ଶବ୍ଦଭେଦୀ ବାଣ
ଆଜିର ମାନବ ନିଜର ଅଭୂତପୂର୍ବ ଜ୍ଞାନକୌଶଳ ବଳରେ ବିଶ୍ୱବ୍ରହ୍ମାଣ୍ଡ ସମ୍ବନ୍ଧରେ ଅନେକ ତଥ୍ୟ ହାସଲ କରିବାରେ ଲାଗିଛି । ପ୍ରତିମୁହୂର୍ତ୍ତରେ ଅନନ୍ତ ମହାଶୂନ୍ୟରୁ ନୂଆ ନୂଆ ସନ୍ଧାନ ମିଳୁଅଛି । ବିଶ୍ୱର କୋଟି କୋଟି ଗ୍ୟାଲାକ୍ସିରେ କେଉଁଠି ନା କେଉଁଠି ଜୀବଜଗତ ରହିଥିବାର ଅନୁସନ୍ଧାନରେ ବୈଜ୍ଞାନିକଗଣ ରହିଛନ୍ତି । ଏପରିକି ଅନ୍ୟ ଗ୍ରହ ଓ ଉପଗ୍ରହ ଗୁଡିକରେ ବସତି ସ୍ଥାପନର ଅନୁଚିନ୍ତାରୁ ସେମାନେ ଦୂରେଇ ଯାଇ ନାହାନ୍ତି । ବିଜ୍ଞାନକୁ ବହୁ ଗଠନ ମୂଳକ କାର୍ଯ୍ୟରେ ବିନିଯୋଗ କରାଯିବା ସଙ୍ଗେ ସଙ୍ଗେ ଏହାକୁ ଜୀବଜଗତର ଧ୍ୱଂସ ସାଧନ ନିମିତ୍ତ ମଧ୍ୟ ବିନିଯୋଗ କରାଯିବାରେ ପଛଘୂଞ୍ଚା ଦିଆଯାଉନାହିଁ । ଏହି ଧ୍ୱଂସକାରୀ ଜ୍ଞାନକୌଶଳର ପରିସୀମା ବୃଦ୍ଧି ପାଇବାରେ ଲାଗିଛି । ହୀରୋସୀମା ଓ ନାଗାସାକୀର ବିଦୀର୍ଣ୍ଣ ବକ୍ଷ ସୂଚାଇ ଦେଇଥିଲା ପାରମାଣବିକ ଶକ୍ତିର ଧ୍ୱଂସକାରୀ ଦିଗ ଓ ଏହାର ଭୟାବହ ପରିଣତି । ତଥାପି ଏ ଦିଗରେ ଗବେଷଣା ଓ ପରୀକ୍ଷା ଆଦିର ଅନ୍ତଃ ନାହିଁ ।ଅତ୍ୟାଧୁନିକ ପରମାଣୁ ବୋମା, ଉଦ୍ଜାନ ବୋମା ଆଦିର ହୁଂକାରରେ ପୃଥିବୀ ଥରହର ହେଉଅଛି । ଅନେକ ପ୍ରକାର କ୍ଷେପଣାସ୍ତ୍ର ପରୀକ୍ଷଣଧାରା ଅବ୍ୟାହତ ରହିଛି । ଦେଶ ଦେଶ ମଧ୍ୟରେ ଯୁଦ୍ଧର ରୂପ ବଦଳି ଯାଇଛି ଓ ଜନ୍ମଲାଭ କରିଛି ତାରକାଯୁଦ୍ଧ(Star War) ।ପ୍ରକୃତିର ଅନନ୍ତ କୋଳରେ ସୃଷ୍ଟି କରାଯାଉଛି ଅହେତୁକ କମ୍ପନ । ଜଳ, ସ୍ଥଳ ଓ ଆକାଶ ମାର୍ଗକୁ ବ୍ୟାପି ରହିଛି ଆଜିର ଧ୍ୱଂସକାରୀ ଶକ୍ତିର ପରୀକ୍ଷା ନିରୀକ୍ଷା ।ପ୍ରକୃତିର ଧାରାରେ କିଛି ପରିବର୍ତ୍ତନ ଘଟାଇଲେ, ସେ ତାହାର ପ୍ରତିଶୋଧ ନିଏ ଏବଂ ଏହାର କୁପରିଣାମ ସ୍ୱରୂପ ପ୍ରାକୃତିକ ବିପର୍ଯ୍ୟୟମାନ ଅନେକ ମାତ୍ରାରେ ମୁଣ୍ଡଟେକେ । ପ୍ରକୃତିକୁ ଜୟ କରିବାର ଦୁର୍ବାର ପିପାସାହିଁ ଜୀବଜଗତ ନିମିତ୍ତ ମହାକାଳ ରୂପେ ଉଭା ହୋଇଅଛି ।
ଏତାଦୃଶ ଦୁର୍ଗତିରୁ ରକ୍ଷା ପାଇବାପାଇଁ ଆମର ମହାନ୍ ଐତିହ ଓ ସଂସ୍କୃତି ଆମକୁ ସତ୍ୟର ପଥ ଦର୍ଶାଇଥାଏ, ଯେଉଁଥିରେ ଭରି ରହିଛି ସର୍ବ ସ୍ୱାଦର ଉପାଦେୟମାନ । ପୁରାତନ କାଳରୁ ପ୍ରକୃତି ବିରୁଦ୍ଧରେ ନ ଯିବାପାଇଁ ବିଭିନ୍ନ ସମୟରେ ମାନବ ଜାତିକୁ ସତର୍କର ଘଣ୍ଟି ଶୁଣାଇ ଦିଆଯାଇଛି । ଯେପରି ରାମାୟଣ ଓ ମହାଭାରତର ଅଙ୍ଗେ ଅଙ୍ଗେ ଭରିରହିଛି ସତର୍କର ଚେତନା ମନ୍ତ୍ର । ଏଠାରେ ଦୁଇଟି ଚରିତ୍ର ପ୍ରସଙ୍ଗରେ ଆଲୋଚନାର ବିଷୟବସ୍ତୁକୁ ସୀମାବଦ୍ଧ କରାଯାଇଛି । ପ୍ରଥମତଃ ଅଯୋଧ୍ୟାର ରାଜା ଦଶରଥ ଦିନେ ମୃଗୟା ନିମନ୍ତେ ଜଙ୍ଗଲରେ ବିଚରଣ କରୁଥିଲେ ।