ବାବା ମଣି – ନେ ଟାଣି
ଶ୍ରାବଣ ମାସରେ ବୋଲ୍ବମ୍ ଭକ୍ତମାନଙ୍କର ଧାଡିବାନ୍ଧି ଯିବାର ଦୃଶ୍ୟ ମନରେ ଭରିଦିଏ ଅପାର ଆନନ୍ଦ । ଗେରୁଆ ବସ୍ତ୍ର ପରିଧାନ କରି ଦୁଇଟି ଜଳପୂର୍ଣ୍ଣ ଘଟକୁ ଏକ ବାଉଙ୍ଗୀ ଦ୍ୱାରା କାନ୍ଧରେ ବୋହି ଖାଲିପାଦରେ ଚାଲିଚାଲି ଯିବା ସହ ହୃଦୟର ନିଭୃତ କନ୍ଦରରୁ ଶିବଙ୍କ ପ୍ରତି ଅନାବିଳ ଭକ୍ତିର ସୁଧାରସ ଝରାଉଥାନ୍ତି । ଭକ୍ତର ଡାକରେ ବାତାବରଣ ପଲ୍ଲବିତ ହୋଇଉଠେ, ଯଥା –
ବୋଲ୍ବମ୍ ……….. ହର୍ହର୍ ବମ୍
ଭୋଲେବାବା ………. ପାର୍କରେଗା
ଜଟିଆବାବା …………. ପାର୍କରେଗା …….. ଇତ୍ୟାଦି ।
ପ୍ରତିବର୍ଷ ଶ୍ରାବଣ ଆସୁଛି । ଭାରତବର୍ଷ ଗୈରିକ ଆଭାରେ ମଣ୍ଡିତ ହେଉଛି ଶିବଭକ୍ତମାନଙ୍କ ଦ୍ୱାରା । ଶୈବପୀଠ ଗୁଡିକୁ ଛୁଟୁଛି ଭକ୍ତିସ୍ରୋତର ଗଙ୍ଗାଧାର ।ଧାରଶ୍ରାବଣର ସର୍ବତ୍ରଲଗାଣ ବୃଷ୍ଟିପାତଯୋଗ ସହ ସତେକି ଆଉ ଏକ ନୁହୁକିର ଘଟିଛି ଅପୂର୍ବ ମିଳନ । ଟପ୍ଟପ୍ ବର୍ଷା ପରି ଭକ୍ତର ଡାକ ବର୍ଷିଯାଉଛି ଧରିତ୍ରୀ ବକ୍ଷରେ । ସେଥିରେ ଭରି ରହିଛି ସ୍ୱର୍ଗୀୟ ପ୍ରେମର ଅଲୌକିକ ସ୍ପନ୍ଦନ । ଏ ଡାକ କେତେଦୂର ଯାଏ ଶୁଭୁଛି ? ଏହି ଭକ୍ତି ଡାକର ଦୂରତା ମାପିବାର ଯନ୍ତ୍ର ଉଦ୍ଭାବନ ହୋଇନାହିଁ । ଭକ୍ତର ଉନ୍ମାଦ ମାନୁନାହିଁ ଦିବା-ନିଶି, ଖରା – ବର୍ଷା ଓ ଅନ୍ୟାନ୍ୟ ପ୍ରତିବନ୍ଧକକୁ । ବିଚିତ୍ର ଏ ବିଶ୍ୱରେ କେତେଯେ ବିଚିତ୍ର ଘଟଣାମାନ ପ୍ରତିମୁହୂର୍ତ୍ତରେ ଘଟୁଛି , ତାହାର ହିସାବ ରଖିବା ନିମିତ୍ତ ଆଜିର ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ମଧ୍ୟ ହାର ମାନୁଛି । ଏତାଦୃଶ ଅସଂଖ୍ୟ ଘଟଣାବଳୀରୁ ଏହି ଦୃଶ୍ୟମାନ ଘଟଣା ମନକୁ ଘନ ଘନ ଆନ୍ଦୋଳିତ କରେ । ଭକ୍ତିରସ ସାଗରରେ କୂଳର ସନ୍ଧାନ ଖୋଜୁ ଖୋଜୁ ଏହାର ବିଜ୍ଞାନ ଭିତ୍ତିକ ବିଶ୍ଳେଷଣ ପ୍ରତି ମନ ଆକୃଷ୍ଟ ହୋଇଉଠେ ।
