ପ୍ରଶ୍ନ ନଂ ୨’ ରେ ପ୍ରଶ୍ନ ନଂ ୩’ର ଉତ୍ତର

ପ୍ରଶ୍ନ ନଂ ୨’ ରେ ପ୍ରଶ୍ନ ନଂ ୩’ର ଉତ୍ତର

ପିଲା ଦିନର କଥା । ସ୍ୱପ୍ନାନନ୍ଦ ବାବୁଙ୍କୁ ସ୍ୱପ୍ନ ଦେଖିଲା ପରି ଲାଗୁଥାଏ । କାହିଁକି କେଜାଣି ପିଲାଦିନର ଅଜବ ଘଟଣା ଗୁଡିକ ସେଦିନ  ଗୋଟି ଗୋଟି କରି  ମନେ  ପଡିଗଲା । ସେଥିରୁ ଏକ ଅବାନ୍ତର ଘଟଣା ଯାହା ମନରେ ହାସ୍ୟରୋଳ ସୃଷ୍ଟି କରୁଥିଲା ତାହାହିଁ ତାଙ୍କର ମୁଖ୍ୟ ଆକର୍ଷଣ ପାଲଟିଗଲା । ସେତେବେଳେ ସେ ଥିଲା  ତୃତୀୟ ଶ୍ରେଣୀର ଛାତ୍ର ଓ ୧୯୬୯ ମସିହା । ତାଙ୍କ ସାହିରୁ ତିନିଜଣ ସେହି ଶ୍ରେଣୀରେ ପଢୁଥିଲେ ସେ ନିଜେ, ବଳରାମ ଓ ରମେଶ ।  ସେ ଦୁଇ ଜଣଙ୍କ ବୟସ  ସ୍ୱପ୍ନାନନ୍ଦ ଠାରୁ ପ୍ରାୟ ପାଞ୍ଚ – ଛ’  ବର୍ଷ  ଅଧିକ । ଡେରିରେ ସ୍କୁଲ୍ ମାଟି ମାଡିଲେ । ପାଠ ଆଦୌ ହୁଏନି । ସେଥିପାଇଁ  ସ୍ୱପ୍ନାନନ୍ଦ ସହ ସେମାନେ ସାଙ୍ଗ ହୋଇ ସ୍କୁଲ୍  ଯାଆନ୍ତି । ସ୍କୁଲ୍‍ର ବାଇନ ସାରେ  ହେଉଛନ୍ତି ହେଡ୍ ମାଷ୍ଟର ଓ ତାଙ୍କ ତଳକୁ ଗିରିଧାରୀ  ସାର୍ । ପାଠ ନହେଲେ ବାଇନ ସାର୍ ସ୍ଲେଟ୍ ପଟା ଧାରରେ  ମୁଣ୍ଡକୁ ପିଟନ୍ତି ଓ  ଗିରିଧାରୀ ସାର୍‍ଙ୍କ ପାଠ  ଠିକ୍ ନ କଲେ ସେ ପିଜୁଳି  ଛାଟରେ  ସଟାବ୍ ସଟାବ୍ କରି ଚାବୁକ୍ ମାଡ ପରି ପିଠିକୁ ପ୍ରହାର କରନ୍ତି । ଅବଶ୍ୟ  ସ୍ୱପ୍ନାନନ୍ଦ ଉଭୟ ସାରଙ୍କ  ଠାରୁ ପ୍ରାୟ ମାଡ ଖାଇନି, କିନ୍ତୁ  ଥରେ କି ଦୁଇଥର  ଗିରିଧାରୀ  ସାରଙ୍କ ଛାଟର ମାଡ ପିଠିରେ ବାଜିଛି । ଓଃ ! ସେ କଷ୍ଟ ଏବେ ବି ମନେ ପଡୁଛି ।  ଥରେ  କ୍ଲାସରେ ଗିରିଧାରୀ ସାର୍ “ରଞ୍ଜନ ରଶ୍ମି” ବିଷୟଟି ପଢାଉ ଥିଲେ ।  ବିଷୟଟି ଶେଷ  ହେବା ପରେ ପ୍ରଶ୍ନ –  ଉତ୍ତର ପର୍ବ ଆରମ୍ଭ ହେଲା ।  ପ୍ରାୟ ପ୍ରଶ୍ନ ଗୁଡିକର  ଉତ୍ତର  ପିଲାମାନେ ଦେଉଥିଲେ, କିନ୍ତୁ ଗୋଟିଏ ଯାଗାରେ ଅଟକି ଗଲେ । ପ୍ରଶ୍ନଟି ହେଲା – ସାଧାରଣ ଫଟୋ କେଉଁଥିରେ ନିଆଯାଏ ? ପିଲାମାନେ ଜଣକପରେ ଜଣେ ଛିଡା ହୋଇ ଗୋଟିଏ ସମାନ ଉତ୍ତର “ରଞ୍ଜନ ରଶ୍ମି ଦ୍ୱାରା ନିଆଯାଏ” ବୋଲି କହୁଥା’ନ୍ତି । ଉତ୍ତର ଦେବା ପରେ କୌଣସି ପିଲାଙ୍କୁ ସାର୍ ବସିବାକୁ କହୁ ନ’ଥାନ୍ତି ଓ ତାଙ୍କର ମୁଖମଣ୍ଡଳରୁ ରାଗିବାର ଭାବ ବାରି ହୋଇଯାଉଥାଏ । ଆଉ ତିନିଜଣଙ୍କ ପରେ  ସ୍ୱପ୍ନାନନ୍ଦର ପାଳି ପଡିବ । ଏ ଉତ୍ତର ତ ଭୂଲ୍ , ସଠିକ୍ ଉତ୍ତର କ’ଣ ହୋଇପାରେ ?  ଏ ଛାଟ ପାହାରରୁ ଆଜି କେମିତି ରକ୍ଷା  ମିଳିବ !  ହଠାତ୍  ସ୍ୱପ୍ନାନନ୍ଦର ଆଖି ଆଗରେ ଦେଖାଗଲା  ସେ ବିଷୟର ଦ୍ୱିତୀୟ  ପୃଷ୍ଟାର ତୃତୀୟ ପାରାଗ୍ରାଫର ପ୍ରଥମ  ଧାଡି । ସେଥିରେ ଲେଖାଥିଲା ସାଧାରଣ ଫଟୋ କ୍ୟାମେରାରେ ନିଆଯାଏ । ଉତ୍ତର ମିଳିଗଲା ଓ  ସ୍ୱପ୍ନାନନ୍ଦ ସେଇଆ ହିଁ ଉତ୍ତର ଦେଲା ।  ସାର୍ ଖୁସିହୋଇ  ଅନ୍ୟ ପିଲା ମାନଙ୍କ ଆଡକୁ ଅନାଇଁ ସେ ଉତ୍ତରକୁ ପୁନରାବୃତି କଲେ ।  ସ୍ୱପ୍ନାନନ୍ଦକୁ ସାର୍ ଆଦେଶ ଦେଲେ ଯେ, ଅନ୍ୟମାନେ ଭୂଲ୍  ଉତ୍ତର ଦେଇଛନ୍ତି,  ତେଣୁ ଜଣ ଜଣ  କରି  ସେମାନଙ୍କ ଦୁଇ କାନକୁ ମୋଡି ଦୁଇ ଗାଲକୁ ଠାଏ କରି ଚାପୁଡା ମାରିବାକୁ ।  ସ୍ୱପ୍ନାନନ୍ଦର ମନ ନ’ଥିଲେ ବି ବାଧ୍ୟ ହୋଇ ସେଇଆ ହିଁ କଲା । ସେ  ପିଲା  ମାନଙ୍କ ଭିତରୁ କେତେକ ଡେଙ୍ଗା, ଗେଡା, ସମାନ ଉଚ୍ଚା, ସବଳ ଓ ଦୁର୍ବଳ ବିଶିଷ୍ଟତା ସହ  ବିଭିନ୍ନ ପ୍ରକାରର ଥିଲେ , ଯଥା – ବଦମାସିଆ , ଠକ, ନିରୀହ …..  ଇତ୍ୟାଦି । ଯାହା ହେଲେବି ତା’ ଶ୍ରେଣୀର  ସାଙ୍ଗ ସେମାନେ । କାହା ଉପରେ କେବେ କେମିତି ରାଗ ଥାଉ ତ ନ ଥାଉ, କାନ ମୋଡିଲା ବେଳେ ତାଙ୍କ ଆଖି ଦୁଇଟିରୁ  ମନର ବିକଳତା  ପରିସ୍ଫୁଟ ହେଉଥାଏ ।  ସ୍ୱପ୍ନାନନ୍ଦର ମନ ମଧ୍ୟ ବିକଳ ହୋଇଉଠୁଥାଏ । ଆସ୍ତେ ଚାପୁଡା ମାରିଲେ ସେମାନଙ୍କୁ କଷ୍ଟ ହୁଅନ୍ତା ନାହିଁ, କିନ୍ତୁ  ସାର୍ ତ  ଯମରାଜ ପରି  ଅନାଇ  ରହିଛନ୍ତି । ପୁଣି ନିରୀହ  ଓ ଦୁର୍ବଳ  ପିଲା  ମାନଙ୍କ  କାନ ଧରିଲା ବେଳେ  ସ୍ୱପ୍ନାନନ୍ଦର ଅନ୍ତରାତ୍ମା କାନ୍ଦିଉଠେ ଓ ତା’ର ଆଖି ମଧ୍ୟ ଛଳ ଛଳ  ହୋଇଯାଏ ।  ବଳରାମ ଏବଂ ରମେଶ ବେଳକୁ ଆହୁରି ଅଥୟ ଭାବ, କାରଣ ସେମାନେ ବୟସରେ ବଡ । ଶେଷକୁ ତାଙ୍କ ଗାଁ ପାଖ କୁମ୍ଭାର ସାହିର ଦୁଇଜଣ  ରହିଲେ – କାଳିଆ ଓ ନବ । କାଳିଆର ରୂପ  ସତେକି  ହାଣ୍ଡିତଳ କଳା, ତେଣୁ ତା’କୁ  ଡାକନ୍ତି “ଆଲକାତରା” । ସେ କେବେ ଚିଡେନି, କିନ୍ତୁ ହସିଦିଏ । କଷ୍ଟେମଷ୍ଟେ ତା’ କାମ ସରିଲା ଓ ରହିଲା ନବର ପାଳି, ତାଙ୍କ  ଶ୍ରେଣୀର ସବୁଠୁ ଡେଙ୍ଗା ପିଲା । ଯେତେବେଳ  ନବ ତା’ର କାନ ଧରାଇବାକୁ   ମୁଣ୍ଡ ନୁଆଇ ଦେଲା, ତାହାଦେଖି   ସ୍ୱପ୍ନାନନ୍ଦର ଧୈର୍ଯ୍ୟର ସୀମା  ଲଂଘନ କରି  ସାରି ଥିଲା । ସତେକି ପାହାଡ ଭାଙ୍ଗି ପଡିଲା ।  ଏତେ  ବଳଶାଳୀ ପିଲା ଆଜି  ଛୋଟିଆ ପିଲା  ସ୍ୱପ୍ନାନନ୍ଦ  ଆଗରେ  ନତମସ୍ତକ !  କିନ୍ତୁ ସବୁ ପିଲାଙ୍କ ଭିତରୁ ସେ ଥିଲା ଅତି ନିରୀହ ।  ଆପଣା ଛାଏଁ ତା’ ଗାଲରେ ଠାଏ ଚାପୁଡାର  ତୀବ୍ରତା ଅତି କ୍ଷୀଣ ହୋଇଗଲା । ହଠାତ୍ ସାରଙ୍କ  ଆଖି ଟର୍ଚ୍ଚ ଲାଇଟ୍ ପରି ଦିଶିଲା ! ବଡ ପାଟିରେ କହିଲେ – ଏ ନବ !   ସ୍ୱପ୍ନାନନ୍ଦର ଗାଲକୁ ଚାପୁଡା ମାରି ଶିଖାଇ ଦେ ଯେ,  ଚାପୁଡା କେମିତି ମାରନ୍ତି ! ସ୍ୱପ୍ନାନନ୍ଦର  ପାଦତଳୁ ମାଟି ଧସି ଗଲା ପ୍ରାୟ ଲାଗିଲା , ଲଜ୍ଜା ଓ ଅପମାନଯୁକ୍ତ  ପରିବେଶ  ତା’ପାଇଁ ଏତେ ଅସହ୍ୟ ହେଲା ଯେ, ସେ ନିଜକୁ  ଖଣ୍ଡେ ଶୁଷ୍କ କାଠ ପ୍ରାୟ  ଅନୁଭବ  କଲା । ପୁଣି ନବ ମାରିବ ତା’ ଗାଲକୁ ! ବଳଶାଳୀ ପିଲା , ବଡ ପାପୁଲି, ଛୁଟି  ଦିନରେ  ତା’ଙ୍କ ବିଲରେ ତା’ବାପାଙ୍କୁ ହଳ ବୁଲାଇବାରେ  ସାହାଯ୍ୟ କରେ । ଖରାରେ  ଗୁଣ୍ଠେ ଦୁଇଗୁଣ୍ଠ ଜମି ହଳ ବୁଲାଇବାର ସେ ନିଜେ ଦେଖିଛି । ଲଙ୍ଗଳ କଣ୍ଟିଧରା ହାତ !! ଭାରି  ଟାଣୁଆ ହୋଇଥିବ ।  ସ୍ୱପ୍ନାନନ୍ଦ ଭାବୁଛି, କେମିତି  ତା’ର ନରମ, କଅଁଳିଆ ଓ ସୁନ୍ଦୁରିଆ ଗାଲ ନବର ଚାପୁଡା ମାଡ ସହିବ ? ଏଇ ଭାବନା ଭିତରେ ନବର  ଟାଣୁଆ ହାତର  ଟାଣୁଆ ଚାପୁଡା  ସ୍ୱପ୍ନାନନ୍ଦର  ଗାଲରେ ବାଜିଲା ।  ମୁଣ୍ଡ  ଝାଏଁ ଝାଏଁ ଘୂରିଗଲା  ସ୍ୱପ୍ନାନନ୍ଦର । ଗାଲ ଦୁଇଟି ଲାଲ୍ ପଡିରହିଲା ଘରକୁ ଫେରିବାଯାଏ ।  ସ୍ୱପ୍ନାନନ୍ଦର ମନ  ଭିତରେ ବିଦ୍ରୋହର ବହ୍ନି । ଠିକ୍ ଉତ୍ତର ଦେଲି, ଅନ୍ୟ  ମାନଙ୍କୁ ମାରିଲି ଓ ଶେଷରେ ନିଜେ ମାଡ ଖାଇଲି । କହିବାର ଯୁ ନାହିଁ । କାରଣ ସାର୍ ଆହୁରି ଦଣ୍ଡ ଦେବେ । ସେତେବେଳେ ଦଣ୍ଡର ରୂପରେଖ ବିଭିନ୍ନ ପ୍ରକାରର  ଥିଲା । ଏକ  ଗୋଡିକିଆ ହୋଇ ଠିଆ ହେବା, କାନ ଧରି  ବସ୍ ଉଠ୍ ହେବା, ତିନିଗୋଡିଆ ହୋଇ  ହାମୁଡେଇକି  ରହିବା, ଆଣ୍ଠୋଇବା, ଆଣ୍ଠୁତଳେ ଗୋଡି ରଖି  ଆଣ୍ଠୋଇବା,  କାନ୍ଥକୁ ପିଠି  ଲଗାଇ ଚେୟାର୍ ସଦୃଶ ହୋଇ ରହିବା ………. ଇତ୍ୟାଦି । ସେ ସମୟର ଦଣ୍ଡବିଧି ଏହିପରି ଥିଲା । କେତେଯେ ପିଲା ସଠିକ୍ ଉତ୍ତର  ଦେଇ ଚାପୁଡା ମାରୁଥିଲେ ଓ ଚାପୁଡା  ଖାଉଥିଲେ ତା’ର ହିସାବ ନାହିଁ । ସମୟର ଗତିରେ ତାହା ଲୀନ ହୋଇଯାଇଛି । ତେବେ ସ୍ୱପ୍ନାନନ୍ଦ  ପରି କେତେ ବ୍ୟଥିତ ମନ  ନିଶ୍ଚୟ ତା’ଙ୍କ ଅତୀତକୁ ଘାଣ୍ଟୁଥିବେ ।  ତେଣୁ ବାଲ୍ୟ କାଳରେ ଯେଉଁମାନେ ସଠିକ୍ ଉତ୍ତର ଦାତାଙ୍କଠୁଁ ଏପରି ଚାପୁଡା ମାଡ ଖାଇଛନ୍ତି,  ସେମାନେ ନିଜନିଜର  କ୍ଷମାଶୀଳ ହୃଦୟରୁ  ସ୍ୱପ୍ନାନନ୍ଦ ମାନଙ୍କୁ କ୍ଷମା କରିଦେବା ପାଇଁ  ବିନୀତ ଅନୁରୋଧ ରହିଲା । ପୁଣି ଯେଉଁ ସ୍ୱପ୍ନାନନ୍ଦ ମାନେ ସଠିକ୍ ଉତ୍ତର ଦେଇ ମଧ୍ୟ ମାଡ  ଖାଇଛନ୍ତି, ସେମାନେବି କ୍ଷମାଶୀଳ ହେବେ ନିଶୟ । କାରଣ ଏହାଥିଲା ଗୁରୁଙ୍କ  ଆଦେଶ । ଦେବଭୂମି ଭାରତ ବର୍ଷର ଏହାହିଁ ପରମ୍ପରା – ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ  ଗୁରୁଦେବ  ମହେଶ୍ୱର …………. ।  ତେବେ କାଳର କରାଳ ଗତିରେ ଅଧୁନା ବିଦ୍ୟାଳୟ ଗୁଡିକରେ ଆଉ ଶାରୀରିକ ଦଣ୍ଡ ଦିଆଯାଉ ନାହିଁ ।  ଏହି ଦଣ୍ଡଯୁକ୍ତ ଅଞ୍ଚଳ ବଦଳି ଯାଇଛି  ଦଣ୍ଡମୁକ୍ତ ପରିବେଶକୁ ।