ରାଜାଙ୍କୁ ଦୃଶ୍ୟମାନ ହୋଇପାରୁ ନଥିବା କୌଣସି ଏକ ସ୍ଥାନରେ ଥିବା ପୁଷ୍କରିଣୀରୁ ଏକ ଜୀବ ଜଳ ପାନ କରୁଥିବାର ଶବ୍ଦ ଶ୍ରୁତି ଗୋଚର ହୋଇଥିଲା । ରାଜାଙ୍କୁ ଏହା ଭ୍ରମ ସୃଷ୍ଟି କରୁଥିଲେବି ସେ ଅନୁମାନ କଲେ ନିଶ୍ଚୟ ଏହା ଏକ ମୃଗ ଜଳ ପାନ କରୁଥିବାର ଶବ୍ଦ ହୋଇଥିବ ।ତତ୍କ୍ଷଣାତ୍ ରାଜା ତୂଣୀରରୁ ଶର ବାହାର କରି ସେହି ଅଦେଖା ଓ ଅଜଣା ଜୀବପ୍ରତି ପ୍ରୟୋଗ କଲେ । ଏହା ଥିଲା ଶବ୍ଦଭେଦୀ ବାଣ ଓ ଉକ୍ତ ଅଭିମନ୍ତ୍ରିତ ଶରଟି କ୍ଷଣକ ମଧ୍ୟରେ ଜୀବଟିର ଶରୀରରେ ବିଦ୍ଧହେଲା । ପରେ ପରେ ରାଜାଙ୍କ କର୍ଣ୍ଣରେ ଗୁଞ୍ଜରଣ ସୃଷ୍ଟି କରି ଚାଲିଲା ଏକ ମନୁଷ୍ୟର କରୁଣ ଚିତ୍କାର । ରାଜା ସେଠାରେ ପହଞ୍ଚି ଶ୍ରବଣ କୁମାରର ଶରବିଦ୍ଧ ଶରୀରଟି ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖିଲେ । ଯନ୍ତ୍ରଣା କଣ୍ଠରେ ଶ୍ରବଣ କୁମାର ରାଜାଙ୍କୁ ଅନୁରୋଧ କଲେ ତା’ର ତୃଷାର୍ତ୍ତ ପିତା-ମାତାଙ୍କୁ ଜଳ ନେଇ ଦେବାକୁ । ଏହା କହି ଶ୍ରବଣ କୁମାର ଶେଷ ନିଶ୍ୱାସ ତ୍ୟାଗ କଲେ । ରାଜା ଦଶରଥ ଦୋଷଯୁକ୍ତ ଓ ବ୍ୟଥିତ ମନରେ ଶ୍ରବଣ କୁମାରର ଅନ୍ଧ ପିତା-ମାତାଙ୍କଠୁଁ ଅଭିଶପ୍ତ ଜୀବନ ନେଇ ପ୍ରତ୍ୟାବର୍ତ୍ତନ କରିଥିଲେ । ଅଭିଶାପ ଏହିପରି ଥିଲା – ହେ ରାଜା ଦଶରଥ ! ଆମେ ଯେପରି ଆମର ଏକମାତ୍ର ପୁତ୍ରର ମୃତ୍ୟୁଯୋଗୁ ଅନାଥ ହୋଇଲୁ ଓ ସେହି ଦୁଃଖ ଯାତନାରେ ଆମେ ମୃତ୍ୟୁର ଦ୍ୱାର ଦେଶରେ ଉପନୀତ, ସେହିପରି ତୁମେ ଦିନେ ତୁମର ଅତିପ୍ରିୟ ପୁତ୍ରକୁ ହରାଇବ ।ଏହାସହ ତୁମେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁ ବରଣ କରିବ । ଏହାହିଁ ଘଟିଥିଲା ରାଜ ଦଶରଥଙ୍କ ଜୀବନରେ ।ଦ୍ୱିତୀୟ ଚରିତ୍ରଟି ହେଉଛି ହସ୍ତିନାର ରାଜା ପାଣ୍ଡୁ । ଦିଗ୍ବିଜୟ ପରେ ସେ ଜଟିଳ ରାଜକାର୍ଯ୍ୟରୁ କିଛିଦିନପାଇଁ ବିରତ ରହି ଚିତ୍ତ ବିନୋଦନ ନିମନ୍ତେ ଦୁଇ ରାଣୀଙ୍କ ସହ ଅରଣ୍ୟରେ ଡେରା ପକାଇଲେ । ଦିନେ ହଠାତ୍ ରାଜା ଅନତି ଦୂରରୁ ଏକ ବ୍ୟାଘ୍ରର ଗର୍ଜନ ଶୁଣିଲେ । କିନ୍ତୁ ସେ ବ୍ୟାଘ୍ରଟି ରାଜାଙ୍କୁ ଦୃଶ୍ୟମାନ ହେଉ ନଥିଲା । କାଳେ ବ୍ୟାଘ୍ର ଆକ୍ରମଣ କରିବ ଭାବି ରାଜା ଶବ୍ଦଭେଦୀ ବାଣ ପ୍ରୟୋଗ କଲେ । ମୃତ ବ୍ୟାଘ୍ରର ଅନୁସନ୍ଧାନ କରି ରାଜା ଶୁଣିବାକୁ ପାଇଲେ ଦୁଇଟି ମନୁଷ୍ୟ କଣ୍ଠରୁ ଆର୍ତ୍ତଚିତ୍କାର । ଅଗ୍ନିକା ଋଷି ଓ ତାଙ୍କର ପତ୍ନୀ ମୃଗ – ମୃଗୀ ରୂପରେ ସମ୍ଭୋଗାବସ୍ଥାରେ ଶବ୍ଦଭେଦୀ ବାଣର ଶୀକାର ହେଲେ । ମୃତ୍ୟୁ ପୂର୍ବରୁ ଋଷି ରାଜାଙ୍କୁ ଅଭିଶାପ ଦେଲେ – “ଯେବେ ରାଜା ପାଣ୍ଡୁ ତା’ଙ୍କ ପତ୍ନୀଙ୍କ ସହ ସମ୍ଭୋଗକ୍ରିୟାରେ ରତ ହେବେ, ଠିକ୍ ସେହି ସମୟରେ ତାଙ୍କର ଅକାଳ ବିୟୋଗ ଘଟିବ । ଏହି ନିଷ୍ଠୁର ଅଭିଶାପର ଶୀକାର ହୋଇଥିଲେ ମହାରାଜା ପାଣ୍ଡୁ ।
ଯାହା ଜଣା ପଡୁଛି , ଶବ୍ଦଭେଦୀ ବାଣ ପ୍ରୟୋଗର ଅନ୍ତିମ ପରିଣାମ ପ୍ରୟୋଗକାରୀଙ୍କ ପ୍ରତି ଭୟଙ୍କର ସମ୍ଭାବନା ଥିବାରୁ ବୋଧହୁଏ ପୂର୍ବକାଳରେ ଧନୁର୍ଦ୍ଧରମାନେ ଏହି ଶରର ସନ୍ଧାନ ଜାଣି ସୁଦ୍ଧା କାର୍ଯ୍ୟରେ ପତିଫଳିତ କରାଇବାକୁ ପଛଘୂଞ୍ଚା ଦେଇଥାଇ ପାରନ୍ତି । ନଚେତ୍ ଏ ଶର ସନ୍ଧାନ ନିମିତ୍ତ କିଛି ନିଷେଧାଜ୍ଞା ରହିଥାଇ ପାରେ ।ତ୍ରେତୟା ଓ ଦ୍ୱାପର ଯୁଗରେ ପ୍ରାୟ ଦୁଇବୀର ଏହାକୁ ପ୍ରୟୋଗ କରି ଘୋର ପରିଣାମ ଭୋଗିଥିଲେ । ଏଥିପାଇଁ ବୋଧହୁଏ ଅନ୍ୟ ଶରପରି ଏହାର ବହୁଳ ବ୍ୟବହାର ହୋଇ ନଥିଲା । ଅଦେଖା ଓ ଅଜଣା ସ୍ଥାନ, ଯେଉଁଠାରୁ ଧ୍ୱନି ତରଙ୍ଗ ଉତ୍ପନ୍ନ ହେଉଥାଏ, ସେହି ସ୍ଥାନକୁ ଏହା ପ୍ରୟୋଗ କରାଯାଏ । କ୍ଷଣକ ମଧ୍ୟରେ ଦ୍ରୁତଗତିରେ ଧାବମାନ ନାରାଚଟି ଲକ୍ଷ୍ୟସ୍ଥଳକୁ ବିଦ୍ଧ କରେ । ଧାବମାନ ଶରର ସମ୍ମୁଖରେ ଧ୍ୱନି ତରଙ୍ଗର ଉତ୍ସ ଓ ସେଠାରେ ଯେ କେହି ଥିଲେବି ଏହି ଶର ଦ୍ୱାରା ବିଦ୍ଧ ହୁଅନ୍ତି ।ନାରାଚ ବୁଝେନି କିଏ ଶତ୍ରୁ, ମିତ୍ର, ଅବଳା, ନିରୀହ, ଶିଶୁ, ନିଦ୍ରିତ, ଜାଗ୍ରତ, ପଶୁ, ପକ୍ଷି, ନିରସ୍ତ୍ର, ଆର୍ତ୍ତଜନ, ରୋଗୀ, ବୃଦ୍ଧ, ବୃଦ୍ଧା ……….. ଇତ୍ୟାଦି । ଏହା ସମ୍ମୁଖ ଯୁଦ୍ଧ ନୁହେଁ । ନଥାଏ ଯୁଦ୍ଧର ଡାକରା । ଅପରକ୍ଷର ଠିକଣା, ସ୍ୱରୂପ ଆଦି ସବୁ ଅଜଣା । ଶତ୍ରୁ, ମିତ୍ର, ଅଥବା କିଛି ହୋଇ ନପାରେ । କିନ୍ତୁ ଆକ୍ରମଣକାରୀ ଧ୍ୱନି ତରଙ୍ଗ ସୃଷ୍ଟିକାରୀକୁ ନିଜର ଶତ୍ରୁ ଭାବି ଶର ନିକ୍ଷେପ କରେ । ଏହା ଏକତରଫା ଯୁଦ୍ଧ ଓ ନଥାଏ ପ୍ରତିରୋଧ । ଶବ୍ଦ କର୍ଣ୍ଣରେ ଗୁଞ୍ଜରଣ ସୃଷ୍ଟି କରେ, କିନ୍ତୁ ଶରୀରକୁ କୌଣସି ଅସ୍ତ୍ର ବିଦ୍ଧ ହେବାକୁ ଆସି ନଥାଏ । ଶର ନିକ୍ଷେପ କରିବା ମୁହୂର୍ତ୍ତ ଯାଏ ଆକ୍ରମଣକାରୀ କୌଣସି ଆଘାତ ପ୍ରାପ୍ତ ହୋଇନଥିଲେ ବି ନିଜର ସୁରକ୍ଷା ନିମିତ୍ତ ହେଉ ଅଥବା ଶୀକାର କରିବା ସଉକରେ ହେଉ ଶବ୍ଦ ସୃଷ୍ଟିକାରୀକୁ ମାରିବା ତା’ପାଇଁ ଉଦ୍ଦେଶ୍ୟପୂର୍ଣ୍ଣ ହୋଇଉଠେ । ତେଣୁ ପ୍ରୟୋଗକାରୀର କିଛି କ୍ଷତି ନକରି ଓ ନିର୍ଦ୍ଦୋଷୀ ହୋଇ ମଧ୍ୟ ଧ୍ୱନି ସୃଷ୍ଟିକାରୀ ମୃତ୍ୟୁ ମୁଖରେ ପଡନ୍ତି । ଧ୍ୱନି ସୃଷ୍ଟିକାରୀ ହଠାତ୍ ଶରବିଦ୍ଧହୋଇ ମୃତ୍ୟୁ-ଯନ୍ତ୍ରଣାରେ ଛଟପଟ ହୋଇ ଆକୁଳ କ୍ରନ୍ଦନ କରେ । ରାଜା ଦଶରଥ ସଉକରେ ଶୀକାର କରିବାକୁ ଓ ରାଜା ପାଣ୍ଡୁ ବ୍ୟାଘ୍ର ଗର୍ଜନରୁ ଆକ୍ରମଣର ଆନ୍ଦାଜ କରି ସୁରକ୍ଷା ନିମିତ୍ତ ତୀର ଚଳାଇଥିଲେ । ପ୍ରଥମ କ୍ଷେତ୍ରରେ ତୀରଟି ଗନ୍ତବ୍ୟ ପଥରେ କୋଣସି ପ୍ରତିବନ୍ଧକର ସମ୍ମୁଖୀନ ନହୋଇ ଲକ୍ଷ୍ୟସ୍ଥଳକୁ ଆଘାତ କରିଥିଲା । ଦ୍ୱିତୀୟ କ୍ଷେତ୍ରରେ ତୀର ବ୍ୟାଘ୍ର ଗର୍ଜନକୁ ଭେଦ କରିବା ପୂର୍ବରୁ ଗନ୍ତବ୍ୟ ପଥରେ ଋଷି ଓ ଋଷିପତ୍ନୀଙ୍କୁ ବିଦ୍ଧ କଲା । ଅର୍ଥାତ୍ ଏ ଶର ତା’ର ପଥରେ ପ୍ରଥମେ ଯାହାକୁ ସମ୍ମୁଖୀନ ହେବ ତା’କୁହିଁ ମାରିବ । ତେଣୁ ଅସ୍ତ୍ର