ଣଙ୍କୁ ଅବତାରୀ ଭାବେ ଗ୍ରହଣ କରିଛନ୍ତି ଓ ଭକ୍ତ ଭକ୍ତି ସାଗରରେ ଡୁବିରହି ଈଶ୍ୱରଙ୍କୁ ଯେଉଁ ରୂପରେଖ ଓ ଭାବଧାରାରେ ବନ୍ଧନଯୁକ୍ତ ହୁଏ ତାହାହିଁ ସମାଜର ମଙ୍ଗଳକାରକ ହୋଇଥାଏ । ସର୍ବଶକ୍ତିମାନ, ଜାଗତିକ ଶକ୍ତି -ପରମ ବିଶ୍ୱାସ -ଦୃଢ ଯୁକ୍ତାତ୍ମକ ମନୋବଳ ଦ୍ୱାରା ଅନୁଭୂତ ହୁଏ, କିନ୍ତୁ ତର୍କଦ୍ୱାରା ନୁହେଁ । ଉକ୍ତ ସୃଷ୍ଟିର ମୂଳ ଉଦ୍ଦେଶ୍ୟରେ ନିହିତ ଥିବା ଅବତାର ତତ୍ତ୍ୱର ସମାଜ ମଙ୍ଗଳକାରକ ଜାଗତିକ ଚିନ୍ତନ ଏବଂ ତତ୍ସଂଲଗ୍ନ ସାମ୍ଭାବ୍ୟ ବୈଜ୍ଞାନିକ ପରିଭାଷାର ଏକ ମିଶ୍ରିତ ନିର୍ଯ୍ୟାସକୁ ପରିପ୍ରକାଶ କରାଇବା ଏକ କ୍ଷୀଣ ପ୍ରଚେଷ୍ଟା ମାତ୍ର ।
ପ୍ରଥମେ ବିବର୍ତ୍ତନବାଦ ସହ ଅବତାର ତତ୍ତ୍ୱର ସାମଞ୍ଜସ୍ୟ ଥିବାର ପରିକଳ୍ପନା କରାଯାଇଛି । ପୃଥିବୀରେ ଜୀବଜଗତ ସୃଷ୍ଟିର କ୍ରମପରିବର୍ତ୍ତନ ଓ ପାରିପାର୍ଶ୍ୱିକ ଅବସ୍ଥା ସହ ଖାପଖୁଆଇ ନାରାୟଣଙ୍କ ଦଶ ଅବତାରର ମଧ୍ୟ ଅନୁରୂପ କ୍ରମପରିବର୍ତ୍ତନ ହେବାର ପ୍ରତୀୟମାନ ହୁଏ । ଜୀବଜଗତର ସୃଷ୍ଟି ପ୍ରଥମେ ଜଳ ମଧ୍ୟରେ ସମ୍ଭବ ହୋଇଥିଲା ଓ ଜଳଚର ପ୍ରାଣୀ ମତ୍ସ୍ୟାଦି ଜାତ ହୋଇଥିଲେ । ସେହି ପରିବେଶ ପାଇଁ ବୋଧହୁଏ ଆଦ୍ୟାବତାର ମତ୍ସ୍ୟରୂପ ନେବାର ପ୍ରୟୋଜନ ହୋଇଥାଇ ପାରେ । ଜୀବର ସମୟାନୁକ୍ରମିକ ଭାବ ଓ ସ୍ୱରୂପକୁ ସ୍ୱୀକାର ପୂର୍ବକ ପରମବ୍ରହ୍ମଙ୍କ ଧରାବତରଣ ତଦନୁରୂପ ହେବାର ତାତ୍ତ୍ୱିକ ଧାରଣା ସୃଷ୍ଟି ହୁଏ । କ୍ରମେ ଜୀବ ଜଳରୁ ସ୍ଥଳକୁ ବିଚରଣ କରିବାର ପ୍ରକ୍ରିୟାରୁ ଉଭୟଚର ପ୍ରାଣୀର ସୃଷ୍ଟି ଓ ଏହାର ସାଙ୍କେତିକ ପ୍ରକାଶ ସ୍ୱରୂପ କୂର୍ମ ଅବତାରକୁ ବୁଝାଏ । ଏହାପରେ ପଶୁ ଜଗତର ସୃଷ୍ଟି ଯାହା ଜୀବନ ଓ ଶକ୍ତିର ଏକ ସମନ୍ୱିତ ରୂପ ଏବଂ ଏହାର ନିଦର୍ଶନ ହିଁ ବରାହ ଅବତାର ଅଟେ । ପଶୁ ପର୍ଯ୍ୟାୟର ସର୍ବୋତ୍କୃଷ୍ଟ ବିକାଶକୁ ସିଂହ ସ୍ତରକୁ ଉପନୀତ ହେବା ଓ ଏହାପରେ ମାନବ ପର୍ଯ୍ୟାୟକୁ ପ୍ରବେଶ ପାଇଁ ପଥ ଉନ୍ମୁକ୍ତ ହେବାର ଧାରଣା ଜାତ ହୁଏ । ଏହି ସମୟକୁ ନର-ପଶୁ ଭଗବତ୍ ଜୀବାବସ୍ଥା କୁହାଯାଇପାରେ । ଏତାଦୃଶ ଚରମ ସୀମାର ପ୍ରୟୋଜନୀୟ ସହଯୋଗ ପଶୁ ଓ ମାନବର ଏକ ସମ୍ମିଶ୍ରିତ ରୂପ ଅର୍ଥାତ୍ ନରସିଂହ ଅବତାରର ପରିକଳ୍ପନା କରାଯାଇଛି । କ୍ରମେ ମନୁଷ୍ୟ ସ୍ତରକୁ କ୍ରମ ବିକାଶ ଘଟିଛି, ଯଥା – ମର୍କଟ, ସିମ୍ପାଞ୍ଜି, ଗରିଲା, ମାନବାକୃତି ବାନର ଓ ବାନରାକୃତି ମାନବ ……. ଆଦି । ସୃଷ୍ଟି ହୋଇଛି ଆଦିମାନବ ଅର୍ଥାତ୍ ଅବିକଶିତ ମଣିଷର ରୂପ ଏବଂ ଅବତାରବାଦର ବାମନାବତାର (କ୍ଷୁଦ୍ର ମାନବ) ସହ ମେଳ ଖାଇବାର ଯଥାର୍ଥତା ପରିଲକ୍ଷିତ ହୁଏ । ପରବର୍ତ୍ତୀ କାଳରେ ସୁସ୍ଥ – ସୁନ୍ଦର ମଣିଷର ବିକାଶ ହୋଇଛି । ଏହା ମାନବର ଅସଭ୍ୟାବସ୍ଥାର ସଙ୍କେତ ଦିଏ । ଏହା ସାହସୀ ଓ ପରାକ୍ରମୀ ମାନଙ୍କର କ୍ଷମତା ହାସଲର କାଳକୁ ବୁଝାଏ । ପର୍ଶୁରାମ ଅବତାର ଏହି ସମୟକୁ ନିର୍ଦ୍ଧାରିତ ହେବାର ଅନୁଭୂତ ହୁଏ । ଏ ଅବତାର ସୁନ୍ଦର-ସାହସୀ-ପରାକ୍ରମୀ ଏବଂ ପରଶୁର ସଙ୍କେତ କ୍ଷମତା ହାସଲ ସ୍ୱରୂପର ସମନ୍ୱିତ ରୂପରେଖ ଅଟେ । କ୍ରମେ କ୍ରମେ ମାନବ ସଭ୍ୟାବସ୍ଥାକୁ ପ୍ରବେଶ କରେ । ଯୌବନ ଶକ୍ତି ସହ କ୍ଷମତାର ସମନ୍ୱୟ ଯେତେ ସୁନ୍ଦର ହେଉନା କାହିଁକି, ଏହା ନୀତି- ଆଦର୍ଶ ରହିତ ହେଲେ ସେତିକି ଭୟଙ୍କର ହୁଏ । ଏହାର ନିଦର୍ଶନ ଶ୍ରୀରାମ ଅବତାର ଯାହା ସୁନ୍ଦର, କ୍ଷମତା ଓ ନୀତିର ସମନ୍ୱୟତାକୁ ପ୍ରକାଶ କରେ । ମାନବ ସର୍ବଜ୍ଞାନମୟ ହେବାର ଆଧ୍ୟାତ୍ମିକ ଚେତନାର ପୁଷ୍ଟିକରଣରୁ ଦ୍ୱନ୍ଦ୍ୱର ଉତ୍ପନ୍ନ ହୁଏ । ମାନବ ଜାତିର ଆଧ୍ୟାତ୍ମିକ ଭବିଷ୍ୟତର ଦିଗ୍ଦର୍ଶକ ସ୍ୱରୂପ ସମ୍ପୂର୍ଣ୍ଣ ଷୋଳକଳା ଧାରଣ ସହ କୃଷ୍ଣାବତାର ବା ପୂର୍ଣ୍ଣାଙ୍ଗ ଅବତାରର ଧରାବତରଣ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାପରେ ଭକ୍ତିରସ ବିହୀନ ଆଧ୍ୟାତ୍ମିକ ବିକାଶ ଓ ତାର୍କିକ ନିଗମନ ସମ୍ବଳିତ ଭାବନେଇ ମାନବ ସମାଜର ଉତ୍କର୍ଷତା ବୃଦ୍ଧିପାଏ । ଜନ୍ମ-ଜରା- ବ୍ୟାଧି-ମୃତ୍ୟୁଗ୍ରସ୍ତ ଜୀବନର ବଳୟରୁ ମୁକ୍ତିକାମୀ ମଣିଷର ପ୍ରୟାସ ଚରମ ଲକ୍ଷ୍ୟ ହୋଇଉଠେ । ସମାଧାନର ଫଳ ହିଁ ବିଷ୍ଣୁଙ୍କ ବୁଦ୍ଧ ଅବତାର ଯାହା ଜୀବନର ପୂର୍ଣ୍ଣ ଉଦାରୀକରଣକୁ ବୁଝାଏ । ନାସ୍ତିକତା ଭାବର ବୃଦ୍ଧି ଘଟିଲେ ସୃଷ୍ଟିର ଅନ୍ତିମ ସମୟ ଉପନୀତ ହୁଏ । ଫଳତଃ ଦୃଶ୍ୟମାନ ହୁଏ ସାମାଜିକ ବିଭ୍ରାନ୍ତ । ଅବକ୍ଷୟ ହୁଏ ସାମାଜିଜ ବ୍ୟବସ୍ଥା ଓ ଆଧ୍ୟାତ୍ମିକ ଚେତନା । ଅପମିଶ୍ରିତତାର ଶୀକାରରେ ଜର୍ଜରିତ ହୁଏ ଦିବ୍ୟ ସୃଷ୍ଟି । ଭେଳିକି ପଛରେ ଧାବନ୍ତି ମାନବ ଓ ସେଥିପାଇଁ ତ ଆଗାମୀ ଯୁଗ ପାଇଁ ରାମ ଅବତାରରେ ଦିଆଯାଇଥିଲା ସ୍ୱର୍ଣ୍ଣମୃଗ ରୂପୀ ସତର୍କ ସୂଚନା ! ସତ୍ୟାଚାରୀ- ସାଧୁ- ସନ୍ଥମାନେ କ୍ରମଶଃ ଦୁରାଚାରୀମାନଙ୍କ ଦ୍ୱାରା ପ୍ରପିଡୀତ ହୁଅନ୍ତି । ଦିବ୍ୟ ଚେତନାର ଦୃଷ୍ଟି ପଥରେ ଭାସିଉଠେ ଆଗାମୀ ଦଶମ ଅବତାର- ‘କଳ୍କୀ’ । ଏହି ଅବତାରର ମୌଳିକତା ହେଲା ମାନବକୁ ଆଧ୍ୟାତ୍ମିକ ବିକାଶ ମାର୍ଗରେ ପରିଚାଳିତ କରିବା । ତେବେ ବିଷ୍ଣୁଙ୍କ ଦଶ ଅବତାର ପ୍ରାୟତଃ ତିନୋଟି ସୋପାନ ଦେଇ ଗତିଶୀଳ ହେବାର ବୋଧଗମ୍ୟ ହୁଏ । ପ୍ରଥମତଃ ମୀନ, କୂର୍ମ, ବରାହ, ନୃସିଂହ ଓ ବାମନ । ଉକ୍ତ ପର୍ଯ୍ୟାୟରେ ଜୀବଜଗତର କ୍ରମବିବର୍ତ୍ତନ ଘଟି ନିକୃଷ୍ଟ ଜୀବରୁ ଉତ୍କୃଷ୍ଟଜୀବ(ମାନବ)ର ସୃଷ୍ଟି ହୋଇଛି । ଦ୍ୱିତୀୟରେ ସାମାଜିକ ବିଧିବ୍ୟବସ୍ଥାର ବିକାଶରେ ସନ୍ତୁଳନତା ପୂର୍ବକ ପର୍ଶୁରାମ, ଶ୍ରୀରାମ ଓ କୃଷ୍ଣ ଅବତାର । ତୃତୀୟରେ ଆଧ୍ୟାତ୍ମିକ ବିକାଶ ନିମିତ୍ତ ବୁଦ୍ଧ ଓ କଳ୍କୀ ଅବତାରକୁ ଗ୍ରହଣ କରାଯାଇଛି । ଜୀବର ପ୍ରତ୍ୟେକ କ୍ରମପର୍ଯ୍ୟାୟ, ପରିବର୍ତ୍ତନ, ସାମାଜିକ ସମ୍ବେଦନଶୀଳତାରେ ଘୋର ବିପର୍ଯ୍ୟୟ, ଆଧ୍ୟାତ୍ମିକ ଚେତନାରେ ନାସ୍ତିକତା ଓ ପ୍ରକୃତିକୁ ଅବମାନନା ଆଦି ସଙ୍କଟପୂର୍ଣ୍ଣ ସମୟରେ ଶ୍ରୀବିଷ୍ଣୁ ଅବତାର ଗ୍ରହଣ କରିଛନ୍ତି । ଏଠାରେ ହିନ୍ଦୁ ପୁରାଣବାଦର ଅବତାରବାଦ ଓ ଡାର୍ଉଇନିଙ୍କ ବିବର୍ତ୍ତନବାଦ (Darwin’s Theory of Evolution ) ମଧ୍ୟରେ ଏକ ତୁଳନାତ୍ମକ ଚିତ୍ରପଟ୍ଟ ଦୃଶ୍ୟମାନ ହୁଏ ।
ବର୍ତ୍ତମାନ କ୍ରମ ଅବତାରର ମହାଜାଗତିକ ଓ ସୂକ୍ଷ୍ମ ବିଶ୍ଳେଷଣାତ୍ମକ ଅନୁସନ୍ଧାନ ହିଁ ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ । ସମୟ, ସ୍ଥାନ, ବସ୍ତୁ, ବିକିରଣ, ପାରସ୍ପରିକ କ୍ରିୟା,ଚେତନା ଆଦିର ଏକତ୍ରୀକରଣର ଏକବିନ୍ଦୁ ଭାବକୁ ସର୍ବଶକ୍ତିମାନ, ଶ୍ରୀଭଗବାନ ବା ମହାକାଳ ରୂପେ ଗ୍ରହଣ କରାଯାଇ ନିମ୍ନୋକ୍ତ ସମ୍ଭାବନାଗୁଡିକର ପରିକଳ୍ପନା କରାଯାଇଛି ।
