କବିତା – କଳ୍‍କୀ ନାଦ

କବିତା – କଳ୍‍କୀ ନାଦ

କଳ୍‍କୀ ନାଦ
*************
ଶୁଣ ସୁଜ୍ଞଜନେ ବାରେ ଦେଇ ମନ କର୍ଣ୍ଣ
ଅନନ୍ତ ଶୟନେ ସ୍ୱପ୍ନ ଦେଖି ନାରାୟଣ ।
ଯୋଗନିଦ୍ରା ତେଜିଣ ସେ ଚାହିଁଲେ ତେରେଛି
ମହାଲକ୍ଷ୍ମୀ ମଞ୍ଚାଳନ୍ତି ପାଦ ହସି ହସି ।
କି ବୋଲିବି ପ୍ରାଣପ୍ରିୟା ଅପୂର୍ବ ଏ ରୀତି
ସପନେ ଦେଖିଲି କଳିଯୁଗ ଅଧୋଗତି ।
କଳି କଳୁଷ ବିନାଶ ଅଟେ ଯେ ଅଟଳ
ମୋର ସାଥେ ଯୋଗ ଦେବେ ପାଣ୍ଡବ ସକଳ ।
ମୋର ଅଙ୍ଗୁ ରଶ୍ମି ନେଇ କରିବେ ସେ ରଣ
କଳ୍‍କୀ ରୂପେ ଅବତୀର୍ଣ୍ଣ ହୋଇବି ମୁଁ ଜାଣ ।
ମୁଁ କମଳାକାନ୍ତ ଯିବି କଇଳାସ ପୁର
ତିନୋଟି ଭୈରବ ରଡ଼ି କଣ୍ଠେ ଦେବେ ହର ।
ସେ ହେବ ଅମୋଘ ଅସ୍ତ୍ର ମ୍ଳେଛ ସଂହାରଣେ
କଳ୍‍କୀ ନାଦ ନାମ ତା’ର ହେତୁ କର ମନେ ।
ଦକ୍ଷିଣ ହସ୍ତ ଦେବେନ୍ଦ୍ର, ଯୋଗେନ୍ଦ୍ର ମୋ ବାମ
ରମାକାନ୍ତ ମୋର ବାସ ଗୋଲକର ଧାମ ।
ନେତ୍ର ଦୁଇ ମୋର ନବ ଜ୍ୟୋତି ପ୍ରକାଶିବ
ଅରୁଣପ୍ରଭା କି ପ୍ରାଚୀ ଗଗନେ ଦିଶିବ ।
ଏ ତ୍ରିଲୋକନାଥ ଧର୍ମ କରିବ ସ୍ଥାପନ
ଜଟା ଭିଆଇବି ଜାଣ ଗଙ୍ଗାଧର ସମ ।
ଢଳଢଳ ଶ୍ରୀମୁଖ କମଳ ମନୋରମ
କି ଶୋଭା ବିମ୍ବ ଅଧର ଚିତ୍ତ କରେ ଭ୍ରମ ।                                                                              ସାଧୁସନ୍ଥ ଦେଖି ଭକ୍ତି ସାଗରେ ଡୁବିବେ
ଦୁରାଚାରୀ ପାପୀଗଣ ଆତଙ୍କ ଗଣିବେ ।                                                                                  ମୋର
ବେନି ପାର୍ଶ୍ୱ ରକ୍ଷା ପାଇଁ ଲମ୍ବୋଦର
ରଥରେ ସାରଥୀ ଜାଣ କୃଷ୍ଣ ବେଣୁଧର ।
ରଥ ଧ୍ୱଜାରେ ବିଜୟଲକ୍ଷ୍ମୀଙ୍କର ବାସ
ପୂଜାର୍ଚ୍ଚନା ପାଇଁ ବିଜେ ସୁର ଓ ସୁରେଶ ।
ଦକ୍ଷ ପ୍ରସାଦରେ ହେବ କ୍ଷୁଧା ନିବାରଣ
ବକ୍ଷରେ ଧାରଣ ପାଦ ଶ୍ରୀବତ୍ସ ବ୍ରାହ୍ମଣ ।
ତ୍ରେତୟାରେ କୋଦଣ୍ଡ ଧରିଣ ମୁହିଁ  ରାମ
ଚଉଦ ବରଷ କଲି ବିହାର ବିପୀନ ।
ବାସନ୍ତୀ ଦୁର୍ଗାଙ୍କୁ ଆବାହନ କଲି ପରା
ସୁବାସ ହିଲ୍ଲୋଳେ ଭରି ଉଠିଥିଲା ଧରା ।
ପରମ ପୁରୁଷ ରୂପେ ଏ ଭଞ୍ଜକିଶୋର
ବାରହାତ ଖଣ୍ଡା ଧରିଥିବି ମୁଁ ପ୍ରବୀର ।
ସପ୍ତସିନ୍ଧୁରୁ ଶକତି ଦେବ ସେ କ୍ଷୀରୋଦ
ସୁରଗଣ ମଧ୍ୟେ ଶ୍ରେଷ୍ଠ ଯେପରି ସୁରେନ୍ଦ୍ର ।
ସେପରି ଏ ଅବତାର ମୋର ଶ୍ରେଷ୍ଠ ହେବ
ଜଗନ୍ନାଥ କ୍ଷେତ୍ରୁ ରଣ ଆରମ୍ଭ ହୋଇବ ।
ରେବତୀ ନକ୍ଷତ୍ରେ ପୁଣି ମୀନ ଚନ୍ଦ୍ର ଯୋଗେ
ରଥେ ବିରାଜିବି ମୁଁ ସୁବୋଧ ସନ୍ଧ୍ୟା ଭାଗେ ।
ଅସ୍ତ୍ର ଧାରଣ କରିଣ ଚିନ୍ତିବି ଅଚ୍ୟୁତ
ଧରା ପୃଷ୍ଠେ ପ୍ରବାହିତ କାଳ ଯେ ହେମନ୍ତ ।
ପାଞ୍ଚଜନ୍ୟ ଶଙ୍ଖ ପୁଣି ସୁଘୋଷର ନାଦ
ଶ୍ରେଷ୍ଠ ବିଭୁଭକ୍ତ ପାଠ କରୁଥିବେ ବେଦ ।
ହରିବୋଲ, ହୁଳହୁଳି, ଘଣ୍ଟ ଧ୍ୱନି ମାନ
ସର୍ବ ସମାହାରେ କଳ୍‍କୀ ନାଦେ ହେବ ଲୀନ ।
ସେ ନାଦରେ ଆନ୍ଦୋଳିତ ହେବେ ମ୍ଳେଚ୍ଛ ଗଣ
ଗୋଳଯୁଦ୍ଧେ କଳ୍‍କୀ ହସ୍ତେ ହେବେ ସଂହାରଣ ।
ମୁଁ ଯା’ର୍ର ଅଧୀନ ତା’ର କଣ୍ଠୁ ବେଦ ଜାତ
ଭକ୍ତ ଶ୍ରେଷ୍ଠ ପ୍ରହଲ୍ଲାଦ ଯୁଗେଯୁଗେ ଖ୍ୟାତ ।
**************************************

Type in
Details available only for Indian languages
Settings
Help
Indian language typing help
View Detailed Help