ପ୍ରୟୋଗକାରୀ ପ୍ରକୃତିର ନିୟମ ଉଲଂଘନରେ ଭାଗୀଦାର ହୋଇଥା’ନ୍ତି । ନିର୍ଦ୍ଦୋଷୀମାନଙ୍କୁ ହତ୍ୟା ଓ ସେମାନଙ୍କ ଆକୁଳ ଚିତ୍କାର ଏ ସୁନ୍ଦର – ଅମୃତମୟ ସୃଷ୍ଟିରେ ଅହେତୁକ କମ୍ପନ ସୃଷ୍ଟି କରେ ଓ ପ୍ରକୃତି ଆକ୍ରମଣକାରୀ ପ୍ରତି କ୍ରୁଦ୍ଧ ହୋଇଉଠେ । ଏଥି ନିମିତ୍ତ ସେମାନେ ସମଜାତୀୟ ଯନ୍ତ୍ରଣାର ଶୀକାର ହେବାକୁ ହକ୍ଦାର ହୋଇଉଠନ୍ତି । ଅର୍ଥାତ୍ ପ୍ରକୃତିରେ ନିର୍ଦ୍ଦୋଷୀ ପ୍ରାଣୀର ଆକୁଳତାର ପରିଭାଷା ଦ୍ୱାରା ସେମାନେ ଆକ୍ରାନ୍ତ ହୁଅନ୍ତି ଓ ସେମାନଙ୍କ ଜୀବନରେ ଏହାହିଁ ପ୍ରତିଫଳିତ ହୋଇଥାଏ । ପୁରାଣ ଯୁଗରୁ ମାନବ ସମାଜକୁ ଏହା ସତର୍କ ବାଣୀ ଅଟେ । ମାନବର ଯେଉଁ କାର୍ଯ୍ୟ, ନିରୀହମାନଙ୍କ ବିନାଶର କାରଣ ହୁଏ ତାହା ସୃଷ୍ଟିକୁ ଆନ୍ଦୋଳିତ କରେ ତାହାର ଫଳ ସ୍ୱରୂପ ପ୍ରକୃତି ସେମାନଙ୍କ ଉପରେ ପ୍ରତିଶୋଧ ନେବାକୁ ବିଭିନ୍ନ ରୂପେ ଆଗେଇ ଆସେ । ତେଣୁ ସେହିଜାତୀୟ କାର୍ଯ୍ୟରୁ ମାନବ ବିରତ ରହିବା ଉଚିତ୍ । ପ୍ରକୃତିହିଁ ନିଷ୍ଠୁର ସତ୍ୟର ପ୍ରତିବିମ୍ବ ଅଟେ । ତେଣୁ ସେ ଯୁଗର ଏତାଦୃଶ ଗଠନମୂଳକ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଚିତ୍ରଣ ଆମ ସଂସ୍କୃତିକୁ ସମୃଦ୍ଧ କରି ରଖିଅଛି । ଏଥିରୁ ଏହି ଭାବ ପ୍ରକଟ ହୁଏ ଯେ, ପୁରାତନ ଯୁଗରେ ଧନୁର୍ଦ୍ଧରମାନେ ଶବ୍ଦଭେଦୀ ଶର ପ୍ରୟୋଗ କରିବାର କୌଶଳ ହାସଲ କରିପାରିଥିବା ସତ୍ତ୍ୱେ ମଧ୍ୟ ଏହାର ସନ୍ଧାନ କରିବାକୁ ସାହସ କରିପାରି ନଥିଲେ । କାରଣ ଏହା ପ୍ରକୃତିରେ କମ୍ପନ ସୃଷ୍ଟିର କାରଣ ହୋଇଥାଏ , ଯାହା ଯୁଗଯୁଗକୁ ସତର୍କତାର ବାର୍ତ୍ତା ବହନ କରେ ।
ଏହି ଶର ପ୍ରୟୋଗ ସମ୍ବନ୍ଧରେ କିଞ୍ଚିତ୍ ବୈଜ୍ଞାନିକ ବିଶ୍ଳେଷଣାତ୍ମକ ସୂଚନା ଦିଆଯାଇଛି, ଯାହା ସମ୍ପୂର୍ଣ୍ଣ ନିର୍ଭୂଲ୍ ହୋଇନପାରେ । ଅଭିମନ୍ତ୍ରିତ ଶରଟି ଶବ୍ଦଉତ୍ସ (Source of Sound) ନିକଟକୁ ଆକର୍ଷିତ ହୁଏ । ଶର ସନ୍ଧାନ ବେଳେ ଦିଆଯାଇଥିବା ମୂଳ ଗତିଜ ଶକ୍ତି ଅନୁଯାୟୀ ଏହାର ବେଗ ଶବ୍ଦର ବେଗଠାରୁ କମ୍, ସମାନ ଅଥବା ଅଧିକ ହୋଇପାରେ । ଶବ୍ଦର ବେଗଠାରୁ ଅଧିକ ହେଲେ ଏହା ସୁପର ସୋନିକ ବାଣ (Supersonic Arrow) ରୂପେ ଧାବମାନ ହୋଇ କ୍ଷଣକେ ଲକ୍ଷ୍ୟସ୍ଥଳକୁ ଆଘାତ କରେ । ତେବେ ଅଦେଖା ଓ ଅଜଣା ସ୍ଥାନକୁ ଧ୍ୱନିଶକ୍ତିର ଆକର୍ଷଣରେ ଏହା କିପରି ଆକର୍ଷିତ ହୋଇଥାଏ, ତାହାର ଜ୍ଞାନ କୌଶଳ ନିଶ୍ଚୟ ଜଟିଳ ହୋଇଥିବ ।