ନାରାୟଣଙ୍କ କ୍ଷୀରସାଗରରେ ଅନନ୍ତ ଶୟନକୁ ଘୋର ତମସାଛନ୍ନ ସୁପ୍ତାବସ୍ଥା ରୂପେ ପ୍ରକାଶ କରାଯାଇଛି । କିଛିକାଳ ଅନ୍ତେ ନାରାୟଣ ସୃଷ୍ଟି ସର୍ଜନା ନିମିତ୍ତ ଇଛା ପ୍ରକଟ କରନ୍ତି । ଫଳରେ ମହାଜାଗତିକ ମହାବିସ୍ଫୋରଣ (Cosmic Big Bang)ଘଟେ । ସେହି ମହାକାଳ, ଅଦେହୀ, ପୁଣି ଦେହଧାରୀ, ପରମ ପୁରୁଷ, ପ୍ରକୃତି ପୁରୁଷ ……. ତିନି ରୂପରେ ପ୍ରକଟିତ ହୁଅନ୍ତି, ଯଥା –
(1) ସ୍ଥାନ,ବସ୍ତୁ, ବିକିରଣ, ପାରସ୍ପରିକ କ୍ରିୟା ଆଦିର ସମ୍ମିଶ୍ରଣକୁ ସୃଷ୍ଟିକର୍ତ୍ତା ବ୍ରହ୍ମା ରୂପେ,
(2) ଚେତନାକୁ ପାଳନକର୍ତ୍ତା ବିଷ୍ଣୁ ରୂପେ,
(3) ମହାକାଳକୁ ସଂହାରକର୍ତ୍ତା ଶିବ ରୂପେ ।
ଏହାକୁ ବୈଜ୍ଞାନିକମାନଙ୍କ ସ୍ଥାନ-କାଳ ବିଭାଜନର ଆଖ୍ୟା ସହ ସମାନୁପାତିକ ବିବେଚନା କରାଯାଇପାରେ । ସର୍ବବିଦ୍ୟମାନ ଓ ସର୍ବଶକ୍ତିମାନଙ୍କ ଇଛାରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ସଂରଚନା ହୁଏ । ଫଳତଃ ସୃଷ୍ଟି ସର୍ଜନାର ବିଭେଦୀକରଣ ପ୍ରକ୍ରିୟାମାନ ଚାଲୁରହେ । ସୂକ୍ଷ୍ମ କଣିକାରୁ ଉଦ୍ଜାନ ପରମାଣୁ, ସୂକ୍ଷ୍ମରୁ ସ୍ଥୂଳରୂପ ଅର୍ଥାତ୍ ଗ୍ୟାଲାକ୍ସି ଓ ତାରକାଗଣର ସୃଷ୍ଟି, ପାରସ୍ପରିକ କ୍ରିୟା ମଧ୍ୟରେ ବିଛିନ୍ନ, ବସ୍ତୁ-ବିକିରଣ ମଧ୍ୟରେ ବିଛେଦ ଆଦି ଦ୍ୱାରା ଦୃଶ୍ୟମାନ ହୋଇଉଠେ ବିଶ୍ୱବ୍ରହ୍ମାଣ୍ଡ । ସମଗ୍ର ବିଶ୍ୱ ମହାଜାଗତିକ ଧୂଳିକଣା(Cosmic Dust)ଦ୍ୱାରା ଆଛନ୍ନ ହୋଇଉଠେ । ଗ୍ୟାଲାକ୍ସିଗୁଡିକ ପରସ୍ପରଠାରୁ ଦୂରେଇ ଚାଲନ୍ତି । କୋଟି କୋଟି ଗ୍ୟାଲାକ୍ସି ମଧ୍ୟରୁ ଦୃଷ୍ଟି ନିବଦ୍ଧ ହୁଏ ଛାୟାପଥ ଗ୍ୟାଲାକ୍ସି ଓ ଏହାର ଏକ ମଧ୍ୟମ ତାରକା ସୂର୍ଯ୍ୟଙ୍କ ପରିବାର ଉପରେ । ଗ୍ରହଗୁଡିକ ନିଜ ନିଜ କକ୍ଷରେ ସୂର୍ଯ୍ୟଙ୍କୁ ପ୍ରଦକ୍ଷୀଣ କରିବା ଓ ପୃଥିବୀ ଯେଉଁ କକ୍ଷ ପଥରେ ରହିଲା ତାହାହିଁ ଜୀବଜଗତ ସୃଷ୍ଟି ନିମିତ୍ତ ଅନୁକୁଳ ପରିବେଶ ହେଲା । ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ଏ ବିଚିତ୍ରମୟ ସୃଷ୍ଟିରେ ପୃଥିବୀ କ’ଣ ଏକମାତ୍ର ଜୀବଜଗତପୂର୍ଣ୍ଣ ଗ୍ରହ ? ଛାୟାପଥ ଗ୍ୟାଲାକ୍ସିରେ ଥିବା କୋଟି କୋଟି ତାରକା ପରିବାର ଗୁଡିକରେ କୌଣସି ନା କୌଣସି ଗ୍ରହପାଇଁ ପୃଥିବୀ ରୂପକ ବାତାବରଣ ଥିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ’ପାରେ । ତେଣୁ ପୃଥିବୀ ବାହାରେ ଆମ ଗ୍ୟାଲାକ୍ସିରେ ଅନ୍ୟାନ୍ୟ ଜୀବଜଗତ ତିଷ୍ଠି ରହିଥିବାର ସମ୍ଭାବନା ରହିବ ନିଶ୍ଚୟ । ପୁନଶ୍ଚ ଭିନ୍ନ ଭିନ୍ନ ତାପମାତ୍ରା ଓ ପରିବେଶରେ ଅସଂଖ୍ୟ ବୈଷମ୍ୟ ଥିବା ଜୀବଜଗତର ସମ୍ଭାବନାକୁ ଏଡାଇ ଦିଆଯାଇ ନ’ପାରେ । ଏହି ଧାରା ଅନୁଯାୟୀ ଅନ୍ୟ ଗ୍ୟାଲାକ୍ସି ଗୁଡିକରେ ମଧ୍ୟ ବିଭିନ୍ନ ପ୍ରକାରର କେତେଯେ ଜୀବଜଗତର ଅବସ୍ଥିତି ଥାଇପାରେ ତାହା ଆକଳନ କରିବା ଅତ୍ୟନ୍ତ କଠିନତ୍ତମ ବ୍ୟାପାର ଅଟେ, ଅର୍ଥାତ୍ ଏ ବିଶ୍ୱ ଜୀବଜଗତମୟ ଓ ଏହା ଜାଣିବା ନିମିତ୍ତ ଆମ ଜ୍ଞାନ-କୌଶଳର ପରିସର ସେହି ମାତ୍ରାରେ ବୃଦ୍ଧି ଘଟିନାହିଁ । ପୁଣି ବିଶ୍ୱର ଆବଦ୍ଧସ୍ଥାନ, ଯାହା ତାରକା, ଗ୍ରହ, ଉପଗ୍ରହ, ……… ଆଦି ଦଖଲ କରିଛନ୍ତି, ତାହା ବିଶ୍ୱ ଆୟତନର କାଣିଚାଏ ମାତ୍ର । ଏହାବାଦ୍ ରହିଛି ମହାଶୂନ୍ୟ ଓ ଭରିହୋଇ ଯାଇଛି ମହାଜାଗତିକ ଧୂଳିକଣା (Cosmic Dust)ରେ । ଏପରିକି ମଧ୍ୟ ମହାଶୂନ୍ୟରେ ମହାଜାଗତିକ ସୂକ୍ଷ୍ମ ଓ ସ୍ଥୂଳଜୀବ (Cosmic Micro and Macro Life) ର ପରିକଳ୍ପନା କରାଯାଇପାରେ । ଯେପରି ପୁରାଣରେ ଏତାଦୃଶ ସୃଷ୍ଟି, ଯଥା – ତେତିଶ କୋଟି ଦେବତା ଓ ଶକ୍ତିଶାଳୀ ରାକ୍ଷସ ମାନଙ୍କର ବର୍ଣ୍ଣନା କରାଯାଇଛି । ନିୟମାନୁସାରେ ପ୍ରତ୍ୟେକ ଜୀବଜଗତର ସଙ୍କଟପୂର୍ଣ୍ଣ ଅବସ୍ଥାରେ ସୃଷ୍ଟିର ରକ୍ଷା ନିମିତ୍ତ ପାଳନକର୍ତ୍ତାଙ୍କ ଦୈହିକ ଉପସ୍ଥିତି ସହ ତାହାର ପ୍ରତିକାର ବ୍ୟବସ୍ଥା ବାଞ୍ଛନୀୟ ଅଟେ, ଯେପରି ଆମେ ନିଜ ପରିବାର ବା ସୃଷ୍ଟିର ରକ୍ଷା ନିମିତ୍ତ ଚେଷ୍ଟାରତ ।
ବ୍ରହ୍ମାଙ୍କ ପରିକଳ୍ପନାରୁ ପୃଥିବୀରେ ଛପନ କୋଟି ଜୀବ ଓ ବାଉନ କୋଟି ଭଣ୍ଡାରର ସୃଷ୍ଟି ହୁଏ । ଏହାର ରକ୍ଷା କବଚ ସ୍ୱରୂପ ଶ୍ରୀବିଷ୍ଣୁ ଜୀବଜଗତର ଗ୍ଳାନି ସମୟରେ ଭିନ୍ନ ଭିନ୍ନ ରୂପରେ ଆବିର୍ଭାବ ହୁଅନ୍ତି । ପ୍ରଥମ ଅବତାର ମୀନ ଓ ଏହାକୁ ଦୁଇ ପ୍ରକାରରେ ପରିକଳ୍ପନା କରାଯାଇପାରେ । ପ୍ରଥମ ଭାବାନୁସାରେ ବିଶ୍ୱରେ ବୌଦ୍ଧିକ ଓ ବୈଜ୍ଞାନିକ ଚେତନାର ଦିଗ୍ଦର୍ଶକ ରୂପେ ବିଶ୍ୱ ନିୟନ୍ତ୍ରକଙ୍କ ଦିବ୍ୟସୃଷ୍ଟି – ଚତୁର୍ବେଦକୁ ମହାଧ୍ୱଂସକାରୀ ଶକ୍ତିର ପ୍ରତୀକ ଦାନବରାଜା ହୟଗ୍ରୀବ ଚୋରାଇ ନେଇ ବିଶ୍ୱର କେଉଁ ଏକ ଗ୍ୟାଲାକ୍ସି କିମ୍ବା ମହାଶୂନ୍ୟରେ ଲୁଚାଇ ରଖିଥିଲା । ଉଦ୍ଦେଶ୍ୟ ବିଶ୍ୱରେ ଦାନବ ସଂସ୍କୃତିର ପ୍ରସାର, ପ୍ରଚାର ଓ ପ୍ରତିଷ୍ଠା । ବେଦର ପୁନରୁଦ୍ଧାର ପାଇଁ ବାହ୍ୟ ପୃଥିବୀରେ ବିଷ୍ଣୁ ମହାଜାଗତିକ ମତ୍ସ୍ୟ (Cosmic Fish) ରୂପ ଧରି ନାକ୍ଷତ୍ରିକ ଜଗତରେ ହୟଗ୍ରୀବର ସନ୍ଧାନ କରିଛନ୍ତି ଓ ଘୋର ଯୁଦ୍ଧ ପୂର୍ବକ ହୟଗ୍ରୀବର ବଧସହ ବେଦର ପୁନରୁଦ୍ଧାର କରିଛନ୍ତି । ମହାଶୂନ୍ୟରେ ବିଚରଣ ନିମିତ୍ତ ବୋଧହୁଏ ମତ୍ସ୍ୟ ରୂପର ପ୍ରୟୋଜନ ହୋଇଥାଇପାରେ । ଏଠାରେ ମହାଶୂନ୍ୟର ଆଧାରରେ ଭରି ରହିଥିବା ଧୂଳିକଣା ସହ ଘୋର ସମୁନ୍ଦ୍ରଭରା ଜଳକୁ ତୁଳନା କରାଯାଇପାରେ । ଦ୍ୱିତୀୟ ଭାବାନୁସାରେ ମହାବଳବାନ୍ ଦାନବ ରାଜା ହୟଗ୍ରୀବ ବେଦକୁ ଚୋରାଇ ନେଇ ଘୋର ସମୁନ୍ଦ୍ର ଜଳରେ ଲୁଚାଇ ରଖିଥିଲା । ତେଣୁ ବିଷ୍ଣୁ ସେହି ପରିବେଶକୁ ଦୃଷ୍ଟିରେ ରଖି ଜଳଚର ଜୀବ ମତ୍ସ୍ୟ ରୂପ ଧାରଣ କରି ହୟଗ୍ରୀବକୁ ଠାବ କରିଛନ୍ତି ଓ ଯୁଦ୍ଧରେ ରାକ୍ଷସକୁ ବଧ କରି ଚତୁର୍ବେଦକୁ ଉଦ୍ଧାର କରିଛନ୍ତି । ବିଷ୍ଣୁଙ୍କ ଦ୍ୱିତୀୟ ଅବତାର ଭଗବାନ କୂର୍ମ , ଯାହାର ସମ୍ଭବ ପୃଥିବୀରେ ହୋଇଥିବାର ନିଶ୍ଚିତପ୍ରାୟ ମନେ ହେଲେବି ଏହାର ଦ୍ୱିତୀୟ କାଳ୍ପନିକ ସମ୍ଭାବନା ମଧ୍ୟ ହୋଇପାରେ । ପ୍ରଥମତଃ ବିଶ୍ୱ ଘଞ୍ଚାଳନ ବା ମନ୍ଥନ ପ୍ରକ୍ରିୟା । ପ୍ରକୃତିର ଅବଲୋକନରୁ ଜଣାଯାଏ ଯେ, ପ୍ରତ୍ୟେକ କ୍ଷେତ୍ରରେ ଗଠନମୂଳକ ଓ ଧ୍ୱଂସାତ୍ମକ ମାର୍ଗ ରହିଛି । ବିଶ୍ୱ ସୃଷ୍ଟିରେ ଅନେକ ଜୀବଜଗତ ଥିବାର ସମ୍ଭାବନା ଥିଲେବି, ଦୁଇ ବିରୋଧାତ୍ମକ ଜାଗତିକ ସୃଷ୍ଟି ଦେବ ଓ ଦାନବଙ୍କୁ ନିଆଯାଇପାରେ । ଏମାନେ ଏତେ ଶକ୍ତିମାନ୍ ଯେ, ନିମିଷେ ମାତ୍ରକେ ବିଶ୍ୱର ଯେକୌଣସି ସ୍ଥାନକୁ ନିର୍ବିଘ୍ନରେ ମନର ଗତିରେ ନିଶ୍ଚୟ ଯାତାୟତ କରି ପାରୁଥିବେ । ଅଦୃଶ୍ୟ ହେବା ଓ ପୁନଃ ଆବିର୍ଭାବ ହେବା ଏମାନଙ୍କ ପାଇଁ ବାଏଁ ହାତ୍କା ଖେଲ୍ ହୋଇଥାଇ ପାରେ । ହୟଗ୍ରୀବର ବଧ ପରେ ଦାନବରାଜା କାଳକେତୁର ସ୍ୱର୍ଗ ଆକ୍ରମଣ, ଯୁଦ୍ଧରେ ପରାଜୟ, ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ତପସ୍ୟା ବଳରେ ସଞ୍ଜିବନୀ ମନ୍ତ୍ର ପ୍ରାପ୍ତ, ପୁନର୍ବାର ଦେବାସୁର ଯୁଦ୍ଧରେ ଇନ୍ଦ୍ରାଦି ଦେବଗଣଙ୍କଶୋଚନୀୟ ପରାଜୟ ପରେ ଦେବ ସମାଜ ଭୟଭୀତ ହୋଇ ବିଶ୍ୱ ନିୟନ୍ତ୍ରକଙ୍କ ସମ୍ମୁଖରେ ଆଣ୍ଠୁଯାଏ ମୁଣ୍ଡ ନୁଆଁଇ, ସା-ଆ-ରେ ନମସ୍କାର ଢାଞ୍ଚାରେ ଯୋଡହସ୍ତ ଓ ମୁଣ୍ଡ ପଛପଟରେ ହସ୍ତଚାଳନ ସହ କାକୁତି ମିନତି ଏବଂ ନେହୁରା ହୋଇଥିବେ । କାରଣ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ତପସ୍ୟାରେ ଦେବତାମାନେ ଅନ୍ୟାୟଭାବେ ବିଭ୍ରାଟ ସୃଷ୍ଟି କରିବାର ଭୟ ଓ ପରାଭବ ଜଗତକୁ ବିଦିତ ଥିଲା । ବିଷ୍ଣୁଙ୍କ ପରାମର୍ଶରେ ସଞ୍ଜିବନୀ ମନ୍ତ୍ରର ଦୃଢ ଜବାବ ନିମିତ୍ତ ଏହାଠାରୁ ଅଧିକ ବଳବାନ୍ ଶକ୍ତି ହାସଲ ନିମନ୍ତେ ସାଗର ମନ୍ଥନ ପାଇଁ ଦାନବରାଜ ଓ ଶୁକ୍ରାଚାର୍ଯ୍ୟଙ୍କୁ ଛଳ ପୂର୍ବକ ମନାଇ ନେଲେ । ତେବେ ପାଳନକର୍ତ୍ତା ବିଷ୍ଣୁ କ’ଣ ଦେବତାଙ୍କ ପକ୍ଷ ନେଇ ଅବତାର ଗ୍ରହଣ କରିଥିଲେ ? ଏହାର ଉତ୍ତର ନିମ୍ନରେ ଦର୍ଶାଯାଇଛି ।
ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ସଞ୍ଜିବନୀ ମନ୍ତ୍ରକୁ କେବଳ ଦାନବଙ୍କ ରକ୍ଷା ନିମିତ୍ତ ଦୁରୂପଯୋଗ କରିବା ଦ୍ୱାରା ସୃଷ୍ଟିରେ ଦାନବ ସଂସ୍କୃତିର ଉତ୍ଥାନ ହେବାକୁ ଲାଗିଲା । ଏହା ସୃଷ୍ଟିକୁ ନର୍କଗାମୀ କରାଇବା ସହ ମାନବ ସଂସ୍କୃତିର ସମ୍ପୂର୍ଣ୍ଣ ବିନାଶର କାରଣ ହେଲା । ପୁଣି ସୃଷ୍ଟିର ପରିଚାଳନାରେ ସହଯୋଗ ନିମିତ୍ତ ଗୁରୁ ଦାଇତ୍ୱରେ ଥିବା ଦେବ ସମାଜକୁ ଓ ସେମାନଙ୍କ ଅଧିପତି ଇନ୍ଦ୍ରଙ୍କୁ ସ୍ୱର୍ଗରୁ ବିତାଡିତ କରିଥିବାରୁ ବିଶ୍ୱ ସନ୍ତୁଳନତାରେ ଭୟଙ୍କର ବିପର୍ଯ୍ୟୟ ଆରମ୍ଭ ହେଲା । ତେଣୁ ଶ୍ରୀବିଷ୍ଣୁ ସାଗର ମନ୍ଥନରୁ ଅମୃତ ଉଦ୍ଧାର କରି ଦେବତାଙ୍କୁ ପାନ କରାଇ ଅମରତ୍ୱ ଦେବା ଓ ମାନବ ସମାଜର ରକ୍ଷା ନିମିତ୍ତ କୂର୍ମାବତାର ଧାରଣ କରିବାର ଅନୁଭୂତ ହୁଏ । ନିଜ ବାସ ଗୃହରେ ବେଳେ ବେଳେ ପୂର୍ବରୁ ବିଭିନ୍ନ ସ୍ଥାନରେ ରଖାଯାଇଥିବା ଅନେକ ଦରକାରୀ ଦ୍ରବ୍ୟର ହଠାତ୍ ପ୍ରୟୋଜନ ହେଲେ, ଖୋଜାଖୋଜି ଚାଲେ । ମିଳିଯାଏ, ପରେ ମିଳେ, ବହୁଦିନପରେ ମିଳେ କିମ୍ବା ଆଦୌ ନ ମିଳିବାର ସମ୍ଭାବନା ସୃଷ୍ଟି ହୁଏ । ଏହାକୁ ଏକପ୍ରକାର ଗୃହ ମନ୍ଥନ କୁହାଯଏ । ସେହିପରି ଏ ମହା ବିଶ୍ୱରେ କେତେ କ’ଣ ରହିଛି ତାହାକୁ ପାଇ କାର୍ଯ୍ୟରେ ଲଗାଇବାକୁ କାହାର ବା ମନ ନ ବଳିବ ? ଦେବତା ହେଉ କି ଦାନବ ହେଉ, କିଛି ଫରକ୍ ପଡିବ ନାହିଁ । ତେଣୁ ବିଶ୍ୱ ଗର୍ଭରେ ଲୁକ୍କାୟିତ ଅସୁମାରୀ ଦିବ୍ୟ ଜାଗତିକ ମୂଲ୍ୟବାନ ବସ୍ତୁର ପ୍ରାପ୍ତି ନିମନ୍ତେ ଏହାର ଘଞ୍ଚାଳନ ପାଇଁ ବୋଧହୁଏ ଦାନବ ମାନଙ୍କୁ ଅଦମ୍ୟ ପିପାସାର ନିକଟବର୍ତ୍ତୀ କରାଇବାରେ ଦେବତା ମାନଙ୍କର ଛଳ ସମର୍ଥ ହୋଇଥିବ । ଯାହାକୁ ଯେମନ୍ତ ଗଢିଛି ଦଇବ । ସର୍ବବିଦ୍ୟମାନଙ୍କ ଶରୀରକୁ ମନ୍ଥନ କରାଯିବ ! ସବୁର ଭକ୍ଷକ ଯିଏ – ତା’କୁ ବା ଭକ୍ଷିବ କିଏ ? ଲୀଳାମୟଙ୍କ ଇଛାରେ ବିଶ୍ୱ ମନ୍ଥନ ନିମିତ୍ତ ବିଧି ବିଧାନକୁ ଦୃଷ୍ଟିରେ ରଖି ବ୍ୟବସ୍ଥା ଗ୍ରହଣ କରାଯାଇଥିବ । ବିଶ୍ୱର କେନ୍ଦ୍ର ବିନ୍ଦୁରେ ଏକ ମହାସ୍ତମ୍ଭ (Cosmic Pilar) ସ୍ଥାପନ କରାଯାଇ ଓ ତା’ର ମଧ୍ୟଭାଗରେ ଦଉଡି ରୂପରେ ସୃଷ୍ଟି କରାଯାଇଥିବା ମହାନାଗ (Cosmic Snake) କୁ ଗୁଡାଇ ଦିଆ ଯାଇଥିବ । ହୋଇପାରେ ଏ ମହାନାଗ ସମସ୍ତ ପାରସ୍ପରିକ କ୍ରିୟାର ସମାହାର । ଦଉଡିର ଆରମ୍ଭରୁ ନିମ୍ନରେ ଥିବା ଲାଞ୍ଜପଟକୁ ବୁଝାଏ, ଯାହାକୁ ଦେବଗଣ ଓ ଦଉଡିର ଶେଷ ବା ଉର୍ଦ୍ଧ୍ୱକୁ ଥିବା ମୁଣ୍ଡଭାଗକୁ ରାକ୍ଷସଗଣ ଧରି ଟାଣିବା ପାଇଁ ସ୍ଥିରୀକୃତ ହୋଇଥିବ । କଥାରେ ଅଛି ଗୋ-କନ୍ୟା-ଭୂମି ଭାଗ୍ୟ(ପୂର୍ବଜନ୍ମରୁ ସଞ୍ଚିତ କର୍ମଫଳ) ଏବଂ ଏ ଜନ୍ମରେ ସେ ସମୟ ଯାଏ ପ୍ରାପ୍ତ କୃତ କର୍ମଫଳର ମିଶ୍ରିତ ପ୍ରଭାବରୁ ପ୍ରାୟ ହୋଇଥାଏ । ସେହି ଢାଞ୍ଚାରେ ବୋଧହୁଏ ସର୍ପର ମୁଣ୍ଡପଟକୁ ରାକ୍ଷସଙ୍କୁ ମିଳିବାର ପରିବେଶ ସୃଷ୍ଟି ହୋଇଥିବ । ଏଠାରେ ମନେ ରଖିବାକୁ ହେବ ଯେ, ସବୁ ରାକ୍ଷସମାନେ ସର୍ବଦା ଦୁଷ୍ଟାଚରଣରେ ଲିପ୍ତ ରହି ନ ଥାଇ ପାରନ୍ତି । ନିଆଁରେ ଘିଅ ଢାଳିବା ସଦୃଶ ଏମାନଙ୍କ ତପସ୍ୟାଦି କାର୍ଯ୍ୟରେ ଇନ୍ଦ୍ରାଦି ଦେବଗଣ ନିଜର ପଦ ଚାଲିଯିବା ଭୟରେ ବିଘ୍ନ ସୃଷ୍ଟି କରିବା ସହ ଅନେକ ହଇରାଣ ହରକତ କରନ୍ତି । ଯେହେତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦୁଷ୍ଟ ସ୍ୱଭାବର , ତେଣୁ ଏତାଦୃଶ ଯନ୍ତ୍ରଣାରେ ଆହୁରି ଭୟଙ୍କର ହୋଇ ଦୃଢ ଚିତ୍ତରେ ତପସ୍ୟା କରନ୍ତି ଓ କେତେକ ଫଳପ୍ରାପ୍ତ କରି ତ୍ରିପୁର ବିଜୟୀ ହୁଅନ୍ତି । ପ୍ରତିଶୋଧର ବହ୍ନିରେ ଜର୍ଜରିତ ହୋଇ ଇନ୍ଦ୍ରାଦି ଦେବଗଣଙ୍କୁ ସ୍ୱର୍ଗରୁ ଘଉଡାଇ ସ୍ୱର୍ଗାଧିପତି ହୁଅନ୍ତି । ଉଚ୍ଚସ୍ତରର ଜୀବ ହୋଇ ମଧ୍ୟ ଦେବତାମାନେ ବେଳେବେଳେ ଅହଂକାରର ବଶବର୍ତ୍ତୀ ହୋଇ ନୀଚ୍ଚସ୍ତରର ଜୀବଙ୍କ ଉତ୍ଥାନରେ ବାଧକ ସାଜିବା ଦ୍ୱାରା ନିଜର ସ୍ଥାୟୀତ୍ୱ ହରାଇ ବସନ୍ତି । ଘିଅ – ମହୁରେ ଭାସୁଥିବା ଦେବ ସମାଜ ଶେଷରେ ବନ୍ଦୀହୋଇ ଶାଗ – ମୁଗ ନିମିତ୍ତ ଆର୍ତ୍ତ ଚିତ୍କାର କରନ୍ତି । ଏହା ଦେବାସୁର କଳିର ଏକ କାରଣ ଅଟେ । ଫଳରେ ବିଶ୍ୱ ସନ୍ତୁଳନତାରେ ବିଭ୍ରାଟ ଘଟେ ଓ ବିଶ୍ୱ ନିୟନ୍ତ୍ରକତାଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସ୍ଥଗିତ ରଖି ଏହାର ସମାଧାନରେ ମୁଣ୍ଡ ଖେଳାନ୍ତି । ଏହି ଜାତୀୟ ଧାରା ମଧ୍ୟ ପୃଥିବୀରେ ଦେଶ – ଦେଶ, ଜାତି – ଜାତି, ଧର୍ମ – ଧର୍ମ ……… ମଧ୍ୟରେ ପରିଲକ୍ଷିତ ହେଉଅଛି ।
ଦୁଇ ପରସ୍ପର ମହାବିରୋଧୀ ଶକ୍ତି ମହାନାଗର ଲାଞ୍ଜ ଓ ମୁଣ୍ଡକୁ ଧରି ମହାଜାଗତିକ ସ୍ତମ୍ଭର ଘୂର୍ଣ୍ଣନ କ୍ରିୟା ଆରମ୍ଭ କଲେ । ଯେହେତୁ ସ୍ତମ୍ଭର ନିମ୍ନରେ ଧାରକ ନଥିଲା, ତେଣୁ ନିଶ୍ଚୟ ଏହା ସ୍ଥିରତା ବଜାୟ ନ ରଖି ବିଭିନ୍ନ ଦିଗକୁ ବିସ୍ଥାପିତ ହୋଇଥିବ । ଏହାର ସମାଧାନ ନିମିତ୍ତ ବିଶ୍ୱ ନିୟନ୍ତ୍ରକ ମହାକଚ୍ଛପ ରୂପରେ ସ୍ତମ୍ଭର ନିମ୍ନକୁ ପୃଷ୍ଠରେ ଧାରଣ କରିଥିବେ ଓ ଦୁଇ ମହାଶକ୍ତିଙ୍କ ଦ୍ୱାରା ସ୍ତମ୍ଭର ମହାଘୂର୍ଣ୍ଣନ ପ୍ରକ୍ରିୟା ଭୟଙ୍କର ଭାବେ ହୋଇଥିବ । ଏହି ମହାଘୂର୍ଣ୍ଣନ ପ୍ରକ୍ରିୟାର ଫଳାଫଳ ସମ୍ଭବତଃଅ ବିଶ୍ୱର ସମସ୍ତ ପାରସ୍ପରିକ କ୍ରିୟାର ସୁପ୍ରିମୋ ଅର୍ଥାତ୍ ମହାକର୍ଷଣ ବଳର ପ୍ରଭାବରୁ ସର୍ବାଧିକ ମାତ୍ରାରେ ଘଟିଥିବ । ଯେହେତୁ ଏହି ଘୂର୍ଣ୍ଣନ କ୍ଷଣ କ୍ଷଣକେ ବିପରୀତମୁଖୀ, ତେଣୁ ବିଶ୍ୱର ସବୁ ଗ୍ୟାଲାକ୍ସିରେ ଥିବା ଗ୍ୟାସୀୟପିଣ୍ଡ ଅପେକ୍ଷା କଠିନପିଣ୍ଡ ଗୁଡିକ ଉପରେ ଘୂର୍ଣ୍ଣନର ପ୍ରଭାବ ଅଧିକ ମାତ୍ରାରେ ପଡିଥିବ । ତେଣୁ ତାରକାଙ୍କୁ ପରିକ୍ରମଣ କରୁଥିବା ଗ୍ରହାଦିଗଣଙ୍କ ଶରୀରର କୋମଳ ବା ଦୁର୍ବଳ ଅଂଶରୁ କିଛି କିଛି ଅଂଶ ବିଚ୍ୟୁତ ହୋଇ ସେମାନଙ୍କ ମୂଳପିଣ୍ଡକୁ ପରିକ୍ରମଣ କରିଥାଇ ପାରନ୍ତି । ଏହାହିଁ ଉପଗ୍ରହ ସୃଷ୍ଟିର କାରଣ ହୋଇପାରେ ଓ ଚନ୍ଦ୍ରର ଜନ୍ମ ଜାତକ ଏହିଭାବେ ଆକଳନ କରାଯାଇପାରେ । ଘୂର୍ଣ୍ଣନରୁ ଅନ୍ୟାନ୍ୟ ଦିବ୍ୟ ବସ୍ତୁ ଓ ଜାଗତିକ ସ୍ୱରୂପର ଆବିର୍ଭାବ ହେବାର ଦର୍ଶାଯାଇଛି, ଯଥା – ମହାବିଷ(କାଳକୂଟ ବା ହଳାହଳ), ଶ୍ରୀଲକ୍ଷ୍ମୀ, କାମଧେନୁ, ଉଚ୍ଚୈଶ୍ରବା ଅଶ୍ୱ, ଐରାବତ ହସ୍ତୀ, କୌସ୍ତୁଭମଣି, ପାରିଜାତ ପୁଷ୍ପ, ପାଞ୍ଚଜନ୍ୟ ଶଙ୍ଖ, ଅପ୍ସରାଗଣ, ଅମୃତ …………… ଇତ୍ୟାଦି ।