ସ୍ୱପ୍ନାନନ୍ଦର ମନେ ଅଛି ତୃତୀୟ ବାର୍ଷିକ ପରୀକ୍ଷା ପରେ ଖରାଦିନ ବା ରଜଛୁଟି ହେଲା । କିନ୍ତୁ ଯେହେତୁ ଚତୁର୍ଥ ଶ୍ରେଣୀରୁ ଇଂରାଜୀ  ପଢାହେବ, ତେଣୁ ତା’ର  ବଡ  ଭାଇ ଏକ ଖାତାରେ ଇଂରାଜୀ ବର୍ଣ୍ଣମାଳା ଓ ଏହାର ଓଡିଆ ଉଚ୍ଚାରଣ ନିମ୍ନମତେ ଲେଖି ସ୍ୱପ୍ନାନନ୍ଦକୁ ଦେଲାକି ଛୁଟିରେ ପୋଟଳ ଏବଂ ବାଇଗଣ କିଆରୀ ଜଗିବା ସହ ପାଠ  ଅଭ୍ୟାସ  କରିବ –

A  B  C  D  E  F  G   H   I     J   K   L   M    N  O  P  Q  R   S    T  U  V  W    X     Y      Z

ଏ  ବି  ସି  ଡି  ଇ ଏଫ୍ ଜି ଏଚ୍ ଆଇ ଜେ କେ ଏଲ୍ ଏମ୍ ଏନ୍ ଓ ପି କ୍ୟୁ  ଆର୍ ଏସ୍ ଟି  ଇଉ ଭି ଡବ୍ଲ୍ୟୁ ଏକ୍ସ୍ ୱାଇ ଜେଡ୍

a  b   c  d   e   f    g    h   i     j     k    l    m    n  o  p  q    r     s    t  u    v  w       x   y       z 

ସ୍ୱପ୍ନାନନ୍ଦ ଇଂରାଜୀ ଅକ୍ଷର ଦେଖି ଅତ୍ୟନ୍ତ ଖୁସି ହେଲା । କିନ୍ତୁ ପର ମୂହୁର୍ତ୍ତରେ ତା’ର ସବୁ ଖୁସି ଉଭେଇ ଗଲା । କାରଣ ତା’କୁ ବୈଶାଖରୁ ଜ୍ୟେଷ୍ଠ ଯାଏ ପୋଟଳ  ଓ ବାଇଗଣ  କିଆରୀ ଜଗିବାକୁ ପଡିବ । ତା’ଙ୍କ ଅଞ୍ଚଳରେ ପଣାସଂକ୍ରାନ୍ତି ଠାରୁ ଦୁଇମାସ ସବୁ ଗୃହପାଳିତ ପଶୁଙ୍କୁ ମୁକ୍ତଭାବେ ଛାଡିଦିଆଯାଏ । ତେଣୁ ସମସ୍ତେ  ନିଜନିଜ ବାଡି, ବଗିଚା ,ପାଳ ଆଦିକୁ ଗୋରୁ -ଗାଈ – ଛେଳି – ମେଣ୍ଢାଙ୍କ ମୁହଁରୁ ରକ୍ଷା କରିବା ନିମିତ୍ତ ଜଗିବାକୁ ପଡେ । ଏ ଦାଇତ୍ୱ ସାଧାରଣତଃ ଘରର ବାଳକ, ବାଳିକା, ବୁଢା ଓ ବୁଢି ମାନଙ୍କ ଉପରେ ପଡେ, ଯେହେତୁ ଏମାନେ ରୋଜଗାରକ୍ଷମ ନୁହନ୍ତି । ଦୁଇ – ତିନି ବର୍ଷ ଧରି ଛୁଟିରେ ସେ ଏ ଦାଇତ୍ୱ ତୁଲାଉଛି । ପ୍ରତ୍ୟେକଙ୍କ  ପନିପରିବା କିଆରୀର ଏକ ସୁବିଧା ସ୍ଥାନରେ ଗୋଟିଏ ଗୋଟିଏ ପଲା ମାରି ଓ ତା’ର ଛାଇରେ ବସି ଗୋରୁ ଜଗନ୍ତି । ପ୍ରାୟ ସବୁବେଳେ ଜାଗ୍ରତ ରହିବାକୁ  ପଡେ,  କାଳେ କେତେବେଳେ  ଗୋରୁ ପଲ ଆସି  କିଆରୀର  ସର୍ବନାଶ କରିଦେବେ । ସେଥିପାଇଁ ପାଖରେ ଏକ ଲମ୍ବା  ବାଡି ରଖିବାକୁ ପଡେ । ସ୍ୱପ୍ନାନନ୍ଦର ଛୁଟି  ଦିନର  ମଜା ଗଲା ଓ ପୁଣି ତା’ସାଙ୍ଗକୁ ପାଳରେ ପାଠପଢା ।  ଦିନେ ଦିନେ ରାଗିକି  କଥା ଅମାନ୍ୟ  କରି ସେ ପାଳକୁ ଯାଏନି, କିନ୍ତୁ ଏ ଦାଇତ୍ୱ ତା’ଉପରେ ଅନବରତ ଲଦା  ହୋଇ ରହିଥାଏ ।  ଆହୁରି ଏକ ଅସୁବିଧା ନିଜକୁ ପଲା ମାରିବାକୁ ପଡେ, କାରଣ  ଘରେ କେହି ସେ ବିଷୟରେ ମୁଣ୍ଡ ଖେଳାନ୍ତି ନାହିଁ ।  ବାଧ୍ୟହୋଇ ବୁଲାଫାଙ୍କିଆ  ମାରି ବୁଲୁଥିବା ତା’ର ସାନ ଭାଇକୁ ଶିଖେଇ ପଲା ମାରିବାକୁ ଯାଏ । ସାଙ୍ଗରେ ଛୋଟ ଶାବଳ,  କତା,  ଛୋଟ ଛୋଟ ବାଉଁଶ ଖଣ୍ଡ ନେଇ ପଲା ମାରେ ।  କଳମ,  ଝଟା, ନଡା ଆଦି  ଦ୍ୱାରା ଛାଇ କରେ ।  ମନକୁ ପାଏନି ।  ପାଖ ଆଖ ଅନ୍ୟ ମାନଙ୍କ ପଲା ଠାରୁ ଅତି  ହୀନିମାନିଆ ଦେଖାଯାଏ । ସେମାନଙ୍କର ବଡ ଲୋକ  ଆସି  ପଲା ବାଗାନ୍ତି, କିନ୍ତୁ ଏ ଛୋଟ ପିଲାର ଶକ୍ତି ବା କେତେ ? ପୁଣି ଭାବେ ତା’ଙ୍କଘର ‘ଦିବା’ ବଢେଇ ତିଆରି କରି ଥିବାର ସେ ଦେଖିଛି । କେମିତି କ’ଣ  ଖଞ୍ଜିଦେଲା, କିଛି ଟେର୍ ମିଳିଲାନି । ଏହା ସେ ଜାଣିଲା କେଉଁଠୁ ? ଭାବନାର ଅନ୍ତଃ ନାହିଁ । ଯେହେତୁ ପାଖ -ଆଖ କିଆରୀ ତା’ର  ସାଙ୍ଗ ସାଥି ମାନଙ୍କର ନୁହେଁ,  ତେଣୁ ପାଖ  ପଲାରେ ଯେଉଁମାନେ ବସି ତା’ଙ୍କ ପାଳ ଜଗନ୍ତି, ସେମାନଙ୍କ ପାଖକୁ ମଝିରେ ମଝିରେ ଯାଇ ଆଳାପ ଜମାଏ ସ୍ୱପ୍ନାନନ୍ଦ ।  ସମୟତ କଟାଇବା ଦରକାର, ସବୁବେଳେ ପଢା ଲେଖା କରି ହେବନି , ଗୁମ୍ ମାରି ବସି ହେବନି ଓ ସବୁବେଳେ ଗୋରୁ କିଆରୀକୁ ଆସୁ ନାହାନ୍ତି ।  ତା’ଙ୍କ ସୁନ୍ଦୁରିଆ ପଲାକୁ  ସ୍ୱପ୍ନାନନ୍ଦ  ବାରମ୍ବାର ଯାଏ ।ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସେ ମନେ ରଖିଛି –  ଟିମାମା ଓ ଜେମାମା । ଟିମାମା ଜଣେ ଝିଅପିଲା ଓ ସ୍ୱପ୍ନାନନ୍ଦ ଠାରୁ ବୟସରେ ବଡ । ତା’ର ଭଲ  ନାଁ  ମନେ ନଥିଲେ ବି ତା’କୁ ଏଇ ନାଁ’ରେ ଚିଡାନ୍ତି ।  ତା’ଙ୍କ କିଆରୀରୁ ଘର ଡାକେ ବାଟ କିନ୍ତୁ  ସ୍ୱପ୍ନାନନ୍ଦର ଘର ଦୁଇ ଡାକେ ବାଟ । ସମସ୍ତେତ ସେଇଆ କୁହନ୍ତି । ଟିମାମା ବହୁତ  ଖାଏ, ତା’ର ପେଟଟି ଏକ ବଡ ଢୋଲ ପରି ଓ ସେଇଥିପାଇଁ ତା’କୁ ଏହିପରି ଚିଡାନ୍ତି –

ଟିମାମା ଢୋଲି ପେଟି  ……….. ନେଇଗଲା ମୋ ଚାବିକାଠି

ଚାବିକାଠି ହଜିଲା  …………..  ଟିମାମା ବତୀ ଲଗେଇ ଖୋଜିଲା ।

ସ୍ୱପ୍ନାନନ୍ଦକୁ ଭାରି ମଜା ଲାଗେ ଓ ସେ ଏ ଗୀତ ଗାଇକି ତା’କୁ ଚିଡାଏ । ଟିମାମା ଚିଡିକି ବିଳିବିଳେଇ ହୁଏ ଓ ଦିନେ  ତା’ ବଡଭାଇକୁ କହିଦେଲା । ତା’ପର ଦିନ  ବିଲରୁ ହଳ ବୁଲାଇ ଫେରୁଥିବା ବେଳେ ସ୍ୱପ୍ନାନନ୍ଦକୁ ତା’ଭାଇ ଗାଳିଦେଇ ନ’ଚିଡେଇବାକୁ ତାଗିଦ୍ କରି ଗଲା । ସେହିଦିନରୁ ସାମ୍ନାରେ ସିନା  ଚିଡେଇବା ବନ୍ଦ୍  ହେଲା, କିନ୍ତୁ ଦୂରେଇକି ଘର ପାଖାପାଖି ହେଲେ ସ୍ୱପ୍ନାନନ୍ଦ ଜୋର୍ ସ୍ୱରରେ ଗାଇ ଗାଇ ଓ ଧାଇଁ ଧାଇଁ ଘରେ ପହଞ୍ଚିଯାଏ ଏବଂ ଆନନ୍ଦିତ ହୁଏ ।  ଆଉ ଏକ  ଚରିତ୍ର ହେଲା – ଜେମାମା । ସେ ଜଣେ  ବୁଢୀଲୋକ ଓ ତା’ଙ୍କ ଘର କୁମ୍ଭାରସାହି, ତିନି ଡାକେ ବାଟ । ପାକୁଆ ପାଟି, ଅତି ଶାନ୍ତଶିଷ୍ଟ ଓ ନୀରିହ । ସ୍ୱପ୍ନାନନ୍ଦ ସବୁଠୁ  ଛୋଟ ଓ ଟିମାମା’ର ରାଗ ନଥିଲା  ପ୍ରାୟ ଲାଗେ । ଏ ଦୁହେଁ ଆଈ ବୁଢୀ ଜେମାମାଙ୍କ ଲିପାପୋଛା ସର୍ବ ସୁନ୍ଦର ପଲାରେ ବସି ଗପ ଶୁଣନ୍ତି । ସ୍ୱପ୍ନାନନ୍ଦ ଘରକଥା  ଭୂଲିଯାଏ  ଓ ଏକ ଅନ୍ୟ ଦୁନିଆଁରେ ବିଚରଣ କରିବା ପ୍ରାୟ ଲାଗେ । ଜେମାମା  ଗପ ପେଡି ଖୋଲି ଗପ କହୁଥିବା ବେଳେ ଘରୁ ଆଣିଥିବା ଗଇଁଠା ପାଉଁଶ ଟିକେ ଟିକେ ଖାଏ । ସେ କହନ୍ତି ୟା’କୁ ଖାଇଲେ ପେଟ ସଫା ରହିବ । ସ୍ୱପ୍ନାନନ୍ଦ ମଧ୍ୟ ମଝିରେ ମଝିରେ ତାହା ଖାଇ ଥିଲା । ପୁଣି ଏକୁଟିଆ  ପଲାରେ ବସି ଇଂରାଜୀ  ଅଭ୍ୟାସ କରୁଥିବା ବେଳେ ମଧ୍ୟ ବିଲ ଶୁଖିଲା ମାଟି କେତେଥର  ଖାଇଛି । ସେ ଏକପ୍ରକାର ଆକର୍ଷଣ ପରି ଲାଗେ । ଯେତେବେଳେ ଟିମାମା ଡରେଇ ଦେଲା – ଏହା ଯେ ଖାଏ ସେ ମରିଯାଏ । ସ୍ୱପ୍ନାନନ୍ଦ ଡରିଗଲା ଓ ସେ ସମୟରେ ତା’ଙ୍କ  ସାହିର ଏକ ଝିଅ ମାଟି ଖାଇ ଖାଇ ଶୋଥ ରୋଗରେ ପଡିଥିଲା । ବହୁତ କଷ୍ଟରେ ସେ  ବଞ୍ଚିଲା । ସ୍ୱପ୍ନାନନ୍ଦ ତା’ର ବଦ ଅଭ୍ୟାସ  ସେହି ଦିନରୁ ବନ୍ଦ୍ କଲା ।

