କବିତା – ମା’ର ଡାକ
ମା’ର ଡାକ
*************
ବାଇବେଲ୍, ଗୀତା ଓ କୋରାନ୍
ଏକ ଗର୍ଭୁ ଭ୍ରାତା ତିନି
ରଚିଥିଲେ ବିଶ୍ୱବାଣୀ
ମାତିଲେ ସଂଗ୍ରାମେ ବେଳୁବେଳ
ସୁଧା ସାଗରରେ ଶୋହେ କଟୁ ନୀଳୋତ୍ପଳ !
ରୋପିଲା କେ ଦୁରାଚାରୀ ପାମର ପାଷାଣ ? ………(୧)
ଘୋର ଅନ୍ତର୍ଦ୍ଦ୍ୱନ୍ଦେ କମ୍ପେ ଅବନୀର ବକ୍ଷ
ଆତଙ୍କିତ ଏ ମାନବ କୁଳ
ଚ୍ଛିନ୍ନ ଆଜି ଭାଇଚାରା
ପ୍ରାନ୍ତେ ନର ମୁଣ୍ଡମାଳା
ଦେଶେ ଦେଶେ ପରିବ୍ୟାପ୍ତ ଧ୍ୱଂସକାରୀ ଦଳ
ଧାବନ୍ତି ଉନ୍ମାଦେ ଲୋଡି ଭିନ୍ନ ଭିନ୍ନ ପକ୍ଷ ……..(୨)
ଏକ ମନ ଏକ ପ୍ରାଣେ ପଡିଅଛି ଭଟ୍ଟା
ଦୋଷାରୋପ ଏକକୁ ଆରେକ
କାରଣ ମିଳଇ ନାହିଁ
ସଦ୍ଭାବ ଗଲାକାହିଁ ?
ଚେତନା ବିହୀନେ ଧରା ହୋଇଛି ନରକ
ଅଶାନ୍ତ ସମୀରେ ଭରା ବନଗିରି ତୋଟା …..(୩)
ଧରଣୀ ମାତା ରୋଦନ କରୁଅଛି ଦେଖ
ପୁତ୍ରମାନେ ବ୍ୟାଧିଗ୍ରସ୍ତ ତା’ର
ମାନିଲେନି ମାତା କଥା
ଯୁଦ୍ଧେ ମାତିଲେ ଅଯଥା
କ୍ଷୟ ଅଙ୍ଗେ ବଢେ ଜ୍ୱାଳା ବହୁଛି ରୁଧିର
ବିଷାକ୍ତ ଅହି ଦର୍ଶନେ ବିଭତ୍ସ ତା ମୁଖ …..(୪)
ଗର୍ଭଧାରୀ ମାତ ଡାକେ ହେ ଅମୃତ ପୁତ୍ର
ନାଶି ସମାଜର କୂଟ କୀଟ
ଭୁଲିଣ ସବୁ କୁକର୍ମ
ସ୍ମର ବେଗେ ନାଦବ୍ରହ୍ମ
ଭାଇଭାଇ ମିଳିଯାଅ ନକରି ଅଝଟ
ନିରନ୍ତର ଯପ ମହା ମୃତ୍ୟୁଞ୍ଜୟ ମନ୍ତ୍ର …..(୫)
************************************