ବର୍ତ୍ତମାନ ପୃଥିବୀରେ କୂର୍ମାବତାରର ସମ୍ଭାବନାକୁ ଦୃଷ୍ଟିରେ ରଖି ଆଲୋଚନା କରିବାର ଭାବନା ଜାଗ୍ରତ ହୁଏ । ବିଶାଳ କ୍ଷୀର ସାଗରରେ ଲୁକ୍କାୟିତ ଥିବା ଅମୃତ ପାନକରି ଅମରତ୍ୱ ଲାଭ ଓ ଅନ୍ୟାନ୍ୟ ଦିବ୍ୟବସ୍ତୁ ପ୍ରାପ୍ତି ନିମନ୍ତେ ଏକତ୍ରିତ ହୋଇଛନ୍ତି ଦୁଇ ପରସ୍ପର ବିରୋଧୀ ଗୋଷ୍ଠୀ ଦେବ ଓ ଦାନବ । ଯେପରି ଯୁକ୍ତ ବୈଦ୍ୟୁତିକ ଚାର୍ଜର ବିଯୁକ୍ତ ଚାର୍ଜ, ଚୁମ୍ବକର ଉତ୍ତର ମେରୁର ଦକ୍ଷିଣ ମେରୁ, ……… ଆଦି ପ୍ରତ୍ୟେକର ବିପରୀତ ସମ୍ଭବ, ସେହିପରି ପରସ୍ପର ବିରୋଧୀ ଦେବ-ଦାନବ ଶକ୍ତିର ପ୍ରୟୋଗଧାରା ମଧ୍ୟ ବିପରୀତ ଓ ପ୍ରାକୃତିକ ପ୍ରାୟ ମନେହୁଏ । ସମୁନ୍ଦ୍ର ମନ୍ଥନର ଆଦ୍ୟ ପ୍ରସ୍ତୁତି ପର୍ବ । ମନ୍ଦର ପର୍ବତକୁ ଖୁଆଦଣ୍ଡ ଓ ନାଗରାଜ ବାସୁକୀକୁ ଦଉଡି ରୂପେ ବ୍ୟବହାର କରାଯାଇଛି । ମନ୍ଦର ପର୍ବତକୁ ନାଗରାଜ ଗୁଡାଇ ହୋଇ ଶେଷ ଦୁଇ ଅଂଶ ଲାଞ୍ଜ ଓ ମୁଣ୍ଡକୁ ଦୁଇ ଗୋଷ୍ଠୀଙ୍କୁ ଧରାଇବାର ବ୍ୟବସ୍ଥା କରାଗଲା । ସଦା ସତର୍କ ଦେବଗୋଷ୍ଠୀ ନିଜର ସୁରକ୍ଷା ନିମିତ୍ତ ବାସୁକୀର ଲାଞ୍ଜକୁ ଧରିବା ପାଇଁ ମାୟାର ପ୍ରହେଳିକା ଦ୍ୱାରା ସୁଯୋଗ ହାସଲ କଲେ । ନିର୍ଭୀକ, କଷ୍ଟସହିଷ୍ଣୁ, ହିଂସା – ଦ୍ୱେଷ ଓ ଯୁଦ୍ଧଲିପ୍ତ ରାକ୍ଷସଗୋଷ୍ଠୀ ବାସୁକୀର ମୁଣ୍ଡକୁହିଁ ଧରିଲେ । ଉଭୟପକ୍ଷ ଲାଳସାର ବଶବର୍ତ୍ତୀ ହୋଇ ଲାଞ୍ଜ ଓ ମୁଣ୍ଡକୁ ପରସ୍ପର ଆଡକୁ ଟାଣିବାକୁ ଆରମ୍ଭ କରିବା ମାତ୍ରେ, ମନ୍ଦରଗିରି ନିଜର ଭାରୀ ବସ୍ତୁତ୍ୱ ଯୋଗୁଁ ସାଗରରେ କ୍ରମଶଃ ଡୁବିବାକୁ ଲାଗିଲା । ଫଳରେ ଉଭୟ ଦଳର ବ୍ୟାକୁଳତା ବଢିଚାଲିଲା । ସାଗରରେ ରହିଥିବା ଦିବ୍ୟ ପଦାର୍ଥମାନ ସୃଷ୍ଟିର ଅଶେଷ କଲ୍ୟାଣକାରୀ, ତେଣୁ କୂର୍ମରୂପୀ ଶ୍ରୀବିଷ୍ଣୁ ଜଳରେ ବୁଡିରହି ମେରୁପର୍ବତକୁ ପୃଷ୍ଠରେ ଧାରଣ କଲେ । ଦୁଇ ଦଳ ସର୍ପର ଲାଞ୍ଜ ଓ ମୁଣ୍ଡକୁ ଟାଣିବା ଏବଂ ଛାଡିବା ଦ୍ୱାରା ମେରୁପର୍ବତ ଉପରେ ଆଘୂର୍ଣ୍ଣ(Torque) ସୃଷ୍ଟି ହୁଏ । ତେଣୁ ଯୁଗ୍ମ ଓ ବିପରୀତମୁଖୀ ବଳ(Couple) ଦ୍ୱାରା ପର୍ବତ ପ୍ରଚଣ୍ଡ ବେଗରେ ଘୂରେ ଓ ଆରମ୍ଭ ହୁଏ ମହାମନ୍ଥନ । ଫଳରେ କ୍ଷୀର ସାଗରରେ ଜଳ ପ୍ରଖର ଗତିରେ ବୃତ୍ତାକାର ପଥରେ ଘୂରିବାକୁ ଲାଗେ । ଏହି ପ୍ରକ୍ରିୟା ଦ୍ୱାରା ଅନ୍ତଃକେନ୍ଦ୍ରାଭୀମୁଖୀ ବଳ (Centripetal Force) ର ଫଳାଫଳ ସ୍ୱରୂପ କେନ୍ଦ୍ରାପସାରୀ ବଳ (Centrifugal Force)ର ପ୍ରଭାବ ସାଗରରେ ଡୁବି ରହିଥିବା ଭାରୀ ପଦାର୍ଥ ଉପରେ ପ୍ରଭାବଶାଳୀ ହୁଏ । ଭାସମାନ ହୋଇଉଠେ ହଳାହଳମୟ ବିଷପୂର୍ଣ୍ଣ କୁଣ୍ଡ, ଯେଉଁଥିରୁ ବିଷାକ୍ତ ଧୂମକୁଣ୍ଡଳୀ ଅନବରତ ନିର୍ଗତ ହୋଇ ପରିବେଶକୁ ବିଷାକ୍ତ କରିବାରୁ ପୃଥିବୀର ଜୀବଜଗତ ମୃତ୍ୟୁର କରାଳ ଗ୍ରାସରେ ଧ୍ୱଂସ ହେବାକୁ ଲାଗିଲା । ସବୁଆଡେ ହାହାକାର ପଡିଗଲା । ମନ୍ଥନ କାର୍ଯ୍ୟକୁ ପଛରେ ପକାଇ ନିଜ ନିଜ ପ୍ରାଣ ବିକଳରେ ଧାଇଁଲେ ଦେବ ଓ ଦାନବଗଣ । ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଛତ୍ରଛାୟା ତଳେ ଆଶ୍ରୟ ନେଲେ ଦୈତ୍ୟଗଣ ଓ ଦେବତାମାନେ ନିଜକୁ ବଞ୍ଚାଇବାକୁ ବୈକୁଣ୍ଠପୁର ଧାଇଁଲେ । ସୃଷ୍ଟିକର୍ତ୍ତା ବ୍ରହ୍ମା ମଧ୍ୟ ତା’ଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ମାନବ ଜଗତର ବିନାଶ ହେବାର ଦେଖି ସର୍ବେଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ସର୍ବେ ଆକୁଳ ଚିତ୍ତରେ ସୃଷ୍ଟି ରକ୍ଷା ପାଇଁ ପ୍ରାର୍ଥନା କରିବାକୁ ଲାଗିଲେ । ବ୍ରହ୍ମା କହିଲେ ହେ ତ୍ରିଲୋକନାଥ ! ଏ ହଳାହଳମୟ ଦାବାନଳରୁ ଦାନବଙ୍କୁ ଶୁକ୍ରାଚାର୍ଯ୍ୟ ଓ ଦେବତାଙ୍କୁ ଆପଣ ନିଜେ ରକ୍ଷା କରିବେ, କିନ୍ତୁ ମୋର ସୁନ୍ଦର ସୃଷ୍ଟି ମାନବ ଯେ ଏମାନଙ୍କ ଠାରୁ ଦୁର୍ବଳ ! ଏମାନଙ୍କୁ ରକ୍ଷା କରିବାର ବ୍ୟବସ୍ଥା କରନ୍ତୁ ପ୍ରଭୁ ! ଏ ଭୟଙ୍କର ପରିସ୍ଥିତିର ସମାଧାନ ଯେ କେବଳ ଦେବ ଦେବ ମହାଦେବ କରିପାରିବେ ଜାଣି ସର୍ବେ କୈଳାସପୁରକୁ ଗମନ କଲେ ଯୋଗମୁଦ୍ରାରୁ ଚକ୍ଷୁ ମେଲି ଶ୍ରୀଶିବ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ବିଷଜ୍ୱାଳାରେ ଦଗ୍ଧ ହେଉଥିବାର ଦେଖି ଏହାର ସୁରକ୍ଷା ନିମିତ୍ତ ପାଳକର୍ତ୍ତା ବିଷ୍ଣୁଙ୍କ ଦାଇତ୍ୱକୁ ନିଜେ ବହନ କଲେ ଓ ତତ୍ସଙ୍ଗେସଙ୍ଗେ ସମଗ୍ର ବିଶ୍ୱକୁ ସଦାସତର୍କତାର ଦିବ୍ୟବାଣୀ ଶୁଣାଇଲେ । ଶ୍ରୀଶିବ କହିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ବିଶେଷ ମଧ୍ୟରେ ହଳାହଳ ଭରିହୋଇ ରହିଛି ଏବଂ ଏହା ପ୍ରଥମେ ମୁଖ ମଧ୍ୟ ଦେଇ ନିସୃତ ହୁଏ ଓ ପରେ ପରେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ମାଧ୍ୟମରେ ପରିପ୍ରକାଶ ହୁଏ । ହିଂସା, ଦ୍ୱେଷ, ପରଶ୍ରୀକାତରତା , ……. ଆଦି ହଳାହଳର ଏକ ଏକ ରୂପରେଖ । ଏହାର ବିନାଶ ଅସମ୍ଭବ କିନ୍ତୁ ଆୟତ୍ତ ସମ୍ଭବ । କଣ୍ଠଦେଶରେ ଏହାକୁ ଆୟତ୍ତ କରିବା ଶ୍ରେୟସ୍କର ଅଟେ । ଯଦି ଏହା ମସ୍ତିସ୍କରେ ପ୍ରବେଶ କରେ, ତେବେ ଏହା ସର୍ବନାଶର କାରଣ ହୋଇଥାଏ । ମାନବ ନିଜର ହାନୀକାରକ ଦ୍ରବ୍ୟକୁ ସମୁନ୍ଦ୍ର ଗର୍ଭକୁ ଫିଙ୍ଗି ଚାଲିଛି । ସେ ବୁଝୁନାହିଁ ଯେ, ଏହା ସାଗରବାସୀଙ୍କ ପାଇଁ ମଧ୍ୟ କ୍ଷତିକାରକ । ସାଗର ଗର୍ଭରେ ଏହି ଦ୍ରବ୍ୟ ବଢି ବଢି କାଳକୂଟ ରୂପ ଧାରଣ କରିଛି । ଏହା କହି ମହାଦେବ ବିଶ୍ୱର ସର୍ବ ଜୀବଜଗତର ରକ୍ଷା ଓ ମଙ୍ଗଳ ସାଧନ ନିମନ୍ତେ ହଳାହଳମୟପୂର୍ଣ୍ଣ କୁଣ୍ଡକୁ ପାନକଲେ ଓ ଏହାକୁ ନିଃଶେଷ କରି ନିଜ କଣ୍ଠ ଦେଶରେ ସୀମିତ କରି ରଖିଲେ ।କାଳକୂଟର ଭୟଙ୍କର ପ୍ରଭାବରୁ କଣ୍ଠଦେଶ ନୀଳବର୍ଣ୍ଣ ଧାରଣ କଲା ଓ ସଂହାରକର୍ତ୍ତା ଶ୍ରୀଶଙ୍କର ପାଳନକର୍ତ୍ତା ହୋଇ ନୀଳକଣ୍ଠ ବୋଲାଇଲେ । ଏହି ଭାବଧାରା ଆଜିର ସମାଜରେ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ଠାରେ ପ୍ରତିଫଳିତ ହେଉ ଓ ଏ ବିଶ୍ୱ ଶ୍ରୀଶିବଙ୍କ ସ୍ତୁତିରେ ପ୍ରକମ୍ପିତ ହୋଇଉଠୁ, ଯଥା –
“ଆଶୁତୋଷ ନୀଳକଣ୍ଠ ଶମ୍ଭୁ ଅବିନାଶୀ ……… ଗଙ୍ଗାଧର ମହାଦେବ ଯୋ ହେ କୈଳାସି” ।
ମନ୍ଥନରୁ ଉଦ୍ଗତ ହୁଏ କାମଧେନୁ, ଶ୍ରୀଲକ୍ଷ୍ମୀ, ଉଚ୍ଚୈଶ୍ରବା ଅଶ୍ୱ, ଐରାବତ ହସ୍ତୀ, କୌସ୍ତୁଭମଣି, ପାରିଜାତ ପୁଷ୍ପ, ପାଞ୍ଚଜନ୍ୟ ଶଙ୍ଖ, ଅପ୍ସରାଗଣ,……. ଇତ୍ୟାଦି । ଦେବତା ଓ ଶ୍ରୀବିଷ୍ଣୁ ଏଗୁଡିକୁ ନିଜର ପ୍ରାପ୍ୟ କହି ଗ୍ରହଣ କରି ନିଅନ୍ତି । ଦାନବଗଣ ନିଜର ଧୈର୍ଯ୍ୟ ଧାରଣ ପୂର୍ବକ ପୁନଃ ମନ୍ଥନରେ ସହଯୋଗ, ସାଗରରୁ ଧନ୍ୱନ୍ତରୀ ଅମୃତକୁଣ୍ଡ ସହ ଆବିର୍ଭାବ, ରାକ୍ଷସମାନେ ଅମୃତକୁଣ୍ଡକୁ ଝାମ୍ପିନେଇ ଦ୍ରୁତ ପଳାୟନ, ବିଷ୍ଣୁଙ୍କ ମୋହିନୀ ରୂପରେ ରାକ୍ଷସକୁଳ ବିମୋହନ, ଦେବତାମାନେ ଅମୃତ ପାନ କରି ଅମରତ୍ୱ ଲାଭ, ରାହୁ – କେତୁର ସୃଷ୍ଟି ଓ ରାକ୍ଷସବଂଶ ହୋଇଉଠନ୍ତି ଧୈର୍ଯ୍ୟହରା । ଏହାର ପ୍ରଭାବରେ ଭୟଙ୍କର ପରିବେଶ ସୃଷ୍ଟି ହୋଇଚାଲେ । ଦୈତ୍ୟମାନଙ୍କ ପରିଶ୍ରମ ଫଳର ଭାଗୀଦାରକୁ ଦେବତାମାନେ ଲୁଣ୍ଠନ କରିବାରୁ ଲାଗି ରହେ ଯୁଗ ଯୁଗ ଧରି ଦେବାସୁର କଳି । ବର୍ତ୍ତମାନ ଦୁଇ ସମ୍ଭାବନା – ପୃଥିବୀରେ ସାଗର ମନ୍ଥନ କିମ୍ବା ବିଶ୍ୱ – ମନ୍ଥନର ଫଳାଫଳ ସମାନ ହେବା ନିଶ୍ଚିତ ପ୍ରାୟ ବୋଧଗମ୍ୟ ହୁଏ ।
ପୃଥିବୀରେ ସମୁନ୍ଦ୍ର ମନ୍ଥନରୁ ଚନ୍ଦ୍ରର ସୃଷ୍ଟିକୁ ମଧ୍ୟ ପୌରାଣିକ ତତ୍ତ୍ୱରେ ଏବଂ ଜ୍ୟୋତିଷ ଶାସ୍ତ୍ରରେ ନବଗ୍ରହ ମଧ୍ୟରୁ ଏକ ଗ୍ରହର ସ୍ଥାନ ଦିଆଯାଇ ବନ୍ଦନା କରାଯାଏ, ଯଥା – ଦିବ୍ୟଶଙ୍ଖ ତୁଷାରାଭଂ କ୍ଷୀରୋଦାର୍ଣ୍ଣବା ସମ୍ଭବଂ ——- ନମାମି ଶଶିନ ଭକ୍ତ୍ୟା ସମ୍ଭୋର୍ମୂକୁଟ ଭୁଷଣଂ ।
ଅର୍ଥାତ୍ କ୍ଷୀରସାଗରରୁ ଉତ୍ପନ୍ନ ହୋଇଥିବା ଚନ୍ଦ୍ରର କାନ୍ତି ଶୁଭ୍ର ଅଟେ ଓଏହି ଦିବ୍ୟ ସୃଷ୍ଟି ଦେବତା ମାନଙ୍କ ମଧ୍ୟରେ ସ୍ଥାନ ପାଇଅଛି । ତେବେ ପୃଥିବୀରୁ ଏହାର ଉତ୍ପତ୍ତିକୁ ମଧ୍ୟ ବିଜ୍ଞାନ ଢାଞ୍ଚାରେ ଚିନ୍ତା କରାଯାଇପାରେ । ପୃଥିବୀରେ ଘୋର ମନ୍ଥନର ପ୍ରଭାବରୁ କମ୍ପନ ଜାତ ଓ କେନ୍ଦ୍ରାପସାରୀ ବଳର ମିଳିତ ଶକ୍ତି କେଉଁ ଏକ କ୍ଷଣରେ ଏହାର ମାଧ୍ୟାକର୍ଷଣ ବଳଠାରୁ ଅଧିକ ହୋଇଥିବ, ଯାହାକି ପୃଥିବୀର କେଉଁ ଏକ ଦୁର୍ବଳ ଅଂଶରୁ ଏକ ବସ୍ତୁତ୍ୱ ପିଣ୍ଡ (Massiva body) ଛିଟିକି ଯାଇଥାଇପାରେ । ପୃଥିବୀର ମାଧ୍ୟାକର୍ଷଣ ବଳୟରୁ ଏ ଅଂଶଟି ସମ୍ପୂର୍ଣ୍ଣରୂପେ ମୁକ୍ତ ହେବାର ଶକ୍ତି ପ୍ରାପ୍ତ ହୋଇ ନଥିବ । ପ୍ରାପ୍ତ ବାହ୍ୟ ଶକ୍ତି କିଛି ଦୂର ଅନ୍ତେଃ କ୍ଷୀଣ ହୋଇଥିବ ଓ ପୃଥିବୀର ମାଧ୍ୟାକର୍ଷଣ ବଳ ଦ୍ୱାରା ଏହା ସେହି ଦୂରତାରୁ ପୃଥିବୀକୁ ପରିକ୍ରମା କରିବାର କକ୍ଷପଥ ସହ ନିଜ ଅକ୍ଷ ଚତୁଃପାର୍ଶ୍ୱରେ ଆବର୍ତ୍ତନ କରିବା ବୋଧହୁଏ ଘୂର୍ଣ୍ଣନ ଏବଂ କମ୍ପନର କାରଣ ହୋଇଥାଇପାରେ । ଏହା ପୃଥିବୀର ଏକ ପ୍ରାକୃତିକ ଉପଗ୍ରହ ରୂପେ ବିଦ୍ୟମାନ ହୋଇ ଜୀବଜଗତପାଇଁବିଭିନ୍ନ ପ୍ରାକୃତିକ ଘଟଣାବଳୀରେ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଅଛି । ଚନ୍ଦ୍ର ପୃଷ୍ଠରୁ ପ୍ରତିଫଳିତ ସୂର୍ଯ୍ୟରଶ୍ମି ଯୋଗୁ ପୃଥିବୀବାସୀଙ୍କୁ ଏହା ସୁନ୍ଦର, ସୌମ୍ୟ, କମନୀୟ ଓ ଶୁଭ୍ର ଦିଶେ । ଜ୍ୟୋସ୍ନା ବିଧୌତ ରଜନୀ ସମଗ୍ର ଜୀବଜଗତକୁ ସ୍ୱର୍ଗୀୟ ପ୍ରେମର ମକରନ୍ଦ ରସ ପାନ କରାଇବାର ଭାବଧାରାରେ ବିମୋହିତ କରେ । ସୁଶୀତଳ ଚନ୍ଦ୍ରାଲୋକ ଓ ମୃଦ୍ୟୁ ମଳୟର ସ୍ପର୍ଶରେ ମନରେ ଜାଗିଉଠେ ଅପୂର୍ବ ଶିହରଣ । ଏତାଦୃଶ ପ୍ରଭାବରୁ ଧରା ବକ୍ଷରେ କବି, ଭାବୁକ, ଦାର୍ଶନିକ ………. ଆଦିଙ୍କ ଲେଖନୀରୁ ସୃଷ୍ଟି ହୁଏ କାବ୍ୟ, କବିତା, ଗଳ୍ପ, ……….. ଇତ୍ୟାଦି ଏହା ସମାଜର ମଙ୍ଗଳ ନିମନ୍ତେ ପଥ ପ୍ରଦର୍ଶକ ହୋଇଥାଏ । ପୂର୍ଣ୍ଣିମା, ଅମାବାସ୍ୟା, ଚନ୍ଦ୍ରକଳାର ବୃଦ୍ଧି ଓ ହ୍ରାସ, ଚନ୍ଦ୍ର ଗ୍ରହଣ ପ୍ରଭୃତି କ୍ଷେତ୍ରରେ ଅନେକ ସାମାଜିକ ନୀତି ଓ ନିୟମର ପ୍ରଚଳନ ରହିଛି ଏବଂ ଏହା ବିଜ୍ଞାନ ସମ୍ମତ ହେବାର ପ୍ରତୀୟମାନ ହୁଏ । ମାନବ ଚନ୍ଦ୍ର ପୃଷ୍ଠରୁ ଅନେକ ତଥ୍ୟ ହାସଲ କରି ସାରିଛି । ଏହା ଏକ କଠିନ ପିଣ୍ଡ ଓ ସୂର୍ଯ୍ୟର ଆଲୋକରେ ଆଲୋକିତ । ଚନ୍ଦ୍ରର ନିଶ୍ଚଳ ସାଗର(Sea of Tranquility) ସୃଷ୍ଟି କରୁଥିବା ଛାୟାର ଆକୃତିକୁ ନେଇ ବିଭିନ୍ନ ପ୍ରକାର ଲୋକକଥାମାନ ରହିଅଛି । ବିଜ୍ଞାନର ନିଚ୍ଛକ ସତ୍ୟକୁ ଜାଣି ସୁଦ୍ଧା ମାନବ ତା’ର ଐତିହ ଓ ସଂସ୍କୃତିକୁ ଭୂଲିପାରିନାହିଁ । ତେଣୁ ବିଭିନ୍ନଭାବେ ପୂଜା, ଆରାଧନା ଓ ସମ୍ବୋଧନ କରାଯାଉଛି । ସବୁ ଧର୍ମରେ ଚନ୍ଦ୍ରକୁ ଗୁରୁତ୍ୱ ଦିଆଯାଇଛି । ନୀଳଜହ୍ନ, ନୀଳପୂର୍ଣ୍ଣିମା ଆଦି ସହିତ ଜ୍ୟୋତିର୍ବିଜ୍ଞାନ ଗଣନା ଜନିତ ପ୍ରାକୃତିକ ଦୁର୍ବିପାକର ସୂଚନା ଦିଆଯାଏ । ଏହା ସମ୍ପୂର୍ଣ୍ଣ ବିଜ୍ଞାନ ସମ୍ମତ ନହେଲେବି କୌଣସି ବିରଳ ପ୍ରାକୃତିକ ଘଟଣାରୁ ବାୟୁମଣ୍ଡଳରେ ହଠାତ୍ ପ୍ରଦୂଷଣ ବୃଦ୍ଧି ଘଟିଲେ ଶୁଭ୍ରଜହ୍ନ ନୀଳ ଦିଶିବାର ଦୃଷ୍ଟାନ୍ତ ରହିଛି ।ତେବେ ବିପର୍ଯ୍ୟୟରୁ ନୀଳଜହ୍ନ କିନ୍ତୁ ନୀଳଜହ୍ନରୁ ବିପର୍ଯ୍ୟୟ ନୁହେଁ । ପୃଥିବୀରେ ଅନେକ ସ୍ଥାନୀୟ ପର୍ବପର୍ବାଣୀରେ ଚନ୍ଦ୍ରପୂଜାର ପରମ୍ପରା ନିବିଡଭାବେ ଜଡିତ ହୋଇଥିବାର ଦେଖାଯାଏ । ପ୍ରକୃତି ପୂଜାରେ ଭରି ରହିଥିବା ଦିବ୍ୟ ଚେତନାର ପ୍ରଭାବ ଧିରେ ଧିରେ କ୍ଷୟ ହେବାରେ ଲାଗିଛି । ତଥାପି ନିଃସନ୍ଦେହରେ କୁହାଯାଇପାରେ ଯେ, ସୁସ୍ଥ ସାମାଜିକ ବନ୍ଧନ ଯେତେ ଅବକ୍ଷୟ ହେଲେ ମଧ୍ୟ ବିଲୁପ୍ତ ହେବା କଠିନ ଅଟେ । ସେଥିପାଇଁ ତ ଅବତାର ପରେ ଅବତାର ଏକ ସ୍ୱୟଂ ପ୍ରକ୍ରିୟା ସଦୃଶ ଅନୁମାନ କରାଯାଏ ।
ତୃତୀୟ ଅବତାରରେ ଭଗବାନ ବରାହ ରୂପରେ ଜଳମଗ୍ନ ପୃଥିବୀକୁ ଦନ୍ତରେ ଧାରଣ କରି ଜଳରୁ ଟେକିଧରି ସୃଷ୍ଟି ପ୍ରକ୍ରିୟାକୁ ରକ୍ଷା କରିଥିଲେ ଏଠାରେ ମଧ୍ୟ ଦୁଇ ପ୍ରକାର ସମ୍ଭାବନାକୁ ଚିନ୍ତା କରାଯାଇପାରେ । ପ୍ରଥମ ସମ୍ଭାବନା ହେଉଛି – ପୃଥିବୀ ପୃଷ୍ଠକୁ ଦାନବ ଶକ୍ତି ସମ୍ପୂର୍ଣ୍ଣ ଜଳମଗ୍ନ କରିଥିବେ, ଯାହାକୁ ଜଳରେ ଡୁବି ରହିଥିବାର କୁହାଯାଏ । ଏହି କାରଣ ଯୋଗୁଁ ପୃଥିବୀ କ୍ଷୀଣ ମାତ୍ରାରେ କକ୍ଷଚ୍ୟୁତ ହୋଇଥାଇପାରେ କିମ୍ବା ନ ହୋଇଥାଇପାରେ । ଦ୍ୱିତୀୟ ସମ୍ଭାବନା କହେ ଯେ, ମହାଦାନବୀୟ ଶକ୍ତିର ଝଟ୍କାରେ ବୋଧହୁଏ ପୃଥିବୀ ମହାଶୂନ୍ୟକୁ ନିକ୍ଷେପିତ ହୋଇଥିବ । ସମ୍ଭାବନା ଦୁଇ, କିନ୍ତୁ ଉଦ୍ଦେଶ୍ୟ ଏକ ଅର୍ଥାତ୍ ପୃଥିବୀ ପୃଷ୍ଠରେ ହୋଇଥିବା କିମ୍ବା ହେବାକୁ ଥିବା ସୁନ୍ଦର ସୃଷ୍ଟିକୁ ପଣ୍ଡ କରିବା । ଦ୍ୱିତୀୟ ସମ୍ଭାବନା ମଧ୍ୟ ପ୍ରଥମ ସମ୍ଭାବନା ପରି ସମଜାତୀୟ ଭାବ ପୋଷଣ କରେ । ମହାଶୂନ୍ୟର ଅନନ୍ତ କୋଳହିଁ ମହାଜାଗତିକ ସାଗର ଓ ଶ୍ରୀବିଷ୍ଣୁ ମହାବରାହ ରୂପ ଧାରଣ କରି କକ୍ଷଚ୍ୟୁତ ପୃଥିବୀକୁ ଦନ୍ତରେ ଚାପିଧରି ପୁନଃ ସ୍ୱକକ୍ଷରେ ସ୍ଥାପନ କରିଥିବେ । ପୂର୍ବପରି ଜଳକୁ ତିନିଭାଗ ଓ ସ୍ଥଳକୁ ଏକଭାଗ ମଧ୍ୟରେ ସୀମିତ ରଖି ଜୀବଜଗତ ସୃଷ୍ଟିର ଅୟାରମ୍ଭ କରିଥାଇ ପାରନ୍ତି ।