ସେଦିନ ପାଞ୍ଚନମ୍ବର ଜାତୀୟ ରାଜପଥରେ ଭଦ୍ରକ ସହରକୁ ଏକ କ୍ଷୁଦ୍ର ବୋଲ୍ବମ୍ ଦଳ ଅତିକ୍ରମ କରି ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ବାବାଆଖଣ୍ଡଳମଣୀଙ୍କୁ ଜଳାଭିଷେକ କରିବା ନିମିତ୍ତ ଉଲ୍ଲସିତ ହୋଇ ଆଗେଇ ଯାଉଥିବାର ଦୃଶ୍ୟ ମାନସପଟରେ ସୃଷ୍ଟି କରିଥିଲା ଗଭୀର ଆଲୋଡନ । ପୂର୍ବରୁ ଏହି ପ୍ରକାର ଦୃଶ୍ୟ ଅନେକବାର ଦେଖାଯାଇଛି, କିନ୍ତୁ ସେଦିନର ଦୃଶ୍ୟ ଥିଲା ନିଆରା । ଯାତ୍ରାର ମୂଳବିନ୍ଦୁ କେଉଁଠୁ, ତାହା ଜାଣିବାର ଅବକାଶ ନାହିଁ । ଭକ୍ତ ଦଳରେ ମାତ୍ର ଚାରିଜଣ – ଦୁଇଜଣ ବୟସ୍କଙ୍କ ସହ ତାଳ ମିଳାଇଛନ୍ତି ଦଶ – ବାର ବର୍ଷର ଦୁଇଟି ଦୁର୍ବଳ କିଶୋର ଭକ୍ତ । ସନ୍ଧ୍ୟା ଆଗତ ପ୍ରାୟ । ପଶ୍ଚିମାକାଶରେ ଅସ୍ତଗାମୀ ସୂର୍ଯ୍ୟଙ୍କ ଲୋହିତ ଆଭା ସହ ଯୁକ୍ତ ଏ ଗୈରିକ ବସ୍ତ୍ରଧାରୀ ଭକ୍ତ ଦଳ ଅପୂର୍ବ ଭକ୍ତିପୂତ ଧ୍ୱନିରେ ଜନମାନସକୁ ବିମୋହିତ କରି ଚାଲିଛି । ତନ୍ମଧ୍ୟରୁ ଅଧିକ ଜୀବନ୍ତ, ହୃଦୟସ୍ପର୍ଶୀ ଓ ଭାବଗମ୍ଭୀର ହୋଇ ଉଠିଛି – “ବାବା ମଣି ନେ ଟାଣି” ର ଧ୍ୱନି । ଏହି ଡାକରେ ଭରିରହିଥିଲା ଭକ୍ତର ସମସ୍ତ ଅନ୍ତର୍ନିହିତ ଆକୁଳ ବେଦନାର ଆର୍ତ୍ତନାଦ । ଭକ୍ତ ତା’ର ସମସ୍ତ ଶକ୍ତିକୁ ଏକଜୁଟ କରି ଦୀର୍ଘପଥ ଅତିକ୍ରମ କରିବାର ପ୍ରୟାସରେ ସୁପ୍ତଥିବା ଆଶଙ୍କାର ଭାବକୁ ଏ ଡାକ ସମୂଳେ ଧ୍ୱଂସ କରୁଛି । ଏହାଦ୍ୱାରା ତା’ର ଶଙ୍କାକୁଳ ମନରେ ଦୃଢତା ଓ ନିଶ୍ଚିତତା ବୃଦ୍ଧିପାଉଛି । ଛୋଟ ବାଳକ ଦ୍ୱୟ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଆଶଙ୍କା ନିଶ୍ଚୟ ଅଧିକ । ତେଣୁ ତାଙ୍କର ଡାକରେ କରୁଣତାର ଗୁଞ୍ଜରଣ ଅତ୍ୟନ୍ତ ମର୍ମଭେଦୀ । କୋମଳ କଣ୍ଠରୁ ଭାସିଆସୁଥିବା ଭକ୍ତିର ଭାବାବେଗ ଓ ମାଧୁର୍ଯ୍ୟଭରା ଆକୁଳ ନିବେଦନର ଶବ୍ଦତରଙ୍ଗ ସତେକି ବିଶ୍ୱର ସବୁ ଜଡ ପଦାର୍ଥଠୁଁ ଆରମ୍ଭ କରି ଚଳତ୍ଙ୍କ ଶରୀରରେ କମ୍ପନ ସୃଷ୍ଟି କରୁଅଛି । ଏ କମ୍ପନର ତୀବ୍ରତା କ’ଣ ମପାଯାଇ ପାରିବ ? ପ୍ରଭୁ ଆଖଣ୍ଡଳମଣୀ ଆରଡିଶ୍ୱରଙ୍କଠାରେ ଭକ୍ତର ଅଖଣ୍ଡ, ଅଗାଧ ଓ ନିବିଡ ପ୍ରେମର ଆହ୍ୱାନ ଓ ଏହାର କାଉଁରୀ ସ୍ପର୍ଶରେ ପଥକ୍ଳାନ୍ତଜନିତ ଅବଶ ଦେହ ଓ ମନ ପୁନଃ ପୁନଃ ଶକ୍ତିଲାଭ କରି ଚାଲିଥିବ । ଭକ୍ତାଧିନ ଭଗବାନ ଭକ୍ତ ସହ ବନ୍ଧନଯୁକ୍ତ । “କଳିରେ ପ୍ରତ୍ୟକ୍ଷ ଠାକୁର – ଡାକିଲେ ଦିଅନ୍ତି ଉତ୍ତର” । ସବୁ ବାଧା ବିଘ୍ନ ଅତିକ୍ରମ କରିବାରେ ପରମ ନିଶ୍ଚିତତା ବୋଧଗମ୍ୟ ହୁଏ ଭକ୍ତ ଓ ଭଗବାନ ମଧ୍ୟରେ ଜାଗି ଉଠୁଥିବା ପ୍ରଚଣ୍ଡ ଆକର୍ଷଣବଳ ଦ୍ୱାରା । ଏହି ଆକର୍ଷଣବଳ ସୃଷ୍ଟି ହୋଇଥିଲା ସେଦିନ ଭକ୍ତ ସାଲବେଗର ଡାକରେ – ” ମୋ’ ଯିବାଯାଏ ନନ୍ଦିଘୋଷେ ଥିବୁ ରହି ” । ରଥଚକ ଗଡି ନଥିଲା । ଏତାଦୃଶ ପାରସ୍ପରିକ ସଂଯୋଗ ପରିସ୍ଥିତିର ତାଡନାରେ ଜାଗିଉଠେ, ଯଥା – ପିତାମାତା – ସନ୍ତାନସନ୍ତତି, ସ୍ୱାମୀ – ସ୍ତ୍ରୀ, ପ୍ରେମୀଯୁଗଳ, ଗୁରୁ – ଛାତ୍ରଛାତ୍ରୀ ……… ଇତ୍ୟାଦି ମାନଙ୍କ ମଧ୍ୟରେ । ସେହିପରି ଦେଶପ୍ରେମ, ବିଶ୍ୱପ୍ରେମ, ପ୍ରକୃତିପ୍ରେମ, …….. ଆଦି ମଧ୍ୟ ଏହାର ଏକ ଏକ ଉଦାହରଣ ସ୍ୱରୂପ ଗ୍ରହଣ କରାଯାଇପାରେ ।
ଏହି ପାରସ୍ପରିକ ପ୍ରେମଭାବରୂପୀ ଆକର୍ଷଣବଳ ଅନନ୍ତ ବ୍ରହ୍ମାଣ୍ଡର କେତେ ଦୂରକୁ ଯେ ଲମ୍ବି ଯାଇଥାଏ, ତାହା କୌଣସି ମାପକାଠି ଦ୍ୱାରା ମାପିବା ଅସମ୍ଭବ ।