ପ୍ରଥମ ଅନୁମାନ ଅନୁଯାୟୀ ଧ୍ୱନି ତରଙ୍ଗ ଏକ ଅନୁଦୈର୍ଘ୍ୟ ତରଙ୍ଗ (Longitudinal Wave) ଅଟେ ଓ ଏହା ଧ୍ୱନି ଉତ୍ସରୁ ସୃଷ୍ଟି ହୋଇ ବାୟୁ ମାଧ୍ୟମରେ ଗତି କରେ । ଏହା ଏକ ଆଡିଆବେଟିକ୍ ଧାରା (Adiabatic Process) ଅଟେ, ଅର୍ଥାତ୍ ଶବ୍ଦତରଙ୍ଗ ମାଧ୍ୟମଠାରୁ ଅନ୍ତରକ(Insulator) ରୂପେ ଗତିକରେ । ଏହି ଧାରାରେ ଶବ୍ଦଶକ୍ତି ମାଧ୍ୟମରେ ପ୍ରବାହିତ ହୁଏ କିନ୍ତୁ ମାଧ୍ୟମକୁ ସଞ୍ଚାରିତ ହୁଏ ନାହିଁ । ଶବ୍ଦଭେଦୀ ବାଣକୁ ଏକ ପ୍ରତିଧ୍ୱନି ଉତ୍ସ (Anti Source of Sound or Sink) ଓ ଏଥିରୁ ସୃଷ୍ଟି ହେଉଥିବା ଧ୍ୱନି ତରଙ୍ଗକୁ ଏକ ପ୍ରତିତରଙ୍ଗ (Anti Wave) ରୂପେ କଳ୍ପନା କରାଯାଇପାରେ କିମ୍ବା ବିପରୀତ ଆଡିଆବେଟିକ୍ ଧାରା ହୋଇପାରେ । ଅର୍ଥାତ୍ ମାଧ୍ୟମ ଶରର ଶବ୍ଦ ତରଙ୍ଗଠାରୁ ଅନ୍ତର(Insulated) ହୋଇଚାଲେ ଓ ଶରଟି ମାଧ୍ୟମକୁ ଶକ୍ତିସଞ୍ଚାର କରିବା ନିମିତ୍ତ ଲକ୍ଷ୍ୟରଖି ସମ୍ମୁଖ ମାଧ୍ୟମ ଆଡକୁ ଗତିକରେ । ଯାହା ଫଳରେ ଶରର ଗନ୍ତବ୍ୟ ପଥରେ କ୍ଷଣକପାଇଁ ଶୂନ୍ୟସ୍ଥାନ ବା ସମ୍ପୂର୍ଣ୍ଣ ପାତଳୀକରଣ (Complete rarefaction) ସୃଷ୍ଟିହୁଏ ଓ ଶରଟି ସ୍ଥାନତ୍ୟାଗ ପରେ ପରେ ହିଁ ମାଧ୍ୟମ ତା’ର ପୂର୍ବାବସ୍ଥାକୁ ଫେରିଆସେର । ଏହି ଶୂନ୍ୟସ୍ଥାନ ସୃଷ୍ଟି ସମ୍ଭବତଃ ଶବ୍ଦଉତ୍ସରୁ ସୃଷ୍ଟି ହେଉଥିବା ଘନୀକରଣ (Compression) ଓ ପାତଳୀକରଣ (rarefaction) ପ୍ରତି ଆକର୍ଷିତ ହେଉଥିବ । ଯେହେତୁ ଶର ଗତିଜଶକ୍ତି ସମ୍ପନ୍ନ ଅଟେ, ତେଣୁ ଏହାର ଗତିର ଦିଗ ହିଁ ଧ୍ୱନିଉତ୍ସ ଆଡକୁ ହୋଇଥାଏ । ଯଦି ଧ୍ୱନିଉତ୍ସ ଗତିଶୀଳ ଥାଏ ତେବେ ମଧ୍ୟ ଅନାୟାସରେ ଉତ୍ସ ଓ ଶର ପରସ୍ପର ଆଡକୁ ଆକର୍ଷିତ ହୋଇପାରିବେ ।
ବୈଜ୍ଞାନିକ ବିଶ୍ଳେଷଣର ଦ୍ୱିତୀୟ ଅନୁମାନ ଅନୁଯାୟୀ ଅନୁଦୈର୍ଘ୍ୟ ତରଙ୍ଗ କିମ୍ବା ସ୍ଥିତିସ୍ଥାପକତା ତରଙ୍ଗ(Elastic Wave)ର କଣିକା ପ୍ରକୃତିକୁ ନିଆଯାଇପାରେ । ଯେପରି ବିଦ୍ୟୁତ୍ – ଚୁମ୍ବକୀୟ ତରଙ୍ଗର କ୍ଷେତ୍ରକଣିକା (Field Particle)ଫୋଟନ୍(Photon), ମହାକର୍ଷଣୀୟ କ୍ଷେତ୍ରର କ୍ଷେତ୍ରକଣିକା ଗ୍ରାଭିଟନ୍ (Graviton), ପାରମାଣବିକ ନାଭିକ (Atomic Nucleus)ର କ୍ଷେତ୍ରକଣିକା ମେସନ୍(Meson) ବା ଗ୍ଲୁଅନ୍ (Gluon) ଅଟେ,ସେହିପରି ସ୍ଥିତିସ୍ଥାପକତା ତରଙ୍ଗର କ୍ଷେତ୍ରକଣିକା ଫୋନନ୍(Phonon) ଅଟେ । ଅଣୁନିୟମନ(Lattice) ର କମ୍ପନରେ ଏହି ତରଙ୍ଗ ସୃଷ୍ଟି ହୁଏ ଓ ଏହି କ୍ଷେତ୍ରରେ ଶକ୍ତିର ମାତ୍ରା (Quantum of Energy)କୁ ଏକ କଣିକା ବା ଫୋନନ୍ କୁହାଯାଏ । ଶକ୍ତି ପ୍ରବାହ ବା ଫୋନନ୍ ପ୍ରବାହ ମାଧ୍ୟମରେ ବିଚ୍ଛିନ୍ନ ରୂପେ (Quantized) ଘଟିଥାଏ । ଫୋନନ୍ ତରଙ୍ଗର ସ୍ପନ୍ଦିତ ବର୍ଣ୍ଣାଳୀ(Vibrational Spectrum) ର ଆବୃତ୍ତି(Frequency)କୁ ନେଇ ତରଙ୍ଗର ନାମିତ କରାଯାଇଛି । ନିମ୍ନଆବୃତ୍ତି (Infrasonic ) ତରଙ୍ଗ , ଧ୍ୱନି ସଂକ୍ରାନ୍ତିୟ ସୀମା (Acoustic Range) ଓ ଉଚ୍ଚ ଆବୃତ୍ତି(Ultrasonic) ତରଙ୍ଗ ଶବ୍ଦର ବେଗରେ ଗତିକରେ, କିନ୍ତୁ କର୍ଣ୍ଣକୁ ଶ୍ରୁତିଗୋଚର(Audible) ହୁଏ ଧ୍ୱନି ସଂକ୍ରାନ୍ତିୟ ସୀମା ମଧ୍ୟେ ଥିବା ତରଙ୍ଗ । ନିମ୍ନ ଆବୃତ୍ତିରୁ ଉଚ୍ଚ ଆବୃତ୍ତି ଯାଏ ତରଙ୍ଗର ଗତି ହିଁ ଶବ୍ଦର ଗତି । କିନ୍ତୁ ଶବ୍ଦର ଗତିରୁ ଅଧିକ ଓ ନିମ୍ନ ବେଗରେ ଗଲେ ଏହା ଯଥାକ୍ରମେ ସୁପର୍ସୋନିକ (Supersonic) ଓ ସବ୍ସୋନିକ୍ (Subsonic) ତରଙ୍ଗ ହୁଏ, ଯାହା ଶ୍ରୁତିଗୋଚର ହୁଏନାହିଁ । କଠିନ ପଦାର୍ଥରେ ଫୋନନ୍ ତରଙ୍ଗ ଶବ୍ଦ ତରଙ୍ଗ ବେଗରେ ଗତିକରେ ଓ ଏହାର ଅନ୍ୟ ଭାଗଟିକୁ କଠିନ ପଦାର୍ଥର ତାପଶକ୍ତି ରୂପେ ବୁଝାଯାଏ । ତେବେ ଧ୍ୱନିଉତ୍ସ ଓ ଶବ୍ଦଭେଦୀ ବାଣର ଧ୍ୱନିଉତ୍ସ ଏକଜାତୀୟ ଫୋନନ୍ଗ୍ୟାସ୍ ରୂପେ ପରିକଳ୍ପନା କରାଯାଇପାରେ । ଏହି ଦୁଇ ଫୋନନ୍ଗ୍ୟାସ୍ ଏପରି ହୋଇଥିବେ, ଯାହାକି ବାୟୁ ମାଧ୍ୟମରେ ଗ୍ୟାସ୍ଦ୍ୱୟ ମଧ୍ୟରେ ପ୍ରବଳ ଆକର୍ଷଣଶକ୍ତି ସୃଷ୍ଟି ହେଉଥିବା । ଫଳରେ ଶବ୍ଦଭେଦୀ ଶର ଧ୍ୱନିଉତ୍ସ ଆଡକୁ ଧାଇଁ ଯାଉଥିବ । ଉପରୋକ୍ତ ଦୁଇପ୍ରକାର ବିଶ୍ଳେଷଣରୁ ଗାଣିତିକ ସମୀକରଣର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ, ସମ୍ଭାବନାରେ କ୍ଷୀଣତା ରହିପାରେ କିମ୍ବା ଭୌତିକ ବିଜ୍ଞାନ (Meta Physics) ପରିସରଭୁକ୍ତ ହୋଇପାରେ ।
ପୁରାତନ ଯୁଗକୁ ଭୌତିକ ବିଜ୍ଞାନ ଯୁଗ କିମ୍ବା ମନ୍ତ୍ର, ଓ ତନ୍ତ୍ର ଯୁଗ ହୋଇପାରେ ଏବଂ ସେ ସମୟର ଜ୍ଞାନ କୌଶଳ ଆଜିର ଯନ୍ତ୍ର ଯୁଗରେ ପ୍ରସ୍ଫୁଟିତ ହେବାରେ ଲାଗିଛି । ଆଜିର କ୍ଷେପଣାସ୍ତ୍ର ଶବ୍ଦଭେଦୀ ବାଣ ସହ ତୁଳନା କରାଯାଇପାରେ । ଭୌତିକ ବିଜ୍ଞାନ ଯୁଗର କାର୍ଯ୍ୟକ୍ରମକୁ ଅନୁସରଣ କରି ସମାନ୍ତରାଳ ଭାବେ ଆଜିର ମାନବ ନିଜକୁ ପ୍ରସ୍ତୁତ କରିବାରେ ଲାଗିବାର ଅନୁମେୟ ହୁଏ । ପୁରାଣ ଯୁଗର ଅଲୌକିକ ଘଟଣାବଳୀର ସମାନୁପାତିକ ଦୃଶ୍ୟପଟ୍ଟ ବିଜ୍ଞାନ ଯୁଗରେ ପ୍ରାୟ ଅନୁଭୂତ ହେବାକୁ ଲାଗିଲାଣି । କିନ୍ତୁ ସେ ଯୁଗରେ ଜ୍ଞାନର ଦିଗ ଓ ପ୍ରୟୋଗଧାରା ଭିନ୍ନ ଥିଲା । ତେଣୁ ଶର ପ୍ରୟୋଗକାରୀ ଶବ୍ଦଉତ୍ସର ସ୍ଥିତି ଓ ଦୂରତାକୁ ଜାଣିବାରେ ସମ୍ଭାବନା ଥାଇପାରେ । ତେଣୁ ସେହି ମାତ୍ରାରେ ଶରକୁ ମନ୍ତ୍ରାଭିଭୂତ କରି ଗତିଜ ଶକ୍ତିକୁ ଠୁଳ କରାଇପାରୁଥିଲା । ଏହି ଅସ୍ତ୍ର ବ୍ୟତୀତ ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ଅସ୍ତ୍ର ମଧ୍ୟ ଦେବ, ଦାନବ ଓ ମାନବମାନେ ବ୍ୟବହାର କରୁଥିଲେ , ଯଥା – ବ୍ରହ୍ମାସ୍ତ୍ର, ନାରାୟଣାସ୍ତ୍ର, ପାଶୁପତ ଅସ୍ତ୍ର, ବଜ୍ର, ତ୍ରିଶୂଳ, ଗଦା, ନୀଳବାଣ, ଭୂଜବାଣ, ନାଗଫାଶ, ଆଗ୍ନେୟାସ୍ତ୍ର, ବାୟବାସ୍ତ୍ର, ବରୁଣାସ୍ତ୍ର, ପର୍ବତାସ୍ତ୍ର, ମୋହନାସ୍ତ୍ର, ଗାନ୍ଧର୍ବାସ୍ତ୍ର, ଚନ୍ଦ୍ରହାସ ଖଡ୍ଗ, ବାବଲ ଶର, …..