ଚତୁର୍ଥ ଅବତାର ମାନବ ଓ ସିଂହର ମିଶ୍ରିତ ଶରୀର – ନରସିଂହ ରୂପ । ଭକ୍ତ ପ୍ରହଲ୍ଲାଦର ଡାକରେ ସ୍ତମ୍ଭରୁ ନରସିଂହ ରୂପୀ ବିଷ୍ଣୁ ଆବିର୍ଭାବ ହୋଇଥିଲେ । ମହାପ୍ରତାପୀ ଦାନବରାଜ ହିରଣ୍ୟକଶିପୁକୁ ବ୍ରହ୍ମାଙ୍କ ବରଦାନର ପରିସୀମା ମଧ୍ୟରେ ରହି ବିନାଅସ୍ତ୍ରେ, ପ୍ରଦୋଷକାଳେ, ଗୃହର ଦ୍ୱାରରେ, ନିଜ ଜାନୁ ଉପରେ ରଖି ଓ ନିଜ ନଖ ମୁନରେ ତା’ର ବକ୍ଷ ବିଦାରଣ କରିଥିଲେ । ଏଠାରେ ଭକ୍ତ ପ୍ରହଲ୍ଲାଦର ପ୍ରଗାଢ ଭକ୍ତି ଓ ଆକୁଳ ପ୍ରାର୍ଥନା ଏକ ଅତି ଦୃଢ ପାରସ୍ପରିକ କ୍ରିୟା ବା ଈଶ୍ୱର ତରଙ୍ଗ(E- Wave )ସହ ତୁଳନୀୟ ଅଟେ ଓ ଏହା ବିଶ୍ୱର ଚାରି ପ୍ରକାର ପାରସ୍ପରିକ କ୍ରିୟା ଠାରୁ ଭିନ୍ନତାର ଆଭାସ ଦିଏ । ଏହାର ପ୍ରଭାବରେ ବିଶ୍ୱରେ କମ୍ପନ ଜାତ ହୋଇ ନାରାୟଣଙ୍କ ଅନାଦି ଓ ଅନନ୍ତ ରୂପରୁ ଭୟଙ୍କର ନରସିଂହ ରୂପ ପ୍ରକଟ ହୋଇଥିବ । ପୁନଶ୍ଚ ମୀନ, କଚ୍ଛପ, ବରାହ ଓ ନରସିହ ରୂପ ଆଦିର ଆବିର୍ଭାବ ଏବଂ ଅନ୍ତର୍ଦ୍ଧାନ ଆଦି ସ୍ଥୂଳ ପ୍ରକ୍ରିୟାକୁ ଆଇନ୍ଷ୍ଟାଇନ୍ଙ୍କ ବିଶେଷ ଆପେକ୍ଷିକ ତତ୍ତ୍ୱ (Special Theory of Relativity)ସହ ସଂଯୋଗ କରାଗଲେ ତାହା ଦୈର୍ଘ୍ୟ ସଂକୋଚନ (Length Contraction) ଓ ସମୟର ବିସ୍ତାରଣ (Time Dilation)ସୂତ୍ରାନୁସାରେ ଆଲୋଚନା କରାଯାଇପାରେ ।
(a) L = L0 (1 – v2/c2)1/2
(b) ∆t = ∆t′ /(1 – v2/c2)1/2
⇒ L < L0 , ∆t > ∆t′
ଏଠାରେ ଏକ ସ୍ଥିର ଓ ଗତିଶୀଳ ଆଧାରକ (Frame)ର ଅକ୍ଷତ୍ରୟ ପରସ୍ପର ସମାନ୍ତରାଳ ଭାବେ ଗ୍ରହଣ କରାଯାଇଛି ।
L0 = ସ୍ଥିର ବସ୍ତୁର କୌଣସି ଏକ ଅକ୍ଷ(Axis)ର ସମାନ୍ତରାଳ ଦିଗରେ ଦୈର୍ଘ୍ୟ ।
L = ବସ୍ତୁଟି ସେହି ଅକ୍ଷ ଦିଗରେ ଧାବମାନ ହେଲେ ତା’ର ଆପେକ୍ଷିକ ଦୈର୍ଘ୍ୟ ।
∆t = ସ୍ଥିରଥିବା ପର୍ଯ୍ୟବେକ୍ଷକର ଘଣ୍ଟାରେ ଏକ ଘଟଣାର ସମୟର ବ୍ୟବଧାନ
∆t′ = ଗତିଶୀଳ ଥିବା ପର୍ଯ୍ୟବେକ୍ଷକର ଘଣ୍ଟାରେ ସେହି ଘଟଣାର ସମୟର ବ୍ୟବଧାନ ।
ଅର୍ଥାତ୍ ଗତିଶୀଳ ଫ୍ରେମ୍ରେ କୌଣସି ଏକ ବିନ୍ଦୁରେ ଘଟୁଥିବା ଦୁଇଟି ଘଟଣା ମଧ୍ୟରେ ସମୟର ବ୍ୟବଧାନ ଦୁଇ ପର୍ଯ୍ୟବେକ୍ଷକଙ୍କ ପର୍ଯ୍ୟବେକ୍ଷଣର ଫଳାଫଳ ।
v = ଗତିଶୀଳ ପର୍ଯ୍ୟବେକ୍ଷକର ଅଥବା ବସ୍ତୁର ବେଗ ।
c = ଆଲୋକର ବେଗ (ଶୂନ୍ୟ ସ୍ଥାନରେ) ।
ପ୍ରଥମ ସୂତ୍ରକୁ ଦୈର୍ଘ୍ୟ ସଂକୋଚନ ପ୍ରକ୍ରିୟା କୁହାଯାଏ । ଅର୍ଥାତ୍ ସ୍ଥିର ଆଧାରକରେ ଥିବା ପର୍ଯ୍ୟବେକ୍ଷକକୁ ବସ୍ତୁର ଦୈର୍ଘ୍ୟ କମ୍ ଜଣାପଡିବ । ଦ୍ୱିତୀୟ ସୂତ୍ରାନୁଯାୟୀ ସମୟରଗତି ସ୍ଥିର ଆଧାରକରେ ପ୍ରଖର ହେବ ଓ ଗତିଶୀଳପାଇଁ ଧିମେଇ ଯିବ । ତେବେ ସ୍ଥିର ପର୍ଯ୍ୟବେକ୍ଷକକୁ ଜଣାପଡିବ ଯେ, ଗତି କରୁଥିବା ପର୍ଯ୍ୟବେକ୍ଷକର ଘଣ୍ଟା ଧିମେଇ ଚାଲୁଛି କିମ୍ବା ଗତିଶୀଳ ପର୍ଯ୍ୟବେକ୍ଷକର ବୟସ ବୃଦ୍ଧି ଗତିହୀନ ପର୍ଯ୍ୟବେକ୍ଷକଠାରୁ ମନ୍ଥର ହେଉଛି । ଏହି ଦୁଇ ତତ୍ତ୍ୱର ଓଲଟ ଭାବର ଫାଳାଫଳ ମଧ୍ୟ ସମାନ ଅଟେ । ଯଦି, v = c ହୁଏ, ତେବେ ∆t → ∞ (Infinite), L → ୦ । ତେଣୁ ଏହା ଏକ ଘଡିସନ୍ଧି ମୁହୂର୍ତ୍ତ ଅଟେ ।
ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ, ବ୍ୟକ୍ତିଟି ଆଲୋକର ବେଗରେ ଗତିକଲେ, ତା’ପାଇଁ ସମୟସ୍ରୋତ ବନ୍ଦ୍ ହୋଇଯାଏ କିମ୍ବା ବୟସ ବୃଦ୍ଧି(Ageing) ହୁଏନାହିଁ | ପୁଣି ଏହି ମୁହୂର୍ତ୍ତରେ ଗତିର ଦିଗରେ ବସ୍ତୁର ଦୈର୍ଘ୍ୟ ଶୂନ ବା ଅଦୃଶ୍ୟମାନ ହୁଏ ଓ ଏହି ଚତୁଃ – ଅକ୍ଷ ପରିସରଭୁକ୍ତ ବିଶ୍ୱରେ ବସ୍ତୁଟି କୌଣସି ଅକ୍ଷ ସହ ସମାନ୍ତରାଳ ନରହି ଗତି କଲେ ତ୍ରିଦିଗରୁ ଦୈର୍ଘ୍ୟ ଶୂନ୍ୟ ହୋଇଯାଏ, ଅର୍ଥାତ୍ ବସ୍ତୁଟି ଅଦୃଶ୍ୟ ହୁଏ । ଏଠାରେ ଅବତାରର ବିଭିନ୍ନ ସ୍ୱରୂପକୁ ଗତିଶୀଳ ଓ ପୃଥିବୀକୁ ସ୍ଥିର ଆଧାରକରେ ଥିବାର ଅନୁମାନ କରାଯାଇପାରେ । ଏକ ଅକ୍ଷ ବିଶିଷ୍ଟ ଗତିରେ ସ୍ଥିର ଆଧାରକରେ ଥିବା ବ୍ୟକ୍ତି ଗତିଶୀଳ ବ୍ୟକ୍ତିକୁ ବିଭିନ୍ନ ଭାବେ ଦେଖେ, ଯଥା – ଦଣ୍ଡର ଦୈର୍ଘ୍ୟ କମିବା, ବର୍ଗକ୍ଷେତ୍ରଟି ଆୟତକ୍ଷେତ୍ର , ବୃତ୍ତଟି ଇଲିପ୍ସ, ଗୋଲକଟି ଉପବର୍ତ୍ତୁଳାକାର (Spheroid) ଆଦି ସଦୃଶ ଦୃଶ୍ୟମାନ ହୁଏ । ତଦନୁଯାୟୀ ଗତିଶୀଳ ଅବତାରମାନ, ଯଥା – ମୀନ, କୂର୍ମ, ବରାହ, ନରସିଂହ ଆଦି ରୂପ ଦେଖାଯିବାର ଅନୁମାନ କରାଯାଏ, ଯାହା ‘v’ ଉପରେ ନିର୍ଭରଶୀଳ । ପୁଣି ଅନ୍ତର୍ଦ୍ଧାନ ସମୟରେ v = c ହୁଏ ଅର୍ଥାତ୍ L → ୦ ହୁଏ । ଏହା ଏକ ସୂକ୍ଷ୍ମ ଆୟତନର ରୂପ ନିଏ, ଯାହା ଦୃଷ୍ଟିଗୋଚର ହୁଏନାହିଁ ।
ପଞ୍ଚମରେ ବିଷ୍ଣୁଭକ୍ତ ଓ ପରମଦାନଶୀଳ ଦୈତ୍ୟରାଜ ବଳିର ଅହଂକାରକୁ ଖର୍ବ କରିବା ପାଇଁ ଭଗବାନ ବାମନ ରୂପ ଧରିଥିଲେ । ମହାଦାନୀ ବଳିର ଅହଂକାର ସୃଷ୍ଟି ଧାରାରେ ବାଧକ ଉପୁଜିଲା । ଗରବ ଗଞ୍ଜନବାନା ବାମନ ରୂପରେ ବଳିକୁ ଦାନ ଛଳରେ ତିନିପାଦ ଭୂମି ମାଗିଲେ । କ୍ଷୁଦ୍ର ମାନବର ପ୍ରଥମ ଓ ଦ୍ୱିତୀୟ ପାଦ ପୃଥିବୀ ଓ ସମଗ୍ର ବିଶ୍ୱକୁ ବ୍ୟାପିଗଲା । ବାଧ୍ୟହୋଇ ବଳି ସତ୍ୟରକ୍ଷା ନିମିତ୍ତ ନିଜ ମଥାକୁ ବାମନଙ୍କ ନାଭିରୁ ବାହାରିଥିବା ତୃତୀୟ ପାଦତଳେ ପାତିଦେଲେ । ଭକ୍ତ ବଳିକୁ ତୃତୀୟ ପାଦରେ ଚାପି ପାତାଳ (ଅନ୍ୟ ଏକ ଜଗତ) ରେ ରାଜା କରିଲେ । ବାମନାବତାରର କାୟା ବିସ୍ତାର ବା ସ୍ଥୂଳ ସ୍ୱରୂପକୁ ମଧ୍ୟ ଆଇନ୍ଷ୍ଟାଇନ୍ଙ୍କ ଆପେକ୍ଷିକ ତତ୍ତ୍ୱ ଧାରାରେ ବର୍ଣ୍ଣନା କରାଯାଇପାରେ । ଯେହେତୁ ଏଠାରେ ଅବତାରକୁ ଗତିଶୀଳ ଫ୍ରେମ୍ରେ ଥିବାର କଳ୍ପନା କରାଯାଇଛି, ତେବେ ଗତିଶୀଳ ବସ୍ତୁର ଆପେକ୍ଷିକ ବସ୍ତୁତ୍ୱ ,
m = m0 /(1 – v2/c2)1/2
and m > m0
m0 = ସ୍ଥିର ଥିବା ସମୟରେ କଣିକାଟିର ବସ୍ତୁତ୍ୱ (ଏଠାରେ ବାମନର ବସ୍ତୁତ୍ୱ) ।
m = କଣିକାଟି ଧାବମାନ ହେଲେ ତା’ର ଆପେକ୍ଷିକ ବସ୍ତୁତ୍ୱ(ବାମନର ଆପେକ୍ଷିକ ବସ୍ତୁତ୍ୱ) । ‘ v ‘ ବୃଦ୍ଧି ପାଇଲେ ‘m’ ର ବୃଦ୍ଧି ଘଟେ ।
v = c ହେଲେ, m → ∞ ହେବ ।
ଅର୍ଥାତ୍ ଆଲୋକର ଗତିରେ କଣିକା ବା ବସ୍ତୁର ବସ୍ତୁତ୍ୱ ବୃଦ୍ଧି ଅନନ୍ତ ମାପକାଠି ଯାଏଁ ପରିବ୍ୟାପ୍ତ ହୁଏ । କିନ୍ତୁ ଆଲୋକର ଗତିକୁ ବସ୍ତୁଟିକୁ ତ୍ୱରାନ୍ୱିତ କରିବାକୁ ହେଲେ ଅନନ୍ତ ପରିମାଣର ବାହ୍ୟଶକ୍ତି ଆବଶ୍ୟକ । ଏହାହିଁ ସର୍ବଶକ୍ତିମାନଙ୍କ ଦ୍ୱାର ସମ୍ଭବ । ତେଣୁ ବାମନଙ୍କ ଆପେକ୍ଷିକ ବସ୍ତୁତ୍ୱ ‘ v ‘ ବୃଦ୍ଧି ରେ ବୃଦ୍ଧିପାଇ ଚାଲିଥିବ ଅର୍ଥାତ୍ ତାଙ୍କର କାୟା ବିସ୍ତାରଲାଭ କରିଥିବ । ପୁଣି v = c ସମୟରେ ଦୈର୍ଘ୍ୟ ସଂକୋଚନ ପ୍ରକ୍ରିୟା ଅନୁଯାୟୀ ଅବତାରର ଅନ୍ତର୍ଦ୍ଧାନ ଘଟିଥିବ ।
ଷଷ୍ଠରେ ପର୍ଶୁରାମ ଅବତାର । ପୃଥିବୀରେ କ୍ଷତ୍ରିୟମାନଙ୍କ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇଲା ଓ ଅସଂଖ୍ୟ ନିରୀହ ଏବଂ ସାଧୁ – ସନ୍ଥ ମାନଙ୍କୁ ହତ୍ୟା କରାଗଲା । ଅସଭ୍ୟତା ଓ ବର୍ବରତା ଚରମ ସୀମାରେ ପହଞ୍ଚିଲା । ଏହାର ପ୍ରତିକାର ନିମିତ୍ତ ବିଷ୍ଣୁଅଂଶେ ବ୍ରାହ୍ମଣ କୁଳରେ ପର୍ଶୁରାମ ଜାତ ହେଲେ । ଏପରିକି ତା’ଙ୍କ ପିତା ଜମଦଗ୍ନିଙ୍କୁ ସହସ୍ରାର୍ଜୁନଙ୍କ ପୁତ୍ରଗଣ ହତ୍ୟାକଲେ । ପର୍ଶୁରାମ ତା’ଙ୍କ ଦିବ୍ୟ ପରଶୁ ଦ୍ୱାରା ଏକୋଇଶବାର ପୃଥିବୀରୁ କ୍ଷତ୍ରିୟମାନଙ୍କୁ ନିପାତ କରିବା ସହ ସେମାନଙ୍କ ରକ୍ତରେ ପିତୃଗଣଙ୍କ ଶାନ୍ତିପାଇଁ ତର୍ପଣ କରିଥିଲେ ଏବଂ ସୃଷ୍ଟିରକ୍ଷା କରିଥିଲେ । ଏହି ପୂର୍ଣ୍ଣାଙ୍ଗ ମାନବାବତାର ସୃଷ୍ଟିରକ୍ଷା ନିମିତ୍ତ ଆୟୁଧର ବ୍ୟବହାର କରିଛନ୍ତି । ପୂର୍ବରୁ କ୍ରମାନୁସାରେ ମୁଖ, ପୃଷ୍ଠ, ଦାନ୍ତ, ନଖ ଓ ପାଦର ବ୍ୟବହାର କରାଯାଇଛି । ତେବେ ପର୍ଶୁରାମ ଅବତାର ଠାରୁ ବିଜ୍ଞାନ ଓ ଭୌତିକ ବିଜ୍ଞାନର ଉନ୍ନତି ତଥା ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ର ଶିକ୍ଷାର କ୍ରମ ଉନ୍ନତି ଅନୁଭୂତ ହୁଏ । ମନ୍ତ୍ର ଦୀକ୍ଷିତ ପରଶୁ ବର୍ବର ମାନଙ୍କର ଶିର ଚ୍ଛେଦନ କରିଛି । ସମୟର ବିସ୍ତାରଣ ସୂତ୍ରାନୁସାରେ ଧାବମାନ ପର୍ଶୁରାମଙ୍କ ପରଶୁ ଖୁବ୍ କମ୍ ସମୟରେ ଏକୋଇଶବାର କ୍ଷତ୍ରିୟ ମାନଙ୍କ ମୂଳୋତ୍ପାଟନ କରିବା ସହ ସମାଜରେ ସୁସ୍ଥ ବାତାବରଣ ଫେରାଇ ଆଣିଛନ୍ତି, ଯାହା ପୃଥିବୀ ବାସୀଙ୍କପାଇଁ ଦୀର୍ଘକାଳ ଧରି ଅନୁଭୂତ ହେବାର କଳ୍ପନା କରାଯାଇପାରେ ।