ଅଧିକାଂଶ ସମୟ ସେ ପଲାରେ ବସି ଇଂରାଜୀ ଅକ୍ଷର ମନେ ରଖେ ଓ  ଖୁବ୍ ଶୀଘ୍ର ମନେରଖି ଲେଖିପାରିଲା ଏବଂ ଗାଁ’ରେ ବୁଲିବୁଲି କହିଚାଲିଲା । ବେଳେବେଳେ    ପଲାରେ ଏକୁଟିଆ ଘୋର ନିର୍ଜନତାର ଶୀକାର ହୁଏ ଓ ଭାବେ ଯେ, ସେ ଦିନେ ମରିଯିବ ! କୁଆଡେ ଯିବ ? କ’ଣ କରିବ ?ବାପା,ମା’ , ଘରଲୋକ,ସାହି ପଡିଶା, ସାଙ୍ଗସାଥୀ ଆଦି ସମସ୍ତେ ମରିଯିବେ !! ସେ ଖୁବ୍ ବ୍ୟଥିତ ହୋଇଉଠେ ଓ ପୃଥିବୀରେ ନଥିବାର ଅନୁଭବ କରେ । ଏ ଭାବନା ତା’ ମନରେ ବାରମ୍ବାର ଜାଗେ । ସେ ପୁଣି ପାଉଁଶ ଓ ମାଟି  ଖାଇଛି ! ଝାଡାରେ ତ ବାହାରି ଯାଇଥିବ !  ଏହିପରି କେତେ କ’ଣ । ଭାବନା ରାଜ୍ୟ କେତେବେଳେ ତା’କୁ ନିଦ ରାଇଜକୁ ନେଇଯାଏ । ହଠାତ୍ ନିଦ ଭାଙ୍ଗିଯାଏ  ଓ ଦେଖେ ଗୋରୁପଲ ପୋଟଳ – ବାଇଗଣ କିଆରୀରେ ପଶି ଖାଇଯାଉଛନ୍ତି । ଭାବନା ଓ ନିଦ କୁଆଡେ ଉଡିଯାଏ ଏବଂ ବାଡି ଧରି  ଗୋରୁଙ୍କୁ ଗୋଡାଇ  ଗୋଡାଇ ଦୂରରେ ଛାଡେ । ଟାଣ ଖରା, ଫେରିଆସି ପଲା ଛାଇରେ ଲଥ୍ କରି ବସିପଡେ । କେହି ଦେଖି ନାହାନ୍ତି, ନହେଲେ  ଆଜି ଘରେ ଗାଳି ଖାଇଥା’ନ୍ତା । ପାଖ ନଈରୁ ଗାଧୋଇ ଆସି ବସେ । ଘରୁ  କିଏ ଆସିଲେ ଖାଇବାକୁ ଯିବ । କେହି ନ’ଆସିଲେ ଘରେ ଯାଇ ଖାଏ  ଓ ଦିନେ ଦିନେ ଜିଦି  କରେ ଯେ ଖରାରେ ଆଉ ପାଳକୁ ଯିବନାହିଁ ବୋଲି ।  ଘରେ ଶୋଇପଡେ । ସବୁଦିନେଏହା ସମ୍ଭବ ହୁଏନାହିଁ । ବାଧ୍ୟ ହୋଇ ମଝିବେଳା ଖାଇସାରି,  ଗାମୁଛା ମୁଣ୍ଡରେ ପକାଇ  କିମ୍ବା ଛତା ଧରି ପୁଣି ପାଳକୁ ଯାଏ । ସୋମବାର ଓ ଗୁରୁବାର ହାଟପାଳି । ପୋଟଳ ଓ ବାଇଗଣ ତୋଳା ହୁଏ ଏବଂ ହାଟରେ ବିକ୍ରି କରାଯାଏ । ଦିନେଦିନେ ଟୁକୁରା  ବେପାରୀ ପାଉଁରୁଟି, ବିସ୍କୁଟ୍, ଚୁଚୁମା, ଜାମୁରୋଳ … ଆଦି ଧରି ପଲାରୁ ପଲା  ବୁଲନ୍ତି । ବଦଳରେ ପରିବା ନିଅନ୍ତି । ଯିଏ ଚାହିଁଲା ପରିବା ଦେଇ ମଧ୍ୟ ପଇସା ନେଇ ପାରିବ । ଏହାହେଲା ଚୋରା – ଲୁଚା କାମ ।  ସ୍ୱପ୍ନାନନ୍ଦ କେତେଥର ଖାଇଛି ଓ କିଛି ପଇସା ସଞ୍ଚୟ କରିଛି । ବାଇଗଣ କିଲୋ କୋଡିଏ ଓ ପୋଟଳ ଚାଳିଶ ପଇସା । ଦୁଇମାସ ମଧ୍ୟରେ ତିନି ଟଙ୍କାରୁ ଅଧିକ କୌଣସି ଥର ହୁଏନି, କିନ୍ତୁ ତା’ପାଖରେ ଅନେକ କିଛି ଅଛି ବୋଲି ସେ ଅନୁଭବ କରେ । ସେ ଟଙ୍କାକୁ ଖର୍ଚ୍ଚ ନକରି କାନ୍ଥ ଠଣାରେ ଲୁଚାଇକି ରଖେ କେତେବେଳେ କେମିତି ଖର୍ଚ୍ଚ କରିବା ପାଇଁ । କିନ୍ତୁ ବନ୍ୟା ସମୟରେ ବେଳେବେଳ ଘରେ କିଛି ନଥିଲେ ଓ ସେଦିନ ଉପବାସ ବିନା ଅନ୍ୟ କିଛି ଉପାୟ ନ’ଥିଲେ, ସ୍ୱପ୍ନାନନ୍ଦ ସେ ଟଙ୍କା ବାହାର କରି ଘରର କିଛିଟା ଅସୁବିଧା ଦୂର କରାଏ  । କ୍ଷଣିକ ପାଇଁ ସଭିଙ୍କ ମୁଖରେ ଚେନାଏ ହସ ଫୁଟିଉଠେ ।   କେତେଥର ସେ ତା’ଙ୍କ ଘରର ଅସୁବିଧା ସମୟରେ ସେଇଆ କରିଛି ଓ ବାପା – ମା’ଙ୍କ ଠାରୁ ଅଶେଷ ଆଶୀର୍ବାଦ ପାଇଛି ।  ଦିବ୍ୟ ଅନୁଭୂତି ଲାଭ କରି  ସ୍ୱପ୍ନାନନ୍ଦ ବିଭୋର ହୋଇଉଠେ ।

ରଜ ପର୍ବ ସରିଯାଏ । ଛୁଟି ମଧ୍ୟ ସରିଯାଏ । ସ୍ୱପ୍ନାନନ୍ଦକୁ ଭାରି ହତାଶିଆ ଲାଗେ । ପୁଣି ସ୍କୁଲ୍ ଯିବାକୁ ହୁଏ । ଅନ୍ତଃହୀନ ଘଟଣାବଳୀର ଗୁଚ୍ଛ ମଧ୍ୟରେ ଚତୁର୍ଥ ଶ୍ରେଣୀର  ଷାଣ୍ମାସିକ ପରିକ୍ଷା ସରିଯାଏ । ଆରମ୍ଭ ହୁଏ ସ୍ୱପ୍ନାନନ୍ଦ ଜୀବନର ଅତି କଷ୍ଟକର ସମୟ । ତାଙ୍କ ସାହିର ବଳରାମ ଚତୁର୍ଥ  ଶ୍ରେଣୀ ସ୍କୁଲ୍ ଯିବା ବନ୍ଦ୍ କରି ବିଲକୁ କାମ  କରିବାକୁ  ଗଲା ।  ମନରେ ଭାରୀ ଦୁଃଖ ଜାତ ହେଲା ।  ତିନିଜଣ ସାଙ୍ଗହୋଇ ଯାଉଥିଲୁ । ଜଣେ ଗଲା ଓ ରହିଲା କେବଳ ରମେଶ ।  ସ୍ୱପ୍ନାନନ୍ଦର ମଧ୍ୟ ମନ  ହେଉଥିଲା ସ୍କୁଲ୍ ନଯିବାକୁ  । କିନ୍ତୁ ଘରର ତାଗିଦା । ଯିବାକୁ ବାଧ୍ୟ । ଷାଣ୍ମାସିକ ପରିକ୍ଷାର କିଛିଦିନ ପରେ ରମେଶ ତା’ର  ମାମୁଁ ଘରକୁ ଦୀର୍ଘ ଦିନ ପାଇଁ  ବୁଲିବାକୁ  ଗଲା । ସ୍ୱପ୍ନାନନ୍ଦ ଭିତରେ ଭିତରେ  ଭାଙ୍ଗି ପଡିଥାଏ , ଅଥଚ ବାହାରକୁ ଜାଣି ହେଉ ନ’ଥାଏ । ମନକୁ ବୁଝାଇ ସ୍କୁଲ୍ ଯାଏ ।  ଶୀତଦିନ ଫସଲରେ କିଆରୀ  ଫୁଟି ଉଠୁଥାଏ । ପରନ୍ତୁ ସବୁ ଦିଗରୁ ଏକ ହତାଶର  ପରିସର ଥିବାର ସେ ଅନୁଭବ କରୁଥିଲା । ଗୋଟିଏ ସପ୍ତାହ ପରେ ସ୍କୁଲ୍ ଯିବାର ବାହାନା ଦେଖାଇ ସ୍କୁଲ୍ ଗଲାନାହିଁ ବରଂ ବାଟ ଫସଲ କିଆରୀ ମଧ୍ୟେ ଲୁଚିକରି ବସେ ।  ଧନିଆଁ କିଆରୀରେ ଲୁଚିବା ପାଇଁ ସବୁଠାରୁ  ବେଶି ସୁବିଧା ହୁଏ କାରଣ ଧନିଆଁ  ଗଛ ବହୁତ ବହଳ ଓ  ଡେଙ୍ଗା ହୋଇଥାଏ ।  କେତେ ସମୟ ବା କିଆରୀରେ ଲୁଚିକି ରହିବ ?  ବାଧ୍ୟହୋଇ  ମଝିରେ ମଝିରେ କଇଁଛ ପରି ବେକ ଟେକି ଅନାଏ ଯେ, କେହି ତା’କୁ ଦେଖୁନାହାନ୍ତି     ତ ?  ପେଟେଇ ପେଟେଇ ଅତି ବିରକ୍ତ ଲାଗିଲେ ସ୍ୱପ୍ନାନନ୍ଦ ନିଜ ଘରକୁ ଫେରେ । ଘରେ ଯଦି ଶୀଘ୍ର ଆସିବାର କାରଣ ପଚରାଯାଏ,  ତେବେ ତା’କୁ ମିଛ ବାହାନାର  ଆଶ୍ରୟ ନେବାକୁ ପଡେ । ସ୍ୱପ୍ନାନନ୍ଦକୁ ଏ ସବୁ ବଡ ଅଡୁଆ ଲାଗୁଥାଏ ଓ ଖିଅ  ଖୋଜିବାରେ ବ୍ୟସ୍ତ ଥାଏ । କିଆରୀରେ ପେଟେଇ ଶୋଇଥିବା ବେଳେ ସେ ଭାବେ – କେବେ ଆଉ ରମେଶ ଫେରିବ ?  କେଡେ ଖୁସିରେ ସ୍କୁଲ୍ ଯାଉଥିଲୁ । ରମେଶ ତା’ଙ୍କ  ଘରୁ କେତେ ଜିନିଷ ଲୁଚେଇକି ଆଣେ, ଯଥା – ଉଷୁନା ଚାଉଳ(ଢେଙ୍କି କୁଟା), ପଇସା , ଛେନା (ଦହିରୁ), …….. ଇତ୍ୟାଦି ।  ବଳରାମ ମଧ୍ୟ ଆଣେ  ।  ଏବେ ତ ସେ ଆସୁନାହିଁ ।  ତା’କଥା  ଛାଡ ।  କିନ୍ତୁ ସ୍ୱପ୍ନାନନ୍ଦ ଦିନେ ବି ଘରୁ କିଛି  ଲୁଚେଇକି  ଆଣି  ନଥିଲା ।  ସେ ଯାହା ହେଉ ଚୋରା ଚାଉଳ , ଛେନା ଆଦି ସ୍କୁଲ୍ ବାଟରେ ଖାଇ ଖାଇ ସ୍କୁଲରେ ପହଞ୍ଚିଯାଉ ।  ଉଷୁନା ଚାଉଳର ରଙ୍ଗ ରକ୍ତବର୍ଣ୍ଣ । ପଟୁମାଟିର ଧାନ ।  ସେଥିପାଇଁ ସେ  ରକ୍ତବର୍ଣ୍ଣ ଚାଉଳ ଚୋବାଇବାରେ ଅପୂର୍ବ ଆନନ୍ଦ ଜାତ ହୁଏ , କାରଣ ଏହା ସ୍ୱାଦଯୁକ୍ତ ଓ ମିଠା ।   ଯେଉଁଦିନ   ଚାଉଳ,  ଛେନା  … ଆଦି ଘରୁ ନେଇ ହୁଏନା , ସେଦିନ ରମେଶ ନିଶୟ ପଇସା ନେଇଥିବ !  ସେ ପଇସାରେ ଚୁଚୁମା କିଣି ଖିଆଯାଏ ।  ଚୁଚୁମା ଗୋଟା ଏକ  ପଇସାରୁ ପ୍ରାୟ ପାଞ୍ଚପଇସା ଯାଏ ଏବଂ ଏହାର ସ୍ୱରୂପ ମଧ୍ୟ ଭିନ୍ନଭିନ୍ନ , ଯଥା : –  ଗୋଲାକାର, ଚକ୍ରାକାର, ଆୟତାକାର, ବର୍ଗାକାର,  ଓ ମାଛ ଆଦି ସ୍ୱରୂପର ଚୁଚୁମାର  ରଙ୍ଗ   ହଳଦିଆ,ଲାଲ୍, ସବୁଜ କିମ୍ବା ମିଶ୍ରିତ ରଙ୍ଗର । ଆହୁରି କେତେ ପ୍ରକାରର  ଚୁଚୁମା , ସବୁ ମନେ ନାହିଁ  କିନ୍ତୁ ଫୁଙ୍ଗୁଳା ଶରୀର । ସମୟର ଗତିରେ  ସବୁ କିଛି ବଦଳି ଯାଉଛି । ଚୁଚୁମାରୁ ଚକୋଲେଟ୍ । ଏହାକୁ ବିଭିନ୍ନ ରଙ୍ଗର ବସ୍ତ୍ରରେ ଆବୃତ୍ତ କରାଯାଉଛି । ଯେପରି ଆଦିମାନବରୁ ମାନବ । କିନ୍ତୁ ଲଙ୍ଗଳା ଆଦିମାନବ ବସ୍ତ୍ର ପିନ୍ଧି ପିନ୍ଧି  ପୁନଃ  ଲଙ୍ଗଳା  ହେବାରେ ମାତିଲାଣି  । ଖାଲି ବାକି ରହିଲା ସମ୍ପୂର୍ଣ୍ଣ ଉଲଗ୍ନ ହେବାର ସମୟ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ଆଜି ସେହି ମାନବ ଲଙ୍ଗଳା ଚୁଚୁମାର ଲଜ୍ଜା ନିବାରଣ  ନିମିତ୍ତ  ବିଭିନ୍ନ ବର୍ଣ୍ଣର ବସ୍ତ୍ର ଅର୍ଥାତ୍ ଜରି ବା କାଗଜ ଖୋଳ ଦ୍ୱାରା ସେମାନଙ୍କ  ଶରୀରକୁ ଆବୃତ୍ତ କରୁଛନ୍ତି ।