ଇତ୍ୟାଦି ଇତ୍ୟାଦି। ଏହି ଅସ୍ତ୍ରମାନ ମନ୍ତ୍ର ଓ ତନ୍ତ୍ର ବିଦ୍ୟା ଦ୍ୱାରା କାର୍ଯ୍ୟକ୍ଷମ ହେଉଥିଲା । ଏ ଯୁଗରେ ମଧ୍ୟ ଅନେକ ଧ୍ୱଂସକାରୀ ଅସ୍ତ୍ରର ସୃଷ୍ଟି କରାଯାଇଛି, ଯଥା – ଭୟଙ୍କର ଆଣବିକ ବୋମା, ଉଦ୍ଜାନ ବୋମା, ବିଭିନ୍ନ ନାମ, ଶକ୍ତି ଓ ଭିନ୍ନ ଭିନ୍ନ ଦୂରତା ଅତିକ୍ରମ କରି ବିସ୍ଫୋରଣ ଘଟାଇପାରୁଥିବା କ୍ଷେପଣାସ୍ତ୍ର, ଲଢୁଆ ପାଇଲଟ୍ ବିହୀନ ଯୁଦ୍ଧ ବିମାନ, ଆଣବିକ ଅସ୍ତ୍ର ବହନକାରୀ କ୍ଷେପଣାସ୍ତ୍ର, ତୋପ, ବନ୍ଧୁକ, ରାଇଫଲ୍, ଷ୍ଟେନ୍ଗନ୍, ମେସିନ୍ଗନ୍, ଯୁଦ୍ଧ ଟ୍ୟାଙ୍କ୍, ଜଳରୁ ସ୍ଥଳ – ସ୍ଥଳରୁ ଜଳ – ସ୍ଥଳରୁ ସ୍ଥଳ – ଜଳରୁ ଜଳ – ଆକାଶରୁ ସ୍ଥଳ – ସ୍ଥଳରୁ ଆକାଶ – ଜଳରୁ ଆକାଶ – ଆକାଶରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର, ରସାୟନିକ ବୋମା, ରୋଗ ବହନକାରୀ ବୋମା, ………… ଇତ୍ୟାଦି । ଏଗୁଡିକର ରୂପଗତ, ଶକ୍ତିଗତ ବିବିଧତା ଓ ଆହୁରି ଅତ୍ୟାଧୁନିକ ଧ୍ୱଂସକାରୀ ଅସ୍ତ୍ରର ନୂଆ ନୂଆ ପ୍ରସ୍ତୁତିର ସୀମା ନାହିଁ । ତେଣୁ ବିଭିନ୍ନ ଯୁଗରେ ଯୁଦ୍ଧ ଭିତ୍ତିକ ଜ୍ଞାନ କୌଶଳର ନୂତନ ଦିଗ ଆଦି ଜନ୍ମଲାଭ କରେ । ଏହା ନିରବଚ୍ଛିନ୍ନ ଭାବେ ବୃଦ୍ଧିପାଇ ଚାଲେ ବୋଧହୁଏ ସୃଷ୍ଟିର ବିନାଶ ହେବାଯାଏ ।
ଆଧୁନିକ ଯୁଗର ଯୁଦ୍ଧ କୌଶଳ ପ୍ରତିଫଳିତ କରାଏ ବିଜ୍ଞାନର ଦାନବୀୟ ପ୍ରକୃତିକୁ । ଏକ ସ୍ଥାନରେ ବସି ରିମୋଟ କଣ୍ଟ୍ରୋଲ ଦ୍ୱାରା ବୋମା ବା କ୍ଷେପଣାସ୍ତ୍ର ଆଦିକୁ ପୃଥିବୀର ଯେ କୌଣସି ସ୍ଥାନକୁ ନିକ୍ଷେପ କରିପାରିବାର ବାହାବା ନେଉଛି ଆଜିର ମାନବ । କମ୍ପ୍ୟୁଟର ପରଦାରେ ଲକ୍ଷ୍ୟସ୍ଥଳର ଅବସ୍ଥିତି ସମ୍ବନ୍ଧରେ ଅବଗତ ଓ ଧ୍ୱଂସର କରାଳରୂପ ଦେଖି ଆନନ୍ଦରେ ଅଭିଭୂତ ହେବାର ମାନସିକତା କ’ଣ ବିଜ୍ଞାନର ବରଦାନ ! ସେଇଆ ନୁହେଁ, ମାନବୀୟ ଅପପ୍ରୟୋଗ ସୀମା ଅତିକ୍ରମ କରିବାରେ ଲାଗିଛି । ଶବ୍ଦଭେଦୀ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ କ୍ଷେପଣ କରାଯାଏ, ଅସଂଖ୍ୟ ପ୍ରାଣହାନୀ କରେନି ଓ ଏହା ମନର ରିମୋଟ କଣ୍ଟ୍ରୋଲ ଦ୍ୱାରା ଅଭିମନ୍ତ୍ରିତ ହୋଇଥାଏ । ଲକ୍ଷ୍ୟସ୍ଥଳର ପ୍ରକୃତ ସୂଚନା ପ୍ରୟୋଗକାରୀକୁ ଜଣା ନଥାଏ ଓ ଆନୁମାନିକ ପ୍ରୟୋଗ ହିଁ ଏହି କାର୍ଯ୍ୟର ଦୁର୍ବଳତା ଅଟେ । କିନ୍ତୁ ଆଧୁନିକ ଯୁଗରେ ସବୁ ଜାଣିଶୁଣି ଲକ୍ଷ୍ୟସ୍ଥଳକୁ ଭେଦ କରାଯାଏ ଓ ଘୋର ଅନ୍ୟାୟଭାବେ ଜୀବନ ନାଶ ଏବଂ ଅନ୍ୟାନ୍ୟ ଧ୍ୱଂସ ସାଧନ କରାଯାଏ । ଶବ୍ଦଭେଦୀ ଓ କ୍ଷେପଣାସ୍ତ୍ର ମଧ୍ୟରେ ଏତାଦୃଶ ସମାନତା ପ୍ରକାଶ ପାଏ ଯେ, ଉଭୟ କ୍ଷେତ୍ରରେ ସମ୍ମୁଖଯୁଦ୍ଧ ହୁଏନାହିଁ ଓ ଲୁଚି ଛପି ଲକ୍ଷ୍ୟଭେଦ କରାଯାଏ । ପ୍ରଥମ କ୍ଷେତ୍ରରେ ଏହା ଏକ ବା ଦୁଇ ନିରୀହ ପ୍ରାଣ ବିନାଶ କରିଥିବା ସ୍ଥଳେ, କ୍ଷେପଣାସ୍ତ୍ର କ୍ଷେପଣରେ ବିନାଶର ମାତ୍ରା ଭୟଙ୍କର ହୋଇଥାଏ , ଯାହା ଶକ୍ତିର ପରିମାଣ ଉପରେ ନିର୍ଭର କରେ । ଆଣବିକ ଅସ୍ତ୍ରର ଧ୍ୱଂସକାରୀ ଶକ୍ତି କଳ୍ପନାର ବାହାରେ ଅଟେ ।