ଏତାଦୃଶ ଚେତନା ଉଜ୍ଜୀବିତ ହେବା ଏକ ଅସାଧାରଣ ସାଧନା । କର୍ମରେ ନିବିଡତା ଆସିଲେ ଦିବ୍ୟଚେତନା ଜାଗ୍ରତ ପୂର୍ବକ କୁଣ୍ଡଳିନୀ ଶକ୍ତିକ୍ଷେତ୍ର ଜାଗିଉଠେ ଓ ଏହାକୁ ଅତିମାନବସ୍ତର ରୂପେ ଗ୍ରହଣ କରାଯାଇପାରେ । ସୃଷ୍ଟିର ଛପନକୋଟି ଜୀବଙ୍କ ମଧ୍ୟରେ ସ୍ଥାନ – କାଳର ସ୍ୱତନ୍ତ୍ରତା ନଥାଇ ଏହି ପ୍ରେମାମୃତ ଧାରା ପରିସ୍ଥିତିର କ୍ରୂର ଆହ୍ୱାନରେ ପ୍ରକାଶିତ ହୁଏ । ଯେପରି ମୃଗୁଣୀ, ଗଜରାଜ, ପାଞ୍ଚାଳୀ ……… ଆଦିଙ୍କ ଆର୍ତ୍ତନାଦରେ ପରିବେଶ ଭୟଙ୍କର ଭାବେ ପ୍ରକମ୍ପିତ ହୋଇଉଠିଥିଲା ଓ ମହାଜାଗତିକ ଉତ୍ସରୁ ସାହାର୍ଯ୍ୟର ହସ୍ତ ଲମ୍ବି ଆସିଥିଲା । ଆଜିର ବିଜ୍ଞାନ କହେ – ଏ ବିଶ୍ୱବ୍ରହ୍ମାଣ୍ଡ ଚାରିପ୍ରକାର ପାରସ୍ପରିକ କ୍ରିୟା ମାଧ୍ୟମରେ ସନ୍ତୁଳିତ ଅବସ୍ଥାରେ ରହିଅଛି । ମହାକର୍ଷଣୀୟ ବଳ ପରମାଣୁଠାରୁ ଆରମ୍ଭହୋଇ ଅନନ୍ତ ବିଶ୍ୱର ନାକ୍ଷତ୍ରିକ ଜଗତ ମଧ୍ୟରେ ବିସ୍ତାରିତ ଓ ସର୍ବପରିବ୍ୟାପ୍ତ ଅଟେ । ବିଦ୍ୟୁତ୍ – ଚୁମ୍ବକୀୟ ବଳ ସର୍ବପରିବ୍ୟାପ୍ତ ସହ ଆକର୍ଷଣ ଓ ବିକର୍ଷଣର ସ୍ୱଭାବ ଦର୍ଶାଏ । ନାଭିକେନ୍ଦ୍ରୀୟ ଓ ଦୁର୍ବଳବଳ ଅଣୁ ଓ ପମାଣୁ ମଧ୍ୟରେ ସୀମାବଦ୍ଧ ଅଟେ । ଏହି ଚାରିପ୍ରକାର ବଳର ପରିମାଣକୁ ସ୍ଥିରୀକୃତ ଏକକ ଦ୍ୱାରା ଆକଳନ କରିବା ସହ ପରୀକ୍ଷାଗାରରେ ପ୍ରମାଣିତ ହୋଇପାରୁଛି । କିନ୍ତୁ ଭକ୍ତିର ତୀବ୍ରତା ଦ୍ୱାରା ଜାତ ହେଉଥିବା ପାରସ୍ପରିକ ଆକର୍ଷଣବଳର ପରିମାଣ ପରୀକ୍ଷାଗାରରେ ପ୍ରମାଣସିଦ୍ଧ ହେବା ସମ୍ଭବପର ନୁହେଁ । ଏହାକୁ ଆକଳନ କରିବାପାଇଁ ବିଶ୍ଳେଷଣାତ୍ମକ ଗାଣିତିକ ତତ୍ତ୍ୱାବଳୀ ଓ ମାପିବାର ଏକକ ଅଦ୍ୟାବଧି ବିଜ୍ଞାନର ପରିସୀମା ବାହାରେ । ଏହି ବଳ ମହାକର୍ଷଣବଳ ପରି ବିଶ୍ୱବ୍ରହ୍ମାଣ୍ଡରେ ସର୍ବପରିବ୍ୟାପ୍ତ କିନ୍ତୁ ସୁପ୍ତ ଅଟେ ମନର ନିବିଡତା ଓ କର୍ମର ନିପୁଣତା ଦ୍ୱାରା ଏ ବଳର ପରିପ୍ରକାଶ ଘଟେ । ଏହି ସୁପ୍ତ ଶକ୍ତିର ପ୍ରସାରଣ ଏ ବ୍ରହ୍ମାଣ୍ଡରେ ଅହରହ ହେଉଅଛି ଓ ଏହାର ସୁଦୂର ପ୍ରସାରୀ କାଳଜୟୀ ପ୍ରଭାବ ଆମ ସମାଜରେ ଗଭୀର ଭାବେ ରେଖାପାତ କରୁଥିଲେ ମଧ୍ୟ ଆଜିର ମାନବ ଜାଣି ନଜାଣିଲା ପରି ଅଭିନୟ କରୁଛି ଓ କର୍ମକ୍ଷେତ୍ରରୁ ଆଡେଇ ରହି କର୍ମକୋଢୀ ସାଜୁଛି । ତତ୍ସଙ୍ଗେସଙ୍ଗେ ମିଥ୍ୟା ବାହାବା ନେବାର ଚେଷ୍ଟାରେ ବ୍ୟସ୍ତ ରହି ସମୟ ଅତିବାହିତ କରୁଛି । ରାତାରାତି ମାଲାମାଲ୍ ହେବାର ସ୍ୱପ୍ନରେ ବିଭୋର ହୋଇ ଭଣ୍ଡ ବାବାଙ୍କ ନିକଟରେ ଅଧିଆ ପଡୁଛି । ପ୍ରକୃତିକୁ ଭଲ ନପାଇ ଏହାର ଧ୍ୱଂସ ସାଧନ କରୁଛି । ଯାହା ଫଳରେ ପ୍ରାକୃତିକ ନିୟମ ଧାରାର ପ୍ରତିକ୍ରିୟା ସ୍ୱରୂପ ଏ ଜୀବଜଗତ ଉପରେ ସୃଷ୍ଟି ହେଉଛି ବିନାଶର ତାଣ୍ଡବ ଲୀଳା । ଶସ୍ୟଶ୍ୟାମଳା ଧରାବକ୍ଷ ଆଜି କ୍ଷତବିକ୍ଷତ ଓ ରକ୍ତାକ୍ତ ହୋଇ ଜୀବଜଗତ ଶୂନ୍ୟ ହେବାର ଦ୍ୱାର ଦେଶରେ ଉପନୀତ । ସେହି ବୋଲ୍ବମ୍ କିଶୋର ଦ୍ୱୟଙ୍କ “ବାବା ମଣି ନେ ଟାଣି” ର ଦିବ୍ୟ ଆହ୍ୱାନରେ ଭରିରହିଥିବା ଯୁଗାନ୍ତକାରୀ, ମଙ୍ଗଳମୟ ଓ ଗଠନମୂଳକ ବାର୍ତ୍ତା ଏ ସମାଜକୁ ଅନୁପ୍ରାଣିତ କରୁ । ଏ ଧରାର ଅଗଣିତ ଶିଶୁମାନଙ୍କୁ ସେମାନେ ସୂଚାଇ ଦେଇ ଯାଉଛନ୍ତି ଯେ, ତୁମେ ସବୁ ଦୃଢସଙ୍କଳ୍ପ ସହ ଅନାବିଳ ପ୍ରେମ ବନ୍ଧନରେ ପ୍ରକୃତିସହ ବାନ୍ଧିହୁଅ । ପ୍ରାକୃତିକ ନିୟମର ବିରୁଦ୍ଧାଚରଣ କରନାହିଁ । ଯେହେତୁ ତୁମେ ଏ ପୃଥିବୀର ଭବିଷ୍ୟତ ଓ ମେରୁଦଣ୍ଡ, ତେଣୁ ଏହାକୁ ଯଥାବିଧି ମୃତ୍ୟୁମୁଖରୁ ରକ୍ଷା କରିବାପାଇଁ କର୍ମବୀର ସାଜି ଏକ ସ୍ୱରରେ ଗାଅ – “ଜୟ ଧରିତ୍ରୀ … ଜୟ ପ୍ରକୃତି” ।
—————————————————————————————————————————
Published in the local Magazine, କିଶୋର ସ୍ୱାକ୍ଷର – Vol. 5 Issue 3rd March 2005 “KISHOR SWAKSHAR”, Bhadrak, Odisha.