ସମୟ ବିତିଚାଲେ ।  ରମେଶ ବି ଫେରିଛି ।  ପୁଣି ସାଙ୍ଗ ହୋଇ ସ୍କୁଲ୍‍କୁ ଯାଆନ୍ତି ।  ତା’ପରେ ………….. ବାର୍ଷିକ ପରୀକ୍ଷା ଯାଏ କ’ଣ କ’ଣ ଘଟିଲା  ସ୍ୱପ୍ନାନନ୍ଦକୁ  ସବୁ ସ୍ୱପ୍ନ  ପରି ଲାଗୁଥିଲା ଓ ସମ୍ପୂର୍ଣ୍ଣ ରୂପେ ହେଜିପାରୁ ନଥିଲା । କିଞ୍ଚିତ୍‍ ଆଭାସ ମନର ସୁପ୍ତ କୋଠରୀରୁ ପ୍ରତିଫଳିତ ହେଉଥିଲା, ଯଥା – ବଳରାମ ପୁଣି ରମେଶ ସହ ସ୍କୁଲ୍‍ ଯାଇଛି ।  କିନ୍ତୁ ସେ ନିଜେ  ସ୍କୁଲ୍‍ ନଯାଇ ବାତରା ହୋଇ ମୁକ୍ତଭାବେ ବୁଲୁଥିବାର କ୍ଷୀଣ ଆଭାସର ସ୍ମୃତି ତା’ର ମାନସ ପଟରେ ଉଙ୍କି ମାରୁଛି ।  ଘରେ  ତା’ଉପରେ ସମ୍ଭବତଃ ସେହି ସମୟ ମଧ୍ୟରେ କେହି ନିଘା ରଖି ନଥିଲେ । ହଠାତ୍‍ ସ୍ୱପ୍ନାନନ୍ଦ କେଉଁ ଏକ ସ୍ୱପ୍ନ  ଦୁନିଆଁରୁ ଖସିଆସି ଏକ ବାସ୍ତବ ଦୁନିଆଁରେ  ନିଜକୁ  ଆବିଷ୍କାର କରିଛି । ସାମ୍‍ନାରେ ତା’ର ବଡଭାଇ ଏକ ପ୍ୟାଣ୍ଟ୍‍ ପିନ୍ଧାଇ ଦେଇ ଓ ସ୍କୁଲ୍‍ ବ୍ୟାଗ୍‍ ଧରାଇ ବଳରାମ ଓ ରମେଶ ସହ ସ୍କୁଲ୍‍କୁ ପଠାଇବାର ମନେ ପଡୁଛି । ଆଉ ତିନିଦିନ ପରୀକ୍ଷା ରହିଲା ବୋଲି ସେ ଦୁହେଁ ଭାଇକୁ କହୁଥିବାର ଏବେବି ସ୍ୱପ୍ନାନନ୍ଦର କର୍ଣ୍ଣରେ ଗୁଞ୍ଜରଣ ସୃଷ୍ଟି କରୁଛି । ସ୍କୁଲ୍‍  ଯିବା ବାଟରେ ହଠାତ୍‍  ତା’ର  ମନେ ପଡିଲା ବ୍ୟାଗ୍‍ରେ ଖଡି ନାହିଁ ଲେଖିବାକୁ । ତେଣୁ ସେ ବଳରାମ ଓ ରମେଶକୁ ଖଡି ମାଗିଲା । ସେମାନେ ମନା କରିବାରୁ  ସ୍ୱପ୍ନାନନ୍ଦ କାନ୍ଦ କାନ୍ଦ ହୋଇ ଘରକୁ  ଫେରିବାକୁ ଉଦ୍ୟନ୍ତ ହୁଅନ୍ତେ ସେ ଦୁହେଁ ପଛକୁ ଅନାଇ ହଁ ଦେବୁ ବୋଲି କଅଁଲେଇକି କହିଲେ । ବାସ୍‍ ସବୁ ସମାଧାନ  ହୋଇଗଲା । ଏହାହିଁ ପିଲା ଦିନର ସାଙ୍ଗମେଳ ମଧ୍ୟରେ ଜଡିତ ସ୍ନେହ ଓ ମମତାର ରଜ୍ଜୁ । କାହିଁ ଗଲା ସେ ସମୟ ! ପୁଣି ବାଲ୍ୟ କାଳକୁ ଫେରିବାକୁ ପ୍ରବଳ ଇଛା । ଏବେତ କିଛି ଅଭାବ ନାହିଁ,  କିନ୍ତୁ ଅସ୍ଥିରତାର  ମାତ୍ରା ବଢି ଚାଲିଛି । ସବୁଦିନେ ପିଲାଟିଏ ହୋଇ ରହିଥିଲେ ଭଲ ହୋଇଥା’ନ୍ତା । ଏତେ ‘ମାୟା ମୋହେର୍‍ ବିମୋହନ୍‍’  ହେବାକୁ ପଡି ନଥାନ୍ତା । ଏ ଦୁନିଆଁରେ ତ  ଖାଲି ଜନ୍ମରୁ ମୃତ୍ୟୁ, କିନ୍ତୁ ମୃତ୍ୟୁରୁ ଜନ୍ମ ଅର୍ଥାତ୍‍ ବୃଦ୍ଧରୁ ବାଳକ ହେବାର ଘଟଣା ଘଟୁନାହିଁ । ମହାମାନବ ଆଇନ୍‍ଷ୍ଟାଇନ୍‍ଙ୍କ ସ୍ୱତନ୍ତ୍ର ଆପେକ୍ଷିକ  ତତ୍ତ୍ୱ(Special Theory of Relativity)ରେ ବର୍ଣ୍ଣନା ହୋଇଛି ଯେ, ସମୟର ଗତି ସଦା ସର୍ବଦା ଆଗକୁ ।  ବରଂ ସମୟର ପ୍ରବାହକୁ ତାହା ପାଇଁ ଧିମା  କରିହେବ, ଯଦି ତା’ର ବେଗ ଆଲୋକର ବେଗ ପାଖାପାଖି ରହିବ । ଅର୍ଥାତ୍‍ ବୟସ ବୃଦ୍ଧି ଧିରେ ଧିରେ ଘଟିବ । ଏହା କଣିକା (Particle) କ୍ଷେତ୍ରରେ ସମ୍ଭବ,  କିନ୍ତୁ ବ୍ୟକ୍ତି  ବିଶେଷ  ନିମିତ୍ତ ଅସମ୍ଭବ । ତେଣୁ ଅବଶୋଷର ଅନ୍ତଃ ନାହିଁ ।

ପରୀକ୍ଷାର ଦିନ ଆସିଗଲା । ପ୍ରଥମ ଦିନ ପରୀକ୍ଷାରେ ବିଷୟ ଥିଲା ସାମାଜିକ ବିଜ୍ଞାନ । ସକାଳୁ ନିତ୍ୟକର୍ମରେ ତା’ପାଇଁ ଗାଧୋଇବା କାର୍ଯ୍ୟଟି ଅଧିକ ଥିଲା ।କାରଣ ତା’ଙ୍କ ସାହିରେ କେହି ପୁରୁଷଲୋକ ପ୍ରାୟ ସକାଳୁ ଗାଧାନ୍ତି ନାହିଁ । ଖୁବ୍‍କମ୍‍ ସଂଖ୍ୟକ ସ୍ତ୍ରୀ ଲୋକ ମାନେ ଘର କାମ ସାରି ଦଶଟା ପାଖାପାଖି ଗାଧାନ୍ତି ।  ମଧ୍ୟାହ୍ନ ବେଳକୁ ଏମାନଙ୍କ ବ୍ୟତୀତ ସମସ୍ତେ ନଦୀରେ ଗାଧାନ୍ତି । ତେଣୁ ସେ ସମୟକୁ କୁହାଯାଏ ‘ଗାଧୁଆ ବେଳ’ । ସକାଳୁ ବଳରାମ ଓ ରମେଶ ନଦୀରେ ଗାଧାନ୍ତି । ଯେହେତୁ ଇଏ ଛୋଟ ପିଲାଟା, ଘରେ ତାଗିଦା କରନ୍ତି ନଦୀକୁ ଏତେ ଦୂର ନଯାଇ ଗାଁ’ର ଶୁଖିଯାଇଥିବା ପୋଖରୀରେ  ଖୋଳାଯାଇଥିବା ଏକ  ପାଞ୍ଚ ଛ’ ଫୁଟ ଗଭୀରର କୂଅ ସଦୃଶ ଚୂଆରୁ ପାଣି କାଢି ଗାଧୋଇବା ପାଇଁ । ତେଣୁ ସେ ତା’ଙ୍କ ପିତଳ ନୋଟାର ବେକକୁ ଦଉଡି ଫାସ ଦ୍ୱାରା ବାନ୍ଧି ଚୂଆ ପାଖକୁ ସକାଳୁ ସକାଳୁ  ଧାଇଁ ଯାଏ ।  ଚୂଆ ଗଭୀର ହେଲେବି ପାଣି ଝରି ଅଧାରୁ ଅଧିକ ହୋଇଥାଏ ।  ତେଣୁ ନୋଟାକୁ ଦଉଡି ଦ୍ୱାରା ଅଳ୍ପ ଛାଡିଲେ ପାଣି ପାଖକୁ ପହଞ୍ଚେ ଓ ସ୍ୱପ୍ନାନନ୍ଦ ପାଇଁ  ପାଣି କାଢି ଗାଧୋଇବାରେ କିଛି କଷ୍ଟ ହୁଏନି । ଆଃ ! କି ଥଣ୍ଡା ପାଣି ! କାଚ ପରି ସ୍ୱଚ୍ଛ । ଖରା ଦିନ ସକାଳର ସୁଲୁସୁଲିଆ ପବନରେ ନୋଟାଏ ନୋଟାଏ ପାଣି କାଢି   ମୁଣ୍ଡରେ ଢାଳି ହେବାରେ କି ଅପୁର୍ବ ଆନନ୍ଦ !  ଆଜିକାଲି ବାଥ୍‍ ରୁମ୍‍ରେ ଗାଧୋଇବାରେ ସେ ଆନନ୍ଦ ବା ମିଳିବ କାହୁଁ  ?  ପୁଣି ସେ ପାଣି ମଧ୍ୟ ପିଇବା ଓ ରୋଷେଇରେ  ବ୍ୟବହାର କରାଯାଉଛି । କାହିଁ ପେଟ ତ କିଛି ଗୁଳ୍‍ଗାଜ୍‍ ହେଉନି ! ବୋଧେ ସେ ସମୟର ଚୂଆ ପାଣି ଅତି ନିର୍ମଳ ଓ ଜୀବାଣୁ ମୁକ୍ତ ଥିଲା ।  ତେଣୁ  ଗାଧୋଇ ସାରିଲେ  ଚେହେରାରେ ସତେଜ ଆସୁଥିଲା ଓ ଖାଇସାରି ସେ ପାଣି ପିଇଲେ ଚେହେରା ସଦ୍ୟ ପ୍ରସ୍ଫୁଟିତ ମଲ୍ଲୀ ଫୁଲ ପରି ଝଟକୁ ଥିଲା । ଆଜିକାଲି ପରି  ସେତେବେଳେ ଏତେ ଅତର, ବାସ୍ନା, ସାବୁନ୍‍, ସାମ୍ପୁ, ଗାଲଧୁଆ ତରଳ ପଦାର୍ଥ ………… ଆଦି ବାହାରି ନଥିଲା । ମୁଣ୍ଡରେ ଟିକେ ତେଲ ବାଜିଲା କି ନାହିଁ ଗାଧୋଇ ଦୌଡ । ଏବେ ଗାଲରେ ଏତେ ଲଗାଇ ଲଗାଇ କେତେଦିନ ଆଉ ବୟସକୁ ଲୁଚାଇ ରଖାଯିବ । ସେ ନିଜ ଗାଲରେ ହାତ ବୁଲାଇ  ଜାଣୁଛନ୍ତି ଯେ, ଏତେ ଅଧିକ ବୟସରେ ମଧ୍ୟ ତା’ଙ୍କ ଗାଲ ନରମ, କଅଁଳିଆ ଓ ଚିକ୍‍କଣ ଅଛି । କାରଣ ପିଲାଦିନୁ ଅଦ୍ୟାବଧି  ସେ କିଛି ତରଳ ପଦାର୍ଥ ନିଜ ଗଣ୍ଡ ଦେଶରେ  ମାଖି ନାହାନ୍ତି ଓ  ଯେଉଁମାନେ ଏହା ଅଭ୍ୟାସଗତ କରି କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଗାଲର ଅବସ୍ଥା ବାର୍‍ ବାଜିଲାଣି,  ଅର୍ଥାତ୍‍ କର୍କଶ, ରୁକ୍ଷ, ଲୋଳିତ ଓ ଆଖିପତା ତଳ  କଳା ପଡି ଗଲାଣି । ଏହାହିଁ ବହୁମୂଲ୍ୟ ସମୟର ଅପବ୍ୟବହାରର ପ୍ରତିଦାନ ।  ହଠାତ୍‍ ଚିନ୍ତାର ମୋଡ ବଦଳିଯାଇ ମନେ ପଡିଗଲା ତା’ର ଆଇ. ଏସ୍‍ସି (I.Sc.)  ପଢୁଥିବା ସମୟର କଥା – ଉଣେଇଶ ଅଠସ୍ତରୀ ମସିହା । ହଷ୍ଟେଲ୍‌ରେ ରୁମ୍‌ମେଟ୍‍ଙ୍କ ମଧ୍ୟରୁ ଜଣକ ନାଁ ଥିଲା ରାମ । ଏକା କ୍ଲାସ୍‍ ହେଲେବି ସେ ବୁଢାଳିଆ  ଦେଖା ଯାଉଥିଲା । କାରଣ ସେ ସ୍କୁଲ୍‍ ଜୀବନରୁ କାହିଁ କେତେ ଆଜେବାଜେ କ୍ରୀମ୍‍ ଗାଲରେ ଲଗାଇବାରେ ବ୍ୟସ୍ତ ଥିଲା । ଉଦ୍ଦେଶ୍ୟ କଳାରୁ ଗୋରା ହେବ ଓ ଗାଲ ଫୁଲୁକା  ଫୁଲୁକା ଦେଖାଯିବ । କିନ୍ତୁ ଯେଉଁ କଳାକୁ ସେଇ କଳା । କି କର୍ମ କରିଥିବ କିଏ ଜାଣେ , ଏତେ କମ୍‍ ବୟସରୁ ଗାଲଦ୍ୱୟ ଭିତରକୁ ଇଞ୍ଚେ ଲେଖାଏଁ ପଶିଯାଇଥାଏ । ସତେକି ଅଜା ଆଇ ଅମଳର ଲୋକ । ସବୁଦିନେ ସେ ଗାଧୋଇ ସାରି, ଖଟ ଉପରେ ବସି ଗାଲରେ କ୍ରୀମ୍‍ ମାରି ବହୁ ସମୟ  ଧରି ଦୁଇ ହାତରେ ପଶିଯାଇଥିବା  ଗାଲଦ୍ୱୟର ଉପରିଭାଗ ଚର୍ମକୁ ଟିପେଇକି ଧରି ବାରମ୍ବାର ବାହାରକୁ ଟାଣେ ଓ ଛାଡେ । ଯେହେତୁ ରୁମ୍‍ର ଅନ୍ୟ ସାଙ୍ଗଙ୍କ ଗାଲ ଫୁଲୁକା ଥିଲା , ରାମ ସେଇଆ  କରିବାକୁ ଚାହୁଁଥିଲା । ସବୁଦିନେ ଦେଖି ଦେଖି ସମସ୍ତଙ୍କୁ ହସ ଲାଗେ ।  ସେ ସବୁଠୁ ବଡ ଓ ଡେଙ୍ଗା ଥିଲା । କହିଲେ କାଳେ ମାରିବ, ସେଥିପାଇଁ କେହି କହନ୍ତି ନାହିଁ । କିନ୍ତୁ ସ୍ୱପ୍ନାନନ୍ଦ ଧିରେ ଧିରେ ନିକଟତର ହୋଇ ଥଟ୍ଟା ମଜା କଲା ଓ ସେ ରାଗିଲା ନାହିଁ ବରଂ ଖୁସି ହୁଏ । ଶେଷକୁ  ସ୍ୱପ୍ନାନନ୍ଦ ଓଡିଆ – ଇଂରାଜୀ ମିଶା  କେତୋଟି  ବାକ୍ୟ ମନରୁ ଗଢି ରାମକୁ କହେ, ରାମ ହସେ, ସମସ୍ତେ ହସନ୍ତି ଏବଂ ଆଜି ବି ମନେ ପଡିଲେ ସେ ହସି ହସି ବେଦମ୍‍ ହୋଇଯାଏ । ତାହା ଥିଲା –