ସପ୍ତମରେ ପରମପୁରୁଷ ଶ୍ରୀରାମ ଅବତାର ଓ ତାଙ୍କର ସହଯୋଗୀ ପାର୍ଶ୍ୱାବତାର ହେଲେ ଶେଷନାଗଙ୍କ ଅବତାର ଶ୍ରୀଲକ୍ଷ୍ମଣ ଓ ଏକାଦଶ ରୁଦ୍ରାବତାର ଶ୍ରୀହନୁମାନ ।ପ୍ରବଳ ପରାକ୍ରମୀ ଦଶାନନ, କୁମ୍ଭକର୍ଣ୍ଣ, ମେଘନାଦ ଆଦି ରାକ୍ଷସ ମାନଙ୍କୁ ନିପାତ କରି ଧରାକୁ ପାପ ଭାରରୁ ମୁକ୍ତ କରିବା ପାଇଁ ଏହି ଅବତାରର ଉଦ୍ଦେଶ୍ୟ । ଆଦର୍ଶ ପିତୃଭକ୍ତି, ବାତ୍ସଲ୍ୟ, ବନ୍ଧୁପ୍ରୀତି, ମୁନିଋଷି ମାନଙ୍କୁ ଅଭୟ ପ୍ରଦାନ, ସୁସ୍ଥ ସାମାଜିକ ବ୍ୟବସ୍ଥା ଆଦି ମହାନ୍ ଆଦର୍ଶ ଏହି ଅବତାରରେ ପ୍ରତିଫଳିତ ହୁଏ । ଏହି ଯୁଗରେ ବିଜ୍ଞାନ, ଭୌତିକ ବିଜ୍ଞାନ, ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ଆଦି ଶକ୍ତିର ମଧ୍ୟ ବହୁଳ ପ୍ରଦର୍ଶନ କରାଯାଇଛି । ଏପରିକି ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଯୁଦ୍ଧ ପରିଚାଳନା ହୋଇଥିଲା । ରାବଣର ପୁଷ୍ପକ ବିମାନ, ରାମଙ୍କ ପାଇଁ ଇନ୍ଦ୍ର ପ୍ରଦତ୍ତ ଦିବ୍ୟରଥ ଆଦି ଆକାଶରେ ଉଡି ଯୁଦ୍ଧର ଘନଘଟା ସୃଷ୍ଟି କରିପାରୁଥିଲା । ଦିବ୍ୟାସ୍ତ୍ର ଓ ମାୟାସ୍ତ୍ର ଆଦି ବ୍ୟବହାର କରାଯାଉଥିଲା । ରାବଣର ପୁତ୍ର ମେଘନାଦ ଇନ୍ଦ୍ରାଦି ଦେବତା ମାନଙ୍କୁ ଯୁଦ୍ଧରେ ପରାସ୍ତ କରି ସ୍ୱର୍ଣ୍ଣପୁରୀ ଲଙ୍କାର କାରାଗାରରେ ବନ୍ଦୀ କରି ରଖିଥିଲେ । ତେଣୁ ମେଘନାଦ ଇନ୍ଦ୍ରଜିତ ହେଲା । ଧନୁର୍ଯୁଦ୍ଧ, ଗଦାଯୁଦ୍ଧ, ଖଡ୍ଗଯୁଦ୍ଧ, ମାୟଯୁଦ୍ଧ ଆଦିରେ ରାମଙ୍କ କୋଦଣ୍ଡ, ଲକ୍ଷ୍ମଣଙ୍କ ଶକ୍ତିଶାଳୀ ଧନୁ, ହନୁମାନଙ୍କ ମହାଗଦା, ତପସ୍ୟା ବଳରେ ଦଶାନନ, କୁମ୍ଭକର୍ଣ୍ଣ, ମେଘନାଦ ଆଦି ପ୍ରାପ୍ତ ହୋଇଥିବା ଅନେକ ଅନେକ ଦିବ୍ୟାସ୍ତ୍ର ଓ ମାୟାସ୍ତ୍ର ପ୍ରଭୃତିର ଚମକରେ ରୋମାଞ୍ଚ ଜାତହୁଏ । ଜ୍ଞାନୀ – ଗୁଣୀ ରାବଣର ଅନ୍ୟାୟ କର୍ମ ଅତିଶୟ ବୃଦ୍ଧି ଘଟି ବିଶ୍ୱରେ ନାହିଁ ନଥିବା କ୍ଷତି ଘଟାଇଲା । ରାବଣକୁ ବଧ କରିବା ପାଇଁ ଶ୍ରୀରାମଙ୍କୁ ଅନେକ ବାଧା – ବିଘ୍ନର ସମ୍ମୁଖୀନ ହେବାକୁ ପଡିଛି, ଯଥା – ନାଗଫାଶରେ ବନ୍ଦୀ, ଲକ୍ଷ୍ମଣ ଶକ୍ତିଭେଦ, ମହୀରାବଣ ଦ୍ୱାରା ଅପହୃତ ଇତ୍ୟାଦି । ବିଶାଳ ବାନର ସେନାର ସାହାଯ୍ୟ, ଭକ୍ତ ହନୁମାନଙ୍କ ଦ୍ୱାରା ଅନେକ ଦୁଃସାଧ୍ୟ କାର୍ଯ୍ୟର ସମ୍ପନ୍ନ, ବିଭୀଷଣର ପରାମର୍ଶ, ମା’ ଦୁର୍ଗାଙ୍କୁ ଆରାଧନା, ଇନ୍ଦ୍ରଜିତର ଯଜ୍ଞ ଭଗ୍ନ ଓ ବଧ, କୁମ୍ଭକର୍ଣ୍ଣ ବଧ ଆଦି କାର୍ଯ୍ୟ ସାଧନ ପୂର୍ବକ ଶ୍ରୀରାମ ଶେଷରେ ରାବଣକୁ ବଧ କରି ସୀତାଙ୍କୁ ଉଦ୍ଧାର କରିଛନ୍ତି । ଦୀର୍ଘ ଚଉଦ ବର୍ଷ ବନବାସ ହିଁ ସୃଷ୍ଟିରେ ସନ୍ତୁଳନତା ରକ୍ଷା କରିବାର କାରଣ ଥିଲା । ଯେହେତୁ ସ୍ଥୂଳରୁ ସୂକ୍ଷ୍ମତା ଓ ସୂକ୍ଷ୍ମରୁ ସ୍ଥୂଳତା ସମ୍ଭବପର ହେଉଥିଲା, ତେଣୁ ଏହି ଅବତାରର ସମସ୍ତ ସୂକ୍ଷ୍ମ ଏବଂ ସ୍ଥୂଳ କାର୍ଯ୍ୟଧାରାକୁ ବିଜ୍ଞାନଭିତ୍ତିକ ଆଲୋଚନାର ପର୍ଯ୍ୟାୟଭୁକ୍ତ କରାଯାଇପାରେ । ତାହା ହେଲା ବସ୍ତୁର ଶକ୍ତି ରୂପ ଓ ଶକ୍ତିର ବସ୍ତୁ ରୂପ, ଆପେକ୍ଷିକ ବସ୍ତୁତ୍ୱ, ତରଙ୍ଗର କଣିକା ପ୍ରକୃତି, କଣିକାର ତରଙ୍ଗ ପ୍ରକୃତି ଇତ୍ୟାଦି । ଯଥାର୍ଥରେ ପବନସୂତ ହନୁମାନଙ୍କୁ ଏହିଭାବେ ଆରାଧନା କରାଯାଏ, ଯଥା –
“ସୂକ୍ଷ୍ମ ରୂପ ଧରି ସିୟହି ଦିଖାୱା ……………… ବିକଟ ରୂପ ଧରି ଲଙ୍କ ଜରାୱା “।
ସତ୍ୟ ଓ ତ୍ରେତୟା ପରେ ଆସିଛି ଦ୍ୱାପରଯୁଗ । ଷୋଡଶ କଳା ବହନ କରି ନାରାୟଣ ଧରାଧାମରେ କୃଷ୍ଣାବତାର ରୂପେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଅବତାର କାରଣର ଶାଖା ପ୍ରଶାଖା ବିସ୍ତୃତ ଅଟେ । ଧରାଧାମର ବିଭିନ୍ନ ପ୍ରାନ୍ତରରେ ଭରିଯାଇଥିଲା ଭୟଙ୍କର ଜଟିଳତା,କୁଟିଳତା, କୂଟ, କପଟ, ବର୍ବରତା, ବିଶ୍ୱାସଘାତକତା, ପରଶ୍ରୀକାତରତା, ………… ଇତ୍ୟାଦି ଇତ୍ୟାଦି, ଯାହାର ପ୍ରଭାବରେ ଘୋର ଧର୍ମ ସଙ୍କଟ ସୃଷ୍ଟି ହୋଇଥିଲା । ମାନବୀୟ ସଂସ୍କୃତିର ଦ୍ରୁତ ଅବକ୍ଷୟ ଘଟୁଥିଲା । ରକ୍ଷକ ସାଜିଥିଲା ଭକ୍ଷକ । ରାଜଧର୍ମ ବିଷାକ୍ତ ହୋଇଉଠୁଥିଲା । ଅଧର୍ମୀଙ୍କ ସଂଖ୍ୟା ହୁହୁ ହୋଇ ବଢୁଥିଲା । ମାନବ ଧର୍ମର ପୁନଃ ପ୍ରତିଷ୍ଠା ନିମିତ୍ତ ଏ ଅବତାର ସହ ପାର୍ଶ୍ୱାବତାର ପ୍ରଭୁ ବଳରାମ ଓ ଧର୍ମର ଆଧାର ସ୍ୱରୂପ ଦେବଅଂଶରୁ ପାଣ୍ଡବ ଓ ପାଞ୍ଚାଳୀ ଜାତ ହୋଇଥିଲେ । ଏ ଅବତାର ମଧ୍ୟ ପ୍ରେମମୟ ଲୀଳାର ପ୍ରତୀକ ଅଟେ ଏହି ଯୁଗରୁ କୃଷିର ଉନ୍ନତି ଓ ଆଧୁନିକୀକରଣର ସୂତ୍ରପାତ ଘଟାଇଥିବାର ପ୍ରଭୁ ବଳରାମଙ୍କୁ ଦର୍ଶାଯାଇଛି । ଗୋ’ମାତା ସେବାର ଏହା ସର୍ବ ଶ୍ରେଷ୍ଠ ଯୁଗ କହିଲେ ଅତ୍ୟୁକ୍ତି ହେବନାହିଁ । କୃଷ୍ଣାବତାରରେ ଦୁରାତ୍ମା କଂସ, ଜରାସନ୍ଧ, ଶିଶୁପାଳ, ……… ଆଦିଙ୍କ ନିଧନ ହେବାସହ ମହାଭାରତ ଯୁଦ୍ଧରେ ପାଣ୍ଡବ ଅର୍ଥାତ୍ ଧର୍ମ ଗୀତା’ ଏକ ଯୁଗାନ୍ତକାରୀ ବିରଳ ମହାଜାଗତିକ ଚେତନାର ବାର୍ତ୍ତା ରୂପେ ସମାଜରେ ସର୍ବାଦୃତ ହୋଇ ରହିଅଛି ।
ଶ୍ରୀକୃଷ୍ଣଙ୍କ ଜନ୍ମଲୀଳା, ବାଲ୍ୟଲୀଳା, ମଥୁରାଲୀଳା, କୁରୁକ୍ଷେତ୍ରଲୀଳା, ଦ୍ୱାରକାଲୀଳା, ……… ଆଦିରୁ ପ୍ରବାହିତ ହୁଏ ଜ୍ଞାନ ଏବଂ କର୍ମର ମକରନ୍ଦ ଧାରା । ଏ ଯୁଗରେ ଦୁଷ୍ଟମାନଙ୍କ ଉତ୍ଥାନ ଯେମିତି ତ୍ରେତୟାଠୁଁ ମାତ୍ରାଧିକ ଓ ସଂହାରଲୀଳା ମଧ୍ୟ ସେହି ଅନୁପାତରେ ପ୍ରତୀୟମାନ ହୁଏ । ମାତା ଯଶୋଦାଙ୍କୁ ମୁଖଗହ୍ୱରରେ ବିଶ୍ୱରୂପ ଦର୍ଶନ, ଗିରିଗୋବର୍ଦ୍ଧନ ଧାରଣ, ପୁତନା, କଂସ ଓ ଅଷ୍ଟାଦଶ ମଲ୍ଲଙ୍କ ନିଧନ, ପାଣ୍ଡବଙ୍କୁ ଭୟଙ୍କର ବିପଦରୁ ରକ୍ଷା, ଦ୍ରୌପଦୀର ଲଜ୍ଜା ନିବାଣ, ଅର୍ଜୁନକୁ ଦିବ୍ୟଦୃଷ୍ଟି ପ୍ରଦାନ, ଘଟୋତ୍କଚର ପୁତ୍ର ବାର୍ବରିକ୍ର ଛିନ୍ନ ମସ୍ତକ ସ୍ତମ୍ଭ ଉପରେ ଜୀବିତ ସ୍ଥାପନ ଓ ଯୁଦ୍ଧ ଅନ୍ତେଃ ତା’ର ମୁଖରୁ ଦତ୍ତ ଦିବ୍ୟତା ଦ୍ୱାରା ଯୁଦ୍ଧ ବିବରଣୀ ନିସୃତ କରାଇବା ଆଦିରେ ମହା ଜାଗତିକ ବିଜ୍ଞାନର ଆଭାସ ମିଳେ । ଧନଞ୍ଜୟଙ୍କୁ ପ୍ରାପ୍ତ ହୋଇଥିବା ଦିବ୍ୟଦୃଷ୍ଟି ଦ୍ୱାରା ସେ ଦର୍ଶନ କରିଛନ୍ତି ବିଶ୍ୱର କୋଟି କୋଟି ଗ୍ୟାଲାକ୍ସି ଓ ଜୀବଜଗତମୟ ବିଶ୍ୱର ସମସ୍ତ ପାରସ୍ପରିକ କ୍ରିୟାମାନ । ପୁନଶ୍ଚ ପର୍ଶୁରାମ, ଦ୍ରୋଣାଚାର୍ଯ୍ୟ, ପିତାମହ ଭୀଷ୍ମ, ପ୍ରଭୁ ବଳରାମଙ୍କ ଯୁଦ୍ଧ କୌଶଳ ଓ ଯୁଦ୍ଧବିଦ୍ୟା ଶିକ୍ଷା ଅତୁଳନୀୟ ଅଟେ । ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ରଚିତ ଚକ୍ରବ୍ୟୁହ, ପଦ୍ମଶକଟବ୍ୟୁହ ଆଦିରୁ ଗଣିତ ଶାସ୍ତ୍ର, ପଦାର୍ଥ ବିଜ୍ଞାନ, ଭୌତିକ ବିଜ୍ଞାନ ଆଦିର ବ୍ୟବହାରିକ ଶ୍ରେଷ୍ଠତା ପରିପ୍ରକାଶ ହୁଏ । ଶ୍ରୀକୃଷ୍ଣଙ୍କ ଅସରନ୍ତି ଲୀଳାର ସୂକ୍ଷ୍ମ ଦର୍ଶନରୁ ମାକ୍ସ୍ପ୍ଲାଙ୍କକ କ୍ୱାଣ୍ଟମତତ୍ତ୍ୱ (Quantum theory of Max Planck), ଆଇନ୍ଷ୍ଟାଇନ୍ଙ୍କ ଆପେକ୍ଷିକ ତତ୍ତ୍ୱ (Einstein’s Theory of Relativity), ଡି. ବ୍ରୋଗ୍ଲିଙ୍କ ତତ୍ତ୍ୱ (de Broglie Hypothesis), ବିଗ୍ବ୍ୟାଙ୍ଗ୍ ତତ୍ତ୍ୱ (Big Bang Theory), ……. ଆଦି ସହ ସମାନ୍ତରାଳ ସଂଯୋଗୀକରଣର ଚିନ୍ତନ ଜାଗ୍ରତ ହୁଏ ।