ଯେହେତୁ ଶବ୍ଦଭେଦୀର ପ୍ରୟୋଗ ପ୍ରକୃତି ବିରୁଦ୍ଧ ଅଟେ, ତେଣୁ ଏହି ଜାତୀୟ କାର୍ଯ୍ୟରେ ବୋଧହୁଏ ଅଙ୍କୁଶ ଲଗାଥାଇପାରେ । ଫଳରେ ଏହାର ପ୍ରୟୋଗ ସୀମିତ ଥିଲା । ଏହାର ପ୍ରୟୋଗ କରି ଦୁଇ ରାଜା ଘୋର ବିପର୍ଯ୍ୟୟର ଶୀକାର ହୋଇଥିଲେ । ଏହା ଆଜିର ସଭ୍ୟତାରେ ପ୍ରତିଫଳିତ ହେବା ବାଞ୍ଛନୀୟ । କିନ୍ତୁ ଏହା ନହୋଇ ଏହାର ବିପରୀତ ଦିଗରେ ମାନବ ସଭ୍ୟତା ଦ୍ରୁତଗତିରେ ଧାବମାନ । ଯଦି ଗୋଟିଏ ଶବ୍ଦଭେଦୀ ବାଣ ପ୍ରୟୋଗର ପ୍ରତିକ୍ରିୟା ସ୍ୱରୂପ ପ୍ରକୃତି ଏତେ ଭୟଙ୍କର, ତେବେ ମାତ୍ର ଏକ କ୍ଷେପଣାସ୍ତ୍ରର କ୍ଷେପଣରେ ଯେ ଅଶେଷ କ୍ଷତି ଘଟେ ଓ ତାହାର ପ୍ରତିବଦଳରେ ପ୍ରକୃତି କେତେ ଭୟଙ୍କର ହୋଇ ଉଠୁନଥିବ ! ଏଥିପାଇଁ ମାନବକୁ ଅଶେଷ କ୍ଷତି ସହିବାକୁ ପଡୁଛି ଓ ପଡିବ ମଧ୍ୟ । ନିରୀହ ଆତ୍ମାରୁ ଉଦ୍ଗତ କାରୁଣ୍ୟ ହିଁ ପ୍ରକୃତିର ଅବକ୍ଷୟତାର ସ୍ୱରୂପ ଅଟେ । ପରୀକ୍ଷଣ, ପ୍ରୟୋଗ ଆଦିରୁ ଅସଂଖ୍ୟ ପ୍ରାଣହାନୀ, ଭୟଙ୍କର ପ୍ରଦୂଷଣ ଆଦି ସୃଷ୍ଟି କରୁଛି ପୃଥିବୀରେ ନାହିଁ ନଥିବା ବ୍ୟତିକ୍ରମ । ଦେଶ ଦେଶ ମଧ୍ୟରେ ଏତେ ପରିମାଣରେ ମାରଣାସ୍ତ୍ର ଭରିହୋଇ ରହିଛି ଯେ, ଯଦି ଏକ ସମୟରେ ସେଗୁଡିକୁ ପ୍ରୟୋଗ କରାଯାଏ, ତେବେ ଶହ ଶହ ପୃଥବୀ ପରି ଜୀବନ୍ତଗ୍ରହ ଜୀବ ଜଗତ ଶୂନ୍ୟ ହୋଇଯିବ । ତେଣୁ ପୃଥିବୀପାଇଁ ଭୟଙ୍କର ଦୁର୍ଦ୍ଦିନ ମାଡି ଆସୁଛି । ପ୍ରାକୃତିକ ବିପର୍ଯ୍ୟୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରକୃତିର ତାଣ୍ଡବ ଲୀଳା ନିକଟରେ ଅଦ୍ୟାବଧି ହାସଲ ହୋଇଥିବା ସବୁ ଜ୍ଞାନ କୌଶଳ ହାରମାନୁଛି ଓ ଲକ୍ଷ ଲକ୍ଷ ପ୍ରାଣହାନୀ ଘଟୁଛି । ଏତାଦୃଶ ଦୁର୍ଗତି ଭୋଗ କରିବା ସତ୍ୱେ ବି ଦେଶ ଦେଶ ମଧ୍ୟରେ ଅସ୍ତ୍ର ପ୍ରତିଯୋଗିତା ବୃଦ୍ଧି ପାଇବରେ ଲାଗିଛି । ତେବେ କ’ଣ ଖୁବ୍ ଶୀଘ୍ର ଏ ଜୀବ ଜଗତ ଲୋପ ପାଇଯିବ ! ଏହାର ଉତ୍ତରହିଁ ଅତୀତ ଯୁଗର ପ୍ରକୃତି ବିରୁଦ୍ଧ କାର୍ଯ୍ୟର ଫଳାଫଳ ଦେବ । ଅତୀତର ପୃଷ୍ଠଭୂମି ଉପରେ ଦଣ୍ଡାୟମାନ ହୋଇ ଭବିଷ୍ୟତ ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଶ୍ରେୟସ୍କର ଅଟେ । ଆମକୁ ଦିଗ୍ଦର୍ଶନ ଦେଇଆସୁଛି ମାହାନ୍ ଭାରତୀୟ ସଂସ୍କୃତି । ସମଗ୍ର ପୃଥିବୀ ଏହାର ବାର୍ତ୍ତାକୁ ଗ୍ରହଣ କରି “ବସୁନ୍ଧୈବ କୁଟୁମ୍ବକମ୍” ଉକ୍ତିର ଯଥାର୍ଥତାକୁ କାର୍ଯ୍ୟରେ ପରିପ୍ରକାଶ କରିବା ଆଜିର ଅନୁଚିନ୍ତା ଅଟେ ।
———————————————————————————————–
Published in ଦିଗ୍ବଳୟ ‘Digbalay’ Feb – 2009 – Popular Science Magazine in Odia, Odisha Physical Society, Odisha .