If You Have a ଖାଲ  on your ଗାଲ

You Pull that ଖାଲ  in Outside Direction

And  After Some Days that ଖାଲ  will  get filled-up .

ଚିନ୍ତାର ମୋଡ ବଦଳାଇ ସ୍ୱପ୍ନାନନ୍ଦ ଫେରିଯାଏ ଚୂଆ ନିକଟକୁ । ସେ ପାଣି ପିଇଲେ  ମନ ଅତିବ ଆନନ୍ଦ ହେଉଥିଲା । ଏବେକାର ପ୍ଲାଷ୍ଟିକ୍‍ ବୋତଲରେ  ଥିବା ରୋଗ  ନିରୋଧକ ଖଣିଜ ପଦାର୍ଥଯୁକ୍ତ ଏକ ଲିଟର ପାଣିକୁ ଅତି କମ୍‍ରେ କୋଡିଏ ଟଙ୍କା ଦେଇ ପିଇଲେ ମଧ୍ୟ ସେହି ସ୍ୱାଦ ଓ ଆନନ୍ଦ ମିଳୁନି । ଉପରୁ ଚାହିଁ ସେ ଦେଖେ  ଚୂଆର ପାଣି ନୀଳ ବର୍ଣ୍ଣର, କିନ୍ତୁ ହାତରେ ଆଣି ଦେଖିଲେ ତାହା ସ୍ୱଚ୍ଛ ଓ ବର୍ଣ୍ଣହୀନ । ସେ ନୀଳ ବର୍ଣ୍ଣ ମନରେ ସବୁଦିନ ପାଇଁ ଜାଗ୍ରତ ରହିଛି ଓ ତା’ ସହିତ ଏକ  କବିତାର କିୟଦ୍‍ ଅଂଶ ମଧ୍ୟ, ଯଥା –

କଳା ଭ୍ରମରକୁ ଜିଣି ନିଳିମାରେ ଦିଶେ ମୃଗତୃଷ୍ଣା ଜଳ …… ଧାଆଁନ୍ତେ ପଥିକ ଅଦୃଶ୍ୟ ହୁଅଇ ପଥିକ ଆଶା ବିଫଳ ।

କିନ୍ତୁ ସେ ଜଳ ମରିଚୀକା ନଥିଲା । ତାହା ଥିଲା ବାସ୍ତବ ଜଳ । ସ୍ୱପ୍ନାନନ୍ଦ  ଗାଧୋଇ ସାରି ପାଣି ନୋଟାଏ ଧରି ଘରକୁ ଆସେ । ଯେହେତୁ ଛୋଟ ପିଲାଟା  ସକାଳୁ  ଗାଧୋଉଛି ଓ  ତେଣୁ ତା’କୁ ଏକ ଭିନ୍ନ ରୂପରେଖର ପ୍ରତୀକ ଭାବେ ଗ୍ରାମର ଆବାଳ ବୃଦ୍ଧ ବନିତା ଦୃଷ୍ଟି ନିକ୍ଷେପ କରନ୍ତି ଏବଂ ତତ୍‍ସଙ୍ଗେସଙ୍ଗେ ମିଠା, ଖଟା,  କଷା,  ଆମ୍ବିଳା, ଅଲଣା,  ଲୁଣିଆ ଆଦି ଭିନ୍ନ ଭିନ୍ନ ସ୍ୱାଦଯୁକ୍ତ ମନ୍ତବ୍ୟମାନ ଦିଅନ୍ତି । ତଦନୁଯାୟୀ ସ୍ୱପ୍ନାନନ୍ଦ ମଧ୍ୟ କିଛିଟା ବାହ୍ୟ ଓ ଆଭ୍ୟନ୍ତର କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଏ । ପଖାଳ ଖାଇ ସ୍କୁଲ୍‍କୁ ବାହାରିଲା ବେଳକୁ ମାଆ ଘର ସାମ୍ନାରେ ଚଟାପଟ୍‍ ଗୋବର ଟିକେ ଆଣି ପାଣି ପକାଇ ହାତରେ ଲିପି ଦିଅନ୍ତି । ଲିପା ମଝିରେ ଧାନ ମୁଠେ ରଖି ତା’ଉପରେ ପାଣି ନୋଟା ଓ ତହିଁରେ ଦୂବ, ପାଖଗଛରୁ ବରକୋଳି ଡାଳ, ଫୁଲ ରଖି, କଳସକୁ ଜୁଆର ହୋଇ ଯିବାକୁ କହନ୍ତି । ଆମ୍ବଗଛ ଗାଁ’ରେ ନଥିବାରୁ କଳସଟି ଆମ୍ବଡାଳ ବିହୀନ ହୁଏ ।  ଧନ୍ୟ ତୁ  ମମତାମୟୀ ସର୍ବଂସହା ଜନନୀ ! ତୋର ତୁଳନା ନାହିଁ । ପାଞ୍ଚ ପୁତ୍ର ଓ ପାଞ୍ଚ କନ୍ୟାର ଜନନୀ ଏ ଅଷ୍ଟମ ସନ୍ତାନଟିକୁ  ପାଠ  ପଢାଇବାକୁ ଏତେ ନିଘା କ’ଣ ପାଇଁ ଥିଲା ତାହା ଅଜଣା ।  କିନ୍ତୁ ତା’ତଳେ ଥିବା ସାନ ଭାଇ ଓ ସାନ ଭଉଣୀ ପାଇଁ କାହିଁକି ନୁହେଁ  ?  ବୋଧହୁଏ ସ୍ୱପ୍ନାନନ୍ଦଠାରେ  କୌଣସି ଅନ୍ତର୍ନିହିତ ଗୁଣର ସନ୍ଧାନ ତା’ର ପିତା -ମାତା ପାଇଥିବେ, ଯାହାର ଡୋରୀ  ପାଠ ପଢିବାକୁ ଟାଣୁଥିଲା ।  ତା’ର ଆଖି ଛଳ ଛଳ ହୋଇ ଉଠୁଥିଲା । ଘନ  ଘନ ପ୍ରଣିପାତ କରି, ଲୁହ ପୋଛି ସ୍ୱର୍ଗପୁରରୁ ପିତା – ମାତାଙ୍କୁ  ଆବାହନ କରୁଥିଲା ସଶରୀରେ ଦେଖିବା ପାଇଁ । ତାଙ୍କର ଦୁଃଖ ନିବାରଣ କରି ଭଲ ଭଲ ଖୁଆନ୍ତା । ବାପାଙ୍କୁ ପିଲାଦିନେ ମୋଡିଦେଲେ ବି ପିଲା  ହାତ ପାପୁଲିର  ଶକ୍ତି ଦ୍ୱାରା ତା’ଙ୍କ ଶରୀରରେ ସୃଷ୍ଟି ହେଉଥିବା ହଳ ବୁଲାଇବାର କ୍ଳେଶ ଲିଭୁନଥିଲା ନିଶୟ । ଏବେ  ତା’ର ଶକ୍ତ ପାପୁଲିରେ ବାପାଙ୍କୁ ଘଷି ମୋଡି ଦେଇ ସେ ପିତୃ  ସେବାର ଆନନ୍ଦରେ ବିଭୋର ହୋଇ ଉଠନ୍ତା । କଲେଜ ଛୁଟି ହେଲେ ନିଜ ପାଖରେ ଥିବା ସୀମିତ ଖର୍ଚ୍ଚ ପଇସାରୁ କାଟ୍‍ କରି  ପାଚିଲା କଦଳି, କମଳା, ସେଓ,  ଖରାଦିନେ ପାଚିଲା ଆମ୍ବ ଆଦି କିଣି ଘରକୁ ଆଣେ ।  ଘରେ ଅନ୍ୟ ମାନଙ୍କୁ ଦେଇ ନିଜେ ବାପା – ବୋଉଙ୍କ ପାଖରେ ଜଗି ବସି ରହେ, ତାଙ୍କ ପାଇଁ  ସ୍ୱତନ୍ତ୍ର ଭାବେ  ରଖିଥିବା ଫଳ ଆଦି ସାମ୍ନାରେ ଖୁଆଇ ସାରିବାଯାଏ ।  ବାପା – ବୋଉ କିନ୍ତୁ ସେଥିରୁ କିଛି ନାତି – ନାତୁଣୀ (ବଡଭାଇଙ୍କ  ସନ୍ତାନ)ଙ୍କୁ ଦେବାପାଇଁ  କନମନ ହେବାର  ଜାଣି ସ୍ୱପ୍ନାନନ୍ଦ ଚିଡିକି କହେ ସେମାନଙ୍କୁ ଦିଆଯାଇଛି,  ତୁମେ ଖାଅ । ତାଙ୍କର ଖାଇବା  ଦେଖି  ଦେଖି ସ୍ୱପ୍ନାନନ୍ଦର ପେଟ ପୁରି ପୁରି ଯାଏ  ଓ ତା’ର ମନ ସ୍ୱର୍ଗୀୟ  ଆନନ୍ଦରେ ପୁଲକିତ ହୋଇଉଠେ । ତା’ର ଅନ୍ୟ ଭାଇମାନଙ୍କର ଏ ପ୍ରକାରର ଚିନ୍ତା କ’ଣ ପାଇଁ ନ ଥିଲା ତାହା ଭାବି ସେ କ୍ରୋଧିତ ହୁଏ , କିନ୍ତୁ କିଛି କହି ପାରେନା । ଏବେ ତା’ପାଖରେ ସବୁ ଅଛି, ପିତା – ମାତାଙ୍କୁ ଖୁସିରେ  ରଖିବା ପାଇଁ । କିନ୍ତୁ ସେମାନେ ଆରପାରିରେ । ଦିନେ ଶ୍ରୀକୃଷ୍ଣ ଗୁରୁ ଦକ୍ଷିଣା ରୂପେ ଗୁରୁଙ୍କ ମୃତ ସନ୍ତାନକୁ ଯମ ପାଖରୁ ହକାରି ଆଣି ଜୀବନ୍ତ ସମର୍ପି ଥିଲେ । ସିଏ ତ ଜଗତର କର୍ତ୍ତା । ତା’ଙ୍କ ପାଇଁ  କ’ଣ ବା ଅସମ୍ଭବ ! କିନ୍ତୁ ସ୍ୱପ୍ନାନନ୍ଦ  ପାଖରେ ସେ ଶକ୍ତି ନାହିଁ, ଯେତେବେଳେ ମନେ ପଡିଲା ଖାଲି ଡହଳ ବିକଳ  ହୋଇ  ଦି ଠୋପା ଲୁହ ଗଡାଇବା ସାର ହୁଏ ।  କଥାରେ ଅଛି – ପିତା – ମାତା, ବାଲ୍ୟ, ଯୌବନ, ଧନୁରୁ ତୀର, ଜିଭରୁ ବାକ୍ୟ, ଡେମ୍ଫରୁ ଫଳ ଆଦି ଥରେ ଚାଲିଗଲେ  ଆଉ ପଛକୁ ଫେରେନି । ତଥାପି …………….. ।