ଦ୍ୱାପରର ଅନ୍ତିମାବସ୍ଥା ଓ କଳିଯୁଗର ଆଦ୍ୟାବସ୍ଥା ପୃଥିବୀ ବାସୀଙ୍କ ପାଇଁ ସୃଷ୍ଟି କରିଥିଲା ଘୋର ସଙ୍କଟପୂର୍ଣ୍ଣ ବାତାବରଣ । ସମାଜରେ ବୌଦ୍ଧିକ ଚେତନାର ଅବକ୍ଷୟ ହେବାକୁ ଲାଗିଲା । ଶାସକବର୍ଗ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ହୋଇଉଠିଲେ । ଅନ୍ୟାୟ ଓ ଅତ୍ୟାଚାରର ମାତ୍ରା କ୍ରମଶଃ ବୃଦ୍ଧି ପାଇଲା । ବସୁନ୍ଧରାକୁ ପାପଭାରରୁ ମୁକ୍ତ ଓ ସାତ୍ତ୍ୱିକତାର ପ୍ରବାହ ନିମିତ୍ତ ନୀଳାଚଳ ଧାମରେ ବୌଦ୍ଧାବତାର ରୂପେ ହସ୍ତପାଦଶୂନ୍ୟ ତିନି ଦାରୁବ୍ରହ୍ମ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବଡ ଦେଉଳରେ ଶୋଭା ପାଇଲେ । ସର୍ବଧର୍ମ ସମନ୍ୱୟ ଓ ବିଶ୍ୱ ଭ୍ରାତୃଭାବରେ ଏହି ରୂପ ବିଶ୍ୱବାସୀଙ୍କୁ ଅହରହ ଜାଗତିକ ସ୍ରୋତରେ ପ୍ଳାବିତ କରାଉଛି ଓ ଅଦ୍ୟାବଧି ଏହା ଦୃଢ ନିଶ୍ଚିତ ।ଭିନ୍ନଭିନ୍ନ ସଙ୍କଟ ସମୟରେ ଧରାର ବିଭିନ୍ନ ପ୍ରାନ୍ତରେ ଓ ବିଭିନ୍ନ ଧର୍ମରେ ଈଶ୍ୱରଙ୍କ ଅବତାରର ଧାରା ସୃଷ୍ଟି ହୋଇଛନ୍ତି । କାହିଁ କେତେ ମହାମାନବ ଶାନ୍ତିଦୂତ ରୂପେ ଆବିର୍ଭାବ ହୋଇ ମାନବ ସମାଜକୁ ଅଧୋଗତିରୁ ଉଦ୍ଧାର କରିଛନ୍ତି । ବୁଦ୍ଧଦେବଙ୍କ ବାଣୀ “କାମନାର ବିନାଶରେ ଦୁଃଖର ବିନାଶ” ଓ ଜନ୍ମ-ମୃତ୍ୟୁ ଚକ୍ରରୁ ମୋକ୍ଷ ବା ନିର୍ବାଣ ପ୍ରାପ୍ତରେ ପରମବ୍ରହ୍ମଙ୍କ ସହ ମିଳିତ ହେବା ମାନବର ଚରମ ଲକ୍ଷ୍ୟ ହେବା ଶ୍ରେୟସ୍କର ଅଟେ । ଧରା ବକ୍ଷରେ ଭରି ରହିଥିବା ପବିତ୍ର ଧର୍ମଗ୍ରନ୍ଥମାନ ଅହରହ ଗୁଞ୍ଜରଣ ସୃଷ୍ଟିକରି ମାନବ ଜୀବନର ପୂର୍ଣ୍ଣତାପ୍ରାପ୍ତ ଓ ସମାଜକୁ ସଠିକ୍ ମାର୍ଗରେ ପରିଚାଳିତ କରିବା ନିମିତ୍ତ ଚେତାବନୀ ଦେଉଅଛି ।
କଳିଯୁଗ !!!!! ସବୁଯୁଗ ଠାରୁ ପାପର ମାତ୍ରା ଅଧିକ । ଆଧ୍ୟାତ୍ମିକତା ଓ ବିଜ୍ଞାନର ଦୁରୂପଯୋଗ ଭୟଙ୍କର ଭାବେ ବୃଦ୍ଧିପ୍ରାପ୍ତ । ପ୍ରାକୃତିକ ନିୟମ ଧାରାରେ ଅନବରତ କୁଠାରଘାତ । କ୍ଷେତର ଶସ୍ୟକୁ ସୁରକ୍ଷା ନଦେଇ ବାଡ ପ୍ରଥମେ ଶସ୍ୟ ଭକ୍ଷଣ କରୁଛି, ଅର୍ଥାତ୍ ରକ୍ଷକ ସାଜୁଛି ଭକ୍ଷକ । ମାନବ ନିଜର ଧ୍ୱଂସ ସାଧନ ନିମିତ୍ତ ଚକ୍ଷୁ ବୁଜି ମାର୍ଗମାନ ପ୍ରସ୍ତୁତ କରିଚାଲିଛି । ନିଜର ସୁରକ୍ଷା ପାଇଁ ସଜାଡି ରଖୁଛି ଭୟଙ୍କର ପରମାଣୁ ବୋମା, ଉଦ୍ଜାନ ବୋମା, ରାସାୟନିକ ବୋମା, ରୋଗ ବହନକାରୀ ବୋମା …….. ଇତ୍ୟାଦି ଇତ୍ୟାଦି । ଧ୍ୱଂସ କରୁଛି ସୁନ୍ଦର ଧରାର ସୁନ୍ଦର ସୃଷ୍ଟିକୁ । ଧ୍ୱଂସ ହୋଇଛି ହୀରୋସୀମା ଓ ନାଗାସାକୀ । ଅଧିକାଂଶ ଦେଶ ପାରମାଣବିକ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ ରହିଛନ୍ତି । ଶକ୍ତିଶାଳୀ ବୋମା ଓ କ୍ଷେପଣାସ୍ତ୍ର ପରୀକ୍ଷଣରେ ପ୍ରକମ୍ପିତ ହୋଇଉଠୁଛି ଜଳ, ସ୍ଥଳ ଓ ଆକାଶ । ବିଜ୍ଞାନର ପ୍ରୟୋଗ ଧାରାର ଶୀର୍ଷରେ ରହି ମାନବ ବିଳାସ ବ୍ୟସନର ପରିସୀମାକୁ ବୃଦ୍ଧି କରିବାରେ ବ୍ୟସ୍ତ । ପ୍ରାକୃତିକ ଧାରାରେ ଘନଘନ ବ୍ୟାଘାତ ସୃଷ୍ଟି କରାଯିବାରୁ ପ୍ରକୃତି ତା’ର ମହାପ୍ରଳୟଙ୍କରୀ ରୂପ ପ୍ରକଟ କରୁଛି । ବନ୍ୟା, ବାତ୍ୟା, ମରୁଡି, ଭୂକମ୍ପ, ଦୁର୍ଭିକ୍ଷ, ସୁନାମୀ, ଭୂତାପ ବୃଦ୍ଧି, ଓଜୋନ ସ୍ତରର କ୍ଷୟ, ଅମ୍ଳବର୍ଷା, ସବୁଜଗୃହର ପ୍ରଭାବ, ଭୟଙ୍କର ଦୁର୍ଘଟଣା, ନୂତନ ବିନାଶକାରୀ ରୋଗଗୁଡିକର ଆବିର୍ଭାବ, ମାନବୀୟ ନରସଂହାର, ……………. ଆଦିର କରାଳ ରୂପ ଅତି ମାତ୍ରାରେ ବୃଦ୍ଧି ପାଇ ଚାଲିଛି । ଏଥିପ୍ରତି ଭ୍ରୂକ୍ଷେପ ନକରି ମାନବ ନିଜ ଅଭିଳାଷ ପୂରଣାର୍ଥେ ପ୍ରକୃତି ବିରୁଦ୍ଧରେ ଦ୍ରୁତଗତିରେ ଧାଉଁଛି । ପାପ ଚରମ ସୀମାରେ ଉପନୀତ ପ୍ରାୟ । ପ୍ରଛଦ ପଟ୍ଟରେ ସତ୍ୟ ଲୁକ୍କାୟିତ । ପ୍ରକାଶ ହେବାର ପଥକୁ କଳେବଳେ ଓ କଉଶଳେ ରୁଦ୍ଧ କରାଯାଉଛି । ପୁରାଣ ବର୍ଣ୍ଣିତ ଦଶମ ଅବତାର କଳ୍କୀ ଘୋଡା ଉପରେ ବସି ବାରହାତ ଖଣ୍ଡା ବୁଲାଇ ବୁଲାଇ ମ୍ଳେଚ୍ଛ ସଂହାରଣ କରିବେ । ବୋଧହୁଏ ଏହି ବାରହାତ ଦିବ୍ୟ ଖଡ୍ଗ ଅଦୃଶ୍ୟ ରହି ଉପରୋକ୍ତ ପ୍ରାକୃତିକ ଦୁର୍ବିପାକ ରୂପେ ପ୍ରକଟିତ ହେଉଛି ଓ ଧ୍ୱଂସର ତାଣ୍ଡବଲୀଳା ସୃଷ୍ଟି କରୁଛି । ଅହମୀକା ଓ ବିଦ୍ୱେଷତା ବୃଦ୍ଧିର ଫଳାଫଳ – ପାରମାଣବିକ ଯୁଦ୍ଧର ସମ୍ଭାବନା, କ’ଣ ମାନବର କର୍ମଫଳ ସ୍ୱରୂପ ନିଜପାଇଁ ବାରହାତ ଖଣ୍ଡା ସଜାଇ ରଖିଛି ? କଥାରେ ଅଛି – “ଆପଣା ହସ୍ତେ ଜିହ୍ୱା ଚ୍ଛେଦି ….. କେହେବ ତା’ର ପ୍ରତିବାଦୀ ! ” । ଫଳତଃ ଏ ବସୁନ୍ଧରା ନିଶ୍ଚିତ ପ୍ରଳୟର ଦ୍ୱାର ଦେଶରେ ଉପନୀତ ହେବାପ୍ରାୟ ଅନୁଭୂତ ହେଉଅଛି ।
ଅବତାର ତତ୍ତ୍ୱ ସହ ଉପରୋକ୍ତ ବୈଜ୍ଞାନିକ ସାମଞ୍ଜସ୍ୟ ସମ୍ପୂର୍ଣ୍ଣ ନିର୍ଭୂଲ୍ ନହେଲେ ମଧ୍ୟ ଉଭୟ ପ୍ରାକୃତିକ ଧାରାର ଅନୁଗାମୀ । ଚାରିଯୁଗ ଚକ୍ରାକାରରେ ବାରମ୍ବାର ପ୍ରତ୍ୟାବର୍ତ୍ତନ କରିବା ଓ ପ୍ରତ୍ୟେକ ଯୁଗ ସନ୍ଧିରେ ପ୍ରଳୟ ଘଟିବା ହିନ୍ଦୁ ଧର୍ମଶାସ୍ତ୍ରରେ ବର୍ଣ୍ଣିତ । ଏହା ବିଜ୍ଞାନ ସମ୍ମତ ହୋଇନପାରେ, କିନ୍ତୁ ପୃଥିବୀରେ ଜୀବଜଗତ ସୃଷ୍ଟି ଠାରୁ ଏକାଧିକବାର ପ୍ରଳୟ ଘଟି ପ୍ରତିଥର ପ୍ରାୟ 80% ପର୍ଯ୍ୟନ୍ତ ସଜୀବଜାତି ବିଲୁପ୍ତ ହେବାର ବିଜ୍ଞାନୀ ମହଲ ବିଶ୍ୱାସ କରେ । ଆଜକୁ ପ୍ରାୟ 65 ନିୟୁତ ବର୍ଷ ପୂର୍ବେ ଘଟିଥିବା ଶେଷ ପ୍ରଳୟରେ ଡାଇନୋସର ସମେତ ଅଧିକାଂଶ ସଜୀବ ପରିବର୍ତ୍ତିତ ପରିବେଶରେ ଖାପ ଖୁଆଇ ନପାରି ଲୁପ୍ତ ହୋଇଯାଇଥିବାର ଅନୁମାନ କରାଯାଏ । ତେଣୁ ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ମହାପ୍ରଳୟର ଦ୍ୱାର ଉନ୍ମୁକ୍ତ ପ୍ରାୟ । ଏହାର ପ୍ରଭାବକୁ ହ୍ରାସ କରିବାପାଇଁ ପ୍ରତ୍ୟେକ ମାନବ ସୃଷ୍ଟି ରକ୍ଷା ନିମିତ୍ତ ନିଜସ୍ୱ କର୍ତ୍ତବ୍ୟବୋଧତା ସମ୍ବନ୍ଧରେ ସଚେତନ ରହି କର୍ମ କରିବା ଆବଶ୍ୟକ ଅଟେ ।
———————————————————————————————–
Published in ଦିଗ୍ବଳୟ ‘Digbalay’ Feb -2011 – Popular Science Magazine in Odia, Odisha Physical Society, Odisha .