ସ୍ୱପ୍ନାନନ୍ଦ ବ୍ୟତିବ୍ୟସ୍ତ ହୋଇ ଉଠୁଛି । ଏ ପ୍ରବନ୍ଧ ମାଧ୍ୟମରେ କେତେବେଳେ ସେ ଆଉ ସେଦିନର ସାମାଜିକ ବିଜ୍ଞାନ ପରୀକ୍ଷା ଦେଇ ଘରକୁ ଫେରିବ ? ଅସୁମାରୀ  ଅନୁଭୂତି ପଥ ଅବରୋଧ କରୁଛନ୍ତି । କିନ୍ତୁ ତା’ର ମନର ଦୃଢତା କହୁଛି ନିଶ୍ଚିତ ରୂପେ ଉକ୍ତ ପ୍ରବନ୍ଧକୁ ସେ ସମାଜ ଆଗରେ ଉପସ୍ଥାପନ କରିବ । ସବୁ  ଭାବନାକୁ  ମନରୁ ପୋଛି ସେ ଲୟ ଲଗାଇଲା ପ୍ରଥମ ପରୀକ୍ଷା ଦିନର ଘଟଣା ଉପରେ । ପରୀକ୍ଷାର ପୁର୍ବ ଦିନ ସ୍କୁଲ୍‍ରେ ତା’ର ଏକମାତ୍ର  କଲମକୁ କିଏ ଚୋରାଇ  ନେଇ ଥିବାର ଜାଣିଲା । ଖୋଜାଖୋଜି କରି ପାଇଲା ନାହିଁ । ଗାଁ ସାଥିଙ୍କୁ କହିଲା । ରମେଶର ମଧ୍ୟ କଲମ ନଥିଲା କିନ୍ତୁ ବଳରାମର ଗୋଟାଏ ଥିଲା । ଘରେ ତ  କଲମ  କିଣିବାକୁ ପଇସା ମାଗିଲେ ଦେବେନି, ଗାଳିଦେବେ, ଏବେ ଦିଆ ଯାଇଥିଲା କହିବେ । ଘରେ ଅର୍ଥର ଏତେ ଭୟଙ୍କର ଅଭାବରେ ମାଗିବାକୁ ଅନ୍ତରାତ୍ମା ବିରୋଧ  କଲା । ସେ ଓ ରମେଶ ଏକ ବୁଦ୍ଧି ପାଞ୍ଚିଲେ । ରମେଶ ପାଖରେ ଗୋଟିଏ ପୁରୁଣା ପାତ (Shaving Blade) ଥିଲା । ପାକଳ ବାଉଁଶର ସରୁ କଣି (ଡାମ୍ଫଣ  ମୋଟେଇ ସହ ସମାନ)କୁ ଦଶ ବାରଟି କଲମ ଲମ୍ବାର ସାଇଜ କରି ଭାଙ୍ଗିଲେ ।  ରମେଶ କାଠିକୁ ଧରି ପାତରେ ଅନ୍ୟ ମୁଣ୍ଡକୁ ତେରେଛା କରି  ଆଗକୁ ଛାଟିକି  କାଟିଲା, ଯେପରି କଲମର ମୁନ ପରି ମୁନିଆଁ ହେବ । ସେଇଆ ହେଲା ଓ କାଳି ବୋତଲରେ ବୁଡାଇ ଲେଖିବାରୁ ମୁନର ସୂକ୍ଷ୍ମତା ଅନୁଯାୟୀ  କାଗଜ ଉପରେ  ମୋଟା ଓ ସରୁ ଗାର ଆଦି ଦେଖାଗଲା । କାଠି କଲମ ପରି ବାରମ୍ବାର ଦୁଆତରେ ବୁଡାଇ ଲେଖିବାକୁ ପଡିବ । ଯାହାହେଉ ସେଥିରୁ କେତୋଟି ସରୁଆ  ଗାର  ପଡୁଥିବା କାଠି ବାଛି ସେ ଦୁହେଁ ପର ଦିନ ପରୀକ୍ଷା ପାଇଁ ସାଇତି ରଖିଲେ ଓ ଘରେ ଏ କଥା ଜଣାଇଲେ ନାହିଁ । ପୁଣି ମନେ ପଡିଲା କାଳି ଦୁଆତ  ! ତିନି ପଇସାରେ  ଏକ ମୁଣ୍ଡା କାଳି ମିଳେ । ଏ ଉପାଖ୍ୟାନକୁ ବର୍ଣ୍ଣନା କଲେ ଏକ ବଡ ପୋଥି ହେବ । ତେଣୁ ଯେତେ କମ୍‍ କାମଚଳା ବଜେଟ୍‍ରେ ମାତିଲା ସ୍ୱପ୍ନାନନ୍ଦ । ସେତେବେଳେ  କାଳିପୁର୍ଣ୍ଣ ଦୁଆତ ଦୋକାନରେ ମିଳେ । ପ୍ରଥମ ବୋତଲର କାଳି ସରିଗଲେ ସେ ଦୁଆତକୁ ଅଧିକାଂଶ ପିଲା ପୁନଃ ବ୍ୟବହାର କରନ୍ତି । ମୁଣ୍ଡା କାଳି (ଗୋଲାକାର)  ଗୋଟାଏ କିଣି ତାହାକୁ ଖାଲି ଦୁଆତରେ ପାଣି ରଖି ଠିପି ବନ୍ଦ୍‍ କରି ସାରା ରାତି ରଖାଯାଏ । ସକାଳୁ ମିଳେଇ ଯାଇଥାଏ ଓ ତଳ ଉପର କରି ଫେଣ୍ଟି ଦେଲେ ହେଲା । ଝର କଲମରେ କାଳି ଢାଳିଲା ବେଳେ ହାତରେ ଲାଗେ, ତଳେ, ସାର୍ଟ୍‌ ପ୍ୟାଣ୍ଟ୍‍, ଖାତା, ବହି , ବ୍ୟାଗ୍‍ ଆଦିରେ ପଡି କଳା ଦିଶେ । ସ୍ୱପ୍ନାନନ୍ଦର ବେଶି ଢାଳି ହୁଏ । କେବେ କେବେ କାଳି ଦୁଆତ ଢିଲା ହୋଇ ବ୍ୟାଗ୍‍ରେ ଢାଳି ହୋଇ ବହି – ଖାତା ଓ  ବ୍ୟାଗ୍‍ର କିଛି ଅଂଶ କଳା ପଡିଯାଏ, ହାତ ଟିପ ତ ସବୁବେଳେ କଳା । କାଳି  ତିଆରି କରିବା, ମୋଟା ଓ ପତଳା କାଳି ହେଲେ ପୁଣି ପାଣି ମିଶାଇବା କିମ୍ବା ଆଉ ମୁଣ୍ଡାରୁ ଭାଙ୍ଗିକି ପକାଇବା ଇତ୍ୟାଦିରେ ସେ ପାଗଳ ବାଇଆ ହୋଇଯାଏ । ସବୁ  ତା’ପାଇଁ ଅସୁବିଧା ହେଉଛି । ବିଭିନ୍ନ ପିଲାଙ୍କର ଲାଗିଥିବା  କଳାଦାଗ ଦେଖି ପରସ୍ପର ମଧ୍ୟରେ ଚିଡାଚିଡି ହୁଅନ୍ତି ।  ଦିନେ ଗିରିଧାରୀ ସାର୍‍ଙ୍କୁ ଅଙ୍କ ଖାତା ଦେଖାଇଲା ବେଳେ କାଳିର ଛିଟା ପଡି ଅସୁନ୍ଦର ଦେଖା ଯାଉଥିବାରୁ ବେତକୁ ଖାତା ଭିତରେ ରଖି ବାହାରକୁ ଛାଟି ଦେଇ କହିଲେ – ଏ ଖାତାକୁ ବିଲେଇ ଆମ୍ପୁଡିଛି । ସବୁ ପିଲା  ହସିଲେ । ଲାଜରେ ମୁହଁ ତା’ର ଶେତା ପଡିଯାଏ । ସେତେବେଳର କ୍ଲାସ୍‍ର ଦୃଶ୍ୟ – ବ୍ୟାଗ୍‍ ଗୁଡିକରେ କଳାଛାପ, ହାତର ଟିପ କଳା,  ବହିରେ କଳା,  ଖାତାରେ  କଳା,  ସାର୍ଟ୍‌ ପ୍ୟାଣ୍ଟ୍‍ରେ କଳା, ମୁହଁରେ ହାତ ବାଜିଗଲେ ଗାଲ ମଧ୍ୟ କଳା ……. ଆଦିକୁ  ସେ ପିଲାଦିନେ ପଢୁଥିବା – ମାଣବସା ବା ଲକ୍ଷ୍ମୀ ପୁରାଣରେ  ଏକ  ଘଟଣା ସହ ତୁଳନା କରେ । ଜଗନ୍ନାଥ ଓ ବଳଭଦ୍ର ଲକ୍ଷ୍ମୀଛଡା ହୋଇ ଭୋକରେ ଖାଦ୍ୟ ଅନ୍ୱେଷଣ ନିମିତ୍ତ ଜଗାକୁ ପାକଶାଳାରେ ପ୍ରବେଶ କରିବାକୁ  ବଳଭଦ୍ର  କହିଲେ । ଅନେକ ସମୟ ଯାଏ ଖୋଜାଖୋଜି କରି କିଛି ତ ମିଳିଲାନି ବରଂ ରୋଷେଇ ଶାଳର କଳା ଜଗାର ମୁହଁ ହାତ ଆଦିରେ ଲାଗିଗଲା । ବଳଭଦ୍ର ବାହାରେ  ରଡି ଛାଡୁଛନ୍ତି – ଜଗା ! ତୁ  ସବୁ ଖାଇ ଯାଉଛୁ ଭିତରେ ରହି , ମୋତେ କିଛି ଦେଉନୁ, ସେଇଥିପାଇଁ ତୋତେ ବଡଖିଆ ବୋଲି କହୁଛନ୍ତି । ଜଗା ବାହାରକୁ ଆସି  କହିଲା ଭିତରେ କିଛି ମିଳିଲାନି ଓ ତା’ର ଚେହେରା ଦେଖି ବଳଭଦ୍ର ଆଶ୍ଚର୍ଯ୍ୟ ହୋଇଗଲେ । କବି ଲେଖିଛନ୍ତି –

“ଦେହରେ ଲାଗିଲା କଳା ମୁହଁରେ ଲାଗିଲା ….. କଳା ଶ୍ରୀମୁଖ ଗୋଟିକ ଝଟକି ଦିଶିଲା” । ତେବେ କ’ଣ ସେ ସମୟ ଏକ  ଲକ୍ଷ୍ମୀଛଡା  ପରିବେଶ ଥିଲା !!

ପ୍ରତିରୋଧ କରୁଥିବା ଭାବନାଗୁଡିକୁ ଏଡାଇ ଏଡାଇ ସେ ପରୀକ୍ଷା ଦେବାକୁ ବାହାରିବାର ଭାବନାରେ ମନଦେଲା ।  ଦାଣ୍ଡରେ ଥିବା ବଡ ମାନଙ୍କୁ ଜୁହାର  କରିବାକୁ  ବୋଉ କହିଲେ । କିନ୍ତୁ ସେ ଖାଲି ବାପା ଓ ବୋଉଙ୍କୁ ଜୁହାର କଲା । ଆଉ ଯିଏ ତା’ର ଠିକ୍‍ ଉପର ଭଉଣୀ ଓ ଆଉ କିଏ ଥିଲେ  ମନେ ପଡୁନି,  କିନ୍ତୁ ସେମାନଙ୍କୁ  ଜୁହାର ହେବାକୁ ଲାଜ ଲାଗୁଥିଲା । ବାଟରେ ରମେଶ ଓ ବଳରାମ ସହ ମିଶିଲା । ସ୍କୁଲ୍‍ରେ ପରୀକ୍ଷାରେ ବସି ପ୍ରଶ୍ନପତ୍ର ପଢିଲା । ଏଥିପାଇଁ ତ ସେ କିଛି ପଢି ନଥିଲା  ଓ କ’ଣ ପଡିବ ସେ ଧାରଣା ଆଦୌ ନଥିଲା । ତେବେ ପ୍ରଶ୍ନପତ୍ରର  ଅବିକଳ ସ୍ୱରୂପ କ’ଣ ଥିଲା, ତାହା ଅତୀତର ସ୍ମୃତିରୁ ଯାହା ମନେ ପଡିଲା ନିମ୍ନରେ ଦର୍ଶା ଯାଇଛି –

(୧) ସପ୍ତାହର ସାତ ବାରର ନାମ ଲେଖ ।

(୨) ତୁମ ଘରକୁ ଅତିଥି ଆସିଲେ ତାଙ୍କର କିଭଳି ଚର୍ଚ୍ଚା କରିବ ।

(୩) କେଉଁ ସମୟରେ ଆମ ଛାଇ ଲମ୍ବା ହୁଏ ଓ କେଉଁ ସମୟରେ ଛୋଟ ହୁଏ ।

(୪) ମନେ ପଡୁନି …………..

(୫) ମନେ ପଡୁନି …………..

……………………………….

……………………………….

ସମୁଦାୟ ପ୍ରଶ୍ନ ସଂଖ୍ୟା ମନେ ନାହିଁ, କିନ୍ତୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସମ୍ପୂର୍ଣ୍ଣ ମନରେ ଅଛି । ପ୍ରଥମ ପ୍ରଶ୍ନ ପଢି ସେ ଖୁସି ହେଲେ ବି କେବେ ଖାତାରେ ଲେଖି ନଥିଲା । ଘରେ ବାହାରେ ଯାହା କଥାବାର୍ତ୍ତା ହୁଅନ୍ତି ସେ ଜାଣିଥିଲା ଓ ସେହି ଅନୁସାରେ ଲେଖିଲା  ।

ପ୍ରଥମ ପ୍ରଶ୍ନର ଉତ୍ତର – (୧)  ରଇ , ସଁ , ମଙ୍ଗଳ , ବୁଧୁ , ଗୁରୁ , ଶୁକର , ଶନି  । ସେ ଏଇଆ ଉତ୍ତର ଲେଖିଥିଲା । କେଉଁଥିରେ ବାର ଯୋଡା ହୋଇ ନଥିଲା । ସେ ଇଲାକାର ବୋଲ୍‍ଚାଲ୍‍କୁ ନେଇ ସେ ଲେଖିଲା । କାରଣ ସମସ୍ତେ କହନ୍ତି – ରଇବାର, ସଁ’ବାର , ମଙ୍ଗଳବାର, ବୁଧୁବାର ,ଗୁରୁବାର, ଶୁକରବାର ଓ ଶନିବାର । ସ୍ୱପ୍ନାନନ୍ଦ ସଠିକ୍‍ ଉତ୍ତର ଦେଇଛି ଭାବି ଖୁସିରେ ବାଉଁଶ କାଠି କାଳି ଦୁଆତରେ ବୁଡାଇ ଟିକେ ଝାଡି ଦ୍ୱିତୀୟ ପ୍ରଶ୍ନର ଉତ୍ତର ଦେବାକୁ ଅଙ୍କରେ ଦୁଇ ଲେଖିଲା –

(୨) ଦ୍ୱିତୀୟ ପ୍ରଶ୍ନକୁ ପଢି ପଢି ସ୍ୱପ୍ନାନନ୍ଦ ପାଇଁ କିଛି ଅବୁଝା ରହିଗଲା । ସନ୍ଦେହ ରହିଲା ‘ଅତିଥି’ ଶବ୍ଦ ଉପରେ । ଏହାର ଅର୍ଥ କ’ଣ ହୋଇପାରେ ! ଚିନ୍ତା କରି କରି     ମନକୁ ‘କୁଣିଆ’ର ଆଭାସ ଉଙ୍କି ମାରୁଥିଲେବି ତାହାର କୌଣସି ଗ୍ୟାରେଣ୍ଟି ଥିବାର ଆଶା ରଖିପାରୁ ନଥିଲା । ଯଦି ଭୂଲ୍‍ ହୁଏ, ତେବେ ସବୁ ବରବାଦ୍‍ ହୋଇଯିବ । ଯଦି  ‘କୁଣିଆ’ ଭାବି ସେ ଉତ୍ତର ଲେଖିବ, ତେବେ କ’ଣ ଲେଖିବ ?  ‘କୁଣିଆ’ ଆସିଲେ ତ ବହୁତ କିଛି କରାଯାଏ । ସମସ୍ତେ ଚଳ ଚଞ୍ଚଳ ହୋଇ ଉଠନ୍ତି । ସାର୍‍  ନିଶ୍ଚୟ ପଢାଇ ଥିବେ । କିନ୍ତୁ ସେ ତ ସେହି ସମୟରେ ସ୍କୁଲ୍‍କୁ ଆସୁ ନଥିଲା । ଜାଣିବ କେମିତି ? ଏ ଅଡୁଆ ସୂତାରୁ ଖିଅ ବାହାର କରି ନପାରି ତୃତୀୟ  ପ୍ରଶ୍ନକୁ  ପଢିଲା । ଛାଇ ବଡ ଓ ଛୋଟ ହେବାର ସେ ଜାଣିଛି ଓ ଦେଖିଛି । ଛାଇ ଖେଳ ବି ଖେଳିଛି । ସାଙ୍ଗ ସାଥି ମେଳରେ ନିଜର ଛାଇକୁ ମଧ୍ୟ ପାଦରେ ମାପିଛି । ଦିନରେ  କେଉଁ  ସମୟରେ ନିଜ ପାଦରେ କେତେ ପାଦ ଛାଇର ଲମ୍ବ ହୁଏ  ତାହା ମନେ ରଖନ୍ତି  ।   କିନ୍ତୁ ସେ   ଲେଖିବ କେଉଁଠି ?   ଦୁଇ ନମ୍ବରରେ ନା ତିନି  ନମ୍ବରରେ !  ଯଦି  ତିନି ନମ୍ବରରେ ଲେଖେ, ତେବେ ଦୁଇ ନମ୍ବର ଯିବ କୁଆଡେ  ?  ତା’ପାଇଁ ତ କିଛିନା କିଛି ବ୍ୟବସ୍ଥା  କରିବାକୁ ପଡିବ ।  ନହେଲେ ସବୁ  ଗୋଳମାଳିଆ ହୋଇଯିବ ।  ସେ ନମ୍ବରଟି ନିଶ୍ଚୟ ମନ ଦୁଃଖ କରିବ ।  ଦୟାର ହୃଦୟ ଆହୁରି ଦୟାବାନ୍‍ ହୋଇଉଠିଲା ।  ତା’କୁ କିଛି ଦେବାକୁ ପଡିବ । ବାପା କହନ୍ତି – “ଦେଇଥିଲେ ପାଏ …. ନଦେଇ ଥିଲେ ପଡିଆବାରେ ଗୋଧନ ଚରାଏ” । ଦବାରେ ଆନନ୍ଦ ଥାଏ, ନବାରେ ନୁହେଁ । ସତେକି ପ୍ରଶ୍ନର ସବୁ ନମ୍ବର  ଗୁଡିକ  ଡହଳ  ବିକଳ ହୋଇ ସ୍ୱପ୍ନାନନ୍ଦକୁ କହୁଛନ୍ତି – ଏ ପୁଅ ! କେତେ ଦିନରୁ ଆମେ ଛପା ହୋଇ ଶୁଖିଲା ପଡିଛୁ । ଭୋକରେ ପେଟ ଜଳି ଯାଉଛି । ତୋ’ପାଖରେ ସବୁ ଅଛି , ତୁ  ଦେଇପାରିବୁ ଓ ଯାହା ଦବୁ ତାହା ଖାଇ ଆମେ ଉଦର ଶାନ୍ତ କରାଇବୁ । ସଭିଙ୍କ ଆଗରେ ଦୁଇ ନମ୍ବରର ହାତ  ସ୍ୱପ୍ନାନନ୍ଦର ଗାଲକୁ ଆଉଁସି ଦେଇ  ଆଶୀର୍ବାଦ  ଦେଇ  କହୁଛି – ଦେ ପୁଅ ଦେ, ମନ ଊଣା କରନା , ତୋର ସବୁ ମଙ୍ଗଳ ହେବ । ଗାଁ’ର ବୁଢା – ବୁଢୀଙ୍କ ରୂପ ଆଖି ଆଗରେ ନାଚି ଉଠିଲା ।  କେତେ କଷ୍ଟ ପାଉଛନ୍ତି  ସେମାନେ । ସବୁଥିରେ ଅଣହେଳା । ପୁଅ – ବୋହୁ ମାନେ ବାପା ମା’ଙ୍କୁ ପାଳି କରି ଖାଇବାକୁ ଦେଉଛନ୍ତି । ପିଲାମନ ତା’ର ବିଦ୍ରୋହ କରି ଉଠେ । ଭାବେ ତା’  ବାପା  ମା’ଙ୍କୁ ସେମିତି ଆଦୌ କରିବ ନାହିଁ । ଅନ୍ୟ ଭାଇ ମାନେ ଏକମତ ନହେଲେ ଓ ଭିନ୍ନେ ହେବାକୁ ଯଦି ଜିଦି ଧରନ୍ତି, ତେବେ ନିଜେ  ବାପା ମା’ଙ୍କ ସହ ତା’ଙ୍କ ଶେଷ  ଜୀବନ ଯାଏ ଯୁକ୍ତ ହୋଇ ରହିବ । ପାଳିର ପ୍ରଶ୍ନ ଉଠିବ ନାହିଁ । ତାହାହିଁ ହୋଇଥିଲା ଓ ନିଜ ସୃଷ୍ଟି ନିକଟରେ ମଥାନତ କରି ପାଳି କରି ଖାଇବାର କାଙ୍ଗାଳ ଜୀବନର  ସ୍ୱାଦ ତା’ଙ୍କ ଭାଗ୍ୟରେ ଜୁଟି ନଥିଲା ।  ତା’ର ପିଲା ମନ ଦୁଇ ନମ୍ବର ପାଇଁ ଆକୁଳ  ହୋଇଉଠିଲା ଓ  ଶେଷକୁ ସେ  ନିଷ୍ପତି ନେଲା ଯେ, ଦୁଇ ନମ୍ବରକୁ  ଦେବା ପାଇଁ ତା’ପାଖରେ ତିନି ନମ୍ବର ପ୍ରଶ୍ନର  ଉତ୍ତର ମହଜୁଦ ଅଛି । ଏହାଦ୍ୱାରା ଦୁଇ ନମ୍ବର ଓ ସ୍ୱପ୍ନାନନ୍ଦ ଉଭୟ  ଖୁସି । ନିଜ ଅନ୍ତରର ନିଷ୍ପତିରେ ଆନନ୍ଦ  ହୋଇ ସେ ଦୁଇ  ନମ୍ବରର ଉତ୍ତରରେ ତିନି ନମ୍ବରର ଉତ୍ତର ଲେଖିଲା , ଯଥା –

ସକାଳେ ଆମ ଛାଇ ବଡ ହୁଏ ।

ଗାଧୁଆବେଳେ ଆମ ଛାଇ ଛୋଟ ହୁଏ ।

ଛୁଟିଦିନ ଆଦିରେ ସ୍ୱପ୍ନାନନ୍ଦ ସକାଳୁ ଗାଧାଏନି । ମଧ୍ୟାହ୍ନରେ ନଈ କୂଳରେ ଗାଧୋଇବାର ଜନ ସମାବେଶ ଦେଖି ଆନନ୍ଦ ଲାଗେ । ସେଥିପାଇଁ ସେ ସମୟକୁ ସମସ୍ତେ  ଗାଧୁଆ ବେଳ କହନ୍ତି । ଗାଧୋଇବା ପାଇଁ ଘରୁ ପଢା – ଅପଢା ସାଙ୍ଗ ମାନଙ୍କ ସହ ନଈକୁ ଆସିବା ବାଟରେ ନିଜ ନିଜ ଛାଇକୁ ସବୁଠୁ ଛୋଟ ହେବାର ଦେଖନ୍ତି  ତେଣୁ ଉତ୍ତର ସେଇଆ ଦେଲା  ।  ସକାଳେ ଓ ସନ୍ଧ୍ୟା ସମୟରେ ଛାଇ ଲମ୍ବା ଏବଂ ମଧ୍ୟାହ୍ନରେ ଛୋଟ ହେବାର ପିଲାଠୁ ବଡ ସବୁ ଜାଣନ୍ତି ।  ଉତ୍ତରରେ  ସନ୍ଧ୍ୟା  ସମୟ କଥା ସେ ପାଶୋରି ଦେଇଥିଲା ।  କିନ୍ତୁ ପ୍ରଶ୍ନ ନଂ ୩ ରେ କ’ଣ ଉତ୍ତର ଲେଖିଲା ଓ ଅନ୍ୟ ପ୍ରଶ୍ନ ଗୁଡିକରେ କି ଉତ୍ତର ଦେଲା  ଏବେ ବି ତା’ର ସ୍ମୃତିର ବାହାରେ ।

ପରୀକ୍ଷା ଦେଇ ସେ ରମେଶ ସହ ଘରକୁ ଫେରିଲା । ବଳରାମ ଆଗରୁ ଘରକୁ ପଳାଇ ଯାଇଥିଲା ଓ ସେହି ଦିନ ତା’ ଜୀବନର ଶେଷ ପରୀକ୍ଷା ଥିଲା । ତା’ଙ୍କ ଘରେ  ଚେଷ୍ଟା କରିଥିଲେ ବି ନିୟତି ବୋଧହୁଏ ତା’ର ଆଉ ସ୍କୁଲ୍‍ ମାଟି ମାଡିବାର ସପକ୍ଷରେ ନ’ଥିଲା । ବାଟରେ ଦୁହେଁ ପ୍ରଶ୍ନ ଉପରେ ଆଲୋଚନା କଲେ ଓ ରମେଶର ଉତ୍ତର ସ୍ୱପ୍ନାନନ୍ଦକୁ ପୁରା ଠିକ୍‍ ଲାଗିଲା । କାରଣ ସେ ‘ରଇ’ ସ୍ଥାନରେ ରବିବାର ଓ  ‘ସଁ’ ସ୍ଥାନରେ ସୋମବାର ଲେଖିଥିଲା । ପୁଣି ଦ୍ୱିତୀୟ ପ୍ରଶ୍ନ ବିଷୟରେ ଆଲୋଚନାରୁ  ଅତିଥି ମାନେ କୁଣିଆ ବୋଲି ରମେଶ ପାଖରୁ ଜାଣିଲା । ସେ କ’ଣ ଲେଖିଲା ବୋଲି  ସ୍ୱପ୍ନାନନ୍ଦ ପଚାରିବାରୁ ସେ କହିଲା – ଗୋଡ ଧୋଇବାକୁ ପାଣିନୋଟା   ଦିଆଯାଏ, ବସିବାକୁ ମସିଣା, ପାନ ବିଡି ….. ଆଦି । ତୃତୀୟ ପ୍ରଶ୍ନର ଉତ୍ତରରେ ସେ କହିଲା ସକାଳେ ଓ ସଂନ୍ଧ୍ୟା ସମୟରେ ଛାଇ ଲମ୍ବା  ଏବଂ ମଧ୍ୟାହ୍ନରେ  ଛୋଟ  ହୁଏ । ଏସବୁ ଶୁଣି ସ୍ୱପ୍ନାନନ୍ଦ ଭାବିଲା ଇଏ ତ ପାଠରେ ତା’ଠାରୁ ଦୁର୍ବଳ, କିନ୍ତୁ ଏତେ ଠିକ୍‍ ଲେଖିଲା କେମିତି ? ସ୍ୱପ୍ନାନନ୍ଦ ଭାବିଲା ଯେ କୁଣିଆର ଆଭାସ ମନକୁ ଆସୁଥିଲେବି ସେ ସଜାଇକରି ଲେଖିପାରି ନ’ଥାନ୍ତା । ସେଥିପାଇଁ ସେ ବ୍ୟତିବ୍ୟସ୍ତ ହେଲା ନାହିଁ । କାରଣ ତିନି ନମ୍ବରର ଉତ୍ତରକୁ ସେ ଦୁଇନମ୍ବରରେ ଲେଖିଛି । ତଥାପି ଅଧାପନ୍ତରିଆ ହୋଇଗଲା, ଯେହେତୁ ସଂନ୍ଧ୍ୟା ସମୟ କଥା ଛାଡି ଦେଇଛି । ଏବେ ସ୍ୱପ୍ନାନନ୍ଦ ଭାବୁଛି ବୋଧହୁଏ ତିନି ନମ୍ବରର ଉତ୍ତରକୁ ନେଇଆସି ତାହାକୁ  ସମ୍ପୂର୍ଣ୍ଣ ନିସ୍ୱଃ କରିବାଟା ବୋଧେ ଈଶ୍ୱରଙ୍କ ଇଛା ବିରୁଦ୍ଧରେ ଥିଲା । ତେଣୁ ଈଶ୍ୱର ତା ମନରୁ ଏକଥା ଲିଭାଇ ଦେଇଥିବେ । ଏହା ସୂଚାଉଛିଯେ, ନିଜର ଉନ୍ନତି ନିମିତ୍ତ  କାହାକୁ  କାଙ୍ଗାଳ କରିବା ହେଉଛି ପ୍ରକୃତି ବିରୁଦ୍ଧ କାର୍ଯ୍ୟ । ପୁଣି ସେ ରମେଶକୁ ନିଜର ଉତ୍ତର  ଦେବା  ବିଷୟରେ କହିଲା ଓ ତିନି ନମ୍ବରର ଉତ୍ତରକୁ ସେ ଦୁଇ ନମ୍ବରରେ ଲେଖିଛି । ରମେଶର ଏ ବିଷୟରେ କିଛି ପ୍ରତିକ୍ରିୟା ପ୍ରକାଶ କରି ନଥିଲା । ସମ୍ଭବତଃ ଏ ଜଟିଳତା ମଧ୍ୟକୁ ସେ  ପ୍ରବେଶ କରି ପାରି ନଥିଲା । ତଥାପି  ସ୍ୱପ୍ନାନନ୍ଦର ମନ   ଆନନ୍ଦରେ ଉଛୁଳୁଥାଏ, କାରଣ ସେ କିଛି ଭୂଲ୍‍ କରି ନଥିଲା ।

ଘରେ ପହଞ୍ଚି ବଡ ଭାଇଙ୍କୁ ପ୍ରଶ୍ନପତ୍ର ଦେଖାଇଲା ସ୍ୱପ୍ନାନନ୍ଦ ।  ଭାଇ ପଚାରିଲେ ପ୍ରଥମ ପ୍ରଶ୍ନର ଉତ୍ତର କ’ଣ ଲେଖିଲୁ ? ସେ ଆନନ୍ଦରେ କହିଦେଲା ।  ଦୁଇନମ୍ବର  ବେଳକୁ  ସ୍ୱପ୍ନାନନ୍ଦ ଚଟାପଟ୍‍ କହିଲା, ସେ ଦୁଇନମ୍ବରରେ ତିନି ନମ୍ବରର ଉତ୍ତରକୁ  ଲେଖିଛି । ଭାଇ କିଛି ବୁଝି ପାରିଲେ ନାହିଁ । ଭାଇ ପୁଣି ପଚାରିଲେ ଓ ସେଇ ଏକା  ପ୍ରକାରର ଉତ୍ତର ସହ ସେ କହିଲା ଦୁଇନମ୍ବର ଆସିଲା ନାହିଁ, ତେଣୁ ସେହି ଯାଗାରେ  ତିନି ନମ୍ବରର ଉତ୍ତର ଲେଖିଦେଲି ।  ଭାଇ ବିରକ୍ତ ହୋଇ କହିଲେ – “ଯଦି ଦୁଇ ନମ୍ବର ଆସିଲାନାହିଁ, ଛାଡି ଦେଇଥା’ନ୍ତୁ । କିନ୍ତୁ ଦୁଇ ନମ୍ବରରେ ତିନି ନମ୍ବରର ଉତ୍ତରର ଅର୍ଥ କ’ଣ ତାହା ମୁଁ ବୁଝି ପାରୁନାହିଁ ” ।  ସ୍ୱପ୍ନାନନ୍ଦ ବି କିଛି ବୁଝି      ପାରିଲା ନାହିଁ । ଭାଇ କହୁଛନ୍ତି ଛାଡି ଦେବା ପାଇଁ । କେମିତି କେଉଁବାଟେ ଛାଡିଥା’ନ୍ତି ? କ’ଣପାଇଁ ଛାଡିଥା’ନ୍ତି ? ସେ ଯାଗାରେ କିଛି ତ କରିବାକୁ ପଡିଥା’ନ୍ତା  ସିଏ ତ ବାଟ ଓଗାଳିଲା ।  ସେଥିପାଇଁ ସେ ସେଇଆ କଲା । ଭାଇ ଓଲଟା କଥା କ’ଣ କହୁଛନ୍ତି ! ଭାଇଙ୍କ ରାଗ ଦେଖି ସେ ମନ କଥାକୁ ମନରେ ଚାପି ରଖି ଏବେ    ସର୍ବ ସମ୍ମୁଖରେ ଲେଖା ମାଧ୍ୟମରେ ପ୍ରକାଶ କରୁଥିବାରୁ ତା’ ମନରେ ଭରି ରହିଥିବା ଅତୀତର ଅସୀମ ଭାବନାରାଜିର ଭାରରୁ କିଛିଟା ଲାଘବ ମିଳିଲା ।  ତା’ ପରେ  ଭାଇ ଆଉ କ’ଣ ପଚାରିଲେ ତାହା ସ୍ମୃତିର ବାହାରେ ଓ କିଛି ସମୟ ପରେ ସେ ଖାଉଥିବା କଥାହିଁ ମନେ ପଡୁଛି ।

ଅତୀତର ବିଶ୍ଳେଷଣ ପୂର୍ବକ ଭବିଷ୍ୟତର ଗଠନମୂଳକ କଳ୍ପନାକୁ ଦୃଷ୍ଟିରେ ରଖି ବର୍ତ୍ତମାନର କର୍ମକ୍ଷେତ୍ରରେ କର୍ମବୀର ହେବା ପ୍ରତ୍ୟେକଙ୍କ କର୍ତ୍ତବ୍ୟ ଅଟେ । ଏହାର  ଓଲଟା ଭାବାର୍ଥ ସମାଜ ପାଇଁ ନିଶ୍ଚୟ କ୍ଷତିକାରକ ଅଟେ ।  ସ୍ୱପ୍ନାନନ୍ଦର ସେ ସମୟର ଅପରିପକ୍ୱ ମସ୍ତିଷ୍କ । ପିଲା ମନର ପ୍ରଭାବରେ ସେ ପରୀକ୍ଷାରେ ଯେଉଁ ଭୂଲ୍‍  କରିଥିଲା, ସେହି ପ୍ରକାରର ଭୂଲ୍‍ ଭିନ୍ନ ମୋଡରେ ଅଧିକାଂଶଙ୍କ ଅଙ୍ଗେ ଅଙ୍ଗେ ଭରି ରହିଥିବାର ସେ ଅନୁଭବ କରି ଚାଲିଛି । ପୁଣି ପରିପକ୍ୱ ମସ୍ତିଷ୍କରେ ! ପରିପକ୍ୱ  କହିବା ହିଁ ଭୁଲ୍‍ । କାରଣ ନିଜ ପଦ ଓ ପଦବୀର କୁପ୍ରୟୋଗରେ ବ୍ୟସ୍ତ ଥିବା ମସ୍ତିଷ୍କ ଅପରିପକ୍ୱ ଅଟେ । ଭିକାରୀଟି ମଧ୍ୟ ‘ଭିକାରୀ’ ପଦ ମର୍ଯ୍ୟାଦାଯୁକ୍ତ ଅଟେ । ଏହା  କ୍ଷୁଦ୍ର ପାରିବାରିକ ପରିସରରୁ ଆରମ୍ଭ କରି  ଦେଶ – ଦେଶ ଯାଏଁ ପରିବ୍ୟାପ୍ତ ।  ସ୍ୱପ୍ନାନନ୍ଦର ଭୂଲ୍‍ କାହାପାଇଁ କ୍ଷତିକାରକ ନଥିଲା ।  ନିଜ ଖାତାରେ ମାର୍କ  କମି ଯାଇଥିଲା ସିନା, କିନ୍ତୁ ମନର ମୂଲ୍ୟାୟନ  ଜାଗତିକ ଚେତନାକୁ ସ୍ପର୍ଶ  କରିଥିଲା । ସେ କାହାର ବସ୍ତାନୀରୁ କଲମ ଚୋରାଇ ନେଇ ନଥିଲା । ପାରିବାରିକ ସୁଷମତାକୁ  ଅଗ୍ରାଧିକାର ଦେଇ ସେ କର୍ମବୀର ସାଜି ବାଉଁଶ କାଠିକୁ ମୁନିଆଁ କରି କଲମର ପ୍ରତିରୂପ ଦେଇପାରିଥିଲା । ଅନ୍ୟ ପିଲାଙ୍କ ଟାହି ଟାପରାକୁ ଭ୍ରୂକ୍ଷେପ କରି ନଥିଲା  କିମ୍ବା ଆତ୍ମ ନିମ୍ନଭାବ(Inferiority Complex) ଓ ଆତ୍ମ ଉଚ୍ଚଭାବ (Superiority Complex) କୁ ମନରେ ସ୍ଥାନ ଦେଇ ନଥିଲା ।

ତେବେ କାହା ପାଇଁ ଉଦ୍ଦିଷ୍ଟ ସାହାଯ୍ୟକୁ ବାଟମାରଣା କରିବା, ସ୍ୱଚ୍ଛ କାଗଜରେ ସ୍ୱଚ୍ଚ କଲମ ଦ୍ୱାରା ସ୍ୱଛଭାବେ ଲେଖି ମିଥ୍ୟାକୁ ସତ୍ୟ ରୂପରେ ପ୍ରକାଶ କରି ବାହାବା  ବୋଲାଇବା, ମନର ନିଅଣ୍ଟିଆ ବଜେଟ୍‍କୁ ଭରଣା କରିବା ନିମିତ୍ତ ଅନ୍ୟର ମୁଣ୍ଡରେ ହାତ ବୁଲାଇବା, ପାଣିକୁ ଗୋଳିଆ କରି ତହିଁରୁ ଫାଇଦା ଉଠାଇବା , ବାହାରେ    ଚଇନି ଚିକ୍‍କଣ ଓ ଭିତର ଅଳିଆ ଗଦା ପୂର୍ଣ୍ଣ, ପ୍ରପିଡୀତ ଓ ଆର୍ତ୍ତ ଜନଙ୍କ ମୁଖ ଚାପି ରଖିବା ଏବଂ ସେମାନଙ୍କୁ ନ୍ୟାୟ ନ’ମିଳିବା ନିମିତ୍ତ ନିଜର ବିସ୍ତାରିତ ବାହୁବଳ,  ଧନବଳ, ପଦବଳ ଆଦିକୁ ସର୍ବ ଦିଗରୁ ପ୍ରୟୋଗ କରିବା ………….. ଇତ୍ୟାଦି କ’ଣ ସ୍ୱପ୍ନାନନ୍ଦର ‘ପ୍ରଶ୍ନ ନମ୍ବର ଦୁଇରେ ପ୍ରଶ୍ନ ନମ୍ବର ତିନିର ଉତ୍ତର’ ର ଓଲଟା  ଚିନ୍ତନର ପ୍ରୟୋଗ ଧାରା ନୁହେଁକି ? ପ୍ରଶ୍ନ – ଉତ୍ତର, ଭାଷଣ – କାର୍ଯ୍ୟରେ ପ୍ରତିଫଳନ, ବାହ୍ୟ ଓ ଅନ୍ତର, ଉତ୍ସ(Source) ବା ରାଜା – ଅବଉତ୍ସ(Sink) ବା ପ୍ରଜା ଆଦି ମଧ୍ୟରେ ସମନ୍ୱୟତାର ଅଭାବ ରୂପୀ ଅରଣା ମହିଷୀର ବିନାଶ ଘଟାଇବା ନିମିତ୍ତ ସର୍ବେ ସତ୍‍ ଚେଷ୍ଟା କରିବା ଶ୍ରେୟଷ୍କର ଅଟେ । ଏହାଦ୍ୱାରା ମଙ୍ଗଳମୟଙ୍କ ସୃଷ୍ଟିର ଉଦ୍ଦେଶ୍ୟ ପ୍ରତିପାଦିତ ହୋଇପାରିବ । ମହାନ୍‍ ମାନବ ଜନ୍ମର ସାର୍ଥକତା ହୋଇପାରିବ । ଜନ୍ମ ଯଦି ପ୍ରଶ୍ନ ହୁଏ, ତେବେ ଜୀବନ ଲୀଳା ଆରମ୍ଭ ଠାରୁ ମୃତ୍ୟୁ  ଯାଏଁ  ଉତ୍ତର ଦେବାକୁ ପଡିବ । ଉତ୍ତର ଅଯାଗାରେ ଦେଲେ ତାହା କାହାର କିମ୍ବା ପ୍ରକୃତିର କ୍ଷତି ନ ହେବା ନିମିତ୍ତ ସତର୍କ ଦୃଷ୍ଟି ରଖିବା ସଦା ସର୍ବଦା ବାଞ୍ଛନୀୟ ଅଟେ ।

ଶେଷ ପାବଚ୍ଛରେ ବିଜ୍ଞାନର ପରିଭାଷାରୁ କିଞ୍ଚିତ୍‍ ମାତ୍ରାର ଉପାଦାନକୁ ହାଲୁକା ପ୍ରଲେପ ଦେଇ ସ୍ୱପ୍ନାନନ୍ଦ ଟିକିଏ ବିଶ୍ରାମ ନେବାକୁ ଆଗଭର ହୁଏ । ମାନବୀୟ ଚିନ୍ତା  ପ୍ରକ୍ରିୟା ଆଲୋକ ବା ବିଦ୍ୟୁତ୍‍ – ଚୁମ୍ବକୀୟ ତରଙ୍ଗ (Electro – magnetic  wave) ସଦୃଶ ଅଟେ । ସୂକ୍ଷ୍ମ ରୂପେ ଆଲୋକ ତରଙ୍ଗ ବସ୍ତୁତ୍ୱ ହୀନ ଶକ୍ତି ପୁଡିଆ (Photon)ର ସମାହାର ଅଟେ ।  ଶକ୍ତି ପୁଡିଆର ମାତ୍ରା  ତାହାର କମ୍ପନ(Vibration) ବା ଆବର୍ତ୍ତ (Frequency) ଉପରେ ନିର୍ଭରଶୀଳ । ଏ ଶକ୍ତି ପୁଡିଆ  ଗୁଡିକ ଆଲୋକର ବେଗରେ ଖଣ୍ଡିତ ରୂପେ ଅହରହ ଧାବମାନ ଏବଂ ଘଟୁଥିବା ବିଭିନ୍ନ କାରଣ ଓ ଘଟଣା ସହ ସଂଶ୍ଳିଷ୍ଟ ହୋଇଥାନ୍ତି । ପୃଥିବୀରେ ସୃଷ୍ଟି ହୋଇଥିବା  ଜୀବ  ଜଗତର ରକ୍ଷାର କାରଣ ଓଜୋନ୍‍ ସ୍ତର ଓ ଘଟଣା ସହ ଆଲୋକ ତରଙ୍ଗର ଦୃଶ୍ୟମାନ ବର୍ଣ୍ଣାଳୀ ସଂଶ୍ଳିଷ୍ଟ ଅଟନ୍ତି ।  ପ୍ରଶ୍ନର ଉତ୍ତର ଗୁଡିକ ଅଯାଗାରେ   କ୍ଷତିକାରକ ହେଉଥିବାରୁ ଓଜୋନ୍‍ ସ୍ତର କ୍ଷୟ ହେବାରେ ଲାଗିଛି । ସେହିପରି ଚିନ୍ତାଶୀଳ ମାନବର ଗଠନ ମୂଳକ  ଭାବ ହିଁ  ଓଜୋନ୍‍ ସ୍ତର ଅଟେ । ଶୟନେ, ସ୍ୱପନେ ଓ ଜାଗରଣେ  ମାନବର ମସ୍ତିଷ୍କ କ୍ରିୟାଶୀଳ । ଚିନ୍ତନ ମାନ ଆଲୋକ ତରଙ୍ଗ ପ୍ରବାହ ଧାରା ପରି ସ୍ପନ୍ଦିତ, ଖଣ୍ଡିତ , ଧାବିତ,  ଲୁକ୍‍କାୟିତ, ଅବଶୋଷିତ,  ପ୍ରକାଶିତ  ଆଦି ହୁଏ ।  ଯେପରି କୃଷ୍ଣ ବସ୍ତୁ (Black Body) ଆଲୋକର ସବୁ ଶକ୍ତି ପୁଡିଆକୁ ଅବଶୋଷଣ କରି ଲୁକ୍‍କାୟିତ କରିଥାଏ ଓ ଉତ୍ତପ୍ତ କଲେ ଏଥିରୁ ତାହା  ପ୍ରକାଶ ହୋଇଥାଏ । ନଷ୍ଟକାରକ  ଚିନ୍ତନ ସୁସ୍ଥ ମନୋଭାବକୁ  ଧିରେ ଧିରେ ଧ୍ୱଂସ କରେ ଓ ତାହା ଦୃଶ୍ୟମାନ ବର୍ଣ୍ଣାଳୀରେ ଭରି  ରହିଥିବା ବିଭିନ୍ନ ଶକ୍ତି ପୁଡିଆ  ସଦୃଶ ନ ହୋଇ କ୍ଷତିକାରକ ଗାମା ରଶ୍ମି  ପରି ପ୍ରକାଶିତ ହୋଇ ଜୀବ ଜଗତ ଉପରେ ବିଚ୍ଛୁରିତ ହୁଏ । ତେଣୁ ଗଠନ ମୂଳକ ଚିନ୍ତା ଦୃଢ କରେ ଗଠନ ମୂଳକ କାର୍ଯ୍ୟ ଧାରାକୁ ଓ ତାହା  ହେବ ପ୍ରକୃତିର ଅସୁମାରୀ ପ୍ରଶ୍ନର  ଯେତେଦୂର ସମ୍ଭବ ସୀମିତ ସୁସ୍ଥ ଉତ୍ତର ।

——————————————————————————————————————————–

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Type in
Details available only for Indian languages
Settings
Help
Indian language typing help
View Detailed Help